Tuesday, December 17, 2019

ଖର ଓ ଖରନ୍ ଶବ୍ଦ ମଧ୍ୟରେ ସମଦ୍ଧୃତଗତ ସମ୍ପର୍କ

ସମ୍ବଲପୁରୀରେ ପ୍ରଚଳିତ ଖରନ୍ ଶବ୍ଦର ମୂଳ ଖର ଏଵଂ ଏହି ଶବ୍ଦରୁ ଏ ଶବ୍ଦଟି ଆସିଛି । ମୁର୍ଦଙ୍ଗରେ ଖର ଦେଵା ଓ ଉତ୍ପାତ ହେଲେ ଖର ଛଡା଼ତେଲ ପିଟାମରା କରି ଦେଵା ହେଉଛି ଏହି ଆରନ୍ ଶବ୍ଦର ମୁଖ୍ୟ ଅର୍ଥ ।

ଖର ଶବ୍ଦର ଅନେକ ଅର୍ଥ ମଧ୍ୟରେ ଚାଲନ୍ତୁ ଏ ଦୁଇ ଅର୍ଥକୁ ଅନ୍ଵେଷଣ କରି ଦେଖିଵା !

ଖର ଶବ୍ଦର ଶାସ୍ତ୍ରୀୟ ଅର୍ଥ ―
■ଗର୍ଦ୍ଦଭ;ଗଧ
■ବକ; ବଗ
■ଅଶ୍ବତର
■ କାକ; କୁଆ
■ରାବଣର ସାବତ ଭାଇ; ଦୈତ୍ଯବିଶେଷ
■ଅସୁର
■ପୁରାଣୋକ୍ତ ବର୍ଷ ବା ଉପମହାଦେଶବିଶେଷ
■ସୂର୍ଯ୍ୟାନୁଚର ବିଶେଷ
■ଶିବାନୁଚର ବିଶେଷ
■ଘର୍ମ; ଝାଳ
■ଉଷ୍ଣତା
■କଣ୍ଟକୀ ଗୁଳ୍ମବିଶେଷ( Alhagi maurorum.)
■ବାର୍ହଷ୍ପତ୍ଯ ଯୁଗର ପଞ୍ଚବିଂଶ ବର୍ଷ
■ସୁଗନ୍ଧବିଶେଷ
■ମୂଳଦୁଆ; ଘରତିଆରି ହେବା ପାଇଁ ମାଟି ପଡ଼ିଥିବା ଡ଼ିହ
■ହରିବଂଶୋକ୍ତ ଧେନୁକ ଅସୁର
■ତୃଣ; ଘାସ (ହି. ଶବ୍ଦସାଗର)

ଵିଶେଷଣ
■ତୀକ୍ଷ୍ମସ୍ପର୍ଶ; ଟାଆଁଶା
■ଉଷ୍ଣ; ତାତିଲା
■ଉଗ୍ରସ୍ବାଦ; ରାଗ
■ଅତିଉତ୍କଟ
■କଠିନ
■ଦାଢୁ଼ଆ; ତୀକ୍ଷ୍ଣ
■ଅମ୍ବିଳା
■ଦ୍ରୁତ; କ୍ଷିପ୍ର
(ଚାଲି ଖର ବୋଝ ବଡ଼, ଯାକୁ ଜାଣିବ କପା—ଢ଼ଗ।)
■ନିଷ୍ଠୁର
■କର୍କଶ; ଅତିଚିକ୍କଣ; ରାଡ଼ୁରାଡ଼ୁଆ
■ଘନ
■ଅନିଷ୍ଟକର
■ଅସ୍ଥିର
■ମର୍ମଭେଦୀ; ଯାତନାପ୍ରଦ

●●ଓଡ଼ିଆ ଭାଷାରେ ଖର ଶବ୍ଦର ସ୍ଵତନ୍ତ୍ର ଵ୍ଯଵହାର ●●
■ଯେଉଁ ତିଅଣ ବା ଭଜା ଆଦି ଆତ୍ଯଧିକ ପକ୍ବ ବା ଭଜା ହୋଇ ଥାଏ
■ବଘାରିଲା ବେଳେ ହାଣ୍ଡି ମସଲା ବେଶିପୋଡ଼ିଯିବା ଯୋଗୁଁ ବିସ୍ବାଦୁ ହୋଇଥିବା ତିଅଣ
ଦେ. କ୍ରି. ବିଣ
■ଶ୍ରୀଘ୍ର
(ଚାଲିବ ଖର, ଖାଇବ ସହଳ, ପିନ୍ଧିବ ମହଳ, ଦାଣ୍ଡ ଘର ଖଣ୍ଡି ଅଛୁଆଁ କର, ତେବେ ଓଡ଼ିଶାରେ କରିବ ଘର—ଢଗ।)
■ସ୍ରୋତ; ସୁଅ
■ନଡ଼ା
■ତତଲା(ସଂ–ଖର=ଉଷ୍ଣ)

ପୁଣି  “ଢେଙ୍କାନାଳୀ ଓଡ଼ିଆରେ” “ଖର” ଶବ୍ଦର ଆଉ ଏକ ନିଆରା ଵ୍ଯଵହାର ରହିଛି ।

କାହାକୁ କୁତୁରୁକାଳିଆ(ଢେ;କୁତୁକୁତୁ)କଲାଵେଳେ ଯଦି ତାକୁ ଅଧିକ ସଲ ସଲ ଲାଗେ ଲୋକେ କୁହନ୍ତି ତାହାର “ଖର ଅଛି”
ଏଠାରେ ଶାସ୍ତ୍ରୀୟ ଖର ଶବ୍ଦର ଅସ୍ଥିର ଓ ଅତିଚିକ୍କଣ ଅର୍ଥର ଭାଵ ଲୁକ୍କାୟିତ ରହିଛି । ଜଣେ ଲୋକକୁ ହଟାତ୍ କୁତୁକୁତୁ କଲେ ସେ ଅସ୍ଥିର ହୋଇପଡେ଼ ପୁଣି ସାଧାରଣତଃ ଯାହାର ଚର୍ମ ଅଧିକ ଚିକ୍କଣ ତାକୁ କୁତୁକୁତୁ କଲେ ସେ ତାହା ଅଧିକ ଅନୁଭଵ କରିଥାଏ ।

ତେଣୁ ସମ୍ବଲପୁରୀର ଖରନ୍ ଶବ୍ଦର ଦୁଇଟି ଅର୍ଥ ମୃଦଙ୍ଗକୁ ଖରଦେବା ଅର୍ଥାତ୍ କ୍ଷିପ୍ର ଗତିରେ ବଜାଇବା ତଥା ଖରନ୍ ଛଡା଼ତେଲ୍ ମାନେ ଉତ୍ତପ୍ତ ଛଡା଼ତେଲ ଏଇ ଖର ଶବ୍ଦରୁ ଆସିଥିଵା ଅଧିକ ଯୁକ୍ତିଯୁକ୍ତ ଅଟେ ।

ଏଇଭଳି ଯେକୌଣସି ଭାଷାର ପ୍ରତ୍ୟେକ  ଶବ୍ଦର କେଉଁଠି କେଉଁଠି ଗୋଟାଏ ମୂଳ ନିଶ୍ଚୟ ଥାଏ । ତାକୁ ଉଣ୍ଡି ସଂକଳନ କଲେ ଭଵିଷ୍ଯତ ପିଢ଼ି ଉପକୃତ ହେଵେ । ଶବ୍ଦକୁ ନେଇ ଅଭିମାନ ଓ ଦ୍ଵେଷ କରି ବସିଲେ ଆପଣା ଭାଷାର ଆଦୌ ଉନ୍ନତି ହେଵନାହିଁ ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...