●●●●ମୋ ଦେଶ●●●●●●
(ରାଗ,ତୋଡି଼ ପରଜ,ଆଠତାଳି)
(ବିଛନ୍ଦ ଚରଣ ପଟ୍ଟନାୟକ)
ମୋ ଦେଶ ଦେଖା ସେହି ରୂପକୁ
କବି-ହୃଦାନନ୍ଦ-ରସ-କୂପକୁ (ଘୋଷା) !!
ମଣ୍ଡିବାକୁ ଯାହା ସାଧବକୁଳ
ବୋଇତେ ଉଡା଼ଇଥିଲେ ଚିରାଳ ।।୧।।
ଖାରବେଳ ଯାହା ଦେଖି ନୟନେ
ଚଳିଲେ ମଗଧ ସେନା ଗହଣେ ।।୨।।
କେଶରୀ ଭୂପତି କୀରତି ଜାଳ
ମୟୁଖେ ହୋଇଲା ଯାହା ଧବଳ ।।୩।।
ଅନଙ୍ଗଭୀମ ଅବନୀ ନାୟକ
କଲେ ଯା' ଗୌରବ ବିଶ୍ବ ବ୍ଯାପକ ।।୪।।
ନରସିଂହ ଭୂପ ମନ୍ଦିର-ବର
ହେଲା କଉସ୍ତୁଭ ଯାହା ହୃଦର ।।୫।।
କପିଳେନ୍ଦ୍ର ବଢା଼ଇଲେ ଯା ଶିରୀ
ଅସିରେ ବଇରୀ ଉରସ ଚିରି ।।୬।।
କାଞ୍ଚି-ଜେମା-ହୃଦ-କୁମୁଦ-ଇନ୍ଦୁ
ଉଛୁଳାଇଲେ ଯା ସୁଯଶ-ସିନ୍ଧୁ ।।୭।।
ଭଞ୍ଜ କବିରବି-ଗୋପାଳକୃଷ୍ଣ
ପିଇଲେ ନେତ୍ରେ ଯା ହୋଇ ସତୃଷ୍ଣ ।।୮।।
ରାଧାନାଥ କବି-ଲେଖନୀ-ମୁନ
ଯାହା ଆଙ୍କି ହେଲା ଭାରତେ ଧନ୍ଯ ।।୯।।
ମନୁଜ କେଶରୀ ମଧୁସୂଦନ
ଦେଖି ଦେଖାଇଲେ ଯାହା ସପନ ।।୧୦।।
ସାର୍ଦ୍ଧ କୋଟି ଦେଶବାସୀ ନୟନ
ଚକୋରେ ଦେବାକୁ ଚନ୍ଦ୍ରିକା-ପାନ ।।୧୧।।
କୃଷ୍ଣଚନ୍ଦ୍ର ଗଜପତି ଭୂପତି
ଦେଲେ ଯାକୂ ସ୍ବତନ୍ତ୍ରତା ବିଭୂତି ।।୧୨।।
ବିଛନ୍ଦ ଚରଣ ପଟ୍ଟନାୟକ
ଚିନ୍ତି ଯା ବିଭୋର କାଳ କାଳକ ।। ୧୩।।
ଶବ୍ଦାର୍ଥ■■■■■■■■■■■■■■■■
କବିହୃଦାନନ୍ଦ ରସ କୂପକୁ=>
କବିଙ୍କ ହୃଦୟକୁ ଯାହା ଆନନ୍ଦ ଦାୟକ
ଚିରାଳ=>ପତାକା
କୀରତିର ଜାଳ ଅର୍ଥାତ ସମୁହ
ମୟୁଖ=> କିରଣ
ଧବଳ=>ଆଲୋକିତ
ମନ୍ଦିରବର=>କୋଣାର୍କ
କଉସ୍ତୁଭ=>ବିଷ୍ଣୁଙ୍କ ଛାତିର ମଣି ବିଶେଷ
ଶିରୀ=>ଐଶ୍ବର୍ଯ୍ୟ
ଅସି=>ଖଣ୍ଡା
ବଇରି=>ଶତ୍ରୁ
ଉରସ=>ଛାତି
ହୃଦ କୁମୁଦ ଇନ୍ଦୁ=> ହୃଦୟ ରୂପକ କଇଁ ଫୁଲର ଚନ୍ଦ୍ରମା ଅର୍ଥାତ ପ୍ରାଣବଲ୍ଲଭ
ଭଞ୍ଜ=>କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
କବିରବି=>କବିସୂର୍ଯ୍ୟ ବଳଦେବ ରଥ
ଗୋପାଳକୃଷ୍ଣ=> ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକ
ଏମାନେ ଆଖିବାଟେ ତୋର ରୂପ ପାନକରିଥିଲେ ।।
ମନୁଜ କେଶରୀ=> ମାନବ ମଧ୍ୟରେ ସିଂହ
ଅର୍ଥାତ ମି.ଦାସ/ମଧୁବାବୁ
No comments:
Post a Comment