My Blog List

Wednesday, December 18, 2019

ଓଡ଼ିଶାର ପ୍ରଥମ ସମ୍ରାଟ କରକଣ୍ଡୁ ଵା ମହେନ୍ଦ୍ର ଦେଓଙ୍କ ଵିଷୟରେ ପ୍ରଚଳିତ ଲୋକପ୍ରିୟ କିମ୍ବଦନ୍ତୀ

ଚମ୍ପା ନଗରର  ରାଜା  ଦଧିଵାହନ ଏବଂ ରାଣୀ  ଇନ୍ଦ୍ରାଵତୀ  ପଶ୍ଚିମ ଓଡ଼ିଶାର ଵନପ୍ରାନ୍ତରରେ ଵିହାର କରିବାକୁ ଆସି ପହଞ୍ଚିଲେ । ସେହି ଘଞ୍ଚ ଜଙ୍ଗଲରେ ବୁଲୁଥିଵା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା...

ଵାଘକୁ ଦେଖି ରାଣୀ ଭୟଭୀତ ହେଲେ ଏଵଂ ନଟାଭିତରେ ଏଣେତେଣେ ଦଉଡି଼ଵାକୁ ଲାଗିଲେ !

ଏପଟେ ରାଜା ଵାଘକୁ ମାରି ରାଣୀଙ୍କୁ ବହେ ଉଣ୍ଡିଲେ ହେଲେ ସେତେଵେଳକୁ ସେ ଘନ୍ଘାର କୋଟରେ ରାଣୀ କୁଆଡ଼େ ହଜିଯାଇଥିଲେ ।

ସେକାଳେ ଏକଵସ୍ତ୍ରଧାରୀ ଜୈନ ସାଧୁ  ପାର୍ଶ୍ଵନାଥଙ୍କର ଓଡ଼ିଶା  ରହଣୀ ହୋଇଥିଲା ! ତାଙ୍କ ପ୍ରଭାଵରେ ଏଠାକାର ଜଙ୍ଗଲଗୁଡ଼ିକରେ  ଜୈନଧର୍ମଗ୍ରହଣ କରିଥିଵା ସନ୍ୟାସୀ ସନ୍ୟାସିନୀ ଜପ ତପରେ  ନିମଗ୍ନ ରହୁଥିଲେ !

ଘଞ୍ଚ ଅରଣ୍ୟ ମଧ୍ୟରେ ଇତଃସ୍ତତଃ ବୁଲୁଥିଵା ବେଳେ ରାଣୀଙ୍କର ଭେଟ ଜଣେ ଜୈନ ସନ୍ୟାସିନୀଙ୍କ ସହିତ ହୋଇଗଲା !  ଅତିଶୟ ଭୟଭୀତ ଚମ୍ପା ରାଜରାଣୀଙ୍କୁ ଜୈନ ସାଧ୍ଵୀମାନେ ମଠରେ  ଆଶ୍ରୟ  ଦେଲେ !

କିଛିଦିନ ଉତ୍ତାରୁ ଜଣାଗଲା ରାଣୀ ଗର୍ଭଵତୀ ଅଛନ୍ତି । ଅନେକ ଵାଦଵିଵାଦପରେ ରାଣୀଙ୍କୁ କିଛି ନିର୍ଦ୍ଧିଷ୍ଟ ନିୟମ ପାଳନପୂର୍ଵକ ଆଶ୍ରମରେ ରହିଵାକୁ ଅନୁମତି ମିଳିଗଲା !  ରାଣୀଙ୍କୁ ଶପଥ ପୂର୍ଵକ ରାଜପୁତ୍ରଙ୍କ ଜନ୍ମ ହେଲା ମାତ୍ରେ ତାଙ୍କୁ  ଏକ ଚାଣ୍ଡାଳ ଦମ୍ପତ୍ତିକୁ ଦେଵାକୁ ହେଲା !

ତହିଁପରେ ଚମ୍ପାନଗର  ରାଜପୁତ୍ରଙ୍କର ଚଂଣ୍ଡାଳଦମ୍ପତ୍ତି ଦ୍ଵାରା  ପାଳନପୋଷଣ ହେଵାକୁ ଲାଗିଲା । ତେବେ ଯେହେତୁ ଚାଣ୍ଡାଳ ଦମ୍ପତି ନିତାନ୍ତ ଦରିଦ୍ର ଥିଲେ ସେମାନେ ରାଜପୁତ୍ରକୁ ପୌଷ୍ଟିକ ଅହାର୍ଯ୍ୟ ଖାଦ୍ୟ ଯୋଗାଇ ପାରିଲେନି ଫଳରେ ରାଜପୁତ୍ର କଣ୍ଡୁରୋଗରେ ପୀଡି଼ତ ହେଲେ ଏବଂ ଏହି କାରଣରୁ ସେଇ ଅଞ୍ଚଳରେ ରହୁଥିଵା ଵନଵାସୀମାନେ ରାଜପୁତ୍ରର ନାମ  କରକଣ୍ଡୁ ଦେଇଥିଲେ !

ଯୁଵାବସ୍ଥାକୁ ପ୍ରାପ୍ତ ହେଲାପରେ କରକଣ୍ଡୁ ସେ ଜଙ୍ଗଲ ପରେ ନିଜର ଏକାଧିପତ୍ୟ କରିଵା ଆରମ୍ଭ କରିଦେଇଥିଲା ! ଦିନେ ଚମ୍ପାନଗର ରାଜାଙ୍କର କିଛି ଲୋକ ସେହି ଜଙ୍ଗଲରେ କରକଣ୍ଡୁ ହାତରେ ବନ୍ଦୀ ହେଲେ ।

ରାଜା ଯେତେବେଳେ ଜାଣିଲେ ଜଣେ କେହି ଵିଦ୍ରୋହୀର ଜଙ୍ଗଲରେ ପାଦୁର୍ଭାଵ ହେଲାଣି  ସେ ସଦଳବଳ ନେଇ ବିଦ୍ରୋହୀକୁ ଦଣ୍ଡିତ କରିଵା ସକାଶେ କରକଣ୍ଡୁ ରହୁଥିଵା ଜଙ୍ଗଲରେ ପ୍ରଵେଶ କଲେ ।

କରକଣ୍ଡୁ ସହ ଚମ୍ପାନଗର ରାଜାଙ୍କ ତୁମୁଳଯୁଦ୍ଧ ହେଲା । ପିତାପୁତ୍ର କେହି କାହାକୁ ଚିହ୍ନି ନ ପାରି ଭୀଷଣଯୁଦ୍ଧରେ ମାତିଥିଲେ  ।

ଯେତେବେଳେ ରାଣୀ ଇନ୍ଦ୍ରାଵତୀ ଏ କଥା ଜାଣିଲେ  ରାଜାଙ୍କୁ ଆସି ନିଜର ଏବଂ କରକଣ୍ଡୁର ପରିଚୟ ଦେଲେ ! ଚଂପାନଗର ରାଜା ଏତେଦିନ ପରେ ନିଜ ପରିବାରକୁ ପାଇ ଏକାବାରେ ନିର୍ଵାକ ହେଇଗଲେ । ଖୁସି ରେ ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା । 

ତହୁଁ ଦଧୀଵାହନ ତାଙ୍କ ପୁତ୍ର  କରକଣ୍ଡୁକୁ ଉକ୍ତ ଅଞ୍ଚଳର ରାଜା ଘୋଷଣା କଲେ । ପରେ କରକଣ୍ଡୁ ଦ୍ଵାରା ଏଇ କ୍ଷେତ୍ର ରେ ଜୈନଧର୍ମର ପ୍ରଚାର ପସାର କରାଗଲା କାହିଁକି ନା ଵିପତ୍ତି ସମୟରେ ଜୈନ ସାଧ୍ଵୀ ମାନେ ତାଙ୍କ ମାତାଙ୍କୁ ରକ୍ଷା କରିଥିଲେ । କରକଣ୍ଡୁଙ୍କୁ ମନେ ରଖିଵା ପାଇଁ ଜଗନ୍ନାଥ ପୁରୀରେ ରଥଯାତ୍ରା ସମୟ ରେ ପୁରୀ ରାଜା ଦ୍ଵାରା ଛେରାପହଁରା କରାଯାଇଥାଏ । କରକଣ୍ଡୁ ଓଡ଼ିଶାର ସେଇ ଚଣ୍ଡାଳ ରାଜା ଯାହାଙ୍କ ଦ୍ଵାରା ଏଠାରେ ଜାତିଗତ ଉଦାରୀକରଣ ,  ସମନ୍ଵୟତା ଏବଂ ଏକତା ସମ୍ଭଵ ହୋଇପାରିଛି । ଐତିହାସିକଙ୍କ ମତରେ ଏହି ରାଜାଙ୍କର ନାମ ପରେ ମହେନ୍ଦ୍ର ଦେଓ ହୋଇଥିଲା ଏଵଂ ତାଙ୍କର ରାଜଧାନୀ ଥିଲା ମେହେନ୍ଦ୍ରପୁରୀ ଯାହା ଆଜି ରାଜମହେନ୍ଦ୍ରୀ ନାମରେ ସର୍ଵପରିଚିତ । କରକଣ୍ଡୁ ଵା ମହେନ୍ଦ୍ର ଦେବଙ୍କୁ ପ୍ରଥମ କଳିଙ୍ଗୀ ସମ୍ରାଟ ଅଭିହିତ କରାଯାଏ ଏଵଂ ତାଙ୍କ ପରେ ଖାରଵେଳ ସେହି ପରମ୍ପରାକୁ ରକ୍ଷା କରି କଳିଙ୍ଗ ଦେଶରେ ଜୈନଧର୍ମର ପ୍ରଚାର ପ୍ରସାରର ଵ୍ରତୀ ହୋଇଥିଲେ ।

●●●●●●●●●●●●●●●●●●●●●●●●●>
ଉଣ୍ଡିଲେ—ଖୋଜିଲେ
ନଟା—ବନ
ଘନ୍ଘାର—ଘଞ୍ଚ
କୋଟ—ବନ
●●●●●●●●●●●●●●●●●●●●●●●●●>

No comments:

Post a Comment