ପୃଥିଵୀର ଵିଭିନ୍ନ ଦେଶରେ ଅନେକ ଲୋକକଥା ଓ ପୌରାଣିକ ଗାଥା ଅଛି ଯହିଁରେ ଏକାଧିକ ଭାଷାର ଉତ୍ପତ୍ତିକୁ ଏକ ଵିସ୍ତୃତ ଘଟଣା ଵା ଦୈଵୀୟ କାର୍ଯ୍ୟ ସହ ଜଡ଼ିତ କରି ଦେଖାଯାଇଛି ।
"ଟାୱାର ଅଫ୍ ବାବେଲ" କାହାଣୀଟି
ବାଇବେଲର(ଓଲ୍ଡ ଟେଷ୍ଟାମେଣ୍ଟ) ଜେନେସିସ (ଆଦିପୁସ୍ତକ) ଅଧ୍ୟାୟ ୧୧ରେ ଵର୍ଣ୍ଣନା କରାଯାଇଛି। ଏହି କାହାଣୀ ଅନୁସାରେ, ପୂର୍ଵେ ପୃଥିଵୀର ସମସ୍ତ ଲୋକେ ଗୋଟିଏ ଭାଷାରେ କଥା ହେଉଥିଲେ। ଥରେ ସେମାନେ ଏକତ୍ରିତ ହୋଇ ସ୍ଵର୍ଗରେ ପହଞ୍ଚିଵା ପାଇଁ ଏକ ଵିଶାଳ ମିନାର ନିର୍ମାଣ କରିବାକୁ ଚେଷ୍ଟା କଲେ । ଏହା ଦେଖି ୟହୋବା କ୍ରୋଧିତ ହେଲେ ଏଵଂ ସେମାନଙ୍କ ଭାଷାକୁ ଅନେକ ଭାଗରେ ଵିଭକ୍ତ କରିଦେଲେ। ଫଳସ୍ୱରୂପ, ଲୋକମାନେ ପରସ୍ପରକୁ ବୁଝି ପାରିଲେ ନାହିଁ ଓ ସେମାନେ ମିନାର ନିର୍ମାଣ କାର୍ଯ୍ୟ ଛାଡ଼ି ପୃଥିଵୀର ବିଭିନ୍ନ ସ୍ଥାନକୁ ଚାଲିଗଲେ। ଏହି କାହାଣୀରେ ଅନେକ ଭାଷାର ଉତ୍ପତ୍ତି ଓ ଵିସ୍ତାରକୁ ପ୍ରତୀକାତ୍ମକ ରୂପେ ପ୍ରକାଶ କରାଯାଇଛି।
ବ୍ରାଜିଲ ଦେଶର Ticuna ଜନଜାତୀୟ ଲୋକମାନେ କୁହନ୍ତି ଯେ ପୂର୍ଵେ ସମସ୍ତ ଲୋକ ଏକ ଗୋଷ୍ଠୀରେ ଥିଲେ ଏଵଂ ଗୋଟିଏ ମାତ୍ର ଭାଷା କହୁଥିଲେ। କିନ୍ତୁ ଦିନେ ସେମାନଙ୍କ ମଧ୍ୟରେ କେହି ଜଣେ ରଖାଯାଇଥିଵା ଦୁଇଟି ହମିଙ୍ଗବର୍ଡ୍ ଅଣ୍ଡା ଖାଇଦେଲା, କିଏ ଖାଇଲା ତାହା ଜଣା ପଡ଼ିଲା ନାହିଁ। କିନ୍ତୁ ଏହି ଘଟଣା ଯୋଗୁଁ ସେହି ମୂଳ ମାନଵଗୋଷ୍ଠୀର ଲୋକେ ପରସ୍ପର ପ୍ରତି ଵିଶ୍ଵାସ ହରାଇଲେ ଏଵଂ ସେମାନେ ବିଭିନ୍ନ ଦଳରେ ଵିଭକ୍ତ ହୋଇ ଦୂର ଦୂରଦୂରାନ୍ତକୁ ଚାଲି ଯାଇ ନୂତନ ଭାଷା ଓ ସଂସ୍କୃତି ସୃଷ୍ଟି କଲେ । ଏହି ଲୋକକଥାଟିରେ ପ୍ରକୃତରେ ଆମାଜନରେ ପ୍ରଚଳିତ ଵିଭିନ୍ନ ଭାଷା କେମିତି ସୃଷ୍ଟି ହୋଇଥିଲା ତାହା ଵର୍ଣ୍ଣିତ ହୋଇଛି ।
ଆଫ୍ରିକାର ଜିମ୍ବାୱେରେ ରହୁଥିଵା ଶୋନା ଜନଜାତି ମଧ୍ୟରେ ମଧ୍ୟ ଏ ଧରଣର ଗୋଟିଏ ଲୋକକଥା ରହିଛି । ଏହି ଲୋକକଥା ଅନୁସାରେ, ଆରମ୍ଭରେ ସମସ୍ତ ଲୋକ ଏକ ଭାଷାରେ କଥା ହେଉଥିଲେ। କିନ୍ତୁ ଏକ ବିରାଟ ବଜ୍ରପାତ ପରେ ସୃଷ୍ଟିକର୍ତ୍ତା ଦେଵତା 'ମୁଜୁ' ଲୋକମାନଙ୍କୁ ପୃଥକ ପୃଥକ ଦେଶକୁ ପଠାଇଲେ। ସେମାନେ ଯେତେବେଳେ ନୂଆ ସ୍ଥାନରେ ପହଞ୍ଚିଲେ, ସେମାନଙ୍କ ମୁହଁରୁ ଦୈଵୀ ପ୍ରେରଣାରେ ଅଜଣା ଶବ୍ଦ ସବୁ ବାହାରିଵାକୁ ଲାଗିଲା। ପରେ ପ୍ରତ୍ୟେକ ମାନଵ ଗୋଷ୍ଠୀ ନିଜ ନିଜର ପରିବେଶ ଅନୁସାରେ ନୂଆ ନୂଆ ଶବ୍ଦ ଗଢ଼ିଲେ ଓ ତାକୁ ଧରି ନୃତନ ଭାଷା ସୃଷ୍ଟି ହେଲା ।
ଭାରତର ସାନ୍ତାଳ ଜନଜାତିର ଏକ କାହାଣୀ ଅନୁସାରେ, ପୂର୍ଵେ ଲୋକମାନେ ଗୋଟିଏ ଭାଷାରେ ହିଁ କଥା ହେଉଥିଲେ। କିନ୍ତୁ ଏକଦା ସୂର୍ଯ୍ୟ ଦେଵତା "ସିଙ୍ଗବୋଙ୍ଗା" ଏକ ଵିରାଟ ଵନ୍ୟା ପଠାଇଲେ। ଵନ୍ୟା ପରେ ଲୋକମାନେ ପାହାଡ଼, ଜଙ୍ଗଲ ଓ ନଦୀକୂଳକୁ ଚାଲି ଗଲେ। ସେମାନେ ଯେଉଁ ସ୍ଥାନକୁ ଗଲେ, ସେଠାରେ ପଶୁପକ୍ଷୀ ଓ ପ୍ରକୃତିର ଶବ୍ଦ ସହ ମିଶି ନୂଆ ଭାଷା ଗଢ଼ି ନେଲେ। ସାନ୍ତାଳମାନେ ମୁଣ୍ଡାଜନଜାତିୟ ସାନ୍ତାଳୀ ଏକ ମୁଣ୍ଡାଭାଷା ଅଟେ । ଏହି କାହାଣୀଟିରେ ପ୍ରକୃତରେ ମୁଣ୍ଡା ଭାଷାଗୁଡ଼ିକ ଓ ମୁଣ୍ଡା ଜନଜାତିର ଲୋକେ କେମିତି ଭିନ୍ନ ଭିନ୍ନ ହୋଇ ଅନେକ ଭାଷା ଓ ସଂସ୍କୃତି ଗଢ଼ିଥିଲେ ତାହା ପ୍ରକଟିତ ହୋଇଛି ।
ଆଣ୍ଡାମାନର ଆଦିଵାସୀମାନଙ୍କ ମଧ୍ୟରୁ ଆଗୁଗୁ ଜନଜାତିର ଏକ ଲୋକକଥା ଅନୁସାରେ, ପୂର୍ଵେ ପୁଲୁଗା (ଦେବତା) ପ୍ରଥମ ମନୁଷ୍ୟ ଦମ୍ପତିଙ୍କୁ ଏକ ମାତ୍ର ଭାଷା ଦେଇଥିଲେ। କିନ୍ତୁ ସେମାନଙ୍କ ସନ୍ତାନ ବଢ଼ିଵା ସହ ସ୍ଥାନ ଅଭାଵ ହେଲା। ପୁଲୁଗା ସେମାନଙ୍କୁ ଦ୍ୱୀପର ଵିଭିନ୍ନ ଅଞ୍ଚଳକୁ ପଠାଇଲେ ଓ ପ୍ରତ୍ୟେକ ମାନଵଗୋଷ୍ଠୀକୁ ନୂଆ ଭାଷା ଦେଲେ। ଏହି ଵିଭାଜନ ଏତେ ଵିସ୍ତୃତ ହୋଇଗଲା ଯେ ଅନେକ ମାନଵଗୋଷ୍ଠୀ ଵିଭିନ୍ନ ଦିଗକୁ ଯାଇ ଅସଂଖ୍ୟ ଭାଷା ସୃଷ୍ଟି କଲେ। ଏହି ଲୋକଗାଥା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ତଥା ଏହାର ଆଖପାଖ ଅଞ୍ଚଳରେ ଵିଭିନ୍ନ ଭାଷା କିପରି ସୃଷ୍ଟି ହୋଇଥିଲା ସେଇକଥାକୁ ପରୋକ୍ଷରେ ପ୍ରକାଶ କରୁଅଛି ।
ମାୟା ସଭ୍ୟତାର ପୁରାଣଗାଥା ଅନୁସାରେ ସୃଷ୍ଟିକର୍ତ୍ତା ଦେଵତା ଇତଜାମନା (Itzamna) ମନୁଷ୍ୟକୁ ଜ୍ଞାନ ଓ ଭାଷା ଦେଇଥିଲେ। ଏକ କାହାଣୀ ଅନୁସାରେ, ପୃଥିଵୀରେ ସମୟ ଓ ସ୍ଥାନ ଅନୁସାରେ ମନୁଷ୍ୟମାନେ ବିଭିନ୍ନ ଦଳରେ ଵିଭକ୍ତ ହେଲେ। ଇତଜାମନା ପ୍ରତ୍ୟେକ ଦଳକୁ ସେମାନଙ୍କ ଜୀଵନଶୈଳୀ ଓ ପରିଵେଶ ଅନୁଯାୟୀ ଅଲଗା ଅଲଗା ଭାଷା ଦେଇଥିଲେ। ଏହି ଵିଭାଜନ ଆମେରିକା ମହାଦେଶର ଅନେକ ଭାଷା ସୃଷ୍ଟିର ଏକ ପ୍ରତୀକାତ୍ମକ ଵ୍ୟାଖ୍ୟା ହୋଇପାରେ।
ମାଡାଗାସ୍କାରରେ ରହୁଥିଵା ମାଲାଗାସି ଜାତିର ଏକ ଲୋକକଥା ଅନୁସାରେ, ପୂର୍ଵେ ସମସ୍ତ ମନୁଷ୍ୟ ଏକ ଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ସୃଷ୍ଟିକର୍ତ୍ତା ଦେଵତା "ଜାନାହାରୀ" ମନୁଷ୍ୟମାନଙ୍କୁ ପରୀକ୍ଷା କରିଵାକୁ ଚାହିଁଲେ। ସେ ଏକ ବିରାଟ ପଵନ ପଠାଇଲେ ଫଳତଃ ଲୋକମାନେ ଦ୍ୱୀପର ଚାରିଆଡ଼େ ଓ ଆଖପାଖ ଅଞ୍ଚଳକୁ ଯିଵାକୁ ଵାଧ୍ୟ ହେଲେ । ଯେତେବେଳେ ସେମାନେ ନୂଆ ସ୍ଥାନରେ ପହଞ୍ଚିଲେ, ଜାନାହାରୀ ପ୍ରତ୍ୟେକ ମାନଵଗୋଷ୍ଠୀକୁ ସେମାନଙ୍କ ପରିଵେଶ ଅନୁସାରେ ଅଲଗା ଭାଷା ଦେଲେ। ଏହା ଅନେକ ଭାଷାର ସୃଷ୍ଟିର କାରଣ ହେଲା ବୋଲି ମାଲଗାହି ଲୋକେ ଵିଶ୍ୱାସ କରନ୍ତି।
ରୁଷୀୟ ସ୍ଲାଭିକ ପୁରାଣର ଏକ କାହାଣୀ ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ପ୍ରାଚୀନ ଭାଷାରେ କଥା ହେଉଥିଲେ, ଯାହା ଵଜ୍ରଦେଵ ପେରୁନ ଦେଇଥିଲେ। କିନ୍ତୁ କାଳକ୍ରମେ ଧର୍ମ ଭ୍ରଷ୍ଟ ହେଵାରୁ ମନୁଷ୍ୟମାନେ ଦେଵତାଙ୍କୁ ଅସମ୍ମାନ କଲେ। କ୍ରୋଧିତ ହୋଇ ପେରୁନ ଏକ ଵିରାଟ ଵଜ୍ରପାତ ସୃଷ୍ଟି କଲେ, ଯାହା ଲୋକମାନଙ୍କୁ ପୃଥିବୀର ବିଭିନ୍ନ ଦିଗକୁ ଛିନ୍ନଭିନ୍ନ କରିଦେଲା। ଯେଉଁଠାରେ ସେମାନେ ପହଞ୍ଚିଲେ, ସେଠାରେ ସେମାନଙ୍କ ଭାଷା ବଦଳି ନୂଆ ରୂପ ନେଲା। ଏହା ଅନେକ ସ୍ଲାଭିକ ଭାଷାର ଉତ୍ପତ୍ତିର ଏକ ପୌରାଣିକ ବ୍ୟାଖ୍ୟା।
ବ୍ରାଜିଲର ଗୁଆରାନୀ ଲୋକକଥା ଅନୁସାରେ, ସୃଷ୍ଟିକର୍ତ୍ତା ତୁପା ପ୍ରଥମେ ମନୁଷ୍ୟମାନଙ୍କୁ ଏକ ଭାଷା ଦେଇଥିଲେ। କିନ୍ତୁ କାଳକ୍ରମେ ମନୁଷ୍ୟମାନେ ପୃଥିଵୀର ଦୂରଦୂରାନ୍ତର ଜଙ୍ଗଲ, ନଦୀ ଓ ପାହାଡ଼ ମଧ୍ୟରେ ଵ୍ୟାପିଗଲେ । ତହୁଁ 'ତୁପା' ନିଜର ସହାୟକ ପକ୍ଷୀମାନଙ୍କୁ ପଠାଇ ପ୍ରତ୍ୟେକ ଦଳକୁ ନୂଆ ଶବ୍ଦ ଶିଖାଇଲେ। ପ୍ରତ୍ୟେକ ଅଞ୍ଚଳରେ ପକ୍ଷୀଙ୍କ ଗୀତ ଓ ପ୍ରକୃତିର ଧ୍ୱନି ମିଶି ଅନେକ ଭାଷା ସୃଷ୍ଟି ହେଲା।
ପୃଥିଵୀରେ ସର୍ଵାଧିକ ଭାଷା ଵିଵିଧତା ପାପୁଆ ନ୍ୟୁ ଗିନିରେ ଦେଖାଯାଏ ଏଵଂ ଏ କ୍ଷେତ୍ରରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି । ପାପୁଆ ନ୍ୟୁ ଗିନିର ଏକ ମେଲାନେସିଆନ କାହାଣୀ ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ଏକ ଵିରାଟ ଜ୍ୱାଳାମୁଖୀ ଵିସ୍ଫୋରଣ ହେଲା, ଫଳତଃ ଲୋକମାନେ ଅନେକ ଦ୍ୱୀପ ଓ ଉପତ୍ୟକାକୁ ଚାଲିଗଲେ । ମେଲାନେସିଆନ ଲୋକେ ଵିଶ୍ଵାସ କରନ୍ତି ଯେ ଜ୍ୱାଳାମୁଖୀର ଆତ୍ମା ପ୍ରତ୍ୟେକ ମାନଵଗୋଷ୍ଠୀକୁ ନୂଆ ଶବ୍ଦ ଓ ଉଚ୍ଚାରଣ ଦେଇଥିଲେ,ଫଳରେ ଅନେକ ଭାଷାର ଜନ୍ମ ଦେଇଥିଲା। ଏ ଲୋକଗାଥାଟି ଏହି ଅଞ୍ଚଳରେ ଶତାଧିକ ଭାଷାର ଉତ୍ପତ୍ତିର ଏକ ମିଥକୀୟ ଵ୍ୟାଖ୍ୟା ବୋଲି କୁହାଯାଇପାରେ ।
କେଲ୍ଟିକ ପୁରାଣର ଏକ କାହାଣୀ ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ଭାଷାରେ କଥା ହେଉଥିଲେ । ଉକ୍ତ ଭାଷା ଦେଵୀ ଡାନୁଙ୍କ ଦ୍ୱାରା ମନୁଷ୍ୟମାନଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଏକଦା ମନୁଷ୍ୟମାନେ ଏକ ଵିରାଟ ମିନାର ନିର୍ମାଣ କରିଵାକୁ ଚାହିଁଲେ, ଫଳରେ ଦେଵତାମାନେ ଅସନ୍ତୁଷ୍ଟ ହେଲେ। ଶାସ୍ତି ସ୍ୱରୂପ, ଦେଵତା ଓଗମା (ଜ୍ଞାନ ଓ ଲେଖାର ଦେଵତା) ମନୁଷ୍ୟମାନଙ୍କ ଭାଷାକୁ ଅନେକ ଭାଗରେ ଵିଭକ୍ତ କରି ସେମାନଙ୍କୁ ଦ୍ୱୀପ ଓ ଉପତ୍ୟକାକୁ ଯିଵାକୁ ଵାଧ୍ୟ କଲେ । ଏହି ଲୋକଗାଥାର ସାମଞ୍ଜସ୍ୟ ଓଲ୍ଡ ଟେଷ୍ଟାମେଣ୍ଟର ଟାୱାର ଅଫ୍ ବାବେଲ କାହାଣୀ ସହିତ ରହିଛି ତେବେ ଏହା ଅନେକ କେଲ୍ଟିକ ଭାଷା ଉତ୍ପତ୍ତିର ଏକ ମିଥକୀୟ ଵ୍ୟାଖ୍ୟା ମଧ୍ୟ ହୋଇପାରେ ।
କେନିଆରେ ରହୁଥିଵା ମାସାଇ ଜନଜାତିର ଏକ କାହାଣୀ ଅନୁସାରେ, ସୃଷ୍ଟିକର୍ତ୍ତା ଏଙ୍କାଇ ପ୍ରଥମେ ମନୁଷ୍ୟମାନଙ୍କୁ ଗୋଟିଏ ମାତ୍ର ଭାଷା ଦେଇଥିଲେ। କିନ୍ତୁ ଯେତେବେଳେ ମନୁଷ୍ୟମାନେ ଅତ୍ୟଧିକ ଗର୍ଵୀ ହେଲେ, ଏଙ୍କାଇ ଏକ ଵିରାଟ ଦୁର୍ଭିକ୍ଷ ପଠାଇଲେ। ଏହି ଦୁର୍ଭିକ୍ଷ ଯୋଗୁଁ ଲୋକମାନେ ଵିଭିନ୍ନ ଅଞ୍ଚଳକୁ ପଳାୟନ କରିଵାକୁ ବାଧ୍ୟ ହେଲେ । ପ୍ରତ୍ୟେକ ଅଞ୍ଚଳରେ ସେମାନେ ସେଠାକାର ପଶୁପକ୍ଷୀ ଓ ପ୍ରକୃତି ଆଧାରରେ ନୂତନ ଶବ୍ଦ ସହ ନୂଆ ଭାଷା ଗଢ଼ି ନେଲେ। ଏହା ଅନେକ ଭାଷାର ଜନ୍ମର କାରଣ ହୋଇଥିଲା ବୋଲି ମାସାଇ ଲୋକେ ଵିଶ୍ଵାସ କରନ୍ତି ।
ଇଣ୍ଡୋନେସିଆରେ ଥିଵା ଜାଭା ଦ୍ୱୀପର ଜାଭାନୀଜ ଲୋକମାନଙ୍କ ଏକ କାହାଣୀ ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଗୋଟିଏ ଭାଷାରେ ହିଁ କଥା ହେଉଥିଲେ। କିନ୍ତୁ ଏକଦା ସମୁଦ୍ର ଦେବତା ବାରୁଣା ଏକ ଵିରାଟ ଜୁଆର ପଠାଇଲେ, ଯାହା ଲୋକମାନଙ୍କୁ ଵିଭିନ୍ନ ଦ୍ୱୀପକୁ ଭସାଇ ନେଇଗଲା। ପ୍ରତ୍ୟେକ ଦ୍ୱୀପରେ ପହଞ୍ଚିଵା ପରେ ଲୋକମାନେ ସେଠାକାର ପକ୍ଷୀ, ପଶୁ ଓ ପଵନର ଶବ୍ଦ ଆଧାରରେ ନୂଆ ଭାଷା ଗଢ଼ିଲେ। ଏହିପରି ଅନେକ ଦ୍ୱୀପରେ ଅନେକ ଭାଷାର ଜନ୍ମ ହେଲା। ଏହା ଇଣ୍ଡୋନେସିଆର ହଜାର ହଜାର ଦ୍ୱୀପ ଓ ଭାଷାର ଵିଵିଧତାକୁ ପ୍ରତିଫଳିତ କରେ।
ଉତ୍ତର ଆମେରିକାର ହାଇଡା ଆଦିବାସୀଙ୍କ ଏକ କାହାଣୀ ଅନୁସାରେ, ପୂର୍ବେ ସମସ୍ତ ମନୁଷ୍ୟ ଗୋଟିଏ ହିଁ ଭାଷା କହୁଥିଲେ। କିନ୍ତୁ ଏକଦା ଏକ ଚତୁର ଓ ସୃଷ୍ଟିକାରୀ ଆତ୍ମା Yehl , ମନୁଷ୍ୟମାନଙ୍କ ତୁଲେ ଗମାତ କରି ଏକ ଖେଳ ଖେଳିଲେ। ସେ ସମସ୍ତ ଲୋକଙ୍କୁ ଏକ ଵିରାଟ ଡଙ୍ଗାରେ ଚଢ଼ାଇ ସମୁଦ୍ରରେ ଛାଡ଼ିଦେଲେ। ଯେତେବେଳେ ଡଙ୍ଗା ଭାଙ୍ଗିଗଲା, ଲୋକମାନେ ଵିଭିନ୍ନ ଉପକୂଳରେ ପହଞ୍ଚିଲେ। ତହୁଁ ଦେଵତା Yehl ପ୍ରତ୍ୟେକ ମାନଵଗୋଷ୍ଠୀକୁ ନୂଆ ଶବ୍ଦ ଓ ଧ୍ୱନି ଦେଲେ, ଯାହା ଅନେକ ଭାଷା ସୃଷ୍ଟିର କାରଣ ହେଲା।
ତିବ୍ଦତୀୟ ଲୋକକଥା ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ସରଳ ଭାଷାରେ କଥା ହେଉଥିଲେ। କିନ୍ତୁ ଯେତେବେଳେ ସେମାନେ ପାହାଡ଼, ଉପତ୍ୟକା ଓ ନଦୀକୂଳକୁ ଵ୍ୟାପିଗଲେ ତାହା ଦେଖି ଦେଵତାମାନେ ସେମାନଙ୍କୁ ସେଠାକାର ପ୍ରକୃତିର ସହଯୋଗୀ ହେଵା ପାଇଁ ନୂଆ ଭାଷା ଦେଲେ। ଏକ କିମ୍ବଦନ୍ତୀରେ, ବୌଦ୍ଧ ଦେବତା ମଞ୍ଜୁଶ୍ରୀ ମନୁଷ୍ୟମାନଙ୍କୁ ଵିଭିନ୍ନ ଅଞ୍ଚଳରେ ଜ୍ଞାନ ପ୍ରକାଶ କରିଵା ପାଇଁ ଅଲଗା ଅଲଗା ଭାଷା ଦେଇଥିଲେ। ଏହା ଅନେକ ଭାଷାର ବିସ୍ତାରକୁ ସୂଚାଇଥାଏ।
ଫିଲିପାଇନ୍ସର ତାଗାଲଗ ଜାତିର ଏକ କାହାଣୀ ଅନୁସାରେ, ପୂର୍ବେ ମନୁଷ୍ୟମାନଙ୍କ ପାଖରେ ମାତ୍ର ଗୋଟିଏ ହିଁ ଭାଷା ଥିଲା। କିନ୍ତୁ ଏକଦା ସମୁଦ୍ର ଦେଵତା ଲାଗୋନ ଓ ପଵନ ଦେଵତା ହାବାଗାଟ ମଧ୍ୟରେ ଵିଵାଦ ହେଵାରୁ ତହିଁର ପରିଣତି ସ୍ବରୂପ ଏକ ଵିରାଟ ଝଡ଼ ସୃଷ୍ଟି ହେଲା। ଏହି ଝଡ଼ ମନୁଷ୍ୟମାନଙ୍କୁ ହଜାର ହଜାର ଦ୍ୱୀପକୁ ନେଇଗଲା। ପ୍ରତ୍ୟେକ ଦ୍ୱୀପରେ ଲୋକମାନେ ସେଠାକାର ଶବ୍ଦ ଓ ପରିବେଶ ଅନୁସାରେ ନୂଆ ଭାଷା ଗଢ଼ି ନେଲେ। ଏହା ଫିଲିପାଇନ୍ସର ଵିଵିଧ ଭାଷା ସୃଷ୍ଟିର ଏକ ପୌରାଣିକ ଵ୍ୟାଖ୍ୟା ଅଟେ।
ଅଷ୍ଟ୍ରେଲୀୟ ଆଦିଵାସୀଙ୍କ ଡ୍ରିମଟାଇମ କାହାଣୀ ଅନୁସାରେ, ସୃଷ୍ଟିର ଆରମ୍ଭରେ ପୂର୍ଵପୁରୁଷ ଆତ୍ମାମାନେ ମନୁଷ୍ୟମାନଙ୍କୁ ପୃଥିଵୀରେ ରଖିଲେ। ପ୍ରତ୍ୟେକ ଆତ୍ମା ନିଜର ଅଞ୍ଚଳରେ ମନୁଷ୍ୟମାନଙ୍କୁ ଏକ ଭାଷା ଦେଇଥିଲେ, ଯାହା ସେମାନଙ୍କ ପାହାଡ଼, ମରୁଭୂମି ଓ ନଦୀର ଶବ୍ଦ ସହ ମିଶିଥିଲା। ଏକ କାହାଣୀରେ, Yurlunggur (Rainbow Serpent) ପୃଥିଵୀରେ ପଥର ଓ ଜଳ ବିଛାଇ ଲୋକମାନଙ୍କୁ ଅଲଗା ଅଲଗା ସ୍ଥାନକୁ ପଠାଇଥିଲେ, ଯାହା ଅନେକ ଭାଷା ସୃଷ୍ଟିର କାରଣ ସାଜିଥିଲା।
ପଶ୍ଚିମ ଆଫ୍ରିକାର ମାଲୀ ଦେଶରେ ରହୁଥିଵା ଡୋଗନ ଜନଜାତିର ଏକ କାହାଣୀ ଅନୁସାରେ, ସୃଷ୍ଟିକର୍ତ୍ତା ଆମା ପ୍ରଥମେ ମନୁଷ୍ୟମାନଙ୍କ ପାଇଁ ଗୋଟିଏ ମାତ୍ର ଭାଷା ସୃଷ୍ଟି କରିଥିଲେ। କିନ୍ତୁ ଯେତେବେଳେ ମନୁଷ୍ୟମାନଙ୍କ ଜନସଂଖ୍ୟା ଅତ୍ୟଧିକ ବଢ଼ିଗଲା, ଆମା ନିଜର ସହାୟକ ନମୋଙ୍କୁ ପଠାଇ ଲୋକମାନଙ୍କୁ ବିଭିନ୍ନ ଗାଁ ଓ ଅଞ୍ଚଳରେ ଵିଭକ୍ତ କଲେ। ନମୋ ପ୍ରତ୍ୟେକ ମାନବଗୋଷ୍ଠୀକୁ ନୂଆ ଶବ୍ଦ ଓ ଧ୍ୱନି ଦେଇଥିଲେ, ଯାହା ପରେ ଅନେକ ଭାଷାକୁ ଜନ୍ମ ଦେଇଥିଲା।
ଜାପାନର ସିନ୍ତୋ ପୁରାଣ ଅନୁସାରେ, ପୃଥିଵୀର ସୃଷ୍ଟି ଦେଵତା ଇଜାନାଗି ଓ ଇଜାନାମିଙ୍କ ସମୟରୁ ଆରମ୍ଭ ହୋଇଥିଲା। ଏକ କାହାଣୀ ଅନୁସାରେ ଯେତେବେଳେ ଦେଵତାମାନେ ଜାପାନର ଦ୍ୱୀପପୁଞ୍ଜଗୁଡ଼ିକ ସୃଷ୍ଟି କଲେ ସେତେବେଳେ ସେମାନେ ମନୁଷ୍ୟମାନଙ୍କୁ ଵିଭିନ୍ନ ଦ୍ଵୀପାଞ୍ଚଳରେ ରଖିଲେ। ପ୍ରତ୍ୟେକ ଦ୍ଵୀପାଞ୍ଚଳରେ ପବନ, ସମୁଦ୍ର ଓ ପ୍ରକୃତିର ଭିନ୍ନ ଶବ୍ଦ ମନୁଷ୍ୟମାନଙ୍କ ଭାଷାକୁ ପ୍ରଭାଵିତ କଲା। ସମୟ ସହ ଏହି ଵିଭିନ୍ନତା ବଢ଼ି ଅନେକ ଭାଷାର ଜନ୍ମ ଦେଲା। ଜାପାନରେ ପ୍ରକୃତି ଓ ଭୌଗୋଳିକ ଵିଭାଜନ ଯୋଗୁଁ ଅନେକ ଭାଷା ସୃଷ୍ଟି ହୋଇଥିଵାର ଏହା ଏକ ସାଂସ୍କୃତିକ ଵ୍ୟାଖ୍ୟା ।
ନାଇଜେରିଆର ଇଗବୋ ଜାତିର ଏକ ଲୋକକଥା ଅନୁସାରେ, ପୂର୍ଵେ ସମସ୍ତ ମନୁଷ୍ୟ ଚୁକୁ (ସର୍ଵୋଚ୍ଚ ଦେଵତା)ଙ୍କ ଦ୍ୱାରା ଦିଆଯାଇଥିବା ଗୋଟିଏ ଦେଵଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ମନୁଷ୍ୟମାନେ ଅତ୍ୟଧିକ ଗର୍ଵୀ ହେଲେ ଓ ଦେଵତାଙ୍କୁ ଅମାନ୍ୟ କଲେ। ଶାସ୍ତି ସ୍ୱରୂପ, ଚୁକୁ ଏକ ଵିରାଟ ଝଡ଼ ପଠାଇଲେ, ଯାହା ଲୋକମାନଙ୍କୁ ଚାରିଆଡ଼େ ଛିନ୍ନଭିନ୍ନ କରିଦେଲା। ଯେତେବେଳେ ସେମାନେ ନୂଆ ସ୍ଥାନରେ ପହଞ୍ଚିଲେ, ସେମାନେ ଦେଵଭାଷାକୁ ଭୁଲିଯାଇଥିଲେ । ପରେ ପ୍ରକୃତିର ଶବ୍ଦଗୁଡ଼ିକର ଅନୁକରଣରେ ମନୁଷ୍ୟମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ସ୍ଵତନ୍ତ୍ର ଶବ୍ଦମାନ ସୃଷ୍ଟି କଲେ ଏଵଂ ତାହା ପରେ ଅନେକ ଭାଷା ସୃଷ୍ଟିର କାରଣ ହେଲା ।
ପେରୁରେ ପୂର୍ଵେ ଗଢ଼ି ଉଠିଥିଵା ଇନ୍କା ସଂସ୍କୃତିର ଏକ କାହାଣୀ ଅନୁସାରେ, ସୂର୍ଯ୍ୟ ଦେଵତା ଇନ୍ତି ପ୍ରଥମେ ମନୁଷ୍ୟମାନଙ୍କୁ ଗୋଟିଏ ଭାଷା ଦେଇଥିଲେ। କିନ୍ତୁ ଯେତେବେଳେ ମନୁଷ୍ୟମାନେ ପୃଥିଵୀରେ ବଂଶ ଵିସ୍ତାର କଲେ, ଇନ୍ତି ନିଜର ପୁତ୍ର ମାଙ୍କୋ କାପାକ୍ଙ୍କୁ ପଠାଇ ଲୋକମାନଙ୍କୁ ଵିଭିନ୍ନ ଜାତିରେ ଵିଭକ୍ତ କଲେ। ପ୍ରତ୍ୟେକ ଜାତିକୁ ସେମାନଙ୍କ ପାହାଡ଼, ଉପତ୍ୟକା ଓ ନଦୀ ଅନୁସାରେ ଅଲଗା ଭାଷା ଦିଆଗଲା। ଏହି ଵିଭାଜନ ଅନେକ ଭାଷାର ଉତ୍ପତ୍ତିର କାରଣ ହୋଇଥିଲା ବୋଲି ଇନ୍କାମାନେ ବିଶ୍ୱାସ କରୁଥିଲେ।
ସାଇବେରିଆର ଇଏନେଟ୍ସ ଜନଜାତିର ଏକ କାହାଣୀ ଅନୁସାରେ, ପୂର୍ଵେ ସମସ୍ତ ମନୁଷ୍ୟ ଏକ ପ୍ରାଚୀନ ଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ଆକାଶରୁ ଗୋଟିଏ ଵିରାଟ ପକ୍ଷୀ (ଦେଵତାଙ୍କ ପ୍ରତୀକ) ଉଡ଼ି ଆସିଲା ଓ ତା’ର ପକ୍ଷରୁ ବହୁତ ପଵନ ସୃଷ୍ଟି ହେଲା। ଏହି ପଵନ ଲୋକମାନଙ୍କୁ ଦୂର ଦୂର ଅଞ୍ଚଳକୁ ଉଡ଼ାଇ ନେଇଗଲା। ଯେତେବେଳେ ସେମାନେ ନୂଆ ସ୍ଥାନରେ ଅଵତରଣ କଲେ, ସେମାନଙ୍କ କଣ୍ଠରୁ ଭିନ୍ନ ଭିନ୍ନ ଶବ୍ଦ ବାହାରିଲା। ଏହିପରି ଅନେକ ମାନଵଗୋଷ୍ଠୀ ଅନେକ ଭାଷା ସୃଷ୍ଟି କଲେ।
ନିଉଜିଲ୍ୟାଣ୍ଡର ମାଓରୀ ସଂସ୍କୃତିର ଏକ କାହାଣୀ ଅନୁସାରେ, ଆକାଶ ଦେଵତା ରଙ୍ଗି ଓ ପୃଥିଵୀ ଦେଵୀ ପାପାଙ୍କ ସନ୍ତାନମାନେ ପୃଥିଵୀରେ ମନୁଷ୍ୟଙ୍କୁ ସୃଷ୍ଟି କରିଥିଲେ। ସେମାନଙ୍କ ପୁତ୍ର ଟାନେ (ଜଙ୍ଗଲର ଦେଵତା) ମନୁଷ୍ୟମାନଙ୍କୁ ଜୀଵନ ଦେଇଥିଲେ। କିନ୍ତୁ ଯେତେବେଳେ ମନୁଷ୍ୟମାନେ ଭିନ୍ନ ଭିନ୍ନ ଦ୍ୱୀପପୁଞ୍ଜରେ ନିଜର ବଂଶ ଵିସ୍ତାର କଲେ, ସମୁଦ୍ର ଦେଵତା ଟାଙ୍ଗାରୋଆ ଓ ପଵନ ଦେଵତା ଟାବିରିମାଟେଆ ସେମାନଙ୍କ ଭାଷାକୁ ଵିଭିନ୍ନ ରୂପ ଦେଲେ। ପ୍ରତ୍ୟେକ ଦ୍ୱୀପରେ ନୂଆ ଶବ୍ଦ ଓ ଉଚ୍ଚାରଣ ସୃଷ୍ଟି ହେଲା, ଯାହା ଅନେକ ଭାଷାର ଜନ୍ମ ଦେଇଥିଲା।
ମଙ୍ଗୋଲୀୟ ଲୋକକଥା ଅନୁସାରେ, ପୂର୍ଵେ ମନୁଷ୍ୟମାନେ ଏକ ଭାଷାରେ କଥା ହେଉଥିଲେ। କିନ୍ତୁ ଏକଦା ଆକାଶର ଦେଵତା ଟେଙ୍ଗ୍ରି ଏକ ଵିରାଟ ଘୂର୍ଣ୍ଣିଝଡ଼ ପଠାଇଲେ। ଏହି ଝଡ଼ ମନୁଷ୍ୟମାନଙ୍କୁ ପୃଥିଵୀର ଚାରିପାଖକୁ ଉଡ଼ାଇ ନେଇଗଲା। ଯେଉଁଠାରେ ସେମାନେ ଅଵତରଣ କଲେ, ସେଠାକାର ପଶୁପକ୍ଷୀ ଓ ପ୍ରକୃତିର ଶବ୍ଦ ସେମାନଙ୍କ ଭାଷାରେ ମିଶିଗଲା। ଏହିପରି ଅନେକ ଅଞ୍ଚଳରେ ଅନେକ ଭାଷା ସୃଷ୍ଟି ହେଲା।
ଵିଶ୍ଵର ଵିଭିନ୍ନ ସଂସ୍କୃତିର ଏ ସମସ୍ତ ଲୋକକଥା ଓ ପୁରାଣକଥା ଅନେକ ଭାଷାର ଉତ୍ପତ୍ତିକୁ ଦୈଵୀୟ କାର୍ଯ୍ୟ, ପ୍ରାକୃତିକ ଘଟଣା ଵା ମାନଵୀୟ ଵିଭାଜନ ସହ ଜୋଡ଼ି ପ୍ରତୀକାତ୍ମକ ଭାବେ ଵ୍ୟାଖ୍ୟା କରେ। ଏହି କାହାଣୀଗୁଡ଼ିକ ଭାଷାଗତ ଵିଵିଧତାର ମୂଳ ଓ ମାନଵ ସମାଜର ଵିସ୍ତାରକୁ ସେମାନଙ୍କ ସାଂସ୍କୃତିକ ଦୃଷ୍ଟିକୋଣରୁ ପ୍ରକାଶ କରେ।
ପ୍ରୋକ୍ତ ସମସ୍ତ କାହାଣୀଗୁଡ଼ିକ ଲୋକଗାଥା ହୋଇଥିଲେ ବି ତହିଁରେ କିଛି ପରିମାଣରେ ଵୈଜ୍ଞାନିକ ଦୃଷ୍ଟିକୋଣ ରହିଛି । ଅଵଶ୍ୟ ଏହା ସତ୍ୟ ଯେ କୌଣସି ଗୋଟିଏ ମୂଳ ଭାଷାରୁ ପୃଥିଵୀର ସବୁ ଭାଷା ସୃଷ୍ଟି ହୋଇନାହିଁ ଵରଂ ଵିଭିନ୍ନ ଅଞ୍ଚଳରେ ଗୋଟିଏ ଗୋଟିଏ ପ୍ରାଚୀନ ଭାଷାରୁ କ୍ରମେ ଅନେକ ନୂତନ ଭାଷା ଜାତ ହୋଇଅଛି ।
ପୃଥିଵୀରେ ଆଜି ପ୍ରାୟ ୭,୦୦୦ରୁ ଅଧିକ ଭାଷା ଚଳୁଛି। ଏହି ଵିଵିଧତା ମାନବ ସଭ୍ୟତାର ଏକ ଅନନ୍ୟ ଵୈଶିଷ୍ଟ୍ୟ, କିନ୍ତୁ ଏହାର ଉତ୍ପତ୍ତି କିପରି ହେଲା?
ଵୈଜ୍ଞାନିକ ଦୃଷ୍ଟିକୋଣରୁ, ଅନେକ ଭାଷାର ସୃଷ୍ଟିର ମୂଳ କାରଣ ହେଉଛି ଭୌଗୋଳିକ ଵିଭାଜନ। ପ୍ରୋକ୍ତ ସମସ୍ତ ଲୋକଗାଥା ମଧ୍ୟରେ ଏହି ମୂଳ ତଥ୍ୟ ହିଁ ରହିଛି ।
ପ୍ରାୟ ୧,୫୦୦୦୦ରୁ ୭୦,୦୦୦ ଵର୍ଷ ପୂର୍ଵେ ମାନଵମାନେ ଆଫ୍ରିକାରୁ ଵିଶ୍ୱର ବିଭିନ୍ନ ଅଞ୍ଚଳକୁ ଵ୍ୟାପିଥିଲେ। ପାହାଡ଼, ନଦୀ ଓ ସମୁଦ୍ର ଦ୍ୱାରା ଅଲଗା ହୋଇ ମାନଵଗୋଷ୍ଠୀଗୁଡ଼ିକ ସ୍ୱାଧୀନ ଭାବେ ସେମାନଙ୍କ ଭାଷା ଵିକଶିତ କଲେ। ଭାଷାଵିତ୍ ଡେଭିଡ କ୍ରିଷ୍ଟାଲ ଏହାକୁ ସମର୍ଥନ କରି କହିଛନ୍ତି “Languages diversify because people move apart, lose contact, and adapt to new circumstances.”
ଅର୍ଥାତ୍ “ଭାଷାଵିଵିଧତାର କାରଣ ହେଲା ଲୋକମାନେ ଅଲଗା ଅଲଗା ହୋଇଯାଇ କ୍ରମେ ନୂତନ ସଂସ୍କୃତି ଗଢ଼ିଛନ୍ତି, ପାରସ୍ପରିକ ସମ୍ପର୍କ ହରାଇଛନ୍ତି ତଥା ନୂଆ ପରିସ୍ଥିତି ଅନୁସାରେ ନିଜକୁ ଖାପଖୁଆଇ ଚଳିଛନ୍ତି।"
ଭିନ୍ନ ଭିନ୍ନ ଅଞ୍ଚଳରେ ଵସଵାସ କରିଵାରୁ ଵିଭିନ୍ନ ମାନଵଗୋଷ୍ଠୀ ଭିନ୍ନ ଜୀଵନଶୈଳୀ ଓ ପରମ୍ପରା ଗ୍ରହଣ କଲେ, ଯାହା ସେମାନଙ୍କ ଭାଷାକୁ ପ୍ରଭାଵିତ କଲା। ଏଡୱାର୍ଡ ସାପିର ଏହା ଉପରେ ଜୋର ଦେଇ କହିଛନ୍ତି, "Language is a guide to 'social reality'... The diversity of languages is a reflection of the diversity of human cultures.(ଭାଷା ହେଉଛି 'ସାମାଜିକ ଵାସ୍ତଵତା'ର ଏକ ପଥପ୍ରଦର୍ଶକ... ଭାଷାର ଵିଵିଧତା ମାନଵ ସଂସ୍କୃତିର ଵିଵିଧତାର ପ୍ରତିଫଳନ।”
ଭାଷାର ପ୍ରାକୃତିକ ଵିଵିର୍ତ୍ତନ ମଧ୍ୟ ଏତାଦୃଶ ଭାଷା ଵିଵିଧତାର ଆଉ ଏକ ମୁଖ୍ୟ କାରଣ। ସମୟ ସହ ଭାଷାର ଶବ୍ଦ, ବ୍ୟାକରଣ ଓ ଉଚ୍ଚାରଣ ବଦଳେ। ଫେର୍ଡିନାଣ୍ଡ ଡି ସସୁର ଏହାକୁ ବ୍ୟାଖ୍ୟା କରି କହିଛନ୍ତି,“Language is a system of signs that evolves over time and differs across communities.(ଭାଷା ହେଉଛି ଠାରସମୂହର ଵ୍ୟଵସ୍ଥା, ଯାହା ସମୟ ସହ ଵିକଶିତ ହୁଏ ଏଵଂ ଵିଭିନ୍ନ ସମ୍ପ୍ରଦାୟରେ ଭିନ୍ନ ହୋଇଥାଏ।)”
ଭିନ୍ନ ଭିନ୍ନ ଭାଷା ସହିତ ସଂସ୍ପର୍ଶ ଓ ମିଶ୍ରଣ, ଭାଷା ଵିଵ ଧତାର ଅନ୍ୟ ଏକ କାରଣ। ଦୁଇ ଵା ତତୋଧିକ ମାନଵଗୋଷ୍ଠୀ ମଧ୍ୟରେ ଵ୍ୟାପାର, ଯୁଦ୍ଧ ତଥା ଵୈଵାହିକ ସମ୍ପର୍କ ମାଧ୍ୟମରେ ଜାତିଗତ ମିଶ୍ରଣ ଘଟିଲେ ଭାଷାରେ ମଧ୍ୟ ମିଶ୍ରଣ ଘଟିଥାଏ । ଆଧୁନିକ ଇଂରାଜୀ ଭାଷା ଜର୍ମାନିକ, ଫ୍ରେଞ୍ଚ ଓ ଲାଟିନର ମିଶ୍ରଣରୁ ଗଢ଼ି ଉଠିଛି। ଅନ୍ୟପକ୍ଷରେ, ସଂସ୍ପର୍ଶ ନ ଥିଲେ ଭାଷା ଅଲଗା ରହି ନିଜସ୍ୱ ପଥରେ ଵିକଶିତ ହୁଏ ।
ମାନବ ମସ୍ତିଷ୍କର ସୃଜନଶୀଳତା ମଧ୍ୟ ଭାଷା ଵିଵିଧତାର ଅନ୍ୟତମ କାରଣ। ଆମେରିକୀୟ ଭାଷାଵିତ୍ ନୋଆମ ଚମ୍ସ୍କି କହିଛନ୍ତି,“The human mind is endowed with an innate capacity for language, and diversity arises from the interaction of this capacity with the external environment.(ମାନଵ ମନରେ ଭାଷା ପାଇଁ ଏକ ଜନ୍ମଗତ କ୍ଷମତା ରହିଛି ଏଵଂ ଏହି କ୍ଷମତା ଵାହ୍ୟ ପରିବେଶ ସହ ମିଳିତ ହେଵାରୁ ଭାଷା ଵିଵିଧତା ସୃଷ୍ଟି ହୁଏ।)”
ଭାଷାଵିତ୍ ସ୍ଟିଭନ ପିଙ୍କର ମଧ୍ୟ ଏହାକୁ ସମର୍ଥନ କରି କହିଛନ୍ତି -„Language is an instinct that evolves with human societies, splitting and diversifying as groups separate and innovate.(ଭାଷା ଏକ ପ୍ରବୃତ୍ତି, ଯାହା ମାନଵ ସମାଜ ସହ ଵିକଶିତ ହୁଏ, ମାନଵଗୋଷ୍ଠୀଗୁଡ଼ିକ ଅଲଗା ହେଵା ଓ ନୂଆ ମାନଵ ଗୋଷ୍ଠୀ ସୃଷ୍ଟି ହେଵା ସହିତ ଭାଷାଗୁଡ଼ିକ ମଧ୍ୟ ଵିଭକ୍ତ ଓ ଵିଵିଧ ହୋଇଥାଏ।)” । ମାନଵ ଶିଶୁମାନେ ଜନ୍ମରୁ ଭାଷା ଶିଖିଵାର କ୍ଷମତା ରଖନ୍ତି, ଏଵଂ ଏହି ସୃଜନଶୀଳତା ନୂଆ ଶବ୍ଦ ଗଠନର ମଧ୍ୟ କାରଣ ହୋଇଥାଏ ।
ସମୟକ୍ରମେ ଜନସଂଖ୍ୟାର ବୃଦ୍ଧି ମଧ୍ୟ ଭାଷା ଵିଵିଧତାର ଏକ କାରଣ ହୋଇଥାଏ । ମାନଵ ଜନସଂଖ୍ୟା ବଢ଼ିଵା ସହ ଅଧିକ ଗୋଷ୍ଠୀ ସୃଷ୍ଟି ହେଲେ, ଯାହା ଅଧିକ ଭାଷାର ଜନ୍ମ ଦେଲା। ମେରିଟ ରୁହଲେନ ଏହାକୁ ବ୍ୟାଖ୍ୟା କରି କହିଛନ୍ତି, “All human languages likely stem from a single source, but their diversity reflects the vast migrations and adaptations of early humans(ସମସ୍ତ ମାନଵୀୟ ଭାଷା ସମ୍ଭଵତଃ ଏକ ଏକ ମୂଳ ଉତ୍ସରୁ ଜାତ ହୋଇଛି, କିନ୍ତୁ ସେଗୁଡ଼ିକର ଵିଵିଧତା ପ୍ରାଚୀନ ମାନଵମାନଙ୍କର ଵିସ୍ତୃତ ସ୍ଥାନାନ୍ତରଣ ଓ ଅନୁକୂଳନକୁ ପ୍ରତିଫଳିତ କରେ।)” । ଵୈଜ୍ଞାନିକମାନେ ଵିଶ୍ୱାସ କରନ୍ତି ଯେ ୧,୦୦,୦୦୦ରୁ ୨,୦୦,୦୦୦ ଵର୍ଷ ପୂର୍ଵେ ଆଫ୍ରିକାରେ ଏକ ଆଦିମ ଭାଷା ଉତ୍ପନ୍ନ ହୋଇଥିଲା। ଏହାକୁ ସମର୍ଥନ କରି ମେରିଟ ରୁହଲେନ ପ୍ରୋକ୍ତ ମତ ରଖିଛନ୍ତି ।
କିନ୍ତୁ ଯେମିତିକି ଅନେକ ଲୋକଗାଥାରେ କୁହାଯାଇଛି ଯେ କିଛି ସମୟ ମଧ୍ୟରେ ଦେଵତାମାନେ ଭିନ୍ନ ଭିନ୍ନ ଲୋକଙ୍କୁ ଵିଭିନ୍ନ ଭାଷା ଦେଇଥିଲେ ତାହା ଠିକ୍ ନୁହେଁ । ପ୍ରକୃତରେ ଲକ୍ଷ ଲକ୍ଷ ଵର୍ଷର ଵିଵର୍ତ୍ତନ ଯୋଗୁଁ ମନୁଷ୍ୟମାନେ ଆଜି ଏତେ ସଂଖ୍ୟକ ଭାଷାରେ କଥା ଭାଷା ହେଉଛନ୍ତି । ପ୍ରାୟ ୩,୦୦୦୦୦ ଵର୍ଷ ପୂର୍ଵେ ଆଫ୍ରିକାରେ ଆଧୁନିକ ମାନଵ ଜାତ ହୋଇଥିଲେ। ଏହି ସମୟରେ ମନୁଷ୍ୟର ବାକ୍ଯନ୍ତ୍ର (vocal tract) ଏଵଂ ମସ୍ତିଷ୍କ ଏକ ଏପରି ସ୍ତରରେ ଵିକଶିତ ହୋଇଥିଲା ଯେ ମନୁଷ୍ୟମାନେ ଜଟିଳ ଶବ୍ଦ ଓ ଭାଷା ଉଚ୍ଚାରଣ କରିଵାରେ ସକ୍ଷମ ହେଲେ। ମାନଵର ଗଳା (larynx) ନିମ୍ନସ୍ଥ ହେଵା ଦ୍ୱାରା ଏକ ଵୃହତ୍ତର ଫାରିଞ୍ଜିଆଲ୍ କ୍ୟାଭିଟି (pharyngeal cavity) ସୃଷ୍ଟି ହେଲା, ଯାହା ଵିଭିନ୍ନ ଶବ୍ଦ ଉଚ୍ଚାରଣସକରିଵାରେ ସହାୟକ ହେଲା। ଜିଭ ଓ ଓଠର ନମନୀୟତା ବୃଦ୍ଧି ପାଇଲା, ଯାହା ଜଟିଳ ଉଚ୍ଚାରଣ (articulation) ସମ୍ଭଵ କଲା। ଏହି ପରିଵର୍ତ୍ତନ ପ୍ରାୟ ୫,୦୦୦୦୦ ଵର୍ଷ ପୂର୍ଵେ Homo heidelbergensis ଵା ଅନ୍ୟ ପୂର୍ଵଜ ଜାତିରେ ଆରମ୍ଭ ହୋଇଥିଲା ଏଵଂ Homo sapiensରେ ପୂର୍ଣ୍ଣ ଵିକଶିତ ହେଲା। ମସ୍ତିଷ୍କର ଭାଷା ସମ୍ବନ୍ଧୀୟ ଅଞ୍ଚଳ, ଯଥା ବ୍ରୋକାସ୍ (Broca’s area) ଓ ୱେର୍ନିକ୍ସ୍ (Wernicke’s area), ଵିକଶିତ ହେଲା, ଯାହା ଭାଷା ବୋଲିଵା ଓ ବୁଝିଵାରେ ସହାୟକ ହେଲା। ମସ୍ତିଷ୍କର ଆକାର ବୃଦ୍ଧି ଓ ନିଉରାଲ୍ ନେଟୱାର୍କର ଜଟିଳତା ମାନଵକୁ ପ୍ରତୀକାତ୍ମକ ଚିନ୍ତନ (symbolic thinking) ଓ ଵାକ୍ସଂଯୋଗ (syntax) ଵ୍ୟଵହାର କରିଵାରେ ସକ୍ଷମ କଲା। FOXP2 ଜିନ୍ର ମ୍ୟୁଟେସନ, ଯାହା ଭାଷା କ୍ଷମତା ସହ ଜଡ଼ିତ, ପ୍ରାୟ 200,000 ଵର୍ଷ ପୂର୍ଵେ ମାନଵ ପୂର୍ଵଜଙ୍କ ମଧ୍ୟରେ ଵିକଶିତ ହୋଇଥିଲା। ପରେ ମାନଵ ସମାଜରେ ଯୋଗାଯୋଗର ଆଵଶ୍ୟକତା (ଉଦାହରଣ ସ୍ୱରୂପ, ଶିକାର, ସମ୍ପର୍କ ଗଠନ, ଜ୍ଞାନ ଆଦାନ-ପ୍ରଦାନ) ଭାଷାର ଵିକାଶକୁ ଆହୁରି ତ୍ୱରାନ୍ୱିତ କଲା। ପ୍ରାୟ 1.5 ରୁ 2 ମିଲିୟନ ଵର୍ଷ ପୂର୍ଵେ Homo erectusମାନେ କିଛି ମୌଳିକ ଶବ୍ଦ ଵା ଧ୍ୱନି ଉଚ୍ଚାରଣ କରିପାରୁଥିଲେ, କିନ୍ତୁ ଏହା ଜଟିଳ ଭାଷା ନ ଥିଲା। ଆଧୁନିକ ମାନଵମାନେରେ ଜଟିଳ ଭାଷାର ଵ୍ୟଵହାର ପ୍ରାୟ ୧,୦୦୦୦୦ ରୁ ୫୦,୦୦୦ ଵର୍ଷ ପୂର୍ଵେ ଆରମ୍ଭ କରିଥିଲେ ଏଵଂ ମାନଵମାନେ ଆଫ୍ରିକାରୁ ଵିଶ୍ୱର ଅନ୍ୟ ଅଞ୍ଚଳକୁ ଵ୍ୟାପିଥିଲେ। କ୍ରମେ ଭିନ୍ନ ଭିନ୍ନ ଅଞ୍ଚଳରେ ରହି ମାନଵମାନେ ନୂତନ ଭାଷା ସୃଷ୍ଟି କଲେ ଏଵଂ ଉକ୍ତ ଭାଷାଗୁଡି଼କରୁ ପୁଣି ଅନେକ ନୂତନ ଭାଷା ସୃଷ୍ଟି ହେଲା । ଏହିପରି ଭାବେ ପୃଥିଵୀରେ ଅନେକ ଭାଷାପରିଵାର ସୃଷ୍ଟି ହେଲା ।
ପୃଥିଵୀର ବିଭିନ୍ନ ସଂସ୍କୃତିର ଲୋକଗାଥା ଓ ପୁରାଣକଥାଗୁଡ଼ିକ ଅନେକ ଭାଷାର ଉତ୍ପତ୍ତିକୁ ଦୈଵୀୟ କାର୍ଯ୍ୟ, ପ୍ରାକୃତିକ ଘଟଣା ଓ ମାନଵୀୟ ଵିଭାଜନ ସହ ଜୋଡ଼ି ଏକ ପ୍ରତୀକାତ୍ମକ ଵ୍ୟାଖ୍ୟା ପ୍ରଦାନ କରେ। ଏହି କାହାଣୀଗୁଡ଼ିକ ମାନଵ ସମାଜର ଵିସ୍ତାର ଓ ଭାଷାଗତ ଵିଵିଧତାର ମୂଳକୁ ସ୍ଵକୀୟ ସାଂସ୍କୃତିକ ଦୃଷ୍ଟିକୋଣରୁ ପ୍ରକାଶ କରେ। ଅନ୍ୟପକ୍ଷରେ, ଵୈଜ୍ଞାନିକ ଦୃଷ୍ଟିକୋଣ ଭାଷାର ଵିଵିଧତାକୁ ଭୌଗୋଳିକ ଵିଭାଜନ, ପ୍ରାକୃତିକ ଵିଵର୍ତ୍ତନ, ସାଂସ୍କୃତିକ ମିଶ୍ରଣ ତଥା ମାନଵ ମସ୍ତିଷ୍କର ସୃଜନଶୀଳତା ସହ ସମ୍ପର୍କିତ କରେ। ପ୍ରାୟ ୭,୦୦୦ରୁ ଅଧିକ ଭାଷା ସହିତ ପୃଥିଵୀର ଭାଷାଗତ ଵିଵିଧତା ମାନଵ ସଭ୍ୟତାର ଏକ ଅନନ୍ୟ ଵୈଶିଷ୍ଟ୍ୟ ଅଟେ, ଯାହା ମାନଵୀୟ ଇତିହାସର ଵିସ୍ତାର, ଅନୁକୂଳନ ଓ ସୃଜନଶୀଳତାକୁ ପ୍ରତିଫଳିତ କରେ। ଲୋକଗାଥା ଓ ଵୈଜ୍ଞାନିକ ଵ୍ୟାଖ୍ୟା ଉଭୟ ମିଳିତ ଭାବେ ଏହା ପ୍ରମାଣ କରେ ଯେ ଭାଷା କେଵଳ ଯୋଗାଯୋଗର ମାଧ୍ୟମ ନୁହେଁ, ଵରଂ ମାନଵୀୟ ଅଭିଜ୍ଞତା ଓ ସଂସ୍କୃତିର ଏକ ଜୀଵନ୍ତ ପ୍ରତିଛବି ଅଟେ ।
(ଵି.ଦ୍ର : ସମସ୍ତ ତଥ୍ୟ ଅନ୍ତର୍ଜାଲରୁ ଦୀର୍ଘ ଦେଢ଼ ଵର୍ଷ କାଳର ଏଷଣାରୁ ଗୃହୀତ ହୋଇଛି । ଯୋଉମାନେ ଆଜି ଅଵିଵେକୀ ଭାବେ ଭାଷାର ଲିପିରୁ ଗୋଟିଏ ଗୋଟିଏ ଅକ୍ଷରକୁ କାଟି ଦେଵାକୁ ଯୁକ୍ତି କରନ୍ତି ଅଥଵା ଯୋଉମାନେ ଅଵର୍ଗ୍ୟ 'ଵ'କୁ ଅଭଦ୍ର ଭଳି ପେଟକୀଳା 'ବ' କହି ଦିଅନ୍ତି ସେମାନେ ପ୍ରକୃତରେ ଲକ୍ଷାଧିକ ଵର୍ଷର ମାନଵୀୟ ଵିଵର୍ତ୍ତନର ନିଜ ପୂର୍ଵଜଙ୍କ ଶ୍ରମର ହିଁ ଉପହାସ କରୁଅଛନ୍ତି ବୋଲି ହୃଦୟଙ୍ଗମ କରିପାରନ୍ତି ନାହିଁ।)