Tuesday, December 31, 2019

ଶ୍ରୀ ଜଗନ୍ନାଥାଷ୍ଟକ

ଗୋପଅଙ୍ଗନା-ବଦନ- କମଳୁଁ  ଯେ  ମଧୁପାନ କଲେକ  ଆବର  ଯା’ଙ୍କ  ମୁରଲୀ-ନାଦ,

କାଳିନ୍ଦୀ-ତଟ-ବିପିନ କଲାକ  ମୋଦେ  ମଗନ
ରମା  ଶମ୍ଭୂ  ଆଦିରେ  ଯେ  ପୂଜିତ-ପଦ,

ପଥୁକି  ମୋ’  ନୟନ  ପଥେ ହୁଅନ୍ତୁ 
ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।। (୧)


ବାମକରେ  ମୁରଲିକା ଶିରେ  ଶିଖିପୁଚ୍ଛ  ଶିଖା କଟୀତଟେ  ପୀତାମ୍ବର  ଯା’ଙ୍କ  ଶୋଭିତ,

କଟାକ୍ଷବାଣ  ପ୍ରହାରି ମୋହନ୍ତି  ଯେ  ଗୋପନାରୀ ଶ୍ରୀବୃନ୍ଦାକାନନେ  ନିତ୍ୟ  ହୋଇଣ  ସ୍ଥିତ,

ପଥୁକି  ମୋ’  ନୟନପଥେ ହୁଅନ୍ତୁ ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।।(୨)


ଯେହୁ  ମହୋଦଧିତୀରେ ସ୍ୱର୍ଣ୍ଣକାନ୍ତି  ନୀଳାଦ୍ରିରେ ସ୍ଥିତ  ମହାମନ୍ଦିରରେ  ନିତ୍ୟ  ରାଜିତ,

ସାଦରେ  ସଙ୍ଗତେ  ଘେନି ବଳଭଦ୍ର  ଭଦ୍ରା  ବେନି ଦେବଙ୍କୁ  ପୟରସେବା  କରିଣ  ଦତ୍ତ,

ପଥୁକି  ମୋ’  ନୟନପଥେ ହୁଅନ୍ତୁ  ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।। (୩)


ଯେହୁ  କୃପା-ପାରାବାର ନବନୀରଦ  ରୁଚିର ରମାବାଣୀ-ବିନୋଦନ  କମଳାନନ,

ଲକ୍ଷକୋଟି  ଦେବରାଜ ଶିରେ  ଯା’ଙ୍କ  ପଦରଜ ବହନ୍ତି  ବେଦାନ୍ତ  ଯା’ଙ୍କୁ  କରେ  ବଖାଣ,

ପଥୁକି  ମୋ’  ନୟନ  ପଥେ ହୁଅନ୍ତୁ  ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।।(୪)


ଯେ  ପ୍ରଭୁ  କରୁଣାସିନ୍ଧୁ ଅଖିଳ  ଜଗତବନ୍ଧୁ ସିନ୍ଧୁ-ସୁତା-ଚିରି-ଇନ୍ଦୁ  ଗମନ୍ତେ  ରଥେ,

ବିପ୍ରଗଣ  ପଥେ  ମିଳି ଗାଆନ୍ତେ  ସ୍ତୁତିଆବଳୀ ଘେନା  ଯେ  କରନ୍ତି  ସ୍ତୁତିକଥା  ସୁଚିତ୍ତେ,

ପଥୁକି  ମୋ’  ନୟନପଥେ, ହୁଅନ୍ତୁ ପ୍ରାଣସ୍ୱାମୀ  ମୋ’  ସେ  ଜଗନ୍ନାଥେ ।। (୫)



ବିରଞ୍ଚି ଶିରଭୂଷଣ ପଦ୍ମପଳାଶଲୋଚନ ନିଳାଦ୍ରି ବିହାରୀ ଯେ ଅନନ୍ତ-ମସ୍ତକେ,

ପୟର ଥାପି ଆସୀନ ସଦା ରସାନନ୍ଦ ଘନ ମଗନ ଶ୍ରୀରାଧାଅଙ୍ଗ-ଆଶ୍ଲେଷ ସୁଖେ,

ପଥୁକି ମୋ’ ନୟନପଥେ ହୁଅନ୍ତୁ ପ୍ରାଣସ୍ୱାମୀ ମୋ’ ସେ ଜଗନ୍ନାଥେ ।। (୬)


ନମାଗଇଁ ରାଜ୍ୟସୁଖ ନ ମାଗେଁ ମଣି ମାଣିକ୍ୟ ନମାଗେଁ ନୟନ ନିଧି ବର କାମିନୀ,

ଯାହାଙ୍କ ଚରିତାବଳୀ ଗାଆନ୍ତି ଚନ୍ଦ୍ର ମଉଳି ପରାଣ ଲୋଡ଼େ ମୋ’ ତାଙ୍କୁ ଦିନଯାମିନୀ,

ପଥୁକି ମୋ’ ନୟନ ପଥେ ହୁଅନ୍ତୁ ପ୍ରାଣସ୍ୱାମୀ ମୋ’ ସେ ଜଗନ୍ନାଥେ ।। (୭)


ଅସାର ସଂସାର ବନ୍ଧ ଛେଦ ମୋ’ ଖରେ ମୁକୁନ୍ଦ ଅଥଳ ପାପପୟୋଧି ଦିଅ ଶୁଖାଇ,

ହେ ନାଥ ! ଦୀନ ଅନାଥ ପାଇଁ ଶାଶ୍ୱତ ନିଶ୍ଚିତ ପ୍ରେମପତ୍ର କ୍ଷେତ୍ରେ ଏଥି ଅଛ ରୁହାଇ,

ପଥୁକି ମୋ’ ନୟନପଥେ ହୁଅନ୍ତୁ ପ୍ରାଣସ୍ୱାମୀ ମୋ’ ସେ ଜଗନ୍ନାଥେ ।। (୮)

ଜଗନ୍ନାଥାଷ୍ଟକଂ ପୁଣ୍ୟଂ ଯଃ ପଠେତ୍‌ ପ୍ରଯତଃ ଶୁଚିଃ ସର୍ବପାପ ବିଶୁଦ୍ଧାତ୍ମା ବିଷ୍ଣୁ ଲୋକଂ ସ ଗଚ୍ଛତି,

ପ୍ରାକୃତ ପଦେ ପୟାର ରଚିଲା
                        ବିଚ୍ଛନ୍ଦ ଛାର ସ୍ଥିରମନେ
ଶୁଚିମନ୍ତ ହୋଇ ଗାଇଲେ,

ପାତକି-ପାତକମାନ ହୁଅଇ ହେଳେ
                      ଦହନ ଅନ୍ତେ ବିଷ୍ଣୁ ଲୋକେ
ଗତି ହୁଏ ତା’ ଭଲେ,

ଜୟ ଜୟ ଶ୍ରୀଜଗନ୍ନାଥ
      ନିତ୍ୟକାଳ ପଦେ ତୁମ୍ଭ
                       ଲୋଟୁ ମୋ’ ମାଥ । (୯)

(ଓଡ଼ିଆ ରୂପାନ୍ତର : ବିଚ୍ଛନ୍ଦ ଚରଣ ପଟ୍ଟନାୟକ)

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...