My Blog List

Wednesday, May 19, 2021

💠💠💠ଆମ ସ୍ଵାଭିମାନର ଅନ୍ୟ ନାମ ଉତ୍କଳ 💠💠💠

ଓଡ଼ିଶାର ମୁଖ୍ୟତଃ ଉଡ୍ରରାଷ୍ଟ୍ର,ଉତ୍କଳ ଓ କଳିଙ୍ଗ ଏହି ତିନୋଟି ନାମ ରହିଛି ଏଵଂ ତନ୍ମଧ୍ୟରେ ଉତ୍କଳ ଏକ ପୁରାଣ ପ୍ରସିଦ୍ଧ ନାମ ।  ଵିଭିନ୍ନ ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ଉତ୍କଳ ଶବ୍ଦଟି ଅନେକ ଅର୍ଥରେ ଵ୍ୟଵହୃତ ହୋଇଅଛି । ଭାରତରେ ସଂକଳିତ ବିଭିନ୍ନ ଶବ୍ଦକୋଷରେ ତତ୍ସମ ଉତ୍କଳ ଶବ୍ଦର ଯେଉଁ ଅର୍ଥ ସବୁ ଉଲ୍ଲେଖ କରାଯାଇଛି ତାହା ଏଠାରେ ପ୍ରଦତ୍ତ ହେଲା...

🔰ଉତ୍କଳ{ନିରୁକ୍ତି:—“ଉତ୍+କଳ+ଅଚ୍(ଅ)”}
     (ଵିଶେଷ୍ୟ)
(୧)ଭାରତର ଏକ ଜନପଦ ଵର୍ତ୍ତମାନର ଓଡ଼ିଶା ପ୍ରଦେଶ
(୨)ପଞ୍ଚଗୌଡ଼ ମଧ୍ୟରୁ ଏକ ଦେଶ
(୩)ଓଡ଼ିଆ ଭାଷାଭାଷୀ ଲୋକ
(୪)ଉତ୍କଳ ଭାଷା ଵା ଓଡ଼ିଆ ଭାଷା
(୫)ମନୁ ନନ୍ଦନ ସୁଦ୍ଯୁମ୍ନଙ୍କର ତିନି ପୁତ୍ର ମଧ୍ୟରେ ଜଣେ
(୬)ଧ୍ରୁଵଙ୍କର ଜ୍ଯୈଷ୍ଠପୁତ୍ର ଉତ୍କଳ
(୭)ଭାରବାହକ ବା ବେହେରୀ{ନି:—ଉତ୍କ+ଲା ଧାତୁ)
(୮)ଵ୍ୟାଧ ଵା ଶିକାରୀ
(୯)ପକ୍ଷୀମରା ଲୋକ
(୧୦)ପୁରାଣ ଵର୍ଣ୍ଣିତ ରାକ୍ଷସ ଵିଶେଷ
(୧୧) ବ୍ରାହ୍ମଣମାନଙ୍କର ଏକ ଶାଖା; ଉତ୍କଳୀୟ ବ୍ରାହ୍ମଣ

🔰ଉତ୍କଳ(ଵିଶେଷଣ)
୭)ଉତ୍କଣ୍ଠିତ
୮)ବଡ଼ପାଟିଆ

ଭାରତୀୟ ସାହିତ୍ୟରେ ଉତ୍କଳ ଶବ୍ଦ ନାନା ଅର୍ଥରେ ପ୍ରୟୋଗ ହେଉଅଛି ଏଵଂ ସେହି ଆଧାରରେ ଶବ୍ଦକୋଷଗୁଡି଼କରେ ପ୍ରୋକ୍ତ ଅର୍ଥ ସବୁ ଯୋଡା଼ଯାଇଅଛି । ଉତ୍କଳ ଦେଶ ପଞ୍ଚଗୌଡ଼ ମଧ୍ୟରୁ ଅନ୍ୟତମ । ସ୍କନ୍ଦପୁରାଣ ସହ୍ଯାଦ୍ରିଖଣ୍ଡ ମତରେ ପାଞ୍ଚଗୋଟି ଦେଶକୁ ପଞ୍ଚଗୌଡ଼ କୁହାଯାଉଥିଲା ଓ ଏଠାକାର ବ୍ରାହ୍ମଣଙ୍କୁ ପଞ୍ଚଗୌଡୀୟ କୁହାଯାଏ ।

🔅ସାରସ୍ବତ🔅କାନ୍ୟକୁବ୍ଜ🔅ଗୌଡ଼🔅ମୈଥିଳ🔅ଉତ୍କଳ ।
ସେଥିପାଇଁ କପିଳ ସଂହିତାରେ ରହିଛି ...

“ସାରସ୍ଵତାଃ କାନ୍ଯକୁବ୍ଜା ଉତ୍କଳାଃ ମୈଥିଳାଶ୍ଚ ଯେ
ଗୌଡାଶ୍ଚ ପଞ୍ଚମା ଚୈଵ ପଞ୍ଚଗୌଡା ପ୍ରକୀର୍ତ୍ତିତାଃ” ।।”

ଏମିତି କୌଣସି ପ୍ରାଚୀନ ଶାସ୍ତ୍ର ନଥିଵ ଯେଉଁଥିରେ ଓଡ଼ିଶାର କଥା ନଥିଵ ଆଉ ଓଡ଼ିଶା କଥା ଆସିଲେ ଏହାର ତିନିଗୋଟି ନାମ ଉଡ୍ରଦେଶ, କଳିଙ୍ଗ ଓ ଉତ୍କଳର  ସେସବୁ ଗ୍ରନ୍ଥରେ ନାମୋଲ୍ଲେଖ ମିଳିଵା ସ୍ଵାଭାଵିକ କଥା । ତେଣୁ ଶାସ୍ତ୍ରରେ ଓଡ଼ିଶା ଵିଷୟରେ ସୁନ୍ଦର ଭାବରେ କୁହାଯାଇଛି

“ଵର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ଶ୍ରୁତଃ ,
ଉତ୍କଳସ୍ଯ ସମୋଦେଶଃ ଦେଶୋ ନାସ୍ତି ମହୀତଳ ।।”

ଯଥାର୍ଥରେ ଉତ୍କଳ ଦେଶ ସେତିକି ଶ୍ରେଷ୍ଠ ଥିଲା ଓ ଅଛି ଯୋଉଥିପାଇଁ ପୂର୍ଵେ ଉଡ୍ରମାନଙ୍କୁ ମ୍ଲେଛ ବୋଲି କହିଥିଵା ଶାସ୍ତ୍ରକାର ମାନଙ୍କୁ ସେହି ଉଡ୍ରମାନଙ୍କ ଦେଶକୁ ଶ୍ରେଷ୍ଠ କହିଵାକୁ ହୋଇଥିଲା ।

“କିରାତା ବର୍ବରା ସିଦ୍ଧା ଵିଦେହା ସ୍ତାମ୍ରଲିପ୍ତକାଃ
ଉଡ୍ରାଃ ମ୍ଲେଛ୍ଛାଃ ସସେରିନ୍ଧ୍ରାଃ ପାର୍ଵତୀୟାଶ୍ଚ ମାରିଷ ।।”

କିଛି ଲୋକ ଅଵଶ୍ୟ ଓଡ୍ର, କଳିଙ୍ଗ ଓ ଉତ୍କଳକୁ ଭିନ୍ନ ଭିନ୍ନ ଦେଶ ଵିଚାର କରିଥାଆନ୍ତି କିନ୍ତୁ ସଂସ୍କୃତି,ମାନଵଜାତି ଓ ଭାଷା ଦୃଷ୍ଟିରୁ ଏ ସମସ୍ତ ଦେଶର ଅଧିଵାସୀ କେବେ ବି ଭିନ୍ନ ନଥିଲେ । ସଂସ୍କୃତ ଶାସ୍ତ୍ର ଲେଖାଗଲାବେଳେ ଆମ ଦେଶର ଲୋକେ ପୂର୍ଵୀ ପ୍ରାକୃତ ଓ ପରେ ପାଲୀ ଭାଷୀ ଥିଲେ । ସେହିଭଳି ଓଡ଼ିଶାର ସଂସ୍କୃତିକୁ ଉତ୍କଳୀୟ ସଂସ୍କୃତି କୁହାଯାଏ । ସାହିତ୍ୟରେ ଉତ୍କଳ ଶବ୍ଦ ସୁନ୍ଦର ଲାଗେ ବୋଲି କଵି ଏ ଦେଶକୁ ଉତ୍କଳ ଵିଚାର କରି ଗାଇଛନ୍ତି

“ବନ୍ଦେ ଉତ୍କଳ ଜନନୀ !
ଚାରୁ ହାସମୟୀ
ଚାରୁ ଭାଷମୟୀ
ଜନନୀ ଜନନୀ ଜନନୀ”

ସେହିପରି ଯେତେବେଳେ ଆମ ଇତିହାସ କଥା ପଡ଼େ ଆମ ପ୍ରାଚୀନ ପୂର୍ଵଜଙ୍କ ଵୀରତ୍ଵ ଓ ନୌଵାଣିଜ୍ୟ କଥା ପଡ଼େ ମନ କର୍ଣ୍ଣରେ  ସ୍ଵତଃ ଝଙ୍କୃତ ହୁଏ “କଳିଙ୍ଗା ସାହସିକାଃ” ପଦ ।  ଆମ ଉଡ୍ର ଜାତିର ନାମରୁ ତ ପୁଣି ଆମ ଦେଶର ନାମ ଓଡ଼ିଶା ହୋଇଅଛି । ଏହି ତିନୋଟି ନାମ ତିନୋଟି ଭିନ୍ନ ଦେଶର ନୁହେଁ ଵରଂ ଏକ ଵିଶାଳ ଭୂଖଣ୍ଡର ତିନୋଟି ନାମ ଅଟଇ ।
ନିରୁକ୍ତି ଦୃଷ୍ଟିରୁ ଦେଖିଲେ ଉତ୍କଳ ଓ କଳିଙ୍ଗ ଏ ଉଭୟ ଶବ୍ଦ ମଧ୍ୟରେ “କଳ” ଶବ୍ଦ ରହିଛି । “କଳା ଭାସ୍କର୍ଯ୍ୟ ଓ ପ୍ରତିଭା ଯାହାର ଅଙ୍ଗେ ଅଙ୍ଗେ ରହିଛି ସେ କଳିଙ୍ଗ” ଆଉ “ଉତ୍କୃଷ୍ଟ କଳାର ଦେଶ ଯେଉଁ ଦେଶ ସେ ଦେଶର ନାମ ଉତ୍କଳ” ଏ ଉଭୟ ନାମ ମଧ୍ୟରେ ଭିନ୍ନତା ନୁହେଁ ଵରଂ ସମାନତା ହିଁ ଦୃଶ୍ୟ ହୋଇଥାଏ । ସେହିପରି ସଂସ୍କୃତ ଶବ୍ଦ ନିରୁକ୍ତି ପରିଵର୍ତ୍ତେ ଜନଜାତୀୟ ଶବ୍ଦଗୁଡ଼ିକ ଆଧାରରେ ମଧ୍ୟ ଉଡ୍ର, ଉତ୍କଳ ଓ କଳିଙ୍ଗ ଶବ୍ଦ ସମ୍ବନ୍ଧରେ ଆଲୋଚନା କରି ଦେଖିଲେ ଅନେକ ସମାନତା ମିଳେ ।  ଓଡ଼ିଶାର ଚଷା ଜାତିକୁ ଵିଭିନ୍ନ ନାମରେ ନାମିତ କରାଯାଇଥିଲା ।

ଦ୍ରାଵିଡ଼ଭାଷାରେ ଚଷାକୁ 'ଓକ୍କଳ' କହନ୍ତି ତେଣୁ ଦ୍ରାଵିଡ଼ ଗୋଷ୍ଠୀର କିଛି ଲୋକ ପାହାଡ଼ରୁ ଓହ୍ଲେଇ ପ୍ରଥମେ ସ୍ଥଳଭାଗରେ ଚାଷକରୁଥିଵା ଲୋକଙ୍କୁ ଉକ୍କଳୀ ଅଭିହିତ କରିଥିଵେ ।

କାନେରି ଭାଷାରେ ଚଷାକୁ 'ଓଡିଶୁ' କହନ୍ତି ପୁଣି ମୂଳ ଦ୍ରାଵିଡ଼ ଧାତୁଶବ୍ଦ "ଓଡ଼"ର ଅର୍ଥ ଚାଷ କରିଵା । କେତେକ ଅଞ୍ଚଳରେ ଦ୍ରାଵିଡ଼ ଲୋକେ ପ୍ରଥମ ସମତଳଭୂମି ଚାଷୀଙ୍କୁ ଓଡ଼ କହିଥିଵେ ।

ସେହି ଦ୍ରାଵିଡ଼ ଭାଷାପରିଵାରର କୁଈଭାଷାରେ ଧାନକୁ ଆଜି ବି 'କୁଳିଙ୍ଗ' କୁହାଯାଉଛି । ତେଣୁ ସମ୍ଭଵତଃ ପ୍ରଥମ ସମତଳଭୂମି ଚାଷୀଙ୍କୁ ଧାନ୍ୟର ଆଦ୍ୟ କୃଷକ ହୋଇଥିଵାରୁ 'କଳିଙ୍ଗ ' କୁହାଯାଉଥିଲା । କୁଭି ଭାଷାରେ ଧାନର ଚଷୁକୁ କୁଲିଙ୍ଗା କୁହାଯାଏ ଆଉ ଧାନକୁ କୁଲି । ଆଜି ବି ଗଞ୍ଜାମ ଜିଲ୍ଲାରେ ଏକ ଚଷାଜାତିକୁ କାଳିଞ୍ଜୀ କୁହାଯାଏ ଏଵଂ କ୍ରମେ ତେଲୁଗୁଭାଷୀ ହୋଇଯାଇଥିଵା ଏହି ଜାତିର ଆନ୍ଧ୍ରଭାଷୀ କାଳିଙ୍ଗୀ ଚଷା ମଧ୍ୟ ଅଛନ୍ତି ।

ବୋଧହୁଏ ଓଡ଼ିଶାରେ ଶାନ୍ତି ସମୟରେ ଚଷା ଓ ଯୁଦ୍ଧ ସମୟରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଵା ପାଇକ-ଚଷା ଜାତିମାନଙ୍କୁ  ତିନୋଟି ଭିନ୍ନ ଭିନ୍ନ ନାମ ଦିଆଯାଇଥିଲା । ପରେ ଯେତେଵେଳେ ଭାରତରେ ସବୁ ପ୍ରାକୃତ ଭାଷାଗୁଡି଼କର ମାନକୀକରଣରୁ ସଂସ୍କୃତ ଭାଷା ସୃଷ୍ଟି ହେଲା ସେତେଵେଳେ ପୁରାଣଗ୍ରନ୍ଥ ରଚନା ସମୟରେ ଓଡ଼ିଶାର ସଂଖ୍ଯାଗରିଷ୍ଠ ଚଷାଜାତି ସେହି ଉଡ୍ରମାନଙ୍କର ତିନିଗୋଟି ନାମକୁ ଗ୍ରହଣ କରିନେଇ ଉଡ୍ର,ଉଡ୍ରରାଷ୍ଟ୍ର,କଳିଙ୍ଗ ଓ ଉତ୍କଳ ଆଦି ନାମ ରଖାଯାଇଥିଵା ସମ୍ଭଵ ।

ଓଡ଼ିଶାର ଅନେକ ଲୋକ ଅଛନ୍ତି କୁହନ୍ତି ପ୍ରାଚୀନ ଓଡି଼ଆ ଗ୍ରନ୍ଥଗୁଡି଼କରେ ଓଡି଼ଶାକୁ କେଉଁଠି ବି ଉତ୍କଳ କୁହାଯାଇ ନାହିଁ । ପ୍ରକୃତରେ ସେମାନେ ଓଡ଼ିଆ ସାହିତ୍ୟକୁ ଠିକ୍'ରେ ପାଠ ହିଁ କରିନାହାନ୍ତି । କେଵଳ ଓଡ଼ିଆ ଭାଷା କ'ଣ ଆମ ଦେଶର ଅନେକ ଭାଷାର ପ୍ରାଚୀନ ସାହିତ୍ୟରେ ଆମ୍ଭର ଏହି ଓଡ଼ିଶାକୁ କଳିଙ୍ଗ,ଉଡ୍ରରାଷ୍ଟ୍ର ତଥା ଉତ୍କଳ କୁହାଯାଇଛି ।

ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗଵତରେ ଦ୍ଵାଦଶ ସ୍କନ୍ଧର ନଵମ ଅଧ୍ଯାୟରେ ଜଗନ୍ନାଥ ଦାସ ଓଡ଼ିଶାକୁ ଉତ୍କଳ ଅଭିହିତ କରିଵା ସହ ପୁରୁଷୋତ୍ତମ ପୁରୀ କ୍ଷେତ୍ରର ମଧ୍ୟ ଵର୍ଣ୍ଣନା କରିଅଛନ୍ତି ।

"ଵିଷ୍ଣୁର ମାୟାମୋହେ ପୁଣି । ଭାସନ୍ତି ମାରକଣ୍ଡ ମୁନି ।।୬୯।।
ଵିଷ୍ଣୁମାୟାରେ ଏକଦିନେ । ଭାସି ଲାଗିଲେ ଉଚ୍ଚସ୍ଥାନେ ।।୭ ୦।।
ବ୍ରହ୍ମାଣ୍ଡ ମଧ୍ୟେ ଜମ୍ବୁଦ୍ୱୀପ । ନଵଖଣ୍ଡରେ ସେ ସଂକ୍ଷେପ ।।୭୧।।
ଭାରତଵରଷ ମଧ୍ୟରେ । ଆର୍ଯ୍ୟାଵର୍ତ୍ତ ନାମ ବିସ୍ତାରେ ।।୭୨।।
ଉତ୍କଳ ନାମକ ଦେଶରେ । ଆର୍ଯ୍ୟାଵର୍ତ୍ତ ଅଗ୍ନିକୋଣରେ ।।୭୩।।
ଦକ୍ଷିଣ ମହୋଦଧି ତଟ । ସମୁଦ୍ର ଉତ୍ତରେ ପ୍ରକଟ ।।୭୪।।
ନାମ ଯା' ଶ୍ରୀପୁରୁଷୋତ୍ତମ । ସକଳ କ୍ଷେତ୍ର ଯହୁଁ ଜନ୍ମ ।।୭୫।।
ନୀଳାଚଳ ଗିରି ଶିଖରେ । ଅକ୍ଷୟ କଳ୍ପଵଟ ପରେ ।।୭୬।।
କ୍ଷେତ୍ରଵଟ ସମେତ ହୋଇ । ପ୍ରଳୟ ଜଳରେ ଭାସଇ ।।୭୭।।
ପବନ ବଳରେ ନ ଚଳେ । ସଳଖେ ଜନଲୋକେ ମିଳେ ।।୭୮।।
ପଞ୍ଚକୋଶ ଵିସ୍ତାର ହୋଇ । ବେଢିଣ ଜ୍ୟୋତିର୍ମୟ ଦେହୀ ।।୭୯।।
ଜଳ ଉପରେ ତା ପଲ୍ଲଵ । ଫଳ ପଲ୍ଲଵେ ଶୋଭା ଦିଵ୍ୟ ।।୮୦।।
ସେ ଯେଉଁ ଵୃକ୍ଷ ତିନିଡ଼ାଳ । ପୂର୍ଵ ଐଶାନ୍ୟ ଯେ ଉତ୍ତର ।।୮୧।।
ପୂର୍ଵ ଉତ୍ତର ମଧ୍ୟେ ଶାଖା । ଐଶାନ୍ୟ ଡ଼ାଳ ମଧ୍ୟେ ଦେଖା ।।୮୨।।
ନଵ ପଲ୍ଲଵ ଵଟପୁଟେ । ଏକ ପୁରୁଷ ଜଵାଙ୍ଗୁଷ୍ଠେ ।।୮୩।।
ସେ ଵଟପୁଟରେ ଶୟନ । ମାର୍କଣ୍ଡ କଲେ ତା' ଦର୍ଶନ ।।୮୪ ।।”

ସେହିପରି ସାରଳା ମହାଭାରତରେ ମଧ୍ୟ ଓଡ଼ିଶା ଦେଶକୁ ସାରଳା ଦାସ ଉତ୍କଳ ଵିଵେଚିତ କରିଛନ୍ତି ଏଵଂ ଏ ଦେଶରେ ପଵିତ୍ର ଓ ପୁରାଣ ପ୍ରସିଦ୍ଧ ଵୈତରଣୀ ନଦୀ ପ୍ରଵାହିତ ହୋଇଥିଵା ମଧ୍ୟ ଉଲ୍ଲେଖ କରିଅଛନ୍ତି ।

“ବାବନ ସମ୍ବାଦ କରଇ ଅମୃତରସ ଵାଣୀ’
ଉତ୍କଳ ଦେଶେ ବହଇ ନଦୀ ଵୈତରଣୀ ।।
ଵାରାହୀ ବୋଲି କରି ଅଟଇ ୟେକଇ ଶାସନେ
ମନୋହର ନଗ୍ର ଚଇତନ ପାଟଣା ସନ୍ନିଧାନେ ।।
ନିରାକୁଳ ଵଂଶୀ ଆମ୍ଭେ ଜଳଧର ଗୋତ୍ରୀ
ନାମ ଆମ୍ଭର ବାବନ ପଣ୍ଡା ଶୂନ୍ୟସାଧନ ମୂରତି ।।”

ସେହି ଉତ୍କଳ ଦେଶର ଲୋକଙ୍କୁ ମଧ୍ୟ ସଂସ୍କୃତରେ ଉତ୍କଳ,ଔତ୍କଳ ଓ ଆମ ଓଡି଼ଆ ଭାଷାରେ ଉତ୍କଳୀ, ଉତ୍କଳୀୟ ତଥା ଉତ୍କଳଭାଷୀ ଆଦି ବୋଲାଯାଇଥାଏ । ଓଡ଼ିଆ ବ୍ରାହ୍ମଣ ଵା ଓଡ଼ିଶା ଦେଶର ବ୍ରାହ୍ମଣମାନଙ୍କୁ ଏହି ଆଧାରରେ ଉତ୍କଳୀୟ ବ୍ରାହ୍ମଣ ଏଵଂ ସଂସ୍କୃତ ଗ୍ରନ୍ଥରେ କେଵଳ ଉତ୍କଳ କୁହା ହୋଇଅଛି । ତେବେ ଓଡ଼ିଆ ସଂସ୍କୃତ ଛଡ଼ା ବଙ୍ଗଳା ସାହିତ୍ୟରେ ସୁଦ୍ଧା ଓଡ଼ିଆ ଭାଷାକୁ ଉତ୍କଳ ଭାଷା ବୋଲାଯାଇଥିଵା ଦୃଷ୍ଟିଗୋଚର ହୁଏ ।

ଓଡ଼ିଆ ଭାଗଵତ ରଚନାର ୧୫୮ ଵର୍ଷ ପରେ ଅର୍ଥାତ୍ ୧୬୫୮ ମସିହାରେ ସନାତନ ଚକ୍ରଵର୍ତ୍ତୀ ବଙ୍ଗଳାରେ ଭାଗଵତ ରଚନା କରି ମଧ୍ଯ ଏହି ଦୂରୁହ କାର୍ଯ୍ୟରେ ସଫଳ ହୋଇ ନପାରି ଵିଶେଷ କରି ଦଶମ ସ୍କନ୍ଦ ଭାଗଵତ ରଚନା ବେଳକୁ ନିଜର ଅକ୍ଷମତା ପ୍ରକାଶ କରି ଓଡ଼ିଆ ଭାଗଵତର ଆଶ୍ରୟ ଗ୍ରହଣ କରିଥିଲେ । ନିଜେ ସନାତନ ଚକ୍ରବର୍ତ୍ତୀ ଏ କଥା ସ୍ୱୀକାର କରି କହିଛନ୍ତି

"ଶୁନ ଶୁନ ଶ୍ରୋତାଗନ କରି  ନିବେଦନ,
ପ୍ରଥମ ହଇତେ ଗ୍ରନ୍ଥ ଲେଖିଲୁ ଆପନ ।
ଦଶମର ଶେଷ ଖଣ୍ଡ ଭାଷା ନ ପାଇଲ,
ଅନେକ ପାଶି ଗ୍ରାମେ ଗ୍ରାମେ ବେଡାଇଲ।
ଏ ହେତୁ ଉତ୍କଳ ଭାଷା କରିଲ ଲିଖନ,
ଜଗନ୍ନାଥ ଦାସ କୃତ ଅପୂର୍ଵ ଵର୍ଣ୍ଣନ ।
ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହଇୟା,
ବଙ୍ଗଜ ଭାଷାୟ ଉତ୍କଳ ମିଶଇୟା।
ଇଥେ ସାଧୁ ଜନ ମୋର ଦୋଷ ନ ଲାଇବେ,
ଭାଗବତ ସାଧୁବାକ୍ୟ ଆନନ୍ଦେ ଶୁନିବେ।"

ପ୍ରୋକ୍ତ ପଦଗୁଡି଼କ ମଧ୍ୟରେ ବଙ୍ଗଳାର ପ୍ରାଚୀନ ସାହିତ୍ୟିକ ସନାତନ ଚକ୍ରଵର୍ତ୍ତୀ “ଉତ୍କଳ ଭାଷା କରିଲ ଲିଖନ” ଓ “ବଙ୍ଗଜ ଭାଷାୟ ଉତ୍କଳ ମିଶଇୟା” ଆଦି ପଦ ମଧ୍ୟରେ ଓଡ଼ିଆ ଭାଷାକୁ ଉତ୍କଳ ଭାଵେ ଅଭିହିତ କରିଅଛନ୍ତି ।‌

ପୁଣି ପୁରାଣରେ ଧ୍ରୁଵଙ୍କର ଏକ ପୁତ୍ରର ନାମ  ଉତ୍କଳ  ବୋଲି ଉଲ୍ଲେଖ କରାଯାଇଛି ।  ଉଦାହରଣ ସ୍ଵରୂପ ଓଡ଼ିଆ ଭାଗଵତ ଚତୁର୍ଥ ସ୍କନ୍ଧ ପଞ୍ଚଦଶ ଅଧ୍ଯାୟରେ ଧ୍ରୁଵଙ୍କ ଜ୍ୟୈଷ୍ଠପୁତ୍ର ଉତ୍କଳ ବୋଲି ଲେଖାଥିଵା ଦେଖାଯାଏ ।

“ତୁ ଯେ ପ୍ରାର୍ଥନା କଲୁ ମୋତେ ।
ଶୁଣ ବିଦୁର କହୁ ତୋତେ ।। ୧୨
ଧ୍ରୁଵର ପୁତ୍ର ଗୁଣଧାମ ।
ଜ୍ୟେଷ୍ଠ ଉତ୍କଳ ତାର ନାମ ।। ୧୩
ତାହାକୁ ଅଧିରାଜ୍ୟେ ସ୍ଥାପେ ।
ଧ୍ରୁଵ ଯେ ଗଲା ଵନେ ତପେ ।। ୧୪”

ସଂସ୍କୃତ ଭାଗଵତରେ ଧ୍ରୁଵଙ୍କ ଚରିତ ଥିଵାରୁ ତାହା ଓଡ଼ିଆ ଭାଗଵତରେ ମଧ୍ୟ ସ୍ଥାନ ପାଇଛି । ସଂସ୍କୃତ ଭାଗଵତରେ ମଧ୍ୟ ଧ୍ରୁଵପୁତ୍ର ଉତ୍କଳଙ୍କ ନାମ ରହିଛି ।

“ପ୍ରଜାପତେର୍ଦୁହିତରଂ ଶିଶୁମାରସ୍ଯ ଵୈ ଧ୍ରଵଃ।
ଉପୟେମେ ଭ୍ରମିଂ ନାମ ତତ୍ସୁତୌ କଳ୍ପଵତ୍ସରୌ।। ଇଡାୟାମପିଭାର୍ଯ୍ଯାୟାଂ ଵାୟୋଃ ପୁତ୍ର୍ଯାଂ ମହାବଳଃ !। ପୁତ୍ରମୁତ୍ଫଳନାମାନଂଯୋଷିଦ୍ରତ୍ନଭଜୀଜନତ୍ ।।”

ପୁନଶ୍ଚ ଓଡ଼ିଆ ଭାଗଵତରେ ନଵମ ସ୍କନ୍ଧର ପ୍ରଥମ ଅଧ୍ଯାୟରେ ମଧ୍ୟ ଉତ୍କଳ ନାମକ ଜଣେ ରାଜପୁତ୍ରର କଥା ରହିଛି । କିନ୍ତୁ ନଵମ ସ୍କନ୍ଧରେ ଥିଵା ଭାଗଵତର କଥନକ ଅନୁସାରେ ଏ ଉତ୍କଳ ଧ୍ରୁଵପୁତ୍ର ଉତ୍କଳ ନୁହନ୍ତି ଵରଂ ସେ ମନୁନନ୍ଦନ ସୁଦ୍ୟୁମ୍ନଙ୍କର ଜନୈକ ପୁତ୍ର ତଥା ଦକ୍ଷିଣପଥର ଶାସକ ଥିଲେ ।

ଓଡ଼ିଆ ଭାଗଵତ ଅନୁସାରେ ମନୁନ୍ଦନନ ସୁଦ୍ୟୁମ୍ନ ପ୍ରଥମେ ଯଜ୍ଞଦ୍ଵାରା ମନୁଙ୍କର ଇଳା ନାମ୍ନୀ କନ୍ୟା ରୂପେ ଉଦ୍ଭଵ ହୋଇଥିଲେ । ମନୁଙ୍କର ପତ୍ନୀ କନ୍ୟାରତ୍ନଟିଏ ଚାହୁଁଥିଲେ ତେଣୁ ସେ ହୋତାମାନଙ୍କୁ କନ୍ୟାରତ୍ନ ହେତୁକ ଯଜ୍ଞ କରିଵାକୁ ପ୍ରଵର୍ତ୍ତାଇଲେ । ଫଳତଃ ଯଜ୍ଞକୁଣ୍ଡରୁ ଇଳା ନାମ୍ନୀ କନ୍ୟା ଜାତ ହେଲା ।

“ଆହୁତି ଦେଲା ଅପ୍ରମିତ । ଏମନ୍ତେ କନ୍ୟା ହେଲା ଜାତ ॥୫୪।।
ତା' ରୂପ ଜଗତ ମୋହିଲା । ତାହାକୁ ଇଳା ନାମ ଦେଲା ॥୫୫।।”

ମାତ୍ର ମନୁ ପରେ ଵଶିଷ୍ଠ ଋଷିଙ୍କ ଦ୍ଵାରା ଶ୍ରୀଵିଷ୍ଣୁଙ୍କୁ ଯଜ୍ଞରେ ସନ୍ତୁଷ୍ଟ କରାଇ ଉକ୍ତ ଇଳା ନାମ୍ନୀ କନ୍ୟାକୁ ପୁରୁଷ କରାଇଦେଲେ । ଉକ୍ତ ମନୁପୁତ୍ରର ନାମ ସୁଦ୍ୟୁମ୍ନ ରଖାଗଲା । ଥରେ ସଦାଶିଵଙ୍କଦ୍ଵାରା ଶାପିତ ଏକ ଜଙ୍ଗଲ ମଧ୍ୟରେ ପ୍ରଵେଶ ହେଵାରୁ ସୁଦ୍ଯୁମ୍ନ ପୁନଃ ନାରୀ ରୂପ ଲଭିଲେ ।

“ଅଶ୍ଵ ସହିତେ ସର୍ଵ ଜନେ । ତକ୍ଷଣେ ସୁକୁମାର ଵନେ ॥୮୭।।
ସର୍ଵେ ହୋଇଲେ ସ୍ତିରୀଗଣ । ଅଶ୍ୱ ସହିତେ କୁଘଟଣ ॥୮୮।।”

ସୁଦ୍ୟୁମ୍ନ ପୁନଃ ଇଳା ନାମ୍ନୀ ନାରୀ ହେଵାରୁ ଉକ୍ତ ଵନ ଛାଡ଼ି ଅନ୍ୟ ଏକ ଵନକୁ ଚାଲିଗଲେ । ସେ ଵନରେ ଚନ୍ଦ୍ରସୁତ ବୁଧ ତପସ୍ୟା କରୁଥିଲେ । ଇଳାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ସେ ତାଙ୍କ ସହ  ବଳାତ୍ ସମ୍ପର୍କ ସାଧିଲେ ଫଳରେ ଏକ ପୁତ୍ର ଜାତ ହେଲା ତାହାର ନାମ ପୁରରଵା ରଖାଗଲା ।

“ତାହାଙ୍କ ମଧ୍ୟେ ଇଳା ଦେଖି ।
ସେ ବୁଧ ତପସ୍ୟା ଉପେକ୍ଷି ॥୧୧୭।।
ମନ କଳ୍ପିଲା କାମଭୋଳେ ।
ତକ୍ଷଣେ ଧରି ତା'କୁ କୋଳେ ॥୧୧୮।।
ବଳେ ରମିଲା ଚନ୍ଦ୍ରସୁତ ।
ତକ୍ଷଣେ ହେଲା ପୁତ୍ର ଜାତ ॥୧୧୯।।
ତାହାକୁ ଦେଖି ଗୁଣଧାମ ।
ଦେଲେ ସେ ପୁରୁରଵା ନାମ ॥୧୨୦।।”

ଵଶିଷ୍ଠ ଋଷିଙ୍କୁ ଭେଟି ଇଳା ତାଙ୍କର ସମସ୍ତ ଦୁଃଖ ଜଣାଇଲେ । ଋଷି ଦୟା ବହି ସଦାଶିଵଙ୍କର ଘୋର ତପସ୍ୟା କଲେ । ପ୍ରଭୁ ସନ୍ତୁଷ୍ଟ ହୋଇ ଋଷିଙ୍କୁ ଆଶିର୍ଵାଦ ଓ ଵର ଦେଲେ ଯେ ଏହି ଵ୍ୟକ୍ତି ମାସେ ଇଳା ନାମକ ନାରୀ ଏଵଂ ଆନ ମାସରେ ସୁଦ୍ୟୁମ୍ନ ନାମକ ପୁରୁଷ ହୋଇ ରହିଵ ।

“ମାସେ ଏ ହୋଇଵ କାମିନୀ ।
ପୂର୍ଵେ ଵିଷ୍ଣୁର ଵାକ୍ୟ ଘେନି ॥୧୨୯।।
ମାସେ ଏ ପୁରୁଷ ହୋଇଵ ।
ଜୀଵନ୍ତେ ଯେତେକାଳ ଥିଵ ॥୧୩୦।।

ସେହି ସୁଦ୍ୟୁମ୍ନ ଵା ଇଳାଙ୍କର ପରେ ତିନିପୁତ୍ର ଜାତ ହେଲେ । ଗୟ , ଉତ୍କଳ ଓ ଵିମଳ । ଏ ତିନି ରାଜା ଦକ୍ଷିଣପଥର ଶାସକ ଥିଲେ ବୋଲି ପୁରାଣରେ ଵର୍ଣ୍ଣିତ ହୋଇଛି । ଭାଗଵତରେ ମଧ୍ୟ ଏକଥା ଏମନ୍ତ କୁହାଯାଇଛି ।

“ତା'ର ହୋଇଲେ ତିନିସୁତ ।
ଶୁଣ ରାଜନ ପରୀକ୍ଷିତ ॥୧୩୫।।
ଗୟ ଉତ୍କଳ ପୁତ୍ରଵେନି ।
ଵିମଳ ନାମେ ହୋଏ ତିନି ॥୧୩୬।।
ଦକ୍ଷିଣ ପଥେ ତିନି ରାଜା ।
ଧର୍ମେ ପାଳନ୍ତି ଜନପ୍ରଜା ॥୧୩୭।।”

ହରିଵଂଶପୁରାଣ ଅନୁସାରେ ସୁଦ୍ୟୁମ୍ନଙ୍କ ପୁତ୍ର ଉତ୍କଳ ପୂର୍ଵଭାଗର ଉତ୍କଳ ଦେଶର ଶାସକ ହେଲେ ସମ୍ଭଵତଃ ତାଙ୍କ ନାମାନୁସାରେ ଉତ୍କଳ ଦେଶର ନାମ ହେଲା ବୋଲି ପରୋକ୍ଷରେ କୁହାଯାଇଛି । ଗୟ ମଧ୍ୟ ଗୟାପୁରର ଶାସକ ହେଲେ ଏଵଂ ଓଡ଼ିଆ ଭାଗଵତରେ ଯାହାଙ୍କୁ ଵିମଳ କୁହାଯାଇଛି ତାଙ୍କୁ ହରିଵଂଶପୁରାଣରେ ଵିନତାଶ୍ଵ ବୋଲି ଉଲ୍ଲେଖ କରାଯାଇଛି । ଏହି ଗ୍ରନ୍ଥ ଅନୁଯାଇ ସେ ପଶ୍ଚିମ ଅଞ୍ଚଳର ଶାସକ ହେଲେ ।

“ସୁଦ୍ଯୁମ୍ନସ୍ଯ ଚ ଦାୟାଦାସ୍ତ୍ରୟଃ ପରମଧାର୍ମିକାଃ। ଉତ୍କଳଶ୍ଚଗୟଶ୍ଚୈଵ ଵିନତାଶ୍ଵଶ୍ଚ ଭାରତ!।।
ଉତ୍କଳସ୍ଯୋତ୍କଳା ରାଜନ୍! ଵିନତାଶ୍ଵସ୍ଯ ପଶ୍ଚିମା।
ଦିକ୍ ପୂର୍ଵ୍ଵା ଭରତଶ୍ରେଷ୍ଠ ଗୟସ୍ଯ ତୁ ଗୟପୁରୋ ।।”

ସଂସ୍କୃତ ଵାଚସ୍ପତ୍ୟ,ଶବ୍ଦ କଳ୍ପଦ୍ରୁମ,ବଙ୍ଗାଳୀ ଵିଶ୍ବକୋଷ ଓ ସଂସ୍କୃତ ଶବ୍ଦମାଳା ଆଦି କିଛି ଅଭିଧାନରେ ଉତ୍କଳ ଶବ୍ଦର ଏକ ଅର୍ଥ ଭାରବାହକ ବା ବେହେରୀ ଉଲ୍ଲେଖ ଥିଵା ଦେଖାଯାଏ । ଏହି ଅର୍ଥକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯୋଡ଼ିଵାରୁ ଶ୍ରୀପ୍ରହରାଜଙ୍କୁ ତତ୍କାଳୀନ ଓଡ଼ିଶାର ଅନେକ ବୁଦ୍ଧିଜୀଵୀଙ୍କଠାରୁ ନାନା ନିନ୍ଦା ଅପମାନସୂଚକ କଥା ଶୁଣିଵାକୁ ପଡି଼ଥିଲା । ସେ ସମୟରେ ଓଡ଼ିଆ ସାହିତ୍ୟ ସମାଜ ନୂତନ ଓ ପୁରାତନ ସାହିତ୍ୟ ଆଧାରରେ ଦୁଇଗୋଟି ଗୋଷ୍ଠୀରେ ଵିଭକ୍ତ ହୋଇଥିଲା । ଏହାକୁ ଵିଜୁଳି ଇନ୍ଦ୍ରଧନୁ ଵିଵାଦ ଵା କଳି କୁହାଯାଏ । ଅଦ୍ୟପି ଜଣେ ଶବ୍ଦ ସଂଗ୍ରାହକ ଭାବେ ଵିଭିନ୍ନ ଶବ୍ଦକୋଷ ତଥା ଅଞ୍ଚଳରୁ ଶବ୍ଦ ସଂଗ୍ରହ କରିଵା ଶ୍ରୀପ୍ରହରାଜଙ୍କର କର୍ତ୍ତଵ୍ଯ କର୍ମ ଥିଲା ଅତଃ ଶବ୍ଦମାଳା ଓ ଵିଶ୍ଵକୋଷ ଆଦିରେ ଥିଵା ଉତ୍କଳ ଶବ୍ଦର ଭାରଵାହକ ଅର୍ଥକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯୋଡି଼ ସେ କୌଣସି ଭୁଲ୍ କରିନାହାନ୍ତି ଵରଂ ସେ ଯାହା ଲେଖାଥିଲା ତାକୁ ହିଁ ଯୋଡି଼ଅଛନ୍ତି ।

ମାତ୍ର ଉତ୍କଳ ଶବ୍ଦର ଏଇ ଗୋଟିଏ ନୁହେଁ ଆହୁରି ଦୁଇ ତିନୋଟି ନକାରାତ୍ମକ ଅର୍ଥ ମଧ୍ୟ ରହିଛି ଏଵଂ ସେ ସମସ୍ତ ଅର୍ଥରେ ଉତ୍କଳ ଶବ୍ଦର ପ୍ରୟୋଗ ଗ୍ରନ୍ଥାଦିରେ ମଧ୍ୟ ହୋଇଅଛି । କେତେକ ଅଭିଧାନରେ ଉତ୍କଳ ଶବ୍ଦର ଵ୍ୟାଧ ଵା ଶିକାରୀ ଓ ପକ୍ଷୀମରା ଲୋକ ଅର୍ଥ ଯୋଡା଼ଯାଇଥିଵା ଦେଖାଯାଏ ପୁଣି କେତେକ ପୁରାଣରେ ବଳୀ ଇନ୍ଦ୍ର ଯୁଦ୍ଧ ସମୟରେ ଉତ୍କଳ ନାମକ ଏକ ରାକ୍ଷସର ମଧ୍ୟ ଉଲ୍ଲେଖ କରାଯାଇଛି । ଆମ ଓଡି଼ଆ ଭାଗଵତରେ ମଧ୍ୟ ଏହି ଅର୍ଥରେ ଉତ୍କଳ ଶବ୍ଦର ଦୁଇ ଦୁଇ ଥର ଵ୍ୟଵହାର ହୋଇଥିଵା ଦୃଶ୍ୟହୁଏ ।

ଓଡ଼ିଆ ଭାଗଵତରେ ଷଷ୍ଠ ସ୍କନ୍ଧର  ଦଶମ ଅଧ୍ଯାୟରେ  ଅନେକ ରାକ୍ଷସଙ୍କ ନାମୋଲ୍ଲେଖ ମଧ୍ୟରେ ଉତ୍କଳର ନାମ ମଧ୍ୟ ଉଲ୍ଲେଖ କରାଯାଇଛି ।

“ନମୁଚି ଦ୍ୱିମୂର୍ଦ୍ଧା ଶମ୍ବର । ଅନର୍ଵା ଋଷଭ-ଅସୁର ।। ୪୩।।
ହୟଗ୍ରୀଵ ଯେ ଵିପ୍ରଚିତ୍ତି । ଅୟୋମୁଖ ହେତି ପ୍ରହେତି ।। ୪୪।।
ଶଙ୍କୁଶିରା ଯେ ଵୃଷପର୍ଵ । ଉତ୍କଳ ପୁଲୋମା-ଦାନଵ ।। ୪୫।।
ଦାନଵ ଦୈତ୍ୟଗଣ ଦକ୍ଷ । ଅସଂଖ୍ୟ ଆବର ଯେ ରକ୍ଷ ।। ୪୬।।”

ସେହିମତେ ଓଡ଼ିଆ ଭାଗଵତର ଅଷ୍ଟମ ସ୍କନ୍ଧସ୍ଥ ଦଶମ ଅଧ୍ଯାୟରେ ମଧ୍ୟ କେତେକ ଅସୁରଙ୍କ ନାଆଁ ମଧ୍ୟରେ ଉତ୍କଳର ନାମ ଥିଵା ଦେଖାଯାଏ ।

“ହୟଗ୍ରୀଵ ଯେ ଶଙ୍କୁଶିରା ।
କପିଳ ନାମେ ମହାଵୀରା । ।୫୨।।
ଜୀମୂତ ଦୁନ୍ଦୁଭି ଅଦ୍ଭୁତ ।
ତାରକା ପୁଣି ଚକ୍ରଜିତ । ।୫୩।।
ଉତ୍କଳ ଶୁମ୍ଭ ଯେ ନିଶୁମ୍ଭ ।
ଅରିଷ୍ଟନେମି ପୁଣି ଜମ୍ଭ । ।୫୪।।
ତ୍ରିପୁରାଧିପ ଯେଉଁ ମୟ ।
ପୌଲମ ଅରିଷ୍ଟ କାଳେୟ । ।୫୫।।”

କେଵଳ ଯେ ଉତ୍କଳ ଶବ୍ଦର ଵିଶେଷ୍ୟ ଵ୍ୟଵହାର ରହିଛି ତାହା ନୁହେଁ ସାହିତ୍ୟକାରମାନେ ଉତ୍କଳ ଶବ୍ଦକୁ ଏକ ଵିଶେଷଣ ଶବ୍ଦ ଭାବେ ଉତ୍କଣ୍ଠିତ ଓ ବଡ଼ପାଟିଆ ଅର୍ଥରେ ମଧ୍ୟ ପ୍ରୟୋଗ କରିଛନ୍ତି ।

ପ୍ରେମ ସୁଧାନିଧିରେ କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଉତ୍କଣ୍ଠିତ ଅର୍ଥରେ ଉତ୍କଳ ଶବ୍ଦର ଵ୍ୟଵହାରରେ ଲେଖିଛନ୍ତି...
“ଉତ୍କଳ ଉତ୍କଳ ରାମା ବିରହେ ହେଲେ।”

କିନ୍ତୁ ଆମ ଓଡ଼ିଶା ଵା କଳିଙ୍ଗଦେଶର ଏହି ଉତ୍କଳ ନାମ କ'ଣ ସତରେ ଏକ ଯଥାର୍ଥ ନାମ ଅଟଇ ? କ'ଣ ଏହା ଆମ ଦେଶର  ଏକ ଵୈଜ୍ଞାନିକ ନାମକରଣ ଅଟେ? ଏହି ନାମ କି ଆମ ମହାନ କଳିଙ୍ଗ ଦେଶକୁ ଯଥାର୍ଥ ପରିଭାଷିତ କରିପାରେ ?

ତତ୍ସମ ‘ଉତ୍କଳ’ ଶବ୍ଦର ସଂସ୍କୃତ ନିରୁକ୍ତି ଵ୍ୟାଖ୍ୟା ଵିଶ୍ଲେଷଣରୁ ଉତ୍କଳ ଶବ୍ଦ କୌଣସି  ଅଞ୍ଚଳ ଵା  ଦେଶ ପାଇଁ ଗୋଟିଏ ସୁନ୍ଦର ଓ ଶ୍ରେଷ୍ଠତମ ନାମ ବୋଲି ଜଣାପଡି଼ଥାଏ । ଵିଶେଷତଃ କଳା ସଂସ୍କୃତି ସ୍ଥାପତ୍ୟ ଭାଷା ନୃତ୍ୟଠାରୁ ସଂସ୍କୃତି ଯାଏଁ ସବୁ କଥାରେ ଅଗ୍ରଣୀ ଥିଵା କଳିଙ୍ଗ ଵା ଉଡ୍ରଦେଶର ନାମ ଭାଵେ ଏହା ସର୍ଵୋତ୍ତମ ଅଟଇ ।

ଅଧିକାଂଶ ଅଭିଧାନରେ ଉତ୍ ଉପସର୍ଗ ସହ କଳ ଶବ୍ଦ ଓ  ଅଚ୍(ଅ) ପରପ୍ରତ୍ୟୟ ଯୁକ୍ତ ହୋଇ ଉତ୍କଳ ଶବ୍ଦ ନିଷ୍ପନ୍ନ ହୋଇଅଛି ବୋଲି ଉଲ୍ଲେଖ କରାଯାଇଛି ।

ଆମ୍ଭେମାନେ ଜାଣନ୍ତି ଯେ ଉତ୍ ଏକ ଉପସର୍ଗ (ଉ+କ୍ବିପ୍)
ଏଵଂ ଏହି ଉପସର୍ଗଟି ଊର୍ଦ୍ଧ୍ଵେ,ସମ୍ୟକ ଭାବେ,ଇତସ୍ତତଃ,ଉଚ୍ଚୈଃସ୍ବରେ, ଉତ୍କଟ, ଓଲଟା, ଉତ୍କର୍ଷ, ସମୁଚ୍ଚୟ, ପ୍ରଶ୍ନ, ବିତର୍କ, ଅଧିକ ଇତ୍ୟାଦି ଅର୍ଥରେ ଅନ୍ୟ ଶବ୍ଦ ପୂର୍ଵରୁ ଲାଗିଥାଏ । ସେହିପରି କଳ ଶବ୍ଦର ନିମ୍ନଲିଖିତ ଅର୍ଥରେ ପ୍ରଯୁକ୍ତ ହୋଇଥାଏ ।

୧.ଅତ୍ୟନ୍ତ ମଧୁର ଧ୍ବନୀ,
୨.ଭ୍ରମର ଆଦିର ଗୁଞ୍ଜନ,
୩.ଶାଳବୃକ୍ଷ,
୪.ଶୁକ୍ର,
୫.ଅଙ୍କୁର,
ଗଜା,
୬.ଅଜୀର୍ଣ୍ଣ,
୭.ଯନ୍ତ୍ର,
କୌଶଳ,
୮.ସୁବିଧା,
୯.କନ୍ଦର,
୧୦.ଖୁଞ୍ଜ,
୧୧.ବଶ୍ୟତା,
୧୨.ଅଧିକତା,
୧୩.ସୁଯୋଗ
ଏବଂ
ମୁହଁ ର କଳ ତଥା କାମୁଡ଼ ଥର ବା ପୁଳା ଆଦି......

ଏହାଛଡା଼ ଏକ ସଂସ୍କୃତ ଧାତୁ ଶବ୍ଦ “କଳ୍ ଧାତୁ” ମଧ୍ୟ ରହିଛି
ଯାହା ତିନୋଟି ମୂଳ ଅର୍ଥରେ ଵ୍ୟଵହୃତ ହୋଇଥାଏ

୧.ଗମନ କରିଵା
୨.ଗଣନା କରିଵା
୩.ଶବ୍ଦ କରିଵା

ତେବେ ଯଦି ଏହି ଶବ୍ଦଦ୍ବୟର ଅର୍ଥ ସବୁକୁ ନେଇ
ଉତ୍କଳ ଶବ୍ଦର ଵ୍ୟାଖ୍ୟା କରାଯାଏ ତେବେ ତାହା କିଭଳି ହେବ ?

🔵ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଗମନ କରିଵା)
ଯେଉଁ ଅଞ୍ଚଳର ଅଧିଵାସୀ ସଦା ଉର୍ଦ୍ଧ୍ଵକୁ ଗତି କରନ୍ତି ଵା ଗମନ କରନ୍ତି,ଯେଉଁ ଜାତିର ଲୋକଙ୍କ ମନରେ ଜାତି,ଧର୍ମ ନାମରେ ମୌଳିବାଦୀ ହୀନମନ୍ୟତା ବିରଳ ଅର୍ଥାତ୍ କାହାକୁ ନୀଚ ନୁହେଁ ସମସ୍ତଙ୍କୁ ଉର୍ଦ୍ଧ୍ବ ଵା ଶ୍ରେଷ୍ଠ ଗଣନା କରିଥାଆନ୍ତି ।

🔵(ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଗଣନା କରିଵା)
ଯେଉଁ ଜାତିର ଗଣନା ସମସ୍ତ ଭାରତୀୟ ଜାତି ମାନଙ୍କ ମଧ୍ୟରେ ସବା ଉପରେ ସେ ଜାତି ଉତ୍କଳୀୟ​ ଵା ଯେଉଁ ଦେଶ ଭାରତ ମଧ୍ୟରେ ସବୁଥିରେ ଉର୍ଦ୍ଧ୍ଵରେ  ଅର୍ଥାତ୍ ଭୂସ୍ବର୍ଗ ଥିଲା ଅଛି ଓ ରହିଵ ।

🔵(ଯଦି ଉତ୍ = ଊର୍ଦ୍ଧ୍ଵେ ଏଵଂ କଳ୍ ଧାତୁ = ଶବ୍ଦ କରିଵା ଵା ଗର୍ଜନା କରିଵା)
ଯେଉଁ ଅଞ୍ଚଳର ଅଧିଵାସୀଙ୍କର ଉଚ୍ଚ ଗର୍ଜନାରେ ହିଁ ଶତ୍ରୁ ଓଲଟା ପାଦରେ ପଳାୟନ କରିଦେଉଥିଲେ ସେଇଥିପାଇଁ ତ କଳିଙ୍ଗୀମାନଙ୍କ ପାଇଁ କୁହାଯାଇଛି କଳିଙ୍ଗା ସାହାସିକାଃ !

🔴(ଯଦି ଉତ୍ = ସମ୍ୟକ ଏଵଂ କଳ ଶବ୍ଦ = ମଧୁର ଧ୍ଵନୀ)
ଯେଉଁ ଭୂମିର ଲୋକ ସମ୍ଯକ ମଧୁରଭାଷୀ ସାଧୁ ସ୍ୱଭାବର । ଅକାରଣେ କାହାର ବୈରୀ ହୁଅନ୍ତି ନାହିଁ । ଉଡ୍ର ଶବ୍ଦ ମଧ୍ୟ ଏହି ଜାତିର ଗୁଣକୁ ଧ୍ୟାନରେ ରଖି ଉଡ୍ ଧାତୁର ଆଲିଙ୍ଗନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି ।

🔴(ଯଦି ଉତ୍ = ସମ୍ୟକ ଏଵଂ କଳ ଶବ୍ଦ =ଉତ୍କର୍ଷ, ଭ୍ରମରର ଗୁଞ୍ଜନ ଓ ଶାଳ ଆଦି ଵୃକ୍ଷରେ ପୂର୍ଣ୍ଣ)
ଯେଉଁ ଅଞ୍ଚଳ ସ୍ବର୍ଗ ସମ ଉତ୍କର୍ଷ ତେଣୁ ସେଠାର ନନ୍ଦନକାନନ ସମ ଉପବନ ଗୁଡ଼ିକରେ ଭ୍ରମରମାନେ ମଧୁର କଳ କଳ ଗୁଞ୍ଜନ କରନ୍ତି । ଯେଉଁ ଦେଶର ଭୂଭାଗରେ ସର୍ବାଧିକ ଶାଳ ପିଆଶାଳ କରଞ୍ଜ ଆଦି ଗଛ ଜନ୍ମିଥାଏ । ଯେଉଁ ଦେଶ ବୃକ୍ଷାଦିରେ ପରିପୂର୍ଣ୍ଣ ଏବଂ ପ୍ରାକୃତିକ ଶୋଭାରେ ଶୋଭାପାଉଥାଏ । ଭାରତର ଅନ୍ୟ ରାଜ୍ୟ ସହ ଓଡ଼ିଶାର ଵନଭୂମିର ତୁଳନା କରି ଦେଖାଯାଉ । ଏଠାକାର ଵନଭୂମି କେତେ ଵିସ୍ତୃତ ଓ ସୌନ୍ଦର୍ଯ୍ୟଶାଳୀ ତାହା କହିଵା ଵାହୁଲ୍ୟ ମାତ୍ର ହେଵ ।
🔴(ଯଦି ଉତ୍ = ଉର୍ଦ୍ଧ୍ଵରେ ଏଵଂ କଳ ଶବ୍ଦ =ଶୁକ୍ର ଗ୍ରହ)
ଯେଉଁ ଦେଶର ଉର୍ଦ୍ଧ୍ଵରେ ଶୁକ୍ରଗ୍ରହ ସବୁଠୁ ଅଧିକ ଉଜ୍ବଳ ଦିଶନ୍ତି । ଅର୍ଥାତ୍ ଯେଉଁ ଦେଶର କୀର୍ତ୍ତି ଶୁକ୍ର ଗ୍ରହର ଶୁଭ୍ରାଲୋକ ଭଳି ସଦା ପ୍ରକଟିତ ହୋଇ ରହିଛି । ଆମେ ଜାଣିଛୁ ଯେ ଆମ କଳିଙ୍ଗର ଅତୀତ କେତେ ଗାରିମାମୟ । ଏ ଜାତି ଏକଦା ପୂର୍ଵଭାରତୀୟ ଦ୍ଵୀପପୁଞ୍ଜ ଠାରୁ ଆରମ୍ଭ କରି ବ୍ରହ୍ମଦେଶ, ଶ୍ରୀଲଙ୍କା ଓ ମାଳଦ୍ଵୀପ ଯାଏଁ ନିଜର ପ୍ରଭାଵ ଵିସ୍ତାର କରିଥିଲା । ଏ ସମସ୍ତ ଭୂଭାଗରେ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ସହ ସାଂସ୍କୃତିକ ରାଜନୈତିକ ଓ ଆର୍ଥିକ ଉପନିଵେଶ ସ୍ଥାପନରେ କଳିଙ୍ଗ ଦେଶର ଲୋକ ଅଗ୍ରଣୀ ଭୂମିକା ଵହନ କରିଥିଲେ । ଶୁକ୍ର ଗ୍ରହର ଶୁଭ୍ରାଲୋକ ପରି ଆଜି ବି ସେ ସବୁ ଐତିହ୍ୟ ଆମ ମନରେ ସ୍ଵାଭିମାନର ଵୀଜ ଵପନ କରିଥାଏ ।

🔴(ଯଦି ଉତ୍ = ଉର୍ଦ୍ଧ୍ଵରେ ଏଵଂ କଳ ଶବ୍ଦ =ଆଙ୍କୁର ଵା ଗଜା )
ଯେଉଁ ଉତ୍କର୍ଷ କଳାର ଦେଶରେ ସନାତନ,ବୌଦ୍ଧ,ଜୈନ ତଥା ମହିମା ଧର୍ମ ଠାରୁ ଆରମ୍ଭ କରି ଓଡିଶୀ,ଛଉ ନୃତ୍ୟ,ଵିଭିନ୍ନ ଵସ୍ତ୍ରକଳା,ପଟ୍ଟଚିତ୍ର, ରସଗୋଲା,ରସବରା,ରସାବଳି ଓ କ୍ଷୀରମୋହନ ଆଦି ଖାଦ୍ୟଵସ୍ତୁ ଏଵଂ ନାନାଦି କଳାର ଅଙ୍କୁରୋଦ୍ଗମ ହୋଇଛି । ଯେଉଁ କଳିଙ୍ଗ ଦେଶର ଅଵିଭକ୍ତ କୋରାପୁଟରେ ଆଜକୁ ପ୍ରାୟ ଷାଠିଏ ହଜାର ଵର୍ଷ ପୂର୍ଵେ ତିନୋଟି ମାନଵ ଜାତି ଆଷ୍ଟ୍ରିକ,ଭାରୋପୀୟ ଓ ଦ୍ରାଵିଡ଼ ଜାତିଗୁଡି଼କର ମିଳିତ ସହାଵସ୍ଥାନରେ ପ୍ରାଥମିକ ମହାଭାରତୀୟ ସଂସ୍କୃତିର ଜନ୍ମ ହୋଇଥିଲା, ଯେଉଁ କଳିଙ୍ଗ ଦେଶର ପୂର୍ଵୀ ପ୍ରାକୃତ ସମସ୍ତ ପ୍ରାକୃତ ଭାଷା ମଧ୍ୟରେ ସର୍ଵପୁରାତନ । ଯେଉଁଠି ପୃଥିଵୀର ପ୍ରଥମ ପ୍ରସ୍ତର ଵିଦ୍ୟମାନ ସେ ମହାନ ଦେଶ କଳିଙ୍ଗ ହିଁ ତ ଉତ୍କଳ ଦେଶ ନାମରେ ପୁରୁଣ ପ୍ରସିଦ୍ଧ ଅଟଇ ।

🔴(ଯଦି ଉତ୍ = ଉତ୍କଟ ଓ ବହୁତ ଏଵଂ କଳ ଶବ୍ଦ =ଅଜୀର୍ଣ୍ଣ )
ଯେଉଁ ଦେଶ ଏବଂ ତହିଁର ଅଧିବାସୀ ଅନେକ ଓ ଉତ୍କଟ ଭୀଷଣ ଶତ୍ରୁ ପାଇଁ ମଧ୍ଯ ଅଜୀର୍ଣ୍ଣ । ଯେଉଁ ଜାତିକୁ ଶତ୍ରୁ ମଧ୍ଯ ବାଧ୍ୟ ହୋଇ
କଳିଙ୍ଗା ସାହାସିକାଃ କହିଯାଇଛି । ଶହ ଶହ ଵର୍ଷ ଧରି ପ୍ରଵଳ ପ୍ରତାପୀ ମୁସଲମାନ ଶକ୍ତି ଯେଉଁ ଦେଶକୁ ସମ୍ପୂର୍ଣ୍ଣ ଜିତିପାରିନଥିଲା । ଯେଉଁ ଦେଶର ଅଧିଵାସୀ ସର୍ଵପ୍ରଥମେ ଓ ସର୍ଵାଧିକ ଶତଵର୍ଷଧରି ଇଂରେଜମାନଙ୍କ ଵିପକ୍ଷରେ ସ୍ଵାଧୀନତା ସଂଗ୍ରାମ ଚଳାଇଛନ୍ତି ସେ ଜାତିର ମହାନ ଦେଶ ଏଇ ଆମ କଳିଙ୍ଗୋତ୍କଳ ।

🔴(ଯଦି ଉତ୍ = ସମ୍ୟକ ଭାବେ ଏଵଂ କଳ ଶବ୍ଦ = ଯନ୍ତ୍ର, କୌଶଳ)
ଯେଉଁ ମାଟି ସମ୍ୟକ୍ ଭାବେ ଯନ୍ତ୍ର ତଥା କୌଶଳାଦି ପାଇଁ ପୃଥିବୀ ବିଖ୍ୟାତ ଥିଲା । ଯେଉଁ ଦେଶର ଶହ ଶହ ପ୍ରକାରର ବୋଇତ ନିର୍ମିତ ହେଇଥିଲା ଯେଉଁ ଦେଶରେ ଶତାଧିକ ଅସ୍ତ୍ରଶସ୍ତ୍ରର ଵ୍ୟଵହାର ଓ ନିର୍ମାଣ ହେଉଥିଲା । ଯେଉଁ ଦେଶର ଜନତା ଏହି ଯାନ୍ତ୍ରିକ କ୍ରାନ୍ତି ଯୋଗୁଁ କୋଣାର୍କ,ନଵତାଳପ୍ରାସାଦ ଭଳି ଅନନ୍ୟ ସ୍ଥାପତ୍ୟ ଗଢି଼ଥିଲେ ସେହି ଏକ କଳାରେ ଉତ୍କର୍ଷ ଦେଶ କଳିଙ୍ଗୋତ୍କଳ ।

🔴(ଯଦି ଉତ୍ = ସର୍ଵାଧିକ ଏଵଂ କଳ ଶବ୍ଦ =ସୁଯୋଗ,ସୁଵିଧା)
ଯେଉଁ ଭୂମିରେ ଜୀଵନଯାପନର ସର୍ବାଧିକ ସୁବିଧା ପ୍ରକୃତି ଖଞ୍ଜିଛି । ଯେଉଁ ଦେଶ ଅନେକାନେକ ନଦନଦୀ,ହ୍ରଦ ପର୍ବତ ,ଗିରି କନ୍ଦର ଓ ଉପତ୍ୟକାରେ ପରିପୂର୍ଣ୍ଣ ଯେଉଁ ଦେଶ ସ୍ବର୍ଗ ସମ ଶୋଭାପାଇଥାଏ  ସେ ଦେଶ ଉତ୍କଳ ଅଟଇ ।  ଆଜି ଓଡ଼ିଆମାନେ ଦରିଦ୍ର କଥିତ ହୁଅନ୍ତି ସତ କିନ୍ତୁ ଓଡ଼ିଆଲୋକେ ଗରିଵ ହୋଇ ପାରନ୍ତି ହେଲେ ପ୍ରକୃତି ଏ ଦେଶକୁ ସର୍ଵଦା ଧନଧାନ୍ୟରେ ପରିପୂର୍ଣ୍ଣ କରିଵାର ସୁଯୋଗ ଦେଇଅଛି । ଵନ୍ୟାଵାତ୍ୟା ମରୁଡ଼ି ପ୍ରପୀଡ଼ିତ ଓଡ଼ିଶା କେଵଳ ଵର୍ତ୍ତମାନର ଓଡ଼ିଆଙ୍କ ଅପାରଗତା ଯୋଗୁଁ ଦରିଦ୍ରତାର କଷଣ ସହୁଛି ଅନ୍ୟଥା ଏ ମାଟି ସୁନା ଥିଲା ଓ ଅଛି ।

🔴(ଯଦି ଉତ୍ = ସମୁଚ୍ଚୟ ଏଵଂ କଳ ଶବ୍ଦ = କନ୍ଦର)
ଯେଉଁ ଦେଶର ସମାଜ ନୀଳକନ୍ଦର ପୁରୁଷୋତ୍ତମ କ୍ଷେତ୍ର ପ୍ରତି ନିଷ୍ଠାବାନ ଏବଂ ଜଗନ୍ନାଥ ଯାହାଙ୍କ ରାଜେଶ୍ବର ।
ଯେଉଁ ଦେଶରେ​ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସର୍ବେ ଏକ ସୁତ୍ରରେ ଯୁକ୍ତ ସେହି ଦେଶ ଆମ ଉତ୍କଳ ।

🔴(ଯଦି ଉତ୍ = ପ୍ରଶ୍ନ, ବିତର୍କ, ଅଧିକ,ଉତ୍କଟ ଏଵଂ କଳ ଶବ୍ଦ = ଵଶ୍ୟତା)
ଭ୍ରାନ୍ତପ୍ରଶ୍ନକାରୀ ବିତର୍କ ପ୍ରେମୀ ଏଵଂ କେଵଳ ନିଜକୁ ହିଁ ଶ୍ରେଷ୍ଠ ଵିଚାର କରି ବସିଥିଵା ଆନ ଭାରତୀୟଜାତି ମାନେ ମଧ୍ଯ ଯେଉଁ ଦେଶ ଆଗରେ ନତମସ୍ତକ ହୋଇଯାଇଥିଲେ ।  ଏକଦା ଏହି ଜାତିକୁ ମ୍ଳେଚ୍ଛ କହି ହୀନ ମନେକରୁଥିବା ଲୋକେ ମଧ୍ଯ ଉତ୍କଳୀୟଙ୍କ ପୁରୁଷାର୍ଥରେ ପ୍ରଭାବିତ ହୋଇ ନିଜ ବାକ୍ଯ ଓଲଟେଇବାକୁ ବାଧ୍ଯ ହୋଇଥିଲେ । ଆଗଙ୍ଗା ଗୋଦାବରୀ ଯେଉଁ ଦେଶର ଜଗନ୍ନାଥ ସଂସ୍କୃତି ଦ୍ବାରା ପ୍ରଭାବିତ ଏହି ସେହି ଆମ କଳିଙ୍ଗୋଡ୍ରତ୍କଳ ।

ସେହିଭଳି ସାହିତ୍ଯରେ ଉତ୍କଳ ଶବ୍ଦ ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଯେମିତି କି...

⚫ଉତ୍କଣ୍ଠିତ
ଜ୍ଞାନ ତଥା କଳା ପାଇଁ ଆମ ଦେଶର ଲୋକ ଆଜି ବି  ଉତ୍କଣ୍ଠିତ ଅଛନ୍ତି ଆଗେ ବି ଥିଲେ ।  ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ମଧ୍ୟ ଏଠାରେ ଅନେକ ଜ୍ଞାନୀ ଵିଦ୍ଵାନ କଳାକାର ପୃଥିଵୀ ଵିଖ୍ୟାତ ହୋଇଛନ୍ତି । ଭାରତଵର୍ଷରେ ଉତ୍କଳଭାଷୀମାନଙ୍କୁ ଅଧିକ ସୁଵିଦା ସୁଯୋଗ ମିଳିଲେ ସେମାନେ ନିଜର ଆହୁରି ଅଧିକ ପାରଦର୍ଶିତା ଦେଖାନ୍ତେ ।

⚫ଶିକାରୀ,ବ୍ୟାଧ
ସାହାସିକ କଳିଙ୍ଗୀ ଜାତି ଶତ୍ରୁଙ୍କ ଶିକାରରେ ସିଦ୍ଧହସ୍ତ ତେଣୁ ଏ ଦେଶକୁ ସହଜରେ ଶତ୍ରୁ ହରାଇ ପାରୁନଥିଲେ ଏଵଂ ଯଦିଚ କିଛି ଶହ ଵର୍ଷ ଏ ଦେଶ ଵିଦେଶୀ ଶକ୍ତି ଦ୍ଵାରା ପରାଜିତ ହୋଇଛି ମଥା ନୁଆଁଇ ନାହିଁ ଵରଂ ସୁଯୋଗ ଉଣ୍ଡି ପ୍ରତି ଆକ୍ରମଣ କରିଵାକୁ ପଛାଇ ନାହିଁ ।

⚫କର୍କଷ ଗର୍ଜନ
ସିଂହ ହିଁ ଗର୍ଜନ କରନ୍ତି ଭୀରୁ ନୁହେଁ, କଳିଙ୍ଗୀମାନେ ସିଂହପରି ଶତଶତ ଵର୍ଷ ଧରି ଶକ୍ତିଶାଳୀ ମୁସଲମାନ ଶାସକଙ୍କ ସାମ୍ନା କରିଛନ୍ତି  ପୁଣି ଆଧୁନିକ ଯୁଗରେ ମସିଯୁଦ୍ଧ ଚଳାଇ  ହିନ୍ଦିଆ, ତେଲେଙ୍ଗା ଓ ବଙ୍ଗାଳୀମାନଙ୍କଠାରୁ ଆପଣା ଭୂମି ଐ ଭାଷାକୁ ବଞ୍ଚାଇ ପାରିଵାରେ ସଫଳ ହୋଇଛନ୍ତି । ଏଜାତିର ଵୀରୋଚ୍ଚିତ୍ତ ଇତିହାସ ସମସ୍ତ ମାନଵ ଜାତି ପାଇଁ ପ୍ରେରଣାର ଉତ୍ସ ଅଟେ । 

⚫ଭାରଵାହକ
ଉତ୍ତର ଭାରତୀୟମାନେ ସଂସ୍କୃତ ଶବ୍ଦମାଳା ଅଭିଧାନରେ ଏଵଂ ବଙ୍ଗଳୀମାନେ ବିଶ୍ବକୋଷ ଲେଖିଲାବେଳେ ତହିଁରେ ଉତ୍କଳର ଅର୍ଥ ଭାରବାହକ ଯୋଡିଲେ । ସେତେବେଳକୁ କଳିଙ୍ଗୋଦ୍ର, କଳିଙ୍ଗସାଗର ଆଦି ନାମରେ ପ୍ରସିଦ୍ଧ​ ମହୋଦଧି ବଙ୍ଗୋପସାଗରରେ ପରିଣତ ହୋଇଯାଇଥିଲା । ଓଡ଼ିଆ ମାନେ ପରାଧୀନ ହୋଇ ନିଜର ସ୍ଵତନ୍ତ୍ର୍ଯ  ହରାଇ ବଙ୍ଗଳୀଙ୍କ ଗାଆଁ ସହରରେ ଖଟୁଥିଲେ...

ତଥାପି ଆମେ ସେହି ଭାରବାହକ ଶବ୍ଦ ମଧ୍ଯ ସାଦରେ ଗ୍ରହଣ କରି ସ୍ବାଭିମାନର ସହ କହୁଛୁ କି ହଁ ଠିକ୍ ଅଛି ଆମେ  ଉତ୍କଳୀୟ ମାନେ ଭାରବାହକ ...

କାରଣ ଉତ୍କଳୀୟ ମାନେ ହିଁ ତ ଭାରତୀୟ ସଂସ୍କୃତିକୁ ଆପଣା ବୋଇତଦ୍ଵାରା ବୋହି ନେଇ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇ ଦେଇଥିଲେ ...
ଜାଭା,ବୋର୍ଣ୍ଣିଓ, ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଶ୍ରୀଲଙ୍କା ବର୍ମା, ଥାଇଲ୍ଯାଣ୍ଡ, କାମ୍ବୋଡିଆ, ଭିଏତନାମ, ଲାଓସ, ଚୀନ, ଆଫ୍ରିକା ଓ  ଜାପାନ ଯାଏଁ ଭାରତୀୟ ଭାଷା ସଂସ୍କୃତି ଏବଂ ଧର୍ମ ପହଞ୍ଚାଇ ସେମାନଙ୍କ ସମାଜକୁ ଉନ୍ନତ କରିଦେଇଥିବା ଓଡ଼ିଆ ମାନଙ୍କୁ ଭାରବାହକ କହି ଵରଂ ଆମ ହିନ୍ଦିଆ, ଵଙ୍ଗାଳୀ ଭାଇ ମାନେ ମହାନ କାର୍ଯ୍ୟ କରିଅଛନ୍ତି । ଏଥିପାଇଁ ଓଡ଼ିଆ ମାନେ ସେମାନଙ୍କ ନିକଟରେ ଚିର କୃତଜ୍ଞ ରହିବେ ।

ଅତଃ ଉତ୍କଳ ପରି ଶ୍ରେଷ୍ଠ ,ଉତ୍କୃଷ୍ଟ ଵୈଜ୍ଞାନିକ ପୁରାଣ ପ୍ରସିଦ୍ଧ ନାମକୁ ଯେଉଁ ଓଡ଼ିଶାଵାସୀ ଲୋକମାନେ ଅପସନ୍ଦ କରୁଛନ୍ତି, ଯେଉଁ ଓଡ଼ିଶାଵାସୀ ଲୋକ ଆପଣା ଅଜ୍ଞାନତା ଯେତୁ ଏଭଳି ଏକ ସୁନ୍ଦର ନାମକୁ ନେଇ ଆଞ୍ଚଳିକ ଭେଦଭାଵ ସୃଷ୍ଟି କରିଵାକୁ ଚେଷ୍ଟା କରୁଛନ୍ତି ସେମାନେ ଥରେ ନିଜ DNA ପରୀକ୍ଷା  କରିନିଅନ୍ତୁ । ହୁଏତ ତାଙ୍କ ଡିଏନଏରେ କଳିଙ୍ଗୀ ରକ୍ତ ପ୍ରଭାଵିତ ହେଉନାହିଁ । ସମ୍ଭଵତଃ ତା ପୂର୍ଵଜ ବହିରାଗତ କିଂଵା ମୁସଲମାନ,ଵର୍ଗୀ ଓ ଇଂରେଜମାନଙ୍କ ଚାଟୁକାର ଗୋଡ଼ଚଟା ଥିଲେ, କାଳିଙ୍ଗ୍ୟ ଜାତୀୟତା ଵିହୀନ ଲୋକ ଥିଲେ । ଉତ୍କଳ କେଵଳ ଗୋଟିଏ ଶବ୍ଦ ନୁହେଁ କି ସାଧାରଣ ନାମ ମାତ୍ର ନୁହଁଇ ଏହା ଆମ ଜାତୀୟ ସ୍ଵାଭିମାନର ପ୍ରତୀକ । ଏକଥାକୁ ଯିଏ ହୃଦୟଙ୍ଗମ ନକରିପାରୁଛି ସେ ଦୟାକରି ଆମ ଦେଶରୁ ଚାଲିଯାଇ ନିଜ ପୈତୃକ ଭୂମିରେ ସୁଖରେ ରହୁ । ସେ ଓଡ଼ିଶାରେ ଓଡ଼ିଆ ଜାତିରେ ଜନ୍ମ ହୋଇ ମଧ୍ୟ ହୃଦୟରୁ କେବେବି ଓଡ଼ିଆ ନୁହଁଇ ।

Monday, May 17, 2021

କିଛି ବିଲେଇଙ୍କ କାହାଣୀ

ହିମାଳୟ ପର୍ଵତମାଳାର ଉତ୍ତରପାର୍ଶ୍ଵରେ  ବୃକ୍ଷରାଜିରେ ଭରା ଏକ ରମଣୀୟ ସ୍ଥାନ ‌ । ପାଖ ପର୍ଵତର କେତେକ ଗୁମ୍ଫାମାନଙ୍କରେ ଧୋବଧୋବଲିଆ ଆଦିମାନଵମାନେ ଵସଵାସ କରନ୍ତି । ପାହାଡ଼ ପାଖ ଜଙ୍ଗଲରୁ ଫଳମୂଳ ସଂଗ୍ରହ ଓ ଶିକାର ନାଆଁରେ ଠେକୁଆ ଭଳି ଛୋଟମୋଟ ଜୀଵ ଧରି ଗୁମ୍ଫା ମଧ୍ୟକୁ ଫେରିଵା ଏହା ହିଁ ସେମାନଙ୍କର ନିତ୍ୟ ନୈମିତ୍ତିକ ଵୃତ୍ତି ହୋଇଯାଇଥାଏ । ତାଙ୍କ ପାଖରେ କିଛି ଚମରୀ ଗାଈ ଆଉ କେତେଗୋଟି ଗୃହପାଳିତ ଶ୍ଵାନ ଥିଲେ । ସେମାନେ ଵସ୍ତ୍ର ଓ ଖାଦ୍ୟ ପାଇଁ ଚମରୀ ଗାଈଙ୍କୁ ପାଳୁଥିଵାଵେଳେ ନିଜ ଲୋକଙ୍କୁ ହିଂସ୍ର ଵନ୍ୟଜନ୍ତୁଙ୍କଠାରୁ ରକ୍ଷା କରିଵା ପାଇଁ ଲମ୍ବାଳିଆ ଶ୍ଵାନ ପାଳିଥିଲେ ।

ତେବେ ଗୋଟିଏ ଜାତିର ଜୀଵ ତାଙ୍କର ପ୍ରତ୍ୟେକ ଦିନ କିଛି ନା କିଛି କ୍ଷତି ଘଟାଉଥିଲେ ‌ । ସେମାନେ ଵିଲେଇ ବଂଶର ଜୀଵ ଥିଲେ ଏଵଂ ଭିନ୍ନ ଭିନ୍ନ ରଙ୍ଗ ରୂପ ଓ ଆକାରର ହୋଇଥିଲେ ହେଁ ସବୁବେଳେ ଦଳବଦ୍ଧ ହୋଇ ଶିକାର କରୁଥିଲେ । ଛୋଟ ଆକାରର ବିଲେଇମାନଙ୍କୁ ତଥ୍ୟ ସଂଗ୍ରାହକର କାର୍ଯ୍ୟ ମିଳିଥିଲା । ସେମାନେ ଆକାରରେ ସାନ ହୋଇଥିଵାରୁ ଯେକୌଣସି ଛୋଟ କଣା ବାଟ ଦେଇ ଯାଇପାରୁଥିଲେ ।  ଗାତ ତଥା ଗୁମ୍ଫା ମଧ୍ୟରେ ଜୀଵଙ୍କୁ ଠାଵ କଲା ଉତ୍ତାରୁ ଅନ୍ୟ ବଡ଼ ବିଲେଇମାନଙ୍କୁ ମିଆଁଉ ମିଆଁଉ ଶବ୍ଦ କରି ଈଶାରାରେ ଡାକୁଥିଲେ । 

ମଧ୍ୟ ଆକାରର ବିଲେଇମାନେ ଭଲ ଦୌଡ଼ି ପାରୁଥିଲେ ସେମାନେ ପ୍ରଥମେ ଆକ୍ରମଣ କରି ଶିକାରଜୀଵମାନଙ୍କୁ ଦୌଡା଼ଇ ଦୌଡା଼ଇ ନୟାନ୍ତ ଓ ନିର୍ଵଳ କରିଦେଲାପରେ  ବଡ଼ ଆକାରର ବିଲେଇମାନେ ସେମାନଙ୍କ ଉପରେ ଶେଷ ଆକ୍ରମଣ କରି ମାରିଦେଉଥିଲେ । ଏଇଭଳି ଭାବେ ବିଲେଇ ବଂଶର ଜୀଵମାନେ ସଫଳ ଶିକାରୀ ଭାବେ ସମ୍ପୂର୍ଣ୍ଣ ଏସିଆ ମହାଦେଶରେ ଏକପ୍ରକାର ଏକାଧିପତ୍ୟ ଶାସନ ଚଳାଇଥାନ୍ତି । ସେମାନଙ୍କ ମଧ୍ୟରେ ଏକତା ଥିଲା,ଏସିଆ ମହାଦେଶରେ ଖାଦ୍ୟ ବି ପ୍ରଚୁର ପରିମାଣରେ ଭରି ରହିଥିଲା ।

ସେ ଯୁଗରେ ଆଦିମାନଵମାନେ ଗୁମ୍ଫାରୁ ସେତେ ପଦାକୁ ବାହାରୁ ନଥିଲେ । ମାନଵ ସଭ୍ୟତା କହିଲେ କେଵଳ ପାର୍ଵତ୍ଯର ଜୀଵନଚର୍ଯ୍ୟାକୁ ବୁଝାଯାଉଥିଲା । ବିଲେଇ ବଂଶର ଜୀଵମାନେ ମାନଵମାନଙ୍କର ପ୍ରତ୍ୟହ କଛି ନା କିଛି କ୍ଷତି କରୁଥାନ୍ତି । କୋଉ ଦିନ ବିଲେଇଙ୍କ ହାବୁଡ଼ରେ ପଡ଼ି ମନୁଷ୍ୟ ମାରୁଥାନ୍ତି ତ ଆଉ କୋଉ ଦିନ ତାଙ୍କର ଗୃହପାଳିତ ପଶୁ ମୃତ୍ୟୁମୁଖରେ ପଡ଼ନ୍ତି । ମନୁଷ୍ୟମାନେ ବିଲେଇଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇଯାଇଥିଲେ କିନ୍ତୁ ସେମାନଙ୍କୁ କେମିତି କିପରି କେଉଁ ଉପାୟରେ ସାବାଡ଼ କରିବେ ସେ ଵିଷୟରେ ଚିନ୍ତା କରିଵା ଛାଡ଼ି ନଥାନ୍ତି ।

ମାନଵମାନେ ସେତେବେଳେ ଅଗ୍ନିକୁ ଛାଡ଼ି ଦେଲେ ଅନ୍ୟ କୌଣସି ତତ୍ତ୍ଵର ଆଵିଷ୍କାର କରିନଥାନ୍ତି କି କୌଣସି ଆଖିଦୃଶିଆ ଦ୍ରଵ୍ଯର ଉଦ୍ଭାଵନ ମଧ୍ୟ ହୋଇନଥାଏ । ଅଦ୍ୟପି ଅନ୍ୟ ଜୀଵଙ୍କ ଅପେକ୍ଷା ମାନଵମାନେ ଅଧିକ ବୁଦ୍ଧିଆ ଓ ଉଦ୍ୟମୀ ଥିଲେ । ସେମାନେ ବିଲେଇମାନଙ୍କୁ କାବୁ କରିଵା ହେତୁକ ଅନେକ ଉପାୟ ପାଞ୍ଚିଲେ । ବିଲେଇଙ୍କୁ ଅଗ୍ନି ଦେଖେଇ ଡରେଇଵାଠାରୁ ଟେକା ବୋଲୁଅ କଚି ମାରିଵା ଯାଏଁ ଅନେକ ଉପାୟ ଵିଷୟରେ ଚିନ୍ତା ଚିନ୍ତନର ଲମ୍ବା ଚଉଡ଼ା ପର୍ଵ ଚାଲିଲା ।

ଥରେ ଜନୈକ ଆଦିମାନଵର ମୁଣ୍ଡକୁ ଗୋଟାଏ ଉପାୟ ଯୁଟିଲା ।  ସେ ସଭା ମଧ୍ୟକୁ ଦୁଇଗୋଟି ଶ୍ଵାନ ଅଣେଇ ଉଭୟଙ୍କ ସମ୍ମୁଖରେ ଖଣ୍ଡିଏ ମାଂସ ପକେଇ ଦେଲା । ମାଂସ ପାଇଵାକୁ ଉଭୟ ଶ୍ଵାନ ପରସ୍ପରକୁ କାମୁଡ଼ି ଗୋଡେ଼ଇଲେ । ଆଦିମାନଵଟା ଏହା ଦେଖେଇ ସବୁ ମାନଵଙ୍କୁ କହିଲା

“ଭାଇମାନେ ଵର୍ଷକୁ ଏକ ସମୟରେ ଭୀଷଣ ଶୀତ ହୁଏ ସେ ସମୟରେ ଗୋଟିଏ ଛୋଟ ଆକାରର ବିଲେଇ ଆମ ଗୁମ୍ଫା ଭିତରେ ପଶିଲା ପରେ ଆମର ସର୍ଵନାଶ ହେଵା ଆରମ୍ଭ ହୁଏ । ଆମେ ତାକୁ ଅନ୍ଧଵିଶ୍ଵାସୀ ଭଳି ଅଶୁଭ ଵିଚାର କରି ଆସିଛନ୍ତି କିନ୍ତୁ ମୁଁ ବହୁତ ଵର୍ଷ ହେଵ ଏହାର କାରଣ ସମ୍ବନ୍ଧରେ ଅନୁସନ୍ଧାନ ଚଳାଇଥିଲି ଏଵଂ  ଯାହା ଜଣାପଡୁଛି ଏହି ଛୋଟ ଆକାରର ବିଲେଇମାନେ ପ୍ରକୃତରେ ଗୋଟେ ଗୋଟେ ଗୁପ୍ତଚର । ଆମେମାନେ ଯଦି ଏମାନଙ୍କୁ କାବୁ କରିନେଵା ତେବେ ଆମ ଗୁମ୍ପାର ଠାବ ବଡ଼ ଆକାରର ବିଲେଇମାନେ ଆଦୌ ପାଇ ପାରିଵେ ନାହିଁ”

ଅନେକ ମାନଵ ଉକ୍ତ ଵ୍ୟକ୍ତିର କଥା ଶୁଣି ନୂଆ କଥା ଜାଣିଲା ପରି ଆଶ୍ଚର୍ଯ୍ୟ ହେଲେ । ଆଉ କିଛି ଲୋକ ତା କଥା ଶୁଣି ମୂର୍ଖ ଭଳି ହସିଲେ । ଜଣେ ଥଟ୍ଟାରେ କହିଲା ଠିକ୍ ଯେ ସେଇ ବିଲେଇ ବେକରେ ଘଣ୍ଟି କିଏ ବାନ୍ଧିଵ ? ଅର୍ଥାତ୍ ଉକ୍ତ ଛୋଟ ଜାତୀୟ ବିଲେଇକୁ କାବୁ କିପରି କରିଵା ?

ବୁଦ୍ଧିଆ ଲୋକଟି ଏହାର ଉତ୍ତରରେ କହିଲା “ ବହୁତ ସହଜ ! ଶୀତ ଦିନ ଆସିଲେ ଆମେ ସେଭଳି ଛୋଟ ଆକାରର ବିଲେଇଙ୍କୁ ଧରି ତାଙ୍କୁ କେତେ ଦିନ ବାନ୍ଧି ରଖିଵା ଓ ମାଂସ ଖାଇଵାକୁ ଦେଵା ଯଦ୍ଵାରା ସେ ଆମ ପୋଷା ମାନି ଆଉ ବଡ଼ ବିଲେଇଙ୍କ ପାଖକୁ ଯିଵ ନାହିଁ ଫଳତଃ ଆମେ ସୁରକ୍ଷିତ ରହିଯିଵା ।”

ସମସ୍ତେ ସେଇଭଳି କଲେ । ଶୀତ ଦିନ ଆସିଲା । କେତୋଟି ଛୋଟ ବିଲେଇ ଧରା ହେଲେ । ସେମାନଙ୍କୁ ମନୁଷ୍ୟମାନେ ପୋଡ଼ା ମାଉଁସ ଖାଇଵାକୁ ଦେଲେ । କେହି କେହି ଶାକାହାରୀ ମାନଵ ମାଂସ ନଦେଇ ବିଲେଇମାନଙ୍କୁ ଚମରୀ ଗାଈଙ୍କ ଦୁଗ୍ଧ  ପିଇଵାକୁ ଦେଲେ ।
ଏଣିକି ସେହି ଛୋଟ ଆକାରର ବିଲେଇମାନେ ଆଉ ଜଙ୍ଗଲକୁ ନଯାଇ ମଣିଷଙ୍କ ସହିତ ରହିଵାକୁ ଲାଗିଲେ ।

(ଵିଦ୍ର:- ଛୋଟ ବିଲେଇମାନେ ଜଙ୍ଗଲକୁ  ନଗଲାରୁ ବଡ଼ ବିଲେଇଙ୍କର ହଠାତ୍ କୌଣସି କ୍ଷତି ହେଲା ନାହିଁ ସତ ମାତ୍ର ସେମାନେ ସେତେବେଳେ ଜାଣିନଥିଲେ ଯେ ଏଇ ମାନଵଙ୍କ ଯୋଗୁଁ ଦିନେ ତାଙ୍କ ମାର୍ଜାର ବଂଶର ଵିରାଡି଼କୁ ଛାଡ଼ି ବାଘ,ହେଟା,ସିଂହ, କଲରାପତରିଆ ,ଚିତା ଓ ପୁମା ଆଦି ସମସ୍ତ ଜାତୀୟ ଜୀଵ ଲୋପ ହେଵା ସ୍ଥିତିରେ ପହଞ୍ଚିଯିଵେ । ସାନ ଵିଲେଇମାନେ କେବେ ବି ଏକଥା ହୃଦୟଙ୍ଗମ କରି ପାରିଵେ ନାହିଁ କି କରିନାହାନ୍ତି । ସେମାନଙ୍କ ଜାତି ସୁରକ୍ଷିତ ତେଣିକି ତାଙ୍କ ବଂଶର ଅନ୍ୟ ଜାତିର ଜୀଵ ମରନ୍ତୁ ତାଙ୍କର ଵା କ'ଣ ଯାଉଛି ସେମାନେ ଚିନ୍ତା କରିଵେ ? ଆମ ଓଡ଼ିଶାରେ ମଧ୍ୟ ଏହି ଛୋଟ ବିଲେଇଙ୍କ ପରି କିଛି ଲୋକ ଅଛନ୍ତି ଯୋଉମାନେ ନିଜର ମଧୁବାବୁଙ୍କ ପରି ନାମ ପ୍ରତିଷ୍ଠା ଓ ଶାସକ ହେଵା ଲୋଭରେ ଓଡ଼ିଆ ଜାତି ଓ ଭାଷା ମାତୃକାର କ୍ଷତି କରିଵାକୁ ପଶ୍ଚାତପଦ ହେଉନାହାନ୍ତି । ମାତ୍ର ଏକଥା କକ୍ଷରେ ଅକ୍ଷରେ ସତ ଯେ ଯେଉଁଦିନ ବାଘ ସିଂହ ପରି ବିଲେଇ ଜାତୀୟ ଵନ୍ୟ ଜୀଵ  ସମ୍ପୂର୍ଣ୍ଣ ଲୁପ୍ତ ହୋଇଯିଵେ ସେଦିନଠାରୁ ମାନଵ ସଭ୍ୟତା ଅନ୍ତର କାହାଣୀ ମଧ୍ୟ ଆରମ୍ଭ ହୋଇଯିଵ ଏଵଂ ମାନଵଙ୍କ ସହିତ ମରି ହଜି ଯିଵେ ତାଙ୍କ ସ୍ଵାର୍ଥପର ସେଇ ଛୋଟ ବିଲେଇ ମାନେ...   )

Friday, May 14, 2021

ଅଭ୍ୟାସ

ମୋ  ପିତାଙ୍କ ବାଗେନାରେ  ଦୁଇଗୋଟି ପିଞ୍ଜରା ଅଛି ।

ଗୋଟେ ପିଞ୍ଜରାରେ ସିଂହଟାଏ ଅଛି, ଯାହାକୁ ମୋ ପିତାଙ୍କର ଦାସ ନାତିଵା , ମରୁଭୂମିରୁ ଧରି ଆଣିଥିଲେ ଏଵଂ ଆନ ଏକ ଘରାରେ ଗୋଟିଏ ଚଢ଼େଇ ରଖାଯାଇଛି ।

ପ୍ରତିଦିନ ସକାଳୁ ସକାଳୁ ଚଢ଼େଇଟି ସିଂହକୁ କହେ,

"କଏଦୀ ଭାଇ ଗୋ ! ଗୁଡ ମାର୍ନିଗ ଟୂ ୟୁ"

©ଖ଼ଲୀଲ ଜିବ୍ରାନ୍

Thursday, May 13, 2021

ଗଙ୍ଗଦତ୍ତ ବେଙ୍ଗର କଥା

ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ୍ତ’ ଗୋଟାଏ ସାପ ଦ୍ଵାରା ନିଜର ସମସ୍ତ ପ୍ରତିଦ୍ଵନ୍ଦୀ ଓ ଵିରୋଧୀମାନଙ୍କୁ ମରେଇ ଦେଲା ହେଲେ ସାପ ସେମାନଙ୍କ ପରେ ପରେ  ଗଙ୍ଗଦତ୍ତ କୁଟୁମ୍ବର ଭେକମାନଙ୍କୁ ବି ଖାଇଗଲା ।

ଏଵେ ଗଙ୍ଗଦତ୍ତ ସେଇ କୂଅରେ ଏକେଲା ବଞ୍ଚିଯାଇଥାଏ । ସାପ ତାକୁ ବି ଖାଇଵାକୁ ଉଦ୍ଯତ ହୁଅନ୍ତେ ଗଙ୍ଗଦତ୍ତ ବେଙ୍ଗ କହିଲା

“ହେ ସାପଭାଇ ଦୟାକରି ତୁମ୍ଭେ ମୋତେ ଗିଳନାହିଁ ଏଥିରେ ତୁମ୍ଭର କ୍ଷତି ହିଁ ହେଵ  ଵରଂ ମୁଁ ତୁମ୍ଭ ପାଇଁ ଅନ୍ୟ ଏକ କୂପକୁ ଯାଇ ଆହୁରି ଅନେକ ବେଙ୍ଗଙ୍କୁ ଏଠାକୁ ନେଇ ଆସିଵି”

ଏଭଳି କୌଶଳ କରି ଗଙ୍ଗଦତ୍ତ  ସେଇ କୂଅରୁ ଅଳ୍ପକେ ଵର୍ତ୍ତିଯାଇଥିଲା । କୂଅରୁ ବାହାରି ସେ ଯେମିତି ପଦାକୁ ଆସି ଦେଖିଲା ପୃଥିଵୀଟା କେତେ ଵିଶାଳ ତାହା ଅନୁଭଵ କରିପାରିଲା । କୂଅରେ ତ ସାପ ଅଛି ତେଣୁ କୂଅର ଲୋଭ ଛାଡ଼ି ଏବେ ଅନ୍ୟ ଏକ ଵାସସ୍ଥାନ ଅନ୍ଵେଷଣ କରିଵାକୁ ଗଙ୍ଗଦତ୍ତ ବାହାରି ପଡି଼ଛି । କୂଅଠାରୁ ମାତ୍ର ଦୁଇ କୋଶ ଦୂରରେ ହ୍ରଦଟିଏ ଥାଏ ଯେ ଗଙ୍ଗଦତ୍ତ ଡେଇଁ ଡେଇଁ ଆସି ସେଇ ହ୍ରଦ ପାଖରେ ପହଞ୍ଚିଗଲା ।

ସେଇ ହ୍ରଦଟି ବହୁତ ବଡ଼ ପୁଣି ସେଠାରେ ଅନେକ ଜାତିର ଜୀଵ ଵସଵାସ କରୁଥାନ୍ତି । ହ୍ରଦଟିରେ ଜଳତନ୍ତ୍ର ଶାସନ ଵ୍ୟଵସ୍ଥାରେ ଶାସନ ହେଉଥାଇ । ଏଥିରେ କୁମ୍ଭୀର ଓ ସର୍ପାଦି ଜୀଵଭକ୍ଷକ ଗୋଷ୍ଠୀ ଶାସନ କାର୍ଯ୍ୟ ପରିଚାଳନା କରୁଥିଵାଵେଳେ ଅନ୍ୟ ଜଳଚର ଜୀଵମାନେ ମତଦାତାଠାରୁ ପ୍ରଶାସନିକ ଅଧିକାରୀ ଯାଏଁ ଵିଭିନ୍ନ କାର୍ଯ୍ୟ କରୁଥିଲେ ।

ସେହି ହ୍ରଦର ସମ୍ବିଧାନ ଅନୁସାରେ ଜଳଚର ଜୀଵଟିଏ ଜଳଚର ଜୀଵକୁ ଆଦୌ ଭକ୍ଷଣ କରିଵ ନାହିଁ ଵରଂ ଏକ ଜଳଚର ଜୀଵଭକ୍ଷକ କୌଣସି ସ୍ଥଳଚର ଜୀଵକୁ ଭକ୍ଷଣ କରିଣ ଆପଣା ଜୀଵନଯାପନ କରିଵ । ଏ ନିୟମ ଲକ୍ଷ ଲକ୍ଷ ଵର୍ଷ ଧରି ସେ ହ୍ରଦର ଜୀଵମାନେ ପାଳୁଅଛନ୍ତି । ଫଳତଃ ଉକ୍ତ ହ୍ରଦରେ ବେଙ୍ଗ ଆଦି ନୀରିହ ଜୀଵମାନେ ଅତି ସୁଖରେ କାଳାତିପାତ କରୁଥାଆନ୍ତି ।

ଗଙ୍ଗଦତ୍ତ ଦେଖିଲା ସେଠାରେ ତାହାର ଅନେକ ଭାଇବନ୍ଧୁ ଅଛନ୍ତି ଯେଉଁମାନେ ଠିକ୍ ତା ଭଳି କେଁ କଟର କେଁ କଟର କରିପାରନ୍ତି । ସେମାନଙ୍କର ପରସ୍ପରର ଭାଷା ଏକ ଥିଲା ହାଵଭାଵ,ମଉଡା଼ ସବୁ ମିଶିଯାଉଥିଲା ।  ତେଣୁ ପୁଷ୍କରିଣୀର ବେଙ୍ଗମାନଙ୍କ ସହ ଗଙ୍ଗଦତ୍ତର ସମ୍ପର୍କ ଘନିଷ୍ଠରୁ ଘନିଷ୍ଠତର ହେଵାକୁ ଲାଗିଲା ।

ଦିନେ ପୁଷ୍କରିଣୀରେ ବୁଲୁବୁଲୁ ଗଙ୍ଗଦତ୍ତ ଅନେକ ସର୍ପମାନଙ୍କୁ ମଧ୍ୟ ଦେଖିପାରିଲା । ଏକ ସର୍ପଦ୍ଵାରା କୂପ ମଧ୍ଯରେ ତାହାର ସବୁ ଭ୍ରାତାବନ୍ଧୁଙ୍କୁ ହତ୍ୟା କରାଯାଇଥିଵା ହେତୁରୁ ସେ ସଂପୂର୍ଣ୍ଣ ସର୍ପଜାତିଟାକୁ ଘୃଣା କରୁଥାଏ । କିନ୍ତୁ ଏତେସଂଖ୍ୟକ ସର୍ପଙ୍କଠାରୁ ସିଏ ଏକାକୀ ତ ପ୍ରତିଶୋଧ ନେଇପାରିଵ ନାହିଁ ତେଣୁ ମନେ ମନେ ବହେ ଉପାୟ ପାଞ୍ଚିଲା । କେଁ କଟର କରି କରି ଗୋଟାଏ ପଦ୍ମ ପତ୍ରରୁ ଆନ ଏକ ପତ୍ରକୁ ଯହ ଡିଆଁ ଡେଇଁ କରୁଥାଇ । ଶେଷରେ ତା ମୁଣ୍ଡକୁ ଉପାୟଟିଏ ଯୁଟିଲା ।

ପ୍ରତିଦିନ ସକାଳୁ ସକାଳୁ ପାଣିରେ ରହୁଥିଵା ବୋଡ଼ା ଆଦି ସାପମାନେ ସ୍ଥଳଭାଗକୁ ଖାଦ୍ୟ ଉଣ୍ଡିଵାକୁ ବୁଲି ବାହାରନ୍ତି ।
ଯେମିତି ସେମାନଙ୍କୁ ଗଙ୍ଗଦତ୍ତ ବେଙ୍ଗ ଦେଖିଦିଏ ତାଙ୍କ ଆଗ ସାମ୍ନାକୁ ଚାଲିଆସି ମିଛଟାରେ ତା ବେଙ୍ଗ ଜାତିଭାଇଙ୍କୁ ବଡ଼ ପାଟି କରି ଡାକେ

“ହେ ବଞ୍ଚାଅ ବଞ୍ଚାଅ ମୋତେ ଖାଇଗଲେ ହେ ଭାଇମାନେ”

ଏ ରାମା ଏ ଭୀମା ହଇରେ ଶଙ୍କରା ଆବେ ମକରା
ଆରେ ସବୁ କୋଉଠି ଅଛ ଧାଇଁ ଆସରେ ଧାଇଁ ଆସ
ଏ ରାକ୍ଷସ ସର୍ପମାନେ ଏଇନାକେ ମେତେ ଚଳୁକରିଦେଵେ ରେ”

ପ୍ରଥମେ ପ୍ରଥମେ ଗଙ୍ଗଦତ୍ତର ନାଟକ ଦେଖି ସ୍ଵୟଂ ତାହାର ବେଙ୍ଗ ଜାତିଭାଇମାନେ ହିଁ ଵିଶ୍ଵାସ କରୁନଥିଲେ ।  ‘ଖୋ ରେ  ! ଶଳା ବାହାରିଆଟା ବୋ ! ଏଟା କଥାରେ କିଏ ପଡୁ଼ଛି ମ’ !!

କିନ୍ତୁ ଗଙ୍ଗଦତ୍ତ ସହଜେ ଛାଡି଼ଵା ଜନ୍ତୁ ନୁହେଁ ।  ଵିଭିନ୍ନ ପ୍ରକାରର ଉପାୟ ଅଵଲମ୍ବନ କରି ସେ  ତାହାର ଅନେକ ବେଙ୍ଗ ଭାଇମାନଙ୍କୁ ତା ଆନ୍ଦୋଳନର ସମର୍ଥକ କଲା । କାହାକୁ “ଭେକ ଜାତୀୟତା”ର ମଦରେ ଅନ୍ଧ କରି ତ କା'କୁ କଙ୍କି ଦେଵାର ଲୋଭରେ ପକେଇ ନିଜ ପକ୍ଷକୁ ଆଣିଲା । ଚାହୁଁ ଚାହୁଁ ଦିନ କେଇଟାରେ ଶହ ଶହ ବେଙ୍ଗ ଏକ ସ୍ଵରରେ କହିଲେ ଏ ମାଂସଭକ୍ଷକ ଜୀଵମାନଙ୍କୁ ଏହି ହ୍ରଦରୁ ବାହାର କର ଅନ୍ୟଥା ହ୍ରଦକୁ ଦୁଇଭାଗ କରି ବାଣ୍ଟିଦିଅ । ଏକ ପାଖରେ ହିଂସ୍ର-ଜଳଚର ରହିଵେ ଆନ ପଟରେ ନୀରିହ କ୍ଷୁଦ୍ର ଜୀଵ ରହିବେ । ମାଛ , କଙ୍କଡ଼ା ଆଦି ଜୀଵମାନେ ବେଙ୍ଗମାନଙ୍କର ସମର୍ଥନରେ ବାହାରିପଡି଼ଲେ ।

ଗୋଳଟା ଶେଷକୁ କଇଁଛ ବିଚାରପତିଙ୍କ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଲା । ଵୟୋଜ୍ୟେଷ୍ଠ କଚ୍ଛପ ଵିଚାରପତି ମହୋଦୟ  ବହୁତ ସମୟ ଧରି ଏ ଵିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରୁଥାଆନ୍ତି ‌। ଶେଷରେ ହ୍ରଦର ସୁପ୍ରିମକୋର୍ଟ ଆଦେଶ ଦେଲା ।

“ହ୍ରଦଟି ପ୍ରାକୃତିକ ଦୃଷ୍ଟିରୁ ଏକ ଓ ଅଭିନ୍ନ ତେଣୁ କୌଣସି ଜୀଵ ଵିଶେଷଙ୍କ ପାଇଁ ତାହାର ଵିଭାଜନ ପ୍ରକୃତି ଵିରୁଦ୍ଧାଚରଣ ଵିଚାର୍ଯ୍ୟ ହେଵ । ଅତଃ ଏହି ହ୍ରଦ-କୋର୍ଟରେ ସର୍ବସମ୍ମତିକ୍ରମେ ଘୋଷଣା କରାଗଲା ଯେ ଏଠାକାର ବଡ଼ ବଡ଼ ମାଂସ ଭକ୍ଷୀ ଜୀଵମାନେ ଶିଘ୍ରାତିଶିଘ୍ର ଅନ୍ୟତ୍ର ରହିଵାର ଵ୍ୟଵସ୍ଥା କରନ୍ତୁ ନୋହିଲେ ଜଳ ସମାଜର ସମସ୍ତ ଜୀଵ ମିଶି ସେମାନଙ୍କ ଵିରୁଦ୍ଧରେ ଵଳପୂର୍ଵକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵେ”

କୁମ୍ଭୀର ଓ ବୋଡ଼ା ସର୍ପମାନେ ସ୍ଵଭାଵତଃ ହିଂସ୍ର ହେଲେ ହେଁ ବହୁଦିନ ଧରି ଅନ୍ୟ କ୍ଷୁଦ୍ର ଜଳ ଜୀଵଙ୍କ ସହିତ ଏକତ୍ର ସହାଵସ୍ଥାନ କରୁଥିଵାରୁ ଆପଣାର ମୂଳପ୍ରକୃତି ଭୁଲି ସାରିଥାନ୍ତି । ସେମାନେ ଦୁଃଖ ମନରେ ହ୍ରଦ ଛାଡ଼ି ନିକଟସ୍ଥ ଛୋଟ ଛୋଟ ପୁଷ୍କରିଣୀ ମଧ୍ୟକୁ ଯିଵାକୁ ଲାଗିଲେ ।

ଵିଶାଳ ହିଂସ୍ର ଜଳଜୀଵଙ୍କ ଵିନା ହ୍ରଦଟିରେ କିଛି ଦିନ ପାଇଁ ଶାନ୍ତି ଵିରାଜମାନ କଲା ମାତ୍ର ଧୀରେ ଧୀରେ ମାନଵମାନେ ଓ ତାଙ୍କର ଗୃହପାଳିତ ଜୀଵ ଏ ହ୍ରଦକୁ ଗାଧୋଇଵା ପାଇଁ ତଥା ଜଳ ନେଵା ପାଇଁ ଆସିଵାକୁ ଲାଗିଲେ । ପ୍ରତିଦିନ ଶହ ଶହ ମାଛ କଙ୍କଡ଼ାମାନଙ୍କୁ ମଣିଷମାନେ ମାରି  ଖାଇଲେ । ପୁଣି ଉକ୍ତ ହ୍ରଦରୁ ହଜାର ହଜାର ଲିଟର ଜଳ ପ୍ରତିଦିନ କଟକ ନଗରର ଵିକାଶ କାର୍ଯ୍ୟରେ ଵ୍ୟଵହୃତ ହେଲା । ଆଗ ଭଳି ହିଂସ୍ରଜନ୍ତୁ ନଥିଵାରୁ ଏବେ ମାନଵମାନେ ଉକ୍ତ ହ୍ରଦରେ ଅଵାଧ୍ୟ ପ୍ରଵେଶ କରିଵା ଆରମ୍ଭ କରିଦେଲେ । ହ୍ରଦର ତଥାକଥିତ ନିରୀହ ଜଳଜୀଵମାନେ କିଛି ବୁଝିଵା ପୂର୍ଵରୁ ମନୁଷ୍ୟମାନେ ଉକ୍ତ ହ୍ରଦକୁ ଵାସ୍ତୁଵାଦୀ ଵିକାଶ ପାଇଁ ବଳି ପକେଇ ଦେଵାର ନିର୍ଣ୍ଣୟ ନେଇ ସାରିଥିଲେ ।

(କଟକ ନଗରରେ ଆଗେ ଗୋଟିଏ ହ୍ରଦ ଥିଲା ଯାହାକୁ ୧୮୧୪ ସୁଦ୍ଧା “ସପନା ଝିଲ୍” କୁହାଯାଉଥିଲା । ହିନ୍ଦୀ ଭାଷାରେ ହ୍ରଦକୁ ଝିଲ୍ କୁହାଯାଏ । ସେତେବେଳେ କଟକର ତୃତୀୟ ମହଲା ଥିଲା ତେଲେଙ୍ଗା ବଜାର ଏଵଂ ଚତୁର୍ଥ ମହଲା ଗଙ୍ଗା ମଞ୍ଜିଲ୍ ଯାହାକୁ ଏବେ ଗଙ୍ଗାମନ୍ଦିର ସାହି କୁହାଯାଉଛି । ଏ ଉଭୟ ଅଞ୍ଚଳରେ କାହ୍ନୁ ଆଚାର୍ଯ୍ୟ ନାମରେ ଜଣେ ଜମିଦାରଙ୍କର ଅନେକ ଜମିବାଡ଼ି ଥିଲା । ସପନା ଝିଲ୍ ମଧ୍ୟ ତାଙ୍କରି ନାମରେ ଥିଲା  । କିନ୍ତୁ ଦୁର୍ଭାଗ୍ୟଵଶତଃ ଆଜି ଗଙ୍ଗାମନ୍ଦିର ଅଞ୍ଚଳରେ ଦୁଇ ତିନୋଟି ଛୋଟ ବନ୍ଧ ଥିଲେ ହେଁ ଝିଲ୍ ଵା କୌଣସି ହ୍ରଦ ଥିଵା ଜଣାଯାଏ ନାହିଁ । ସମ୍ଭଵତଃ ଜନଵସତି ବଢି଼ଵାରୁ ହ୍ରଦଟି ପୋତା ପଡ଼ି ସଂକୁଚିତ ହୋଇ ଯାଇଛି କିଂଵା ନିଶ୍ଚିହ୍ନ ହୋଇଯାଇଛି । ଜଣେ ଇଂରେଜ ପ୍ରଶାସନିକ ଅଧିକାରୀଙ୍କ ଚିଠିରୁ ଏହି ସପନା ଝିଲ୍ ଵିଷୟରେ କେତେକ ତଥ୍ୟ ମିଳିଅଛି । କାହାଣୀର ହ୍ରଦ ପୃଥିଵୀର ଯେକୌଣସି ହ୍ରଦ ହୋଇପାରେ ଏଵଂ କାହାଣୀ ମଧ୍ୟରେ ଉଲ୍ଲେଖିତ ନିରୀହ ଜଳଜୀଵମାନେ ଜଗତର ଯେକୌଣସି ସରଳ ନିରୀହ ଜୀଵ ହୋଇପାରନ୍ତି ଯେଉଁମାନେ ଈର୍ଷା ଦ୍ଵେଷରେ ଅନ୍ଧ କିଛି ତଥାକଥିତ ଘୃଣ୍ବି ଲୋକଙ୍କ କଥାରେ ପଡ଼ି ନିଜ ଦେଶ ମାଟିକୁ ନିଜ ଭାଇ ବନ୍ଧୁଙ୍କୁ ପର କରି ଦିଅନ୍ତି )


Wednesday, April 28, 2021

କନ୍ୟା(କଥା ସମ୍ରାଟ ମନୋଜ ଦାସ)




ଅତି ମ୍ରିୟମାଣ ଚେନାଏ ପାଣିରେ କଇଁଫୁଲଟିଏ ହୋହଲି ହେଲା ଭଳି ଟିପିରି ହସିଲା I ରୋଗଶଯ୍ୟାରେ ମୁଣ୍ଡ ପାଖରେ ଆସି ତା’ ବର ବସିଛି I

ହସି ହସି ମୁହଁ ବୁଲାଇଲା ଟିପିରି ଲାଜରେ’ ଖୁସିରେ ଏବଂ ଇମିତି ହସିବାର ଅଧଘଣ୍ଟାକ ଭିତରେ ବାପା, ବୋଉ ଆଉ ଟିକି ଭାଇଟିଳୁ କନ୍ଦାଇ ସେ ମରିଗଲା I ପ୍ରଭାକର ବି ରୁମାଲରେ ଆଖି ପୋଛିଲା! । ପ୍ରଭାକର ଟିପିରିର ବର! । ଆଉ କେତେ ଘଣ୍ଟାରେ ସେମାନଙ୍କର ଵିଵାହ ହୋଇଥାନ୍ତା I

ଵିଵାହ ଆଜିକୁ  ଦୁଇ ବର୍ଷ ଆଗରୁ ଅବଶ୍ୟ ହୋଇପାରିଥାନ୍ତା ।  ଯେଉଁଦିନ ଵିଵାହର ତାରିଖ ଥିଲା, ତା’ର ଠିକ୍ ତିନି ଦିନ ଆଗରୁ ଟିପିରି ହଠାତ୍ କାନ୍ଦିବାକୁ ଆରମ୍ଭ କଲା I ବୋଉ ପ୍ରଥମେ ମନେକଲେ, ସବୁ ଝିଅଙ୍କ ଢଙ୍ଗ ଏଇଆ । ଯେତେ ପ୍ରଭାକରକୂ ବିଭା ହେବାପାଇଁ ମନ ଥିଲେ ଵି  ଟିପିରି ଏଇ ନିୟମର ବ୍ଯତିକ୍ରମ  ନୁହେଁ |

କିନ୍ତୁ  ଇଏ ତ କାନ୍ଦ ନୁହେଁ,ଯିମିତି ଦିହ ଭିତରେ କିଏ ବିଷର ଅନଳ ଚହଟେଇ ଦେଇଛି; ଆଉ ତାଳୁ କଳସ କଳସ ଆଖିପାଣିରେ ଧୋଇ ଆଣିବାକୁ ଚାହିଁଲେ ଯିମିତି ଶେଷ ହଉ ନାହିଁ’ | ଵର ଆସିବାକୁ ଆଉ ’ଦିନଟାଏ ଅଛି, ଟିପିର  ଅସାଡ଼ ହୋଇ ପଡି଼ଗଲା I
କବିରାଜ ଆସି ଦେଖିଲେ, ଜ୍ଞାନ ନାହିଁ । ପାତଳୀ ହେଲେବି  ପନ୍ଦର ଵର୍ଷର ଗୋରା ତକ୍ ତକ୍ ସୁଠାମ ଦିହ । ଯିମିତି ନିଆଁ ଝାସରେ ସଝିଯାଇଛି, ସିଠା ପଡି଼ଯାଇଛି |

ଆଠ ଘଣ୍ଟା ପରେ ବି ଝିଅର ଜ୍ଞାନ ଫେରିଲା ନାହିଁ କ୍ଷତିପୂରଣ ଦେଇ ବାପା ସେଥର ବିବାହ ବନ୍ଦ କରିଦେଲେ I

ଟିପିରି ବର୍ଷକ ଆଗରୁ ଥରେ ଯାଇଥଲା କଲିକତା- ବାପା ବୋଉଙ୍କ ସାଙ୍ଗରେ l ପ୍ରଭାକର ସାଙ୍ଗରେ ସେଇଠି ମନେ ମନେ ଭାବ । ପ୍ରଭାକର ଥାତୁଆ ହୋଇ ଏମାନଙ୍କୁ ନେଇ ଚିଡ଼ିଆଖାନା ଦେଖାଇଲା; ମହା ଭିଡ଼ ଭିତରେ ପଶି ଟିକେଟ୍ କାଟି ସିନେମା ଦେଖାଇଲା I ପ୍ରଭାକର ହାତରେ ଘଣ୍ଟା, ପକେଟରେ କଲମ, ଆଉ ସେ ପ୍ରତି ପାଞ୍ଚ ମିନିଟରେ ଥରେ ବାସନା ରୁମାଲରେ ମୁହଁ ପୋଛେ I

ଯେଉଁଦିନ ପ୍ରଭାକର ଆସି ଟିପିରି ଇତ୍ୟାଦିଙ୍କୁ ଷ୍ଟେସନରେ ଗାଡ଼ି ଚଢ଼ାଇ ବିଦାୟ ନେଲା’ ସେଦିନ ଟିପିରି କାନ୍ଦି କାନ୍ଦି ମୁହଁ ଲାଲ କରି ପକାଇଲା ଏବଂ ପ୍ରଭାକର ତାହା ଦେଖି ଅଧଘଣ୍ଟା ଛଡା଼ରେ ଆଖିରେ ରୁମାଲ ଦେବାକୁ ଲାଗିଲା ।

ଏହାପରେ ଵିଵାହ ପ୍ରସ୍ତାଵରେ ଉଭୟ ତରଫର କର୍ତ୍ତୃପକ୍ଷ ରାଜି ହୋଇଥିଲେ ।

ପ୍ରଥମରେ ଵିଵାହ ଭାଙ୍ଗିଯିବାର ପ୍ରାୟ ଛଅ ମାସ ଭିତରେ ଆଉ ତିଥି ନଥିଲା । ଏଇ ସମୟଟାରେ କୁଆଡ଼େ ପ୍ରଭାକର ଚାରିଥର କଲିକତାରୁ ତା ଗାଆଁକୁ ଆସିଛି ଏବଂ ତା ଗାଆଁରୁ ଟିପିରି ଗାଆଁ ପର୍ଯ୍ୟନ୍ତ ପ୍ରାୟ ଚାରିମାଇଲ୍ ବାଟରୁ ତିଳି ମାଇଲ୍ ସାଇକେଲ ବହୁ କଷ୍ଟ ସହକାରେ ବାଲି ଉପରେ ଠେଲି ଠେଲି ଏବଂ ମାଇଲିଏ ମାତ୍ର ଚଢ଼ି ଟିପିରି
ପଛପଟେ ଆମ୍ଵତୋଟା ସେପଟରେ ବାରମ୍ବାର ଚକ୍ କର୍ ମାରିଛି । ଟିପିରି ଏ ପଟେ ରହି ଦେଖିଛି ଏବଂ ଇସାରାରେ କଥାବାର୍ତ୍ତା ହୋଇଛି ବୋଲି ତା’ର ସଖୀ ମହଲରେ ଜନରବ ।

ଆଉ ଗୋଟିଏ ତାରିଖରେ ବିବାହ ଠିକ୍ ହୋଇଥଲା! ବିବାହର ଚାରି ଦିନ ଆଗରୁ ଦିନେ  ଦୁଇପ୍ରହର ବେଳେ ଟିପିରି “ବୋଉ ଲୋ !  ଶାଗୁଣା” ବୋଲି ବଡ଼ ପାଟିରେ ଦୁଇ ତିନି ଥର ହୁରି ପକାଇଲା ।  ଶାଗୁଣା କୁଆଡ଼େ ଘର ଉପରେ ବସିଥିଲା  ଏବଂ ଉଡ଼ି ପଳାଇଲା  ।  ବୋଉ ଆସି ଶାଗୁଣା ଦେଖିପାରିଲେ ନାହିଁ କିନ୍ତୁ ଭଲଭାବରେ ଟିପିରିକୁ ଦେଖି ମନରେ କ’ଣ ଭାବିଲେ । ଜ୍ୟୋତିଷ  ଚଉଦ ଦିନ ଭିତରେ ବିବାହ ହେବା ଉଚିତ ନୁହେଁ ବୋଲି ମତ ଦେଲେ; କିନ୍ତୁ ବୋଉ ସେ ବର୍ଷ ଆଉ ବିବାହ କରାଇଦେଲେ ନାହିଁ । ସ୍ୱାମୀଙ୍କୁ କହିଲେ’ “ଟିପିରିର ଯାହା ଇଚ୍ଛା ବୋଲି ଆମେ ଭାବିଥିଲୁଁ ସେଟା ଠିକ୍ ନୁହେଁ । ଆଉ ଗୋଟାଏ ଭଲ ପାତ୍ର ଦେଖ |”

ଭଲ ପାତ୍ର ଯୋଗାଡ଼ ହେଲା! । ପ୍ରଭାକର ଅଜ୍ଞାତନାମା ଚାକିରିଟିଏ କରେ! । ଇଏ କିନ୍ତୁ ସବ୍ ଜଜ୍ ସାହେବଙ୍କ ପାଖରେ ଟାଇପିଷ୍ଟ! । ବାହାଘର ପ୍ରସ୍ତାବ ଏକ ନୂଆ ସ୍ଥାନରେ ପଡି଼ବା ଦିନରୁ ଟିପିରି କେମିତିକା ହତଭମ୍ଵ ଦେଖାଗଲା ଏବଂ ଦିନେ ତା’ର ଜଣେ ବାନ୍ଧବୀ ଆସି ବୋଉଙ୍କୁ କହିଲା ଯେ ଟପିରି ଗଳାରେ ଦଉଡି଼ ଦେଇ କିମିତି ଆତ୍ମହତ୍ୟା କରାଯାଏ ସେଇକଥା ଅନୁସନ୍ଧାନ କରୁଥିଲା ।

ନୂଆ ଜାଗାରେ ପ୍ରସ୍ତାବ ଭାଙ୍ଗି ଦିଆଗଲା! । ଇତିମଧ୍ଯରେ ପ୍ରଭାକରର କକା ତାଙ୍କୁ ଅପମାନ ଦିଆଯାଇଛି ଏବଂ ଝିଅଟି ଅଲକ୍ଷଣୀ ଇତ୍ୟାଦି ଅଭିଯୋଗରେ ଅନ୍ୟତ୍ର ସମ୍ବନ୍ଧ ସ୍ଥିର କରୁଥଲେ । ପ୍ରଭାକର ପ୍ରଥମ ପ୍ରଥମ ଆପତ୍ତି କରୁ ନଥିଲା ।  ହଠାତ୍ ଦିନେ କିନ୍ତୁ କକା ଯେଉଁ ଇଂରାଜୀ ଟେଲିଗ୍ରାମ ପାଇଲେ, ସେକେଣ୍ଡ ମାଷ୍ଟରଙ୍କ ପାଖରେ ତା’ର ଅନୁବାଦ ହେଲା-
“କୁମାରୀ ସ୍ଵର୍ଣ୍ଣବାଳା ଓରଫ ଟିପିରି ମୋର ଜନ୍ମଜନ୍ମାନ୍ତର ଧର୍ମପତ୍ନୀ ଅଟେ ।  ତଦନୁରୂପ କାର୍ଯ୍ଯାନୁଷ୍ଠାନ ପ୍ରାର୍ଥନୀୟ । ଭବଦୀୟ ଆଜ୍ଞାବହ ପୁଚୁରା । ”

ଏଆଡେ଼ ଟିପିରି କୁଆଡେ଼ ନିଜେ ପ୍ରଭାକର ପାଖକୁ ଚିଠି ଲେଖିଛି ଏବଂ ପ୍ରଭାକରର ଟେଲିଗ୍ରାମ ତାହାରି ଅଵଧାରିତ ଫଳ ବୋଲି ଟିପିରିର ସଖୀମହଲ  ବୋଉଙ୍କୁ ଗୋପନରେ
ସମ୍ଵାଦ ଦେଲେ ।

ଟିପିରି ଠିକ ଥିଲା । ବାହାଘର ପୂର୍ଵଦିନ ସକାଳେ ପୋଖରୀ ତୁଠରେ ଫୁଲ ତୋଳୁଁ ତୋଳୁଁ ପୋଖରୀ ଭିତରକୁ ଖସିପଡି଼ଲା । ଛାତିରେ ଭୟଙ୍କର ଆଘାତ । ସଙ୍ଗେ ସଙ୍ଗେ ଉତ୍ତାପ ଓ ଜ୍ଞାନହୀନତା । ବାପା ଆଉ ବରପକ୍ଷକୁ ସମ୍ଵାଦ ଦେବାକୁ ଵି ସାହସ କଲେ ନାହିଁ । ସେମାନେ ଆସନ୍ତୁ ଏବଂ ଅଵସ୍ଥା ଦେଖନ୍ତୁ ।

ଘମାଘୋଟ ଵାଦ୍ୟ ବାଣ ପରିବେଷ୍ଟିତ ହୋଇ ପ୍ରଭାକର ସନ୍ଧ୍ୟାବେଳେ ପହଞ୍ଚିଲା । ପ୍ରଭାକର ଆସିବା ପର୍ଯ୍ୟନ୍ତ ଯିମିତି ଟିପିରି ଅପେକ୍ଷା କରିଥିଲା ।

©କଥାସମ୍ରାଟ ମନୋଜ ଦାସ

Monday, April 26, 2021

ଠାକୁର ଦେଓ ଓ ଅନକୁଆଁରିନମାତାଙ୍କ କଥା

ଗଣ୍ଡମାନଙ୍କର  ବଡ଼ ଦେଵତା ହେଉଛନ୍ତି  “ଠାକୁର ଦେଓ”(ମହାଦେଓ,ଶମ୍ଭୁ) ‌। ତାଙ୍କ ସମ୍ବନ୍ଧରେ ଅନେକ କାହାଣୀ ରହିଛି ତନ୍ମଧ୍ୟରୁ ଗୋଟିଏ ଏହିପରି...

“ଠାକୁର ଦେଓ” ଥରେ “ଅନକୁଆଁରିନ୍ ମାତା”(ପୃଥିଵୀ ମାତା)ଙ୍କୁ ଦେଖି କାମାସକ୍ତ ହୋଇ ତାଙ୍କଠାରୁ ପ୍ରଣୟ ଭିକ୍ଷା କଲେ ଓ ସଫଳ ମଧ୍ୟ ହେଲେ । 

ଅଗନା ଅଗନି ଵନସ୍ତ ମଧ୍ୟରେ ଦୁହେଁ ସଙ୍ଗମରତ ଥିଵା ସମୟରେ “ରନ୍'ହା” ନାମକ ଦେଵତା ଏହା ଦେଖି ଠାକୁରଦେଓଙ୍କ ପିତା 
“କୁଲିତରା”ଙ୍କୁ କହିଦେଲେ । 

କୌଣସି ମତେ ଅନକୁଆଁରିନ୍ ମାତା ଏହା ଜାଣିପାରି ରନ୍’ହାଙ୍କ ଉପରେ କ୍ରୁଦ୍ଧ ହୋଇ ତାଙ୍କୁ ଏକ ଭୀଷଣ ଅଭିଶାପ ଦେଇଦେଲେ ...

ଅଭିଶାପ ଫଳରେ ରନ୍'ହାଙ୍କ ଦେହ ଯୋନୀମୟ ହୋଇଗଲା ଓ ତାଙ୍କୁ କେହି ବାହାରେ ଦେଖିପାରିଲେ ନାହିଁ । ରନ୍'ହା କେବଳ ଘରେ ରହିଲେ । ରନ୍'ହା ସେହିନଠୁଁ ଦୁଲାଦେଓ ନାମରେ ଗଣ୍ଡମାନଙ୍କର ଘରେ ପୂଜା ପାଇଲେ ।  ରନ୍'ହା ଵା ଦୁଲା/ଡୁଲା ଦେଓଙ୍କ ପତ୍ନୀ ହେଉଛନ୍ତି ଡୁଲାଇ/ଦୁଲାଇ/ଜୁଲା ଦେଈ । ଭାଦ୍ରଵମାସର ନୂଆଖାଇଵା ଅଵସରରେ ଗୃହସ୍ଵାମୀ ଏହି ଦେଵୀଙ୍କୁ ପୂଜା କରିଥାଆନ୍ତି ।


ଏହି ଜନଜାତୀୟ ପୁରାଣଗାଥା ସହିତ ରାମାୟଣର ଅହଲ୍ୟା—ଇନ୍ଦ୍ର/ଚନ୍ଦ୍ର ଓ ଅଗସ୍ତି ୠଷିଙ୍କ କଥା ମେଳ ଖାଉଛି । ରାମାୟଣର ଉକ୍ତ କଥାରେ ଅହଲ୍ୟାଙ୍କ ସହିତ ଛଳ କରି ଇନ୍ଦ୍ର ତାଙ୍କର ସତୀତ୍ଵ ନଷ୍ଟ କରିଵାକୁ ଚେଷ୍ଟା କରିଛନ୍ତି ଓ ଚନ୍ଦ୍ର ତହିଁରେ ତାଙ୍କୁ ସାହାଯ୍ୟ କରିଛନ୍ତି । ଶେଷରେ ଅଗସ୍ତି ଋଷି ଇନ୍ଦ୍ରଙ୍କୁ ସହସ୍ରଯୋନୀ ପ୍ରାପ୍ତ ହେଵାର ଅଭିଶାପ ଦେଇଛନ୍ତି ।

ଏହିଭଳି ଅନେକ ଜନଜାତୀୟ ଦେଵତା ଓ ପୁରାଣଗାଥା ସହିତ 
ଵର୍ତ୍ତମାନର ହିନ୍ଦୁ ପୁରାଣଗାଥା ଓଦେଵୀ ଦେଵତାଙ୍କ ସାମଞ୍ଜସ୍ୟ ଥିଵା ଦେଖାଯାଏ ।  ଆରମ୍ଭରେ ଵେଦରେ ଇନ୍ଦ୍ର  ମୁଖ୍ୟ ଦେଵତା ଭାବେ ଘୋଷିତ ହୋଇଛନ୍ତି କିନ୍ତୁ ପରେ ପୁରାଣମାନଙ୍କରେ ତାଙ୍କୁ ବେଳେବେଳେ Antihero ଭଳି ଚିତ୍ରିତ କରାଯାଇଛି ଏଵଂ ମୁଖ୍ୟ ଦେଵତାର ସ୍ଥାନ ଵିଷ୍ଣୁ ଓ ଶିଵଙ୍କୁ ସ୍ଥଳଵିଶେଷରେ ଦିଆଯାଇଛି । 

ଯେମିତି ସଂସ୍କୃତ ଭାଷା ସର୍ଵଭାରତୀୟ ଭାଷାଗୁଡି଼କର ଶବ୍ଦ,ଶୈଳୀ,ଵ୍ୟାକରଣର ମାନକୀକରଣରୁ ସୃଷ୍ଟି ବୋଲି ଏହାର ନାମ ସମ୍ୟକ(ସମ,ସବୁଆଡୁ଼) ଭାବେ କୃତ = ସଂସ୍କୃତ ହୋଇଅଛି ଠିକ୍ ସେହିପରି ମହାଭାରତୀୟ ସନାତନ ସଂସ୍କୃତି ମଧ୍ୟ ଏଠାକାର ସହସ୍ରାଧିକ ମାନବଜାତିଙ୍କ ପରମ୍ପରାଗୁଡି଼କର ସାମୁହିକ ମିଶ୍ରଣରେ ସୃଷ୍ଟି ହୋଇଅଛି ବୋଲି ଏହାକୁ ସଂସ୍କୃତ ପରି “ସଂସ୍କୃତି” କୁହାଯାଇଛି । 

ସଂସ୍କୃତ ଭାଷାର ଅନ୍ୟ ନାମ ନାହିଁ ସେହିପରି 
ସଂସ୍କୃତ, ଓଡ଼ିଆ, ବଙ୍ଗାଳୀ,ହିନ୍ଦୀ,ମରାଠୀ,ତାମିଲ, ତେଲୁଗୁ ଭଳି ଅନ୍ୟ ବଡ଼ ବଡ଼ ଭାରତୀୟ ଭାଷାଗୁଡି଼କରେ ସଂସ୍କୃତି ଶବ୍ଦର ଶତକଡ଼ା ୧୦୦ ପ୍ରତିଶବ୍ଦ କୁହାଇଲା ଭଳି କୌଣସି ପ୍ରତିଶବ୍ଦ ମିଳେ ନାହିଁ ।