❝ଆସିଥିଲେ କାଳିଦାସ କହିଯାଇଥିଲେ ମତେ,
ଅଣଚାଶ(ଵର୍ଣ୍ଣ)ରୁ ତିନିଶ(ଶ,ଷ,ସ) ଗଲେ ଆଉ ରହିଲା କେତେ ?❞
ଏ ପ୍ରହେଳିକାର ଉଦାହରଣ ଦେଇ ଅନେକେ କୁହନ୍ତି ଯେ ଆଗେ ୪୯ ଵର୍ଣ୍ଣ ଥିଲା ସେଥିପାଇଁ ତ ଏଭଳି ନାଁଦିଆ ଗଢ଼ାଯାଇଛି । ତେବେ ପାରମ୍ପାରିକ ଭାବେ ଓଡ଼ିଆ ଲିପିରେ ଵର୍ଣ୍ଣ ସଂଖ୍ୟା ୫୦ ବୋଲି ଓଡ଼ିଆ ଭାଗଵତରେ ଉଲ୍ଲେଖ କରାଯାଇଛି। ଓଡ଼ିଆ ଭାଗଵତର ସେହି ପଦଗୁଡ଼ିକ ସମ୍ବନ୍ଧରେ ନିମ୍ନରେ ଵିସ୍ତୃତ ଆଲୋଚନା କରାଗଲା । ଓଡ଼ିଆ ଭାଗଵତରେ ଜଗନ୍ନାଥ ଦାସ ଲିପି ମଧ୍ୟରେ ଥିଵା ଵର୍ଣ୍ଣମାନଙ୍କୁ ଈଶ୍ଵରଙ୍କ ସ୍ଵରୂପ ରୂପେ ଚିତ୍ରଣ କରିଛନ୍ତି । ଓଡ଼ିଆ ଭାଗଵତର ଦ୍ଵାଦଶ ସ୍କନ୍ଦର ସପ୍ତମ ଅଧ୍ୟାୟରେ ଜଗନ୍ନାଥ ଦାସ ଲେଖିଛନ୍ତି...
❝ତ୍ରୟ ସ୍ୱରୂପୀ ବ୍ରହ୍ମଜ୍ୟୋତି ।
ବ୍ରହ୍ମପ୍ରକାଶ ହୋଇଛନ୍ତି ॥୭୩॥
ଏକାକ୍ଷର ବ୍ରହ୍ମ ପ୍ରଣଵ ।
ଶବଦ ରୂପୀ ବୀଜ ସର୍ଵ ॥୭୪॥❞
ଏଠାରେ ବ୍ରହ୍ମଙ୍କୁ ସର୍ଵୋଚ୍ଚ ତତ୍ତ୍ୱ ରୂପେ ଵର୍ଣ୍ଣନା କରାଯାଇଛି ଏଵଂ ସେ ବ୍ରହ୍ମ ତିନୋଟି ମୌଳିକ ସ୍ୱରୂପରେ ଅଵସ୍ଥାନ କରନ୍ତି। ଵୈଦିକ ଦର୍ଶନରେ ବ୍ରହ୍ମଙ୍କର ସତ୍ (ଅସ୍ତିତ୍ୱ), ଚିତ୍ (ଚେତନା), ଓ ଆନନ୍ଦ (ପରମ ସୁଖ) ରୂପର ଉଲ୍ଲେଖ ରହିଛି । ମତାନ୍ତରେ ବ୍ରହ୍ମଙ୍କର ଏଠାରେ ସୃଷ୍ଟି (ବ୍ରହ୍ମା), ସ୍ଥିତି (ଵିଷ୍ଣୁ), ଓ ସଂହାର (ମହେଶ୍ୱର) ଇତ୍ୟାଦି ତ୍ରିମୂର୍ତ୍ତି ସଙ୍କେତର ଉଲ୍ଲେଖ କରାଯାଇଛି। ବ୍ରହ୍ମଜ୍ୟୋତି, ପରମାତ୍ମାଙ୍କର ଦିଵ୍ୟ ପ୍ରକାଶ ଏଵଂ ୟେ ସମସ୍ତ ସୃଷ୍ଟିର ମୂଳାଧାର।
❝ତାହାଙ୍କ ତହୁଁ ଉତପନ୍ନ ।
ଚଉଦ ଅକାରାଦି ବର୍ଣ୍ଣ ॥୭୫॥
ଚଉଦ ସ୍ୱର ଏ ବୋଲାନ୍ତି ।
ଏ ଭାବେ ଅକ୍ଷରର ଗତି ॥୭୬॥❞
ଏକାକ୍ଷର ବ୍ରହ୍ମ ଅର୍ଥାତ୍ ଓମ୍କାରକୁ ଵୈଦିକ ସାହିତ୍ୟରେ ବ୍ରହ୍ମଙ୍କର ଶବଦ ସ୍ୱରୂପ ରୂପେ ଅଭିହିତ କରାଯାଇଛି । ॐ ହେଉଛି ସମସ୍ତ ମନ୍ତ୍ରର ମୂଳ ବୀଜ ଏଵଂ ସୃଷ୍ଟିର ମୂଳ ଶବଦ ଵା ଧ୍ଵନି । ଏହା ସମଗ୍ର ଵିଶ୍ୱର ସମସ୍ତ ଶକ୍ତି ଓ ତତ୍ତ୍ୱକୁ ନିଜ ମଧ୍ୟରେ ଧାରଣ କରିଛି। ଏହି ଶବଦ ବ୍ରହ୍ମ ହେଉଛି ସର୍ଵଵ୍ୟାପୀ ଓ ସର୍ଵମୂଳ। ଓମକାରକୁ ସମସ୍ତ ଅକ୍ଷରର ମୂଳ ରୂପେ ଵର୍ଣ୍ଣନା କରାଯାଇଛି। ଓମକାରରୁ ସ୍ୱର ଓ ଵ୍ୟଞ୍ଜନ ଵର୍ଣ୍ଣମାନ ଉତ୍ପନ୍ନ ହୋଇଛି। ଭାଗଵତରେ ସ୍ଵରଵର୍ଣ୍ଣ ସଂଖ୍ୟା ୧୪ ବୋଲାଯାଇଛି । ଏହି ସ୍ୱରଵର୍ଣ୍ଣମାନ ହେଲା : ଅ,ଆ,ଇ,ଈ,ଉ,ଊ,ଋ,ୠ,ଏ,ଐ,ଓ,ଔ ।
❝କ କାର ଆଦି ଚଉତ୍ରିଂଶ ।
ବ୍ୟଞ୍ଜନ ଶବଦ ବିଶେଷ ॥୭୭॥
ଏ ସ୍ୱରମାନେ ଵିଷ୍ଣୁରୂପ ।
ବ୍ୟଞ୍ଜନ ମାୟାର ସ୍ୱରୂପ ॥୭୮॥
ଏ ସର୍ବ ଅକ୍ଷର ମାତୃକା ।
ପ୍ରକୃତି ବଶ ଶବ୍ଦ ଏକା ॥୭୯॥
ସ୍ୱରମାନେ ଦୀର୍ଘ ଯେ ହ୍ରସ୍ୱ ।
ପ୍ଳୁତ ନାମରେ ପରକାଶ ॥୮୦॥❞
କ,ଖ,ଗ,ଘ ...ଆଦି ମୋଟ ଚଉତ୍ରିଶଟି ଵ୍ୟଞ୍ଜନ ଵର୍ଣ୍ଣ ରହିଛି । ଏ ସ୍ୱରମାନେ ଵିଷ୍ଣୁଙ୍କ ସ୍ୱରୂପ (ଦିଵ୍ୟ ଚେତନା) ଆଉ ଵ୍ୟଞ୍ଜନମାନେ ମାୟାର (ପ୍ରାକୃତିକ ଶକ୍ତିର) ସ୍ୱରୂପ। ଏହା ଏକ ଗଭୀର ତାତ୍ତ୍ୱିକ ଵ୍ୟାଖ୍ୟା। ସ୍ୱରମାନଙ୍କୁ (ଅ, ଆ, ଇ, ଈ ଇତ୍ୟାଦି) ଵିଷ୍ଣୁଙ୍କ ସହ ସମ୍ପର୍କିତ କରାଯାଇଛି, କାରଣ ଵିଷ୍ଣୁ ସୃଷ୍ଟିର ପାଳନକର୍ତ୍ତା ଓ ଚେତନାର ପ୍ରତୀକ। ସ୍ୱର ହେଉଛି ଶବଦର ଜୀଵନ୍ତ ଶକ୍ତି, ଯାହା ନିଜେ ସ୍ୱାଧୀନଭାବେ ଉଚ୍ଚାରିତ ହୁଏ। ଅନ୍ୟପକ୍ଷରେ, ଵ୍ୟଞ୍ଜନଵର୍ଣ୍ଣମାନେ ମାୟା (ପ୍ରକୃତି ଵା ଭୌତିକ ଶକ୍ତି)ର ସ୍ୱରୂପ, କାରଣ ସେମାନେ ସ୍ୱର ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ ଓ ପ୍ରାକୃତିକ ଜଗତର ସୀମାବଦ୍ଧତାକୁ ପ୍ରତିନିଧିତ୍ୱ କରନ୍ତି। ଏହା ଵୈଦିକ ଦର୍ଶନରେ ପୁରୁଷ (ଚେତନା) ଓ ପ୍ରକୃତି (ମାୟା)ର ଦ୍ୱୈତତାକୁ ସୂଚାଏ ।
❝ସନ୍ଧି ଅକ୍ଷର ଏ ବୋଲାଇ ।
ଏ କାର ଆଦି ଚାରି ଯେହି ॥୮୧॥❞
ଏ,ଐ,ଓ ତଥା ଔ ଅକ୍ଷରମାନଙ୍କୁ ‘ସନ୍ଧି ଅକ୍ଷର’ ବୋଲି କୁହାଯାଏ । ଵର୍ଣ୍ଣମାଳାରେ ସ୍ୱର ଅକ୍ଷରମାନଙ୍କ ମଧ୍ୟରୁ ‘ସନ୍ଧି ଅକ୍ଷର’ ଵା ‘ସଂଯୁକ୍ତ ସ୍ୱର’ (ସଂନାଦି ସ୍ୱର) ଵିଷୟରେ ଏଠାରେ ଉଲ୍ଲେଖ କରାଯାଇଛି । ‘ସନ୍ଧି ଅକ୍ଷର’ ଅର୍ଥାତ୍ ଏମିତି ସ୍ୱର ଯାହା ଦୁଇଟି ମୌଳିକ ସ୍ୱରର ସଂଯୋଗରୁ ଗଠିତ। ଏମାନେ ସଂସ୍କୃତ ଵ୍ୟାକରଣରେ ‘ସଂନାଦି’ ସ୍ୱର ଭାବେ ପରିଚିତ, ଯାହା ନିମ୍ନଲିଖିତ ଚାରିଟି ଅକ୍ଷରକୁ ବୁଝାଏ ।
ଅ + ଇ = ଏ
ଅ + ଈ = ଐ
ଅ + ଉ = ଓ
ଅ + ଊ = ଔ
ଏହି ଚାରିଟି ସ୍ୱରକୁ ‘ସନ୍ଧି ଅକ୍ଷର’ ବୋଲି କୁହାଯାଏ, କାରଣ ସେମାନେ ଦୁଇଟି ମୌଳିକ ସ୍ୱରର ସନ୍ଧି (ମିଳନ) ଫଳରେ ସୃଷ୍ଟ। ଏହା ସଂସ୍କୃତ ଵ୍ୟାକରଣରେ ସ୍ୱର ସନ୍ଧିର ଏକ ମୌଳିକ ଅଂଶ। ଏହି ସନ୍ଧି ଅକ୍ଷରମାନେ ମଧ୍ୟ ଶବଦର ଦୈଵୀ ଶକ୍ତିର ଏକ ରୂପ ଅଟନ୍ତି। ଵୈଦିକ ଦର୍ଶନ ଦୃଷ୍ଟିରୁ ଏହି ସଂଯୁକ୍ତ ସ୍ୱରମାନେ ଚେତନା ଓ ପ୍ରକୃତିର ମିଳନକୁ ପ୍ରତୀକାତ୍ମକ ଭାବେ ସୂଚାଉଛନ୍ତି।
❝ପଚିଶବର୍ଣ୍ଣେ ପଞ୍ଚ ପଞ୍ଚ ।
ପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ ॥୮୨॥❞
ଵ୍ୟଞ୍ଜନ ଵର୍ଣ୍ଣ ସମୂହ ମଧ୍ୟରେ ପ୍ରଥମ ପଚିଶଟି ଵ୍ୟଞ୍ଜନ ଵର୍ଣ୍ଣକୁ ଵର୍ଗ୍ୟ ଵ୍ୟଞ୍ଜନ କୁହାଯାଏ । ଏହି ଵର୍ଗ୍ଯ ଵ୍ୟଞ୍ଜନ ଵର୍ଣ୍ଣମାନଙ୍କୁ ପାଞ୍ଚଟି ଵର୍ଗରେ ଵିଭକ୍ତ କରାଯାଇଛି ଏଵଂ ପ୍ରତ୍ୟେକ ଵର୍ଗରେ ପାଞ୍ଚଟି ଵର୍ଣ୍ଣ ଅଛି।
କ-ବର୍ଗ: କ, ଖ, ଗ, ଘ, ଙ
ଚ-ବର୍ଗ: ଚ, ଛ, ଜ, ଝ, ଞ
ଟ-ବର୍ଗ: ଟ, ଠ, ଡ, ଢ, ଣ
ତ-ବର୍ଗ: ତ, ଥ, ଦ, ଧ, ନ
ପ-ବର୍ଗ: ପ, ଫ, ବ, ଭ, ମ
ଏହି ୫ × ୫ = ୨୫ ଵର୍ଣ୍ଣ ଵ୍ୟଞ୍ଜନର ମୌଳିକ ଗଠନ ଅଟେ ।
❝ଏ ଅନ୍ତେ ଅନ୍ତ୍ୟସ୍ଥ ଏ ଜାଣ ।
ଯରଳଵ ଏ ଚାରିଵର୍ଣ୍ଣ ॥୮୩
ଶଷସହ ଏ ଚାରିଵର୍ଣ୍ଣ ।
ଉଷ୍ମଵର୍ଣ୍ଣରେ ଵିଦ୍ୟମାନ ॥୮୪❞
ପ୍ରୋକ୍ତ ୨୫ଟି ଵର୍ଗୀୟ ବ୍ୟଞ୍ଜନ ପରେ ‘ଅନ୍ତଃସ୍ଥ’ ଵର୍ଣ୍ଣ ଆସେ ଏଵଂ ସେହି ଏହି ଚାରିଟି ଵର୍ଣ୍ଣ ହେଲେ -ଯ ,ର , ଳ , ଵ ।
ଏମାନେ ସ୍ୱର ଓ ବ୍ୟଞ୍ଜନର ମଧ୍ୟବର୍ତ୍ତୀ ଧର୍ମ ରଖନ୍ତି, କାରଣ ଏମାନେ ସ୍ୱର ଭଳି ମୁକ୍ତଭାବେ ଉଚ୍ଚାରିତ ହୁଅନ୍ତି, କିନ୍ତୁ ଵ୍ୟଞ୍ଜନ ଭଳି ସ୍ୱରର ସାହାଯ୍ୟ ମଧ୍ୟ ଆଵଶ୍ୟକ କରନ୍ତି। ଅନ୍ତଃସ୍ଥ’ ଵର୍ଣ୍ଣ ପରେ ‘ଉଷ୍ମ’ ଵର୍ଣ୍ଣ ଆସେ ଏଵଂ ଏହି ଚାରିଟି ଵର୍ଣ୍ଣ ହେଲେ - ଶ (ତାଲଵ୍ୟ) ,ଷ (ମୂର୍ଦ୍ଧନ୍ୟ) ,ସ (ଦନ୍ତ୍ୟ) ଓ
ହ (କଣ୍ଠ୍ୟ) । ‘ଉଷ୍ମ’ ଶବ୍ଦର ଅର୍ଥ ‘ଉଷ୍ଣ ଶ୍ୱାସ’,ଏହି ଵର୍ଣ୍ଣଗୁଡ଼ିକ ଉଚ୍ଚାରଣ ସମୟରେ ଶ୍ୱାସର ଘର୍ଷଣ ସୃଷ୍ଟି ହୁଏ ବୋଲି ଏଭଳି ନାମକରଣ ହୋଇଅଛି ।
❝ବିନ୍ଦୁ ଅନୁସାର ବୋଲାଇ ।
ସେ ବିନ୍ଦୁ ଯେବେ ଦୁଇ ହୋଇ ॥୮୫
ବିସର୍ଗ ନାମ ସେ ବୋଲାଇ ।
ଗଜକୁମ୍ଭାକୃତି ଯେ ହୋଇ ॥୮୬❞
‘ବିନ୍ଦୁ’ ଅର୍ଥାତ୍ ଅନୁସ୍ୱାର (ं) ଏକ ନାସିକ୍ୟ ଧ୍ୱନି ଓ ସଂସ୍କୃତ ଵର୍ଣ୍ଣମାଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ସାଧାରଣତଃ ଶବ୍ଦର ମଧ୍ୟ ଵା ଶେଷରେ ଵ୍ୟଵହୃତ ହୁଏ । ବିସର୍ଗ (ः) ଏକ ଶ୍ୱାସାଗ୍ର ଧ୍ୱନି, ଯାହା ସାଧାରଣତଃ ଶବ୍ଦର ଶେଷରେ ଵ୍ୟଵହୃତ ହୁଏ (ଯେମିତି: ନମଃ)। ଵିସର୍ଗକୁ ‘ଗଜକୁମ୍ଭାକୃତି’ ବୋଲି କୁହାଯାଇଛି, କାରଣ ଏହା ହାତୀର ମୁଣ୍ଡରେ ଥିଵା ଦୁଇଟି ଉଚ୍ଚ ଅଂଶ (କୁମ୍ଭ) ସହ ସାଦୃଶ୍ୟ ରଖେ।
❝ଏମନ୍ତ ହୋଇ ଶବ୍ଦବ୍ରହ୍ମ ।
ପଞ୍ଚାଶବର୍ଣ୍ଣଭେଦ ନାମ ॥୮୭॥
ଅକ୍ଷର ଆକୃତି ହୋଇଲେ ।
ଦେହ ବାହ୍ୟରେ ପ୍ରକାଶିଲେ ॥୮୮॥❞
ଯେତେବେଳେ ଅକ୍ଷରମାନେ ଆକୃତି (ଶବଦ ରୂପ) ଗ୍ରହଣ କଲେ, ସେମାନେ ଦେହର ବାହାରେ (ଵାହ୍ୟ ଜଗତରେ) ପ୍ରକାଶ ପାଇଲେ। ଏହା ଶବଦ ବ୍ରହ୍ମର ତାତ୍ତ୍ୱିକ ଵିକାଶକୁ ସୂଚାଇଥାଏ। ଅକ୍ଷରମାନ ମୂଳତଃ ଶବଦ ବ୍ରହ୍ମରୁ ଉତ୍ପନ୍ନ, ଏଵଂ ଯେତେବେଳେ ସେମାନ ଶାରୀରିକ ଶବଦ ରୂପେ ଉଚ୍ଚାରିତ ହୁଅନ୍ତି (ମୁଖ ଦେଇ ଶବଦ ରୂପେ) ଵାହ୍ୟ ଜଗତରେ ପ୍ରକାଶ ପାଆନ୍ତି। ଏହା ନାଦ ବ୍ରହ୍ମର ଅନ୍ତର୍ଗତ (ଅଦୃଶ୍ୟ) ଶକ୍ତିରୁ ଵାହ୍ୟ (ଶ୍ରୁତିଗୋଚର) ଶବଦରେ ରୂପାନ୍ତରଣକୁ ସୂଚାଏ।
ମୋଟ ଉପରେ କହିଵାକୁ ଗଲେ ଓଡ଼ିଆ ଭାଗଵତରେ
ସ୍ଵରଵର୍ଣ୍ଣର ସଂଖ୍ୟା ୧୪,ଵ୍ୟଞ୍ଜନ ଵର୍ଣ୍ଣର ସଂଖ୍ଯା ୩୪ ଓ ଅଯୋଗଵାହ ୨ ଵର୍ଣ୍ଣର ଉଲ୍ଲେଖ ଅଛି । ତେବେ ଭାଗଵତର ପଦ ଆଧାରରେ ଦେଖିଲେ ଵ୍ୟଞ୍ଜନ ଵର୍ଣ୍ଣରେ ଗୋଟିଏ ଵର୍ଣ୍ଣ ଊଣା ହୋଇ ଏହାର ସଂଖ୍ୟା ୩୩ ହିଁ ହେଉଅଛି । ନୀଳମଣି ମିଶ୍ରଙ୍କ ଦ୍ଵାରା ସଂପାଦିତ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗଵତରୁ ପ୍ରୋକ୍ତ ପଦଗୁଡ଼ିକ ସଂଗ୍ରହ କରାଯାଇଛି ।
ତେବେ ପ୍ରଫେସର କୃଷ୍ଣଚରଣ ସାହୁଙ୍କ ଦ୍ଵାରା ସଂପାଦିତ ଓଡ଼ିଆ ଭାଗଵତର ଦ୍ଵାଦଶ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ହିଁ ଵର୍ଣ୍ଣ ସଂଖ୍ୟା ସମ୍ବନ୍ଧରେ ସାମାନ୍ୟ ଭିନ୍ନ ପଦ ସହିତ ଉଲ୍ଲେଖ ଅଛି । ତହିଁର ଶେଷ କେଇ ପଦ ହେଲା ...
❝ବିନ୍ଦୁ ଅନସ୍ଵାର ବୋଲାଇ
ସେ ବିନ୍ଦୁ ଦୁଇ ଯେବେ ହୋଇ ॥
ଵିସର୍ଗ ନାମ ସେ ବୋଲାଇ
ଵିସର୍ଗ ତିନି ରୂପ ହୋଇ ॥
ଓଷ୍ଠ୍ଯ ଯେ ଭାବେଣ ନିର୍ଣ୍ଣୟେ
ॐ ଵିଷ୍ଣୁ ତାହାକୁ ସେ କହେ ॥
ଦ୍ବିବିନ୍ଦୁ ଵକ୍ରାକୃତି କହି
ଗଜ କୁମ୍ଭାକୃତି ଯେ ହୋଇ ॥
ୟେମନ୍ତ ହୋଇ ଶବ୍ଦ ବ୍ରହ୍ମ
ପଞ୍ଚାଶ ଵର୍ଣ୍ଣ ଭେଦ ନାମ ॥
ଅକ୍ଷର ଆକୃତି ହୋଇଲେ
ଦେହ ଵାହ୍ୟରେ ପ୍ରକାଶିଲେ ॥❞
ପ୍ରଫେସର କୃଷ୍ଣଚରଣ ସାହୁଙ୍କ ଦ୍ଵାରା ସଂପାଦିତ ଭାଗଵତର ଏହି ପଦଗୁଡ଼ିକରେ ॐ ର ଉଲ୍ଲେଖ ତଥା ନୀଳମଣି ମିଶ୍ରଙ୍କ ସଂପାଦିତ ଭାଗଵତର ପଦଗୁଡ଼ିକ ମଧ୍ୟରେ ଥିଵା “ଏକାକ୍ଷର ବ୍ରହ୍ମ ପ୍ରଣଵ । ଶବଦ ରୂପୀ ବୀଜ ସର୍ଵ” ପଦରେ ମଧ୍ୟ ପ୍ରଣଵ ॐର ଉଲ୍ଲେଖ ଅଛି ତେଣୁ ହୁଏତ ଭାଗଵତରେ ପଚାଶ ଵର୍ଣ୍ଣ ମଧ୍ୟରେ ॐ କୁ ମଧ୍ୟ ଗଣାଯାଇଛି ।
ଅଵଶ୍ୟ ଓଡ଼ିଆ ଭାଗଵତ ପାଞ୍ଚଶହ ଵର୍ଷ ତଳେ ଲେଖାଯାଇଥିଲା। ପରେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇଛି। ନୂତନ ଅକ୍ଷରମାନ ଲିପିରେ ଯୋଡ଼ାଯାଇଛି । ଓଡ଼ିଆ ଭାଗଵତରେ ଉଲ୍ଲେଖିତ ଵର୍ଣ୍ଣଗୁଡ଼ିକ ଵ୍ୟତୀତ ଅଧୁନା ଆଉ କେତେକ ଵର୍ଣ୍ଣ ମଧ୍ୟ ଆମ ଭାଷାରେ ଵ୍ୟଵହାର କରାଯାଉଛି । ଓଡ଼ିଆ ଭାଗଵତର ପ୍ରୋକ୍ତ ପଦଗୁଡ଼ିକରେ 'ଲ','ୟ','ୱ','କ୍ଷ' ତଥା ଚନ୍ଦ୍ରବିନ୍ଦୁ 'ଁ' କୁ ଭିନ୍ନ ଭିନ୍ନ କାରଣ ଘେନି ଵର୍ଣ୍ଣ ରୂପେ ଗଣନା କରାଯାଇନାହିଁ । ତେବେ କେତେକ ସଂସ୍କୃତ ତନ୍ତ୍ର ଶାସ୍ତ୍ରରେ 'କ୍ଷ'କୁ ଏକ ସ୍ଵତନ୍ତ୍ର ଵର୍ଣ୍ଣ ରୂପେ ଗଣନା କରାଯାଇଛି । ଆରମାଇକରେ 𐡊(Kāph) ଅକ୍ଷର ଥିଲା ଯାହା ବ୍ରାହ୍ମୀରେ "+(କ)" ହୋଇଛି। ଏହି "+(କ)"ର ପରେ ମହାପ୍ରାଣ ରୂପ 'ଖ' ଵର୍ଣ୍ଣମାଳାରେ ଯୋଡ଼ାଗଲା । ଅନ୍ୟ ଏକ ଦିଗରେ ଆରମାଇକ 𐡊(Kāph) ଅକ୍ଷର ରୋମାନ ଲିପିରେ ଯାଇ 'x' ହୋଇଛି । 'X'ର ଏକୋଇଶିରୁ ଅଧିକ ଉଚ୍ଚାରଣ ଵିଭିନ୍ନ ଭାଷାରେ ଦେଖାଯାଏ ଏଵଂ ତନ୍ମଧ୍ୟରେ kʰ ଓ ks ଉଚ୍ଚାରଣ ବି ଅଛି । 'X'ର ks ଉଚ୍ଚାରଣ ଦେଵନାଗରୀ क्ष (Kshə) ପରି ଆଉ kʰ ଉଚ୍ଚାରଣ ଓଡ଼ିଆ କ୍ଷ(Khyə) ପରି ହୋଇଥାଏ । ତେଣୁ ଲିପିତତ୍ତ୍ୱ ଦୃଷ୍ଟିରୁ ଓଡ଼ିଆ 'କ୍ଷ' ର ଉଚ୍ଚାରଣ ମୂଳ ଆରମାଇକ 𐡊(Kāph) ଓ ବ୍ରାହ୍ମୀ +(କ)ର ଅଧିକ ନିକଟତର ଅଟେ । ଯେମିତି ରୋମାନ 'x'ର ଭିନ୍ନ ଭିନ୍ନ ଭାଷାରେ ଵିଭିନ୍ନ ଉଚ୍ଚାରଣ ଦେଖାଯାଏ ଠିକ୍ ସେହିପରି ଭାରତର ଵିଭିନ୍ନ ଭାଷାରେ ମଧ୍ୟ 'କ୍ଷ'ର ଉଚ୍ଚାରଣ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଦୁର୍ଭାଗ୍ୟଵଶତଃ ସଂଖ୍ୟାଗରିଷ୍ଠ ହିନ୍ଦୀଭାଷୀଙ୍କ ଦ୍ଵାରା 'କ୍ଷ'କୁ ଯୁକ୍ତାକ୍ଷର ରୂପେ ଅପପ୍ରଚାର କରାଯିଵା ଯୋଗୁଁ ଆଜି ଓଡ଼ିଶାର ଲୋକେ ଏହାକୁ ଯୁକ୍ତାକ୍ଷର ମାନି ନେଇଛନ୍ତି।
ॐ କୁ ଓଡ଼ିଆ ଭାଗଵତରେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏକ ଵର୍ଣ୍ଣ ବୋଲି ଅଭିହିତ କରାଯାଇଥିଲେ ବି ଅନେକେ ଏହାକୁ ଏକ ଵର୍ଣ୍ଣ ମାନନ୍ତି ନାହିଁ। ପ୍ରକୃତରେ ॐ ଏକ ଵର୍ଣ୍ଣ ନୁହେଁ, ଵରଂ ଏକ ମନ୍ତ୍ର ଵା ଧ୍ୱନି ଏଵଂ ଏହାକୁ "ପ୍ରଣଵ ମନ୍ତ୍ର" କୁହାଯାଏ । ॐ ଏକ ସଂଯୁକ୍ତ ଧ୍ଵନି ରୂପେ ଵିଵେଚନା କରାଯାଏ ଏଵଂ ଏଥିରେ ଅ, ଉ, ଓ ମ୍ ଏହି ତିନୋଟି ଧ୍ଵନି ରହିଛି । ॐ ର ଉଲ୍ଲେଖ ପ୍ରଥମେ ଋଗ୍ବେଦରେ ମିଳେ, ଏଵଂ ତହିଁରେ ଏହାକୁ ପଵିତ୍ର ଧ୍ଵନି ରୂପେ ଗ୍ରହଣ କରାଯାଇଛି।
ଭାରତୀୟ ଶାସ୍ତ୍ର ଅନୁସାରେ ॐରେ ଅ,ଉ,ମ ତଥା ଁ ଅଛି ଏଵଂ ଏହି ଚାରିଗୋଟି ଉପାଦାନର ଆଧ୍ୟାତ୍ମିକ ଅର୍ଥ ବି ରହିଛି ।
ଅ (A): ଜାଗ୍ରତ ଅଵସ୍ଥା (ଵାହ୍ୟ ଜ୍ଞାନ)କୁ ନିର୍ଦ୍ଦେଶ କରେ।
ଉ (U): ସ୍ଵପ୍ନ ଅଵସ୍ଥା (ଅନ୍ତର୍ଜ୍ଞାନ)କୁ ନିର୍ଦ୍ଦେଶ କରେ।
ମ (M): ସୁଷୁପ୍ତି ଅବସ୍ଥା (ଗାଢ଼ ନିଦ୍ରା)କୁ ନିର୍ଦ୍ଦେଶ କରେ।
ଚନ୍ଦ୍ରବିନ୍ଦୁ(ଁ): ତୁରୀୟ ଅଵସ୍ଥା (ଅତୀନ୍ଦ୍ରୀୟ ଚେତନା)କୁ ପ୍ରତୀକୀକରଣ କରେ।
ଭଗଵଦ୍ ଗୀତାରେ (ଅଧ୍ୟାୟ ୮, ଶ୍ଲୋକ ୧୩) ଭଗଵାନ ଶ୍ରୀକୃଷ୍ଣ ॐ କୁ ଏକାକ୍ଷର ବ୍ରହ୍ମ (ଏକ ଅକ୍ଷରରେ ବ୍ରହ୍ମର ପ୍ରକାଶ) ରୂପେ ଉଲ୍ଲେଖ କରିଛନ୍ତି। ଯୋଗ ସୂତ୍ର (ପତଞ୍ଜଳି)ରେ ॐ କୁ ଈଶ୍ଵରର ପ୍ରତୀକ ରୂପେ ଵର୍ଣ୍ଣନା କରାଯାଇଛି (ସୂତ୍ର ୧.୨୭)।
ତେଣୁ ॐ କୁ ଛାଡ଼ି ଆଧୁନିକ ଓଡ଼ିଆ ଲିପିରେ ଵ୍ୟଵହୃତ ନୂତନ ଅକ୍ଷର ସହିତ ଶାସ୍ତ୍ରୀୟ ଅକ୍ଷରକୁ ମିଶାଇ ଗଣିଲେ ମୋଟ ଅକ୍ଷର ସଂଖ୍ୟା ୫୪ ହେଵ ।
•ସ୍ଵରଵର୍ଣ୍ଣ ୧୪ : ଅ,ଆ,ଇ,ଈ,ଉ,ଊ,ଋ,ୠ,ଌ,ୡ,ଏ,ଐ,ଓ,ଔ
•ଵର୍ଗ୍ୟ ଵ୍ୟଞ୍ଜନ ଵର୍ଣ୍ଣ ୨୫ : କ,ଖ,ଗ,ଘ,ଙ,ଚ,ଛ,ଜ,ଝ,ଞ,ଟ,ଠ,ଡ,ଢ,ଣ,ତ,ଥ,ଦ,ଧ,ନ,ପ,ଫ,ବ,ଭ,ମ
•ଅଵର୍ଗ୍ୟ ଵର୍ଣ୍ଣ ୯: ଯ,ର,ଳ,ଲ,ଵ,ଶ,ଷ,ସ,ହ
•ଦ୍ଵିସ୍ଵର ୨ : ୟ(ଇ+ଅ),ୱ(ଉ+ଅ)
•ଅତିରିକ୍ତ ୪ : କ୍ଷ,ଂ,ଃ,ଁ
୧୪+୨୫+୯+୨+୪ = ୫୪
ଅତଏଵ ଓଡ଼ିଆ ଲିପିରେ ଅଧୁନା ମୋଟ ଅକ୍ଷର ସଂଖ୍ୟା ୫୪ ଅଟେ । କେହି କେହି କହିପାରନ୍ତି ଯେ ଭାଗଵତରେ ତ ପଚାଶ ଵର୍ଣ୍ଣ କୁହାଯାଇଛି ତାହେଲେ ଅଧିକ ଵର୍ଣ୍ଣ କ'ଣ ଆଵଶ୍ୟକ? ଭାଷାର ଆଵଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଵର୍ଣ୍ଣମାନ ଉତ୍ପନ୍ନ ହୁଏ । ଆଗେ ଲାଟିନ ଲିପିରେ ୨୩ଟି Alphabet ଥିଲା କିନ୍ତୁ ଗ୍ରୀକ୍ ଆଦି ଭାଷାରୁ ନୂତନ ଗୃହୀତ ଶବ୍ଦଗୁଡ଼ିକୁ ଲାଟିନ ଭାଷାରେ ଲେଖିଵା ପାଇଁ J, U, W ଓ Vର ଆଧୁନିକ ରୂପକୁ ଲାଟିନ ଲିପିରେ ଯୋଡ଼ାଯାଇଛି । ବ୍ରହ୍ମ ରୂପ ଅକ୍ଷର ଵା ଵର୍ଣ୍ଣର ସଂଖ୍ୟା ବଢ଼ିଵାରେ କ୍ଷତି ନୁହେଁ ଲାଭ ହିଁ ହୁଏ । ଶିଵଙ୍କର ପୁତ୍ର କାର୍ତ୍ତିକେୟ ଓ ଗଣେଶ ହେଲେ ବୋଲି କ'ଣ ପୃଥିଵୀର କ୍ଷତି ହୋଇଗଲା ନା ସେମାନଙ୍କୁ ଭଗଵାନ ବୋଲି ଵିଵେଚନା କରାଗଲା ନାହିଁ ?
ଵର୍ଣ୍ଣମାନେ ପ୍ରଣଵ ଓମ୍କାରରୁ ଜାତ ହୋଇଛନ୍ତି ଓ ସେମାନେ ବ୍ରହ୍ମଙ୍କର ଏକ ଏକ ରୂପ । ଅସ୍ତୁ ଯେମିତିକି ଓଡ଼ିଆ ଭାଗଵତରେ କୁହାଯାଇଛି ଯେ ବ୍ରହ୍ମ ହିଁ ପ୍ରଣଵ ॐ ଏଵଂ ଏହି ପ୍ରଣଵ ହିଁ ସବୁ ଶବ୍ଦର ମୂଳ ଆଧାର ତେଣୁ ବ୍ରହ୍ମଙ୍କଠାରୁ ଜାତ ଵର୍ଣ୍ଣମାନେ ବି ବ୍ରହ୍ମ ସ୍ଵରୂପ ଅଟନ୍ତି । ଏ ଦୃଷ୍ଟିରୁ ଵିଚାର କଲେ
କୌଣସି ଵର୍ଣ୍ଣ ଵିଶେଷକୁ ଅପମାନ କରିଵା,ତାକୁ ଵ୍ୟଵହାର କରୁଥିଵା ଲୋକକୁ ଅପମାନ କରିଵା ସ୍ଵୟଂ ବ୍ରହ୍ମଙ୍କର ଅପମାନ । ସେହିପରି ସମସ୍ତ ଵର୍ଣ୍ଣ ବ୍ରହ୍ମଙ୍କର ହିଁ ସ୍ଵରୂପ ତେଣୁ କୌଣସି ଵର୍ଣ୍ଣକୁ ଵର୍ଣ୍ଣମାଳାରୁ କାଟି ଦେଵା ହଟାଇ ଦେଵା ମଧ୍ୟ ଭୟଙ୍କର ଅପରାଧ ନୁହେଁ କି ?
No comments:
Post a Comment