ଗଙ୍ଗା ଗୋଦାବରୀ ଯମୁନା କାବେରୀ
ପୂଜା ପାଇ ନାନା ଘାଟେ
ଛାଡି଼ ନିଜ ମାନ 
ଲୋଡି଼ ଜାତିପ୍ରାଣ 
ପ୍ରବେଶିଲେ ସିନ୍ଧୁତଟେ ।
କୋଟି ଜଳବିନ୍ଦୁ ମିଶି ହୋଇ ସିନ୍ଧୁ
ଦେଖାଉଛି ଜାତି ବଳ 
ତଟ ସୀମା ଲଙ୍ଘି
ପରବତ ଭାଙ୍ଗି 
ନାଚୁଛି ତରଙ୍ଗମାଳ ।
ଦେଖି ଦେବୀଗଣ ଜାତୀୟ ଜୀବନ
ଛାଡି଼ ନିଜ ଗର୍ବ ମାନ 
ସିନ୍ଧୁରେ ମିଶିଲେ ଉଲ୍ଲାସେ ନାଚିଲେ
ଲଭି ନୂଆ ଜାତିପ୍ରାଣ ।
ନିଜର ଜୀବନ
ଜାତିକୁ ଅର୍ପଣ
କଲେ ମିଳେ ଜାତିପ୍ରାଣ 
ଜାତୀୟ ଜୀବନ 
ନମିଳିବ କଲେ 
ହାଟେ ବାଟେ ଅନ୍ବେଷଣ ।
ପତିବ୍ରତା ସତୀ 
ପତିର ମିଳନ
ଲଭିବା ଆଶାରେ ପୋଡେ଼
ଜାତିର ମିଳନ ଲଭିବା ଆଶାରେ 
ତୋର ପ୍ରାଣ କିଆଁ ଡରେ ?
ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ 
କୋଟି ପ୍ରାଣ ବିନ୍ଦୁ ଧରେ 
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି଼ ସିନ୍ଧୁ ନୀରେ ।
ତରଙ୍ଗ ଉଠିବ ସିନ୍ଧୁ ଗରଜିବ 
ଶୁଣିବୁ ସିଂହର ରବ 
ବ୍ରିଟିଶ ରାଜ୍ଯରେ  ଓଡ଼ିଆ ଜାତିର
ବଢ଼ିବ ମାନ ଗୌରବ ।
@ମଧୁସୂଦନଦାସ