Friday, May 30, 2025

• ଜନମପାଣି: ଜୀଵନର ପ୍ରଥମ ସ୍ପର୍ଶ•

ଓଡ଼ିଆ ଭାଷା ଓ ସଂସ୍କୃତିରେ ‘ଜନମପାଣି’ ଶବ୍ଦଟି ଏକ ଅନନ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅର୍ଥ ବହନ କରେ। ଏହି ଶବ୍ଦଟି ଦୁଇଟି ପରିପ୍ରେକ୍ଷୀରେ ଵ୍ୟଵହୃତ ହୁଏ: ଗଛରୋପଣ ସମୟରେ ପ୍ରଥମ ଜଳଦାନ ଓ ନଵଜାତ ଶିଶୁର ପ୍ରଥମ ସ୍ନାନ। ଏହି ଦୁଇଟି ପ୍ରସଙ୍ଗ ଜୀଵନର ଆରମ୍ଭ ଓ ପୁନର୍ଜନ୍ମର ପ୍ରତୀକ ରୂପେ ଦେଖାଯାଏ। ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଏହି ଶବ୍ଦଟି ଗଛ ଓ ଶିଶୁ ଉଭୟଙ୍କ ପାଇଁ ଜୀଵନଦାୟୀ ଶକ୍ତିର ପ୍ରତୀକ। 

ଜନମପାଣି ଓ ବୃକ୍ଷରୋପଣ: 

ଵୃକ୍ଷରୋପଣ ଏକ ପତ୍ର କାର୍ଯ୍ୟ ରୂପେ ଵିଵେଚିତ ହୁଏ। ଯେତେବେଳେ ଗଛର ଚାରା ଏକ ସ୍ଥାନରୁ ଅଣା ହୋଇ ଅନ୍ୟ ସ୍ଥାନରେ ରୋପିତ ହୁଏ, ତାହାର ମୂଳ ସହ ଲାଗିଥିଵା ମାଟିକୁ ‘ଜନ୍ମମାଟି’ କୁହାଯାଏ। ଏହି ମାଟି ଗଛର ମାତୃଭୂମି ସଦୃଶ, ଯେଉଁଠାରେ ତା’ର ଚେର ପ୍ରଥମେ ମାଡ଼ିଥାଏ। ରୋପଣ ପରେ ଗଛକୁ ଦିଆଯାଉଥିଵା ପ୍ରଥମ ଜଳକୁ ଓଡ଼ିଆ ଭାଷାରେ ଜନ୍ମପାଣି ଵା ‘ଜନମପାଣି’ କୁହାଯାଏ। ଏହି ଜଳ ଗଛକୁ ନୂଆ ପରିଵେଶରେ ଜୀଵନ ପ୍ରଦାନ କରେ। 

ଵୈଜ୍ଞାନିକ ଦୃଷ୍ଟିକୋଣରୁ, ଜନମପାଣି ଗଛର ଵୃଦ୍ଧି ଓ ବଞ୍ଚିଵା ପାଇଁ ଅତ୍ୟନ୍ତ ଆଵଶ୍ୟକ। ଗଛଟିଏ ଉତ୍ପାଟିତ ହେଵା ସମୟରେ ତା’ର ମୂଳ ଅର୍ଦ୍ଧମୃତ ଅଵସ୍ଥାକୁ ପ୍ରାପ୍ତ ହୁଏ, କାରଣ ମୂଳ ମାଟିରୁ ଅଲଗା ହେଵା ଫଳରେ ଜଳ ଓ ପୋଷକ ତତ୍ତ୍ୱର ଆହରଣ ବାଧାପ୍ରାପ୍ତ ହୁଏ। ନୂତନ ସ୍ଥାନରେ ଚାରା ଲଗାଯାଇ ତା ମୂଳରେ ଦିଆଯାଉଥିଵା ଜନମପାଣି ମୂଳକୁ ଆର୍ଦ୍ରତା ଯୋଗାଇ ମାଟି ସହ ସଂଯୋଗ ସ୍ଥାପନ କରିଵାରେ ସହାୟକ ହୁଏ। ନୂତନ ରୂପେ ରୋପଣ କରାଯାଇଥିଵା ଗଛ ମୂଳରେ ଜନମପାଣି ଦିଆଯିଵା ଦ୍ଵାରା ଏହା ମୂଳରେ ଥିଵା ମାଇକୋରାଇଜା ଜୀଵାଣୁଙ୍କୁ ସକ୍ରିୟ ହୁଅନ୍ତି, ଫଳତଃ ଏହା ଗଛର ପୋଷକ ତତ୍ତ୍ୱ ଶୋଷଣରେ ସହାୟକ ହୁଏ । ଏତଦଵ୍ୟତୀତ, ଜନମପାଣି ମାଟିରେ ଥିଵା ବାୟୁ ଫାଙ୍କକୁ କମାଇ ମୂଳକୁ ସ୍ଥିର କରେ, ଯାହା ଗଛର ସ୍ଥାୟୀତ୍ୱ ପାଇଁ ଜରୁରୀ। 

ଓଡ଼ିଆ ସଂସ୍କୃତିରେ ଜନମପାଣିକୁ ପୁନର୍ଜନ୍ମର ପ୍ରତୀକ ରୂପେ ଦେଖାଯାଏ। ଗଛଟିଏ ଯେତେବେଳେ ଏକ ସ୍ଥାନରୁ ଉତ୍ପାଟିତ ହୋଇ ଅନ୍ୟତ୍ର ରୋପିତ ହୁଏ, ତାହା ଏକ ନୂଆ ଜୀଵନ ଆରମ୍ଭ କରେ। ଏହି ପ୍ରକ୍ରିୟା ଗଛର ପୁନର୍ଜନ୍ମ ସହ ତୁଳନୀୟ ଏଵଂ ଜନମପାଣି ଏହି ନୂଆ ଜୀଵନର ପ୍ରଥମ ସ୍ପର୍ଶ ରୂପେ କାର୍ଯ୍ୟ କରେ। 

ଜନମପାଣି ଓ ନବଜାତ ଶିଶୁ : 

ଓଡ଼ିଆ ସଂସ୍କୃତିରେ ନବଜାତ ଶିଶୁର ପ୍ରଥମ ସ୍ନାନକୁ ମଧ୍ୟ ‘ଜନମପାଣି’ କୁହାଯାଏ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, ଏହି ସ୍ନାନ ଶିଶୁର ଜୀଵନର ପ୍ରଥମ ସାଂସ୍କୃତିକ ରୀତି ରୂପେ ଗଣାଯାଏ। ଆଗେ ଓଡ଼ିଶାରେ ଲୋକେ ପ୍ରାୟତଃ ଉଠିଆରିରେ ପିଲାଙ୍କୁ ପ୍ରଥମ ସ୍ନାନ କରାଉଥିଲେ । କେହି କେହି ନଵଜାତ ଶିଶୁ ଅସୁସ୍ଥ ଥିଲେ ବାରଆତର କିମ୍ବା ଏକୋଇଶିଆ ସମୟରେ ଶିଶୁକୁ ପ୍ରଥମ ସ୍ନାନ କରାଉଥିଲେ । ଏହି ସ୍ନାନ କେଵଳ ଶାରୀରିକ ଶୁଚିତା ପାଇଁ ନୁହେଁ ଵରଂ ଶିଶୁକୁ ନୂଆ ଜୀଵନରେ ସ୍ୱାଗତ କରିଵାର ମଧ୍ୟ ଏକ ପ୍ରତୀକାତ୍ମକ ଅଭିଵ୍ୟକ୍ତି ଅଟେ । 

ଵୈଜ୍ଞାନିକ ଦୃଷ୍ଟିକୋଣରୁ, ନଵଜାତ ଶିଶୁର ପ୍ରଥମ ସ୍ନାନ ତା’ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗର୍ଭାଶୟରେ ଥିଵା ସମୟରେ ଶିଶୁ ଏକ ନିରାପଦ ଓ ଜୀଵାଣୁମୁକ୍ତ ପରିବେଶରେ ଥାଏ। ଜନ୍ମ ପରେ ସେ ଵାହ୍ୟ ପରିଵେଶରେ ଉନ୍ମୁକ୍ତ ହୁଏ, ଯେଉଁଠାରେ ଜୀଵାଣୁ ଓ ଅନ୍ୟାନ୍ୟ କ୍ଷତିକାରକ ଉପାଦାନ ତା’ର ସ୍ୱାସ୍ଥ୍ୟକୁ ପ୍ରଭାଵିତ କରିପାରେ। ପ୍ରଥମ ସ୍ନାନ ଶିଶୁର ଶରୀରରୁ ଜନ୍ମ ସମୟରେ ଲାଗିଥିଵା ରକ୍ତ, ଭର୍ନିକ୍ସ (vernix) ଓ ଅନ୍ୟାନ୍ୟ ଅଶୁଦ୍ଧ ପଦାର୍ଥ ଦୂର କରେ। ଏହା ଶିଶୁର ଚର୍ମକୁ ସଂକ୍ରମଣରୁ ରକ୍ଷା କରେ ଓ ତା’ର ଥର୍ମୋରେଗୁଲେସନ (ଶରୀରର ତାପମାତ୍ରା ନିୟନ୍ତ୍ରଣ) ପ୍ରକ୍ରିୟାକୁ ସହାୟତା କରେ। ଆଧୁନିକ ଚିକିତ୍ସା ଵିଜ୍ଞାନ ଅନୁସାରେ, ପ୍ରଥମ ସ୍ନାନ ସାଧାରଣତଃ ଜନ୍ମର ୨୪ ଘଣ୍ଟା ପରେ କରାଯାଏ, ଯାହା ଶିଶୁର ଚର୍ମରେ ଥିଵା ପ୍ରାକୃତିକ ତୈଳୀୟ ପଦାର୍ଥକୁ ସଂରକ୍ଷଣ କରି ତା’ର ସ୍ୱାସ୍ଥ୍ୟରେ ସୁଧାର ଆଣେ। 

ଓଡ଼ିଆ ସଂସ୍କୃତିରେ ଜନମପାଣି କେଵଳ ଶାରୀରିକ ଶୁଚିତା ନୁହେଁ, ବରଂ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା। ଏହା ଶିଶୁର ନୂଆ ଜୀଵନରେ ପ୍ରବେଶକୁ ପଵିତ୍ର କରେ। ଏହା ସହ,ଜନ୍ମଠାରୁ ସପ୍ତମ ଦିଵସ ପରେ ଶିଶୁର ମୁଖରେ ଦିଆଯାଉଥିଵା ‘ଲାଜପାଣି’ ମଧ୍ୟ ଏକ ଅନନ୍ୟ ପରମ୍ପରା। ଏହି ରୀତି ଅନୁସାରେ, ଶିଶୁର ମୁଖରେ ପ୍ରଥମ ଅଞ୍ଜଳି ପାଣି ଦେଇ ତା’ର ମାତା ତା'ର ମୁଖକୁ ଧୋଇ ଥାଆନ୍ତି । ଲୋକ ଵିଶ୍ୱାସ ଅଛି ଯେ, ଯେଉଁ ଶିଶୁର ମୁହଁରେ ତାହାର ମାତା ଲାଜ ପାଣି ମାରି ନ ଥାନ୍ତି ସେ ଭାବି ଜୀଵନରେ ନିର୍ଲ୍ଲଜ୍ଜ ହୁଏ। ଏଥିପାଇଁ କୌଣସି ନିର୍ଲ୍ଲଜ୍ଜ ଵ୍ୟକ୍ତିକୁ ଲକ୍ଷ୍ୟ କରି ଲୋକେ କହିଥାନ୍ତି 'ତା ମାଆ ତା ମୁହଁରେ କଅଣ ଲାଜପାଣି ମାରି ନ ଥିଲା କି?' 

ଶିଶୁ ଜନ୍ମ ହେଵାର ଷଷ୍ଠ,ସପ୍ତମ, ଅଷ୍ଟମ ଵା ନଵମ ଦିନର କୃତ୍ୟ ଵା ଅନୁଷ୍ଠାନକୁ ଓଡ଼ିଶାର ଲୋକେ ଉଠିଆରି କୁହନ୍ତି ।‌ ସେ ଦିନ ଅନ୍ତୁଡ଼ି ନିଆଁ ଉଠାଯାଇ ପ୍ରସୂତି ସ୍ନାନ କରେ ଓ ଅନ୍ତୁଡ଼ିଶାଳ ସଫା ହୁଏ । ପ୍ରସବର ସାତ ଦିନପରେ ଏହି ଉଠିଆରି ଦିନ ଅନ୍ତୁଡ଼ିଶାଳରୁ ପାଉଁଶ ଆଦି କଢ଼ା ଯାଇ ସଫା ହୋଇଥାଏ ଯାହାକୁ ଅନ୍ତୁଡ଼ି ଉଠିଵା କୁହନ୍ତି । ଏହାପରେ ମାତା ଓ ଶିଶୁ ଯେଉଁ ପ୍ରଥମ ସ୍ନାନ କରନ୍ତି ତାହାକୁ ଶିଶୁ କ୍ଷେତ୍ରରେ ଜନମପାଣି ତଥା ମାତା କ୍ଷେତ୍ରରେ ଉଠିଆରିଗାଧୁଆ କୁହାଯାଏ। 

ଜନମପାଣି ଓ ଉଠିଆରିଗାଧୁଆ ଭଳି ଶବ୍ଦ ଓଡ଼ିଆ ଭାଷାରେ ଏକ ଅନନ୍ୟ ସ୍ଥାନ ଅଧିକାର କରେ। ହିନ୍ଦୀ, ବଙ୍ଗଳା, ମରାଠୀ କିମ୍ବା ଅନ୍ୟ କୌଣସି ଭାରତୀୟ ଭାଷାରେ ଏହି ଶବ୍ଦର ସମାନ ଅର୍ଥରେ କୌଣସି ଶବ୍ଦ ମିଳେ ନାହିଁ। ତଥାପି, ଅନ୍ୟ ସଂସ୍କୃତିରେ ଵୃକ୍ଷରୋପଣ ଓ ଶିଶୁର ପ୍ରଥମ ସ୍ନାନ ସହ ଜଡ଼ିତ କେତେକ ରୀତିନୀତି ଦେଖାଯାଏ। ଉଦାହରଣ ସ୍ୱରୂପ, ଜାପାନୀ ସଂସ୍କୃତିରେ ‘ମିୟାମୈରି’ ରୀତି ଅନୁସାରେ ନଵଜାତ ଶିଶୁକୁ ଆଶୀର୍ଵାଦ ପ୍ରାପ୍ତି ପାଇଁ ମନ୍ଦିରକୁ ନିଆଯାଏ, ଯାହା ନଵଜାତର ଜୀଵନାରମ୍ଭକୁ ପଵିତ୍ର କରେ। ସେହିପରି, ଭାରତୀୟ ସଂସ୍କୃତିରେ ‘ଅନ୍ନପ୍ରାଶନ’ କିମ୍ବା ‘ନାମକରଣ’ ରୀତି ଶିଶୁର ନୂଆ ଜୀଵନରେ ପ୍ରବେଶକୁ ଚିହ୍ନିତ କରେ। ଵୃକ୍ଷରୋପଣ ପରିପ୍ରେକ୍ଷୀରେ, ଜନଜାତୀୟ ସଂସ୍କୃତିରେ ଗଛକୁ ପୂଜା କରାଯାଏ ଓ ତାକୁ ଜୀଵନଦାତା ରୂପେ ଗ୍ରହଣ କରାଯାଏ। ଉଦାହରଣ ସ୍ୱରୂପ, ମେକ୍ସିକୋର ମାୟା ସଂସ୍କୃତିରେ ଗଛକୁ ‘ଜୀଵନର ଅକ୍ଷ’ (axis mundi) ରୂପେ ଵିଵେଚନା କରାଯାଏ । 

ତଥାପି, ‘ଜନମପାଣି’ ଶବ୍ଦର ଅନନ୍ୟତା ଏହାର ଦ୍ୱୈତ ଅର୍ଥରେ ନିହିତ। ଏହା ଗଛ ଓ ଶିଶୁ ଉଭୟଙ୍କ ପାଇଁ ଜୀଵନର ଆରମ୍ଭକୁ ଚିହ୍ନିତ କରେ, ଯାହା ଓଡ଼ିଆ ସଂସ୍କୃତିର ପ୍ରକୃତି ଓ ମାନଵ ଜୀଵନ ପ୍ରତି ଥିଵା ଗଭୀର ସମ୍ମାନକୁ ପ୍ରତିଫଳିତ କରେ। ଏହି ଶବ୍ଦ ଓଡ଼ିଆ ଭାଷାର ସାଂସ୍କୃତିକ ଐଶ୍ୱର୍ଯ୍ୟକୁ ପ୍ରକାଶ କରେ ଓ ଏହାର ଅନ୍ୟ ଭାଷାରେ ଅନୁପସ୍ଥିତି ଏହାକୁ ଆହୁରି ଵିଶେଷ ଶବ୍ଦର ମଧ୍ୟ ମର୍ଯ୍ୟାଦା ମଧ୍ୟ ପ୍ରଦାନ କରିଥାଏ । 

‘ଜନମପାଣି’ ଓଡ଼ିଆ ସଂସ୍କୃତିରେ ଜୀଵନର ଆରମ୍ଭ ଓ ପୁନର୍ଜନ୍ମର ଏକ ଶକ୍ତିଶାଳୀ ପ୍ରତୀକ। ଏହା ଗଛରୋପଣରେ ଜଳର ଵୈଜ୍ଞାନିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ଏଵଂ ଶିଶୁର ପ୍ରଥମ ସ୍ନାନରେ ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଏକାଠି ସମନ୍ୱିତ କରେ। ଏହି ଶବ୍ଦ ଓଡ଼ିଆ ସଂସ୍କୃତିର ପ୍ରକୃତି ଓ ମାନଵ ଜୀଵନ ପ୍ରତି ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ। ଅନ୍ୟ ଭାଷାରେ ଏହାର ସମାନ ଶବ୍ଦର ଅନୁପସ୍ଥିତି ଏହାକୁ ଆହୁରି ଅନନ୍ୟ କରେ। ଆମେ ଯେତେବେଳେ ଗଛକୁ ଜନମପାଣି ଦେଉ କିମ୍ବା ଶିଶୁକୁ ପ୍ରଥମ ସ୍ନାନ କରାଉ, ଆମେ ଜୀଵନର ପଵିତ୍ରତାକୁ ଆନନ୍ଦ, ସମ୍ମାନ ଓ କୃତଜ୍ଞତାର ସହିତ ପାଳନ କରିଥାଉ । ଏହି ପରମ୍ପରା ଆମକୁ ପ୍ରକୃତି ଓ ମାନଵ ଜୀଵନର ଅନ୍ତରଙ୍ଗ ସମ୍ପର୍କର ସ୍ମରଣ କରାଇଦିଏ। 

“ଗଛ, ପୃଥିଵୀର ଶ୍ୱାସ, 
ଆଉ ଗଛ ପାଇଁ ଜନମପାଣି 
ତାହାର ପ୍ରଥମ ନିଶ୍ଵାସ।”

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...