Thursday, September 22, 2022

ଚୋର ଓ ଜହ୍ନରା ଗଛ (ଶବ୍ଦଭେଦୀର ଜୀଵନ-୬)

କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତର ଜକା ଗ୍ରାମଵାସିନ୍ଦା ଜଗବନ୍ଧୁ ବାବୁ ଆମ ଭାଲିଆତୈଳାର ମଧ୍ୟଭାଗରେ 
ବଡ଼ ଦୋକାନଟିଏ ଦେଇଥିଲେ । ଏହା ଆଜକୁ ପାଖାପାଖି ଚାଳିଶ ଵର୍ଷ ତଳର‌ କଥା । ସେତେବେଳେ ଆମ ପଞ୍ଚାୟତ ତଥା ଆଖପାଖ ଗ୍ରାମର ଲୋକେ ତାଙ୍କୁ ଆଦରରେ ଜଗବାବୁ ଡାକୁଥିଲେ । ସେସମୟରେ ଜଗବାବୁଙ୍କ 
ଦୋକାନ ଭାଲିଆତୈଳା ତଥା କନ୍ତିଓ ପୁଟସାହି ପଞ୍ଚାୟତର ସବୁଠାରୁ ବଡ଼ ଦୋକାନ ‌ଥିଲା । 

ଅଵଶ୍ୟ ଆମ ସାହିରେ ସେତେବେଳେ ବାଣି ତେଲୀ, କୈଳାସ ପଣ୍ଡା,ବ୍ରହ୍ମାପଣ୍ଡା ଓ ଧନୀ ଜେନା ଆଦିଙ୍କ ଦୋକାନ ମଧ୍ୟ ଥିଲା । 
କିନ୍ତୁ ଜଗବାବୁଙ୍କ ଦୋକାନ ବହୁତ ବଡ଼ ଥିଲା । ପୁରୁଖା ଲୋକେ କୁହନ୍ତି ଅନ୍ୟ କୋଉଠି ମିଳୁ କି ନମିଳୁ ସେତେବେଳେ ଲୋକ ଉଣ୍ଡୁଥିଵା ସବୁ ଦରଵ ଜଗବାବୁଙ୍କ ଦୋକାନରେ ମିଳୁଥିଲା । 

ସେ ଯେଉଁ ସ୍ଥାନରେ ଦୋକାନ ଦେଇଥିଲେ ସେ ଯାଗାଟି ପ୍ରକୃତରେ ସୁମନ୍ତ ପ୍ରଧାନ, ଲେମ୍ବୁଆ ପ୍ରଧାନ,ରତନା ପ୍ରଧାନ ଓ ଡମ୍ବରୁ ପ୍ରଧାନ ଭାଇଙ୍କର ଥିଲା ଏଵଂ ସେ ଟଙ୍କା ଦେଇ ସେ ସ୍ଥାନ କିଣି ସେଠାରେ ଇଟାର ଦୁଇ ବଖରା କୋଠାଘର କରାଇଥିଲେ । 

ଜଗବାବୁଙ୍କ ଦୋକାନରେ ପ୍ରସାଧନ ସାମଗ୍ରୀଠାରୁ ତେଜରାତି ସାମଗ୍ରୀ ଯାଏଁ ସବୁ ମିଳୁଥିଲା ‌ । ଵୟସ୍କ ଲୋକେ କୁହନ୍ତି ତାଙ୍କ ଦୋକାନ ଛୋଟିଆ ଗୋଦାମ ଭଳି ଥିଲା ‌। କେତେକ ଵର୍ଷ ନିଜେ ଦୋକାନ ଚଳାଇଵାପରେ ଜଗବାବୁଙ୍କ ଚାକିରୀ ଆମ କନ୍ତିଓ ପୁଟସାହି ପଞ୍ଚାୟତ ଉଚ୍ଚ ଵିଦ୍ୟାଳୟରେ ହୋଇଗଲା । ତେଣୁ ସେ କେତେକ ପିଲାଙ୍କୁ ଦୋକାନ ସମ୍ଭାଳିଵା କାର୍ଯ୍ୟ ଦେଇ ଵିଦ୍ୟାଳୟରେ ପଢ଼ାଇଵାକୁ ଯାଉଥାନ୍ତି ‌। 

ଜଗବାବୁଙ୍କ ଦୋକାନରେ ସୁମାରି ଜାଣିଥିଵା ପିଲାଏ ସକାଳେ ଓ ବେଳେବେଳେ ସନ୍ଧ୍ୟାରେ ମଧ୍ୟ ଯାଇ ବସୁଥିଲେ । ଆମ ବାପା ମଧ୍ୟ ବେଳେ ବେଳେ ଯାଇ ଜଗବାବୁଙ୍କ ଦୋକାନରେ ବସି ବିକିଥିଵା କଥା କହିଥାନ୍ତି । ସେ ଯାହାହେଉ ଜଗବାବୁଙ୍କ ଦୋକାନରେ ଵିଶେଷ କରି ଧରଣୀ ଜେନା ହିଁ ବସୁଥିଲେ ଓ ଦୋକାନ ସମ୍ଭାଳିଵାରେ ତାଙ୍କ ଯୋଗଦାନ ସର୍ଵାଧିକ ରହୁଥିଲା । 

ଜଗବାବୁଙ୍କର ଦୋକାନରୁ ବହୁତ ଲାଭ ହେଉଥିଲା କିନ୍ତୁ ଗୋଟିଏ ପଟେ ଦୋକାନ ଆଉ ଏକ ପଟେ ସରକାରୀ ଚାକିରୀ ଉଭୟ ମଧ୍ୟରେ ଶେଷକୁ ଚାକିରୀକୁ ଅଧିକ ମହତ୍ତ୍ଵ ଦେଵାକୁ ଲାଗିଲେ । ଧରଣୀ ଜେନାଙ୍କୁ ଯୋଗ୍ୟ ଜାଣି କେତେକ ଦିନ ପରେ ଜଗବାବୁ ନିଜ ଦୋକାନ ଧରଣୀ ଜେନାଙ୍କୁ ସମ୍ପୂର୍ଣ୍ଣ ଦେଇଦେଇଥିଲେ । ଧରଣୀ ଜେନା କେତେକ ଦିନ ଯାଏଁ ସୁରୁଖୁରୁରେ ଦୋକାନ ଚଳାଇଲେ । 

ସେଇଦିନିଆ ଥରେ କଣ୍ଟାପାଳର ଦୁଇଜଣ ଲୋକ ଧରଣୀଜେନାଙ୍କ ଦୋକାନକୁ ବାକି ପାଇଁ ଆସିଲେ କିନ୍ତୁ ଧରଣୀବାବୁ ବାକି ତ ଦେଲେ ନାହିଁ ଓଲଟା ସେମାନଙ୍କୁ ବହେ ଅପମାନ କଲେ । ସେମାନେ ଅଭାଵୀ ଲୋକ ଥିଲେ ତାଙ୍କୁ ସେସବୁ କଥା ବହୁତ ବାଧିଲା । ସେମାନେ ଧରଣୀ ଜେନାଙ୍କର ଦୋକାନ ଚୋରୀ କରିଵାକୁ ଯୋଜନା କରି ଦଣ୍ଡା ବାଟେ ଘରକୁ ଫେରିଲେ । ବାଟ ଯାକ ସୋଦି ସୋଦି ଚଦି ଚଦି ଗଲେ । ସେଦିନିଆ ଧରଣୀ ଜେନାଙ୍କର ବାପା ଦୋକାନ ବାରଣ୍ଡାରେ ଶୋଉଥାନ୍ତି । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋ ଆଈଘର ଜଗବାବୁଙ୍କ ଦୋକାନର ଉତ୍ତର(ମାନଚିତ୍ରରେ ପଶ୍ଚିମ) ପଟରେ ରହିଥିଲା ଏଵଂ ମୋ ଆଈ ଶ୍ରୀମତି ପାର୍ଵତୀ ସାହାଣୀ ସେ ସମୟରେ ଗାଆଁରେ ରହୁଥିଲେ । 

ସେଦିନ ସୋମବାର ଥିଲା । ମୋ ଆଈ ପାର୍ଵତୀ ସାହାଣୀଙ୍କର ଦେହ ଭଲ ନଥିଲା ତେଣୁ ସେ ରାତିଯାକ ଶୋଇପାରି ନଥିଲେ ଏଵଂ ବାରମ୍ବାର ବାରିପଟକୁ ଯାଆ ଆସ କରୁଥାନ୍ତି । ରାତି ତିନିଟାରେ ମୋ ଆଈ ବାରିପଟେ ଥିଲାବେଳେ ତାଙ୍କୁ କେତେକ ଅସ୍ପଷ୍ଟ ଶବ୍ଦ ଶୁଣାଗଲା । କେହି ଜଣେ ଗାଳି କରୁଥିଵାର ସେ ଶୁଣିଵାକୁ ପାଇଲେ ‌। ସେ ଯୁଗରେ ଜଗବାବୁଙ୍କ ଦୋକାନ ବରଣ୍ଡାରେ ଭେଣ୍ଡିଆମାନେ ବସି ରାତିରେ ଗୁଲିଖଟି କରନ୍ତି । ତେଣୁ ଆଈ ଅଧିକ ଧ୍ୟାନ ନଦେଇ ଶୋଇପଡି଼ଲେ । 

କଣ୍ଟାପାଳିଆ ଚୋର ସେତେବେଳକୁ ଜଗବାବୁଙ୍କ ଦୋକାନ ପଛକଟରେ ଥିଵା ଜହ୍ନରା ନଟି ଭିତରେ ପଶି ସିନ୍ଧିଗାତ ଖୋଳୁଥାନ୍ତି ଆଉ ଧରଣୀ ଜେନାଙ୍କୁ ଅସ୍ପଷ୍ଟ ଶବ୍ଦରେ ସୋଦୁଥାନ୍ତି । ସେତେବେଳେ ଜଗବାବୁଙ୍କ ଦୋକାନ ପଛପଟେ ଜହ୍ନରା ନଟି ଥିଲା ତେଣୁ ଲୋକେ ଏମାନଙ୍କୁ ଦେଖିଵା ସହଜ ନଥିଲା । 

ଚୋରମାନେ ସିନ୍ଧି ଖୋଳି ଦୋକାନରେ ଯାହା ଥିଲା ସବୁ ନେଇଗଲେ । ସକାଳୁ ଦେଖିଲାବେଳକୁ ଦୋକାନରେ କାଣି କଉଡି଼ଟିଏ ବି ନଥିଲା । ସେ କାଳରେ ଲୋକେ ପୋଲିସକୁ ଫେରାଦ ଦେଵାକୁ ଡରୁଥିଲେ ,ନାଲିପଗଡି଼ ଦେଖିଲେ ଲୋକଙ୍କ ବୁଦ୍ଧି ହଜିଯାଉଥାଇ । ତେଣୁ ଆଗେ କୁଲାବୁଲା ହେଲା ,ନଖ ଦର୍ପଣ ହେଲା କିନ୍ତୁ ଚୋରର ନାଆଁ ଗାଆଁ ଠିକଣା ଜଣାଗଲା ନାହିଁ । କିଛି ଫଳ ନମିଳିଵାରୁ ଶେଷକୁ ପୋଲିସ ପାଖକୁ କଥା ଗଲା । 

କୁଲାବୁଲା କ'ଣ ବୋଇଲେ ଆଜିକାଲିର ଲୋକେ ବୋଧହୁଏ ବୁଝିନପାରନ୍ତି ତେବେ ଆଗେ କୌଣସି ଵସ୍ତୁ ଚୋରି ଗଲେ ଚୋରର ନାମ ଜାଣିଵା ପାଇଁ ଗୋଟିଏ କୁଲାକୁ କଇଁଚି ଵା କଣ୍ଟାମୁନ ଉପରେ ରଖି ମନ୍ତ୍ର ପଢ଼ି ଯାହା ନାମ ଧରିଲାକ୍ଷଣି କୁଲାଟା ବୁଲିଯାଏ ସେହି ଵ୍ୟକ୍ତି ଚୋର ବୋଲି ଅନୁମାନ କରାଯାଏ , ଏପରି ରୀତିରେ ଯେ ଚୋର ଧରାଯାଉଥାଇ । ପୁଣି ନଖଦର୍ପଣ ଦ୍ଵାରା ନଖକୁ ଦର୍ପଣ କରି ଗୁଣିଆମାନେ ଅତୀତରେ ଘଟିତ ଘଟଣା ଦେଖିପାରନ୍ତି ବୋଲି କହିଥାନ୍ତି ‌ ।

ତେବେ ଦୋକାନ ଚୋରୀ ହେଵା ପରେ ଧରଣୀଜେନାଙ୍କ ବାପା ହଟିଆ ଜେନା ବହୁତ ରାଗିଗଲେ । ସେ ଦୋକାନ ପଛପଟେ ଉଠିଥିଵା ଜହ୍ନରା ଗଛ ଓପାଡି଼ ପକାଇଲେ ।‌ କଣ୍ଟାପାଳିଆ ଚୋର ଦୋକାନ ଚୋରୀ କରିଛନ୍ତି ବୋଲି ସମସ୍ତେ ଅନୁମାନ କଲେ କିନ୍ତୁ ଯେଉଁମାନଙ୍କୁ ସନ୍ଦେହ କରାଯାଉଥିଲା ସେମାନଙ୍କୁ ଆଉ କେବେ ଏ ଅଞ୍ଚଳରେ ଦେଖାଯାଇନଥିଲା । 

ଜହ୍ନରା ଗଛ ନାଆଁ ଶୁଣି ମୋ ମନରେ ସନ୍ଦେହ ହେଵାରୁ ମାଆଙ୍କୁ ପଚାରିଲି ସେ ଗଛଟା କେମିତିଆ ? 

ମାଆ କହିଲେ ଜହ୍ନରା ଗଛ ଦେଖିଵାକୁ ମକାଗଛ ଭଳି ଏଵଂ ଜହ୍ନରା ଗଛର ଫୁଲ ମଧ୍ୟ ମକା ଗଛର ଫୁଲ ପରି କିନ୍ତୁ ଜହ୍ନରା ଗଛର ଶସ୍ୟ ପେଣ୍ଡା ପେଣ୍ଡା ହୋଇ ଫଳିଥାଏ । ମୋର ମନେ ପଡ଼ିଲା ଏମିତି ଏକ ଗଛକୁ ହିନ୍ଦୀରେ ज्वार କହିଥାନ୍ତି । ମାଆଙ୍କୁ Sorghum bicolor ଖାଦ୍ୟଶସ୍ଯର ଚିତ୍ର ଦେଖାଇଲି । କେତେକ ଚିତ୍ର ଦେଖାଇଲାପରେ ମାଆ କହିଲେ ହଁ ଜହ୍ନରା ଗଛ ଏହିପରି ହୋଇଥାଏ । Sorghum ଜାତୀୟ ଗଛକୁ ଭାରତରେ 
ଯଵନାଳ,ଯଵାକାର ଓ ଜୂର୍ଣ୍ଣ ଆଦି କୁହାଯାଉଥିଲା । 


ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଜୁଆର ଶବ୍ଦ ତଳେ ଏ ଗଛ ଵିଷୟରେ ନିମ୍ନୋକ୍ତ ଦ୍ରଷ୍ଟଵ୍ୟ ରହିଛି... 

“ଏ ଗଛ ଆଖୁ ପରି ବଢ଼େ, ଏଥିର ନଡ଼ା ଶକ୍ତ ଓ ସିଧା । ଏଥିରେ ପେଣ୍ଡା ପେଣ୍ଡା ହୋଇ ଅଗରେ କେଣ୍ଡାମାନ ଧରେ। ଭାରତର ଉତ୍ତରପଶ୍ଚିମ ପ୍ରଦେଶମାନଙ୍କରେ, ପଞ୍ଜାବ, ବୋମ୍ବାଇ ଓ ମାନ୍ଦ୍ରାଜ, ଅଞ୍ଚଳରେ ଏହାର ଚାଷ ହୁଏ। ଏହା ସେ ଅଞ୍ଚଳରେ ମନୁଷ୍ୟମାନଙ୍କର ଗୋଟିଏ ପ୍ରଧାନ ଖାଦ୍ୟ। ଏହା ବର୍ଷା ଓ ଶୀତ ଋତୁରେ ଫଳେ।”


ଜହ୍ନରାକୁ ପ୍ରାଚୀନ କାଳରେ ଦେଵଧାନ୍ୟ କୁହାଯାଉଥିଲା ଫଳତଃ ଓଡ଼ିଶାରେ ପରେ ଏହାର ଏକ ଦେଶଜ ନାମ ପ୍ରଚଳିତ ହେଲା "ଦେଧାନ" । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଧାନ ଶବ୍ଦର ଅର୍ଥ ଯଵନାଳ ଓ ଜୁଆରା ଲେଖାଅଛି । 

ଭାଷାକୋଷରେ ଦେଧାନର ଵୈଦ୍ୟକଗୁଣ ଉଲ୍ଲେଖ କରିଵାକୁ ଯାଇ କୁହାଯାଇଛି ଯେ "ଏହା ଶୀତଳ, ମଧୁର, କଷାୟ ରସ, ଲୋହିତ ଵର୍ଣ୍ଣ, ଶ୍ଳେଷ୍ମା ଓ ପୀତନାଶକ, ଅଵୃଷ୍ୟ, ରୁକ୍ଷ, ଲଘୁ ଓ କ୍ଳେଦକାରକ। ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ଏହାର ନଡ଼ାକୁ ଗୋରୁ ଖାଆନ୍ତି।”

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵା କଥିତ ଓଡ଼ିଆ ଶବ୍ଦକୋଷରେ ଢେଙ୍କାନାଳରେ ପ୍ରଚଳିତ ଥିଵା ଜହ୍ନରା ଶବ୍ଦ ସ୍ଵତନ୍ତ୍ର ଭାବେ ଉଲ୍ଲେଖ କରାଯାଇନାହିଁ । 

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଜହ୍ନା ଶବ୍ଦ ଵିଷୟରେ ଅନେକ କଥା ଉଲ୍ଲେଖ କରାଯାଇଛି । 


ଭାଷାକୋଷ ଅନୁସାରେ ଓଡ଼ିଶାରେ ଜହ୍ନା ବୋଲି ଏକ ଖାଦ୍ୟଶସ୍ୟ ଆଗେ ଚାଷ କରାଯାଉଥିଲା ଏଵଂ ସେହି ଶବ୍ଦର ଅନ୍ୟ କେତେକ ରୂପ ହେଲା ଜନାର ଓ ଜହ୍ନାର । 
ସମ୍ଭଵତଃ ଏହି ଜହ୍ନା ଶବ୍ଦର ଅନ୍ୟ ଏକ ରୂପ ଢେଙ୍କାନାଳରେ ପ୍ରଚଳିତ ଥିଵା ଜହ୍ନରା ଶବ୍ଦ ଅଟେ । 
 
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଖାଦ୍ୟଶସ୍ୟକୁ ଜହ୍ନା,ଜନାର୍,ଜନା ଓ ଜହ୍ନରା କୁହାଯାଉଥିଲା । 

ଢେଙ୍କାନାଳ ଭଳି କେତେକ ଅଞ୍ଚଳରେ Sorghum ଜାତୀୟ ଗଛକୁ ଜହ୍ନା ତଥା ଜହ୍ନରା କୁହାଯାଉଥିଲା । ଭୁଟ୍ଟା, ଜନାର ଵା ବାଜରା ଜାତୀୟ ଗଛକୁ କେତେକ ଅଞ୍ଚଳରେ ଲୋକେ ଜହ୍ନା କହୁଥିଲେ । ଫୁଟିଫୁଟିକା ଵା ଅମରପୋଇ ଗୁଳ୍ମକୁ ମଧ୍ୟ କିଛି ଅଞ୍ଚଳରେ ଜହ୍ନା କୁହାଯାଉଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳରେ ସେହିପରି ମକାକୁ ଜନା କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲିଖିତ ହୋଇଛି । ଭାଷାକୋଷରେ ଜହ୍ନରାର ଆଉ ଏକ ପ୍ରତିଶବ୍ଦ ପନରା ମଧ୍ୟ ମିଳିଲା । 


ଏବେ ପୂର୍ଵ କଥାକୁ ଫେରିଵା...
ଜଗବାବୁଙ୍କ ଦୋକାନ ଧରଣୀଧର ଜେନାଙ୍କୁ ମିଳିଵା ପରେ ସେ କେତେକ ଦିନ ତାକୁ ଉତ୍ତମ ଭାବରେ ଚଳାଇଥିଲେ କିନ୍ତୁ ସେ ଦୋକାନ ଚୋରୀ ଯିଵାରୁ ତାଙ୍କ ମନୋଵଳ ଭାଙ୍ଗିଗଲା । 

ହେଲେ କିଛି ଦିନ ପରେ ଧରଣୀଧର ଜେନା ନିଜ ପୈତୃକ ଗୃହ ସମ୍ମୁଖରେ ଦୋକାନଟିଏ କରିଲେ କିନ୍ତୁ ତାହା ଜଗବାବୁଙ୍କ ଦୋକାନ ପରି ସେତେ ଉଧେଇ ପାରିଲା ନାହିଁ ତେଣୁ ଭାଙ୍ଗିଗଲା । ତାପରେ ସେ ଅନେକ ଵର୍ଷ କଟକନଗରରେ କଦଳୀ ବେପାର କରିଲେ ଏଵଂ ଦୁଇପୁତ୍ର ତଥା ଚାରି କନ୍ୟାଙ୍କୁ ମଣିଷ କଲେ । 

ଜଗବାବୁଙ୍କ ଦୋକାନ ଚୋରୀ ହେଵାର ଅନେକ ଵର୍ଷ ପରେ ମୋହର ଜନ୍ମ ହେଵାରୁ ଆମ ବାପା ଆଳୁ ବେପାର ଛାଡ଼ି ଜଗବାବୁଙ୍କର ଯୋଉଠି ଦୋକାନ ଥିଲା ତହିଁର ଉତ୍ତର(ମାନଚିତ୍ରରେ ପଶ୍ଚିମ)କୁ ମୋ ଆଈଙ୍କ ଘରର ବରଣ୍ଡାରେ ଦୋକାନଟିଏ ଦେଲେ ।  

ଜଗବାବୁ ତ ତାଙ୍କ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ଧରଣୀ ଜେନାଙ୍କୁ ସମର୍ପି ଦେଇଥିଲେ ତେଣୁ ଦୋକାନ ଚୋରୀ ଘଟଣା ତାଙ୍କୁ ସେତେଟା ଆହତ କରିନଥିଲା । ସେ ଅନେକ ଵର୍ଷ ଯାଏଁ ଵିଦ୍ଯାଳୟରେ ଶିକ୍ଷକତା କଲେ । ଦିନେ ତାଙ୍କ ସ୍ତ୍ରୀଙ୍କ ସହିତ କୌଣସି ଘଟଣାକୁ ନେଇ ମନାନ୍ତର ହେଵାରୁ ଘର ଛାଡ଼ି କୁଆଡେ଼ ଚାଲିଗଲେ ଯେ ଚାଲିଗଲେ । ସେ ମଲେଣି କି ବଞ୍ଚିଛନ୍ତି ସେକଥା କେହି ଜାଣନ୍ତି ନାହିଁ ଯଦି କିଏ ଜାଣିଥିବେ ସେ କେଵଳ ସେଇ କାଳିଆ ସାଆନ୍ତ। 

ଲୋକେ ଵିଶ୍ଵାସ କରନ୍ତି ଯେ ଯୋଉ ଦିନଠାରୁ ଜଗବାବୁଙ୍କ ଦୋକାନ ପଛପଟରୁ "ଜହ୍ନରା ଗଛ" ଓପଡ଼ାଗଲା ସେଦିନଠାରୁ ସେ ଗଛ ଆଉ ଆମ ଅଞ୍ଚଳରେ ଦେଖାଗଲା ନାହିଁ ‌। ସତେ ଯେମିତି ଚୋରୀର ଦୋଷୀ ଭାବେ ଦୈଵ ଦଣ୍ଡ ଲଭି ସେ ଗଛ ଆଉ କୋଉଠି ଉଠିଲା ନାହିଁ ‌ ।

Saturday, September 17, 2022

ମୂକ ଵଧିର

କଳିଙ୍ଗର ରାଜଧାନୀ ସିଂହପୁରରେ ମଦନ ଏକ ବିପଣୀ ଖୋଲିଥିଲା କିନ୍ତୁ ହଠାତ୍ କଳିଙ୍ଗ ଦେଶ ଉପରେ ଆକ୍ରମଣ ହୋଇଗଲାରୁ ରାଜଧାନୀରେ ଆର୍ଥିକ ତଥା ରାଜନୈତିକ ଅସ୍ଥିରତା ଯୋଗୁଁ ତାହାର ବେପାର ବୁଡି଼ଗଲା । ତହୁଁ ସେ ନିଜ ଗ୍ରାମ ହରିହରପୁରକୁ ବାହୁଡି଼ ଅଇଲା।

କିଛି ଦିନ ପରେ ତାଙ୍କ ଗାଆଁକୁ ତା ସାନମାମୁ ଦ୍ଵିତୀୟା ଓଷା ଭାର ନେଇ ଆସିଲେ । ମଦନର ମାମୁ ଜଣେ ବଡ଼ ଜଣାଶୁଣା ରାଜକର୍ମଚାରୀ ଥିଲେ ଏଵଂ ତାଙ୍କରି ସହାୟତା ଯୋଗୁଁ ମଦନ ରାଜଧାନୀରେ ବିପଣିଟିଏ ଖୋଲିଥିଲା । ଏବେ ବିପଣିରେ ଲାଗିଥିଵା ଅର୍ଥ ଚାଲିଯିଵା ଯୋଗୁଁ ମଦନ ଉପରେ ତା ମାମୁଙ୍କର ଭିତିରିଆ ରାଗଟିକେ ଥିଲା । 

ସେ ଯାହା ହେଉ ମାମୁଙ୍କୁ ଭେଟିଵାରୁ ମଦନ ତାଙ୍କୁ ଯୁହାରେ ହେଲା ଓ ଭଲ ମନ୍ଦ ପଚାରି ବୁଝିଲା। 

କଥା ପ୍ରସଙ୍ଗରେ ମଦନର ମାମୁ ତାକୁ ପଚାରିଲେ 

—ଆଉ କେବେ ଯାଉଛୁ ?

ସେ କହିଲା ଏବେ ତ ଆସିଛି ଦେଖାଯାଉ କୋଉ ପାଣି କୁଆଡ଼କୁ ଯାଉଛି ...! 

ମାମୁ—ତଥାପି ? 

ମଦନ—ହଁ କିଛି ଦିନ ଭିତରେ 
ଆଉ ଥରେ ସିଂହପୁର ଗଡ଼କୁ ଯିବି ତାପରେ କମ୍ଭୁକଟକକୁ ଯାଇ ଜଣେ କଵିଙ୍କୁ ଭେଟି ତାଙ୍କ ପାଖରେ କିଛି ଦିନ ରହିଵାର ଅଛି !!!

ମାମୁ—ସେଠାରେ କି କାମ ?

ମଦନ —ନା ସେମିତି କିଛି ନାହିଁ, କିଛି ଲୋକଙ୍କୁ ଭେଟିଵାର ଅଛି ଵିଶେଷକରି କିଛି କଵିଙ୍କ ସହିତ କାଵ୍ୟଚର୍ଚ୍ଚା ହେଵ ! ଆଉ କିଛି ନୁହେଁ !!!

ମାମୁ—ସେମାନେ କ'ଣ ତୋତେ ଖାଇଵାକୁ ଦେବେ ? ଆରେ ଆସିକି ବାହା ସାହା ହେଵାର ଵୟସ ହେଲାଣି ତଥାପି ସେ କାଵ୍ୟ କଵିତା ଶାସ୍ତ୍ରାଦି ଭିତରେ ମାତିଛୁ ? ଆଉ କେତେଦିନ ଏଇମିତି ପିଲାଳିଆମି କରୁଥିବୁ ?

ମଦନ ପ୍ରଥମେ ଭାବୁଥିଲା ତା ମାମୁ ତାହାର ମଙ୍ଗଳ ହେତୁକ ଏତେ କଥା କହିଛନ୍ତି କିନ୍ତୁ ପରେ ସେ ହୃଦୟଙ୍ଗମ କଲା ଯେ ତାହାର ମାମୁ ତାକୁ ଧନ ମାନ ସମ୍ମାନ ଓ କ୍ଷମତା ନଥିଵାରୁ ନ୍ୟୁନ ହୀନ ଵିଚାର କରି ଏଭଳି କହିଛନ୍ତି । 

ଏଣୁ ଯଥାଶୀଘ୍ର ନିଜ ଗ୍ରାମ ତ୍ୟାଗକରି ମଦନ ଯଜ୍ଞପୁର ନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲା । ବାଟରେ ଥକା ଲାଗିଵାରୁ ଗୋଟିଏ ପୋଖରୀ ପାଖ ଏକ ଗଛରେ ଘୋଡ଼ାକୁ ବାନ୍ଧି ଗାଧୋଇଵାକୁ ଲାଗିଲା ।

ଏତିକିବେଳେ ଆଉ ଜଣେ ଲୋକ ସେହି ପୋଖରୀକୁ ଗାଧୋଇଵାକୁ ଆସିଲା । ସେହି ଲୋକଟି ଯେଉଁ ଗଛରେ ମଦନ ନିଜ ଘୋଡ଼ା ବାନ୍ଧିଥିଲା ସେଇ ଗଛରେ ନିଜ ଘୋଡ଼ାକୁ ବାନ୍ଧିଵାକୁ ଉଦ୍ୟତ ହୁଅନ୍ତେ ମଦନ ବଡ଼ ପାଟିରେ ତାକୁ କହିଲା "ହଇକିୟେ ଭାଇ ! ସେ ଘୋଡ଼ାଟା ମୋ ଘୋଡ଼ା ଆଉ ବହୁତ ଦୁଷ୍ଟ , ସେ ଗଛରେ ତମେ ତମ ଘୋଡ଼ା ନବାନ୍ଧି ଅନ୍ୟ ଗଛରେ ବାନ୍ଧ ‌। ”

ଦ୍ଵିତୀୟ ଲୋକଟି ମଦନର କଥାକୁ ସେତେ ଗୁରୁତ୍ଵ ନଦେଇ ଯୋଉ ଗଛରେ ମଦନ ନିଜ ଘୋଡ଼ା ବାନ୍ଧିଥିଲା ସେଇ ଗଛରେ ହିଁ ଆପଣା ଘୋଡ଼ା ବାନ୍ଧି ପୋଖରୀ ଭିତରକୁ ଚାଲିଆସିଲା । 

ମଦନର ଘୋଡ଼ା ତ ଦୁଷ୍ଟ ଥିଲା ଦ୍ଵିତୀୟ ଲୋକଟିର ଘୋଡ଼ା ତା ସହ ଲାଗିଵାରୁ ମଦନର ଘୋଡ଼ା ତାକୁ ମାରି ଦେଲା ...

ଦ୍ଵିତୀୟ ଲୋକଟି ଯେମିତି ଘୋଡ଼ା ଝଗଡ଼ା ଦେଖିଛି ହାଁ ହାଁ କହି ଗଛ ପାଖକୁ ଦୌଡ଼ିଗଲା ବେଳକୁ ତାହାର ଘୋଡ଼ା ଆଉ ଜୀଵନରେ ନଥିଲା । 

ଦ୍ଵିତୀୟ ଲୋକଟି ମଦନକୁ ଘୋଡ଼ା ମରିଵା ହେତୁ ଦାୟୀ କରି ତାଠୁ କ୍ଷତିପୂରଣ ଦାବି କଲା ହେଲେ ମଦନ ତା କଥା ଆଦୌ ଶୁଣିଲା ନାହିଁ । 


ସେଠୁ ସେମାନେ ଦୁଇଜଣ ସେ ଗାଆଁର ନ୍ୟାୟାଧିକାରୀଙ୍କ ପାଖକୁ ଗଲେ । ନ୍ୟାୟାଧିକାରୀ ପାଖରେ ପହଞ୍ଚିଯିଵାରୁ ଦ୍ଵିତୀୟ ଲୋକଟି ମଦନ ଉପରେ ନାନା ଦୋଷ ଲଗାଇ ତା ଘୋଡ଼ା ମରିଵା ହେତୁ ଦାୟୀ କରି କହି ଚାଲିଥାଏ । 

ଶେଷରେ ନ୍ୟାୟାଧିକାରୀ ମଦନକୁ ପଚାରିଲେ “ଆଚ୍ଛା ବାବୁ ! ତୁମେ ନିଜ ସମର୍ଥନରେ କିଛି କହିଵ କି ?” 

ମଦନ ହଠାତ୍ ବୁଝିପାରିଲା ନାହିଁ କ'ଣ କହିଵ ସେ କେଵଳ ଚାରିଆଡ଼କୁ ବଲ ବଲ କରି ଚାହୁଁଥାଏ” 

ସେଇଠୁ ନ୍ୟାୟାଧିକାରୀ ଵିରକ୍ତ ହୋଇ ବୋଇଲେ

“ଆରେ ୟେ ଲୋକଟିତ ଜଣେ ମୁକ କାଲ ଵ୍ୟକ୍ତି ଜଣାପଡ଼ୁଛି ଆଉ ତମେ ୟା ଉପରେ ଦୋଷାରୋପ କରୁଛ ?”

ଦ୍ଵିତୀୟ ଵ୍ୟକ୍ତିଟି ଆଉ ସହିପାରିଲା ନାହିଁ କହୁ କହୁ କହିଦେଲା 

“ୟେ ପୁଣି ମୁକ ଵଧିର ? ଆହେ ୟେ ପରା ନିଜେ ମୁଁ ଗଛରଜ ଘୋଡ଼ା ବାନ୍ଧୁଥିଵା ବେଳେ ଚିଲ୍ଲେଇକରି କହୁଥିଲା ମୋ ଘୋଡ଼ା ଦୁଷ୍ଟ ତୁମେ ଅନ୍ୟ ଗଛରେ ନିଜ ଘୋଡ଼ା ବାନ୍ଧ” 

କିନ୍ତୁ ନ୍ଯାୟାଧିକାରୀକୁ ତା କଥା ଵିଶ୍ଵାସ ହେଲାନାହିଁ ତେଣୁ ସେ ମଦନକୁ ନିର୍ଦ୍ଦୋଷ ଘୋଷଣା କଲେ । ସେଇଠୁ ମଦନ ଯଜ୍ଞପୁର ଆଡ଼କୁ ଘୋଡ଼ା ଝପଟାଇ ଚାଲିଗଲା...

(ଵି.ଦ୍ର :—ଜହ୍ନମାମୁଁ ପତ୍ରିକାରେ ପ୍ରକାଶିତ ଏକ ଗଳ୍ପକୁ ଉତ୍କଳୀୟ ଶୈଳୀରେ ଲେଖିଦେଇଛି । ମୂଳ ଗଳ୍ପଟି ୧୯୭୮ ହିନ୍ଦୀ ଚନ୍ଦାମାମା ଜାନୁଆରୀ ସଂଖ୍ୟାର ଏଵଂ ନାମ ଥିଲା मूक आदमी । ପ୍ରକୃତରେ ଏହା ସତ୍ୟଘଟଣାକୁ ଗଳ୍ପର ରୂପ ଦେଵାର ଏକ ନିରର୍ଥକ ପ୍ରୟାସ ମାତ୍ର...🙄 )

Wednesday, September 14, 2022

ଗଙ୍ଗାଧର ମେହେରଙ୍କ ସାରସ୍ଵତ ସଂଗ୍ରାମ

ହିନ୍ଦୀ କଵଳରେ ପଡ଼ି ଭୀଷଣ ଦୁର୍ଦ୍ଦଶା ଭୋଗୁଥିଲେ ଅଵିଭକ୍ତ ସମ୍ବଲପୁର ଵା ହୀରାଖଣ୍ଡ ଅଞ୍ଚଳର ଲୋକେ । ସେ ସମୟରେ ଗଙ୍ଗାଧର ମେହେର Hindi Imposition ଵା ହିନ୍ଦୀ ଆରୋପଣ ଵିପକ୍ଷରେ ଏକ ଅତୁଳନୀୟ ସାରସ୍ଵତ ଵିପ୍ଲଵ ଆରମ୍ଭ କରିଥିଲେ । ଗତ ୭୫ ଵର୍ଷ ମଧ୍ୟରେ ମଧ୍ୟପ୍ରଦେଶ ତଥା ଛତିଶଗଡ଼ର ଅଂଶ ହେଵା ଯୋଗୁଁ ମହାସମୁନ୍ଦ,ଯଶପୁର,ଵସ୍ତର ଆଦି ଅଞ୍ଚଳରୁ ଓଡ଼ିଆ ଭାଷା ଓ ଲିପିକୁ ଯେଉଁଭଳି ଭାବେ ହିନ୍ଦିଆମାନେ ପ୍ରାୟତଃ ଲୋପ କରିସାରିଛନ୍ତି ସେହିପରି ଭାବେ ୧୮୮୦ରୁ ୧୯୦୫ ମସିହା ଯାଏଁ ହିରାଖଣ୍ଡ ଅଞ୍ଚଳରେ କରିଵାକୁ ତତ୍କାଳୀନ ଓଡ଼ିଶାଵାସୀ ହିନ୍ଦିଆ କର୍ମଚାରୀମାନେ ଚକ୍ରାନ୍ତ କରିଥିଲେ । 

ଯେତେବେଳେ ପରାଧୀନ ହୀରାଖଣ୍ଡର ପ୍ରଶାସନରେ ଓଡିଆ ଭାଷା ଲୋପ କରାଯାଇ ହିନ୍ଦୀ ପ୍ରଚଳିତ ହେଲା । ସେତେବେଳେ ଏଥିରେ ଵ୍ୟଥିତ ହୋଇ ଗଙ୍ଗାଧର ଲେଖିଥିଲେ—

“ସମ୍ବଲପୁରରୁ ଉତ୍କଳ ନିର୍ମୂଳ ହେଵାର କାରଣ ଏହି,
ରାଜକର୍ମଚାରୀ ହିନ୍ଦୀ ବାନା ଧରି ମହାରାଷ୍ଟ୍ରୀ ଛନ୍ତି ରହି । 
ସେମାନଙ୍କ ଜ୍ଞାନ ଉତ୍କଳରେ ଶୂନ୍ୟ ହେଵାରୁ ହେଲା ସଙ୍କଟ,
ଏଥିପାଇଁ ଏବେ ଉତ୍କଳ ନିର୍ମୂଳ 
ହିନ୍ଦୀ ହୋଇଵ ପ୍ରକଟ ।
ସମ୍ବଲପୁରର ଅଧିଵାସୀମାନେ 
ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇଵା ସେଠାରେ 
ଶୁଣି ସର୍ଵେ ହତଜ୍ଞାନ ।”

କିନ୍ତୁ ସେ ପୁଣି ସେହି Hindi Imposition ଵିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଵାକୁ ଓଡ଼ିଆ ଜାତିର ଵରପୁତ୍ରମାନଙ୍କୁ ଆହ୍ଵାନ ଦେଇଥିଲେ । 

“ବାବୁ ଶ୍ରୀ ଧରଣୀ ଘେନ ଚିନ୍ତାମଣି ବିଦ୍ୟାଭୂଷଣକୁ ମୋର
କୃଷ୍ଣ ନୀଳାମ୍ବର ଲକ୍ଷ୍ମଣଙ୍କୁ ନେଇ ସମ୍ମୁଖେ କର ସମର ।
ରାମ ଵନମାଳୀ ଦାଶ ଦୀନବନ୍ଧୁ ତୁମ୍ଭେ ତ ଯୋଗ୍ୟ ନନ୍ଦନ
ପଣ୍ଡା ଜନାର୍ଦ୍ଦନ ହେ ଵ୍ରଜମୋହନ କର ଶତ୍ରୁ ଵିମର୍ଦ୍ଦନ ।“

 ଗଙ୍ଗାଧର ସେତିକିରେ ଅଟକି ଯାଇନଥିଲେ । ସେ ସେସମୟର ଓଡ଼ିଆ ଲୋକଙ୍କୁ ନିଜର ଉଦବୋଧନୀ କଵିତାଦ୍ଵାରା ଚେତାଇଥିଲେ ପୁଣି ତତ୍କାଳୀନ ହିନ୍ଦୀ ତଥା ଇଂରାଜୀ ଶାସନପ୍ରେମୀ ବୁଦ୍ଧିଜୀଵୀ ଓ ରାଜନ୍ୟଵର୍ଗଙ୍କୁ କଟୁ ଭର୍ତ୍ସନା ମଧ୍ୟ କରିଥିଲେ । 

ଗଙ୍ଗାଧର ମେହେର ଉତ୍କଳ ଜନନୀଙ୍କ ମୁଖରେ ସେହି ମାତୃଭୂମି ଵିମୁଖ ସନ୍ତାନମାନଙ୍କ ପ୍ରତି ଉକ୍ତି ଶୁଣାଇଥିଲେ 

“ଛନ୍ଦ ବାବୁ ମୋର କୋମଳ ଵସନ
ଅଙ୍ଗକୁ ଯହିଁରେ ନହେଵ ପୀଡ଼ା  
ଦେଵା ହେଲେ ଦିଅ ଏମନ୍ତ ଭୂଷଣ 
ଯାହା ଘେନି ମୋର ନ ହେଵ ଵ୍ରୀଡ଼ା ।

ଅଙ୍ଗ ଚାହିଁ ଦିଅ ଯୋଗ୍ୟ ପରିଚ୍ଛଦ ପରିଚ୍ଛଦ ଯୋଗୁ ନ କାଟ ଦେହ
କଟା ହେଲେ ହେଵ ଜୀଵନ ଵିପଦ 
ନ କର ମାତାକୁ ସେପରି ସ୍ନେହ ।

ରୋଗ ଥିଲେ ଦେହେ ପ୍ରତିକାର କର ପ୍ରକୃତିସ୍ଥ ହେଉ ଜୀଵନ ମୋର
ଭିନ୍ନ ଵର୍ଣ୍ଣେ ଯଦି ରଞ୍ଜ କଳେଵର 
ହେଵ ମାତ୍ର ତାହା ଵିଭତ୍ସ ଘୋର ।

ତୁମେ ମୋତେ ଯେଉଁ ବେଶେ ସଜାଇଵ 
ସେ ବେଶ ଦେଖିଵେ ଜଗତ ଜନେ
ତୁମେ ମୋତେ ଯଦି ଯତନେ ମାଜିଵ
 ମାର୍ଜିତ ଉଜ୍ଜ୍ଵଳ ହେଵ ଭୁଵନେ ।

ଦେଉଁ ଦେଉଁ ମୋର ନୟନେ ଅଞ୍ଜନ 
ମୁଖ ଯଦି ହେଵ କଳିମାମୟ
ପୋଛ ଗଣ୍ଡ କାଳି ନ ଦେଇ ଗଞ୍ଜନ
ହେଵ ମନୋହର କାନ୍ତି ଉଦୟ ।

ପାଇଥିଲେ ଦିଅ ଵିଦେଶୀ ପ୍ରସୂନ 
ଥାଏ ଯଦି ତହିଁ କିଛି ସୌରଭ
ସୌରଭ ନ ଥିଲେ, କାନ୍ତିରେ ନିଉନ ନଥିଲେ ବଢ଼ିଵ ସିନା ଗୌରଵ !

ମସ୍ତକେ ମୋ ଟୋପି ନଦେଵ ବାବାରେ 
ନ କାଢ଼ିଵ ମୋର କରୁ କଙ୍କଣ
ସିନ୍ଦୁର ବିନ୍ଦୁ ମୋ ଭାଲେ ରଖିଵରେ ନିରନ୍ତର ମନେ ଥିଵ ସ୍ମରଣ ।“
 

ଗଙ୍ଗାଧର ନିଜ କଲମ ବଳରେ ତତ୍କାଳୀନ ରାଜାମାନଙ୍କୁ ମଧ୍ୟ Hindi Imposition ଵିଷୟରେ ଚୁପ୍ ରହିଵା ଯୋଗୁଁ 
ସମାଲୋଚନା କରିଛନ୍ତି । ନିଜମାତୃଭୂମି ବରପାଲିର ରାଜାଙ୍କ ଭର୍ତ୍ସନା କରି ଗଙ୍ଗାଧର ମେହେର ଉତ୍କଳ ଜନନୀଙ୍କ କଣ୍ଠରେ କୁହାଇଥିଲେ,

“ବରପଲ୍ଲୀପତି ଜାଣଇ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିଵ ପଦେଅଧେ ଵଚନ?
ହରିହର ସିଂହ ତୁମ୍ଭେ ତ କିଛି କହିଵ ନାହିଁ
କହିଲେ ଅଵା ଉପାଧିଟି ରାଜେ ନେବେ ଛଡ଼ାଇ !” 

ପୁଣି ବଲାଙ୍ଗିରର ପାଟଣା ମହାରାଜାଙ୍କୁ ମଧ୍ୟ ଗଙ୍ଗାଧର ମେହେର ଆକ୍ଷେପ କରି କହିଥିଲେ,

“ରାମଚନ୍ଦ୍ର ଦେଵ ପାଟଣା ମହିମଣ୍ଡଳେ ଶୂର
ବାଘମାରିଵାକୁ ବୁଲୁଛ ବଣେ ନିଶିଵାସର ।
ଗୁହାଳରେ ପଶି ଶୃଗାଳ ଖାଇ ଯାଉଛି ଗାଈ
ଏ ଆଡ଼କୁ କିମ୍ପା ତୁମ୍ଭର କିଛି ନଜର ନାହିଁ ?
ଏ ଗାଈଟି ମଲେ ମିଳିଵ ନାହିଁ ମଧୁର କ୍ଷୀର
ଶୃଗାଳ ନ ପଶୁ ଗୁହାଳେ ଆହେ ଚୌହାଣ ଵୀର !”

ପୁଣି ନିଜ କଵିତାଦ୍ଵାରା ଗଙ୍ଗାଧର ମେହେର କଳାହାଣ୍ଡିର ତତ୍କାଳୀନ ମହାରାଜାଙ୍କୁ କ୍ଷୋଭଭରା ଵାର୍ତ୍ତା ପଠାଇଥିଲେ –

“ଦେଖା କି ନା ରଘୁ କିଶୋର କଳାହାଣ୍ଡି ଭୂପତି
ଘର ଭାତହାଣ୍ଡି ନୁହେଁ କି ମୁଁ ଉତ୍କଳଭାରତୀ?
ସେହି ଭାତହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି
ଖାଇଵାକୁ ଏବେ ପଡିବ ଶୁଖା କର୍କଶ ରୁଟି ।“

ମହାରାଜା ଶ୍ରୀ ସୁଢ଼ଳଦେଵ Hindi Imposition ସଂକ୍ରାନ୍ତରେ ଵିଶେଷ କିଛି ନକହି ନକରୁଥିଵା ଜାଣି ପାରି କଵି ଉତ୍କଳମାତାଙ୍କ କଣ୍ଠରେ ସୁଢ଼ଳଦେଵଙ୍କ ପ୍ରତି କୁହାଇଥିଲେ

“ସୁଢଳ ଦେଵ ହେ ଵିଵିଧ ଗୁଣେ ହୋଇ ପଣ୍ଡିତ
ଉପାଧିମାଳରେ ନାମକୁ କରି ଅଛ ମଣ୍ଡିତ ।
ହୋଇଅଛ ଆଜ ଭାରତେ ରାଜବଂଶର ମୁନି
ଦେଖି ଦେଖି ମୋର ଏ ଦଶା କିମ୍ପା ହୋଇଛ ତୁନି?
ସ୍ଵହସ୍ତରେ ରଚି ଯତନେ ନାନାଵିଧ ଭୂଷଣ
ଯା’ ଅଙ୍ଗରେ ମଣ୍ଡିଦେଉଛ ସହି କେତେ କଷଣ ।
ରାଜ୍ୟ ଛାଡ଼ି ଆଜି ଦୁଃଖେ ସେ ଯାଉଅଛି ବାହାରି
ତାହା ପାଇଁ ପଦେ କହିଵା ଏବେ ହେଲାକି ଭାରି ?”

ମାତୃଭାଷା ପାଇଁ Hindi Imposition ଵିପକ୍ଷରେ ଯୁଦ୍ଧର ଡାକରା ଦେଵାର ସତ୍ ସାହସ ନିଜସ୍ଵ ସ୍ଵଭାବ ଗଙ୍ଗାଧରଙ୍କର ଥିଲା । ସେଥିପାଇଁ ଉତ୍କଳେ ସେ ସ୍ଵଭାଵ କଵି ବୋଲାଇଲେ । ତେବେ ଦୁଃଖର ଵିଷୟ ଅତୀତର ଇତିହାସରୁ ଓଡ଼ିଶାର ଲୋକେ କିଛି ଶିଖନ୍ତି ନାହିଁ । ଓଡ଼ିଆମାନେ ସ୍ଵାଧୀନତା ପରେ ପରେ ହିନ୍ଦୀଭାଷୀଙ୍କ ପୂର୍ଵ କୃତ୍ୟ ପ୍ରାୟତଃ ଭୁଲିଗଲେ ହେଲେ ହିନ୍ଦିଆମାନେ ଭିତରେ ଭିତରେ ଓଡ଼ିଶାର ଵିଭାଜନ ତଥା ଓଡ଼ିଆ ଭାଷା ହତ୍ୟାର ଵିଵିଧ ଷଡ଼ଯନ୍ତ୍ର ରଚି ଚାଲିଲେ । 

ଆଜି ବି ଓଡ଼ିଶାର ବୁଦ୍ଧିଜୀଵୀ,ଧନିକଜନ ଓ ରାଜନେତା ଇତ୍ୟାଦି Hindi Imposition ସମ୍ବନ୍ଧରେ ପଦେ କହିଵାକୁ ସୁଦ୍ଧା ସାହସ କରୁନାହାନ୍ତି ଵିରୋଧ କରିଵା ତ ବହୁତ ଦୂରର କଥା । ସେତେବେଳେ ଯୋର୍ ଯବର କରି ଓଡ଼ିଆ ଅଞ୍ଚଳରେ ହିନ୍ଦୀ ପ୍ରଚଳନ କରି ଓଡ଼ିଆ ଭାଷାକୁ ମାରି ଦେଵା ପାଇଁ ହିନ୍ଦିଭାଷୀ ଲାଗିଥିଲେ ଆଉ ଆଜି ଓଡ଼ିଆ ଲୋକଙ୍କ ମଧ୍ୟରେ ଆଞ୍ଚଳିକଵାଦ ସୃଷ୍ଟି କରି ଓଡ଼ିଆ ଅଞ୍ଚଳ ତଥା ଓଡ଼ିଆ ଶୈଳୀ ଛଡ଼ାଇ ନେଵାକୁ ଚକ୍ରାନ୍ତ କରୁଅଛନ୍ତି । 

 ସ୍ଵଭାଵ କଵି ଗଙ୍ଗାଧର ମେହେରଙ୍କ ଦ୍ଵାରା ରଚିତ ଆଉ ଏକ ଜନପ୍ରିୟ କଵିତା ହେଉଛି “ଭାରତୀ ରୋଦନ” । ଓଡ଼ିଆ ଜାତି ପ୍ରତି ଉତ୍ତର ଭାରତୀୟ ଲୋକଙ୍କ ଦ୍ଵାରା କରାଯାଇଥିଵା ପାତର ଅନ୍ତର,ଅନ୍ୟାୟ ଓ ଶୋଷଣକୁ ମନେ ପକାଇଵାର ଦିନଟିଏ ହେଉଛି ଆଜି । ଆଜିର ଏହି ଦିନରେ ଉକ୍ତ “ଭାରତୀ ରୋଦନ” କଵିତାଟି ଏଠାରେ ସମ୍ପୂର୍ଣ୍ଣ ପ୍ରଦତ୍ତ ହେଲା...



   ×••••••••••••••••••••••••
         ଭାରତୀ ରୋଦନ
       (ଗଙ୍ଗାଧର ମେହେର)
     ••••••••••••••••••••••••×
ଉତ୍କଳ ଭାରତୀ ରୋଦନ କରୁଛି କାତରେ ସମ୍ବଲପୁରେ,
ସେ ଵିକଳ ଧ୍ଵନି କର୍ଣ୍ଣରେ ପଡି଼ଲେ ନୟନେ ଲୋତକ ପୂରେ ।

ବୋଲଇ ଦୁଃଖିନୀ କେତେ କେତେ କଷ୍ଟ ସହି ମୋ କୋଳରେ ଧରି,
କୁମାରଙ୍କୁ ମୋର ପାଳନ କରୁଛି ପ୍ରାଣାଧିକ ସ୍ନେହ କରି ।

ପୁତ୍ରମାନେ ମୋର ବଢି଼ଆସୁଛନ୍ତି ଶୁକ୍ଳପକ୍ଷେ ଯଥା ଶଶୀ ,
ଶ୍ରଵଣକୁ ମୋର ତୋଷୁଥାନ୍ତି କହି ମୃଦୁଵାକ୍ୟେ ହସି ହସି । 

ନାନା ଉପହାରେ ପୂଜିବେ ମୋ ପାଦେ ଏହି ଆଶା ଥିଲା ମନେ,
ଦାଵାନଳ ଆସି ଲାଗିଯାଉଅଛି ସେ ଆଶା କୁସୁମଵନେ ।

ଫୁଟି-ଆସୁଅଛି ଆହା କି ! ସୁନ୍ଦର ସୁନ୍ଦର କୁସୁମମାନ,
କେତେ ଵୃକ୍ଷ ଅଵା ଫଳମାନ ଫଳି ହୋଇଅଛି ସାନ ସାନ ।

ଏହି ସୁଖମୟ ସମୟେ ଦଗଧ ହେଉଅଛି ଏହି ଵନ,
ଦେଖି ଵିସ୍ମୟରେ ହାହାକାର କରୁଛନ୍ତି ମୋ କୁସୁମଗଣ । 

ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି କରିଵ ପରା ରାଜତ୍ୱ,
ମୋ ଆଶା କାନନ ଭସ୍ମରାଶି ହେଵ ତା ନଵ ଉଦ୍ଯାନେ ଖତ ।

ଉପମାତା ଆସି ଗର୍ଭଧାରିଣୀର ମସ୍ତକେ ଚରଣ ଦେବଵ
ଏ ଦଶା ଦେଖିଲେ କେଁଉ ସନ୍ତାନର ମନରେ ଦୁଃଖ ନହେବ । 

ତା’ କୁନ୍ତ ପ୍ରହାରେ ଜୀଵନ ନ ଯିଵ
ହେଉଥିବି କଲବଲ 
ମୋହ ରକ୍ଷା ପାଇଁ ଵିକଳ ମୋ ପୁଏ ମୁଖେ ଦେଉଥିବେ ଜଳ ।

ଏ କଥା ସୁମରୀ ସୁମରୀ ମୋ’ ତନୁ ହୋଇ ଆସିଲାଣି କ୍ଷୀଣ,
ଚିନ୍ତା-ଜ୍ଵର ମୋତେ ଘୋଟି ଆସିଲାଣି ରହିଵ କି ଚିର ଦିନ ?

ଆହା ରେ ଦଇଵ ଏହି କଷ୍ଟ ଦଶା
ଲେଖିଅଛୁ କି ମୋ ଭାଲେ,
ପଥର ଵର୍ଷଣ ହେଵ କି ଅକାଳେ
ମଲ୍ଲିକା କୁସୁମମାଳେ ।

କର ଯୋଡ଼ି ଏହି ପ୍ରାଥନା କରୁଛି 
କୃପାମୟ ରାଜରାଜ,
କାହିଁକି ମୋଠାରେ କୃପା ଊଣା ହେଲା ଏତେ ଦିନ ପରେ ଆଜ । 

ମୋହ ଜାଣିଵାରେ ଶ୍ରୀଛାମୁରେ ମୁହିଁ କରିନାହିଁ କିଛି ଦୋଷ,
ନୀତି-ପରାୟଣ କେଉଁ କାରଣରେ ଅଭାଗିନୀ ପ୍ରତି ରୋଷ ?

ମହା କାକୁସ୍ଥରେ ଉଚ୍ଚୈସ୍ଵରେ ଦେଖ କାନ୍ଦୁଛନ୍ତି ମୋର ପୁଏ,
ଅରକ୍ଷ ରକ୍ଷକ ଏମାନଙ୍କ ପ୍ରତି କାହିଁକି କୃପା ନହୁଏ ?

ଜ୍ଞାନ କଳାକର ଶୀତଳ ଧଵଳ
ଵିଶୁଦ୍ଧ ଜ୍ଞାନ କିରଣ
ଜଗଜ୍ଜନ ହିତ କାରଣ ସତତ କରୁଛି ଵିତରଣ । 

ସେ କିରଣମାଳେ ହେଉଅଛି ଆଜ ଜଗତ ଆଲୋକମୟ,
ମୋହ ଭାଗ୍ୟେ କିମ୍ପା ଘୋଟିଆସୁଅଛି ନିଵିଡ଼ ତିମିରଚୟ । 

ଆସ ବାପଧନ ନୃପରାଜ ସିଂହ
ବରପଲ୍ଲୀ ଅଧୀଶ୍ଵର,
ତୁମ୍ଭ ପରା ଲୋକ ସହାୟ ନ ହେଲେ ହେଲି ସିନା ହତାଦର ।

କାହାକୁ କହିବି ଆଉ କେ ମୋ ଅଛି ? ଜାଣିଵାକୁ ମନକଥା,
ତୁମ୍ଭମାନେ ଯେବେ ମନ ଲଗାଇଵ 
ଘୁଞ୍ଚିପାରେ ମୋର ଵ୍ୟଥା । 

ଆସ ଆସ ମୋର ପ୍ରିୟ ହରିହର
ସିଂହ ରାୟ ବାହାଦୂର,
ଵଚନରେ ମୋର କାଳି ଲାଗୁଅଛି 
ଯତ୍ନେ ବେଗେ କର ଦୂର ।

ବେଳ ଥାଉଁ ଥାଉଁ ଯତ୍ନ କର ବେଗେ ଆସ ମୋ କୁମାରଗଣ,
ପାଣି ବୋହିଗଲେ ବନ୍ଧ ବାନ୍ଧିଵାର ହେଵ ସିନା ଅକାରଣ । 

ଵିନୟ ଭାଵରେ ନିଵେଦନ କର
ସର୍ଵେ ହୋଇ ଏକମୁଖ,
ଧର୍ମ ଅଵତାର ରାଜ ରାଜେଶ୍ଵର
ଅଵଶ୍ୟ ଶୁଣିବେ ଦୁଃଖ ।

ମହତ ଛାମୁରେ ପ୍ରାଥନା କରିଵା 
ପ୍ରଶଂସ୍ୟ ଅଟଇ ସଦା,
ଫଳ ଲାଭ ପଛେ ନ ହେଲେ ନ ହେଵ ନୀଚେ ନ ଯାଚିଵ କଦା ‌ ।

ମୋହ ଲାଗି କେତେ ଯତନ କରୁଛି ଆହା ମୋ ଧରଣୀଧର,
ତତେ ଘେନି ମୁହିଁ ପୁତ୍ରଵତୀ ଏକା
ତୁ ମୋର ଯୋଗ୍ୟ କୁମର ।

ଆଉ କେତେଜଣ ଅଛନ୍ତି ଵତ୍ସରେ
ତୋହ ଗୁଣ ଅନୁସରି,
ଚୀରଜୀଵୀ ହୁଅ ସୁଖୀ ହୋଇଥିବି 
ତୁମ୍ଭଙ୍କୁ କୋଳରେ ଧରି । 

ଆଉ କେତେଗୋଟି ମହାତ୍ମା ଅଛନ୍ତି ସ୍ଵାର୍ଥପର ସିନା ସର୍ଵେ,
ଆଜି ଯାଏଁ ମୋତେ ଚିହ୍ନିନାହାନ୍ତି
ସେ ପଦ ମଦ ଧନ ଗର୍ଵେ । 

ଧନ ଯଉଵନ ନିତ୍ୟ ନୁହେଁ ବାବୁ 
ପଦ୍ମଦଳେ ଜଳ ଯଥା,
ଯେ ଯାହା କରିଵ ଚିରଦିନ ପାଇଁ ରହିଯିଵ ସିନା କଥା । 

    ו••••••••••••••••••••×

Saturday, September 10, 2022

ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷାରେ ପ୍ରଚଳିତ ଜୂଷ୍ ଵା ଯୂଷ୍ ଶବ୍ଦ(ଶବ୍ଦଭେଦୀର ଜୀଵନ-୪)




ଗଞ୍ଜାମ ଜିଲ୍ଲାର ପିଲାଙ୍କ ସହିତ ଖାଇଵା ବେଳେ ସେମାନେ ଅଣ ଵା ଝୋଳକୁ ପ୍ରାୟତଃ ଜୂଷ୍ ଵା ଯୂଷ୍ କହୁଥିଵା ଶୁଣିଛି । ଆଗେ ଭାବୁଥିଲି ହୁଏତ ଏ ଶବ୍ଦଟି ଇଂରାଜୀର juice ଶବ୍ଦର ଓଡ଼ିଆକରଣ ହୋଇଥିଵ କାରଣ ପ୍ରାୟତଃ ଗଞ୍ଜାମଵାସୀ ଭାଇମାନେ ଏ ଶବ୍ଦକୁ ଇଂରାଜୀର juiceଶବ୍ଦ ଭଳି ହଳନ୍ତଵତ୍ କରି ଜୂଷ୍ ଉଚ୍ଚାରଣ କରିଥାନ୍ତି ଏଵଂ କେହି କେହି ଜୂଷୁ ମଧ୍ୟ ଉଚ୍ଚାରଣ କରନ୍ତି । ଜଣେ ଗଞ୍ଜାମଵାସୀ ଭାଇଙ୍କ ମୁହଁରୁ ଏ ଜୂଷ୍ ଵା ଜୁଷୁ ଶବ୍ଦ ଶୁଣି ସେଦିନ ନିଜର ଅଜ୍ଞତା ଯୋଗୁଁ କହିଦେଇଥିଲି ଆରେ ଭାଇ ଏଇଟା ତ ଇଂରାଜୀ Juice ଶବ୍ଦର ଓଡ଼ିଆକରଣ କିନ୍ତୁ ଆମେ ଢେଙ୍କାନାଳଵାସୀ ଝୋଳ ଆଉ ଅ'ଅ'ଣ କହୁ । ମୁଁ ଜାଣିନି ସେ ଭାଇ ଆପଣା ମନରେ କ'ଣ ଭାବିଥିବେ । ତେବେ ଏହା ପରେ ପରେ ଦକ୍ଷିଣ ଓଡ଼ିଶାର ଅନେକ ଅନେକ ଲୋକଙ୍କ ମୁଖରୁ ଵିଶେଷତଃ ବୃଦ୍ଧ ଓ ମଧ୍ୟ ଵୟସ୍କ ଲୋକଙ୍କ ମୁହଁରୁ ଏ ଶବ୍ଦ ବାରମ୍ବାର ଶୁଣିଵାରୁ ମୋତେ କାହିଁକି ସନ୍ଦେହ ହେଲା । ତେଣୁ ଦକ୍ଷିଣୀ ଓଡ଼ିଆ କଥିତ ଶୈଳୀରେ ପ୍ରଚଳିତ ଏ ଶବ୍ଦ ଵିଷୟରେ ଜାଣିଵା ପାଇଁ ଵିଭିନ୍ନ ଭାଷାକୋଷାଦିରେ ଏଷଣା କରିଵାକୁ ଲାଗିଲି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଖିଲି ଜୁଷ ବୋଲି ଏକ ଦେଶଜ ଵିଶେଷ୍ଯ ଶବ୍ଦ 'ଜୁଷ୍'ର ଉଲ୍ଲେଖ କରାଯାଇଛି ଏଵଂ ଏହାର ଅର୍ଥ ଲେଖାଅଛି "ସୁରୁଆ; ଡାଲି, ମାଂସ ଆଦି ସିଝା ହୋଇ ଥିବା ପାଣି; ଝୋଳ" । ଏଥିରୁ ଏତିକି ସ୍ପଷ୍ଟ ହୋଇଗଲା ଯେ ଦକ୍ଷିଣ ଓଡ଼ିଶାରେ ପ୍ରଚଳିତ ଜୁଷ୍ ଶବ୍ଦ ଏବେକାର ନୁହେଁ ଵରଂ ବହୁପୂର୍ଵକାଳରୁ ଏହି ଶବ୍ଦ ଚଳି ଆସୁଛି ।

ତଥାପି ସନ୍ଦେହ ଦୂର ହୋନଥାଏ ତେଣୁ ଇଂରାଜୀ ଭାଷାରେ ପ୍ରଚଳିତ Juice ଶବ୍ଦ ଵିଷୟରେ ଏଷଣା କରିଵାକୁ ଲାଗିଲି । ଜାଣିଵାକୁ ପାଇଲି ଯେ ଏହି ଇଂରାଜୀ Juice ଶବ୍ଦଟି ପୂର୍ଵେ ଏ ଭାଷାରେ jus ଓ juis, ଲେଖାଯାଉଥିଲା ଏଵଂ ଏହା ମୂଳତଃ ଫ୍ରେଞ୍ଚ ଶବ୍ଦ jus, jous, ସହିତ ସମୋଦ୍ଧୃତ । ପୁଣି ପ୍ରୋକ୍ତ ଫ୍ରେଞ୍ଚ ଶବ୍ଦଦ୍ଵୟ ମଧ୍ୟ ଲାଟିନ ଭାଷାରୁ ଗୃହୀତ ହୋଇଛି ‌। 
ପୁନଶ୍ଚ ମୂଳ ଲାଟିନ ଶବ୍ଦ jūs (“broth, soup, sauce”)ରୁ ଫ୍ରେଞ୍ଚ ଭାଷାର jus, jous ଆଦି ଶବ୍ଦ ସୃଷ୍ଟି ହୋଇଅଛି । 
ଇଂରାଜୀ ଭାଷାରେ ଫ୍ରେଞ୍ଚ ଭାଷାରୁ ଆସି jus ଓ juis ଶବ୍ଦ ପ୍ରଚଳନ ହେଵାରୁ ଏ ଭାଷାର ଜୁସ୍ ଅର୍ଥରେ ପ୍ରୟୋଗ କରାଯାଉଥିଵା, wos, woos (“juice”) ଆଦି ଶବ୍ଦ ଲୋପ ପାଇଗଲା ।  

ତେବେ ଗଞ୍ଜାମ ଜିଲ୍ଲାରେ ଅଣ ଵା ଝୋଳ ପାଇଁ ଯେଉଁ ଜୂଷ୍ ଶବ୍ଦ ପ୍ରଚଳିତ ତାହା ଇଂରାଜୀ ଭାଷାରୁ ନିଆଯାଇନାହିଁ ବୋଲି ମୋର ସେତେବେଳେ ଵିଶ୍ଵାସ ଜନ୍ମିଲା ଯେତେବେଳେ ମୁଁ ସଂସ୍କୃତ ଭାଷାରେ ଏକ ସମାର୍ଥକ ଶବ୍ଦ ପାଇଲି । ସେହି ସଂସ୍କୃତ ଶବ୍ଦଟି ବହୁକାଳରୁ ଭାରତଵର୍ଷରେ ପ୍ରଚଳିତ ଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସେହି ସଂସ୍କୃତ ଶବ୍ଦ ଯୂଷ ତଥା ଜୂଷ ବୋଲି ଉଲ୍ଲେଖ କରାଯାଇଛି। 

ଭାଷାକୋଷ ଅନୁସାରେ ସଂସ୍କୃତ ଭାଷାରେ ଜୂଷ ତଥା ଯୂଷ ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା ଯାହାକୁ ଜୂଷ୍ ଧାତୁ ତଥା ଯୂଷ ଧାତୁରୁ ନିଷ୍ପନ୍ନ କରାଯାଇଥିଲା ଏଵଂ ଆଗେ ଭାରତରେ କ୍ୱାଥ; ଅଣ; ଝୋଳ; ଡାଲି ଆଦିର ଅଣକୁ ଜୂଷ ଵା ଯୂଷ କୁହାଯାଉଥିଲା । 

ମନେ ରଖିଵାକୁ ହେଵ ଯେ ସଂସ୍କୃତ ଭାଷାରେ ଏହିପରି ତିନୋଟି ଶବ୍ଦ ରହିଛି।

ଜୁଷ । ଏହି ଜୁଷ ଶବ୍ଦର ଅର୍ଥ ସେଵକ,ସହାୟକ,ପ୍ରଣୟୀ ଓ ପୂଜକ । ଏହି ଜୁଷ ଶବ୍ଦଟି ଜୁଷ୍ ଧାତୁରୁ ସେଵା କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି। 

ଯୂଷ । ଏହି ଯୂଷ ଶବ୍ଦର ଅର୍ଥ ଝୋଳ ଵା କ୍ଵାଥ,ମୁଗ ଆଦିର ସିଝା ପାଣି ; ୧୮ ଗୁଣ, ମତାନ୍ତରରେ ୪ ଗୁଣ, ଜଳରେ ଡାଲି ସିଝା ହୋଇ ଥିଵା ପାଣି ଓ ବ୍ରହ୍ମଦାରୁ ଵା ତୁତ୍ ଵୃକ୍ଷ । ଏହି ଯୂଷ ଶବ୍ଦର ଅନ୍ୟ ରୂପ ଜୂଷ ଅଟେ । 

ଜୂଷ ଓ ଯୂଷ ଶବ୍ଦଦ୍ଵୟ ଯଥାକ୍ରମେ ଜୂଷ୍ ଧାତୁ ଓ ଯୂଷ୍ ଧାତୁରୁ ଵଧ କରିଵା କିମ୍ବା ତୃପ୍ତ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି । ଯେତେବେଳେ ଝୋଳ ଵା ପନିପରିଵା ରସ କରାଯାଏ ତହିଁର ପରିଵାକୁ ବହୁତ ସମୟ ଯାଏଁ ନିଆଁରେ ବସାଇ ସିଝାଯାଏ । ପରିଵାକୁ ଏତେ ସିଝିଯାଏ ଯେ ତାହା ପ୍ରାୟତଃ ମିଶିଯାଏ ଏଵଂ ସେହି ମିଶ୍ରିତ ଖାଦ୍ୟଦ୍ରଵ୍ୟ ପୂର୍ଵେ ଯୂଷ ତଥା ଜୂଷ ବୋଲାଉଥିଲା । ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୁଏ ଯେ ଭାରତୀୟମାନେ ବହୁ ପ୍ରାଚୀନ କାଳରୁ ସୂପ୍ ବନାଇଵା ଜାଣିଥିଲେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାର ପ୍ରାକ୍ ଭାରୋଇରାନୀୟ ରୂପ *ȷ́uṣṭás ତଥା ଭାରୋୟୀୟ ଶବ୍ଦ *ǵus-tó-s ନିର୍ଣ୍ଣୟ କରିଛନ୍ତି । ପୁଣି ଏହାର ମୂଳ ଭାରୋପୀୟ ଧାତୁ ରୂପ *ǵews- (“to try, taste”) ନିର୍ଣ୍ଣିତ ହୋଇଛି । ସୂପ କଲାବେଳେ ଵା ଅନେକ ପରିଵା ମିଶାଇ ଝୋଳ ଅଥଵା କ୍ଵାଥ କଲାବେଳେ ସବୁ ଦ୍ରଵ୍ୟ ନିଜର ସ୍ଵରୂପ ହରାଇ ମିଶ୍ରିତ ହୁଅନ୍ତି ତେଣୁ ଏଠାରେ ମିଶିଯିଵାର ଭାବ ଲୁକ୍କାୟିତ ରହିଛି । ପାର୍ସୀ ଭାଷାରେ ସେଥିପାଇଁ ବନ୍ଧୁ ଅର୍ଥରେ ପ୍ରଚଳିତ دوست‎ (ଦୋସ୍ତ, “ବନ୍ଧୁ”) ଶବ୍ଦଟି ଏହି ମିଶ୍ରଣ ହେଵା ଅର୍ଥ ଘେନି ମୂଳ ଶବ୍ଦରୁ ସୃଷ୍ଟି ହୋଇଅଛି ବୋଲି ଭାଷାଵିଦଙ୍କ ମତ । 

ସେହିପରି ପ୍ରାଚୀନ 
ଆଵେସ୍ତାନ ଭାଷାରେ ମଧ୍ୟ ଜୂଷ ଵା ଯୂଷ ସହିତ ସମୋଦ୍ଧୃତ 𐬰𐬎𐬱𐬙𐬀‎(zušta)ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା । ଲାଟିନ ଭାଷାର gustō (“I taste”) ଓ ପ୍ରାଚୀନ ଗ୍ରୀକ୍ ଶବ୍ଦ γεύω (geúō, “to taste”) ସହିତ ସଂସ୍କୃତ ଭାଷାର ଜୂଷ ଓ ଯୂଷ ଶବ୍ଦଦ୍ଵୟ ସମୋଦ୍ଧୃତ। 

ଭାରତୀୟ ଜୂଷ/ଯୂଷ ଶବ୍ଦଦ୍ଵୟର ମୂଳ ଭାରୋପୀୟ ଧାତୁ ǵews ଏଵଂ ଇଂରାଜୀ
Juice ଶବ୍ଦର ମୂଳ ଭାରୋପୀୟ ଧାତୁ ଶବ୍ଦ *yew(“to mix of meal preparation”) ଗୃହୀତ ହୋଇଛି । 

ହୁଏତ ଅତି ପ୍ରାଚୀନ କାଳରେ କୌଣସି ଏକ ମୂଳ ଭାରୋପୀୟ ଶବ୍ଦରୁ ଏ ଉଭୟ ଶବ୍ଦ ସୃଷ୍ଟି ହୋଇଅଛି କିନ୍ତୁ ଏ ଵିଷୟରେ ପାଶ୍ଚାତ୍ୟ ଭାଷାଵିଦମାନେ ସ୍ପଷ୍ଟ ଭାବରେ କିଛି କହିପାରିନାହାନ୍ତି । ବହୁ ପୁରାତନ କାଳରେ ଉଭୟ ଶବ୍ଦ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ରୂପେ ଵିକଶିତ ହୋଇଛି ଏଵଂ ଇଂରାଜୀ ଉପନିଵେଶ କାଳରେ ଭାରତୀୟମାନେ ଵୈଦେଶିକ Juice ଶବ୍ଦ ସହିତ ପରିଚିତ ହୋଇଛନ୍ତି । ତେବେ କୁହାଯାଇପାରେ ଯେ ଝୋଳ ଅର୍ଥରେ ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ଜୂଷ ଵା ଜୁଷ ଶବ୍ଦଟି ଏକ ଭାରତୀୟ ମୂଳର ଶବ୍ଦ । ସାରା ଭାରତର ଲୋକେ ଝୋଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ପ୍ରାଚୀନ ସଂସ୍କୃତ ଶବ୍ଦ ଯୂଷ ଵା ଜୁଷକୁ ଛାଡ଼ି ଦେଇଥିଵା ବେଳେ ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ଏ ଶବ୍ଦ ବଞ୍ଚିରହିଥିଵା କମ୍ ଗୌରଵର କଥା ନୁହଁଇ ।

Wednesday, September 7, 2022

ଆତ୍ମଜ୍ଞାନ (ଜହ୍ନମାମୁଁ)

ଚାଷୀଟିଏ ନିଜର କ୍ଷେତବାଡ଼ି କାମ କରୁଥାଏ । ପାଖ ରାସ୍ତାରେ ଜଣେ ସାଧୁ ଯାଉଥାନ୍ତି । ବହୁତ ଖରା ହେଵାରୁ ଦୁହେଁ ଏକ ଗଛ ମୂଳକୁ ବିଶ୍ରାମ ନେଵାକୁ ଚାଲିଆସିଲେ । 

ସାଧୁ ଚାଷୀକୁ ପଚାରିଲେ,
“ଏ କ୍ଷେତ ତୁମର ତ ? ବେଶ୍‌ ସୁନ୍ଦର ଫସଲ ହୋଇଛି ! ତେବେ ଠିକ୍ ସମୟରେ ଵର୍ଷା ହେଵ ତ ଭଲ ।” 


ସାଧୁଙ୍କୁ ପ୍ରଣାମ କରି ଚାଷୀ କହିଲା , “ସାଧୁବାବା ,ଫସଲ ଆମଦାନୀ ହୋଇ ଘରକୁ ଆସିଲେ ଯାଇ ଜଣାଯିଵ ଏ ଵର୍ଷ ଫସଲ ଭଲ ହୋଇଛି କି ନାହିଁ । ଵର୍ଷା କେତେବେଳେ ଆସିଵ ଵା ନ ଆସିଵ ସେକଥା କିଏ କହିଵ ? ଆଚ୍ଛା , ଆପଣ ଇଆଡ଼େ କୁଆଡ଼େ ଯାଉଛନ୍ତି ?”

 ଅଦୂରରେ ଥିଵା ପାହାଡ଼ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ବାବା କହିଲେ , “ସେଠାରେ ଜଣେ ମହାନ ଜ୍ଞାନୀ ଓ ସିଦ୍ଧପୁରୁଷ ଅଛନ୍ତି । ଜ୍ଞାନଉପଦେଶ ପାଇଁ ମୁଁ ସେଠାକୁ ଯାଉଛି ।” ପୁଣି ମୁଁହ ଉଦାସ କରି ସେ କହିଲେ , ଏହା ପୂର୍ଵରୁ ତିନିଜଣ ଗୁରୁଙ୍କର ମୁଁ ସେଵା କରିଛି କିନ୍ତୁ ଜଣେ ହେଲେ କେହି ମୋତେ ଆତ୍ମଜ୍ଞାନ ଶିକ୍ଷା ଦେଲେ ନାହିଁ । ଦେଖେ ଏଥର କ’ଣ ହେଉଛି !”

ଏକଥା ଶୁଣି ଚାଷୀଟି ହସିକରି କହିଲା, ଚାଳିଶ ଵର୍ଷ ଧରି ମୁଁ ନିଜେ ଫସଲ ଦେଖୁଛି ଓ ପଚାଶ ଵର୍ଷ ଧରି ଵର୍ଷାକୁ ଦେଖୁଛି ; ତଥାପି ମଧ୍ୟ କାଲ କ'ଣ ହେଵ, ଏତେଦିନର ଅଭିଜ୍ଞତା ଥାଇ ମଧ୍ୟ ସବୁ ଵ୍ୟର୍ଥ । ଆଉ ଆପଣ ଅନ୍ୟଜଣକର ଅଭିଜ୍ଞତାରୁ ଆତ୍ମଜ୍ଞାନ ପାଇଵାକୁ ଚେଷ୍ଟା କରୁଛନ୍ତି ? କିଏ କହିଵ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଵ କି ନାହିଁ ।” ଚାଷୀର ଏ କଥାରେ ସାଧୁଙ୍କର ଜ୍ଞାନୋଦୟ ହେଲା । “ଆତ୍ମଜ୍ଞାନ ପାଇଁ ନିଜେ ପ୍ରଚେଷ୍ଟା କରିଵା ଉଚିତ୍ ।” ଏହି ଶିକ୍ଷାଲାଭ କରି ସାଧୁ ସେହିଠାରୁ ହିଁ ଫେରିଗଲେ । 

(ଓଡ଼ିଆ ଜହ୍ନମାମୁଁ ପତ୍ରିକାର ୧୯୯୦ ଵର୍ଷ ଅଗଷ୍ଟ ମାସରେ ପ୍ରକାଶିତ ଗଳ୍ପ)

Monday, September 5, 2022

ତିନିଜଣ ଯାତ୍ରୀଙ୍କ କଥା


ତିନିଜଣ ଯାତ୍ରୀ କଳିଙ୍ଗଦେଶକୁ ଯାଉଥାନ୍ତି । ଜଣେ ବଙ୍ଗ ଦେଶର ଆନ ଜଣେ ପୁଣ୍ଟ୍ର ଦେଶର(ଆଧୁନିକ ବଙ୍ଗଳାଦେଶର ଉତ୍ତରାଂଶ) ଏଵଂ ତୃତୀୟ ଜଣକ କୁଣ୍ଡଳା ଦେଶଵାସୀ(ବାଲେଶ୍ଵର ଜିଲ୍ଲାର ଏକ ପ୍ରାଚୀନ ରାଜ୍ୟ) । 


ବଙ୍ଗ ଦେଶୀୟ ଵ୍ୟକ୍ତିର ନାଆଁ ମୋହନ ଏଵଂ ସେ ଧନୀଘରର ପିଲା କିନ୍ତୁ ଭୁଲ୍ ବାଟରେ ଧନ ଉଡ଼େଇଲା ପରେ କାଙ୍ଗାଳ ‌ହୋଇଯାଇଥାଏ ‌।

 ଦ୍ଵିତୀୟ ଯାତ୍ରୀ ପୁଣ୍ଡ୍ରଦେଶଵାସୀ ଏଵଂ ତାହାର ନାମ ରମେଶ,ସେ ମଧ୍ୟ ତା ସ୍ତ୍ରୀ ମଲାପରେ ମଦ୍ଯପ ତଥା ଦ୍ୟୁତକ୍ରୀଡ଼ା ଆସକ୍ତ ହୋଇଗଲାରୁ ଅର୍ଥାଭାଵ ଯୋଗୁଁ ଦରିଦ୍ର ହୋଇଯାଇଥାଏ । 
 
ତୃତୀୟ ଵ୍ୟକ୍ତିଜଣକ ଏକ ଛୋଟିଆ ରାଜ୍ୟ କୁଣ୍ଡଳା ଦେଶର ଅଧିଵାସୀ ଏଵଂ ତାଙ୍କର ନାମ ଗଣେଶ ତଥା ସେ ବଡ଼ ଈଶ୍ଵରଵିଶ୍ଵାସୀ ଓ କର୍ମଵାଦୀ ମଣିଷ । 

ବଙ୍ଗ ଓ ପୁଣ୍ଡ୍ର ଦେଶର ଅଧିଵାସୀଦ୍ଵୟ ପଡ଼ୋଶୀ ରାଜ୍ୟ କଳିଙ୍ଗ ଦେଶର ରାଜା ମହେନ୍ଦ୍ରଵର୍ମାଙ୍କୁ ଦାନୀ ଜାଣି ତାଙ୍କ ପାଖକୁ ଯାଉଥାନ୍ତି । ସେମାନେ କଳିଙ୍ଗ ଦେଶର ଏକ ପାନ୍ଥଶାଳାରେ ରାତ୍ରିଯାପନ କଲେ । ସେତେବେଳକୁ କଳିଙ୍ଗ ରାଜା ମହେନ୍ଦ୍ର ଵର୍ମା ଛଦ୍ମବେଶରେ ସେହି ପାନ୍ଥନିଵାସ ମଧ୍ୟରେ ଉପସ୍ଥିତ ଥାଆନ୍ତି । 

ତିନିଜଣ ଆଗନ୍ତୁକ ପରସ୍ପର ମଧ୍ୟରେ କଥାଵାର୍ତ୍ତା କରୁଥାନ୍ତି । ବଙ୍ଗନିଵାସୀ ଜଣକ କହିଲେ ମୁଁ ଶୁଣିଛି କଳିଙ୍ଗ ରାଜା ବଡ଼ ଦାନୀ ତେଣୁ ମୁଁ ତାଙ୍କୁ କିଛି ଅର୍ଥ ସାହାଯ୍ୟ କରିଵାକୁ ଅନୁରୋଧ କରିବି । ଅର୍ଥ ଥିଲାବେଳେ ମୁଁ ବାବୁ ରଁକ ଜୀଵନ ଵିତାଉଥିଲି ଏବେ ଟଙ୍କା ଚାଲିଗଲା ପରେ ବୁଝୁଛି ଏକ ଏକ ଟଙ୍କା କେତେ ମୂଲ୍ୟଵାନ । ରାଜାଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇଲେ ସିଂହଳ ଲବଙ୍ଗ କି ବାଲି ଦ୍ଵୀପକୁ ବୋଇତରେ ଯାଇ ବେପାର କରିବି ଆଉ ପୂର୍ଵ ପରି ଧନିକ ହୋଇଯିବି ସୁଖରେ ରହିବି । 

ତତ୍ପରେ ପୁଣ୍ଡ୍ରଦେଶରୁ ଆସିଥିଵା ଵ୍ୟକ୍ତି କହିଲା ମୋ ସ୍ତ୍ରୀ ଭୁଵନ ସୁନ୍ଦରୀ ଥିଲା । ତା ଭଳି ରୂପମତି ଗୁଣମତି ସ୍ତ୍ରୀ ସଂସାରରେ ଅତ୍ୟନ୍ତ ଦୁର୍ଲଭ । ତାକୁ ପାଇ ମୁଁ ବଡ଼ ସୁଖରେ କାଳାତିପାତ କରୁଥିଲି । କିନ୍ତୁ ଦୈଵ ଵିଧାନ ଭିନ୍ନ ଥିଲା । କି ବାଡି଼ରୋଗ ଵ୍ଯାପିଲା ଯେ ମହାସ୍ଥାନଗଡ଼ର ଲକ୍ଷ ଲକ୍ଷ ଲୋକ ପୋକମାଛି ଭଳି ମରିଗଲେ । ସେ ପୋଡ଼ାମୁହାଁ ବାଡ଼ି ରୋଗ ଯୋଗୁଁ ମୋ ସ୍ତ୍ରୀ ମୋତେ ଛାଡ଼ି ଆରପାରିକୁ ଚାଲିଗଲା । ମୁଁ କଳିଙ୍ଗ ରାଜାଙ୍କୁ ଦାନୀ ଜାଣି ତାଙ୍କ ପାଖକୁ ଯାଉଅଛି । ମୋତେ ସିଏ ଏକ ସୁନ୍ଦରୀ କନ୍ୟାଦାନ କଲେ ମୁଁ ତାକୁ ନେଇ ନୂଆ ସଂସାର ଗଢି଼ବି । 

ଦୁଇଜଣ ଆଗନ୍ତୁକଙ୍କ କଥାଶୁଣି କୁଣ୍ଡଳାଦେଶଵାସୀ ତୃତୀୟ ଵ୍ୟକ୍ତିଜଣକ କହିଲା ଭାଇମାନେ ତୁମ୍ଭ ଦୁହିଁଙ୍କୁ ଶୁଭ ସୁନ୍ଦର ସମ୍ପନ୍ନ ଉଜ୍ଵଳ ଭଵିଷ୍ୟତର ଶୁଭକାମନା ତେବେ ମୋ କଥା ସମ୍ପୂର୍ଣ୍ଣ ଭିନ୍ନ । ମୁଁ ତ କଳିଙ୍ଗ ଦେଶସ୍ଥ ନୀଳଚାଳଧାମ ଗମନ କରୁଛି । ଶୁଣିଛି କଳିଙ୍ଗ ଦେଶର ପ୍ରକୃତ ରାଜା କୁଆଡେ଼ ସେହି ଏଵଂ ତାଙ୍କ ଇଚ୍ଛା ଵିନା ସଂସାରରେ ପତ୍ରଟିଏ ବି ହଲେ ନାହିଁ । ଛନ୍ଦ୍ମବେଶରେ ରାଜା ସେ ତିନିଜଣଙ୍କ କଥା ଶୁଣୁଥାନ୍ତି ତହୁଁ ସେ ସେହି ତିନିଜଣ ଆଗନ୍ତୁକଙ୍କୁ ଧରି ରାଜନଗରକୁ ନେଇ ଆସିଵାକୁ ସ୍ଥାନୀୟ କଟୁଆଳଙ୍କୁ ଆଜ୍ଞା ଦେଇ ସେଠାରୁ ଚାଲି ଆସିଲେ । 

ସକାଳେ ସେମାନଙ୍କୁ ରାଜାଙ୍କ ଛାମୁରେ ଉପସ୍ଥିତ କରାଗଲା । 


ବଙ୍ଗଦେଶଵାସୀ ଵ୍ୟକ୍ତି ଧନ ମାଗିଲାରୁ ରାଜା ତାକୁ ଦୁଇ ଥାଳି ସ୍ଵର୍ଣ୍ଣମୁଦ୍ରା ଦେଲେ । ପୁଣ୍ଡ୍ର ଦେଶୀୟ ଦ୍ଵିତୀୟ ଵ୍ୟକ୍ତି ଜଣକ ଏକ ସୁନ୍ଦରୀ କନ୍ୟା ମାଗିଵାରୁ ରାଜା ତାକୁ କନ୍ୟାଟିଏ ପ୍ରଦାନ କଲେ ‌ । 

କିନ୍ତୁ କୁଣ୍ଡଳା ଦେଶଵାସୀ ତୃତୀୟ କିଛି ନମାଗି ଜଗନ୍ନାଥଙ୍କ ସ୍ତୁତି କରିଵାକୁ ଲାଗିଲା । ରାଜା ତାଙ୍କୁ ଏମନ୍ତ କରିଵାର କାରଣ ଜିଜ୍ଞାସା କରିଵାରୁ ସେ କହିଲା ମୋ ପ୍ରଭୁ ତ ସ୍ଵୟଂ ଶ୍ରୀଜଗନ୍ନାଥ ସେ ହିଁ ସମସ୍ତ ଚରାଚର ଜଗତର ରାଜା । ସେ ଯଦି ଚାହିଁବେ ମୋତେ ପ୍ରାଣଦଣ୍ଡ ଦେବେ କିମ୍ବା ଅର୍ଥ ଓ କନ୍ୟା ଉଭୟ ପ୍ରଦାନ କରିବେ । କଳିଙ୍ଗ ରାଜା ମହେନ୍ଦ୍ର ଵର୍ମାଙ୍କର ଅହଂ ଥିଲା ଯେ ଅଧୁନା ଜଗତରେ ତାଙ୍କଠାରୁ ବଡ଼ ଦାନୀ କେହି ନାହିଁ । 

ଏ ତୃତୀୟ ଲୋକଟି ତାଙ୍କଠାରୁ ଧନ, ଜନ କି ସମ୍ମାନ କିଛି ବି ଦାନ ନନେଵାରୁ ସେ ବହୁତ ରାଗିଲେ । ତିନିଜଣ ଆଗନ୍ତୁକ ସେ ସ୍ଥାନରୁ ଚାଲିଯିଵା ପରେ ରାଜା କଟୁଆଳଙ୍କୁ କହିଲେ ଏହି ତିନିଜଣଙ୍କ ମଧ୍ୟରେ ସ୍ଵର୍ଣ୍ଣମୁଦ୍ରା ଥଳି ଧରିଥିଵା ଲୋକ ଆଉ ସାଥିରେ ସ୍ତ୍ରୀ ଥିଵା ଲୋକକୁ ଛାଡ଼ି ଯୋଉ ଲୋକ ଖାଲି ହାତରେ ଯାଉଥିଵ ତାହାର ମୁଣ୍ଡ କାଟି ଆଣିଵ ।

 ତିନିଜଣ ଆଗନ୍ତୁକ ଦିଅଁଦର୍ଶନ କରି ଆପଣା ଗୃହକୁ ବାହୁଡି଼ ଯିଵା ଉଦ୍ଦେଶ୍ୟରେ ପୁରୀ ଆଡ଼େ ଯାଉଥାନ୍ତି । ବାଟରେ କୁଣ୍ଡଳା ଦେଶର ଵ୍ୟକ୍ତିକୁ ବଙ୍ଗଦେଶର ଵ୍ୟକ୍ତି କିଛି ସମୟ ତାହାର ଓଜନିଆ ସ୍ଵର୍ଣ୍ଣମୁଦ୍ରା ଥଳି ଧରିଵାକୁ ଅନୁରୋଧ କଲା ‌ । ଏହାର କେତେକ କ୍ଷଣ ପରେ କଟୁଆଳର ଆରକ୍ଷୀମାନେ ଆସି ବଙ୍ଗଦେଶର ଲୋକ ହାତରେ କିଛି ନଥିଵା ଦେଖି ତା ମୁଣ୍ଡ କାଟି ରାଜାଙ୍କ ପାଖକୁ ନେଇଗଲେ । ରାଜା ସେ କଟା ମୁଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଲେ କାରଣ ତାହା କୁଣ୍ଡଳା ଦେଶର ନୁହେଁ ଵରଂ ବଙ୍ଗ ଦେଶୀୟ ଵ୍ୟକ୍ତିର ମସ୍ତକ ଥିଲା । 

ତହୁଁ ରାଜା ଆରକ୍ଷୀ ଦଳଙ୍କୁ ଆଉଥରେ ଆଦେଶ ଦେଲେ ପୂର୍ଵୋକ୍ତ ଦୁଇଜଣଙ୍କ ମଧ୍ୟରୁ ଯୋଉ ଲୋକ ସହିତ ସ୍ତ୍ରୀଟିଏ ଯାଉଥିଵ ତାକୁ ଛାଡ଼ି ଅନ୍ୟଜଣକର ମୁଣ୍ଡ କାଟି ନେଇ ଆସିଵ । ଆରକ୍ଷୀମାନେ ଘୋଡ଼ା ଝପଟାଇ ଦେଲେ । ଏଣେ ପଥ ମଧ୍ୟରେ ଆପଣା ସାଥିରେ ରାଜାଙ୍କଠାରୁ ପ୍ରାପ୍ତ କନ୍ୟାରତ୍ନ ଧରି ଯାଉଥିଵା ପୁଣ୍ଡ୍ର ଦେଶର ଅଧିଵାସୀଟି ଲଘୁଶଙ୍କା ଲାଗିଵାରୁ ଅଟକିଗଲା । ସେ ଲଘୁଶଙ୍କା କରୁଥିଵା ସମୟରେ ଏକ ହାତରେ ସ୍ବର୍ଣ୍ଣଥଳୀ ଧରି କୁଣ୍ଡଳା ଦେଶର ଅଧିଵାସୀଟି ସ୍ତ୍ରୀ ଲୋକ ସହିତ କିଛି ବାଟ ଚାଲି ଆସିଥାଏ । ଏତିକିବେଳେ ଆରକ୍ଷୀ ଦଳ ପୁଣ୍ଡ୍ରଦେଶର ଅଧିଵାସୀକୁ ଏକାକୀ ଦେଖି ତାକୁ ମାଡି଼ ବସିଲେ ଆଉ ତାହାର ମୁଣ୍ଡ କାଟି ରାଜାଙ୍କ ପାଖକୁ ନେଇ ଆସିଲେ। ରାଜା ଆହୁରି ଆଶ୍ଚର୍ଯ୍ୟ ହେଲେ । ନିଜର ଗର୍ଵ ଅହଙ୍କାର ଯୋଗୁଁ ଦୁଇଜଣ ମାନଵ ହତ ହେଵା ଦେଖି ସେ ବହୁତ ଅନୁତାପ କଲେ । ଇଆଡ଼େ "ସ୍ଵର୍ଣ୍ଣଧନ ଓ ସ୍ତ୍ରୀଧନ" ଧରି କୁଣ୍ଡଳା ଦେଶର ଅଧିଵାସୀଜଣକ ସୁରୁଖୁରୁରେ ନିଜ ଦେଶକୁ ବାହୁଡ଼ି ଗଲେ ...



(ହିନ୍ଦୀ चंदामामाର ୧୯୭୦ ଵର୍ଷ ମାର୍ଚ୍ଚ ମାସରେ ପ୍ରକାଶିତ ଗଳ୍ପ भाग्य का हाथର ଓଡ଼ିଆ ଭାଵାନ୍ତର ତଥା ସଂକ୍ଷିପ୍ତୀକରଣ ତଥା ଓଡ଼ିଶାକୁ ଦୃଷ୍ଟିରେ ରଖି ଲିଖିତ ଗଳ୍ପ । ମୂଳ ଗଳ୍ପରେ ମହେନ୍ଦ୍ର ଵର୍ମାଙ୍କ ନାମ ଵ୍ୟତୀତ ଅନ୍ୟ କୌଣସି ଦେଶ ଵା ଵ୍ୟକ୍ତି ଵିଶେଷଙ୍କ ନାମୋଲ୍ଲେଖ ନଥିଲା । ଏସବୁ ଏ ଅକିଞ୍ଚନ ଆପଣା ଅଳ୍ପଜ୍ଞାନ ଆଧାରରେ ଯୋଡି଼ଅଛି ।) 
 



Saturday, September 3, 2022

ରାଜନର୍ତ୍ତକୀ


ଅଵନ୍ତୀ ଓ କୁସୁମପୁର ଦୁଇ ରାଜ୍ୟ ମଧ୍ୟରେ ଭଲ ସମ୍ପର୍କ ଥିଲା । ଅଵନ୍ତୀର ରାଜନର୍ତ୍ତକୀ କୌମୁଦୀ , ରାଜାଙ୍କ ଆଜ୍ଞାରେ କୁସୁମପୁର ଉତ୍ସଵରେ ଯୋଗଦେଵାକୁ ଯାଇଥିଲେ । ନୃତ୍ୟ ଶେଷ କରି ଫେରିଵା ରାସ୍ତାରେ ଜଙ୍ଗଲ ମଧ୍ୟରେ ଗୋଟିଏ ଡାକୁଦଳ ତାଙ୍କୁ ବନ୍ଦୀ କରି ତାଙ୍କ ଦଳପତିଙ୍କ ନିକଟକୁ ନେଇଗଲା । ତାଙ୍କ ଶିଵିକା ଵହନ କରୁଥିଵା ଲୋକମାନେ ଓ ସଙ୍ଗରେ ଥିଵା ସୈନ୍ୟମାନେ ମଧ୍ୟ ବନ୍ଦୀ ହେଲେ ।

 କୌମୁଦୀ ଦଳପତିଙ୍କୁ କହିଲେ , “ତୁମେ ବୋଧହୁଏ ମୋତେ ଜଣେ ସାଧାରଣ ସ୍ତ୍ରୀଲୋକ ଭାବି ବନ୍ଦୀ କରିଛ । ମୁଁ ଅଵନ୍ତୀର ରାଜନର୍ତ୍ତକୀ । ମହାରାଜା ତ ନିଶ୍ଚୟ ଖବର ପାଇବେ ଏ ଵିଷୟରେ । ତା’ପରେ ଡାକୁ ହେଵାର ମଜା ପାଇଵ । ସୈନ୍ୟ ପଠାଇ ସେ ସମଗ୍ର ଜଙ୍ଗଲରୁ ଖୋଜି ତୁମକୁ ବାହାର କରିବେ ଓ ଦଣ୍ଡ ଦେବେ । ତେଣୁ ଚୁପ୍‌ଚାପ୍ ଛାଡ଼ିଦିଅ ।”

 ଡାକୁମାନେ ତାଙ୍କ କଥାକୁ ଵିଶ୍ୱାସ କଲେ ନାହିଁ । ଭାବିଲେ ଭୁଲ୍ କଥା । ଡାକୁମାନଙ୍କ ମଧ୍ୟରୁ ଜଣେ କହିଲା , “ତୁମେ ଓ ରାଜନର୍ତ୍ତକୀ ? ଏକବାର ମିଥ୍ୟା କଥା । ଆଉ କିଛି ସମୟ ପରେ ହୁଏତ କହିଵ କି ତମେ ହେଉଛ ଆମ ଦେଶର ମହାରାଣୀ ।”

 ସେ ଡାକୁର କଥା ଶୁଣି ଅନ୍ୟ ଡାକୁମାନେ ହସିପକାଇଲେ । ତହୁଁ ଡାକୁଙ୍କ ଦଳପତି କହିଲା , “ତୁମେ ନାଚ ଓ ପ୍ରମାଣ କର ଯେ ତୁମେ ହିଁ ରାଜନର୍ତ୍ତକୀ ।  

କୌମୁଦୀ କହିଲେ , “ତୁମମାନଙ୍କ ପରି ଜଙ୍ଗଲର ଡାକୁମାନଙ୍କ ସମ୍ମୁଖରେ ନାଚ ? ଜାଣିରଖ ମୁଁ କେଵଳ ରାଜଦରବାରରେ ହିଁ ନାଚେ । ମୋତେ ମାରି ପକାଅ ପଛେ କିନ୍ତୁ ମୁଁ ଏଠାରେ ଆଦୌ ନାଚିବି ନାହିଁ ।”

 କୌମୁଦିଙ୍କର ଵାକ୍ୟରେ ଦୃଢ଼ତା ଶୁଣି ଦଳପତି ଆଶ୍ଚର୍ଯ୍ୟ ହେଲା । ସେ ଭାବିଲା , “ନିଃସନ୍ଦେହ ଇଏ ରାଜନର୍ତ୍ତକୀ , ନହେଲେ ନିଜ ପ୍ରାଣକୁ ସେ ସମ୍ମାନ ପାଖରେ ଵିସର୍ଜନ ଦେଵାକୁ କିପରି ପ୍ରସ୍ତୁତ ହେଵ ?” 

ସେ ତା’ର ଦଳର ଅନ୍ୟାନ୍ୟ ଡାକୁମାନଙ୍କୁ କହିଲା , “ଏମାନଙ୍କୁ ନେଇ ଜଙ୍ଗଲ ସେପାଖରେ ପହଞ୍ଚାଇ ଦିଅ ।” ସେମାନେ ଯଥାରୀତି ଦଳପତିଙ୍କ ଆଜ୍ଞା ପାଳନ କଲେ ।

(ଜହ୍ନମାମୁଁ ଅକ୍ଟୋବର ୧୯୯୫ରେ ପ୍ରକାଶିତ ଗଳ୍ପ)

Tuesday, August 30, 2022

ପ୍ରକୃତ କାରଣ

ଜଣେ ଲୋକ ଜନୈକ ଜମିଦାରଙ୍କ ପାଖକୁ ପୂଜାରୀ କାମ ପାଇଁ ଆସିଥିଲା । ଜମିଦାରଙ୍କୁ ଲଗିଲା ଲୋକଟି ନିହାତି ଭୁଲା ମଣିଷ । ସେ ପଚାରିଲେ , “ ତମେ କହୁଛ ଯେ କେତେ ଜାଗାରେ ତମେ ପୂଜାରୀ କାମ କରିଛ । ତେବେ ସେ ସବୁ ସ୍ଥାନରୁ ଚାକିରୀ ଛାଡ଼ି ଆସିଲ କାହିଁକି ? କ’ଣ ତମେ ବେଶି ସମୟ ଅନୁପସ୍ଥିତ ରୁହ କି ? ” 

ଆଗନ୍ତୁକ ରାନ୍ଧୁଣିଆ ଲୋକଟି କହିଲା “ଆଜ୍ଞା ! ରାନ୍ଧୁଣିଆ ଅନୁପସ୍ଥିତ ରହିଲେ ସମସ୍ତେ ହଇରାଣ ହେବେନାହିଁ ? 

“ତେବେ ରୋଷେଇ କରିଵା ବେଳେ ଚାଖିଵାକୁ ଯାଇ ତମେ ସବୁ ଖାଇ ଦେଵାର ବଦଭ୍ୟାସ ଅଛି କି ? ” ଜମିଦାର ପଚାରିଲେ । 

ନା , ନା , ସମସ୍ତେ ଖାଇ ସାରିଲା ପରେ ଯାହା ବଳେ ମୁଁ ଖାଏ । ” ରାନ୍ଧୁଣିଆ କହିଲା । 


ସେଇଠୁ ଜମିଦାର ପଚାରିଲେ...

ଆଚ୍ଛା ତେବେ କିଛି ଚୋରାଇଵାର ବଦଭ୍ୟାସ ଅଛି କି ? ” 

 “ଯେତେବେଳେ ସାରା ରେଷେଇଘର ମୋ ହାତରେ ଥାଏ ସେତେବେଳେ ମୁଁ ସେପରି କାହିଁକି କରିବି ? ” ରନ୍ଧୁଣିଆ କହିଲା । “ 

ଜମିଦାର ପୁଣି ପ୍ରଶ୍ନ କଲେ । 
“ତେବେ ତୁମେ ସବୁ ଜାଗାରୁ କାମ ଛଡ଼ଦେଲ କାହିଁକି ? ”

ରନ୍ଧୁଣିଆ କହିଲା ଶୁଣନ୍ତୁ ଆଜ୍ଞା
 “ ପ୍ରକୃତରେ ମୋର ମନ ସ୍ଥିର ନୁହେଁ । ମୁଁ ଭୁଲିଯାଏ ଯେ ମୁଁ ଜଣେ ରାନ୍ଧୁଣିଆ । କେତେବେଳେ ମାଳୀ କାମ କଲଣି ତ କେତେବେଳେ ଘୋଡ଼ାଶାଳକୁ ଚାଲିଯାଏ । ସେଥିପାଇଁ ମୋତେ ଚାକିରୀରୁ ବାହାର କରି ଦିଅନ୍ତି । ” 


(୧୯୮୨ ଜାନୁଆରୀ ଓଡ଼ିଆ ଜହ୍ନମାମୁଁ ପତ୍ରିକାର ଗଳ୍ପ)

Sunday, August 28, 2022

ମନ୍ତ୍ର

ରାମସାହୁ ଖାଦ୍ୟ ଅଭାଵରୁ ଦିନକୁ ଦିନ ଶୁଖି ଶୁଖିଗଲା ପୁଣି ତାକୁ ରୋଗ ବି ହୋଇଗଲା । ସେ ଆଉ ଭଲ କାମଦାମ ନକରିପାରି ଘରୁ ଅନ୍ୟତ୍ର ଚାକିରୀ କରିଵାକୁ ଚାଲିଆସିଲା । ହେଲେ ପତଳା ରୋଗିଣା ଲୋକକୁ କାମ କିଏ ଦେଵ ? କୋଉଠି ବି କାମ ନପାଇଵାରୁ ସେ ଆତ୍ମହତ୍ୟା କରିଵାକୁ 
ଏକ ନଦୀକୁ ଡେଇଁପଡି଼ଲା । ପାଖରେ ମୁନି ଜଣେ ତପସ୍ୟା କରୁଥାନ୍ତି ।

 ନଦୀକୁ ଡେଇଁଵା ଶବ୍ଦ ଶୁଣି ସେ ଧାଇଁ ଆସି ରାମସାହୁକୁ ବଞ୍ଚାଇଲେ । ତାକୁ ଗୋଟିଏ ମନ୍ତ୍ର ଦେଇ କହିଲେ ଏହି ମନ୍ତ୍ର ତିନି ଦିନ କାମ କରିଵ । ତମେ ଏହି ମନ୍ତ୍ର ଜାପ କଲେ ତିନିଦିନ ପାଇଁ ଯାହା ଚାହିଁଵ କରିପାରିଵ ଏଵଂ ତିନି ଦିନ ପରେ ୟେ ମନ୍ତ୍ର ତୁମ ପରି ଅନ୍ୟ କୌଣସି ଅଭାବୀ ଲୋକକୁ ଦେଇ ଦେଵ । ରାମସାହୁ ଖୁସି ମନରେ ଘରକୁ ଆସି ସବୁକଥା ସ୍ତ୍ରୀକୁ କହିଲା । ସ୍ତ୍ରୀ ତ ବଡ଼ କୋଠା ବାଡ଼ି ଚାହୁଁଥିଲା ତେଣୁ ସେ ଭଲ ଓ ବଡ଼ ଘରଟିଏ ମାଗିଵାକୁ ରାମସାହୁକୁ ମନ୍ତ୍ରଣା ଦେଲା । ରାମସାହୁ ମନ୍ତ୍ର ଜାପି ସେଇଆ ମାଗିଵାରୁ ଆପେ ତାହାର ଚାଳଘର ଏକ ତିନିମହଲା କୋଠା ହୋଇଗଲା । ଦ୍ଵିତୀୟ ଦିନ ରାମସାହୁର ସ୍ତ୍ରୀ 
ଲକ୍ଷେ ଟଙ୍କା ମାଗିଵାକୁ କହିଲା । ସେତିକି ଟଙ୍କା ପାଖରେ ଥିଲେ ସାହୁକାରୀ ନହେଲେ ବେପାର କରି ସହଜରେ ଅନେକ ଦିନ ଘର ଚଳେଇ ହେଵ । ରାମସାହୁ ସେଇଆ ଇଚ୍ଛା କରି ମନ୍ତ୍ର ଜାପ କଲାରୁ ତାକୁ ଲକ୍ଷେ ଟଙ୍କା ମିଳିଗଲା । ତୃତୀୟ ଦିନ ରାମସାହୁ କ'ଣ ମାଗିଵ ବୋଲି ନିଜ ସ୍ତ୍ରୀକୁ ପଚାରିଲାରୁ ତା ସ୍ତ୍ରୀ ତାକୁ ୧୦୦ ବସ୍ତା ଚାଉଳ ମାଗିଵାକୁ କହିଲା । ୧୦୦ଟି ଚାଉଳ ବସ୍ତା ଥିଲେ ଖାଦ୍ୟାଭାଵ ଦୂର ହେଵା ସହ ବାକି ଚାଉଳ ବସ୍ତା ଵିକ୍ରି କରି ଘର ଚଳାଇ ହେଵ । ରାମସାହୁ ସ୍ତ୍ରୀ କହିଵା ଅନୁସାରେ ସେଇଆ କଲା । ଚତୁର୍ଥ ଦିନ ଆଉ ମନ୍ତ୍ର କାମ କରିଵ ନାହିଁ ଜାଣି ସେ ଆଉ ସେହି ମନ୍ତ୍ର ଵ୍ୟଵହାର କଲା ନାହିଁ । କେବେ ଦାଣ୍ଡର ଫକୀର ଥିଵା ରାମସାହୁ ଏବେ ବଡ଼ ଧନିକ ହୋଇଯାଇଥାଏ । ତା ଘରକୁ ଅନେକ ଅଭାବୀ ଦରିଦ୍ର ଲୋକ ଆସୁଥାନ୍ତି । ଏମତି ଦିନେ ଜଣେ ଭିକାରୀ ତା ଘରକୁ ଗୀତ ବୋଲି ବୋଲି ଭିକ୍ଷା ମାଗିଵାକୁ ଆସନ୍ତେ ଗୃହ ସମ୍ମୁଖରେ ମୁର୍ଚ୍ଛା ହୋଇଗଲା । 



ରାମସାହୁ ତାହାର ଦୁର୍ଵଳ ଶରୀର ଦେଖି ବୁଝିଗଲା ଯେ ଏହି ଲୋକକୁ ମନ୍ତ୍ରଟି ଦେଲେ ସେ ମଧ୍ୟ ତାପରି ସୁଖରେ କାଳାତିପାତ କରନ୍ତା । ତେଣୁ ସେ ଭିକାରୀକୁ ଦାଣ୍ଡରୁ ଉଠାଇ ଆଣି ଖାଇଵାକୁ ପିଇଵାକୁ ଦେଲା ଭୁରି ଭୋଜନ କରାଇଲା ଏଵଂ ତା କାନରେ ମନ୍ତ୍ରଟି ଶୁଣାଇ ତାକୁ ତିନି ଦିନ ପର୍ଯ୍ୟନ୍ତ ଏହି ମନ୍ତ୍ର ଦ୍ଵାରା ସେ ଯାହା ମାଗିଵ ପୂର୍ଣ୍ଣ ହେଵ ବୋଲି କହିଲା । 

ଭିକାରୀ ଜଣକ ନିଜ ସ୍ତ୍ରୀ ପାଖକୁ ଯାଇ ସବୁକଥା ମୂଳରୁ ଶେଷ ଯାଏଁ ଗୋଟି ଗୋଟି କରି ଶୁଣେଇଲା । ଭିକାରୀର ସ୍ତ୍ରୀ ବଡ଼ ଲୋଭୀ ଥିଲା ଏଵଂ ସେ ଗାଆଁ ତଥା ଦେଶର ଲୋକଙ୍କ ପ୍ରତି ତାହାର ମନରେ ରାଗ ଥିଲା । "ଅଭାଵ ଅନଟନ ମଣିଷକୁ ଲୋଭୀ ଏଵଂ ବେଳେ ବେଳେ ଇର୍ଷାଳୁ ଓ ଦ୍ଵେଷୀ ମଧ୍ୟ କରିଦିଏ" । ନିଜର ଦୁରାଵସ୍ଥା ପାଇଁ ଭିକାରୀର ସ୍ତ୍ରୀ ସବୁବେଳେ ଗ୍ରାମ ତଥା ଦେଶଵାସୀଙ୍କୁ ଦୋଷୀ ମନେକରୁଥିଲା । ତେଣୁ ଭିକାରୀର ସ୍ତ୍ରୀ ଭିକାରୀକୁ ମନ୍ତ୍ରଣା ଦେଲା ଏହି ମନ୍ତ୍ର ସାହାଯ୍ୟରେ ସେମାନେ ଧନୀ ହେଵା ସହ ଏହି ଦେଶର ଲୋକମାନଙ୍କଠାରୁ ପ୍ରତିଶୋଧ ବି ନେଇପାରିବେ । ପ୍ରଥମେ ପ୍ରଥମେ ଭିକାରୀ ଜଣକ ତା ସ୍ତ୍ରୀ କଥାରେ ସମ୍ମତ ହେଉନଥାଏ ହେଲେ କଥାରେ ଅଛି “ପାଖରେ ଶୁଏ କାନରେ କୁହେ ତା କଥା କି ଅନ୍ୟଥା ହୁଏ ?” । ଶେଷରେ ବହୁତ କହିଵାରୁ ଭିକାରୀ ନିଜ ସ୍ତ୍ରୀ କଥାରେ ପଡ଼ି ପ୍ରଥମ ଦିନ ମନ୍ତ୍ର ବଳରେ ଗାଆଁ ପାଖ ଜଙ୍ଗଲରେ ଗୋଟିଏ ଵିଶାଳ ପ୍ରାସାଦ ନିର୍ମାଣ କରାଇଲା । ତହୁଁ ଦ୍ଵିତୀୟ ଦିନ ତା ସ୍ତ୍ରୀ ତାକୁ କହିଲା ଏ ଦେଶର ଲୋକମାନଙ୍କ ଯୋଗୁଁ ଆମେ ଦରିଦ୍ର ହୋଇଛେ । ଯେଉଁ ଚାଉଳ ଗଣ୍ଡେ ପାଇଁ ଆମେ ଆଜିଯାଏଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛେ ତାକୁ ସମସ୍ତଙ୍କଠୁଁ ଛଡ଼େଇ ନେଵା। ଭିକାରୀ ଅନ୍ୟ ଉପାୟ ନପାଇ ସେଇଆ ମନରେ ଇଚ୍ଛା କରି ମନ୍ତ୍ର ପଢି଼ଵାରୁ ସେ ଦେଶରେ ଯାହା ପାଖରେ ଯେତେ ଚାଉଳ ଥିଲା ସେ ସବୁ ଜଙ୍ଗଲ ଭିତରେ ଥିଵା ଵିଶାଳ ପ୍ରାସାଦ ମଧ୍ୟରେ ଗଚ୍ଛିତ ହୋଇଗଲା । 


ଏଣେ ଦେଶଯାକ ଲୋକ ଚାଉଳ ନପାଇ ଫଳମୂଳ ଖାଇ ରହିଲେ । ରାଜାଘରେ ବି ମୁଠେ ଚାଉଳ ବଞ୍ଚିଲା ନାହିଁ । ରାଜା ଜାଣି ଚିନ୍ତାରେ ପଡି଼ଲେ ଏଵଂ ଏହାର କାରଣ ଜାଣିଵାକୁ ସୈନ୍ୟ ତଥା ଗୁପ୍ତଚର ପଠାଇଲେ । ସମସ୍ତଙ୍କ ଘରୁ ଚାଉଳ ଚାଲିଯିଵାରୁ ମୂଷାମାନେ ଲୋକଙ୍କ ଘରୁ ବାହାରି ପଦରେ ବୁଲିଲେ ଆଉ ହଠାତ୍ କ'ଣ ହେଲା କେଜାଣି ସେମାନେ ଗୋଟିଏ ଦିଗକୁ ବଢି଼ଚାଲିଲେ । ରାଜାଙ୍କ ସୈନ୍ୟମାନେ ମୂଷା ଯାଉଥିଵା ଦିଗକୁ ଘୋଡ଼ା ଝପଟାଇ ଦେଲେ ‌ ।

 ସୈନିକମାନେ ଆସି ଜଙ୍ଗଲ ଭିତରେ ଭିକାରୀର ଵିଶାଳ ପ୍ରାସାଦ ନିକଟରେ ପହଞ୍ଚିଲେ । ପ୍ରାସାଦ ଭିତରେ ଅମାପ ଚାଉଳ ବସ୍ତା ଦେଖି ସେମାନଙ୍କର ଆଉ କିଛି ବୁଝିଵା ବାକି ରହିଲା ନାହିଁ । ଭିକାରୀ ଓ ତାହାର ସ୍ତ୍ରୀ ବନ୍ଧା ହୋଇ ରାଜାଙ୍କ ପାଖକୁ ନିଆଗଲେ । ରାଜା ସବୁ ବୁଝିଵାରୁ ଜାଣିଲେ ଯେ ଏସବୁ କାଣ୍ଡ ଭିକାରୀ ତା ସ୍ତ୍ରୀର କଥାରେ ପଡ଼ି କରିଛି । ରାଜା ସେହି ଭିକାରୀଠାରୁ ମନ୍ତ୍ର ନେଇ ଯାହା ଘରେ ଯେତିକି ଚାଉଳ ଚାଲିଯାଇଥିଲା ସେତିକି ଫେରେଇ ଦେଲେ । ତାପରେ ଭିକାରୀ ଓ ଭିକାରୀର ସ୍ତ୍ରୀ କାରାଗାରକୁ ପଠାଗଲେ । ଭିକାରୀ ତା ସ୍ତ୍ରୀର ବୁଦ୍ଧି ଯୋଗୁଁ ଆଗକୁ ରାଜଦଣ୍ଡ ଭୋଗିପାରେ ବୋଲି ଅନୁମାନ କରିଥିଲା ତେଣୁ ମନ୍ତ୍ର ଶକ୍ତି ରାଜାଙ୍କୁ ଦେଵା ଆଗରୁ ସେ ମନ୍ତ୍ର ପଢି଼ ରାଜଦଣ୍ଡ ମିଳିଲେ ତାକୁ ଅନ୍ୟ ରାଜ୍ୟକୁ ପଠାଇ ଦେବା ପାଇଁ ମାଗିଦେଇଥିଲା । ଫଳତଃ କାରାଗାରରେ ପହଞ୍ଚିଵାର କେତେକ ସମୟ ପରେ ଭିକାରୀ ସେଠାରୁ ଅଦୃଶ୍ୟ ହୋଇଗଲା ଏଵଂ ତାହାର ସ୍ତ୍ରୀ ସେଇ କାରାଗାରରେ ବାକି ଜୀଵନ କଟେଇଲା । 

(ହିନ୍ଦୀ चंदामामाର ୧୯୬୬ ସଂଖ୍ୟା ଫେବୃଆରୀ ମାସରେ ପ୍ରକାଶିତ ଗଳ୍ପ "लापता चावल"ର ଓଡ଼ିଆ ଅନୁଵାଦ । ମୂଳ କାହାଣୀକୁ କେତେକାଂଶରେ ପରିଵର୍ତ୍ତିତ କରାଯାଇଛି । )

Wednesday, August 24, 2022

ଅଲୌକିକ କନ୍ୟା କଥା

ଆନ୍ଧ୍ରକ ଦେଶର ଦୁର୍ଗାପୁରମ୍ ବୋଲି ଏକ ଗାଆଁରେ ରାଜାମଣି,ହୀରାମଣି ଓ ନାଗମଣି ନାମରେ ତିନି ଭାଇ ସାଧଵ ଥିଲେ । ସେମାନେ କାମ ପାଇଁ ସ୍ଥାନୀୟ ରାଜାଙ୍କ ପାଖକୁ ଆସିଲେ । ରାଜା ବୋଇଲେ ଏବେ ବଡ଼ କାମ କିଛି ନାହିଁ ହଁ ରୋଷେଇ ଶାଳରେ କାମ କରିଵ ଯଦି କୁହ । ସେମାନେ ରାଜି ହୋଇ କାମ କଲେ । 

କିଛି ଦିନ ପରେ ରାଜା ଦେଖିଲେ ସାନଭାଇ ନାଗମଣି ଭଲ କାମ କରୁଛି । ସେ ବଡ଼ ଦୁଇଭାଇଙ୍କ ଆଗେ ତାହାର ପ୍ରଶଂସା କଲେ । ବଡ଼ ଦୁଇଭାଇ ଏକଥା ସହି ପାରିଲେ ନାହିଁ । ସେମାନେ କପଟ କରି ରାଜାଙ୍କ ଛାମୁରେ ଜଣେଇଲେ ଯେ ସେମାନଙ୍କର ସାନ ଭାଇ ନାଗମଣି ବଡ଼ ଯୋଗ୍ୟ ,ସେ ବଡ଼ ବଡ଼ ଅଦ୍ଭୁତ ଅସାଧ୍ୟ କାର୍ଯ୍ୟ ସହଜରେ କରିପାରେ ‌ । ଛାମୁଙ୍କର ତ ପତ୍ନୀ ନାହାନ୍ତି ରାଜା ଯଦି ନାଗମଣି ଆଜ୍ଞା ଦିଅନ୍ତି ସିଏ ସୁନ୍ଦର ଅଲୌକିକ କନ୍ୟାଟିଏ ନେଇ ଆସନ୍ତା । 

ରାଜା ବହୁତ ଭାବିଲେ । ତାଙ୍କର ମଧ୍ୟ ଵିଵାହ କରିଵାକୁ ବଡ଼ ମନ ଥିଲା କିନ୍ତୁ ମନଲାଖି କନ୍ୟା ମିଳୁନଥିଲେ । ନାଗମଣିକୁ ରାଜା ଡକେଇ ପଠେଇଲେ ଆଉ ବାର ମାସ ମଧ୍ୟରେ ଅଲୌକିକ କନ୍ୟାଟିଏ ନେଇ ଆସିଵାକୁ ଆଦେଶ ଦେଲେ । ନାଗମଣି ଅଲୌକିକ କନ୍ୟା ନ ଆଣି ପାରିଲେ ତାହାର ମୁଣ୍ଡକାଟ ହେଵ ।  

କଳିଙ୍ଗ ଦେଶର ପଶ୍ଚିମରେ ସେତେବେଳେ ଉଡ୍ରଦେଶ ଅଵସ୍ଥିତ ଥିଲା । ସେହି ଉଡ୍ର ଦେଶରେ କୁଆଁରୀ ପାଟଣା ବୋଲି ଏକ ଅଲୌକିକ ସ୍ଥାନ ଥିଲା । ନାଗମଣି ସେହି କୁଆଁରୀ ପାଟଣା ଵିଷୟରେ ଜାଣିଥିଲା ତେଣୁ ବାର ମାସ ଭିତରେ କେମିତି ଅଲୌକିକ କନ୍ୟା ମିଳିଵ ସେହିକଥା ଵିଚାର କରି ସେଆଡ଼କୁ ବଢି଼ ଚାଲିଲା । ବାଟରେ ତାକୁ ଭୋକ ଲାଗିଲା । ରାଜପ୍ରାସାଦରୁ ଆଣିଥିଵା ଖାଦ୍ୟ ଖାଇଵାକୁ ବସିଥାଏ ଏତିକିବେଳେ ଜଣେ ବୃଦ୍ଧା ମହିଳା ତା ପାଖକୁ ଆସିଲେ ।

 ନାଗମଣି ବୃଦ୍ଧା ମହିଳାଙ୍କୁ ସେ ବାଢି଼ଥିଵା ଭୋଜନ କରିଵାକୁ ଅନୁରୋଧ କଲା । ବୃଦ୍ଧା ମହିଳା ସେ ଅନୁରୋଧ ସ୍ଵୀକାର ପୂର୍ଵକ ଖାଇ ବସିଲେ । ଭୋଜନ ପରେ ଵୃଦ୍ଧା ଜଣକ ତୃପ୍ତି ଲାଭ କରି ନାଗମଣିକୁ କହିଲେ 
 
"ବାପ ମୁଁ କାହା ଋଣ ରଖେନି ଆଉ ତୁ ଯୋଉ କୁଆଁରୀପାଟଣାକୁ ଅଲୌକିକ କନ୍ୟାଟିଏ ପାଇଁ ଯାଉଛୁ ତାହା ମୁଁ ଜାଣେ । ମୁଁ ତୋତେ ଗୋଟିଏ ଶଙ୍ଖ ଦେଉଛି । 
କୁଆଁରୀପାଟଣାରେ ପହଞ୍ଚି ଏହି ଶଙ୍ଖ ବଜାଇଲେ ତୋତେ କାହାର ମାୟା ଛୁଇଁ ପାରିଵ ନାହିଁ ଏଵଂ ମାୟାଵୀ ବେତାଳ ତୋହର ବୋଲ କରିବେ ‌। କୁଆଁରୀପାଟଣାର ପୁରୁଣାଗଡ଼ରେ ଗୋଟିଏ ଭଙ୍ଗା ରାଜପ୍ରସାଦ ମଧ୍ୟରେ ତିନିଜଣ ଅଲୌକିକ କନ୍ୟା ଅଛନ୍ତି । ତୁ ସେମାନଙ୍କୁ ପ୍ରାପ୍ତ କର ମୁଁ ଆଶିର୍ଵାଦ କରୁଛି ।"

 ଏତିକି ବୋଲି ଵୃଦ୍ଧା ମହିଳା ସେଠାରୁ କୁଆଡେ଼ ଉଭେଇ ଗଲେ । ନାଗମଣି କୁଆଁରିପାଟଣାରେ ପହଞ୍ଚିଵାରୁ ଶଙ୍ଖ ବଜାଇଲା ଫଳତଃ କୁଆଁରୀ ପାଟଣାରେ ଵ୍ୟାପ୍ତ ମାୟାଜାଲ ତାକୁ ସ୍ପର୍ଶ କରିପାରିଲା ନାହିଁ କି ସେଠାକାର କୌଣସି ଟେଣ୍ଟେଇ ତା ଉପରେ ଆକ୍ରମଣ କଲା ନାହିଁ। ତାପରେ ପୁରୁଣା ରାଜପ୍ରସାଦରେ ପହଞ୍ଚିଯାଇ ନାଗମଣି ପୁଣି ଶଙ୍ଖ ଫୁଙ୍କିଲା । ଶଙ୍ଖଧ୍ଵନି ଶୁଣି ଗୋଟିଏ ମାୟାବୀ ବେତାଳ ତାହାର ସ୍ଵାଗତ ପାଇଁ ସେଠାକୁ ଆସିଲା । ନାଗମଣି ମାୟାବୀ ବେତାଳକୁ ଅଲୌକିକ କନ୍ୟା ଆଣି ଦେଵାକୁ କୁହନ୍ତେ ବେତାଳ ବୋଇଲା 
 
"ଶୁଣ ସାଧଵ ! ଆମ୍ଭେ ବେତାଳମାନେ ଅଲୌକିକ କନ୍ୟାଙ୍କର ରକ୍ଷକ ଅଟୁ । ଆମ୍ଭେ ସେମାନଙ୍କୁ ଛୁଇଁଵାକୁ ଅଯୋଗ୍ୟ ଵରଂ ତୁମ୍ଭେ ନିଜେ ତାଙ୍କ ମଧ୍ୟରୁ ଜଣକୁ ଚୟନ କରି ବୁଝାଇ ସୁଝାଇ ନିଜ ସହିତ ନେଇପାର ‌ । କିନ୍ତୁ ସାଵଧାନ ! ସେମାନଙ୍କୁ ବଳପ୍ରୟୋଗ କରି ନେଵାକୁ ଚାହିଁଲେ ସେମାନେ କୋପ କରି ଅଦୃଶ୍ୟ ହୋଇଯିବେ ।"


ନାଗମଣି ସାଧଵ ପୁରୁଣାଗଡ଼ ମଧ୍ୟରେ ପଶି ତିନିଜଣ ଅଲୌକିକ କନ୍ୟାଙ୍କୁ ବହୁତ ବୁଝାଇଲା କିନ୍ତୁ କେହି ମାନିଲେ ନାହିଁ ଶେଷରେ ସେ ଵାଧ୍ୟ ହୋଇ ସେମାନଙ୍କ ମଧ୍ୟରେ ଜଣକୁ ଧରି ନେଵାକୁ ଉଦ୍ୟତ ହୁଅନ୍ତେ ସେମାନେ ଅଦୃଶ୍ୟ ହୋଇଗଲେ । 

ଵ୍ୟସ୍ତ ଵିଵ୍ରତ ହୋଇ ନାଗମଣି ସାଧଵ ପୁଣିଥରେ ବୃଦ୍ଧା ମହିଳା ଦେଇଥିଵା ମାୟାବୀ ଶଙ୍ଖ ବଜାଇଲା । ଏଥର ଶଙ୍ଖ ବାଇଵାରୁ ସେଠାରେ ଉପରୁ ତିନିଗୋଟି ଲେମ୍ବୁ ଆସି ପଡି଼ଲା । ବାଟରେ ଲେମ୍ବୁପାଣି କରି ପିଇ ହେଵ ଵିଚାର କରି ନାଗମଣି ସେହି ତିନୋଟିଯାକ ଲେମ୍ବୁ ଝୁଲାରେ ଧରି
 ବହେ ମନଦୁଃଖ କରି ଫେରିଲା । ତାହାର ଭୂଲ ଯୋଗୁଁ ତିନିଜଣ ଅଲୌକିକ କନ୍ୟା ତାକୁ ମିଳିଥାଇ ମଧ୍ୟ ଅଦୃଶ୍ୟ ହୋଇଗଲେ । ଏବେ ରାଜାଙ୍କ ହସ୍ତରେ ପ୍ରାଣ ହରାଇଵା ଅପେକ୍ଷା ଅନ୍ୟ ଦେଶକୁ ଚାଲିଯିଵା ଉତ୍ତମ ଭାବି ନାଗମଣି ସାଧଵ ଉଡ୍ରଦେଶ ତ୍ୟାଗ କରି କେକଳ ଦେଶ ପାରକରି ମେକଳ ଦେଶକୁ ଯାଉଥାଏ । ମେକଳ ଅଞ୍ଚଳଟି ଗୋଟିଏ ମାଳଭୂମି ଅଞ୍ଚଳ । ଆଜିଭଳି ସେ ଯୁଗରେ ସେହି ଅଞ୍ଚଳରେ ଏତେ କୂପ ଓ ପୁଷ୍କରିଣୀ ନଥିଲା ଵରଂ ଅନେକ ଅଚ୍ଚ ନିଚ୍ଚ ମଧ୍ୟମ ପର୍ଵତ ମଧ୍ୟରେ ଅନୁର୍ଵର ଵୃକ୍ଷହୀନ ଭୂଭାଗ ପଡି଼ ରହିଥିଲା । ମେକଳ ଦେଶର ରାଜଧାନୀକୁ ଯାଉଥିଲା ବେଳେ ବାଟରେ ତାକୁ ଭୀଷଣ ଶୋଷ ଲାଗିଲା । କୋଉଠି ପାଣି ମୁନ୍ଦାଏ ମିଳିନଥାଏ । ଲେମ୍ବୁଟିଏ ଚିପୁଡି଼ ତାହା ପାଣି ପିଇଵାକୁ ଝୁଲାରୁ କାଢ଼ି କାଟିଵାରୁ ସେଥିରୁ କୀଟାକାର ଏକ କ୍ଷୁଦ୍ର କନ୍ୟା ବାହାରି କହିଲା "ପିଣି ମୁନ୍ଦେ ଦିଅ ଗୋ ବଡ଼ ଶୋଷ ! " 
ନାଗମଣି ଚାରିଆଡ଼େ ଉଣ୍ଡିଲା ହେଲେ ଏ ଗ୍ରୀଷ୍ମ କାଳର ରିଗ୍‌ରିଗିଆ ଖରାରେ କୋଉଠୁ ପାଣି ମିଳୁଛି ? 
ଫେରି ଆସି ଦେଖିଲା ବେଳକୁ ଅଲୌକିକ କନ୍ୟା ମରି ସାରିଛି ।


ଏ ସବୁ ଦେଖି ମନରେ କେତେ କ'ଣ ଭାବି ଭାବି ନାଗମଣି ଆଉ ଖଣ୍ଡେ ଦୂର ଚାଲି ଆସିଲା । ବାଟରେ ସେ ଆଉ ଶୋଷ ସହିପାରିଲା ନାହିଁ । ଦ୍ଵିତୀୟ ଲେମ୍ବୁ କାଟିଵାରୁ ପୂର୍ଵପରି ସେଥିରୁ ମଧ୍ୟ ଗୋଟିଏ କ୍ଷୁଦ୍ରାକାର ଅଲୌକିକ କନ୍ୟା ବାହିରି ପଡ଼ି ପୂର୍ଵ ଭଳି "ବଡ଼ ଶୋଷ ,ପାଣି ଟୋପାଏ ଦିଅ ହେ” କହିଲା । ଏଥର ବି ପାଣି ପାଇଁ ନାଗମଣି ଚାରିଆଡ଼େ ବୁଲିଲା ହେଲେ କୋଉଠି ଟୋପେ ପାଣି ପାଇଲା ନାହିଁ । ଫେରିଲା ବେଳକୁ ଦ୍ଵିତୀୟ ଅଲୌକିକ କନ୍ୟା ମଧ୍ୟ ମରି ସାରିଥାଏ । 

ନାଗମଣି ମନରେ କିଛି ଚିନ୍ତାକଲା ଏଵଂ ପୂର୍ଵେ ବୃଦ୍ଧା ମହିଳା ଦେଇଥିଵା ଚମତ୍କାରୀ ଶଙ୍ଖ ଫୁଙ୍କିଵାରୁ ସିଧା ନିଜ ଦେଶରେ ଆସି ପହଞ୍ଚିଗଲା । ରାଜବାଟୀ ଖଣ୍ଡେ ଦୂର ଥାଏ କିନ୍ତୁ ସେତେବେଳକୁ ଆଉ ନାଗମଣି ଶୋଷ ସହିପାରୁନଥାଏ । କଷ୍ଟେ ମଷ୍ଟେ ପେଲି ମୁସାଣ୍ଡି ସେ ଯେନ ତେନ ପ୍ରକାରେ ରାଜବାଟୀ ମଧ୍ୟସ୍ଥ ପୋଖରୀରୁ ଆଞ୍ଜୁଳାଏ ପାଣି ଆଣି ପିଇ ନିଜର ଶୋଷ ମେଣ୍ଟାଇଲା ଏଵଂ ସଙ୍ଗେ ସଙ୍ଗେ ତୃତୀୟ ଲେମ୍ବୁଟି କାଟି ତହିଁରୁ ବାହାରିଥିଵା କ୍ଷୁଦ୍ର ଅଲୌକିକ କନ୍ୟାକୁ ଜଳ ପାନ କରାଇଲା । ହଠାତ୍ ଏକ ଅଦ୍ଭୁତ ଘଟଣା ଘଟିଲା । ସେହି ଅଲୌକିକ କନ୍ୟାଟି ପାଣି ପିଇ ବଡ଼ ହୋଇଗଲା । ରୂପ ରଙ୍ଗ ଗଢ଼ଣ ଦୃଷ୍ଟିରୁ ସେ ଭୁଵନସୁନ୍ଦରୀ ପ୍ରତିଭାତ ହେଉଥାଇ । ନାଗମଣି ତାକୁ ସେଇଠି ରହିଵାକୁ କହି ରାଜପ୍ରସାଦ ମଧ୍ୟକୁ ଦୌଡ଼ି ଯାଇ ରାଜାଙ୍କୁ ସମସ୍ତ କଥା ଜଣାଇଲା । 


ଇତି ମଧ୍ୟରେ ସେହି ପୋଖରୀକୁ ରାଜାଙ୍କ ରୋଷେଇଆର ଝୁଅ ପାଣି ନେଵାକୁ ଆସିଲା । ସେ ତଳକୁ ନଇଁକରି କଳସୀରେ ପାଣି ପୂରାଉଥାଏ ଏତିକିବେଳେ ପୋଖରୀ ପାଣିରେ ଅଲୌକିକ କନ୍ୟାଟିର ମୁଖ ଦେଖି ହଠାତ୍ ବଡ଼ ଉଷତ ହେଇଗଲା । ସେ ଯେ ଏତେ ସୁନ୍ଦର ଏକଥା ତ ସେ ଆଜିଯାଏଁ ଜାଣିନଥିଲା । କିନ୍ତୁ ପଛରେ ଜଣେ ସୁନ୍ଦରୀ ଅପରୂପା ସୁନ୍ଦରୀ ଯୁଵତୀ ଦେଖି ରୋଷେଇଆର ଝିଅ ରାଗିକି ନିଆଁ ହୋଇଗଲା । ସେ ସେହି ସୁନ୍ଦରୀ ଅଲୌକିକ କନ୍ୟାର ଦିହରୁ ଵସ୍ତ୍ର ଛଡ଼ାଇ ନେଇ ତାକୁ ପୋଖରୀକୁ ଠେଲି ଦେଲା ଏଵଂ ନିଜେ ସେ ଵସନ ପିନ୍ଧି ସେଠାରେ ହାତେ ଓସାରର ଓଢ଼ଣା ଟାଣି ଛିଡ଼ା ହେଲା । 

ତହୁଁ କେତେକ କାଳ ପରେ ରାଜାଙ୍କୁ ଘେନି ନାଗମଣି ସେଠାରେ ଆସି ପହଞ୍ଚିଲା । ରାଜା ଉତ୍କଣ୍ଠିତ ହୋଇ ସେଠାରେ ଛିଡ଼ା ହୋଇଥିଵା ଯୁଵତୀର ଓଢ଼ଣା ଟେକି ମୁଖ ଦେଖନ୍ତେ ଅତ୍ୟନ୍ତ କ୍ରୋଧିତ ହୋଇଉଠିଲେ । ସେଇ ରୋଷେଇୟାର ଝିଅଟି ନିତାନ୍ତ ଅସୁନ୍ଦର ଥିଲା ତେଣୁ ରାଜା ତା ମୁଖ ମଣ୍ଡଳ ଦେଖିଵା ମାତ୍ରେ ଚିଡ଼ିଯାଇ ନାଗମଣିକୁ କାରାଗାର ପଠେଇ ଦେଵାକୁ ଆଦେଶ ଦେଲେ । 

ଏହି ଘଟଣାର କେତେକ ଦିନ ପରେ ଯୋଉ ପୋଖରୀରେ ଅଲୌକିକ କନ୍ୟାକୁ ରୋଷେଇୟାର କନ୍ୟା ପକାଇଦେଇଥିଲା ସେଇ ପୋଖରୀରୁ ଭାକୁର ମାଛଟିଏ ଧରା ହେଲା । ରୋଷଶାଳରେ ତାକୁ କାଟିଲାବେଳେ ସେଥିରୁ ଗୋଟିଏ ଅପରୂପା ସୁନ୍ଦରୀ କନ୍ୟା ବାହାରି ବଡ଼ ହୋଇଗଲା । ସଙ୍ଗେ ସଙ୍ଗେ ସେ କନ୍ୟାକୁ ଧରି ରୋଷେଇୟା ରାଜାଙ୍କ ପାଖକୁ ଗଲା । ରାଜା ସବୁଜାଣି ସେହି ଅଲୌକିକ କନ୍ୟାକୁ ଵିଵାହ କଲେ ଆଉ ରୋଷେଇୟାର ଝିଅକୁ ତାହାର ପୋଇଲି କରି ଖଟେଇଲେ । ରାଜା ତାପରେ ନାଗମଣିକୁ କାରାଗାରୁ ମୁକ୍ତ କରି ତାକୁ ନିଜର କରିଲେ । ଏପଟେ ନାଗମଣିର ବଡ଼ ଦୁଇ ଭାଇ ରାଜାମଣି ଓ ହୀରାମଣି ଭାଗ୍ୟ ଆଦରି ଏବେବି ରୋଷଶାଳକୁ ପାଣି ଯୋଗାଉଥାନ୍ତି। 


•••••••••••••••••••••••••••
(ଜହ୍ନମାମୁଁ ହିନ୍ଦୀ ସଂଖ୍ୟା ୧୯୬୬ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ଏକ ଗପ तिन निम्बूରେ କେତେକ ପରିଵର୍ତ୍ତନ କରି ଗଳ୍ପଟି ଲିଖିତ ହୋଇଛି । ମୂଳ ଗଳ୍ପର ଲେଖକ ରାଜାମଣି ଅଟନ୍ତି । ଗଳ୍ପରେ ଉତ୍କଳୀୟ ପ୍ରଭାଵ ପାଇଁ କୁଆଁରୀପାଟଣାର ନାମୋଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆଧୁନିକ ପାଟଣାଗଡ଼ ପୂର୍ଵେ କୁଆଁରୀପାଟଣା ଭାବେ ଖ୍ୟାତ ଥିଲା । )
••••••••••••••••••••••••••

Sunday, August 21, 2022

ଭିନ୍ନ କାର୍ଯ୍ୟ (କିଶନ୍ ଆର୍ଯ୍ୟ)

ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ ।ରାସ୍ତାରେ କିଛିବାଟ ଚାଲିଲାପରେ ନଦୀଟିଏ ପଡ଼ିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀପାର ହେଵା ପରେ ସେମାନେ କିଛି ବାଟ ଚାଲିଲା ପରେ ମନ୍ଦିରରେ ପହଞ୍ଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସ୍ଥାନଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ଭଲ । ନିରୋଳା ଓ ପଵିତ୍ର । ଧର୍ମାନନ୍ଦ ଚାହୁଁଥିଲେ ସ୍ତ୍ରୀ ପିଲାଙ୍କୁ ନେଇ ଆଉ ଦିନେ ଦୁଇଦିନ ରହିଥାନ୍ତେ । କିନ୍ତୁ ସେଠାରେ ପରିଵାର ନେଇ ରହିଵାର କୌଣସି ଵ୍ୟଵସ୍ଥା ନାହିଁ । ଅଗତ୍ୟା ଵାଧ୍ୟ ହୋଇ ସେ ପିଲା ସ୍ତ୍ରୀଙ୍କୁ ନେଇ ଫେରି ଆସିଲେ ‌। ଫେରିଵା ବେଳେ ସେ ନଦୀ ପାର ହେଵା ପାଇଁ ନଦୀ ଘାଟକୁ ଆସିଲେ । 

ସେଠାରେ ପହଞ୍ଚି ନାଉରୀକୁ କହିଲେ ପାର କରି ଦେଵାପାଇଁ । ସେ ଟିକିଏ କୁନ୍ଥମୁନ୍ଥ ହୋଇ କହିଲେ , 
 
“ ବାବୁ , ପାରିକରି ଦେଵାପାଇଁ ତ ମୁଁ ଏଠାରେ ଅଛି । ହେଲେ ନଦୀ ପାର ହେଵାକୁ ଗଲେ ଜଣ ପିଚ୍ଛା ମୁଁ ପାଞ୍ଚଶଙ୍କା ନେବି । ” 


“ଏପରି କାହିଁକି ? ସକାଳ ଓଳି ଆମେ ନଦୀ ପାର ହେଲୁ ଟଙ୍କାଏ ଲେଖା ଦେଇ ଏବେ ପାଞ୍ଚ ଟଙ୍କା ? 
ଇଏ କେଉଁ ଯୁଗର କଥା ? ଯାହା ନେଵ ଟିକିଏ ଭାବି ଚିନ୍ତି କୁହ ! ଯାହା ଇଚ୍ଛା ତାହା କହି ଦେଉଛ ଯେ ? ”

“ଶୁଣନ୍ତୁ ! ମୋ ପ୍ରାପ୍ୟ ଜଣ ପିଚ୍ଛା ପାଞ୍ଚଟଙ୍କା କିନ୍ତୁ ଆପଣ ତୀର୍ଥଯାତ୍ରା କରୁଥିଲେ ବୋଲି କମ୍ ନେଇ ପୁଣ୍ୟ ଅର୍ଜିଲି ‌ । ଆପଣ ଗୃହଯାତ୍ରା କଲାବେଳେ କମ୍ ନେବି କାହିଁକି ?”

(ଓଡ଼ିଆ ଜହ୍ନମାମୁଁ ପତ୍ରିକାର ୧୯୯୧ ସଂଖ୍ୟା ଜୁନ ମାସରେ ପ୍ରକାଶିତ ଗଳ୍ପ । ହିନ୍ଦୀ चंदामामाର ୧୯୯୧ ସଂଖ୍ୟା ମଇ ମାସରେ धंधे का भेद ନାମରେ ଏହା ପ୍ରକାଶିତ ହୋଇଥିଲା । ହିନ୍ଦୀରେ କାହାଣୀର ଶେଷରେ ନାଵିକ ଦେଇଥିଵା ଉତ୍ତର ସାମାନ୍ୟ ଭିନ୍ନ ଥିଲା ଟିପ୍ପଣୀ ପେଟିକାରେ ହିନ୍ଦୀ କାହାଣୀ ଦ୍ରଷ୍ଟଵ୍ୟ )




Thursday, August 18, 2022

ଦାୟିତ୍ବ(ରାମକୃଷ୍ଣ ଶାସ୍ତ୍ରୀ)

ଗୋଟିଏ ଗ୍ରାମରେ ମଦନସିଂହ ନାମକ ଜଣେ ପହିମାନ ରହୁଥାନ୍ତି ।‌ ସେ କୁସ୍ତି ଲଢି ବହୁତ ପୁରସ୍କାର ପାଇଥା'ନ୍ତି । ପାଖ ଗ୍ରାମର ମୁଖିଆମାନେ ଏକଥା ଜାଣିଥିଲେ । ତେଣୁ ଗ୍ରାମପଞ୍ଚାୟତ ତରଫରୁ ତାଙ୍କୁ କର ଅସୁଲ କରିବାର ଦାୟିତ୍ଵ ଦିଆଗଲା । ସେ ସହୁତ ଭଲ ଭାବରେ ନିଜ କାମ ତୁଲାଇଥାନ୍ତି । 

ଥରେ ଜଣେ ଚୋର ତାଙ୍କ ଉପରେ ଆଖି ରଖିଲା । ଯେତେବେଳେ ବହୁତ ଟଙ୍କା ପଞ୍ଚାୟତ ଘରେ ରଖା ହୋଇଥିଲା ଚୋରଟା ତାଲା ଭାଙ୍ଗି ଟଙ୍କାସବୁ ନେଇ ଚମ୍ପଟ ହେଲା ।

ଗ୍ରାମ ମୁଖିଆ ଏକଥା ଶୁଣି ବହୁତ ରାଗିଲେ ; ମଦନଙ୍କୁ ଡାକି କହିଲେ , 

“ ତୁମେ ଏତେ ବଳୁଆ ବୋଲି ତୁମକୁ ଏ କାମରେ ରଖା ହୋଇଛି । ଚୋରକୁ ଧରିଲ ନାହିଁ କାହିଁକି ? ” 


ମଦନସିଂହ ସହଜଭାବରେ କହିଲେ , “ ଶୁଣନ୍ତୁ , ମୁଁ ଯେତେବେଳେ କୁସ୍ତି ଲଢେ , ଲୋକମାନେ ସିଟି ମାରି ଚାଳିମାରି ମୋତେ ଉତ୍ସାହ ଦିଅନ୍ତି , ଯେଉଁଥରେ ମୋର ବଳ ଅଧିକ ହୁଏ , ମୁଁ ଜିତେ । ଏଠାରେ କେହି ଉତ୍ସାହ ଦେଵାକୁ ନଥିଵାରୁ ମୁଁ ଚୋର ଧରିପାରିଲି ନାହିଁ ।”

 ମଦନସିଂହଙ୍କ କଥା ଶୁଣି ମୁଖୁଆ ଏଥର ବୁଝିଗଲେ ଯେ ବାହାରୁ କାହାର ବଳିଷ୍ଠ ଦେହ ଦେଖି କାମ ଦେଵା ଉଚିତ୍ ନୁହେଁ । ତାର ‘ ସ୍ଵଭାଵ ଵିଷୟରେ ଯଥେଷ୍ଟ ଜ୍ଞାନ ରହିଥିଵା ଆଵଶ୍ୟକ । 

(ଓଡ଼ିଆ #ଜହ୍ନମାମୁଁ ପତ୍ରିକାର ୧୯୯୩ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ଗଳ୍ପ / ହିନ୍ଦୀ #ଚନ୍ଦାମାମା ପତ୍ରିକାରେ ୧୯୯୨ ଵର୍ଷ ଡିସେମ୍ବର ମାସରେ दायित्व किसे सौंपे ନାମରେ ପ୍ରକାଶିତ ହୋଇଥିଲା‌ ।)

Wednesday, August 17, 2022

ସିନ୍ଧୁ - ସିନ୍ଧୁନଦୀ ଓ ଭାରତଵର୍ଷ

ସିନ୍ଧୁ ନଦୀ ଓ ଭାରତଵର୍ଷ ଆଵାହମାନ କାଳରୁ ଓତଃପ୍ରୋତ ଭାବେ ଜଡ଼ିତ । ଵର୍ତ୍ତମାନ ମୋଟ 1.12 million km2 ଆୟତନ ଵିଶିଷ୍ଟ ସିନ୍ଧୁ ଉପତ୍ୟକା ମଧ୍ୟରୁ ପାକିସ୍ତାନରେ ୪୭ଭାଗ,ଭାରତରେ ୩୯ଭାଗ ,ଚୀନରେ ୮ ଭାଗ ଏଵଂ ଆଫଗାନିସ୍ତାନରେ ୬ ଭାଗ ରହିଛି । ତେବେ ଆଜକୁ ୭୫ ଵର୍ଷ ତଳେ ଏ ସମସ୍ତ ଭୂଭାଗ ଭାରତଵର୍ଷର ଅଂଶଵିଶେଷ ଭାବେ ହିଁ ପରିଗଣିତ ହେଉଥିଲା । 

ସିନ୍ଧୁ ଶବ୍ଦଟି ମୂଳତଃ ଏକ ସଂସ୍କୃତ ଶବ୍ଦ ଏଵଂ ଵେଦରେ ଅଳ୍ପ ସ୍ଥାନରେ ହେଉ ପଛେ ଏହି ଶବ୍ଦର ପ୍ରୟୋଗ ହୋଇଛି । 

ସିନ୍ଧୁ ଶବ୍ଦକୁ ସ୍ଯନ୍ଦ୍ ଧାତୁରୁ ନିଷ୍ପନ୍ନ କରଯାଇଛି । 

ସ୍ଯନ୍ଦତେ ଇତି । ସ୍ଯନ୍ଦୂ ପ୍ରସ୍ରଵଣେ + “ସ୍ଯନ୍ଦେଃ ସମ୍ପ୍ରସାରଣଂ ଧଶ୍ଚ । ” 

ସ୍ୟନ୍ଦ୍ ଧାତୁରୁ ସ୍ରବିଵା, ବୋହିଵା, କ୍ଷରିଵା, ଗମନ କରିଵା ଓ ଗତି କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ କରଯାଇଥାଏ । ଵୈଦିକ ଯୁଗରେ ଜଳଧାରାକୁ ସିନ୍ଧୁ କୁହାଯାଉଥିଲା ବୋଲି Vedic Reference ନାମକ ଇଂରାଜୀ ଜ୍ଞାନକୋଷରେ ଲିଖିତ ହୋଇଛି । ଵେଦରେ କାଁ ଭାଁ ଅଳ୍ପ ସ୍ଥାନରେ ସିନ୍ଧୁ ନଦୀକୁ ସିନ୍ଧୁ ଉଲ୍ଲେଖ ଥିଵା ଦୃଶ୍ୟ ହୋଇଥାଏ । ତେବେ ଏହି ସିନ୍ଧୁ ଶବ୍ଦଟି ବହୁ ଅର୍ଥବୋଧକ । 

ପ୍ରଥମତଃ ସମୁଦ୍ରକୁ ସିନ୍ଧୁ କୁହାଯାଉଥିଲା ।

"ତାଵତ୍ତ୍ରିଭୁଵନଂ ସଦ୍ଯଃ କଳ୍ପାନ୍ତୈ ଧିତସିନ୍ଧଵଃ । ପ୍ଲାଵୟନ୍ତ୍ଯୁତ୍କଟାଟୋପଚଣ୍ଡଵାତେରିତୋର୍ମ୍ମୟଃ ॥"
(ଭାଗଵତ/ ୩ । ୧୧ । ୩୧ ।)

ଓଡ଼ିଆ ଭାଷାରେ ମଧ୍ୟ ଏଭଳି ଶତାଧିକ ପ୍ରୟୋଗ କରାଯାଇଛି । ଯଥା—

ପାରି ହେଲେ ଦ୍ୱନ୍ଦୁ ପିଇ ସପ୍ତ ସିନ୍ଧୁ ଅଣାକାରଙ୍କର ଆଜ୍ଞାକାରୀ ।
ବାଲମିକ ମୁନି ବାଳୁତ କାଳରୁ ଅବଧୂତ ଦୀକ୍ଷା ଆଶ୍ରେ କରି ॥
(ଭୀମଭୋଇଙ୍କ ଭଜନ)

ଆହେ ପ୍ରଭୁ ଜଗତଜନ-ବନ୍ଧୁ । ଦୀନ-ଉଦ୍ଧାରଣ କରୁଣାସିନ୍ଧୁ । 
ତୁମ୍ଭେ ଦୁଃଖ-ସିନ୍ଧୁ । 
କରୁଣା କଲେ କରିପାର ବିନ୍ଦୁ । 
(ଜଗନ୍ନାଥ ଦାସଙ୍କ ମୃଗୁଣୀ ସ୍ତୁତି)

ଯେବେ ହୋଇବ ସିନ୍ଧୁ ପାର । ଗୋବିନ୍ଦପାଦେ ଆଶ୍ରେ କର ॥
(ଭାଗଵତ, ଜଗନ୍ନାଥ ଦାସ)

ପାରେଶ୍ୱର ସତ୍ୟବତୀ ଗଲେ ସିନ୍ଧୁ ସ୍ନାହାନକୁ ସଙ୍ଗେ ଘେନିଗଲେ ଚିତ୍ର ଵିଚିତ୍ରଵୀର୍ଯ୍ୟକୁ । 
(ସାରଳା ମହାଭାରତ, ସାରଳା ଦାସ)

ପୁନଶ୍ଚ ନଦୀକୁ ମଧ୍ୟ ସିନ୍ଧୁ କୁହାଯାଉଥିଲା 

"ଵିନୀତାଧ୍ଵଶ୍ରମାସ୍ତସ୍ଯ ସିନ୍ଧୁ ତୀରଵିଚେଷ୍ଟନୈଃ ।
ଦୁଧୁଵୁର୍ଵାଜିନଃ ସ୍କନ୍ଧାନ୍ ଲଗ୍ନକୁଙ୍କୁମକେଶରାନ୍ ॥"
(ରଘୁବଂଶମ୍ । ୪ । ୬୭ ।)

ନବ ଲକ୍ଷ ବଙ୍ଗ ଅନେଶ୍ୱତ ରାଣୀ ଷୋଳଶତ ହସ୍ତୀ ଘୋଡ଼ା, ଚାରିଦେଗେ ସିନ୍ଧୁ ମଧ୍ୟରେ ନବର ଘର ତ‌ହିଁ ହୀରା ଯଡ଼ା ।
(ଟୀକା ଗୋଵିନ୍ଦ ଚନ୍ଦ୍ର ,ଯୋଗୀନ୍ଦ୍ର ଵିପ୍ର)

ସେହିପରି ମୁଣ୍ଡକୋପନିଷଦ(। ୨ । ୧ । ୯ ।)ରେ ସିନ୍ଧୁ ନଦୀ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି 

"ଅତଃ ସମୁଦ୍ରା ଗିରୟଶ୍ଚ ସର୍ଵ୍ଵେଽସ୍ମାତ୍ ସ୍ଯନ୍ଦନ୍ତେ ସିନ୍ଧଵଃ ସର୍ଵ୍ଵରୂପାଃ ।
 ଅତଶ୍ଚ ସର୍ଵ୍ଵା ଓଷଧୟୋ ରସଶ୍ଚ ଯେନୈଷ ଭୂତୈସ୍ତିଷ୍ଠତେ ହ୍ଯନ୍ତରାତ୍ମା ॥"

ରାଜନିର୍ଘଣ୍ଟଃ ଗ୍ରନ୍ଥରେ ସିନ୍ଧୁ ନଦୀ ଜଳର ଗୁଣ ଵିଷୟରେ ଆଲୋଚନା କରାଯାଇଛି 

"ଶତଦ୍ରୋର୍ଵିପାଶାୟୁଜଃ ସିନ୍ଧୁନଦ୍ଯାଃ ସୁଶୀତଂ ଲଘୁ ସ୍ଵାଦୁ ସର୍ଵ୍ଵାମୟଘ୍ନମ୍ ।
ଜଳଂ ନିର୍ମ୍ମଳଂ ଦୀପନଂ ପାଚନଞ୍ଚ ପ୍ରଦତ୍ତେ ବଳଂ ବୁଦ୍ଧିମେଧାଯୁଷଞ୍ଚ ॥"

ଏ ନଦୀର ନାମୋଲ୍ଲେଖ ଓଡ଼ିଆ ପୁରାଣରେ ଅଳ୍ପ ଦେଖିଵାକୁ ମିଳେ ତେବେ ମଧୁସୂଦନ ରାଓ ତାଙ୍କର ଜନ୍ମଭୂମି କଵିତାରେ ଏହି ନଦୀର ଏମନ୍ତ ନାମ ଉଲ୍ଲେଖ କରିଛନ୍ତି

"ଧନ୍ୟ ମହିମା ତୋହର 
ନାହିଁ ତାର ପଟାନ୍ତର
ମସ୍ତକରେ ହିମାଳୟ ପର୍ବତଵର
ଦୁଇ ପାରୁଶେ ଜଳଧି 
ବ୍ରହ୍ମପୁତ୍ର ସିନ୍ଧୁ ନଦୀ
ଚରଣରେ ବିରାଜିତ ମହାସାଗର ।
ବିନ୍ଧ୍ୟ ଗିରିବର କଟିରେ
ଗଙ୍ଗା ଆଦି କେତେ ନଦୀ 
ଶୋଭେ ଶରୀରେ ॥"

ସିନ୍ଧୁ ନଦୀ ଉପତ୍ୟକାକୁ ସିନ୍ଧୁ ତଥା ସିନ୍ଧୁ ଦେଶ କୁହାଯାଉଥିଲା

"ଯୁଧାଜିତଶ୍ଚ ସନ୍ଦେଶାତ୍ ସ ଦେଶଂ ସିନ୍ଧୁନାମକମ୍ ।
ଦଦୌ ଦତ୍ତପ୍ରଭାଵାୟ ଭରତାୟ ଭୃତପ୍ରଜଃ ॥"
(ରଘୁଃ । ୧୫ । ୮୭ ।)

ଵୈଦେହୀଶ ଵିଳାସରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵିଭିନ୍ନ ଦେଶର ନାମୋଲ୍ଲେଖ ସମୟରେ ସିନ୍ଧୁଦେଶର ମଧ୍ୟ ନାମ ଲେଖିଛନ୍ତି 

"ବିତପନ କଲେ ନେଇ ତପନବଂଶିକ ତହିଁ ସଭାରେ ଲୋଭା ଅନାଇ ନୃପ ସକଳ।

ବିଦର୍ଭ, କର୍ଣ୍ଣାଟ, ଭୋଟ, ସଉରାଷ୍ଟ୍ର, ମରହଟ୍ଟ, କୁନ୍ତଳ, କେରଳା, ଚୋଳ, ସିନ୍ଧୁ, ଉତ୍କଳ।
ବହ୍ନିକ, ତୁରଷ୍କ, ନିଷେଧ।
ବଙ୍ଗ, ଅଙ୍ଗ, କଳିଙ୍ଗ, ଚୋଡଙ୍ଗ, ମଗଧ।

ବେଦି, ଚେରି, ମଘ, ମତ୍ସ, ଦ୍ରାବୀଡ, ଗଉଡ, ମ୍ଳେଚ୍ଛ, ଆରବ, ମାଳବ, କଚ୍ଛ, କୁରୁ, ସଞ୍ଚାଳ।

ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜ, ଗଳ, ଡାହାଳ, ଲୋମଶ, ପୁଣ୍ଡ୍ର, କୋଶଳ(ଅଯୋଧ୍ୟା)।”

ସଂଗୀତ ଶାସ୍ତ୍ରରେ ଏକ ରାଗକୁ ସିନ୍ଧୁରାଗ କୁହାଯାଉଥିଲା । ଏହା ମାଳକୋଶ ରାଗର ପୁତ୍ର ବୋଲି କଳ୍ପିତ। ଏଥିରେ ଗାନ୍ଧାର ରେ ନିଷାଦ, ଦୁଇ କୋମଳ ସ୍ବର ଲାଗେ। 

"ମାଧଵଃ ଶୋଭନଃ ସିନ୍ଧୁ ର୍ମ୍ମାରୁମେଵାଡୁକୁନ୍ତଳାଃ ।
କଳିଙ୍ଗଃ ସୋମସଂଯୁକ୍ତଃ କୌଶିକସ୍ଯ ସୁତା ଇମେ ॥"
(॥ ସଙ୍ଗୀତସିନ୍ଧୁ ଶାସ୍ତ୍ର ॥)

ସିନ୍ଧୁଵାର ଵା ବେଗୁନିଆ ଗଛକୁ ମଧ୍ୟ କେଵଳ ସିନ୍ଧୁ କୁହାଯାଉଥିଲା । ଶବ୍ଦରତ୍ନାଵଳୀ ଗ୍ରନ୍ଥ ଅନୁସାରେ 

ଵିସୁନ୍ଧକଃ ସିନ୍ଧୁ ଵାରଃ ସିନ୍ଧୁକଂ ସୁରସୋଽପି ଚ ।
ତଥେନ୍ଦ୍ରସୁରସସ୍ତ୍ଵିନ୍ଦ୍ରସୁରିସଃ ସିନ୍ଧୁ ଵାରିତଃ । ନିର୍ଗୁଣ୍ଡୀନ୍ଦ୍ରାଣିକେନ୍ଦ୍ରାଣୀ ସୁରସା ସିନ୍ଧୁଵାରକଃ ॥"

ଏତଦଵ୍ୟତୀତ ଶ୍ବେତ ଟଙ୍କଣ,ଦଣ୍ଡ,ଵମନ,ହସ୍ତି,ହସ୍ତି,ହାତୀର ଶୁଣ୍ଢରୁ ବୋହିଵା ପାଣି (ଲାଳ),ଆଦ୍ରତା,ବରୁଣ ଦେବତାଙ୍କୁ ମଧ୍ୟ ସିନ୍ଧୁ କୁହାଯାଉଥିଲା । 

ତେବେ ସିନ୍ଧୁ ଶବ୍ଦର ଏତେ ସବୁ ଅର୍ଥ ଥିଲେ ମଧ୍ୟ ଵିଶେଷତଃ ସିନ୍ଧୁ ନଦୀ,ନଦୀ, ସମୁଦ୍ର ତଥା ସିନ୍ଧୁ ଦେଶର ନାମ ସିନ୍ଧୁ ବୋଲି ସମସ୍ତେ ଜାଣିଥିଲେ । 

ଭାରତର ପଶ୍ଚିମ ପ୍ରଵେଶ ପଥରେ ସିନ୍ଧୁନଦୀ ଅଵସ୍ଥିତ ଥିଵାରୁ ପଶ୍ଚିମ ତଥା ମଧ୍ୟପ୍ରାଚ୍ୟର ଲୋକେ ଭାରତକୁ ଆସିଵାକୁ ଚେଷ୍ଟା କଲାବେଳେ ସିନ୍ଧୁ ନଦୀ ସହିତ ପରିଚିତ ହେଉଥିଲେ । ଫଳତଃ ସିନ୍ଧୁ ନଦୀର ନାମାନୁସାରେ ସେମାନେ ଭାରତଵର୍ଷର ନାମକରଣ କରିଛନ୍ତି । ଏହି ଆଧାରରେ ଭାରତଵର୍ଷର ଏକ ନାମ ଦିଆ ହେଲା ଏଵଂ ତାହା ହେଉଛି india !

ପର୍ତ୍ତୁଗୀଜ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ଦ୍ଵାରା ଭାରତଵର୍ଷକୁ ପ୍ରଦତ୍ତ ଏହି ଇଣ୍ଡିଆ ନାମ ସହିତ ଭାରତୀୟଙ୍କ ପରିଚୟ ହୋଇଥିଲା । 

ପୂର୍ଵେ ଇଂରାଜୀରେ ଭାରତକୁ Indea କୁହାଯାଉଥିଲା ଏଵଂ ଇଂରାଜୀ ଭାଷାର ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମୋଦ୍ଧୃତ । ଲାଟିନ୍‌ର ଇଣ୍ଡିଆ ଶବ୍ଦ ବି ଗ୍ରୀକ୍‌ରୁ ସିଧାସଳଖ ଗ୍ରହଣ କରାଯାଇଛି ତଥା ସେଇ ମୂଳଗ୍ରୀକ୍ ଶବ୍ଦଟି ହେଉଛି Ἰνδία(Indía) ।

ଵସ୍ତୁତଃ ମୂଳ ଗ୍ରୀକ୍ Ἰνδία(Indía) ଶବ୍ଦଟି Ἰνδός(Indós) ଶବ୍ଦରୁ Ἰνδ
ସହିତ -ῐ́ᾱ(-íā) ପ୍ରତ୍ଯୟ ଯୁକ୍ତ ହୋଇ ସୃଷ୍ଟ ।

Ἰνδός(Indós) ଶବ୍ଦର ଅର୍ଥ ଇଣ୍ଡସ୍ ଵା ସିନ୍ଧୁ ନଦୀ ଅଟେ । ଗ୍ରୀକ୍ ଭାଷାରେ ଚଳୁଥିଵା Ἰνδός(Indós) ଶବ୍ଦଟି ପୁରୁଣା ପାର୍ସୀଭାଷାର 𐏃𐎡𐎯𐎢𐏁(hindūš) ଶବ୍ଦରୁ ଆସିଅଛି ।

 ଏହାର ପ୍ରାକ୍ ଇରାନୀ ରୂପ *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ
 ରୂପ *síndʰuš(ନଦୀ/ସାଗର) ଥିଲା ।

ଆଗେ ଇଂରାଜୀ ଲୋକେ ଆରବୀୟଙ୍କ ଠାରୁ ତଥା ପ୍ରାଚୀନ ଗ୍ରୀକ୍ ଇତିହାସ ଓ ସାହିତ୍ୟ ଗ୍ରନ୍ଥରୁ ଭାରତୀୟଙ୍କ ଵିଷୟରେ ଜାଣିଵାକୁ ପାଉଥିଲେ । ଫ୍ରାନ୍ସ ଦ୍ଵାରା ପରାଧୀନ ଥିଵା ସମୟରେ ଇଂରେଜ ଲୋକେ ମୂଳ ଲାଟିନ୍ Indía ଶବ୍ଦକୁ Inde ଲେଖୁଥିଲେ ।

 ଏହି ଶବ୍ଦଟି ପୁରୁଣା ଫ୍ରେଞ୍ଚ ଭାଷାରେ Ynde ହୋଇ ଚଳୁଥିଲା । ୧୬୦୦ଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଏଇ India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଆଜି ସାରା ଵିଶ୍ଵରେ ଭାରତର ଆଧିକାରୀକ ନାମ ହୋଇଯାଇଛି । 

ସେହିପରି ସିନ୍ଧୁ ନଦୀର ନାମ ଆଧାରରେ ଭାରତଵର୍ଷର ଅନ୍ୟ ଏକ ନାମ ମଧ୍ୟ ରଖାଯାଇଥିଲା ଏଵଂ ତାହା ହେଉଛି ହିନ୍ଦୁସ୍ତାନ । 

ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଏହି ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । 

ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ସ୍ଥାନୀୟ ବ୍ରଜବୋଲୀ ଭାଷାରେ ଆରବୀ ପାର୍ସୀ ତୁର୍କ ଶବ୍ଦର ମିଶ୍ରଣ କରି ସେହି ଭାଷାକୁ ହିନ୍ଦୀ ନାମ ଦିଆଗଲା । 

ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି ।

 ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାରୋପୀୟ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ ।
 
 ଢେଙ୍କାନାଳରେ ସେଇଟା କୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ କୁହନ୍ତି ହାରୁ ଛେ !!!
 
 ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଏଵଂ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣ ପରିଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ । 

କିନ୍ତୁ କେଵଳ ଵିଦେଶୀ ହିଁ ନୁହନ୍ତି ଭାରତଵାସୀ ମଧ୍ୟ ସିନ୍ଧୁ ନଦୀର ନାମାନୁସାରେ ଭାରତଵର୍ଷର ଏକ ଵିଶିଷ୍ଟ ଶାସ୍ତ୍ରୀୟ ନାମ ରଖିଥିଲେ । ଭାରତଵର୍ଷର ସେହି ନାମଟି ହେଉଛି "କୁମାରଖଣ୍ଡ" । 

  ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁମାର ଶବ୍ଦ ତଳେ ଉଲ୍ଲେଖ କରାଯାଇଛି । 
  
କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । 

କିନ୍ତୁ ଭାଷାଵିଦଙ୍କ ମଧ୍ୟରେ ଏହାକୁ ନେଇ ମତାନ୍ତର ରହିଛି । କେତେକ ଗଵେଷକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ । 

ହେଲେ ଏକଦା ଭାରତଵର୍ଷର ପରିଚୟ ପାଲଟିଥିଵା ସିନ୍ଧୁନଦୀ ଉପତ୍ୟକାର ଅର୍ଦ୍ଧାଧିକ ଭୂଭାଗ ଭିନ୍ନ ଦେଶରେ ଵିଦ୍ୟମାନ । ପୁଣି ଭାରତୀୟ ଜାତୀୟ ସଂଗୀତ ଲେଖିଲାବେଳେ ଏକଦା ରଵିନ୍ଦ୍ରନାଥ ଠାକୁର ଯେଉଁ ସିନ୍ଧୁ ଦେଶ ପାଇଁ ଲେଖିଲେ "ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା" ଆଜି ତାହା ଆଧୁନିକ ପାକିସ୍ତାନ ଦେଶରେ ଅଵସ୍ଥିତ ।
••••••••••••••••••••••••••
ତଥ୍ୟ ଉତ୍ସ—
©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
© କଳ୍ପଦ୍ରୁମ ସଂସ୍କୃତ ଅଭିଧାନ
     ଶିଶିର ସାହୁ ମନୋଜ 
••••••••••••••••••••••••••