ଓଡ଼ିଆ ଭାଷାରେ ‘ନିଘନ’ ବୋଲି ଗୋଟିଏ ଦେଶଜ ଶବ୍ଦ ଅଛି ଯାହା ସଂସ୍କୃତର ‘ଘନ’ ମୂଳରୁ ଉତ୍ପନ୍ନ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।
ପ୍ରଥମତଃ, ‘ନିଘନ’ ଅର୍ଥ ଘନିଷ୍ଠ ସମ୍ପର୍କ। ଫକୀରମୋହନ ସେନାପତିଙ୍କ ଗଳ୍ପସ୍ଵଳ୍ପରେ ଏହା ସ୍ପଷ୍ଟ ହୁଏ। ସେଠାରେ ଵର୍ଣ୍ଣିତ ହୋଇଛି:
“ଶ୍ୟାମ ସାହୁ ବିଦେଇର ନିଘନ ମଳାଶୁର। ଘର ଜୋରମେ ଇଲାକା ଖାଲପାଳ। ସାହୁ ଜଣେ କାରବାରିଆ ମଧ୍ୟଭଳି ଲୋକ।”
ଏହି ପଦରେ ‘ନିଘନ’ ଶବ୍ଦ ବିଦେଇ ଓ ଶ୍ୟାମ ସାହୁଙ୍କ ମଧ୍ୟରେ ଥିଵା ଗାଢ଼ ସମ୍ପର୍କକୁ ସୂଚାଏ। ଏହା କେଵଳ ରକ୍ତ ସମ୍ପର୍କ ନୁହେଁ ଵରଂ ମନରେ ଓ ସାମାଜିକ ସ୍ତରରେ ଥିଵା ନିକଟତାକୁ ପ୍ରତିଫଳିତ କରେ।
ପୁଣି ଭାଷାକୋଷ ଅନୁସାରେ ବାଲେଶ୍ୱର ଅଞ୍ଚଳରେ ‘ନିଘନ’ , "ଅତି ନିକଟ ସମ୍ପର୍କ"କୁ ବୁଝାଇଥାଏ, ଯାହା ମାନଵୀୟ ବନ୍ଧନର ଗଭୀରତାକୁ ପ୍ରକାଶ କରେ। ବାଲେଶ୍ବର ଜିଲ୍ଳାର କଥିତ ଓଡ଼ିଆ ଶୈଳୀରେ ନିଘନ ଶବ୍ଦର ଏଭଳି ଅର୍ଥ ପ୍ରଚଳିତ ଥିଵାରୁ ଫକୀରମୋହନ ସେନାପତି ସେ ଶବ୍ଦକୁ ସାହିତ୍ୟରେ ସ୍ଥାନ ଦେଇଥିଲେ ।
ଦ୍ଵିତୀୟତଃ, ‘ନିଘନ’ ଅର୍ଥ ଘନ ଵା ନିଵିଡ଼। ପ୍ରାଚୀନ ଓଡ଼ିଆ ସାହିତ୍ୟରେ, ଯେପରି ରସବାରିଧିରେ ଵର୍ଣ୍ଣିତ, “ନଵଘନ ରୁଚିର ନିଘନ କେଶ ମୋର।” ଏହି ପଙ୍କ୍ତିରେ ‘ନିଘନ’ ଶବ୍ଦ କେଶର ଘନତା ଓ ସୌନ୍ଦର୍ଯ୍ୟକୁ ଚିତ୍ରଣ କରେ। ଏହା ପ୍ରକୃତି ଵା ଵସ୍ତୁର ନିଵିଡ଼ତାକୁ ସୂଚାଇ ସାହିତ୍ୟରେ ଏକ ସୁନ୍ଦର ଚିତ୍ରକଳ୍ପ ସୃଷ୍ଟି କରେ। ଏହି ଵ୍ୟଵହାର ଓଡ଼ିଆ କାଵ୍ୟରେ ଵସ୍ତୁଗତ ସୌନ୍ଦର୍ଯ୍ୟକୁ ଆଲୋକିତ କରେ।
ତୃତୀୟତଃ, ‘ନିଘନ’ ଅର୍ଥ ମୋଟ ଵା ସ୍ଥୂଳ।
ଜଗନ୍ନାଥ ଦାସଙ୍କ ଭାଗଵତରେ ଏହା ସ୍ପଷ୍ଟ ହୋଇଛି:
“ସୁସଞ୍ଚ ଅଂଘ୍ରି ଚାରୁ ଉର
ନିଘନ ଜାନୁ ଶୋଭାକର।"
ଏହି ପଦରେ ‘ନିଘନ’ ଶବ୍ଦ ଶାରୀରିକ ଗଠନର ସ୍ଥୂଳତା ଓ ସୌନ୍ଦର୍ଯ୍ୟକୁ, ଵିଶେଷତଃ ଜାନୁ (ଆଣ୍ଠୁ)ର ମୋଟତାକୁ ବର୍ଣ୍ଣନା କରେ। ଏହା ଶରୀରର ବାହ୍ୟ ଗୁଣକୁ ଏକ ଆକର୍ଷଣୀୟ ରୂପେ ଉପସ୍ଥାପନ କରେ।
ଫକୀରମୋହନଙ୍କ ଗଳ୍ପରୁ ଆରମ୍ଭ କରି ପ୍ରାଚୀନ ରସବାରିଧି ଓ ଜଗନ୍ନାଥ ଦାସଙ୍କ ଭାଗଵତ ପର୍ଯ୍ୟନ୍ତ, ‘ନିଘନ’ ଶବ୍ଦ ଵିଭିନ୍ନ ଅର୍ଥରେ ଆମ ଭାଷାର ସାହିତ୍ୟରେ ପ୍ରୟୋଗ ହୋଇଛି । ତେବେ ନିଘନ ପରି ଆଉ ଦୁଇଟି ଓଡ଼ିଆ ଶବ୍ଦ ବି ଅଛି । ଗୋଟିଏ ହେଲା ନିଘମ ଯାହାର ଅର୍ଥ ଘୋର ଓ ନିଵିଡ଼ । ଯେମିତି ନିଘମ ନିଦ ଅର୍ଥାତ୍ ଘୋର ନିଦ । କେହି କେହି ଏ କ୍ଷେତ୍ରରେ ନିଘୋଡ଼ ନିଦ ମଧ୍ୟ କୁହନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନିଘୋଡ଼ ଶବ୍ଦର ଦୁଇଗୋଟି ଅର୍ଥ ପୂର୍ଣ୍ଣ ଓ ଗଭୀରରୂପେ ଵା ଅତ୍ୟନ୍ତ ଆଧାରରେ ଏଠାରେ ନିଦ ଶବ୍ଦ ସହିତ ନିଘୋଡ଼ ଶବ୍ଦ ଯୁକ୍ତ ହୋଇଅଛି ।
ଆଉ ଏକ ଶବ୍ଦ ହେଲା ନିଘଞ୍ଚ ଯାହା
ନିଵିଡ଼ ତଥା ଗାଢ଼ ଅର୍ଥରେ ସାହିତ୍ୟରେ ଵ୍ୟଵହୃତ ହୋଇଛି । ନନ୍ଦ କିଶୋର ବଳଙ୍କର ଶର୍ମିଷ୍ଠାରେ ନିଵିଡ଼ ଅର୍ଥରେ ନିଘଞ୍ଚ ଶବ୍ଦ ଵ୍ୟଵହାର କରାଯାଇଛି
“ଝିଲ୍ଲୀ ଝଙ୍କାରିତ ମଞ୍ଜୁଳ ବଞ୍ଜୁଳ ନିଘଞ୍ଚ କୁଞ୍ଜଵନ।”
ସେହିପରି ଫକୀରମୋହନ ସେନାପତି ଛମାଣ ଆଠଗୁଣ୍ଠରେ ଗାଢ଼ ଅର୍ଥରେ ନିଘଞ୍ଚ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି "ଆରେ ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ ?"
ନିଘଞ୍ଚ ପରି ନଘଞ୍ଚନ ଶବ୍ଦ ମଧ୍ୟ ଆମ ଭାଷାରେ ପ୍ରଚଳିତ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ।
"ମିଥୁନେ ଛତା କକଡ଼ା ହତା,
କନ୍ୟେ ନିଘଞ୍ଚନ ରୋ
ଆଉ ଯେତକ ରୋଇ ନ ପାରିବୁ
ବଳଦ ଆଗରେ ଥୋ।"
‘ନିଘନ’, ‘ନିଘମ’, ‘ନିଘଞ୍ଚ’ ଓ ‘ନଘଞ୍ଚନ’ ଆଦି ଓଡ଼ିଆ ଶବ୍ଦଗୁଡ଼ିକ ଆମ ଭାଷାର ସାହିତ୍ୟିକ ଓ ସାଂସ୍କୃତିକ ଐଶ୍ଚର୍ଯ୍ୟକୁ ପ୍ରତିଫଳିତ କରେ। ଫକୀରମୋହନ ସେନାପତିଙ୍କ ଗଳ୍ପରୁ ଆରମ୍ଭ କରି ଜଗନ୍ନାଥ ଦାସଙ୍କ ଭାଗଵତ ଓ ନନ୍ଦକିଶୋର ବଳଙ୍କ କାଵ୍ୟ ପର୍ଯ୍ୟନ୍ତ ଏହି ଶବ୍ଦମାନେ ମାନଵୀୟ ସମ୍ପର୍କ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାରୀରିକ ଗଠନର ଗଭୀରତାକୁ ନାନା ରୂପେ ଚିତ୍ରଣ କରିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଶବ୍ଦଗୁଡ଼ିକର ଵିଵିଧ ଅର୍ଥ ଓ ପ୍ରୟୋଗ ଓଡ଼ିଆ ଭାଷାର ଗାଢ଼ତା ଓ ଵିଚିତ୍ରତାକୁ ଆଲୋକିତ କରେ। ଏହି ଶବ୍ଦମାନେ କେଵଳ ଭାଷାର ଅଂଶ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ମନୋଜ ବନ୍ଧନ ଓ କାଵ୍ୟିକ ସୌନ୍ଦର୍ଯ୍ୟର ପ୍ରତୀକ। ତେଣୁ, ଏହି ଶବ୍ଦଗୁଡ଼ିକର ସଂରକ୍ଷଣ ଓ ପ୍ରଚଳନ ଆମ ଭାଷାକୁ ଆହୁରି ସମୃଦ୍ଧ ଓ ଜୀଵନ୍ତ ରଖିଵ।
No comments:
Post a Comment