Tuesday, April 22, 2025

ପୃଥିଵୀର ୧୫୮ଟି ତତ୍ସମ ନାଆଁ କ'ଣ ଜାଣିଛନ୍ତି କି ?

ୟୁରି ଗାଗାରିନ୍ ପୃଥିଵୀ ପୃଷ୍ଠରୁ ମହାକାଶକୁ ଯାଇଥିଵା ପ୍ରଥମ ଵ୍ୟକ୍ତି । ସେ ୧୨ ଏପ୍ରିଲ ୧୯୬୧ରେ ଭୋସ୍ତୋକ ୧ ମହାକାଶ ଯାନରେ ପୃଥିଵୀକୁ ପରିକ୍ରମା କରିଥିଲେ ।‌ ପୃଥିଵୀକୁ ମହାକାଶରୁ ଦେଖିଲାପରେ ତାଙ୍କ ମନରେ ଯାହା ଭାଵାଵେଗ ସୃଷ୍ଟି ହୋଇଥିଲା ତାକୁ ପ୍ରକାଶ କରି ଥରେ ସେ ଲେଖିଥିଲେ : “Облетев Землю в корабле-спутнике, я увидел, как прекрасна наша планета. Люди, будем хранить и преумножать эту красоту, а не разрушать её!”

ଅର୍ଥାତ୍ “ପୃଥିଵୀକୁ ମହାକାଶ ଯାନରେ ପରିକ୍ରମା କରି, ମୁଁ ଦେଖିଲି ଆମ ଗ୍ରହ ସତରେ କେତେ ସୁନ୍ଦର ମନୋହର ଓ ଅଦ୍ଭୁତ। ତେଣୁ ହେ ମନୁଷ୍ୟମାନେ, ଆସନ୍ତୁ ଏହି ସୌନ୍ଦର୍ଯ୍ୟକୁ ନଷ୍ଟ ନକରି ଏହାର ସଂରକ୍ଷଣ ଓ ଵୃଦ୍ଧି କରିଵାକୁ ତତ୍ପର ହେଵା ।”


ତେବେ ଵିଶ୍ଵର ଯେତେ ଗ୍ରନ୍ଥ ଅଛି ଯେତେ ଲୋକଵାଣୀ ଅଛି ତନ୍ମଧ୍ୟରେ ପୃଥିଵୀ ପାଇଁ ବୋଲା ଯାଇଥିଵା ସବୁଠାରୁ ଶ୍ରେଷ୍ଠ ଉକ୍ତି ସମ୍ଭଵତଃ ଅଥର୍ଵଵେଦରେ ରହିଛି । 
ଅଥର୍ଵଵେଦର ଦ୍ଵାଦଶ କାଣ୍ଡର ପ୍ରଥମ ସୂକ୍ତରେ ଥିଵା ଦ୍ଵାଦଶ ଋଚା କହେ 

"ମାତା ଭୂମିଃ ପୁତ୍ରୋ ଅହଂ ପୃଥିଵ୍ୟାଃ
 ପର୍ଜନ୍ୟଃ ପିତା ସ ଉ ନଃ ପିପର୍ତୁ॥" 
ଅର୍ଥାତ୍ 
“ଭୂମି ମୋର ମାତା, ମୁଁ ପୃଥିଵୀର ପୁତ୍ର।
ପର୍ଜନ୍ୟ (ଵର୍ଷାର ଦେଵତା) ମୋର ପିତା, 
ସେ ଆମକୁ ପାଳନ କରନ୍ତୁ।”

ଭାରତୀୟମାନେ ପୃଥିଵୀକୁ କେତେ ଭଲ ପାଇଥିଲେ ତାହା ଏଇ ପଦିଏ କଥାରୁ ସ୍ପଷ୍ଟ ହୋଇଯାଏ । ତେବେ ଏହା ଏକମାତ୍ର ପ୍ରମାଣ ନୁହେଁ ।‌


ଭାରତର କେଵଳ ସଂସ୍କୃତ ଭାଷାରେ ପୃଥିଵୀର ୧୫୮ଟି ନାଆଁ ଅଛି । ପୃଥିଵୀର ଆଉ କୌଣସି ଭାଷାରେ ଏତେ ସଂଖ୍ୟକ ନାଆଁ ଦେଖାଯାଏ ନାହିଁ । ୧୫୮ ଛାଡ଼ନ୍ତୁ ଦଶରୁ ଅଧିକ ନାଆଁ ବି ନାହିଁ ।‌ ପୃଥିଵୀର ସେଇ ୧୫୮ଟି ତତ୍ସମ ନାମ ଗୁଡ଼ିକ ହେଲା :
ପୃଥ୍ଵୀ,ମୃତ୍ତିକା,ପୃଥିଵୀ,ମହୀ,ଭୂମି,ଭୁଵନ,ଗିରିକର୍ଣ୍ଣିକା,ପୁରୀଷ୍ୟ,ରୁପ୍,ଭୂତଧାରିଣୀ,କ୍ଷୌଣୀ,ମଧୁଜା,ମୃଦ୍,ଜଗଦ୍ଵହା,ଧରାଧାରା,ଵିଶ୍ଵଗନ୍ଧା,ଗିରିସ୍ତନୀ,ସମୁଦ୍ରରଶନା,କୃଷି,ଇଡା,ଭୂମିକା,ଧରଣୀ,ଵିଶ୍ଵମ୍ଭରା,ସର୍ଵଂସହା,ଅଦ୍ରିକୀଳା,ଟା,ଵସୁମତି,ସାଗରାମ୍ବରା,କୀଳିନୀ,ଧାତ୍ରୀ,ରତ୍ନଗର୍ଭା,ଏଧିନି,କ୍ଷିତି,ଦକ୍ଷା,ସାଗରମେଖଳା,ଭୂର୍ଣ୍ଣି,ଉର୍ଵୀ,ସ୍ଥଗଣା,ଧାରଣୀ,ରତ୍ନାକରମେଖଳା,ଭୂତମାତୃକା,ଇଡିକା,ସର୍ଵସହା,ଅଚଳକୀଳା,ଵାସୁରା,ସାଗରନେମି,କ୍ଷ୍ମା,ଧାରୟିତୃ,ଵିଶ୍ଵମ୍ଭରି,ଖଣ୍ଡିନୀ,ରତ୍ନପ୍ରଭା,ଭୂତସାଧନୀ,ଇ,ଧରଣୀ,ସାଗରନେମୀ,ସମୁଦ୍ରଵସନା,ଧାରିଣୀ,ଵିଶ୍ଵସହା,ରତ୍ନସୂ,ଇନ୍ଦ୍ରଋଷଭା,ସୁଧା,ସହା,ଧରା,ସ୍ଥାୟା,ଧୃତ୍ଵରୀ,କ୍ଷା,ରତ୍ନସୂତି,ଇରା,ତଵିଷୀ,ଵିପୁଳା,ମହାକାନ୍ତା,ରସା,ଧରିତ୍ରୀ,ରତ୍ନଵତୀ,ପ୍ରଥିଵୀ,ନିଶ୍ଚଳା,ମେଦିନୀ,ଗୋତ୍ରା,ସହୁରି,ଅଵିଷୀ,ଅଚଳା,ସ୍ଥିତି,ନରାଧାରା,ଵସୁଦା,ଇଲିକା,ଜ୍ୟା,ଗୋତ୍ରକୀଳା,ହଳା,ତ୍ରିପଥଗା,କୁମ୍ଭିନୀ,ଅଵ୍ୟଥିଷୀ,ପର୍ଵତାଧାରା,ଵ୍ୟୋମସ୍ଥଳୀ,ଗ୍ମା,ଭୂ,ଵସୁଧା,ଅବ୍ଧିଦ୍ଵୀପା,ସମୁଦ୍ରକାଞ୍ଚୀ,ମହାସ୍ଥଳୀ,ପର୍ଵତକୀଳା,ଶୈଳାଧାରା,ଉଦଧିମେଖଳା,ଅବ୍ଧିଵସ୍ତ୍ରା,କୁ,ସମୁଦ୍ରାମ୍ବରା,ସର୍ପଭୃତା,ଵସୁନ୍ଧରା,ଶାଶ୍ଵତୀ,ଉଦଧିଵସ୍ତ୍ରା,ଭୂ,ପଙ୍କ୍ତି,କେଳି,ସମୁଦ୍ରମେଖଳା,ଵଲ୍ଲି,ଭୂତଧରା,ଶିଳୀନ୍ଧ୍ରୀ,ମୌଳୀ,ଉରୂଚୀ,ଭୂ,ହେମା,ଗନ୍ଧମାତୃ,ସମୁଦ୍ରନେମି,ଭୂତଧାତ୍ରୀ,ଗୋ,ସୁରଭି,ସ୍ଵସୂ,କ୍ଷୋଣି,କାଶ୍ୟପୀ,ଉର୍ଵରା,ଭୂମି,ସୁରଭି,ହିରଣ୍ୟଦା,ଅମ୍ବରସ୍ଥଳୀ,ଦେହିନୀ,କେଳିଶୁଷି,ଗୁ,ରିପ୍,ଜୀଵଧାନୀ,ଅନନ୍ତା,ଵସୁଧାରିଣୀ,କ୍ଷୋଣୀ,କ୍ଷାନ୍ତା,ଭୂତି,ଅର୍ଣ୍ଣଵନେମି,ଦୈତ୍ୟମେଦଜା,ଵିଶ୍ଵା,ଖଗଵତୀ,ଅଦିତି,ସ୍ଥିରା,ଶ୍ୟାମା,ମାଧଵୀ,ଭୂରିଜ୍,ମାତୃ,ପାଂସୁଳା,ଅନ୍ତର୍ନେମି,ଚତୁରନ୍ତା,ଵିଶ୍ଵଧାରିଣୀ,ଗାତ୍ରା,ସମୁଦ୍ରାନ୍ତା,କ୍ରୋଡକାନ୍ତା,ଵାରାହୀ,ବୀଜସୂ,ରୋଦସୀ,ଇଡାୟାସ୍ପଦେ,ଌ(ଲ୍‌ର୍ ଵା ଲୃ),ମଧ୍ୟଲୋକ,ଭୂର୍ଲୋକ,ଜଗଦ୍ୟୋନି,ଖଳ,ମଧ୍ୟମଲୋକ,ପଦ୍ର,ଧରଣି,ଭୂଲୋକ,ଏଵ,ସହଲୋକଧାତୁ,ସ୍ଥିର,ନରଲୋକ,ପୂଷନ୍,ମର୍ତ,ଗ୍ଲୌ,ମନୁଜଲୋକ,ନୃଲୋକ,ବଳଜ,ହରିପ୍ରିୟ,ଯୋଗ୍ୟ,ମର୍ତ୍ତ୍ୟ,ନୃତୁ,ଗହ୍ଵର,ଭରଣ୍ଡ,ଗ୍ଲୌ,କାନ୍ତ,ରକ୍ତଧାତୁ,ଭୂଗୋଳ,ଦ୍ଵୀପଵତ୍,ମୌଳି,ରସାତଳ,ଜଗତ୍,ପୁରୀଷ,ପଦ୍ଵ,ରୋଦସ୍,ଭୂତଳ,ମହୀତଳ,ଗୌର,ଇଳାଗୋଳ,ଅନ୍ନ,ଜଗତୀମଧ୍ୟ,ଭୂମନ୍,କ୍ଷାମନ୍,ମର୍ତ୍ୟଭୁଵନ,ହଵିର୍ଧାନ,କ୍ଷିତିମଣ୍ଡଳ,ଜୀଵ ଓ ଵସୁଧାତଳ । 



ତେବେ ଏହାଠାରୁ ଅଧିକ ସଂଖ୍ୟକ ପ୍ରତିଶବ୍ଦ ଥାଇପାରେ । ପୃଥିଵୀର ଏ ସମସ୍ତ ନାଆଁଗୁଡ଼ିକ ପ୍ରାଚୀନ ଭାରତୀୟ ସାହିତ୍ୟରେ ଵ୍ୟଵହୃତ ହୋଇଛି ‌ । ଆମ ପୂର୍ଵଜ ପୃଥିଵୀକୁ କେତେ ଭଲ ପାଉଥିଲେ ଏହି ଶବ୍ଦ ସୂଚୀ ତହିଁର ପ୍ରମାଣ । ଆମ ସଂସ୍କୃତି ୟୁରୋପ ଆରବ ଓ ଚୀନାଙ୍କଠାରୁ କେତେ ଶ୍ରେଷ୍ଠ ଓ ଉନ୍ନତ ଏ ସୂଚୀ ତହିଁର ପ୍ରମାଣ ।

Monday, April 21, 2025

ଆମନ୍ତ୍ରଣ ଓ ନିମନ୍ତ୍ରଣ: ଏକ ପାର୍ଥକ୍ୟମୂଳକ ଵିଶ୍ଳେଷଣ

ଓଡ଼ିଆ ଭାଷା ଓ ସଂସ୍କୃତିରେ ‘ଆମନ୍ତ୍ରଣ’ ଓ ‘ନିମନ୍ତ୍ରଣ’ ଶବ୍ଦ ଦୁଇଟି ସାଧାରଣତଃ ଵ୍ୟଵହୃତ ହେଉଥିଲେ ମଧ୍ୟ, ଏ ଉଭୟ ଶବ୍ଦର ଅର୍ଥ, ପ୍ରୟୋଗ ଓ ସାଂସ୍କୃତିକ ମହତ୍ତ୍ୱ ମଧ୍ୟରେ ସୂକ୍ଷ୍ମ ତଥା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ଉଭୟ ‘ଆମନ୍ତ୍ରଣ’ ଓ ‘ନିମନ୍ତ୍ରଣ’ ତତ୍ସମ ସଂସ୍କୃତ ଶବ୍ଦ । 

‘ଆ’ (ସମ୍ୟକ୍ ଵା ସମ୍ପୂର୍ଣ୍ଣ) ଓ ‘ମନ୍ତ୍ର’ (ମନ୍ତ୍ରଣା ଵା ଵିଚାର-ବିମର୍ଶ) ଧାତୁରୁ ଆମନ୍ତ୍ରଣ ଶବ୍ଦ ନିଷ୍ପନ୍ନ ହୋଇଛି । ଅର୍ଥାତ୍, ଆମନ୍ତ୍ରଣ ହେଉଛି ଵିଚାର-ବିମର୍ଶ ଵା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସସମ୍ମାନେ କାହାକୁ ଡାକିଵାର ପ୍ରକ୍ରିୟା । ଏହା ଏକ ମର୍ଯ୍ୟାଦାପୂର୍ଣ୍ଣ ଆହ୍ୱାନ, ଯେଉଁଥିରେ ଡ଼ାକିଵାର ଉଦ୍ଦେଶ୍ୟ ଭୋଜନ ନୁହେଁ, ଵରଂ କୌଣସି ବୌଦ୍ଧିକ, ସାମାଜିକ ଵା ଔପଚାରିକ କାର୍ଯ୍ୟରେ ଅଂଶଗ୍ରହଣ ଅଟେ। ଉଦାହରଣ ସ୍ୱରୂପ, ସଭାରେ ସଭାପତି ଆସନ ମଣ୍ଡନ କରିଵା ପାଇଁ କାହାକୁ ଆମନ୍ତ୍ରଣ କରାଯାଏ।

 ‘ନି’ (ନିଶ୍ଚିତ ଵା ନିର୍ଦ୍ଦିଷ୍ଟ) ଓ ‘ମନ୍ତ୍ର’ ଧାତୁ ଦ୍ଵାରା ନିମନ୍ତ୍ରଣ ଶବ୍ଦ ନିଷ୍ପନ୍ନ ହୋଇଅଛି । ‘ନି’ ଉପସର୍ଗ ମନ୍ତ୍ରଣାର ଅନୁପସ୍ଥିତି ସୂଚାଏ, ଅର୍ଥାତ୍ ନିମନ୍ତ୍ରଣରେ ଵିଚାର-ଵିମର୍ଶ ଵା ଉପଦେଶର ଆଵଶ୍ୟକତା ନଥାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଭୋଜନ, ପ୍ରସାଦ ସେଵନ ଵା ଉତ୍ସଵମୂଳକ କାର୍ଯ୍ୟରେ ଯୋଗଦାନ ପାଇଁ ଡାକିବା। ନିମନ୍ତ୍ରଣରେ ଅଳ୍ପ ହେଉ ଵା ବେଶି ଭୋଜନ ଵ୍ୟଵସ୍ଥା ଥାଏ । କିନ୍ତୁ ଆମନ୍ତ୍ରଣ ଓ ନିମନ୍ତ୍ରଣ ମଧ୍ୟରେ ପାର୍ଥକ୍ୟ କେଵଳ ବ୍ୟୁତ୍ପତ୍ତି ପର୍ଯ୍ୟନ୍ତ ସୀମିତ ନୁହେଁ ଵରଂ ଏହା ସାମାଜିକ, ସାଂସ୍କୃତିକ ଓ ଔପଚାରିକ ପ୍ରସଙ୍ଗରେ ମଧ୍ୟ ପ୍ରକାଶ ପାଏ।

ଆମନ୍ତ୍ରଣ ଶବ୍ଦଟି ସାଧାରଣତଃ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଵିଚାର-ଵିମର୍ଶ, ସଭା, ଵାଦ-ଵିଵାଦ ଵା ଆସନ ମଣ୍ଡନ ପାଇଁ ଡାକିଵାକୁ ବୁଝାଏ। ଏଥିରେ ଭୋଜନ ଵ୍ୟଵସ୍ଥା ଥାଇପାରେ, ନଥାଇବିପାରେ । ଉଦାହରଣ ସ୍ୱରୂପ, ସରକାର ଗଠନ ପାଇଁ ରାଷ୍ଟ୍ରପତି ସଂଖ୍ୟାଗରିଷ୍ଠ ଦଳକୁ ‘ଆମନ୍ତ୍ରଣ’ କରନ୍ତି। 
ନିମନ୍ତ୍ରଣର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ସଵମୂଳକ କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଡାକିଵା। ଏଥିରେ ଭୋଜନ ବ୍ୟବସ୍ଥା ଅନିଵାର୍ଯ୍ୟ ହୋଇପାରେ । ଵିଵାହ, ଶ୍ରାଦ୍ଧ,ଵ୍ରତୋପନୟନ ଵା ଧାର୍ମିକ ଅନୁଷ୍ଠାନରେ ‘ନିମନ୍ତ୍ରଣ’ କରାଯାଏ।

ଆମନ୍ତ୍ରଣ ଅଧିକ ଆତ୍ମୀୟତାପୂର୍ଣ୍ଣ ଓ ଵ୍ୟକ୍ତିଗତ। ଏହା ସାଧାରଣତଃ ବନ୍ଧୁ, ସାଙ୍ଗସାଥି ଵା ଗୁରୁଜନଙ୍କୁ ଡାକିଵା ପାଇଁ ଵ୍ୟଵହୃତ ହୁଏ। ଶତ୍ରୁ ଓ ଵିପକ୍ଷକୁ ଆହ୍ଵାନ କରି ମଧ୍ୟ ଆମନ୍ତ୍ରଣ କରାଯାଏ ‌ ଆମନ୍ତ୍ରଣରେ ଯୋଗଦାନ ନ କଲେ ସମ୍ପର୍କରେ ଅସନ୍ତୁଷ୍ଟି ସୃଷ୍ଟି ହୋଇପାରେ। ଏହା ସସମ୍ମାନେ ହାତ ଧରି ଡାକି ଆଣିଵାର ଭାବନାକୁ ପ୍ରକାଶ କରେ।
 ନିମନ୍ତ୍ରଣ ଅଧିକ ଔପଚାରିକ ଓ ସାମାଜିକ। ଏହା ସାଧାରଣ ଜନତା, ପଡ଼ୋଶୀ, କୁଟୁମ୍ବ , ସମ୍ପର୍କୀୟ ଓ ଅଭ୍ୟାଗତଙ୍କୁ ଡାକିଵା ପାଇଁ ଚିଠି,ପତ୍ର କାର୍ଡ ଵା ଗୁଆ ଦେଇ ଡାକିଵାର ପ୍ରଥାକୁ ସୂଚାଇଵା ପାଇଁ ଵ୍ୟଵହୃତ ହୁଏ। ନିମନ୍ତ୍ରଣରେ ଯୋଗଦାନ ବାଧ୍ୟତାମୂଳକ ନୁହେଁ; ଏହା ଆସିଲେ ଆସ, ନ ଆସିଲେ ନାହିଁ ଭଳି ଭାବନା ରଖେ।

ସାଧାରଣତଃ ଵ୍ୟକ୍ତିଗତ ଭାବେ ଵା ପ୍ରତ୍ୟକ୍ଷ ଉପସ୍ଥିତିରେ ଆମନ୍ତ୍ରଣ କରାଯାଏ। ଏହା ମଞ୍ଚରେ ଅତିଥିଙ୍କୁ ଡାକିଵା ପରି 
ତାତ୍କାଳିକ ହୋଇପାରେ । ଆମନ୍ତ୍ରଣରେ ସାମାନ୍ୟ ସମ୍ମାନଜନକ ଅନୁରୋଧ ଥାଏ, ଯେଉଁଥିରେ ଅତିଥିଙ୍କଠାରୁ ଉପଦେଶ ଵା ବୌଦ୍ଧିକ ଅଂଶଗ୍ରହଣ ଆଶା କରାଯାଏ।ନିମନ୍ତ୍ରଣ ସାଧାରଣତଃ ପତ୍ର, କାର୍ଡ, ଵାହକ ଵା ଅନ୍ୟ ମାଧ୍ୟମ ଦ୍ୱାରା କରାଯାଏ। ଏହା ଭଵିଷ୍ୟତମୂଳକ ଓ ନିର୍ଦ୍ଦିଷ୍ଟ ସମୟରେ ଯଥା ସ୍ଥାନରେ ପହଞ୍ଚାଵାକୁ ପ୍ରାର୍ଥୀକୁ ସୂଚିତ କରେ । ନିମନ୍ତ୍ରଣ ସମୟରେ ଵିଵାହ ନିମନ୍ତ୍ରଣ ପତ୍ର ଵା ଗୁଆ-ନଡ଼ିଆ ଦେଇ ଡକାଯାଏ ।


ଆମ ସଂସ୍କୃତିରେ ଆମନ୍ତ୍ରଣ ଅଧିକ ଶ୍ରଦ୍ଧାଜନକ ଓ ଧାର୍ମିକ ପ୍ରସଙ୍ଗରେ ଵ୍ୟଵହୃତ। ଦେଵତା, ବ୍ରାହ୍ମଣ, ପୁରୋହିତ ଵା ଗୁରୁଜନଙ୍କୁ ଆମନ୍ତ୍ରଣ କରାଯାଏ। ଏହା ଏକ ପ୍ରତ୍ୟକ୍ଷ ଓ ଆନ୍ତରିକ ଆହ୍ୱାନ, ଯେଉଁଥିରେ ଅତିଥିଙ୍କ ଉପସ୍ଥିତି ଓ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିମନ୍ତ୍ରଣ ଅଧିକ ପାରମ୍ପରିକ ଓ ସାମାଜିକ। ଏହା ଵିଵାହ, ଉତ୍ସଵ, ଶ୍ରାଦ୍ଧ ଆଦି ବୃହତ୍ ଆନୁଷ୍ଠାନିକ ଘଟଣାରେ ଵ୍ୟଵହୃତ ହୁଏ, ଯେଉଁଠାରେ ବହୁ ଲୋକଙ୍କ ସମାଗମ ହୁଏ । 

ଆଧୁନିକ ସମୟରେ, ଆମନ୍ତ୍ରଣ ଓ ନିମନ୍ତ୍ରଣ ଶବ୍ଦଦ୍ଵୟର ଵ୍ୟଵହାର କିଛି ମାତ୍ରାରେ ଏକାକାର ହୋଇଯାଇଛି। ଇଂରାଜୀ ଶବ୍ଦ ‘Invitation’ ଶବ୍ଦ ଆମ କଥିତ ଭାଷାରେ ଧସେଇ ପଶି ଆସିଵାରୁ ଉଭୟ ଆମନ୍ତ୍ରଣ ଓ ନିମନ୍ତ୍ରଣର ଅର୍ଥ କ'ଣ ହେଵ ତାକୁ ନେଇ ଲୋକେ ଦ଼ଵନ୍ଦ୍ବରେ ପଡ଼ନ୍ତି । 

ତେବେ ଆମନ୍ତ୍ରଣ ଓ ନିମନ୍ତ୍ରଣ ମଧ୍ୟରେ ପାର୍ଥକ୍ୟ କେଵଳ ଶବ୍ଦଗତ ନୁହେଁ, ଏହା ଆମ ସଂସ୍କୃତିର ମର୍ଯ୍ୟାଦା, ଆତ୍ମୀୟତା ଓ ସାମାଜିକ ରୀତିନୀତି ସହ ଗଭୀର ଭାବେ ଜଡ଼ିତ । ଆମନ୍ତ୍ରଣ ହେଉଛି ସସମ୍ମାନେ ଵ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆହ୍ୱାନ, ଯେଉଁଥିରେ ଅତିଥିଙ୍କ ବୌଦ୍ଧିକ ଵା ମାନସିକ ଅଂଶଗ୍ରହଣ ଆଶା କରାଯାଏ। ଅନ୍ୟପକ୍ଷରେ, ନିମନ୍ତ୍ରଣ ହେଉଛି ଔପଚାରିକ, ସାମାଜିକ ଓ ଭୋଜନକେନ୍ଦ୍ରୀୟ, ଯାହା ବୃହତ୍ ସମାଗମ ଓ ଉତ୍ସଵମୂଳକ ପରିଵେଶ ସୃଷ୍ଟି କରେ। ଆଧୁନିକ ପ୍ରଭାବ ଯୋଗୁଁ ଏହି ଦୁଇ ଶବ୍ଦର ଵ୍ୟଵହାର କିଛି ମାତ୍ରାରେ ମିଶ୍ରିତ ହେଉଥିଲେ ମଧ୍ୟ, ଆମ ପରମ୍ପରାରେ ଏହାଙ୍କର ସ୍ୱତନ୍ତ୍ର ପରିଚୟ ଏବେ ମଧ୍ୟ ଅକ୍ଷୁଣ୍ଣ ରହିଛି। ତେଣୁ, କାହାକୁ ଡାକିଵା ପୂର୍ବରୁ ଏହା ଆମନ୍ତ୍ରଣ ନା ନିମନ୍ତ୍ରଣ ତାହା ବୁଝିଵା ଆଵଶ୍ୟକ, ଯାହା ସମ୍ପର୍କ ଓ ସାମାଜିକ ମର୍ଯ୍ୟାଦାକୁ ଆହୁରି ସୁଦୃଢ଼ କରିଵ।


Sunday, April 20, 2025

ଭୁଜନି ଓ ଡେବ୍ରି ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ କ'ଣ?

କିଛି ଦିନ ତଳେ ଜଣେ ମହାପଣ୍ଡିତ ଗପୁଥାନ୍ତି ...

“ଓ ! କଟକୀ ଭାଷା ଭଲ ଭାଷା ...! (ଡାହାଣ ହାତ ଟେକି)ଇ ହାତକେ କାଁ ବୋଲଛ, ଡାହାଣ ! ବୋଇଲେ ଡାହାଣର ପ୍ରମାଣ କାଣା ଅଛେ ? ଡାହାଣ ତ ଡାହାଣ ,ମୁଁହ୍‌ଟା ନୁହେଁ ସେ । ସେ ହଲଧର୍ କହତି କେ ଆମେ ଇ (ଡାହାଣ ହାତ ଟେକି)ହାତେ ଭୁଜନ କର୍‌ସୁ ବୋଲି ଇତାକେ ଭୁଜନୀ କହେସୁ ,(ଵାମ ହାତ ଟେକି)ଇ ହାତେ ଡିବରି ଧର୍‌ସୁ ବୋଲି ଇତାକେ ଡେବ୍ରୀ ବୋଲ୍‌ସୁ”

ଡାହାଣ ହାତ ବୋଲି ପ୍ରମାଣ କ'ଣ ? ବଡ଼ ଅଦ୍ଭୁତ ପ୍ରଶ୍ନ ! ତେବେ ପ୍ରମାଣ ଅଛି । 'ଡାହାଣ' ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଓ 'ଦକ୍ଷିଣ' ଶବ୍ଦର ନିରୁକ୍ତି ପାଠରେ ଉତ୍ତର ଅଛି । 

ସଂସ୍କୃତରେ *dākṣiṇa ଶବ୍ଦଟି ଏକ ଵିଶେଷଣ ଶବ୍ଦ ଅଟେ ଓ ‘ଡାହାଣ’ (right) ଓ ‘ଦକ୍ଷିଣ’ (southern) ଦିଗକୁ ସୂଚାଇଥାଏ । ସଂସ୍କୃତରୁ ପ୍ରାକୃତରେ, ଵିଶେଷତଃ ଆର୍ଦ୍ଧମାଗଧୀ ପ୍ରାକୃତରେ, *dākṣiṇa ଶବ୍ଦ *dāhiṇa- ଵା *ḍāhiṇa-* ରୂପେ ରୂପାନ୍ତରିତ ହେଲା। ଏହି ପରିଵର୍ତ୍ତନରେ *kṣ* ଧ୍ୱନି *h* ଵା *ḍ* ରୂପେ ସରଳୀକୃତ ହେଲା, ଯେପରି *dākṣiṇa* > *dāhiṇa*। ସ୍ତ୍ରୀଲିଙ୍ଗ *dākṣiṇā* ପ୍ରାକୃତରେ *dāhiṇā- ବା *dāhiṇī- ହେଲା, କିନ୍ତୁ ଅର୍ଥ ଅପରିଵର୍ତ୍ତିତ ରହି ସେହି ‘ଦକ୍ଷିଣ’ ଦିଗକୁ ସୂଚାଇଲା । କାଳକ୍ରମେ ପ୍ରାକୃତ dāhiṇa ଵା ଡାହିଣ ଶବ୍ଦଟି
ପାଲିରେ *daihṇā ଓ ଓଡ଼ିଆରେ ଡାହାଣ( ḍāhāṇa) ରୂପେ ଚଳିଲା । ସେଇ ପ୍ରାକୃତ 'ଡାହିଣ' ଶବ୍ଦରୁ ପଶ୍ଚିମ ପାହାଡ଼ୀ ଉପଭାଷା (ଭାଲେଶୀ)ରେ *dε̃haṇ*, କୁମାଉଁନୀରେ *daiṇo, ନେପାଳୀରେ *dāinu*, ଆସାମୀୟା ଓ ବଙ୍ଗଳାରେ *ḍāhin, ମୈଥିଳୀରେ *dahĭ̄n, *dahinā, ପୁରୁଣା ଅବଧୀରେ *dā̆hina, ହିନ୍ଦୀରେ *dā̆hinā, *dāhnā ଓ *dā̃yā, ପଞ୍ଜାବୀରେ *dāhiā̃*, ଭୋଜପୁରୀରେ *dāhin ଓ ବ୍ରଜବୋଲୀରେ *dāhin ଓ *dahino ଇତ୍ୟାଦି ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି ‌ । ତେଣୁ ଡାହାଣ ଶବ୍ଦର ଵ୍ୟୁତ୍ପତ୍ତି ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଓଡ଼ିଆ 'ଡାହାଣ' ଶବ୍ଦଟି ପ୍ରାକୃତ 'ଡାହିଣ' ଶବ୍ଦରୁ ସୃଷ୍ଟି ହୋଇଛି। ସେହିପରି ପ୍ରାକୃତ 'ଡାହିଣ' ଶବ୍ଦଟି ସଂସ୍କୃତ 'ଦକ୍ଷିଣ' ଶବ୍ଦରୁ ଜାତ ହୋଇଛି । 

ତେବେ ଡାହାଣ ହାତ ଵା ଦକ୍ଷିଣ ହସ୍ତଟାକୁ କାହିଁକି ଦକ୍ଷିଣ ହସ୍ତ କୁହନ୍ତି ତାହାର କାରଣ ଦକ୍ଷିଣ ଶବ୍ଦର ନିରୁକ୍ତିପାଠ ମଧ୍ୟରେ ଅଛି । 

କଳ୍ପଦ୍ରୁମ ସଂସ୍କୃତ କୋଷ ଅନୁସାରେ “ଦକ୍ଷତେ ଇତି । ଦକ୍ଷ ଵୃଦ୍ଧୌ + “ଦ୍ରୁ-ଦକ୍ଷିଭ୍ଯାମିନନ୍ ।” ଉଣାଂ । ୨ । ୫୦ । ଇତିଇନନ୍ = ଦକ୍ଷିଣଃ ।” ଅର୍ଥାତ୍ ଦକ୍ଷ୍ ଧାତୁ ସହିତ ଉଣାଦି ସୂତ୍ର ୨.୫୦ “ଦ୍ରୁ-ଦକ୍ଷିଭ୍ଯାମିନନ୍” ପ୍ରୟୋଗ ପୂର୍ଵକ ଇନନ୍ ପ୍ରତ୍ୟୟ ଯୋଗ କରାଯାଇ ଦକ୍ଷିଣ ଶବ୍ଦ ନିଷ୍ପନ୍ନ ହୋଇଅଛି । 

ଦକ୍ଷ ଧାତୁରୁ ଶିଘ୍ର କରିଵା,ବଢ଼ିଵା,ଵେଗଵାନ୍ ହେଵା,ଵୃଦ୍ଧିଗତ ହେଵା,ଯିଵା,ଦୁଃଖ ଦେଵା ଓ ମାରି ଦେଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ଅଧିକାଂଶ ମନୁଷ୍ୟମାନଙ୍କ କ୍ଷେତ୍ରରେ ଡାହାଣ ଦିଗରେ ହିଁ ଶିଘ୍ର କାମ ହୁଏ ଏଵଂ ଏହାର ଵୈଜ୍ଞାନିକ କାରଣ ରହିଛି । ମଣିଷ୍କର ବାମ ଓ ଡାହାଣ ଅର୍ଦ୍ଧଗୋଳ (hemispheres) ବିଭିନ୍ନ କାର୍ଯ୍ୟ ନିୟନ୍ତ୍ରଣ କରେ। ବାମ ଅର୍ଦ୍ଧଗୋଳ ଶରୀରର ଡାହାଣ ପାର୍ଶ୍ୱକୁ (ହାତ, ଗୋଡ଼) ନିୟନ୍ତ୍ରଣ କରୁଥିଵା ବେଳେ ଡାହାଣ ଅର୍ଦ୍ଧଗୋଳ ବାମ ପାର୍ଶ୍ୱକୁ ନିୟନ୍ତ୍ରଣ କରିଥାଏ । ଅଧିକାଂଶ ମଣିଷଙ୍କର ବାମ ମସ୍ତିଷ୍କ ଅର୍ଦ୍ଧଗୋଳର motor functions ଯେପରିକି ହାତର ଗତି ଓ ସୂକ୍ଷ୍ମ କାର୍ଯ୍ୟ ତଥା ଭାଷା ନିୟନ୍ତ୍ରଣରେ ଅଧିକ ପ୍ରଭାବୀ ହୋଇଥାଏ । ଏହି କାରଣରୁ ଡାହାଣ ହାତ ଅଧିକ ସକ୍ରିୟ ଓ ଦକ୍ଷ ହୁଏ। ମସ୍ତିଷ୍କର ଏହି ପାର୍ଶ୍ୱୀୟତା (lateralization) ଜନ୍ମରୁ ଵା ଅତି ଅଳ୍ପ ଵୟସରେ ବିକଶିତ ହୋଇଥାଏ, ଯାହା ଦକ୍ଷିଣହସ୍ତ ପ୍ରଧାନତାର ମୂଳ କାରଣ। ପୁଣି ଏହି ଦକ୍ଷିଣ ହସ୍ତ ପ୍ରଧାନତାରେ ଜେନେଟିକ ଭୂମିକା ରହିଛି। ଅଧ୍ୟୟନରୁ ଜଣାଯାଏ ଯେ LRRTM1 ପରି କିଛି ଜିନ୍, ମସ୍ତିଷ୍କର ପାର୍ଶ୍ୱୀୟତା ଓ ହାତ ପ୍ରାଧାନ୍ୟତା ନିର୍ଦ୍ଧାରଣ କରିଥାନ୍ତି । ଵିଵର୍ତ୍ତନ ଦୃଷ୍ଟିରୁ, ଦକ୍ଷିଣହସ୍ତ ପ୍ରଧାନତା ମଣିଷ ଜାତିରେ ସାମାଜିକ ଓ ଶ୍ରମ ଵିଭାଜନରେ ସୁବିଧା ସୃଷ୍ଟି କରିଵାରେ ସାହାଯ୍ୟ କରିଛି। ଉଦାହରଣ ସ୍ୱରୂପ, ଅଧିକାଂଶ ଲୋକ ଡାହାଣ ହାତ ଵ୍ୟଵହାର କଲେ ସାଧାରଣ ଉପକରଣ ଓ ଅସ୍ତ୍ରଶସ୍ତ୍ର ଡିଜାଇନ୍‌ରେ ଡାହାଣ ଓ ଵାମହାତ ସମ୍ବନ୍ଧୀୟ ପ୍ରଭେଦ ସୃଷ୍ଟି ହୋଇନଥାଏ । ପୃଥିଵୀରେ ପ୍ରାୟ ୮୫-୯୦% ମଣିଷ ଦକ୍ଷିଣହସ୍ତ ପ୍ରଧାନ ତେଣୁ ସଂସ୍କୃତ ଭାଷାରେ ଦକ୍ଷିଣ ଶବ୍ଦକୁ ଦକ୍ଷ୍ ଧାତୁରୁ ଶିଘ୍ର କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି । ଡାହାଣ ହାତ ବାମ ହାତ ଅପେକ୍ଷା ଅଧିକ କର୍ମଠ ହୋଇଥିଵାରୁ ଏଭଳି ନିରୁକ୍ତି ନିର୍ଣ୍ଣୟ କରାଯାଇଥିଲା । , ଦକ୍ଷିଣ ଶବ୍ଦର ପ୍ରାକ୍ ଭାରୋଇରାନୀ ରୂପ *dáćšinas (“ଦକ୍ଷିଣ,ଦକ୍ଷିଣହସ୍ତ”) ଓ ପ୍ରାକ୍ ଭାରୋପୀୟ ରୂପ *déḱs-i-no-s ନିର୍ଣ୍ଣୟ କରାଯାଇଛି । ପୁଣି ଏହାର ପ୍ରାକ୍ ଭାରୋପୀୟ କ୍ଷୁଦ୍ର ଶବ୍ଦରୂପ *deḱs- (“ଦକ୍ଷିଣ ପଟ,) ଓ କ୍ଷୁଦ୍ର ଧାତୁରୂପ *deḱ- (“ନେଵା,ବୁଝିଵା) ନିର୍ଣ୍ଣୟ କରାଯାଇଛି । ଆମ୍ଭେ ମଣିଷମାନେ ଅଧିକାଂଶ ଦକ୍ଷିଣହସ୍ତ ଦ୍ଵାରା ହିଁ କୌଣସି ଦରଵ ନିଅନ୍ତି ଵା ଦିଅନ୍ତି ତଥା କୌଣସି ଦରଵ କ'ଣ ତାହା ଜାଣିଵା ଓ ବୁଝିଵା ପାଇଁ ଡାହାଣ ହାତ ଵ୍ୟଵହାର କରନ୍ତି । ଅତଃ ଶବ୍ଦ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ବି 'ଦକ୍ଷିଣ' ଶବ୍ଦଟି ଦକ୍ଷିଣହସ୍ତ ପ୍ରଧାନତା କାରଣରୁ ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ହୋଇଯାଏ ‌ । ଆଵେସ୍ତାନୀ 𐬛𐬀𐬱𐬌𐬥𐬀 (dašina), ଲିଥୁଆନିଆ dẽšinas, ସର୍ଵୋ କ୍ରୋଏସିଅନ୍ дѐснӣ/dèsnī, ପ୍ରାଚୀନ ଗ୍ରୀକ୍ δεξιός (dexiós, “ଦକ୍ଷିଣ”), ଲାଟିନ୍ dexter (“ଦକ୍ଷିଣ”) ଓ ଗୋଥିକ୍ 𐍄𐌰𐌹𐌷𐍃𐍅𐌰 (taihswa) ଇତ୍ୟାଦି ଶବ୍ଦଗୁଡ଼ିକ ସଂସ୍କୃତ ଦକ୍ଷିଣ ତଥା ଓଡ଼ିଆ ଡାହାଣ ଶବ୍ଦର ସଗୋତ୍ରୀୟ ଅର୍ଥାତ୍ ଗୋଟିଏ ମୂଳ ଭାରୋପୀୟ ଶବ୍ଦରୁ ସୃଷ୍ଟି ହୋଇଛି । 

ତେଣୁ ଦକ୍ଷିଣ ଦିଗରେ ମନୁଷ୍ୟମାନେ ଦକ୍ଷ ହୋଇଥିଵାରୁ, ଦକ୍ଷିଣହସ୍ତ କାର୍ଯ୍ୟଦକ୍ଷ ହୋଇଥିଵାରୁ ପ୍ରାଚୀନ ଓଡ଼ିଆ ଭାଷାରେ ଦକ୍ଷିଣ ଦିଗ ଓ ଡାହାଣ ହାତକୁ ଯଥାକ୍ରମେ ଦକ୍ଷ ଓ ଦକ୍ଷ କର କୁହାଯାଉଥିଲା । ଭୂପତି ରାୟ ତାଙ୍କ ପ୍ରେମପ୍ରଞ୍ଚାମୃତ କାଵ୍ୟରେ ଦକ୍ଷିଣ ଦିଗ ଅର୍ଥରେ ଦକ୍ଷ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି “ଦକ୍ଷିଣ ଭୁଜ ଦକ୍ଷ ଆଖି ସ୍ଫୁରଇ ଘନଘନ ଦେଖି ।” ସେହିପରି କଵିସୂର୍ଯ୍ୟ ବଳଦେଵ ରଥ ଡାହାଣ ହାତକୁ ଦକ୍ଷ କର ବୋଲି ଲେଖିଛନ୍ତି "ଦକ୍ଷ କରେ ଧରି ମୋହନ ଚାତୁରୀ ବିଶାରଦ ବେଣୁଦଣ୍ଡ ।" 

ତେବେ ଏହା ସତ ଯେ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ି କଵିତା ଲେଖି କଵି ହୋଇଗଲେ ଡାହାଣକୁ ଡାହାଣ କାହିଁକି କୁହାଯାଏ ତାହାର ଜ୍ଞାନ କେବେ ବି ହୋଇପାରିଵ ନାହିଁ। ଡାହାଣ ଓ ଦକ୍ଷିଣ ଶବ୍ଦର ନିରୁକ୍ତି ତଥା ଵ୍ୟୁତ୍ପତ୍ତି ଜାଣିଲେ ହିଁ ଡାହାଣକୁ ଡାହାଣ, ଦକ୍ଷିଣକୁ ଦକ୍ଷିଣ କାହିଁକି କୁହାଯାଏ ତାହାର ଜ୍ଞାନ ହୋଇପାରିଵ ।‌ ଆଚ୍ଛା ପୂର୍ଵେ ଗୋଟେ ନିରକ୍ଷର କଵି କହିଥିଲା “ଆମେ ଭୋଜନ କରୁଛୁ ବୋଲି ଡାହାଣ ହାତଟା ଭୁଜନି ଆଉ ଡିବିରି ଧରୁଛୁ ବୋଲି ଵାମହାତକୁ ଡେବ୍ରୀ କହୁଛୁ ।” ଜଣେ ଅପାଠୁଆ କି ଅଳ୍ପପାଠୁଆ କଵି ହୋଇଗଲେ ସେ ତା ଅଵିକଶିତ ବୁଦ୍ଧି ତଥା ଅଳ୍ପଜ୍ଞାନ ବଳରେ ଯଦି କିଛି କହିଦେଇଛି ତାକୁ ଜପାମାଳି କରି ଘୋଷିଵା ପରିଵର୍ତ୍ତେ ତାହା ସତ କି ମିଛ ପ୍ରଥମେ ଅନୁସନ୍ଧାନ କରିନେଵା ଉଚିତ ଅଟେ । 

ପ୍ରଥମକଥା ଓଡ଼ିଆ ଭାଷାରେ ବି ଡାହାଣ ହାତରେ ଖାଆନ୍ତି ବୋଲି ତାକୁ 'ଖାଇବିହାତ' କୁହନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୯୬୫ ତମ ପୃଷ୍ଠାରେ ଯେଉଁ ହାତ ଦ୍ୱାରା ମନୁଷ୍ୟ ଖାଏ ତାକୁ ଖାଇବି ହାତ କୁହାଯାଏ ବୋଲି ଉଲ୍ଲେଖ ଅଛି । ଏ ଶବ୍ଦକୁ ନୀଳକଣ୍ଠ ଦାଶ ତାଙ୍କ 'ପିଲାଙ୍କ ରାମାୟଣ'ରେ ଵ୍ୟଵହାର କରି ଲେଖିଛନ୍ତି “ଡେବିରିହାତରେ ଧନୁ, ଖାଇବିହାତରେ ଶର।”

ବାଲେଶ୍ୱରରେ ଡାହାଣ ହାତକୁ 'ଖାଇଵା ହାତ' କୁହନ୍ତି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେଇ ୧୯୬୫ତମ ପୃଷ୍ଠାରେ ହିଁ ଉଲ୍ଲେଖ ଅଛି । ଵ୍ୟାସକଵି ଫକୀରମୋହନ ସେନାପତି ତାଙ୍କ ଛଅମାଣ ଆଠଗୁଣ୍ଠ ଉପନ୍ୟାସରେ ଏହି ଶବ୍ଦ ପ୍ରୟୋଗ କରି ପଦେ ଲେଖିଛନ୍ତି “ମଙ୍ଗରାଜଙ୍କର ପୋଇଲୀ ମରୁଆ ଢାଳଟିଏ ଡେବିରି ହାତରେ ଧରି ଖାଇବା ହାତରେ କବାଟ ଫିଟାଇ ଘରୁ ବାହାରି ପଡ଼ିଲା” । 

ସେହିପରି ଢେଙ୍କାନାଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ଆଜି ବି ଡାହାଣ ହାତକୁ 'ଖାଇଲିହାତ' କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୯୬୬ତମ ପୃଷ୍ଠାରେ ଡାହାଣ ହାତକୁ (ଢେଙ୍କାନାଳ ଇତ୍ୟାଦି)ଗଡ଼ଜାତରେ ଖାଇଲିହାତ କୁହାଯାଏ ବୋଲି ଉଲ୍ଲେଖ ରହିଛି। ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୦୭୪ତମ ପୃଷ୍ଠାରେ କୁହାଯାଇଛି ଯେ ଭଦ୍ରକରେ ଡାହାଣ ହାତକୁ 'ଭାତଖିଆ ହାତ' କୁହନ୍ତି । 

ଆଉ ଯୋଉ ଭୁଜନି ହାତ ଶବ୍ଦ ପାଇଁ "ଭୁଷୁଣ୍ଡା କଵି ଆଉ ତାଙ୍କ ଛଵିମାନଙ୍କର" ଏତେ ଗର୍ଵ ଅହଂକାର ସେଇ ଭୁଜନି ଶବ୍ଦଟି ଗୋଟିଏ ଖାଣ୍ଟି ଓଡ଼ିଆ ଶବ୍ଦର ହିଁ ସମ୍ବଲପୁରୀ ରୂପ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୧୧୬ତମ ପୃଷ୍ଠାରୁ ସ୍ପଷ୍ଟ ହୋଇଯାଏ । 

କାରଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୧୧୬ତମ ପୃଷ୍ଠାରେ 
ଭୁଜଣି ହାତ ଓ ଭୁଜଣି ବାହା ଏହିପରି ଦୁଇଗୋଟି ଓଡ଼ିଆ ଶବ୍ଦର ଉଲ୍ଲେଖ ଅଛି ।‌ ପ୍ରକୃତରେ ଡାହାଣ ହାତକୁ ହିଁ ଓଡ଼ିଆ ଭାଷାରେ ଭୁଜଣି ହାତ ଓ ଭୁଜଣି ବାହା କୁହନ୍ତି ।‌ ଗଞ୍ଜାମ ଜିଲ୍ଲାର କଵି କୃଷ୍ଣ ସିଂହ ତାଙ୍କ କୃଷ୍ଣ ମହାଭାରତରେ ଡାହାଣ ହାତ ଅର୍ଥରେ ଭୁଜଣି ହାତ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି 
“ଧୃଷ୍ଟଦ୍ୟୁମ୍ନଙ୍କର ଭୁଜଣି ହାତ ହତା, କାଟିଲେ ଭଲ୍ଲ କାଣ୍ଡେ ସେ ଦ୍ୱିଜ ବ୍ରହ୍ମବେତ୍ତା” (କୃଷ୍ଣସିଂହ. ମହାଭାରତ. ଭୀଷ୍ମପର୍ଵ)

ଆହୁରି ମଧ୍ଯ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୧୧୭ତମ ପୃଷ୍ଠାରେ 
ଭୁଜୁଣି କର ବୋଲି ଆଉ ଏକ ଶବ୍ଦର ଉଲ୍ଲେଖ ଅଛି । ଡାହାଣ ହାତ ଅର୍ଥରେ ଏହାର ପ୍ରୟୋଗ କରି କୃଷ୍ଣସିଂହ କୃଷ୍ଣ ମହାଭାରତରେ ପଦିଏ ଲେଖି ଯାଇଛନ୍ତି “ଅର୍ଜ୍ଜୁନଙ୍କୁ ବିନ୍ଧିଲେ ତିନୋଟି ନାରାଚ, ଭୁଜୁଣି କରେ ନିଶ କରିଦେଲେ ଉଚ୍ଚ।” (କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।)

ତେଣୁ ଯୋଉ ଭୁଜ୍ନି ଵା ଭୁଜୁନି ଶବ୍ଦ ପାଇଁ ଵିଚ୍ଛିନ୍ନତାଵାଦୀମାନେ ଏତେ ଗରଵରେ ଛାତି ଫୁଲେଇ ବୁଲୁଛନ୍ତି ତାହା ବି ମାନକ ଓଡ଼ିଆ ଭାଷାର ଶବ୍ଦ ବୋଲି ସେମାନେ ଜାଣିଵା ଉଚିତ୍ । 


ଶେଷରେ କଳିଯୁଗର କାଣିଦାସ ଯୋଉ କହୁଥିଲେ ଡିବିରି ଧରିଵାରୁ ଵାମହାତକୁ ଡେବରୀ ହାତ କୁହନ୍ତି ତାହା ନିତାନ୍ତ ମୂର୍ଖାଣ୍ଡିଆ କଥା । ଡେବରୀ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ନଜାଣି ଅନ୍ଧାରରେ ବାଡ଼ି ବୁଲେଇ ଯାହା ତାହା ମନରୁ ଗାଇ ଦେଲେ ଘୁଷୁରିଟିଏ ପଣ୍ଡିତ ହୋଇଯାଏ ନାହିଁ ।‌ ଘୁଷୁରି ସବୁବେଳେ ଘୁଷୁରି ହିଁ ରହେ । 

 ପ୍ରାକୃତ ଭାଷାରେ ‘ḍavva(ଡଵ୍ଵ)’ ବୋଲି ଗୋଟିଏ ଶବ୍ଦ ଥିଲା ଯାହାର ଅର୍ଥ ‘ବାମ’ ବା ‘ବାମପାର୍ଶ୍ଵ’ ଥିଲା । ଏଇ ଶବ୍ଦର ଆଧୁନିକ ଓଡ଼ିଆ ରୂପ ଡେବରି ଓ ଡେଭିରି ବୋଲି ସାର୍ ରାଲ୍ଫ୍ ଲିଲି ଟର୍ନର୍‌ଙ୍କ ଦ୍ଵାରା ସଂକଳିତ A comparative dictionary of Indo-Aryan languagesର ୩୧୧ତମ ପୃଷ୍ଠାରେ ଉଲ୍ଲେଖ ଅଛି। ତେବେ ସାର୍ ଟର୍ନର୍ ଵାମ,ଵାମହସ୍ତ ଅର୍ଥଜ ପ୍ରାକୃତ ଶବ୍ଦ 'ଡଵ୍ଵ'ର ଵ୍ୟୁତ୍ପତ୍ତି ଦ୍ରାଵିଡ଼ ଭାଷାରୁ ହୋଇଥିଵାର ଉଲ୍ଲେଖ କରିଛନ୍ତି । 

ପ୍ରକୃତରେ ଗୋଟିଏ ପ୍ରୋଟୋ ଦ୍ରାଵିଡ଼ ଶବ୍ଦ *èḍ- ଥିଲା ଯାହା ଵାମ ଓ ଵାମହସ୍ତ ଅର୍ଥରେ ଵ୍ୟଵହୃତ ହେଉଥିଲା । ପରେ ଏହା ପ୍ରୋଟୋ-ସାଉଥ ଦ୍ରାଵିଡ଼ରେ *Iḍ- ରୂପେ ବିକଶିତ ହୋଇଥିଲା। ଏହି ମୂଳ ଶବ୍ଦ କାଳକ୍ରମେ ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଵିସ୍ତୃତ ରୂପ ଗ୍ରହଣ କରିଛି, ଯାହା ଏହାର ଧ୍ଵନିଗତ ଓ ଅର୍ଥଗତ ଵିଵିଧତାକୁ ପ୍ରତିଫଳିତ କରେ।

T Burrow, T ଓ M. B. Emeneauଙ୍କ ଦ୍ଵାରା ସଂକଳିତ A Dravidian etymological dictionaryର ପୃଷ୍ଠା ୪୪ ଅନୁସାରେ ଏହି ମୂଳ ଶବ୍ଦରୁ ତାମିଳରେ iṭai, iṭam (ବାମପାର୍ଶ୍ଵ), iṭattai ଓ iṭavaṉ (ବାମ ପାଖିଆ ବଳଦ) ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । ମଲୟାଲମରେ : iṭam, eṭam (ଵାମପାର୍ଶ୍ଵ),କନ୍ନଡ଼ରେ eḍa (ଵାମ, ଵାମପାର୍ଶ୍ଵ), eḍacu(ଵାମହାତିଆ ଅଵସ୍ଥା) ଶବ୍ଦ ବି ଏହି ମୂଳ ଦ୍ରାଵିଡ଼ ଶବ୍ଦରୁ ସୃଷ୍ଟି ହୋଇଛି । ତେଲୁଗୁ ଭାଷାର eḍama (ଵାମ, ଵାମପାର୍ଶ୍ଵ) ମଧ୍ୟ ଏହି ମୂଳର ଶବ୍ଦ ଅଟେ । ତେବେ ମୂଳ ପ୍ରାକ୍ ଦ୍ରାଵିଡ଼ ଶବ୍ଦ èḍଟି ଦକ୍ଷିଣ ମଧ୍ୟ ଦ୍ରାଵିଡ଼ ଭାଷାଗୁଡି଼କରେ ଆହୁରି ପରିଵର୍ତ୍ତିତ ହୋଇ Naikṛi ଭାଷାରେ ḍāva,ପରଜୀରେ ḍebri,ଗଦବାରେ ḍebri,ଗୋଣ୍ଡିରେ ḍema, demar ଓ ḍāvā,କୁଈ ଭାଷାରେ deba, debe ଓ debo ଓ କୁଵିଭାଷାରେ tebri,tēbri ଓ ṭebri ଇତ୍ୟାଦି ହୋଇଛି ତଥା ଡାହାଣ ଓ ଦକ୍ଷିଣ ହସ୍ତ ଅର୍ଥରେ ପ୍ରୟୋଗ କରାଯାଉଛି ।‌ ତେଣୁ କୁଈ,କୁଵି,ଗଦବା ଓ ପରଜୀ ଇତ୍ୟାଦି କଳିଙ୍ଗୀ ଦ୍ରାଵିଡ଼ ଭାଷାଗୁଡି଼କର ପ୍ରଭାଵରେ ଓଡ଼ିଆ ଭାଷାରେ ଵାମହସ୍ତକୁ ଡେବ୍ରି (ସମ୍ବଲପୁରୀ ଓଡ଼ିଆ) ଓ ଡେଭିରି(କଟକୀ ଓଡ଼ିଆ) କୁହାଯାଇଛି ।‌ ତେଣୁ ଡିବିରି ଧରିଵା ଯୋଗୁଁ ଵାମହସ୍ତର ନାଆଁ ଡିବିରି ହୋଇନାହିଁ ଵରଂ ଏହା ମୂଳତଃ ଏକ ଦ୍ରାଵିଡ଼ ଶବ୍ଦ ଯାହା ଭାରତର ଵିଭିନ୍ନ ଭାଷାରେ ଵ୍ୟାପିଛି । 
ଆମେରକୀୟ ଭାଷାଵିତ Edward Sapirଙ୍କ ଭାଷାରେ 
“The history of a word is not a straight line but a tangled web, and those who guess at its path without evidence often weave fables.” ଅର୍ଥାତ୍ "ଗୋଟିଏ ଶବ୍ଦର ଇତିହାସ ଏକ ସରଳ ରେଖାରେ ଅଙ୍କିତ ହୋଇନପାରେ ବରଂ ଏହା ଏକ ଜଟିଳ ଜାଲ ଅଟେ । ଯେଉଁମାନେ ବିନା ପ୍ରମାଣରେ ଗୋଟିଏ ଶବ୍ଦର ମାର୍ଗ (ଵା ଵ୍ୟୁତ୍ପତ୍ତି ଇତିହାସ) ଅନୁମାନ କରନ୍ତି ସେମାନେ ଅନେକ ସମୟରେ କଳ୍ପନାର ଜାଲ ବୁଣନ୍ତି ।”

ଯାଜ୍ଞବଲ୍କ୍ୟଙ୍କ ରଚିତ ନିରୁକ୍ତ ଶାସ୍ତ୍ରର ୧.୧୫ରେ ବି କୁହାଯାଇଛି...

“ନ ସଂନାଦତି ସଂନାଦତି ଯଦ୍ ଯଦ୍ ଯଥା ଯଥେତି ଚ।
ଏକଂ ଚତୁର୍ଧା ଵିଦ୍ଯାତ୍ ଶବ୍ଦଂ ଶବ୍ଦଵିଶାରଦଃ॥”

ଅର୍ଥାତ୍ ଶବ୍ଦରେ ପାରଙ୍ଗମ ବ୍ୟକ୍ତି ଏକ ଶବ୍ଦକୁ ଚାରି ପ୍ରକାରେ ଜାଣିଵା ଉଚିତ: ଏହା କିପରି ଉଚ୍ଚାରିତ ହୁଏ ନାହିଁ, ଏହା କିପରି ଉଚ୍ଚାରିତ ହୁଏ, ଏହା ପ୍ରସଙ୍ଗ ଅନୁସାରେ କିପରି ଵ୍ୟଵହୃତ ହୁଏ, ଓ ଏହାର ଉତ୍ପତ୍ତି କ'ଣ ।”

ତେଣୁ ତମେ ଗୋଟାଏ ଶବ୍ଦ 'ଭୁଜନି'ର ଵ୍ୟୁତ୍ପତ୍ତି ଇତିହାସ ନଜାଣି ଏଵଂ ଆଉ ଏକ ଶବ୍ଦର(ଡେବ୍ରି ଵା ଡେଭରି) ଭୁଲ୍ ଵ୍ୟୁତ୍ପତ୍ତି ଇତିହାସ ବୋଲିକରି ଲୋକକୁ ଭୁଆଁ ବୁଲେଇ ଦେଲେ ପଣ୍ଡିତ ହୋଇଯିଵ ନାହିଁ । ଓଡ଼ିଆ ଏକ ଶ୍ରେଷ୍ଠ ଭାଷା, ଏହାର ଵିଶାଳ ଶବ୍ଦ ସମ୍ଭାର ସହିତ ଏହି ଭାଷାର ଏକ ଶୈଳୀର ଶବ୍ଦ ସମ୍ଭାରର ତୁଳନା କରିଵା ଯାହା ଭାରତ ମହାସାଗର ତୁଲେ କାସ୍ପିଆନ ସାଗରର ତୁଳନା କରିଵା ସେଇଆ । ଓଡ଼ିଆ ଭାଷାର ଵିଶାଳ ଶବ୍ଦ ସମ୍ଭାରକୁ ନଜାଣି ତାହାର ଅପମାନ କରିଵାକୁ ଚେଷ୍ଟା କରିଵା ମହାପାପ । 
 









Sunday, April 13, 2025

•ଵୈଦିକ ଶିକ୍ଷା ଓ ପ୍ରାତିଶାଖ୍ୟ ଗ୍ରନ୍ଥରେ ସ୍ୱରଵର୍ଣ୍ଣର ସଂଖ୍ୟା ଓ ଧ୍ୱନିଗତ ଵିଶ୍ଲେଷଣ•

ସ୍ଵରଵର୍ଣ୍ଣଗୁଡ଼ିକର ସଂଖ୍ୟା ବାର,ତେର କି ଚଉଦ ଏହାକୁ ନେଇ ସବୁବେଳେ ଵିଵାଦ ଲାଗିରହେ‌।‌ ତେବେ ଅନେକ ପ୍ରାଚୀନ ଶିକ୍ଷାଗ୍ରନ୍ଥରେ ସ୍ଵରଵର୍ଣ୍ଣର ଶାସ୍ତ୍ରୀୟ ସଂଖ୍ୟା ୧୪ ଉଲ୍ଲେଖ କରାଯାଇଛି ।‌

ଶୌନକ କୃତ ଋଗ୍ବେଦ ପ୍ରାତିଶାଖ୍ୟରେ ସ୍ଵରଵର୍ଣ୍ଣର ଧ୍ଵନିଗତ ଗୁଣ ଓ ଉଚ୍ଚାରଣ ନିୟମକୁ ବଵସ୍ତୃତ ଭାବେ ଵର୍ଣ୍ଣନା କରାଯାଇଛି। ଏହାର ଅଧ୍ୟାୟ ୧ ରେ ସ୍ଵରଵର୍ଣ୍ଣର ସଂଖ୍ୟା ଓ ଗୁଣ ସମ୍ବନ୍ଧୀୟ ସୂତ୍ର ରହିଛି। 

ଏହି ଗ୍ରନ୍ଥର ସୂତ୍ର ୧.୧ରେ କୁହାଯାଇଛି 
"ଅକାରାଦୀନି ସର୍ବଂ ସ୍ଵରାଣାଂ ସମୁଦାୟତଃ।  
ଚତୁର୍ଦଶଭିଃ ସ୍ଵୈରୀ ସଂନାଦତି ସଂନାଦତି।"

ଅର୍ଥାତ୍ ଅକାର (ଅ) ଆଦି ସ୍ଵରମାନେ ମୋଟ ଚଉଦ ସଂଖ୍ୟକ ଅଟନ୍ତି । ଏହା ସ୍ଵରମାନଙ୍କର ସଂନାଦି (ଏ, ଐ, ଓ, ଔ) ଗୁଣକୁ ମଧ୍ୟ ସୂଚାଇଥାଏ।

ପୁଣି ସୂତ୍ର ୧.୨ରେ କୁହାଯାଇଛି 
 "ହ୍ରସ୍ଵଂ ଦୀର୍ଘଂ ପ୍ଲୁତଂ ଚୈଵ ସ୍ଵରାଣାଂ ତ୍ରିବିଧଂ ମତମ୍।  
 ଅ ଇ ଉ ଋ ଌ ଚୈବ ପଞ୍ଚୈତେ ହ୍ରସ୍ଵମୁଚ୍ୟତେ।"

ଅର୍ଥାତ୍ ସ୍ଵରମାନେ **ହ୍ରସ୍ଵ, ଦୀର୍ଘ, ଓ ପ୍ଲୁତ** ଏହି ତିନିପ୍ରକାରରେ ଵିଭକ୍ତ। ଅ, ଇ, ଉ, ଋ, ଌ ଏହି ପାଞ୍ଚଟି ହ୍ରସ୍ଵ ସ୍ଵର ଅଟେ। ଆ, ଈ, ଊ, ୠ, ୡ ଦୀର୍ଘ ଓ ଏ, ଐ, ଓ, ଔ ସଂନାଦି ସ୍ଵର ଅଟନ୍ତି।‌

ତୈତ୍ତିରୀୟ ପ୍ରାତିଶାଖ୍ୟ ଯଜୁର୍ଵେଦର ତୈତ୍ତିରୀୟ ଶାଖା ସହ ଜଡ଼ିତ । ଏଥିରେ ମଧ୍ୟ ସ୍ଵରଵର୍ଣ୍ଣର ୧୪ଟି ରୂପର ଵର୍ଣ୍ଣନା ହୋଇଛି। ଏ ଗ୍ରନ୍ଥର ଅଧ୍ୟାୟ ୨ ରେ ସ୍ଵରଵିଜ୍ଞାନ ସମ୍ବନ୍ଧୀୟ ନିୟମ ରହିଛି। 

ଗ୍ରନ୍ଥରେ ସୂତ୍ର ୨.୧ରେ ଉଲ୍ଲେଖ ଅଛି 
 "ସ୍ଵରାଃ ଚତୁର୍ଦଶ ସଂଖ୍ୟାତାଃ ଅକାରାଦି ସମୁଦ୍ଭବାଃ।  
ହ୍ରସ୍ଵଂ ଦୀର୍ଘଂ ସଂନାଦି ତ୍ରିବିଧଂ ତତ୍ପ୍ରକୀର୍ତିତମ୍।"

ଅର୍ଥାତ୍ ସ୍ଵରଵର୍ଣ୍ଣ ସଂଖ୍ୟା ୧୪ ଏଵଂ ଏହା ଅ ଠାରୁ ଆରମ୍ଭ ହୁଏ। ଏହି ସ୍ଵରଵର୍ଣ୍ଣ ଗୁଡ଼ିକୁ *ହ୍ରସ୍ଵ, ଦୀର୍ଘ, ଓ ସଂନାଦି ଏହି ତିନି ଭାଗରେ ଵିଭକ୍ତ କରାଯାଏ ।

ସେହିପରି ସୂତ୍ର ୨.୨ରେ ଉଲ୍ଲେଖ ଅଛି 
"ଅ ଇ ଉ ଋ ଌ ପଞ୍ଚ ହ୍ରସ୍ଵାଃ ସ୍ୟୁଃ ପ୍ରକୀର୍ତିତାଃ।  
ଆ ଈ ଊ ୠ ୡ ଦୀର୍ଘାଃ ଏ ଐ ଓ ଔ ସଂନାଦି।"

ଅର୍ଥାତ୍ ଅ, ଇ, ଉ, ଋ, ଌ ଏହି ପାଞ୍ଚଟି ହ୍ରସ୍ଵ ସ୍ଵର।
ଆ, ଈ, ଊ, ୠ, ୡ ଏହି ପାଞ୍ଚଟି ଦୀର୍ଘ ସ୍ଵର।
ଏ, ଐ, ଓ, ଔ ଏହି ଚାରିଟି ସଂନାଦି ସ୍ଵର।

ମୋଟ ୧୪ଟି ସ୍ଵରଵର୍ଣ୍ଣର ସୁସ୍ପଷ୍ଟ ଗଣନା ଏହି ସୂତ୍ରରେ ଦିଆଯାଇଛି।

ପାଣିନୀୟ ଶିକ୍ଷାରେ ମଧ୍ୟ ନିମ୍ନଲିଖିତ ଶ୍ଳୋକ ମଧ୍ୟ ସ୍ଵରବର୍ଣ୍ଣର ସଂଖ୍ୟାକୁ ସୂଚାଇଥାଏ ।‌

"ଅକାରୋ ଦ୍ଵିମାତ୍ରଶ୍ଚ ଇକାରଶ୍ଚ ତଥୈବ ଚ।  
ଉକାରଃ ଋକାରଶ୍ଚ ଌକାରଶ୍ଚ ତଥାଽଽଦିତଃ।  
ଏକାରୋ ଐକାରଶ୍ଚ ଓକାରୋ ଔକାରସ୍ତଥା।  
ଚତୁର୍ଦଶ ସ୍ଵରାଃ ପ୍ରୋକ୍ତାଃ ଶିକ୍ଷାୟାଂ ଵୈଦପାରଗୈଃ।"

ଅର୍ଥାତ୍ 
ଅ-କାର (ଅ) ଓ ତାହାର ଦୀର୍ଘ ରୂପ (ଆ) ଯାହା ଦୁଇ ମାତ୍ରା ଵିଶିଷ୍ଟ, ସେହିପରି ଇ କାର (ଇ) ଓ ତାହାର ଦୀର୍ଘ ରୂପ (ଈ), ଉ-କାର (ଉ) ଓ ତାହାର ଦୀର୍ଘ ରୂପ (ଊ), ଋ-କାର (ଋ) ଓ ତାହାର ଦୀର୍ଘ ରୂପ (ୠ), ଌ-କାର (ଌ) ଓ ତାହାର ଦୀର୍ଘ ରୂପ (ୡ) ,ଏ-କାର (ଏ) ଓ ତାହାର ଦୀର୍ଘ ରୂପ(ଐ) , ଓ-କାର ଓ ତାହାର ଦୀର୍ଘ ରୂପ (ଔ) ସ୍ଵରଵର୍ଣ୍ଣରେ ଅଛି ।ଏହି ଚଉଦଟି ସ୍ଵରଵର୍ଣ୍ଣ (ଅ, ଆ, ଇ, ଈ, ଉ, ଊ, ଋ, ୠ, ଌ, ୡ, ଏ, ଐ, ଓ, ଔ) ଵେଦରେ ପାରଙ୍ଗମ ଵିଦ୍ୟାର୍ଥୀମାନଙ୍କ ଦ୍ଵାରା ଶିକ୍ଷା (ଉଚ୍ଚାରଣ ବିଜ୍ଞାନ) ଶାସ୍ତ୍ରରେ ଵର୍ଣ୍ଣିତ ହୋଇଅଛି ।

ନାରଦୀୟ ଶିକ୍ଷା ଵେଦାଙ୍ଗର ଶିକ୍ଷା ଅଙ୍ଗର ଅନ୍ୟତମ ଗ୍ରନ୍ଥ ।‌ ଏଥିରେ ଵୈଦିକ ଉଚ୍ଚାରଣ ସ୍ଵରଵିଜ୍ଞାନ ଓ ଧ୍ଵନିତତ୍ତ୍ଵ ଵିଷୟରେ ଆଲୋଚନା କରାଯାଇଛି । ଏ ଗ୍ରନ୍ଥର ଅଧ୍ୟାୟ ୧ରେ ଏକ ଶ୍ଳୋକ ଅଛି ଯହିଁରେ ସ୍ଵରଵର୍ଣ୍ଣ ୧୪ ବୋଲି କୁହାଯାଇଛି। 
  
"ଅକାରଃ ଆକାରଶ୍ଚ ଇକାରଃ ଈକାର ଏବ ଚ।  
  ଉକାରଃ ଊକାରଶ୍ଚ ଋକାରୋ ୠକାରତଃ।  
  ଌକାରୋ ୡକାରଶ୍ଚ ଏକାରୋ ଐକାର ଏବ ଚ।  
  ଓକାରୋ ଔକାରଶ୍ଚ ଚତୁର୍ଦଶ ସ୍ଵରାଃ ସ୍ମୃତାଃ।"

 ଅର୍ଥାତ୍ ଅ,ଆ,ଇ,ଈ,ଉ,ଊ,ଋ,ୠ,ଌ,ୡ,ଏ,ଐ,ଓ,ଔ ଏହିପରି ସ୍ଵରଵର୍ଣ୍ଣ ସଂଖ୍ୟା ଚଉଦ ଅଟେ । ନାରଦୀୟ ଶିକ୍ଷା ଗ୍ରନ୍ଥ ସାମଵେଦର ଉଚ୍ଚାରଣ ନିୟମ ସହ ଜଡ଼ିତ, ଏଥିରେ ସ୍ଵରାଘାତ (Accent) ଓ ସମୟ ମାପ (Duration) ଉପରେ ଵିଶେଷ ଗୁରୁତ୍ୱ ଦିଆଯାଇଛି।

ଯାଜ୍ଞଵଲ୍କ୍ୟ ଶିକ୍ଷା ଅନ୍ୟ ଏକ ପ୍ରାଚୀନ ଶିକ୍ଷା ଗ୍ରନ୍ଥ, ।‌ ଏହା ଶୁକ୍ଲ ଯଜୁର୍ଵେଦର ଉଚ୍ଚାରଣ ଓ ଧ୍ଵନିଗତ ନିୟମକୁ ଵିଶ୍ଲେଷଣ କରେ। ଯାଜ୍ଞଵଲ୍କ୍ୟ ଶିକ୍ଷାରେ ମଧ୍ୟ ୧୪ ସ୍ଵରଵର୍ଣ୍ଣର ସୂଚୀ ଦିଆଯାଇଛି ‌ । 
  
 "ଚତୁର୍ଦଶ ସ୍ଵରାଃ ପ୍ରୋକ୍ତାଃ ଅକାରାଦି ନିରୂପିତାଃ।  
  ହ୍ରସ୍ଵଂ ଦୀର୍ଘଂ ସଂନାଦି ତ୍ରିବିଧଂ ତଦ୍ଵିନିର୍ଦିଶେତ୍।"

ଅର୍ଥାତ୍ ସ୍ଵରସଂଖ୍ୟା ୧୪ ଏଵଂ ଏଥିରେ ଅକାରାଦି ନିରୂପିତ ହୋଇଛି । ହର୍ସ୍ଵ ଦୀର୍ଘ ଓ ସଂନାଦି ଏହିପରି ତିନି ଭାଗରେ ସ୍ଵରଵର୍ଣ୍ଣ ଵିଭକ୍ତ । ଯାଜ୍ଞଵଲ୍କ୍ୟ ଶିକ୍ଷା ଗ୍ରନ୍ଥ ଶୁକ୍ଲ ଯଜୁର୍ଵେଦର ବାଜସନେୟୀ ସଂହିତାର ଉଚ୍ଚାରଣ ଠିକ୍ ରଖିଵା ପାଇଁ ନିୟମ ପ୍ରଦାନ କରେ।

ବାଜସନେୟୀ ପ୍ରାତିଶାଖ୍ୟ ଶୁକ୍ଲ ଯଜୁର୍ଵେଦର ବାଜସନେୟୀ ଶାଖା ସହ ଜଡ଼ିତ ଏକ ପ୍ରାତିଶାଖ୍ୟ ଗ୍ରନ୍ଥ ଅଟେ । ଏଥିରେ ଵୈଦିକ ମନ୍ତ୍ରମାନଙ୍କର ଉଚ୍ଚାରଣ, ସ୍ଵରାଘାତ, ଓ ଧ୍ଵନିଗତ ନିୟମ ଵିଷୟରେ ଵିସ୍ତୃତ ଆଲୋଚନା ହୋଇଛି । ଏହି ଗ୍ରନ୍ଥରେ ବି ୧୪ ସ୍ଵରଵର୍ଣ୍ଣର ଗଣନା ସ୍ପଷ୍ଟ ରୂପେ ଦିଆଯାଇଛି, ଯହିଁରେ ଌ ଓ ୡ ସ୍ଵରଗୁଡ଼ିକର ମଧ୍ୟ ଵୈଦିକ ଉଚ୍ଚାରଣ ଅନ୍ତର୍ଭୁକ୍ତ।

ବାଜସନେୟୀ ପ୍ରାତିଶାଖ୍ୟ ଗ୍ରନ୍ଥର ଅଧ୍ୟାୟ ୧ରେ କୁହାଯାଇଛି 
  "ଅ ଇ ଉ ଋ ଌ ହ୍ରସ୍ଵାଃ ପଞ୍ଚ ସ୍ୟୁଃ ପ୍ରକୀର୍ତିତାଃ।  
   ଆ ଈ ଊ ୠ ୡ ଦୀର୍ଘାଃ ଏ ଐ ଓ ଔ ସଂନାଦି।  
  ଚତୁର୍ଦଶୈତେ ସ୍ଵରାଃ ସଂଖ୍ୟାତାଃ ଶାସ୍ତ୍ରେ ନିରୂପିତାଃ।"

  ଅର୍ଥାତ୍ ଅ, ଇ, ଉ, ଋ, ଌ ଏହି ପାଞ୍ଚଟି ହ୍ରସ୍ଵ ସ୍ଵର। ଆ, ଈ, ଊ, ୠ, ୡ ଏହି ପାଞ୍ଚଟି ଦୀର୍ଘ ସ୍ଵର। ଏ, ଐ, ଓ, ଔ ଏହି ଚାରିଟି ସଂନାଦି ସ୍ଵର। ମୋଟ ଚଉଦଟି ସ୍ଵରଵର୍ଣ୍ଣ ଶାସ୍ତ୍ରରେ ଵର୍ଣ୍ଣିତ। ଏହି ଗ୍ରନ୍ଥ ଉଦାତ୍ତ, ଅନୁଦାତ୍ତ, ଓ ସ୍ଵରିତ ଭଳି ସ୍ଵରାଘାତର ନିୟମ ଓ ସନ୍ଧି ଵିଷୟରେ ଵିସ୍ତୃତ ଆଲୋଚନା କରେ, ଯାହା ସ୍ଵରଵର୍ଣ୍ଣର ଉଚ୍ଚାରଣକୁ ଠିକ୍ ରଖେ।

ଶିଖାୟନୀ ଶିକ୍ଷା ଋଗ୍ବେଦର ଶାଖା ସହ ଜଡ଼ିତ ଏକ ଶିକ୍ଷା ଗ୍ରନ୍ଥ ଏଵଂ ଏଥିରେ ଵୈଦିକ ଧ୍ଵନିଗତ ନିୟମ ଓ ଉଚ୍ଚାରଣ ଵିଷୟରେ ଆଲୋଚନା କରାଯାଇଛି । ଏହି ଗ୍ରନ୍ଥରେ ୧୪ ସ୍ଵରଵର୍ଣ୍ଣର ସୂଚୀ ଦିଆଯାଇଛି ଏଵଂ ଏଥିରେ ଦୀର୍ଘ ୡ ମଧ୍ୟ ଅନ୍ତର୍ଭୁକ୍ତ।

  "ଅକାରାଦି ସ୍ଵରାଃ ସର୍ବେ ଚତୁର୍ଦଶ ସଂଖ୍ୟଯା।  
  ହ୍ରସ୍ଵଂ ଦୀର୍ଘଂ ସଂନାଦି ତ୍ରିବିଧଂ ତତ୍ପ୍ରଚକ୍ଷତେ।"

  ଅର୍ଥାତ୍ ଅ ଠାରୁ ଆରମ୍ଭ କରି ଚଉଦଟି ସ୍ଵରଵର୍ଣ୍ଣ ଗଣାଯାଇଛନ୍ତି। ସ୍ଵରଵର୍ଣ୍ଣଗୁଡ଼ିକୁ ହ୍ରସ୍ଵ, ଦୀର୍ଘ, ଓ ସଂନାଦି ରୂପେ ତିନି ଭାଗରେ ଵିଭକ୍ତ କରାଯାଏ। 

ମାଣ୍ଡୁକୀ ଶିକ୍ଷା ଵେଦାଙ୍ଗର ଶିକ୍ଷା ଅଙ୍ଗର ଅନ୍ୟତମ ଗ୍ରନ୍ଥ ।‌ ଏଥିରେ ଵୈଦିକ ଉଚ୍ଚାରଣ, ଧ୍ଵନିଗତ ନିୟମ, ଓ ସ୍ଵରଵିଜ୍ଞାନ ଵିଷୟରେ ଆଲୋଚନା କରାଯାଇଛି । ଏହା ମୁଖ୍ୟତଃ ଅଥର୍ଵଵେଦ ଓ ଅନ୍ୟ ଵୈଦିକ ଶାଖା ସହ ଜଡ଼ିତ।

 ମାଣ୍ଡୁକୀ ଶିକ୍ଷାରେ ୧୪ ସ୍ଵରଵର୍ଣ୍ଣର ସୁସ୍ପଷ୍ଟ ସୂଚୀ ଦିଆଯାଇଛି । ମାଣ୍ଡୁକୀ ଶିକ୍ଷାର ସମ୍ବନ୍ଧିତ ଶ୍ଳୋକ ତହିଁର ଉଦାହରଣ। 
  
"ଅକାରଃ ଆକାରଶ୍ଚ ଇକାରଃ ଈକାର ଏଵ ଚ।  
  ଉକାରଃ ଊକାରଶ୍ଚ ଋକାରୋ ୠକାରତଃ।  
  ଌକାରୋ ୡକାରଶ୍ଚ ଏକାରୋ ଐକାର ଏଵ ଚ।  
  ଓକାରୋ ଔକାରଶ୍ଚ ଚତୁର୍ଦଶ ସ୍ଵରାଃ ସ୍ମୃତାଃ।"

  
ପାରାଶରୀ ଶିକ୍ଷା ଅନ୍ୟ ଏକ ପ୍ରାଚୀନ ଶିକ୍ଷା ଗ୍ରନ୍ଥ ଏଵଂ ଏହା ଋଗ୍ବେଦ ଓ ଯଜୁର୍ଵେଦର ଉଚ୍ଚାରଣ ନିୟମ ସହ ଜଡ଼ିତ। ଏଥିରେ ଧ୍ଵନିଗତ ସୂକ୍ଷ୍ମତା ଓ ସ୍ଵରଵିଜ୍ଞାନ ଵିଷୟରେ ଆଲୋଚନା ମିଳେ । ପାରାଶରୀ ଶିକ୍ଷାରେ ସ୍ଵରଵର୍ଣ୍ଣର ସଂଖ୍ୟା ୧୪ ବୋଲି ଏକ ଶ୍ଳୋକରେ କୁହାଯାଇଛି। 

"ଚତୁର୍ଦଶ ସ୍ଵରାଃ ପ୍ରୋକ୍ତାଃ ଅକାରାଦି ସମୁଦ୍ଭବାଃ।  
 ହ୍ରସ୍ଵଂ ପଞ୍ଚ ଦୀର୍ଘଂ ପଞ୍ଚ ସଂନାଦି ଚତୁରୀ ସ୍ମୃତମ୍।"

 ଅଥର୍ଵଵେଦ ପ୍ରାତିଶାଖ୍ୟ ଶିକ୍ଷାଗ୍ରନ୍ଥ ଅଥର୍ଵଵେଦର ଉଚ୍ଚାରଣ ଓ ଧ୍ଵନିଗତ ନିୟମ ସହ ଜଡ଼ିତ ଏକ ପ୍ରାତିଶାଖ୍ୟ ଗ୍ରନ୍ଥ। ଏହା ଅଥର୍ଵଵେଦର ଶୌନକୀୟ ଓ ପିପ୍ପଳାଦ ଶାଖା ସହ ସମ୍ବନ୍ଧିତ। ଏହି ଗ୍ରନ୍ଥରେ ଅଧ୍ୟାୟ ୧ରେ ବି ସ୍ଵରଵର୍ଣ୍ଣର ସଂଖ୍ୟା ୧୪ ବୋଲି ଉଲ୍ଲେଖ ରହିଛି। 

 "ଅ ଇ ଉ ଋ ଌ ପଞ୍ଚ ହ୍ରସ୍ଵାଃ ସ୍ୟୁଃ ପ୍ରକୀର୍ତିତାଃ।  
   ଆ ଈ ଊ ୠ ୡ ଦୀର୍ଘାଃ ଏ ଐ ଓ ଔ ସଂନାଦି।  
  ଚତୁର୍ଦଶ ସ୍ଵରାଃ ପ୍ରୋକ୍ତାଃ ଶାସ୍ତ୍ରେ ଧ୍ଵନିନିରୂପଣେ।"

 ଅର୍ଥାତ୍ ଅ, ଇ, ଉ, ଋ, ଌ ଏହି ପାଞ୍ଚଟି ହ୍ରସ୍ଵ ସ୍ଵର। ଆ, ଈ, ଊ, ୠ, ୡ ଏହି ପାଞ୍ଚଟି ଦୀର୍ଘ ସ୍ଵର। ଏ, ଐ, ଓ, ଔ**—ଏହି ଚାରିଟି ସଂନାଦି ସ୍ଵର। ମୋଟ ଚଉଦଟି ସ୍ଵରଵର୍ଣ୍ଣ ଧ୍ଵନିଶାସ୍ତ୍ରରେ ଵର୍ଣ୍ଣିତ।

ସାମବେଦ ପ୍ରାତିଶାଖ୍ୟ(ପୁଷ୍ପସୂତ୍ର) ସାମଵେଦର ଉଚ୍ଚାରଣ ଓ ଗାନଗତ ନିୟମ ସହ ଜଡ଼ିତ ଏକ ପ୍ରାତିଶାଖ୍ୟ ଗ୍ରନ୍ଥ । ସାମଵେଦର କୌଥୁମ ଓ ଜୈମିନୀୟ ଶାଖା ସହ ଏହା ସମ୍ବନ୍ଧିତ। ଏ ଗ୍ରନ୍ଥର ପୁଷ୍ପସୂତ୍ର, ଅଧ୍ୟାୟ ୧ର ଏକ ସୂତ୍ରରେ ସ୍ଵରଵର୍ଣ୍ଣ ୧୪ ବୋଲି ଉଲ୍ଲେଖ ଅଛି । 
  "ଅକାରାଦି ସ୍ଵରାଃ ସର୍ଵେ ଚତୁର୍ଦଶ ସଂଖ୍ୟୟା।  
  ହ୍ରସ୍ଵଂ ଦୀର୍ଘଂ ସଂନାଦି ତ୍ରିଵିଧଂ ସାମଗାୟନେ।"

 ଏହି ପରି ଭାବେ ଅନେକ ପ୍ରାଚୀନ ଗ୍ରନ୍ଥରେ ସ୍ଵରଵର୍ଣ୍ଣ ସଂଖ୍ୟା ଚଉଦ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।‌ ଵୈଦିକ ସଂସ୍କୃତରେ ୠ,ଌ ଓ ୡ ଆଵଶ୍ୟକତା ଅଧିକ ଥିଲା କିନ୍ତୁ ଲୌକିକ ସଂସ୍କୃତ ଭାଷାରେ କ୍ରମେ ଦୀର୍ଘ ୡ ର ଵ୍ୟଵହାର ହ୍ରାସ ପାଇଲା । ପାଣିନୀଙ୍କ ସମୟର ଲୌକିକ ସଂସ୍କୃତରେ କେଵଳ ୧୩ଟି(ୡ ଛଡ଼ା) ସ୍ଵରଵର୍ଣ୍ଣ ପ୍ରୟୋଗ ହେଉଥିଲା । ଫଳତଃ କ୍ରମେ ଦୀର୍ଘ ୡ ଵ୍ୟଵହାର ନହୋଇ ଲୁପ୍ତ ହେଲା । ଆଜିକାଲି ଦୀର୍ଘ ୠ ଓ ହର୍ସ୍ଵ ଌ କୁ ଲୋକେ ଛାଡ଼ି ସାରିଲେଣି ।‌ ସମୟ ଆସିଵ ଲୋକେ ହର୍ସ୍ଵ ଋ କୁ ଛାଡ଼ି ରୁ ଲେଖିବେ ତଥା ଋଷିକୁ ରୁଷି ଲେଖି ନିଜକୁ ପଣ୍ଡିତ ପ୍ରମାଣିତ କରିବେ । 
 

Friday, April 11, 2025

•ସାୟାନୋବ୍ୟାକ୍ଟେରିଆ : ଆମକୁ ଅମ୍ଳଜାନ ଦାନ କରିଥିଵା ଏକ ପ୍ରାଚୀନ ଜୀଵର କାହାଣୀ•

ପୃଥିଵୀର ସୃଷ୍ଟିଠାରୁ ଏଯାଵତ୍ ଏ ଗ୍ରହର ଵାୟୁମଣ୍ଡଳ ତିନୋଟି ପ୍ରମୁଖ ପର୍ଯ୍ୟାୟ ଦେଇ ଵିକଶିତ ହୋଇଛି। ଆଜକୁ ପ୍ରାୟ ୪.୬ ବିଲିଅନ ଵର୍ଷ ପୂର୍ଵେ ପୃଥିଵୀରେ ଅଳ୍ପ କାଳ ପାଇଁ ପ୍ରାଥମିକ ଵାୟୁମଣ୍ଡଳ ଥିଲା । ସେହି ପ୍ରଥମ ଵାୟୁମଣ୍ଡଳରେ ହାଇଡ୍ରୋଜେନ୍ ଓ ହିଲିୟମ୍‌ର ପରିମାଣ ପ୍ରଧାନ ଥିଲା । କିନ୍ତୁ ଏହା ଏକ ଅସ୍ଥାୟୀ ଵାୟୁମଣ୍ଡଳ ଥିଵାରୁ ପରଵର୍ତ୍ତୀକାଳରେ ସୌରପଵନ ଏଵଂ ପୃଥିଵୀର ଦୁର୍ଵଳ ମାଧ୍ୟାକର୍ଷଣ ଯୋଗୁଁ ବହୁଧା ହ୍ରାସ ହୋଇଗଲା। ତେବେ ସେହି ସମୟରେ ଆମ ସୌରଜଗତରେ ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଘଟଣା ଘଟିଥିଲା । ଵୃହସ୍ପତି ,ଶନି ଓ ୟୁରାନସ ଇତ୍ୟାଦି ଗ୍ରହଗୁଡ଼ିକର ଗ୍ରହୀୟ ପରିଵ୍ରଜନ (planetary migration) ଯୋଗୁଁ ଗ୍ରହାଣୁ ବଳୟ (asteroid belt) ଓ କାଇପର ବଳୟ (Kuiper belt) ରୁ ବହୁସଂଖ୍ୟକ ମହାକାଶୀୟ ପିଣ୍ଡ ଅଭ୍ୟନ୍ତରୀଣ ସୌରମଣ୍ଡଳ ଆଡ଼େ ଚାଲି ଆସିଥିଲେ । ଫଳତଃ ପୃଥିଵୀ, ଚନ୍ଦ୍ର ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଗ୍ରହଗୁଡ଼ିକ ଉପରେ ଅସଂଖ୍ୟ ଉଲ୍କାପିଣ୍ଡ (meteoroids), ଧୂମକେତୁ (comets) ଓ ଗ୍ରହାଣୁ (asteroids) ଵର୍ଷିଥିଲା । ଗଵେଷକମାନେ ତାକୁ Late Heavy Bombardment ନାମ ଦେଇଛନ୍ତି । ଦୁଇଟି ଚରଣରେ ୪.୫ ବିଲିଅନ ଵର୍ଷଠାରୁ ୩.୮ ବିଲିଅନ ଵର୍ଷ ପର୍ଯ୍ୟନ୍ତ ପୃଥିଵୀ ପୃଷ୍ଠରେ ଅଂସଖ୍ୟ ମହାକାଶୀୟ ପିଣ୍ଡ ଵର୍ଷିଥିଲା ‌। ଏହି ଆଘାତ ଅତ୍ୟନ୍ତ ତୀଵ୍ର ଓ ଵ୍ୟାପକ ଥିଲା କିନ୍ତୁ ଏଥିଯୋଗୁଁ ପୃଥିଵୀର ଭାଗ୍ୟ ହିଁ ବଦଳି ଯାଇଥିଲା ‌ । ନିଜର ପ୍ରାଥମିକ ଵାୟୁମଣ୍ଡଳ ହରାଇ ଏକ ମୃତ ଗ୍ରହରେ ପରିଣତ ହେଵାକୁ ବସିଥିଵା ପୃଥିଵୀ ପୁଣି ଉତ୍ତପ୍ତ ହୋଇଗଲା ଏଵଂ ଏଥିଯୋଗୁଁ ପୃଥିଵୀ ସାରା ଅତି ଭୀଷଣ ଆଗ୍ନେୟ ଉଦ୍ଗିରଣ ଘଟିଲା । 


 
ଏହି ଘଟଣା ହିଁ ପୃଥିଵୀରେ ଦ୍ୱିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ତଥା ତତ୍ ଆଧାରିତ ପ୍ରାଥମିକ ଜୀଵ ସୃଷ୍ଟି ପାଇଁ ବାଟ ଫିଟାଇ ଥିଲା । ଆଗ୍ନେୟ ଉଦ୍ଗିରଣ ତଥା ଭୀଷଣ ଧୂମକେତୁ,ଉଲ୍କାପିଣ୍ଡ ଓ ଗ୍ରହାଣୁ ଵର୍ଷଣ ଯୋଗୁଁ ପୃଥିଵୀ ଉତ୍ତପ୍ତ ହୋଇଗଲା ଏଵଂ ଏଥିଯୋଗୁଁ ନାନା ରାସାୟନିକ ପ୍ରତିକ୍ରିୟା ଘଟି କେତୋଟି ନୂତନ ଗ୍ୟାସ୍ ପୃଥିଵୀର ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ଗଠନ କଲେ । ପୃଥିଵୀର ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ୪.୫ରୁ ୩.୫ ବିଲିଅନ ଵର୍ଷ ପୂର୍ଵେ ଆରମ୍ଭ ହୋଇ ୨.୪ ବିଲିଅନ ଵର୍ଷ ପର୍ଯ୍ୟନ୍ତ ରହିଥିଲା ‌।‌ ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଵା କାର୍ବନ ଡାଇଅକ୍ସାଇଡ୍, ମିଥେନ, ଆମୋନିଆ ଓ ଜଳୀୟବାଷ୍ପ ଥିଲା, କିନ୍ତୁ ଅକ୍ସିଜେନ ଵା ଅମ୍ଳଜାନ ନଥିଲା। ଏହି ଦ୍ଵିତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ଉଷ୍ମ ଓ ଘନ ହୋଇ ପ୍ରାରମ୍ଭିକ ଜୀଵନର ଉତ୍ପତ୍ତିରେ ସହାୟକ ହୋଇଥିଲା। ସେହିପରି ତୃତୀୟ ପର୍ଯ୍ୟାୟର ଵାୟୁମଣ୍ଡଳ ୨.୪ ବିଲିଅନ ଵର୍ଷଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ପୃଥିଵୀରେ ରହିଅଛି। ଏହି ତୃତୀୟ ପର୍ଯ୍ୟାୟର ଵାୟୁମଣ୍ଡଳରେ ଯଵକ୍ଷାରଜାନ, ଅମ୍ଳଜାନ ହିଁ ମୁଖ୍ୟ ଗ୍ୟାସ୍ ରୂପେ ଦେଖାଯାଏ । 



ତେଣୁ ମନରେ ପ୍ରଶ୍ନ ଆସେ, ୨.୪ ବିଲିଅନ ଵର୍ଷ ପୂର୍ଵେ ଏମିତି କ'ଣ ହୋଇଥିଲା ଯେ ହଠାତ୍ ପୃଥିଵୀର ଵାୟୁମଣ୍ଡଳର ପ୍ରମୁଖ ଗ୍ୟାସ୍‌ଗୁଡ଼ିକ ହିଁ ପରିଵର୍ତ୍ତିତ ହୋଇଯାଇଥିଲା ? 

ଆଜକୁ ପ୍ରାୟ ୩.୫ ବିଲିଅନ (୩୫୦୦ ମିଲିୟନ) ଵର୍ଷ ତଳେ, Proterozoic ଯୁଗର Paleoproterozoic ସମୟକାଳରେ, ଆଜିର ପୃଥିଵୀଠାରୁ ସେ ସମୟର ପୃଥିଵୀ ବହୁତ ଭିନ୍ନ ଥିଲା। ତତ୍କାଳୀନ ଵାୟୁମଣ୍ଡଳରେ ମୁଖ୍ୟତଃ କାର୍ବନ ଡାଇଅକ୍ସାଇଡ୍,ମିଥେନ ଓ ଅଳ୍ପ ନାଇଟ୍ରୋଜେନ୍ ଗ୍ୟାସ୍ ଥିଲା। ମୁକ୍ତ ରୂପେ ତତ୍କାଳୀନ ଵାୟୁମଣ୍ଡଳରେ ଅମ୍ଳଜାନ ଵା ଅକ୍ସିଜେନ ନଥିଲା, କେଵଳ ଜଳକଣା ମଧ୍ୟରେ ଅଳ୍ପ ପରିମାଣରେ ଅକ୍ସିଜେନ ସୀମିତ ଥିଲା। ସେହି ସମୟରେ ଜୀଵନ କେଵଳ ସମୁଦ୍ର ମଧ୍ୟରେ ଆରମ୍ଭ ହୋଇଥିଲା ଏଵଂ ସେହି ପ୍ରାରମ୍ଭିକ ଜୀଵମାନେ ଅଵାୟଵୀୟ ଵା anaerobic ଥିଲେ, ଅର୍ଥାତ୍ ସେମାନେ ଅମ୍ଳଜାନ ବିନା ବଞ୍ଚିପାରୁଥିଲେ। ଅଵାୟଵୀୟ ଏକକୋଷୀ ଜୀଵମାନେ ଅମ୍ଳଜାନ ବିନା Anaerobic respiration ଓ fermentation ପ୍ରକ୍ରିୟା ଦ୍ୱାରା ବଞ୍ଚୁଥିଲେ । ଏହି ପ୍ରକ୍ରିୟାରେ ଏହି ଏକକୋଷୀ ଜୀଵମାନେ ସଲ୍ଫେଟ୍, ନାଇଟ୍ରେଟ୍ ଵା CO₂ ଯୁକ୍ତ ପଦାର୍ଥ ଵ୍ୟଵହାର କରି H₂S, N₂, CH₄, CO₂, H₂ ଜାତୀୟ ଗ୍ୟାସ ଉତ୍ପାଦନ କରୁଥିଲେ। ଏବେ ବି ଏପରି ଜୀଵ ଜଳାଶୟ, ମାଟି ଓ ପ୍ରାଣୀଙ୍କ ଶରୀର ମଧ୍ୟରେ ଦେଖାଯାଆନ୍ତି ଯଥା : କ୍ଲଷ୍ଟ୍ରିଡିୟମ୍ ଓ ମିଥେନୋଜେନ୍ସ ଇତ୍ୟାଦି ।



କିନ୍ତୁ ଆଜକୁ ପ୍ରାୟ ୨.୭ରୁ ୩ ବିଲିଅନ ଵର୍ଷ ତଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିଵର୍ତ୍ତନ ଘଟିଲା। ସାୟାନୋବ୍ୟାକ୍ଟେରିଆ(Cyanobacteria) ନାମକ ଏକକୋଷୀ ଜୀଵ ଆଲୋକ ସଂଶ୍ଳେଷଣ ଵା Photo synthesis କରିଵାର ଦକ୍ଷତା ଵିକଶିତ କଲେ। ଏ ଜୀଵମାନେ ସୂର୍ଯ୍ୟକିରଣ ବଳରେ ଅଙ୍ଗାରକାମ୍ଳ ଓ ଜଳରୁ ଶର୍କରା ପ୍ରସ୍ତୁତ କରିଵା ଆରମ୍ଭ କଲେ ତଥା ଏହି ପ୍ରକ୍ରିୟାରେ ବର୍ଜ୍ୟ ରୂପେ ଅମ୍ଳଜାନ ମୁକ୍ତ କରୁଥିଲେ। ଶର୍କରା ସେମାନଙ୍କୁ ଶକ୍ତି ଯୋଗାଇ ବଞ୍ଚିଵାରେ ସହାୟକ ହେଲା ଏଵଂ ଜଳ ତଥା ଅଙ୍ଗାରକାମ୍ଳର ପ୍ରଚୁର ଭଣ୍ଡାର ଯୋଗୁଁ ସାୟାନୋବ୍ୟାକ୍ଟେରିଆର ବଂଶବୃଦ୍ଧି ତୀଵ୍ର ହେଲା।



ଧୀରେ ଧୀରେ ଏମାନେ ପୃଥିଵୀର ଵାୟୁମଣ୍ଡଳରେ ଅମ୍ଳଜାନ ନାମକ ଏକ ନୂଆ ଗ୍ୟାସ ଛାଡ଼ିଵାକୁ ଲାଗିଲେ। ପ୍ରଥମେ ଏହି ଅମ୍ଳଜାନ ସମୁଦ୍ରରେ ଲୌହ ସହ ପ୍ରତିକ୍ରିୟା କରି ଅକ୍ସାଇଡ୍ ତିଆରି କଲା, ଯାହା ଆଜି "Banded Iron Formation" ରୂପେ ପରିଚିତ। କିନ୍ତୁ ଆଜକୁ ପ୍ରାୟ ୨.୪ ବିଲିଅନ ଵର୍ଷ ତଳେ, ଅମ୍ଳଜାନ ଏତେ ପରିମାଣରେ ଜମା ହେଲା ଯେ ଏହା ଅଵାୟଵୀୟ ଵା Anaerobic ଜୀଵମାନଙ୍କ ପାଇଁ ଵିପଦଜ୍ଜନକ ହୋଇପଡ଼ିଲା। ଏହି ଘଟଣାକୁ ଭୂବୈଜ୍ଞାନିକମାନେ "Great Oxygenation Event" ବା "ମହା ଅମ୍ଳଜାନ ସଙ୍କଟ" ନାମ ଦେଇଛନ୍ତି । ସେହି ସମୟରେ ଅନେକ ଅଵାୟଵୀୟ ଏକକୋଷୀ ଜୀଵ, ଯେଉଁମାନେ ଅମ୍ଳଜାନ ସହ ଖାପ ଖୁଆଇ ପାରିନଥିଲେ, ସେମାନେ ଵିଲୁପ୍ତ ହୋଇଗଲେ। ଆଉ କିଛି ଅଵାୟଵୀୟ ଏକକୋଷୀ ଜୀଵ ଅମ୍ଳଜାନହୀନ ସ୍ଥାନରେ ରହିଵାକୁ ଲାଗିଲେ । 

ଅସ୍ତୁ ପୃଥିଵୀର ଵାୟୁମଣ୍ଡଳରେ ଅମ୍ଳଜାନର ଆଗମନ ଆଉ ଏକ ବଡ଼ ପରିଵର୍ତ୍ତନ ଆଣିଲା। ପୂର୍ଵରୁ ମିଥେନ ଗ୍ୟାସ ଯୋଗୁଁ ପୃଥିଵୀରେ ଏକ ଉଷ୍ମ ଵାୟୁମଣ୍ଡଳ ଗଢ଼ି ଉଠିଥିଲା, କାରଣ ମିଥେନ ଏକ ଶକ୍ତିଶାଳୀ ଗ୍ରୀନ୍‌ହାଉସ୍ ଗ୍ୟାସ ଅଟେ। କିନ୍ତୁ ଅମ୍ଳଜାନ ସହ ପ୍ରତିକ୍ରିୟା କରି ମିଥେନ ଜଳକଣା ଓ କାର୍ବନ ଡାଇଅକ୍ସାଇଡରେ ପରିଵର୍ତ୍ତିତ ହେଵାକୁ ଲାଗିଲା। ମିଥେନ ଅପେକ୍ଷା ଜଳ ଓ କାର୍ବନ ଡାଇଅକ୍ସାଇଡ୍ ଅଳ୍ପ ଉତ୍ତାପ ଧରି ରଖିପାରନ୍ତି, ତେଣୁ ପୂର୍ଵାପେକ୍ଷା ପୃଥିଵୀ ଅଧିକ ଥଣ୍ଡା ହେଵାକୁ ଲାଗିଲା। ଏଥିଯୋଗୁଁ ଆଜକୁ ପ୍ରାୟ ୨.୪ରୁ ୨.୧ ବିଲିଅନ ଵର୍ଷ ତଳେ ପୃଥିଵୀରେ ପ୍ରଥମ ହିମଯୁଗ, "Huronian Glaciation," ଘଟିଥିଲା ବୋଲି ଵୈଜ୍ଞାନିକମାନେ ପ୍ରମାଣ କରିଛନ୍ତି। ତଥାପି, ଏହି ହିମଯୁଗ ମଧ୍ୟରେ ସାୟାନୋବ୍ୟାକ୍ଟେରିଆ ଏଵଂ ଅନ୍ୟ କିଛି ଏକକୋଷୀ ଜୀଵ ଜୀଵିତ ରହିପାରିଥିଲେ। ଅତଳ ସମୁଦ୍ରରୁ ମିଳିଥିଵା ପ୍ରାଚୀନ ଜୀଵାଶ୍ମରୁ ଏ ଵିଷୟରେ ପ୍ରାମାଣିକ ତଥ୍ୟ ମିଳିଅଛି । 



ଏଠି କାହା ମନରେ ପ୍ରଶ୍ନ ଆସିପାରେ ଯେ ଏତେ ଯୁଗର କଥା ଆଜିର ମଣିଷ କେମିତି ଜାଣୁଛନ୍ତି ? 

ଏହାର ଉତ୍ତରଟି ବହୁତ ସହଜ ! ଭୂତାତ୍ତ୍ଵିକ, ରସାୟନିକ ଓ ଜୈଵିକ ଗଵେଷଣା କରି ଗଵେଷକମାନେ ଏହା ଜାଣିପାରିଛନ୍ତି ।‌ ପୃଥିଵୀର ପ୍ରାଚୀନ ଶିଳାସ୍ତରରେ "Banded Iron Formation" (BIFs) ମିଳିଛି, ଯାହା ୩.୫ରୁ ୨.୪ ବିଲିଅନ ଵର୍ଷ ପୂର୍ଵର ବୋଲି ଜଣାପଡି଼ଛି । ସମୁଦ୍ରରେ ଦ୍ରଵୀଭୂତ ଲୌହ ଧାତୁ , ଅମ୍ଳଜାନ ସହ ପ୍ରତିକ୍ରିୟା କରି ତଳେ ଜମା ହୋଇଥିଲା। ଫଳତଃ ସାୟାନୋବ୍ୟାକ୍ଟେରିଆର ଫୋଟୋସିନ୍ଥେସିସ୍ ମାଧ୍ୟମରେ ଅମ୍ଳଜାନ ଉତ୍ପନ୍ନ ହୋଇଥିଲା, ଯାହା "Great Oxygenation Event"ସମୟରେ ଵାୟୁମଣ୍ଡଳରେ ଜମା ହେଵା ଆରମ୍ଭ କରିଥିଲା ବୋଲି ଏହି ଭୂତାତ୍ତ୍ଵିକ ପ୍ରମାଣରୁ ଜଣାଯାଏ । ପୁଣି ପୁରାତନ ଶିଳାରେ ସଲ୍ଫର ଆଇସୋଟୋପର ଅନୁପାତ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨.୪ ବିଲିଅନ ବର୍ଷ ପୂର୍ଵରୁ ଵାୟୁମଣ୍ଡଳରେ ଅମ୍ଳଜାନ ଥିଲା, କିନ୍ତୁ "Great Oxygenation Event" ପରେ ଏହା ବଦଳିଗଲା। ଏହା ଵାୟୁମଣ୍ଡଳରେ ଅମ୍ଳଜାନ ଉପସ୍ଥିତି ଓ ଓଜୋନ ଗଠନର ପ୍ରମୁଖ ପ୍ରମାଣ ଅଟେ । ଶେଷରେ ଜୈଵିକ ପ୍ରମାଣ ଏହି ନିଷ୍କର୍ଷକୁ ଦୃଢ଼ କଲା । ୩.୫ ବିଲିଅନ ଵର୍ଷ ପୂର୍ଵର ଶିଳାରେ ସାୟାନୋବ୍ୟାକ୍ଟେରିଆର ଜୀଵାଶ୍ମ (ଷ୍ଟ୍ରୋମାଟୋଲାଇଟ୍ସ୍) ମିଳିଛି, ଯହିଁର ପରୀକ୍ଷଣରୁ ସ୍ପଷ୍ଟ ହେଇଗଲା ଯେ ଏହି ଜୀଵମାନେ ସେ ଯୁଗରେ ଅକ୍ସିଜେନିକ୍ ଫୋଟୋସିନ୍ଥେସିସ୍ କରୁଥିଲେ। ଏମାନଙ୍କର କ୍ଲୋରୋଫିଲ୍-ଏ ଓ ଫୋଟୋସିଷ୍ଟମ୍ II ଅକ୍ସିଜେନ ଉତ୍ପାଦନ କରେ, ଯାହା GOE ର ଅକ୍ସିଜେନ ସହ ସମ୍ପର୍କିତ। ସାୟାନୋବ୍ୟାକ୍ଟେରିଆ ୨.୭ରୁ ୨.୪ ବିଲିଅନ ଵର୍ଷ ପୂର୍ଵେ ବହୁସଂଖ୍ୟାରେ ବଢ଼ିଥିଲେ, ଯାହା GOE ସହ ସମକାଳୀନ। ପରେ ଵୈଜ୍ଞାନିକମାନେ ଏହିସବୁ ତଥ୍ୟ ମଧ୍ୟରେ ସମ୍ପର୍କ ଜାଣିଵା ପାଇଁ ଶିଳା ନମୁନା, ଆଇସୋଟୋପ୍ ଡେଟିଂ ଓ କମ୍ପ୍ୟୁଟର ମଡେଲିଂର ସାହାଯ୍ୟ ନେଇଛନ୍ତି। ରେଡିଓମେଟ୍ରିକ୍ ଡେଟିଂ ସମୟ ନିର୍ଦ୍ଧାରଣ କରିଛି ଆଉ ସିମୁଲେସନ୍, ଅମ୍ଳଜାନ ଉତ୍ପାଦନର ପ୍ରକ୍ରିୟା ବୁଝାଇଛି। ଏହି ସମସ୍ତ ପ୍ରମାଣ ସ୍ପଷ୍ଟ କଲା ଯେ ସାୟାନୋବ୍ୟାକ୍ଟେରିଆର ଅମ୍ଳଜାନ ଉତ୍ପାଦନ GOEର ମୂଳ କାରଣ ଥିଲା। ପୃଥିଵୀର ଜୈଵ ଵିଵିଧତା ଅମ୍ଳଜାନ ଯୋଗୁଁ ହିଁ ସମ୍ଭଵ ହୋଇପାରିଥିଲା । ଅମ୍ଳଜାନ ଶ୍ଵସନ (respiration) ମାଧ୍ୟମରେ ଜୀଵମାନଙ୍କୁ ଅଧିକ ଶକ୍ତି ମିଳିଲା, ଯାହା ବଡ଼ ଆକାରର ଜୀଵ ଓ ବିଭିନ୍ନ ପ୍ରକାରର ଜୀଵନର ସୃଷ୍ଟି ପାଇଁ ସହାୟକ ହେଲା।


ତେବେ ସାୟାନୋବ୍ୟାକ୍ଟେରିଆ କ'ଣ ଏହା ମଧ୍ୟ ଜାଣିନେଵା ଉଚିତ ହେଵ । ପ୍ରକୃତରେ ସାୟାନୋବ୍ୟାକ୍ଟେରିଆ (Cyanobacteria) ହେଉଛି ଏକ ପ୍ରକାରର ଏକକୋଷୀ ଵା ବହୁକୋଷୀ ଜୀଵାଣୁ ଵା bacteria ଯାହାର ଅନ୍ୟ ନାମ "ନୀଳ ହରିତ ଶୈଵାଳ" (blue-green algae) ଅଟେ। ଏମାନେ ଫୋଟୋସିନ୍ଥେସିସ୍ ମାଧ୍ୟମରେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି ଓ ଅମ୍ଳଜାନ ଉତ୍ପାଦନ କରନ୍ତି। ଏମାନେ ଵିନ୍ୟଷ୍ଟିକ (prokaryotic) ଜୀଵ ଅର୍ଥାତ୍ ଏମାନଙ୍କର କୋଷରେ ସୁସ୍ପଷ୍ଟ ନ୍ୟୁକ୍ଲିୟସ୍ ଵା ଅନ୍ୟ ଅଙ୍ଗାଣୁ (organelles) ନଥାଏ। ଏମାନଙ୍କ ଶରୀରରେ କ୍ଲୋରୋଫିଲ୍-ଏ (chlorophyll-a) ଓ ଫାଇକୋସାୟାନିନ୍ (phycocyanin) ନାମକ ରଞ୍ଜକ ପଦାର୍ଥ ଥାଏ, ଯାହା ଏମାନଙ୍କୁ ନୀଳ ହରିତ ରଙ୍ଗ ଦିଏ। ସାୟାନୋବ୍ୟାକ୍ଟେରିଆର ଅନେକ ଜାତି ରହିଛି ଏଵଂ ଏ ଜୀଵ ଆକାର, ଗଠନ ଓ ପରିଵେଶ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ସାୟନୋଟ୍ୟାକଟେରିଆର କିଛି ପ୍ରମୁଖ ଜାତି ଓ ପ୍ରକାର ହେଲେ । 

(କ)ନଷ୍ଟକ୍ (Nostoc) : ଏମାନେ ସୂତ୍ରାକାର (filamentous) ଗଠନ ଵିଶିଷ୍ଟ, ଜଳାଶୟ ଓ ମାଟିରେ ମିଳନ୍ତି। ଏମାନେ ନାଇଟ୍ରୋଜେନ୍ ସ୍ଥିରୀକରଣ (nitrogen fixation) କରିପାରନ୍ତି।

(ଖ)ଆନାବିନା (Anabaena) : ସୂତ୍ରାକାର ଓ ନାଇଟ୍ରୋଜେନ୍ ସ୍ଥିରୀକରଣ କ୍ଷମତା ଥିଵା ଏକ ଜାତି, ପ୍ରାୟତଃ ଶସ୍ୟକ୍ଷେତ୍ରରେ ମିଳନ୍ତି।

(ଗ)ସାଇନେକୋକକ୍କସ୍ (Synechococcus) : ଏମାନେ ଏକକୋଷୀ, ଛୋଟ ଗୋଲାକାର ହୋଇଥାନ୍ତି ଓ ସାଧାରଣତଃ ସମୁଦ୍ରରେ ମିଳନ୍ତି । ଏମାନେ ସାମୁଦ୍ରିକ ଅମ୍ଳଜାନ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରନ୍ତି ।

(ଘ)ସାଇନେକୋସିଷ୍ଟିସ୍ (Synechocystis) : ଏମାନେ ଏକକୋଷୀ ଜୀଵ ,ମଧୁର ଜଳରେ ଦେଖାଯାଆନ୍ତି । 

(ଙ) ସ୍ପିରୁଲିନା (Spirulina) : ଏମାନେ ସର୍ପିଳ ଆକାରର (spiral), ଖାଦ୍ୟ ପରିପୂରକ (superfood) ରୂପେ ଵ୍ୟଵହୃତ, କ୍ଷାରୀୟ ଜଳରେ ମିଳନ୍ତି।

(ଚ)ମାଇକ୍ରୋସିଷ୍ଟିସ୍ (Microcystis): ଏହାର କେତେକ ଜାତି ବିଷାକ୍ତ ଏଵଂ ଏମାନେ "ଆଲ୍‌ଗାଲ୍ ବ୍ଲୁମ୍" ସୃଷ୍ଟି କରନ୍ତି।

ଫାଇକୋଏରିଥ୍ରିନ୍ ଯୋଗୁଁ କେତେକ ସାୟନୋବ୍ୟାକଟ୍ରିଆର ରଙ୍ଗ ନୀଳ ସବୁଜ ହୋଇଥିଲାବେଳେ ଆଉ କେତେକ ବାଦାମୀ ରଙ୍ଗର ହୋଇଥାଏ । ସାୟାନୋବ୍ୟାକ୍ଟେରିଆମାନେ ସମ୍ଭଵତଃ ଅନ୍ୟ ପ୍ରାଚୀନ ପ୍ରୋକାରିଓଟିକ୍ ଅନାଏରୋବିକ୍ ଫୋଟୋସିନ୍ଥେଟିକ୍ ବ୍ୟାକ୍ଟେରିଆ (ଯେମିତି ପର୍ପଲ୍ ସଲ୍ଫର୍ ବ୍ୟାକ୍ଟେରିଆ)ଠାରୁ ଵିଵର୍ତ୍ତିତ ହୋଇଥିଲେ। କିନ୍ତୁ ଏମାନଙ୍କ ପୂର୍ଵଜମାନେ ଅମ୍ଳଜାନ ଉତ୍ପାଦନ ନକରି ହାଇଡ୍ରୋଜେନ୍ ସଲ୍ଫାଇଡ୍ (H₂S) ଭଳି ପଦାର୍ଥ ଵ୍ୟଵହାର କରୁଥିଲେ। ପରେ ଵିଵର୍ତ୍ତନ ଯୋଗୁଁ ସାୟାନୋବ୍ୟାକ୍ଟେରିଆମାନେ ଜଳ (H₂O) ଵ୍ୟଵହାର କରି ଅମ୍ଳଜାନ ମୁକ୍ତ କରିଵାର କ୍ଷମତା ଵିକଶିତ କଲେ ‌ । 

ଆଲୋକ ସଂଶ୍ଳେଷଣ କରିପାରେ ବୋଲି କେହି କେହି ଉଦ୍ଭିଦମାନଙ୍କୁ ସାୟନୋବ୍ୟାକଟ୍ରିଆର ଵର୍ତ୍ତମାନ ଵଂଶଧର ମନେ କରିପାରନ୍ତି କିନ୍ତୁ ଏହା ସମ୍ପୁର୍ଣ୍ଣ ସତ୍ୟ ନୁହେଁ, ମିଥ୍ୟା ବି ନୁହେଁ ।  



ସାୟାନୋବ୍ୟାକ୍ଟେରିଆ ନିଜେ ଅନ୍ୟ ଜୀବଙ୍କୁ "ସୃଷ୍ଟି" କରିନାହାଁନ୍ତି ବରଂ ଏମାନଙ୍କର Endosymbiotic ସମ୍ପର୍କ ଅନ୍ୟ ଜୀଵ ଗୋଷ୍ଠୀର ଉତ୍ପତ୍ତିରେ ସହାୟକ ହୋଇଛି। ଆଜକୁ ପ୍ରାୟ ୧.୫ରୁ ୨ ବିଲିଅନ ଵର୍ଷ ତଳେ, ଏକ ଅନ୍ୟ ଏକକୋଷୀ ଜୀଵ(Chlorophytaର ପ୍ରାଚୀନ ପୂର୍ଵଜ) ସାୟାନୋବ୍ୟାକ୍ଟେରିଆକୁ ଗିଳି ଦେଇଥିଲା କିନ୍ତୁ ତାକୁ ହଜମ କରିଵା ପରିଵର୍ତ୍ତେ ଉଭୟଙ୍କ ମଧ୍ୟରେ ଏକ symbiotic ସମ୍ପର୍କ ଗଢ଼ି ଉଠିଥିଲା। ଏହି ସାୟାନୋବ୍ୟାକ୍ଟେରିଆଟି ପରେ ଉକ୍ତ ଜୀଵ ମଧ୍ୟରେ "କ୍ଲୋରୋପ୍ଲାଷ୍ଟ(chloroplasts)ର ରୂପ ନେଇଥିଲା, ଯାହା ପରେ ସମସ୍ତ ଉଦ୍ଭିଦର ପୂର୍ଵଜ ହୋଇଥିଲା। ଏ ପ୍ରକ୍ରିୟାକୁ "Endosymbiotic" କୁହାଯାଏ। ତେଣୁ ସଂକ୍ଷେପରେ କହିଲେ ସାୟାନୋବ୍ୟାକ୍ଟେରିଆ (Cyanobacteria) ସିଧାସଳଖ ଭାବେ ଉଦ୍ଭିଦମାନଙ୍କର ସମ୍ପୂର୍ଣ୍ଣ ପୂର୍ଵଜ ନୁହଁନ୍ତି କିନ୍ତୁ ଏମାନେ ଉଦ୍ଭିଦର ଵିଵର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରକୃତରେ ସାୟାନୋବ୍ୟାକ୍ଟେରିଆ ଉଦ୍ଭିଦମାନଙ୍କର କ୍ଲୋରୋପ୍ଲାଷ୍ଟ'ର ପୂର୍ଵଜ ଅଟନ୍ତି। ସମସ୍ତ ଉଦ୍ଭିଦଗୁଡ଼ିକର ମୂଳ ପୂର୍ଵଜ ହେଉଛି ସବୁଜ ଶୈଵାଳ Chlorophyta (green algae), ଯାହା ନିଜେ ସାୟାନୋବ୍ୟାକ୍ଟେରିଆଠାରୁ ଉତ୍ପନ୍ନ କ୍ଲୋରୋପ୍ଲାଷ୍ଟ ଗ୍ରହଣ କରି ଵିକଶିତ ହୋଇଥିଲା। 

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା,ସେହି ପ୍ରାଚୀନ ଜୀଵ ସାୟାନୋବ୍ୟାକ୍ଟେରିଆ ଆଜି ବି ଆମ ପୃଥିଵୀର ସମୁଦ୍ର, ହ୍ରଦ ଓ ଅନ୍ୟ ଜଳାଶୟରେ ମିଳିଯାଆନ୍ତି। ଏମାନେ ଆଜି ବି ଅମ୍ଳଜାନ ଉତ୍ପାଦନ କରୁଛନ୍ତି ଏଵଂ ପୃଥିଵୀର ଅମ୍ଳଜାନ ଚକ୍ରର ଏକ ଅଵିଚ୍ଛେଦ୍ୟ ଅଂଶ ହୋଇ ରହିଛନ୍ତି। ଏକଦା ଏମାନଙ୍କ କାରଣରୁ ଅନେକ ଅଵାୟଵୀୟ ଏକକୋଷୀଜୀଵ ଵିଲୁପ୍ତ ହୋଇଥିଲେ, କିନ୍ତୁ ଏମାନେ ନଥିଲେ ହୁଏତ ଆଜିର ଅମ୍ଳଜାନ ଆଧାରିତ ଜୀଵଜଗତ ଏତେ ଵିଵିଧ ଓ ସମୃଦ୍ଧ ହୋଇ ନଥାନ୍ତା। ସାୟାନୋବ୍ୟାକ୍ଟେରିଆ ବିନା ଆମେମାନେ ଏ ପୃଥିଵୀରେ ଜାତ ହୋଇପାରିନଥାନ୍ତେ । ସାୟାନୋବ୍ୟାକ୍ଟେରିଆ ପ୍ରକୃତିର କ୍ଷୁଦ୍ର କଳାକାର,ଏମାନେ ସୂର୍ଯ୍ୟଙ୍କ ଆଲୋକରୁ ଜୀଵନର ରଙ୍ଗ ସୃଷ୍ଟି କରିଥିଲେ ଓ ଆମକୁ ଅମ୍ଳଜାନର ଉପହାର ଦେଇ ଜୀଵନର ପଥ ପ୍ରଶସ୍ତ କରିଥିଲେ। କିନ୍ତୁ ଆମେ ମଣିଷମାନେ ସାୟାନୋବ୍ୟାକ୍ଟେରିଆର କୋଟି କୋଟି ଵର୍ଷର ପରିଶ୍ରମ ଯୋଗୁଁ ଗଢ଼ିଉଠିଥିଵା ଜୀଵଜଗତ ସହିତ ଭୟଙ୍କର ଅନ୍ୟାୟ କରି ଚାଲିଛନ୍ତି । ଆମ୍ଭମାନଙ୍କର ସ୍ଵେଚ୍ଛାଚାର ଯୋଗୁଁ ଆଜି ପୃଥିଵୀର ଜୀଵଜଗତ କ୍ଷତିଗ୍ରସ୍ତ ହୋଇଚାଲିଛି । ଏହା କଟୁ ସତ୍ୟ ଯେ ସାୟାନୋବ୍ୟାକ୍ଟେରିଆର ଏ ଵିଶାଳ ସଂସାରର ଆମେ ହିଁ ସଂହାରକ !!! 







ପୃଥିଵୀର ୧୫୮ଟି ତତ୍ସମ ନାଆଁ କ'ଣ ଜାଣିଛନ୍ତି କି ?

ୟୁରି ଗାଗାରିନ୍ ପୃଥିଵୀ ପୃଷ୍ଠରୁ ମହାକାଶକୁ ଯାଇଥିଵା ପ୍ରଥମ ଵ୍ୟକ୍ତି । ସେ ୧୨ ଏପ୍ରିଲ ୧୯୬୧ରେ ଭୋସ୍ତୋକ ୧ ମହାକାଶ ଯାନରେ ପୃଥିଵୀକୁ ପରିକ୍ରମା କରିଥିଲେ ।‌ ପୃଥିଵୀ...