My Blog List

Thursday, March 10, 2022

ନୀଳଵର୍ଣ୍ଣ ଶୃଗାଳର କାହାଣୀ

ନୀଳଵର୍ଣ୍ଣ ସେ ନିଜେ ମାଖି ନଥିଲା ଵରଂ ତାହା ତ ତା'ର ଜନ୍ମ କାଳରୁ ଥିଲା । ହଁ ସେ ନୀଳଵର୍ଣ୍ଣ ଶୃଗାଳଟି ଏକ ଵର୍ଣ୍ଣସଙ୍କର ଥିଲା କିନ୍ତୁ ଏଥିରେ ତାର ଵା ଦୋଷ କ'ଣ ?

ଶ୍ଵାନ ଓ ଶୃଗାଳର ସନ୍ତାନ ଥିଲା ସେ କିନ୍ତୁ ଶୃଗାଳ ସମାଜ  କାଳେ ଘୃଣା ଚକ୍ଷୁରେ ଦେଖିବ  ତେଣୁ ତା ମାଆ ତାକୁ ଏକ ଗୁମ୍ଫା ମଧ୍ୟରେ ଲୁଚେଇ ରଖିଥିଲା । କ୍ରମେ ନୀଳଵର୍ଣ୍ଣ ଶୃଗାଳ ବଡ଼ ହେଵାକୁ ଲାଗିଲା । ପଦାକୁ ବାହାରି ଚାରିଆଡ଼ ବୁଲି ଦେଖିଵାକୁ ତାର ବଡ଼ ମନ ହେଲା ।

ତା ମାଆ କିନ୍ତୁ ଆକଟ କରେ ବାହାରକୁ ଯାଆନାରେ ବାପ ଏବେ ସେ ସମୟ ଆସିନି ।
ଦିନେ ମାଆର କଥା ନମାନି ନୀଳଵର୍ଣ୍ଣ ଶୃଗାଳଟି ପଦାକୁ ବାହାରି ଖଣ୍ଡେ ଦୂର ଯାଏଁ ବୁଲିଲା । ଅନ୍ୟ ଶୃଗାଳମାନେ ତାକୁ ଦେଖି ଭୟରେ ଚିତ୍କାର କଲେ ଆଉ ଦଳବଦ୍ଧ ହୋଇ ମାରି ପକେଇଵାକୁ ଉଦ୍ଯତ୍ତ ହେଲେ ।
ବଡ଼ କଷ୍ଟରେ ସେ ଯେନତେନ ପ୍ରକାରେ ଗୁମ୍ଫା ଭିତରକୁ ପଳାଇ ଆସିଲା । ଶୃଗାଳ ମାନଙ୍କ ପ୍ରତି ତାହାର ଦ୍ୱେଷ ଓ ଘୃଣା ହେଲା । ସେମାନେ ତାହାର ଜାତିଭାଇ ହୋଇଥିଲେ ହେଁ ସେ ସେମାନଙ୍କୁ ନିଜର ଭାବୁନଥିଲା ।

ଦିନ ଗଡି଼ଚାଲିଲା । ନୀଳଵର୍ଣ୍ଣ ଶୃଗାଳ ମଧ୍ୟ ବଡ଼ ହେଵାକୁ ଲାଗିଲା । ତେବେ ସେ ଯେତିକି ଯେତିକି ବଡ଼ ହେଉଥାଇ ଶୃଗାଳ ଜାତିପ୍ରତି ତାହାର ଘୃଣା ମଧ୍ୟ ବଢି଼ଚାଲିଥାଇ ।

ଦିନେ ରାତିରେ ନୀଳଵର୍ଣ୍ଣ ଶୃଗାଳ ସେ ଜଙ୍ଗଲ ଛାଡ଼ି ଅନ୍ୟ ଏକ ଜଙ୍ଗଲକୁ ଚାଲିଗଲା ।

ନୂଆ ଜଙ୍ଗଲରେ ଶ୍ଵାନମାନଙ୍କର ଶାସନ ଥିଲା । ଶ୍ଵାନମାନେ ସେ ନୀଳଵର୍ଣ୍ଣ ଶୃଗାଳକୁ ଦେଖି ପ୍ରଥମେ ଡରିଗଲେ କିନ୍ତୁ କିଛି ବୁଦ୍ଧିଆ ଶ୍ଵାନ ସାହସ କରି ତା ପାଖକୁ ଗଲେ ଏଵଂ ଆଦର ସତ୍କାର ସହ କୁଶଳ ମଙ୍ଗଳ ପୁଚ୍ଛାକଲେ ।

ନୀଳଵର୍ଣ୍ଣ ଶୃଗାଳକୁ ଏତେ ଆଦର ସତ୍କାର ମିଳନଥିଲା । ନିଜ ପିତୃରାଜ୍ୟରେ ଏତାଦୃଶ ସମ୍ମାନ ଆଦର ପାଇ ସେ ଗଦ୍ ଗଦ୍ ହୋଇଗଲା ।

ଶ୍ଵାନମାନେ ନୀଳଵର୍ଣ୍ଣ ଶୃଗାଳଠାରୁ ତା ମାତୃଦେଶ ଵିଷୟରେ ସବୁ ଶୁଣିଲେ । ସେମାନେ ନୀଳଵର୍ଣ୍ଣ ଶୃଗାଳକୁ ସାହାଯ୍ୟ କରିଵାକୁ ପ୍ରତିଶ୍ରୁତି ଦେଲେ ।

ତହୁଁ ନୀଳଵର୍ଣ୍ଣ ଶୃଗାଳ ନିଜ ମାତୃଦେଶ ଶୃଗାଳ ରାଇଜକୁ ଫେରିଲା ଏଵଂ ତା ପରି ଆଉ କେହି ଅଛନ୍ତି କି ନାହିଁ ଉଣ୍ଡିଵାକୁ ଲାଗିଲା । କେତେକ ଦିନ ମଧ୍ୟରେ ଆଉ ଦୁଇ ଚାରିଜଣ ତାହାରି ପରି ବର୍ଣ୍ଣଶଙ୍କର ଶୃଗାଳ ମିଳିଗଲେ ।

ସେଇଠୁ ଆରମ୍ଭ ହେଲା ଦେଶଵ୍ୟାପୀ ଵିଦ୍ରୋହ । ଶୃଗାଳଵନର ଶ୍ଵାନଦେଶ ସହିତ ଲାଗିକରିଥିଵା ଭୂମିକୁ କଳେ ବଳେ କୌଶଳେ ନିଜର ବୋଲି ଦାବୀ କରି ଶୃଗାଳମାନଙ୍କୁ ଅପମାନିତ କରିଵା ଓ ହରାଇଵା ଥିଲା ସବୁ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଲକ୍ଷ୍ୟ ‌ ।

ଏପଟେ ଶ୍ଵାନମାନେ ମଧ୍ୟ ଶୃଗାଳମାନଙ୍କୁ ଶୃଗାଳଵନରୁ ମାରି ତଡି଼ଵାକୁ ଗୁପ୍ତରେ ଯୋଜନା କରିଥାଆନ୍ତି । ଶ୍ଵାନଦେଶରେ ଖାଦ୍ୟାଭାଵ ତଥା ଶ୍ଵାନବଂଶ ବୃଦ୍ଧି ଯୋଗୁଁ ଵିସ୍ତୃତ ଭୂଭାଗର ଆଵଶ୍ୟକତା ରହିଵା ସ୍ଵାଭିଵିକ କଥା ।

ଶ୍ଵାନମାନେ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ସାହାଯ୍ୟ କରିବେ କହି ଶୃଗାଳଵନ ଉପରେ ଆକ୍ରମଣ କରିଦେଲେ । ଏହି ଭୀଷଣ ଯୁଦ୍ଧରେ “ଘର ଢିଙ୍କି କୁମ୍ଭୀର” ନୀଳଵର୍ଣ୍ଣ ଶୃଗାଳ ଓ ତା’ପରି ଅନ୍ୟ ଅନେକ ଵର୍ଣ୍ଣସଙ୍କର ଶୃଗାଳମାନେ ନିଜ ପିତୃଦେଶୀୟ ଶ୍ଵାନମାନଙ୍କୁ ସହଯୋଗ କଲେ ।

ଫଳତଃ ଘରଭଙ୍ଗା ଜାତିଦ୍ରୋହୀ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଯୋଗୁଁ ସମଗ୍ର ଶୃଗାଳ ଜାତି କ୍ଷତିଗ୍ରସ୍ତ ହେଲା । କେତେନାକେତେ ଶୃଗାଳ ହତ ହେଲେ କେତେ ଆହତ ହେଲେ ଏଵଂ ବଞ୍ଚିଯାଇଥିଵା ଶୃଗାଳମାନେ ଉକ୍ତ ଵନ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଲେ ।

ଯୁଦ୍ଧ ଶେଷ ହେଲାରୁ ନୀଳଵର୍ଣ୍ଣ ଶୃଗାଳ ଓ ତାହାର ଅନ୍ୟ ଵର୍ଣ୍ଣସଙ୍କର ଶୃଗାଳ ବନ୍ଧୁମାନେ ଵିଜୟ ଗର୍ଵରେ ନାଚିଵାକୁ ଲାଗିଲେ ।

ଭୋଜୀର ଆୟୋଜନ ହେଲା । ଶ୍ଵାନଦେଶରୁ ସେ ଦେଶର ପୁରଖା ଶ୍ଵାନନେତାମାନେ ଵିଜିତ ଶୃଗାଳ ଦେଶକୁ ନୀରିକ୍ଷଣ କରିଵାକୁ ଆସିଲେ ।

ନୀଳଵର୍ଣ୍ଣ ଶୃଗାଳ ସମେତ ସବୁ ଵର୍ଣ୍ଣସଙ୍କର ଶୃଗାଳମାନେ ସେତେବେଳକୁ ମାଂସ ଖାଇ ଆନନ୍ଦ ଵିଭୋର ହୋଇ ପଡି଼ଥାନ୍ତି ।

ଶ୍ଵାନଦେଶର ନେତାମାନେ ସେମାନଙ୍କୁ ଦେଖି ପରସ୍ପର ସହିତ ଆଲୋଚନା କରୁଥାଆନ୍ତି...

“ଆମ ଲକ୍ଷ୍ୟ ତ ପୂରଣ ହେଇଗଲା ! ଏ ଜାରଜଗୁଡ଼ା ଆଉ କି କାମରେ ଆସିବେ ?”

ଆଉ ଜଣେ ଶ୍ଵାନନେତା କହିଲା
ଏମାନଙ୍କୁ ଦାସ କରି ରଖିହୁଅନ୍ତା କିନ୍ତୁ ଏମାନେ ବିଶ୍ବାସଘାତକ । ଯୋଉମାନେ ଆପଣା ସ୍ଵାର୍ଥଲାଭ ହେତୁ ନିଜ ଜାତି ସହିତ ଵିଶ୍ଵାସଘାତ କରିଛନ୍ତି ସେମାନେ କେବେ ଵିଶ୍ଵାସପାତ୍ର ହେବେ କି ...?

ମୁଖ୍ୟ ଶ୍ଵାନନେତା ସବୁ ଶୁଣୁଥାନ୍ତି...

ତାପରେ ଶ୍ଵାନସୈନ୍ୟମାନଙ୍କୁ ଆଦେଶ ହେଲା...

ଜାରଜ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ମାରି ତଡି଼ଦିଅ ଆଉ ଵିରୋଧ କଲେ ସେମାନଙ୍କୁ ବନ୍ଦୀ କର...

Friday, March 4, 2022

•ଭାରତରେ ଗିରମାଟିଆ ଵା ଦାଦନୀ ପ୍ରଥା•


ଅଠରଶହ ଶତାବ୍ଦୀରେ ଇଂରେଜମାନେ ଭାରତରେ ବଳଶାଳୀ ହୋଇ ଭାରତୀୟ ପ୍ରଜାର ଏପରି ଶୋଷଣ କଲେ ଯେ ସେମାନେ ଖାଦ୍ଯ ଅଭାଵରୁ ପୋକମାଛି ଭଳି ମରିଵା ଆରମ୍ଭ କରିଦେଇଥିଲେ ।

ତାପରେ ଆରମ୍ଭ ହେଲା ଦାସତ୍ବପ୍ରଥା...

କିନ୍ତୁ ନିଗ୍ରୋମାନଙ୍କ ପରି ଭାରତୀୟମାନଙ୍କୁ ଲୁହା ଶୃଙ୍ଖଳରେ ବାନ୍ଧି ବୋଇତରେ ପୁରେଇ ଵିଦେଶକୁ ପଠାଯାଇନଥିଲା କାରଣ ଭାରତୀୟ ସଭ୍ୟ ଜାତି ହୋଇଥିଵାରୁ  ଵିଵାଦ ଵିଦ୍ରୋହର ସମ୍ଭାଵନା ଥିଲା । ଅତଃ ଭାରତୀୟ ଶ୍ରମିକମାନଙ୍କୁ ଆଗତୁରା ଟଙ୍କା ଲୋଭ ଦେଇ ଏଗ୍ରିମେଣ୍ଟରେ ହସ୍ତାକ୍ଷର କରାଇ ଦାସ କରାଯାଇଥିଲା । ଫଳତଃ ଭାରତୀୟ ଶ୍ରମିକମାନେ ଲୁହା ଶୃଙ୍ଖଳ ନୁହେଁ ଵରଂ ଏଗ୍ରିମେଣ୍ଟ ରୂପ ଶୃଙ୍ଖଳରେ ବନ୍ଧା ହୋଇ ଦକ୍ଷିଣ ଆଫ୍ରିକା ଓ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ଆଦିକୁ ପଠାଗଲେ ।

ପେଟପାଟଣା ପାଇଁ ଦେଶର କେତେକ
ଗରିବ ଲୋକେ ଇଂରେଜ ମାନଙ୍କ ସହ ଯେଉଁ ପ୍ରକାରର ଏଗ୍ରିମେଣ୍ଟ ସାଇନ୍ କଲେ
ତାହାକୁ “ଗିର୍‌ମିଟ୍” କୁହାଗଲା !

ଏହି ଗିର୍‌ମିଟ୍ ଶବ୍ଦଟି Agreement
ଶବ୍ଦର ପରିଵର୍ତ୍ତିତ ରୂପ । ଓଡ଼ିଶାରେ ଗିରମାଟିଆ ଶ୍ରମିକମାନଙ୍କୁ ଉଭୟ ଗିରମାଟିଆ ଓ ଦାଦନ କୁହାଯାଉଥିଲା ।ପୂର୍ଣ୍ଣଚନ୍ଦ୍ରଭାଷାକୋଷର ୨୨୧୫ତମ ପୃଷ୍ଠାରେ ଗିରମିଟ୍ ଶବ୍ଦ ଲିପିବଦ୍ଧ ଅଛି ...

ଇଂରେଜମାନଙ୍କ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିବା ଶ୍ରମିକମାନଙ୍କୁ  ଓଡ଼ିଶାରେ ଗିରମିଟ୍ ଓ ଗିରମାଟିଆ କୁହାଯାଉଥିଲା ବେଳେ ହିନ୍ଦୀଭାଷୀ ସେମାନଙ୍କୁ ଗିରିମିଟିୟା କହୁଥିଲେ । ତେବେ ଉପକୂଳ ଓଡ଼ିଶାରେ ଗିରମାଟିଆ ଶବ୍ଦ ଅପେକ୍ଷା ଦାଦନ ଶବ୍ଦ ଵିଶେଷ ଭାବରେ ପ୍ରଚଳିତ ଥିଲା ।

କଳିଙ୍ଗ ଦେଶରେ ମୁସଲମାନ ଶାସନ ସହିତ ଦାଦନ ଶବ୍ଦ ମଧ୍ୟ ଚାଲିଆସିଥିଲା । ଦାଦନ ଏକ ପାର୍ସୀ ଶବ୍ଦ କିନ୍ତୁ ଏହା ଭାରୋପୀୟ ଭାଷା ପରିଵାର ମୂଳର ଶବ୍ଦ ଏଵଂ ଦେଵା,ଦଦାତି ଓ ଦାନ ସହିତ ସମୋଦ୍ଧୃତ । ଓଡ଼ିଆ ସାହିତ୍ୟରେ ଦାଦନ ଵା ଦାଦନୀ ଶବ୍ଦର ସେତେ ପ୍ରାଚୀନ ପ୍ରୟୋଗ ଦେଖାଯାଏ ନାହିଁ ତେବେ ପୁରୁଣା ହିନ୍ଦୀ ସାହିତ୍ୟରେ ଏ ଶବ୍ଦ କାଁ ଭାଁ ଦୃଶ୍ୟ ହୋଇଥାଏ ।
ଯଥା—

ଦାଦୂ ନୂର ଦାଦନୀ,
ଆସିକାଁ ଦୀଦାର ।
(ଦାଦୂ॰, ପୃ॰ ୬୭ )

ଵ୍ୟାସକଵି ଫକୀରମୋହନ ସେନାପତି ତାଙ୍କ “ବାଲେଶ୍ବରୀ ପଙ୍ଗାଲୁଣ” ପ୍ରବନ୍ଧରେ ଦାଦନ ଶ୍ରମିକ ଓ ଦାଦନୀ ସମ୍ବନ୍ଧରେ ଲେଖିଛନ୍ତି...

“ପ୍ରତି ଵର୍ଷ ଆଶ୍ୱିନ ମାସରେ ପୋକ୍ତାନକାରୀମାନଙ୍କୁ ସରକାର ତରଫରୁ ଦାଦନ ଦିଆଯାଉଥିଲା। ଦାଦନ ଟଙ୍କା ଗ୍ରହଣକାରୀର ଉପାଧି-ଗୁଲିଆ। ଗୁଲିଆମାନେ ସରକାରକୁ କବୁଲିୟତ ଲେଖିଦେଇ ଦାଦନ ଗ୍ରହଣ କରନ୍ତି। ଏହି ଦାଦନ ସମୟଟା ବାଲେଶ୍ୱର ସହର ମଧ୍ୟରେ ଉତ୍ସବ ସ୍ୱରୂପ ଥିଲା। ଅନେକ ଟଙ୍କା କାରବାର ହୁଏ। ସହର ମଧ୍ୟରେ ଦୋକାନୀମାନେ ଦୋକାନ ସଜେଇ ବସିଥାନ୍ତି। ବଜାରି, ହଟାରି, ଭିକାରୀ, ଅମଲା ଫଏଲା ସମସ୍ତଙ୍କର ଆଚ୍ଛା ଦୁଇ ପୈସା ହାତପୈଠ ହୁଏ। ଲକ୍ଷାଵଧି ଟଙ୍କା ଦାଦନ ଦିଆ ଯାଉଥିଲା। ମଫସଲଵାସୀ ସାଧାରଣ ଶ୍ରେଣୀ ଲୋକଙ୍କ ହାତରେ ଥୋକ କେତେଗୁଡି଼ଏ ଟଙ୍କା ପଡି଼ଗଲେ ଆନନ୍ଦ ମନରେ ସ୍ତ୍ରୀ ପୁତ୍ର ପରିଵାରମାନଙ୍କ ସକାଶେ ନାନା ପ୍ରକାର ଦ୍ରଵ୍ୟ କ୍ରୟ କରି ଘେନି ଯାନ୍ତି। ଗୁଲିଆ ଦାଦନ ଘେନି ଚାଟିକୁ ଚାଲିଯାଏ। ଲଵଣ ପୋକ୍ତାନ ସ୍ଥାନର ନାମ ଚାଟି। କେତେଗୁଡିଏ ଚାଟିର ଏକତ୍ରରେ ସାଧାରଣ ନାମ ଅଡ଼ଂ। ଅଵଶ୍ୟ ଚାଟି ଓ ଅଡ଼ଂଗୁଡି଼କ ସମୁଦ୍ରକୂଳଵର୍ତ୍ତୀ ସ୍ଥାନରେ ଅଵସ୍ଥିତ।”

ଫକୀରମୋହନ ସେନାପତିଙ୍କ ଉଲ୍ଲେଖରୁ ଜଣାଯାଏ ଯେ ଦାଦନ ଶବ୍ଦର ଅର୍ଥ ଆଗତୁରା ଟଙ୍କା ଏଵଂ ତାହା  ଗ୍ରହଣ କରୁଥିଵା ଶ୍ରମିକକୁ ଗୁଲିଆ କୁହାଯାଉଥିଲା ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦାଦନ ଶବ୍ଦର ପାଞ୍ଚୋଟି ଅର୍ଥ ଲେଖାଅଛି ।
•ପାଇଵା ଆଶାରେ ଧନ ଆଗତୁରା ଦେଵା ଅଗ୍ରିମ ଦାନ
••ଧନାଦି ଅଗ୍ରିମ ଦେଵାର ରୀତି
•ଧନ ଵା ଶସ୍ଯାଦି ସୁଧରେ ଖଟାଇଵା ଵା ଧାନ ଦେଢ଼ି ଲଗାଇଵା ରୀତି
••ଲାଭ ସହିତ ଧାନ ଵା ଶସ୍ଯାଦି ପାଇଵା ଆଶାରେ ଆଗତୁରା ଟଙ୍କା କାଢ଼ିଆ ଲଗାଇଵା
•ମୂଲିଆମାନେ ଭବିଷ୍ଯତରେ କାମ କରିବେ ବୋଲି ତାଙ୍କୁ ଆଗତୁରା ଟଙ୍କା ଦେଵା
ଅର୍ଥାତ୍ ଦାଦନ ଶବ୍ଦର ମୂଳ ଅର୍ଥ ଖଟିଖିଆ ଶ୍ରମିକ ଆଦୌ ନଥିଲା ଏଵଂ ଏହି ଅର୍ଥରେ ଦାଦନ ଶବ୍ଦ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଳୁଥିଲା । ଦାଦନ ଶବ୍ଦର ମୂଳ ଅର୍ଥ ଥିଲା ଲାଭ ଆଶାରେ ଆଗତୁରା ଟଙ୍କା ପ୍ରଦାନ କରିଵା କିନ୍ତୁ ପରେ ସେ ଅର୍ଥ ଗୌଣ ହୋଇ ବାହାର ରାଜ୍ୟ ଵା ଦେଶକୁ ଖଟିବାକୁ ଯାଉଥିଵା ଶ୍ରମିକମାନଙ୍କୁ ଦାଦନ କୁହାଗଲା ‌ ।

ଇଂରେଜ ଶାସନର ପ୍ରାରମ୍ଭିକ କାଳରେ ପ୍ରତିଵର୍ଷ ଦେଶର ୧୦୦୦୦ ରୁ ୧୫୦୦୦ ଭାରତୀୟ ଶ୍ରମିକମାନଙ୍କୁ ସାମାନ୍ଯ ଅର୍ଥ କିଛି ଆଗତୁରା ଦେଇ ଗୋଲାମ ଭଳି ଅନ୍ଯ ଦେଶକୁ ପଠେଇ ସେମାନଙ୍କ ଦ୍ବାରା ଦୁଇଗୁଣ ପରିଶ୍ରମ କରାଉଥିଲେ ଇଂରେଜ ।

ଵିଶେଷତଃ ଫିଜି,ବ୍ରିଟିଶ୍ ଗୁୟାନା,ଡଚ୍ ଗୁୟାନା ,ତ୍ରିନିଦାଦ୍ ଟୋବେଗୋ ଏବଂ ଦକ୍ଷିଣ ଆଫ୍ରିକାକୁ ଅଧିକାଂଶ ଭାରତୀୟମାନଙ୍କୁ
ଶ୍ରମିକ କମ୍ ଗୋଲାମ୍ ଭଳି ପଠାଯାଉଥିଲା । ଇଂରେଜମାନେ ଭାରତର କିଛି ଦେଶୀ
ଗୋଡ଼ଚଟା ଲୋକଙ୍କୁ ପାଳି ତାଙ୍କ ହାତରେ ଏଇ ଧନ୍ଦା କରାଉଥିଲେ । ତାଙ୍କ ସରକାରୀ କାଗଜପତ୍ରରେ ଏ ସବୁ ଧନ୍ଦାକୁ ମାନ୍ଯତା ପ୍ରଦାନ କରାଯାଇଥିଲା ଏଵଂ ଏ ଧନ୍ଦା କରୁଥିଵା ଚନ୍ଦାମାନେ ମଧ୍ଯ କମ୍ପାନୀ ସରକାରଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ରଖିପାରୁଥିଲେ ।

ଗିରମାଟିଆ,ଗିରମିଟିଆ ଵା ଦାଦନୀ ପ୍ରଥା ଇଂରେଜ ମାନଙ୍କ ଦ୍ବାରା ସନ୍ ୧୮୩୪ ରେ ଆରମ୍ଭ ହୋଇ ୧୯୧୭ ଯାଏଁ ଚଳିଥିଲା । ଵିଭିନ୍ନ ରାଷ୍ଟ୍ରୀୟ ସଂଗଠନମାନଙ୍କ ପ୍ରଵଳ ଵିରୋଧ କାରଣରୁ ୧୯୧୭ରେ ଏହାକୁ ନିଶିଦ୍ଧ ଘୋଷଣା କରାଗଲା । ତେବେ ଗିରମାଟିଆ ପ୍ରଥା ହଟିଗଲେ ହେଁ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟ ଵା ଦେଶକୁ ଯାଉଥିଵା ଶ୍ରମିକମାନଙ୍କୁ ଅନେକ ଦିନଯାଏଁ ଗିରମାଟିଆ ଓ ଦାଦନ କୁହାଯାଉଥିଲା । ପରାଧୀନ ଭାରତରେ ଵିଭିନ୍ନ ଅଞ୍ଚଳର ଶ୍ରମିକମାନେ ଏଗ୍ରିମେଣ୍ଟରେ ସ୍ଵାକ୍ଷର କରି  ତତ୍କାଳୀନ ଭାରତର ବଡ଼ ବଡ଼ ନଗରମାନଙ୍କୁ ଯାଉଥିଲେ ଏଵଂ ସେମାନଙ୍କୁ ଦାଦନ ଓ ଗିରମାଟିଆ କୁହାଯାଉଥିଲା ।

ଇଂରେଜ ଅମଳରେ ଗିର୍‌ମାଟିଆ ଵା ଦାଦନୀ ଚୁକ୍ତି ଅନୁସାରେ ଶ୍ରମିକମାନଙ୍କୁ ମାତ୍ର ପାଞ୍ଚବର୍ଷ ଯାଏଁ ଖଟିଵାକୁ ହେଉଥିଲା ଏଵଂ ତାପରେ ସେମାନେ ମୁକ୍ତ ହୋଇପାରନ୍ତି । କିନ୍ତୁ ଵିଦେଶକୁ ଯାଉଥିଵା ଗିର୍‌ମାଟିଆ ଵା ଦାଦନ ଶ୍ରମିକମାନଙ୍କ ପାଖରେ ଭାରତ ଫେରିଵା ପାଇଁ ଯଥେଷ୍ଟ ସମ୍ବଳ ନଥିଵା ତଥା ଉପଯୁକ୍ତ ଵୈଦେଶିକ ଜ୍ଞାନ ଅଭାଵରୁ ସେମାନେ ଆଜୀଵନ ଵିଦେଶ ମାଟିରେ ଖଟି ଖଟି ମରିଯିଵାକୁ ବାଧ୍ଯ ହେଉଥିଲେ ।

ବିଦେଶ ମାଟିରେ ଗିର୍‌ମାଟିଆ ଵା ଦାଦନ ଶ୍ରମିକଙ୍କ ପାଖରେ କେଵଳ ଦୁଇଟି ପନ୍ଥା ରହୁଥିଲା
(କ)ସେଇ ମାଲିକ ପାଖରେ ପଡିରହି ଆଜୀଵନ ଖଟିଵା
କିମ୍ବା
(ଖ)ଅନ୍ଯ ଗିର୍ମିଟ୍ ମାଲିକ ପାଖରେ କାମ କରିଵା !
ଏକ ଉନ୍ନତ ଦେଶର  ମଣିଷ ମାନଙ୍କୁ ଇଂରେଜ ତଥା ତାଙ୍କ ତୋଷାମଦିଆ କୁକୁରମାନେ
ବଳଦ ଭଳି ଖଟେଇ ଖଟେଇ ମାରୁଦେଉଥିଲେ !

କାମ ନ କଲେ ବଳଦକୁ ଛାଟରେ ପିଟିଲା ଭଳି ଭାରତୀୟ ଶ୍ରମିକମାନଙ୍କୁ ସହିଵାକୁ ହେଉଥିଲା ମାଲିକର ଅକଥନୀୟ ଅତ୍ଯାଚାର  !
ପୁଣି ଗିର୍‌ମାଟିଆକୁ ଵିଵାହ ବଂଶବୃଦ୍ଧି କରିଵାର ଅଧିକାର ନଥିଲା । କେହି ଗିର୍‌ମାଟିଆ ଯଦି ଵିଵାହ କରୁଥିଲା ତାହାର ସନ୍ତାନମାନଙ୍କ ସହ  ମଧ୍ୟ ଗୋଲାମ ଭଳି ଵ୍ୟଵହାର କରାଯାଉଥିଲା ।
ସେମାନଙ୍କର ସ୍ତ୍ରୀ ପିଲାଙ୍କୁ ବିକ୍ରୀ କରିଵାର ଅଧିକାର ମାଲିକମାନଙ୍କୁ ଇଂରେଜ ସରକାର ଦେଉଥିଲେ । ଗିର୍ ମାଟିଆ ଶ୍ରମିକ ସେମାନଙ୍କ ସହ ପ୍ରାୟଃ ଚାଳିସ୍ ପ୍ରତିଶତ ସ୍ତ୍ରୀ ନେଇ ଵିଦେଶ ଯାଉଥିଲେ । ଯୁଵ ଵୟସର ସ୍ତ୍ରୀମାନଙ୍କୁ ମାଲିକ ମାନେ ରକ୍ଷିତା କରି ଖୁବ ଶୋଷଣ କଲାପରେ ଆକର୍ଷଣ କମ୍ ହେଲେ ଖାଲି ଟୁଥପେଷ୍ଟର ଖୋଳ କୁ ଅଳିଆକୁ ଫିଙ୍ଗିଦେଲା ଭଳି ଶ୍ରମିକମାନଙ୍କୁ ଦେଇଦେଉଥିଲେ ।

ଗିର୍ମିଟ୍ ଶ୍ରମିକମାନଙ୍କ ସନ୍ତାନ
ମାଲିକ ମାନଙ୍କ ସମ୍ପତ୍ତି ବୋଲି ଇଂରେଜ ବାହାଦୁର ସେମାନଙ୍କୁ ସରକାରୀ ସତ୍ତ୍ବ ପ୍ରଦାନ କରିଥିଲେ । ଶିକ୍ଷା ସ୍ବାସ୍ଥ୍ୟସେଵା ମନୋରଂଜନ ବହୁତ ଦୂରର କଥା ଦୁଇ ବକତ ଖାଦ୍ଯ ମଧ୍ଯ ଦେଉନଥିଲେ ଗିର୍ ମିଟ୍ ମାଲିକ । ଵିଦେଶ ମାଟିରେ ଅତ୍ଯାଚାର ସହି ନ ପାରି ଅନେକ ଶ୍ରମିକ ଏଇଭଳି ଅକାଳ ମୃତ୍ଯୁବରଣ କରୁଥିଲେ ।

ତୋତାରାମ ସନାଢ୍ଯଙ୍କର ଜନ୍ମ ୧୮୭୬ରେ ହିରନଗାଁବ୍ ଜିଲ୍ଲା ଫିରୋଜାବାଦ୍ ଉତ୍ତରପ୍ରଦେଶରେ ହୋଇଥିଲା । ତାଙ୍କୁ ଇଂରେଜମାନେ ଖଜଣା ପଇଠ
ନକରିପାରିଲାରୁ ଗିରମାଟିଆ ଶ୍ରମିକ କରି ଫିଜି ପଠାଇଦେଇଥିଲେ ।ଅନେକ ସଂଘର୍ଷ କରି ସେ ସେଠାରୁ ନିଜକୁ ମୁକୁଳେଇ ପାରିଥିଲେ ।
ଜଣେ ଗିର୍ମିଟ୍ ଶ୍ରମିକ ଭାବେ ସେ
ନିଜ ଜୀବନ ଅନୁଭଵ ତାଙ୍କ
ପୁସ୍ତକ
"फिजी में मेरे इक्कीस वर्ष"
ରେ ଵର୍ଣ୍ଣନା କରିଅଛନ୍ତି ।
ଦକ୍ଷିଣ ଆଫ୍ରିକାରେ ମହାତ୍ମାଗାନ୍ଧୀଙ୍କ ଅହିଂସା
ଆନ୍ଦୋଳନ ପରେ ଵିଦେଶରେ ରହୁଥିଵା ଭାରତୀୟ ଶ୍ରମିକମାନେ ତେଜିଲେ ।
ଏଣେ ଭାରତରେ ଗୋପାଳ କୃଷ୍ଣ ଗୋଖଲେ ,ଇମ୍ପେରିୟଲ୍ ଲେଜିସ୍ଲେଟିଭ୍ କାଉନସିଲ୍‌ରେ ମାର୍ଚ୍ଚ ୧୯୧୨
ଗିରମିଟିଆ ପ୍ରଥା ସମାପ୍ତ କରିଦେଵାକୁ ପ୍ରସ୍ତାଵ ଆଗତ କରିଥିଲେ । କାଉନସିଲ୍‌ର ୨୨ ଜଣିଆ ସଦସ୍ଯ ଠିକ୍ କଲେ ଯେତେଦିନ ଯାଏଁ ଏହି ଅମାନୁଷିକ ପ୍ରଥା ବନ୍ଦ ନ ହୋଇଛି ସେତେ
ଦିନ ଯାଏଁ ପ୍ରତିଵର୍ଷ ଏହି ପ୍ରସ୍ତାଵ ଉପସ୍ଥାପନ କରା ଯାଉଥିଵ ।

ଡିସେମ୍ବର ୧୯୧୬ କଂଗ୍ରେସ ଅଧିଵେଶନରେ ମହାତ୍ମାଗାନ୍ଧୀ, ଭାରତ ସୁରକ୍ଷା ଏବଂ ଗିର୍ମାଟିଆ ପ୍ରଥା ଅଧିନିୟମ ପ୍ରସ୍ତାଵ ରଖିଲେ । ଏହାର ଏକ ମାସ ପରେ ଫେବୃଆରୀ ୧୯୧୭
ଅହମଦାବାଦଠାରେ ଗିରମାଟିଆ ଵା ଦାଦନୀ ପ୍ରଥା ଵିରୋଧରେ ଏକ ଵିଶାଳ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ଗିରମିଟିଆ/ଦାଦନୀ ପ୍ରଥା ଵିରୋଧରେ
ସିଏଫ୍ ଆଣ୍ଡ୍ର୍ଯୁଜ୍ ତଥା ହେନେରୀ ପୋଲକ୍ ମଧ୍ଯ ଭାଷଣ ଦେଇଥିଲେ । ଗିର୍‌ମାଟିଆ ପ୍ରଥା ଵିରୋଧରେ ଧୀରେ ଧୀରେ ଜନସମାଜ ଅଧିକ ସମ୍ବେଦନଶୀଳ ହେବା ଆରମ୍ଭ କରିଦେଲେ ।
ମାର୍ଚ୍ଚ ୧୯୧୭ରେ ଗିରମିଟିଆ ପ୍ରଥା ଵିରୋଧୀ ସଂଗଠନ ମାନେ ଇଂରେଜ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଦେଲେ ଯେ ମଇ ମାସ ସୁଦ୍ଧା ଏ ପ୍ରଥା ବନ୍ଦ କରାଯାଉ ନହେଲେ ପରିସ୍ଥିତି ଅସମ୍ଭାଳ ହେବ । ଲୋକଙ୍କର ଉଗ୍ର ଆକ୍ରୋଷ ଆଗରେ ଶେଷରେ ପ୍ରଵଳ ପ୍ରତାପୀ ଇଂରେଜ ବାହାଦୁରଙ୍କୁ ନଇଁବାକୁ ହିଁ ହେଲା ଏଵଂ
୧୯୧୭ ମଇମାସ ପୂର୍ବରୁ ହିଁ ବନ୍ଦ ହୋଇଗଲା ଗିର୍ ମିଟିଆ ପ୍ରଥା ।

ହେଲେ ଆଜି ଭାରତର ଅନ୍ୟ ରାଜ୍ୟମାନଙ୍କରେ ଶ୍ରମିକମାନଙ୍କୁ କେହି ଗିରମିଟିଆ କି ଗରମାଟିଆ କିଂଵା ଦାଦନ କହିଵାର ଶୁଣାଯାଏ ନାହିଁ କେଵଳ  ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଲୋକେ ପୁରୁଣା ଗିରମାଟିଆ ଵା ଦାଦନୀ ପ୍ରଥାକୁ ମନେ ରଖିଵା ପାଇଁ ଆଜି ବି ଦାଦନ ଶବ୍ଦ ଵ୍ୟଵହାର କରିଥାନ୍ତି ।

ଆଜି ଆଉ ଆଗଭଳି ସବୁ ଶ୍ରମିକମାନେ ଏଗ୍ରିମେଣ୍ଟ କରି ନିଜର ଓ ନୀଜ ପିଲାଛୁଆଙ୍କ ମୁଣ୍ଡବିକି ଆଗତୁରା ଟଙ୍କା ନେଇ ଵିଦେଶକୁ ଯାଉନାହାନ୍ତି । ତଥାପି ଓଡ଼ିଶାରେ ସବୁ ଶ୍ରମିକମାନଙ୍କୁ ଏଠାକାର ଲୋକେ ଦାଦନ କହିଦିଅନ୍ତି ।

ଇଂରେଜ ଅମଳରେ ଗରିମାଟିଆ ଵା ଦାଦନୀ ଏକ ଅଭିଶାପ ଓ ଦାସତ୍ଵର ଚିହ୍ନ ଥିଲା । ଆଜିକାଲି ଓଡ଼ିଶାର ଲୋକେ ଶ୍ରମିକମାନଙ୍କୁ ଦାଦନ କହି ସେମାନଙ୍କୁ ଜାଣତରେ ହେଉ ଵା ଅଜାଣତରେ ହେଉ ଗୋଲାମ୍ ଵା ଦାସ ଅଭିହିତ କରୁଅଛନ୍ତି ।

Tuesday, March 1, 2022

ଶ୍ରୀଲକ୍ଷ୍ମୀଙ୍କ ଜୀଵନୀ ମାନବଜାତିର କାହାଣୀ


କିଛି ଲୋକ କୁହନ୍ତି  “ମାତା ଲକ୍ଷ୍ମୀ ମେଘନାଦର ଝିଅ।” କିନ୍ତୁ ବହୁତ ଲୋକ ଏହାର ଭେଦ ନଜାଣି ମନ୍ତଵ୍ୟ ରଖନ୍ତି ଯେ ଏହା ଅଶାସ୍ତ୍ରୀୟ କଥା ଏଵଂ ଆଦୌ ଯୁକ୍ତିଯୁକ୍ତ ନୁହେଁ ।  ସାଧାରଣତଃ ଏ ଦେଶର ଲୋକେ ମେଘନାଦର ଦୁଇଗୋଟି ଅର୍ଥକୁ ଭଲ ଭାବରେ ଜାଣନ୍ତି — ରାଵଣ ପୁତ୍ର ମେଘନାଦ ଓ ମେଘର ନାଦ ।

ଏହି ନାମଵାଚକ ଵିଶେଷ୍ୟ ମେଘନାଦ ଶବ୍ଦଟି ବହୁଵ୍ରୀହି ସମାସ ଅନୁସାରେ ମେଘ ଓ ନାଦ ଶବ୍ଦ ଯୁକ୍ତ କରାଯାଇ ସୃଷ୍ଟି ହୋଇଅଛି । ଇନ୍ଦ୍ରଙ୍କୁ ଯୁଦ୍ଧରେ ପରାସ୍ତ କରିଥିଵାରୁ ରାବଣର ଏହି ପରାକ୍ରମୀ ପୁତ୍ରକୁ  ଇନ୍ଦ୍ରଜିତ୍ ମଧ୍ୟ କୁହାଯାଏ । ଇନ୍ଦ୍ରଜିତ ଜନ୍ମ ସମୟରେ ମେଘ ପରି ନାଦ କରି ଥିଵାରୁ ଏହାଙ୍କର ଏହି ନାମକରଣ ହୋଇଥିଲା। ଏହାଙ୍କ ସ୍ତ୍ରୀ ପ୍ରମୀଳା । ଏ ପ୍ରଥମରେ ନାଗ ପାଶରେ ଲକ୍ଷ୍ମଣଙ୍କୁ ବନ୍ଧନ କରିଥିଲେ ଓ ଏହାଙ୍କୁ ପରେ ଲକ୍ଷ୍ମଣ ଵଧ କରିଥିଲେ । ମେଘର ନାଦ ଵା ଧ୍ଵନି ଵା ଵର୍ଷା ସମୟରେ ମେଘର ଘଡ଼ଘଡି଼ ଶବ୍ଦକୁ ମେଘର ନାଦ କୁହାଯାଏ । କିନ୍ତୁ ମେଘନାଦ ଶବ୍ଦର ଆହୁରି ଅନେକ ଅର୍ଥରେ ଵ୍ଯଵହାର ରହିଛି... !

ପଳାଶ ଗଛ ଵା Butea frondosaକୁ ମଧ୍ୟ ମେଘନାଦ କୁହନ୍ତି । Amaranthus Polygamus ଵା ଲେଉଟିଆ ଶାଗ ଗଛକୁ ମେଘନାଦ କୁହାଯାଏ । ଵର୍ଷା ଵା ମେଘ ଉଠାଇଵା ବେଳେ ଧ୍ବନି କରେ ବୋଲି  ମଯୁର ଵା ମୟୂରକୁ ମଧ୍ୟ ମେଘନାଦ କୁହନ୍ତି ।

କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଵୈଦେହୀଶ ଵିଳାସରେ ଇନ୍ଦ୍ରଜିତ୍ ତଥା ମୟୂର ଅର୍ଥରେ ମେଘନାଦ ଶବ୍ଦର ପ୍ରୟୋଗ କରି ଲେଖିଛନ୍ତି

“ଵୃଷସଦୃଶ ସୁରଭିଆଳି ଗୋଷ୍ଠ
କୋଷ୍ଠିରେ କଲା ସେ କେଳି
ପ୍ରଜପତିଙ୍କ ସମାନେ ଝଳି
ଅନେକ ସୁତ ଯେ।

ଵର୍ଣ୍ଣିଵା କିସ ଜ୍ୟେଷ୍ଠକୁମାର ଜାତ
ରଡ଼ିକି ଶୁଣି କୁମାର ଛାଡି଼ ସେ ମେଘନାଦ
ଉପର ପଡି଼ ଅଚେତ ଯେ।
ବଳେ ମେଘନାଦରୁ ତାହାର ସ୍ୱନ ଯେ।
ବହେ ସେ ମେଘନାଦ ନାମ ପ୍ରଧାନ ଯେ।
ଵନ-ଵେଷ୍ଟିତ ସ୍ଥାନରେ ରହି
ସିଂହ ଶାର୍ଦ୍ଧୂଳ ଵଳିଷ୍ଠେ ହୋଇ,
ଵଇରି-ମୃଗ ପିଶିତ ଧ୍ୟାୟି
ଆଉ ନନ୍ଦନ ଯେ ॥”
ସେହିପରି ବିରାଡ଼ି ଵା ବିଲେଇକୁ ମଧ୍ୟ ମେଘନାଦ କୁହାଯାଏ କାରଣ ମେଘ ହେଲେ ଦେଖାଯାଏ ଅନେକ ସମୟରେ ବିରାଡି଼ମାନେ ଶୁଖିଲା ସ୍ଥାନରେ ପହଞ୍ଚିଵାକୁ ଵ୍ୟାକୁଳ ହୋଇ ମ୍ୟାଁଉ ମ୍ୟାଁଉ ଶବ୍ଦ ରାଵ ଵା ନାଦ କରିଥାନ୍ତି । ବିଲେଇମାନଙ୍କୁ ଓଦା ହେଵା ପସନ୍ଦ ନୁହେଁ ବୋଲି ସେମାନେ ଏଭଳି କରନ୍ତି ।

ଜ୍ଵର ହେଲେ ଆଗେ ଭାରତୀୟ ଵୈଦ୍ୟମାନେ ଏକ ଜାତୀୟ ରସୌଷଧ ଦେଉଥିଲେ ତାକୁ ମେଘନାଦ କୁହାଯାଉଥିଲା । ଏକ ତୋଳା ରୂପା,କଂସା ଓ ତମ୍ବାକୁ  ତତିରାଜର ଚେର ସହିତ ମିଶାଇ କାଢା଼ କରାଯାଏ ଏଵଂ ଏହାକୁ ଛଅଥର ଗଜପୁଟ ପାକ ପରେ ଏହା ପ୍ରସ୍ତୁତ ହେଉଥିଲା । ଏହାର ମାତ୍ରା ଏକ ପାନରେ ଦୁଇରତ୍ତି ହେଉଥିଲା ।

କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଵରୁଣଙ୍କର ଏକ ନାମ ମେଘନାଦ ଅଟେ । କଳ୍ପଦ୍ରୁମ ଅଭିଧାନରେ କୁହାଯାଇଛି "ମେଘସ୍ଯ ନାଦ ଇଵ ନାଦ ଯସ୍ଯ" ସେ ମେଘନାଦ । ଷଷ୍ଠୀ ତତ୍' ପୁରୁଷ ସମାସ ଆଧାରରେ ଏ ଶବ୍ଦଟି ସୃଷ୍ଟି ହୋଇଅଛି । ମେଘନାଦ ନାମଧାରୀ ଵରୁଣ ଦ୍ଵାଦଶ ଆଦିତ୍ୟଙ୍କ ମଧ୍ୟରେ ଜଣେ । 
ସେହି ଦ୍ଵାଦଶ ଆଦିତ୍ୟ ହେଲେ ଧାତା, ଅର୍ଯ୍ୟମା,ମିତ୍ର, ଵରୁଣ,ଇନ୍ଦ୍ର,ଵିଵସ୍ବାନ, ପୂଷ,ପର୍ଜନ୍ଯ,ଅଂଶୁମାନ, ଭଵ, ତ୍ଵଷ୍ଟା ଓ ଵିଷ୍ଣୁ ।

ଵରୁଣ ସାକ୍ଷାତ ସାଗର ଅଟନ୍ତି ଏଵଂ ତାଙ୍କ ନାମର ନିରୁକ୍ତି ଏହି କଥା ସ୍ପଷ୍ଟ କରିଥାଏ ।  ଵରୁଣ ଶବ୍ଦକୁ ଵୃ ଧାତୁରୁ ନିଷ୍ପନ୍ନ କରାଯାଇଛି । ଵୃ ଧାତୁର ଏକ ଅର୍ଥ ବେଢ଼ିଵା ଏଥିରେ ଉନ ପ୍ରତ୍ୟୟ ଯୁକ୍ତ ହୋଇ ଣତ୍ଵ ଵିଧି ଅନୁସାରେ ର ପରେ ନ ଥିଲେ ଣ ହେଵା ନିୟମ ଯୋଗୁଁ ଯୋଗୁଁ ନ ସ୍ଥାନରେ ଣ ହୋଇ ଵରୁଣ ଶବ୍ଦ ନିଷ୍ପନ୍ନ ହୋଇଛି । ଅର୍ଥାତ୍  ପୃଥିଵୀକୁ ସାଗରଦ୍ବାରା ଯେ ଵେଷ୍ଟନ କରିଅଛନ୍ତି  ସେ ସମୁଦ୍ରପତି ଜଳାଧିପତି ଵରୁଣ ଅଟନ୍ତି । ଵେଦ ଵିଷୟରେ ଗଵେଷଣା କରିଥିଵା ଗଵେଷକ କୁହନ୍ତି ଵୈଦିକଯୁଗରେ ଵରୁଣ ପ୍ରଧାନ ଦେଵତାରୂପେ କଳ୍ପିତ ହୋଇଥିଲେ। ତତ୍ପରେ ତାଙ୍କର ପ୍ରାଧାନ୍ଯ କମିଯାଇ ଇନ୍ଦ୍ରଙ୍କ ପ୍ରାଧାନ୍ଯ ବଢ଼ିଲା। ଵରୁଣ ଅଦିତିଙ୍କ ଆଠ ପୁତ୍ର ମଧ୍ୟରେ ଜଣେ ବୋଲି କଥିତ । ଵେଦରେ ଏ ଜଳର ଅଧିପତି ଦସ୍ଯୁମାନଙ୍କ ନାଶକ ଓ ଦେବତାମାନଙ୍କ ରକ୍ଷକ ବୋଲି କଳ୍ପିତ। ଏହାଙ୍କର ଅସ୍ତ୍ର ପାଶ ଅଟଇ । ପୁରାଣମାନଙ୍କରେ ଏ ପଶ୍ଚିମ ଦିଗର ଦିକ୍ପାଳ ଥିଵାର ଉଲ୍ଲେଖ ଅଛି। କାବ୍ଯାଦିରେ ବରୁଣଙ୍କୁ ଵରୁଣରସର ଅଧିଷ୍ଠାତା ରୂପେ କଳ୍ପିତ କରାଯାଇଛି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଵରୁଣ ଶତଭିକ୍ଷା ନକ୍ଷତ୍ରର ଅଧିଷ୍ଠାତା ଦେଵ ଅଟନ୍ତି । ବରୁଣଙ୍କ ଅନ୍ୟ ଅନେକ ସଂସ୍କୃତ ନାମ ଯଥା— ପ୍ରଚେତା, ପାଶୀ ,ଯାଦସାଂପତି, ଅପ୍ପତି,ଯାଦଃପତି, ଜମ୍ବୁକ, ମେଘନାଦ, ପରଞ୍ଜୟ, ଲୋମ କୁଣ୍ଡଳୀ ଓ ଅପାମ୍ପତ ଇତ୍ୟାଦି ରହିଛି ।

ପୂର୍ଵେ କେଵଳ ଭାରତ ନୁହେଁ ପୃଥିଵୀର ଵିଭିନ୍ନ ସଂସ୍କୃତିରେ ଜଳଦେଵ,ସାଗର ଦେଵଙ୍କର ଆରାଧନା ହେଉଥିଲା । ଲିଥୁଆନିଆ ପୌରାଣିକ କଥାର angpūtys ଦେଵ ସାଗର ତଥା ଵିଜୁଳିର ଦେଵତା ହୋଇଥିଵା ବେଳେ Salvic ସଂସ୍କୃତିର Morskoi ସମୁଦ୍ରର ରାଜା ତଥା ଭଗଵାନ ବୋଲି ଵିଶ୍ଵାସ ପ୍ରଚଳିତ ଥିଲା । Irishମାନେ ସମୁଦ୍ରଦେଵଙ୍କୁ Lir ତଥା  Welsh ଲୋକେ Llŷr ଭାବେ ପୂଜା କରୁଥିଲେ Lusitanian ଲୋକେ Duberdicusଙ୍କୁ ସାଗର ତଥା ନଦୀଗୁଡି଼କର ଅଧିପତି ଭାବେ ମାନୁଥିଲେ । Norsh— Germany ସଂସ୍କୃତିରେ Njordଙ୍କୁ ସମୁଦ୍ରଦେଵ ଭାବରେ ଆରାଧନା କରାଯାଉଥିଲା । Greekମାନେ  Poseidon ଏଵଂ ରୋମାନମାନେ
Neptuneଙ୍କୁ ସମୁଦ୍ରର ମୁଖ୍ୟ ଦେଵତା ଭାବେ ଗ୍ରହଣ କରି ତାଙ୍କର ପୂଜା କରୁଥିଲେ । ସେହିପରି ପ୍ରାଚୀନ Hittiteମାନଙ୍କର ସମୁଦ୍ର ଦେଵ ଥିଲେ
Aruna ଓ ତାଙ୍କ ପିତା Kamrusepa ।‌
ପୃଥିଵୀରେ ମୁସଲମାନ,ଖ୍ରୀଷ୍ଟିଆନ ଓ ଇହୁଦୀମାନଙ୍କର ଏକେଶ୍ଵରଵାଦ ଧର୍ମମତ ପ୍ରଚାର ପ୍ରସାରର  ପୂର୍ଵରୁ ପ୍ରାୟ ସର୍ଵତ୍ର ମାନଵମାନେ ବହୁ ଈଶ୍ଵରଵାଦ ଆଧାରରେ ନାନା ଦେଵାଦେଵୀଙ୍କର ଆରାଧନା କରୁଥିଲେ । ପ୍ରକୃତି ପୂଜା ଏହି ବହୁଈଶ୍ଵରଵାଦର ମୂଳ ହେତୁ ଥିଲା ।‌ ଆଜି ପୃଥିଵୀରେ ଅନ୍ୟତ୍ର ବହୁଈଶ୍ଵରଵାଦ ଲୋପ ପାଇଥିଵାବେଳେ କେଵଳ ଭାରତରେ ଏହା ସମ୍ପୂର୍ଣ୍ଣ ଭାବେ ବଞ୍ଚିରହିଛି ।

ଅସ୍ତୁ ମେଘନାଦ ପ୍ରସଙ୍ଗରୁ ସ୍ପଷ୍ଟ ହୁଏ ଯେ ମାତା ଲକ୍ଷ୍ମୀ ମେଘନାଦ ଵା ଵରୁଣ ଅର୍ଥାତ୍ ସମୁଦ୍ରଦେଵଙ୍କ କନ୍ୟା । ଭାରତୀୟ ପୌରାଣିକ ମତ ଅନୁସାରେ ଶ୍ରୀଲକ୍ଷ୍ମୀଙ୍କର ଜନ୍ମ ସମୁଦ୍ର ମନ୍ଥନରୁ ହୋଇଥିଲା । ଵାସ୍ତୁଵାଦ ଦୃଷ୍ଟିରୁ ମଧ୍ୟ ଲକ୍ଷ୍ମୀ ଅର୍ଥାତ୍ ଧନର ଏକ ବଡ଼ ପରିମାଣ ମାନଵମାନଙ୍କୁ ସମୁଦ୍ରରୁ ହିଁ ପ୍ରାପ୍ତ ହୋଇଥାଏ । ପୂର୍ଵକାଳରେ ଅର୍ଥର ପ୍ରତୀକ ଭାବରେ ଏ ଦେଶରେ ପ୍ରଚଳିତ କଉଡ଼ି ,ସମୁଦ୍ରରୁ ପ୍ରାପ୍ତ ହେଉଥିଲା । ଲୋକେ ସମୁଦ୍ରରୁ ମୋତି ଓ ଅନ୍ୟ ମୂଲ୍ୟଵାନ ଵସ୍ତୁ ପ୍ରାପ୍ତ କରୁଥିଲେ । ସମୁଦ୍ରରୁ ମତ୍ସ୍ୟ ତଥା ଅନ୍ୟାନ୍ୟ ସାମୁଦ୍ରିକ ଜୀଵ ମଧ୍ୟ ମିଳନ୍ତି ଯହିଁର ଵିକ୍ରୀଦ୍ଵାରା ଧନ ପ୍ରାପ୍ତ ହେଇଥାଏ । ମାନଵମାନେ ସମୁଦ୍ର ଓ ନଦୀକୂଳରେ ଵସଵାସ କରିଵାପରେ ଜଳଦେଵତା ଓ ସମୁଦ୍ରଦେଵତାଙ୍କ ଆରାଧନା କରିଵା ଆରମ୍ଭ କଲେ ।  ସମୁଦ୍ର,ନଦୀ ଆଦି ମନୁଷ୍ୟମାନଙ୍କର ଖାଦ୍ୟାଭାଵ ପୂର୍ତ୍ତି କରୁଥିଵାରୁ ତଥା ଵିପଦରୁ ରକ୍ଷା ପାଇଵା ହେତୁରୁ ମାନଵମାନେ ଜଳଦେଵତାଙ୍କର ଆରାଧନା କଲେ । ନଦୀମାନଙ୍କୁ ଦେଵୀ ଭାବେ ସମ୍ମାନିତ ହେଲେ ଏଵଂ ଜଳ ଦେଵତାଙ୍କୁ ପ୍ରଧାନ ଦେବତାମାନଙ୍କ‌ ମଧ୍ୟରେ ଗଣନା କରାଗଲା। ପ୍ରକୃତରେ ସମୁଦ୍ରରେ ସ୍ଥଳଭାଗ ଅପେକ୍ଷା ଅନେକଗୁଣ ଅଧିକ ସମ୍ପଦ ଵିଦ୍ୟମାନ । ଏଣୁ ଵାସ୍ତୁଵାଦ ଦୃଷ୍ଟିରୁ ମଧ୍ୟ ଵରୁଣ ଦେଵ ଵା ସମୁଦ୍ରଙ୍କୁ ଶ୍ରୀଲକ୍ଷ୍ମୀ ଵା ଧନସମ୍ପଦର ପିତା ବୋଲି କୁହାଯିଵା ଅଯୁକ୍ତିଯୁକ୍ତ ନୁହେଁ ।

ପୁନଶ୍ଚ ଶ୍ରୀଲକ୍ଷ୍ମୀଙ୍କର ଶାଶୁଘର ଭାବେ କଥିତ ଶ୍ରୀମନ୍ଦିରର ପାଚେରୀକୁ ମଧ୍ୟ ମେଘନାଦ ପାଚେରୀ କୁହାଯାଏ । ପୌରାଣିକ ମତ ଅନୁସାରେ ଏହା ଵରୁଣ ଦେଵ ନିର୍ମାଣ କରାଇଥିଲେ । ତେବେ ପ୍ରାଚୀନ ରହସ୍ୟ ମଞ୍ଜରୀ କାଵ୍ୟରେ ମେଘନାଦ ଶବ୍ଦ ଅତି ଉଚ୍ଚ ପ୍ରଚୀର ଅର୍ଥରେ ପ୍ରୟୋଗ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମତ ।

“କ୍ରୌଞ୍ଚ ଗଵାକ୍ଷ ମେଘନାଦ ଭାଜିଲା।”

  ଏଭଳି ଅତି ଉଚ୍ଚ ପ୍ରାଚୀର ମେଘର ନାଦକୁ ଵା ମେଘନାଦ ଅର୍ଥାତ୍ ସମୁଦ୍ରର ଘୋ ଘୋ ଶବ୍ଦକୁ ସୁଦ୍ଧା ଅଟକାଇ ଘର, ମନ୍ଦିର ଵା ପ୍ରାସାଦ ମଧ୍ୟକୁ ଆସିଵାକୁ ଦିଏ ନାହିଁ ବୋଲି ଏଭଳି ନାମକରଣ ହୋଇଥିଵା ସମ୍ଭଵ । ଏ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀର ନାମ ପଡି଼ଥାଇପାରେ ।
ତେବେ ଉଲ୍ଲେଖଯୋଗ୍ୟ ଯେ ଦେଵୀ ଲକ୍ଷ୍ମୀ ପ୍ରଥମେ ଭୃଗୁଋଷିଙ୍କର କନ୍ୟା ହୋଇ ଜାତ ହୋଇଥିଵାରୁ ଏହାଙ୍କର ଅନ୍ୟନାମ ଭାର୍ଗଵୀ ମଧ୍ୟ ଅଟଇ । ଭୃଗୁ ଦୁଇଥର ଜନ୍ମଲଭିଛନ୍ତି । ଭୃଗୁ ପ୍ରଥମଥର ବ୍ରହ୍ମାଙ୍କ ଚର୍ମରୁ ଓ ଦ୍ଵିତୀୟଥର ଦକ୍ଷଯଜ୍ଞକାଳରେ ନିହତ ହେଵାରୁ ପରେ ଵରୁଣ ଦେଵଙ୍କ ଯଜ୍ଞକୁଣ୍ଡର ଅଗ୍ନିରୁ ଵୈଵସ୍ଵତ ମନ୍ଵନ୍ତରରେ ଜାତ ହୋଇଥିଲେ । ଭୃଗୁ ଦ୍ଵିତୀୟ ଥର ଵରୁଣ ଦେଵଙ୍କ ଯଜ୍ଞକୁଣ୍ଡରୁ ଜନ୍ମ ଲଭିଵାରୁ ତାଙ୍କୁ ଵାରୁଣୀ ଭୃଗୁ କୁହାଗଲା ।

ଗରୁଡ଼ ପୁରାଣ,ଲିଙ୍ଗପୁରାଣ ଓ ପଦ୍ମପୁରାଣ ଅନୁସାରେ ଦେଵୀ ଲକ୍ଷ୍ମୀ “ବ୍ରହ୍ମାପୁତ୍ର ଭୃଗୁ ଋଷି” ତଥା ତାଙ୍କ ପତ୍ନୀ ଖ୍ୟାତିଙ୍କଠାରୁ
ଜାତ ହୋଇଥିଲେ । ପୁରାଣ କଥାନୁସାରେ କର୍ଦ୍ଦମମୁନୀଙ୍କ କନ୍ୟା ଖ୍ୟାତିଙ୍କୁ ଭୃଗୁ ଋଷି ଵିଵାହ କରିଥିଲେ ଏଵଂ ଏହାଙ୍କର ଧାତା,ଵିଧାତା ଦୁଇ ପୁତ୍ର ଓ କନ୍ୟା ଶ୍ରୀଃ ଵା ଶ୍ରୀଲକ୍ଷ୍ମୀ ଜାତ ହୋଇଥିଲେ ।‌ ଅନ୍ୟ କେତେକ ପୁରାଣରେ ଭୃଗୁଙ୍କ ଅନ୍ୟ ଏକପୁତ୍ରର ନାମ କଵି ଉଲ୍ଲେଖ ରହିଛି ।‌

  ଅଗ୍ନିପୁରାଣର ଵରସର୍ଗ ଅଧ୍ୟାୟରେ ଭୃଗୁଙ୍କ ଵିଷୟରେ କଥିତ ଅଛି ...
“ଭୃଗୋଃ ଖ୍ଯାତ୍ଯାଂ ସମୁତ୍ପନ୍ନା ଶ୍ରୀଃ ପୂର୍ବ୍ବମୁଦଧେଃ ପୁନଃ ।
ତଥା ଧାତା ଵିଧାତା ଚ ତସ୍ଯାଂ ଜାତୌ ଭୃଗୋଃ ସୁତୌ ॥
ଆୟତିର୍ନିୟତିଶ୍ଚୈଵ ମେରୁକନ୍ଯେ ମହାପ୍ରଭୋଃ ।
ଘାତୁର୍ଵିଧାତୁସ୍ତେ ଭାର୍ଯ୍ଯେ ଯଯୋର୍ଜାତୌ ସୁତାଵୁଭୌ ॥
ପ୍ରାଣଶ୍ଚୈଵ ମୃକଣ୍ଡୁଶ୍ଚ ମାର୍କଣ୍ଡେୟୋ ମୃକଣ୍ଡୁତଃ ।
ତତୋ ଵେଦଶିରା ଜଜ୍ଞେ ପ୍ରାଣସ୍ଯ ଦ୍ଯୁତିମାନ୍ ମୁତଃ ॥
ତତୋ ଵଂଶୋ ମୁନିଶ୍ରେଷ୍ଠା ଵିସ୍ତରଂ ଭାର୍ଗଵୋ ଗତଃ ।”

ଦ୍ଵିତୀୟ ଥର ଭୃଗୁ ଵରୁଣଦେଵଙ୍କ ଯଜ୍ଞକୁଣ୍ଡରୁ ଵାରୁଣୀ ଭୃଗୁ ଭାବରେ ଜାତ ହେଲେ ଏଵଂ ଭୂତ,ଚ୍ୟଵନ,ଵଜ୍ରଶୀର୍ଷ,ସୁଚୀ,ଶୁକ୍ର ଓ ସଵନ ଓ ଵିଭୁ ଆଦି ସପ୍ତପୁତ୍ରର ପିତା ହୋଇଥିଲେ ।

ଏଣୁ ଶ୍ରୀଲକ୍ଷ୍ମୀ ପ୍ରଥମେ ବ୍ରହ୍ମାପୁତ୍ର ଭୃଗୁଋଷି(ଵାରୁଣୀ ଭୃଗୁ ନୁହେଁ)ଙ୍କ କନ୍ୟା ରୂପରେ ଜାତ ହୋଇ ପରେ ମହାଵିଷ୍ଣୁଙ୍କ ଆଜ୍ଞାରେ ପୁନର୍ଵାର ସମୁଦ୍ରମନ୍ଥନରୁ ଜାତ ହୋଇଥିଵା ଭାରତୀୟ ପୁରାଣ ଗ୍ରନ୍ଥାଦିରେ ଉଲ୍ଲେଖ ଅଛି ।‌

କିନ୍ତୁ ଭୃଗୁ କହିଲେ କେଵଳ ଜଣେ ଋଷିଙ୍କର ନାଆଁ ନୁହେଁ । ଅତ୍ଯୁଚ୍ଚ ସ୍ଥାନ,ପର୍ଵତର ତାଳୁଦେଶ, ପର୍ଵତର ଗଡ଼ାଣିଆ ସ୍ଥାନ,ପ୍ରପାତ,ପର୍ଵତର ତାଳୁଦେଶରେ ଥିଵା ସମତଳ ଭୂମିକୁ ମଧ୍ୟ ଭୃଗୁ କୁହାଯାଏ । ଭୃଗୁଙ୍କ ନାମୋଲ୍ଲେଖ  ଋକଵେଦରେ ଥିଵାରୁ ଭୃଗୁ ଶବ୍ଦର ପ୍ରାଚୀନତା ଵିଷୟରେ ସନ୍ଦେହ ରୁହେ ନାହିଁ ‌ । 

ତେବେ ଭୃଗୁଶବ୍ଦର ଅନ୍ୟାନ୍ୟ ଅର୍ଥ ଯଥା ପର୍ଵତ , ଜଳପ୍ରପାତ ଓ ପାର୍ଵତ୍ୟ ସମତଳ ଭୂମି ଇତ୍ୟାଦିକୁ ଵିଚାର କରି ଦେଖିଲେ ମନରେ ପ୍ରଶ୍ନ ଆସେ ଯେ ପ୍ରାଚୀନ କାଳରେ ଏସବୁରୁ ମନୁଷ୍ୟମାନଙ୍କୁ ଲକ୍ଷ୍ମୀ ପ୍ରାପ୍ତ ହେଉଥିଲେ ବୋଲି କ'ଣ ଭୃଗୁଋଷିଙ୍କୁ ଏହାର ଅଧିଷ୍ଠାତା ଵିଚାର କରି ତାଙ୍କର କନ୍ୟାରୂପେ ଶ୍ରୀଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଥିଲା  ?
ବହୁତ ସମ୍ଭଵ ପ୍ରାରମ୍ଭିକ ଭାରତରେ ଲୋକମାନେ ପର୍ଵତଵାସୀ ଥିଲେ ତେଣୁ ତାଙ୍କ ପାଇଁ ଲକ୍ଷ୍ମୀ ଵା ଧନସମ୍ପଦ ଥିଲା ପର୍ଵତର ତାଳୁଦେଶରେ ଅଵସ୍ଥିତ ତାଙ୍କର ଅତ୍ୟୁଚ୍ଚ ଵାସଭୂମି । ସେତେବେଳେ ପର୍ଵତର ଉଚ୍ଚ ସ୍ଥାନରେ ଅଵସ୍ଥିତ ଗୁମ୍ଫା ହିଁ ଥିଲା ମାନଵ ଜୀଵନର ଅମୂଲ୍ୟ ସମ୍ପଦ । ପାର୍ଵତ୍ୟ ଗୁମ୍ଫା ଵିନା ହିଂସ୍ରଜନ୍ତୁପୂର୍ଣ୍ଣ ତତ୍କାଳୀନ ପୃଥିଵୀରେ ମାନଵ ଜୀଵନ ଵିପନ୍ନ ହୋଇଯାଉଥିଲା । ସେ ଯୁଗରେ
ପାହାଡ଼ ତଳକୁ ଓହ୍ଲେଇ ଵିପଦ ଵରଣ କରିଵାକୁ ପ୍ରାଚୀନ ମାନଵ ସେତେ ଶ୍ରେୟସ୍କର ମଣୁନଥିଲେ । ତେଣୁ ସେତେବେଳେ ଜଳପ୍ରପାତ ଥିଲା ଜଳ ସଂଗ୍ରହର ମୂଲ୍ୟଵାନ ଉତ୍ସ । ଧୀରେ ଧୀରେ ଏହି ପର୍ଵତଵାସୀ ପ୍ରାଚୀନ ଭାରତୀୟମାନେ ଚାଷ କରିଵାରେ ଵ୍ରତୀ ହେଲେ ଏଵଂ ପର୍ଵତର ତାଳୁଦେଶରେ ସ୍ଥିତ ସମତଳଭୂମି ହେଲା ତାଙ୍କର ପ୍ରାଥମିକ କୃଷିଭୂମି । କ୍ରମଶଃ ଚାଷଵାସ ଵୃଦ୍ଧି ପାଇଲା ଏଵଂ ପର୍ଵତ ପାଦଦେଶରେ ଜନଵସତି ଗଢି଼ଉଠିଲା । ମନୁଷ୍ୟମାନେ ପରେ ପରେ ଜଳମୟ ସ୍ଥାନର ସନ୍ଧାନରେ ନଦୀ ଓ ସମୁଦ୍ରକୂଳରେ ଵସତି ସ୍ଥାପନ କରିଥିଲେ ।
  ତାହେଲେ  ସମୁଦ୍ର ମନ୍ଥନ କାହାଣୀ ଆଉ ପ୍ରାଚୀନ ମାନଵଜାତିଦ୍ଵାରା ସମୁଦ୍ର ମଧ୍ୟରେ ଶତାଧିକ ଯାତ୍ରାର କାହାଣୀ ନୁହେଁ ତ ?
ସମୁଦ୍ର ଯାତ୍ରା ଉଭୟ ସକାରାତ୍ମକ ଓ ନକାରାତ୍ମକ ପକ୍ଷର ମାନଵମାନେ କରିଥିବେ । ସକାରାତ୍ମକ ମାନଵ ଦେଵତା ତଥା ନକାରାତ୍ମକ ମାନଵମାନେ ଦାନଵ ଭାବେ ଗଣା ହେଲେ ।  ସମୁଦ୍ରଯାତ୍ରାରୁ ପ୍ରଥମେ ଵିଷରୂପକ ସମସ୍ୟାମାନ ପ୍ରାପ୍ତ ହୋଇଥିଵ ଯହିଁର ଶିଵ ରୂପି ଜ୍ଞାନୀମାନେ ନିଜ ଜ୍ଞାନ ରୂପକ ଶକ୍ତିଦ୍ଵାରା ସମାଧାନ କରିଥିବେ । ଶେଷରେ ଅନେକ ଧନରତ୍ନ ଲାଭ କରି ମାନଵମାନେ ଵିଭିନ୍ନ ଦେଶରୁ ଜ୍ଞାନ ,ଭୂମି, ସମ୍ମାନ ଓ ଵିଜ୍ଞାନ ରୂପ ଅମୃତ ଲାଭ କରିଥିଲେ ।

© ଶିଶିର ସାହୁ ମନୋଜ