My Blog List

Tuesday, May 26, 2020

ଉତ୍କଳମଣି ସୂକ୍ତିମାଳା ୧

୧)ଯେଉଁମାନେ ଉତ୍କଳ ଵା ଓଡ଼ିଶାରେ ସମାନ ଆଶା ଆକାଙ୍କ୍ଷା ଧରି ଜନ୍ମ ମରଣରେ ସମ୍ମାନ ଶ୍ରେୟଃ ସ୍ଵାର୍ଥରେ  ଵିଜଡି଼ତ,ସେମାନେ ସମସ୍ତେ ଓଡ଼ିଆ ଜାତି ।

୨)କେହି କେହି ଉତ୍କଳ ଓ ଓଡ଼ିଶା ମଧ୍ୟରେ ପାର୍ଥକ୍ୟ କରନ୍ତି । ଯଥାର୍ଥରେ ଏ ଉଭୟରେ କୌଣସି ପାର୍ଥକ୍ୟ ନାହିଁ କିଂଵା ରହିଵା ଉଚିତ୍ ନୁହେଁ ।

୩)ବଙ୍ଗଳାର ହୁଅନ୍ତୁ ଵା ପଞ୍ଜାଵର ହୁଅନ୍ତୁ,ମାରଵାର୍'ର ହୁଅନ୍ତୁ ଵା ମାନ୍ଦ୍ରାଜର ହୁଅନ୍ତୁ,ହିନ୍ଦୁ ହୁଅନ୍ତୁ ଵା ମୁସଲମାନ ହୁଅନ୍ତୁ,ଆର୍ଯ୍ୟ ହୁଅନ୍ତୁ ଵା ଆଦିମ ଆଦିଵାସୀ ହୁଅନ୍ତୁ, ଯେ ଉତ୍କଳ ଵା ଓଡ଼ିଶା ସଙ୍ଗେ ଆପଣାର ସମସ୍ତ ସତ୍ଵ ଓ ସ୍ଵାର୍ଥ ମିଳାଇଦେଇଛନ୍ତି , ଓଡ଼ିଶା ତାଙ୍କର ସେ ଓଡ଼ିଶାର...

୪)ପୃଥିଵୀରେ ଏପରି ପ୍ରାୟ ସ୍ଥାନ ନାହିଁ ଯେଉଁଠାରେ ଭିନ୍ନ ଭିନ୍ନ ଜାତି ରହୁନାହାନ୍ତି । ମାତ୍ର ସେମାନଙ୍କର ସ୍ଵାର୍ଥର କେନ୍ଦ୍ର ଏକ । ତେଣୁ କାଳକ୍ରମେ ଏକୀଭୂତ ହେଵା  ସେମାନଙ୍କ ପକ୍ଷେ ସ୍ଵାଭାଵିକ ଓ ଶ୍ରେୟସ୍କର ।

୫)ଭାଇ ଉତ୍କଳଵାସୀ, ତୁମେ ଯେ ହୁଅ, ବଙ୍ଗାଳୀ, ଓଡ଼ିଆ,ତେଲେଙ୍ଗା,ହିନ୍ଦୁସ୍ତାନୀ(ହିନ୍ଦିଆ),କୋଲ୍ହ,ହିନ୍ଦୁ, ଖ୍ରୀଷ୍ଟାନ,ମୁସଲମାନ ଯେ ହୁଅ, ଉତ୍କଳ ଭୂମି ତୁମକୁ ଆପଣା ଶରୀରରେ ବହି ତୁମର କେତେ ଅଳି ଅର୍ଦ୍ଦଳି ସହୁଛନ୍ତି । ତୁମ୍ଭେ ଓଡି଼ଆ,ତୁମ୍ଭେ ଉତ୍କଳୀ, ଉତ୍କଳ ସମ୍ମିଳନୀରେ ତୁମ୍ଭ ନିମନ୍ତେ ପ୍ରଶସ୍ତ ସ୍ଥାନ ରହିଅଛି । ଉତ୍କଳମାତା ମଧ୍ୟ ତୁମ୍ଭର ସେଵା ପୂଜା ଗ୍ରହଣ କରିଵାକୁ ସତୃଷ୍ଣ ନୟନରେ ଅନାଇ ରହିଛନ୍ତି ।

୬)ଭାରତରେ ଜାତୀୟତା ଗଠନର ନାନା ଅନ୍ତରାୟ ରହିଅଛି । ନାନା ଭାଷା, ନାନା ଧର୍ମ, ନାନା ଵିଧି ନାନା ଆଚାର ଵ୍ଯଵହାର ଯୋଗୁଁ ଭାରତୀୟମାନଙ୍କ ମଧ୍ୟରେ ଏତେ ପାର୍ଥକ୍ୟ ରହିଅଛି ଯେ,ଭାରତ ଜାତୀୟତା କେହି କେହି ଅସମ୍ଭଵ ମନେ କରନ୍ତି; ସେଥିରେ ପୁଣି କୌଣସି ଏକ ପ୍ରଦେଶ ଵା  ଅଞ୍ଚଳରେ ସେହି ପ୍ରକାରର ଭେଦ ଘଟିଲେ ଭଖରତର ଜାତୀୟ ସମସ୍ଯା ଅଧିକ ଦୁଃସାଧ୍ୟ ଓ ଜଟିଳ ହେଵ ।

୭)ଏ ପ୍ରଦେଶରେ ଵାସ କରି ସମସ୍ତ ଶ୍ରେୟ ― ସ୍ଵାର୍ଥ ― ମମତା ତହିଁ ସଙ୍ଗେ ମିଶାଇ ନଦେଇ ଯେଉଁମାନେ ସ୍ଵତନ୍ତ୍ର ଓ ସତ୍ଵ ଦାଵୀ କରନ୍ତି ସେମାନେ ସେ ପ୍ରଦେଶର ଉନ୍ନତି ପଥରେ କଣ୍ଟକ ସ୍ଵରୂପ । ନିଜର ଆପାତ ସ୍ଵାର୍ଥ ଲାଗି ଅନ୍ୟ ଜାତିର ଉନ୍ନତିର ଅନ୍ତରାୟ ଏକ ପ୍ରଦେଶ ମଧ୍ୟରେ ସ୍ଵାର୍ଥର ଅନୈକ୍ୟ ଘଟାଇଵା ଦ୍ଵାରା ଭାରତର ସମୂହ କଲ୍ଯାଣର ସେମାନେ ଶତ୍ରୁ; ସୁତରାଂ ଆତ୍ମଘାତୀ ।

୮)କେହି କେହି ପଣ୍ଡିତ ମନୁଷ୍ୟକୁ ରାଜନୈତିକ ପ୍ରାଣୀ ବୋଲି କହିଅଛନ୍ତି । ଯେଉଁମାନେ କୁହନ୍ତି ପରାଧୀନ ଜାତିର ରାଜନୀତି ନାହିଁ ସେମାନେ ମାନଵ ଜୀଵନକୁ ପୂର୍ଣ୍ଣ ଭାଵରେ ଦେଖନ୍ତି ନାହିଁ । ପରାଧୀନ ହେଉ ଵା ସ୍ଵାଧୀନ ଯେଉଁ ଜାତି ଵା ସମାଜ କୌଣସି ରାଜ୍ୟରେ ଵାସକରେ ଏଵଂ କୌଣସି ସୁଗଠିତ ଓ ଶୃଙ୍ଖଳାବଦ୍ଧ ଶାସନଶକ୍ତିର କର୍ତ୍ତୃତ୍ଵ ସ୍ଵୀକାର କରେ,ତାହାର କୌଣସି ନା କୌଣସି ପ୍ରକାରେ ରାଜନୀତି ରହିଵ ।

୯)ଭାରତୀୟ ଆକାଙ୍କ୍ଷା ସହିତ ଉତ୍କଳୀୟ ଆକାଙ୍କ୍ଷାର ସାମଞ୍ଜସ୍ୟ ରହିଵା ଉଚିତ୍ । ଭାରତ ସଙ୍ଗେ ଉତ୍କଳର ନିତ୍ୟ ସମ୍ବନ୍ଧ ରହିଵ ହିଁ ରହିଵ । ଏ ସମ୍ବନ୍ଧ ଚିରଦିନ ରହିଅଛି ।

୧୦)ମନେ ରଖିଵାକୁ ହେଵ,ଆମ୍ଭେମାନେ (ଭାରତ)ଭାରତୀୟ ଜାତିର ଅନ୍ତର୍ଗତ । ଭାରତ ଏକ (ଉପ)ମହାଦେଶ । (ତେଣୁ) ସେଥିରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଜାତି,ପ୍ରାଦେଶିକ ପାର୍ଥକ୍ୟ ଅନୁସାରେ କାଳକ୍ରମେ ଉଦ୍ଭଵ ହୋଇଛନ୍ତି;ମାତ୍ର ସେ ସମସ୍ତଙ୍କ ଭାଗ୍ଯ ଭାରତର 
ଭାଗ୍ଯ ସଙ୍ଗେ ସୀମାବଦ୍ଧ ।

୧୧)ଜାତୀୟତାର ଲକ୍ଷ୍ୟରେ ଉଦାର ମାନଵିକତା,ସମଗ୍ର ସାରତଵର୍ଷରେ କେଵଳ ଓଡ଼ିଆ ହିଁ ବୁଝିଥିଲେ ।

୧୨)ଵିଶ୍ଵପ୍ରୀତି ହିଁ ଓଡ଼ିଆର ଜାତୀୟତା,ପୂର୍ଣ୍ଣପ୍ରାଣ ଓଡ଼ିଶାର ମନୁଷ୍ଯତା।

୧୩)ଓଡ଼ିଆର ଜାତୀୟତା, ଦେଶାନୁରାଗ କେଵେ ଜଡ଼, ନିର୍ଜୀଵ, ନୀରସ ଓ ସ୍ୱାର୍ଥ କଳୁଷିତ ନୁହେଁ । ରାଜ୍ୟଲାଭ ଵା ରକ୍ତପାରେ ଏହାର ପ୍ରତିଷ୍ଠାୁ ନୁହେଁ। ଗଭୀର ଧର୍ମଭାଵ ଏଵଂ ଦୃଢ଼ଵିଶ୍ୱାସ ଏହାର ଭିିତ୍ତି। ସାମ୍ୟ, ମୈତ୍ରୀ, ସ୍ୱାଧିନତା ଏହାର ଵିଗ୍ରହ। ଓଡ଼ିଆର ଏହି ଭାଵ ନୀଳାଚଳାଧାମରେ ପ୍ରକଟିତ, ତେଣୁ ଜଗନ୍ନାଥ ଓଡ଼ିଆର ଜାତୀୟ ଦେଵତା । ବଦ୍ରୀନାଥ, ରାମନାଥ,ଦ୍ଵାରିକାନାଥ ସ୍ଥାନ ଵିଶେଷର 'ନାଥ', ମାତ୍ର ଜଗତର ନାଥ ନୁହନ୍ତି। ପ୍ରାଚୀନ କାଶୀଧାମରେ ଵିଶ୍ୱନାଥ ଅଛନ୍ତି, କିନ୍ତୁ ସମଗ୍ରଵିଶ୍ୱକୁ ଆଲିଙ୍ଗନ କରିଵାର ଉଦାରତା ସେଠାରେ ନାହିଁ ।

୧୪) ନୀଳାଚଳର ନୀତିରେ କ୍ଷୁ୍ଦ୍ର ବୃହତ୍ ନାହିଁ, ରାଜା ପ୍ରଜା ନାହିଁ, ବ୍ରାହ୍ମଣ-ଚାଣ୍ଡାଳ ନାହିଁ, ପାମର-ପ୍ରେମିକ ନାହିଁ, ଏମନ୍ତ କି ହିନ୍ଦୁବୌଦ୍ଧର ଭେଦ ନାହିଁ। ପରଵର୍ତ୍ତୀ  ଚୈତନ୍ଯଯୁଗରେ ମଧ୍ଯ ହିନ୍ଦୁ ମହମ୍ମଦୀୟ ଭେଦ ପର୍ଯ୍ୟନ୍ତ ଏଠାରେ ଲୁଚିଯାଇଥିଲା । ଏହି ଉଦାରତାର ମାନଵିକତା ଏବଂ ମହାଭାରତୀୟତାର ବୀଜ ନୀଳାଚଳ ଧାମରେ ଅଛି ବୋଲି  ତ କାଳେକାଳେ ଭାରତର ଦଦିଦିଗନ୍ତରୁ ସିଦ୍ଧସାଧକ ଓ ମହାପୁରୁଷମାନେ ଆକୃଷ୍ଟ ହୋଇ ଆସିଛନ୍ତି ।

୧୫)ଓଡ଼ିଆ କେଵେ କାହାକୁ ଵିଦ୍ଵେଷ ଦୃଷ୍ଟିରେ ଦେଖି ନାହିଁ।

୧୬)ଭାଇ ଓଡ଼ିଆ, ଵର୍ତ୍ତମାନ ତୁମ୍ଭେ ଯାହା ହୁଅ କି ତୁମ୍ଭଙ୍କୁ ଅନ୍ୟ ଯାହାବୋଲି ମନେକେରୁ ପଛକେ, ଯେତେଦିନ ଯାଏଁ ନୀଳାଚଳରେ ସାମ୍ୟ-ମୈତ୍ରୀର ଧ୍ଵଜା ଉଡ଼ୁଥିଵ, ସେତେଦିନ ଯାଏଁ ଓଡ଼ିଶା ସମଗ୍ର ଭାରତର ଏକତାର କେନ୍ଦ୍ରଭୂମି ହୋଇ ଵିରାଜୁଥିଵ । ତୁମ୍ଭେ ଏହି ଭାରତୀୟ ଜାତୀୟତା କେନ୍ଦ୍ରରେ ଅଧିକାରୀ । ଏ ଅଧିକାରର ଉପଯୁକ୍ତ କାର୍ଯ୍ୟ  କଲେ ଆମ୍ଭମାନଙ୍କୁ ଭାରତ  ନିକଟରେ ଅପମାନିତ ହେଵାକୁ ହେଵ ଏଵଂ ଭବିଷ୍ୟତ ପୁରୁଷମାନେ ଆମ୍ଭମାନଙ୍କର ସଂର୍କୀର୍ଣ୍ଣତା ଓ ଅଦୂରଦର୍ଶିାତର  ନିନ୍ଦା କରିଵେ ।

(ଉତ୍କଳ ସମ୍ମିଳନୀର ଏକ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା କଥିତ ମୁଖ୍ୟ ମୁଖ୍ୟ ମତ)

Monday, May 25, 2020

କଳିଙ୍ଗ ସାଗର ଓ ବଙ୍ଗୋପସାଗର

ବଙ୍ଗୋପସାଗର କୁ ଓଡି଼ଆ ଲୋକେ କଳିଙ୍ଗସାଗର ତଥା ମହୋଦଧୀ କହିବା ଆରମ୍ଭ କରିଦିଅନ୍ତୁ ।
କାରଣ
ଆକାର ଦୃଷ୍ଟିରୁ ମହୋଦଧୀକୁ ଏକ ଉପସାଗରର ଆଖ୍ଯା ଦେବା ଟା ମସ୍ତବଡ଼ ଭୂଲ ।

ମୃତସାଗର-Dead sea ଅପେକ୍ଷା ମହୋଦଧୀ ବହୁତ ବିଶାଳ
ପୁଣି କାସ୍ପିଆନସାଗର ଏକ ବିଶାଳ ହ୍ରଦ କିନ୍ତୁ ଯେହେତୁ
ପୂର୍ବରୁ ଲୋକେ ଏସବୁ ଜଳଭାଗକୁ ଏକ ଏକ ସାଗରର ଆଖ୍ଯା ଦେଇ ଆସିଛନ୍ତି ଏବଂ ପରବର୍ତ୍ତୀକାଳରେ ମଧ୍ଯ ତାହା ପ୍ରଚଳିତ ସେସବୁ ଜଳଭାଗକୁ ଆଜି ମଧ୍ଯ ସାଗର କୁହାଯାଏ  ।

କେହି କେହି ମତ ଦିଅନ୍ତି ତିନିପାର୍ଶ୍ବରେ ସ୍ଥଳଭାଗ ପରିବେଷ୍ଟିତ ଜଳଭାଗ କୁ ଉପସାଗର
କୁହାଯିବା ଦରକାର ତେବେ ସେହି ନିୟମ ଅନୁଯାୟୀ Red sea~ଲୋହିତ ସାଗର କୁ ସାଗର ନ କହି ଉପସାଗର କୁହାଯିବା କଥା !
କାରଣ ଲୋହିତ ସାଗରର ତିନିପାର୍ଶ୍ବରେ ସ୍ଥଳଭାଗ ବେଢି ଅଛି ।
କିନ୍ତୁ ସେଭଳି ହୋଇଅଛି କି ?

ଆଉ କିଛି ଲୋକଙ୍କ ମତ ଅଳ୍ପ ଗଭୀର ସମୁଦ୍ର ବିଶେଷକୁ bay ବା ଉପସାଗର କୁହାଯିବା ଭୌଗଳିକ ବିଦ୍ଧି ସମ୍ମତ ।
ଏକଥା ମଧ୍ଯ ନିହାତି ଅମୂଳକ ।
ଆମ ମହୋଦଧୀର ହାରାହାରୀ ଗଭୀରତା 2,600 ମିଟର ଅର୍ଥାତ୍ ପ୍ରାୟ 8,500 ଫୁଟ୍ ଥିଲାବେଳେ ସର୍ବାଧିକ ଗଭୀରତା ହେଉଛି 4,694 ମିଟର ବା 15,400 ଫୁଟ୍ ।
ଏଣେ yellow sea ର ହାରାହାରୀ ଗଭୀରତା 44 ମି.  (144 ଫୁଟ). ଏବଂ ସର୍ବାଧିକ ଗଭୀରତା
152 ମି.(499 ଫୁଟ) ।
ଗଭୀରତା ଦୃଷ୍ଟିରୁ ମହୋଦଧୀ ପିତ୍ତସାଗର ଠାରୁ ଢେର ଗୁଣରେ ଉତ୍ତମ....

ତେଣୁ କଳିଙ୍ଗସାଗର ଯାହାକି ଆଜି ଇଂରେଜ ମାନଙ୍କ କୂଟ ଚକ୍ରାନ୍ତ ବଳରେ ହେଉ କି ଆମ ପଡୋଶୀଙ୍କ ଅତ୍ଯଧିକ ବୁଦ୍ଧିମତା ତଥା ଜ୍ଞାନ ଯୋଗୁଁ ବଙ୍ଗୋପସାଗର ହୋଇଅଛି ତାହା ଆମ୍ଭେମାନେ ଗ୍ରହଣ କରିନେବା ଟା  ଯୁକ୍ତିଯୁକ୍ତ ଲାଗୁନାହିଁ  ।

ଇତିହାସ କିମ୍ବଦନ୍ତୀ ଏବଂ ପୁରାଣ ମାନଙ୍କରେ
ଆଜିର ବଙ୍ଗୋପସାଗରର ଯେତେକ ନାମୋଲ୍ଲେଖ ହୋଇଅଛି ତନ୍ମଧ୍ୟରୁ ମହୋଦଧୀ,
ପରେ ପରେ କଳିଙ୍ଗସାଗର ତଥା ଦାକ୍ଷିଣାତ୍ଯରେ ଚୋଳ ସରୋବର ନାମ ଅଳ୍ପବହୁତେ ପ୍ରଚଳିତ ଥିବା ଜଣାଯାଏ ।

ମଧ୍ୟକାଳୀନ ଇଉରୋପୀୟ ପୁସ୍ତକ ମାନଙ୍କରେ
ମହୋଦଧୀକୁ  Gangetic kolpos(( κόλποςଗ୍ରୀକ୍)) କୁହାଯାଉଥିଲା ।
ଇଂରେଜ ମାନେ ସହଜେ ଇଉରୋପୀୟ ତେଣୁ ନିଜ ଅଞ୍ଚଳରେ ଲେଖାଯାଇଥିବା ଇତିହାସ ଗ୍ରନ୍ଥ ସବୁକୁ ସର୍ବପ୍ରଥମେ ଅନୁସନ୍ଧାନ କରିବେ ହିଁ କରିବେ ।

ସେମାନେ କଲିକତାରେ ନିଜ ବାଣିଜ୍ଯକୋଠି ସ୍ଥାପନ ପରେ ପରେ
ସେଇ ପୁରୁଣା ନାମକୁ ସାମାନ୍ଯ ପରିବର୍ତ୍ତନ କରି  କିଛିକାଳ ଧରି ଗାଂଗେଟିକ ସାଇନସ୍ ବୋଲିଲେ ।
sinus ଶବ୍ଦଟି ଗ୍ରୀକ kolpos ଶବ୍ଦର ଇଂରାଜୀ ପ୍ରତିଶବ୍ଦ ।

ପରେ କେତେକ ଅତି ବୁଦ୍ଧିମାନ ବଙ୍ଗାଳୀ ପଣ୍ଡିତ ଙ୍କ ପରୋଚନାରେ ପଡି଼ ମହୋଦଧୀର ନାମକରଣ
ବଙ୍ଗୋପସାଗର କରାଗଲା ।

ଗଙ୍ଗା ଉପସାଗର ନାମ ଦେଇଥିଲେ ତାହା ସନାତନ ହିନ୍ଦୁ ଧର୍ମର ମାନବୃଦ୍ଧି କରିଦେଇଥାନ୍ତା ଏଣୁକରି ଖ୍ରୀଷ୍ଟିଆନ ବେପାରୀ ମାନେ ବଙ୍ଗ ଉପସାଗର କରିଦେଲେ ।

ବଙ୍ଗରେ ବଙ୍ଗାଳୀଲୋକଙ୍କ ସହୃଦୟତା ଯୋଗୁଁ  ଇଂରେଜ ଦଳ ପ୍ରଥମ କରି ସୁରକ୍ଷିତ ଘରଟିଏ ଗଢିପାରିଥିଲେ
ତେଣୁ ବଙ୍ଗ କୁ କିଛି ତ ସମ୍ମାନ ଦେବାକୁ ହେବ ନା !!!!

ପରବର୍ତ୍ତୀ କାଳରେ ଓଡିଆଙ୍କ ଜମିଦାରୀ ବଙ୍ଗାଳୀ ଲୋକଙ୍କୁ ଏହି ପ୍ରାଚୀନ ଭାବସ୍ନେହ ଯୋଗୁଁ ମିଳିଥିବା ଅନୁମାନ କରାଯାଏ ।

ଅନେକ ଇଂରେଜ ଐତିହାସିକ ମାନେ ସ୍ବୟଂ ଏ କଥା ସ୍ଵୀକାର କରନ୍ତି ଯେ ମହୋଦଧୀର ବଙ୍ଗୋପସାଗର ନାମ ଇଂରେଜ ମାନେ ଭାରତକୁ ଆସିଲା ପରେ ହିଁ ହୋଇଅଛି ।

ପୁଣି କୌଣସି ପ୍ରାଚୀନ ଗ୍ରନ୍ଥରେ ବଙ୍ଗୋପସାର ନିମୋଲ୍ଲେଖ ହୋଇନାହିଁ ବରଂ ମହୋଦଧୀ ନାମ ପ୍ରାଚୀନ ପୁରାଣ ମାନଙ୍କରେ ସର୍ବାଧିକ ପ୍ରଚଳିତ ।

ଚତୁର୍ଦ୍ଦଶ ଶତାବ୍ଦୀର ଦିଲ୍ଲୀର ଆଲ୍ଲାଉଦ୍ଦିନ ଖିଲିଜଙ୍କର ରାଜକବି ମାଲିକ୍ ମହମ୍ମଦ ଜାୟସୀ ଙ୍କ ପଦ୍ମାବତ୍ କାବ୍ୟରେ କଳିଙ୍ଗ ସାଗରର ନାମ ଉଲ୍ଲେଖ ରହିଛି  l

ସେଥିରେ ଏହା ମଧ୍ୟ ବର୍ଣ୍ଣିତ ଅଛି ଯେ ମେବାରର ରାଣା ରତନ ସିଂ ଓ ରାଣୀ ପଦ୍ମାବତୀ ସିଂହଳ ଯିବା ପାଇଁ ଗୁଜୁରାଟର ଆରବ ସାଗରରେ ଯାତ୍ରା ଅପେକ୍ଷା କଳିଙ୍ଗ ସାଗରରେ ଯାତ୍ରାକୁ ସୁରକ୍ଷିତ ମଣିଥିଲେ  l

ଇଟାଲୀ ପରିବ୍ରାଜକ ରୋଜର ଫ୍ରେଡରିକ୍ (ଷୋଡ଼ଶ ଶତାବ୍ଦୀ) ତାଙ୍କର ଭ୍ରମଣ ପୁସ୍ତକରେ ମଧ୍ୟ ସୁଦୃଢ଼ ଅର୍ଥନୀତି ସହ କଳିଙ୍ଗ ସାଗର ନାମ ଓ ସେଥିରେ ସମୃଦ୍ଧ ନୌବାଣିଜ୍ୟ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି l

ଇଂରେଜ ଭାରତର ମାନଚିତ୍ରକୁ ବିକୃତ ନାମକରଣ କରିବା ପୂର୍ବରୁ ଡଚ୍ ମାନେ ଓ ପର୍ତ୍ତୁଗିଜୀୟ ମାନେ ମଧ୍ୟ କଳିଙ୍ଗ ସାଗରକୁ ଏହି ନାମ ସହ ଚିହ୍ନିତ କରିଛନ୍ତି  l

ମାଦଳାପାଞ୍ଜିରେ ବାରମ୍ବାର ମହୋଦଧି ବୋଲି ଉଲ୍ଲେଖ ଅଛି  l
କୌଣସି ପ୍ରାଚୀନ ପାଣ୍ଡୁଲିପିରେ ବଙ୍ଗୋପସାଗର ବୋଲି ଅଭିହିତ କରାଯାଇ ନାହିଁ 
l  ଅପର ପକ୍ଷରେ
ବୌଦ୍ଧ ସାହିତ୍ୟ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ ଗ୍ରନ୍ଥରେ କୁହାଯାଇଛି-
ଯେ କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ୱୀପ କଳିଙ୍ଗ ଦେଶ ନାମରେ ପ୍ରଶିଦ୍ଧ ଏବଂ
କାଳିଦାସଙ୍କ ‘ରଘୁବଂଶ’ରେ କଳିଙ୍ଗରାଜାଙ୍କୁ ‘ମହୋଧିପତି’ ବୋଲି କୁହାଯାଇଛି ।

ଏହି ସବୁ ତଥ୍ଯ ରୁ ପ୍ରମାଣିତ ହୁଏ ଯେ ମହୋଦଧୀ ବା କଳିଙ୍ଗ ସାଗରର ବଙ୍ଗୋପସାଗର ନାମକରଣ ଇଂରେଜ ମାନଙ୍କ ମୂର୍ଖତା ର ସର୍ବୋତ୍ତମ ପ୍ରମାଣ ।

ଏକ ମହାମୂର୍ଖ ଡକାୟତ ଜାତି  ଦ୍ବାରା ଦିଆଯାଇଥିବା ବଙ୍ଗୋପସାଗର ନାମ ବଦଳରେ ମୁଁ ସଂକଳ୍ପ କରୁଅଛି
ଯେ ଆଜିଠାରୁ ମହୋଦଧୀ ଏବଂ କଳିଙ୍ଗସାଗର କହିବା ଆରମ୍ଭ କରିଦେବି ।

(Dr. ଦେବାଶିଷ ଜେଠୀ ମହାଶୟଙ୍କ ଏକ ଟିପ୍ପଣୀ ସହ ଅନ୍ଯ କିଛି ତଥ୍ଯ ସମ୍ମିଳିତ କରି ପୋଷ୍ଟ ଟି ପ୍ରସ୍ତୁତ କରାଯାଇଅଛି)

ତେନ୍ତୁଳିଆପଡା଼ ଗାଆଁର କଥା...

ବ୍ରାହ୍ମଣୀ ନଦୀର ପୂର୍ଵ ପାର୍ଶ୍ବରେ ତେନ୍ତୁଳିଆପଡା଼ ଗାଆଁ । ଆମ କନ୍ତିଓ ଗାଁର ଵୃଦ୍ଧଵୟସ୍କ ଲୋକ କହନ୍ତି ସେ ଗାଁରେ କୁଆଡେ଼ ଆଗେ ଖରାଦିନିଆ ହଟାତ୍ ନିଆଁ ଲାଗିଯାଉଥିଲା । ତେଣୁ ତେନ୍ତୁଳିଆପଡା଼ ଗାଁର ଲୋକେ ଦିନ ଓଳିଟା ବିଲରେ ରହି ସେଇଠି ହାଣ୍ଡି ବସେଇ ରୋଷେଇ କରି ଖାଉଥିଲେ ।

ଯୁଗ ବଦଳିଲାଣି...

ସେଇବାଟ ଦେଇ ରେଳଲାଇନ୍ ଗଲା । ସେ ଗାଁ ନିକଟସ୍ଥ ସଦାଶିବପୁର ଠାରେ ଏକ ଲୋକାଲ୍ ଟ୍ରେନ୍ ଷ୍ଟେସନ ଖୋଲିଲା । ଗାଁ ଲୋକ ଚାଲାକ ହେଲେ ଦଶ ପାଞ୍ଚଲୋକଙ୍କ ସହ ନିଇତି ମିଶିଲେ । ବେପାର ବଣିଜକରି ଧୀରେ ଧୀରେ ଧନୀ ହେଲେ ....

ଅଶି ଦଶକ ରେ ସେଇ ଗାଁରେ ଏକ ପଲିଷ୍ଟର କପଡା଼ ତିଆରି କାରଖାନା ଖୋଲିଥିଲା । କେତୋଟି ବର୍ଷ ମାତ୍ର ଚାଲିଲାପରେ ବାମପନ୍ଥୀଙ୍କ ଧର୍ମଘଟ ଆଉ କଂଗ୍ରେସିଆଙ୍କ ଖାଅଲୁଟ ନୀତି ଯୋଗୁଁ କମ୍ପାନୀ ବନ୍ଦ ହେଲା ଯେ ହେଲା ଏଯାବତ ବନ୍ଦ ଅଛି ।

ତେନ୍ତୁଳିଆ ପଡା଼ ସହ ଆମ ଗାଁର ବହୁତ ପୁରୁଣା ସମ୍ପର୍କ ରହିଅଛି । ଦୁଇ ଗାଆଁ ମଝିରେ ବ୍ରାହ୍ମଣୀ ନଦୀ ବହିଯାଇଛି ଦୂରକୁ ବହୁ ଦୂରକୁ ଯାଇ କଳିଙ୍ଗସାଗରରେ ମିଶିଛି ।

ଆଗେ କନ୍ତିଓ ଓ ତେନ୍ତୁଳିଆପଡା଼ ଲୋକଙ୍କ ଆର୍ଥିକ ସ୍ଥିତି ସମାନ ଥିଲା ତେଣୁ ସେ ଗାଆଁରୁ ଝିଅ କନ୍ତିଓ ଗାଆଁରେ ବାହା ହେଉଥିଲେ ଏଵଂ କନ୍ତିଓ ଗାଆଁର ଝିଅ ମଧ୍ୟ ତେନ୍ତୁଳିଆପଡା଼ରେ ବାହା ହେଉଥିଲେ ।

ତେନ୍ତୁଳିଆପଡା଼ରେ ପଲିଷ୍ଟର କମ୍ପାନୀ ବସିଲାରୁ ସେ କମ୍ପାନୀକୁ ଚଢା଼ ମୂଲ୍ୟରେ ମାଆମାଟି ଭିଟାମାଟି ବିକିଥିଵା ଲୋକେ ଆର୍ଥିକ ସ୍ଵଚ୍ଛଳ ହୋଇଗଲେ ,କେହି କେହି ଦୋକାନ ଦେଇ ତ କେତେକ ରାଜନୀତି କରି ଧନୀ ହେଲେ । କିଛି ଲୋକ ଗାଆଁପାଖରେ ଚାକିରୀ ପାଇ ସ୍ଵଚ୍ଛଳ ହେଲେ ।

ଫଳରେ ତେନ୍ତୁଳିଆପଡା଼ ସହ ଆର୍ଥିକ ଅନଗ୍ରସର କନ୍ତିଓ ଗ୍ରାମର ଥିଵା ଵୈଵାହିକ ସମ୍ପର୍କ ଆଉ ସୁଦୃଢ଼ ରହିଲା ନାହିଁ ...

ଆଜି କାଁ ଭାଁ ଆଠ ଦଶ ଵର୍ଷରେ ପଟେ ଅଧେ କନ୍ତିଓ ଝିଅ ତେନ୍ତୁଳିଆପଡା଼ରେ ବାହା ହେଉଛନ୍ତି ସତ କିନ୍ତୁ ସେ ଗାଆଁରୁ କେହି ବାହା ହୋଇ କନ୍ତିଓକୁ ଝିଅ ଆଣିଵା ଆଉ ଶୁଣାଯାଏନାହିଁ ।

ମୋ ଆଈର ପୈତୃକ ଗ୍ରାମ ତେନ୍ତୁଳିଆପଡା଼, ମୋ ସ୍ଵର୍ଗତା ବଡ଼ ମମା(ପ୍ରଥମ ବଡ଼ମାଆ)ଙ୍କର ବାପଘର ସେହି ତେନ୍ତୁଳିଆପଡା଼ର ଗ୍ରାମରେ ଏଵଂ ଆହୁରି ଅନେକ ବନ୍ଧୁ ବାନ୍ଧବ ସମ୍ପର୍କୀୟଙ୍କ ଘର ସେଇ ଗାଆଁରେ ...

ଆଜିକାଲି ତେନ୍ତୁଳିଆପଡା଼ର ଲୋକେ କଟକର ଆଠଗଡ଼,ଓଡ଼ପଡା଼ ଓ ଢେଙ୍କାନାଳ ସଦରର ଧନୀକମାନଙ୍କୁ ତାଙ୍କ ଝିଅ ଦିଅନ୍ତି ଏଥିପାଇଁ ଵେଳେ ଵେଳେ ଵିଵାଦ ବି ହୁଏ  ...

କିଛି ଵର୍ଷ ତଳେ କଟକର ଅଚଳକୋଟ ଗାଆଁର ଏକ ବର ପିଲା ମଦ ପିଇ ତେନ୍ତୁଳିଆପଡା଼ ବାହା ହଵାକୁ ଆସିଥିଲା ଓ ଅଭଦ୍ର ଵ୍ଯଵହାର ଯୋଗୁଁ ସେ ଗାଆଁର ଲୋକ ବର ସହ ବରଯାତ୍ରୀଙ୍କୁ ଉତ୍ତମ ମଧ୍ଯମ ଦେଇ ଵିଦା କରିଦେଇଥିଲେ 🤣🤣🤣

ଓକିଲଙ୍କ ବୁଦ୍ଧି

ଓକିଲ ବାବୁ ଜଣକ ଟ୍ରେନ ରେ ଯାଉଥିଲେ । ଜଣେ ମହିଳା ଆସି ତାଙ୍କୁ କହିଲା
ଏ ମିଷ୍ଟର
ତୁମ ପାଖରେ ଯାହା ଟଙ୍କା ପଇସା ଚେନ୍ ଘଡି ମୋବାଇଲ ଅଛି ଦେଇ ଦିଅ ନହେଲେ
ମୁଁ ଯୋର ଯୋରରେ ଚିତ୍କାରକରି କହିବି ଯେ ତୁମେ ମୋ ସହ ଅସଦାଚରଣ କରୁଥିଲ ।

ଓକିଲ ବାବୁ ମାଇପିଲୋକର କଥା ଶୁଣିଲା ପରେ
ତାଙ୍କ ସୁଟକେସ୍ ରୁ ଖଣ୍ଡିଏ କାଗଜ କାଢିଆଣି ତହିଁ ରେ ଲେଖିଲେ

ମୁଁ ମୁକ ବଧୀର କିଛି ଶୁଣିପାରେନି କି କହିପାରେନି
ତୁମେ କଣ କହିଲ
ମୁଁ ବୁଝି ପାରିଲାନାହିଁ
ଦୟାକରି ମୋତେ ତୁମର ଯାହା କହିବାର ଅଛି ଏଇ କାଗଜରେ
ଲେଖିଦିଅ ....

ସ୍ତ୍ରୀଲୋକଜଣକ ତହୁଁ
ଯାହା କହିଥିଲା କାଗଜରେ ଲେଖିକି ଦେଲା ।

ଓକିଲବାବୁ କାଗଜଟିକୁ ଅତି ସନ୍ତର୍ପଣରେ ପକେଟ୍ ରେ ରଖିସାରିଲା ପରେ କୁଟୀଳ ହାସ୍ଯ ସହ
ମହିଳାଙ୍କୁ କହିଲେ

"ଏବେ ଯେତେ ଚାହିଁବେ ପାଟି କରିପାରିବେ "

😂😂😂😂😂

Sunday, May 24, 2020

ଓଡ଼ିଆ ଭାଷାରେ ଅକ୍ଷର ସଂଖ୍ୟା ଓ କାର,ମାତ୍ରା ଓ ଫଳା

ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି ତାହା ହେଲା...

"ଓଡ଼ିଆ ଵର୍ଣ୍ଣମାଳାରେ କେତୋଟି ଅକ୍ଷର ,କେତୋଟି ମାତ୍ରା ଓ କେତେଗୋଟି ଫଳା ରହିଛି ।"

ଏ ଵିଷୟରେ ପ୍ରାୟ ପାଞ୍ଚ ଛଅ ମାସ ପୂର୍ଵେ ଏକ ଆଲେଖ୍ଯ ପ୍ରସ୍ତୁତ କରାଯାଇଥିଲା ତାହା ନିମ୍ନରେ ଉଦ୍ଧାର କରାଗଲା...

■ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? ■

ଓଡ଼ିଆ ଲିପି ସମ୍ବନ୍ଧୀୟ ପ୍ରାଥମିକ ମତ  ପ୍ରଥମେ ଓଡ଼ିଆ ଭାଗଵତ ରଚୟିତା ଜଗନ୍ନାଥ ଦାସ ପଦ୍ୟାକାରରେ ଦେଇଯାଇଛନ୍ତି । ନିମ୍ନରେ ତାହା ଉଦ୍ଧାର କରାଗଲା ...

"ତ୍ରୟସ୍ୱରୂପୀ ବ୍ରହ୍ମ ଜ୍ୟୋତି । ବ୍ରହ୍ମ ପ୍ରକାଶ ହୋଇଛନ୍ତି ।ଏକାକ୍ଷର ବ୍ରହ୍ମ ପ୍ରଣଵ । ଶବଦ ରୂପୀ ବୀଜ ସର୍ବ
ତାହାଙ୍କ ତହୁଁ ଉତପନ୍ନ । ଚଉଦ ଆକାରାଦି ବର୍ଣ୍ଣ
ଚଉଦ ସ୍ୱର ଏ ବୋଲାନ୍ତି । ଏ ଭାବେ ଅକ୍ଷରର ଗତି ।
କ କାର ଆଦି ଚଉତିଶ । ବ୍ୟଞ୍ଜନ ଶବଦ ବିଶେଷ ।ସ୍ୱରମାନେ ଯେ ଦୀର୍ଘ ହ୍ରସ । ପ୍ଲୁତ ନାମରେ ପରକାଶ ।
ସନ୍ଧି ଅକ୍ଷର ଏ ବୋଲାଇ । ଏ କାର ଆଦି ଚାରି ସେହି ।
ପଚିଶ ବର୍ଣ୍ଣେ ପଞ୍ଚ ପଞ୍ଚ । ପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ ।
ଏ ଅନ୍ତେ ଅନ୍ତଃସ୍ଥ ଏ ଜାଣ । ଯ ର ଳ ଵ ଏ ଚାରିବର୍ଣ୍ଣ ।
ଶ ଷ ସ ହ ଏ ଚାରିଵର୍ଣ୍ଣ । ଉଷ୍ମଵର୍ଣ୍ଣ ବୋଲିଣ ଜାଣ ।
ବିନ୍ଦୁନୁସ୍ଵାର ଏ ବୋଲାଇ । ଏସବୁ ବିନ୍ଦୁ ଦୁଇ ହୋଇ ।
ଵିସର୍ଗ ନାମ ଯେ ବୋଲାଇ । ଗଜ ଶଣ୍ଢାକୃତି ସେ ହୋଇ ।
ଏମନ୍ତ ହୋଇ ଶବ୍ଦ ବ୍ରହ୍ମ । ପଞ୍ଚାଶ ଵର୍ଣ୍ଣ ଭେଦ ନାମ ।।"

ତେଵେ ଓଡ଼ିଆ ଵର୍ଣ୍ଣମାଳାରେ ସମୁଦାୟ ଅକ୍ଷର ସଂଖ୍ୟା ୫୪ ବୋଲି ଅନେକ ଵୈୟାକରଣିକ ମତ ଦିଅନ୍ତି ।  ଵର୍ତ୍ତମାନ ସମୟରେ କେହି କେହି
ଦୀର୍ଘ ୠ,ହର୍ସ୍ଵ ଌ,ଦୀର୍ଘ  ୡ ଇତ୍ୟାଦିକୁ ଵର୍ଣ୍ଣମାଳାରୁ ବାଦ୍ ଦେଇ ଗଣନା କରନ୍ତି ପୁଣି ଅଵର୍ଗ୍ଯ ‛ଵ’ କୁ ଅର୍ଦ୍ଧସ୍ଵର ୱ ଵିଚାର କରି ସମୁଦାୟ ଅକ୍ଷର ସଂଖ୍ୟା ୫୦ ବୋଲି ମତ ଦିଅନ୍ତି । କେହି କେହି କ୍ଷ କୁ ସ୍ଵତନ୍ତ୍ର ଵର୍ଣ୍ଣ ନମାନି ୪୯ ବୋଲି ମଧ୍ୟ ମତ ଦେଇଥାନ୍ତି ।

ଦକ୍ଷିଣ ଭାରତରେ ଦୀର୍ଘ ୠ,ହର୍ସ୍ଵ ଌ ଓ ଦୀର୍ଘ  ୡ ର ଵ୍ଯଵହାର ଏଵେ ବି ରହିଛି କିନ୍ତୁ ଓଡ଼ିଆ ଭାଷାରେ ଉତ୍ତର ଭାରତୀୟ ଭାଷା ଶୈଳୀର ପ୍ରଭାଵ ବଢି଼ଵା ଯୋଗୁଁ ଏସବୁ ଵର୍ଣ୍ଣର ଵ୍ଯଵହାର ଅନେକାଂଶରେ ହ୍ରାସ ପାଇଛି ।

ଵର୍ଗ୍ଯ ବ,ଅଵର୍ଗ୍ଯ ଵ ଓ ଅର୍ଦ୍ଧସ୍ଵର ୱ ଇତ୍ୟାଦିର ଭିନ୍ନତା
ବୁଝିଵାକୁ ହେଲେ ଇଂରାଜୀର B,V ଓ W ଇତ୍ୟାଦିର ତର୍ଜମା ଆଵଶ୍ୟକ ।

ଇଂରାଜୀରେ B = ବ (ଓଡ଼ିଆ)
ଇଂରାଜୀରେ V = ଵ (ଓଡ଼ିଆ)
ଇଂରାଜୀରେ W = ୱ (ଓଡ଼ିଆ)

ତେଣୁ ଓଡ଼ିଆ ଭାଷାରେ
Boat = ବୋଟ୍
Vote = ଵୋଟ୍
Watt = ୱାଟ୍
ଲେଖାଯିଵା ଵିଧେୟ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣୟନ ସମୟରେ ତାୱା ହାୱା ଭଳି ଅନେକ ଵୈଦେଶିକ ଶବ୍ଦ ଲେଖାଯିଵା ପାଇଁ ଏକ ସ୍ବତନ୍ତ୍ର ଵର୍ଣ୍ଣ ଆଵଶ୍ଯକ ହେଵାରୁ ଅଭିଧାନକାର ଅର୍ଦ୍ଧସ୍ଵର ‘ୱ’ ପ୍ରଣୟନ କରିଵାକୁ ଵାଧ୍ଯ ହୋଇଥିଲେ । ‘ୱ’ କୁ ‘ଉ ତଥା ‘ଅ' ସ୍ଵରର ଦୃତ ଉଚ୍ଚାରଣ ଦ୍ଵାରା ପ୍ରାପ୍ତ କରାଯାଇଥାଏ ତେଣୁ ଏହାକୁ ଅର୍ଦ୍ଧସ୍ଵର କୁହାଯାଏ  ।

ସେଇଭଳି କିଛି ଲୋକ ଅନସ୍ଵାର(ଂ),ଚନ୍ଦ୍ରଵିନ୍ଦୁ(ଁ) ଓ ଵିସର୍ଗ(ଃ)କୁ ଚିହ୍ନ ଵିଚାର କରି ଵର୍ଣ୍ଣମାଳାରେ ଗଣିଵାକୁ କୁଣ୍ଠାବୋଧ କରନ୍ତି । ଏଭଳି ଲୋକେ ଅର୍ଦ୍ଧ ଅ (ଽ), ଓମ୍ (ॐ), ଦିଵଙ୍ଗତ (୰) ,ଶତକଡ଼ା(%) ଓ
ସ୍ଵସ୍ତିକ(‍卐)ର ଉଦାହରଣ ଦେଇ କୁହନ୍ତି ଯେ ଂ,ଁ ଓ ଃ କେଵଳ ଚିହ୍ନ ମାତ୍ର ।

ତେଵେ ଅନେକ ପ୍ରାଚୀନ ଭାରତୀୟ ବର୍ଣ୍ଣ ସୂଚୀରେ ଅନସ୍ଵାର,ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବର୍ଣ୍ଣମାଳାରେ ସ୍ଥାନ ଦିଆଯାଇଥିଵାରୁ ସେଇ ପରମ୍ପରାକୁ ରକ୍ଷାକରି କେହି କେହି ଏଗୁଡ଼ିକୁ ବର୍ଣ୍ଣମାଳା ମଧ୍ୟରେ ଗଣନା କରିଥାନ୍ତି ।

ଆଉ କେତେକ ଲୋକ ଅଛନ୍ତି ଯେଉଁମାନେ ‛କ୍ଷ’କୁ ଏକ ଯୁକ୍ତାକ୍ଷର ବୋଲି ମତ ଦେଇ ତାକୁ ଵର୍ଣ୍ଣମାଳାରେ ରଖନ୍ତି ନାହିଁ । ତେଵେ ହିନ୍ଦୀର क्ष(क+ष;ksha) ଠାରୁ ଓଡ଼ିଆ ‛କ୍ଷ’ର ଉଚ୍ଚାରଣ ଭିନ୍ନ ପୁଣି ଓଡ଼ିଆ  ଭାଷାରେ “କ―ଖ―ଷ―କ୍ଷ―ଚ―ଛ―ଝ―ଜ” ଇତ୍ୟାଦି ଵର୍ଣ୍ଣର ଏକ ମଧ୍ଯାଵର୍ତ୍ତୀ ଉଚ୍ଚାରଣରୁ କ୍ଷ(khya) ସୃଷ୍ଟ ହୋଇଥିଵାରୁ ଵର୍ଣ୍ଣମାଳାରେ ସ୍ଥାନ ପାଇଵାକୁ ଯୋଗ୍ଯ ଅଟେ ବୋଲି କେତେକ ଭାଷାଵିଦ୍ ମତ ଦିଅନ୍ତି ।

ଵର୍ତ୍ତମାନ ପର୍ଯ୍ୟନ୍ତ ଯେତେ ବୁଦ୍ଧିଜୀଵୀ  ଵର୍ଣ୍ଣଗୁଡି଼କର  ସୂଚୀ କରିଛନ୍ତି  ସେ ସମସ୍ତ ଆଧାରରେ ଓଡ଼ିଆ ଭାଷାର ସମୁଦାୟ ଅକ୍ଷର ସଂଖ୍ୟା ୫୪ ହୋଇଥାଏ ।

ଓଡ଼ିଆ ଲିପିରେ ସ୍ଵରଵର୍ଣ୍ଣରେ  ଅ,ଆ,ଇ,ଈ,ଉ,ଊ,ଋ,ୠ,ଏ,ଐ,ଓ,ଔ,ଌ,ୡ
ଇତ୍ୟାଦି ଅକ୍ଷର ରଖାଯାଇଥାଏ ଏଵଂ ତନ୍ମଧ୍ୟରୁ
ୠ,ଌ ଓ ୡର ଵ୍ଯଵହାର ଆଉ ନାହିଁ ।

ଵ୍ଯଞ୍ଜନ ଵର୍ଣ୍ଣକୁ ଦୁଇଭାଗରେ ଵିଭକ୍ତ କରାଯାଇଛି ।
ଵର୍ଗ୍ଯ  ଓ ଅଵର୍ଗ୍ଯ । ଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣଗୁଡି଼କୁ
କ,ଚ,ଟ,ତ,ପ ଭେଦରେ ଵର୍ଗିକୃତ କରାଯାଇଛି ।
କ ଵର୍ଗ=କ,ଖ,ଗ,ଘ,ଙ
ଚ ଵର୍ଗ=ଚ,ଛ,ଜ,ଝ,ଞ
ଟ ଵର୍ଗ=ଟ,ଠ,ଡ,ଢ,ଣ
ତ ଵର୍ଗ=ତ,ଥ,ଦ,ଧ,ନ
ପ ଵର୍ଗ=ପ,ଫ,ବ,ଭ,ମ

ଅଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣରେ  ଯ,ୟ,ର,ଳ,ଲ,ଵ,ଶ,ଷ,ସ,ହ,କ୍ଷ,ୱ
ଇତ୍ୟାଦି ରଖାଯାଇଛି ।

ପୂର୍ଵର ଅନେକ ଵର୍ଣ୍ଣମାଳା ସୂଚୀ ମଧ୍ୟରେ ଂ,ଁ,ଃ ଇତ୍ୟାଦିକୁ କେଉଁଠି କେଉଁଠି ସ୍ଵରଵର୍ଣ୍ଣ ମଧ୍ୟରେ ରଖାଯାଇଥିଵାଵେଳେ ଆଉ କେଉଁଠି ଵ୍ଯଞ୍ଜନ ଵର୍ଣ୍ଣର ତଳେ ସ୍ଵତନ୍ତ୍ର ଵିଭାଗରେ ରଖାଯାଇଛି ।

ଅନସ୍ଵାର,ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବାଦ୍ ଦେଲେ ଓଡ଼ିଆ ଭାଷାର ଲିପିରେ ମୋଟ୍ ଅକ୍ଷର ସଂଖ୍ୟା ୫୧ ହୋଇଥାଏ !
ଯଥା―
ସ୍ଵର―ଅ,ଆ,ଇ,ଈ,ଉ,ଊ,ଋ,ୠ,ଌ,ୡ ଏ,ଐ,ଓ,ଔ
ଵ୍ଯଞ୍ଜନ―କ,ଖ,ଗ,ଘ,ଙ,ଚ,ଛ,ଜ,ଝ,ଞ,ଟ,ଠ,ଡ,ଢ,ଣ,ତ,ଥ,ଦ,ଧ,ନ,ପ,ଫ,ବ,ଭ,ମ,ଯ,ୟ,ର,ଳ,ଲ,ଵ,ଶ,ଷ,ସ,ହ,କ୍ଷ,ୱ

ଏଥିପାଇଁ ଓଡ଼ିଆ ଭାଷାରେ ଅକ୍ଷର ସଂଖ୍ଯାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ଚଳୁଅଛି । କେହି ୪୯ କହୁଛି ତ ଆଉ କେ ୫୦ କି ୫୧ ତେଵେ ସର୍ଵ ମୋଟ ଓଡ଼ିଆ ଅକ୍ଷର ସଂଖ୍ୟା ୫୪ ବୋଲି ଵ୍ଯାକରଣ ଶାସ୍ତ୍ର ଜ୍ଞାତା ଓଡ଼ିଆ ଵିଦ୍ଵାନମାନେ ମତ ଦେଇଥାନ୍ତି ।

■■ଆମ ଲିପିରେ ଫଳାର ସଂଖ୍ୟା କେତେ ?■■

ଵ୍ଯଞ୍ଜନ ଵର୍ଣ୍ଣରେ ଅନ୍ୟ ଵ୍ଯଞ୍ଜନ ଵର୍ଣ୍ଣ ସଂଯକ୍ତ ହେଵାର ଆକୃତିକୁ ଫଳା କୁହାଯାଏ । ପ୍ରଥମ ଵ୍ଯଞ୍ଜନଵର୍ଣ୍ଣରେ ଦ୍ଵିତୀୟ ଵ୍ଯଞ୍ଜନଵର୍ଣ୍ଣ ଯୁକ୍ତ ହେଲାଵେଳେ ଦ୍ଵିତୀୟ  ଵ୍ଯଞ୍ଜନ ଵର୍ଣ୍ଣକୁ ପ୍ରକାଶ କରୁଥିଵା ଯେଉଁ ସାଙ୍କେତିକ ଚିହ୍ନ ଵ୍ଯଵହୃତ ହୋଇଥାଏ ତାହାକୁ ଫଳା କୁହାଯାଇଥାଏ । ଓଡ଼ିଆରେ ସାଧାରଣତଃ ୧୭ଗୋଟି ଫଳା ରହିଛି ।  ଏହାକୁ ପିଲାମାନେ ସାଧାରଣତଃ ଵର୍ଣ୍ଣପରିଚୟ ପରେ ଶିଖିଥାଆନ୍ତି ।

ନିମ୍ନଲିଖିତ ୧୭ଟି ଫଳା ଓଡ଼ିଆ ଵର୍ଣ୍ଣ ପରିଚୟରେ ପିଲାମାନେ ଶିଖନ୍ତି

୧)କ ଫଳା
●କ୍କ,ସ୍କ,ଲ୍କ

୨)ଟ ଫଳା
●କ୍ଟ,ଷ୍ଟ,ପ୍ଟ

୩)ତ ଫଳା
★ଵର୍ଣ୍ଣର ପରେ
●କ୍ତ,ନ୍ତ,ପ୍ତ,ଫ୍ତ,ସ୍ତ
★ଵର୍ଣ୍ଣର ପୂର୍ଵେ
●ତ୍କ,ତ୍ସ,ତ୍ନ,ତ୍ପ

୪)ଥ ଫଳା
●ନ୍ଥ,ସ୍ଥ

୫)ନ ଫଳା
●କ୍ନ,ତ୍ନ,ନ୍ନ,ପ୍ନ

୬)ବ ଫଳା(ଵର୍ଗ୍ଯ ଓ ଅଵର୍ଗ୍ଯ)
●ମ୍ବ,ଦ୍ବ,କ୍ବ, ଜ୍ବ, ଡ଼୍ବ, ତ୍ବ, ନ୍ବ

[ମ ଓ ଦ ଅକ୍ଷର ଛଡ଼ା ଅନ୍ୟ ଅକ୍ଷର ସଙ୍ଗେ 'ବ' ଫଳା ଯୁକ୍ତ ହେଲେ ଉକ୍ତ 'ବ' ଫଳା  ଅଵର୍ଗ୍ଯ ଵ ରୂପେ ଉଚ୍ଚାରିତ ହୁଏ ।  'ମ'ରେ 'ବ' ଫଳା ଯୁକ୍ତ ହେଲେ ଉକ୍ତ ଫଳା କେଵେ 'ଵର୍ଗ୍ଯ ବ' ତ କେଵେ ଅଵର୍ଗ୍ଯ 'ଵ' ରୂପେ ଉଚ୍ଚାରିତ ହୁଏ...
ଯେମିତିକି
◆ଅମ୍ବର (ଵର୍ଗ୍ଯ ବ ଉଚ୍ଚାରଣ)
◆ଚମ୍ବାହରଣ (ଅଵର୍ଗ୍ଯ ବ ଉଚ୍ଚାରଣ)

'ଦ'ରେ 'ବ'ଫଳା ଯୁକ୍ତ ହେଲେ ମଧ୍ୟ ଦୁଇ ପ୍ରକାରେ ଉଚ୍ଚାରିତ ହୁଏ
ଯଥା—

◆ସଦ୍ବଳ (ଵର୍ଗ୍ଯ ବ ଉଚ୍ଚାରଣ)
◆ଅଦ୍ବୈତ (ଅଵର୍ଗ୍ଯ ଵ ଉଚ୍ଚାରଣ)]

୭)ମ ଫଳା
●କ୍ମ, କ୍ଷ୍ମ, ତ୍ମ, ଦ୍ମ, ଧ୍ମ, ନ୍ମ, ମ୍ମ

୮)ଯ ଫଳା
●କ୍ଯ, ଖ୍ଯ, ଗ୍ଯ, ଚ୍ଯ, ଜ୍ଯ
(ୟ ଏକ ଦ୍ଵିସ୍ଵର ;ଇ+ଅ)

୯)ର ଫଳା
★ଵର୍ଣ୍ଣର ପରେ
●କ୍ର, ଖ୍ର, ଗ୍ର
★ଵର୍ଣ୍ଣର ପୂର୍ଵେ)
●ର୍କ, ର୍ଖ, ର୍ଗ।
[ ଓଡ଼ିଆ ଭାଷାର ନିଜସ୍ୱ ସ୍ଵାଭାଵିକ ଵ୍ଯାକରଣ ଅନୁସାରେ ଵର୍ଣ୍ଣର ପୂର୍ଵେ "ର" ଵର୍ଣ୍ଣ  ଯୁକ୍ତ ହେଲେ ଉକ୍ତ ଵର୍ଣ୍ଣ ଵିକଳ୍ପେ ଦ୍ବିତ୍ବ ହୁଏ ଏଵଂ ଏହାକୁ ଵର୍ଣ୍ଣଦ୍ଵିତକରଣ କୁହାଯାଏ । ଏହାର ଉଦାହରଣ ଯଥା—ର୍ଚ୍ଚ, ର୍ଜ୍ଜ, ର୍ତ୍ତ, ର୍ତ୍ଥ, ର୍ଦ୍ଦ।]

୧୦)ଳ ଫଳା
●କ୍ଳ, ଖ୍ଳ, ଗ୍ଳ, ଘ୍ଳ

୧୧)ଲ ଫଳା
●ସ୍ଲ, ଲ୍ଲ

୧୨)ରେଫ+ନ ଫଳ
●ର୍କ୍ନ

୧୩)ରେଫ୍+ଯ ଫଳା
●ର୍କ୍ଯ

୧୪)ରେଫ୍+ମ ଫଳା
●ର୍କ୍ମ

୧୫)ରେଫ୍+ବ ଫଳା
●ର୍କ୍ବ

୧୬)ରେଫ୍+ର ଫଳା
●ର୍କ୍ର

●ରେଫ+ଲ ଫଳା ଯଥା
●ର୍କ୍ଲ

☆☆ଫଳାକୁ ନେଇ କେତେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ☆☆

୧)ଭାରତୀୟ ଆର୍ଯ୍ୟଭାଷାଗୁଡି଼କ ମଧ୍ୟରେ ଓଡ଼ିଆ ଭାଷାର ଲିପିରେ ହିନ୍ଦୀ ଓ ବଙ୍ଗାଳୀ ଅପେକ୍ଷା ଯୁକ୍ତାକ୍ଷରର ଫଳାଗୁଡି଼କ ସ୍ପଷ୍ଟ ବାରିହୋଇଯାଏ

୨)ଓଡ଼ିଆ ଭାଷାରେ ସଂସ୍କୃତ ସହ ସର୍ଵାଧିକ ଫଳା ପ୍ରଚଳିତ

୩)ତଦ୍ଭଵ ଫଳା ଶବ୍ଦଟି ତତ୍ସମ ଫଳ/ଫଳକ ସହିତ ସମଦ୍ଧୃତ ଏଵଂ ଏ ଉଭୟ ଶବ୍ଦର ଏକ ଅର୍ଥ ଚିହ୍ନ ଅଟଇ । ଦୁଇଗୋଟି ଵ୍ଯଞ୍ଜନଵର୍ଣ୍ଣ ପରସ୍ପର ସହ ଯୁକ୍ତ ହେଲାଵେଳେ ଦ୍ଵିତୀୟ ଵ୍ଯଞ୍ଜନଵର୍ଣ୍ଣକୁ ବୁଝାଉଥିଵା ତାହାର ଏକ ସାଙ୍କେତିକ ରୂପ ପ୍ରଥମ ଵ୍ଯଞ୍ଜନଵର୍ଣ୍ଣରେ ଲାଗୁଥିଵା ହେତୁ ଏହାକୁ ଚିହ୍ନ ଅର୍ଥରେ ଫଳା ବୋଲି ଅଭିହିତ କରାଯାଇଥାଏ ।

୪)ହିନ୍ଦୀ ଓ ବଙ୍ଗାଳୀରେ ଏହି ଫଳା ଵା ଚିହ୍ନ ଅସ୍ପଷ୍ଟ ହୋଇଥିଵା ହେତୁ ସେଗୁଡ଼ିକୁ ଫଳା କହିଵା ଉଚିତ୍ କି ଅନୁଚିତ ତାହା ଗଵେଷଣା ସାପେକ୍ଷ ...

୫)ଅନୁନାସିକ ଵର୍ଣ୍ଣ ସଙ୍ଗେ ସେହି ଵର୍ଗର ଵ୍ଯଞ୍ଜନ ଵର୍ଣ୍ଣ ଯୁକ୍ତ ହେଲେ ତାହାକୁ ଫଳା ବୋଲାଯାଏ ନାହିଁ।
ଯଥା—
●ଙ+କ=ଙ୍କ ବା ଙ୍କ
●ଙ+ଖ=ଙ୍ଖ ବା ଙ୍ଖ
●ଙ+ଗ =ଙ୍ଗ ବା ଙ୍ଗ
●ଙ+ଘ=ଙ୍ଘ ବା ଘଂ
●ଞ+ଚ=ଞ୍ଚ, ଞ+ ଛ=ଞ୍ଛ
●ଞ+ଜ=ଞ୍ଜ
●ଞ+ଝ=ଞ୍ଝ
●ଣ+ଟ=ଣ୍ଟ
●ଣ+ଠ=ଣ୍ଠ
●ଣ+ଡ=ଣ୍ଡ
●ଣ+ଢ=ଣ୍ଢ
●ନ+ଦ= ନ୍ଦ
●ନ+ଧ=ନ୍ଧ
●ମ+ପ=ମ୍ପ
●ମ+ଫ=ମ୍ଫ

୩)ଦ୍ବିତ ଵ୍ଯଞ୍ଜନକୁ ମଧ୍ୟ ଫଳା ବୋଲାଯିଏ ନାହିଁ
ଯଥା—
●ଚ୍ଚ,ଚ୍ଛ, ଜ୍ଜ, ଜ୍ଝ, ଟ୍ଟ,ଠ୍ଠ,ଡ୍ଡ, ଡ଼୍ତ, ତ୍ତ, ତ୍ଥ, ଦ୍ଦ, ଦ୍ଧ, ବ୍ଧ, ବ୍ଭ ଇତ୍ୟାଦି

ତେଵେ ଆମ ଲିପିରେ ଅକ୍ଷର ସଂଖ୍ୟାକୁ ନେଇ ଯେତେ ମତପାର୍ଥକ୍ଯ ରହିଛି ସେହିପରି ଵିଵାଦ ଫଳାର ସଂଖ୍ଯା ଓ  ଵିଭାଗ ସମ୍ବନ୍ଧୀୟ ତଥ୍ଯକୁ ନେଇ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ ।  କେତେକ ଲୋକ  ଋ ଏକ ସ୍ବରଵର୍ଣ୍ଣ ହେଲେ ସୁଦ୍ଧା ବ୍ଯଞ୍ଜନ ଵର୍ଣ୍ଣ ସହିତ ମିଶିଲେ ଫଳା କହନ୍ତି। ବଙ୍ଗଦେଶରେ ଏଭଳି ମତ ଆଗେ ପ୍ରଚଳିତ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।

■■ଓଡ଼ିଆ ଭାଷାରେ ମାତ୍ରା ଵା କାର  ଓ ତହିଁର ସଂଖ୍ୟା■■

ଓଡ଼ିଆ ଭାଷାରେ ଵ୍ଯଞ୍ଜନ ଵର୍ଣ୍ଣରେ ଯୁକ୍ତ ହେଵା ସ୍ବରଵର୍ଣ୍ଣର ଚିହ୍ନମାନଙ୍କୁ 'ମାତ୍ରା' ବୋଲାଯାଏ । ଵ୍ଯଞ୍ଜନ ଵର୍ଣ୍ଣରେ ଆ, ଇ ,ଉ,ଏ ,ଓ ,ଔ ଆଦି ସ୍ବରଵର୍ଣ୍ଣର ପ୍ରତିନିଧିତ୍ଵ କରୁଥିଵା ସାଙ୍କେତିକ ଚିହ୍ନ ଵିଶେଷ ସାଧାରଣତଃ ମାତ୍ରା କୁହାଯାଉଥିଲେ ହେଁ କେହି କେହି ଫଳାଗୁଡି଼କୁ ବି ମାତ୍ରା କହିଥାଆନ୍ତି । ଓଡ଼ିଶାରେ ମାତ୍ରା ଅପେକ୍ଷା ତତ୍ସମ "କାର" ଶବ୍ଦର ପ୍ରୟୋଗ The sign of a vowel ଵା ସ୍ଵରଵର୍ଣ୍ଣର ଚିହ୍ନ ଅର୍ଥରେ ଵିଶେଷ ଭାଵେ ଵ୍ଯଵହୃତ ହୋଇଥାଏ ।

ପ୍ରଥମ ସ୍ଵରଵର୍ଣ୍ଣ "ଅ"ର କୌଣସି ମାତ୍ରା ନାହିଁ କିନ୍ତୁ "ଅ"ର ଅର୍ଦ୍ଧସ୍ଵର ଚିହ୍ନ (ଽ ) ରହିଛି  ଏଵଂ ଦୀର୍ଘ "ଋ"ର ମାତ୍ରା ଓଡ଼ିଆ ଭାଷାରେ ସାଧାରଣତଃ ଦୃଶ୍ଯ ହୁଏନାହିଁ କିନ୍ତୁ ଏହାର ମାତ୍ରା ବା କାର ରହିଛି ।

ନିମ୍ନୋକ୍ତ ମାତ୍ରାଗୁଡି଼କ ଓଡ଼ିଆ ଭାଷାରେ ପ୍ରଚଳିତ

ଆକାର■ା (ଦକ୍ଷଣ ପାର୍ଶ୍ଵରେ ଵ୍ଯଵହୃତ ହୁଏ- କା)
ଇକାର■ି(ଉପରେ-କି) ଓ (ନିମ୍ନରେ - ଖି)
ଈକାର■ୀ  ଈ: ୀ (ଦକ୍ଷିଣ ପାଶ୍ୱର୍ରେ- କୀ)
ଉକାର■ୁ(ନିମ୍ନରେ = କୁ)
ଊକାର■ୂ(ନିମ୍ନରେ = କୂ)
ଋକାର■ୃ (ନିମ୍ନରେ = କୃ)
ୠକାର■ୄ (ନିମ୍ନରେ = କୄ)
ଌକାର■ୢ (ନିମ୍ନରେ = କୢ)
ୡକାର■ୣ (ନିମ୍ନରେ = କୣ)
ଏକାର■େ (ଵାମ ପାର୍ଶ୍ଵରେ = କେ)
ଐକାର■ୈ (ଅକ୍ଷରର ବାମ ପାଖରେ ଓ ଆଙ୍କୁଡି଼ ଉପରେ = କୈ)
ଓକାର■ୋ (ଅକ୍ଷରର ଉଭୟ ପାର୍ଶ୍ଵରେ = କୋଟି)
ଔକାର■ୌ (ଅକ୍ଷର ଉଭୟ ପାର୍ଶ୍ଵରେ ତଥା ଆଙ୍କୁଡି଼ ଉପରିଭାଗରେ = କୌ)

ଓଡ଼ିଆ ଭାଷାରେ ତେରଗୋଟି କାର ଥିଲେ ହେଁ ଦୀର୍ଘ ୠ,ହ୍ରସ୍ଵ ଌ ଓ ଦୀର୍ଘ ୡ ଇତ୍ୟାଦିର ବ୍ୟବହାର ସାଧାରଣତଃ ଅତି ଅଳ୍ପ ହୋଇଥାଏ ।