ଏହା ଜାଣି ରାଜା ନୃସିଂହ ଅତ୍ୟନ୍ତ କ୍ରୁଦ୍ଧ ହେଲେ। କିନ୍ତୁ ସେ ଆଗୁଆ କୌଣସି ପଦକ୍ଷେପ ନେଵା ପୂର୍ଵରୁ ସତ୍ୟ ଅନୁସନ୍ଧାନ କରିଵାକୁ ସ୍ଥିର କଲେ। ସେ ପୁରୀର ଜଗନ୍ନାଥବଲ୍ଲଭ ମଠର ଜଣେ ପ୍ରସିଦ୍ଧ ସନ୍ନ୍ୟାସୀ, ଯମୁନା ଦାସଙ୍କୁ ଏହି କାମ ପାଇଁ ମନୋନୀତ କଲେ। ଯମୁନା ଦାସ ଥିଲେ ଜଣେ ବୁଦ୍ଧିମାନ ଓ ଧୈର୍ଯ୍ୟଶୀଳ ଵ୍ୟକ୍ତି ।
ଯମୁନା ଦାସ ଭିକ୍ଷୁକ ବେଶରେ ରାମିଆଳ ନଦୀର ଉତ୍ତର ତଟକୁ ଗଲେ। ସେ ଗାଁ ଗାଁ ବୁଲି ଭିକ୍ଷା ମାଗୁଥିଲେ, କିନ୍ତୁ ତାଙ୍କ ଆଖି ଓ କାନ ଖଣ୍ଟ ବ୍ରାହ୍ମଣମାନଙ୍କ ଗତିବିଧି ଉପରେ ରହୁଥିଲା। କେତେକ ଦିନ ପରେ, ସେ ସେମାନଙ୍କର ଗୁପ୍ତ ଵାସସ୍ଥଳୀ ଠାବ କଲେ। ଏହି ସ୍ଥାନଟି ପରେ “ବ୍ରାହ୍ମଣ ଖଣ୍ଟ ଖୋଲ” ନାମରେ ପରିଚିତ ହେଲା। ଯମୁନା ଦାସ ସମସ୍ତ ତଥ୍ୟ ସଂଗ୍ରହ କରି ରାଜା ନୃସିଂହଙ୍କ ନିକଟକୁ ଫେରି ଆସିଲେ ଓ ସବୁ ସତ୍ୟ ଵିଵରଣୀ ପ୍ରଦାନ କଲେ। ଏହା ଶୁଣି ରାଜା ନୃସିଂହ ଆଉ ଅପେକ୍ଷା ନକରି ସୁକିନ୍ଦା ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ୧୬୯୦ ମସିହାରେ, ରାମିଆଳ ନଦୀର ଉତ୍ତର ତଟରେ ଏକ ଭୟଙ୍କର ଯୁଦ୍ଧ ସଂଘଟିତ ହେଲା। ଢେଙ୍କାନାଳର ସୈନ୍ୟଵାହିନୀ, ରାଜା ନୃସିଂହଙ୍କ ନେତୃତ୍ୱରେ, ଅତ୍ୟନ୍ତ ଶକ୍ତିଶାଳୀ ଓ ନିଷ୍ଠାପର ଥିଲେ। ସୁକିନ୍ଦା ସୈନ୍ୟ ଏହି ଆକ୍ରମଣ ଆଗରେ ତିଷ୍ଠି ପାରିଲେ ନାହିଁ। ସେମାନେ ପରାସ୍ତ ହୋଇ ପଳାୟନ କଲେ।
ଢେଙ୍କାନାଳର ସୈନ୍ୟମାନେ ଵିଜୟର ଉତ୍ସାହରେ ପଶ୍ଚାଧାଵନ କରି ଖଣ୍ଟ ବ୍ରାହ୍ମଣମାନଙ୍କ ଵାସସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚିଗଲେ। ସେଠାରେ ସେମାନେ ଖଣ୍ଟ ବ୍ରାହ୍ମଣମାନଙ୍କୁ ଦମନ କଲେ ଓ ସେହି ସ୍ଥାନକୁ ମାର୍ଥାପୁର ଶାସନର ବ୍ରାହ୍ମଣଙ୍କୁ ନିଷ୍କର ଲାଖରାଜ ଭାବେ ପ୍ରଦାନ କରିଦେଲେ। ଏହାପରେ, ସୁକିନ୍ଦା ରାଜାଙ୍କ ଦୁର୍ଗକୁ ଵିଧ୍ୱଂସ କରାଗଲା। ରାଜା ନୃସିଂହ ସେହି ସ୍ଥାନରେ ନିଜର ସୈନ୍ୟବାହିନୀ ମୁତୟନ କରି ଏକ ନୂତନ ଗଡ଼ ନିର୍ମାଣ କଲେ, ଯାହାର ନାମ ରଖାଗଲା “ନୃସିଂହପ୍ରସାଦ”। ଏହି ଅଞ୍ଚଳଟି “ନୃସିଂହପ୍ରସାଦ ଵିଷୟ(ପ୍ରଗଣା)” ନାମରେ ଢେଙ୍କାନାଳ ରାଜ୍ୟରେ ମିଶିଲା।ଵିଜୟର ସ୍ମାରକୀ ସ୍ୱରୂପ, ରାଜା ନୃସିଂହ ରାମିଆଳ ନଦୀର ଉତ୍ତର ତଟରେ “ନୃସିଂହପୁର” ନାମକ ଏକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କଲେ। ସେ ଯମୁନା ଦାସଙ୍କ ଅଵଦାନକୁ ସମ୍ମାନ ଜଣାଇ ତାଙ୍କୁ “ଯମୁନାକୋଟ” ଗ୍ରାମ ପ୍ରଦାନ କଲେ, ଯାହା ଆଜି ମଧ୍ୟ ଜଗନ୍ନାଥବଲ୍ଲଭ ମଠ ଅଧୀନରେ ରହିଛି।
ଏହାପରେ, ଢେଙ୍କାନାଳ ସୈନ୍ୟ ପୂର୍ଵଦିଗରେ ଅଗ୍ରସର ହୋଇ ଅନନ୍ତପୁର ପର୍ଯ୍ୟନ୍ତ ଅଧିକାର କଲେ। ଏହି ନୂତନ ଅଞ୍ଚଳ “ଗଁପୁର ଵିଷୟ(ପ୍ରଗଣା)” ନାମେ ପରିଚିତ ହେଲା। ସେଠାରେ ରାଜା ଏକ ଗଡ଼ ନିର୍ମାଣ କରି ସୀମା ସୁରକ୍ଷା ନିମିତ୍ତ ପାଇକ ଓ ଖଣ୍ଡାୟତମାନଙ୍କୁ ମୁତୟନ କଲେ।ରାଜା ନୃସିଂହଙ୍କ ଦୟା ଓ ଧାର୍ମିକତା ମଧ୍ୟ ଅନୁପମ ଥିଲା। ସେ ନୃସିଂହପ୍ରସାଦ ବିଷର ଖୋକସା ମଠ ଓ ଗଁପୁର ବିଷ(ପ୍ରଗଣା)ର ବାଲିବୋ ମଠ ପାଇଁ ପ୍ରଚୁର ଭୂସମ୍ପତ୍ତି ଦାନ କଲେ, ଯାହା ଆଜି ମଧ୍ୟ ଦେଵୋତ୍ତର ଵିଭାଗ ଦ୍ୱାରା ପରିଚାଳିତ ହେଉଛି। ଏହି ଵିଜୟ ଓ ପ୍ରତିଷ୍ଠା କେଵଳ ଢେଙ୍କାନାଳର ସୀମା ବୃଦ୍ଧି କରିନଥିଲା ବରଂ ରାଜା ନୃସିଂହ ଭ୍ରମରଵରଙ୍କ ନ୍ୟାୟପରାୟଣତା ଓ ଦୂରଦୃଷ୍ଟିର ଏକ ଅମର କାହାଣୀ ସୃଷ୍ଟି କଲା।
•••••••••••••••••••••••••••••••••••••••
ଢେଙ୍କାନାଳ ରାଜା ନୃସିଂହ ରାୟ ସିଂହ ଭ୍ରମରଵର ୧୬୮୨ରୁ ୧୭୦୮ ଯାଏଁ ଢେଙ୍କାନାଳ ରାଜ୍ୟର ଶାସକଥିଲେ । ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି ପୁସ୍ତକରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏ ଐତିହାସିକ ଘଟଣାର ଉଲ୍ଲେଖ କରିଛନ୍ତି । ନୃସିଂହପ୍ରସାଦ ବିଶ ଵା ପ୍ରଗଣାର କେତେକ ପୁରୁଣା ଗାଆଁ ହେଲେ : ନୃସିଂହପ୍ରସାଦ(ଗୋଡ଼ା),ସୁରପ୍ରତାପପୁର, ନୃସିଂହପୁର,ଯମୁନାକୋଟ,ବାରୁଆଁ,ଵନଵାସପୁର,ଖୋକଶା,ଅନଳ,ଓଡ଼ିଶ,କିଙ୍ଗୋଳ,ଅସୁରବନ୍ଧ,ଗବଗୋଡ଼ା,କଂସରଗଡ଼ା,ବାଲିଝାଟୀ,ଦର୍ଜନୀ,କୁମୁରସିଂହା,କୁନିନ୍ଦା,କେନ୍ଦୁପଡ଼ା,ଭଦଳିଆ,ଦୟଣାବିଲୀ ଓ ଗୋପାଳପୁର । ପରେ ନୃସିଂହପ୍ରସାଦ ବିଶ(ପ୍ରଗଣା)ରେ ଅନେକ ନୂଆ ଗାଆଁ ଗଠିତ ହୋଇଥାଇପାରେ । ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ସଂକଳିତ ଢେଙ୍କାନାଳ ଭୂଗୋଳ ପୁସ୍ତକ ଅନୁସାରେ ନୃସିଂହପ୍ରସାଦଠାରେ ଗୋଟିଏ ଦୁର୍ଗର ଧ୍ଵଂସାଵଶେଷ ଅଛି । ନୃସିଂହପୁର ବ୍ରାହ୍ମଣଶାସନରେ ବେଲେଶ୍ୱର ମହାଦେଵଙ୍କ ମନ୍ଦିର ରହିଛି । ଖୋକଶାରେ ଏକ ରାମାଉତ ଵୈଷ୍ଣଵ ମଠ ଅଛି । ଅନ୍ତର୍ଜାଲରୁ ଜଣାଯାଏ ଯେ ଯମୁନାକୋଟରେ ଯମୁନେଶ୍ଵର ଭଗଵାନଙ୍କ ମନ୍ଦିର ଅଛି । ସମ୍ଭଵତଃ ଅସୁରବନ୍ଧ ଗାଆଁ ଆଜିକାଲି ଟିକାବାଲି ନାଆଁରେ ଜଣାଯାଉଛି କାରଣ ଗୁଗଲ ମାନଚିତ୍ରରେ ଅସୁରବନ୍ଧ ଲେଖି ଉଣ୍ଡିଲେ ଟିକାବାଲି ହିଁ ଦେଖାଉଛି ।
•••••••••••••••••••••••••••••••••••••
(ଏହି ସବୁ ଅଞ୍ଚଳ ଵିଷୟରେ ଅଧିକ ତଥ୍ୟ ଜାଣିଥିଲେ ଜଣାନ୍ତୁ)
No comments:
Post a Comment