My Blog List

Friday, August 23, 2019

ଭଗଵାନଙ୍କର ନାମ ଶ୍ରୀକୃଷ୍ଣ କାହିଁକି ହେଲା ?

ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର  ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା କରାଗଲା ।

୧)ଶ୍ରୀକୃଷ୍ଣଙ୍କ ଶରୀରର ଵର୍ଣ୍ଣ କଳା ଥିଲା
ଅନେକଙ୍କ ମତରେ ଶ୍ରୀକୃଷ୍ଣ ଶ୍ଯାମଳଵର୍ଣ୍ଣ ଥିଲେ ତେଣୁ ସେ ଶ୍ରୀକୃଷ୍ଣ ବୋଲାଇଲେ । କୃଷ୍ଣ ଶବ୍ଦର ଏକ ଅର୍ଥ କଳାରଙ୍ଗ ହୋଇଥିଵାରୁ ଏଭଳି ମତ ଲୋକପ୍ରିୟ ହୋଇଅଛି । ଶଵର ଦେଵତା ଜଗନ୍ତା କିତୁଙ୍ଗ୍’ଙ୍କ ଵର୍ଣ୍ଣ କଳା ଥିଵାରୁ ସେହି କଳିଙ୍ଗ ରାଷ୍ଟ୍ରଦେଵତା ଶ୍ରୀଜଗନ୍ନାଥ ମଧ୍ୟ ଶ୍ରୀକୃଷ୍ଣ ଭାଵେ ପୂଜା ପାଉଅଛନ୍ତି । କୃଷ୍ଣ ଶବ୍ଦର କଳାରଙ୍ଗ ଅର୍ଥକୁ ଆଧାର କରି ଅନେକ ଜୀଵ ,ଅଙ୍ଗ ତଥା ଦ୍ରଵ୍ଯଗୁଡି଼କର ନାମ ମଧ୍ୟ ସେସମସ୍ତର କଳାରଙ୍ଗ ହେତୁ କୃଷ୍ଣ ରଖାଯାଇଛି
ଯଥା—
✓କୃଷ୍ଣସାର ମୃଗ
✓ମାସର କୃଷ୍ଣପକ୍ଷ ଵା ଅନ୍ଧାର ପକ୍ଷ
✓ଅନ୍ଧକାର
✓କଜ୍ଜ୍ବଳ
✓କଳାମରିଚ
✓ଆଖିର କଳାଡ଼ୋଳା
✓କୋକିଳ
✓କାକ
✓କୃଷ୍ଣଚନ୍ଦନ(ଅଗୁରୁ ଚନ୍ଦନ)
✓କଳିଯୁଗ(ଏ ଯୁଗଦେଵତାଙ୍କ ଵର୍ଣ୍ଣ କଳା କଳ୍ପିତ)
✓ସୀସା(leadର ଏକ ଶାସ୍ତ୍ରୀୟ ନାମ କୃଷ୍ଣ)
✓କୃଷ୍ଣଦୌପାୟନ(ଵ୍ଯାସଦେଵଙ୍କ ଵର୍ଣ୍ଣ କଳା ଥିଵା ଲୋକଵିଶ୍ଵାସ ରହିଛି)
ଆଦି...

୨) ଶ୍ରୀକୃଷ୍ଣ ଗାଢ଼ ନୀଳଵର୍ଣ୍ଣର ଥିଲେ ତେଣୁ ତାଙ୍କ ନାମ କୃଷ୍ଣ ହୋଇଛି ।

ଗାଢ଼ ନୀଳବର୍ଣ୍ଣକୁ ଭଧ୍ଯ ଶାସ୍ତ୍ରୀୟ ସଂସ୍କୃତ ଭାଷାରେ କୃଷ୍ଣ କୁହାଯାଏ । କେତେକ ଲୋକଙ୍କ ଵିଶ୍ଵାସ ଯେ ଶ୍ରୀକୃଷ୍ଣ ଘନନୀଳ ଵର୍ଣ୍ଣର ମହାମାନଵ ଥିଲେ ଫଳରେ ତାଙ୍କ ନାମ କୃଷ୍ଣ ଶବ୍ଦର ଗାଢ଼ନୀଳଵର୍ଣ୍ଣ ଅର୍ଥରେ ଶ୍ରୀକୃଷ୍ଣ ହୋଇଅଛି ।

୩)ଶ୍ରୀକୃଷ୍ଣ ଅନ୍ଧକାର ପକ୍ଷରେ ରାତ୍ରିର ମଧ୍ଯକାଳରେ ଜନ୍ମଲାଭ କରିଥିଲେ ତେଣୁ ତାଙ୍କର ନାମ କୃଷ୍ଣ ହୋଇଛି ‌ । ଶ୍ରୀକୃଷ୍ଣଙ୍କ ଜନ୍ମଦିଵସକୁ ନେଇ ସନାତନୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି ।
ସାଧାରଣତଃ ସର୍ଵଭାରତୀୟ ସ୍ଥରରେ  ଭଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପାଳିତ ହୁଏ । କିନ୍ତୁ ଶ୍ରୀଵିଷ୍ଣୁପୁରାଣରେ ଶ୍ରୀକୃଷ୍ଣଙ୍କ ଜନ୍ମ ଶ୍ରାଵଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିଵା ଉଲ୍ଲେଖ ଅଛି। ମୁଖ୍ଯ ମାସ ଓ ଗୌଣ ଚାନ୍ଦ୍ର ମାସ ଗଣନା ଏ ପ୍ରଭେଦର କାରଣ ଥିବାର ଜଣାଯାଏ । ତେଵେ ଶ୍ରୀକୃଷ୍ଣ ଅନ୍ଧକାର ପକ୍ଷରେ ଜନ୍ମ ଲଭିଥିଵାରୁ ତାଙ୍କୁ ଏଭଳି ନାମ ମିଳିଥିଵା କେତେକ ଲୋକ ମତ ଦିଅନ୍ତି ।

୪)ଶ୍ରୀଭଗଵାନ ଗାଢ଼ ଲୋହିତ ଵର୍ଣ୍ଣ ଥିଲେ ତେଣୁ ତାଙ୍କର ନାମ ଶ୍ରୀକୃଷ୍ଣ ହେଲା ।

ଶ୍ରୀକୃଷ୍ଣ ହେଉଛନ୍ତି ଶ୍ରୀହରିଙ୍କ ଅଷ୍ଟମ ଅଵତାର ।
ଶ୍ରୀହରି ସର୍ଵଦା ଶ୍ରୀହରଙ୍କୁ ଧ୍ୟାନ କରୁଥିଲେ ଏଵଂ ଶ୍ରୀହର ମଧ୍ୟ ଶ୍ରୀହରଙ୍କୁ ସମଭାଵରେ ଧ୍ୟାନ କରୁଥିଵାର ଲୋକଵିଶ୍ଵାସ ପ୍ରଚଳିତ । ଉଭୟ ଉଭୟଙ୍କୁ ଧ୍ଯାନ କରୁଥିଵାରୁ ସେମାନେ ପରସ୍ପରର ରଙ୍ଗ ଆହରଣ କରିଥିଲେ ବୋଲି କେତେକ ଧର୍ମପ୍ରଵଚକ ମତ ଦିଅନ୍ତି । ଶ୍ରୀହରଙ୍କର ପ୍ରକୃତ ଵର୍ଣ୍ଣ ଗାଢ଼ ଲୋହିତ ଵର୍ଣ୍ଣ ତେଣୁ ତାହା ଶ୍ରୀହରି ତାଙ୍କର ଅଷ୍ଟମ ଅଵତାରରେ ଗ୍ରହଣ କରିନେଇ ଜନ୍ମଲାଭ କରିଥିଲେ । କୃଷ୍ଣ ଶବ୍ଦର
✓ଲୌହ
ଓ
✓ଅଗ୍ନି
ଅର୍ଥରେ ଆମେ ଏହି ଗାଢ଼ ଲୋହିତ ଵର୍ଣ୍ଣର କ୍ଷୀଣ ନିଦର୍ଶନ ପାଇଥାନ୍ତି । ଏ ଉଭୟ ଲୋହିତ ଵର୍ଣ୍ଣ ଯୁକ୍ତ ଅଟନ୍ତି । 

୫)ଶ୍ରୀକୃଷ୍ଣ ଏକ ନାମଵାଚକ ଶବ୍ଦ ତେଣୁ ନିରୁକ୍ତି ଅନୁସାରେ ଏଭଳି ନାମକରଣ ହୋଇଛି ।

ଶ୍ରୀକୃଷ୍ଣଙ୍କ ନାମଵାଚକ ଏହି ‘କୃଷ୍ଣ’ ଶବ୍ଦକୁ
କୃଷ ଵା କୃଷ୍ ଧାତୁରୁ ନିଷ୍ପନ୍ନ କରାଯାଇଛି
ଯାହାର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ହୋଇଥାଏ

✓କର୍ଷଣ କରିଵା;ଚଷିଵା
✓ଜୟ କରିଵା
✓ଆକର୍ଷଣ କରିଵା
✓ଟାଣିଵା
✓ଚିହ୍ନକରିଵା
✓ମର୍ଦ୍ଦନ କରିଵା
✓ଡାକିଵା
✓ନିର୍ଗତ କରିଵା
✓ରକ୍ଷା କରିଵା
✓ଵର୍ଷିଵା

ଶ୍ରୀକୃଷ୍ଣ ସେହି ପ୍ରଭୁ ଯିଏ ପାପୀଙ୍କୁ ଜୟକରି ସେମାନଙ୍କ ମର୍ଦ୍ଦନ ତଥା ସାଧୁ ରକ୍ଷା ନିମନ୍ତେ ଅଵତାର ନେଇଥିଲେ । ଭଗଵାନ ଏକଥା ନିଜେ ଅର୍ଜୁନଙ୍କୁ ଗୀତାର ଚତୁର୍ଥ ଅଧ୍ୟାୟରେ କହିଛନ୍ତି —

“ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।

ପରିତ୍ରାଣାୟ ସାଧୁନାମ୍, ବିନାଶାୟ ଚ ଦୁଷ୍କୃତାଂ
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ ।।”

ଶ୍ରୀକୃଷ୍ଣ ସବୁଵେଳେ ଆକର୍ଷକ । ତାଙ୍କର ଆକର୍ଷଣ ଵିଷୟରେ ଆମେ ମହାଭାରତର ଅତିରିକ୍ତ ଉଚ୍ଛିଷ୍ଟ ଭାଗ ହିରଵଂଶପର୍ଵ ଵା ପୁରାଣରେ ଵର୍ଣ୍ଣିତ କୃଷ୍ଣଚରିତରୁ ସହଜରେ ହୃଦୟଙ୍ଗମ କରିପାରିଵା । ଓଡ଼ିଆ ଭାଷାରେ ଲେଖାଯାଇଥିଵା ମଥୁରାମଙ୍ଗଳ କାଵ୍ଯରେ ସେଇକଥା ସହଜରେ କୁହାଯାଇଛି ।

ଏଇଭଳି ଭାଵେ ଭଗଵାନ ଶ୍ରୀକୃଷ୍ଣ ସବୁଵେଳେ ତାଙ୍କ ଭକ୍ତଙ୍କୁ ଭାଵର ସାଗର ପାଖରେ ସନ୍ତରଣ ହେତୁ ଡକାନ୍ତି ହେଲେ ପ୍ରାଣୀମାତ୍ରକେ ମାୟା ବନ୍ଧନରୁ ମୁକୁଳି ପାରିଲେ ତ ?  ତେଵେ ପ୍ରକୃତ ଭକ୍ତ ସବୁ ଵାଧାଵିଘ୍ନକୁ  ଏଡେ଼ଇ ଦେଇ ଭଗଵାନଙ୍କ ନିକଟକୁ ଟାଣି ହୋଇ ଯାଏ ।  ଆଉ ଯେତେଵେଳେ ଭକ୍ତ ଓ ଭଗଵାନଙ୍କ ଭାଵମିଳନ ହୁଏ ସେତେଵେଳେ ଯେଉଁ ଭକ୍ତିରସ ନିର୍ଗତ ହୁଏ ତାକୁ ହିଁ ରାସ କୁହାଯାଏ ।

ସଂସାରୀ ଵାସ୍ତୁଵାଦୀ ଲୋକେ ଏଭଳି ଉଚ୍ଚ ଆଧ୍ଯାତ୍ମିକ
ଵିଚାରକୁ ଅତିଶୟୋକ୍ତି ଭାଵିପାରନ୍ତି କିନ୍ତୁ ଶ୍ରୀକୃଷ୍ଣଙ୍କ ନାମର ନିରୁକ୍ତି ମଧ୍ୟରେ ଏସବୁ ତଥ୍ୟ ଲୁକ୍କାୟିତ ରହିଛି ।
ଏହି ଶବ୍ଦ ମଧ୍ୟରେ ଥିଵା ଆଧ୍ଯାତ୍ମିକ ସନ୍ଦେଶକୁ ଜାଣିଵା ପାଇଁ ଅନୁଭଵ ତଥା କାର୍ଯ୍ୟରେ ପରିଣତ କରିଵା ପାଇଁ
ବୋଧହୁଏ
ଆମକୁ ଆମ ପୂର୍ଵଜ  କୃଷ୍ଣନାମ ଜପର ଉପଦେଶ ଦେଇ ଆସିଛନ୍ତି ।

“ଶ୍ରୀକୃଷ୍ଣ ଜଗଦୀଶ ଜୟ
ଜୟ ଶ୍ରୀଜଗନ୍ନାଥ ହରେ”

—ସମସ୍ତଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର
ଅନେକାନେକ ଶୁଭକାମନା—

Thursday, August 22, 2019

ଢେଙ୍କାନାଳରେ ବଡ଼ମାଆଙ୍କୁ ସମ୍ବୋଧନ କରାଯାଏ ‘ମମା’

ଢେଙ୍କାନାଳର କାମାକ୍ଷାନଗର ଅଞ୍ଚଳରେ
ବଡ଼ବାପାଙ୍କୁ ‘ବବା’ ଓ ବଡ଼ ମାଆଙ୍କୁ
ମମା ସମ୍ବୋଧନ କରାଯାଏ ‌। ବବା ଶବ୍ଦଟି ପ୍ରାୟ ସମସ୍ତ ଗଡ଼ଜାତ ଅଞ୍ଚଳରେ ଚଳୁଥିଵାଵେଳେ
‘ମମା’ ଶବ୍ଦ ଵିଶେଷତଃ ଢେଙ୍କାନାଳରେ ଚଳୁଥିଵା ଦୃଷ୍ଟିଗୋଚର ହୋଇଥାଏ ।  ଏଠାକାର ସ୍ଥାନୀୟ
କଥିତ ଶୈଳୀରେ ‘ମୋ’ ଶବ୍ଦ ‘ମ’ ହୋଇଥାଏ । ତେଣୁ ମମା ଶବ୍ଦକୁ ମଠେଇ କହିଲେ ତାହା “ମ ମା”
ଅର୍ଥାତ୍  ‘ମୋ ମାଆ’ ଭଳି ଶୁଣାଯାଏ । ନିଜ ମାଆଙ୍କ ଭଳି ବଡ଼ମାଆ ବି ମାଆଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ବଡ଼ମାନେ ଭେଦ ଦେଖିପାରନ୍ତି କିନ୍ତୁ ନିଷ୍ପାପ ଶିଶୁମାନେ  ନିଜ ମାଆ ଓ ଅନ୍ଯର ମାଆ ମଧ୍ୟରେ ପ୍ରଭେଦ ଦେଖନ୍ତି ନାହିଁ । ଶିଶୁମାନେ ପ,ମ,ଦା,ଡ,ବ,ନ ଆଦି ଵର୍ଣ୍ଣ ଅନ୍ଯ ଵର୍ଣ୍ଣ ଅପେକ୍ଷା ଶିଘ୍ର କହିଵା ଶିଖିଥାନ୍ତି । ତେଣୁ ପୃଥିଵୀରେ ମାଆ,ବାପା,ଦାଦା,ବୋଉ,ନାନୀ ଓ ବେଵେ ଆଦି ଅନେକ ପାରିଵାରିକ ଵ୍ଯକ୍ତିଵିଶେଷଙ୍କୁ କରାଯାଉଥିଵା ସମ୍ବୋଧନଵାଚକ ଶବ୍ଦ ଏହି ଵର୍ଣ୍ଣଗୁଡି଼କରୁ ଆରମ୍ଭ ହୋଇଥାଏ । ବହୁତ ସମ୍ଭଵ ଗଡ଼ଜାତର ଶିଶୁମାନେ ହିଁ ଏହି ଶବ୍ଦର ଉଦ୍ଭାଵନ ତାଙ୍କ ବାଳ ସୁଲଭ ଭାଷାରେ କରିଥିଵେ ଏଵଂ ତାହା ପରେ ସମାଜରେ
ବହୁ ପ୍ରଚଳିତ ହୋଇଥିଵ ।  ତେଵେ କେତେକ ଭାଷାଵିତ୍'ଙ୍କ ମତରେ ବଡ଼ମାଆ ଶବ୍ଦରେ ଏଠି ଵର୍ଗ୍ଯ ‘ବ’ , ‘ମ’ ରେ ପରିବୃତ ହୋଇଅଛି ।  ପରିବୃତ୍ତିର ନିୟମାନୁଯାୟୀ ଯେମିତି ବଡ଼ବାପା ଶବ୍ଦଟି ବଡ଼ପା ଓ ବବା ହେଇଛି ସମ୍ଭଵତଃ ଠିକ୍ ସେଇଭଳି
=> ବଡ଼ମାଆ>ବରମା>ବମା>ମମା
ହୋଇଥାଇପାରେ ।

କେଉଁଠି କେଉଁଠି ବଡ଼ବାପାଙ୍କୁ ବଡୁ଼,ଦଦେଇ,ଦେଢୁତା ଆଦି ଡକାଯାଏ ।

ସେଇଭଳି ବଡି଼,ଜେଠେଇ ଓ ଦେଠେଇ ଶବ୍ଦ ବଡ଼ମାଆଙ୍କ ପାଇଁ ପ୍ରୟୋଗ ହୋଇଥାଏ ।

ତେଵେ ମନରେ ପ୍ରଶ୍ନ ଆସେ ଗଡ଼ଜାତର ଏହି କ୍ଷୁଦ୍ରାକାର ଓ ସହଜିଆ ‘ମମା’ ଶବ୍ଦଟି କଥିତ ଭାଷାରେ ହିଁ କାହିଁକି ସୀମିତ ରହିଗଲା ? କାହିଁକି ଏହା ସାହିତ୍ୟରେ ପ୍ରୟୋଗ ହୋଇପାରି ନାହିଁ ?

ଏହାର ସହଜ ଉତ୍ତର ହେଲା ପ୍ରାଚୀନ ସାହିତ୍ୟରେ ଏଵଂ  ଅନ୍ଯ ଅଞ୍ଚଳ ଵିଶେଷତଃ ଦକ୍ଷିଣ ଓଡ଼ିଶାରେ ଏହି ‘ମମା’ ଶବ୍ଦର ଭିନ୍ନ ଅର୍ଥରେ ଵ୍ଯଵହାର ହେତୁ
ଏହା ସାହିତ୍ୟଭାଷାରେ ସ୍ଥାନ ପାଇପାରି ନାହିଁ ।
ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଗଜପତି ଓ ଶ୍ରୀକାକୁଲମ ଵିଚ୍ଛିନ୍ନାଞ୍ଚଳରେ ସ୍ତନ ଶବ୍ଦର ଏକ ପ୍ରଚଳିତ ପ୍ରତିଶବ୍ଦ ହେଉଛି ‘ମମା’ । ଯେମିତି ବାଲେଶ୍ଵରର ଲୋକଙ୍କ ପ୍ରତି ସମ୍ମାନ ହେତୁ ପୂର୍ଵାଞ୍ଚଳର କଥିତ ଭାଷାରେ Hair ଅର୍ଥରେ ବହୁପ୍ରଚଳିତ ‘ବାଳ’ ଶବ୍ଦଟି ମାନକ ଓଡ଼ିଆରେ ଵର୍ଜନୀୟ ହୋଇଅଛି ଠିକ୍ ସେଇଭଳି ଗଡ଼ଜାତରେ ବଡ଼ମାଆଙ୍କୁ ସମ୍ବୋଧନ କରାଯାଉଥିଵା ‘ମମା’ ଶବ୍ଦ ମଧ୍ୟ ସାହିତ୍ୟ ଭାଷାରେ ସ୍ଥାନ ପାଇପାରି ନାହିଁ ।

ତେଵେ ଆପଣଙ୍କ ଅଞ୍ଚଳରେ ବଡ଼ବାପା ଓ ବଡ଼ମାଆଙ୍କୁ କ'ଣ ସମ୍ବୋଧନ କରନ୍ତି ନିଶ୍ଚୟ ଜଣେଇଵାକୁ ଅନୁରୋଧ ରହିଲା ।

Tuesday, August 20, 2019

ଚିନ୍ମୟ

ଚିନ୍ମୟ ଶବ୍ଦଟି ଵିଶେଷତଃ ଏକ ନାମଵାଚକ ଶବ୍ଦ ଭାଵେ ଵ୍ୟଵହୃତ ହୋଇଥାଏ । ଅନ୍ଯ ରାଜ୍ୟର ଲୋକଙ୍କ ଅପେକ୍ଷା ଏହି ନାମ ଵ୍ଯଵହାର କରୁଥିଵା ଓଡ଼ିଆ ଲୋକଙ୍କ ସଂଖ୍ୟା ଅଧିକ । ପୁଅପିଲାଙ୍କ ଛଡ଼ା ଝିଅ ପିଲାଙ୍କ ନାମ ମଧ୍ୟ ଚିନ୍ମୟୀ ରଖାଯାଏ ‌‌। ଚିତ୍ ଶବ୍ଦରେ ସଂଜାତାର୍ଥେ. ମୟ ଯୋଡା଼ଯାଇ ଚିନ୍ମୟ ଶବ୍ଦର ନିରୁକ୍ତି ନିର୍ଣ୍ଣୟ କରାଯାଇଛି ‌।
ଚିନ୍ମୟ ଶବ୍ଦର ଵିଶେଷଣ ଅର୍ଥ ହେଉଛି
୧)ଜ୍ଞାନମୟ
୨)ଚୈତନ୍ଯମୟ
୩)ଆଧ୍ଯାତ୍ମିକ
୪)ଵିଶୁଦ୍ଧ ବୌଦ୍ଧିକତା ଯୁକ୍ତ ଵ୍ଯକ୍ତି
୫)ଆତ୍ମିକ

ସେଇଭଳି ଏ ଶବ୍ଦ ଵିଶେଷ୍ୟ ଭାଵେ ଵ୍ୟଵହୃତ ହେଲେ ତାହା ଈଶ୍ଵର, ପରମେଶ୍ବର ଵା ପରତ୍ମାମାଙ୍କୁ ବୁଝାଇଥାଏ । ପ୍ରକୃତରେ ଚିନ୍ମୟ ଶବ୍ଦଟି ଈଶ୍ଵର,ଭଗଵାନ,ପରମାତ୍ମା ଆଦି ଶବ୍ଦର ଏକ ଶାସ୍ତ୍ରୀୟ ପ୍ରତିଶବ୍ଦ

ଆମ ପୂର୍ଵଜମାନେ ଈଶ୍ଵରଙ୍କ ନାମ ନେଵା ପାଇଁ
ନିଜ ସନ୍ତାନମାନଙ୍କୁ ରାମ, କୃଷ୍ଣ,ଭଗଵାନ ଓ ଈଶ୍ଵର ଆଦି ନାମ ଦେଵାର ପରମ୍ପରା ଆରମ୍ଭ କରିଥିଲେ । ସେଇ ପରମ୍ପରାରେ ଆଉ ଏକ ନାମ ହେଉଛି ଏଇ ଚିନ୍ମୟ ଶବ୍ଦ !!!

ଚିନ୍ମୟ ଶବ୍ଦରେ
ଚିତ୍ ଓ ମୟ ଵା ମୟଟ୍ ପ୍ରତ୍ୟୟ ରହିଛି ।
ଚିତ୍ ଶବ୍ଦ ଏଠାରେ କଦାଚିତ୍, କିଞ୍ଚିତ୍ ଆଦି ଶବ୍ଦରେ ଵ୍ୟଵହୃତ ଚିତ୍ ପ୍ରତ୍ଯୟ ନୁହେଁ ନା ଓଡ଼ିଆ ଦେଶଜ ଶବ୍ଦ ଅଟେ ! ଚିନ୍ମୟ ଶବ୍ଦରେ ଶାସ୍ତ୍ରୀୟ ଚିତ୍ ଶବ୍ଦର ଵ୍ଯଵହାର ଵିଶେଷ୍ଯ ଭାଵେ ହୋଇଛି ।

ଶାସ୍ତ୍ରୀୟ ଚିତ୍ ଶବ୍ଦର ନିମ୍ନଲିଖିତ ଅର୍ଥ ରହିଛି
୧)ଜ୍ଞାନ
୨)ଚିତ୍ତବୃତ୍ତି
୩)ଚୈତନ୍ଯ
୪)ଚେତନା(ଚିତ୍ତ ଶବ୍ଦ ଏହି ଅର୍ଥରେ ନିଷ୍ପନ୍ନ)
୫)ଆତ୍ମା(ଚିଦାତ୍ମା ହେଉଛି ଆତ୍ମାର ଏକ ଅଂଶ)
୬)ଅଗ୍ନି(ଚିତା ଶବ୍ଦ ଏହି ଅର୍ଥରେ ଵ୍ଯଵହୃତ)

ଏହି ଚିତ୍ ଶବ୍ଦର ମୂଳ ହେଲା ଚିତ୍ ଧାତୁ
ଯାହାର ମୂଳ ଅର୍ଥ ଥିଲା ଜାଣିଵା,ବୋଧକରିଵା ।

ସେହିପରି ମୟ ଵା ମୟଟ୍ ଏକ ପ୍ରତ୍ୟୟ
ଯାହା ନିମ୍ନଲିଖିତ ଅର୍ଥରେ ଵିଶେଷ୍ଯ ଶବ୍ଦ ସହିତ ଯୁକ୍ତ ହୋଇଥାଏ ...

୧)ପୂର୍ଣ୍ଣତାବୋଧକ~
✓ମଯାମୟ ସଂସାର
✓କଣ୍ଟକମୟ ବନ

୨)ଵ୍ଯାପ୍ତ୍ଯର୍ଥେ
✓ଜଳମୟ ଦେଶ
✓ବାଲୁକାମୟ ସ୍ଥାନ

୩)ବିକାରାର୍ଥେ

✓ସ୍ବର୍ଣ୍ଣମୟ ଘଟ
✓ରତ୍ନମୟ ଅଙ୍ଗୁରୀୟ
✓ ମୃଣୟ ପାତ୍ର

୪)ବାହୁଲ୍ଯାର୍ଥେ
✓କଙ୍କରମୟ ସ୍ଥାନ
✓ନଦୀମୟ ଦେଶ

୫)ସ୍ବରୂପାର୍ଥେ
✓ଗଜମୟ ସେତୁ

୬)ଗୁଣାର୍ଥେ (ଗୁଣ ଥିଵା ଅର୍ଥରେ)
✓ମାଯାମୟ ସଂସାର
✓ଦଯାମୟ ପ୍ରଭୂ
✓ପ୍ରେମମୟ ହୃଦୟ।

୭)ପୁରୀକ୍ଷାର୍ଥେ(ଅମୁକର ବିଷ୍ଠା)
✓ଗୋମୟ(ଗୋବର)

ଚିନ୍ମୟ ଶବ୍ଦରେ ଚିତ୍  ଶବ୍ଦ ସହ ଗୁଣ ଥିଵା ଅର୍ଥରେ ମୟ ପ୍ରତ୍ଯୟ ଯୁକ୍ତ ହୋଇଛି । ତେଣୁ  ଜ୍ଞାନ ଥିଵା ଵ୍ଯକ୍ତି ଚିନ୍ମୟ ପଦଵାଚ୍ଯ ଅଟନ୍ତି । ତେଵେ ଜୀଵଙ୍କ ମଧ୍ୟରେ କେହିବି ହୋଇନାହିଁ  ଯେ ସଂସାରର ସମସ୍ତ ଜ୍ଞାନର ଅଧିକାରୀ ହୋଇଥିଵ କିନ୍ତୁ ଯିଏ ସଂସାରର ସମସ୍ତ ଜ୍ଞାନର ଅଧିକାରୀ କେଵଳ ସେ ହିଁ ଚିନ୍ମୟ ଅଟେ ଏଵଂ କେଵଳ ପରମାତ୍ମା ଵା ଈଶ୍ଵର ହିଁ ଏଭଳି ଶକ୍ତିର ଅଧିକାରୀ ଅଟନ୍ତି ।

Monday, August 19, 2019

କିଏ ବ୍ରାହ୍ମଣ, କ୍ଷତ୍ରିୟ ,ଵୈଶ୍ଯ ଓ ଶୂଦ୍ର ?

“ଗୁଣୈବୃଦ୍ଧାନତିକ୍ରମ୍ୟ ହରିରର୍ଚ୍ୟତମୋ ମତ ।
ଜ୍ଞାବୃଦ୍ଧୌ ଦ୍ଵିଜାତୀନାଂ କ୍ଷତ୍ରିୟଣାଂ ବଳାଧିକ ।।”(୧୭)

→ଶ୍ରୀକୃଷ୍ଣଙ୍କ ଗୁଣ ଗୁଡିକୁ ଧ୍ୟାନରେ ରଖି ହିଁ ଆମ୍ଭେମାନେ ବୟୋଜ୍ୟେଷ୍ଠ ଲୋକଙ୍କ ପରିବର୍ତ୍ତେ ଏହାଙ୍କୁ ପରମପୂଜ୍ୟ ମାନୁଅଛୁ ।  ବ୍ରାହ୍ମଣ ମଧ୍ୟରେ ସେହି ପୂଜନୀୟ ମାନାଯାଏ ଯିଏ ଜ୍ଞାନରେ ବଡ଼ ଅଟଇ ଆଉ କ୍ଷତ୍ରିୟ ମଧ୍ୟରେ ସେ ହିଁ ଶ୍ରେଷ୍ଟ ଯିଏ ବଳରେ ସମସ୍ତଙ୍କୁ ପଛରେ ପକେଇ ଦିଏ ।

“ଵୈଶ୍ୟାନାଂ ଧାନ୍ୟଧନଵାଞ୍ଛୁଦ୍ରାଣାମେଵ ଜନ୍ମତଃ ।
ପୂଜ୍ୟତାୟାଂ ଚ ଗୋଵିନ୍ଦେ  ହେତୁ ଦ୍ଵାବପି ସଂସ୍ଥିତୌ ।।”(୧୮)

→ଵୈଶ୍ୟଙ୍କ ମଧ୍ୟରେ ସିଏ ବଡ଼ ଯା ପାଖରେ ଧନଧାନ୍ୟ ପୂରି ରହିଥାଏ । କେଵଳ ଶୂଦ୍ରଙ୍କ ମଧ୍ୟରେ ହିଁ ଜନ୍ମ କାଳକୁ ଧ୍ୟାନରେ ରଖି ଯିଏ ଅଵସ୍ଥାରେ(ଵୟସରେ) ଵଡ଼ ତାକୁ ପୂଜନୀୟ ମାନାଯାଇଥାଏ ।

(ଅଷ୍ଟତ୍ରିଂଶ ଅଧ୍ଯାୟ,ଅର୍ଘ୍ୟାଭିହରଣ ପର୍ବ,ମହାଭାରତ)

ଯେତେବେଳେ ଶ୍ରୀକୃଷ୍ଣଙ୍କ ଅଗ୍ରପୂଜାର ଵିରୋଧ କରି ଶିଶୁପାଳ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ସଭାରେ ନାନାବିଧ କଟୁଵାକ୍ୟ କହିବା ଆରମ୍ଭ କରିଦେଲା ସେତେବେଳେ କୁଳବୃଦ୍ଧ ଭୀଷ୍ମ ଆଗକୁ ଆସି ତାକୁ ବୁଝେଇବାକୁ ଚେଷ୍ଟା କରିଛନ୍ତି
ଆଉ ଉପରୋକ୍ତ ଶ୍ଲୋକ ଦ୍ଵୟରେ  କହୁଛନ୍ତି.....

ମନୁଷ୍ୟ ସମାଜ ମଧ୍ୟରେ ଯେତେବେଳେ ଶ୍ରେଷ୍ଠତ୍ଵର ପ୍ରତିଯୋଗିତା ହୁଏ ସେତେବେଳେ ବୟସ ନୁହେଁ ଯୋଗ୍ୟତା ଦେଖାଯାଏ ।
ଜଣେ ଉଚ୍ଚ ହୃଦୟର ଲୋକ ସର୍ଵଦା
ଜ୍ଞାନ, ବିଜ୍ଞାନ, କଳା ଓ ଉତ୍ତମ ହୃଦୟର ଲୋକକୁ ଶ୍ରେଷ୍ଠଜନରେ ଗଣୁଥିଲାବେଳେ
ନିମ୍ନ ସ୍ଥରର ଲୋକ ଵୟସ ଆଧାରରେ କିଏ ଛୋଟ କିଏ ବଡ଼ ତାହା ନିର୍ଣ୍ଣୟ କରିଥାଏ  ।

ତୁର୍କ,ମୋଗଲ ଓ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହେବା କାଳରେ ଭାରତୀୟ ମାନେ ତାଙ୍କର ଆଦର୍ଶଵାଦୀ ମହାନ ସନାତନୀ ସଂସ୍କୃତି ଠାରୁ ଦୂରେଇ ଯାଇ ସଂକୀର୍ଣ୍ଣବାଦୀ ହିନ୍ଦୁ ବୋଲାଇବାକୁ ଅଧିକ ଉତ୍ତମ ମନେ କଲେ । ଆମେମାନେ ଏହି କାଳରୁ ଅଦ୍ୟାବଧି ଵର୍ଣ୍ଣାଶ୍ରମର ପାଖାପାଖି ସମସ୍ତ ଵେଦୋକ୍ତ ନିୟମ ମାନଛାଡ଼ି ସାରିଛନ୍ତି । ଶାସ୍ତ୍ର କହେ ଜନ୍ମ ରୁ ସଭିଏଁ ଶୁଦ୍ର ଏଣୁ ଭାରତୀୟ ମାନଙ୍କ ମଧ୍ୟରେ ଅଧିକାଂଶ ଉଚ୍ଚ ଜାତୀୟ ସନାତନୀ ମାନେ ପ୍ରାୟତଃ ଏବେ ସ୍ଵଵର୍ଣ୍ଣର ଵେଦୋକ୍ତ କର୍ମ ତ୍ୟାଗକରିଥିବା ହେତୁରୁ ଶୁଦ୍ର ହିଁ ଅଟନ୍ତି ।
ଏବଂ
ଦ୍ଵିତୀୟତଃ ଯେହେତୁ ଆଜିକାଲି ପ୍ରାୟ ସବୁ ଵର୍ଣ୍ଣର ଲୋକେ ବୟସରେ ବଡ଼ ହେବାକୁ ପୂଜନୀୟ ମାନୁଅଛନ୍ତି ତେଣୁ ସେମାନେ ସବୁ ଵେଦଵ୍ୟାସ,ଭୀଷ୍ମ ତଥା ମହାଭାରତ ଅନୁସାରେ ଶୁଦ୍ର ହିଁ ହୋଇ ସାରିଛନ୍ତି ।

ଅସ୍ତୁ, ଯେଉଁ ଦିନ ଭାରତୀୟ ମାନେ ସମାଜରେ ବ୍ୟକ୍ତି ର ଵୟସ ନୁହେଁ ଯୋଗ୍ୟତା କୁ ଅଧିକ ଗୁରୁତ୍ୱ ଦେବା ଶିଖିବେ ସେଇଦିନ ଭାରତ ଵିଶ୍ଵଗୁରୁ ହୋଇଯିବ ଏବଂ ଏଠାରେ ଉଭୟ ଵାସ୍ତୁଵାଦୀ ଓ ମାନଵଵାଦୀ ଵିକାଶ ହୋଇପାରିବ ।

Friday, August 16, 2019

ତାପୀ ଵା ତାପ୍ତୀ ନଦୀ

ପଶ୍ଚିମ ଭାରତରେ ଗୋଦାଵରୀ ଓ ନର୍ମଦା ନଦୀର ମଧ୍ୟଭାଗରେ ପ୍ରଵାହିତ ହେଉଥିଵା ପ୍ରଶିଦ୍ଧ ପଶ୍ଚିମମୁଖା ନଦୀକୁ ତାପ୍ତୀ ନାମରେ ଜଣାଯାଏ । ଏହି ତାପ୍ତୀ ନଦୀକୁ ତପତୀ ଓ ତାପୀ ନଦୀ ମଧ୍ୟ କୁହନ୍ତି । ଏହି ନଦୀ ମଧ୍ଯ ପ୍ରଦେଶ ରାଜ୍ଯ ଅନ୍ତର୍ଗତ ଵୈତୂଲ୍ ଉପଖଣ୍ଡର ମୁଲତାଈ ନାମକ ସ୍ଥାନରୁ ସାତପୁଡ଼ା ପର୍ଵତରୁ ବାହାରି ପଶ୍ଚିମମୁଖା ହୋଇ ମହାରାଷ୍ଟ୍ରର  ଖାନଦେଶୀ ମାଳଭୂମି ଏଵଂ ସୁରତର ସମତଳଭୂମି ପାର କରି କାମ୍ଵେ ଉପସାଗରରେ ମିଶିଛି । ପୌରାଣିକ କଥାନୁସାରେ ଯମୁନା ଓ ତାପ୍ତୀ ଭଗଵାନ ସୂର୍ଯ୍ୟଙ୍କ କନ୍ଯା ତଥା ଯମଙ୍କ ଭଗିନୀ ଥିଲେ ।

ଶ୍ରୀଵିଷ୍ଣୁପୁରାଣରେ ତାପ୍ତୀ ନଦୀ ଵିଷୟରେ କୁହାଯାଇଛି

“ତାପୀ ପୟୋଷ୍ଣୀ ନିର୍ଵ୍ଵିନ୍ଧ୍ଯା କ୍ଷିପ୍ରା ଚ ଋଷଭା ନଦୀ ।
ବିନ୍ଧ୍ଯପାଦପ୍ରସୂତାସ୍ତାଃ ସର୍ଵ୍ଵାଃ ଶୀତଜଳାଃ ଶୁଭାଃ ॥”

ସେଇପରି ଅନ୍ଯ ଏକ ସ୍ଥାନରେ ତାପ୍ତୀ ନଦୀର ମହିମା ଗାନ ପୂର୍ଵକ କୁହାଯାଇଛି

“ତାପୀ ତାପା ଚ ଗୋଲୋମୀ ଗୋମତୀ ଶାଳିତା ମହୀ ।
ସରସ୍ଵତୀ ଯୁତା ନଦ୍ଯୋ ନର୍ମ୍ମଦା ପଶ୍ଚିମାନୁଗାଃ ॥ ଆସାଂ ଜଳଂ ଘନଂ ଶୀତଂ ପିତ୍ତଘ୍ନଂ କଫକୃତ୍ତଥା । ଵାତଦୋଷ ହରଂ ହୃଦ୍ଯଂ କଣ୍ଡୁକୁଷ୍ଠଵିନାଶନମ୍ ॥”

ତାପ୍ତୀ ନଦୀକୁ ପଶ୍ଚିମ ଭାରତର ଲୋକେ ତାପୀ କୁହୁଥିଲାଵେଳେ ଓଡ଼ିଆ ପ୍ରାଚୀନ ପୁରାଣଗ୍ରନ୍ଥରେ ଏହାକୁ ତପତୀ କୁହାଯାଇଛି ।

ତାପ୍ତୀ ଓ ତପତୀ ଆଦି ଶବ୍ଦର ମୂଳରେ
ତପ ଶବ୍ଦ ରହିଛି ।

ତାପ୍ତୀ ଓ ତାପୀ ଶବ୍ଦର ସୃଷ୍ଟିକୁ ନେଇ ଦୁଇଗୋଟି ମତ ରହିଛି ।

୧) ମୂଳ ତପ ଶବ୍ଦର ଏକ ଅର୍ଥ ସୂର୍ଯ୍ଯ ଅଟେ ।
ପୁରାଣ ଶାସ୍ତ୍ର ଅନୁଯାୟୀ ଯେହେତୁ ତାପ୍ତୀଙ୍କୁ ସୂର୍ଯ୍ୟଙ୍କ କନ୍ଯା ଉଲ୍ଲେଖ କରାଯାଇଛି ତେଣୁ ସେହି ତପନଙ୍କର କନ୍ୟା ନାମ ତାଙ୍କ ନାମାନୁସାରେ ରଖାଯାଇଛି । ଆଗକାଳରେ ପିତାଙ୍କ ନାମାନୁସାରେ କନ୍ଯାର ନାମକରଣର ପରମ୍ପରା ରହିଥିଲା
ଯଥା—
✓ଗାନ୍ଧାରଙ୍କ କନ୍ଯା ଗାନ୍ଧାରୀ
✓ମଗଧରାଜ କୌଶଲ୍ଯଙ୍କ କନ୍ଯା କୌଶଲ୍ୟା
✓ମାଦ୍ରନରେଶଙ୍କ କନ୍ଯା ମାଦ୍ରୀ
✓ଦ୍ରୁପଦଙ୍କ କନ୍ଯା ଦ୍ରୌପଦୀ
✓କୁନ୍ତିଭୋଜଙ୍କ କନ୍ଯା କୁନ୍ତୀ ଇତ୍ୟାଦି ଇତ୍ୟାଦି ।

୨)ସ୍ପନ୍ଦ ପୁରାଣ ତାପୀଖଣ୍ଡ ଅନୁଯାୟୀ ବରୁଣଦେଵ ଅଗସ୍ତ୍ଯ ମୁନିଙ୍କ ଶାପରେ ସଂଵରଣ ନାମରେ ସୋମବଂଶର ରାଜା ହେଲେ ଓ ବହୁ ତପସ୍ଯା କରି ସୂର୍ଯ୍ୟଙ୍କ ପରମ ରୂପଵତୀ ଓ ପାପନାଶିନୀ କନ୍ଯା ତାପୀଙ୍କୁ ଵିଵାହ କଲେ । ପଶ୍ଚିମ ଭାରତୀୟ ଲୋକେ ନିଜକୁ ସୋମବଂଶୀ ପରିଚୟ ଦେଇଥାନ୍ତି । ପ୍ରାଚୀନ କାଳର ଅନେକ ସୋମବଂଶୀ ରାଜା ପଶ୍ଚିମ ଭାରତରେ ହୋଇଥିଵା ପୁରାଣଗ୍ରନ୍ଥରେ ଉଲ୍ଲେଖ ମିଳେ । ସେଇ ପଶ୍ଚିମ ଭାରତର ଜଣେ ପୌରାଣିକ ରାଜା ସଂଵରଣ ଯେହେତୁ ତପକରି ସୂର୍ଯ୍ୟପୁତ୍ରୀଙ୍କୁ ଲାଭକଲେ ତେଣୁ ତାଙ୍କ ନାମ ତପତୀ,ତାପ୍ତୀ ଓ ତାପୀ ଆଦି ହୋଇଥାଇପାରେ ।


Tuesday, August 13, 2019

ଟାଉଟର ଶବ୍ଦ କ’ଣ ଓଡ଼ିଆ ଦେଶଜ ନା ଏକ ଵୈଦେଶିକ ଶବ୍ଦ ?

ଆଜିକାଲି ଓଡ଼ିଶାରେ ‘ଟାଉଟର’ ଶବ୍ଦ କେତେକ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଚଳୁଅଛି । ସାଧାରଣତଃ ଏହା ଗାଳୀ ଦେଵା ସମୟରେ ଵ୍ଯଵହୃତ ହୋଇଥାଏ । ଏ ଶବ୍ଦ ପ୍ରକୃତରେ ଵୈଦେଶିକ ଶବ୍ଦ ଅଟେ । ଟାଉଟର ଶବ୍ଦଟି ଇଂରାଜୀରୁ ସିଧାସଳଖ ନିଆଯାଇଛି । 
ଇଂରାଜୀର Touter ଶବ୍ଦ ହିଁ ପୂର୍ଵଭାରତରେ 
ଟାଉଟର୍ ଭାଵେ ପ୍ରଚଳିତ । 

ତେଵେ ଇଂରାଜୀ ଟାଉଟର ଶବ୍ଦର ଅର୍ଥ ହେଉଛି ଦଲାଲ ଵା ମାମଲତକାର । ଯିଏ ମଧ୍ଯସ୍ଥତା କରି ସ୍ଵାର୍ଥ ଲାଭ କରେ ତାକୁ ଦଲାଲ କୁହନ୍ତି ‌। ଟାଉଟର ଭଳି ମାମଲତକାର,ଦଲାଲ ମଧ୍ୟ ଵୈଦେଶିକ ଶବ୍ଦ ଏଵଂ ଭାରତରେ ଦଲାଲ,ବ୍ରୋକର୍ ଓ ଟାଉଟର ଆଦି ଶବ୍ଦ ପ୍ରାୟତଃ ଗାଳୀ ଅର୍ଥରେ ଵ୍ଯଵହୃତ ହୋଇଥାଏ । 

ଇଂରାଜୀ ଟାଉଟର ଶବ୍ଦର ମୂଳ tout ଅଟେ । 
Tout ଶବ୍ଦର ମୂଳ ରୂପ tōtian ଥିଲା ଯାହା toten ଓ toot ହୋଇ ଶେଷରେ toutରେ ପରିଣତ ହୋଇଛି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମେତ ଅଧିକାଂଶ  ପୁରାତନ ଓଡ଼ିଆ ଅଭିଧାନରେ ଆମେ ଟାଉଟର ଶବ୍ଦ ଉଣ୍ଡିଲେ ପାଆନ୍ତି ନାହିଁ । ତେଣୁ ସମ୍ଭଵତଃ ଏହା ଵିଂଶ ଶତାବ୍ଦୀରେ ଲୋକପ୍ରିୟ ହୋଇଥିଵା ଅନୁମାନ କରାଯାଏ । 

ସେ ଯାହା ବି ହେଉ ଆମ ପାଖରେ 
ଦଲାଲ,ମାମଲତକାର ,ବ୍ରୋକର୍ ଓ ଟାଉଟର 
ଅର୍ଥରେ ଅନେକ ପ୍ରତିଶବ୍ଦ ରହିଛି 
ଯଥା—

୧)ନିଯୋଗୀ
୨)ମଧ୍ଯସ୍ଥ
୩)ଦଣ୍ଡିକାର/ଦଣ୍ଡିଦାର(ଵୈ)
୪)ଆଡ଼ତିଅ/ଆଡ଼ତଦାର୍(ଵୈ)
୫)ଦଣ୍ଡିଆ
୬)ସମ୍ପ୍ରଯୋଜକ
୭)ଘଟକ/ଖଟକ
୮)ତ୍ର୍ଯକ୍ଷର(ଵିଵାହ ମଧ୍ଯସ୍ଥ)
୯)ଭଲଲୋକ(ଵିଵାହ ମଧ୍ଯସ୍ଥ)
୧୦)ଯୋଟକ

ଇତ୍ୟାଦି...

ତେଵେ ଆପଣଙ୍କ ଅଞ୍ଚଳରେ ଦଲାଲ ଓ ଟାଉଟର ପାଇଁ ଅନ୍ଯ କୌଣସି ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

Thursday, August 8, 2019

ଭାରତଦେଶର ଵିଭିନ୍ନ ନାମ

ପୃଥିଵୀର ସମସ୍ତ ପ୍ରାଚୀନ କଳା , ସଂସ୍କୃତି , ଭାଷା , ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ କୁହାଯାଇଛି-

“ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ ।
ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।”
(ଵିଷ୍ଣୁ ପୁରାଣ(୨।୩।୨୪))

ଅର୍ଥାତ୍
“ଦେଵତା ଗୀତ ଗାୟନ ପୂର୍ଵକ କହୁଛନ୍ତି
ଯେ-ସ୍ଵର୍ଗ ଓ ଉପଵର୍ଗର ମାର୍ଗଭୂତ ଭାରତଭୂମିରେ ଜନ୍ମିତ ଲୋକେ ଆମ୍ଭ ମାନଙ୍କ ଠାରୁ(ଦେଵତା ମାନଙ୍କ)ଅପେକ୍ଷା ଅଧିକ ଧନ୍ୟ ଵା ଭାଗ୍ୟଵାନ ଅଟନ୍ତି । ଅର୍ଥାତ୍ ସ୍ଵର୍ଗ ଓ ଉପଵର୍ଗ(ମୋକ୍ଷ-କୈଵଲ୍ୟ)ର ମାର୍ଗ ସ୍ଵରୂପ ଭାରତଭୂମିକୁ ଧନ୍ୟ ଧନ୍ୟ କହିଵା ସହ ଦେଵଗଣ ଏହାର ଶୌର୍ଯ୍ୟ ଗାନ କରୁଅଛନ୍ତି । ଏଠାରେ ମନୁଷ୍ୟ ଜନ୍ମ ପାଇଵା ଦେଵତ୍ଵ ପଦ ପ୍ରାପ୍ତ କରିଵା ଠାରୁ ବି ବଡ଼ କଥା ଅଟଇ ।”

ସେତେବେଳେ ଭାରତ ଯଥାର୍ଥରେ ଵିଶ୍ଵଗୁରୁ ଥିଲା ତେଣୁ ଶାସ୍ତ୍ରରେ ଆଉ ପଦେ
ଯୋଡା଼ଯାଇଛି―

“ଏତ ଦେଶ ପ୍ରସୂତସ୍ଯ  ସକାଶାଦଗ୍ର ଜନ୍ମନଃ ।
ସ୍ଵଂ ସ୍ଵଂ ଚରିତ୍ର ଶିକ୍ଷେରନ୍  ପୃଥିଵ୍ଯାଂ ସର୍ଵ ମାନଵାଃ ।।”

“ଏ ଦେଶରେ ଉତ୍ପନ୍ନ ହୋଇଥିଵା ଅଗ୍ରଜନ୍ମା ମହାପୁରୁଷଙ୍କ ପାଖରେ ବସି ସଂସାର ଯାକର ମାନଵ ଶିକ୍ଷାଗ୍ରହଣ କରନ୍ତୁ । କାରଣ ଏ ଦେଶ ଵିଶ୍ଵଗୁରୁ ଅଟେ ।”

ଏ କଥା ଅନେକ ଵର୍ଷ ପରେ ଵିଦେଶୀ ଵିଦ୍ଵାନ ମଧ୍ଯ ମାନିଛନ୍ତି ଏଵଂ ଭାରତୀୟଙ୍କୁ ଏଥିପାଇଁ ଧନ୍ୟଵାଦ ବି ଦେଇଛନ୍ତି ।

ପ୍ରଶିଦ୍ଧ ଜର୍ମାନ- ଆମେରିକୀୟ ଵୈଜ୍ଞାନିକ
Albert Einstein କହିଥିଲେ―
“We owe a lot to the Indians, who taught us how to count, without which no worthwhile scientific discovery could have been made.”-
(ଆମେ ସମସ୍ତ ଭାରତୀୟଙ୍କୁ ଅଭିଵାଦନ କରୁଛୁ,ଯେଉଁ ମାନେ ଆମ୍ଭମାନଙ୍କୁ ଗଣନା କରିବା ଶିଖେଇଛନ୍ତି କାରଣ ଏହା ବିନା ଵିଜ୍ଞାନ ର କୌଣସି ବି ଏଷଣା ସମ୍ଭଵପର ହୋଇପାରି ନଥାନ୍ତା)

ସେହିପରି ଆମେରକୀୟ ଦାର୍ଶନିକ ଓ ଐତିହାସିକ Will Durant ଏ କଥାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି । ତାଙ୍କ ଭାଷାରେ–

“It is true that even across the Himalayan barrier India has sent to the west, such gifts as grammar and logic, philosophy and fables, hypnotism and chess, and above all numerals and the decimal system.”

“ଏହା ସତ୍ୟ ଅଟେ ଯେ ହିମାଳୟର ଵାଧା ପରେ ବି ଭାରତଵର୍ଷ ଏହି ପଶ୍ଚିମ ଵିଶ୍ଵରେ ଵ୍ୟାକରଣ,ତର୍କ,ଦର୍ଶନ,ନୀତିକଥା,ସମ୍ମୋହନ,ଦ୍ୟୁତ,ଗଣନ ପଦ୍ଧତି ଏଵଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦଶମିକ ପ୍ରଣାଳୀର ଜ୍ଞାନ ପଠେଇ ପାରିଥିଲା ।”

ତେଵେ ଏହି ମହାନ ଦେଶ ଭାରତଵର୍ଷର ଆଦିକାଳରୁ ଏଯାଵତ୍ ଅନେକ ନାମ ରହିଛି ।
ତନ୍ମଧ୍ୟରୁ ଭାରତ,India ଓ ହିନ୍ଦୁସ୍ତାନ ନାମ ଵିଶେଷ ଲୋକପ୍ରିୟ ଅଟେ । ଚାଲନ୍ତୁ ଭାରତର କେତେକ ନାମ ଵିଷୟରେ ଜାଣିଵା ।

🇮🇳🇮🇳🇮🇳ଭାରତଵର୍ଷ🇮🇳🇮🇳🇮🇳

ଆମ ଦେଶର ଭାରତ ନାମ ସର୍ଵୋତ୍କୃଷ୍ଟ ଓ ଶ୍ରେଷ୍ଠ ନାମ ଅଟଇ । କିନ୍ତୁ ଏ ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ରହିଛି ।

ଯଥା—

୧)ଭା ଧାତୁରୁ ନିଷ୍ପନ୍ନ ହୋଇଛି ଭାରତ

କେତେକଙ୍କ ମତରେ
ଭା+ରତ=ଭାରତ
ଭା=ଜ୍ଞାନ,ରତ=ଅନୁରକ୍ତ,ଲିପ୍ତ,ଆସକ୍ତ ...

ପୁଣି ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ  ଅଛି
ଯଥା— ନିଯୁକ୍ତ,ଵ୍ଯାପୃତ,ରମଣ,ପ୍ରେମ,ପ୍ରଣୟ,
ଅନୁରାଗ,ଆମୋଦ ପ୍ରମୋଦ, ଆସକ୍ତି...

ଭା+ରତ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ ଏମାନେ କୁହନ୍ତି
“ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେମାନେ ଭାରତୀୟ...”

୨)ଭା ଧାତୁର ଦିପ୍ତି ପାଇଵା ଅର୍ଥରୁ
ଭାରତ ଶବ୍ଦ ଗଠିତ

ଅଧିକାଂଶ ପୁରାତନ ଭାଷାକୋଷରେ
ଭା ଧାତୁ ଶବ୍ଦର ଅର୍ଥ
ଦିପ୍ତି ପାଇଵା ଲେଖାଥିଵା ଦେଖାଯାଏ..
ସେଇଭଳି ସଂସ୍କୃତ ଭାଃ ଶବ୍ଦର ଅର୍ଥ
ଦିପ୍ତି,ପ୍ରଭା,କିରଣ,ଶୋଭା ଉଲ୍ଲେଖ ଅଛି...

ତେଣୁ ଯେଉଁ ଦେଶର ଲୋକମାନେ
ସଦା ଦିପ୍ତି ବା ପ୍ରଭାର ଆସକ୍ତ....
ଆଉ ............
“କୌଣସି ଦେଶର ପ୍ରଭା,ଦିପ୍ତି,କିରଣ ଵା ଶୋଭା ସେ ଦେଶର ଜନତା - ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ  ହୋଇଥିଲେ ହିଁ ସମ୍ଭଵପର ହୋଇଥାଏ ।”

୩) ଭରତଙ୍କ ନାମରେ ଭାରତଵର୍ଷର ନାମକରଣ ଭାରତ ହୋଇଛି

କେତେକ ଭାଷାକୋଷ ଅନୁସାରେ
ଭରତ+ଅଣ୍[ଅ] = ଭାରତ ଅଟେ ।

ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଦେଶ ହିଁ ଭାରତଵର୍ଷ ଅଟେ । ପୁରାଣ କହେ  ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର ହିଁ ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ  ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ ।  ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା ।  ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ  ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ  ଆୟୋଜନ କରେଇଥିଲେ । କୁହାଯାଏ ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିବା ହେତୁରୁ ଏହାଙ୍କ ନାମାନୁସାରେ ଏହି ଦେଶର ନାମ ଭରତଖଣ୍ଡ,ଭରତଭୂମି ଓ ଭାରତଵର୍ଷ ରଖାଯାଇଥିଲା ।

୪)ଭାର ଶବ୍ଦରେ ତନ୍ ଲାଗି ଭାରତ ଶବ୍ଦ ହୋଇଅଛି ।

କଳ୍ପଦ୍ରୁମ ଶବ୍ଦକୋଷ କୁହେ
ଭାରଂ + ତନ୍ +ଙଃ(ଅ) =ଭାରତ
ସେଠାରେ
ଵ୍ଯାଖ୍ୟା କରି କୁହାଯାଇଛି -

“ଵେଦାଦିଶାସ୍ତ୍ରେଭ୍ଯୋଽପି ସାରାଂଶଂ ତନୋତି”

ଅର୍ଥାତ୍ ବେଦାଦିଶାସ୍ତ୍ର ଗୁଡ଼ିକର ଯାହା
ସାରାଂଶ ତାହା ଭାରତ
ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିଵା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି ।
*ହିନ୍ଦୀ ଶବ୍ଦ ସାଗରରେ ପ୍ରୋକ୍ତ ନିରୁକ୍ତି ଵ୍ଯାଖ୍ୟା କୁ ଆହୁରି ସହଜ ଭାଵେ
ଭାର+ତ=ଭାରତ କୁହାଯାଇଛି । ଏହି ନିରୁକ୍ତି ଵ୍ଯାଖ୍ୟାରୁ ମିଳୁଥିବା ଭାର ଶବ୍ଦର ନିରୁକ୍ତି ହେଲା—
ଭୃଧାତୁ+ଭାଵ.ଅ
ଭୃ ଧାତୁର ଦୁଇଟି ଅର୍ଥ ଅଛି
→
■ଧାରଣ କରିଵା
■ପାଳନ ପୋଷଣ କରିଵା

ତେଣୁ ଏଠାରେ ମୂଳ “ଭୃ ଧାତୁ” ଭାର ଶବ୍ଦ ରୁ ମିଳିଯାଉଛି ଯାହା ହିନ୍ଦୀ ଶବ୍ଦ ସାଗରର ଅନ୍ୟ ଏକ ନିରୁକ୍ତି ଵ୍ୟାଖ୍ୟା ଆଡ଼କୁ ଇଙ୍ଗିତ କରୁଛି
↗ଭୃ଼ +ଅତଚ୍+ଙୀପ୍ =ଭାରତ
ତେବେ ଭାର ଶବ୍ଦ ର ଅନେକ ଅର୍ଥ ରହିଛି
ଉ:-
➡ଗୁରୁତ୍ୱ
➡ଗାମ୍ଭୀର୍ଯ୍ୟ
➡ସମୂହ
➡ଦାୟିତ୍ୱ
➡ପରିମାଣ

ଏଣୁ ଏସବୁ ଅର୍ଥ କୁ ନେଇ ଭାରତ ଶବ୍ଦ ର ଆଉ ଏକ ଭାଵଗତ ଵ୍ୟାଖ୍ୟା ହେବ

“ଯେଉଁଠି ସମସ୍ତଙ୍କୁ,ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ(ଯାଉଥିଲା),
ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି(ପାଉଥିଲେ),ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହ ର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ବହନ ପୂର୍ବକ ସେମାନଙ୍କୁ ଅନ୍ନ,ଭୂମି ତଥା ପବନ ଦେଇ ଲାଳନପାଳନ ପୋଷଣ କରିଛି  ସେ ଦେଶ ଏ ଦେଶ ଭାରତଵର୍ଷ ଅଟେ ...”

ତେଵେ ଆଜି ୟୁରୋପୀୟ ଇଣ୍ଡିଆ ନାମ ସହ ଭାରତ ମଧ୍ୟ ଆମ୍ଭ ଦେଶର ଅନ୍ୟତମ ଆଧିକାରିକ ନାମ ଭାଵେ ସ୍ଵୀକୃତିପ୍ରାପ୍ତ ହୋଇଅଛି ।

🔍🔍🔍🔍India🔍🔍🔍🔍

ପର୍ତ୍ତୁଗାଲୀ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ପ୍ରଦତ୍ତ ଇଣ୍ଡିଆ ନାମ ସହିତ ଭାରତୀୟଙ୍କ ପରିଚୟ ହୋଇଥିଲା । ଇଂରାଜୀରେ Indea ଶବ୍ଦ ଵ୍ଯଵହାର ଅଧିକ ଥିଲା ଏଵଂ ଇଂରାଜୀ ଭାଷାର  ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମଦ୍ଧୃତ ।  ଲାଟିନ୍ ର ଇଣ୍ଡିଆ ଶବ୍ଦ ବି ଗ୍ରୀକ୍ ରୁ ସିଧାସଳଖ ଗ୍ରହଣ କରାଯାଇଛି ସେଇ ମୂଳ  ଶବ୍ଦଟି ହେଉଛି Ἰνδία(Indía) । ଏଠାରେ  Ἰνδός(Indós) ଶବ୍ଦରୁ Ἰνδ
  ସହିତ -ῐ́ᾱ(-íā) ପ୍ରତ୍ଯୟ ଯୁକ୍ତ ହୋଇ Ἰνδία(Indía) ଶବ୍ଦଟି ସୃଷ୍ଟି ହୋଇଅଛି ।
Ἰνδός(Indós) ଶବ୍ଦର ଅର୍ଥ ଇଣ୍ଡସ୍ ଵା ସିନ୍ଧୁ ନଦୀ ଅଟେ । ଗ୍ରୀକ୍ ଭାଷାରେ ଚଳୁଥିଵା Ἰνδός(Indós) ଶବ୍ଦଟି ଆସିଅଛି ପୁରୁଣା ପାର୍ସୀଭାଷାର 𐏃𐎡𐎯𐎢𐏁(hindūš) ଶବ୍ଦରୁ । ଏହାର ପ୍ରାକ୍ ଇରାନୀ ରୂପ  *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ
 ରୂପ *síndʰuš(ନଦୀ/ସାଗର) ଥିଲା ।
ଆଗେ ଇଂରାଜୀ ଲୋକେ ଆରଵୀୟଙ୍କ ଠାରୁ ତଥା ପ୍ରାଚୀନ ଗ୍ରୀକ୍ ଇତିହାସ ଓ ସାହିତ୍ୟ ଗ୍ରନ୍ଥରୁ ଭାରତୀୟଙ୍କ ଵିଷୟରେ ଜାଣିଵାକୁ ପାଉଥିଲେ । ଫ୍ରାନ୍ସ ଦ୍ଵାରା ପରାଧୀନ ଥିଵା ସମୟରେ ଇଂରେଜ ଲୋକେ ମୂଳ ଲାଟିନ୍ Indía ଶବ୍ଦକୁ Inde ଲେଖୁଥିଲେ । ଏହି ଶବ୍ଦଟି ପୁରୁଣା ଫ୍ରେଞ୍ଚ ଭାଷାରେ Ynde ହୋଇ ଚଳୁଥିଲା । ୧୬୦୦ଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଏଇ India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଆଜି ସାରା ଵିଶ୍ଵରେ ଭାରତର ଆଧିକାରୀକ ନାମ ହୋଇଯାଇଛି ।

✨✨✨✨ହିନ୍ଦୁସ୍ତାନ✨✨✨✨

ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଏହି ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ଭାଷାକୁ ହିନ୍ଦୀ ନାମ ଦିଆଗଲା । ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି । ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ । ଢେଙ୍କାନାଳରେ ସେଇଟା କୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ  କୁହନ୍ତି ହାରୁ ଛେ !!! ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣପ୍ରଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ ।

🚩🚩🚩🚩ଆର୍ଯ୍ୟଵର୍ଷ🚩🚩🚩🚩
ଅର୍ଯ୍ୟ ଶବ୍ଦକୁ ବହୁଲୋକ ଜାତିଵାଚକ ଭାବୁଥିଲେ ହେଁ ସଂସ୍କୃତ ଭାଷାରେ ଏ ଶବ୍ଦଟି ଏକ ଵିଶେଷ୍ଯ ଵା ନାମଵାଚକ ଶବ୍ଦ ନୁହେଁ ଵରଂ ଏହା ଏକ ଵିଶେଷଣ ଵା ଗୁଣଵାଚକ ଶବ୍ଦ ଅଟଇ । ପୂର୍ଵେ ସମସ୍ତ ଭାରତଵାସୀ ସାଧୁ,ବୁଦ୍ଧିମାନ,ଵିଜ୍ଞ ଓ ସଚ୍ଚୋଟ ଥିଲେ ଏଵଂ ଏ ଗୁଣ ଆଜି ବି ଆମ ଦେଶର ଜନତାଙ୍କ ପାଖରେ ରହିଛି । ଏ ସମସ୍ତ ଗୁଣ ଥିଵା ଲୋକଙ୍କୁ ସସମ୍ମାନେ ଆର୍ଯ୍ୟ କୁହାଯାଉଥିଲା । ବୟସରେ ବଡ଼ବାପା,ବଡ଼ବାପା,
ଜେଜେବାପା,ଅଜା,ଶଶ୍ଵର ମାମୁଁ ,ମଉସା ଓ ପିଉସା ଆଦିଙ୍କୁ ପ୍ରାଚୀନକାଳରେ ଆର୍ଯ୍ୟ କୁହାଯାଉଥିଲା । ଭାରତୀୟ ମାନେ ଯଥାର୍ଥରେ ଆର୍ଯ୍ୟ ଅର୍ଥାତ୍ ସାଧୁ ଗୁଣ ସମ୍ପନ୍ନ ଥିଲେ ତେଣୁ ଏ ଦେଶର ଏକ ନାମ ଆର୍ଯ୍ୟଵର୍ଷ ମଧ୍ଯ ଅଟଇ । କେହି କେହି ଆର୍ଯ୍ୟଵର୍ଷ କୁ ଆର୍ଯ୍ୟାଵର୍ତ୍ତ ମଧ୍ଯ କହିଥାନ୍ତି । ଆର୍ଯ୍ୟ ଶବ୍ଦ ସହିତ ଆଵର୍ତ୍ତ ଶବ୍ଦ ଯୋଗ କରି ଅର୍ଯ୍ୟାଵର୍ତ୍ତ  ଶବ୍ଦ ହୋଇଛି। ଏଠାରେ ଆଵର୍ତ୍ତ ଶବ୍ଦର ଅର୍ଥ ବାସସ୍ଥାନ ଅଟେ ।

🚩🚩🚩🚩ବ୍ରହ୍ମାଵର୍ତ୍ତ🚩🚩🚩🚩
ଭାରତର ନାମ ବହୁପ୍ରାଚୀନ କାଳରେ ବ୍ରହ୍ମାଵର୍ତ୍ତ ମଧ୍ୟ ଥିଲା । କେତେକ ଐତିହାସିକଙ୍କ ମତରେ ସିନ୍ଧୁ ନଦୀର ଉଭୟ ପାର୍ଶ୍ଵସ୍ଥ ଅଞ୍ଚଳକୁ ହିଁ ବ୍ରହ୍ମାଵର୍ତ୍ତ କୁହାଯାଉଥିଲା । ତେଵେ ଆଉ କେତେକଙ୍କ ମତରେ ଭାରତର ନାମ ଆର୍ଯ୍ୟାଵର୍ତ୍ତ ଓ ଆର୍ଯ୍ୟଵର୍ଷ ବୋଲାଇଵାର ପୂର୍ଵରୁ ଏହାର ନାମ ବ୍ରହ୍ମାଵର୍ତ୍ତ ଥିଲା । ଋକବେଦରେ ଆମେ ଏ ଶବ୍ଦର ଵ୍ଯଵହାର ଦେଖିଵାକୁ ପାଇଥାଉ  ।

🚩🚩🚩ହୈମଵତଵର୍ଷ🚩🚩🚩ଵରାହପୁରାଣ ଆଦି କେତେକ ଗ୍ରନ୍ଥରେ ଆମେ ଭାରତଵର୍ଷର ନାମ ହୈମଵତ୍ ଵର୍ଷ ଉଲ୍ଲେଖ ଥିଵା ଦେଖିଵାକୁ ପାଇଥାନ୍ତି । ସାଧାରଣତଃ ହିମାଳୟ ପର୍ଵତମାଳାକୁ ହୈମଵତ କୁହାଯାଏ । ତେଣୁ ପୁରାଣମାନଙ୍କରେ ଏହି ହିମାଳୟର ଦକ୍ଷିଣଵର୍ତ୍ତୀ ସମସ୍ତ ଭୂଭାଗକୁ ହୈମଵତ ଵର୍ଷ କୁହାଯାଇଛି । ଭାରତକୁ ଉତ୍ତରରେ ହିମାଳୟ ରକ୍ଷାକଵଚ ଭଳି ଘେରି ରହିଛି ‌‌। ଭାରତକୁ ଶସ୍ୟଶ୍ୟାମଳା ରଖିଵାରେ ହିମାଳୟର ଯୋଗଦାନ ଅତୁଳନୀୟ । ଭାରତରେ ଯେଉଁ ନାତିଶିତୋଷ୍ଣ ଜଳଵାୟୁ ଦୃଷ୍ଟ ହୁଏ ତାହା ହିମାଳୟ ଭଳି ଉଚ୍ଚ ପର୍ଵତାମାଳା ଯୋଗୁଁ ହିଁ ସମ୍ଭଵପର ହୋଇପାରିଛି କାରଣ ପୃଥିଵୀର ଯେଉଁ କର୍କଟ କ୍ରାନ୍ତି ବଳୟରେ ଭାରତ ରହିଛି ସେହି ଵଳୟରେ ସାହାରା ଓ ଆରବୀ ମରୁଭୂମି ରହିଛି । ହିମାଳୟ ନଥିଲେ ଭାରତରେ ମୌସୁମୀ ଵର୍ଷା ସମ୍ଭଵ ହୋପାରନ୍ତା ନାହିଁ । ହିମାଳୟ ପର୍ବତମାଳା ହଜାର ହଜାର ମିଟର ଉପରେ ପ୍ରଵାହିତ ଜେଟ୍ ଷ୍ଟ୍ରୋମ୍ କୁ ଦକ୍ଷିଣରେ ବାଧା ଦେଇଥାଏ ପୁଣି ଉତ୍ତର ଗୋଲାର୍ଦ୍ଧରୁ ପ୍ରଵାହିତ ଶୁଷ୍କ ଶୀତଳ ଵାୟୁକୁ ମଧ୍ଯ ଉତ୍ତର ପଟୁ ପ୍ରଵେଶ କରିଵାକୁ ଦିଏ ନାହିଁ । ଫଳରେ ଭାରତରେ ଗୁରୁଚାପ ସୃଷ୍ଟି ହୋଇପାରେ ଏଵଂ ତାହାର ପ୍ରଭାଵ ଭାରତ ମହାସାଗରରେ ପଡି଼ଲେ ଲଘୁଚାପ ହୋଇଥାଏ । ବୋଧହୁଏ ଏ କଥା ଆମ ପ୍ରାଚୀନ ପୂର୍ଵଜ ଜାଣିଥିଲେ । ସମ୍ଭଵତଃ ସେଇଥିପାଇଁ ସେମାନେ ନିଜ ଦେଶର ନାମ ହିମାଳୟର ନାମାନୁସାରେ ରଖିଯାଇଛନ୍ତି ।

🚩🚩🚩ଅଜନାଭ/ନାଭି ଖଣ୍ଡ🚩🚩🚩

ପୁରାଣନୁସାରେ ଅଗ୍ନୀଧ୍ର ରାଜା ତାଙ୍କର ନଅ ପୁଅଙ୍କୁ ଜମ୍ବୁଦ୍ବୀପ(ତତ୍କାଳୀନ ଏସିଆ)କୁ ନଅ ଖଣ୍ଡ କରି ବାଣ୍ଡି ଦେଇଥିଲେ। ତାଙ୍କ ପୁତ୍ର ନାଭିଙ୍କୁ ଯେଉଁ ଖଣ୍ଡ ଦିଆ ଯାଇଥିଲା ତହିଁର ନାମ ନାଭିଖଣ୍ଡ ହେଲା । ଏହି ନାଭିଙ୍କ ଅନ୍ଯନାମ ଅଜନାଭ ଅଟେ । ଏହାଙ୍କ ନାମାନୁସାରେ କେତେକାଳ ଭାରତର ନାମ ଅଜନାଭଖଣ୍ଡ ଓ ନାଭିଖଣ୍ଡ ହୋଇଥିଲା ।  ପରେ ନାଭିଙ୍କ ପୌତ୍ର ଭରତଙ୍କ ନାମ ଅନୁସାରେ ଏହା ଭାରତ ଖଣ୍ଡ ବା ଭାରତ— ଵର୍ଷ ବୋଲି ପ୍ରସିଦ୍ଧ ହେଲା ।

🚩🚩🚩ନରଭୂ/ନରଭୂମି🚩🚩🚩
ନର ଶବ୍ଦର ଅର୍ଥ ସାଧାରଣତଃ ମନୁଷ୍ୟ ଜାତି ଓ ପୁରୁଷ ଜାତି ପ୍ରତି ଵ୍ଯଵହୃତ ହେଉଥିଲେ ହେଁ ଏହାର ଵ୍ଯାପକ ଅର୍ଥ ରହିଛି । ଶ୍ରୀଵିଷ୍ଣୁ ଓ ସଦାଶିଵଙ୍କୁ ମଧ୍ୟ ‘ନର’ କୁହାଯାଏ ।ଅର୍ଜୁନଙ୍କର ଏକ ନାମ ମଧ୍ୟ ନର ଅଟେ । ତେଵେ ଭାରତଵର୍ଷକୁ ନରଭୂ ଵା ନରଭୂମି କହିଵାଵେଳେ  ସମ୍ଭଵତଃ ନିମ୍ନୋକ୍ତ ଅର୍ଥରେ ଵ୍ଯଵହୃତ ହୋଇଥାଏ

କ)ଯେଉଁଠାରେ ନର ପଦଵାଚ୍ଯ ଵ୍ଯକ୍ତିମାନେ ଅର୍ଥାତ୍ ସାଧୁ ସ୍ଵଭାଵର ଲୋକେ ବାସ କରନ୍ତି ।

ଖ) ଯେଉଁ ଭୂମିରେ ଯୁଗେ ଯୁଗେ ସଦାଶିଵ ଓ ଶ୍ରୀନାରାୟଣ ଅଵତାର ନେଇଥାନ୍ତି ।

🚩🚩🚩ଫଳ ଭୁମି,କର୍ମଭୂମି ଓ ପୁଣ୍ୟଭୂମି🚩🚩🚩

ଯେଉଁ ଭୂଭାଗ କର୍ମଫଳ ଭୋଗର ସ୍ଥାନ ତାହା ଏଇ ଭାରତଵର୍ଷ ବୋଲି ଆମ ପୂର୍ଵଜଙ୍କର ଵିଶ୍ଵାସ ଥିଲା । ଭାରତୀୟ ଵାଙ୍ମୟ ଶାସ୍ତ୍ରାନୁଯାୟୀ ଭାରତରେ ପାପପୂଣ୍ଯର ଫଳ ଭୋଗ ହେଉଥିଲା । ତେଣୁ ଆମ ଦେଶର କର୍ମଭୂମି, ପୁଣ୍ୟଭୂମି ଓ ଫଳଭୂମି ଆଦି ନାମକରଣ କରାଯାଇଥିଵା ଅନୁମାନ କରାଯାଏ । ସ୍ଥୂଳ ଭାଵେ ଦେଖିଲେ ବି ଭାରତରେ ଯେତେ ଫୁଳ ପୁଷ୍ପାଦି ମିଳେ ତେତେ ଵିଶ୍ଵରେ ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ
ନାହିଁ ।  ଏ ଦେଶର ଜନତା ମଧ୍ୟ ପାପପୁଣ୍ଯର ଵିଚାର କରି ହିଁ ଅସାଧୁ କାର୍ଯ୍ୟ କରିଵାକୁ ଭୟ କରୁଥିଲେ ‌ । ସେହିପରି ଭାରତଵର୍ଷକୁ କର୍ମଭୂମି ମଧ୍ୟ କୁହାଯାଏ କାରଣ ଏହା ଧର୍ମକର୍ମ କରିବାର ପ୍ରସିଦ୍ଧ ସ୍ଥାନ । ଭାରତ ହେଉଛି ସମସ୍ତ ଜ୍ଞାନର ଆଵିଷ୍କାର ଓ ଉଦ୍ଭାବନର ଭୂମି । ପ୍ରାଚୀନ ଭାରତର ଲୋକେ
କର୍ମଵାଦୀ ଥିଲେ କର୍ମକୁ ଈଶ୍ଵର ମାନି ଚଳୁଥିଲେ ଏଵଂ ଗଣନପଦ୍ଧତି,ମାପ ପଦ୍ଧତି,ରନ୍ଧନକଳା,ସଂଗୀତ ଓ ନୃତ୍ୟ କଳା, ଭାସ୍କର୍ଯ୍ୟ  ଜୀବନଜୀଵିକା ପଦ୍ଧତି,ଭାଷା ଓ ଲିପି ଲିଖନର ପଦ୍ଧତି ଇତ୍ୟାଦି ଅନେକାନେକ କଳା କୌଶଳ ଜ୍ଞାନ ଵିଜ୍ଞାନର ଆରମ୍ଭ ଏଇ ଦେଶରୁ ହିଁ ହୋଇଥିଲା । ଏସବୁ ଆଵିଷ୍କାର ଓ ଉଦ୍ଭାବନ କେଵଳ ପୁରୁଷାର୍ଥ ଦ୍ଵାରା ହିଁ ସମ୍ଭଵ ହୋଇପାରିଥିଵ । ସକାରାତ୍ମକ କର୍ମ ବିନା ଏସବୁ ବଡ଼ ବଡ଼ ଆଵିଷ୍କାର ଓ ଉଦ୍ଭାବନ କଷ୍ଟସାଧ୍ୟ ଅଟେ । ସମ୍ଭଵତଃ ସେଇଥିପାଇଁ ଭାରତର ଏକ ନାମ କର୍ମଭୂମି ହୋଇଅଛି ।

🚩🚩🚩କୁମାରଖଣ୍ଡ🚩🚩🚩
ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ଏକ ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି । କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । ଆଉ କେତେକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ  ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ ।

🔵🔵ପୃଥିଵୀର ଵିଭିନ୍ନ ଦେଶରେ ଭାରତର ନାମକରଣ 🔴🔴

୧)—ଚୀନ—
ତିଆନ୍’ଝୁ/ତେନ୍’ଜିକୁ

ମାଣ୍ଡାରିନ ଓ ଜାପାନୀ ଭଷାରେ ଭାରତଦେଶକୁ  Tianzhu ଵା Tenjiku  ଯାହା ପ୍ରକୃତରେ “xien-t'juk” ଉଚ୍ଚାରିତ ହୋଇଥାଏ । ତେଵେ ଭାଷାଵିତ୍’ଙ୍କ ମତରେ ଏ ଶବ୍ଦଟି ପାର୍ସୀ ହିନ୍ଦୁ କିଂଵା ସଂସ୍କୃତ ସିନ୍ଧୁ ଶବ୍ଦର ପରିଵର୍ତ୍ତିତ ରୂପ ଅଟେ । ଚୀନଦେଶୀୟ ଭାଷାରେ ଆଜିକାଲି ଭାରତ ପାଇଁ  Yindu (印度) ଶବ୍ଦ ଵ୍ଯଵହାର ହେଉଅଛି ।

୨)ଇସ୍ରାଏଲ୍—Hodu( הֹדּוּ)

ହିବ୍ରୁ ବାଇବେଲ୍ ରେ ଭାରତର ନାମ ହୁଡୁ ବୋଲି ଉଲ୍ଲେଖ ରହିଛି । ଇହୁଦୀ ତନଖ୍(ଇହୁଦୀ ବାଇବେଲ୍)ର  Book of Esther ତଥା ଖ୍ରୀଷ୍ଟିଆନ୍’ଙ୍କ ଓଲ୍ଡ ଟେଷ୍ଟାମେଣ୍ଟ୍’ର Esther 1:1ରେ ହୁଡୁ ଵା ପ୍ରାଚୀନ ସିନ୍ଧୁଦେଶଠାରୁ ଏଥିଓପିଆ ଯାଏଁ  Ahasuerus (Xerxes) ନାମକ ଜଣେ ସମ୍ରାଟ ଶାସନ କରୁଥିଵା ଉଲ୍ଲେଖ ରହିଛି ।

ଭିଏତନାମରେ ଭାରତକୁ ସ୍ଥାନୀୟ ଲୋକେ Ấn Độ କୁହନ୍ତି ଏଵଂ ପୃଥିଵୀର ପ୍ରାୟ ଅଧିକାଂଶ ଭାଷାରେ ହିନ୍ଦୁ ଵା ସିନ୍ଧୁ ନଦୀର ନାମାନୁସାରେ ପ୍ରଶିଦ୍ଧ ହିନ୍ଦୁସ୍ଥାନ ଓ ଇଣ୍ଡିଆ ନାମର ଵିଭିନ୍ନ ପ୍ରତିରୂପ ପ୍ରଚଳିତ ।