Friday, September 15, 2023

•ଵିଦେଶୀ ଗୁଣ୍ଡଖାଦ୍ୟ ଓ ଦେଶୀ ଗୁଣ୍ଡଖାଦ୍ୟ 'ଛତୁଆ'•



ଆମ ଦେଶରେ ଅନେକ ଵୈଦେଶିକ କମ୍ପାନୀମାନଙ୍କର ଦ୍ରଵ୍ୟ ଵିକ୍ରି ହେଉଛି ଏଵଂ ସେଗୁଡ଼ିକର ନାମ ମଧ୍ଯ ଵୈଦେଶିକ ହୋଇଥାଏ ! ଶକ୍ତିବର୍ଦ୍ଧକ ପାନୀୟ ଗୁଣ୍ଡ ଯଥା ହର୍ଲିକ୍ସ୍,କମ୍ପ୍ଲାନ୍ ଓ ବର୍ନଵିଟା ତିନୋଟି ଯାକ କମ୍ପାନୀ ମୂଳତଃ ଇଂଲଣ୍ଡ ଦେଶର ଓ ଏହାର ନାମକରଣ ମଧ୍ଯ ଇଂରାଜୀ ଭାଷାନୁସାରେ ହୋଇଅଛି ! Bourne Vita ନାମଟି Cadbury ଦ୍ଵାରା ନାମିତ। ଏହି Company, Bourneville ନାମକ ଗ୍ରାମରୁ ଆରମ୍ଭ ହୋଇଥିଲା। ତଦନୁଯାୟୀ, ଏହି ନାଁ ହୋଇଅଛି । ସେହିପରି କମ୍ପ୍ଲାନ୍ ଓ ହର୍ଲିକ୍ସ ଆଦି ଶବ୍ଦର ଅର୍ଥ ରହିଛି ଏଵଂ ଏ ଉଭୟ ଶବ୍ଦ ଯୁକ୍ତରାଜ୍ୟ ଇଂଲଣ୍ଡର ଅଟେ । ଆୟାରଲ୍ଯାଣ୍ଡରେ ଆଗେ ଯେଉଁ ଛତୁଆ 
ପରି ଗୁଣ୍ଡକୁ ଗର୍ଭଵତୀ ମହିଳା ଓ ବୃଦ୍ଧା ମହିଳାଙ୍କୁ ପିଇଵାକୁ ଦିଆଯାଉଥିଲା ତାକୁ କମ୍ପ୍ଲାନ୍ କୁହାଯାଉଥିଲା ! 

ହର୍ଲିକ୍ସ ଇଂରେଜ ରାଜତ୍ବକାଳରେ ଇଂରେଜ ସୈନ୍ଯ ଓ ପରେ ଭାରତୀୟ ସୈନ୍ଯଙ୍କ ପାନୀୟ ଭାବେ ଭାରତକୁ ଆସିଲା ! କେତେକ ଵର୍ଷ ମଧ୍ଯରେ ଏହା ଅଖଣ୍ଡ ଭାରତର ସିନ୍ଧୁ-ପଞ୍ଜାବ,ବଙ୍ଗ ଓ ମାନ୍ଦ୍ରାଜ୍ ଅଞ୍ଚଳର ଧନିକ ଲୋକଙ୍କ ଘରେ ପଶିଗଲା !
 ସ୍ବାଧୀନତା ପରେ ବି ଭାରତୀୟମାନେ ଏହି ଇଂରେଜୀ ଛତୁଆ ଦ୍ବାରା ପରାଧୀନ ହୋଇ ରହିଲେ ଏଵଂ ଏହା ଆଜି ବି ଅନେକ ଲୋକଙ୍କ ମନକୁ କଵଳିତ କରି ରଖିଛି !ଇଂଲଣ୍ଡରେ ହର୍ଲିକ୍ସ୍ ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ଥିଲା ! 

•ଯଥା—
(କ)ରାତ୍ରୀକାଳୀନ ଉଷୁମ ଦୁଗ୍ଧ(malted hot milk)
(ଖ)ଅଣ୍ଡକୋଷ/bollocks(euphemistic;slang)
(ଗ)ନିର୍ବୁଦ୍ଧିଆ ଓଲା(slang)

ଅର୍ଥାତ୍ ଇଂଲଣ୍ଡରେ ଓଲା ନିର୍ବୁଦ୍ଧିଆ ଲୋକଙ୍କୁ କମ୍ ଅପମାନିତ କରିବା ପାଇଁ ଓ ଅଣ୍ଡକୋଷର ଏକ ଶିଷ୍ଟ ପ୍ରତିଶବ୍ଦ ଭାବେ ହର୍ଲିକ୍ସ ଶବ୍ଦ ଵ୍ୟଵହାର ହେଉଥିଲା ! ତେବେ ସଂଜ୍ଞାଵାଚକ ନାମ ଭାବେ ଏହି ହର୍ଲିକ୍ସ ଶବ୍ଦର "ଉଷୁମ ଦୁଗ୍ଧ ପାନୀୟ" ଅର୍ଥଟି ଆଧୁନିକ ନା ପ୍ରାଚୀନ ତାହା ସ୍ପଷ୍ଟ ନୁହେଁ ! 

ସମ୍ଭଵତଃ ଜେମ୍ସ ହରଲିକ୍‌ ଓ ୱିଲିୟମ୍ ହରଲିକ୍‌ଙ୍କ ଦ୍ବାରା ଏ କମ୍ପାନୀର ସ୍ଥାପନା ହୋଇଥିଵାରୁ କମ୍ପାନୀର ନାମ ହର୍ଲିକ୍‌ଙ୍କ ଉପନାମାନୁସାରେ ହର୍ଲିକ୍ସ୍ ରଖାଯାଇଥିଵ !  
ଉଦାରୀକରଣ ଯୁଗର ଆରମ୍ଭ ପରେ ପରେ ଭାରତକୁ ଆହୁରି ଅନେକ ତଥାକଥିତ ସ୍ଵାସ୍ଥ୍ୟବର୍ଦ୍ଧକ ପାନୀୟ ଆସିଲା । ତନ୍ମଧ୍ୟରେ boost ,milo,cerelac,ensure ଓ maltova ଅନ୍ଯତମ । 

ତେବେ ନବେ ଦଶକ ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ Lactogen(Nestle କମ୍ପାନୀ ର) ବୋଲି ଏକ ପାନୀୟ ଟିକିଏ ଲୋକପ୍ରିୟ ହୋଇଥିଲା । ନବେ ଦଶକ ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ Lactogenକୁ ଲାଟୋଜିନି କହୁଥିଲେ । 
ପ୍ରକୃତରେ biochemistryରେ Lactogen ହେଉଛି ଏକ ଜାତୀୟ polypeptide placental hormone ଏଵଂ ଏହା somatotropin ଶ୍ରେଣୀୟ ବୃଦ୍ଧିକାରକ ହରମୋନ ଅଟେ । Lactogen ହରମୋନ୍ ଗର୍ଭସ୍ଥ ଶିଶୁର ଶକ୍ତି ଯୋଗାଣକୁ ସୁଗମ କରିଵା ପାଇଁ ଗର୍ଭାଵସ୍ଥାରେ ମାତାର ମେଟାବୋଲିକ୍ ସ୍ଥିତିକୁ ପରିଵର୍ତ୍ତନ କରିଵାରେ ସହାୟକ ହୋଇଥାଏ । ମୋର ମନେ ପଡ଼ୁଛି ଓଡ଼ିଶାର ଲୋକେ କିନ୍ତୁ ଏହି Lactogen ଗୁଣ୍ଡକୁ ଶିଶୁମାନଙ୍କୁ ପିଇଵାକୁ ଦେଉଥିଲେ । 

 "Malt" ଓ "Ova"ltine ଶବ୍ଦକୁ ନେଇ "Maltova" ନାମକରଣ କରାଯାଇଛି ।
 ସେହିପରି Ovaltine ନାମଟି ଲାଟିନ ōvum (“ଅଣ୍ଡା”) ଓ malt ଶବ୍ଦ ଆଧାରରେ ଗଠିତ ହୋଇଥିଲା । Milo ଶବ୍ଦଟି ପର୍ତ୍ତୁଗୀଜ୍ milho ଶବ୍ଦର ଏକ ରୂପ ଏଵଂ ପର୍ତ୍ତୁଗୀଜ୍ ଭାଷାରେ milho ଶବ୍ଦର ଅର୍ଥ “millet(ବାଜରା)” ଅଟେ । cerelac ଓ milo ଉଭୟ Nestlé କମ୍ପାନୀର ଉତ୍ପାଦ ଅଟେ । 

ପ୍ରୋକ୍ତ ସମସ୍ତ ପାନୀୟ ଗୁଣ୍ଡ ଵୈଦେଶିକ ଛତୁଆ କିନ୍ତୁ ଇଂରେଜ ଆଦି ଵୈଦେଶିକ ଜାତି ଭାରତକୁ ଆସିଵା ପୂର୍ଵରୁ ମଧ୍ୟ ଭାରତର ଲୋକେ ଦେଶୀୟ ସ୍ଵାସ୍ଥ୍ୟ ବର୍ଦ୍ଧକ ଶସ୍ୟଗୁଣ୍ଡକୁ ଦୁଗ୍ଧରେ ମିଶାଇ ଖାଉଥିଲେ । 

ସାଧାରଣତଃ ବୁଟ,ମୁଗ,ବାଦାମ,ଯଵ,ବାଜରା,ଗହମ ଆଦି ଵିଭିନ୍ନ ପ୍ରକାରର ଶସ୍ୟ ଭଜା ହୋଇ କରା ଯାଇଥିଵା ଚୂର୍ଣ୍ଣକୁ ଛତୁଆ କୁହାଯାଏ । ଓଡ଼ିଶାରେ ମାଆମାନେ ଚୂଡ଼ା,ଭୁଜା ଗୁଣ୍ଡରେ କ୍ଷୀର ମିଶାଇ ମଧ୍ୟ ପିଲାଙ୍କୁ ଖାଇଵାକୁ ଦିଅନ୍ତି । ଅତି ପ୍ରାଚୀନ କାଳରେ ଭାରତୀୟମାନେ ଯଵ,ବାଜରା ଓ ମୁଗ ଆଦି ଶସ୍ୟକୁ ଭାଜି ତାକୁ ଗୁଣ୍ଡକରି ତହିଁରେ ଦୁଗ୍ଧ ମିଶାଇ ପାନ କରୁଥିଲେ ଏଵଂ ତାକୁ ଶକ୍ତୁ ଓ ସକ୍ତୁ କୁହାଯାଉଥିଲା । ଏହି ଶକ୍ତୁ ଵା ସକ୍ତୁ ଶବ୍ଦଟି ଓଡ଼ିଆ ଭାଷାରେ କ୍ରମଶଃ ଛତୁଆ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ସେହିପରି ଏହି ଶକ୍ତୁ ଵା ସକ୍ତୁ ଶବ୍ଦଟି ଉତ୍ତର ଭାରତରେ सतु ଵା सत्तु ହୋଇଅଛି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛତୁଆ ଶବ୍ଦର ପ୍ରାଚୀନ ସାହିତ୍ୟରେ ପ୍ରୟୋଗର ଗୋଟିଏ ଉଦାହରଣ ମଧ୍ୟ ଉଲ୍ଲେଖ କରାଯାଇଛି । 

“ଚଣାଶାକ, ପିଣ୍ୟାକ ଫଳ ଯେ ଯଵାନ୍ନ ଛତୁଆ ଖାଇ ଯୋଗୀ ରହିଵଟି ଜାଣ”

ଅଵିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଓଡ଼ିଆ କଵି କୃଷ୍ଣସିଂହଙ୍କ କୃତ କୃଷ୍ଣ ମହାଭାରତର ଶାନ୍ତିପର୍ଵରେ ପ୍ରୋକ୍ତ ପଦଟି ଉଦ୍ଧାର କରାଯାଇଛି । 

ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଟକାଳି ଶବ୍ଦ ତଳେ ପ୍ରାଚୀନ ଓଡ଼ିଆ କଵି 
ପୀତାମ୍ବର ଦାସଙ୍କ ନୃସିଂହପୁରାଣରୁ ପଦାଂଶଟିଏ ଉଲ୍ଲେଖ ଅଛି... 

"ଆରିଶା ଛତୁଆ ନାଡ଼ି ଗଜା ଅଟକାଳି।"

ଏହା ପ୍ରାଚୀନ ସାହିତ୍ୟରେ ଛତୁଆ ଶବ୍ଦ ପ୍ରୟୋଗ କରାଯାଇଥିଵାର ଅନ୍ୟତମ ଉଦାହରଣ । 

ଏଠାରେ ମନେ ରଖିଵାକୁ ହେଵ ଯେ କଞ୍ଚା ଶସ୍ୟାଦିର ଚୂର୍ଣ୍ଣକୁ ଚୂନା ଵା ଅଟା ବୋଲାଯାଏ ଏଵଂ ଏହି ଚୂନାକୁ ଵା ଅଟାକୁ ଅଗ୍ନି ସାହାଯ୍ୟରେ ସିଦ୍ଧ କଲେ ଖିଆଯାଏ। କିନ୍ତୁ ଶସ୍ୟାଦିକୁ ପ୍ରଥମେ ଭାଜି ପରେ ଚୂନା କଲେ ଉକ୍ତ ଚୂନାକୁ ଶକ୍ତୁ ଵା ଛତୁଆ ବୋଲାଯାଏ। ଏହାକୁ ନ ରାନ୍ଧି ପାଣିରେ ,ଦଧି ଵା ଦୁଗ୍ଧରେ ଚକଟି ଖିଆ ଯାଇ ପାରେ। ଯେଉଁ ଶସ୍ୟରୁ ଛତୁଆ କରାଯାଏ, ତାକୁ ସେହି ଶସ୍ୟର ଶକ୍ତୁ ବୋଲାଯାଏ। ଯଥା—ଯଵ ଶକ୍ତୁ, ମୁଦ୍ଗ ଶକ୍ତୁ, ଗୋଧୂମ ଶକ୍ତୁ ଇତ୍ୟାଦି । 

ପ୍ରାଚୀନ ଭାରତୀୟମାନେ ଵିଭିନ୍ନ ପ୍ରକାରର ଛତୁଆ ଖାଉଥିଵାରୁ ଛତୁଆ ସମ୍ବନ୍ଧୀୟ ଅନେକ ସଂସ୍କୃତ ଶବ୍ଦ ପ୍ରଚଳିତ ଥିଲା । ଯଥା:—

୧)ଦଧିସକ୍ତଵ (ଦଧି+ ସକ୍ତୁ)— ଛତୁଆ ଓ ଦହି ଚକଟାର ତତ୍ସମ ନାମ । ଓଡ଼ିଆ ଭାଷାରେ ଏହାକୁ ଦହି ଛତୁଆ କୁହାଯାଉଥିଲା । 

୨)ଧାନାଚୂର୍ଣ୍ଣ(ଧାନା+ଚୂର୍ଣ୍ଣ)—ଧାନ ଆଦି ଵିଭିନ୍ନ ପ୍ରକାରର ଧାନା, ଧାନ୍ୟ ଵା ଶସ୍ୟର ଚୂର୍ଣ୍ଣକୁ ଧାନଚୂର୍ଣ୍ଣ କୁହାଯାଉଥିଲା ଯାହା ଶକ୍ତୁ ଵା ସକ୍ତୁର ଏକ ପ୍ରତିଶବ୍ଦ ଭାବରେ ପ୍ରୟୋଗ କରାଯାଉଥିଲା ।  

୩)ବୃଂହଣ—
ଶୂକର ମାଂସରେ ପକ୍ୱ ଯଵର ଛତୁଆକୁ ବୃଂହଣ କୁହାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୮୪୩ତମ ପୃଷ୍ଠାରେ ଉଲ୍ଲେଖ ଅଛି । 

୪)ମନ୍ଥ—ଜଳ ମିଶ୍ରିତ ଘୃତାକ୍ତ ଛତୁଆକୁ ମନ୍ଥ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୨୮୩ତମ ପୃଷ୍ଠାରୁ ଜଣାଯାଏ । 

୫)ଯଵମନ୍ଥ —ଭଜା ଯଵର ଗୁଣ୍ଡ ସହିତ ଘୃତପାକ ଛତୁଆକୁ ଯଵମନ୍ଥ କୁହାଯାଉଥିଲା । 

୬)ଯାଵ ଓ ଯାଵକ—
ଯବଧାନର ଛତୁଆକୁ ଯାଵ ଓ ଯାଵକ କୁହାଯାଉଥିଲା ଯାହା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ଲଭିଛି । 


ଛତୁଆ ଓ ଭାରତୀୟ ସଂସ୍କୃତି:

ଛତୁଆ ପ୍ରାଚୀନ କାଳରୁ ଭାରତ ତଥା ଓଡ଼ିଶାର ଏକ ଖାଦ୍ଯ ଭାବେ ଵ୍ୟଵହାର କରାଯାଉଥିଲା ବୋଲି ଭାରତୀୟ ପର୍ଵ ଓଷା ଵ୍ରତାଦିରେ ଏହାକୁ ମଧ୍ୟ ଅନ୍ୟାନ୍ୟ ଖାଦ୍ୟଦ୍ରଵ୍ୟ ଭଳି ମହତ୍ତ୍ଵ ମିଳିଛି । 

ଉଦାହରଣ ସ୍ୱରୂପ 
ଭାରତରେ ଵରଣ ପ୍ରଘାସ ନାମରେ ଏକ ଵ୍ରତ ଆଷାଢ଼ ଓ କେଉଁଠି କେଉଁଠି ଶ୍ରାଵଣପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେଉଥିଲା । ଏହି ଵ୍ରତରେ କେଵଳ ଛତୁଆ ଖିଆଯାଉଥିଲା । ଲୋକଵିଶ୍ଵାସ ଥିଲା ଯେ ଏହି ଵ୍ରତଧାରୀ ଵ୍ୟକ୍ତି ଜଳରେ ବୁଡ଼ି ମରେ ନାହିଁ ଓ ଜଳଜଜନ୍ତୁମାନେ ତାକୁ ଆକ୍ରମଣ କରନ୍ତି ନାହିଁ । 

ସେହିପରି ଓଡ଼ିଶାର ଉତ୍ତରାଞ୍ଚଳ ଵିଶେଷତଃ ବାଲେଶ୍ଵର ତଥା ମେଦିନୀପୁର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆମାନେ  
ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଛତୁ ସଂସ୍କୃତି ଵା ଛତୁଆ ସଂକ୍ରାନ୍ତି ଭାବେ ମଧ୍ୟ ପାଳିଥାଆନ୍ତି । ଏହି ସଂକ୍ରାନ୍ତି ଦିନ ଦିନ ବ୍ରାହ୍ମଣଙ୍କୁ ଛତୁଆ ଦିଆଯିଵାର ଵିଧାନ ପ୍ରଚଳିତ ଥିଲା ତେଣୁ ଏଭଳି ନାମକରଣ କରାଯାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।

ସୌମ୍ୟକୃଚ୍ଛ୍ର ଵ୍ରତରେ ବି ଛତୁଆ ଭୁଞ୍ଜିଵାର ଵିଧାନ ଥିଲା । ସୌମ୍ୟକୃଚ୍ଛ୍ର ଏକ ପ୍ରକାରର 
ପ୍ରାୟଶ୍ଚିତ୍ତ ଵ୍ରତ ଵିଶେଷ । ଏଥିରେ ପ୍ରତିଦିନ ଯଥାକ୍ରମେ ପିଣ୍ୟାକ=ରାଶି ପିଡ଼ିଆ, ଆଚାମ=ଭାତର ପେଜ, ତକ୍ର=ଦହି, ଅମ୍ବୁ= ଜଳ ଓ ଶକ୍ତୁ=ଛତୁଆ ଖାଇଵାକୁ ହୁଏ ଓ ଷଷ୍ଠଦିନ ଉପଵାସ କରିଵାକୁ ହୁଏ।

ମୋଟ ଉପରେ କହିଵାକୁ ଗଲେ ଦେଶୀ ଛତୁଆ ଆମ ଦୈନନ୍ଦିନ ଜୀଵନରେ ଗୋଟିଏ ମୁଖ୍ୟ ଖାଦ୍ୟ ରୂପେ ଵ୍ୟଵହୃତ ହେଉଥିଲା । ତାପରେ ଆସିଲା ଵିଭିନ୍ନ ଵିଦେଶୀ ଗୁଣ୍ଡଖାଦ୍ୟ ପୁଣି ଵିଭିନ୍ନ ପ୍ରକାରର ଚକୋଲେଟ, ବିସ୍କୁଟ ଓ ବେଫର୍ ଆଦି ମଧ୍ୟ ଗାଆଁ ଦୋକାନରେ ମିଳିଲା । ଧିରେ ଧିରେ ଆଜି ଆମ ସମାଜରୁ ଛତୁଆ ଅପସରି ଯାଇଛି ଏଵଂ ତା'ର ସ୍ଥାନ ନେଇ ଯାଇଛି ଅନେକ ଵୈଦେଶିକ ଗୁଣ୍ଡଖାଦ୍ୟ !!!
••••••••••••••••••••••••••••
✍️ଶିଶିର ସାହୁ ମନୋଜ(କନ୍ତିଓ ପୁଟସାହି, ଢେଙ୍କାନାଳ)
••••••••••••••••••••••••••••

 










Thursday, September 14, 2023

ମନୁଷ୍ୟର ପ୍ରଥମ ଚନ୍ଦ୍ରାଵତରଣ ଅସଫଳ ହୋଇଥିଲେ କ'ଣ ହୋଇଥାନ୍ତା ?

"ଆପୋଲୋ ୧୧ ମିଶନ୍: ଵର୍ଷ ୧୯୬୯"
 ଚନ୍ଦ୍ରପୃଷ୍ଠରେ ଚାଲିଵା ପରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡୱିନ୍ ଏଲଡ୍ରିନ୍ ଲୁନାର୍ ମଡ୍ୟୁଲ୍‌ରେ ବସି କମାଣ୍ଡ ମଡ୍ୟୁଲରେ ଥାଇ ଚନ୍ଦ୍ରକୁ ପରିକ୍ରମା କରୁଥିଵା ମାଇକେଲ କଲିନ୍ସଙ୍କ ନିକଟକୁ ପହଞ୍ଚିଵାର ଥିଲା । ଏହାପରେ ହିଁ ସେମାନେ ସୁରୁଖୁରୁରେ ପୃଥିଵୀକୁ ପ୍ରତ୍ୟାଵର୍ତ୍ତନ କରିପାରିବେ । ଚନ୍ଦ୍ରପୃଷ୍ଠରେ ନିଜର କାର୍ଯ୍ୟ ସାରି ଯେତେବେଳେ ନିଲ୍ ଓ ଏଲଡ୍ରିନ୍ ଲୁନାର୍ ମଡ୍ୟୁଲ୍ ଭିତରକୁ ପ୍ରଵେଶ କଲେ, ସେମାନେ ଦେଖିଲେ ଯେ ତହିଁର ସଞ୍ଚାଳନ ସମ୍ବନ୍ଧୀୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସୁଇଚ୍ ଭାଙ୍ଗି ଭୂମିରେ ପଡ଼ିଛି, ବୋଧହୁଏ ହଠାତ୍ ସେମାନଙ୍କ ଶରୀରର ଆଘାତ ଯୋଗୁଁ ଏପରି ହୋଇଥାଇପାରେ । ଏହି ସମସ୍ୟା ଯୋଗୁଁ ଵର୍ତ୍ତମାନ ଯାନଟି କିପରି ଉଡ଼ିଵ ଉଭୟ ସେ ଵିଷୟରେ ଚିନ୍ତା ଚିନ୍ତନ କରିଵାକୁ ଲାଗିଲେ ।

ଏହି ଅପ୍ରୀତିକର ଘଟଣାର ଵିଵରଣୀ ପୃଥିଵୀର କମାଣ୍ଡ ସେଣ୍ଟରକୁ ପଠାଯାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିନଥିଲା। ସୌଭାଗ୍ୟଵଶତଃ, ସେହି ସମୟରେ ଏଲଡ୍ରିନଙ୍କ ପକେଟରେ ଏକ ସ୍କେଚ୍ ପେନ୍ ଥିଲା, ଯାହାକୁ ଏଲଡ୍ରିନ୍ ଭଗ୍ନ ପ୍ୟାନେଲର ଗର୍ତ୍ତରେ ପ୍ରଵେଶ କରି ଯାନଟିକୁ ସଞ୍ଚାଳନ କରିଵାରେ ସଫଳ ହୋଇଥିଲେ। ଥରେ ଭାବି ଦେଖନ୍ତୁ, ସେଦିନ ଯଦି ଏଲଡ୍ରିନଙ୍କ ପକେଟରେ ସେହି ସ୍କେଚ୍ ପେନ୍ ନଥାନ୍ତା, ତାହେଲେ କ'ଣ ସେହି ଦୁଇ ମହାକାଶଚାରୀଙ୍କ ପୃଥିଵୀ ପ୍ରତ୍ୟାଵର୍ତ୍ତନ ସମ୍ଭଵ ହୋଇଥାନ୍ତା ?

ଆପୋଲୋ ୧୧ ମହାକାଶଯାନ ଯେତେବେଳେ ଚନ୍ଦ୍ରକୁ ଉତକ୍ଷେପଣ କରାଗଲା, ସେତେବେଳେ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱର କଳା ବାଦଲ ଖେଳିଯାଇଥିଲା । ଏହା ସମ୍ପୂର୍ଣ୍ଣ ନିଶ୍ଚିତ ନଥିଲା ଯେ ନୀଲ୍ ଓ ଏଲଡ୍ରିନ୍ ଏହି ମହାକାଶ ଯାତ୍ରାକୁ ସଫଳତାର ସହ ସମ୍ପାଦନ କରି ସୁରକ୍ଷିତ ଭାଵରେ ପୃଥିଵୀକୁ ଲେଉଟିପାରିବେ । ତେଣୁ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ନିକ୍ସନଙ୍କ ଭାଷଣ ଲେଖକ ୱିଲିୟମ୍ ସଫାୟାରଙ୍କୁ ଏକ ଜରୁରୀକାଳୀନ ଭାଷଣ ପ୍ରସ୍ତୁତ କରିଵାକୁ କୁହାଯାଇଥିଲା, ଯାହା ମହାକାଶ ଯାତ୍ରା ଵିଫଳ ହେଲେ ନୀଲ୍ ଓ ଏଲଡ୍ରିନ୍‌ଙ୍କୁ ହରାଇଵା ପରିପ୍ରେକ୍ଷୀରେ ପଢ଼ାଯାଇପାରିଵ। ୩୦ ଵର୍ଷ ପରେ ୧୯୯୯ ମସିହାରେ ଐତିହାସିକ ଜେମ୍ସ ମାନ୍, ନିକ୍ସନ୍ ପ୍ରଶାସନ ସମୟରେ ପ୍ରସ୍ତୁତ ହୋଇଥିଵା ଅଫିସ୍ ଦସ୍ତାବିଜର ସୂଚୀରୁ ଏହି ଭାଷଣ ପାଇଥିଲେ। ସୌଭାଗ୍ୟଵଶତଃ, ଏହି ଭାଷଣ ପଢ଼ିଵାର ଆଵଶ୍ୟକତା ହିଁ ପଡ଼ିଲାନାହିଁ କାରଣ ତିନିଜଣଯାକ ମହାକାଶଯାତ୍ରୀ ପୃଥିଵୀପୃଷ୍ଠକୁ ସୁରକ୍ଷିତ ଭାଵେ ଫେରି ଆସିଥିଲେ ।

କିନ୍ତୁ ଗୋଟିଏ ମିନିଟ୍ ପାଇଁ ମାନସିକ ସମୟଯାତ୍ରା କରି ୧୯୬୯ରେ ପହଞ୍ଚିଵା ଏଵଂ କଳ୍ପନା କରିଵା ଯେ କୌଣସି କାରଣରୁ ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡୱିନ୍ ଏଲଡ୍ରିନଙ୍କ ଚନ୍ଦ୍ରରୁ ପୃଥିଵୀକୁ ପ୍ରତ୍ୟାଵର୍ତ୍ତନ କରିନପାରି ସବୁଦିନ ପାଇଁ ଚନ୍ଦ୍ରରେ ହିଁ ଫସି ରହିଗଲେ। ଭାବି ଦେଖନ୍ତୁ ପୃଥିଵୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଦୁଇ ଜଣ ମଣିଷ ମହାକାଶର ଏକ ଅଜଣା ଗ୍ରହରେ ଫସି ରହିଛନ୍ତି ଆଉ ଆକାଶରେ ନିଜ ମାତୃଭୂମିକୁ ଅସହାୟ ନୟନରେ ଦେଖୁ ଅଛନ୍ତି,ସେଇଠାରେ ହିଁ ଖାଦ୍ୟ ପାନୀୟ ଓ ଵାୟୁ ଅଭାଵରେ ମୃତ୍ୟଵରଣ ସେମାନଙ୍କର ଶେଷ ପରିଣତି ହେଵାକୁ ଯାଉଛି । ଏହି ଵିଚାର ସହିତ, ସେହି ଅଶୁଣା ଭାଷଣକୁ ଶୁଣିଵା ଵା ପଢ଼ିଵା ଅତ୍ୟନ୍ତ ରୋମାଞ୍ଚକର ଅଟେ ।


ଆମେରିକାରେ କେବେ ପଢ଼ାଯାଇନଥିଵା ସେହି ଭାଷଣକୁ “The Greatest Speech Never Given” ଅଭିହିତ କରାଯାଏ । ନିମ୍ନରେ Bill Safireଙ୍କ ଦ୍ଵାରା ଲିଖିତ ସେହି ଭାଷଣଟି ସମ୍ପୂର୍ଣ୍ଣ ଭାଵେ ପ୍ରଦତ୍ତ ହେଲା...

To: H. R. Haldeman
From: Bill Safire
July 18, 1969
- - - - - - - - - - - - - - - -
- - - - - - - - - - - - - - - -
IN EVENT OF MOON DISASTER:

”Fate has ordained that the men who went to the moon to explore in peace will stay on the moon to rest in peace.

These brave men, Neil Armstrong and Edwin Aldrin, know that there is no hope for their recovery. But they also know that there is hope for mankind in their sacrifice.

These two men are laying down their lives in mankind's most noble goal: the search for truth and understanding.

They will be mourned by their families and friends; they will be mourned by the nation; they will be mourned by the people of the world; they will be mourned by a Mother Earth that dared send two of her sons into the unknown.

In their exploration, they stirred the people of the world to feel as one; in their sacrifice, they bind more tightly the brotherhood of man.

In ancient days, men looked at the stars and saw their heroes in the constellations. In modern times, we do much the same, but our heroes are epic men of flesh and blood.

Others will follow, and surely find their way home. Man's search will not be denied. But these men were the first, and they will remain the foremost in our hearts.

For every human being who looks up at the moon in the nights to come will know that there is some corner of another world that is forever mankind.”

PRIOR TO THE PRESIDENT'S STATEMENT:

The President should telephone each of the widows-to-be.

AFTER THE PRESIDENT'S STATEMENT, AT THE POINT WHEN NASA ENDS COMMUNICATIONS WITH THE MEN:

A clergyman should adopt the same procedure as a burial at sea, commending their souls to "the deepest of the deep," concluding with the Lord's Prayer.

ମୋଟାମୋଟି ଭାଵରେ ପ୍ରୋକ୍ତ ଅପଢ଼ା ଭାଷଣଟିର ଓଡ଼ିଆ ଭାଷାନ୍ତର ଏହିପରି...

●●●●●●
”ଭାଗ୍ୟ ତା'ର ନିଶାପ ଶୁଣାଇ ଦେଇଛି। ମାନଵିକ ଶାନ୍ତି ଉଦ୍ଦେଶ୍ୟରେ ଚନ୍ଦ୍ରର ସନ୍ଧାନରେ ଯାଇଥିଵା ସେହି ଦୁଇ ସାହସୀ ଯୁଵକ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ରହିବେ। ଏହି ଦୁଇ ଯୁବକ ଜାଣନ୍ତି ଯେ ସେମାନଙ୍କ ବଞ୍ଚିଵାର କୌଣସି ଆଶା ନାହିଁ, କିନ୍ତୁ ସେମାନଙ୍କର ଏହି ବଳିଦାନରେ ମାନଵିକତାର ଭବିଷ୍ୟତ ଯାତ୍ରା ପାଇଁ ଆଶା ନିଶ୍ଚୟ ରହିଛି । ନିଜ ଜୀଵନକୁ ବାଜି ଲଗାଇ ଅଜଣାକୁ ଉଣ୍ଡିଵାର ଉତ୍ସାହ ଦେଖାଇଥିଵା ଏହି ଵୀର ଯୁଵକଦ୍ଵୟଙ୍କୁ ହରାଇଵାର ଦୁଃଖ ସବୁବେଳେ ତାଙ୍କ ପରିଵାର, ସେମାନଙ୍କର ଦେଶ ଓ ସମଗ୍ର ଵିଶ୍ୱଵାସୀଙ୍କ ମନରେ ରହିଥିଵ । 
.
ଏକ ସମୟ ଥିଲା ଯେତେବେଳେ ଆମର ପୂର୍ଵପୁରୁଷମାନେ ଆକାଶଗଙ୍ଗାର ଏହି ଉଜ୍ଜ୍ୱଳ ତାରକାଗୁଡ଼ି ମଧ୍ୟରେ ନିଜ ନାୟକମାନଙ୍କୁ ଉଣ୍ଡୁଥିଲେ, ଆମେ ମଧ୍ୟ ଆଜି କିଛି ଅଲଗା କରୁନାହୁଁ, କିନ୍ତୁ ମହାକାଶରେ ରହିଯାଇଥିଵା ଆମର ଏଇ ଦୁଇଜଣ ଵୀର ମାଂସ ଓ ରକ୍ତରେ ନିର୍ମିତ ମଣିଷ ଅଟନ୍ତି । ଆଜିଠାରୁ ଯେବେ ବି କୌଣସି ଵ୍ୟକ୍ତି ରାତି ଆକାଶରେ ଏହି ଚନ୍ଦ୍ରକୁ ଦେଖେ, ସେ ଜାଣିଵ ଯେ ଏହି ପୃଥିଵୀ ବାହାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ସବୁଦିନ ପାଇଁ ମନୁଷ୍ୟ ଉପସ୍ଥିତିର ଚିହ୍ନ ଅଙ୍କିତ ହୋଇଯାଇଛି ।”
●●●●●●●●●

ଏହି ସମଗ୍ର ପ୍ରାଣୀ ଜଗତରେ ମଣିଷ ହୁଅନ୍ତୁ କି ପଶୁ ଵା କୀଟପତଙ୍ଗ, ପ୍ରତ୍ୟେକ ଜୀଵର ନିଜ ଜୀଵନପ୍ରତି ମୋହ ରହିଛି । 
କିନ୍ତୁ ମନୁଷ୍ୟ ହେଉଛି ସୃଷ୍ଟିର ଏକମାତ୍ର ଜଣାଶୁଣା ଜୀଵ ଯିଏ "କୌତୁହଳ,ଉଦ୍ଭାଵନ ଓ ଆଵିଷ୍କାର" ପାଇଁ ମଧ୍ୟ ନିଜ ଜୀଵନକୁ ମଧ୍ୟ ଵିପଦରେ ପକାଇ ଦେଵାର କ୍ଷମତା ରଖିଛି । ଏକ ଜୀଵ ଜାତି ଭାଵରେ ମନୁଷ୍ୟର ଅନେକ ଦୋଷ ଦୁର୍ଵଳତା ସତ୍ତ୍ୱେ, ଏହି ଗୋଟିଏ ଗୁଣ ମନୁଷ୍ୟକୁ ଆଜି ପୃଥିଵୀର ମହାନ ବୁଦ୍ଧିମାନ ଜୀଵ ରୂପେ ପ୍ରତିଷ୍ଠିତ କରାଇ ଦେଇଛି ...

Wednesday, September 13, 2023

•ଖଡ଼ିଆଳର ପ୍ରାଚୀନ ଓଡ଼ିଆ କଵି ଚୈତନ୍ୟ ଦାସ•


ପୂର୍ଵେ ଅଵିଭକ୍ତ ବଲାଙ୍ଗୀର ଜିଲ୍ଲାର ଅଂଶ ଥିଵା ଖଡ଼ିଆଳରେ(ଵର୍ତ୍ତମାନ ଏହା ନୂଆପଡ଼ା ଜିଲ୍ଲାରେ ଅଵସ୍ଥିତ) ସତରଶ ଶତାବ୍ଦୀରେ ଚୈତନ୍ୟ ଦାସ ନାମରେ ଜଣେ କଵି ହୋଇଥିଲେ । ତାଙ୍କ ପିତାଙ୍କ ନାମ ବୁଦ୍ଧେଶ୍ବର ଓ ମାତାଙ୍କ ନାମ ମେଘାଵତୀ । ତାଙ୍କର ବାଲ୍ୟନାମ ଧ୍ୟାନ ଦାସ ଥିଲା । ସେ ଜାତିରେ ମାଳୀ ଥିଲେ କିନ୍ତୁ ଓଡ଼ିଆ ସାହିତ୍ୟ ରଚନାରେ ନିଜର ଜୀଵନୋତ୍ସର୍ଗ କରିଥିଲେ । ବଲାଙ୍ଗୀର ଜିଲ୍ଲାର ଓଡ଼ିଆ କଵି ଚୈତନ୍ୟ ଦାସଙ୍କର ତିନିଗୋଟି ଅମର କୃତି ହେଲା ନିର୍ଗୁଣ ମହାତ୍ମ୍ୟ, ଦେଵଦର୍ଶନ ପୁରାଣ ଓ ଵିଷ୍ଣୁଗର୍ଭପୁରାଣ । ଵିଷ୍ଣୁଗର୍ଭପୁରାଣ ଦାଣ୍ଡିଵୃତ୍ତରେ ଲିଖିତ ହୋଇଥିଲାବେଳେ ନିର୍ଗୁଣ ମହାତ୍ମ୍ୟ ନଵାକ୍ଷରୀ ଭାଗଵତ ଵୃତ୍ତରେ ରଚିତ । ପ୍ରସିଦ୍ଧ କଵି ଭୂପତି ପଣ୍ଡିତ ଏହି ଚୈତନ୍ୟ ଦାସଙ୍କର ଶିଷ୍ୟ ଥିଲେ । 

ନିର୍ଗୁଣ ମହାତ୍ମ୍ୟରେ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ପ୍ରୟୋଗର ଉଦାହରଣ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଚୈତନ୍ୟ ଦାସଙ୍କର ନିର୍ଗୁଣ ମହାତ୍ମ୍ୟରୁ ଅନେକ ପଦର ଉଲ୍ଲେଖ ଅଛି । ଉଦାହରଣ ସ୍ୱରୂପ 

“ତୋଳିଵ ଅନହତନାଦ,
ଶ୍ରଵଣେ ଶୁଭିଵ ଶବଦ।”

ହୃଦୟସ୍ଥ ଅନାହତ ଚକ୍ରରୁ 'ଓଁ' ରୂପକ ଯେଉଁ ବ୍ରହ୍ମମୟ ଧ୍ୱନି ବାହାରେ ତାକୁ 'ଅନାହତନାଦ' କହନ୍ତି । ସଂସ୍କୃତ ଭାଷାରେ ଏହାକୁ ଅନାହତନାଦ ଏଵଂ ଓଡ଼ିଆ ଭାଷାରେ ଅନହତନାଦ କୁ଼ହାଯାଉଥିଲା । 

“ଅଵଏ ଵିଷ୍ଣୁ ହେଲେ ରଜା,
ସକଳ କର୍ମଜନ ପ୍ରଜା ।”
×××××
“ଆତ୍ମାଧ୍ୟାନରେ ଚିତ୍ତ ଦେଲେ,
ଅଵୟେ ମୁକତିକି ଗଲେ । ”

ଅଵ୍ୟୟ ଶବ୍ଦର ଓଡ଼ିଆ ରୂପ ଅଵଏ ଅଵିନାଶୀ ଅର୍ଥରେ ପ୍ରୟୋଗ କରାଯାଇଛି ‌। ଆଜିକାଲି ଅଵୟ କହିଲେ ଲୋକେ ତାକୁ ଅଶୁଦ୍ଧ ମନେ କରନ୍ତି କିନ୍ତୁ ଓଡ଼ିଆ ଭାଷା ଏକ ପ୍ରାକୃତ ଭାଷା ହୋଇଥିଵାରୁ ତଥା ଓଡ଼ିଆ ଭାଷାର ପ୍ରଥମ ଭାଷାଵିଦ ଶ୍ରୀଗୋପୀନାଥ ନନ୍ଦଶର୍ମାଙ୍କ ଅନୁସାରେ ପ୍ରାକୃତ ଭାଷାର ନିୟମିତ ଵିକୃତି ନିୟମାନୁସାରେ ତତ୍ସମ ଶବ୍ଦଗୁଡି଼କ ତଦ୍ଭଵ ରୂପେ ପରିଵୃତ୍ତ ହେଲେ ମଧ୍ୟ ଅଶୁଦ୍ଧ ପରିଗଣିତ ହୁଅନ୍ତି ନାହିଁ । ନିର୍ଗୁଣ ମହାତ୍ମ୍ୟରେ ଅଵଏ ଶବ୍ଦ ପ୍ରୟୋଗ ଏହି କଥାକୁ ସ୍ପଷ୍ଟ କରେ । ସଂସ୍କୃତ ଭାଷା ପାଇଁ ଅଵଏ ଓ ଅଵୟ ଶବ୍ଦ ଅଶୁଦ୍ଧ ହୋଇପାରେ ଓଡ଼ିଆ ପାଇଁ ନୁହେଁ । ଏହିପରି ଆଉ ଏକ ପଦ ମଧ୍ୟ ନିର୍ଗୁଣ ମହାତ୍ମ୍ୟରେ ରହିଛି ଯହିଁରେ ଅଵ୍ୟୟ ଶବ୍ଦର ଅନ୍ୟ ଏକ ଓଡ଼ିଆ ରୂପ ଅଵୟ ଵ୍ୟଵହୃତ ହୋଇଅଛି । 


“ଅଵାଇ ଘରେ ଵାଇ ଗଲେ,
ଜ୍ୟୋତି ପ୍ରକାଶିଵ ନିରୋଳେ।”
××××××
“ଗାଇତ୍ରୀ ଛନ୍ଦ ଫିଟାଇଵ,
ଅଵାଇମଣ୍ଡଳ ଭେଦିଵ ।”


ଏଠାରେ ଵ୍ୟଵହୃତ ଅଵାଇ ଶବ୍ଦର ଅର୍ଥ ଵାୟୁଶୂନ୍ୟ ଏଵଂ ଏହା ଅଵାତ ସହିତ ସମୋଦ୍ଧୃତ ବୋଲି ଭାଷାକୋଷରେ କୁହାଯାଇଛି । ସେହିପରି ଆକାଶ ଵା ଶୂନ୍ୟମଣ୍ଡଳକୁ ଆମ ଭାଷାରେ ଅଵାଇମଣ୍ଡଳ କୁହାଯାଉଥିଲା । 

”ଵିଷ୍ଣୁ କଥନେ ଅମରିଷ,
ଯାହାର ମନ ନୁହେ ଵଶ ।‌”

ଏ ପଦରେ ଵ୍ୟଵହୃତ ଅମରିଷ ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହାର ସଂସ୍କୃତ ଅମର୍ଷ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ‌। ଏହି ପଦରେ ଅମରିଷ ଶବ୍ଦ ଅସହିଷ୍ଣୁ; ଅଧୀର ଅର୍ଥରେ ପ୍ରୟୋଗ କରାଯାଇଛି ‌। 

“ଅଲେଖ ପୁରେ କର ଘର,
କେବେହେଁ ନୋହଇ ବାହାର।”
××××××
“ପିତାହିଁ ନ ଜାଣଇଁ ତାହା
 ଅଲେଖ ଵିଷ୍ଣୁର ଏ ମାୟା।”

ଅଵାଇମଣ୍ଡଳ ଵା ଆକାଶକୁ ଆମ ଭାଷାରେ ଅଲେଖପୁର କୁହାଯାଉଥିଲା ଯାହା ଏହି ପଦରେ ଵ୍ୟଵହୃତ ହୋଇଅଛି । ସେହିପରି ଅଲେଖଵିଷ୍ଣୁ ହେଉଛନ୍ତି ମହିମା ପନ୍ଥର ନିରାକାର ବ୍ରହ୍ମ । 


”ବାମ ଚରଣ ପରେ ବସି 
ଚଞ୍ଚଳ ମନକୁ ଆକ୍ରୋଶି ।”

ଆକ୍ରୋଶିଵା ଏହିପରି ଆଉ ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହା ଵ୍ୟାପିଵା ଓ ଏକାଗ୍ର କରିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା ।

“ସକଳ ଧର୍ମ ଆଡ଼େ କରି 
ଆଡ଼କେ ବ୍ରହ୍ମଜ୍ଞାନ ଭରି।”

ଏହି ପଦରେ ଵ୍ୟଵହୃତ ଆଡ଼େ କରିଵା ଶବ୍ଦର ଅର୍ଥ ଗୋଟିଏ ପାଖରେ ରଖିଵା ଅଟେ ‌। ଏବେବି ଲୋକେ ଗୋଟେ ଆଡ଼େ,ସେ ଆଡ଼େ ଓ ଏ ଆଡ଼େ ଆଦି କହିଲାବେଳେ ଏହି ଆଡ଼େ ଶବ୍ଦକୁ ପ୍ରୟୋଗ କରିଥାନ୍ତି । 

“କର୍ମ ନ କର ତାତ ମାତ 
କର୍ମେ ହୋଇଵ ଆତଯାତ ।”

ଆତଯାତ ଶବ୍ଦର ସାଧାରଣ ଓଡ଼ିଆ ଅର୍ଥ ଯିଵା ଆସିଵା କରିଵା କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏଠାରେ ପୁନଃ ପୁନଃ ଜନ୍ମୁଥିଵା ଓ ମରୁଥିଵା ଜୀଵନଚକ୍ରକୁ ଉପଲକ୍ଷ୍ୟ କରି ଆତଯାତ ଶବ୍ଦ ପ୍ରୟୋଗ କରାଯାଇଛି । 

“କେ ଊର୍ଦ୍ଧ୍ୱ ବାହୁ ଟେକି ଶୂନ୍ୟେ
 ରହିଲେ ପଵନ ଆପ୍ୟାନେ।”
ଆପ୍ୟାନ ଶବ୍ଦଟି ଏଠାରେ ପାନ କରିଵା ଅର୍ଥରେ ପ୍ରୟୋଗ କରାଯାଇଛି । ଏହା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହା ପୂର୍ଵେ ସାହିତ୍ୟରେ ବହୁଳ ଭାବରେ ଵ୍ୟଵହାର କରାଯାଉଥିଲା । 

“ଜଗତ କଲେ ଉତ୍ତାପନ,
ସାଧୁମାନେ ପାନ୍ତି କଷଣ ॥”

ସଂସ୍କୃତ ଭାଷାରେ ଉତ୍ତାପନର ଅର୍ଥ ତତାଇଵା,ଉଷୁମାଇଵା କିନ୍ତୁ ଓଡ଼ିଆ ଭାଷାରେ ଏହି ଶବ୍ଦକୁ ଲକ୍ଷଣାର୍ଥ ପ୍ରପୀଡ଼ିତ ଅର୍ଥରେ ଏଠାରେ ପ୍ରୟୋଗ କରାଯାଇଛି । 

“ପୃଥ୍ୱୀର ଅନ୍ଧକାର ଦେଖି,
ସେ ଜ୍ୟୋତି ବ୍ରହ୍ମ ଉପଲେଖି ।
ତପନ କଲେ ଉପଗତ,
କଲେ ତାହାକୁ ତେଜଵନ୍ତ।”

ଓଡ଼ିଆ ଭାଷାରେ ଉପଲେଖିଵା ଶବ୍ଦର ଦୁଇଗୋଟି ଅର୍ଥ ଅଛି । ଉପେକ୍ଷା ମୂଳର ଉପଲେଖିଵା ଶବ୍ଦର ଅର୍ଥ ତ୍ୟାଗ କରିଵା କିନ୍ତୁ ଏଠାରେ ଉପଲକ୍ଷ ମୂଳର ଉପଲେଖିଵା ଶବ୍ଦକୁ ଲକ୍ଷ୍ୟ କରିଵା ଵା ଉପଲକ୍ଷ କରିଵା ଅର୍ଥରେ ପ୍ରୟୋଗ କରାଯାଇଛି । 

କଵି ଚୈତନ୍ୟ ଦାସଙ୍କର ନିର୍ଗୁଣ ମହାତ୍ମ୍ୟର ଆଉ କେତେକ ପଦ ନିମ୍ନରେ ପ୍ରଦତ୍ତ ହେଲା...
 
“ପୃଥିଵୀ କରି ଏକକାର,
ବ୍ରହ୍ମ ଆନନ୍ଦେ ଦିନ ହର।”

“ଅନନ୍ତ ଏ ବିଚାର କରି,
ଅକ୍ଷରେ ମୁଖରୁ ଉଦ୍ଗାରି ।
ଓମ ଅକ୍ଷର ଉଦେ କଲେ,
ତହିଁରୁ ସିଦ୍ଧି ପ୍ରକାଶିଲେ ॥”

“ଅଭ୍ୟାସ କରି ଯୋଗବଳ,
ଭେଦିଵ କାଉଁରିମଣ୍ଡଳ ॥”

“ଜୀଵ ପରମ କର୍ମ କରେ 
ସେ କର୍ମ ଫଳ କ୍ଷରେ ବଳେ ।”

”ଆତ୍ମା ବ୍ରହ୍ମର ଗଛାଗଛି 
ବାନ୍ଧି ଥୋଇଲା ପ୍ରାୟେ ଅଛି ॥”

ମାଳି ଜାତିରେ ଜନ୍ମ ଲଭିଥିଵା ଶ୍ରୀଚୈତନ୍ୟ ଦାସଙ୍କ ଭଳି କଵି ସତରଶହ ଶତାବ୍ଦୀରେ ନିର୍ଗୁଣ ମହାତ୍ମ୍ୟ ପରି ଅମୂଲ୍ୟ କାଵ୍ୟ ରଚନା କରିଵା ସ୍ପଷ୍ଟ କରେ ଯେ ତିନିଶହ ଵର୍ଷ ତଳେ ଓଡ଼ିଶାର ପଶ୍ଚିମର ଭାଷା ଓଡ଼ିଆ ଥିଲା ଏଵଂ ଓଡ଼ିଶାରେ ଯେକୌଣସି ଜାତିର କଵି କାଵ୍ୟ ରଚନା କରିପାରୁଥିଲେ । ଯେଉଁମାନେ ଓଡ଼ିଆ ଶୈଳୀ ଓ ଜାତି ଵିଶେଷ ଆଧାରରେ ଓଡ଼ିଶା ମାଟି, ଓଡ଼ିଆ ଭାଷା ତଥା ଓଡ଼ିଆ ସମାଜକୁ ବାଣ୍ଟି ଦେଵାକୁ ନାନା ଷଡ଼ଯନ୍ତ୍ର କରୁଛନ୍ତି ସେମାନେ ଶ୍ରୀଚୈତନ୍ୟ ଦାସଙ୍କ ଭଳି ସାହିତ୍ୟ ସାଧକ ଓ ତାଙ୍କ ଜୀଵନୀ ଯୋଗୁଁ ସହଜରେ ଧରା ପଡ଼ିଯାଆନ୍ତି । 





Sunday, September 10, 2023

•କିଛି ଝିଅ ଓ ମହିଳାମାନଙ୍କର ନିଶ-ଦାଢ଼ି କାହିଁକି ଉଠିଥାଏ ?•

Hirsutism କାରଣରୁ କିଛି ଝିଅଙ୍କ ମୁହଁରେ ଦାଢ଼ି ଓ ନିଶ ଭଳି କେଶ ଉଠିଥାଏ । ସାଧାରଣତଃ ପୁରୁଷମାନଙ୍କର ମୁଖମଣ୍ଡଳ, ଛାତି ଓ ପିଠି ଭଳି ସ୍ଥାନରେ ଅଧିକ ପରିମାଣରେ କେଶ ବୃଦ୍ଧି ହୁଏ । ଉଲ୍ଲେଖଯୋଗ୍ୟ ଯେ ମହିଳାମାନଙ୍କ କ୍ଷେତ୍ରରେ ନିଶ ଓ ଦାଢ଼ି ଭଳି ଅତିରିକ୍ତ କେଶ ରହିଵା ସ୍ୱାସ୍ଥ୍ୟ ସମସ୍ୟାକୁ ସୂଚିତ କରେ ନାହିଁ, କାରଣ କେତେକ ମହିଳାଙ୍କର ସ୍ୱାଭାଵିକ ଭାଵରେ ଅନ୍ୟମାନଙ୍କ ତୁଳନାରେ ଅଧିକ କେଶ ବୃଦ୍ଧି ହୋଇଥାଏ ।

ମହିଳାଙ୍କ କ୍ଷେତ୍ରରେ Hirsutismର ପ୍ରାଥମିକ କାରଣ ହେଉଛି ଆଣ୍ଡ୍ରୋଜେନ୍‌ର ମାତ୍ରାରେ ବୃଦ୍ଧି, ଯାହା କି ପୁରୁଷ ଯୌନ ହରମୋନ୍ ଅଟେ । ମହିଳାଙ୍କଠାରେ ଵିଭିନ୍ନ କାରଣରୁ Hirsutism ବୃଦ୍ଧି ହୋଇପାରେ, ଯଥା:

କ. Polycystic ovary syndrome (PCOS) ଵା ପିସିଓଏସ୍ ଏକ ସାଧାରଣ ହରମୋନ୍ ଵ୍ୟାଧି ଯାହା ପ୍ରଜନନ ଵୟସର ମହିଳାମାନଙ୍କୁ ପ୍ରଭାଵିତ କରେ । ଏହା ଦ୍ୱାରା ଆଣ୍ଡ୍ରୋଜେନ ଉତ୍ପାଦନ ବୃଦ୍ଧି ପାଇପାରେ, ଯାହାଫଳରେ Hirsutism ହୋଇଥାଏ ।

ଖ. Genetics ଵା ଆନୁବଂଶିକ କାରଣରୁ କେତେକ ମହିଳାଙ୍କର Hirsutism ବୃଦ୍ଧିର ଆନୁବଂଶିକ ପ୍ରଵୃତ୍ତି ଥାଇପାରେ, ଅର୍ଥାତ୍ ବଂଶାନୁକ୍ରମିକ କାରଣରୁ ସେମାନଙ୍କ ମୁହଁରେ ଅଧିକ କେଶ ଵିକଶିତ ହେଵାର ସମ୍ଭାଵନା ଥାଏ ।

ଗ.କେତେକ ନିର୍ଦ୍ଦିଷ୍ଟ Medications ଔଷଧ ଯେପରିକି ଆନାବୋଲିକ୍ ଷ୍ଟେରଏଡ୍ କିମ୍ବା ହର୍ମୋନ୍ ସମ୍ବନ୍ଧୀୟ ଔଷଧ ଵ୍ୟଵହାର ଯୋଗୁଁ, ପାର୍ଶ୍ୱ ପ୍ରତିକ୍ରିୟା ଘଟି ମହିଳାଙ୍କର Hirsutism ବୃଦ୍ଧି ଘଟିପାରେ ।

ଘ.ହରମୋନ ଅସନ୍ତୁଳନ କାରଣରୁ ମଧ୍ୟ ମହିଳାଙ୍କର ନିଶ ଦାଢ଼ି ଉଠିଥାଏ । ପିସିଓଏସ ସହିତ ଅସମ୍ପୃକ୍ତ ଅନ୍ୟ ଜାତୀୟ ହରମୋନ ଅସନ୍ତୁଳନ, ଯେପରିକି ଆଡ୍ରେନାଲ ଗ୍ରନ୍ଥି ରୋଗ କିମ୍ବା ଥାଇରଏଡ ସମସ୍ୟା ମଧ୍ୟ ମହିଳାମାନଙ୍କର Hirsutism ବୃଦ୍ଧି ଘଟାଇପାରେ ‌ ।

ଙ.କେତେକ କ୍ଷେତ୍ରରେ ମହିଳାମାନଙ୍କର ମୁଖ ଓ ଶରୀରର ଅନ୍ୟ ଭାଗରେ ଅତ୍ୟଧିକ କେଶ ବୃଦ୍ଧିର କାରଣ ଅଜ୍ଞାତ ରହିଗଲେ ଵା ଜଣା ନପଡ଼ିଲେ ସେହିପ୍ରକାରର ସମସ୍ୟାକୁ 
 Idiopathic hirsutism କୁହାଯାଏ ।

କିଛି ଝିଅଙ୍କର ନିଶ ଓ ଦାଢ଼ି ବଢ଼ିଵା ଯୋଗୁଁ ବାହାଘର ହୋଇପାରେ ନାହିଁ । କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ସମାଜରେ ମଧ୍ୟ ମୁଖମଣ୍ଡଳରେ କେଶ ଉଠୁଥିଵା ଝିଅ ଓ ମହିଳାମାନେ ଅନ୍ୟ ଲୋକଙ୍କ ଦ୍ଵାରା ହାସ୍ୟରୋଳର ଶିକାର ହୁଅନ୍ତି । 

ତେବେ କୌଣସି ମହିଳାଙ୍କ ପାଇଁ ଯଦି ମୁହଁରେ ଅତ୍ୟଧିକ କେଶ ବୃଦ୍ଧି ଏକ ଚିନ୍ତାର ଵିଷୟ ହୋଇପଡ଼େ ତାହେଲେ ସେ ଅଭିଜ୍ଞ ଚିକିତ୍ସକ କିମ୍ବା ଚର୍ମ ରୋଗ ଵିଶେଷଜ୍ଞଙ୍କର ପରାମର୍ଶ ନେଇପାରନ୍ତି । ଏ ସମସ୍ୟାର ସମାଧନ ପାଇଁ ଚିକିତ୍ସକମାନେ ପ୍ରଥମେ ପିଡ଼ିତ ଵ୍ୟକ୍ତିର ସ୍ଵାସ୍ଥ୍ୟ ଇତିହାସର ମୂଲ୍ୟାଙ୍କନ କରନ୍ତି ତାପରେ ଆଵଶ୍ୟକ ସ୍ଵାସ୍ଥ୍ୟ ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ଵିକଳ୍ପର ପରାମର୍ଶ ଦିଅନ୍ତି । hirsutismର ଚିକିତ୍ସାରେ ହର୍ମୋନ୍‌ର ସ୍ତର ନିୟନ୍ତ୍ରଣ କରିଵା ପାଇଁ ନିର୍ଦ୍ଦିଷ୍ଟ ଔଷଧ, ଲେଜର କେଶ ଅପସାରଣ, କିମ୍ବା ଅନ୍ୟାନ୍ୟ କେଶ ଅପସାରଣ କୌଶଳ ରହିଛି । 

ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ପ୍ରଚଳିତ ଵୈଜ୍ଞାନିକ ଶବ୍ଦ Hirsutismର 'ପୁଂଵତରୋମତା' ବୋଲି ଏକ ସର୍ଵଭାରତୀୟ ଵୈଜ୍ଞାନିକ ପ୍ରତିଶବ୍ଦ ସୃଷ୍ଟି କରାଯାଇଛି । ତେବେ ଏ ସମସ୍ୟା ଆଜିର ନୁହେଁ । ବହୁ ପ୍ରାଚୀନ କାଳରୁ ଏହା ଜନସମାଜରେ ରହିଥିଲା । କେତେକ ପ୍ରାଚୀନ ଓଡ଼ିଆ ଓ ସର୍ଵଭାରତୀୟ ଶବ୍ଦ ଏହାର ପ୍ରମାଣ ସ୍ଵରୂପ ପ୍ରଦାନ କରାଯାଇପାରେ । ଓଡ଼ିଶାରେ ସାଧାରଣତଃ ମୁଖମଣ୍ଡଳରେ ନିଶ ଦାଢ଼ି ଉଠୁଥିଵା ଝିଅକୁ ନିଶେଇ କୁହାଯାଏ । ଆଗେ ପୋଟା ଶବ୍ଦ ଏହି ଅର୍ଥରେ ପ୍ରୟୋଗ କରାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ସମାର୍ଥକ ପୋଟା ଶବ୍ଦର ଦୁଇଗୋଟି ଅର୍ଥ ଏଠାରେ ଉଲ୍ଲେଖଯୋଗ୍ୟ । ପ୍ରଥମତଃ ପୁରୁଷଲକ୍ଷଣଯୁକ୍ତା ସ୍ତ୍ରୀ; ପୁଂସଲକ୍ଷଣା ସ୍ତ୍ରୀ ଵା ଯେଉଁ ସ୍ତ୍ରୀର ସ୍ତନ ନ ଥାଇ ଦାଢି ଆଦି ଥାଏତାକୁ ପୋଟା କୁହାଯାଏ ବୋଲି ଭାଷାକୋଷରେ କୁହାଯାଇଛି ।

କୋଟିବ୍ରହ୍ମାଣ୍ଡ ସୁନ୍ଦରୀରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଅର୍ଥରେ ପୋଟା ଶବ୍ଦ ପ୍ରୟୋଗ କରିଛନ୍ତି ବୋଲି ଭାଷାକୋଷରେ ଉଦାହରଣ ଭାବେ ପ୍ରଦତ୍ତ ହୋଇଛି । 

“ସଙ୍ଗତିରେ ଆଗତ ତା ପୋଟା ଗୋଟାଏ ବୀର ସନ୍ନିକଟ ହୋଇ ପ୍ରକଟ ହୁଏ”( ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।)

ପୁଣି ସ୍ତ୍ରୀଲକ୍ଷଣଯୁକ୍ତ ପୁରୁଷକୁ ମଧ୍ୟ ପୋଟା କୁହାଯାଏ । ଓଡ଼ିଆ ଦେଶଜ ଭାବେ ଯେଉଁ ଵ୍ୟକ୍ତିର ପେଟ ଆଦିର ମାଂସର ପୁଟି ଝୁଲୁ ଥାଏ ତାକୁ ମଧ୍ୟ ପୋଟା କୁହାଯାଏ । 

ଏ ଧରଣର ଆଉ ଏକ ଶବ୍ଦ ହେଉଛି ନରମାନିକା ! ନରଚିହ୍ନଧାରିଣୀ ସ୍ତ୍ରୀ ଵା ଯେଉଁ ସ୍ତ୍ରୀଠାରେ ଶ୍ମଶ୍ରୁ ଆଦି ପୁରୁଷ ଚିହ୍ନ ଲକ୍ଷିତ ହୁଏ ତାକୁ ନରମାନିକା କୁହାଯାଏ । 

ଏ ଧରଣର ଆଉ କୌଣସି ଶବ୍ଦ ଥିଲେ ଜଣାନ୍ତୁ । 
•••••••••••••••••••••••••••
ତଥ୍ୟ ଉତ୍ସ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଅନ୍ତର୍ଜାଲ
(ଶିଶିର ସାହୁ ମନୋଜ— କନ୍ତିଓ ପୁଟସାହି, ଢେଙ୍କାନାଳ)
•••••••••••••••••••••••••••


 



●ଆମର ଆରମ୍ଭ ଓ ଅନ୍ତ କେଉଁଠି?●

୧୯୧୮ ମସିହାରେ ଆମେରିକାରେ ଜନ୍ମଗ୍ରହଣ କରିଥିଵା ରବର୍ଟ ୱାଡଲୋ ୮ ଫୁଟ ୧୧ ଇଞ୍ଚ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତି ଭାବେ ଇତିହାସରେ ସବୁଠାରୁ ଲମ୍ବା ଵ୍ୟକ୍ତି ଥିଲେ । ଆମେ କେତେ ଲମ୍ବା ହୋଇପାରିଵା ତାହା ଆମର ଜିନ୍‌ସ ଓ ଅଙ୍ଗଗୁଡ଼ିକର କ୍ଷମତା ଉପରେ ନିର୍ଭର କରେ । ସମସ୍ତ ଵିଷୟକୁ ଧ୍ୟାନରେ ରଖି କହିଲେ ଜଣେ ଵ୍ୟକ୍ତି ସର୍ଵାଧିକ ୮-୯ ଫୁଟ୍ ଡେଙ୍ଗା ହୋଇପାରିଵା ହିଁ ସମ୍ଭଵ । କିନ୍ତୁ କାହିଁକି ? 

କାରଣ ଯଦି କୌଣସି ଵ୍ୟକ୍ତିର ଆକାର ୧୦ ଗୁଣ ବୃଦ୍ଧି ପାଇଥାଏ, ତା'ହେଲେ ତା'ର ଆୟତନ ୧୦୦ ଗୁଣ ଏବଂ ଘନଫଳ ପରିମାଣ ୧୦୦୦ ଗୁଣ ବୃଦ୍ଧି ପାଇଵ । ଆମ ଅସ୍ଥି ଓ ହୃତପିଣ୍ଡରେ ଏତେ କ୍ଷମତା ନାହିଁ ଯେ ସେ ଏହି ଭାରକୁ ସହ୍ୟ କରି ଶରୀରର ସଞ୍ଚାଳଣ କରିପାରିଵ । ଏତେ ଦୀର୍ଘକାୟ ଓ ଵିଶାଳ ଶରୀର ପାଇଁ ବଡ଼ ହୃତପିଣ୍ଡ ଏଵଂ ଅଧିକ ଶକ୍ତିଶାଳୀ ଅସ୍ଥି ଆଵଶ୍ୟକ ହେଵ ଅନ୍ୟଥା ସେ ମନୁଷ୍ୟ ଠିକ୍‌ରେ ଛିଡ଼ା ହୋଇପାରିଵ ନାହିଁ କି ଚାଲି ପାରିଵ ନାହିଁ ପୁଣି ତାହାର ହୃତପିଣ୍ଡରେ ରକ୍ତ ସଞ୍ଚାଳନ ମଧ୍ୟ ସୁଧାରୁ ରୂପେ ହୋଇ ପାରିଵ ନାହିଁ । ତେଣୁ ସାଧାରଣତଃ ସର୍ଵାଧିକ ସାଢ଼େ ସାତ ଫୁଟ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତି ହିଁ ସୁସ୍ଥ ଜୀଵନ ଯାପନ କରିପାରନ୍ତି । ଜଣେ ଦୀର୍ଘକାୟ ଵ୍ୟକ୍ତି ଐତିହାସିକ ଭାଵରେ କେବେ ବି ଦୀର୍ଘ ଓ ସୁସ୍ଥ ଜୀଵନ ବିତାଇ ନାହାନ୍ତି । ଏହା ଆମ ମନୁଷ୍ୟମାନଙ୍କର ଜୈଵିକ ଆକାରର ସୀମା ଅଟେ । ମାନଵ ଶରୀରର ଭୌତିକ ସୀମା ଵିଷୟରେ ଆଲୋଚନା ସମୟରେ ଶରୀରରୁ ଉତ୍ପନ୍ନ ଗନ୍ଧ ଓ ସ୍ଵରାଦି ଅନ୍ୟାନ୍ୟ ଉପାଦାନ ଉପରେ ବି ଆଲୋଚନା କରାଯାଇପାରେ ।  

ଜଣେ ମନୁଷ୍ୟ ୩୦ ସେଣ୍ଟିମିଟର ଦୂରରୁ ଚିତ୍କାର କରି ମାପିଲେ ସର୍ଵାଧିକ ୮୮ ଡେସିବେଲ ତୀଵ୍ରତାର ଶବ୍ଦ ଉତ୍ପନ୍ନ କରିପାରେ । ଏହି ଶବ୍ଦ ପୃଥିଵୀର ବାୟୁମଣ୍ଡଳରେ ଗତି କରୁଥିବା ଅନ୍ୟ ଅଣୁ ସହିତ ଧକ୍କା ଖାଇ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ଶକ୍ତି ହରାଇଵା ପରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ । ମୋ ବାପା ମୋର ଜନ୍ମଠାରୁ ପଚିଶ ଵର୍ଷ ପର୍ଯ୍ୟନ୍ତ ପ୍ରତିଦିନ ପାହାନ୍ତା ଓ ରାତି ନଅଟା ବେଳେ ଦୋକାନ ଖୋଲିଵା ଓ ବନ୍ଦ କରିଵା ସମୟରେ ବଡ଼ ପାଟିରେ "ଜୟ ଶ୍ରୀରାମ" ଉଦ୍ଘୋଷ କରୁଥିଲେ ଯାହା ଆମ କନ୍ତିଓ ଗ୍ରାମର ସମୀପଵର୍ତ୍ତୀ ପୁଟସାହି,ଜକା,ଜୁଲଙ୍ଗ,କୁସୁମଯୋଡି଼,କନ୍ତିଓ କାଟେଣୀ,ଖୁଣ୍ଟବାଟି ଓ ବେଳେବେଳେ ପଣ୍ଡୁଆ ପର୍ଯ୍ୟନ୍ତ ଶୁଣାଯାଉଥିଵାର ଅନେକ ଥର ଲୋକେ ଆସି ଜଣାଇଛନ୍ତି । ତେଣୁ ମନୁଷ୍ୟର ଡାକ ଅଧିକତମ ପାଞ୍ଚ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ଏଵଂ ଏହା ଆମ୍ଭମାନଙ୍କର ସ୍ୱରର ସୀମା ଅଟଇ ।

ଏବେ ଆସନ୍ତୁ ଆମ୍ଭମାନଙ୍କ ଶରୀରର “କୌଣିକ ଆମାପ(angular size)”
ଵିଷୟରେ ଆଲୋଚନା କରିଵା । ଯଦି ଜଣେ ମନୁଷ୍ୟର ଉଚ୍ଚତା ୬ ଫୁଟ ଏଵଂ ସେ ସିଧା ରେଖାରେ ଚାଲିଵା ସମୟରେ ତା'ର ବନ୍ଧୁଙ୍କଠାରୁ ଦୂରେଇ ଯାଉଥାଏ, ତେବେ ପ୍ରାୟ ୪.୮ କିଲୋମିଟର ପରେ ସେ ଲୋକଟି ତାହାର ବନ୍ଧୁଙ୍କୁ ଆଉ ଦେଖି ପାରିଵ ନାହିଁ। କାରଣ ପୃଥିଵୀ ଗୋଲାକାର ଏଵଂ ଯେତେବେଳେ ଲୋକଟି ଏକ ସରଳରେଖାରେ ଯାଉଥିଲା, ସେ ସେତେବେଳେ ପ୍ରକୃତରେ ଗଡ଼ାଣିଆ ଢାଲୁ ଆଡ଼କୁ ଗତି କରୁଥିଲା । ପୃଥିବୀର ଵକ୍ରତା(Curvature) ହେତୁ ୬ ଫୁଟ ଲମ୍ବଵିଷିଷ୍ଟ ଦ୍ରଵ୍ୟର ପ୍ରାନ୍ତଵୃତ୍ତି(Horizon) ମାତ୍ର ୪.୮ କିଲୋମିଟର ଦୂର ହିଁ ହୋଇଥାଏ। 

କିନ୍ତୁ ଧରନ୍ତୁ ପ୍ରୋକ୍ତ ଲୋକଟି ପୃଥିଵୀପୃଷ୍ଠରେ ଚାଲିଵା ପରିଵର୍ତ୍ତେ ଆକାଶରେ ଉପରକୁ ଆହୁରି ଉପରକୁ ଯାଉଥିଵ, ଏ ପରିସ୍ଥିତିରେ କ'ଣ ହେଵ ?

ତାହେଲେ ଆକାଶରେ ୧୫ କିଲୋମିଟର ଦୂରକୁ ଯିଵା ପରେ ଲୋକଟିକୁ ତା ସାଙ୍ଗ ଆଉ ତଳେ ରହି ଦେଖି ପାରିଵ ନାହିଁ । କାରଣ ସର୍ଵୋତ୍ତମ ପରିସ୍ଥିତିରେ ମଣିଷ ଆଖି ସର୍ଵନିମ୍ନ ୦.୨ ଆର୍କ ସେକେଣ୍ଡର କୋଣ ଚିହ୍ନଟ(angle detect) କରିଵାରେ ସକ୍ଷମ ହୋଇଥାଏ । ଏହି ଆଧାରରେ ୬ ଫୁଟ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତିର ମାନଵୀୟ ଚକ୍ଷୁର ଦୃଶ୍ୟମାନତା ସୀମା ମାତ୍ର ୧୫ କିଲୋମିଟର ହୋଇଥାଏ ଏଵଂ ଏହା ତାହାର ଆକାଶରେ ଦୃଶ୍ୟ ହେଵାର “କୌଣିକ ଆମାପ(angular size)” ସୀମା ଅଟେ । 

ଏବେ ଚାଲନ୍ତୁ ଦେଖିଵା ଓ ଶୁଣିଵା ଵିଷୟରେ ଆଲୋଚନା ପରେ ଗନ୍ଧ ପ୍ରସଙ୍ଗକୁ ଆସିଵା । ଆଘ୍ରାଣ ଵିଷୟରେ ଆପଣଙ୍କର ଧାରଣା କ'ଣ ? ଗନ୍ଧ ଵିଷୟରେ କହିଵାକୁ ଗଲେ, Bloodhound ଜାତିର କୁକୁର ମନୁଷ୍ୟମାନଙ୍କ ଶରୀରର ଗନ୍ଧକୁ ୧୮ କିଲୋମିଟର ଦୂରରୁ ବାରି ପାରନ୍ତି । ସେହିପରି ଭାଲୁ ଭଳି ପ୍ରାଣୀ ମଣିଷଙ୍କ ଶରୀରସ୍ଥ ଗନ୍ଧକୁ ୩୦ କିଲୋମିଟର ଦୂରରୁ ମଧ୍ୟ ବାରି ଦେଇପାରେ । ଏହା ହେଉଛି ଆମ୍ଭମାନଙ୍କ ଗନ୍ଧର ପରିସର ସୀମା ।

ପୃଥିଵୀର ଵାୟୁମଣ୍ଡଳ ଵା ଜୀଵଵିଜ୍ଞାନ ସମ୍ବନ୍ଧୀୟ କାରଣ ଯୋଗୁଁ ଆମ୍ଭମାନଙ୍କର ଭୌତିକ ଶରୀରର ସମସ୍ତ କ୍ଷମତା ପରିସର ସୀମିତ । ତେବେ ମନ ଊଣା କରନ୍ତୁ ନାହିଁ। କାରଣ ଆମ୍ଭମାନଙ୍କ ଶରୀରରେ ଏମିତି ଗୋଟିଏ ଦରଵ ଅଛି ଯାହା ଆମ୍ଭ ଶରୀରର ହିଁ ଅଂଶ ଅଟେ ଏଵଂ ଏହାର ଯାତ୍ରାକୁ ଅଟକାଇ ପାରୁଥିଵା ପ୍ରତିବନ୍ଧକ ଆଜି ପର୍ଯ୍ୟନ୍ତ ବ୍ରହ୍ମାଣ୍ଡରେ ଆଵିଷ୍କୃତ ହୋଇନାହିଁ । 


ଯେତେବେଳେ ବି କୌଣସି ପ୍ରାଣୁ(ପ୍ରୋଟୋନ୍) ସହିତ ଏକ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍‌)ର ଧକ୍କା ହୁଏ, ସେତେବେଳେ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍), ପରମାଣୁର କକ୍ଷପଥ ମଧ୍ୟରେ ଏକ ଉଚ୍ଚସ୍ତରୀୟ କକ୍ଷପଥକୁ ସ୍ଥାନାନ୍ତରିତ ହୁଏ । ତା'ପରେ କିଛି ସମୟ ପରେ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍) ତା'ର ପୂର୍ଵ ଅଵସ୍ଥାକୁ ଫେରିଵା ସହ ଏକ ହାଲୁକା କଣିକା ଅର୍ଥାତ୍ 'ଭାଣୁ'(Photon) ମୁକ୍ତ କରିଥାଏ । ସୌଭାଗ୍ୟଵଶତଃ ମାନଵ ଶରୀର ମଧ୍ୟ ନିରନ୍ତର ଆଲୋକ କଣିକା ଉତ୍ପାଦନ କରିଥାଏ । ତେବେ ତନ୍ମଧ୍ୟରୁ ଅନେକ ଭାଣୁ(ଫୋଟନ୍) ପ୍ରତି ମୁହୂର୍ତ୍ତରେ ସବୁଜଗୃହ ବାଷ୍ପ(Greenhouse gases)ଗୁଡ଼ିକ ଦ୍ୱାରା ଅଵଶୋଷିତ ହୋଇଯାଆନ୍ତି । ତଥାପି ଆମ୍ଭମାନଙ୍କ ଶରୀରରୁ ପ୍ରତିକ୍ଷଣରେ ଲକ୍ଷ ଲକ୍ଷ ଭାଣୁ(ଫୋଟନ୍) ବାହାରିଥାଏ । ତନ୍ମଧ୍ୟରୁ ଅନେକ ଭାଣୁ(ଫୋଟନ୍) ପୃଥିଵୀର ସୀମା ଅତିକ୍ରମ କରି ବ୍ରହ୍ମାଣ୍ଡର ମୁକ୍ତ ଯାତ୍ରାରେ ବାହାରି ଯାଆନ୍ତି । ଏହି ଯାତ୍ରା ଥରେ ଆରମ୍ଭ ହେଲାପରେ ଭାଣୁ(ଫୋଟନ୍)ଗୁଡ଼ିକ ପାଖରେ କୋଉଠି ଠାକିଵା-ଲାଖିଵାର କୌଣସି କାରଣ ରହିଯାଏ ନାହିଁ । 

ବ୍ରହ୍ମାଣ୍ଡର ଅମାପ ଗଭୀରତା ମଧ୍ୟରେ ଗତି କରୁଥିଵା ଆମ୍ଭମାନଙ୍କ ଶରୀରର ଏହି ଭାଣୁ ଵା ଫୋଟନ୍ ଅନନ୍ତକାଳ ପର୍ଯ୍ୟନ୍ତ ଅନଵରତ ଯାତ୍ରା କରି ଚାଲିଥିବେ । କେ ଜାଣେ ହୁଏତ ଦିନେ ଏହି ଯାତ୍ରା ଭାଣୁ(ଫୋଟନ)ଗୁଡ଼ିକୁ ବ୍ରହ୍ମାଣ୍ଡର ସୀମା ବାହାରେ ଥିଵା ଅଜଣା ଅଶୁଣା ଅକୁହା ସ୍ଥାନରେ ନେଇ ପହଞ୍ଚେଇ ଦେଵ, ଯେଉଁଠାରେ ପହଞ୍ଚିଵାର ଆଶା ଆକାଂକ୍ଷା ଯୁଗଯୁଗ ଧରି ମଣିଷର ରୋମାଞ୍ଚକର କଳ୍ପନାରେ ରହି ଆସିଛି । 

ତେଣୁ ଜୀଵବିଜ୍ଞାନ ସମ୍ବନ୍ଧୀୟ ବନ୍ଧନ କାରଣରୁ ଆମ୍ଭମାନଙ୍କ ଶାରୀରିକ ଆକାରର ପରିସର ସୀମିତ । ପୃଥିଵୀର ଅଵସ୍ଥା ହେତୁ ଆମ୍ଭମାନଙ୍କର ସ୍ୱର, ଗନ୍ଧ ଏଵଂ ଦୃଶ୍ୟମାନତାର ପରିସର ମଧ୍ୟ ସୀମିତ ।
କିନ୍ତୁ ଆମ୍ଭମାନଙ୍କର ଜୀଵନର ଶକ୍ତି, ଆମ୍ଭ ଜୀଵନର ଆଲୋକ ହେଉଛି ଏକମାତ୍ର ଦରଵ ଯାହା ଆମ୍ଭମାନଙ୍କର ପରିସରକୁ ଅସୀମ ଏଵଂ ଅସ୍ତିତ୍ୱକୁ ଅନନ୍ତକାଳ ପାଇଁ ଅମର କରିଥାଏ । 

ହଁ ଆମର ନିଜସ୍ୱ ପ୍ରକାଶ ଭାଣୁ ଵା Photon ଯୋଗୁଁ ଆମେ ଏ ବ୍ରହ୍ମାଣ୍ଡରେ ଅସୀମିତ ଆକାର ଲାଭ କରି ଵ୍ୟାପିଯାଆନ୍ତି ଏଵଂ ଅନନ୍ତକାଳ ପର୍ଯ୍ୟନ୍ତ ଅମର ହୋଇଯାଆନ୍ତି । 

ତେଣୁ ସବୁବେଳେ ହସୁଥାଆନ୍ତୁ ଓ ହସାଉଥାଆନ୍ତୁ ଏଵଂ ନିଜ ଜୀଵନର ଆଲୋକ ଚାରିଆଡ଼େ ବାଣ୍ଟୁଥାଆନ୍ତୁ । 

(ଵି.ଦ୍ର :- ଲେଖାଟି ପ୍ରସିଦ୍ଧ ଵିଜ୍ଞାନ ଶିକ୍ଷାଵିଦ୍ Michael Stevensଙ୍କ ଭାଷଣରୁ ପ୍ରେରିତ । ତିନି ଵର୍ଷ ତଳେ ଏହି ଲେଖାଟି ଅନ୍ତର୍ଜାଲରୁ ପାଇଥିଲି ତେବେ ଏହା ଅନେକ ଦିନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଭାଵରେ ପଡ଼ିରହିଥିଲା । ଏଇ ତିନି ଦିନ ତଳେ ଏହାର ଅନୁଵାଦ ସମ୍ପୂର୍ଣ୍ଣ ହୋଇଅଛି ‌। କେତେକ ଵୈଜ୍ଞାନିକ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ଲେଖାରେ ପ୍ରଦତ୍ତ ହୋଇଅଛି ‌। )

Friday, September 8, 2023

•ପାଚଣ,ପାଞ୍ଚଣ ଓ ପ୍ରାଜଣ : କ୍ରମଶଃ ହଜିଵାକୁ ବସିଥିଵା ଏକ ଦେଶୀୟ ଦରଵ•


ପାଚଣ ଵା ପାଞ୍ଚଣ ଏକ ଜାତୀୟ ଛାଟ । ଏହା ସାହାଯ୍ୟରେ ଗୋରୁଙ୍କୁ ଅଡ଼ାନ୍ତି । ନବେ ଦଶକରେ ଗୁରୁମାନେ ଅମାନିଆ ପିଲାଙ୍କୁ ମଧ୍ୟ ପାଞ୍ଚଣରେ ପ୍ରହାର କରୁଥିଲେ । ସେ ଯୁଗ ଅପସରି ଯାଇଛି । ଏ ଏକଵିଂଶ ଯୁଗରେ ଚାଟମାନେ ପାଞ୍ଚଣ ପାଇଗଲେ ଅଵଧାନମାନଙ୍କୁ ଵିଦ୍ୟାଳୟରେ ଗୋଡ଼ାଇ ଗୋଡ଼ାଇ ପିଟିବେ ସିନା ଅଵଧାନେ ତାଙ୍କ ଦିହରେ ଟିପ ସୁଦ୍ଧା ଲଗାଇ ପାରିବେ ନାହିଁ । 

ଏ ଯୁଗରେ ଗୋରୁଙ୍କୁ ବି ପାଞ୍ଚଣ ଧରି ଅଡ଼େଇଵାକୁ ଅନେକେ ଭୟ ପାଉଛନ୍ତି। କେଜାଣି କେହି ରକ୍ଷକ ବାଟରେ କୋଉଠି ଭେଟିଗଲେ ଓଲଟା ଗୋରୁ ଅଡ଼ାଉଥିଵା ପାଚଣଧାରୀକୁ ତାହାରି ପାଞ୍ଚଣରେ ପିଟି ପିଟି ସାବାଡ଼ କରିନଦଵ ବୋଲି କିଏ କହିପାରିଵ ?

ତେଣୁ ଇଏ ପାଚଣ ଵା ପାଞ୍ଚଣର ଯୁଗ ହେଇ ଆଉ ନାହିଁ । କିଛି ଵର୍ଷ ପରେ ହୁଏତ ଏ ଦରଵ ବି ଆମ ସମାଜରେ ନଥିଵ । ସେତେବେଳେ ଲୋକେ ପାଞ୍ଚଣ ବୋଲି କିଛି ଗୋଟାଏ ଥିଲା ତାହା ଜାଣିଵାକୁ ସଂଗ୍ରାହାଳୟରେ ଦେଖି ଆସିବେ । 

ତେବେ ଆଗେ ପାଚଣ ଵା ପାଞ୍ଚଣର ମହତ ଥିଲା । ପିଲାଏ ପାଞ୍ଚଣକୁ ଭୟ ମିଶ୍ରିତ ଭକ୍ତି କରୁଥିଲେ । ପାଞ୍ଚଣ ଦେଖିଲେ ଅନେକ ପିଲାଙ୍କ ଟିପେଇ ଓଦା ହୋଇ ଯାଉଥିଲା କାହାର କାହାର ତ ଡରରେ ଠିଆ ଠିଆ ଦୀର୍ଘଶଙ୍କା ହୋଇଯାଉଥିଲା । 

ଛାଟ,ବାଡ଼ି ଓ ପାଞ୍ଚଣ ମଧ୍ୟରେ କେତେକ ପ୍ରଭେଦ ରହିଛି । ଛାଟ ଓ ବାଡ଼ି ଯେକୌଣସି ଗଛର ପତଳା,ଲମ୍ବା ଓ ସଳଖ ଡାଳରେ କରାଯାଇପାରେ । କିନ୍ତୁ ପାଞ୍ଚଣ କେତେ ନିର୍ଦ୍ଧିଷ୍ଟ ଶକ୍ତ କାଠଗଛଳ ପତଳା ଓ ଲମ୍ବା ଡାଳରେ କରାଯାଏ । ଛାଟ ଓ ବାଡ଼ିରେ ପିଟିଲା ବେଳେ ହୁଏତ ତାହା ଭାଙ୍ଗିଯାଇପାରେ କିନ୍ତୁ ପାଞ୍ଚଣ ସହଜରେ ଭାଙ୍ଗେ ନାହିଁ । ଛାଟ ଓ ବାଡ଼ି ଦିନେ ଦୁଇ ଦିନ ମଧ୍ୟରେ ବଦଳେ କିନ୍ତୁ ପାଞ୍ଚଣ ଅନେକ ଦିନ ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗେ । 
ଵ୍ୟଵହାରକାରୀ ଵ୍ୟକ୍ତି ଓ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚଣର ଆକାର ଓ ପ୍ରକାର ଭିନ୍ନ ଭିନ୍ନ ହୋଇଥାଏ । ଗୋରୁଙ୍କୁ ଅଡ଼ାଇଵା ପାଇଁ କେହି କେହି ଅପେକ୍ଷାକୃତ ମୋଟ ଓ ଲମ୍ବା ପାଞ୍ଚଣ ଵ୍ୟଵହାର କରିଥାନ୍ତି । 

ଏ ଶବ୍ଦ ପ୍ରାକୃତ ଭାଷାରେ ପଵଯଣ ଵା ପ୍ରଵଜଣ ରୂପ ଚଳୁଥିଲା ,ପାଲି ଭାଷାରେ ପାଚଣ ରୂପରେ ମଧ୍ୟ ପ୍ରଚଳିତ ଥିଲା । ସଂସ୍କୃତ ଭାଷାରେ ସେହିପରି ପ୍ରାଜନ ଶବ୍ଦ ସମାର୍ଥରେ ଚଳୁଥିଲା । ଅହମିଆର 'ପାଞ୍ଚନି ଓ ପାଚନ୍',ବଙ୍ଗାଳୀର 'ପାଁଚନ୍',ହିନ୍ଦୀର 'ପାଚନୀ',ପଞ୍ଜାବୀର 'ପରେନ ଓ ପରାଇଣ',ମରାଠୀର 'ପରାଣୀ ତଥା ଗୁଜରାଟୀର 'ପରାଣୋ' ଇତ୍ୟାଦି ଶବ୍ଦଗୁଡି଼କ ସଗୋତ୍ରୀୟ ତଥା ସମାର୍ଥବୋଧକ । ଏ ସମସ୍ତ ଶବ୍ଦ ପାଞ୍ଚଣ ଅର୍ଥରେ ପ୍ରୟୋଗ କରାଯାଏ । 

ପ୍ର ଉପସର୍ଗରେ ଅଜ୍ ଧାତୁ ପ୍ରୟୋଗ ପୂର୍ଵକ ଅନ୍ ପ୍ରତ୍ୟୟ ଯୁକ୍ତ ହୋଇ ପ୍ରାଜନ ଶବ୍ଦ ନିଷ୍ପନ୍ନ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ପ୍ରାଜନ ଶବ୍ଦର ଦୁଇଗୋଟି ଅର୍ଥ ହେଲା ପଶୁଚାଳନ ଦଣ୍ଡ ଵା ପାଞ୍ଚଣ ବାଡ଼ି ଓ ଅଡ଼ାଇଵା । 

ଆଜକୁ ପାଞ୍ଚଶହ ଵର୍ଷ ତଳେ ଗଞ୍ଜାମର ପ୍ରାଚୀନ କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତରେ ଉଭୟ ପାଚଣ ଓ ପାଞ୍ଚଣ ଶବ୍ଦ ପ୍ରୟୋଗ କରିଛନ୍ତି ...

“ହସ୍ତେ ମାତ୍ର ପାଞ୍ଚଣ ବାଡ଼ି ଧରିଥିଲେ ଭୀଷ୍ମଙ୍କୁ ମାରିବାକୁ ଉଦ୍ଦେଶି ଧାଇଁଲେ ॥” (କୃଷ୍ଣସିଂହ, ମହାଭାରତ, ଆଦିପର୍ଵ)

×××××××××××

“ଅତି ଚଞ୍ଚଳ ତ ଅଟନ୍ତି ସେ ଘୋଡ଼ାଏ ପାଚଣ ବାଡ଼ି ବାଜନ୍ତେ ତ ତାଙ୍କ କାୟେ ॥” (କୃଷ୍ଣସିଂହ. ମହାଭାରତ. ଦ୍ରୋଣପର୍ଵ)


“ଵେଦ ପଢ଼ି ଦ୍ୱିଜେ ଲଙ୍ଗଳ କଣ୍ଟି ଧରି
ବଳଦ ବାହିଲେ ପାଚଣ ବାଡ଼ି ଧରି।” (କୃଷ୍ଣସିଂହ, ମହାଭାରତ, ଶାନ୍ତିପର୍ଵ)

ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଶକ୍ତ ଛାଟକୁ ପାଚଣ,ପାଞ୍ଚଣ,ପାଚନ,ପାଁଚନ୍ ଇତ୍ୟାଦି କୁହାଯାଏ ।‌ ଉଲ୍ଲେଖଯୋଗ୍ୟ ଯେ ଇଂରାଜୀ ଭାଷାରେ ଗୋରୁ ଅଡ଼ାଇଵା ପାଇଁ ଵ୍ୟଵହୃତ ବାଡ଼ିକୁ Goad କୁହନ୍ତି । 
ସାରା ଓଡ଼ିଶାରେ ଅଞ୍ଚଳ ଭେଦରେ ଓ ଆକାର ପ୍ରକାର ଦୃଷ୍ଟିରୁ ଭିନ୍ନ ଭିନ୍ନ ଯଷ୍ଟିଗୁଡ଼ିକର ନାନା ନାମ ଚଳୁଅଛି ଯଥା :- ଟିମ୍ପଣି,ପହିଆ,ବାଡ଼ି,ଠେଙ୍ଗିଣି,ଗେଡ଼ା,ଛଡ଼ ଵା ଛଡ଼ି,ବେତ,ଡାଙ୍ଗ,ଦଣ୍ଡା(ଡଣ୍ଡା),ନଉଡ଼ି,
ନଳ ଓ ନାଦି ଇତ୍ୟାଦି ଇତ୍ୟାଦି...

ଅନେକ ଗ୍ରାମାଞ୍ଚଳରେ ଆଉ ଲୋକେ ଗାଈ ଗୋରୁ କରୁନାହାନ୍ତି କି ବଳଦ ଦ୍ଵାରା ଚାଷ ହେଉନାହିଁ । ଆଜିକାଲି ବଳଦ ଓ ଶଗଡ଼ର ସ୍ଥାନ ଟ୍ରାକ୍ଟର ନେଇ ଯାଇଛି ଫଳତଃ କୃଷକକୁ ଆଉ ପାଞ୍ଚଣ ଲୋଡ଼ା ପଡ଼ୁନାହିଁ । ଵିଦ୍ୟାଳୟରେ ମଧ୍ୟ ପିଲାଙ୍କୁ ଶିକ୍ଷକ ଦ୍ଵାରା ବେତ୍ରାଘାତ କରାଯିଵା ପ୍ରଥା ଉଠାଇ ଦିଆଯାଇଛି ଫଳରେ ସେଠାରେ ମଧ୍ୟ ପାଞ୍ଚଣ,ଛାଟ ଓ ବେତ ଆଦି ଲୋଡ଼ା ପଡୁ଼ନାହିଁ ‌। ତେଣୁ ଏକଦା କୃଷକ ଓ ଶିକ୍ଷକଙ୍କ ଦୈନନ୍ଦିନ ଜୀଵନର ଏକ ଅତ୍ୟାଵଶ୍ୟକ ଵସ୍ତୁ ଥିଵା ପାଞ୍ଚଣ ,ଛାଟ ଆଦି ଆଜି ଅଲୋଡ଼ା ହୋଇଯାଇଛି କହିଲେ ଭୁଲ୍ ହେଵ ନାହିଁ । 

Thursday, September 7, 2023

•ଭାରତ ଓ ଇଣ୍ଡିଆ : ଵିଶ୍ଵରେ ଭାରତର ପରିଚୟ•


ଭାରତ ଓ india ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଅଛି । ପ୍ରଥମତଃ ନିରୁକ୍ତି ଦୃଷ୍ଟିରୁ India ଗୋଟିଏ ସାଧାରଣ ନାମ କିନ୍ତୁ ଭାରତ ଏକ ଵୈଜ୍ଞାନିକ ନାମ । ଭାରତର India ନାମଟି ଵିଦେଶୀମାନେ ରଖିଛନ୍ତି କିନ୍ତୁ ଭାରତୀୟମାନେ ନିଜେ ନିଜ ଦେଶର ନାମ ଭାରତ ରଖିଥିଲେ । ଵିଭିନ୍ନ ଭାରତୀୟ ଭାଷାର ପ୍ରାଚୀନ ସାହିତ୍ୟରେ ଭାରତର ‘ଭାରତ’ ନାମ ହିଁ ଦେଖିଵାକୁ ମିଳେ । କିନ୍ତୁ କୌଣସି ଭାଷାର ପ୍ରାଚୀନ ଭାରତୀୟ ସାହିତ୍ୟରେ ଇଣ୍ଡିଆ ଶବ୍ଦ ଦେଖିଵାକୁ ମିଳେ ନାହିଁ । 

ଭାରତର İndia ନାମ ପ୍ରଥମେ ଗ୍ରୀକ୍ ଆକ୍ରାନ୍ତାମାନେ ଉତ୍ତର ଭାରତଵର୍ଷର କିଛି ଅଂଶ ଵିଜୟ ପରେ ରଖିଥିଲେ । ପରେ ଇଂରେଜ,ଫ୍ରେଞ୍ଚ୍ ,ଡଚ୍,
ଓନ୍ଦଲାଜ୍ ଓ ପର୍ତ୍ତୁଗୀଜ୍ ଆଦି ଖିରସ୍ତାନୀ ଆକ୍ରାନ୍ତାମାନେ ଭାରତରେ ଅତ୍ୟାଚାର,ଲୁଣ୍ଠନ ଓ ହତ୍ୟାକାଣ୍ଡ ଚଳାଇ ପୁଣି ସେହି ପୁରୁଣା ପରାଧୀନର ସନ୍ତକ ଇଣ୍ଡିଆକୁ ଏ ଦେଶର ନାଆଁ କରି ଥୋଇ ଦେଲେ । ମାତ୍ର ଭାରତ ନାମଟି ଭାରତୀୟମାନଙ୍କର ସ୍ଵାଧୀନତାର ପରିଚୟ । ପ୍ରାଚୀନ ଭାରତୀୟମାନେ ବହୁତ ଭାବି ଚିନ୍ତି ନିଜ ଦେଶର ନାମ ଭାରତ ରଖିଥିଲେ । India କେମିତି ଏକ ସାଧାରଣ ନାମ ଓ ଭାରତ କିପରି ଗୋଟିଏ ଅସାଧାରଣ ନାମ ଏ ପ୍ରଶ୍ନର ଉତ୍ତର ଉଭୟ ଶବ୍ଦର ଵ୍ୟୁତ୍ପତ୍ତି ଓ ନିରୁକ୍ତି ମଧ୍ୟରେ ଲୁଚି ରହିଛି । 

ୟୁରୋପୀୟ ଜାତିମାନଙ୍କ ମଧ୍ୟରେ ସର୍ଵପ୍ରଥମେ ଗ୍ରୀକ୍‌ମାନେ ଭାରତ ଉପରେ ଆକ୍ରମଣ କରିଥିଲେ । ଯେତେବେଳେ ଗ୍ରୀକ୍‌ମାନେ ଭାରତଵର୍ଷର ଉତ୍ତର ଭାଗକୁ ଆକ୍ରମଣ କଲେ ସେମାନେ ମୁଖ୍ୟତଃ ସିନ୍ଧୁ ନଦୀ ଉପତ୍ୟକା ଓ ଏହାର ଆଖପାଖ ଅଞ୍ଚଳକୁ ଅଧିକାର କରିଥିଲେ । ମହାନ ଆଲେକଜାଣ୍ଡାର ବି ଏହି ଅଞ୍ଚଳ ପର୍ଯ୍ୟନ୍ତ ଆସି ରୋଗିଣା ହୋଇ ପଳାୟନ କରିଥିଲେ । ସେତେବେଳେ ପାରସ୍ୟର ଲୋକେ ସିନ୍ଧୁନଦୀ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିଵା ଲୋକଙ୍କୁ 𐏃𐎡𐎯𐎢𐏁(hindūš) କହୁଥିଲେ ।
ଏହି ପ୍ରାଚୀନ ପାରସ୍ୟ ଶବ୍ଦର ପ୍ରାକ୍ ଇରାନୀ ରୂପ *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ ରୂପ *síndʰuš(ନଦୀ/ସାଗର) ଥିଲା । ଅର୍ଥାତ୍ ମୂଳ ସିନ୍ଧୁ ଶବ୍ଦଟି ପାରସ୍ୟରେ କ୍ରମେ ହିନ୍ଦୁସ୍ ରୂପେ ପ୍ରଚଳିତ ଥିଲା । ଗ୍ରୀକ୍ ଆକ୍ରାନ୍ତାମାନେ ସେହି ପାରସ୍ୟ ହିନ୍ଦୁସ୍ ଶବ୍ଦକୁ ସାମାନ୍ୟ ପରିଵର୍ତ୍ତନ କରି Ἰνδόςକହିଲେ ତଥା ସିନ୍ଧୁ ନଦୀର ନାମ Indós ଓ ସେ ନଦୀ ପ୍ରଵାହିତ ଅଞ୍ଚଳକୁ Ἰνδία(Indía) ନାମ ଦେଲେ । ଏହି ଗ୍ରୀକ୍ Ἰνδία(Indía) ଶବ୍ଦଟି ପରେ ଲାଟିନ୍ ଭାଷାରେ india ରୂପେ ପ୍ରଚଳିତ ହେଲା ।

ଗ୍ରୀକ୍‌ମାନେ ସେତେବେଳେ ଭାରତରେ ଆସି ଦେଖିଲେ ଏ ଦେଶରେ କେହି ବି ଦାସତ୍ଵର ଶିକୁଳିରେ ବନ୍ଧା ନୁହନ୍ତି ଵରଂ ମୁକ୍ତ ଭାବେ ଜୀଵନଯାପନ କରୁଛନ୍ତି। ଠିକ୍ ସେହି ସମୟରେ ୟୁରୋପ ଓ ଆରବ ଆଦି ଅଞ୍ଚଳରେ ଦାସତ୍ବପ୍ରଥା ଉତ୍କଟ ଥିଲା । ଏକଥାକୁ ସେତେବେଳେ Lucius Flavius Arrianus ତାଙ୍କର Anabasis Alexandri ପୁସ୍ତକରେ ଵର୍ଣ୍ଣନା କରିଥିଲେ । ମୂଳ ଗ୍ରୀକ୍ ଭାଷାରୁ AEdgar Iliff Robsonଙ୍କ ଦ୍ଵାରା ତହିଁର ଇଂରାଜୀ ଅନୁଵାଦ ଏହିପରି କରାଯାଇଛି...
❝This also is remarkable in India, that all Indians are free, and no Indian at all is a slave. In this the Indians agree with the Lacedaemonians. Yet the Lacedaemonians have Helots for slaves, who perform the duties of slaves; but the Indians have no slaves at all, much less is any Indian a slave.❞

ତେବେ ସେ ଯୁଗରେ ଭାରତୀୟମାନେ ଏ ଇଣ୍ଡିଆ ଶବ୍ଦ ସହିତ ସେତେ ପରିଚିତ ନଥିଲେ କିନ୍ତୁ ୟୁରୋପରେ ଏ ନାମ ଭାରତର ନାମ ଭାବେ ଵ୍ୟଵହୃତ ହେଵାକୁ ଲାଗିଲା । ରୋମାନ୍ ତଥା ଆରବୀମାନଙ୍କଠାରୁ ଭାରତର ଇଣ୍ଡିଆ ନାମ ପାଇ ତତ୍କାଳୀନ ଇଂରେଜମାନେ ଭାରତକୁ Indea କହୁଥିଲେ ଏଵଂ ଏ ଶବ୍ଦ ଶବ୍ଦ ଵ୍ଯଵହାର ସେତେବେଳେ ଅଧିକ ଥିଲା ଏଵଂ ଇଂରାଜୀ ଭାଷାର ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ଓ inde ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମୋଦ୍ଧୃତ । ବହୁତ ପରେ ପଞ୍ଚଦଶ ଶତାବ୍ଦୀ ବେଳକୁ ଇଂରାଜୀ ଭାଷାରେ ଲାଟିନ ଶବ୍ଦ indiaକୁ ହିଁ ଵ୍ୟଵହାର କରାଗଲା ଓ indie,inde ତଥା Indea ଇଂରାଜୀ ଭାଷାରେ ଅପ୍ରଚଳିତ ହୋଇଗଲା । ସେହି ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗାଲୀ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ପ୍ରଦତ୍ତ ଇଣ୍ଡିଆ ନାମ ସହିତ ଭାରତୀୟଙ୍କର ପ୍ରଥମେ ପରିଚୟ ହୋଇଥିଲା । ପନ୍ଦରଶହରୁ ଷୋହଳଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଲାଟିନ୍ ଭାଷାର India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଵିଶ୍ଵରେ ଭାରତର ଏକ ନାମ ଭାବରେ ଜଣାଶୁଣା ହୋଇଗଲା । ପଞ୍ଚଦଶ ଶତାବ୍ଦୀରୁ ଏଯାଵତ୍ ଇଣ୍ଡିଆ ଶବ୍ଦ ପାଶ୍ଚାତ୍ୟଵାସୀ ଵିଭିନ୍ନ ଅର୍ଥରେ ପ୍ରୟୋଗ କରୁଅଛନ୍ତି । ପ୍ରଥମତଃ ଭାରତକୁ ଇଣ୍ଡିଆ କୁହାଯାଏ । ପାଶ୍ଚାତ୍ୟ ଦେଶଗୁଡି଼କରେ ମହିଳାମାନଙ୍କୁ ଇଣ୍ଡିଆ ନାମ ଦିଆଯାଏ । NATO phonetic alphabetରେ ❝I❞କୁ india କୁହାଯାଏ ।
ବୋଇତିଆ ଧ୍ଵଜାର ସାଂକେତିକ ଚିହ୍ନ ❝I❞କୁ ବି ଇଣ୍ଡିଆ କୁହନ୍ତି । Time zone UTC+09:00ର ଏକ ଆଧିକାରିକ ନାମ ଇଣ୍ଡିଆ ରଖାଯାଇଛି । ପୂର୍ଵେ ଆମେରିକାର ଲୋକେ ଆମେରିକାର ପ୍ରାଚୀନ ଅଧିଵାସୀ ଲୋହିତ ଭାରତୀୟଙ୍କୁ Red Indian ଓ ବେଳେବେଳେ କେଵଳ indian କହୁଥିଲେ । 

ଵର୍ତ୍ତମାନ ଯୁଗରେ କିନ୍ତୁ ସିନ୍ଧୁନଦୀ ଓ ଏହାର ଉପତ୍ୟକା ତଥା ତ୍ରିକୋଣଭୂମି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତରେ ନାହିଁ ଵରଂ ସେହି ଅଞ୍ଚଳ ଏବେ ପାକିସ୍ତାନ ନାମରେ ଜଣାଶୁଣା ହୋଇଛି । ଭାରତଵର୍ଷର ଶତାଧିକ ନଦୀ ମଧ୍ୟରେ ଗୋଟିଏ ନଦୀ ସିନ୍ଦୁନଦୀ ନାମରେ ଇଣ୍ଡିଆ ନାମକରଣ ହୋଇଥିଵାରୁ ଏହା ଏକ ସାଧାରଣ ନାମ ବୋଲି ସହଜେ ଅନୁମେୟ । 

କିନ୍ତୁ ଭାରତଵର୍ଷର ପୁରାତନ ଓ ମୌଳିକ ନାମ 'ଭାରତ' ନିରୁକ୍ତି ଦୃଷ୍ଟିରୁ ଏକ ଵୈଜ୍ଞାନିକ ନାମ କହିଲେ ଅତ୍ୟୁକ୍ତି ହେଵ ନାହିଁ । 

ଵିଷ୍ଣୁପୁରାଣର ଦ୍ଵିତୀୟ ଅଂଶ ତୃତୀୟ ଅଧ୍ୟାୟରେ ଭାରତ ଦେଶର ଵିସ୍ତୃତ ଵର୍ଣ୍ଣନା ହୋଇଅଛି । ତାହା ଏଠାରେ ନିମ୍ନରେ ପ୍ରଦତ୍ତ ହେଲା । 

❝ଉତ୍ତରଂ ଯତ୍ ସମୁଦ୍ରସ୍ଯ ହିମାଦ୍ରେଶ୍ଚୈଵ ଦକ୍ଷିଣମ୍ ।
ଵର୍ଷଂ ତଦ୍ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ ॥
ନଵଯୋଜନସାହସ୍ରୋ ଵିସ୍ତାରୋଽସ୍ଯ ମହାମୁନେ ! । 
କର୍ମ୍ମଭୂମିରିୟଂ ସ୍ଵର୍ଗମପଵର୍ଗଞ୍ଚ ଗଚ୍ଛତାମ୍ ॥ ମହେନ୍ଦ୍ରୋ ମଳୟଃ ସହ୍ଯଃ ଶୁକ୍ତିମାନୃକ୍ଷପର୍ଵ୍ଵତଃ ।
ବିନ୍ଧ୍ଯଶ୍ଚ ପାରିପାତ୍ରଶ୍ଚ ସପ୍ତାତ୍ର କୁଳପର୍ଵ୍ଵତାଃ ॥
ଅତଃ ସଂପ୍ରାପ୍ଯତେ ସ୍ଵର୍ଗୋ ମୁକ୍ତିମସ୍ମାତ୍ ପ୍ରୟାନ୍ତି ଚ ।
ତିର୍ଯ୍ଯକ୍ତ୍ଵଂ ନରକଂ ଚାପି ଯାନ୍ତ୍ଯତଃ ପୁରୁଷା ମୁନେ ! ॥
ଇତଃ ସ୍ଵର୍ଗଶ୍ଚ ମୋକ୍ଷଶ୍ଚ ମଧ୍ଯଞ୍ଚାନ୍ତଶ୍ଚ ଗମ୍ଯତେ । 
ନ ଖଲ୍ଵନ୍ଯତ୍ର ମର୍ତ୍ଯାନାଂ କର୍ମ୍ମଭୂମୌ ଵିଧୀୟତେ ॥
ଭାରତସ୍ଯାସ୍ଯ ଵର୍ଷସ୍ଯ ନଵ ଭେଦାନ୍ନିଶାମୟ ।
ଇନ୍ଦ୍ରଦ୍ଵୀପଃ କଶେରୁଶ୍ଚ ତାମ୍ରପର୍ଣ୍ଣୋ ଗଭସ୍ତିମାନ୍ ॥
ନାଗଦ୍ଵୀପସ୍ତଥା ସୌମ୍ଯୋ ଗାନ୍ଧର୍ଵ୍ଵସ୍ତ୍ଵଥ ଵାରୁଣଃ ।
ଅୟନ୍ତୁ ନଵମସ୍ତେଷାଂ ଦ୍ଵୀପଃ ସାଗରସଂଵୃତଃ ॥
ଯୋଜନାନାଂ ସହସ୍ରନ୍ତୁ ଦ୍ବୀପୋଽଯଂ ଦକ୍ଷିଣୋତ୍ତରାତ୍ ।
ପୂର୍ବ୍ବେ କିରାତା ଯସ୍ଯାନ୍ତେ ପଶ୍ଚିମେ ଯଵନାଃ ସ୍ଥିତାଃ ॥
ବ୍ରାହ୍ମଣାଃ କ୍ଷତ୍ତ୍ରିୟା ଵୈଶ୍ଯା ମଧ୍ଯେ ଶୂଦ୍ରାଶ୍ଚ ଭାଗଶଃ ।
ଇଜ୍ଯାଯୁଦ୍ଧବଣିଜ୍ଯାଦ୍ଯୈର୍ଵ୍ଵର୍ତ୍ତୟନ୍ତୋ ଵ୍ଯଵସ୍ଥିତାଃ ॥
ଶତଦ୍ରୁଶ୍ଚନ୍ଦ୍ରଭାଗାଦ୍ଯା ହିମଵତ୍ପାଦନିଃସୃତାଃ । ଵେଦସ୍ମୃତିମୁଖାଶ୍ଚାନ୍ଯାଃ ପାରିପାତ୍ରୋଦ୍ଭଵା ମୁନେ ! ॥
ନର୍ମ୍ମଦାସୁରସାଦ୍ଯାଞ୍ଚ ନଦ୍ଯୋ ବିନ୍ଧ୍ଯଵିନିଃସୃତାଃ ।
ତାପୀ ପୟୋଷ୍ଣୀ ନିର୍ଵିନ୍ଧ୍ଯାପ୍ରମୁଖା ଋକ୍ଷସମ୍ଭଵାଃ ॥
ଗୋଦାଵରୀ ଭୀମରଥୀ କୃଷ୍ଣଵେଣ୍ଯାଦିକାସ୍ତଥା ।
ସହ୍ଯପାଦୋଦ୍ଭଵା ନଦ୍ଯଃ ସ୍ମୃତାଃ ପାପଭୟାପହାଃ ॥
କୃତମାଳା ତାମ୍ରପର୍ଣ୍ଣୀ ପ୍ରମୁଖା ମଳୟୋଦ୍ଭଵାଃ ।
ତ୍ରିସାମା ଋଷିକୁଲ୍ଯାଦ୍ଯା ମହେନ୍ଦ୍ରପ୍ରଭଵାଃ ସ୍ମୃତାଃ ॥
ଋଷିକୁଲ୍ଯା କୁମାର୍ଯ୍ଯାଦ୍ଯାଃ ଶୁକ୍ତିମତ୍ପାଦସମ୍ଭଵାଃ ।
ଆସାଂ ନଦ୍ଯୁପନଦ୍ଯଶ୍ଚ ସନ୍ତ୍ଯନ୍ଯାଶ୍ଚ ସହସ୍ରଶଃ ॥
ତାସ୍ଵିମେ କୁରୁପାଞ୍ଚାଳମଧ୍ଯଦେଶାଦୟୋ ଜନାଃ ।
ପୂର୍ବ୍ବଦେଶାଦିକାଶ୍ଚୈଵ କାମରୂପନିଵାସିନଃ ॥
ଓଡ୍ରାଃ କଳିଙ୍ଗା ମଗଧା ଦାକ୍ଷିଣାତ୍ଯାଶ୍ଚ କୃତ୍ସ୍ନଶଃ ।
ତଥାପରାନ୍ତାଃ ସୌରାଷ୍ଟ୍ରାଃ ଶୂରାଭୀରାସ୍ତଥାର୍ଵ୍ଵୁଦାଃ ॥
ମାରୁକା ମାଳଵାଶ୍ଚୈଵ ପାରିପାତ୍ରନିଵାସିନଃ ।
ସୌଵୀରାଃ ସୈନ୍ଧଵା ହୂଣାଃ ଶାଲ୍ଵାଃ ଶାକଳଵାସିନଃ ॥
ମଦ୍ରା ରାମାସ୍ତଥାମ୍ବଷ୍ଠାଃ ପାରସୀକାଦୟସ୍ତଥା ।
ଆସାଂ ପିବନ୍ତି ସଲିଳଂ ଵସନ୍ତି ସରିତାଂ ସଦା ॥
ସମୀପତୋ ମହାଭାଗ ! ହୃଷ୍ଟପୁଷ୍ଟଜନାକୁଳାଃ । 
ଚତ୍ଵାରି ଭାରତେ ଵର୍ଷେ ଯୁଗାନ୍ଯତ୍ର ମହାମୁନେ ! ॥ 
କୃତଂ ତ୍ରେତା ଦ୍ଵାପରଞ୍ଚ କଳିଶ୍ଚାନ୍ଯତ୍ର ନ କ୍ଵଚିତ୍ ।
ତପସ୍ତପ୍ଯନ୍ତି ଯତୟୋ ଜୁହ୍ଵତେ ଚାତ୍ର ଯଜ୍ଵିନଃ ॥
ଦାନାନି ଚାତ୍ର ଦୀୟନ୍ତେ ପରଲୋକାର୍ଥମାଦରାତ୍ ।
ପୁରୁଷୈର୍ଯଜ୍ଞପୁରୁଷୋ ଜମ୍ବୁଦ୍ବୀପେ ସଦେଜ୍ଯତେ ॥
ଯଜ୍ଞୈର୍ଯଜ୍ଞପତିର୍ଵିଷ୍ଣୁରନ୍ଯଦ୍ଵୀପେଷୁ ଚାନ୍ଯଥା ।
ତତ୍ରାପି ଭାରତଂ ଶ୍ରେଷ୍ଠଂ ଜମ୍ବୁଦ୍ଵୀପେ ମହାମୁନେ ! ॥ 
ଯତୋ ହି କର୍ମ୍ମଭୂରେଷା ତତୋଽନ୍ଯା ଭୋଗଭୂମୟଃ ।
ଅତ୍ର ଜନ୍ମସହସ୍ରାଣାଂ ସହସ୍ରୈରପି ସତ୍ତମ ! । 
କଦାଚିଲ୍ଲଭତେ ଜନ୍ତୁର୍ମାନୁଷ୍ଯଂ ପୁଣ୍ଯସଞ୍ଚୟାତ୍ ॥
ଗାୟନ୍ତି ଦେଵାଃ କିଳ ଗୀତକାନି ଧନ୍ଯାସ୍ତୁ ଯେ ଭାରତଭୂମିଭାଗେ । ସ୍ଵର୍ଗାପଵର୍ଗାସ୍ପଦମାର୍ଗଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ॥ କର୍ମ୍ମାଣ୍ଯସଙ୍କଳ୍ପିତତତ୍ଫଳାନି ସଂନ୍ଯସ୍ଯ ଵିଷ୍ଣୌ ପରମାତ୍ମରୂପେ । 
ଅଵାପ୍ଯ ତାଂ କର୍ମ୍ମମହୀମନନ୍ତେ ତସ୍ମିଲ୍ଲୟଂ ଯେ ତ୍ଵମଳାଃ ପ୍ରୟାନ୍ତି ॥ 
ଜାନୀମ ନୈତତ୍ କ୍ଵ ଵୟଂ ଵିଲୀନେ ସ୍ଵର୍ଗପ୍ରଦେ କର୍ମ୍ମଣି ଦେହବନ୍ଧମ୍ ।
ପ୍ରାପ୍ସ୍ଯାମ ଧନ୍ଯାଃ ଖଳୁ ତେ ମନୁଷ୍ଯା ଯେ ଭାରତେ ନେନ୍ଦ୍ରିୟଵିପ୍ରହୀନାଃ ॥
ନଵଵର୍ଷନ୍ତୁ ମୈତ୍ରେୟ ! ଜମ୍ବୁଦ୍ଵୀପମିଦଂ ମୟା ।
ଲକ୍ଷଯୋଜନଵିସ୍ତାରଂ ସଂକ୍ଷେପାତ୍ କଥିତଂ ତଵ ॥
ଜମ୍ବୂଦ୍ବୀପଂ ସମାଵୃତ୍ଯ ଲକ୍ଷଯୋଜନଵିସ୍ତରଃ ।
ମୈତ୍ରେୟ ! ଵଳୟାକାରଃ ସ୍ଥିତଃ କ୍ଷାରୋଦଧିର୍ବହିଃ ॥❞
(॥ଇତି ଶ୍ରୀଵିଷ୍ଣୁପୁରାଣେ ୨ ଅଂଶେ ୩ ଅଧ୍ୟାୟଃ॥)

ଏହି ସଂସ୍କୃତ ଶ୍ଳୋକଗୁଡ଼ିକରେ ସମ୍ପୂର୍ଣ୍ଣ ଭାରତଵର୍ଷର ସୀମା ଓ ଆୟତନ, ତହିଁର ଦେଶ , ମାନଵଗୋଷ୍ଠୀ,ପର୍ଵତ ଓ ନଦୀ ଆଦି ଵିଷୟରେ ଉଲ୍ଲେଖ ରହିଛି । ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ମହାସାଗର ପର୍ଯ୍ୟନ୍ତ 
ନଵଯୋଜନ ସହସ୍ର ଵିସ୍ତାର ଯୁକ୍ତ ଭାରତଵର୍ଷରେ ମହେନ୍ଦ୍ର, ମଳୟ, ସହ୍ଯ, ଶୁକ୍ତିମାନ,ଋକ୍ଷ,ବିନ୍ଧ୍ଯ ଓ ପାରିପାତ୍ର ଇତ୍ୟାଦି ସପ୍ତ କୁଳ ପର୍ଵତର ଉଲ୍ଲେଖ ମଧ୍ୟ କରାଯାଇଛି । ପୁଣି ଭାରତଵର୍ଷ ନଵ ଭାଗରେ ଵିଭକ୍ତ ଏଵଂ ସେହିସବୁ ଭୂଭାଗକୁ ଇନ୍ଦ୍ରଦ୍ଵୀପ, କଶେରୁ, ତାମ୍ରପର୍ଣ୍ଣ(ସିଂହଳ), ଗଭସ୍ତିମାନ, ନାଗଦ୍ଵୀପ, ସୌମ୍ଯ, ଗନ୍ଧର୍ଵ ଓ ଵାରୁଣ ବୋଲି ମଧ୍ୟ ଵିଷ୍ଣୁପୁରାଣରେ ଉଲ୍ଲେଖ କରାଯାଇଛି । ନର୍ମଦା,ତାପୀ,ଗୋଦାଵରୀ,ଭୀମରଥୀ,କୃଷ୍ଣାବେଣୀ,କୃତମାଳା,ତାମ୍ରପର୍ଣ୍ଣୀ ଓ ଋଷିକୂଲ୍ୟା ଆଦି ନଦୀଗୁଡ଼ିକର ନାମ ବି ଵର୍ଣ୍ଣିତ ହୋଇଛି । ଭାରତଵର୍ଷର ଏଭଳି ସୁନ୍ଦର ଵର୍ଣ୍ଣନା ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ ନାହିଁ । 

ପୃଥିଵୀର ସମସ୍ତ ପ୍ରାଚୀନ କଳା , ସଂସ୍କୃତି , ଭାଷା , ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ ଵିଷ୍ଣୁପୁରାଣରେ କୁହାଯାଇଛି-

❝ ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ ।
ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।❞ 
(ଵିଷ୍ଣୁ ପୁରାଣ(୨।୩।୨୪))

ଅର୍ଥାତ୍
❝ଦେଵତା ଗୀତ ଗାୟନ ପୂର୍ଵକ କହୁଛନ୍ତି
ଯେ-ସ୍ଵର୍ଗ ଓ ଉପଵର୍ଗର ମାର୍ଗଭୂତ ଭାରତଭୂମିରେ ଜନ୍ମିତ ଲୋକେ ଆମ୍ଭ ମାନଙ୍କ ଠାରୁ(ଦେଵତା ମାନଙ୍କ ଅପେକ୍ଷା) ଅଧିକ ଧନ୍ୟ ଵା ଭାଗ୍ୟଵାନ ଅଟନ୍ତି । ଅର୍ଥାତ୍ ସ୍ଵର୍ଗ ଓ ଉପଵର୍ଗ(ମୋକ୍ଷ-କୈଵଲ୍ୟ)ର ମାର୍ଗ ସ୍ଵରୂପ ଭାରତଭୂମିକୁ ଧନ୍ୟ ଧନ୍ୟ କହିଵା ସହ ଦେଵଗଣ ଏହାର ଶୌର୍ଯ୍ୟ ଗାନ କରୁଅଛନ୍ତି । ସଂକ୍ଷେପରେ କହିଲେ ଭାରତରେ ମନୁଷ୍ୟ ଜନ୍ମ ପାଇଵା ଦେଵତ୍ଵ ପଦ ପ୍ରାପ୍ତ କରିଵା ଠାରୁ ବି ବଡ଼ କଥା ଅଟଇ ।❞

ସେତେବେଳେ ଭାରତ ଯଥାର୍ଥରେ ଵିଶ୍ଵଗୁରୁ ଥିଲା ତେଣୁ ମନୁ ସ୍ମୃତିର ଦ୍ଵିତୀୟ ଅଧ୍ୟାୟରେ ଆଉ ପଦେ ଯୋଡା଼ଯାଇଛି―

❝ଏତ ଦେଶ ପ୍ରସୂତସ୍ଯ ସକାଶାଦଗ୍ର ଜନ୍ମନଃ ।
ସ୍ଵଂ ସ୍ଵଂ ଚରିତ୍ର ଶିକ୍ଷେରନ୍ ପୃଥିଵ୍ଯାଂ ସର୍ଵ ମାନଵାଃ ।।❞

ଅର୍ଥାତ୍ 
❝ଏ ଦେଶରେ ଉତ୍ପନ୍ନ ହୋଇଥିଵା ଅଗ୍ରଜନ୍ମା ମହାପୁରୁଷଙ୍କ ପାଖରେ ବସି ସଂସାର ଯାକର ମାନଵ ଶିକ୍ଷାଗ୍ରହଣ କରନ୍ତୁ । କାରଣ ଏ ଦେଶ ଵିଶ୍ଵଗୁରୁ ଅଟେ ।❞

ଏ କଥା ଅନେକ ଵର୍ଷ ପରେ ଵିଦେଶୀ ଵିଦ୍ଵାନ ମଧ୍ଯ ମାନିଛନ୍ତି ଏଵଂ ଭାରତୀୟଙ୍କୁ ଏଥିପାଇଁ ଧନ୍ୟଵାଦ ବି ଦେଇଛନ୍ତି ।

ପ୍ରଶିଦ୍ଧ ଜର୍ମାନ- ଆମେରିକୀୟ ଵୈଜ୍ଞାନିକ
Albert Einstein କହିଥିଲେ―
❝We owe a lot to the Indians, who taught us how to count, without which no worthwhile scientific discovery could have been made.❞
❨ଆମେ ସମସ୍ତ ଭାରତୀୟଙ୍କୁ ଅଭିଵାଦନ କରୁଛୁ,ଯେଉଁ ମାନେ ଆମ୍ଭମାନଙ୍କୁ ଗଣନା କରିବା ଶିଖେଇଛନ୍ତି କାରଣ ଏହା ବିନା ଵିଜ୍ଞାନ ର କୌଣସି ବି ଏଷଣା ସମ୍ଭଵପର ହୋଇପାରି ନଥାନ୍ତା❩

ସେହିପରି ଆମେରକୀୟ ଦାର୍ଶନିକ ଓ ଐତିହାସିକ Will Durant ଏ କଥାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି । ତାଙ୍କ ଭାଷାରେ–

❝It is true that even across the Himalayan barrier India has sent to the west, such gifts as grammar and logic, philosophy and fables, hypnotism and chess, and above all numerals and the decimal system.❞
❨“ଏହା ସତ୍ୟ ଅଟେ ଯେ ହିମାଳୟର ଵାଧା ପରେ ବି ଭାରତଵର୍ଷ ଏହି ପଶ୍ଚିମ ଵିଶ୍ଵରେ ଵ୍ୟାକରଣ,ତର୍କ,ଦର୍ଶନ,ନୀତିକଥା,ସମ୍ମୋହନ,ଦ୍ୟୁତ,ଗଣନ ପଦ୍ଧତି ଏଵଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦଶମିକ ପ୍ରଣାଳୀର ଜ୍ଞାନ ପଠେଇ ପାରିଥିଲା ।”❩

ଯଥାର୍ଥରେ ଆମ ଦେଶର ଭାରତ ନାମ ସର୍ଵୋତ୍କୃଷ୍ଟ ଓ ଶ୍ରେଷ୍ଠ ନାମ ଅଟଇ । କିନ୍ତୁ ଏ ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ରହିଛି ।  
କେହି କେହି କୁହନ୍ତି ଭାରତ ଶବ୍ଦ 'ଭା ଧାତୁ'ରୁ ନିଷ୍ପନ୍ନ ହୋଇଛି । ସେମାନଙ୍କ ମତରେ
ଭା+ରତ=ଭାରତ । 'ଭା'ର ଅର୍ଥ ଜ୍ଞାନ ଆଉ 
ରତ ଶବ୍ଦର ଅର୍ଥ ଅନୁରକ୍ତ,ଲିପ୍ତ,ଆସକ୍ତ । ପୁଣି ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ ଅଛି 
ଯଥା :- ନିଯୁକ୍ତ,ଵ୍ଯାପୃତ,ରମଣ,ପ୍ରେମ,ପ୍ରଣୟ,
ଅନୁରାଗ,ଆମୋଦ ପ୍ରମୋଦ, ଆସକ୍ତି ଇତ୍ୟାଦି । ଭାରତ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ ଏହି ମତଵାଦୀମାନେ କୁହନ୍ତି ଯେ ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେ ଦେଶ ହେଉଛି ଭାରତ ! 

ତେବେ ପ୍ରକୃତରେ ଭା ଧାତୁର ଅର୍ଥ ଦିପ୍ତି ପାଇଵା ଅଟେ । କୌଣସି ଅଭିଧାନରେ ଭା ଶବ୍ଦର ଅର୍ଥ ଜ୍ଞାନ ବୋଲି ଉଲ୍ଲେଖ ହୋଇନାହିଁ । ଅଧିକାଂଶ ପୁରାତନ ଭାଷାକୋଷରେ ଭା ଧାତୁ ଶବ୍ଦର ଅର୍ଥ ଦିପ୍ତି ପାଇଵା ଲେଖାଥିଵା ଦେଖାଯାଏ । ସେଇଭଳି ସଂସ୍କୃତ ଭାଃ ଶବ୍ଦର ଅର୍ଥ ଦିପ୍ତି,ପ୍ରଭା,କିରଣ ଓ ଶୋଭା ବୋଲି ପ୍ରାୟ ସମସ୍ତ ଅଭିଧାନରେ ଲିଖିତ ଅଛି । 

ତେଣୁ ଯେଉଁ ଦେଶର ଲୋକମାନେ ସଦା ଦିପ୍ତି ଵା ପ୍ରଭାର ଆସକ୍ତ ସେ ଦେଶର ନାମ ଭାରତ ଆଉ କୌଣସି ଦେଶର ପ୍ରଭା,ଦିପ୍ତି,କିରଣ ଵା ଶୋଭା ସେ ଦେଶର ଜନତା - ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ ହୋଇଥିଲେ ହିଁ ସମ୍ଭଵପର ହୋଇଥାଏ ।

ପୌରାଣିକ ମତରେ ଭରତଙ୍କ ନାମରେ ଭାରତଵର୍ଷର ନାମକରଣ ଭାରତ ହୋଇଛି
କେତେକ ଭାଷାକୋଷ ଅନୁସାରେ ଭରତ ଓ ଅଣ୍[ଅ] ପ୍ରତ୍ୟୟ ଯୁକ୍ତ ହୋଇ ଭାରତ ଶବ୍ଦ ନିଷ୍ପନ୍ନ ହୋଇଅଛି। 

ପୁରାଣ କହେ ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଭୂଭାଗ ହିଁ ଭାରତଵର୍ଷ ଅଟେ । ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ । ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା । ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ ଆୟୋଜନ କରେଇଥିଲେ । କୁହାଯାଏ ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିଵା ହେତୁରୁ ଏହାଙ୍କ ନାମାନୁସାରେ ଜମ୍ବୁଦ୍ଵୀପର ଏକ ଵର୍ଷର ନାମ ଭରତଖଣ୍ଡ,ଭରତଭୂମି ଓ ଭାରତଵର୍ଷ ରଖାଯାଇଥିଲା ।

ଭାରତ ଶବ୍ଦର ଅର୍ଥ କେଵଳ ଭାରତ ଦେଶ ନୁହେଁ ଵରଂ ଏ ଶବ୍ଦର ଆହୁରି ଅନେକ ଅର୍ଥ ଅଛି । ପ୍ରଥମତଃ ଭାରତ ଦେଶକୁ ଭାରତ କୁହାଯାଏ,ଭରତବଂଶୀମାନଙ୍କୁ ମଧ୍ୟ ଭାରତ କୁହାଯାଏ । ଭରତବଂଶୀ ହୋଇଥିଵାରୁ ଶ୍ରୀକୃଷ୍ଣ ଗୀତାରେ ଅନେକ ଥର ଅର୍ଜୁନଙ୍କୁ ଭାରତ ସମ୍ବୋଧନ କରିଛନ୍ତି । ସେହିପରି ଭରତଙ୍କ ତନୟମାନେ ଭାରତ ଵିଦିତ ହେଉଥିଲେ । ପୁଣି ଅଭିନେତା ଵା ନଟ,ଅଗ୍ନି, ଭରତମୁନୀଙ୍କ ଭରତଙ୍କ ସଂକଳିତ ସଙ୍ଗୀତ, ବାଦ୍ୟ ଓ ନାଟ୍ୟ ଵିଷୟକ ନାଟ୍ୟଶାସ୍ତ୍ରକୁ ଭାରତ କୁହାଯାଉଥିଲା । ବଟ୍ଟ,ବଟର ଵା ଲାଵପକ୍ଷୀ( Quail)ର ଏ ଶାସ୍ତ୍ରୀୟ ନାମ ଭାରତ ଅଟେ । ଵାକ୍(speech) ଓ ଵାକ୍‌ ଦେଵତାଙ୍କୁ ମଧ୍ୟ ଭାରତ କୁହାଯାଏ । ଏହା ଛଡ଼ା ସୂର୍ଯ୍ୟଙ୍କର ଦକ୍ଷିଣାୟନକୁ ଭାରତ କୁ଼ହାଯାଉଥିଲା । ଦେଶଜ ଶବ୍ଦ ଭାବେ ଭାରତ ଶବ୍ଦଟି ଭୀଷଣ ଯୁଦ୍ଧ,ଲମ୍ବା ଚଉଡ଼ା ଵିଵରଣ ଵା କଥା ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ । ଭାରତ ଶବ୍ଦର ଏହି ଦେଶଜ ଅର୍ଥଗୁଡ଼ିକ ମହାଭାରତ ଗ୍ରନ୍ଥ ଓ ମହାଭାରତ ଯୁଦ୍ଧ ଆଧାରରେ ପ୍ରଚଳିତ ହୋଇଅଛି ।‌ ଉଲ୍ଲେଖଯୋଗ୍ୟ ଯେ ମହାଭାରତ ଗ୍ରନ୍ଥକୁ କେଵଳ ଭାରତ ବି କୁହାଯାଏ ।‌ ମହାଭାରତ ଗ୍ରନ୍ଥକୁ କାହିଁକି ଭାରତ କୁହାଯାଏ ସେ ଵିଷୟରେ ସଂସ୍କୃତ କଳ୍ପଦ୍ରୁମ ଶବ୍ଦକୋଷରେ କୁହାଯାଇଛି ଯେ ମହାଭାରତ ମହାକାଵ୍ୟର ଭାରତ ନାମଟି ଭାରଂ ଶବ୍ଦରେ ତନ୍ ଓ ଙଃ(ଅ) ପ୍ରତ୍ୟୟ ଯୁକ୍ତ ହୋଇ ନିଷ୍ପନ୍ନ ହୋଇଅଛି । ସେଠାରେ ଏହାର 
ଵ୍ଯାଖ୍ୟା କରି କୁହାଯାଇଛି “ଵେଦାଦିଶାସ୍ତ୍ରେଭ୍ଯୋଽପି ସାରାଂଶଂ ତନୋତି” ଅର୍ଥାତ୍ ଵେଦାଦିଶାସ୍ତ୍ର ଗୁଡ଼ିକର ଯାହା ସାରାଂଶ ତାହା ଭାରତ । ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିଵା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି । ହିନ୍ଦୀ ଶବ୍ଦ ସାଗର ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପ୍ରୋକ୍ତ ନିରୁକ୍ତି ଵ୍ଯାଖ୍ୟାକୁ ଆହୁରି ସହଜ ଭାଵେ ଭାର+ତ=ଭାରତ କୁହାଯାଇଛି । ଏହି ନିରୁକ୍ତି ଵ୍ଯାଖ୍ୟାରୁ ମିଳୁଥିବା ଭାର ଵା ଭାରଂ ଶବ୍ଦର ନିରୁକ୍ତି ହେଲା— ଭୃଧାତୁ+ଭାଵ.ଅ = ଭାର ।
ଭୃ ଧାତୁରୁ ଧାରଣ କରିଵା ଓ ପାଳନପୋଷଣ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।ଗୁରୁତ୍ୱ,ଗାମ୍ଭୀର୍ଯ୍ୟ,ସମୂହ,ଦାୟିତ୍ୱ ଓ ପରିମାଣ ଆଦି ଅର୍ଥରେ ଭାର ଵା ଭାରଂ ଶବ୍ଦ ପ୍ରୟୋଗ କରାଯାଏ । ତେବେ ଯଦି ଏହାକୁ ଭାରତ ନାମର ନିରୁକ୍ତି ଭାବେ ଗ୍ରହଣ କରାଯାଏ ତାହେଲେ ଏସବୁ ଅର୍ଥକୁ ନେଇ ଭାରତ ଶବ୍ଦର ଆଉ ଏକ ଭାଵଗତ ଵ୍ୟାଖ୍ୟା ହହୋଇପାରିଵ । ଯଥା : “ଯେଉଁଠି ସମସ୍ତଙ୍କୁ,ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ(ଯାଉଥିଲା),
ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି(ପାଉଥିଲେ),ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ଵହନ ପୂର୍ଵକ ସେମାନଙ୍କୁ ଅନ୍ନ,ଭୂମି ତଥା ପଵନ ଦେଇ ଲାଳନପାଳନ ପୋଷଣ କରିଛି ସେ ଦେଶ ଏ ଦେଶ ଭାରତଵର୍ଷ ଅଟେ ...”! 

ବହୁ ପୁଣ୍ୟ କରିଥିଲେ କର୍ମଭୂମି ଭାରତଵର୍ଷରେ ପ୍ରାଣୀ ଜନ୍ମ ଲଭନ୍ତି ବୋଲି ବ୍ରହ୍ମଵୈଵର୍ତ୍ତପୁରାଣରେ ଏମନ୍ତ ଉଲ୍ଲେଖ ଅଛି...
❝ଶତଜନ୍ମତପଃ କୃତ୍ଵା ଜନ୍ମେଦଂ ଭାରତେ ଲଭେତ୍ ।
କରୋତି ସଫଳଂ ଜନ୍ମ ଶ୍ରୁତ୍ଵା ହରିକଥାମୃତମ୍ ॥
ଅର୍ଚ୍ଚନଂ ଵନ୍ଦନଂ ମନ୍ତ୍ରଜପଃ ସେଵନମେଵ ଚ । ସ୍ମରଣଂ କୀର୍ତ୍ତନଂ ଶଶ୍ଵଦ୍ଗୁଣଶ୍ରଵଣମୀପ୍ସିତମ୍ ॥ ନିଵେଦନଂ ସ୍ଵସ୍ଯ ଦାସ୍ଯଂ ନଵଧା ଭକ୍ତିଲକ୍ଷଣମ୍ ।
କରୋତି ସଫଳଂ ଜନ୍ମ କୃତ୍ଵୈତାନି ଚ ଭାରତେ ॥❞

ଭାରତ ଭଳି ଏକ ପଵିତ୍ର ଭୂମି ଏ ବ୍ରହ୍ମାଣ୍ଡରେ ଦୁର୍ଲଭ ବୋଲି ମଧ୍ୟ ସେହି ବ୍ରହ୍ମଵୈଵର୍ତ୍ତପୁରାଣରେ ଏପରି କୁହାଯାଇଛି 

❝କର୍ମ୍ମଣାଂ ଫଳଭୋଗଶ୍ଚ ସର୍ଵ୍ଵେଷାଂ ସୁରସୁନ୍ଦରି ! । 
ନୈଵ ସ୍ଵର୍ଗେ ନ ପାତାଳେ ନାନ୍ଯଦ୍ଵୀପେ ଶ୍ରୁତୌ ଶ୍ରୁତମ୍ ॥
କୃତ୍ଵା ଶୁଭାଶୁଭଂ କର୍ମ୍ମ ପୁଣ୍ଯକ୍ଷେତ୍ରେ ଚ ଭାରତେ ।
ଅନ୍ଯତ୍ର ତତ୍ଫଳଂ ଭୁଙ୍କ୍ତେ କର୍ମ୍ମୀ କର୍ମ୍ମନିବନ୍ଧନାତ୍ ॥
ହିମାଳୟାଦାସମୁଦ୍ରଂ ପୁଣ୍ଯକ୍ଷେତ୍ରଞ୍ଚ ଭାରତମ୍ । ଶ୍ରେଷ୍ଠଂ ସର୍ଵ୍ଵସ୍ଥଳାନାଞ୍ଚ ମୁନୀନାଞ୍ଚ ତପଃସ୍ଥଳମ୍ ॥ 
ଲବ୍ଧ୍ଵା ତତ୍ର ଜନ୍ମ ଜୀଵୋ ଵଞ୍ଚୋତୋ ଵିଷ୍ଣୁମାୟୟା । 
ଶଶ୍ଵତ୍ କରୋତି ଵିଷୟଂ ଵିହାୟ ସେଵନଂ ହରେଃ ॥
କୃତ୍ଵା ତତ୍ର ମହତ୍ ପୁଣ୍ଯଂ ସ୍ଵର୍ଗଂ ଗଚ୍ଛତି ପୁଣ୍ଯଵାନ୍ ।
ଗୃହୀତ୍ଵା ସ୍ଵର୍ଗକନ୍ଯାଶ୍ଚ ଚିରଂ ସ୍ଵର୍ଗେ ପ୍ରମୋଦତେ ॥
ସ୍ଵର୍ଗମାଗଚ୍ଛତି ନରୋ ଵିହାୟ ମାନଵୀଂ ତନୂମ୍ ॥❞ 

ତେବେ india ଓ ଭାରତ ଛଡ଼ା ଭାରତ ଦେଶର ପ୍ରାଚୀନ କାଳରୁ ଏଯାଵତ୍ ଅନେକ ନାମ ରଖାଯାଇଛି । 

ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଭାରତର ହିନ୍ଦୁସ୍ଥାନ ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ଭାଷାକୁ ହିନ୍ଦୀ ନାମ ଦିଆଗଲା । ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି । ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ । ଢେଙ୍କାନାଳରେ ସେଇଟାକୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ କୁହନ୍ତି ହାରୁ ଛେ !!! ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣପରିଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ । 

ଭାରତର ଆଉ ଏକ ପ୍ରାଚୀନ ନାମ ଆର୍ଯ୍ୟଵର୍ଷ ଅଟଇ । ଆର୍ଯ୍ୟ ଶବ୍ଦକୁ ବହୁଲୋକ ଜାତିଵାଚକ ଭାବୁଥିଲେ ହେଁ ସଂସ୍କୃତ ଭାଷାରେ ଏ ଶବ୍ଦଟି ଏକ ଵିଶେଷ୍ଯ ଵା ନାମଵାଚକ ଶବ୍ଦ ନୁହେଁ ଵରଂ ଗୋଟିଏ ଵିଶେଷଣ ଵା ଗୁଣଵାଚକ ଶବ୍ଦ ଅଟଇ । ପୂର୍ଵେ ପ୍ରାୟ ସମସ୍ତ ଭାରତଵାସୀ ସାଧୁ,ବୁଦ୍ଧିମାନ,ଵିଜ୍ଞ ଓ ସଚ୍ଚୋଟ ଥିଲେ ଏଵଂ ଏ ଗୁଣ ଆଜି ବି ଆମ ଦେଶର ଜନତାଙ୍କ ପାଖରେ ରହିଛି । ଏ ସମସ୍ତ ଗୁଣ ଥିଵା ଲୋକଙ୍କୁ ସସମ୍ମାନେ ଆର୍ଯ୍ୟ କୁହାଯାଉଥିଲା । ବୟସରେ ବଡ଼ବାପା,ବଡ଼ବାପା,
ଜେଜେବାପା,ଅଜା,ଶଶ୍ଵର ମାମୁଁ ,ମଉସା ଓ ପିଉସା ଆଦିଙ୍କୁ ପ୍ରାଚୀନକାଳରେ ଆର୍ଯ୍ୟ କୁହାଯାଉଥିଲା । ଭାରତୀୟ ମାନେ ଯଥାର୍ଥରେ ଆର୍ଯ୍ୟ ଅର୍ଥାତ୍ ସାଧୁ ଗୁଣ ସମ୍ପନ୍ନ ଥିଲେ ତେଣୁ ଏ ଦେଶର ଏକ ନାମ ଆର୍ଯ୍ୟଵର୍ଷ ମଧ୍ଯ ଅଟଇ । କେହି କେହି ଆର୍ଯ୍ୟଵର୍ଷ କୁ ଆର୍ଯ୍ୟାଵର୍ତ୍ତ ମଧ୍ଯ କହିଥାନ୍ତି । ଆର୍ଯ୍ୟ ଶବ୍ଦ ସହିତ ଆଵର୍ତ୍ତ ଶବ୍ଦ ଯୋଗ କରି ଅର୍ଯ୍ୟାଵର୍ତ୍ତ ଶବ୍ଦ ହୋଇଛି। ଏଠାରେ ଆଵର୍ତ୍ତ ଶବ୍ଦର ଅର୍ଥ ବାସସ୍ଥାନ ଅଟେ ।

 ପୁଣି ଭାରତର ନାମ ବହୁପ୍ରାଚୀନ କାଳରେ ବ୍ରହ୍ମାଵର୍ତ୍ତ ମଧ୍ୟ ଥିଲା । କେତେକ ଐତିହାସିକଙ୍କ ମତରେ ସିନ୍ଧୁ ନଦୀର ଉଭୟ ପାର୍ଶ୍ଵସ୍ଥ ଅଞ୍ଚଳକୁ ହିଁ ବ୍ରହ୍ମାଵର୍ତ୍ତ କୁହାଯାଉଥିଲା । ତେଵେ ଆଉ କେତେକଙ୍କ ମତରେ ଭାରତର ନାମ ଆର୍ଯ୍ୟାଵର୍ତ୍ତ ଓ ଆର୍ଯ୍ୟଵର୍ଷ ବୋଲାଇଵାର ପୂର୍ଵରୁ ଏହାର ନାମ ବ୍ରହ୍ମାଵର୍ତ୍ତ ଥିଲା । ଋକବେଦରେ ଆମେ ଏ ଶବ୍ଦର ଵ୍ଯଵହାର ଦେଖିଵାକୁ ପାଇଥାଉ । 

ଵରାହପୁରାଣ ଆଦି କେତେକ ଗ୍ରନ୍ଥରେ ଆମେ ଭାରତଵର୍ଷର ନାମ ହୈମଵତ୍ ଵର୍ଷ ଉଲ୍ଲେଖ ଥିଵା ଦେଖିଵାକୁ ପାଇଥାନ୍ତି । ସାଧାରଣତଃ ହିମାଳୟ ପର୍ଵତମାଳାକୁ ହୈମଵତ କୁହାଯାଏ । ତେଣୁ ପୁରାଣମାନଙ୍କରେ ଏହି ହିମାଳୟର ଦକ୍ଷିଣଵର୍ତ୍ତୀ ସମସ୍ତ ଭୂଭାଗକୁ ହୈମଵତ ଵର୍ଷ କୁହାଯାଇଛି । ଭାରତକୁ ଉତ୍ତରରେ ହିମାଳୟ ରକ୍ଷାକଵଚ ଭଳି ଘେରି ରହିଛି ‌‌। ଭାରତକୁ ଶସ୍ୟଶ୍ୟାମଳା ରଖିଵାରେ ହିମାଳୟର ଯୋଗଦାନ ଅତୁଳନୀୟ । ଭାରତରେ ଯେଉଁ ନାତିଶିତୋଷ୍ଣ ଜଳଵାୟୁ ଦୃଷ୍ଟ ହୁଏ ତାହା ହିମାଳୟ ଭଳି ଉଚ୍ଚ ପର୍ଵତାମାଳା ଯୋଗୁଁ ହିଁ ସମ୍ଭଵପର ହୋଇପାରିଛି କାରଣ ପୃଥିଵୀର ଯେଉଁ କର୍କଟ କ୍ରାନ୍ତି ବଳୟରେ ଭାରତ ରହିଛି ସେହି ଵଳୟରେ ସାହାରା ଓ ଆରବୀ ମରୁଭୂମି ରହିଛି । ହିମାଳୟ ନଥିଲେ ଭାରତରେ ମୌସୁମୀ ଵର୍ଷା ସମ୍ଭଵ ହୋପାରନ୍ତା ନାହିଁ । ହିମାଳୟ ପର୍ବତମାଳା ହଜାର ହଜାର ମିଟର ଉପରେ ପ୍ରଵାହିତ ଜେଟ୍ ଷ୍ଟ୍ରୋମ୍ କୁ ଦକ୍ଷିଣରେ ବାଧା ଦେଇଥାଏ ପୁଣି ଉତ୍ତର ଗୋଲାର୍ଦ୍ଧରୁ ପ୍ରଵାହିତ ଶୁଷ୍କ ଶୀତଳ ଵାୟୁକୁ ମଧ୍ଯ ଉତ୍ତର ପଟୁ ପ୍ରଵେଶ କରିଵାକୁ ଦିଏ ନାହିଁ । ଫଳରେ ଭାରତରେ ଗୁରୁଚାପ ସୃଷ୍ଟି ହୋଇପାରେ ଏଵଂ ତାହାର ପ୍ରଭାଵ ଭାରତ ମହାସାଗରରେ ପଡି଼ଲେ ଲଘୁଚାପ ହୋଇଥାଏ । ବୋଧହୁଏ ଏ କଥା ଆମ ପ୍ରାଚୀନ ପୂର୍ଵଜ ଜାଣିଥିଲେ । ସମ୍ଭଵତଃ ସେଇଥିପାଇଁ ସେମାନେ ନିଜ ଦେଶର ନାମ ହିମାଳୟର ନାମାନୁସାରେ ରଖିଯାଇଛନ୍ତି । 

ଭାରତଵର୍ଷର ଆଉ ଦୁଇଗୋଟି ପ୍ରାଚୀନ ନାମ ହେଲା ଅଜନାଭଵର୍ଷ ଓ ନାଭି ଖଣ୍ଡ ।‌
ପୁରାଣନୁସାରେ ଅଗ୍ନୀଧ୍ର ରାଜା ତାଙ୍କର ନଅ ପୁଅଙ୍କୁ ଜମ୍ବୁଦ୍ବୀପ(ତତ୍କାଳୀନ ଏସିଆ)କୁ ନଅ ଖଣ୍ଡ କରି ବାଣ୍ଟି ଦେଇଥିଲେ। ତାଙ୍କ ପୁତ୍ର ନାଭିଙ୍କୁ ଯେଉଁ ଖଣ୍ଡ ଦିଆ ଯାଇଥିଲା ତହିଁର ନାମ ନାଭିଖଣ୍ଡ ହେଲା । ଏହି ନାଭିଙ୍କ ଅନ୍ଯନାମ ଅଜନାଭ ଅଟେ । ଏହାଙ୍କ ନାମାନୁସାରେ କେତେକାଳ ଭାରତର ନାମ ଅଜନାଭଖଣ୍ଡ ଓ ନାଭିଖଣ୍ଡ ହୋଇଥିଲା । ପରେ ନାଭିଙ୍କ ପୌତ୍ର ଭରତଙ୍କ ନାମ ଅନୁସାରେ ଏହା ଭାରତ ଖଣ୍ଡ ବା ଭାରତଵର୍ଷ ବୋଲି ପ୍ରସିଦ୍ଧ ହେଲା । 

ଏତଦଵ୍ୟତୀତ ଆମ ଦେଶକୁ ଆଗେ ନରଭୂ ଓ ନରଭୂମି ବି କୁହାଯାଉଥିଲା । ନର ଶବ୍ଦର ଅର୍ଥ ସାଧାରଣତଃ ମନୁଷ୍ୟ ଜାତି ଓ ପୁରୁଷ ଜାତି ପ୍ରତି ଵ୍ଯଵହୃତ ହେଉଥିଲେ ହେଁ ଏହାର ଵ୍ଯାପକ ଅର୍ଥ ରହିଛି । ଶ୍ରୀଵିଷ୍ଣୁ ଓ ସଦାଶିଵଙ୍କୁ ମଧ୍ୟ ‘ନର’ କୁହାଯାଏ ।ଅର୍ଜୁନଙ୍କର ଏକ ନାମ ମଧ୍ୟ ନର ଅଟେ । ତେଵେ ଭାରତଵର୍ଷକୁ ନରଭୂ ଵା ନରଭୂମି କହିଵାଵେଳେ ସମ୍ଭଵତଃ ନିମ୍ନୋକ୍ତ ଅର୍ଥରେ ଵ୍ଯଵହୃତ ହୋଇଥାଏ । 

କ)ଯେଉଁଠାରେ ନର ପଦଵାଚ୍ଯ ଵ୍ଯକ୍ତିମାନେ ଅର୍ଥାତ୍ ସାଧୁ ସ୍ଵଭାଵର ଲୋକେ ବାସ କରନ୍ତି ।

ଖ) ଯେଉଁ ଭୂମିରେ ଯୁଗେ ଯୁଗେ ସଦାଶିଵ ଓ ଶ୍ରୀନାରାୟଣ ଅଵତାର ନେଇଥାନ୍ତି । 

ଭାରତଭୂମିର ଆଉ ତିନୋଟି ଶାସ୍ତ୍ରୀୟ ନାମ ଫଳ ଭୁମି,କର୍ମଭୂମି ଓ ପୁଣ୍ୟଭୂମି ଅଟେ । 
ଯେଉଁ ଭୂଭାଗ କର୍ମଫଳ ଭୋଗର ସ୍ଥାନ ତାହା ଏଇ ଭାରତଵର୍ଷ ବୋଲି ଆମ ପୂର୍ଵଜଙ୍କର ଵିଶ୍ଵାସ ଥିଲା । ଭାରତୀୟ ଵାଙ୍ମୟ ଶାସ୍ତ୍ରାନୁଯାୟୀ ଭାରତରେ ପାପପୂଣ୍ଯର ଫଳ ଭୋଗ ହେଉଥିଲା । ତେଣୁ ଆମ ଦେଶର କର୍ମଭୂମି, ପୁଣ୍ୟଭୂମି ଓ ଫଳଭୂମି ଆଦି ନାମକରଣ କରାଯାଇଥିଵା ଅନୁମାନ କରାଯାଏ । ସ୍ଥୂଳ ଭାଵେ ଦେଖିଲେ ବି ଭାରତରେ ଯେତେ ଫୁଳ ପୁଷ୍ପାଦି ମିଳେ ତେତେ ଵିଶ୍ଵରେ ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ 
ନାହିଁ । ଏ ଦେଶର ଜନତା ମଧ୍ୟ ପାପପୁଣ୍ଯର ଵିଚାର କରି ହିଁ ଅସାଧୁ କାର୍ଯ୍ୟ କରିଵାକୁ ଭୟ କରୁଥିଲେ ‌ । ସେହିପରି ଭାରତଵର୍ଷକୁ କର୍ମଭୂମି ମଧ୍ୟ କୁହାଯାଏ କାରଣ ଏହା ଧର୍ମକର୍ମ କରିବାର ପ୍ରସିଦ୍ଧ ସ୍ଥାନ । ଭାରତ ହେଉଛି ସମସ୍ତ ଜ୍ଞାନର ଆଵିଷ୍କାର ଓ ଉଦ୍ଭାବନର ଭୂମି । ପ୍ରାଚୀନ ଭାରତର ଲୋକେ 
କର୍ମଵାଦୀ ଥିଲେ କର୍ମକୁ ଈଶ୍ଵର ମାନି ଚଳୁଥିଲେ ଏଵଂ ଗଣନପଦ୍ଧତି,ମାପ ପଦ୍ଧତି,ରନ୍ଧନକଳା,ସଂଗୀତ ଓ ନୃତ୍ୟ କଳା, ଭାସ୍କର୍ଯ୍ୟ ଜୀବନଜୀଵିକା ପଦ୍ଧତି,ଭାଷା ଓ ଲିପି ଲିଖନର ପଦ୍ଧତି ଇତ୍ୟାଦି ଅନେକାନେକ କଳା କୌଶଳ ଜ୍ଞାନ ଵିଜ୍ଞାନର ଆରମ୍ଭ ଏଇ ଦେଶରୁ ହିଁ ହୋଇଥିଲା । ଏସବୁ ଆଵିଷ୍କାର ଓ ଉଦ୍ଭାବନ କେଵଳ ପୁରୁଷାର୍ଥ ଦ୍ଵାରା ହିଁ ସମ୍ଭଵ ହୋଇପାରିଥିଵ । ସକାରାତ୍ମକ କର୍ମ ବିନା ଏସବୁ ବଡ଼ ବଡ଼ ଆଵିଷ୍କାର ଓ ଉଦ୍ଭାବନ କଷ୍ଟସାଧ୍ୟ ଅଟେ । ସମ୍ଭଵତଃ ସେଇଥିପାଇଁ ଭାରତର ଏକ ନାମ କର୍ମଭୂମି ହୋଇଅଛି । 

ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ଏକ ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି । କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । ଆଉ କେତେକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ । 

ଭାରତ ଦେଶର ଯେତିକି ନାମ ଅଛି 
ପୃଥିଵୀର ଅନ୍ୟ କୌଣସି ଦେଶର ଏତେ ସଂଖ୍ୟକ ନାମ ଥିଵା ଜଣାଯାଏ ନାହିଁ ।  
ଇଣ୍ଡିଆ ନାମଟି ଵିଦେଶୀମାନେ ସିନ୍ଧୁନଦୀର ନାମାନୁସାରେ ଦେଇଥିଲେ ସେହି ସିନ୍ଧୁନଦୀର ଅନ୍ୟ ଏକ ପାରସ୍ୟ ନାମ ହିନ୍ଦୁ ଵା ହିନ୍ଦୁସ୍‌ରୁ ଭାରତର ନାମ ହିନ୍ଦୁସ୍ଥାନ ଓ ଭାରତୀୟ ସନାତନୀମାନଙ୍କର ନାମ ହିନ୍ଦୁ ହୋଇଅଛି ।‌ ହୁଏତ ପ୍ରାଚୀନ କାଳରେ ଭାରତ ନାମ ଭଳି ଭାରତଵର୍ଷରେ india ନାମଟି ସାହିତ୍ୟ ଓ ଗ୍ରନ୍ଥାଦିରେ ସେତେ ଵ୍ୟଵହୃତ ହୋଇନାହିଁ କିନ୍ତୁ ୟୁରୋପ,ଏସିଆ ଓ ଆଫ୍ରିକାର ଅନ୍ୟ ଅନେକ ଦେଶରେ ପ୍ରାୟ ଦୁଇ ହଜାର ଵର୍ଷରୁ ଏଯାଵତ୍ ଭାରତର ନାମ ଭାବେ india ହିଁ ଲୋକପ୍ରିୟ ହୋଇଅଛି । ଆରଵ ଦେଶର الْهِنْد‎(al-hind);
ଆର୍ମେନୀୟ ଭାଷାର Հնդիկք (Hndikkʿ) ଓ Հնդկաստան (Hndkastan); ଆଲବାନିଆର Indi;ଅମ୍ହାରିକ୍‌ରେ ህንድ (hənd),ଚୀନ ଦେଶର Йиндў (Yindw),印度 (Yin-thu),印度 (zh) (Yìndù),印度 (Éng-dô),印度 (Ìn-tō͘) ଓ 印度 (1in-du) ;କୋପ୍ଟିକ୍‌ର ϩⲉⲛⲧⲟⲩ (hentou);ଇଜିପ୍ଟିଅନର hndwꜣy ; ଜର୍ଜିଅନ୍‌ର ინდოეთი (indoeti) ; ହିବ୍ରୁର הודו / הֹדּוּ‎ (hódu) ;ଖମେର୍ ଭାଷାର ឥណ្ឌា (ʼəndiə) ଓ ឥណ្ឌៀ (ʼəndiə) ; କୋରିଆନ୍‌ର 인도(印度)(Indo); ମଙ୍ଗୋଲୀୟ ଭାଷାର ᠡᠨᠡᠳᠬᠡᠭ (enedkeg) ଓ ୟେଡିଶ୍ ଭାଷାର אינדיע‎ (indye) ଇତ୍ୟାଦି ନାମ ଏହି ଭାରତଵର୍ଷ ପାଇଁ ହଜାର ହଜାର ଵର୍ଷ ଧରି ଵ୍ୟଵହୃତ ହେଉଅଛି । ଆଜି ଯଦି ଆମେ ଏ ନାମ ଛାଡ଼ି ଦେଵା କାଲିକୁ ପାକିସ୍ତାନ ଏ ନାମ ଗ୍ରହଣ କରି ନିଜକୁ india ଅଭିହିତ କରିଵାକୁ ଲାଗିଵ । ଫଳରେ ଭାରତକୁ ଇଣ୍ଡିଆ ନାମରେ ଜାଣିଥିଵା ଲୋକେ ଭ୍ରମରେ ପାକିସ୍ତାନକୁ ଇଣ୍ଡିଆ ଭାବି ନେବେ । ଭାରତ ପାଇଁ ଇଣ୍ଡିଆ ନାମରେ ବୋଲା ଯାଇଥିଵା ସମସ୍ତ ଭଲ ମନ୍ତଵ୍ୟର ଶ୍ରେୟ ପାକିସ୍ତାନ ଓ ପାକିସ୍ଥାନୀ ନେଇଯିବେ । ଭାରତର india ଏକ ସାଧାରଣ ଓ ଵିଦେଶୀମାନଙ୍କ ଦ୍ଵାରା ପ୍ରଦତ୍ତ ନାମ ହୋଇପାରେ କିନ୍ତୁ ଏହା ଭାରତଵର୍ଷର ଏକ ମୁଖ୍ୟ ନଦୀ ସିନ୍ଧୁନଦୀ ତଥା ସନାତନୀମାନଙ୍କର ହିନ୍ଦୁ ନାମ ଆଧାରରେ ରଖାଯାଇଥିଵାରୁ ଏତେ ଘୃଣ୍ୟ ହୀନ ନୁହେଁ । ଅକ୍ସଫୋର୍ଡ୍ ଅଭିଧାନରେ ଶହେ ଦେଢ଼ ଶହ ଵର୍ଷ ତଳେ ଇଣ୍ଡିଆ ଶବ୍ଦର କୌଣସି ଘୃଣ୍ୟ ଅର୍ଥ 
ଯଦିଵା ଛପା ଯାଇଥାଏ ତାହା Red Indian ଵା ମୂଳ ଆମେରକୀୟମାନଙ୍କ ପାଇଁ ଛପା ଯାଇଥିଵ ଭାରତ କିମ୍ବା ଭାରତୀୟମାନଙ୍କ ପାଇଁ ନୁହେଁ । India ଶବ୍ଦର ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଦେଖିଲେ ଏହା ଏକ ଅପମାନଜନକ ଘୃଣ୍ୟ ଶବ୍ଦ ଆଦୌ ନୁହେଁ ଵରଂ ସିନ୍ଧୁନଦୀ ଓ ହିନ୍ଦୁ ସନାତନୀଙ୍କ ନାମାନୁସାରେ ରଖାଯାଇଥିଵା ନାମ ବୋଲି ସ୍ପଷ୍ଟ ହୁଏ । ଅସ୍ତୁ ହୁଏତ india ନାମଟି ଭାରତର ଗୋଟିଏ ସାଧାରଣ ନାମ ହୋଇଥାଇପାରେ କିନ୍ତୁ ଭାରତର ଦୁଇ ସହସ୍ରାଧିକ ଵର୍ଷ ଧରି ଏକ ନାମ ହୋଇ ରହିଥିଵାରୁ ଏହା ସିଙ୍ଗିଡ଼ା ଭିତରେ ଆଳୁ ଭଳି ଭାରତ ସହିତ ଜଡ଼ିତ ହୋଇ ରହିଯାଇଛି । 
•••••••••••••••••••••••••••
ଶିଶିର ସାହୁ ମନୋଜ(କାମାକ୍ଷାନଗର, ଢେଙ୍କାନାଳ)
•••••••••••••••••••••••••••

Wednesday, September 6, 2023

●ଅନାଥ ଗ୍ରହ କ’ଣ ଏଵଂ ଗୋଟିଏ ସାଧାରଣ ଗ୍ରହ କିପରି ଏକ ଅନାଥ ଗ୍ରହରେ ପରିଣତ ହୋଇଯାଏ ?●

୨୦୦୯ ମସିହାରେ ନେଚର୍ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ପୃଥିଵୀ, ବୁଧ, ଶୁକ୍ର ଏଵଂ ମଙ୍ଗଳ ଗ୍ରହର କକ୍ଷପଥ ଵିଷୟରେ ଆମ ପାଖରେ ଥିଵା ସମସ୍ତ ତଥ୍ୟକୁ ନେଇ ଏକ ଵୈଜ୍ଞାନିକ ଗୋଷ୍ଠୀ ଗୋଟିଏ ସୁପର୍ କମ୍ପ୍ୟୁଟରରେ ତହିଁର ପ୍ରାୟ ୨୫୦୦ ସିମୁଲେସନ୍ କରିଥିଲେ । ପ୍ରତ୍ୟେକ ସିମ୍ୟୁଲେସନରେ ଵୈଜ୍ଞାନିକମାନେ ବୁଧ ଗ୍ରହର କକ୍ଷପଥରେ ମାତ୍ର ଏକ ମିଲିମିଟର ପରିଵର୍ତ୍ତନ କରିଥିଲେ ଯଦ୍ଵାରା ସେମାନେ ପରିଵର୍ତ୍ତିତ ଅଵସ୍ଥାରେ ଆଗାମୀ ୫ ବିଲିୟନ ଵର୍ଷ ମଧ୍ୟରେ ଏହି ଗ୍ରହଗୁଡ଼ିକର ଭଵିଷ୍ୟତ କ’ଣ ଜାଣିପାରିବେ। କୌତୁହଳର ଵିଷୟ, ଭଵିଷ୍ଯତରେ ସୌରମଣ୍ଡଳର ଗ୍ରହଗୁଡ଼ିକ ପରସ୍ପର ସହ ମୁହାଁମୁହିଁ ହେଵା ଏଵଂ ନଷ୍ଟ ହେଵା ପାଇଁ ଏକ ପ୍ରତିଶତ ସମ୍ଭାଵନା ରହିଛି ବୋଲି ଏହି ପରୀକ୍ଷଣରୁ ଜଣାଗଲା । ତେବେ କ'ଣ ୯୯% ପ୍ରତିଶତ ଆତ୍ମଵିଶ୍ୱାସ ସହିତ ଏହା କୁହାଯାଇପାରିଵ କି ଆମର ସୌରମଣ୍ଡଳ ସ୍ଥିର, ନିୟନ୍ତ୍ରିତ ଓ ସୁରକ୍ଷିତ ?  

ସେତେବେଳେ ଆମେ ସୌରମଣ୍ଡଳର ମାତ୍ର ୩-୪ଟି ଗ୍ରହ ଉପରେ ଧ୍ୟାନ ଦେଇଥିଲୁ । ଏବେ ଅନ୍ୟ ଗ୍ରହଗୁଡ଼ିକୁ ମଧ୍ୟ ଏହି ଗଣନାରେ ରଖାଯାଉ । ଆଷ୍ଟ୍ରୋଏଡ୍ ବେଲ୍ଟ ତଥା ଓର୍ଟ କ୍ଲାଉଡରେ ଥିଵା ଲକ୍ଷ ଲକ୍ଷ କ୍ଷୁଦ୍ର ଏଵଂ ବୃହତ ଵସ୍ତୁକୁ ମଧ୍ୟ ଏହି ସମୀକରଣରେ ଯୋଡ଼ାଯାଉ । ଏହା ସହ ମନେ ରଖନ୍ତୁ ଯେ ପୃଥିଵୀ, ସୂର୍ଯ୍ୟଙ୍କ ସହ ମିଲ୍କି ୱେ ଆକାଶଗଙ୍ଗାକୁ ପରିକ୍ରମା କରୁଛି ଏବଂ ୨୫ କୋଟି ଵର୍ଷରେ ପୂର୍ଣ୍ଣ ହେଉଥିଵା ଏହି ସୌର କକ୍ଷପଥରେ ଅସଂଖ୍ୟ ନକ୍ଷତ୍ର- ଗ୍ରହ, ନେବୁଲା ଇତ୍ୟାଦି ସୌରମଣ୍ଡଳର ନିକଟତର ହୋଇ ଆମ ସୌରମଣ୍ଡଳୀୟ ଗ୍ରହଗୁଡ଼ିକର କକ୍ଷପଥକୁ ପ୍ରଭାବିତ କରିଥାନ୍ତି । 

ତେବେ ସତ କହିଵାକୁ ଗଲେ ଏହି ସବୁ କଥାକୁ ଧ୍ୟାନରେ ରଖି ଭଵିଷ୍ୟତରେ ଆମ ସୌରମଣ୍ଡଳ କେତେ ସ୍ଥିର ରହିଵ ତାହା ଜାଣିଵାକୁ ଚେଷ୍ଟା କରିଵାର ପ୍ରୟାସ ନିରର୍ଥକ । ବ୍ରହ୍ମାଣ୍ଡରେ ଏମିତି କୌଣସି ଉପାୟ,ଯନ୍ତ୍ର ଵା କମ୍ପ୍ୟୁଟର ସୃଷ୍ଟି କରିଵା ଅସମ୍ଭଵ, ଯାହା ଆପଣଙ୍କୁ ଅନେକ ସମ୍ଭାଵନାକୁ ଧ୍ୟାନରେ ରଖି ଏକ ଉପଯୁକ୍ତ ଫଳାଫଳ କହିପାରିବ । ଦୁଇଟିରୁ ଅଧିକ ମହାକାଶୀୟ ପିଣ୍ଡର ଗୁରୁତ୍ବାକର୍ଷଣ ପ୍ରଭାଵକୁ ଠିକ୍ ଭାଵରେ ଗଣନା କରିଵା ଏଵଂ ସେଗୁଡ଼ିକର କକ୍ଷପଥକୁ ଶତ ପ୍ରତିଶତ ଆକଳନ କରିଵାର ଅସମର୍ଥତାକୁ ଵିଜ୍ଞାନରେ N body problem କୁହାଯାଏ । 

ମାତ୍ର ସମସ୍ତ ଅନିଶ୍ଚିତତା ମଧ୍ୟରେ ଵୈଜ୍ଞାନିକମାନେ ଏ କଥାରେ ଏକମତ ଯେ ଆମ ସୌରମଣ୍ଡଳ ବାଲିଗଦା ଉପରେ ରହିଥିଵା କୌଣସି ଵସ୍ତୁ ଭଳି ଏଵଂ ଏହା ଯେକୌଣସି ସମୟରେ ଭୁଶୁଡ଼ି ଯାଇପାରେ। ଅନେକ ସର୍ଵେକ୍ଷଣ ଆଧାରରେ ଯଦି କୌଣସି ନକ୍ଷତ୍ର ନେପଚ୍ୟୁନ୍‌ର କକ୍ଷପଥକୁ ମାତ୍ର ୦.୧% ପରିଵର୍ତ୍ତନ କରିଦିଏ, ତେବେ ତହିଁରୁ ସୃଷ୍ଟି ହୋଇଥିବା ଶୃଙ୍ଖଳାବଦ୍ଧ ପ୍ରତିକ୍ରିୟା ଯୋଗୁଁ ସୌରମଣ୍ଡଳକୁ ଏତେ ଅନିୟନ୍ତ୍ରଣ ହୋଇଯିଵ ଯେ ଶୁକ୍ର-ପୃଥିଵୀ-ମଙ୍ଗଳ ଭଳି ଗ୍ରହଗୁଡ଼ିକ ପରସ୍ପର ସହିତ ହାବୁଡ଼ା ଖାଇବେ କିମ୍ବା ଏତେ ବେଗ ଲାଭ କରିବେ ଯେ ସେଗୁଡ଼ିକ ସୌରମଣ୍ଡଳର ମହାକର୍ଷଣ ଶକ୍ତିକୁ କାଟିଦେଇ ବ୍ରହ୍ମାଣ୍ଡର ମୁକ୍ତ ଯାତ୍ରାରେ ବାହାରି ଯିବେ। ଵର୍ତ୍ତମାନ ସମୟରେ ଆମ ପୃଥିଵୀ ଗୋଟିଏ ସେକେଣ୍ଡରେ ପ୍ରାୟ ୩୦ କିଲୋମିଟର ବେଗରେ ଗତି କରୁଛି । ଯଦି ଏହା ୧୨ କିଲୋମିଟରର ଅତିରିକ୍ତ ଧକ୍କା ପାଏ, ଅର୍ଥାତ୍ ପୃଥିଵୀର ବେଗ ୪୨ କିଲୋମିଟର/ସେକେଣ୍ଡ ହୋଇଯାଏ, ତେବେ ନିଶ୍ଚିତ ଭାବରେ ପୃଥିଵୀ ମଧ୍ୟ ସୂର୍ଯ୍ୟଙ୍କ ଛତ୍ରଛାୟାକୁ ତ୍ୟାଗକରି ସବୁଦିନ ପାଇଁ ସୌରମଣ୍ଡଳରୁ ବାହାରକୁ ଚାଲିଯିଵ ।
ଏଠାରେ ଆପଣ ଯୁକ୍ତି ପାଇଁ କହିପାରିବେ ଯେ ଏହି ସବୁ କଥା ଆଉ କିଛି ନୁହେଁ କେଵଳ ମାତ୍ର କେତେକ ଗାଣିତିକ ଭୁର୍କୁଟି(କୌତୁକ)। ସୌରମଣ୍ଡଳ ନିଶ୍ଚିତ ଭାବରେ କୋଟି କୋଟି ଵର୍ଷ ଧରି ସ୍ଥିର ରହି ଆସିଛି, ତେଣୁ ଏହାର ଭଵିଷ୍ୟତରେ ସନ୍ତୁଳନ ହରାଇଵାର କୌଣସି ପ୍ରକୃଷ୍ଟ ପ୍ରମାଣ ଅଛି କି ? ହଁ !! ଏହାର ପ୍ରମାଣ ସମଗ୍ର ବ୍ରହ୍ମାଣ୍ଡରେ ରହିଛି ଆପଣଙ୍କୁ କେଵଳ ଉପରକୁ ଦେଖିଵାର ଆଵଶ୍ୟକତା ଅଛି । 

ଆମ ସମସ୍ତଙ୍କ ମନରେ ବ୍ରହ୍ମାଣ୍ଡର ଏକ ଚିର ପରିଚିତ ଚିତ୍ର ଅଛି, ଏଥିରେ ଆକାଶଗଙ୍ଗା ଅଛି,ତା ଭିତରେ ଅନେକ ନକ୍ଷତ୍ର ଅଛନ୍ତି ଏଵଂ ଏହି ସବୁ ନକ୍ଷତ୍ର ଚାରିପଟେ ଅଗଣିତ ଗ୍ରହ ସ୍ୱଚ୍ଛନ୍ଦରେ ପରିକ୍ରମା କରୁଛନ୍ତି । ତେବେ ଏହି ସୁନ୍ଦର ଚିତ୍ରରେ କିଛି ତ୍ରୁଟି ରହିଯାଇଛି । ଆଜି ତାତ୍ତ୍ଵିକ ପ୍ରତିମାନମ(ଥିଓରେଟିକଲ୍ ମଡେଲ), ପ୍ରତ୍ୟକ୍ଷ ପର୍ଯ୍ୟଵେକ୍ଷଣ ଏବଂ ସଙ୍ଗଣକ ଅନୁକରଣକ୍ରିୟା(କମ୍ପ୍ୟୁଟର ସିମୁଲେସନ୍) ଆଧାରରେ ଆମେ ପୂର୍ଣ୍ଣ ଵିଶ୍ୱାସ ସହିତ ଜାଣିଛୁ ଯେ ପ୍ରତ୍ୟେକ ଆକାଶଗଙ୍ଗାରେ କୌଣସି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିଵା ଗ୍ରହଗୁଡ଼ିକ ତୁଳନାରେ ଅତ୍ୟଳ୍ପେ ୧୦୦ ଗୁଣ ଅଧିକ ଅନାଥ ଗ୍ରହ ରହିଛି ।  
ଯେଉଁ ଗ୍ରହଗୁଡ଼ିକ କୌଣସି ନକ୍ଷତ୍ରର ମହାକର୍ଷଣ ଶକ୍ତି ଦ୍ଵାରା ଆବଦ୍ଧ ହୋଇ ନିର୍ଦ୍ଦିଷ୍ଟ ନକ୍ଷତ୍ରର ପରିକ୍ରମଣ କରନ୍ତି ନାହିଁ ଏଵଂ ସ୍ଵତନ୍ତ୍ର ଭାବେ ଆକାଶଗଙ୍ଗାରେ ଵିଚରଣ କରୁଥାନ୍ତି ସେଭଳି ଗ୍ରହଗୁଡ଼ିକୁ ଅନାଥଗ୍ରହ କୁହାଯାଏ । ଇଂରାଜୀ ଭାଷାରେ ଏହି ଜାତୀୟ ଗ୍ରହକୁ rogue planet, free-floating planet ଵା ସଂକ୍ଷେପରେ FFP planet, interstellar planet, nomad planet, orphan planet, starless planet, unbound planet ଓ Wanderer ଵା wandering planet କୁହାଯାଏ ।‌
ଓଡ଼ିଆ ଭାଷାରେ ମଧ୍ୟ ଆମେ ଏହି ଜାତୀୟ ଗ୍ରହଗୁଡ଼ିକୁ ସ୍ଵାଧୀନ ଗ୍ରହ,ଅନାଥ ଗ୍ରହ,ନକ୍ଷତ୍ରହୀନ ଗ୍ରହ,ତାରକାଵିହୀନ ଗ୍ରହ,ଯାଯାବର ଗ୍ରହ,ଅବାଧ ଗ୍ରହ ଓ ଦୁଷ୍ଟଗ୍ରହ କହିପାରିଵା । ଏଭଳି ଗ୍ରହ କୌଣସି ନକ୍ଷତ୍ର ଦ୍ଵାରା ଗୁରୁତ୍ବାକର୍ଷଣ ଶକ୍ତି ବଳରେ ବନ୍ଧା ହୋଇନଥିଵା ଅବାଧ ଗ୍ରହ ଅଭିହିତ ହୋଇଥାନ୍ତି ପୁଣି ଏଭଳି ଗ୍ରହ ଵିଭିନ୍ନ ସୌରଜଗତ ମଧ୍ୟରେ ଭ୍ରମଣ କଲାବେଳେ ଅନ୍ୟ ଗ୍ରହ ସହିତ ବାଧାପ୍ରାପ୍ତ ହୋଇ ଭୟଙ୍କର ଵିନାଶ ଲୀଳା ମଧ୍ୟ ସୃଷ୍ଟି କରିପାରନ୍ତି। ପୃଥିଵୀ ସହିତ ଏଭଳି କୌଣସି ଯାଯାବର ଗ୍ରହ ଆସି ପିଟି ହୋଇଗଲେ ସମ୍ପୂର୍ଣ୍ଣ ଜୀଵଜଗତ ଧ୍ଵଂସ ପାଇଯିଵ ଏଵଂ ପୃଥିଵୀ ଆଉଥରେ ୪୦୦ କୋଟି ଵର୍ଷ ପଛକୁ ଫେରିଯିଵ । ତେଣୁ ଏଭଳି ଗ୍ରହଙ୍କୁ ଏ ଦୃଷ୍ଟିରୁ ଦୁଷ୍ଟଗ୍ରହ ବି କୁହାଯାଇଥାଏ ।


କେଵଳ ଗ୍ରହ ହିଁ ନୁହେଁ ଵରଂ ମହାକାଶରେ କୋଟି କୋଟି Rogue Objects ଘୂରି ବୁଲୁଛି । କୌଣସି କାରଣରୁ ଗୁରୁତ୍ବାକର୍ଷଣ ଶକ୍ତି ଯୋଗୁଁ ଛିଟିକି ଯାଇ ସ୍ଵାଧୀନ ଭାବରେ ଵିଚରଣ କରୁଥିଵା ତାରକା,ଗ୍ରହ,ଗ୍ରହାଣୁ ଓ ଧୂମକେତୁଗୁଡି଼କୁ Rogue Objects କୁହାଯାଏ । ଗୋଟିଏ ତାରକା କୌଣସି କାରଣରୁ ବାଧା ପାଇ ନିଜର ଆକାଶଗଙ୍ଗାର ନିର୍ଦ୍ଧିଷ୍ଟ ପରିକ୍ରମଣ ପଥକୁ ଛାଡ଼ି ଅନ୍ୟତ୍ର ବୁଲିଲେ ତାହା Rogue Objectsରେ ଗଣା ଯାଇଥାଏ । ସେହିପରି ଗୋଟିଏ ଗ୍ରହ ମଧ୍ୟ ଗୁରୁତ୍ବାକର୍ଷଣ ଶକ୍ତି ପ୍ରଭାବରେ ନିଜ ତାରକାଠାରୁ ଦୂରେଇ ଯାଇ Rogue Planetରେ ପରିଣତ ହୋଇଯାଏ । ଏହିପରି ଭାବେ ଅନେକ ଧୂମକେତୁ,ଗ୍ରହାଣୁ ଓ ଉପଗ୍ରହ ଆକାରର ମହାକାଶୀୟ ପିଣ୍ଡ ମଧ୍ୟ ଆମ ଆକାଶଗଙ୍ଗାରେ ସ୍ଵାଧୀନ ଭାଵରେ ଵିଚରଣ 
କରୁଛନ୍ତି। 

 ଜ୍ୟୋତିର୍ଵିଜ୍ଞାନୀମାନେ କୁହନ୍ତି ଆମ ଆକାଶଗଙ୍ଗାରେ ପ୍ରାୟ ୪୦୦ ବିଲିୟନ ସୂର୍ଯ୍ୟ, ୪୦୦୦ ବିଲିୟନ ଗ୍ରହ ଅଛି, କିନ୍ତୁ ଆଵିଷ୍କୃତ ଗ୍ରହସଂଖ୍ୟାଠାରୁ ବହୁତ ଅଧିକ ଅର୍ଥାତ୍ ପ୍ରାୟ ୪୦୦ ବିଲିୟନ ସଂଖ୍ୟକ ଅନାଥଗ୍ରହ ମଧ୍ୟ ସ୍ଵାଧୀନ ଭାଵରେ ଵିଚରଣ କରୁଛନ୍ତି । ସ୍ଵାଧୀନ ନକ୍ଷତ୍ର, ଧୂମକେତୁ,ଉପଗ୍ରହ ଓ ଗ୍ରହାଣୁ ଆଦି rogue objects ଦୃଷ୍ଟିରୁ ଵିଚାର କଲେ ଏହି ସଂଖ୍ୟା ଆହୁରି ଅଧିକ ହେଵ । 
 
ପୁଣି ଏପରି ଅଗଣିତ ଅନାଥ ଗ୍ରହ ମଧ୍ୟ ଅଛନ୍ତି ଯେଉଁମାନେ ଦୁଇଗୋଟି ଆକାଶଗଙ୍ଗା ମଧ୍ୟରେ ଥିବା ବିରାଟ ଶୂନ୍ୟସ୍ଥାନ ମଧ୍ୟରେ ବିନା ଉଦ୍ଦେଶ୍ୟରେ କିନ୍ଦ୍ରି ବୁଲୁଛନ୍ତି । ଯେକୌଣସି ନକ୍ଷତ୍ର ମହାକାର୍ଷଣ। ଶକ୍ତିର ସୀମାଠାରୁ ବହୁ ଦୂରରେ ଅନନ୍ତ ଅନ୍ଧକାରରେ ଆଚ୍ଛାଦିତ ଏହି ଗ୍ରହମାନଙ୍କର ଅନନ୍ତ ଭାଗ୍ୟ ହେଉଛି ବ୍ରହ୍ମାଣ୍ଡର ଶୂନ୍ୟତାରେ ଉଦ୍ଦେଶ୍ୟହୀନ ଭ୍ରମଣ ।

ତେବେ ଏତେ ସଂଖ୍ୟକ ଅନାଥ ଗ୍ରହ କୁଆଡ଼ୁ ଆସିଲେ ? 

 ସମସ୍ତ ଵୈଜ୍ଞାନିକ ସର୍ଵେକ୍ଷଣ ସୂଚାଇ ଦିଏ ଯେ ଅଧିକାଂଶ ନକ୍ଷତ୍ରମଣ୍ଡଳରେ ସମୟ କ୍ରମେ ଗ୍ରହଗୁଡ଼ିକର କକ୍ଷପଥର ଅସନ୍ତୁଳନ କାରଣରୁ ଏକ ଵା ଏକାଧିକ ଧକ୍କା ପାଇ ନିଜ ନକ୍ଷତ୍ରମଣ୍ଡଳରୁ ଭିନ୍ନ ହୋଇଯାଆନ୍ତି ଏଵଂ 
 ବ୍ରହ୍ମାଣ୍ଡର ଏକ ଅଜଣା ଯାତ୍ରାରେ ସର୍ଵଦା ଏକାକୀ ଭ୍ରମଣରେ ବାହାରି ଯାଆନ୍ତି । 

ଆଜି ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ କ୍ରମାଗତ ଭାଵରେ ଵସ୍ତୁତ୍ଵ ହରାଉଥିଵା ସୂର୍ଯ୍ୟର ମହାକର୍ଷଣ ଶକ୍ତି ସମୟ ସହ ହ୍ରାସ ପାଉଛି ଏଵଂ ଏହା ଗ୍ରହଗୁଡ଼ିକର କକ୍ଷପଥକୁ ଶନୈ ଶନୈ ପରିଵର୍ତ୍ତନ ମଧ୍ୟ କରୁଛି । ଆକାଶଗଙ୍ଗାରେ ଭ୍ରମଣ ସମୟରେ କେବେ କିପରି କେମିତି କୌଣସି ନକ୍ଷତ୍ର ଏକ ଅନ୍ୟ ଏକ ସୌରମଣ୍ଡଳର ନିକଟତର ହୋଇ ଗ୍ରହମାନଙ୍କର ପରିକ୍ରମଣ ପଥକୁ ପ୍ରଭାଵିତ କରିଛି ଓ ତନ୍ମଧ୍ୟରୁ କେତେକୁ ଅନାଥ ଗ୍ରହ ହେଵାକୁ ବାଧ୍ୟ କରିଛି ତାହାର ପ୍ରମାଣ ଆମ ପାଖରେ ନାହିଁ ତେବେ ଏହି ସମ୍ଭାଵନାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ନପାରେ । 

ଗୋଟିଏ ସୌରମଣ୍ଡଳରେ କେତେବେଳେ ଗ୍ରହଗୁଡ଼ିକର ଅକ୍ଷପଥ ଅସନ୍ତୁଳିତ ହୋଇ ଵିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି ତାହାର ପୂର୍ଵାନୁମାନ କରିଵା ଵର୍ତ୍ତମାନ ଯୁଗରେ ଅସମ୍ଭଵ ପ୍ରତୀତ ହୁଏ । 

ଗ୍ରହଗୁଡ଼ିକର ଆଶ୍ଚର୍ଯ୍ୟଜନକ ଲୟବଦ୍ଧତା ଦେଖି ଆଶ୍ଚର୍ଯ୍ୟ ହୋଇ ଆଇଜାକ୍ ନ୍ୟୁଟନ୍ ଥରେ କହିଥିଲେ ଯେ ଗ୍ରହମାନଙ୍କର ଏହି ସନ୍ତୁଳିତ ଗତି କୌଣସି ବୁଦ୍ଧିମାନ ହସ୍ତକ୍ଷେପ ବିନା ସମ୍ଭଵ ନୁହେଁ । ଯଦି ଆଜି ନ୍ୟୁଟନ୍ ଆମ ଗହଣରେ ଥାଆନ୍ତେ, ତେବେ ସେ ଜାଣିପାରିଥାନ୍ତେ ଯେ ଗ୍ରହମାନଙ୍କର ଏହି ତାରତମ୍ୟତା ମଧ୍ୟ ଏକ ସାମୟିକ ସଂଯୋଗ ହୋଇପାରେ । କିଛି ହଜାର କିମ୍ବା ଏକ ଲକ୍ଷ ଵର୍ଷରେ ଯାହା ଅସମ୍ଭଵ ମନେ ହୁଏ, କୋଟି କୋଟି ଵର୍ଷ ଵ୍ୟଵଧାନରେ ସମାନ ଘଟଣା ଅନିଵାର୍ଯ୍ୟ ମନେ ହୁଏ । ଭଵିଷ୍ୟତରେ ଯଦି ସୂର୍ଯ୍ୟ ନିଜର ଆକାର ବୃଦ୍ଧି ନ କରି ନିଜ ଜୀଵନର ଶେଷ ପର୍ଯ୍ୟାୟରେ ପୃଥିଵୀକୁ ଗିଳି ନ ଦିଅନ୍ତି, ତେବେ ଏହା ନିଶ୍ଚିତ ଯେ ଯଦି ଆଜି ନୁହେଁ, ତେବେ ଦୂର ଭଵିଷ୍ୟତରେ ପୃଥିଵୀର ଭାଗ୍ୟରେ ମଧ୍ୟ ଅନାଥ ଗ୍ରହ ଭାବରେ ବ୍ରହ୍ମାଣ୍ଡରେ ଚିରକାଳ ଭ୍ରମଣ କରିଵାର ନିୟତି ରହିଛି । ବ୍ରହ୍ମାଣ୍ଡର ସ୍ଥାନରେ ଉଦ୍ଦେଶ୍ୟହୀନ ସ୍ୱଚ୍ଛନ୍ଦରେ ଵିଚରଣ କରୁଥିଵା ଟ୍ରିଲିୟନ୍ ଟ୍ରିଲିୟନ୍ ଅନାଥ ଗ୍ରହଗୁଡ଼ିକ ଏହାର ଜୀଵନ୍ତ ପ୍ରମାଣ । ଏହା ହିଁ ବ୍ରହ୍ମାଣ୍ଡର ଅନେକ ଗ୍ରହର ଅନ୍ତିମ ଗତି। 

ହୁଏ ଆପଣ ନିଜର ଜୀଵନ ଯୁଦ୍ଧରେ ପରାଜୟ ଵରଣ କରିଛନ୍ତି ଵା ବାରମ୍ବାର ଅସଫଳ ହୋଇଛନ୍ତି ତଥାପି ନିଜକୁ ଭାଗ୍ୟଵାନ ମନେ କରନ୍ତୁ । ହଁ ଆପଣ ଭାଗ୍ୟଵାନ ଯେ ପୃଥିଵୀର ସେହି ସମୟକାଳରେ ଜନ୍ମ ନେଇଛନ୍ତି ଯୋଉ କାଳଖଣ୍ଡରେ ପୃଥିଵୀ ଉପରେ ଉଜ୍ଜ୍ୱଳ ଓ ଵିପଦହୀନ ସୂର୍ଯ୍ୟକିରଣ ପଡ଼ୁଛି,ରାତିରେ ଚନ୍ଦ୍ର ତା'ର ଶୀତଳ ଆଲୋକ ସିଞ୍ଚନ କରୁଛନ୍ତି, ପକ୍ଷୀ କଳରଵ କରୁଛନ୍ତି,ଵୃକ୍ଷମାନେ ସ୍ଵାଦିଷ୍ଟ ଫଳ ଦେଉଛନ୍ତି ଏବଂ ଆପଣ ତାକୁ ଭୁଞ୍ଜି ବିଛଣାରେ ଶୋଇ ଵା ଆସନ ଉପରେ ଆରାମରେ ବସି ଏହି ଆଲେଖ୍ୟକୁ ପଢୁଛନ୍ତି । ସ୍ଵର୍ଗସମ ପୃଥିଵୀର ଏହି ଅନୁପମ କାଳଖଣ୍ଡରେ ଜୀଵନର ଵିଭିନ୍ନ ରଙ୍ଗକୁ ଉପଭୋଗ କରନ୍ତୁ କାରଣ ବ୍ରହ୍ମାଣ୍ଡର ଏମିତି ୯୯.୯୯% ଅନାଥଗ୍ରହ ବି ଅଛନ୍ତି ଯେଉଁ ଗ୍ରହଗୁଡ଼ିକର ରଙ୍ଗହୀନ ଭାଗ୍ୟରେ ଅନନ୍ତ ଅନ୍ଧକାର ଵ୍ୟତୀତ ଆଉ କିଛି ବଞ୍ଚି ନାହିଁ । 




Tuesday, September 5, 2023

•"lagrange point" କାହାକୁ କୁହାଯାଏ ଓ ଏହାର ଉପାଦେୟତା କ'ଣ ?•

ପୃଥିଵୀ ଗୋଲାକାର ଏହା ସତ୍ତ୍ୱେ ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ଆମକୁ ଧରି ରଖିଥାଏ, ଫଳତଃ ଆମେ ଉଡ଼ିଯାଇ ମହାକାଶରେ ହଜିଯାଉ ନାହେଁ । କିନ୍ତୁ କ୍ଷଣକ ପାଇଁ ଚିନ୍ତା କରନ୍ତୁ, ଯଦିଓ ଆମେ ପୃଥିଵୀରେ ଅଛନ୍ତି, ତାହେଲେ ସୂର୍ଯ୍ୟର ମହାକର୍ଷଣ ଶକ୍ତି ମଧ୍ୟ ଆମକୁ ତା ଆଡ଼କୁ ଟାଣୁଅଛି କି ? ଅବଶ୍ୟ ତାହା ହିଁ ହେଉଛି । କିନ୍ତୁ ଯେହେତୁ ଆମ୍ଭେମାନେ ସୂର୍ଯ୍ୟଙ୍କ ତୁଳନାରେ ପୃଥିଵୀର ଅଧିକ ନିକଟତର, ତେଣୁ ଏହି ପରିସ୍ଥିତିରେ ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ଅଧିକ ପ୍ରଭାଵଶାଳୀ ହୁଏ ।

ଧରି ନିଅନ୍ତୁ ଜଣେ ପୃଥିଵୀଠାରୁ ସୂର୍ଯ୍ୟଆଡ଼କୁ, ଏକ ସରଳ ରେଖାରେ ଯାତ୍ରା କରୁଛନ୍ତି । ସୂର୍ଯ୍ୟ ଆଡ଼କୁ ଗତି କରିଵା ମାତ୍ରେ ତାଙ୍କ ଉପରେ ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତିର ପ୍ରଭାଵ ଅଧିକରୁ ଅଧିକ ହୋଇ ଚାଲିଵ ଏଵଂ ଧୀରେ ଧୀରେ ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ଦୁର୍ଵଳ ହୋଇ ହୋଇ ଯିଵ । 

ଵର୍ତ୍ତମାନ ଏହି ଯାତ୍ରା ସମୟରେ ନିଶ୍ଚିତ ଭାଵରେ ଏମିତି ଏକ ସମୟ ଵା ବିନ୍ଦୁ ଆସିଵ ଯେଉଁଠି ପୃଥିଵୀ ଓ ସୂର୍ଯ୍ୟଙ୍କ ଗୁରୁତ୍ବାକର୍ଷଣ ଶକ୍ତି ସମାନ ରହିଵ । ସରଳ ଶବ୍ଦରେ କହିଲେ ଏହି ସମୟରେ ସୂର୍ଯ୍ୟଙ୍କର ମହାକର୍ଷଣ ଓ ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ପରସ୍ପରକୁ cancel out କରିଦେବେ । ଯେତେବେଳେ ଏହି ବିନ୍ଦୁରେ କେହି ରହିବେ,ସେ ମହାକାଶରେ ତ୍ରିଶଙ୍କୁ ପରି ଝୁଲୁଥିବେ - ନା ଏପାରିକୁ, ନା ସେପାରିକୁ ଯାଇ ପାରିବେ । ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ "lagrange point" କୁହାଯାଏ ।
ଇଟାଲୀୟ ଗଣିତଙ୍କ ଓ ଜ୍ୟୋତିର୍ଵିଜ୍ଞାନୀ Joseph-Louis Lagrangeଙ୍କ ନାମାନୁସାରେ ଏହାର ନାମକରଣ ହୋଇଅଛି । ଏହି ବିନ୍ଦୁ ସୂର୍ଯ୍ୟ ଓ ପୃଥିଵୀ ମଧ୍ୟରେ ରହିଛି । ଏହା ପୃଥିଵୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ମହାକାଶରେ ଅଵସ୍ଥିତ ।

ସୂର୍ଯ୍ୟ-ପୃଥିଵୀ, ପୃଥିଵୀ-ଚନ୍ଦ୍ର ଇତ୍ୟାଦି ପରି ପରସ୍ପରକୁ ପରିକ୍ରମା କରୁଥିଵା ଯେକୌଣସି ଦୁଇଟି ଖଗୋଳୀୟ ପିଣ୍ଡ ମଧ୍ୟରେ ମହାକାଶରେ ସମୁଦାୟ ୫ଟି ଲଙ୍ଗରାଜ ବିନ୍ଦୁ ଥାଏ , ଯେଉଁଠାରେ ଗୋଟିଏ ମହାକାଶୀୟ ପିଣ୍ଡ ଅନ୍ୟ ପିଣ୍ଡ ଠାରୁ ୨୪.୯୬ ଗୁଣ ଭାରୀ ହୋଇଥାଏ, ଫଳରେ ଉଭୟ ପିଣ୍ଡ ମଧ୍ୟରେ ଗୁରୁତ୍ବାକର୍ଷଣ ଏଵଂ କେନ୍ଦ୍ରୀୟ ବଳ ଏପରି ଚମତ୍କାର ପ୍ରଦର୍ଶନ କରନ୍ତି ଯେ ଏହି ଲାଙ୍ଗରାଜ୍ ବିନ୍ଦୁଗୁଡ଼ିକରେ ଥିଵା ଵସ୍ତୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ରୂପେ ସ୍ଥିର ରହେ । ଅର୍ଥାତ୍ ଲାଙ୍ଗରାଜ ପଏଣ୍ଟରେ ଥିଵା ବସ୍ତୁକୁ ନିଜ ସ୍ଥାନରେ ରହିଵା ପାଇଁ ରକେଟ୍ ବୁଷ୍ଟର୍ ଚଳାଇଵାର ଆଵଶ୍ୟକତା ହୁଏ ନାହିଁ କିମ୍ବା ଆଂଶିକ ଭାବେ ଚଳାଇଵାକୁ ହୋଇଥାଏ । 

ପୃଥିଵୀ ଓ ସୂର୍ଯ୍ୟ ମଝିରେ ଥିଵା L¹ ଲଙ୍ଗରାଜ ବିନ୍ଦୁ ବିଷୟରେ ଆମେ ଜାଣିଲେ । ସେହିପରି ଦ୍ବିତୀୟ ଲାଙ୍ଗରାଜ ବିନ୍ଦୁ L² ସୂର୍ଯ୍ୟଙ୍କର "ସେ ପାରିରେ" ଏଵଂ ତୃତୀୟ ଲାଙ୍ଗରାଜ ବିନ୍ଦୁ L³ ପୃଥିଵୀର "ଏହି ପାରିରେ" ଵିଦ୍ୟମାନ । ଏହି ତିନୋଟି ବିନ୍ଦୁ ଆଂଶିକ ଭାଵରେ ସ୍ଥିର ଅଟେ। ଅର୍ଥାତ୍ ଏଠାରେ ଥିଵା କୌଣସି କୃତ୍ରିମ ଉପଗ୍ରହ ପ୍ରାୟ ୨୩ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ରହିପାରିବେ। ଏହାପରେ କିଛି କ୍ଷଣ ରକେଟ୍ ଚଳାଇ କରି ତାକୁ ପୁଣି ପୂର୍ଵ ସ୍ଥିତିରେ ପହଞ୍ଚାଇ ଦିଆଯାଏ ।

ଲାଙ୍ଗରାଜ ବିନ୍ଦୁ L⁴ ଓ L⁵ ମହାକାଶର ସେହି ସ୍ଥାନରେ ଅଛି ଯେଉଁଠାରେ ସୂର୍ଯ୍ୟ ଓ ପୃଥିଵୀ ଦ୍ଵାରା ଗଠିତ ୬୦ ଡିଗ୍ରୀ କୋଣ ପରସ୍ପରକୁ ଛେଦ କରିଥାନ୍ତି । L⁴ ଓ L⁵ଏହି ଦୁଇଟି ଯାକ ବିନ୍ଦୁ ସମ୍ପୂର୍ଣ୍ଣ ସ୍ଥିର । ଅର୍ଥାତ୍ ଯଦି ଆପଣ ଏହି ଦୁଇଟି ସ୍ଥାନରେ ଉପସ୍ଥିତ ଥାଆନ୍ତି ଏଵଂ ମୁଁ ଆପଣଙ୍କୁ ଆପଣଙ୍କ ସ୍ଥାନରୁ ଅନ୍ୟତ୍ର ଧକ୍କା ଦେଇଦିଏ, ତେବେ ମଧ୍ୟ ଆପଣ ଆପଣଙ୍କର ପୂର୍ଵ ସ୍ଥାନକୁ ଫେରିଆସିବେ । ଆପଣ ଏହି L⁴ ଓ L⁵ ଲାଙ୍ଗରାଜ୍ ବିନ୍ଦୁ ଦ୍ଵୟକୁ ଚାରି ଦିଗରେ ପର୍ଵତ ଦ୍ୱାରା ଘେରି ରହିଥିଵା ଏକ ଉପତ୍ୟକା ସହିତ ତୁଳନା କରିପାରିବେ, ଯେଉଁଠାରେ ବାମ-ଡାହାଣ-ଆଗକୁ କି ପଛକୁ ଯିଵାର କୌଣସି ଵିକଳ୍ପ ଉପଲବ୍ଧ ନାହିଁ ।


କଳ୍ପନା କରନ୍ତୁ, ମହାକାଶରେ ମଣିଷର ଵିସ୍ତାର ଦୃଷ୍ଟିରୁ ଏହି ଲାଙ୍ଗରାଜ୍ ବିନ୍ଦୁଗୁଡି଼କ ରଣନୈତିକ ଭାବେ କେତେ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଆପଣ ଇନ୍ଧନ ଵିଷୟରେ ଚିନ୍ତା ନକରି ଵାସଯୋଗ୍ୟ ମାନଵ ଵସତି ସ୍ଥାପନ କରିପାରିବେ । ଆବଶ୍ୟକ ଲୁହାପଥର କିମ୍ବା ଅନ୍ୟାନ୍ୟ ଧାତଵ ସାମଗ୍ରୀ ଯୋଗାଣ ପାଇଁ ଖଣି ଖନନ ହେତୁ ଧରାଯାଇଥିଵା ଉଲ୍କାଗୁଡ଼ିକୁ ମହାକାଶର ଏହି ସ୍ଥାନରେ ଛଡ଼ାଯାଇପାରିବ। ପୁଣି ଚିନ୍ତା କରନ୍ତୁ ଯେ ଇନ୍ଧନକୁ ପିଇ ଯାଉଥିଵା ଗୁରୁତ୍ବାକର୍ଷଣ କିମ୍ବା ଵାୟୁ ଅଭାଵରେ ଭଵିଷ୍ୟତର ମହାକାଶ ଅଭିଯାନଗୁଡ଼ିକୁ ଏହି ଲାଙ୍ଗରାଜ୍ ବିନ୍ଦୁରୁ ପଠାଇଵା କେତେ ସହଜ ହେଵ ।

କେ ଜାଣେ ହୁଏତ ଏମିତି ଏକ ସମୟ ଆସିଵ ଯେତେବେଳେ ଆମେ ବ୍ରହ୍ମାଣ୍ଡରେ ଅନେକ ସୌରମଣ୍ଡଳର ଲାଙ୍ଗରାଜ୍ ବିନ୍ଦୁରେ ଆମର ଜନଵସତି ସ୍ଥାପନ କରିସାରିଥିଵା । ସେତେବେଳେ ସେହି ସମ୍ଭାଵିତ ଭଵିଷ୍ୟତର ମହାକାଶଚାରୀମାନେ ଦୂରଦୂରାନ୍ତରର ମହାକାଶ ଯାତ୍ରାରୁ ଫେରି ଲାଙ୍ଗରାଜ୍ ବିନ୍ଦୁରେ ଅଵସ୍ଥିତ ମାନଵବସ୍ତିରେ ନିଜର ଯାନ ଅଵତରଣ କରିବେ, ଇନ୍ଧନ ଭରିବେ, ପରିଵାର ସହିତ ସମୟ ବିତାଇବେ ଏବଂ ପୁନର୍ଵାର ଏକ ଅଜଣା ଦୁଃସାହସିକ ମହାକାଶ ଯାତ୍ରାରେ ବାହାରି ଯିବେ ।

ଭାରତର ସୂର୍ଯ୍ୟଯାନ ଆଦିତ୍ୟ L¹, ଲାଙ୍ଗରାଜ୍ ବିନ୍ଦୁ L¹ରେ ରହି ସୂର୍ଯ୍ୟଙ୍କ ଵିଷୟରେ ଅଧ୍ୟୟନ କରିଵ । ଏହି ଲାଙ୍ଗରାଜ୍ ବିନ୍ଦୁ L¹ ସୂର୍ଯ୍ୟ ଓ ପୃଥିଵୀର ମଧ୍ୟଭାଗରେ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅଵସ୍ଥିତ। ଏଠାରେ ସ୍ଥିର ରହି ସୂର୍ଯ୍ୟଙ୍କର ଵାଧାରହିତ ଅଧ୍ୟୟନ ସହଜ ଅଟେ । ଏବେ ବି ଏହି ଲାଙ୍ଗରାଜ୍ ବିନ୍ଦୁ L¹ରେ ନାସା’ ଓ ୟୁରୋପୀୟନ୍ ସ୍ପେସ୍ ଏଜେନ୍ସିର SOHO(Solar and Heliospheric Observatory) ମହାକାଶ ଯାନ ଏଠାରେ ୧୯୯୬ରୁ ସକ୍ରିୟ ଅଛି । ତେବେ ଭାରତର ମହାକାଶ ଯାନ ଆଦିତ୍ୟ L¹ ନୂଆ ଵୈଷୟିକ ସାମର୍ଥ୍ୟଯୁକ୍ତ ହୋଇ ସେଠାକୁ ଯାଉଛି । ଆମର ଆଶା ଓ ଵିଶ୍ବାସ ଆମ ଇସ୍ରୋ ଏହି ଅଭିଯାନରେ ନିଶ୍ଚୟ ସଫଳ ହେଵ । 

•ଟିଡ୍‌ଲିକ୍ ବେଙ୍ଗ ଓ ଜଳପ୍ରଳୟ•


ଏମିତି ତ ଏ ପୃଥିଵୀରେ ପ୍ରାୟ ସର୍ଵତ୍ର ଏକ ଵା ଏକାଧିକ ଜଳପ୍ରଳୟର କାହାଣୀ ଶୁଣିଵାକୁ ମିଳେ ତେବେ ଅଷ୍ଟ୍ରେଲିଆର ଜନଜାତୀୟ ଲୋକଗାଥାରେ ଜଳପ୍ରଳୟ ସମ୍ବନ୍ଧରେ ଏକ ନିଆରା ଗଳ୍ପ ରହିଛି । 

ଏହି କାହାଣୀର ମୁଖ୍ୟ ଚରିତ୍ର ଜଣେ ବେଙ୍ଗ ଯାହାର ନାମ ଡିଡ୍‌ଲିକ୍ । ଦିନେ ସକାଳେ ଭୀଷଣ ତୃଷ୍ଣା ଯୋଗୁଁ ନିଦ୍ରାରୁ ଉଠି ଡିଡ୍‌ଲିକ୍ ଆଖପାଖରେ ଯେତେ ପାଣି ଥିଲା ସବୁ ପିଇଵାକୁ ଆରମ୍ଭ କରିଦେଲା । ସେ ଯେତେ ପାଣି ପିଉଥାଏ ତା'ର ଶୋଷ ସେତେ ବଢ଼ୁଥାଏ । 
ଇତି ମଧ୍ୟରେ ଜଳ ଅଭାଵରୁ ସବୁ ସ୍ଥାନରେ ପଶୁପକ୍ଷୀ କୀଟ ପତଙ୍ଗ ଓ ଗଛ ବୃଛ ମରିଵାକୁ ଲାଗିଲେ । ଅନ୍ୟ ଜୀଵମାନେ ଡିଡ୍‌ଲିକ୍ ଯୋଗୁଁ ଏସବୁ ଅଘଟଣ ଘଟୁଛି ଜାଣି ତା ଵିରୋଧରେ ଷଡ଼ଯନ୍ତ୍ର କରି ସେ ପିଇଥିବା ସମସ୍ତ ପାଣି ଫେରି ପାଇଵାକୁ ଯୋଜନା କରିଥିଲେ। କିଏ କେତେ ପ୍ରକାରର ଉପାୟ 
କରି ଵିଫଳ ହେଲେ । ଶେଷରେ ଏକ ବୁଦ୍ଧିମାନ ବୃଦ୍ଧ ପେଚା ଉପାୟଟିଏ ଦେଲା । 



ଡିଡ୍‌ଲିକ୍‌କୁ ଯଦି ହସେଇ ଦିଆଯାଏ ତେବେ ସେ ପିଇଥିଵା ସବୁ ପାଣି ତା ପେଟରୁ ବାହାରି ଯିଵ । କୋଚିଆ(eel) କହିଲା ସେ ଏଇ କାମଟି କରିପାରିଵ । କୋଚିଆ ଯୋଉଠି ଟିଡ୍‌ଲିକ୍ ବସିଥିଲା ସେଠାକୁ ଗଲା ଏଵଂ ତା ଆଗରେ ଅଦ୍ଭୁତ ଢଙ୍ଗରେ ପହଁରିଲା । ଟିଡ୍‌ଲିକ୍ ବେଙ୍ଗ ଯେମିତି ସେ ପହଁରା ଦେଖିଲା ହସି ହସି ଗଡ଼ିଗଲା । ଟିଡ୍‌ଲିକ୍ ଏତେ ପରିମାଣରେ ହସିଲା ଯେ ତା ପେଟର ସବୁ ପାଣି ବାହାରି ଯାଇ ନଈ ପୋଖରୀ ଗାଡ଼ିଆ ସମୁଦ୍ରାଦି ପୂର୍ଣ୍ଣ ହୋଇଗଲା କିନ୍ତୁ ପାଣି ବୋହିଵା ଥମିଲା ନାହିଁ ଵରଂ ଆହୁରି ବଢ଼ି ଚାଲିଲା ।

 ସାରା ପୃଥିଵୀ ହଠାତ୍ ଜଳମୟ ହୋଇଗଲା । ଯୁଆଡ଼େ ଦେଖିଲେ କେଵଳ ଜଳ ହିଁ ଜଳ ଦୃଶ୍ୟ ହେଉଥାଇ । ଅନେକ ଜୀଵ ମଲେ ଏଵଂ ଯୋଉ ଯୋଉ ଉଚ୍ଚ ଭୂଭାଗ ବଞ୍ଚିଗଲା ସେଠାରେ ବଞ୍ଚିଯାଇଥିଵା ପଶୁପକ୍ଷୀମାନେ ଆଶ୍ରୟ ନେଲେ । 


ଟିଡ୍‌ଲିକ୍ ବେଙ୍ଗର ଏହି କାହାଣୀ ମୂଳତଃ ଜଳପ୍ରଳୟ ସମ୍ବନ୍ଧରେ ହୋଇଥିଲେ ବି ଆଧୁନିକ ଯୁଗରେ ଏ କାହାଣୀକୁ ଵିଭିନ୍ନ ପ୍ରକାରେ ବୋଲା ଓ ଲେଖାଯାଇଛି । ମୂଳ କାହାଣୀକୁ ପରିଵର୍ତ୍ତନ କରି ପିଲାମାନଙ୍କ ପାଇଁ କେହି କେହି ଏ କାହାଣୀକୁ ସୁଖାନ୍ତ କରି ଶୁଣାଇ ଥାଆନ୍ତି । 

ଗଵେଷକମାନେ କୁହନ୍ତି ଅଷ୍ଟ୍ରେଲିଆରେ ଦେଖାଯାଉଥିଵା Water-holding Frog ନାମରେ ଜଣାଶୁଣା Litoria platycephala ବେଙ୍ଗର ହାବଭାବକୁ ଭିତ୍ତିକରି କାହାଣୀଟି ଗଢ଼ିଉଠିଥିଲା । 

ଟିଡ୍‌ଲିକ୍‌ର କାହାଣୀ ଅଧୁନା ସାରା ଅଷ୍ଟ୍ରେଲିଆରେ ଲୋକପ୍ରିୟ ଥିଲେ ବି ମୂଳତଃ ଏ କାହାଣୀ ଗିପ୍ସଲାଣ୍ଡ୍,ଵିକ୍ଟୋରିଆ ଅଞ୍ଚଳର Gunai Kurnai ଜନଜାତୀୟ ଲୋକଙ୍କ ଲୋକଗାଥା ବୋଲି କେତେକ ଗଵେଷକ ମତ ଦିଅନ୍ତି ।

Monday, September 4, 2023

●ଚନ୍ଦ୍ରପୃଷ୍ଠରେ ଭାରତୀୟ ଅଵତରଣ ସ୍ଥଳକୁ ଶିଵଶକ୍ତି ନାମକରଣ ଉଚିତ୍ କି ? ●

ତାରାଗୁଡ଼ିକ ଆମଠାରୁ ବହୁ ଦୂରରେ ଅଵସ୍ଥିତ ଥିଵାରୁ ଆକାଶରେ ସେଗୁଡ଼ିକ ସ୍ଥିର ଥିଵା ପରି ମନେ ହୁଏ । କିନ୍ତୁ ବହୁତ ଧ୍ୟାନର ସହ ଦେଖିଲେ ତନ୍ମଧ୍ୟରୁ ପାଞ୍ଚଟି ତାରା ଅନ୍ୟାନ୍ୟ ତାରାଗୁଡ଼ିକ ତୁଳନାରେ ରାତି ଆକାଶରେ ଅପେକ୍ଷାକୃତ ଦ୍ରୁତ ତଥା ନିର୍ଦ୍ଧିଷ୍ଟ ପଥରେ ଗତି କରନ୍ତି ବୋଲି ଜଣାପଡ଼େ । ସେହି ପାଞ୍ଚଟି ତାରା ପ୍ରକୃତରେ ଆମ ସୌରଜଗତର ବୁଧ,ଶୁକ୍ର,ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହ । ଏହି ଗ୍ରହଗୁଡ଼ିକ ଧ୍ରୁଵ ଚାରିପଟେ ଘୂରୁନଥିଵାରୁ ଏଗୁଡ଼ିକୁ ଲୋକେ ତାରାମାନଙ୍କଠାରୁ ଭିନ୍ନ ଗ୍ରହ ଆଖ୍ୟା ଦେଇଥିଲେ । ସୌରଜଗତର ଏ ପାଞ୍ଚଗୋଟି ଗ୍ରହଗୁଡ଼ିକୁ ବିନା କୌଣସି ଉପକରଣ ସାହାଯ୍ୟରେ ମଣିଷ ଖାଲି ଆଖିରେ ଦେଖିପାରୁଥିଲା ଫଳତଃ ସମସ୍ତ ପ୍ରାଚୀନ ସଭ୍ୟତା ଏହି ଗ୍ରହଗୁଡ଼ିକ ଵିଷୟରେ ଅଵଗତ ଥିଲେ । 
ପାଶ୍ଚାତ୍ୟ ଓ ପ୍ରାଚ୍ୟ ସର୍ଵତ୍ର ପୌରାଣିକ ପାତ୍ରଙ୍କ ନାମାନୁସାରେ ଗ୍ରହ ଓ ନକ୍ଷତ୍ରଗୁଡ଼ିକର ନାମକରଣ ହୋଇଥିଲା । ଯଥା : ପାଶ୍ଚାତ୍ୟରେ Mercury ଯେ ଗତିର ଦେଵତା ତାଙ୍କ ନାମରେ ବୁଧ ଗ୍ରହର ନାମକରଣ ହୋଇଥିଲା । Venus ପ୍ରେମର ଦେଵୀ ତାଙ୍କ ନାମରେ ଶୁକ୍ରଗ୍ରହର ନାମକରଣ ହୋଇଥିଲା । Mars ଯୁଦ୍ଧର ଦେଵତା ଏଵଂ ତାଙ୍କ ନାମରେ ମଙ୍ଗଳ ଗ୍ରହ ନାମିତ ହୋଇଥିଲା । Jupiter ଦେଵତାଙ୍କ ମଧ୍ୟରେ ମୁଖ୍ୟ ଦେଵତା ତେଣୁ ସୌରଜଗତର ସବୁଠାରୁ ଵିଶାଳ ବୃହସ୍ପତି ଗ୍ରହର ନାମ ଜୁପିଟର ରଖା ଯାଇଥିଲା । ସେହିପରି ଶନିଗ୍ରହକୁ କୃଷିର ଦେଵତା Saturn ଙ୍କ ନାମରେ ନାମିତ କରାଯାଇଥିଲା । 
୧୭୮୧ ମସିହାରେ ଯେତେବେଳେ ୱିଲିୟମ୍ ହର୍ଚେଲ ୟୁରେନସ୍ ଗ୍ରହ ଆବିଷ୍କାର କରିଥିଲେ, ସେତେବେଳେ ସେ ଚାଟୁକାରିତାରେ ଵଶୀଭୂତ ହୋଇ ସେହି ନୂତନ ଆଵିଷ୍କୃତ ଗ୍ରହକୁ ତାଙ୍କ ସାମନ୍ତ 'ଜର୍ଜ'ଙ୍କ ନାମରେ ନାମିତ କରିଥିଲେ ଏଵଂ ପରଵର୍ତ୍ତୀ ୭ ଦଶନ୍ଧି ପର୍ଯ୍ୟନ୍ତ ୟୁରେନସ୍ ଵିଶ୍ୱଵ୍ୟାପୀ "ଜର୍ଜ ପ୍ଲାନେଟ୍" ନାମରେ ପରିଚିତ ହୋଇଥିଲା । ତେବେ ପରେ ଵୈଜ୍ଞାନିକ ସମୁଦାୟ ନିଷ୍ପତ୍ତି ନେଇଥିଲେ ଯେ ମହାକାଶୀୟ ପିଣ୍ଡଗୁଡ଼ିକର ପୌରଣିକ ପାତ୍ରଙ୍କ ନାମାନୁସାରେ ନାମକରଣ ପରମ୍ପରା ବଳବତ୍ତର ରହିଵ। ତେଣୁ ନୂତନ ଭାବରେ ଆଵିଷ୍କୃତ ହୋଇଥିଵା ଉକ୍ତ ଗ୍ରହର ନାମ ସ୍ଵର୍ଗ ଓ ଆକାଶର ପ୍ରାଚୀନ ଗ୍ରୀକ୍ ଦେଵତା ୟୁରେନସ୍‌ଙ୍କ ନାମାନୁସାରେ ରଖାଯାଇଥିଲା । 
ପରଵର୍ତ୍ତୀ ସମୟରେ ଆଵିଷ୍କୃତ ସୌରଜଗତର ଗ୍ରହଗୁଡ଼ିକୁ ଜଳର ରୋମାନ୍ ଦେଵତା Neptune ଓ ପାତାଳର ଗ୍ରୀକ୍ ଦେଵତା Plutoଙ୍କ ନାମରେ ନାମିତ କରାଯାଇଥିଲା । 

ଉପଗ୍ରହ ନାମରେ ସୌରଜଗତରେ କେଵଳ ପୃଥିଵୀର ଚନ୍ଦ୍ର ଉପଗ୍ରହକୁ ହିଁ ଲୋକେ ଜାଣିଥିଲେ ଏଵଂ ତାକୁ ମଧ୍ୟ ଗ୍ରହ ରୂପେ ପ୍ରାଚୀନ କାଳରୁ ଗଣନା କରି ଆସୁଥିଲେ । 
ସର୍ଵପ୍ରଥମେ ଗାଲିଲିଓ ଗାଲିଲି ହିଁ ଚନ୍ଦ୍ରକୁ ଗ୍ରହ ନୁହେଁ ଵରଂ ଉପଗ୍ରହ ବୋଲି ପ୍ରାମାଣିକ ମତ ପ୍ରକାଶ କରିଥିଲେ । ଗାଲିଲିଓ ଏହା ସହିତ ବୃହସ୍ପତିର ଚାରୋଟି ଉପଗ୍ରହ ଆଵିଷ୍କାର କରି ତହିଁର ନାମ ଗ୍ରୀକ୍ ଦେଵତା Jeusଙ୍କର ଚାରିଜଣ ପ୍ରେମିକା Io, Europa, Ganymede ଓ Callistoଙ୍କ ନାମାନୁସାରେ ନାମିତ କରିଥିଲେ । ଅନ୍ୟାନ୍ୟ ଆଵିଷ୍କୃତ ଉପଗ୍ରହଗୁଡ଼ିକର ମଧ୍ୟ ଏହିପରି ଭାବେ ଗ୍ରୀକ୍ ଓ ରୋମାନ୍ ଦେଵୀ ଦେଵତାଙ୍କ ନାମାନୁସାରେ ନାମକରଣ କରାଯାଇଛି । 

ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ଯେଉଁ ଆମେରିକୀୟ ମହାକାଶ ଯାନରେ ବସି ଚନ୍ଦ୍ରପୃଷ୍ଠରେ ଅଵତରଣ କରିଥିଲେ ତାହାର ନାମ ଗ୍ରୀକ୍ ଦେଵତା Zeus ଓ Letoଙ୍କ ପୁତ୍ର Apolloଙ୍କ ନାମାନୁସାରେ ରଖାଯାଇଥିଲା। 
ଏବେ ଦୁଇ ଵର୍ଷ ପରେ ଯେଉଁ ଆମେରିକୀୟ ମହାକାଶଯାନ ପୁଣି ଚନ୍ଦ୍ରକୁ ଯିଵ ତାକୁ Jeusଙ୍କ ଝିଅ Artemisଙ୍କ ନାମରେ ନାମିତ କରାଯାଇଛି । 
ଋଷ ମଧ୍ୟ ନିଜ ମହାକାଶଯାନର ନାମକରଣ ଚନ୍ଦ୍ରର ରୋମାନ ଅଧିଷ୍ଠାତ୍ରୀ ଦେଵୀ Lunaଙ୍କ ନାମରେ ନାମିତ କରିଥିଲା । ଚୀନାମାନେ ସେହିପରି ନିଜ Space stationର ନାମକରଣ ତାଙ୍କର ସ୍ଵର୍ଗର ଦେଵତା
Tian Diଙ୍କର ଘରର ନାମାନୁସାରେ TIANGONG ରଖିଥିଲେ । ପୁଣି ଚୀନାମାନେ ତାଙ୍କ ଚନ୍ଦ୍ର-ଦେଵୀଙ୍କ ନାମାନୁସାରେ ଚୀନୀ ଚନ୍ଦ୍ରଯାନର ନାମ CHANG ରଖିଥିଲେ । ଚୀନାମାନେ dark matter ଅନୁସନ୍ଧାନ ପାଇଁ ଯେଉଁ କୃତ୍ରିମ ଉପଗ୍ରହ ପଠାଇଥିଲେ ତାହାର ନାମକରଣ ତାଙ୍କର ପୌରାଣିକ ପାତ୍ର ଵାନର ଦେଵତା WUKONGଙ୍କ ନାମ ଅନୁସାରେ କରିଥିଲେ । 

ଏଭଳି ହଜାର ହଜାର ଉଦାହରଣ ଦିଆଯାଇପାରେ । ମହାକାଶୀୟ ପିଣ୍ଡର ପୌରାଣିକ ନାମ ରଖିଵାର ପରମ୍ପରା ବହୁତ ପୁରାତନ କାଳରୁ ଚଳିଆସୁଛି । ତେବେ ପ୍ରାୟ ୧୦୦ ଵର୍ଷ ପୂର୍ଵେ ଏକ ଆନ୍ତର୍ଜାତିକ ସହମତି ଥିଲା ଯେ ଅନ୍ତତଃ ଵୈଜ୍ଞାନିକ, ଦାର୍ଶନିକ କିମ୍ବା ଗଣିତଜ୍ଞଙ୍କ ନାମରେ ଚନ୍ଦ୍ରପୃଷ୍ଠରେ ଥିଵା ସ୍ଥାନଗୁଡ଼ିକର ନାମକରଣ କରାଯିଵ । ତଥାପି ଗତ କିଛି ଦଶନ୍ଧି ମଧ୍ୟରେ ଚୀନ୍, ଗ୍ରୀକ୍, ଇଜିପ୍ଟୀୟ, ରୋମାନ୍ ପୌରାଣିକ ପାତ୍ର ଯଥା ଆପୋଲୋ, ଆର୍ଟେମିସ୍, ଇକାରସ୍, ସେଫିୟସ୍, ଚାଙ୍ଗ୍-ଏନଜିଓ, ବୁଧିୟସ୍, ଓସିରିସ୍ ଇତ୍ୟାଦି ଚରିତ୍ରମାନଙ୍କ ନାମରେ ଡର୍ଜନରେ ଅଧିକ ଚନ୍ଦ୍ରସ୍ଥଳୀର ନାମକରଣ କରାଯାଇଛି। ଏଥିସହିତ ଆଟଲାସ୍, ହର୍କୁଲିସ୍, ଆଣ୍ଡିମିଆନ ଇତ୍ୟାଦି ପୌରାଣିକ ପାତ୍ରମାନଙ୍କ ନାମକୁ ମଧ୍ୟ ଵ୍ୟଵହାର କରାଯାଇଛି।

ତେଣୁ ଯଦି ଭାରତର ମହାକାଶ ଅଭିଯାନ ପାଇଁ ଆଦିତ୍ୟ, ଗଗନ ଓ ପ୍ରଜ୍ଞାନ ଭଳି ସଂସ୍କୃତ ନାମ ରଖାଯାଉଛି କିମ୍ବା ଏହାର ଅଵତରଣ ସ୍ଥଳକୁ "ଶିଵ-ଶକ୍ତି" ନାମରେ ନାମିତ କରାଯାଉଛି କି ଭବିଷ୍ୟତର କୌଣସି ମହାକାଶ ଅଭିଯାନକୁ ପୌରାଣିକ ପାତ୍ରମାନଙ୍କ ନାମରେ ନାମିତ କରିଵାକୁ ଚେଷ୍ଟା କରାଯାଉଛି ତାହେଲେ ଏଥିରେ ଅସୁଵିଧା କୋଉଠି ରହିଲା । ଏଭଳି ନାମ ରଖିଵା ତ ଏକ ଵିଶ୍ୱଵ୍ୟାପୀ ପ୍ରାଚୀନ ପରମ୍ପରା। ତେଣୁ କେଵଳ ଵିରୋଧ ପାଇଁ ଵିରୋଧ କରାଯିଵା ଉଚିତ୍ ନୁହେଁ।

ସେମିତି ବି ଭାରତୀୟ ଦରଵର ନାମ ଆଦିତ୍ୟ,ଶିଵଶକ୍ତି କିମ୍ବା ପ୍ରଜ୍ଞାନ ନରଖି କ'ଣ ଅବ୍ଦାଲୀ,ଘୋରୀ ଓ ଗଜନବୀ ରଖାଯାଇଥାନ୍ତା ?

Saturday, September 2, 2023

•ପଣ୍ଡିତ ନୀଳକଣ୍ଠ(ଲେଖନୀଚିତ୍ର -୭)•

ପଣ୍ଡିତ ଆସନରେ ବସିଲେ ମଧ୍ୟ ସମସ୍ତେ ଯେ ପଣ୍ଡିତ ହୋଇ ପାରିବେ ନାହିଁ ତହିଁର ପ୍ରକୃଷ୍ଟ ଉଦାହରଣ ସାକ୍ଷାତ ଵିଶ୍ଵନାଥ ଦାସ । ଭାଷା ଜାଣନ୍ତି ବୋଲି ସେ ଯେତେ ବାହାରେ ଦେଖଇ ହୁଅନ୍ତୁ; “ଉପଯାଚନା’’ “ସୌନ୍ଦର୍ଯମୟ" ଆଦି ଯେତେ ନୂଆ ନୂଆ ଶବ୍ଦ ସେ ଗଢ଼ନ୍ତୁ; ଯେତେ ସହିତ୍ୟ କମିଟିରେ ସଭାପତି ହୁଅନ୍ତୁ; ଯେତେଥର ରେଭେନ୍ସା ଗାର୍ଲ ସ୍କୁଲ ଦେଖନ୍ତୁ ଵା ପ୍ରାଇଜ ସଭାରେ ଅଧକ୍ଷ ହୁଅନ୍ତୁ, ତଥାପି ସେ ପଣ୍ତିତ ନୁହନ୍ତି । କାରଣ, ତାଙ୍କର ପାଣ୍ଡିତ୍ୟ ନାହଁ । ଓଡ଼ିଶାରେ ଯେବେ କିଏ ପଣ୍ଡିତ ଥାନ୍ତି, ସେ କେଵଳ ପଣ୍ଡିତ ନୀଳକଣ୍ଠ ଦାସ । ସୁବୋଧ୍ୟକୁ ଅବୋଧ୍ୟ କରିଵାରେ ସରଳକୁ କାଠିନ୍ୟ କରିଵାରେ ସେହି କେଵଳ ସମର୍ଥ । 
ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଏ ଦରିଦ୍ର ଓଡ଼ିଶାର ଲାଳନପାଳନ କର୍ତ୍ତା ଵିଷ୍ଣୁ ବୋଲି ଯେବେ ଧରାଯିଵ ତାଙ୍କର ସହଦେଵତା ବ୍ରହ୍ମା ଓ ମହେଶ୍ଵରଙ୍କ ସ୍ଥାନପୂରଣ ପାଇଁ ପଣ୍ତିତ ନୀଳକଣ୍ଠ ନିଶ୍ଚୟ ମହେଶ୍ଵର ଵା ନୀଳକଣ୍ଠ ହେବେ । କାରଣ ସେ ସଂହାର କର୍ତ୍ତା । “ଯଥାବିର୍ଯ୍ୟା ସ୍ତଥାଙ୍କୁରାଃ” ବୋଲି ଯେ ପ୍ରଵଚନ ତାହା ପାଣିନିଙ୍କ ଭାଷାରେ ଥିଲେ ମଧ୍ୟ ପ୍ରକୃତ ପକ୍ଷେ ଚଷାର ଉକ୍ତି । କାର୍ଯ୍ୟ ନା ଭଷା ପେପର ମଧ୍ୟ ପୋଢେ ସେଥିରୁ ଏହି ପରି ଗଛ ଉଠେ । କାହିଁକି ନା ଚଷା ଯେପରି ମଞ୍ଜି ପୋତେ ସେଥିରୁ ସେହିପରି ଗଛ ଉଠେ । ଏ କଥାର ସତ୍ୟତା ଉତ୍କଳ ପାଣିନି ଦାସ ଅବତଂସ ପଣ୍ଡିତ ନୀଳକଣ୍ଠଙ୍କ ଜୀଵନରେ ପୁରା ପ୍ରତିପାଦିତ ହୋଇଛି। ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରଵାସୀ ଆନନ୍ଦ ଦାସ ଥରେ ଦେଖିଲେ ଯେ ପୋଖରୀରେ ଗୋଟେ ବଡ଼ ମାଛ ପହଁରୁଛି । ତାକୁ ଧରିଵାକୁ ଵ୍ୟାକୁଳ ହୋଇ ଅନ୍ଧ ଭାବରେ ମାଛ ଓ ତାଙ୍କ ଭିତରେ ଥିଵା ଵ୍ୟଵଧାନ କିଆ ବାଡ଼ ଡେଇଁ ଯେତେବେଳେ ପାଣିରେ ଲଥୋକିନା ପଡ଼ିଲେ ମାଛ ଵିଚରା ଚଡ଼କ ପଡ଼ିଲା ଭାବି ଚମ୍ପଟ ଦେଲା । ସାର ହେଲା, ଜୀଵନ ଵ୍ୟାପୀ ଆନନ୍ଦ ଦାସଙ୍କ ଅଣ୍ଟା ବାତ । 
ବାପାଙ୍କ ପରାଜୟର ପ୍ରତିହିଂସା ଵର୍ତ୍ତମାନ ନେଉଛନ୍ତି ସୁପୁତ୍ର ପଣ୍ଡିତ ନୀଳକଣ୍ଠ । ଗୋଟାଏ ସେରିକିଆ ମାଛ ପଳାଇ କେବେ ହୁଏତ ଆତ୍ମରକ୍ଷା କରିଥିଲା,କିନ୍ତୁ ପୁତ୍ର ପୌତ୍ରାଦି କ୍ରମେ ତାର ଲକ୍ଷ ଲକ୍ଷ ତିନି ସେରିଆ, ପାଞ୍ଚ ସେରିଆ ଉତ୍ତରାଧିକାରୀମାନେ ଦିନକେ ଗୋଟିଏ ଦୁଇଟା କରି ପଣ୍ଡିତ ନୀଳକଣ୍ଠଙ୍କ
ଗର୍ଭସାତ୍ ହେଉଛନ୍ତି । ‘Vendetta’ ଉପନ୍ୟାସରେ ପୁଅ ବାପ ପ୍ରତି ଅନ୍ୟାୟର ଯେ ପ୍ରତିହିଂସା ନେଇ ପାରି ନଥିଲା ତା ନେଉଛନ୍ତି ପଣ୍ଡିତ ନୀଳକଣ୍ଠ । ଭଲକଥା,
ସୁପୁତ୍ର ଜାତ ହେଲେ ଏହା ନ ହୋଇ ଆଉ କ’ଣ ହୁଅନ୍ତା । କିନ୍ତୁ ସ୍ବଳ୍ପ ପଣ୍ଡିତ ଗୋଦାଵରୀଶ ଓ ପଣ୍ଡିତମନ୍ୟ କୃଷକ ପ୍ରାଣ ଜମିଦାର ମହତାବ ଯେ ଦୁଇଟା ମାଛ ପାଲଟି ଗଲେ । ପଣ୍ଡିତ ନୀଳକଣ୍ଠ କେଵଳ ‘ମ’କାର ଚକିତ ହୋଇ ମାଛ, ମନୁଷ୍ୟ ପ୍ରଭେଦ ନରଖି କାର୍ଯ୍ୟ କରିଵାର ପଟୁତା ବେଶ୍ ଦେଖାଇଲେ । ସେଥିପାଇଁ ଲେକେ ତାଙ୍କୁ ନାମ ଦେଉଛନ୍ତି ଉତ୍କଳ ଦୁର୍ଵାସା । ଦୁର୍ଵାସାଙ୍କ ସମୟରେ ସ୍ଵହସ୍ତ ପ୍ରସାଦଶୀଳ ଜିଲେଟ୍ ଖୁର ବାହାରି ନଥିଲା । ଆଉ, ବୋଧହୁଏ ଏ ଗାଆଁ ଲୋକେ ସହସ୍ର ଵର୍ଷ ପୂର୍ଵେ ଶ୍ରୀରାମପୁରରେ ତାଙ୍କୁ ବାସନ୍ଦ କରି ରଖିଥିଲେ । ସେଥିପାଇଁ ଦୁର୍ଵାସାଙ୍କ ଦାଢ଼ି
ଶୀତ ଋତୁରେ ତାଙ୍କ ଆଣ୍ଠୁରେ ବାଜୁଥିଲା । ଯେପରିକି ‘ମୋ ନିଶ’ ରଚୟିତା ପଣ୍ଡିତ ନୀଳକଣ୍ଠଙ୍କ ଝୋଟ ରୂପୀ ସୁଶ୍ରୂ କ୍ରମେ ତାଙ୍କ ନାଭି ଡ଼େଇଁଵାକୁ ବସିଲାଣି ।

ପଣ୍ଡିତ ନୀଳକଣ୍ଠଙ୍କ ପେଟରେ ଵିଦ୍ୟାର ଉଗ୍ରତା ଯେତିକି ବେଶି ପାଟିରେ ନିଆଁ’ର ଉଗ୍ରତା ସେତିକି ଅଧିକ । କେହି କେହି ମନେ କରନ୍ତି ତାଙ୍କ ଦାଢ଼ି ମୂଳରେ ଗୋଟିଏ ରୁଲ୍ ବାଡ଼ି ଧରି ଦେଲେ ସେଥିରୁ ହଠାତ୍ ଆମର ଏ କାଗଜ ଖଣ୍ଡିକ ବାହାରି ପଡ଼ିଵ । ‘ନିଆଁଖୁଣ୍ଟା’ର ଯେପରି କାଟତି ହେଲାଣି ହୁଏତ ଦିନେ ମନ୍ତ୍ରୀଙ୍କ ଚପରାସି ରାଧାନାଥ ପଇସାକ ଜାଗାରେ ଚାରିପଇସା ଯାଚି ମଧ୍ୟ ‘ନିଆଁଝୁଣ୍ଟା’ ନପାଇ ଦାସଙ୍କ ବୁଲାବାଡ଼ି ଖଣ୍ଡ ଧରି ଧାଇଁ ଯିବେ ନଵଭାରତ ଅଫିସକୁ ପଣ୍ଡିତଙ୍କ ପାଟିଟା ଖୋଜିଵାକୁ ।

ପଣ୍ଡିତେ ସ୍ତ୍ରୀ ହୋଇଥିଲେ ଆମେ ତାଙ୍କୁ କୁହନ୍ତୁ ନାଗୁଣୀ ‌ କାରଣ, ସେ ଯଦୁ,ମଧୁ,ସୋହନ,ମୋହନ, ପ୍ରାଣନାଥ,ଵ୍ରଜନାଥ ଆଦି ଯେତେ ରାଜନୈତିକ ଛୁଆ ୧୯୩୭ ମସିହାର ଜନନ ଋତୁରେ ପ୍ରସଵ କଲେ ସମସ୍ତେ ଭୂଇଁରେ ପଡ଼ି ଫଣା ଟେକି ତାଙ୍କୁ ଦଂଶିଵାକୁ ଧାଇଁଲେ; ଯାହା ଫଳରେ ପଣ୍ଡିତଙ୍କ ରାଜନୀତି କ୍ଷେତ୍ରରୁ ପଳାଇଵା ବାଟରେ ଏଯାଏଁ ଦୁବ କଅଁଳି ନାହିଁ । ସେଥିପାଇଁ ପଣ୍ଡିତେ ପୂର୍ଵ ଜାଲ ଛିଣ୍ଡାଇ ମିଶ୍ର-ଦାସ ଆଦି ଅମିତ୍ରମାନଙ୍କୁ ମିତ୍ର କରି ରାଜନୀତି କ୍ଷେତ୍ର କର୍ଷଣରେ ଲାଗିଛନ୍ତି ।‌ ନିଜ ପାଣ୍ଡିତ୍ୟର ଖତ ଦେଉଛନ୍ତି। ‘ଲୋକମତ’ରେ ଚିନ୍ତାମଣିଙ୍କ ଦ୍ବାରା ପାଣି ତେଣ୍ଡାଉଛନ୍ତି । ମାତ୍ର ମଲା ଦୁବ କଅଁଳୁ ନାହିଁ । ହାଣ୍ଡି ହାଣ୍ଡି ପାଣି କାଶୀ ଅନୁଗ୍ରହ ପ୍ରାପ୍ତ ଵିଶ୍ଵନାଥଙ୍କ କୁହୁକରେ ବାଷ୍ପ ହୋଇ ଯାଉଛି । ଦାସେ ଶେଯରେ ଶୋଇ ଏକଡ଼ ସେକଡ଼ ଗଡ଼େଇ ତଡ଼େଇ ହେଉଛନ୍ତି । ତଥାପି ନିଦ୍ରା ଦେଵୀ ନୀମଚୌଡ଼ି ସାରୁ ଦୋକାନ ପାଖ ସ୍ଵଦେଶୀ ସର୍କିଟ ହାଉସର ଚନ୍ଦ୍ରଶାଳାରୁ ଓହ୍ଲାଇ ତାଙ୍କ ଆଖି ପତାକୁ ମୁହୂର୍ତ୍ତେ ଅନୁଗ୍ରହ କରୁ ନାହିଁ । ସେଥିପାଇଁ କଳାଦାଢ଼ି ଧଳା ହେଲାଣି ; ଧଳା ଦାନ୍ତ ପାନ ବୋଳରେ କଳା ପାଲଟିଲାଣି, ଖଦଡ଼ ଵସ୍ତ୍ର ପାନଛିଟାରେ ‘ଛିଟ’ ହେଵାକୁ ବସିଲାଣି; ଏଣିକି ଯାହା ଉପରେ କି ଦାଗ ସାଵ୍ୟସ୍ତ କରିଵା ନିମନ୍ତେ ଘର ଭିତରେ ହୁଏ ତ ପ୍ରତିଦିନ ସବଳା ଓ ଅବଳା ମଧ୍ୟରେ ମହାଭାରତ ଯୁଦ୍ଧର ସୁତ୍ରପାତ ହେଵ ।

ଯାହା ହେଉ ନୀଳକଣ୍ଠ ଉତ୍କଳର ଜଣେ ଧନୁର୍ଦ୍ଧର ପୁରୁଷ । କାରଣ ସେ ମନ୍ତ୍ରୀଙ୍କ ନିକଟରେ ଧାରୁଆ ହେଉ ନାହାନ୍ତି କି ମନ୍ତ୍ରୀଙ୍କୁ ଧାରୁଆ କରୁନାହାନ୍ତି । ତାଙ୍କ ନିଜ ମୋଟରରେ ମନ୍ତ୍ରୀ ଥରେ ଚଢ଼ିଲେ ସେ ମନ୍ତ୍ରୀଙ୍କ ମୋଟରରେ ତିନିଥର ଚଢ଼ୁଛନ୍ତି । ମନ୍ତ୍ରୀ ତାଙ୍କ ଘରେ ଥରେ ଖାଇ ଆସିଲେ ତାଙ୍କ ଖଲି ମନ୍ତ୍ରୀଙ୍କ ସର୍କିଟ୍ ହାଉସରେ ସାତ ଥର ପଡ଼ୁଛି ‌। ମନ୍ତ୍ରୀମାନେ ଠିକ୍ କଥାଟିକୁ ବୁଝି ନେଇଛନ୍ତି; କାରଣ , ସେମାନେ ଧାରୁଆ ହୋଇ ରହିଲେ ଆର ଜନ୍ମକୁ ତ ଦାସେ ତିନି ମନ୍ତ୍ରୀଙ୍କ ବାଡ଼ିରେ ତିନିଟା ଲଙ୍କାମରିଚ ଗଛ ହୋଇ ଜନ୍ମ ପାଇବେ । ତା'ର ରାଗ କେତେ ହେଵ କିଏ କଳନା କରିଵ ? 

ହୁଏତ ମନ୍ତ୍ରୀଙ୍କର ମାସକୁ ୫୦୦ ଦରମା ଓ ଟ. ୧୫୦୦ ଗସ୍ତ ଖର୍ଚ୍ଚା ତା'ର ତାପରେ ତରଳି ମୁଣ୍ଡାଏ ମୁଣ୍ଡା ରୂପା ପାଲଟି ଯିଵ । ସେଥିପାଇଁ ମନ୍ତ୍ରୀ ଯେ ଆଗରୁ ବାଟ କାଟୁଛନ୍ତି,ଭଲ । ଚିଲିକା ପଛେ ନିର୍ମାଛ ହେଉ,ଆଇଁସପା ହ୍ରଦ(ଅଂଶୁପା) ଗୋଳି ହୋଇ କାଦୁଅ ପାଲଟୁ, ମନ୍ତ୍ରୀଙ୍କ ଭଣ୍ଡାର ଟଙ୍କା ଗୁଡ଼ାକ ଯେପରି ରୂପା ମୁଣ୍ଡା କି ସୁନା ମୁଣ୍ଡା ନହୁଏ । 

(ଏହା ବହୁ ଵର୍ଷ ତଳେ ନିଆଁଖୁଣ୍ଟାରେ ପ୍ରକାଶିତ ହୋଇଥିଲା)
         ----------×-----------

Friday, September 1, 2023

ଓଡ଼ିଶାର ଅଶଳେଷା ଠାର

ଓଡ଼ିଶାରେ ଅନେକ ପ୍ରକାରର ଠାରଭାଷା ଚଳୁଥିଲା । ତନ୍ମଧ୍ୟରୁ ଗୋଟିଏ ଠାରଭାଷା ଅଶଳେଷ ଵା ଅଶେଳେଷା ଅଟେ । ଏଥିରେ ଵାକ୍ୟର ପ୍ରତ୍ୟେକ ଅକ୍ଷର ପରେ 'ଶେଳେଷ' ଯୁକ୍ତ ହୋଇ ତହିଁ ସଙ୍ଗେ ସ୍ୱରଵର୍ଣ୍ଣ ମିଶି ବୋଲାଯାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଏକ ଉଦାହରଣ ଦିଆଯାଇଛି । ଯଥା :-

"ଆମେ ଯିଵା"କୁ ଆଶେଳେଷା ଠାରଭାଷାରେ ବୋଲାଯାଉଥିଲା

“ଅ'ଶେଳେଷା 'ମ'ଶେଳେଷେ' 'ଯ'ଶେଳେଷି' 'ବ'ଶେଳେଷା'”

'ଅଶେଳେଷା'ରେ ଆରମ୍ଭରେ 'ଅ' ଓ ଶେଷରେ 'ଆ(ା)କାର' ଅଛି; ଏହା 'ଆମେ' ଶବ୍ଦର 'ଆ' ଅର୍ଥରେ ବୋଲାଗଲା...

'ମ'ଶେଳେଷେ'ରେ ଆମେ ଶବ୍ଦର ମେ ପାଇଁ ଆରମ୍ଭରେ 'ମ' ଓ ଶେଷରେ 'ଏ(େ)କାର'
ବୋଲାଗଲା...

'ଯିଵା' ଶବ୍ଦର 'ଯି' ପାଇଁ 'ଯ'ଶେଳେଷି'ରେ ଆରମ୍ଭକୁ 'ଯ' ତଥା ଶେଷକୁ 'ଇ(ି)କାର' ବୋଲାଗଲା...

 ଶେଷରେ ' ଯିଵା' ଶବ୍ଦର 'ଵା' ପାଇଁ 'ଵ'ଶେଳେଷା'ର ଆରମ୍ଭରେ 'ଵ' ତଥା ଶେଷରେ 'ଆ(ା)କାର' ବୋଲାଗଲା ...

ଅଶଳେଷ ଵା ଅଶେଳେଷା ନାମଟି ଶ୍ଳେଷ ଶବ୍ଦ ସହିତ ସମୋଦ୍ଧୃତ ହୋଇଥାଇପାରେ। 

ସର୍ଵଭାରତୀୟ ଶବ୍ଦ ଭାବରେ ଶ୍ଳେଷ ଶବ୍ଦଟି ଆଲିଙ୍ଗନ,ସଂଶ୍ରଵ, ସଂଯୋଗ,ସମ୍ବନ୍ଧ,ଶବ୍ଦର ଅନେକାର୍ଥରେ ପ୍ରୟୋଗ,ଏକଶବ୍ଦର ଦ୍ୱିଵିଧାର୍ଥରେ ପ୍ରୟୋଗ,ସନ୍ଦିଗ୍ଧାର୍ଥତା,ପ୍ରହେଳିକା ଓ ଶ୍ଳେଷ ଶବ୍ଦାଳଙ୍କାର ଵିଶେଷ ଆଦି ଅର୍ଥରେ ପ୍ରୟୋଗ କରାଯାଏ। କିନ୍ତୁ ଓଡ଼ିଆ ଭାଷାରେ ଏହାର ଏକ ସ୍ଵତନ୍ତ୍ର ଅର୍ଥ ହେଲା 'ପରିହାସ'(Joke) ! 

ଓଡ଼ିଆ ଭାଷାରେ ଶ୍ଳେଷ ମୂଳର ଦେଶଜ ଶେଳଶ ଶବ୍ଦର ଅର୍ଥ ଥଟ୍ଟା, ପରିହାସ ତଥା
ଶେଳଶ ଵଚନର ଅର୍ଥ ଥଟ୍ଟିଲକଥା ଓ ଵ୍ୟଙ୍ଗ୍ୟ ଵଚନ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି । 

ଶେଳେଷା ଠାରଭାଷା ଵା ଯେକୌଣସି ଠାରଭାଷା ପ୍ରହେଳିକା ଭଳି ଓ ଏହାର ଅର୍ଥ କ'ଣ ବୋଲି ଜାଣିନଥିଵା ଲୋକ ପାଇଁ ଏହି ଠାରଭାଷା ସନ୍ଦିଗ୍ଧ ହୋଇଥାଏ । ପୁଣି ଠାରଭାଷାଗୁଡ଼ିକ ବୁଝିପାରୁନଥିଵା ଲୋକଙ୍କୁ
ଚିଡ଼ାଇଵା ପାଇଁ ଵା ଥଟ୍ଟା କରିଵା ପାଇଁ ଠାରଭାଷା ବୁଝୁଥିଵା ଲୋକେ ପରସ୍ପର ସହିତ ଏହି ଭାଷାରେ ତା ସମ୍ମୁଖରେ କଥା ହୁଅନ୍ତି । ଶେଳେଷା ଭଳି ଠାରଭାଷା ସହଜରେ ବୁଝି ହୁଏନାହିଁ,ଏହା ପ୍ରହେଳିକା ଭଳି ହୋଇଥିଵାରୁ ତଥା ଏ ଠାରଭାଷା ଜାଣିନଥିଵା ଲୋକମାନଙ୍କ ଆଗରେ ଥଟ୍ଟା କରିଵାକୁ ଏହାକୁ ଜାଣିଥିଵା ଲୋକେ ବୋଲୁଥିଵାରୁ ଏହାର ନାମକରଣ ଶେଳେଷା ହୋଇଥାଇପାରେ । 

ତେବେ ଶେଳେଷା ଠାରଭାଷା ପ୍ରୟୋଗ କରି କ୍ଷୁଦ୍ର କ୍ଷୁଦ୍ର ପଦ ବୋଲାଯାଏ । ଶେଳେଷା ଠାରଭାଷା ପ୍ରୟୋଗ କରି ବଡ଼ ବଡ଼ ପଦ ବୋଲିଵା ଅପେକ୍ଷାକୃତ କଠିନ ହୋଇପାରେ । ଏ ଠାରଭାଷାରେ ଅଭ୍ୟସ୍ତ ଵ୍ୟକ୍ତି ହିଁ ବଡ଼ ବଡ଼ ପଦ ଅକ୍ଳେଷରେ ବୋଲି ପାରନ୍ତି। 

ଠାରଭାଷାଗୁଡ଼ିକୁ ସାହିତ୍ୟ, ଚଳଚ୍ଚିତ୍ର ଆଦିରେ ଯେତିକି ମହତ୍ତ୍ଵ ମିଳିଵା କଥା ତାହା ନମିଳିପାରିଵାରୁ ଅଶେଳେଷା ଭଳି ଠାରଭାଷା ଗ୍ରାମଵାସୀଙ୍କ ମଧ୍ୟରେ ହିଁ ସୀମିତ ରହିଥିଲା ।

ନବେ ଦଶକ ପରେ ଓଡ଼ିଆ ସମାଜରେ ଟିଵି ରେଡ଼ିଓ ଓ ଶେଷରେ ମୋବାଇଲ ଆଦି ଵୈଷୟିକ ଦରଵର ବହୁଳ ଵ୍ୟଵହାର , କ୍ରିକେଟ୍ ଭଳି ଵୈଦେଶିକ ଖେଳର ଲୋକପ୍ରିୟତା ବୃଦ୍ଧି ଏଵଂ ଇଂରାଜୀ ତଥା ହିନ୍ଦୀ ଭାଷା ସହିତ ପରିଚିତ ହୋଇ ଓଡ଼ିଆମାନେ ଠାରଭାଷାଗୁଡ଼ିକୁ ପାଶୋରି ଗଲେ । ଆଜି ଓଡ଼ିଆ ସମାଜରେ ଅଶେଳେଷା ଠାରଭାଷା ଆଉ ସେତେ ଜଣାଶୁଣା ନୁହେଁ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଥିଵା ଯାଏଁ ଅଶେଳେଷା ଠାରଭାଷା ଆଗେ ଥିଲା ବୋଲି ଆମ ପାଖରେ ପ୍ରମାଣଟିଏ ରହିଵ । 
••••••••••••••••••••••••••••••
ତଥ୍ୟ ଉତ୍ସ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ