Tuesday, October 10, 2023

ଷଣ୍ଢ ଓ ନଵାବ

ଥରେ ବଙ୍ଗର ନଵାବ, ରାଜା କୃଷ୍ଣଚନ୍ଦ୍ରଙ୍କ ରାଜ୍ଯକୁ ଗଲେ ଏଵଂ ରାଜଧାନୀରେ ନିଜର ଛାଉଣୀ ଲଗାଇଲେ। କିଛି ସମୟ ପରେ ସେହି ଛାଉଣୀ ଆଡ଼କୁ ଗୋଟେ ମୋଟା ଷଣ୍ଢ ଆସିଲା। ନଵାବ ନିଜର ସିପାହୀମାନଙ୍କ ଦ୍ଵାରା ଷଣ୍ଢକୁ ଧରାଇ ସେଦିନ ଦିନ ରାତିରେ ତାକୁ ମାରିକରି ତାହାର ମାଂସ ରନ୍ଧନ କରିଵାକୁ ରଷେଇଆକୁ ଆଦେଶ ଦେଇ ଦେଲେ । 

କିଛି କ୍ଷଣରେ ଏହି ଦୁର୍ଘଟଣାର ସମ୍ବାଦ ରାଜା କୃଷ୍ଣଚନ୍ଦ୍ରଙ୍କୁ ଜ୍ଞାତ ହେଲା । ସେ ଗହନ ଚିନ୍ତାରେ ପଡ଼ି ଗଲେ। ରାଜା ନିଜ ପିତାଙ୍କ ଶ୍ରାଦ୍ଧ ଦିନ ସେହି ଷଣ୍ଢ ଉପରେ ମୋହର ଲଗାଇ ତାକୁ ଛାଡ଼ି ଦେଇଥିଲେ ‌ କିନ୍ତୁ ଦୁର୍ଭାଗ୍ୟକୁ ଏବେ ତାହା ନଵାବ ଓ ତାଙ୍କ ଲୋକଙ୍କ ଖାଦ୍ୟ ହେଵାକୁ ଯାଉଛି ! 

ରାଜା ଚିନ୍ତିତ ଥିଵା ଦେଖି ଵିଦୂଷକ ଗୋପାଳ କାରଣ ଜାଣି ନଵାବଙ୍କୁ ଭେଟିଵାକୁ ଛାଉଣୀକୁ ଗଲେ ଏଵଂ ତାଙ୍କୁ କହିଲେ —“ହଜୂର, ମୁଁ ଆମର ନଗ୍ର ପକ୍ଷରୁ ଆପଣଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିଵାକୁ ଆସିଅଛି। ସେ ଷଣ୍ଢକୁ ମାରିଦେଲେ ଆମ୍ଭମାନଙ୍କର ବହୁତ ଉପକାର ହେଵ । ସେହି ମୋଟୁଆ ଷଣ୍ଢଟା ଆମ୍ଭମାନଙ୍କର ଘର ବାଡ଼ିରେ ପଶି ଯାହା ତ ଉଦୁରୁମତା ହେଵା କଥା ହେଉଛି ପୁଣି ଲୋକେ ପୋଖରୀ ପାଣି ଗଲାବେଳେ ତାଙ୍କୁ ମାରି ଗୋଡ଼ାଇ ତାଙ୍କର ଵିଷ୍ଟା ଭକ୍ଷଣ କରିଵାକୁ ବି ପଛାଉ ନାହିଁ । ରାଜାଙ୍କ ଷଣ୍ଢ ବୋଲି ସିନା ଆମ୍ଭେମାନେ ୟାକୁ କିଛି କରିପାରୁନଥିଲୁ କିନ୍ତୁ ଆପଣ ତାକୁ ଉପଯୁକ୍ତ ଶାସ୍ତି ଦେଇ ଆମ୍ଭମାନଙ୍କ ପ୍ରତି ଅଶେଷ ଉପକାର କରୁଛନ୍ତି ।”

ନଵାବ ଯେମିତି ଜାଣିଲେ ଷଣ୍ଢଟା ଗୋଟାଏ ଵିଷ୍ଟାଖିଆ ଜୀଵ ସେ ଏକବାରେ(ହଠାତ୍) ନାକ ଟେକି ଛି ଛି କହି ସେ ଷଣ୍ଢକୁ ଛାଡ଼ି ଦେଵାକୁ ଆଦେଶ ଦେଲେ ‌।

ଏଣେ ରାଜା କୃଷ୍ଣଚନ୍ଦ୍ର ଯେତେବେଳେ ଗୋପାଳଙ୍କର ବୁଦ୍ଧିମତା ଜାଣିଲେ ସେ ତାଙ୍କୁ ଅନେକ ପୁରସ୍କାର ଦେଲେ । 
•••••••••••••••••••••••••••••


Sunday, October 8, 2023

ତଅପୋଇର କାହାଣୀ

ଖୁଦୁରୁକୁଣୀ ଓଷାର ମୁଖ୍ୟ ନାୟିକା ତଅପୋଇ ସହିତ ସାରା ଓଡ଼ିଶାର ଲୋକ ପରିଚିତ ଥିବେ । ଏହି ଲୋକକଥାଟି କଳିଙ୍ଗର ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ବଞ୍ଚିଯାଇଥିଵା କିଛି ସାଂସ୍କୃତିକ ପ୍ରମାଣ ମଧ୍ୟରେ ଅନ୍ୟତମ । ଆଜକୁ ସହସ୍ରାଧିକ ଵର୍ଷ ତଳେ ଓଡ଼ିଆ ସାଧଵମାନେ ଜଳପଥରେ ଵିଦେଶକୁ ଵାଣିଜ୍ୟ କରିଵା ନିମନ୍ତେ ଯାଉଥିଲେ ଏଵଂ ତଅପୋଇର କାହାଣୀ ସେହି ସମୟର କଥା । ସାତଜଣ ସାଧଵ ଭାଇ ଦୂରଦେଶକୁ ଵାଣିଜ୍ୟ କରିଵାକୁ ଯାଇଥିଲା ବେଳେ ଘରେ ତାଙ୍କର ସାତଜଣ ପତ୍ନୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଯାଇଥିଲା । କେଵଳ ସାନ ଭାଉଜଙ୍କୁ ଛାଡ଼ି ବୁଢ଼ୀ ବ୍ରାହ୍ମଣୀର କଥାରେ ପଥଭ୍ରଷ୍ଟ ହୋଇ ତଅପୋଇର ଅନ୍ୟ ସବୁ ଭାଉଜ ତା’ ଉପରେ ଅତ୍ୟାଚାର କରୁଥିଲେ । ଅଲିଅଳରେ ବଢ଼ିଥିଵା ତଅପୋଇକୁ ଘରକାମରେ ଲଗାଉଥିଲେ ଏମନ୍ତକି କାଠ ଗୋଟାଇଵା ତଥା ଛେଳି ଚରେଇଵା ପାଇଁ ଜଙ୍ଗଲକୁ ପଠାଉଥିଲେ । ଭାଇମାନେ ଦୂରରେ ଥିଵାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁନଥିଲା । ଏପରିକି ଭାତ ପରିଵର୍ତ୍ତେ ଭାଉଜମାନେ ତଅପୋଇକୁ ବ୍ରାହ୍ମଣୀ କଥାରେ ପଡ଼ି ଖୁଦ ଖାଇଵାକୁ ଦେଉଥିଲେ । କେଵଳ ତଅପୋଇର ସାନଭାଉଜ ତାକୁ ଲୁଚାଇ ଲୁଚାଇ ଖାଇଵାକୁ ଦେଉଥିଲେ ଓ ସ୍ନେହ କରୁଥିଲେ । ଅନେକ ଦିନ ପରେ ବି ଭାଇମାନେ ଵିଦେଶରୁ ନଫେରିଵାରୁ ତଅପୋଇ ଵ୍ୟସ୍ତ ହୋଇ ପଡ଼ିଲା । ସେ ଯୁଗରେ କଳିଙ୍ଗୀମାନେ ଶୁଭଯାତ୍ରା ପାଇଁ କଳିଙ୍ଗର ଅଧିଷ୍ଠାତ୍ରୀ ଦେଵୀ ମଙ୍ଗଳାଙ୍କର ଆରାଧନା କରୁଥିଲେ । ତଅପୋଇ ଜଣେ ଵୃଦ୍ଧାଙ୍କଠାରୁ ଦେଵୀ ମଙ୍ଗଳାଙ୍କର ଓଷା ସମ୍ବନ୍ଧରେ ସବୁ ଵିଧି ବୁଝି ନଦୀ ବାଲି ଉପରେ ମାଟିର ମୂର୍ତ୍ତି ଗଢ଼ି ଖୁଦୁରୁକୁଣି ଓଷା କଲା । 


ଭାଇମାନଙ୍କ ମଙ୍ଗଳ ମନାସି ସହଳ ଘରକୁ ଫେରାଇ ଆଣିଵା ନିମନ୍ତେ ମଙ୍ଗଳା ଠାକୁରାଣୀଙ୍କ ପାଖରେ ତାକୁ ମିଳିଥିଵା ଖୁଦ ଭୋଗ ଭାଵରେ ଦେଇ ପ୍ରାର୍ଥନା କରିଥିଲା । ତା’ର ଡାକ ଶୁଣିପାରି ମା ମଙ୍ଗଳା (ଖୁଦୁରୁକୁଣି ଵା ଖୁଦରଙ୍କୁଣୀ) ଭାଇମାନଙ୍କୁ ଘରକୁ ଲେଉଟାଇଵା ପାଇଁ ପଵନର ଗତି ବଦଳାଇ ଦେଇଥିଲେ । ଭାଇମାନଙ୍କୁ ବନ୍ଦାପନା କରିଵା ନିମନ୍ତେ ସବୁ ଭାଉଜ ଯାଇଥିଵା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ (ତଅପୋଇ ଚଳଚ୍ଚିତ୍ରରେ ସାଧଵଭାଇମାନେ ଓଡ଼ିଶାକୁ ଫେରି ଜଙ୍ଗଲରୁ ତଅପୋଇକୁ ପାଇଥିଲେ) । ତେବେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ୍ ଧରି ବସିଵାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ । ଦଣ୍ଡ ସ୍ୱରୁପ କେଵଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧଵ ବାକି ସମସ୍ତଙ୍କର ନାକ କଟାଇ ଥିଲେ । ମତାନ୍ତରେ ମଙ୍ଗଳା ଠାକୁରାଣୀ ଛଅ ଜଣ ବଡ଼ ଭାଉଜଙ୍କୁ ନାକ କାଟି ଦଣ୍ଡିତ କରିଥିଲେ ‌‌। ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭାଦ୍ରଵ ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣି ଓଷା କରିଥାନ୍ତି । 

ମଙ୍ଗଳାଙ୍କର ନାମ ଖୁଦରଙ୍କୁଣୀ ଏଵଂ ଏହାଙ୍କ ଓଷାର ନାମ ପରେ ଖୁଦୁରୁକୁଣୀ ହୋଇଅଛି ।
ପୁଣି କେହି କେହି କୁହନ୍ତି ଆଜିକାଲି ସିନା ମଙ୍ଗଳାଙ୍କର ମୂର୍ତ୍ତି ପ୍ରତିଷ୍ଠା କରି ଖୁଦୁରୁକୁଣୀ ଓଷା କରାଯାଉଛି କିନ୍ତୁ ଆଗେ ଦେଵୀ ମଙ୍ଗଳାଙ୍କର ଭାଲ ଵା ମସ୍ତକର ସମ୍ମୁଖସ୍ଥ ଉପରିଭାଗକୁ କୁଣ୍ଢି ଵା କଣ୍ଢେଇ ରୂପେ ମାଟିରେ ନିର୍ମିତ କରି ଏହି ଓଷା କରାଯାଉଥିଲା ବୋଲି ଏହାର ନାମ ଭାଲକୁଣୀ ଓଷା ହୋଇଥିଲା ‌ । 

କିନ୍ତୁ ଖୁଦୁରୁକୁଣୀ ଓଷା କଥାର ମୁଖ୍ୟ ନାୟିକା 'ତଅପୋଇ'ର ନାମ ପଛର ଵ୍ୟୁତ୍ପତ୍ତି ମୂଳ କେହି ପାଇନଥିଲେ ‌। ସେଥିପାଇଁ କେଉଁଠି ବି "ତଅପୋଇ" ନାମ ଵା ଶବ୍ଦର ମୂଳ ଉଲ୍ଲେଖ ଥିଵା ଦେଖାଯାଏ ନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ନାମ ଵା ଶବ୍ଦର ମୂଳ ଵିଷୟରେ ସେଥିପାଇଁ କୌଣସି ତଥ୍ୟ ଦିଆଯାଇନାହିଁ । ସେଠାରେ ତଅପୋଇକୁ ଏକ ନାମଵାଚକ ଶବ୍ଦ ତଥା "ଖୁଦୁରୁକୁଣି ଓଷା କଥାରେ ଵର୍ଣ୍ଣିତ ମହାଜନ ଝିଅର ନାମ" ତଅପୋଇ ଥିଵା ଉଲ୍ଲେଖ କରାଯାଇଛି ।

ଖୁଦୁରୁକୁଣୀ ଓଷା କଥା ଅନୁସାରେ ବୁଢ଼ା ସାଧଵଙ୍କର ସାତଜଣ ପୁଅ ଥିଲେ ଓ ତହିଁ ଉତ୍ତାରୁ ଯେଉଁ କନ୍ୟା ଜନ୍ମ ହେଲା ତାକୁ ତଅପୋଇ ନାମ ଦିଆଗଲା । କଵି ଦୁଷ୍କର ନାୟକ କୃତ ତଅପୋଇ ଗୀତରେ ବୁଢ଼ା ସାଧଵଙ୍କ ନାମ ତନୟାଵନ୍ତ କୁହାଯାଇଛି । 

"ତନୟା ବନ୍ତ ବୋଲିଣ ସାଧଵର ଘର,
ଭାରତ ମଣ୍ଡଳେ ଥିଲା ବଡ଼ ତତପର ।
ଘର ଖମ୍ବମାନ ତାର ସ୍ପଟିକ ପଥର,
ହସ୍ତୀଦନ୍ତ ରୁଅସୁନା ହୋଇଛି ଛପର ।"

ତେବେ କଵି ଗୋପୀନାଥ ଦାସଙ୍କ "ତଅପୋଇ ଓଷା ଗୀତ"ରେ ବୁଢ଼ା ସାଧଵଙ୍କ ନାମ ତନୟଵନ୍ତ ଉଲ୍ଲେଖ କରାଯାଇଛି । ଏ ଗୀତରେ ବଡ଼ ସାଧଵ ଭାଇଙ୍କ ନାମ ମଧ୍ୟ ଆରମ୍ଭରେ କହିଦିଆଯାଇଛି । 

"ତ‌ହିଁରେ ଏକ ସାଧୁ ଘର । 
ତନ‌ୟ ଵନ୍ତ ନାମ ତାର ।।
ପତ୍ନୀର ନାମ ଶକୁନ୍ତଳା । 
ଜନ୍ମ ସେ କଲା ସପ୍ତବାଳା ।।
ଝିଅର ନାମ ତଅପୋଈ । 
ସବୁହୁ ଦୁଲ୍ଲଣା ଅଟଇ ।।
ସାଧବ ବଡ଼ ଧନେଶ୍ୱର । 
ବୋଇତ ସାତ ଖଣ୍ତ‌ତାର ।।
ସାତ ପୁଅରେ ସାତ ଵୋହୂ । 
ସମସ୍ତେ ସୁନ୍ଦରୀ ସବୁହୁଁ ।।
ଚାଲନ୍ତି ସୁନାରେ ରୂପାରେ । 
ଶୁଅନ୍ତି ଖଟ ପଲଙ୍କରେ ।।"

ତେବେ ପ୍ରଶ୍ନ ଆସେ ତଅପୋଇ ଶବ୍ଦର କିଛି ଅର୍ଥ ଅଛି କି କାରଣ ଆମ ଓଡ଼ିଶାରେ ଶୁଭନାମ ହେଉ ଵା ଡାକନାମ ସେସବୁ ନାମ ମଧ୍ୟରେ ଅଧିକାଂଶର କୌଣସି ନା କୌଣସି ଅର୍ଥ ନିଶ୍ଚୟ ଥାଏ ଏଵଂ ସେ ନାମମାନ କୌଣସି ଉଦ୍ଦେଶ୍ୟ ଵା କାରଣରୁ ଦିଆଯାଇଥାଏ ‌। ଉଦାହରଣ ସ୍ୱରୂପ କେହି ପିଲା ଛୋଟବେଳେ ପତଳା ଥିଲେ ତାକୁ "କାଠି" ନାଆଁ ଦିଆଯାଏ ,କେହି ପିଲା ନିଜ ଘରର ବଡ଼ ପୁଅ ହୋଇଥିଲେ ତାକୁ "ଢମା" ନାମ ଦିଆଯାଏ । କେହି ପିଲା ମୋଟା ସୋଟା ହୋଇ ଜନମିଥିଲେ ତାହାର ଫାଫୁଲୁ ଵା ଫାଫୁଲି ନାଆଁ ଦିଅନ୍ତି । କୌଣସି କନ୍ୟା ଜନ୍ମ ସମୟରେ କସରା ଵା କହଁରା ବାଳଯୁକ୍ତ ହୋଇ ଜନ୍ମିଥିଲେ ଏଵଂ ଗୌରଵର୍ଣ୍ଣା ହୋଇଥିଲେ ତାକୁ କଇରୀ ନାମ ଦିଆଯାଏ । ତେବେ ଏସବୁ ସାଧାରଣତଃ ଡାକନାମ । ସେହିପରି ତଅପୋଇ ବି ଗୋଟିଏ ଡାକନାମ ହୋଇଥିଵା ସମ୍ଭଵ । କିନ୍ତୁ "ତଅପୋଇ" ଶବ୍ଦର କିଛି ତ ଅର୍ଥ ଥିଵ ,ଵିନା ଅର୍ଥ ଘେନି କୌଣସି ନାମଵାଚକ ଶବ୍ଦ ଵ୍ୟଵହାର ପ୍ରାୟତଃ କମ୍ । 

ତେବେ ତଅପୋଇ ନାମଵାଚକ ଶବ୍ଦର ଗୋଟିଏ ସମ୍ଭାଵିତ ନିରୁକ୍ତି ନିଶ୍ଚୟ ରହିଛି । ଏ ନାମଟି "ତଅପୋଇ"ର ଜନ୍ମ ସହିତ ସମ୍ପୃକ୍ତ । କିନ୍ତୁ କେମିତି ?

ପ୍ରଥମତଃ...
ଆମେ ସମସ୍ତେ ଜାଣନ୍ତି ଯେ ତଅପୋଇ ତନୟାଵନ୍ତ ସାଧଵଙ୍କର ସବା ଶେଷ ସବୁଠାରୁ ସାନ ସନ୍ତାନ । ପ୍ରଥମେ ତାଙ୍କର ସାତଜଣ ପୁତ୍ର ଜାତ ହୋଇଥିଲେ ଏଵଂ ଶେଷରେ ତଅପୋଇର ଜନ୍ମ ହୋଇଅଛି ।

ଦୁଇରେ 
ତଅପୋଇ ଶବ୍ଦକୁ ଯଦି ସମାନ ଭାଵରେ ଭଙ୍ଗାଯାଏ ତେବେ ଆମେ ଦୁଇଗୋଟି ଶବ୍ଦ ପାଇଥାଉ ...

ତଅ ଓ ପୋଇ...

ଓଡ଼ିଆ ଭାଷାରେ ତଅ ଶବ୍ଦଟି ତୋ ଵା ତୋର
,ତହ(କାଗଜ ବା ଲୁଗାର ଭାଙ୍ଗ ଵା ଚଉତ,ପ୍ରସ୍ତ,ପରସ୍ତ ସ୍ତର) ଓ ଧପାଙ୍ଗୀ(ଛଳନାପୂର୍ଵକ ସମୟ ନେଵା, ଭଣ୍ଡାଇଵା,ଠକିଵା) ଅର୍ଥରେ ପ୍ରୟୋଗ କରାଯାଏ । 

ସେହିପରି ପୋଇ ଶବ୍ଦ ମଧ୍ୟ ଓଡ଼ିଆ ଭାଷାରେ ଅମରପୋଇ,ପୋଇଶାଗ,ଛୋଟପୁଅ( ପିଲା, ଶିଶୁ ବାଳକ,ପୁଅ),ଛୋଟ କନ୍ୟା, ଛୋଟ ଚିଙ୍ଗୁଡ଼ି ମାଛ(ଚିଙ୍ଗୁଡ଼ି ପୋଇ), ଧାନ ଛଡ଼ା ଅନ୍ୟ ଶସ୍ଯକୁ(ଯଥା—ମୁଗ, ବିରି, କୋଳଥ, ମାଣ୍ଡିଆ ଆଦିକୁ) ଦେଢ଼ି ଵା ପାଞ୍ଚପାହି ସୁଧ କରାରରେ ଦାଦନ ଲଗାଇଵା ରୀତି,ପୋଇ ନାମକ ରାଗ ଵିଶେଷ,ପଚା; ସଢ଼ା, ରେଳପଥ ଓ ମାଈକୁକୁଡ଼ା ଆଦି ଅର୍ଥରେ ଵ୍ୟଵହାର କରାଯାଇଥାଏ । 

ତେବେ ତଅପୋଇ କ୍ଷେତ୍ରରେ ତଅ ଶବ୍ଦଟି ସପ୍ତ ଶବ୍ଦର ପରିଵୃତ୍ତ ରୂପ ଏଵଂ ପୋଇ ଶବ୍ଦଟି ପୁତ୍ର ଵା ପୁତ୍ରକ ଶବ୍ଦର ପରିଵୃତ୍ତ ରୂପ ଅଟଇ ।‌

ସମ୍ଭଵତଃ ଆଗେ ସପ୍ତ ପୁଅ ପରେ ଯୋଉ ଝିଅ ଜନ୍ମୁଥିଲା ତାକୁ ସପତପୋଇ ନାଆଁ ଦେଉଥିଲେ ଯାହା ପରେ ତଅପୋଇ ରୂପେ ପରିଵୃତ୍ତ ହୋଇ ଚଳିଵାକୁ ଲାଗିଲା । ଖୁଦୁରୁକୁଣୀ କାହାଣୀରେ ମଧ୍ୟ ସାତଜଣ ଭାଇଙ୍କ ପରେ ସାନ ଭଉଣୀ ତଅପୋଇର ଜନ୍ମ ହୋଇଥିଲା । 

ତଅପୋଇ କାହାଣୀ ଓଡ଼ିଶାର ନୌଵାଣିଜ୍ୟ ପରମ୍ପରାର କାହାଣୀ ଏଵଂ ଭାରତରେ ଓଡ଼ିଶା ଵ୍ୟତୀତ ନୌଵାଣିଜ୍ୟ ସମ୍ବନ୍ଧୀୟ ଖୁଦୁରୁକୁଣୀ ଓଷା ଭଳି କୌଣସି ଓଷା କିମ୍ବା ପର୍ଵ ଅନ୍ୟତ୍ର ପ୍ରଚଳିତ ଥିଵା ଜଣାଯାଏ ନାହିଁ । ଖୁଦୁରୁକୁଣୀ, ଭାଲକୁଣୀ ଓ ତଅପୋଇ ଯେମିତି ମୌଳିକ କଳିଙ୍ଗୀ କଥା ଓ ନାମ ଠିକ୍ ସେହିପରି ଏହି କଳିଙ୍ଗୀ ପରମ୍ପରା ମଧ୍ୟ ଆମ ମାଟିର ନିଜସ୍ଵ !!!

ଶ୍ରୀଗରୁଡ଼ପୁରାଣରେ କାହାକୁ ସର୍ଵଜ୍ଞ ଓ ଵିଦ୍ଵାନ କୁହାଯାଇଛି?

ମନୁଷ୍ୟ ଵ୍ୟର୍ଥ ଜନ୍ମ ନିଏ ନାହିଁ କି ମରେ ନାହିଁ । କୌଣସି ବି ମନୁଷ୍ୟ ସମାଜ ପାଇଁ ବେକାର, ଅନାଵଶ୍ୟକ ନୁହେଁ । ଏଠାରେ ପ୍ରତ୍ୟେକ ମନୁଷ୍ୟ ସମାଜ ପାଇଁ ପ୍ରତ୍ୟକ୍ଷ ଅଥଵା ପରୋକ୍ଷ ଭାଵେ କିଛି ନା କିଛି କରୁଅଛନ୍ତି ଵା କରିଛନ୍ତି। 

ଅନେକ ମନୁଷ୍ୟ ଅଛନ୍ତି ବହୁତ ବଡ଼ ବଡ଼ କାର୍ଯ୍ୟ କରୁଛନ୍ତି ଵା କରିଛନ୍ତି କିନ୍ତୁ ସେମାନେ ସମାଜରେ ଜଣାଶୁଣା ହୋଇ ପାରିନାହାନ୍ତି ‌।‌ ଏଠି ପ୍ରତ୍ୟେକ ମନୁଷ୍ୟ ହୁଏ ତ ଶ୍ରେଷ୍ଠ ହୋଇନପାରେ କିନ୍ତୁ ସମାଜ ପାଇଁ ତାହାର ଅଳ୍ପ ହେଉ ପଛେ କିଛି ନା କିଛି ଯୋଗଦାନ ନିଶ୍ଚୟ ରହିଛି ।

 ସୀମାରେ ପ୍ରାଣ ଦେଉଥିଵା ସୈନିକ ଯେତିକି ଗୁରୁତ୍ୱପୂର୍ଣ୍ଣ,କଳ କାରଖାନା ତଥା ଖେତରେ ଝାଳ ବୁହାଉଥିଵା ଶ୍ରମିକ ଏଵଂ କୃଷକ ମଧ୍ୟ ଆମ ସମାଜ ପାଇଁ ସେତିକି ମହତ୍ତ୍ୱପୂର୍ଣ୍ଣ ।‌ ସେହିପରି ଏ ସମାଜର ପ୍ରତ୍ୟେକ ଵ୍ୟକ୍ତି ପାଖରେ କିଛି ନା କିଛି ଜ୍ଞାନ ରହିଛି କିନ୍ତୁ କେହି ବି ଏଠାରେ ସର୍ଵଜ୍ଞ ନୁହେଁ କି ଜଣକୁ ସବୁ କଥା ଜଣାନଥାଏ । ତେଣୁ ସର୍ଵଜ୍ଞ ବୋଲି କେହି ଏଠି ନାହିଁ । ଶ୍ରୀଗାରୁଡ ମହାପୁରାଣର ପୂର୍ଵଖଣ୍ଡ ପ୍ରଥମାଂଶାଖ୍ଯ ଆଚାରକାଣ୍ଡ ବୃହଦୃ ନୀତିସାର ଦଶୋତ୍ତରଶତତମୋଽଧ୍ଯାୟରେ ଏ ଵିଷୟକୁ ଏମନ୍ତ ଭାବେ କୁହାଯାଇଛି ...

“ନୈକତ୍ର ପରିନିଷ୍ଠାସ୍ତି ଜ୍ଞାନସ୍ଯ କିଳ ଶୌନକ ।
ସର୍ଵଃ ସର୍ଵଂ ନ ଜାନାତି ସର୍ଵଜ୍ଞୋ ନାସ୍ତି କୁତ୍ରଚିତ୍ ॥ 

ନ ସର୍ଵଵିତ୍କଶ୍ଚିଦିହାସ୍ତି ଲୋକେ ନାତ୍ଯନ୍ତମୂର୍ଖୋ ଭୁଵି ଚାପି କଶ୍ଚିତ୍ ।
ଜ୍ଞାନେନ ନୀଚୋତ୍ତମମଧ୍ଯମେନ ଯୋଽୟଂ ଵିଜାନାତି ସ ତେନ ଵିଦ୍ଵାନ୍ ॥”

ଅର୍ଥାତ୍ ଏ ପୃଥିଵୀରେ କେହି ବି ସର୍ଵଜ୍ଞ ଵି ଅତି ମହାମୁର୍ଖ ନାହିଁ, ସମସ୍ତଙ୍କୁ କିଛି ନା କିଛି ଜଣାଅଛି । ଜ୍ଞାନ ବଳରେ ଯେ ଉଚ୍ଚ ଓ ନୀଚ୍ଚ ମଧ୍ୟରେ ଭେଦ ଜାଣିପାରେ ତାକୁ ଵିଦ୍ଵାନ କୁହାଯାଏ। 

Saturday, October 7, 2023

ବିଲୁଆ ଶବ୍ଦର ସ୍ତ୍ରୀଵାଚକ ରୂପ କ'ଣ ?

ଜଣେ ଚିହ୍ନା ଲୋକଙ୍କ ଘରେ ଏକ ଘରୋଇ ଦୂରଦର୍ଶନ କେନ୍ଦ୍ରର ଜନୈକା ଉପସ୍ଥାପିକା ଆସିଥିଲେ ‌। ଗୃହକର୍ତ୍ତା ମୋର ଚିହ୍ନା, ଗୃହକର୍ତ୍ତାଙ୍କର ଦୂରଦର୍ଶନ ଉପସ୍ଥାପିକା ଚିହ୍ନା ।‌

ମୁଁ ଗୃହକର୍ତ୍ତାଙ୍କର ଦ୍ଵିତୀୟ ତାଳ ପାହାଚ ଉପରେ ବସିଥାଏ ଏଵଂ ତାଙ୍କ କଥା ଶୁଣୁଥାଏ । ଗୃହକର୍ତ୍ତାଙ୍କ ପୁଅ ମୋଠାରୁ ଦଶ ବାର ଵର୍ଷ ସାନ ,ତେଣୁ ତାକୁ ମନରେ କ'ଣ ଗୋଟିଏ ଵିଚାର କରି ପଚାରି ଦେଲି “ଆଚ୍ଛା ବିଲୁଆର ସ୍ତ୍ରୀଲିଙ୍ଗ କ'ଣ ହେଵ” , ସେ ଅଳ୍ପ ହସି କହିଲା “ବିଲେଇ ନୁହେଁ” ! 

ଆଜି ମୋତେ ଗୃହକର୍ତ୍ତା କହୁଥିଲେ 
“ଏତେ ବଡ଼ ଉପସ୍ଥାପିକା ଆମ ଘରକୁ ଆସିଥିଲେ ତାଙ୍କ ଆଗରେ ଗୋଟେ ଛୋଟଲୋକିଆ ପିଲା ଭଳି ବିଲୁଆର ଲିଙ୍ଗ କାହିଁକି ପଚାରୁଥିଲ, ତାଙ୍କ ସହିତ ଆସିଥିଵା “ଚିତ୍ରୋତ୍ତୋଳକ” ତୁମେ ଗଲାପରେ କହୁଥିଲେ କୋଉଠିକାର ମଫୁ ପିଲାଟା କେଜାଣି ଭଦ୍ରାମୀ ଶିଖିନି...!”

ସବୁ ଶବ୍ଦର ସ୍ତ୍ରୀଵାଚକ ଵା ପୁଂଵାଚକ ଶବ୍ଦ ନଥାଏ । କେତେକ ଶବ୍ଦ କେଵଳ ପୁଂଵାଚକ, କେତେକ ଶବ୍ଦ କେଵଳ ସ୍ତ୍ରୀଵାଚକ , କେତେକ ଶବ୍ଦ ବହୁଲିଙ୍ଗଵାଚକ ଏଵଂ ଅନେକ ଶବ୍ଦ କ୍ଳୀଵଲିଙ୍ଗଵାଚକ ହୋଇଥାଏ । ଇଂରାଜୀ ଭାଷାରେ Gendered ଓ Gender-neutral ଏହିପରି ଦୁଇପ୍ରକାରର ଶବ୍ଦ ରହିଛି । ଯଥା Policeman ଏକ Gendered ଶବ୍ଦ କିନ୍ତୁ
Police officer ଶବ୍ଦଟି ଗୋଟିଏ Gender-neutral ଶବ୍ଦ ଅଟେ ‌। 


କିନ୍ତୁ ବିଲୁଆ Gender-neutral ଶବ୍ଦ ନୁହେଁ ଵରଂ ଏହାର ଏକ ସ୍ତ୍ରୀଵାଚକ ଶବ୍ଦ ଆମ ଭାଷାରେ ଅଛି ଏଵଂ ତାହା ପ୍ରାଚୀନ ସାହିତ୍ୟରେ ସୁଦ୍ଧା ଵ୍ୟଵହୃତ ହୋଇଅଛି ବୋଲି ଅନେକ ଓଡ଼ିଆ ହୁଏତ ଜାଣିନଥିବେ । 

ବିଲୁଆ ଶବ୍ଦର ସେହି ସ୍ତ୍ରୀଵାଚକ ଓଡ଼ିଆ ଶବ୍ଦଟି ବିଲୁଆଣୀ ଅଟେ ଏଵଂ ଏହା ଗଞ୍ଜାମ ଭୂମିର କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତର ଶାନ୍ତିପର୍ଵରେ ପ୍ରୟୋଗ କରିଯାଇଛନ୍ତି । 

“ବିଲୁଆ ବିଲୁଆଣୀ ତାକୁ ଖାଇ ସାରି,
ବରଷା ଶେଷ ଦେଖି ଦରିରୁ ବାହାରି।”
 (କୃଷ୍ଣସିଂହ. ମହାଭାରତ ଶାନ୍ତି)

ତେଣୁ ବିଲୁଆ ଶବ୍ଦର ମଧ୍ୟ ସ୍ତ୍ରୀଵାଚକ ରୂପ ବିଲୁଆଣୀ ଆମ ଭାଷାରେ ରହିଛି କିନ୍ତୁ 
ବିଲୁଆର ସ୍ତ୍ରୀଲିଙ୍ଗ କ'ଣ ଏହା ହଠାତ୍ ଅନେକ ଓଡ଼ିଆଙ୍କ ମୁଣ୍ଡକୁ ଢୁକେ ନାହିଁ । 

ପୂର୍ଵୋକ୍ତ ଚିତ୍ରୋତ୍ତୋଳକ ଦ୍ଵୟଙ୍କ ମୁଣ୍ଡକୁ ବି ବିଲୁଆ ଶବ୍ଦର ସ୍ତ୍ରୀଵାଚକ ରୂପ କ'ଣ ଏ ପ୍ରଶ୍ନର ଉତ୍ତର ଢୁକିନଥିଵ କିନ୍ତୁ ସେମାନେ ସ୍ଥାନ କାଳ ପାତ୍ର ଆଦିର ବାହାନା ଦେଇ ମୁଁ ପଚାରିଥିଵା ପ୍ରଶ୍ନର ଉଦ୍ଦେଶ୍ୟ ନବୁଝି ମୋହର ଗାଆଁ ,ମୋ ଜନ୍ମଭୂମି ତଥା ମୋତେ ନିନ୍ଦିଦେଲେ ! 

ସେ ଯାହାହେଉ ହାସ୍ୟ,ରୋଷ,ଆନନ୍ଦ,କୋଳାହଳ ଓ ଵିଷାଦ ଆଦି ଯେକୌଣସି ସ୍ଥିତିରେ ବି ଆମେ ଯାହା ବୋଲିଥାଆନ୍ତି ଵା କରୁଥାଆନ୍ତି ସେ ସମସ୍ତ କାର୍ଯ୍ୟ ମଧ୍ୟରେ ଵିଜ୍ଞାନ ଲୁଚି ରହିଥାଏ । ସଂସାରର କୌଣସି ଦ୍ରଵ୍ୟ ତଥା ତାହାର କ୍ରିୟା ଓ ପ୍ରତିକ୍ରିୟା କେବେ ବି ଵ୍ୟର୍ଥ ନୁହେଁ ! 




Monday, October 2, 2023

•ଶ୍ରୀକ୍ଷେତ୍ରର ନିଆରା ବଳିପୂଜା ଓ ନେତପିଲା ପରମ୍ପରା•

ଶ୍ରୀମନ୍ଦିର ସେଵକମାନଙ୍କର କୁମାରୀ ଝିଅମାନେ ବଳିପୂଜା ନାମକ ଏକ ଵ୍ରତ ପାଳନ କରନ୍ତି । ଜଗତ ମାତା ପାର୍ଵତୀ ମହାଦେଵଙ୍କୁ ସ୍ୱାମୀ ରୂପେ ପାଇଵାକୁ ଭୀଷଣ ତପସ୍ୟା କରିଥିଲେ । ଠିକ୍ ସେହିପରି ଶ୍ରୀକ୍ଷେତ୍ରରେ ସେଵାୟତ ମାନଙ୍କର କୁନି କୁନି କୁମାରୀ କନ୍ୟାମାନେ ସଦାଶିଵଙ୍କ ପରି ଭଲ ବର ପାଇଵାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର ଵ୍ରତ ପାଳନ କରିଥାନ୍ତି ।

 ସେଵାୟତଙ୍କ କନ୍ୟାମାନେ ଏହି ଅଵସରରେ ପାଟ ସହ ନାନା ପ୍ରକାରରେ ଆଭୂଷଣ ଓ ବେଶରେ ଦେଵୀଙ୍କ ଭଳି ସଜ୍ଜିତ ହୋଇ ଗୁରୁଜନଙ୍କ ସହ ଯାଇ ମାର୍କଣ୍ଡେୟଙ୍କୁ ପୂଜା କରନ୍ତି । ପ୍ରାୟ ୨୧ ଦିନ ପୂର୍ଵରୁ ବଳି ପୂଜନ କରିଵା ପରେ ତିନିଦିନ ଧରି ଵିଭିନ୍ନ ବେଶଭୂଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀଠାରେ ନେତପିଲାମାନେ ମାଆ ଵୃନ୍ଦାଵତୀଙ୍କ ପୂଜା କରି ବଳି ଗୀତ ଗାଇଥାନ୍ତି ।

ସେଵୟତ ପରିଵାର କନ୍ୟାମାନେ ମୁଖ୍ୟତଃ ବାପାମାଆଙ୍କ ଆୟୁଷ ବୃଦ୍ଧି ତଥା ଭଲ ବର ଵା ସ୍ୱାମୀ ପାଇଵା ଉଦ୍ଦେଶ୍ୟରେ ଏହି ପର୍ଵକୁ ପାଳନ କରିଥାନ୍ତି । 

ଏହି ଵ୍ରତ ପାଳନ ପାଇଁ କନ୍ୟାମାନଙ୍କର ଆଈ ଘରୁ ନୂଆ ପାଟ, ରୂପା ଫରୁଆ ସହ ମୁଣ୍ଡରେ ସିନ୍ଥି, ଅଳକା, ପାନପତର,ବେଣୀରେ ଝୁମ୍ପା, ହାତରେ ବଟଫଳ,ମୁଦି ଆଦି ବହୁମୂଲ୍ୟ ଅଳଙ୍କାର ଆସିଥାଏ । ପ୍ରୋକ୍ତ ଵସନ ଓ ଅଳଙ୍କାର ଧାରଣ କରି ସେଵାୟତ କନ୍ୟାମାନେ ବାଉଁଶିଆରେ ପାଣି କଖାରୁ,ମକା, ଗୁଆ, ଜହ୍ନି ଆଦି ସାତପ୍ରକାର ଫଳ ନେଇ ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀ କୂଳରେ ବଳି ଵା ହରପାର୍ଵତୀ ପୂଜା କରିଥାନ୍ତି ।

ମାର୍କଣ୍ଡ ପୁଷ୍କରିଣୀରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପାଖରେ ପୂଜା କରିବା ସହ ସେଠାରେ ବଳି ଗୀତ ଗାଇଥାନ୍ତି ।
ଉକ୍ତ ବଳିପୂଜା ଗୀତଟି ହେଲା :

“ବଳିରେ ବଳି, ନ କର କଳି
କାଲି ଆଣିଦେବି ସରୁ ଚକୁଳି
ସରୁ ଚକୁଳିର ଉପରେ ମହୁ
ଧୂପ ଖଟିଗଲେ ରାଜାଙ୍କ ଵୋହୂ
ରାଜାଙ୍କ ଵୋହୂ ଯେ ବିକନ୍ତି କୋଳି
ଈଶ୍ବର ମାଇଲେ ଦାଣ୍ଡର ଧୂଳି
ଦାଣ୍ଡର ଧୂଳି ଯେ ଦାଣ୍ଡକୁ ଯାଉ
ବାପା ଭାଇଙ୍କର ଆୟୁଷ ହେଉ ।”

କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ବଳିପୂଜାରେ ଭାଗ ନେଉଥିଵା ସେଵାୟତ କନ୍ୟାମାନଙ୍କୁ ନେତପିଲା କାହିଁକି କୁହାଯାଏ ?

ନେତ ଶବ୍ଦର ସାଧାରଣ ଅର୍ଥ ପତକା ଵା ପତାକା କିନ୍ତୁ କନ୍ୟାମାନଙ୍କର ଏକ ଧରଣର ଵସ୍ତ୍ରକୁ ମଧ୍ୟ ନେତ କୁହାଯାଏ ।‌ ପତାକା ଛଡ଼ା ଅଳ୍ପଵୟସ୍କା କନ୍ୟାମାନଙ୍କର ଵସ୍ତ୍ରକୁ ମଧ୍ୟ ସଂସ୍କୃତ ଭାଷାରେ ନେତ୍ର କୁହାଯାଏ । 

ଶିଶୁକନ୍ୟାମାନଙ୍କର ଵସ୍ତ୍ର ଅର୍ଥରେ ନେତ ଶବ୍ଦଟି ପ୍ରାଚୀନ ସାହିତ୍ୟରେ ମଧ୍ୟ ପ୍ରୟୋଗ କରାଯାଇଛି । ଯଥା : 

“କେ କାଛି ପିନ୍ଧିଅଛି ନେତ”(ଭୁପତି, ପ୍ରେମପଞ୍ଚାମୃତ।)

ତେଣୁ ଵଳିଵ୍ରତ କରୁଥିଵା କନ୍ୟାମାନଙ୍କୁ ଏହି କାରଣରୁ ନେତପିଲା କୁହାଯାଏ ‌। ହରପାର୍ଵତୀଙ୍କ ଵ୍ରତ ପାଳନ ସହିତ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିଵାର ଵିଧି ରହିଛି । ନେତପିଲାମାନେ ଏହି ଏକୋଇଶି ଦିନର ଶେଷ ଚାରିଦିନ ପାରମ୍ପରିକ ବେଶ ସହ ଵିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି । ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ଵ ପାଳନ ହେଉଥିଵା ବେଳେ ସେବାୟତମାନଙ୍କ ଘର ଉତ୍ସଵ ମୁଖର ହୋଇ ଉଠିଥାଏ ।

•••••••••••••••••••••••••••
✍️ଶିଶିର ସାହୁ ମନୋଜ,କନ୍ତିଓ ପୁଟସାହି, ଢେଙ୍କାନାଳ(ତଥ୍ୟ ଉତ୍ସ — ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଅନ୍ତର୍ଜାଲ)
•••••••••••••••••••••••••••

Friday, September 29, 2023

ଭାଗଵତ ଶବ୍ଦର ପ୍ରକୃତ ଅର୍ଥ କ'ଣ ?

ସବୁ ଵର୍ଷ ଭାଦ୍ରଵ ପୂର୍ଣ୍ଣିମା ତିଥିରେ ଶ୍ରୀମଦ୍ ଭାଗଵତ ଜନ୍ମ ଉପଲକ୍ଷେ କିଛି ଲୋକ
ଭାଗଵତର ଅର୍ଥ କରିଵାକୁ ଯାଇ ପ୍ରଚାର କରନ୍ତି...

ଭା : 'ଭା' ର ଅର୍ଥ "ଭାଵ"
ଗ : 'ଗ' ର ଅର୍ଥ " ଜ୍ଞାନ "
ବ: 'ବ' ର ଅର୍ଥ " ବ୍ରହ୍ମାଣ୍ଡ
ତ: 'ତ' ର ଅର୍ଥ " ତତ୍ତ୍ବ

କିନ୍ତୁ ଭଗଵାନ ଶିଵଙ୍କ ଦ୍ଵାରା ପ୍ରଦତ୍ତ ନିରୁକ୍ତଶାସ୍ତ୍ର ଜ୍ଞାନ ଅନୁସାରେ... 
"ଭଗଵତ୍+ଅଣ୍(ଅ) = ଭାଗଵତ"

କଥାଵାଚକମାନେ ଗୋଟିଏ ଶବ୍ଦର ଅନେକ ପ୍ରକାରେ ଭାଵଗତ ଵ୍ୟାଖ୍ୟା କରିଥାନ୍ତି । ଭାଗଵତ ଶବ୍ଦ କ୍ଷେତ୍ରରେ ମଧ୍ୟ ସେହି କାର୍ଯ୍ୟଟି କରିଛନ୍ତି । ଭାଵ ଶବ୍ଦରୁ ଭା,ଜ୍ଞାନ ଶବ୍ଦରୁ ଗ, ବ୍ରହ୍ମାଣ୍ଡ ଶବ୍ଦରୁ ବ ଏଵଂ ତତ୍ତ୍ଵ ଶବ୍ଦରୁ ତ କୁ ନେଇ ମନ ଇଚ୍ଛା ଭାଗଵତ ଶବ୍ଦର ଗୋଟିଏ ଵ୍ୟାଖ୍ୟା କରି ଦିଆଗଲା କିନ୍ତୁ ପ୍ରକୃତରେ କ'ଣ ଭା,ଗ,ଵ/ବ ,ତ ଆଦିର ଅର୍ଥ ଯଥାକ୍ରମେ ଭାଵ,ଜ୍ଞାନ, ବ୍ରହ୍ମାଣ୍ଡ ଓ ତତ୍ତ୍ଵ କି ?

ଭାଗଵତ ଗୋଟିଏ ସଂସ୍କୃତ ଶବ୍ଦ ତେଣୁ ସଂସ୍କୃତ ଭାଷାରେ ଭା,ଗ,ଵ/ବ,ତ ଶବ୍ଦଗୁଡି଼କର ଅର୍ଥ କ'ଣ ତାହା ଜାଣିଵାକୁ ହେଵ ...

ଭା :- 'ଭା' ଶବ୍ଦର ଅର୍ଥ ଭାଵ ବୋଲି କୌଣସି ଅଭିଧାନରେ ନାହିଁ ଵରଂ ଦିପ୍ତୀ,ପ୍ରଭା,କିରଣ ଓ ଶୋଭା ଉଲ୍ଲେଖ ଅଛି

ଗ:- ଗ ଶବ୍ଦର ଅର୍ଥ ଜ୍ଞାନ ନୁହେଁ । ଗ ଶବ୍ଦର ଅର୍ଥ ଗଣେଶ,ଗଗନ,ଗନ୍ଧର୍ଵ,ଗାନ,ସଂଗୀତ,ସୁମେରୁ,ସ୍ଵର୍ଗ,ଗୁରୁ ଓ ଗାୟକ ଅଟେ । 

ବ:- 'ବ' ଓ 'ଵ' ଶବ୍ଦର ଅର୍ଥ ବରୁଣ,ସିନ୍ଧୁ ଵା ସମୁଦ୍ର,ମାଠିଆ, ଅଧ୍ୟଵସାୟ,ଜଳ,ଵାୟୁ,ଯୋନୀ,ବନ୍ଧନ,ବଅ(ତନ୍ତର ସୂତ୍ର ନିର୍ମିତ ଯେଉଁ ପାନିଆ ମଧ୍ୟ ଦେଇ ଟାଣୀ ସୂତା ଯାଇଥାଏ) ଓ ବଖିଆ ସିଲେଇ ଵା ଢାଗା ଗଳା ଅଟେ । କୌଣସି ସଂସ୍କୃତ ଅଭିଧାନରେ 'ବ' ଶବ୍ଦର ଅର୍ଥ ବ୍ରହ୍ମାଣ୍ଡ ଲେଖା ହୋଇନାହିଁ । 

ସେହିପରି 'ତ' ଶବ୍ଦର ଅର୍ଥ ତତ୍ତ୍ୱ ତ ଆଦୌ ନୁହେଁ ଵରଂ 'ତ' ଶବ୍ଦକୁ ଚୋର,ଵୃକ୍ଷ,ଅମୃତ,ପୁଣ୍ୟ,କ୍ରୋଡ଼,ମ୍ଳେଚ୍ଛ,ପୁଚ୍ଛ,ଭ୍ରୂଣ,ଗର୍ଭ,ରତ୍ନ,ଶଠ ବ୍ଯକ୍ତି ଓ ତରଣ ଵା ପାରି ହେଵା ଆଦି ଅର୍ଥରେ ପ୍ରୟୋଗ କରାଯାଏ । 
ଭଗଵାନଙ୍କୁ ଭଗଵତ୍ କୁହାଯାଏ ଏଵଂ ଭଗଵାନଙ୍କ ସମ୍ବନ୍ଧୀୟ ଵ୍ୟକ୍ତି ଓ ଵସ୍ତୁକୁ ଭାଗଵତ କୁହାଯାଇଥାଏ । 

ଭଗଵାନଙ୍କ ଠାରେ ଭକ୍ତିଯୁକ୍ତ ଭକ୍ତ,ଧାର୍ମିକ,ଵିଷ୍ଣୁଭକ୍ତ,ଈଶ୍ୱରପ୍ରେମିକ,ଭାଗଵତମତାଵଲମ୍ବୀ ଦାର୍ଶନିକ ଏଵଂ ଭଗଵାନଙ୍କ (ଶ୍ରୀକୃଷ୍ଣଙ୍କ) ଲୀଳା, ମାହାତ୍ମ୍ୟ ଓ ଭକ୍ତି ସମ୍ବନ୍ଧରେ ଵ୍ୟାସଙ୍କଦ୍ୱାରା ପ୍ରଣୀତ ପ୍ରସିଦ୍ଧ ସଂସ୍କୃତ ପଦ୍ଯ ଗ୍ରନ୍ଥକୁ ଭାଗଵତ କୁହାଯାଇଥାଏ ।

ମୂଳ ସଂସ୍କୃତ ଶ୍ରୀମଦ୍ଭାଗଵଦ୍ ଗ୍ରନ୍ଥକୁ ଅଵଲମ୍ବନ କରି ପ୍ରାଚୀନ ଓ ଆଧୁନିକ ଓଡ଼ିଆ କଵିମାନେ ପଦ୍ଯରେ ଭାଗଵତ ରଚନା କରି ଅଛନ୍ତି। ତହିଁ ମଧ୍ୟରେ ଜଗନ୍ନାଥ ଦାସଙ୍କ ଭାଗଵତ ପ୍ରଧାନ। ହିନ୍ଦୁଙ୍କ ଧର୍ମଗ୍ରନ୍ଥମାନଙ୍କ ମଧ୍ୟରେ ଓଡ଼ିଆ ଭାଗଵତ ପ୍ରତି ଲୋକ ସାଧାରଣଙ୍କର ଖୁବ୍ ଆଦର ଦେଖାଯାଏ। ଆଗେ ପ୍ରତ୍ୟେକ ମଧ୍ୟବିତ୍ତ ଓଡ଼ିଆ ହିନ୍ଦୁ ଗୃହସ୍ଥ ଆପଣା ଘରେ ଗୋଟିଏ ଗାଦି କରି ସେଥିରେ ଭାଗଵତ ଗ୍ରନ୍ଥ ରଖି ତାକୁ ପୂଜା କରୁଥିଲେ ଏଵଂ ଉକ୍ତ ଗାଦିରେ ଅନ୍ଯ ଗ୍ରନ୍ଥମାନ ଥିଲେ ମଧ୍ୟ ତାହାକୁ 'ଭାଗବତ ଗାଦି' ବୋଲାଯାଉଥିଲା। ଆଜିକାଲି ମଧ୍ୟ ଅନେକଙ୍କ ଗୃହରେ ଭାଗଵତଗାଦି ରହିଛି । ପ୍ରତ୍ୟେକ ଵିଶିଷ୍ଟ ଓଡ଼ିଆ ଗ୍ରାମରେ ମଧ୍ୟ ଗୋଟିଏ ସାଧାରଣ ଗୃହରେ 'ଭାଗଵତ ଗାଦି' ରଖାଯାଇ ପୂଜା କରାଯାଏ। ସେ ଘରକୁ ଭାଗଵତ ଘର,ଭାଗଵତ ଟୁଙ୍ଗୀ ଓ ଭଗତଘର କୁହାଯାଏ । ନବେ ଦଶକ ପୂର୍ଵୁରୁ ଓଡ଼ିଶାର ଗ୍ରାମାଞ୍ଚଳରେ 'ଭାଗଵତ ଘର' ପ୍ରତି ଵିଶେଷ ଆଦର ଥିଲା । ସେଠାରେ ସନ୍ଧ୍ୟାବେଳେ କୀର୍ତ୍ତନ ଭଜନାଦି ଗାୟନ ସହିତ ଭାଗଵତ ବୋଲାଯାଉଥିଲା ଏଵଂ ଗ୍ରାମର ଲୋକେ, ଵିଶେଷ କରି ବୁଢ଼ାମାନେ, ଭାଗଵତ ଶୁଣିଵାକୁ ସେଠାରେ ରୁଣ୍ଡ ହେଉଥିଲେ । ଆଜିକାଲି ଗ୍ରାମାଞ୍ଚଳରେ କେତେକ ଭାଗଵତଘର ମଦ୍ୟପ ଯୁଆଡ଼ି ଯୁଵକମାନଙ୍କ ଚରାଭୂମି ପାଲଟିଲାଣି । କିଛି ଗ୍ରାମର ଭାଗଵତଘରେ ଟିଵି ଲଗାଇ କ୍ରିକେଟ୍ ଖେଳ ତଥା ଓଡ଼ିଆ ହିନ୍ଦୀ କାର୍ଯ୍ୟକ୍ରମ ଦେଖାଯାଉଛି । ଆଉ ଭାଗଵତ ଘର ଆଦୌ ଭାଗଵତ ଘର ହୋଇ ରହି ନାହିଁ । ଭାଗଵତ ନିୟମିତ ଛାଡ଼ନ୍ତୁ ସାପ୍ତାହିକ କି ମାସିକ ପାଠ କରାଯାଉନାହିଁ । ତେବେ ଓଡ଼ିଶାରେ ଅନେକ ଗ୍ରାମରେ ଆଜି ବି ଏମିତି ବହୁତ ଭାଗଵତ ଘର ରହିଛି ଯେଉଁଠାରେ ଭାଗଵତ ଗାଦିରେ ଥିଵା ଭାଗବତ ଗ୍ରନ୍ଥକୁ ଦେବତା ଜ୍ଞାନରେ 'ଭାଗବତ ଗୋସାଇଁ' ବୋଲାଯାଉଛି ।

ଯୁଗ ଥିଲା ଗ୍ରାମରେ ମାରୀଭୟ ଆଦି ଉପସ୍ଥିତ ହେଲେ ଲୋକେ 'ସପ୍ତାହ ଭାଗଵତ' ବସାଉଥିଲେ, ଅର୍ଥାତ୍ ଅହୋରାତ୍ର ସାତ ଦିନ ପାଳି କରି ଭାଗଵତ ବୋଲୁଥିଲେ ଏଵଂ ଶେଷ ଦିନ 'ଭାଗଵତ ଗୋସାଇଁ'ଙ୍କୁ ନାନା ପ୍ରକାର ସାମଗ୍ରୀ ମହା ସମାରୋହରେ ଭୋଗ ଲଗାଇ ଲୋକସାଧାରଣଙ୍କୁ ବାଣ୍ଟି ଦେଉଥିଲେ । ଭାଗଵତ ଗ୍ରନ୍ଥ ପାଠର ସମାପ୍ତିକୁ ଭାଗଵତ ବଢ଼ା ବୋଲାଯାଉଥିଲା । ଚୈତ୍ର ପୂର୍ଣ୍ଣିମୀ ରାତ୍ରିରେ ନାନା ସ୍ଥାନରୁ ଭାଗଵତ ଗାଦିମାନ ଵିମାନମାନଙ୍କରେ ଅଣା ଯାଇ ସ୍ଥାନେ ସ୍ଥାନେ ଭାଗଵତ ମେଳନ ଉତ୍ସଵ କରାଯାଉଥିଲା । 

ଆଜି ମୋବାଇଲ ଯୁଗରେ ସାମାଜିକ ଗଣମାଧ୍ୟମରେ ଭୁଲ୍ ତଥ୍ୟ ପ୍ରେରଣ ସହ ଭାଗଵତ୍ ଜନ୍ମର ଶୁଭେଚ୍ଛା ଓ ଶୁଭକାମନା ତ ଅନେକେ ଦେଉଛନ୍ତି କିନ୍ତୁ ଭାଗଵତ ଘରେ ଆଉ ଆଗ ଭଳି ଭାଗଵତ ପଢ଼ା ଯାଉନାହିଁ କି ଭାଗଵତ ପାଇଁ ପୂର୍ଵ ଭଳି ଆଗ୍ରହ ନାହିଁ ।‌ 


Thursday, September 28, 2023

ଆସା ଓ ଆଶା ଶବ୍ଦ ମଧ୍ୟରେ ପାର୍ଥକ୍ୟ କ'ଣ ?

“ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,
ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।”

ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି ‘ଆଶାରେ’ ଓ ‘ଆସାରେ’ ଶବ୍ଦ ଵ୍ଯଵହାର କରିଅଛନ୍ତି ।

ତାହେଲେ କ’ଣ ଆମ ଭାଷାରେ ଦୁଇଗୋଟି ଆଶା ଓ ଆସା ଶବ୍ଦ ରହିଛି ଏଵଂ ପ୍ରୟୋଗ ଦୃଷ୍ଟିରୁ ଏ ଉଭୟ ଶବ୍ଦର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ହୋଇଥିଵା ସମ୍ଭଵ ?

ହଁ ପ୍ରକୃତରେ ଆମ ଭାଷାରେ ଦୁଇଗୋଟି ‘ଆଶା’ ଓ ‘ଆସା’ ଶବ୍ଦ ରହିଛି ତେବେ “ଆସା” ଶବ୍ଦଟିର ଵ୍ଯଵହାର ସେତେ ଦେଖାଯାଏ ନାହିଁ ଏଵଂ ଏହା ଵୈଦିକ ସଂସ୍କୃତ ତଥା ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଦୃଷ୍ଟିଗୋଚର ହୋଇଥାଏ । ଆସା ଶବ୍ଦର ସେତେ ଵ୍ଯଵହାର ନଥିଵାରୁ ଏ ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦିଆଯାଇନାହିଁ ।

ତେବେ ଉଭୟ ‘ଆଶା’ ଓ ‘ଆସା’ ଶବ୍ଦ କେଉଁ କେଉଁ ଅର୍ଥରେ ଵ୍ଯଵହାର ହୋଇଥାଏ ?

‘ଆଶା’ ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଅଛି…
୧. ବାଞ୍ଚା ଵା ଇଚ୍ଛା
୨. ଦୀର୍ଘତୃଷ୍ଣା
୩. ଦିଗ
୪. ଭରସା
୫. ଦକ୍ଷ ପ୍ରଜାପତିଙ୍କ ଏକ କନ୍ୟାର ନାମ
୬. କନ୍ଯାମାନଙ୍କୁ ଦିଆଯିଵା ନାମ

ସେହିପରି ‘ଆସା’ ଶବ୍ଦର ନିମ୍ନ ଅର୍ଥ ସବୁ ରହିଛି…
୧. ନିମିଷକେ
୨. ମୁଖର ଶବ୍ଦ
୩. ଵ୍ଯକ୍ତିଗତ ଭାବେ
୪. ଆଖପାଖରେ
୫. ପାଖରେ
୬. ନିକଟତା
୭. ନିକଟ
୮. ଉପସ୍ଥିତି
୯. ଆଶାବାଡୀ
୧୦. ସୁନା ରୂପା ଆଦି ଧାତୁରେ ତିଆରି ମୋଟ ଦଣ୍ଡ ଯାହା କେଵଳ ସାଜସଜ୍ଜା ହେତୁ ରାଜାମହାରାଜା ତଥା ଶୋଭାଯାତ୍ରାର ଆଗରେ ଚୋପ୍ଦାରମାନେ ଧରି ଚାଲୁଥିଲେ ।

ତାହେଲେ କଵି କ’ଣ ‘ଆଶା’ ଓ ‘ଆସା’ ଏ ଉଭୟ ଶବ୍ଦର ଏଠାରେ ଵ୍ଯଵହାର କରିଅଛନ୍ତି କି ? ଯଦି କରିଛନ୍ତି ତାହେଲେ ଏଠାରେ କେଉଁ ଅର୍ଥରେ କରିଅଛନ୍ତି ?

ପ୍ରକୃତରେ କଵି “ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,” ପଦରେ ଆଶା ଶବ୍ଦକୁ ଦିଗ ଅର୍ଥରେ ଵ୍ଯଵହାର କରିଛନ୍ତି, କିନ୍ତୁ “ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ” – ଏହି ପଦରେ ଵୈଦିକ ଆସା ଶବ୍ଦର ଵ୍ଯଵହାର କରିନାହାନ୍ତି ।

ଏଠାରେ ତତ୍ସମ ‘ଆସା’ର ଶବ୍ଦରେ ଓଡ଼ିଆ ଏ ପରପ୍ରତ୍ଯୟ ଯୁକ୍ତ କରି କଵି ଆସାରେ ଶବ୍ଦଟି ପ୍ରୟୋଗ କରିଅଛନ୍ତି ।

ତତ୍ସମ ଆସାର ଶବ୍ଦର ନିମ୍ନଲିଖିତ ଅର୍ଥରେ ପ୍ରୟୋଗ ରହିଛି
୧. ଅସାରା/ଅସରା
୨. ମୁଷଳଧାରାରେ ଵୃଷ୍ଟିପାତ
୩. ଜଳଧାରା ପତନ
୪. କୌଣସି ପଦାର୍ଥର ଧାରା
୫. ଶତ୍ରୁ ସୈନ୍ଯ ବେଷ୍ଟନ
୬. ଵିସ୍ତାର ଵା ପ୍ରସାରଣ
୭. ଜଳକଣା
୮. ବନ୍ଧୁବଳ; ମିତ୍ର ସେନା
୯. ପ୍ରଵେଶ

ଅର୍ଥାତ୍ କଵି ଏଠାରେ କହୁଛନ୍ତି—
ଉଠି
ଯେହ୍ନେ = ଯେଉଁଠି
ଜଳଧର=ମେଘ
ପଶ୍ଚିମ-ଆଶାରେ = ପଶ୍ଚିମଦିଗରେ
ଅସ୍ତାଚଳ = ପଶ୍ଚିମାଚଳ; ଯେଉଁ ପର୍ଵତରେ ସୂର୍ଯ୍ୟ ଅସ୍ତ ଯାଆନ୍ତି
ପ୍ଳାଵିଦିଅନ୍ତି = ବୁଡା଼ଇ ଦିଅନ୍ତି ଵା ଢାଳି ଦିଅନ୍ତି
ଅଜସ୍ର ଆସାରେ = ଅଜସ୍ର ଜଳଧାରାରେ

ମଜାକଥା ହେଲା ବହୁତ ଲୋକ ହଠାତ ଏହି ପଦଟି ପଢ଼ି ଭାବନ୍ତି କଵି ଏଠାରେ ଦୁଇଗୋଟି ‘ଆଶା’ ଓ ‘ଆସା’ ଶବ୍ଦ ଵ୍ଯଵହାର କରିଅଛନ୍ତି, କିନ୍ତୁ ପ୍ରକୃତରେ କଵି ଏଠି ‘ଆଶାରେ’ ଶବ୍ଦକୁ ‘ଦିଗରେ’ ଅର୍ଥରେ ଏଵଂ ‘ଆସାରେ’ ଶବ୍ଦକୁ ‘ଜଳଧାରାରେ’ ଅର୍ଥରେ ଵ୍ଯଵହାର କରିଥିଵା ଆସାର ଶବ୍ଦକୁ ଓ ତାହାର ଅର୍ଥକୁ ଜାଣିଥିଵା ଵ୍ଯକ୍ତି ହିଁ ଠିକ୍ ଭାବେ ଠଉରେଇ ପାରିଥାଆନ୍ତି ।

Tuesday, September 26, 2023

ସମ୍ବୁଧ୍ୟତେରୁ ସମଜିଵା ଓ समझना ଯାଏଁ

ହିନ୍ଦୀରେ ଆଜିକାଲି समझना କ୍ରିୟାଟି ବହୁଳ ଭାବରେ ଵ୍ୟଵହୃତ ହେଉଅଛି କିନ୍ତୁ ଏକଦା ଓଡ଼ିଆ ଭାଷାରେ ମଧ୍ୟ ବୁଝିଵା ଭଳି ସମଜା,ସମୁଜି,ସମୁଜିଵା ,ସମଝିଵା,ସମୁଜାଇଵା ଓ ସମୁଝାଇଵା ଆଦି କ୍ରିୟାଶବ୍ଦ ଵ୍ୟଵହୃତ ହେଉଥିଲା । ଓଡ଼ିଆ ଭାଷାର ପ୍ରାଚୀନ ସାହିତ୍ୟରେ ଏ କ୍ରିୟାଶବ୍ଦଗୁଡ଼ିକର ବହୁଳ ଵ୍ୟଵହାର ହୋଇଅଛି । 

ପାଞ୍ଚଶହ ଵର୍ଷ ତଳର ଗଞ୍ଜାମର କଵି କୃଷ୍ଣସିଂହଙ୍କ କୃଷ୍ଣ ମହାଭାରତରେ ନିମ୍ନୋକ୍ତ ପଦଟି ଗୋଟିଏ ବଡ଼ ଉଦାହରଣ

“ତପଵ୍ରତେ ସେଵି ତାହାଙ୍କୁ ସମଝାଅ।” 

ସେହିପରି ଵିକ୍ରମ ରାମାୟଣରେ ସମଜାଇ ଶବ୍ଦଟି ପ୍ରୟୋଗ କରାଯାଇଛି...

“ମୁହିଁ ଜ୍ଞାନହୀନ କିଛି ବୁଝି ପାରୁ ନାହିଁ,
ତୁମ୍ଭେ କ୍ରୋଧୀ ନୋହି କହ ମୋତେ ସମଜାଇ।” 

କଵିସୂର୍ଯ୍ୟ ବଳଦେବ ରଥ ତାଙ୍କର କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଅନ୍ତର୍ଗତ ଘ ଚମ୍ପୂରେ ମଧ୍ୟ ସମଜାଇ ଶବ୍ଦ ପ୍ରୟୋଗ କରାଯାଇଛନ୍ତି

“ଘେନି ଘେନାଇ ଯାଇ କହିଵ ସମଜାଇ
ଘଟିଲେ ଆମ୍ଭେ ଏକ ଜୀଇଲୁ ରେ
ଘଟନା ଵିରହରେ ଅଵଶ୍ୟ ତ ଜହରେ
ତୋ ଘେନି ଆତ୍ମଘାତି ହୋଇଲୁରେ ॥”

ଭୀମଭୋଇ ମଧ୍ୟ ଦ୍ଵିପଞ୍ଚାଶତ ବୋଲିରେ ସମୁଜାଇ ଶବ୍ଦ ଵ୍ୟଵହାର କରିଛନ୍ତି

“ମନ ବୁଦ୍ଧି ବିଚାରରେ ଚେତା ଘରେ ଦେଉଛନ୍ତି ସମୁଜାଇ, ନାଗ ସର୍ପ ପରି ଉଠି ପ୍ରାଣୀମାନେ ଗର୍ବେ ପାରୁଛନ୍ତି କହି ।”

ତେବେ ଆଧୁନିକ ଯୁଗର ଓଡ଼ିଆ ଯୁଵକ ଯୁଵତୀମାନେ ପ୍ରାଚୀନ ଓଡ଼ିଆ ସାହିତ୍ୟ ସହିତ ସେତେଟା ପରିଚିତ ନଥିଵାରୁ କୌଣସି ପୁରାତନ ସାହିତ୍ୟର ପଦରେ ଏ ଶବ୍ଦକୁ ଦେଖି ଏହାକୁ ହିନ୍ଦୀ ହନୁକରଣ ମନେ କରିପାରନ୍ତି । 

କିନ୍ତୁ ସମଝିଵା,ସମଜିଵା,ସମୁଜିଵା ଓ ସମୁଜାଇଵା ଆଦି କ୍ରିୟାଶବ୍ଦଗୁଡ଼ିକ ପ୍ରାଚୀନ ଓଡ଼ିଆ ଭାଷାର ନିଜସ୍ଵ । ତେବେ ଏ କ୍ରିୟାଶବ୍ଦଟି ଵୈଦେଶିକ ନୁହେଁ ଭାରତୀୟ ମୂଳର କ୍ରିୟାଶବ୍ଦ ଅଟେ । 

ସଂସ୍କୃତ ଭାଷାରେ ସମ୍ବୁଧ୍ୟତେ(saṁbudhyatē) ଶବ୍ଦ ଥିଲା,
ପାଲି ଭାଷାରେ ସମବୁଝତି(sambujjhati) ଶବ୍ଦଟି ବୁଝିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା । ପ୍ରାକୃତ ଭାଷାରେ ସଂବୁଜ୍ଝୈ̈(saṁbujjhaï) ମଧ୍ୟ ଚଳୁଥିଲା । ଏହି ଶବ୍ଦଗୁଡି଼କରୁ ଗୋଟିଏ ପଟେ ଓଡ଼ିଆ ଭାଷାରେ ସମଜିଵା,ସମୁଜିଵା,ସମଝିଵା,ସମୁଝାଇଵା ଓ ଭଳି କ୍ରିୟାଶବ୍ଦ ସୃଷ୍ଟି ହୋଇଥିଲା ବେଳେ ଅନ୍ୟ ଏକ ଦିଗରେ ବୁଧ୍ୟତେ ଵା ବୁଧ୍ ଧାତୁ ସହିତ ସମୋଦ୍ଧୃତ ବୁଝିଵା ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି । 

ଓଡ଼ିଆ ତଥା ହିନ୍ଦୀ ଭଳି ଭାରତର ଵିଭିନ୍ନ ଇଣ୍ଡିକ୍ ଭାଷାରେ ଏହି ଶବ୍ଦଟି ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ । ଉଦାହରଣ ସ୍ୱରୂପ 
ସିନ୍ଧୀ ଭାଷାରେ ସମୁଝାଣୁ(samujhaṇu), ପଞ୍ଜାବୀରେ ସମଝାଣା(samajhṇā),ପଞ୍ଜାବୀର ଲୁଧିଆନୀ ଶୈଳୀରେ ସମଜ୍ଝାଣା(samjhᵃnā),କଶ୍ମୀରୀରେ ସମଜନୁ(samajṇo),ନେପାଳୀରେ ସମଝାନୁ(samjhanu), ପୁରୁଣା ବଙ୍ଗାଳୀରେ ସମୁଝେ(samujhe), ବଙ୍ଗାଳୀରେ samjā, ଅହମିଆରେ ସମଜ଼ିଵା(samaziba), ଓଡ଼ିଆ ଭାଷାରେ ସମୁଜିଵା-ସମୁଝିଵା(samuj(h)ibā) ତଥା ସମଜିଵା-ସମଝିଵା(samaj(h)ibā), ମୈଥିଳୀରେ ସମୁଝାବ(samujhab), ଭୋଜପୁରୀରେ ସମୁଝାଲ(samujhal), ପୁରୁଣା ଅଵଧିରେ ସମୁଝାଇ(samujhaï),ହିନ୍ଦୀରେ ସମୁଝନା(samujhnā) ଓ ସମଝନା(samajhnā),ପୁରୁଣା ମାରୱାରୀରେ ସମଝାଇ(samajhaï), ଗୁଜରାଟୀରେ ସମଜାଵୁ(samajvũ),ସମଜଣେ(samaj̈ṇẽ), କୋଙ୍କଣୀରେ ସମଜତା(samjatā),
ଓ ପଶ୍ଚିମ ପାହାରୀ ଭାଷାରେ ସମ୍‌ଝାଣୁ(sɔ́mj̈həṇõ) ଓ ସମଝାଣୁ(sɔ́məj̈hṇõ) ଆଦି ଶବ୍ଦ ଗୋଟିଏ ମୂଳ ଇଣ୍ଡିକ୍ ଶବ୍ଦରୁ ସୃଷ୍ଟି ହୋଇଅଛି । 
ସଂସ୍କୃତ ଭାଷାର ସମ୍ବୁଧ୍ୟତେ , ପ୍ରାକୃତ ଭାଷାର 
ସମ୍ବୁଜ୍ଝୈ̈(saṁbujjhaï) ଓ ପାଲି ଭାଷାର ସମବୁଝତି(sambujjhati) ଇତ୍ୟାଦି ଶବ୍ଦଗୁଡି଼କରେ ଦୁଇଗୋଟି ଶବ୍ଦ ରହିଛି : ସମ୍ ଉପସର୍ଗ ଓ ବୁଧ୍,ବଜ୍ଝ୍ ଓ ବୁଝ୍ ଧାତୁ ।  

ଏହି ସମ୍ ଧାତୁ ଓ ବୁଧ୍,ବଜ୍ଝ୍ ଓ ବୁଝ୍ ଧାତୁ ଇତ୍ୟାଦି ଧାତୁ ଶବ୍ଦ ଯେମିତି ଭାରତର ଵିଭିନ୍ନ ଭାଷାରେ ଵ୍ୟାପିକରି ଵ୍ୟଵହାର ହେଉଅଛି ଠିକ୍ ସେହିପରି ୟୁରୋପୀୟମାନଙ୍କର ଵିଭିନ୍ନ ଭାରୋପୀୟ ଭାଷାରେ ମଧ୍ୟ ଏହି ଦୁଇଟି ଶବ୍ଦ ସହିତ ସମୋଦ୍ଧୃତ ଅନେକ ସଗୋତ୍ରୀୟ ଶବ୍ଦ ଚଳୁଅଛି ଵା ଚଳୁଥିଲା । 

ଉଦାହରଣ ସ୍ୱରୂପ ଆମ ଭାରତରେ ଯେମିତି ସମ୍ ଉପସର୍ଗ ଅଛି ଠିକ୍ ସେହିପରି ପ୍ରାଚୀନ ଗ୍ରୀକ୍ ଭାଷାରେ σύν (sún), ξύν (xún) ଓ σούν (soún) ଉପସର୍ଗ ଥିଲା ତଥା ଆଧୁନିକ ଯୁଗରେ ଏହି ଉପସର୍ଗ συν (syn) ରୂପେ ଗ୍ରୀକ୍ ଵ୍ୟତୀତ ଡଚ୍, ଇଂରାଜୀ, ଫ୍ରେଞ୍ଜ୍ ଓ ଜର୍ମାନ୍ ଆଦି ଭାଷାରେ ବି ଵ୍ୟଵହୃତ ହେଉଅଛି । ପାର୍ସୀର هم‎ (ham), ଆର୍ମେନୀୟ ଭାଷାର համ- (ham-),ଲାଟଵୀୟ ଭାଷାର suo ଓ ଲିଥୁଆନିଆର sam ଆଦି ଶବ୍ଦଗୁଡି଼କ ମଧ୍ୟ ଭାରତୀୟ ସମ୍ ଉପସର୍ଗର ସଗୋତ୍ରୀୟ ଅଟନ୍ତି । ଏମନ୍ତକି ସମାନ ଅର୍ଥଜ ଇଂରାଜୀ ଶବ୍ଦ Same ମଧ୍ୟ ଆମ୍ ସମ୍ ଉପସର୍ଗ ସହିତ ସଗୋତ୍ରୀୟ ଅଟଇ । 

ବୁଧ୍,ବୁଧ୍ୟତେ,ବୁଝ୍ ଓ ବୁଜ୍ଝ୍ ଆଦି ସଂସ୍କୃତ,ପାଲି ଓ ପ୍ରାକୃତ ମୂଳର ଶବ୍ଦଗୁଡି଼କ ସହିତ ଅନେକ ସଗୋତ୍ରୀୟ ୟୁରୋପୀୟ ଶବ୍ଦ ଏବେ ବି ଚଳୁଅଛି । ବୁଧ୍ ଓ ବୁଝ୍ ଆଦି ଭାରତୀୟ ଧାତୁ ଶବ୍ଦଗୁଡି଼କର ମୂଳ ଭାରୋପୀୟ ଶବ୍ଦରୂପ *bʰewdʰ- (“to wake, rise up”) ନିର୍ଣ୍ଣୟ କରାଯାଇଛି ।
ପ୍ରାକ୍ କେଲ୍ଟିକ୍ *bundeti ଶବ୍ଦ ଏହି ମୂଳରୁ ସୃଷ୍ଟି ହୋଇ ଘୋଷିତ ହେଵା ଅର୍ଥରେ ପ୍ରୟୋଗ କରାଯାଉଥିଲା ଏଵଂ ପରେ ଏହି ଶବ୍ଦରୁ Welsh ଭାଷାରେ rhybudd ତଥା Irish ଭାଷାରେ rabhadh ଶବ୍ଦଦ୍ଵୟ 
ଯଥାକ୍ରମେ :ଵିଜ୍ଞପ୍ତି,ଵିଜ୍ଞାପନ,ଚେତାବନୀ,ନୋଟିସ୍ ଓ ଉପଦେଶ ତଥା ଚେତାଵନୀ ଓ ସତର୍କଵାଣୀ ଅର୍ଥରେ ପ୍ରୟୋଗ କରାଯାଉଛି । 
ପ୍ରାଚୀନ ଗ୍ରୀକ୍ ସାହିତ୍ୟରେ ବୋଧ କରିଵା ଅର୍ଥରେ ଵ୍ୟଵହୃତ ହୋଇଥିଵା πῠνθάνομαι • (punthánomai) ଓ ଜାଣିଵାକୁ ପଚାରିଵା ଅର୍ଥରେ ପ୍ରୟୋଗ କରାଯାଉଥିଵା
πῠ́στῐς (pústis) ଶବ୍ଦଦ୍ଵୟର ମଧ୍ୟ ଆମ ଭାରତୀୟ ବୁଧ୍ ଓ ବୁଝ୍ ଧାତୁ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । ଲାଟଵୀୟ bust ଓ ଲିଥୁଆନିଆର bùsti ଶବ୍ଦ ଜାଗ୍ରତ ହେଵା ଅର୍ଥରେ ପ୍ରୟୋଗ କରାଯାଏ ।‌
ଋଷି ଭାଷାରେ бдеть (bdetʹ) ବୋଲି ଏକ ଶବ୍ଦ ଚେଇଁ ରହିଵା,ଦୃଷ୍ଟି ରଖିଵା ଅର୍ଥରେ ପ୍ରୟୋଗ କରାଯାଏ । ଏହି ଶବ୍ଦଗୁଡି଼କର ମଧ୍ୟ ଆମ ବୁଧ୍ ଓ ବୁଝ୍ ଧାତୁ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । 

ମୋଟାମୋଟି ଭାବରେ କହିଵାକୁ ଗଲେ ଭାରତରେ ଯେମିତି ଗୋଟିଏ ପ୍ରାକ୍ ଇଣ୍ଟିକ୍ ମୂଳ ଶବ୍ଦ *budʰyátayରୁ ବୁଧ୍,ବୁଧ୍ୟତେ,ବୁଝିଵା,ସମ୍ବୁଧ୍ୟତେ, ସମ୍ବୁଝତି,ସଂବୁଜ୍ଝୈ̈,ସମଜିଵା ଓ समझना ଭଳି ଶବ୍ଦ ସୃଷ୍ଟି ହୋଇଛି ଠିକ୍ ସେହିପରି ଆଲୋଚିତ ସମସ୍ତ ଭାରୋପୀୟ ଶବ୍ଦଗୁଡି଼କ ଏକ ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *bʰewdʰ-ରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଦମାନେ ନିର୍ଣ୍ଣୟ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଆଧୁନିକ ଶବ୍ଦ ଵ୍ୟୁତ୍ପତ୍ତି ପ୍ରଣାଳୀଟି ଆମ ଭାରତର ପ୍ରାଚୀନ ନିରୁକ୍ତ ଶାସ୍ତ୍ରର ଅନୁକରଣରେ ହିଁ ଆଧୁନିକ ଭାଷାଵିଦମାନେ ଗଢ଼ିଛନ୍ତି । ଏହା ଆମ ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଗର୍ଵ ଓ ଗୌରଵର ଵିଷୟ । 
(ଶିଶିର ସାହୁ ମନୋଜ)











Saturday, September 23, 2023

କ'ଣ ପ୍ରାଚୀନ ଭାରତୀୟମାନେ ପୃଥିଵୀର Core ଓ Tectonic Plate ଵିଷୟରେ ଜାଣିଥିଲେ ?

ଆଜକୁ ପାଞ୍ଚଶହ ଵର୍ଷ ତଳେ ଜ୍ଞାନରାଜ ନାମକ ଜଣେ ଭାରତୀୟ ଗଵେଷକ ସିଦ୍ଧାନ୍ତସୁନ୍ଦର ନାମରେ ଏକ ଗ୍ରନ୍ଥ ରଚନା କରିଥିଲେ । ସେଥିରେ ସେ ଏକ ଅକୂପାର ଵା କଚ୍ଛପ ଉପରେ ଅଷ୍ଟଦିଗ୍ଜଜ ଵା ଆଠଗୋଟି ହସ୍ତି ନିଜ ପତ୍ନୀଙ୍କ ସହିତ ପୃଥିଵୀକୁ ଧାରଣ କରିଥିଵା କଥା ଉଲ୍ଲେଖ କରିଛନ୍ତି । ସେହି ଅଷ୍ଟଦିଗ୍ଜଜ ହସ୍ତି ଓ ତାଙ୍କ ପତ୍ନୀମାନେ ହେଲେ :
 
ପୂର୍ଵରେ —ଐରାଵତ ଓ ଅଭ୍ରମୁ 
ଦକ୍ଷିଣ ପୂର୍ଵରେ— ପୁଣ୍ଡରୀକ ଓ କପିଳା
ଦକ୍ଷିଣରେ— ଵାମନ ଓ ପିଙ୍ଗଳା
ଦକ୍ଷିଣ ପଶ୍ଚିମରେ—କୁମୁଦ ଓ ଅନୁପମା 
ପଶ୍ଚିମରେ—ଅଞ୍ଜନ ଓ ତାମ୍ରକର୍ଣ୍ଣୀ
ଉତ୍ତର ପଶ୍ଚିମରେ—ପୁଷ୍ପଦନ୍ତ ଓ ଶୁଭ୍ରଦନ୍ତୀ 
ଉତ୍ତରରେ—ସର୍ଵଭୌମ ଓ ଅଙ୍ଗନା 
ଉତ୍ତର ପୂର୍ଵରେ—ସୁପ୍ରତୀକ ଓ ଅଞ୍ଜନାଵତୀ

ସେହିପରି ଅଷ୍ଟକୁଳାଚଳ ଵିଷୟରେ ବି ଭାରତୀୟ ଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ଅଛି । ଅଷ୍ଟକୁଳର ଅର୍ଥ ଅଷ୍ଟଦିଗ ଓ କୋଣ ତଥା ଅଚଳ ଶବ୍ଦର ଅର୍ଥ ପର୍ଵତ । ଭାରତୀୟ ଶାସ୍ତ୍ର ମତରେ ଯେଉଁ ଆଠଗୋଟି ପର୍ଵତ ପୃଥଵୀକୁ ଆଠ ଦିଗରେ ସମ୍ଭାଳି ଧରିଛନ୍ତି ସେହି ପର୍ଵତଗୁଡ଼ିକୁ ଅଷ୍ଟକୁଳାଚଳ କୁହାଯାଏ । ଏହି ଅଷ୍ଟକୁଳାଚଳ ହେଲେ ମହେନ୍ଦ୍ର,ମଳୟ,ସହ୍ୟ,ଶୁକ୍ତିମାନ୍,ଋକ୍ଷ, ବିନ୍ଧ୍ୟ,ପାରିପାତ୍ର ଓ ହିମାଳୟ । 

ପୁଣି ପୃଥିଵୀକୁ ଆଠ ଦିଗରେ ଧରି ରଖିଥିଵା ଆଠଗୋଟି ନାଗଙ୍କ ଵିଷୟରେ ମଧ୍ୟ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଵର୍ଣ୍ଣନା ହୋଇଅଛି । ସେହି ଅଷ୍ଟନାଗମାନେ ହେଲେ- ଅନନ୍ତ, ବାସୁକୀ, ପଦ୍ମ, ମହାପଦ୍ମ, ତକ୍ଷକ, କୁଳିକ, କର୍କୋଟକ ଓ ଶଙ୍ଖ। 

ଭିନ୍ନ ଭିନ୍ନ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଅଷ୍ଟଦିଗ୍ଜଜ ହସ୍ତି, ଅଷ୍ଟକୁଳାଚଳ ଓ ଅଷ୍ଟନାଗ ପୃଥିଵୀକୁ ଆଠ ଦିଗରେ ଧରି ରଖିଥିଵାର ଵର୍ଣ୍ଣନା କରାଯାଇଛି । ସମ୍ଭଵତଃ “ଭୂ ଧାରଣ”, ଏହି ଗୋଟିଏ କଥାକୁ ଵିଭିନ୍ନ ଶାସ୍ତ୍ରରେ ଭିନ୍ନ ଭିନ୍ନ ରୂପରେ ଵର୍ଣ୍ଣନା କରାଯାଇଛି । 

୧୯୧୨ରେ ଗଵେଷକ Alfred Wegener ନିଜର continental drift ଥିଓରୀ ପ୍ରଦାନ କଲେ କିନ୍ତୁ ଏହାକୁ ଗହଣ କରିଵାକୁ ଵୈଜ୍ଞାନିକ ସମାଜକୁ ପଚାଶ ଵର୍ଷ ଲାଗିଗଲା । ଵର୍ତ୍ତମାନ ସମୟର ପୃଥିଵୀରେ African Plate,Antarctic Plate,Eurasian Plate,Indian plate,Australian Plate,North American Plate,
Pacific Plate ଓ South American Plate ଆଦି ଆଠଗୋଟି ମୁଖ୍ୟ Tectonic Plate ତଥା ଅନେକ କ୍ଷୁଦ୍ ଓ ଅତି କ୍ଷୁଦ୍ର Tectonic Plate ରହିଛି । 
ଆଧୁନିକ ଯୁଗରେ Tectonic Plate ଵିଷୟରେ ଜଣାପଡି଼ଲାପରେ କେତେକ ଭାରତୀୟ ବୁଦ୍ଧିଜୀଵୀମାନେ ପ୍ରୋକ୍ତ ମହାଅକୂପାର,ଅଷ୍ଟଦିଗ୍ଜଜ,ଅଷ୍ଟନାଗ ଓ ଅଷ୍ଟକୁଳାଚଳ ଆଦିର ଉଲ୍ଲେଖ ସହ ମତ ଦେଵାକୁ ଲାଗିଲେ ଯେ ଭାରତରେ ତ ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷ ଭାବରେ ବହୁ ପ୍ରାଚୀନ କାଳରୁ ପୃଥିଵୀର Tectonic Plate ତଥା Core ଵିଷୟରେ ଲୋକେ ଜାଣିଥିଲେ । ଧିରେ ଧିରେ ଗତି କରୁଥିଵା ମହାଅକୂପାର ପୃଥିଵୀର Core ଏଵଂ ଅଷ୍ଟଦିଗ୍ଜଜ, ଅଷ୍ଟକୁଳାଚଳ ଵା ଅଷ୍ଟନାଗ ହେଉଛନ୍ତି ପୃଥିଵୀର ଆଠଗୋଟି ମୁଖ୍ୟ Tectonic Plate ! 

ଏବେ ଏହାକୁ କେଵଳ ଏକ ଜୋଖା,ମିଞ୍ଜା, ମେଳ,ଖାପ,ଵ୍ୟତିସଙ୍ଗ,ସମଞ୍ଜସ ଵା coincidence କହିଵା ନା ପରୋକ୍ଷ ଭାବରେ ଉଲ୍ଲେଖିତ ପ୍ରାଚୀନ ଭାରତୀୟ ଵିଜ୍ଞାନ କହିଵା ?

Friday, September 22, 2023

କୁତର୍କ,କୁତର୍କୀ ଓ ମନୋଵିଜ୍ଞାନ

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପେନ୍ସିଲଵାନିଆ ରାଜ୍ୟରେ ଅଵସ୍ଥିତ ପିଟ୍ସବର୍ଗ୍‌ ନଗରରେ ଜଣେ ଚୋର ଏକ ଧନଗାର ଵା Bankକୁ ସ୍ପଷ୍ଟ ଦିଵାଲୋକରେ ଯାଇ ଲୁଣ୍ଠନ କରି ଆସିଲା । ଚୋର ଜଣକ ମୁଖା ପିନ୍ଧି ନଥିଲା ପୁଣି cctv cameraକୁ ଦେଖି ବଡ଼ ଆତ୍ମଵିଶ୍ୱାସର ସହିତ ଦାନ୍ତ ଦେଖେଇ ଆସିଥିଲା,ଭାବିଥିଲା ସେ କେବେ ବି ଧରାପଡ଼ିଵ ନାହିଁ । କିନ୍ତୁ ତା ଉପରେ ରାଧାଚଡ଼କ କି ଶନିଦଶା ପଡ଼ିଲା ନା କିସ ବିଲେଇ ମୂଷା ଉଣ୍ଡିଲା ଭଳି ଆରକ୍ଷୀମାନେ ସେହି ଦିନ ରାତିରେ ହିଁ ତାକୁ ବାନ୍ଧି ଆଣିଲେ । ଯେତେବେଳେ ତାକୁ ସେ କରିଥିଵା ବ୍ୟାଙ୍କ୍ ଡକାୟତିର ଦୃଶ୍ୟ ଦେଖାଗଲା, ସେହି ଵ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲା ଆଉ କହି ଉଠିଲା “ଖୋ ରେ ! ମୁଁ ତଥାପି ଅଦୃଶ୍ୟ କେମିତି ହୋଇପାରିଲି ନାହିଁ ? ମୁଁ ତ ମୋ ଦେହସାରା ଲେମ୍ବୁ ରସ ବୋଳି ଦେଇଥିଲି ।”

ଏହି ଚୋରର caseକୁ ଅଧ୍ୟୟନ କରାଯାଇଥିଲା ଏବଂ ମନୋବିଜ୍ଞାନରେ ଡନିଂ-କ୍ରୁଗର ଇଫେକ୍ଟ୍ ନାମକ ଏକ ସିଦ୍ଧାନ୍ତ ଦିଆଯାଇଥିଲା, ଯାହା ଅନୁଯାୟୀ - ମୂର୍ଖତା କେଵଳ ଜଡ଼ତା ଜାତ କରେ, କିନ୍ତୁ ଅଳ୍ପଜ୍ଞାନ ଯୋଗୁଁ ଆକ୍ରମକ ଅତିଆତ୍ମଵିଶ୍ୱାସ ଜନ୍ମିଥାଏ । ଚୋର ଆର୍ଥର ହ୍ୱିଲର କାହାଠାରୁ ଶୁଣିଥିଲା ଵା କୋଉଠି ପଢ଼ିଥିଲା ଯେ ଲେମ୍ବୁ ରସରେ ଲିଖିତ ଲେଖା ଅଦୃଶ୍ୟ ହୋଇଯାଏ, ତେଣୁ ସେ ଭାବିଲା ଯଦି ଲେମ୍ବୁରସ ଯୋଗୁଁ କାଳି ଅଦୃଶ୍ୟ ହୋଇପାରେ, ତେବେ ମୁଁ କାହିଁକି କରିପାରିବି ନାହିଁ? ଆଉ ଏହି ଭ୍ରମରେ ସେ ଵିଚରା ଶରୀରରେ ଲେମ୍ବୁ ରସ ବୋଳି ହୋଇ ବ୍ୟାଙ୍କ ଲୁଣ୍ଠନ କରିଵାକୁ ଯାଇଥିଲା । 

ଜଣେ ଅଳ୍ପଜ୍ଞାନୀ ଗାଲୁଆ ଵ୍ୟକ୍ତିର ତୁଣୀରରେ କୁତର୍କର ଅସଂଖ୍ୟ ଦିଵ୍ୟାସ୍ତ୍ର ଥାଏ ଏଵଂ ସେଗୁଡ଼ିକୁ ମନୋଵିଜ୍ଞାନର ଭାଷାରେ ତାର୍କିକ ମତିଭ୍ରମ ଵା Logical Fallacies ତଥା Cognitive Disorders କୁହାଯାଏ ।

ପାଶ୍ଚାତ୍ୟ ମନୋଵିଜ୍ଞାନୀମାନେ କୁତର୍କୀମାନଙ୍କର ଯେଉଁ Fallacy ଵିଷୟରେ ଏତେ ଅଧ୍ୟୟନ କରିଛନ୍ତି ତାହା ଭାରତୀୟଙ୍କ ପାଇଁ ନୂଆ ନୁହେଁ । ବହୁ ପ୍ରାଚୀନ କାଳରୁ ଭାରତରେ ଏଭଳି ମାନସିକ ଵିଚାରକୁ ଦୁଷ୍ଟତର୍କ,କୁତର୍କ,ଚକ୍ରକ, କୁଯୁକ୍ତି,ଅପୋହ,ତର୍କାଭାସ ଓ ହେତ୍ଵାଭାସ ଇତ୍ୟାଦି ନାମ ଦିଆଯାଇଥିଲା । ପ୍ରାଚୀନ ଭାରତୀୟ ଦର୍ଶନଶାସ୍ତ୍ରରେ ହେତ୍ୱାଭାସ ଵିଷୟରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି। ଦର୍ଶନଶାସ୍ତ୍ର ଅନୁଯାୟୀ ହେତ୍ୱାଭାସ ହେତୁପରି ଜଣାପଡ଼େ ଅଥଚ ପ୍ରକୃତ ହେତୁ ନୁହେ। ଯଥା—“ଯେଉଁଠାରେ ନିଆଁ ଥାଏ ସେଠାରୁ ଧୂଆଁ ଉଠେ; ପର୍ଵତରୁ ଧୁଆଁ ଉଠେ; ଅତଏଵ ପର୍ଵତରେ ନିଆଁ ଅଛି।” ଏଭଳି କୁତର୍କକୁ ହେତ୍ୱାଭାସ କୁହାଯାଏ । ପ୍ରାଚୀନ ଭାରତୀୟମାନେ ହେତ୍ୱାଭାସର ଵିଭିନ୍ନ ରୂପକୁ ସଂକଳିତ କରି ସେଗୁଡି଼କୁ ମୁଖ୍ୟତଃ ପାଞ୍ଚ ପ୍ରକାରରେ ଵିଭକ୍ତ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହି ପାଞ୍ଚପ୍ରକାରର ହେତ୍ୱାଭାସ ହେଲା ଯଥା : ସଵ୍ୟଭିଚାର ଵା ଅନୈକାନ୍ତିକା,ଵିରୁଦ୍ଧ,ପ୍ରକରଣ ସମ,ସାଧ୍ୟସମ ଓ କାଳାତୀତ । ମତାନ୍ତରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ 
ଵ୍ଯଭିଚାରଃ,ଵିରୁଦ୍ଧଃ,ଅସିଦ୍ଧଃ, ସତ୍ପ୍ରତିପକ୍ଷଃ ଓ ଵାଧଃ ହେଉଛି ପାଞ୍ଚପ୍ରକାରର ହେତ୍ୱାଭାସ। ଭାଷାପରିଚ୍ଛେଦଃ ଗ୍ରନ୍ଥରେ ଏହି ପାଞ୍ଚପ୍ରକାରର ହେତ୍ୱାଭାସ ଵିଷୟରେ ଏମନ୍ତ ଉଲ୍ଲେଖ ଅଛି:

ଅନୈକାନ୍ତୋ ଵିରୁଦ୍ଧଶ୍ଚାପ୍ଯସିଦ୍ଧଃ ପ୍ରତିପକ୍ଷିତଃ ।
କାଳାତ୍ଯୟାପଦିଷ୍ଟଶ୍ଚ ହେତ୍ଵାଭାସାସ୍ତୁ ପଞ୍ଚଧା ॥
ଆଦ୍ଯଃ ସାଧାରଣସ୍ତୁ ସ୍ଯାତ୍ ସ୍ଯାଦସାଧାରଣୋଽପରଃ । ତଥୈଵାନୁପସଂହାରୀ ତ୍ରିଧାନୈକାନ୍ତିକୋ ଭଵେତ୍ ॥
ଯଃ ସପକ୍ଷେ ଵିପକ୍ଷେ ଚ ସ ତୁ ସାଧାରଣୋ ମତଃ ।
ଯସ୍ତୂଭୟସ୍ମାଦ୍ଵ୍ଯାଵୃତ୍ତଃ ସ ତ୍ଵସାଧାରଣୋ ମତଃ ॥
ତଥୈଵାନୁପସଂହାରୀ କେଵଲାନ୍ଵଯିୟକ୍ଷକଃ ।
ଯଃ ସାଧ୍ଯଵତି ନୈଵାସ୍ତି ସ ଵିରୁଦ୍ଧ ଉଦାହୃତଃ ॥
ଆଶ୍ରୟାସିଦ୍ଧିରାଦ୍ଯା ସ୍ଯାତ୍ ସ୍ଵରୂପାସିଦ୍ଧିରପ୍ଯଥ ।
ଵ୍ଯାପ୍ଯତ୍ଵାସିଦ୍ଧିରପରା ସ୍ଯାଦସିଦ୍ଧିରତସ୍ତ୍ରିଧା ॥
ପକ୍ଷାସିଦ୍ଧିର୍ଯତ୍ର ପକ୍ଷୋ ଭଵେନ୍ମଣିମୟୋ ଗିରିଃ ।
ହ୍ରଦୋ ଦ୍ରଵ୍ଯଂ ଧୂମଵତ୍ତ୍ଵାଦତ୍ରାସିଦ୍ଧିରଥାପରା ॥
ଵ୍ଯାପ୍ଯତ୍ଵାସିଦ୍ଧିରପରା ନୀଳଧୂମାଦିକେ ଭଵେତ୍ ।
ଵିରୁଦ୍ଧୟୋଃ ପରାମର୍ଶୋ ହେତ୍ଵୋଃ ସତ୍ପ୍ରତିପକ୍ଷତା ॥
ସାଧ୍ଯଶୂନ୍ଯୋ ଯତ୍ର ପକ୍ଷସ୍ତ୍ଵସୌ ଵାଧ ଉଦାହୃତଃ ।
ଉତ୍ପତ୍ତିକାଳୀନଘଟେ ଗନ୍ଧାଦିର୍ଯତ୍ର ସାଧ୍ଯତେ ॥”

ସେହିପରି ଏହି ପାଞ୍ଚପ୍ରକାରର ହେତ୍ୱାଭାସର ସାମାନ୍ୟ ତଥା ଵିଶେଷ ଲକ୍ଷଣଗୁଡ଼ିକ ଵିଷୟରେ ମଧ୍ୟ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଵର୍ଣ୍ଣନା ହୋଇଥିଲା ।‌ ହେତ୍ଵାଭାସର ସାମାନ୍ୟ ଲକ୍ଷଣଗୁଡ଼ିକ ହେଲା :

“ଅନୁମିତିକାରଣୀଭୂତାଭାଵପ୍ରତିଯୋଗି ଯଥାର୍ଥଜ୍ଞାନଵିଷଯତ୍ଵମ୍ ।
ଯଦ୍ଵିଷୟତ୍ଵେନ ଲିଙ୍ଗଜ୍ଞାନସ୍ଯାନୁମିତିପ୍ରତିବନ୍ଧକତ୍ଵମ୍ । ଜ୍ଞାୟମାନଂ ସତ୍ ଯଦନୁମିତିପ୍ରତିବନ୍ଧକଂ ତତ୍ତ୍ଵଂ ଵା ହେତ୍ଵାଭାସତ୍ଵମ୍ ॥”

ପୁଣି ଵିଶେଷଲକ୍ଷଣଗୁଡ଼ିକ ହେଲା “ଉଭୟକୋଟ୍ଯୁପସ୍ଥାପକତାଵଚ୍ଛେଦକରୂପଵତ୍ତ୍ଵଂ ତତ୍ତ୍ଵମ୍ ।
ଵିରୁଦ୍ଧାନ୍ଯପକ୍ଷଵୃତ୍ତିତ୍ଵେ ସତି ଅନୁମିତିଵିରୋଧିସମ୍ବନ୍ଧାଵ୍ଯାଵୃତ୍ତିର୍ଵ୍ଵା ଅନୈକାନ୍ତିକଃ ।
ଵିପକ୍ଷଵୃତ୍ତିତ୍ଵଂ ସାଧାରଣତ୍ଵମ୍ । ସର୍ଵ୍ଵସପକ୍ଷଵ୍ଯାଵୃତ୍ତୋ ହେତୁରସାଧାରଣଃ । ଵ୍ଯାପ୍ତିଗ୍ରହାନୁକୂଳୈକଧର୍ମ୍ଯୁପସଂହାରାଭାଵୋ ଯତ୍ର ସ ହେତ୍ଵଭିମତୋଽନୁପସଂହାର୍ଯ୍ଯଃ॥*॥ ସାଧ୍ଯଵ୍ଯାପକାଭାଵପ୍ରତିଯୋଗିତ୍ଵଂ ଵିରୁଦ୍ଧତ୍ଵମ୍ ॥ * ॥ 
ସାଧ୍ଯଵିରୋଧ୍ଯୁପସ୍ଥାପନସମର୍ଥସମାନବଳୋପସ୍ଥିତ୍ଯା ପ୍ରତିରୁଦ୍ଵକାର୍ଯ୍ଯଲିଙ୍ଗଂତ୍ଵଂତତ୍ଵଂ ସତ୍ପ୍ରତିପକ୍ଷିତତ୍ଵମ୍ ॥ * ॥ ଵ୍ଯାପ୍ତିପକ୍ଷଧର୍ମ୍ମତାନିଶ୍ଚଯଵିରୋଧିରୂପଵତ୍ତ୍ଵଂ ଅସିଦ୍ଧିଃ । ପକ୍ଷନିଷ୍ଠପ୍ରମାଵିଷୟତ୍ଵପ୍ରକାରାମାଵପ୍ରତିଯୋଗିସାଧ୍ଯକତ୍ଵଂ ଵାଧଃ । 
(ଇତି ଚିନ୍ତାମଣିଃ ॥ )

ସେ ଯାହାହେଉ ଭାରତୀୟମାନଙ୍କର ପ୍ରାଚୀନ ଦର୍ଶନଶାସ୍ତ୍ରର ଏହି ପୁରାତନ ଜ୍ଞାନ ଉପରେ ଆଧୁନିକ ମନୋଵିଜ୍ଞାନର ସୌଧ ନିର୍ମିତ ହେଲାପରେ ହେତ୍ଵାଭାସ ଵା Fallacyକୁ ପାଞ୍ଚ ଭାଗରେ ସୀମିତ ନକରି ସେଗୁଡି଼କର ଵିଭିନ୍ନ ମନୋଵିଜ୍ଞାନୀମାନେ ଭିନ୍ନ ଭିନ୍ନ ନାମକରଣ କରିଥିଲେ । 

ତନ୍ମଧ୍ୟରୁ କେତେକ ଜଣାଶୁଣା କୁତର୍କୀୟ ଦିଵ୍ୟାସ୍ତ୍ର ଵା Fallacy ଵିଷୟରେ ସଂକ୍ଷେପରେ ଉଲ୍ଲେଖ କରାଗଲା...

ଜଣେ କୁତର୍କୀ ପାଖରେ ଥିଵା ସବୁଠାରୁ ଘାତକ ଅସ୍ତ୍ର ହେଉଛି Strawman Fallacy ! ଏଥିରେ କୁତର୍କୀ ଵ୍ୟକ୍ତି ଜଣକ ଆପଣଙ୍କ ତର୍କର ଅର୍ଥକୁ ଵିଅର୍ଥ କରି ମୋଡ଼ା ମୋଡ଼ି କରି ଏମନ୍ତ ଵିତର୍କ କରନ୍ତି ଯାହାର ପ୍ରକୃତ କାହାଣୀ ସହିତ କୌଣସି ସମ୍ପର୍କ ନଥାଏ । ଉଦାହରଣ ସ୍ୱରୂପ: ମୁଁ କହିବି, 'ବୁର୍ଖା ମଧ୍ୟଯୁଗୀୟ ଚିନ୍ତାଧାରାର ପ୍ରତୀକ' । ତାହା ଶୁଣି କୁତର୍କୀ କହିଵ- ଦାଣ୍ଡରେ ବାଟରେ ଉଲଗ୍ନ ହୋଇ ବୁଲିଵା ପାଇଁ ତୁମମାନଙ୍କୁ ସ୍ୱାଧୀନତା ଦରକାର। ସତେ ଯେମିତି ବୁର୍ଖା ପରେ ଉଲଗ୍ନ ହେଵା ହିଁ ଏକମାତ୍ର ଵିକଳ୍ପ ରହିଯାଇଥାଏ । 

ଆଉ ଏକ କୁତର୍କର ନାମ Bandwagon Fallacy ! ଏଥିରେ ପୀଡ଼ିତ ଵ୍ୟକ୍ତି କୌଣସି କଥାର ମୂଲ୍ୟ ସେହି କଥାକୁ ଵିଶ୍ୱାସ କରୁଥିଵା ଲୋକଙ୍କ ସଂଖ୍ୟାକୁ ଦେଖି ନିର୍ଦ୍ଧାରଣ କରିଥାଏ । ଯଦି ଏହି ତର୍କକୁ ଅନୁକରଣ କରାଯାଆନ୍ତା, ତେବେ ପୃଥିଵୀ ଏବେ ବି ସମତଳ ହୋଇଥାନ୍ତା, ସୂର୍ଯ୍ୟ, ପୃଥିଵୀର ପରିକ୍ରମା କରୁଥାନ୍ତେ ଏଵଂ ପୃଥିବୀ ୬୦୦୦ ବର୍ଷ ପୂର୍ବେ ଜନ୍ମ ହୋଇଥାନ୍ତା । କାରଣ, ଏହି ସବୁ ଭ୍ରମଧାରଣାଗୁଡ଼ିକୁ ଵିଶ୍ୱାସ କରୁଥିଵା ଲୋକଙ୍କ ସଂଖ୍ୟା ପୃଥିଵୀରେ ସର୍ଵୋଚ୍ଚ, କିନ୍ତୁ ଏହା ସତ ନୁହେଁ କି କେବେ ହୋଇପାରିଵ ନାହିଁ। "ତିନି ତୁଣ୍ଡରେ ଛେଳି କୁକୁର" ନ୍ୟାୟରେ କୌଣସି ଭୁଲ୍ କଥାକୁ ଅନେକେ ଵିଶ୍ଵାସ କରୁଥାଇ ପାରନ୍ତି କିନ୍ତୁ ପ୍ରକୃତରେ ଭିଡ଼ କେବେ ବି କୌଣସି ଦରଵ,ଵ୍ୟକ୍ତି କିମ୍ବା ସିଦ୍ଧାନ୍ତର ସତ୍ୟତାର ପ୍ରମାଣ ନୁହେଁ ଏଵଂ ଏହା ଅନେକାନେକ ଥର ପରୀକ୍ଷିତ।

  Appeal To Authority ନାମରେ ଆଉ ଏକ କୁତର୍କ ବି ଅଛି । କୁତର୍କୀଙ୍କ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନଥିଲେ ସେମାନେ ପ୍ରଭାଵଶାଳୀ ପୁରାତନ ଵ୍ୟକ୍ତିଙ୍କର ତଥା ତାଙ୍କ ଦ୍ଵାରା ବୋଲାଯାଇଥିଵା ପଦର ଉଦାହରଣ ଦିଅନ୍ତି ।‌ ଅମୁକ ମହାପୁରୁଷ ଏଇ କହିଛନ୍ତି,ସମୁକ ମହାପୁରୁଷ ସେଇଆ କହିଛନ୍ତି ! କେହି କେହି ତ ମହାପୁରୁଷମାନେ କହି ନଥିଲେ ବି ତାଙ୍କ ନାଆଁ ନେଇ ମିଛ କଥା ପ୍ରଚାର କରନ୍ତି । ଉଦାହରଣ ସ୍ୱରୂପ, କିଛି ଵର୍ଷ ତଳେ ଜଣେ ମୋତେ କହିଲେ ଯେ ମଧୁବାବୁ କୁଆଡେ଼ ଥରେ କହିଥିଲେ “ଓଡ଼ିଆ ଭାଷାଟା ଭାଷା ଵିଵର୍ତ୍ତନ କ୍ରମରେ ସବୁଠାରୁ ପଛରେ ଵିଵର୍ତ୍ତିତ ହୋଇଛି !”ପ୍ରଥମତଃ ମଧୁବାବୁଙ୍କ ଦ୍ଵାରା ଏହା ବୋଲା ଯାଇଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ପୁଣି ଯଦି ଏହା ବୋଲା ବି ଯାଇଥାଏ ତଥାପି ମଧ୍ୟ ସତ ନୁହେଁ। କାରଣ ଆଜି ଆମେ ସମସ୍ତେ ଜାଣନ୍ତି ଯେ ଓଡ଼ିଆ ଭାଷା ଭାରତର ଅନ୍ୟତମ ପ୍ରାଚୀନ ଶାସ୍ତ୍ରୀୟ ଭାଷା ଏଵଂ ପ୍ରାୟ ତିନିରୁ ପାଞ୍ଚ ହଜାର ଵର୍ଷ ତଳେ ଏ ଭାଷା ମୂଳ ଇଣ୍ଡିକ୍ ଭାଷାର ପ୍ରାକୃତ ସ୍ଵରୂପ ରୂପେ ଵିଦ୍ୟମାନ ଥିଲା । ଇତିହାସ ସାକ୍ଷୀ ଅଛି ଯେ ମହାପୁରୁଷମାନେ ଅନେକ ସମୟରେ ଭୁଲ ପ୍ରମାଣିତ ହୁଅନ୍ତି । ଜଣେ ପ୍ରଭାଵଶାଳୀ ଵ୍ୟକ୍ତି କେଵଳ କହିଦେଲେ କୌଣସି ସିଦ୍ଧାନ୍ତ ଠିକ୍ ପ୍ରମାଣିତ ହୋଇଯାଏ ନାହିଁ ।
  
କିନ୍ତୁ ଯେତେ ପ୍ରକାରର କୁତର୍କ ଅଛି ତନ୍ମଧ୍ୟରେ Ad Hominem Fallacyକୁ ସବା ଶୀର୍ଷରେ ରଖାଯିଵା ଉଚିତ୍ । ଏହା ଆଧାରରେ କୁତର୍କୀ ଆଲୋଚିତ ଵିଷୟ କିଛି ନ କହି ଆପଣଙ୍କ ଚରିତ୍ରକୁ ଧରି ଆପଣଙ୍କ ଉପରେ ଆକ୍ରମଣ କରିଵାକୁ ଚେଷ୍ଟା କରେ । ଯଦି ଆପଣ କୁହନ୍ତି ଯେ ଦେଶରେ ସବୁ କିଛି ଭଲ ଅଛି, ତେବେ କୁତର୍କୀ ଆପଣଙ୍କୁ ଫୁଲଦଳିଆ କହିଵ । ଯଦି ଆପଣ କୁହନ୍ତି ଯେ ଦେଶରେ ସମସ୍ୟା ରହିଛି, ତେବେ କୁତର୍କୀ ଆପଣଙ୍କୁ ପାପୁଲି ଦଳିଆ କହିଦଵ। ଆଉ ଯଦି ଆପଣ ଏକ ପ୍ରାଚୀନ ଵିଶ୍ୱାସ ଵିଷୟରେ କିଛି କହି ଦିଅନ୍ତି, ତେବେ ଆପଣଙ୍କୁ କୁତର୍କୀ ଵାମପନ୍ଥୀ ବୋଲି ଦେଵ । ଅର୍ଥାତ୍Ad Hominem Fallacyରେ କୁତର୍କୀ କେଵଳ ମୂଳ ଆଲୋଚନାକୁ ଵିଭ୍ରାନ୍ତ କରି ଆପଣଙ୍କୁ ଅପମାନିତ କରିଵାକୁ ଚେଷ୍ଟା କରନ୍ତି।

ଜଣେ କୁତର୍କୀର ପ୍ରତ୍ୟେକ କୁତର୍କ Argument From Ignoranceରୁ ଜନ୍ମ ହୋଇଥାଏ । ଜଣେ କୁତର୍କୀ ମତରେ ମନୁଷ୍ୟ ବ୍ରହ୍ମାଣ୍ଡର ଅନ୍ତ ନ ପାଇଵା ପର୍ଯ୍ୟନ୍ତ ଵା ସଂସାରର ସବୁ କିଛି ଜାଣି ନନେଲା ପର୍ଯ୍ୟନ୍ତ ପ୍ରତ୍ୟେକ ସମ୍ଭାଵନା ଆଲୋଚନା ଯୋଗ୍ୟ। ଉଦାହରଣ ସ୍ୱରୂପ, ଯଦି ମୁଁ କହେ ଉଡ଼ନ୍ତା ପକ୍ଷୀରାଜ ଘୋଡ଼ା ଅଛନ୍ତି। ଵର୍ତ୍ତମାନ ସମୟରେ ବି ଯେହେତୁ ମନୁଷ୍ୟ ବ୍ରହ୍ମାଣ୍ଡ ଵିଷୟରେ ସବୁ କିଛି ଜାଣେ ନାହିଁ, ତେଣୁ ପକ୍ଷୀରାଜ ଘୋଡ଼ାର ଅସ୍ତିତ୍ୱକୁ ଅସ୍ୱୀକାର କରାଯାଇପାରିଵ ନାହିଁ । ଏବେ ଏହା କେତେ ହାସ୍ୟାସ୍ପଦ କଥା। ପ୍ରମାଣର ଅଭାଵ କେବେ ବି " ସ୍ଵୟଂ ପ୍ରମାଣ" ହୋଇ ପାରେ କି । ଯଦି ପକ୍ଷୀରାଜ ଘୋଡ଼ା ଅଛନ୍ତି, ତେବେ ଏହା ସପକ୍ଷରେ କେଵଳ ଜନସୃତି ଓ ପୁରାଣଗାଥାର ଉଦାହରଣ ନଦେଇ କିଛି ପ୍ରାମାଣିକ ତଥ୍ୟ ଦିଅନ୍ତୁ, ନଚେତ୍ କେବେ ବି ଏଭଳି ହାସ୍ୟାସ୍ପଦ ଦାବିର ଅନ୍ତ ଘଟିଵ ନାହିଁ?

ମନୋବିଜ୍ଞାନରେ ଏହିପରି ଶତାଧିକ ମତିଭ୍ରମର ଉଲ୍ଲେଖ ଅଛି । ଵିଭିନ୍ନ ମତିଭ୍ରମରୁ ଜାତ ଅନେକ ପ୍ରକାରର କୁତର୍କକୁ ଧରି କୁତର୍କୀମାନେ ସତ୍ୟର ସମୀକ୍ଷା ସମୟରେ ଭୁଲ୍ ସୂଚନା ଦେଇ ଆପଣଙ୍କୁ ପରାସ୍ତ କରିଵାକୁ ଚେଷ୍ଟା କରନ୍ତି, ଆପଣଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାନ୍ତି, ଆପଣଙ୍କ ଚରିତ୍ର ସଂହାର କରିଵାକୁ ଚେଷ୍ଟା କରନ୍ତି ।

କିନ୍ତୁ.... କୁତର୍କୀଙ୍କ ଦ୍ଵାରା ଯେତେ ଅପଯଶ ଓ ନିନ୍ଦା ମିଳୁ ଵା ସେମାନଙ୍କର ଦ୍ୱେଷ,ହିଂସା,ଈର୍ଷ୍ୟା ଓ କ୍ରୋଧର ସହସ୍ରାଧିକ ଥର ଶିକାର ହେଵାକୁ ପଡ଼ୁ ତଥାପି ଆପଣ ସେମାନଙ୍କ ଦ୍ଵାରା ପ୍ରଭାଵିତ ହୋଇ ନିଜର ସଚ୍ଚୋଟତା ତଥା ସତ୍ୟର ପଥକୁ କେବେ ବି ଛାଡ଼ନ୍ତୁ ନାହିଁ । 

ଭୁଲ୍ କହି ମଧ୍ୟ ଲୋକପ୍ରିୟ ନିଶ୍ଚିତ ଭାବରେ ସମ୍ମାନିତ ହେଵ,ତାକୁ ସ୍ୱୀକୃତି ବି ମିଳିଵ, କିନ୍ତୁ ଯଦି ଆପଣ ସତ୍ୟ ଓ ସ୍ୱୀକୃତି ମଧ୍ୟରୁ କୌଣସି ଗୋଟିଏକୁ ବାଛିଵାକୁ ଚାହୁଁଥାନ୍ତି, ତା’ହେଲେ ସଦା ସର୍ଵଦା ପ୍ରଥମ ଵିକଳ୍ପକୁ ହିଁ ଚୟନ କରନ୍ତୁ। 

ଥରେ ନୁହେଁ, ବାରମ୍ବାର, ପ୍ରତ୍ୟେକ ଥର !!!
••••••••••••••••••••••

Thursday, September 21, 2023

ଆପୋଲୋ ୧୧ ଚନ୍ଦ୍ରାଵତରଣ : ସତ୍ୟ ନା ମିଥ୍ୟା ?

ଜୁଲାଇ ୨୧, ୧୯୬୯: ଆପୋଲୋ-୧୧ର ସଫଳ ଚନ୍ଦ୍ର ଅଵତରଣ ପରେ ସ୍ୱଦେଶ ଫେରୁଥିଵା ବେଳେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ବଜ୍ ଆଲଡ୍ରିନ୍ ଚନ୍ଦ୍ରପୃଷ୍ଠରେ ତାଙ୍କର ଅଵତରଣ ସ୍ଥଳଠାରୁ ୮ ମିଟର ଦୂରରେ ଆମେରିକୀୟ ପତାକାକୁ ସ୍ମାରକୀ ଭାବେ ପୋତି ଦେଇଥିଲେ। ଘରକୁ ଲେଉଟିଲାବେଳେ ଚନ୍ଦ୍ର ଅଵତରଣ ମଡ୍ୟୁଲ୍‌ ରକେଟ୍ ଇଞ୍ଜିନରୁ ବାହାରୁଥିଵା ଗ୍ୟାସର ପ୍ରବଳ ବେଗ ଯୋଗୁଁ ଆମେରକୀୟ ପତାକାଟି ଉପୁଡି ପଡ଼ିଥିଲା। ଏହି କାରଣରୁ ଭଵିଷ୍ୟତରେ ଆପୋଲୋ ମିଶନରେ ପତାକାକୁ ଅଵତରଣ ସ୍ଥଳଠାରୁ ଦୂରରେ ଲଗାଇଵା ପାଇଁ ନିୟମ କରାଯାଇଥିଲା।


ଚନ୍ଦ୍ରରେ ଵାୟୁ ନ ଥିଵାରୁ ପତାକା ସିଧା ରଖିଵାପାଇଁ ଆମେରକୀୟ ଧ୍ଵଜା ଭିତରେ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ହାଲୁକା ତାର ଖଞ୍ଜା ଯାଇଥିଲା। ପୁଣି ପତାକା ବାହାର କରି ଲଗାଯିଵା ସମୟରେ ସୃଷ୍ଟି ହୋଇଥିଵା ସଂକୋଚନ କାରଣରୁ ତାହା ପତାକା ଉଡ଼ିଵାର ଆଭାସ ସୃଷ୍ଟି କରିଥିଲା । Conservation of momentum କାରଣରୁ ମହାକାଶରେ ଉଡ଼ୁଥିଵା ଵା ଗତି କରୁଥିଵା ଵସ୍ତୁର ଗତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଏହା ବୁଝି ପାରୁନଥିଵା ଲୋକେ ନିଜକୁ ନିଜେ ଥରେ ପଚାରନ୍ତୁ ଯେ କୋଟି କୋଟି ଵର୍ଷ ବିତିଯାଇଥିଲେ ମଧ୍ୟ ପୃଥିଵୀ ମହାକାଶରେ କିପରି ନିରଵଚ୍ଛିନ୍ନ ଭାବେ ଗତି କରିପାରୁଛି ?

ସେହିପରି ଆଉ ଏକ ପ୍ରଶ୍ନ ବହୁତ ପଚରାଯାଏ ଯେ ଚନ୍ଦ୍ର ଅଭିଯାନ ସମୟରେ ଉତ୍ତୋଳିତ ଚିତ୍ରରେ ତାରା କାହିଁକି ଦେଖାଯାଉ ନାହାନ୍ତି। ଆପୋଲୋ ଅଭିଯାନ ସମୟରେ ଵ୍ୟଵହୃତ କ୍ୟାମେରା ସେଟିଂକୁ ମହାକାଶଚାରୀ ଓ ଚନ୍ଦ୍ର ପୃଷ୍ଠ ଭଳି ଉଜ୍ଜ୍ୱଳ ଆଲୋକିତ ଵସ୍ତୁକୁ କ୍ୟାପ୍ଚର କରିଵା ପାଇଁ ଅପ୍ଟିମାଇଜ୍ କରାଯାଇଥିଲା। ଏହି ସେଟିଂଗୁଡି଼କ କ୍ୟାମେରା ପାଇଁ ନକ୍ଷତ୍ରଗୁଡ଼ିକର ଅପେକ୍ଷାକୃତ କ୍ଷୀଣ ଆଲୋକକୁ କ୍ୟାପ୍ଚର କରିଵା କଷ୍ଟକର କରିଦେଇଥିଲା । ଚନ୍ଦ୍ର ପୃଷ୍ଠରେ ସ୍ଵଳ୍ପ ଏକ୍ସପୋଜର୍ ଟାଇମ୍ ମଧ୍ୟରେ କ୍ୟାମେରା ଦ୍ଵାରା ନିଆଯାଇଥିଵା ଫଟୋଗୁଡ଼ିକରେ ନକ୍ଷତ୍ରଗୁଡ଼ିକର କ୍ଷୀଣ ଆଲୋକକୁ କ୍ୟାପ୍ଚର କରିଵାର କ୍ଷମତାକୁ ଆହୁରି ସୀମିତ କରିଦେଇଥିଲା । ମହାକାଶ ଯାନରେ ଲାଗିଥିଵା କ୍ୟାମେରାର କଣ୍ଟ୍ରାଷ୍ଟ୍ ଯୋଗୁଁ ମଧ୍ୟ କ୍ଷୀଣ ଆଲୋକଯୁକ୍ତ ତାରକାଗୁଡ଼ିକ ଚିତ୍ରରେ ଦୃଶ୍ୟ ହୋଇପାରିନାହାନ୍ତି । 


ସେହିଭଳି କେହି କେହି ଚନ୍ଦ୍ରପୃଷ୍ଠରେ ନୀଲ୍ ଓ ଏଲଡ୍ରିନ୍‌ଙ୍କ ଛାଇକୁ ଦେଖି ଏହାକୁ ଷ୍ଟୁଡିଓ ସୁଟିଂ ମନେ କରନ୍ତି। କିନ୍ତୁ ପ୍ରକୃତରେ ଚନ୍ଦ୍ରପୃଷ୍ଠରେ ଏକାଧିକ ଆଲୋକ ଉତ୍ସ ଥିଵାରୁ ନୀଲ୍ ଓ ଏଲଡ୍ରିନଙ୍କ ଛାୟା ଚନ୍ଦ୍ରରେ ଦୃଶ୍ୟମାନ ହେଉଥିଲା । ସୂର୍ଯ୍ୟ ସେଠାରେ ପ୍ରାଥମିକ ଆଲୋକ ଉତ୍ସ ପୁଣି ଚନ୍ଦ୍ର ପୃଷ୍ଠ ମଧ୍ୟ ଆଲୋକକୁ ପ୍ରତିଫଳିତ କରେ ଏଵଂ ଅତିରିକ୍ତ ଆଲୋକ ପ୍ରଦାନ କରେ । ଚନ୍ଦ୍ରପୃଷ୍ଠରେ ପୃଥିଵୀରୁ ପ୍ରତିଫଳିତ ଆଲୋକ ମଧ୍ୟ ପଡ଼ିଥାଏ ଯାହାକୁ Earthshine ତଥା Earthlight କୁହାଯାଏ । 

ତେଣୁ ଚନ୍ଦ୍ରପୃଷ୍ଠରେ ଵାୟୁ ନଥାଇ ବି ଆମେରକୀୟ ପତାକା କିପରି ଉଡ଼ୁଥିଲା ,ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ଫଟୋରେ ତାରା କାହିଁକି ନଥିଲା, ଚନ୍ଦ୍ରପୃଷ୍ଠରେ ମାନଵ ଛାୟା କେମିତି ପଡ଼ିଲା - ଏଭଳି ପ୍ରଶ୍ନ ଉତ୍ଥାପନ କରିଵା ପୂର୍ଵରୁ ଏହା ହୃଦୟଙ୍ଗମ କରିଵା ଆଵଶ୍ୟକ ଯେ ପୃଥିଵୀରେ ଲବ୍ଧ ହୋଇଥିଵା ମାନଵୀୟ ଅନୁଭୂତି ମହାକାଶ କିମ୍ବା ଅନ୍ୟ ଗ୍ରହରେ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ଅତ୍‌ଏଵ ଏହି ଘଟଣାଗୁଡ଼ିକ ପଛରେ ଥିଵା ପ୍ରକୃତ ଵୈଜ୍ଞାନିକ କାରଣଗୁଡ଼ିକୁ ନବୁଝି ୧୯୬୯ର ଚନ୍ଦ୍ର ଅଭିଯାନକୁ ଷଡ଼ଯନ୍ତ୍ର ମନେ କରିଵା ଠିକ୍ ନୁହେଁ । 

ପ୍ରାୟତଃ ଲୋକମାନେ ପଚାରନ୍ତି,୫୦ ଵର୍ଷ ପୂର୍ଵେ ନାସା କେଉଁ ଜ୍ଞାନକୌଶଳ ବଳରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା? ଏହା ଆଜି ସେଲ୍ଫ ଡ୍ରାଇଭିଂ କାର୍‌କୁ ଦେଖି କିଛି ଦଶନ୍ଧି ପୂର୍ଵେ କାର୍ କେମିତି ଚଳାଯାଉଥିଲା ଵା
 କାର୍ ହିଁ ଅସମ୍ଭଵ ଥିଲା ବୋଲି କହିଲା ଭଳିଆ କଥା। ଅତୀତରେ ବି କାର୍ ଥିଲା, କେଵଳ ଆଜି ଭଳି କାର୍‌ଗୁଡ଼ିକ ଡିଜିଟାଲ୍ ପରିଵର୍ତ୍ତେ ଅଧିକ ମାନୁଆଲ୍ ଥିଲା। ଵାସ୍ତଵରେ ଆପୋଲୋ ମିଶନ ସହିତ ଡିଜିଟାଲ କଣ୍ଟ୍ରୋଲ୍ ଫ୍ଲାଇଟ୍ ଆରମ୍ଭ ହୋଇଥିଲା ଏଵଂ ଵର୍ତ୍ତମାନ ପର୍ଯ୍ୟନ୍ତ ଏୟାରଲାଇନ୍ସ ଓ ଫାଇଟର୍ ଜେଟ୍ସରେ ସେହି ଡିଜିଟାଲ ଫ୍ଲାଇ-ବାଇ ସିଷ୍ଟମ କ୍ରମଶଃ ନୂତନତ୍ବ ଲାଭ କରି ଵ୍ୟଵହୃତ ହେଉଅଛି । 


୨୦୨୩ ହେଉ କି ୧୯୬୯: ଚନ୍ଦ୍ର କିମ୍ବା ମହାକାଶକୁ ଯାଇ ଫେରିଵା ପାଇଁ ଦୁଇଟି ଵିଷୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ରକେଟର ଓଜନ ଉଠାଇଵାର କ୍ଷମତା ଏଵଂ ରେଡିଓ ତରଙ୍ଗ ଉପରେ ଆଧାରିତ ନେଭିଗେସନ-କମ୍ୟୁନିକେସନ ଟେକ୍ନୋଲୋଜିର ଆଵଶ୍ୟକତା ।

୧୯୩୬ ଜର୍ମାନୀ ଅଲିମ୍ପିକ୍ସକୁ ପ୍ରଥମ ଥର ପାଇଁ ରେଡିଓ ତରଙ୍ଗ ପ୍ରସାରଣ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା । ୧୯୬୦ ଓ ୧୯୬୪ ଅଲିମ୍ପିକ୍ସ ଆୟୋଜନ ବେଳକୁ ରେଡିଓ ଟେକ୍ନୋଲୋଜି ଏତେ ଶକ୍ତିଶାଳୀ ହୋଇଯାଇଥିଲା ଯେ ଏହି ଅଲିମ୍ପିକ୍ କ୍ରୀଡ଼ା ଗୁଡ଼ିକ ଵିଶ୍ୱବ୍ୟାପୀ ପ୍ରସାରିତ ହେଇଥିଲା। ଏହି ରେଡିଓ ତରଙ୍ଗ ସାହାଯ୍ୟରେ ମହାକାଶରେ ନେଭିଗେସନ୍ ଓ ଯୋଗାଯୋଗ ହୋଇଥାଏ ।
ପୁଣି ରକେଟର କ୍ଷମତା ଵିଷୟରେ ଜାଣିଵା ଆଵଶ୍ୟକ । ୨୦୨୩ରେ ଭାରତର ରକେଟ୍ ୪ ଲକ୍ଷ କିଲୋମିଟର ଦୂର ଚନ୍ଦ୍ରର କକ୍ଷପଥକୁ ୪ ଟନ୍ ଓଜନ ପଠାଇଵାର କ୍ଷମତା ରଖିଛି। ସେହିପରି ୫୦ ଵର୍ଷ ତଳେ ନାସା ୫୦ ନିୟୁତ କିଲୋମିଟର ଦୂର ମଙ୍ଗଳ ଗ୍ରହକୁ ନିଜର ରକେଟ୍ ସାହାଯ୍ୟରେ ୨୨ ଟନ୍ ଓଜନର ଦରଵ ପଠାଇଵାରେ ସକ୍ଷମ ହୋଇଥିଲା। ଏଥିରୁ ୫୦ ଵର୍ଷ ପୂର୍ଵେ ସେମାନଙ୍କର ଟେକ୍ନୋଲୋଜିର ସ୍ତର ଅନୁମାନ କରାଯାଇପାରେ । ଵୈଷୟିକ ଉନ୍ନତି କ୍ଷେତ୍ରରେ ଆମେରିକା ଗତ ଦୁଇ ଶତାବ୍ଦୀ ଧରି ଵିଶ୍ଵରେ ଅଗ୍ରଣୀ ରହି ଆସିଛି । ଭାରତରେ ୧୯୦୮ ବେଳକୁ ଚଳଚ୍ଚିତ୍ର କ'ଣ ବୋଲି ଲୋକେ ଜାଣିନଥିଲେ କିନ୍ତୁ ଆମେରିକାରେ ସେହି ମସିହାରେ The Count of Monte Cristo ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୧୯୩୦-୧୯୪୦ ମସିହା ସମୟରେ ଯେତେବେଳେ ଆମେରିକାରେ ରଙ୍ଗୀନ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିଲା ସେତେବେଳେ ଭାରତରେ ଅଧିକାଂଶ କଳାଧଳା ଚଳଚ୍ଚିତ୍ର ନିର୍ମିତ ହେଉଥିଲା । 
 ୧୭୦୦ ଶତାବ୍ଦୀରେ ଆମେରିକାର Benjamin Franklinଙ୍କ ଦ୍ଵାରା ଆଧୁନିକ ଯୁଗର ଵିଦ୍ୟୁତ ସମ୍ବନ୍ଧୀୟ ଆଵିଷ୍କାର ପରେ ୧୮୮୨ରେ Thomas Edisonଙ୍କ ନେତୃତ୍ୱରେ ନ୍ୟୁୟର୍କ ନଗରରେ ନିର୍ମିତ Pearl Street Stationଠାରେ ପୃଥିଵୀର ସର୍ଵପ୍ରଥମ purpose-built power station କାର୍ଯ୍ୟକ୍ଷମ ହୋଇଥିଲା । ଏହାର କେତେକ ଵର୍ଷ ପରେ ଭାରତର ଦାର୍ଜେଲିଂରେ ୧୮୯୭ ମସିହାରେ ପ୍ରଥମ ହାଇଡ୍ରୋଇଲେକ୍ଟ୍ରିସିଟି ପାୱର ପ୍ଲାଣ୍ଟ୍ ଲଗାଯାଇଥିଲା । ହେନରିଚ୍ ହାର୍ଟଜ, ଜଗଦୀଶ ଚନ୍ଦ୍ର ବୋଷ, ଅଲିଭର ଲଜ୍, ଲର୍ଡ ରେଲେ,ଅଗଷ୍ଟୋ ରିଗି ଓ ଗୁଗ୍ଲିଏଲମୋ ମାର୍କୋନି ଆଦିଙ୍କ ଗଵେଷଣା ଯୋଗୁଁ ଊନବିଂଶ ଶତାଦ୍ଦୀର କିଛି ଵର୍ଷ ପୂର୍ଵରୁ ମନୁଷ୍ୟମାନେ ରେଡ଼ିଓ ତରଙ୍ଗ ତଥା ରେଡ଼ିଓ ଯନ୍ତ୍ରର ଆଵିଷ୍କାର କରିନେଇଥିଲେ । ଏହାର ଦୁଇ ଦଶନ୍ଧି ପରେ ଆମେରିକାରେ ଦୁଇ ନଭେମ୍ବର ୧୯୨୦ରେ ପ୍ରଥମେ ବେତାର ପ୍ରସାରଣ ହେଵାର ତିନି ଵର୍ଷ ଉତ୍ତାରୁ ଜୁନ ୧୯୨୩ରେ ଭାରତରେ ବମ୍ବେଠାରୁ ବେତାର ପ୍ରସାରଣ ହୋଇଥିଲା । ସେହିପରି ଆମେରିକାରେ ସର୍ଵପ୍ରଥମେ ଦୁଇ ଜୁଲାଇ ୧୯୨୮ରେ ଦୂରଦର୍ଶନ ପ୍ରସାରଣ ଆରମ୍ଭ ହୋଇଥିଲା ବେଳେ ଭାରତରେ ୧୫ ସେପ୍ଟେମ୍ବର ୧୯୫୯ରେ ପ୍ରଥମକରି ଦୂରଦର୍ଶନ ପ୍ରସାରଣ ପରୀକ୍ଷାମୂଳକ ଭାବେ ଆରମ୍ଭ କରି ୧୯୬୫ରେ ନିୟମିତ ପ୍ରସାରିତ ହେଲା।‌ ଭାରତରେ ଵିଦେଶ ସଞ୍ଚାର ନିଗମ ଲିମିଟେଡ୍(Vsnl) ଦ୍ଵାରା ୧୫ ଅଗଷ୍ଟ ୧୯୯୫ରେ ଇଣ୍ଟରନେଟ ସେଵା ଆରମ୍ଭ ହୋଇଥିଲା କିନ୍ତୁ ଆମେରିକାରେ ୨୯ ଅକ୍ଟୋବର ୧୯୬୯ରେ Stanford ଓ UCLA ଵିଶ୍ଵଵିଦ୍ୟାଳୟର କମ୍ପୁଟର Arpanet ଦ୍ଵାରା ସଂଯୁକ୍ତ ହୋଇଥିଲା । ମୋଟ ଉପରେ କହିଵାକୁ ଗଲେ ୧୯୬୯ର ଆମେରିକା ଵୈଷୟିକ କ୍ଷେତ୍ରରେ ଏକ ପ୍ରମୁଖ ଅଗ୍ରଣୀ ଦେଶ ଥିଲା । 

୧୯୬୯ ମସିହାରେ ନାସା ପାଖରେ ଅଧିକ ପେଲୋଡ୍ କ୍ଷମତାଯୁକ୍ତ ରକେଟ୍ ଥିଵା ଯୋଗୁଁ ଆପୋଲୋ ଯାନକୁ ଏପରି ଭାବେ ନିର୍ମାଣ କରାଯାଇପାରିଲା ଯଦ୍ଵାରା ସେ ଯାନ ଚନ୍ଦ୍ରରେ ଅଵତରଣ କରିଵା ପରେ ମହାକାଶଚାରୀଙ୍କୁ ପୃଥିଵୀକୁ ଫେରାଇ ଆଣିପାରିଵାରେ ସକ୍ଷମ ହୋଇପାରିଲା। ମହାକାଶରେ ପହଞ୍ଚିଵା ପରେ ଆପୋଲୋ ମହାକାଶଯାନର ଦୁଇଟି ଅଂଶ ଥିଲା: କମାଣ୍ଡ ତଥା ସର୍ଭିସ୍ ମଡ୍ୟୁଲ୍ ଓ ଲୁନାର ଲ୍ୟାଣ୍ଡର୍ ମଡ୍ୟୁଲ୍ । କମାଣ୍ଡ ମଡ୍ୟୁଲରେ ଥାଇ ମାଇକେଲ କଲିନ୍ସ ଚନ୍ଦ୍ର ଚତୁର୍ପାଶ୍ବରେ ପରିକ୍ରମା କରୁଥିଵା ବେଳେ ନୀଲ୍ ଓ ଏଲଡ୍ରିନ ମୁନ୍ ମଡ୍ୟୁଲରେ ବସି ଚନ୍ଦ୍ରପୃଷ୍ଠରେ ଅଵତରଣ କରିଥିଲେ। ଲୁନାର୍ ମଡ୍ୟୁଲ ମଧ୍ୟ ଦୁଇ ଭାଗରେ ଵିଭକ୍ତ ଥିଲା ଏଵଂ ଉଭୟରେ ରକେଟ ଇଞ୍ଜିନ ଫିକ୍ସ ଥିଲା । ଅଵତରଣ ପରେ ତଳ ଭାଗ ଚନ୍ଦ୍ରରେ ରହି ଉପର ଭାଗ ପାଇଁ ଲଞ୍ଚ୍ ପ୍ୟାଡ୍ ଭଳି କାମ କରିଥିଲା।

ଚନ୍ଦ୍ରରେ ଅଵତରଣ ସମୟରେ ଲୁନାର୍ ମଡ୍ୟୁଲ୍‌ର ମୋଟ୍ ଓଜନ ୧୫୧୦୩ କିଲୋଗ୍ରାମ ଥିଲା । ଏଥିରେ ଇନ୍ଧନ ଭାବରେ ଏରୋଜିନ ୫୦, ଅକ୍ସିଡାଇଜର‌୍ ଭାବରେ ନାଇଟ୍ରୋଜେନ ଟେଟ୍ରୋକ୍ସାଇଡ, ଅକ୍ସିଜେନ୍, ପାଣି ଏଵଂ ଵୈଜ୍ଞାନିକ ଉପକରଣର ଓଜନ ହିଁ ୮ ଟନ୍‌ରୁ ଅଧିକ ଥିଲା । ଚନ୍ଦ୍ର ଅଵତରଣ ପରେ ପୁଣି ଚନ୍ଦ୍ରକୁ ଛାଡି଼ଵା ସମୟରେ ଲୁନାର୍ ଲୋଅର୍ ମଡ୍ୟୁଲ୍‌ର ଓଜନ ୨୪୪୫ କେଜି ଓ ଇନ୍ଧନର ଓଜନ ୨୩୭୬ କିଲୋଗ୍ରାମ ଥିଲା । ଚନ୍ଦ୍ର ଅଵତରଣ ସମୟରେ ରକେଟ୍ ଥ୍ରଷ୍ଟ ୪୫୦୦୦ ନ୍ୟୁଟନ୍ ଥିଵାବେଳେ ପୃଥଵୀକୁ ଫେରିଵା ସମୟରେ ଏହାର ଓଜନ ୧୫୦୦୦ ନ୍ୟୁଟନ୍ ଥିଲା । ଅର୍ଥାତ୍ ମହାକାଶଯାନ ସହିତ ପ୍ରତି ମୁହୂର୍ତ୍ତରେ କ'ଣ ଘଟୁଥିଲା, ମହାକାଶଯାନରେ କ'ଣ ଥିଲା, ସେ ସମ୍ପର୍କରେ ନାସା ପବ୍ଲିକ ଡୋମେନ୍‌ରେ ପ୍ରାୟ ସମସ୍ତ ତଥ୍ୟ ସାର୍ଵଜନୀନ କରିଛି। ତାକୁ ନଦେଖି, ନପଢ଼ି ଓ ତତ୍‌ ଵିଷୟରେ ଆଦୌ ଅଧ୍ୟୟନ ନକରି ୧୯୬୯ର ଚନ୍ଦ୍ରାଵତରଣକୁ ଅନେକେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି । 

ତେବେ ଆପୋଲୋ ମିଶନର ସତ୍ୟତାକୁ ଆମ୍ଭେମାନେ ସ୍ଵୟଂ ବି ଏକ ଉପାୟରେ ପରୀକ୍ଷା କରିପାରିଵା । ଏଥିପାଇଁ କେଵଳ ଏକ ପର୍ଯ୍ୟଵେକ୍ଷଣାଗାର ସହିତ ଯୋଗାଯୋଗ କରିଵାକୁ ହେଵ । ଏହି ପର୍ଯ୍ୟଵେକ୍ଷଣାଗାରରେ ଏକ ଶକ୍ତିଶାଳୀ ଲେଜର ସୁଟିଂ ସିଷ୍ଟମ ତଥା ତାକୁ ପୁନଃ ପ୍ରାପ୍ତ ପୂର୍ଵକ ଚିହ୍ନଟ କରିଵାର ସାମର୍ଥ୍ୟ ଥିଵା ଆଵଶ୍ୟକ । ଉକ୍ତ ପରୀକ୍ଷଣ ପ୍ରକ୍ରିୟାରେ ଜଣେ ଵିଶେଷଜ୍ଞଙ୍କଠାରୁ ଲୁନର୍ କୋର୍ଡିନେଟ୍ ସିଷ୍ଟମକୁ ବୁଝି ଚନ୍ଦ୍ରର ଅକ୍ଷାଂଶ: ୦.୬୭୩୦୮° N ଓ ଦ୍ରାଘିମା: ୨୩.୪୭୨୯୭° Eକୁ ଲେଜର୍ ସୁଟ୍ କରିଵାକୁ ହେଵ ‌। ପାଖାପାଖି ଅଢ଼େଇ ସେକେଣ୍ଡ ପରେ ପଠାଯାଇଥିଵା ଲେଜର୍ ପୁନଃ ପ୍ରାପ୍ତ ହୋଇଯିଵ । ଏହି କୋର୍ଡିନେଟ୍ ଆପୋଲୋ ମିଶନ ଦ୍ୱାରା ଚନ୍ଦ୍ରରେ ଛଡ଼ା ଯାଇଥିଵା ଲେଜର ରିଫ୍ଲେକ୍ଟରର ଯାହା ଉପରେ ଆଜି ବି ସାରା ଵିଶ୍ୱର ଵୈଜ୍ଞାନିକମାନେ ଲେଜର ବାଉନ୍ସ କରି ମହାକାଶରେ ଚନ୍ଦ୍ରର ପ୍ରକୃତ ସ୍ଥିତି ଆକଳନ କରିଵାରେ ସକ୍ଷମ ହୋଇଥାନ୍ତି । ଏ ଲେଜର ରିଫ୍ଲେକ୍ଟର ସାହାଯ୍ୟରେ ହିଁ ଆମେ ଜାଣିଵାକୁ ସକ୍ଷମ ହୋଇଛୁ ଯେ ଚନ୍ଦ୍ର ପ୍ରତିଵର୍ଷ ପୃଥିଵୀଠାରୁ ଦେଢ଼ ଇଞ୍ଚ ଦୂରକୁ ଚାଲିଯାଉଛି ।

୫୦ ଵର୍ଷ ଧରି ନାସା କାହିଁକି ଚନ୍ଦ୍ରକୁ ଯିଵା ବନ୍ଦ କରିଦେଇଛି ବୋଲି ମଧ୍ୟ ପ୍ରଶ୍ନ ଉଠେ। ଏହାର ସରଳ ଉତ୍ତର,ଧରାନ୍ତୁ ଆପଣ ଗୋଆ ଯିଵାକୁ ପସନ୍ଦ କରନ୍ତି, କିନ୍ତୁ ଆପଣ ପ୍ରତିବର୍ଷ ଗୋଆ ଯାଆନ୍ତି କି? ବଡ଼ ହେଲେ ଆପଣ ଗୋଆକୁ ଦୁଇ ଚାରି ଥର ଯିବେ ଓ ସାରା ଗୋଆଟାକୁ ଦେଖି ଦେବେ, ଏହା ପରେ ଆପଣ ଅର୍ଥର ସଦୁପଯୋଗ କରି ଅନ୍ୟ ଗନ୍ତଵ୍ୟସ୍ଥଳକୁ ଯିଵାକୁ ପସନ୍ଦ କରିବେ ନା ସଦାବେଳେ ଗୋଆକୁ ହିଁ ଧାଉଁଥିବେ ? ହଁ ପ୍ରେମ ପ୍ରସଙ୍ଗ କଥା ଅଲଗା, ସେଥିରେ ତ ଆଵଶ୍ୟକ ହେଲେ,ସମ୍ଭଵ ହେଉଥିଲେ ତଥା ସାଧନ ଥିଲେ ପ୍ରେମୀଜଣକ ବ୍ରହ୍ମାଣ୍ଡ ଆରପାଖକୁ ବି ବାରମ୍ବାର ଯିଵା ଆସିଵା କରିଵ ! 

ପୁଣି ଏବେ ପୃଥିଵୀର କୋଣ ଅନୁକୋଣରେ ମୁଣ୍ଡପିଟା କାନ୍ଦୁରା ଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ତେଣିକି ମନୁଷ୍ୟ ଭଳି ଏକ ଉନ୍ନତ ସଭ୍ୟତା ଗଢ଼ିଥିଵା ଜୀଵ ଅନ୍ୟ ଗ୍ରହରେ ନପହଞ୍ଚି ପାରି ଦିନେ ଅତର୍କିତ ଗ୍ରହାଣୁ ଆକ୍ରମଣ ଯୋଗୁଁ ଡାଇନୋସର ଭଳି ଲୁପ୍ତ ହୋଇଯାଉ ପଛେ ଏ କାନ୍ଦୁରାମାନେ ଅନ୍ତରୀକ୍ଷ ଗଵେଷଣା କ୍ଷେତ୍ରରେ ଅତ୍ୟଧିକ ଧନ ଵ୍ୟୟ ଅନାଵଶ୍ୟକ ଇତ୍ୟାଦି ମତ ଦିଅନ୍ତି ଏମନ୍ତ କି ଆନ୍ଦୋଳନ ଓ ଵିକ୍ଷୋଭ ମଧ୍ୟ କରନ୍ତି । ଆମେରିକା ଏକ ଵ୍ୟୟବହୁଳ ଦେଶ । ଏ ଦେଶରେ ମହାକାଶ ଅଭିଯାନର ହାରାହାରି ମୂଲ୍ୟ ୩୦ରୁ ୪୦ ହଜାର କୋଟି ଟଙ୍କା। ସଫଳ ଆପୋଲୋ ଅଭିଯାନ ପରେ ନାସାର ବଜେଟ୍ ହ୍ରାସ କରାଯାଇଥିଲା, ଯେଉଁଥିପାଇଁ ସେମାନେ ସୌରମଣ୍ଡଳର ଅନ୍ୟ ଗ୍ରହକୁ ଅନ୍ତରୀକ୍ଷୀୟ ଅଭିଯାନ ପଠାଇଵା ଉପରେ ଅଧିକ ଧ୍ୟାନ ଦେଇଥିଲେ, କିନ୍ତୁ ଚନ୍ଦ୍ରକୁ କେହି ଭୁଲି ନାହାନ୍ତି। ଆଗାମୀ କିଛି ଵର୍ଷ ମଧ୍ୟରେ ନାସା ଆଠ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଚନ୍ଦ୍ରରେ ଏକ ସ୍ଥାୟୀ ଷ୍ଟେସନ୍ ନିର୍ମାଣ କରିଵାକୁ ଯାଉଛି ଯାହା ଦ୍ୱାରା ଭଵିଷ୍ୟତର ମହାକାଶ ଯାତ୍ରା ଶସ୍ତା ଓ ସହଜ ହୋଇପାରିଵ ।
ନୀଲ୍ ଓ ଏଲଡ୍ରିନ୍ ଚନ୍ଦ୍ରରୁ ୨୧ କେଜି ଓଜନର ପଥର ମଧ୍ୟ ଆଣିଥିଲେ । ଵିଶ୍ୱର ହଜାର ହଜାର ଵୈଜ୍ଞାନିକ ଚନ୍ଦ୍ରପୃଷ୍ଠର ଏହି ପଥର ଗୁଡ଼ିକର ସ୍ଵାଧୀନ ପରୀକ୍ଷଣ କରିଛନ୍ତି ଏଵଂ ଏହାକୁ ଚନ୍ଦ୍ରର ପଥର ବୋଲି ମାନିଛନ୍ତି। ଆପୋଲୋ ଅଭିଯାନ ସମୟରେ ଵିଶ୍ୱର ରୁଷ୍ ଆଦି ଦେଶର ମହାକାଶ ସଂସ୍ଥା ତଥା ହଜାର ହଜାର ସ୍ୱାଧୀନ ଜ୍ୟୋତିର୍ଵିଜ୍ଞାନୀଙ୍କ ଟିମ୍ ପ୍ରତି ମୁହୂର୍ତ୍ତରେ ଆପୋଲୋର ଗତିବିଧି ଉପରେ ଦୃଷ୍ଟି ରଖିଥିଲେ। ଆପୋଲୋ ମିଶନରେ ନାସା ସହ ୪ ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିଲେ। ଵିଶ୍ୱର ଅନେକ ମହାକାଶ ସଂସ୍ଥା, ଏପରିକି ଇସ୍ରୋ ଏଵଂ ଆମେରିକାର ପ୍ରତିଦ୍ୱନ୍ଦ୍ୱୀ ରୁଷିଆ ମଧ୍ୟ ଆପୋଲୋ ମିଶନକୁ ସତ୍ୟ ବୋଲି କରିଛନ୍ତି। ଆମେରିକା, ଵିଶ୍ୱର ଲକ୍ଷ ଲକ୍ଷ ଵୈଜ୍ଞାନିକ, ମହାକାଶ ସଂସ୍ଥା ଓ ଵୈଜ୍ଞାନିକ ବୁଦ୍ଧି ବୈଜ୍ଞାନିକଙ୍କ ଆଖିରେ ଧୂଳି ପକାଇ ଆପୋଲୋ ଅଭିଯାନକୁ ହଲିଉଡ୍ ଷ୍ଟୁଡିଓରେ ସୁଟିଂ କରିଦେଲା ଆଉ ଧରା ପଡ଼ିଲା ନାହିଁ ? ଲକ୍ଷ ଲକ୍ଷ ଲୋକ, ସହସ୍ରାଧିକ ଵୈଜ୍ଞାନିକ ତଥା ମହାକାଶ ଅଭିଯାନରେ ପ୍ରତିଦ୍ବନ୍ଦିତା କରୁଥିଵା ଋଷିଆର ମୁହଁ ବନ୍ଦ କରିଵାକୁ ଟଙ୍କା ଓ ଧମକ ଆଦି ଦେଇ ଯଦି ଆମେରିକା ସେସମୟରେ ଚେଷ୍ଟା ବି କରିଥାନ୍ତା ଧରା ପଡ଼ି ନଥାନ୍ତା ? କ'ଣ ଆମ ଦେଶର ଇସ୍ରୋ ବି ନାସା ପାଖରେ ବିକ୍ରି ହୋଇ ଯାଇଥିଲା ? 

ଵିଶ୍ୱାସ କରନ୍ତୁ,ଯଦି ଆମେରିକା ସେସମୟରେ ଏତେ ବଡ଼ ଧରଣର ମିଥ୍ୟା ଷଡ଼ଯନ୍ତ୍ର କରିଥାଆନ୍ତା ତାହେଲେ ଆର୍ଥିକ ଦେଵାଳିଆ ହେଵା ସହିତ ଋଷ ଦ୍ଵାରା ଵିଶ୍ଵଦରବାରରେ ଧରା ମଧ୍ୟ ପଡ଼ିଥାଆନ୍ତା । ତେଣୁ ସେତେବେଳେ ମିଛ ଚନ୍ଦ୍ର ଅଭିଯାନ ଭିଆଇଵା ଅପେକ୍ଷା ଆମେରିକା ପାଇଁ ଚନ୍ଦ୍ରପୃଷ୍ଠରେ ଵାସ୍ତଵ ଅଵତରଣ କରିଵା ଅଧିକ ସହଜ ଓ ଵ୍ୟୟସାପେକ୍ଷ ଥିଲା । 

ଆମେରିକାର ୧୯୬୯ ଚନ୍ଦ୍ର ଅଭିଯାନ ସମ୍ବନ୍ଧରେ ଅନେକେ ଅନେକ କନ୍ସିପିଏରନ୍ସି ଥିଓରୀ ଗଢ଼ିଛନ୍ତି ଏଵଂ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ଭୁଆଁ ବୁଲାଉଛନ୍ତି କିନ୍ତୁ ସମସ୍ତ ଵୈଜ୍ଞାନିକ ତଥ୍ୟ ସ୍ପଷ୍ଟ କରେ ଯେ ଉକ୍ତ ମହାକାଶ ଅଭିଯାନ ପ୍ରକୃତରେ ହୋଇଥିଲା ।

Tuesday, September 19, 2023

•ହନ୍ଦୀ ହନୁକରଣ ଭାରତ୍ ମାତା କୀ ଜୟ୍•

ଆଜିକାଲି ବୁଢ଼ାଠାରୁ ହଡ଼ା ଯାଏଁ,ମେଞ୍ଚେଡ଼ ପିଲାଠାରୁ କଞ୍ଚା ଭେଣ୍ଡିଆ ପର୍ଯ୍ୟନ୍ତ ଅଧିକାଂଶ ଜାଣତରେ ହେଉ ଵା ଅଜାଣତରେ ହିନ୍ଦୀ ହନୁକରଣ କରି ଚାଲିଛନ୍ତି ।‌ ଦେଶଭକ୍ତି ନାଆଁରେ ବି ଏଠି ହିନ୍ଦୀ ହନୁକରଣ ହୁଏ ।‌
କେମିତି ?
ଅନେକ ଓଡ଼ିଆ କହିଲା ଓ ଲେଖିଲା ବେଳେ ହିନ୍ଦୀ ହନୁକରଣରେ "ଭାରତ୍ ମାତା କୀ ଜୟ୍" କୁହନ୍ତି । ଏହା ଏକ ହିନ୍ଦୀ ପଦ । ବଡ଼ ଦୁଃଖ ଲାଗେ ଯେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ହୋଇ ମଧ୍ୟ ଏହି ଭାଷାକୁ ବୋଲୁଥିଵା ଲୋକେ ଦେଶଭକ୍ତି ପ୍ରଦର୍ଶନ ପାଇଁ ଅନ୍ୟ ଏକ ଭାଷାର ସାହାଯ୍ୟ ନିଅନ୍ତି । ଓଡ଼ିଆ ଭାଷାରେ "ଜୟ ଭାରତମାତା" , "ଜୟ ମାଆ ଭାରତୀ" ଓ "ଭାରତମାତାଙ୍କ ଜୟ" ନକହି ଆମେ ଦେଶଭକ୍ତି ନାଆଁରେ ହିନ୍ଦୀ ପଦ "ଭାରତ୍ ମାତା କୀ ଜୟ୍" କାହିଁକି କହିଵା ? କ'ଣ ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷାଟା ହିନ୍ଦୀଠାରୁ ନ୍ୟୂନ ହୀନ ନା ଓଡ଼ିଆ ଭାଷାରେ ଦେଶାତ୍ମବୋଧକ ରଚନା ହୋଇପରିଵ ନାହିଁ ? 

ଉଲ୍ଲେଖଯୋଗ୍ୟ ଯେ
ଓଡ଼ିଆ ଭାଷାରେ 'କି' ବୋଲି ଏକ ଵିଭକ୍ତି ପ୍ରତ୍ୟୟ ନିଶ୍ଚୟ ଅଛି କିନ୍ତୁ ତାହା ହିନ୍ଦୀର की ସହିତ ସମାର୍ଥକ ସଗୋତ୍ରୀୟ ନୁହେଁ ।‌

•ଓଡ଼ିଆ ଭାଷାରେ 
କଅଣ; କେଉଁ; କିସ ଅର୍ଥରେ 'କି' ଵ୍ୟଵହାର କରାଯାଏ 

"ଚିହ୍ନିକି ଲଞ୍ଛନ ସତେ,
ଚାମରଚିକୁରା ମତେ,
ଚହକାଇ ପଚାରିଲୁ କହ।"
( କଵିସୂର୍ଯ୍ୟ, କିଶୋରୀ ଚନ୍ଦ୍ରାନନ୍ଦଚମ୍ପୂ ଗୀତ)

ଅନିର୍ଵଚନୀୟ(Unspeakable) ଅର୍ଥରେ ବି 'କି' ପ୍ରୟୋଗ ହୋଇଛି

"ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁ ରେ।"(କଵିସୂର୍ଯ୍ୟ, କିଶୋରୀଚମ୍ପୂ. ଖ. ଗୀତ)

ଵିଶେଷଣର ଵିଶେଷଣ ଭାବେ 'କି'। ଶବ୍ଦଟି କେଡ଼େଷର୍ଥରେ ମଧ୍ୟ ପ୍ରୟୋଗ କରାଯାଏ 

"ଫୁଲମଲ୍ଲୀହାସିରେ,
ସତେ ତୁ କି ସାହସୀରେ।"
(କଵିସୂର୍ଯ୍ୟ, ସଙ୍ଗୀତ।)

ଓଡ଼ିଆ ଅଵ୍ୟୟ ଶବ୍ଦ ରୂପେ 'କି' ଶବ୍ଦ ଆଠୋଟି ଅର୍ଥରେ ପ୍ରୟୋଗ କରାଯାଏ।
ଯଥା :

(କ) (ଡାକିଵାଲୋକକୁ ଉତ୍ତର)—କାହିଁକି ଡାକୁଛୁ
(ଖ)(କ୍ରିୟାପରେ) ପ୍ରାଶ୍ନାର୍ଥକ; ଵିତର୍କ
"ନେଲା କେ ତା ହରି କି ରେ ଯାଏ କିଛି ସରି କି ରେ।"( କଵିସୂର୍ଯ୍ୟ, କିଶୋରୀଚମ୍ପୂ. ଚ ଗୀତ।)
(ଗ)(ଅଵଧାରଣାର୍ଥ) ଟି; ହିଁ; ନିଶ୍ଚେଁ
“ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁକି ପ୍ରାଣ।” (କଵିସୂର୍ଯ୍ୟ, କିଶୋରୀ ଚମ୍ପୂ, ଚ ଗୀତ।)
(ଘ)କିମ୍ବା; କିବା; ଅବା; ବା
(ଙ)(ବିତର୍କାର୍ଥ) ପରି; ପ୍ରକାରେ; ସତେ ଯେପରି ମତେ ଲାଗୁଛି
(ଚ)(ବିସ୍ମୟାର୍ଥକ) ଓଃ
(ଛ)(ଖେଦାର୍ଥକ)—କେଡ଼େ କଥା!
(ଜ)(ଅମୁକ) ଆଡ଼କୁ; ଦିଗକୁ
(ଯଥା—ଏଣିକି, ତେଣିକି, ଯେଣିକି।)

ପୁଣି ଓଡ଼ିଆ ପ୍ରତ୍ୟୟ ରୂପରେ 'କି' ଶବ୍ଦର ତିନୋଟି ପ୍ରୟୋଗ ରହିଛି 

(କ)ଦ୍ଵିତୀୟା ଵିଭକ୍ତିର ଚିହ୍ନ 'କୁ' ଵା 'ପ୍ରତି' ସ୍ଥାନରେ 'କି' ଵ୍ୟଵହୃତ ହୋଇଥାଏ

"ପିନ୍ଧିଣଛନ୍ତି ଯେଉଁ ବସନ ଖଣ୍ଡିକି ନିନ୍ଦୁଅଛି ଜ୍ୟୋତିରେ ସେ କଳା ହାଣ୍ଡିକି।"(କୃଷ୍ଣସିଂହ, ମହାଭାରତ, ଵନ।)

(ଖ)4ର୍ଥୀ ଵିଭକ୍ତିରେ ଚିହ୍ନ 'କୁ' ସ୍ଥାନରେ ନିମିତ୍ତ ଵା ସକାଶେ ଅର୍ଥରେ 'କି' ପ୍ରୟୋଗ କରାଯାଏ

“ଇହ ଲୋକ ପାଇଲେ ଲୋକର ପରଲୋକ ହେଉଛି ଏଥିକି କରିଵା କେତେ ଶୋକ।” (କୃଷ୍ଣସିଂହ, ମହାଭାରତ, ଭୀଷ୍ମ।)

{ଦ୍ର:-ଇକାରାନ୍ତ ଶବ୍ଦମାନଙ୍କ ପରେ 'କୁ' ସ୍ଥଳରେ ବିକଳ୍ପେ 'କି' ହୁଏ ଯଥା ଏଣିକି, ଏଣିକୁ; ଗାଈକି, ଗାଈକୁ।}

(ଗ)ପଞ୍ଚମୀ ଵିଭକ୍ତି ଚିହ୍ନ 'ଠୁଁ' ଵା 'ଠାରୁ' ସ୍ଥାନରେ 'ତୁଳନାରେ' ଅର୍ଥରେ 'କି' ଵିଭକ୍ତି ଚିହ୍ନ ପ୍ରୟୋଗ କରାଯାଏ

“ଭୋଗ ଅଳଙ୍କାର ଭୋଜନ ଧନ ଧାନ୍ୟ
 ରତିକି ଊଣା କରି ମଣନ୍ତି ସ୍ତ୍ରୀଜନ।”
(କୃଷ୍ଣସିଂହ, ମହାଭାରତ, ଅନୁଶାସନ ପର୍ଵ)

ପୂର୍ଵାଞ୍ଚଳର କଥିତ ଭାଷାରେ ସମାପିକା କ୍ରିୟା ରୂପରେ ବି 'କି' ଶବ୍ଦ ଵ୍ୟଵହୃତ ହୋଇଥାଏ 

"କରି ଓ ଅମୁକ କ୍ରିୟା ସମ୍ପାଦନ କରି" ଅର୍ଥରେ 'କି' ସମାପିକା କ୍ରିୟା ଵ୍ୟଵହାର କରାଯାଏ । ଏହାର ଅନ୍ୟରୂପ କରି,କିରି,କିନି,କିଣି ଇତ୍ୟାଦି ଏଵଂ ଏସବୁ କରିଵା କ୍ରିୟାଶବ୍ଦ ସହିତ ସମୋଦ୍ଧୃତ । 

ଏହାର ଵାକ୍ୟ ଵ୍ୟଵହାର ଉଦାହରଣ ସ୍ଵରୂପ ଓଡ଼ିଆ ଭାଷାରେ କୁହାଯାଏ
ମୁଁ ଖାଇ କରି ଯିବି...
ମୁଁ ଖାଇ କିରି ଯିବି...
ମୁଁ ଖାଇ କିଣି ଯିବି...
ମୁଁ ଖାଇ କିନି ଯିବି...
ଓ 
ମୁଁ ଖାଇକି ଯିବି...

କିନ୍ତୁ ହିନ୍ଦୀ ଭାଷାରେ ଯେତେବେଳେ "ଭାରତ୍ ମାତା କୀ ଜୟ୍" କୁହାଯାଏ ସେତେବେଳେ ଏକ ହିନ୍ଦୀ ଵିଭକ୍ତି ପ୍ରତ୍ୟୟ 'की' ଵ୍ୟଵହାର କରାଯାଏ । ଓଡ଼ିଆ ଭାଷାରେ ଯେମିତି ଷଷ୍ଠୀ ଵିଭକ୍ତି ହିନ୍ଦୀ ଷଷ୍ଠୀ ଵିଭକ୍ତି ର,ନ,ଙ୍କ,ଙ୍କର,ମାନଙ୍କ,ମାନଙ୍କର,ଗୁଡ଼ିକ ଓ ଗୁଡ଼ିକର ଆଦି ଚିହ୍ନ ଵ୍ୟଵହାର ହେଉଛି ଠିକ୍ ସେହିପରି ହିନ୍ଦୀରେ ଷଷ୍ଠୀ ଵିଭକ୍ତି ଚିହ୍ନ ଭାବେ का,की ଵ୍ୟଵହାର କରାଯାଏ । ହିନ୍ଦୀରେ का ଵିଭକ୍ତି ପୁରୁଷଙ୍କ ପାଇଁ,की ଵିଭକ୍ତି ସ୍ତ୍ରୀମାନଙ୍କ ପାଇଁ । ଅର୍ଥାତ୍ ହିନ୍ଦୀରେ ମହିଳା ପୁରୁଷ ଭେଦ ଦେଖି ଷଷ୍ଠୀ ଵିଭକ୍ତି ଚିହ୍ନ का ଓ की ଵ୍ୟଵହାର କରାଯାଏ । କିନ୍ତୁ ଓଡ଼ିଆ ଭାଷାରେ ଵିଭକ୍ତି ଚିହ୍ନରେ ସ୍ତ୍ରୀ ଓ ପୁରୁଷ ଭେଦଭାଵ ନାହିଁ ତେଣୁ ଭାରତ୍ ମାତା କୀ ଜୟ୍ କେବେବି ଏକ ଓଡ଼ିଆ ପଦ ନୁହେଁ ଵରଂ ହିନ୍ଦୀ ହନୁକରଣ ପଦ ଅଟେ । 

ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷାଟା ହୀନ ନ୍ୟୂନ ଅଯୋଗ୍ୟ କି ? ଆମେ ଆମ ଭାଷାରେ କ'ଣ ଭାରତ ମାତାଙ୍କୁ ଭକ୍ତି ଦେଖାଇ ପାରିଵାନି ଯେ ହିନ୍ଦୀର ସାହାଯ୍ୟ ନେଵା ? 

Sunday, September 17, 2023

•ତାରକାଙ୍କ ମଧ୍ୟରେ ମହାନାୟକ : ଧ୍ରୁଵତାରା(ଶିଶିର ସାହୁ ମନୋଜ)•


ଧ୍ରୁଵତାରା ଵା Polaris ଉତ୍ତର ଧ୍ରୁଵର ନିକଟରେ ଅଵସ୍ଥିତ ଥିଵାରୁ ଏହା ଏକ ନିଶ୍ଚଳ ତାରକା ପ୍ରତିଭାତ ହୋଇଥାଏ ସେଥିପାଇଁ ଭାରତୀୟମାନେ ଏହି ତାରକାର ନାମ ଧ୍ରୁ ଧାତୁରୁ ସ୍ଥିର ହେଵା ଅର୍ଥରେ ନିଷ୍ପନ୍ନ କରି ଧ୍ରୁଵ ଦେଇଥିଲେ । ଏହା ସର୍ଵଦା ସ୍ଥିର ଜଣାପଡ଼େ ଫଳତଃ ସହସ୍ରାଧିକ ଵର୍ଷ ଧରି ଏହାକୁ ଦେଖି ଅକୂଳ ସମୁଦ୍ରରେ ଓ ମରୁଭୂମିରେ ନାଵିକ ତଥା ପଥିକମାନେ ରାତିରେ ଦିଗ ଓ ଗନ୍ତଵ୍ୟ ପଥ ନିର୍ଣ୍ଣୟ କରି ଆସୁଛନ୍ତି । ପ୍ରାଚୀନ କାଳରେ ଧ୍ରୁଵତାରା ଅଧିକ ମହତ୍ତ୍ବପୂର୍ଣ୍ଣ ଥିଲା କାରଣ ଆଜି ଭଳି ସେ ଯୁଗରେ ପଥିକ ନାଵିକ ପାଇଁ ଦିଗ ନିର୍ଣ୍ଣୟ ହେତୁକ ଏତେ ଯାନ୍ତ୍ରିକ ସୁଵିଧା ସୁଯୋଗ ନଥିଲା । ସେଥିପାଇଁ କ୍ରମେ ଧ୍ରୁଵତାରାକୁ ସାଂସ୍କୃତିକ ମହତ୍ତ୍ଵ ମଧ୍ୟ ମିଳିଲା । ଭାରତରେ ଧ୍ରୁଵତାରାକୁ ନେଇ ଏକ ପୌରାଣିକ ଆଖ୍ୟାନ ରହିଛି ‌। 

ଉତ୍ତାନପାଦ ରାଜାଙ୍କର ପୁତ୍ର ଧ୍ରୁଵ ଜଣେ ପରମଵୈଷ୍ଣଵ ଭକ୍ତବାଳକ ଭାବେ ଭାରତରେ ଜଣାଶୁଣା । କୁହାଯାଏ ଏହି ଵିଷ୍ଣୁଭକ୍ତ ଧ୍ରୁଵ ଧ୍ରୁଵଯୋଗରେ ଜନ୍ମଗ୍ରହଣ କରିଥିଲେ ‌ । ଭାରତୀୟ ପୁରାଣଗାଥା ଅନୁସାରେ ସ୍ଵୟଂଭୂଵ ମନୁଙ୍କର ପୁତ୍ର ଉତ୍ତାନପାଦ ରାଜା ତାଙ୍କ କନିଷ୍ଠା ପତ୍ନୀ ସୁରୁଚିଙ୍କ ପ୍ରେରଣାରେ ତାଙ୍କର ପ୍ରଥମା ରାଣୀ ସୁନୀତିଙ୍କୁ ଵନକୁ ନିର୍ଵାସିତ କଲେ। ସୁନୀତିଙ୍କର ଵନଵାସ ସମୟରେ ଦିନେ ରାଜା ମୃଗୟାକୁ ଯାଇଥିଲେ। ସେ ପଥଭ୍ରଷ୍ଟ ହୋଇ ସୁନୀତିଙ୍କ କୁଟୀରରେ ପହଞ୍ଚିଲେ; ରାଜା ସୁନୀତିଙ୍କୁ ଆପଣା ରାଣୀ ବୋଲି ସେତେବେଳେ ଚିହ୍ନି ପାରି ନ ଥିଲେ; କିନ୍ତୁ ସୁନୀତି ରାଜାଙ୍କୁ ନିଜର ସ୍ୱାମୀ ବୋଲି ଚିହ୍ନିଲେ ଓ ତାଙ୍କୁ ଆଶ୍ରୟ ଦେଇ ଖୁବ୍ ଆଦର ଓ ସତ୍କାର କଲେ। ରାଜା ସୁନୀତିଙ୍କ କୁଟୀରରେ ଏକ ରାତ୍ର ରହିଲେ। ତତ୍ ଫଳରେ ସୁନୀତି ଗର୍ଭଵତୀ ହୋଇ ଧ୍ରୁଵଙ୍କୁ ଜନ୍ମ ଦେଲେ । ରାଜା ପରଦିନ ରାଜଧାନୀକୁ ଚାଲି ଆସିଲେ। ରାଜା ସୁନୀତିଙ୍କୁ ଭେଟିଵା ସମୟରେ ତାଙ୍କୁ ଗୋଟିଏ ଅଭିଜ୍ଞାନ ଵା ସନ୍ତକ ଦେଇଥିଲେ; ସୁନୀତି ତାହା ଧ୍ରୁଵଙ୍କ ହାତରେ ଦେଇ ତାହାଙ୍କୁ ପିତାଙ୍କ ନିକଟକୁ ପଠାଇଲେ। ରାଜା ଉକ୍ତ ସନ୍ତକ ଦେଖି ଧ୍ରୁଵଙ୍କୁ ଆପଣା ପୁତ୍ର ବୋଲି ଜାଣି କୋଳରେ ବସାଇଥିଵା ସମୟରେ ଵିମାତା ସୁରୁଚି ତାହା ଦେଖି ରାଜାଙ୍କୁ ତିରସ୍କାର କଲେ ଏଵଂ ଧ୍ରୁବଙ୍କୁ ରାଜପୁରରୁ ତଡ଼ିଦେଲେ। ଧ୍ରୁଵ ଲାଞ୍ଛନା ପାଇ ଵନକୁ ଫେରି ଆସି ମାତା ସୁନୀତିଙ୍କୁ ଏ କଥା କହିଵାରୁ ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, "ଭଗଵାନ୍ ଦୁଃଖୀର ଦୁଃଖ ଦୂର କରନ୍ତି।" ବାଳକ ଧ୍ରୁଵ ପଚାରିଲେ, "ଭଗଵାନ କାହାନ୍ତି?" ମାତା କହିଲେ, "ସେ ସବୁଠାରେ ଅଛନ୍ତି। ତାଙ୍କୁ ଯେ ଡାକେ ସେ ତା ଦୁଃଖ ଦୂର କରନ୍ତି ଓ ତାକୁ ଦେଖା ଦିଅନ୍ତି।" ବାଳକ ଧ୍ରୁଵ ମାତାଙ୍କଠାରୁ ଏହା ଶୁଣି ଅରଣ୍ୟକୁ ଯାଇ ଏକାନ୍ତଚିତ୍ତରେ ହରିଙ୍କୁ ଡାକିଲେ। ହରି ବାଳକର ଭକ୍ତିରେ ଵିଗଳିତ ହୋଇ ତାଙ୍କୁ ଦେଖା ଦେଲେ। ଉତ୍ତରଦିଗର ଆକାଶରେ ଦେଖା ଯାଉଥିଵା ଧ୍ରୁବ ନକ୍ଷତ୍ରହିଁ ଏହି ଧ୍ରୁଵ ବୋଲି ସନାତନୀମାନେ ଵିଶ୍ୱାସ କରନ୍ତି । 

ଧ୍ରୁଵତାରାର ଭାରତୀୟ ସନାତନୀ ସଂସ୍କୃତିରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୃହ୍ୟସୂତ୍ରମାନଙ୍କରେ ଵିଵାହର ୧୩ ଗୋଟି ଅଙ୍ଗ ଉଲ୍ଲିଖିତ ଅଛି; ଯଥା—ପାଣିଗ୍ରହଣ, ଵିଵାହ ହୋମ, ଲାଜା ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧ୍ରୁଵଦର୍ଶନ, ଯାନାରୋହଣ, ଵିଵାହାଗ୍ନୀକୁ ସଙ୍ଗରେ ନେଇ ଗମନ, ଗୃହପ୍ରଵେଶ, ଚତୁର୍ଥୀ କର୍ମ, ଗୃହାଗ୍ନୀପରିଚରଣ, ପକ୍ଷାଦିରେ ସ୍ଥାଳୀପାକ ଓ ଗର୍ଭାଧାନ। ଵିଵାହର ଏହି ତେରଗୋଟି ଅଙ୍ଗ ମଧ୍ୟରେ ଗୋଟିଏ ହେଉଛି ଧ୍ରୁଵ ଦର୍ଶନ । ଏହି 'ଧ୍ରୁଵଦର୍ଶନ' ସନାତନୀମାନଙ୍କ ଵିଵାହ କର୍ମକାଣ୍ଡ ଅନ୍ତର୍ଗତ ଏକ କର୍ମ, ଯହିଁରେ ମନ୍ତ୍ରପାଠପୂର୍ଵକ ଵର କନ୍ୟା ଦୁହେଁ ଧ୍ରୁଵତାରାକୁ ଦର୍ଶନ କରନ୍ତି । ନଵଵିଵାହିତ ଦମ୍ପତିଙ୍କର ପ୍ରେମ ଧ୍ରୁଵତାରା ପରି ନିଶ୍ଚଳ ରହିଵ ଏହି ଉଦ୍ଦେଶ୍ୟରେ ଧ୍ରୁଵଦର୍ଶନ କରାଯାଏ । 

ଧ୍ରୁଵଲୋକ ଓ ଧ୍ରୁଵମଣ୍ଡଳ ମଧ୍ୟ ସନାତନୀମାନଙ୍କ ପାଇଁ ଏକ ପଵିତ୍ର ସ୍ଥାନ । ଵିଷ୍ଣୁ ଭକ୍ତ ଧ୍ରୁଵଙ୍କ ପାଇଁ ନିର୍ମାଣ କରିଥିଵା ବିଷ୍ଣୁ ଲୋକର ଉପରିସ୍ଥ ସତ୍ୟଲୋକାନ୍ତର୍ଗତ ସ୍ୱର୍ଗଧାମକୁ ଧ୍ରୁଵଲୋକ କୁହାଯାଏ । ସେହିପରି ଉତ୍ତର ଦିଗରେ ଧ୍ରୁବତାରାକୁ ଲାଗି ରହିଥିଵା ସାତଗୋଟି ତାରାଯୁକ୍ତ ଶିଶୁମାର ମଣ୍ଡଳକୁ ଧ୍ରୁଵମଣ୍ଡଳ ତଥା ସପ୍ତର୍ଷିମଣ୍ଡଳକୁ ଧ୍ରୁଵଦର୍ଶକ କୁହାଯାଏ। ଭାରତୀୟ ସନାତନୀମାନେ ଵିଶ୍ଵାସ କରନ୍ତି ଯେ ଧ୍ରୁଵଙ୍କ ପରି ଅତ୍ୟନ୍ତ ପୁଣ୍ୟ ତଥା ନିଶ୍ଚଳ ଭକ୍ତି କଲେ ହିଁ ଧ୍ରୁଵଲୋକରେ ସ୍ଥାନ ମିଳେ । ଓଡ଼ିଆ ଭାଗଵତର ତ୍ରୟୋଦଶ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଧ୍ରୁଵଲୋକ ତଥା ଵିଷ୍ଣୁଲୋକ ଵିଷୟରେ ସଂକ୍ଷେପରେ ଏମନ୍ତ ବୋଲାଯାଇଛି...

“ଧ୍ରୁଵ ଲୋକର ଯାଏ ବାଟ ।
ଯିଵା ଆସିଵା ଲୋକେ ଭେଟ ॥
ଯିଏ ସେ ତପସ୍ୟା କରଇ ।
ଧ୍ରୁଵ ମଣ୍ତଳ ଯାଏ ଯାଇ ॥
ତେଣିକି ନ ଦିଅଇ ପଥ । 
ହସି କହନ୍ତି ଜଗନ୍ନାଥ ॥
ଧ୍ରୁବ ମଣ୍ତଳ ମାପ ହୋଇ ।
ଦ୍ୱାଦଶ ଯୂଣ ପଥ କହି ॥
ସୂଚି ମୁନରେ ସରୁ ବାଟ ।
ଯିଵାକୁ ବହୁତ ସଙ୍କଟ ॥
ଚାରି ଯୋଜନ ଦ୍ୱାରେ ଯାଇ ।
ତହୁଁ ସୂକ୍ଷ୍ମ ପଥ ଅଟଇ ॥
ପୁଣି ଚାରି ଯୋଜନ ଦ୍ୱାର ।
ତହିଁରୁ ସରୁ ପଥ ତାର ॥
ତହିଁରୁ ଚାରିଯୂଣ ବାଟ । 
ଲେଶ ପ୍ରମାଣେ ପଥ କଷ୍ଟ ॥
ତେତେକ ଯହୁଁ ଗମି ଯାଇ ।
ତେବେ ମୋ ଭୁବନେ ମିଳଇ ॥
ଯେ ଭୂମି ବିସ୍ତାର ଅପାର ।
ଚୌରାଶି କାଠି ଦୀର୍ଘ ତାର ॥
ପ୍ରତି ତା ଦଶ ଲକ୍ଷ କାଠି ।
ତହିଁ ମଧ୍ୟରେ ଯେ ବଇଠି ॥
ବଇଠି ଉପରେ ମୋ ସ୍ଥାନ ।
ଠୁଳ ଆକାରେ ମୋ ଆସନ ॥”

ଭାରତଵର୍ଷର ପ୍ରାଚୀନ ସଂସ୍କୃତିରେ ଧ୍ରୁଵତାରାକୁ ଯେଉଁ ସମ୍ମାନ ମିଳିଛି ତାହା ଅନ୍ୟତ୍ର ଦେଖିଵାକୁ ମିଳେ ନାହିଁ । ଅଵଶ୍ୟ ଅନ୍ୟ ଅନେକ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ନାନା ଲୋକଗାଥା ରହିଛି କିନ୍ତୁ ଭାରତୀୟ ସଂସ୍କୃତିରେ ଯେଉଁ ଭଳି ଭାବେ ଧ୍ରୁଵତାରାକୁ ଏକ ଉଚ୍ଚ ସ୍ଥାନ ମିଳିଛି ସେଭଳି ଅନ୍ୟତ୍ର ଦେଖିଵାକୁ ମିଳିନଥାଏ । ପୃଥିଵୀର ଵିଭିନ୍ନ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଭିନ୍ନ ଭିନ୍ନ ଲୋକଗାଥାର ଵର୍ଣ୍ଣନା ରହିଛି । 

ଉତ୍ତର ଆମେରିକାର Paiute ଜନଜାତି ମଧ୍ୟରେ ଧ୍ରୁଵତାରାକୁ ନେଇ ଅନ୍ୟ ଏକ ଲୋକକଥା ପ୍ରଚଳିତ । Na-gah ନାମରେ ଏକ ପାର୍ଵତ୍ୟ ମେଷ ପର୍ଵତ ଚଢି଼ଵାକୁ ବଡ଼ ସୁଖ ପାଉଥିଲା ଏଵଂ ସେ ଏଥିରେ ବଡ଼ ସୁଦକ୍ଷ ମଧ୍ୟ ଥିଲା । ଫଳତଃ Na-gah ମେଷର ପିତା ସ୍ଵୟଂ ଭଗଵାନ ମଧ୍ୟ ତା'ର ଏହି କାମ ପାଇଁ ବଡ଼ ଗର୍ଵ ଅନୁଭଵ କରୁଥିଲେ । ଦିନେ ପର୍ଵତର ସେ ଏମିତି ଏକ ସ୍ଥାନ ଦେଖିଲା ଯୋଉଠିକି ପହଞ୍ଚିଵା ପ୍ରାୟତଃ କଷ୍ଟସାଧ୍ୟ କାର୍ଯ୍ୟ ତେବେ ସେ ଉତ୍ସୁକତାର ସହ ପର୍ଵତ ମଧ୍ୟରେ ଏକ ଗୁମ୍ଫା ପାଇ ତା ସାହାଯ୍ୟରେ ସେହି ଉଚ୍ଚ ସ୍ଥାନରେ ପହଞ୍ଚିଗଲା ‌। କିନ୍ତୁ ଦୁର୍ଭାଗ୍ୟଵଶତଃ Na-gah ମେଷ ଯେଉଁ ଗୁମ୍ପା ଦେଇ ପର୍ଵତ ଶୀର୍ଷରେ ପହଞ୍ଚିଥିଲା ସେହି ଗୁମ୍ପାଟି ଶୀର୍ଷ ଦେଶରେ ଅଵସ୍ଥିତ ପଥର ପଡ଼ି ନିବୁଜ ହୋଇଗଲା ଫଳତଃ ସେ ସେହିଠାରେ ଫସିଗଲା । ଏହା ଦେଖି Na-gah ମେଷର ପିତା ବଡ଼ ଦୁଃଖ କଲେ କାରଣ ତାଙ୍କ ପୁତ୍ର ଆଉ କେବେବି ସ୍ଵଦେହରେ ଫେରିଵ ନାହିଁ ତେଣୁ ସେ ତାକୁ ସବୁଦିନ ପାଇଁ ଅମର କରିଦେଵାକୁ ଉତ୍ତର ଆକାଶର ଧ୍ରୁଵ ତାରକା କରିଦେଲେ । 

ଆମେରିକାର ଲକୋଟା ଜନଜାତୀୟ ଲୋକେ ଧ୍ରୁଵତାରାକୁ "Wičháȟpi owáŋžila" କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ସେହି ତାରା ଯିଏ ସର୍ଵଦା ସ୍ଥିର ରୁହେ" । ଲକୋଟା ଜନସୃତି ଅନୁସାରେ ଏହି ତାରା ଜଣେ ସ୍ଵର୍ଗର ଦେଵ ଥିଲେ ଯିଏ Tapun San Win(ଲାଲ୍ ଗାଲ ଵିଶିଷ୍ଟ ମହିଳା)କୁ ବାହା ହୋଇଥିଲେ । କୌଣସି କାରଣରୁ ତାଙ୍କର ପତ୍ନୀ ସ୍ବର୍ଗରୁ ପତିତ ହେଵାରୁ ପତ୍ନୀ ଵିୟୋଗ ଦୁଃଖରେ ତାକୁ ଉଣ୍ଡିଵାକୁ ସେ ସବୁବେଳେ ସ୍ଥିର ହୋଇ ତାକୁ ଏଯାଵତ୍ ଧରା ମଧ୍ୟରେ ଉଣ୍ଡୁଅଛନ୍ତି ‌ । 

ଆମେରିକାର ଇନ୍ୟୁତ୍ ଜନଜାତୀୟ ଲୋକେ ଧ୍ରୁଵତାରାକୁ Nuuttuittuq କହୁଥିଲେ ଯାହାର ଆକ୍ଷରିକ ଅର୍ଥ ସ୍ଥିରତାରା ଅଟେ । ଏହି ଜନଜାତିରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳକୁ ନେଇ ଏକ ଲୋକକଥା ପ୍ରଚଳିତ ଥିଲା ‌। ସାତଜଣ ଶିକାରୀ ଜଙ୍ଗଲରେ ହଜିଗଲେ ଆଉ ଘରକୁ ଯିଵାକୁ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରିଲେ ନାହିଁ । ବଡ଼ କଷ୍ଟରେ ରାତ୍ରି ପୂର୍ଵରୁ ସେମାନେ ଗୋଟିଏ ଗଛ ଉପରେ ଚଢ଼ିଗଲେ ଏଵଂ ସେମାନଙ୍କର ଦେଵତାଙ୍କୁ ସାହାଯ୍ୟ କରିଵାକୁ ପ୍ରାର୍ଥନା କଲେ । ହଠାତ୍ ଏକ ଛୋଟ ଝିଅ ସେଠାରେ ଉପସ୍ଥିତ ହୋଇ କହିଲା ମୋତେ ଦେଵତାମାନେ ତୁମମାନଙ୍କୁ ସାହାଯ୍ୟ କରିଵାକୁ ପଠାଇଛନ୍ତି ମୁଁ ତୁମକୁ ବାଟ କଢ଼ାଇ ଦେବି ତୁମେ ମୋ ପଛେ ପଛେ ଆସ । ସାତଜଣ ଶିକାରୀ ତାକୁ ପଚାରିଲେ ତୁମେ କିଏ ସେତେବେଳେ ଝିଅଟି କହିଲା ମୁଁ ଉତ୍ତର ଦିଗର ତାରା । ବହୁତ ଦିନ ପରେ ଯେତେବେଳେ ସେଇ ସାତଜଣ ଶିକାରୀଙ୍କର ଦେହାନ୍ତ ହୋଇଗଲା ସେମାନେ ଆକାଶରେ ତାରକା ହୋଇଗଲେ ଏଵଂ ସପ୍ତର୍ଷିମଣ୍ଡଳ ଭାବେ ପ୍ରତିଷ୍ଠିତ ହେଲେ ।
ଚୀନର ଦେଶର ପୁରାଣଗାଥାରେ ଧ୍ରୁଵତାରା ସମ୍ବନ୍ଧରେ ଏକ ରୋଚକ କଥା ରହିଛି । ଦେଵୀ "(ମ୍ୟାଡାମ୍) ଜି ଗୁଆଙ୍ଗ" ସ୍ଵର୍ଗର ଉଦ୍ୟାନକୁ ବୁଲି ଯାଇଥିଲେ । ସେ କମଳ ପୁଷ୍କରିଣୀ ପାଖରେ ଥିଵା ଉଷ୍ମ ଝରଣା ଦ୍ୱାରା ଆକର୍ଷିତ ହୋଇ ସେଠାରେ ସ୍ନାନ କଲେ, ହଠାତ୍ ଏକ ଚମତ୍କାର ଘଟଣା ଘଟିଲା ଓ ସେଠାରେ ନଅଟି ପଦ୍ମ ଦେଖାଗଲା ଏଵଂ କିଛି ସମୟ ପରେ ସେହି ନଵଗୋଟି ପଦ୍ମ ମଧ୍ୟରୁ ନଅଟି ଶିଶୁ ଉତ୍ପନ୍ନ ହେଲେ । ତା’ପରେ ସେହି ନଅ ଜଣ ପିଲା ବଡ଼ ହେଲେ । ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ପିଲାର ନାମ Gou Cheng Xing ( 勾 城 星 ) ରଖାଗଲା ସେ ହେଲା ସ୍ଵର୍ଗର ଧ୍ରୁଵତାରା । ତାହାର ଅନ୍ୟ ଆଠଜଣ ଭାଇ Tang Lang ( 貪 狼 ), Ju Men ( 巨门 ), Lu Cun ( 路存), Wen Qu ( 文 曲 ), Lian Zhen ( 廉 貞 ), Wu Qu ( 武 曲 ) ଓ Po Jun ( 破 君 ) ସପ୍ତର୍ଷିମଣ୍ଡଳ ଭାବରେ ତାହାର ଶାସନାଧୀନ ହୋଇ ରହିଲେ । 

ଚୀନ ଦେଶର ତାଓ ଧର୍ମରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳର ଅଧିଷ୍ଠାତ୍ରୀ ଦେଵୀ Dǒumǔ ବୋଲି ଲୋକଵିଶ୍ଵାସ ପ୍ରଚଳିତ । ଏହାଙ୍କର ଅନ୍ୟ ଚୀନ ଦେଶୀୟ ନାମ Dǒumǔ Yuánjūn,Dòulǎo Yuánjūn,Dàomǔ ଓ Tàiyī Yuánjūn ଅଟେ । Dǒumǔଙ୍କୁ ଧ୍ରୁଵତାରାର ଦେଵୀ ( 斗 母 元 君 ) ଅଭିହିତ କରାଯାଏ । ଚୀନଦେଶରେ ଉଭୟ ତାଓ ଧର୍ମାବଲମ୍ବୀ ଓ ବୌଦ୍ଧଧର୍ମ ଗ୍ରହଣ କରିଥିଵା ଲୋକେ ଏହି ଦେଵୀଙ୍କୁ ଆରାଧନା କରିଥାନ୍ତି ‌। ଏହି ଦେଵୀ ହିଁ ସପ୍ତର୍ଷିମଣ୍ଡଳ ଓ ଧ୍ରୁଵତାରାର ଜନନୀ ଓ ନଵପୁତ୍ରଙ୍କ ମାତା ତଥା ଏହାଙ୍କର ସମ୍ପୂର୍ଣ୍ଣ ନାମ Jiu Lin Tai Miao Bai Yu Gui Tai Zu Guang Jin Jing Zu Mu Yuan Jun (九 靈 太 妙 白 玉 貴 台 祖 光 金 精 祖 母 元 君 ) ଅଟେ । ଚୀନ ଦେଶର ଲୋକେ ଧ୍ରୁଵତାରା ନିକଟରେ ଦେଵତାମାନେ ଵାସ କରୁଥିଵା ଵିଶ୍ଵାସ କରୁଥିଲେ । Ziwei Emperor ଵା Beiji Emperor ଏହି ଧ୍ରୁଵତାରାରୁ ପୃଥିଵୀର ସବୁ ଭଲ ମନ୍ଦର ଦେଖାଶୁଣା କରୁଥିଲେ । ଏଭଳି ଲୋକଵିଶ୍ଵାସ ପଛରେ ଧ୍ରୁଵତାରାର ସ୍ଥିର ଅଵସ୍ଥାନ ଏକ କାରଣ ହୋଇଥାଇପାରେ । 

ଆରବୀ ପୁରାଣଗାଥାରେ ଧ୍ରୁଵତାରାକୁ ଏହା ଏକ ଦୁଷ୍ଟ ନକ୍ଷତ୍ର ଅଭିହିତ କରାଯାଇଛି ଯିଏ ଆକାଶର ମହାନ ଯୋଦ୍ଧାଙ୍କୁ ହତ୍ୟା କରିଦେଇଥିଲା । ସେହି ମୃତ ଯୋଦ୍ଧାମାନେ ଏବେ 'Funeral Bier' ନକ୍ଷତ୍ରମଣ୍ଡଳ(ସପ୍ତର୍ଷିମଣ୍ଡଳ ଓ great bear)ର କଫିନ ମଧ୍ୟରେ ଅଛନ୍ତି 
 । ନୋର୍ସ୍ ଲୋକଗାଥାରେ ଧ୍ରୁଵତାରାକୁ ଏକ କୀଳକର ଗୋଜିଆ ଭାଗରେ ଥିଵା ତାରକା ଗଣନା କରାଯାଇଛି ଏଵଂ ଏହା ଚର୍ତୁପାଶ୍ୱର୍ରେ ସାରା ଵିଶ୍ଵର ତାରକା ପରିକ୍ରମା କରୁଛନ୍ତି । ସେହିପରି ମଙ୍ଗୋଲୀୟ ଲୋକକଥା ଅନୁସାରେ ଧ୍ରୁଵତାରା ଗୋଟିଏ ଖୁଣ୍ଟ ସଦୃଶ ବ୍ରହ୍ମାଣ୍ଡର ସମସ୍ତ ତାରକାଙ୍କୁ ଧରି ରଖିଛି । 

ଏହିପରି ଭାବେ ପୃଥିଵୀର ପ୍ରାୟ ସବୁ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଵିଭିନ୍ନ ଗାଥା ଓ କଥା ରହିଛି । ତେବେ ଧ୍ରୁଵ ତାରା ଵା Pole star ପ୍ରକୃତରେ ଗୋଟିଏ ତାରକାର ନାମ ନୁହେଁ ଵରଂ ଏକ ପାହ୍ୟା । ପ୍ରତି ଦୁଇରୁ ତିନି ସହସ୍ରାଧିକ ଵର୍ଷ ମଧ୍ୟରେ ଧ୍ରୁଵ ତାରା ପରିଵର୍ତ୍ତିତ ହୋଇଥାଏ ।


ଵର୍ତ୍ତମାନ ସମୟରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ହେଉଛି Alpha Ursae Minoris ଵା Polaris ଯାହା ଗତ ଦୁଇ ହଜାର ଵର୍ଷ ଧରି ପୃଥିଵୀର ଧ୍ରୁଵତାରା ହୋଇ ରହିଛି । ୩୧୦୦ ଖ୍ରୀଷ୍ଟାବ୍ଦରେ Gamma Cephei ଵା Errai ନକ୍ଷତ୍ର ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଵ ତେବେ ଵୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଏହା ଉତ୍ତର ଧ୍ରୁଵଠାରୁ ୩° ଦୂରରେ ରହିଵ । ଏହାପରେ ୫୨୦୦ ଖ୍ରୀଷ୍ଟାବ୍ଦରେ Iota Cephei ଓ ୫୯୦୦ ଖ୍ରୀଷ୍ଟାବ୍ଦରେ Beta Cephei(Alfirk) ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ହେଵେ । Cepheus ନକ୍ଷତ୍ରପୁଞ୍ଜ ୭୫୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵରେ ସବୁବେଳେ ସ୍ଥିର ରହିଥିଵା ଦେଖାଯିଵ ଏହି ନକ୍ଷତ୍ରପୁଞ୍ଜର ଉଜ୍ଜ୍ୱଳ ତାରକା Alderamin ଧ୍ରୁଵତାରା ପାହ୍ୟା ଲାଭ କରିଵ । ଏହାପରେ Alpha Cygni ଵା Deneb ୯୮୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରିଵ । Cygnus ନକ୍ଷତ୍ରପୁଞ୍ଜର Delta Cygniଵା Fawaris ୧୧,୨୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପୃଥିଵୀର ଉତ୍ତର ଧ୍ରୁଵର ଆହୁରି ନିକଟତର ହୋଇ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ ହେଵ । Lyra ନକ୍ଷତ୍ରପୁଞ୍ଜର Vega ନକ୍ଷତ୍ର ୧୨୦୦୦ ଖ୍ରୀଷ୍ଟପୂର୍ଵରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହା ପୁଣି ୧୪୫୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଅଳଙ୍କୃତ କରିଵ ଏଵଂ ସେତେବେଳେ ଏହା ହେଵ ପୃଥିଵୀର ସବୁଠାରୁ ଉଜ୍ଵଳତମ ଧ୍ରୁଵତାରା । ଆଜକୁ ୯୦୦୦ ଖ୍ରୀଷ୍ଟପୂର୍ଵରୁ ୭୪୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ Iota Herculis ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ଥିଲା ଏଵଂ ପୁନଶ୍ଚ ଏହି ନକ୍ଷତ୍ର ୧୫୦୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଧ୍ରୁଵତାରା ହୋଇ ୧୮୪୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵଠାରୁ ମାତ୍ର ୧° ଛାଡ଼ି ଅଵସ୍ଥିତ ରହିଵ । Draco ନକ୍ଷତ୍ରପୁଞ୍ଜର Thuban ନକ୍ଷତ୍ର ଆଜକୁ ପ୍ରାୟ ୪୪୨୦ ଖ୍ରୀଷ୍ଟପୂର୍ଵଠାରୁ ୩୦୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହାପରେ Kochab ନକ୍ଷତ୍ର ଏହି ସ୍ଥାନ ଅଳଙ୍କୃତ କରିଥିଲା । ଵର୍ତ୍ତମାନର ଧ୍ରୁଵତାରା Alpha Ursae Minoris ଵା Polaris ପ୍ରାୟ ୧.୧୦୦ ଖ୍ରୀଷ୍ଟପୂର୍ଵଠାରୁ ଵର୍ତ୍ତମାନ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ପାହ୍ୟା ଲାଭ କରି ରହିଛି । ପ୍ରଥମେ Polaris ଉତ୍ତର ଧ୍ରୁଵଠାରୁ ୭° ଦୂରରେ ଥିଲା କିନ୍ତୁ ଵର୍ତ୍ତମାନ ଏହା ୦.୫° ଦୂରରେ ଅଵସ୍ଥିତ ଯାହା ଏହାକୁ ପୃଥିଵୀର ଏକ ଯୋଗ୍ୟ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ କରିଥାଏ । ଆଜକୁ ବହୁତ ପରେ ୨୭,୮୦୦ ଖ୍ରୀଷ୍ଟାବ୍ଦରେ ଆଜିର ଧ୍ରୁଵତାରା Polaris ପୁଣି ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରି ଅନେକ ଵର୍ଷ ପର୍ଯ୍ଯନ୍ତ ଧ୍ରୁଵତାରା ହୋଇ ରହିଵ । ପୃଥିଵୀର Axial precession ଯୋଗୁଁ ଏହାର axis rotation cycle ପ୍ରତି ୨୬୦୦୦ ଵର୍ଷରେ ଥରେ ସମ୍ପୂର୍ଣ୍ଣ ହୋଇଥାଏ ଫଳତଃ ସମୟ ସହିତ ଧ୍ରୁଵତାରାର ପାହ୍ୟା ମଧ୍ୟ ପରିଵର୍ତ୍ତିତ ହୋଇଥାଏ । 
 
ଯେମିତି ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ସୁମେରୁ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳ ଦେଖାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ମଧ୍ୟ ଏକ ଧ୍ରୁଵତାରା ତଥା crux ତାରକାପୁଞ୍ଜ ଅଛି । ଵର୍ତ୍ତମାନ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ହେଉଛି Polaris (Alpha Ursae Minoris) ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ Polaris Australis (Sigma Octantis) ହେଉଛି କୁମେରୁ ଧ୍ରୁଵତାରା । ଉତ୍ତର ଗୋଲାର୍ଦ୍ଧର ଧ୍ରୁଵ ତାରାକୁ ସୌମ୍ୟ ଧ୍ରୁଵତାରା କୁହାଯାଏ ସେହିପରି ଦକ୍ଷିଣ ଧ୍ରୁଵତାରାକୁ ଯାମ୍ୟ ଧ୍ରୁଵତାରା କହିଥାନ୍ତି । ଦକ୍ଷିଣ ଦିଗଵଳୟ ତଳେ ଥିଵାରୁ ଭାରତରୁ ଏହି ଦକ୍ଷିଣୀ ଧ୍ରୁଵତାରା ଦୃଶ୍ୟ ହୁଏନାହିଁ । ଉତ୍ତର ଗୋଲାର୍ଦ୍ଧରେ ଯେମିତି ସପ୍ତର୍ଷିମଣ୍ଡଳ(big dipper)ର କ୍ରତୁ(Dubhe) ଓ ପୁଲହ(Merak )କୁ ସଂଯୁକ୍ତ କରି ଏକ କାଳ୍ପନିକ ରେଖା ଦ୍ଵାରା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ଠାବ କରାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ତ୍ରିଶଙ୍କୁମଣ୍ଡଳ(Crux) ନାମକ ଏକ ତାରକାପୁଞ୍ଜର Gacrux ତାରା ଓ Acrux ତାରା ସାହାଯ୍ୟରେ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ପ୍ରାପ୍ତ ହୋଇଥାଏ । ଅଵଶ୍ୟ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ଆମ୍ଭ କ୍ରାନ୍ତିବୃତ୍ତଵାସୀମାନଙ୍କୁ(Tropical ) ଦେଖାଯାଉନଥିଲେ ବି ତ୍ରିଶଙ୍କୁମଣ୍ଡଳ(Crux)କୁ ଆମ୍ଭେମାନେ ଆକାଶରେ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଦେଖିପାରୁଁ । ତେବେ ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ ଗୋଲାର୍ଦ୍ଧ ଅପେକ୍ଷା ଭୂଭାଗ ଅଧିକ,ଲୋକ ସଂଖ୍ୟା ଅଧିକ ଫଳତଃ ସଭ୍ୟତା ଓ ସଂସ୍କୃତିର ଵିକାଶ ଉତ୍ତର ଗୋଲାର୍ଦ୍ଧରେ ଅଧିକ ହୋଇଥିଵାରୁ ସାଧାରଣତଃ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ପୃଥିଵୀରେ ଅଧିକ ମହତ୍ତ୍ଵ ମିଳିଛି । ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା Sigma Octantisର magnitude +5.42 ଯୋଗୁଁ ପୁଣି ଵର୍ତ୍ତମାନର ଆଲୋକ ପ୍ରଦୂଷଣ ହେତୁ ଏହା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା Polaris ଅପେକ୍ଷା ଖାଲିଆଖିରେ ସହଜରେ ଦେଖାଯାଏ ନାହିଁ । ନାଵିକମାନେ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ନକ୍ଷତ୍ରକୁ ଦେଖି ଜାଣିପାରନ୍ତି । ଦକ୍ଷିଣ ଗୋଲାର୍ଦ୍ଧରେ ଵିନା ଦୂରଵିକ୍ଷଣରେ Sigma Octantis'କୁ ଠାବ କରିଵା ପାଇଁ Southern Cross (Crux) , Sigma, Chi, Tau ଓ Upsilon Octantis ଆଦି ନକ୍ଷତ୍ରଗୁଡି଼କର ସାହାଯ୍ୟ ନିଆଯାଏ ‌ । ଭଵିଷ୍ୟତରେ Gamma Chamaeleontis (୪୨୦୦ ଖ୍ରୀଷ୍ଟାବ୍ଦ), I Carinae, Omega Carinae (୫୮୦୦ ଖ୍ରୀଷ୍ଟାବ୍ଦ), Upsilon Carinae, Iota Carinae (Aspidiske, ୮୧୦୦ ଖ୍ରୀଷ୍ଟାବ୍ଦ)ଓ Delta Velorum (Alsephina,୯୨୦୦ ଖ୍ରୀଷ୍ଟାବ୍ଦ) ଇତ୍ୟାଦି ନକ୍ଷତ୍ରଗୁଡି଼କ କୁମେରୁ ଵୃତ୍ତ ନିକଟରେ ଦେଖାଯାଉଥିଵା ଯୋଗୁଁ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିବେ । ପୁଣି ଵୈଜ୍ଞାନିକମାନେ କୁହନ୍ତି ଆଜକୁ ପ୍ରାୟ ୬୦୦୦୦ ଵର୍ଷ ପରେ ପ୍ରଶ୍ଵା ଵା ଲୁବ୍ଧକ(Sirius ) ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିଵ ଏଵଂ ଉତ୍ତର ଗୋଲାର୍ଦ୍ଧରେ ଆଉ ଦୃଶ୍ୟ ହେଵ ନାହିଁ । ଦକ୍ଷିଣ ଗୋଲାର୍ଦ୍ଧର ଦେଶ ବ୍ରାଜିଲର ଜାତୀୟ ପତାକାରେ ତ୍ରିଶଙ୍କୁମଣ୍ଡଳ (crux) ସହିତ ଯାମ୍ୟ ଧ୍ରୁଵତାରା ଦର୍ଶିତ ହୋଇଛି । 

ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଥିଵା ଧ୍ରୁଵ ତାରାକୁ ଖାଲି ଆଖିରେ ଦେଖିଲେ ଗୋଟିଏ ତାରକା ବୋଲି ଜଣାପଡ଼େ କିନ୍ତୁ ପ୍ରକୃତରେ 
Polaris ଏକ ତ୍ରି-ତାରକୀୟ ପ୍ରଣାଳୀ (triple star system) ଅଟେ । ଏହି ତିନିଗୋଟି ତାରକା ମଧ୍ୟରେ Polaris Aa ଏକ ଵିଶାଳକାୟ ପୀତଵର୍ଣ୍ଣ ତାରକା ଏଵଂ ଏହାଠାରୁ ଅପେକ୍ଷାକୃତ ଆକାରରେ କ୍ଷୁଦ୍ର Polaris Ab ଓ Polaris B ଏହିପରି ତିନିଗୋଟି ତାରକା ପରସ୍ପରର ଵିଚିତ୍ର ଢଙ୍ଗରେ ପରିକ୍ରମଣ କରୁଛନ୍ତି । Polaris Bକୁ ଅଗଷ୍ଟ ୧୭୭୯ରେ William Herschel ସେସମୟର ଆଧୁନିକ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଠାଵ କରିଥିଲେ । 

କିନ୍ତୁ କେଵଳ ଯେ ପୃଥିଵୀର ହିଁ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି ତାହା ନୁହେଁ ସୌରମଣ୍ଡଳର ପ୍ରତ୍ୟେକ ଗ୍ରହର ନିଜର ଭିନ୍ନ ଭିନ୍ନ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି । 

•ବୁଧର ଉତ୍ତର ଧ୍ରୁଵତାରା 
Omicron Draconis ଓ ଦକ୍ଷିଣ ଧ୍ରୁଵତାରା Alpha Pictoris ଅଟେ ‌। 

ଶୁକ୍ରର ଉତ୍ତର ଧ୍ରୁଵତାରା"42 Draconis" ଏଵଂ ଦକ୍ଷିଣ ଧ୍ରୁଵତାରା "Eta¹ Doradus" ଅଟେ ।  

ଆମ ପୃଥିଵୀର ଉପଗ୍ରହ ଚନ୍ଦ୍ରର ଦକ୍ଷିଣ ଧ୍ରୁଵତାରା ହେଉଛି Delta Doradus" ଏଵଂ ଉତ୍ତର ଧ୍ରୁଵତାରା "Omicron Draconis" ଅଟଇ । 

ମଙ୍ଗଳଗ୍ରହର ଦକ୍ଷିଣ ଧ୍ରୁଵତାରା Kappa Velorum ହୋଇଥିଲା ବେଳେ ଏହାର ଉତ୍ତର ଧ୍ରୁଵରେ Northern Crossର ଦୁଇଗୋଟି ନକ୍ଷତ୍ର Sadr ଓ Deneb ରହିଥାଏ ଫଳତଃ ଏହି ଦୁଇଗୋଟି ତାରକାକୁ ମଙ୍ଗଳର ଉତ୍ତର ଧ୍ରୁଵତାରା କୁହାଯାଇପାରେ । 

ବୃହସ୍ପତିଙ୍କ ଦକ୍ଷିଣ ଧ୍ରୁଵରେ Zeta Draconis ଓ ଉତ୍ତର ଧ୍ରୁଵରେ Delta Doradus ରହିଥାଏ । 

ଶନିର ଉତ୍ତର ଧ୍ରୁଵଠାରୁ ଛଅ ଡିଗ୍ରୀ ଛାଡ଼ି ଆମ ଗ୍ରହର ଵର୍ତ୍ତମାନ ଧ୍ରୁଵତାରା Polaris ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵର ଧ୍ରୁଵତାରା ହେଉଛି "Delta Octantis" ନକ୍ଷତ୍ର ‌‌। 

ସେହିପରି "Eta Ophiuchi" ୟୁରାନସର ଉତ୍ତର ଧ୍ରୁଵତାରା ଏଵଂ "15 Orionis" ଏହାର ଦକ୍ଷିଣ ଧ୍ରୁଵତାରା ଅଟେ ‌ । 
ନେପଚୁନ୍‌ର ଉତ୍ତର ଧ୍ରୁଵ ନିକଟରେ Gamma Cygni ଓ Delta Cygni ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵରେ Gamma Velorum ଦେଖାଯାଏ । 

ମୋଟ ଉପରେ କହିଵାକୁ ଗଲେ ପ୍ରତ୍ୟେକ ଗ୍ରହର ପରିକ୍ରମଣ ଓ ଆଵର୍ତ୍ତନ ଗତି ତଥା ଏହାର ଅକ୍ଷପଥ ଭିନ୍ନ ଭିନ୍ନ ହୋଇଥାଏ ବୋଲି ସେସବୁ ଗ୍ରହର ଧ୍ରୁଵତାରା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଏଣୁ ସବୁଗ୍ରହର ଧ୍ରୁଵତାରା ଭିନ୍ନ ଭିନ୍ନ ଅର୍ଥାତ୍ ପୃଥିଵୀର ଧ୍ରୁଵତାରା କେଵଳ ପୃଥିଵୀର ଧ୍ରୁଵତାରା ଅଟେ ଏଵଂ ଅନ୍ୟ ଗ୍ରହରେ ଭିନ୍ନ ଭିନ୍ନ ନକ୍ଷତ୍ରଗୁଡି଼କର ସେଗୁଡ଼ିକର ଦୁଇ ଧ୍ରୁଵରେ ଥିଵା ଦୃଶ୍ୟ ହୁଅନ୍ତି । 

ହଜାର ହଜାର ଵର୍ଷ ଧରି ମନୁଷ୍ୟ ପାଇଁ ରାତ୍ରି ଆକାଶରେ ପଥପ୍ରଦର୍ଶକର କାର୍ଯ୍ୟ କରି ଆସୁଥିଵା ଧ୍ରୁଵତାରାଠାରୁ ଅନେକ କଥା ଶିଖାଯାଇପାରେ । ଧ୍ରୁଵତାରା ସ୍ଥିରତାର ପ୍ରତୀକ,ଯେତେ ଝଡ଼ ଝଞ୍ଜା ଆସୁ ଧ୍ରୁଵତାରା ଭଳି ଆକାଶରେ ସ୍ଥିର ନିଶ୍ଚଳ ରହିଵାକୁ ଶିକ୍ଷା ଦିଆଯାଏ । ନିଜ ପ୍ରତି ତଥା ନିଜର ମୂଲ୍ୟବୋଧ ପ୍ରତି ସବୁବେଳେ ସଚ୍ଚୋଟ ରହିଵାକୁ ଧ୍ରୁଵତାରାଠାରୁ ଶିକ୍ଷା କରାଯାଇପାରେ। ଅନ୍ଧକାର,ଅନିଶ୍ଚିତ ଓ ନିଚ୍ଛାଟିଆ ରାତ୍ରିରେ ଯେମିତି ଧ୍ରୁଵତାରା ପଥିକ ପାଇଁ ଆଶାର କିରଣ ହୋଇଥାଏ ସେହିପରି ଆମେ ମଧ୍ୟ ନିଃସ୍ଵାର୍ଥପର ଭାବେ ଅନ୍ୟକୁ ସାହାଯ୍ୟ କରିପାରିଵା । ଯେତେ ଵିପଦ ଅସୁଵିଧା ଆସୁ ଧ୍ରୁଵତାରା ଭଳି ଅଚଳ ଅଟଳ ରହିଵାର ମଧ୍ୟ ଶିକ୍ଷା ମିଳିଥାଏ । ଧ୍ରୁଵତାରା ଭଳି ଯାହା ସତ୍ୟ ତାକୁ ଅନୁସରଣ କରିଵା ଉଚିତ୍ । 
ଧ୍ରୁଵତାରା ଯେମିତି ନିଜ ଆଲୋକ ଦ୍ଵାରା ଅନ୍ୟକୁ ମାର୍ଗଦର୍ଶନ କରିଥାଏ ଠିକ୍ ସେହିପରି ଆପଣଙ୍କ ଆଭ୍ୟନ୍ତରୀଣ ଆଲୋକ ଆପଣଙ୍କ ଯାତ୍ରାରେ ମାର୍ଗଦର୍ଶକ ହେଉ ...
••••••••••••••••••••••••••
ଲେଖକ—ଶିଶିର ସାହୁ ମନୋଜ
ଢେଙ୍କାନାଳ(କନ୍ତିଓ ପୁଟସାହି)
•••••••••••••••••••••••••••