ଗୋଟିଏ ସଂଧ୍ୟାରେ, ଯେତେବେଳେ ସୂର୍ଯ୍ୟ ପାହାଡ଼ ପଛରେ ଲୁଚି ଯାଉଥାନ୍ତି, ସେ ତିନିହେଁ ଏକ ଜଙ୍ଗଲୀ ପଥରେ ଚାଲି ଚାଲି ଯାଉଥାନ୍ତି। ହଠାତ୍ ଲାଓଙ୍କର କାନ ଖଣ୍ଡାର ଝନଝନ ଓ ଗୁପ୍ତ କଥାଵାର୍ତ୍ତା ଶୁଣିଲା। "ହାଁ ହାଁ ଡକାୟତ!" ଲାଓ ଚିତ୍କାର କରି କହିଲେ, "ମୁଁ ଶୁଣିପାରୁଛି ବନ୍ଧୁଗଣ , ସେମାନେ ଆମକୁ ଅପେକ୍ଷା କରିଛନ୍ତି।" ଚେନ୍, ଦୂରରୁ ଧୂଳିଗୁଣ୍ଡ ଉଡ଼ୁଥିଵାର ଦେଖି କହିଲେ, "ହଁ ହଁ ,ଘୋଡ଼ା ଟାପୁ ଯୋଗୁଁ ଧୂଳି ଉଡ଼ୁଥିଵାର ମୁଁ ଦେଖିପାରୁଛି । ସେମାନେ ନିଶ୍ଚୟ ଆମ ଆଡ଼କୁ ମାଡ଼ି ଆସୁଛନ୍ତି!" କିନ୍ତୁ ମୂକ ଶୁ କେଵଳ ବଲ ବଲ କରି ଚାହିଁ ରହିଲେ, ହାତ ହଲାଇ କିଛି ବୁଝାଇଵାକୁ ଚେଷ୍ଟା କଲେ, ମାତ୍ର କେହି ତାକୁ ବୁଝିଲେ ନାହିଁ।
ଲାଓ କହିଲେ, "ମୁଁ ଶୁଣିଲି, ସେମାନେ ଆମ ଧନ ଲୁଟିଵାକୁ ଚାହୁଁଛନ୍ତି। ତେଣୁ ଆମେ ଲୁଚିଯିଵା ଉଚିତ!" ଚେନ୍ ଉତ୍ତର ଦେଲେ, "କିନ୍ତୁ ମୁଁ ଦେଖୁଛି, ଧୂଳି ଆମଠାରୁ ବହୁତ ଦୂରରେ ଉଡ଼ୁଛି। ଡକାୟତମାନେ ଆମଠାରୁ ଦୂରରେ ଅଛନ୍ତି ତେଣୁ ଆମେ ଏଠାରୁ ଦୌଡ଼ି ପଳାଇଲେ ରକ୍ଷା ପାଇଯିଵା ।" ଶୁ, ଯିଏ ମୁକ ହୋଇଥିଵା ହେତୁ କିଛି କହି ପାରୁନଥିଲେ, ହାତ ହଲାଇ ଗଛ ଆଡ଼କୁ ଇଙ୍ଗିତ କଲେ, କିନ୍ତୁ ଲାଓ ଓ ଚେନ ତାଙ୍କୁ ପୁର୍ନଵାର ଅଣଦେଖା କଲେ। ବଦଳରେ, ଲାଓ ଚିତ୍କାର କଲେ, "ମୁଁ ଶୁଣୁଛି, ସେମାନେ ଆମ ଆଡ଼କୁ ଆହୁରି ଦୃତ ବେଗରେ ମାଡ଼ି ଆସୁଛନ୍ତି !" ଚେନ୍ ଉତ୍ତର ଦେଲେ, "ନା, ମୁଁ ଦେଖୁଛି, ଧୂଳି ତଥାପି ଦୂରରେ ଉଡ଼ୁଛି !"
ଏହି ଵାଦଵିଵାଦ ମଧ୍ୟରେ, ଶୁ ମୌନରେ ଏକ ଗଛ ଉପରକୁ ଚଢ଼ିଗଲେ। ସେ ଦେଖିଲେ ଯେ ଧୂଳି କେଵଳ ଗୋଟିଏ ଶଗଡ଼ଗାଡ଼ି ଚଳୁଥିଵା ଯୋଗୁଁ ଉଡ଼ୁଥିଲା । ସେ ଠାରେଇ କରି ଲାଓ ଓ ଚେନ୍ଙ୍କୁ ତାହା ଜଣାଇଵାକୁ ଚାହୁଥିଲେ କିନ୍ତୁ ସେମାନେ କୋଉ ଶୁଣୁଛନ୍ତି । ଲାଓ ଓ ଚେନ ଏବେ ବି ତର୍କ କରୁଥାନ୍ତି, ଜଣେ ଶୁଣୁଥାଏ, ଜଣେ ଦେଖୁଥାଏ, କିନ୍ତୁ କେହି କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନଥାନ୍ତି। ଶେଷରେ, ଗାଡ଼ିଟି ସେମାନେ ପାଖରେ ପହଞ୍ଚିଲା। ଜଣେ ବୁଢ଼ା ଚାଷୀ ଶଗଡ଼ଗାଡ଼ିରୁ ଓହ୍ଲାଇ କହିଲେ, "ହେ ତୁମେମାନେ ଏ ବାଟ ମଝିଟାରେ ଛିଡ଼ା ହୋଇ କାହିଁକି ଏତେ ଚିତ୍କାର କରୁଛ ? ବାଟରୁ ହଟି ଛିଡ଼ା ହୁଅ ମୁଁ ହାଟକୁ ପରିବା ନେଇ ଯାଉଛି !"
ଲାଓ ଓ ଚେନ ଚୁପ୍ ହୋଇଗଲେ, ନିଜର ଭୁଲ୍ ବୁଝାମଣା ଯୋଗୁଁ ଲଜ୍ଜିତ ହେଲେ। ଶୁ, ଗଛ ଉପରୁ ଓହ୍ଲାଇ, ମୌନ ସ୍ମିତହାସ୍ୟ ପୂର୍ଵକ ଲାଓ ଓ ଚେନଙ୍କୁ ଟିକିଏ ଚାହିଁଦେଲେ । ତହୁଁ ସେମାନେ ତିନିଜଣ ପରସ୍ପରକୁ ଚାହିଁ ହସିଲେ ଆଉ ଆଗକୁ ମାଡ଼ି ଗଲେ ।
“କିଛି ଓଡ଼ିଆ ଆଜି ଅନ୍ଧ ଲାଓଙ୍କ ପରି ଅଵର୍ଗ୍ୟ 'ଵ' କୁ ଭୁଲ୍ରେ ଦ୍ଵିସ୍ବର 'ୱ' ମନେ କରୁଛନ୍ତି ଓ ନିଜ ପାଣ୍ଡିତ୍ୟ ଦେଖାଉଛନ୍ତି । ଆଉ କିଛି ଓଡ଼ିଆ କାଲା ଚେନ୍ଙ୍କ ପରି ନିଜର ଜ୍ଞାନ ଓ ଡିଗ୍ରୀର ଅହଂ ଯୋଗୁଁ ଵଧିର ହୋଇଯାଇଛନ୍ତି ଯେ (ବ,ଵ,ୱ) ତିନୋଟି ଵର୍ଣ୍ଣ କେମିତି ଭିନ୍ନ ତାହା ଶୁଣିଵାକୁ ହିଁ ଚାହାନ୍ତି ନାହିଁ। ଏ ଆଖିଥିଵା ଅନ୍ଧ ଓ ଶ୍ରଵଣେନ୍ଦ୍ରୀୟ ଥିଵା ଵଧିରମାନେ ଶୁ' ଙ୍କ ପରି ସତ୍ୟ ଜଣାଇଵାକୁ ଚେଷ୍ଟା କରୁଥିଵା ଲୋକଙ୍କୁ ଅଣଦେଖା ହିଁ କରନ୍ତି । ସତ୍ୟକୁ ନଜାଣି ବି ଅସତ୍ୟ ଵା ଅର୍ଦ୍ଧସତ୍ୟକୁ ହିଁ ଵେଦର ଗାର ମାନି ବସି ଯାଇଥିଵା ଲୋକେ ଯେବେ ଜଣେ ସତ୍ୟ ଜଣାଇଵାକୁ ଚେଷ୍ଟା କରୁଥିଲେ ବି ତାକୁ ଗୁରୁତ୍ଵ ଦିଅନ୍ତି ନାହିଁ ତେବେ ଲାଓ ଓ ଚେନଙ୍କ ପରି ଶେଷରେ ସେମାନଙ୍କୁ ଲଜ୍ଜିତ ହିଁ ହେଵାକୁ ପଡ଼ିଥାଏ ।”
No comments:
Post a Comment