My Blog List

Thursday, March 12, 2020

ଯୌଵନେ ମର୍କଟୀ ରମ୍ଯାଃ

ଯୌଵନେ ମର୍କଟୀ ରମ୍ଯାଃ ବୋଲି ଶାସ୍ତ୍ରରେ କୁହାଯାଇଛି 🤓 ଅର୍ଥାତ୍ ଯୁଵାକାଳରେ ମର୍କଟୀ ମଧ୍ୟ ସୁନ୍ଦରୀ ଦିଶେ ତେଵେ ଏ ସୌନ୍ଦର୍ଯ୍ୟ ଵାହ୍ଯ ସୌନ୍ଦର୍ଯ୍ୟ ଅଟଇ ।

ଜଗତଯାକରେ ଯେତେ ପ୍ରକୃତ ମଣିଷ ଅଛନ୍ତି ସେମାନେ ଆଭ୍ଯନ୍ତରୀଣ ସୌନ୍ଦର୍ଯ୍ୟ ଦେଖିଵେ ଆଉ ଯୋଉ ମର୍କଟମାନେ ମନୁଷ୍ୟ ହୋଇ ଜନମିଛନ୍ତି ସେମାନେ ସବୁ ମାନଵୀମାନଙ୍କୁ ମର୍କଟୀ ଵିଚାର କରି ତାଙ୍କ ଵାହ୍ଯ ସୌନ୍ଦର୍ଯ୍ୟରେ ହିଁ ଭୋଳ ହେଉଥିଵେ ।

ଏ ଵିଷୟରେ ଗୋଟିଏ କଥା ମନେପଡୁଛି...

ଦୁଇଜଣ ବଙ୍ଗାଳୀ ସାଙ୍ଗଙ୍କ ସହ ପାଞ୍ଚ ଵର୍ଷ ତଳେ ରହୁଥିଲି । ଆଜିକାଲିକା ଟୋକା ଜାଣିଶୁଣି ଇଆଡେ଼ ସିଆଡେ଼  ଫୋନ୍ ଲଗାନ୍ତି । ଦିନେ କୁଶ୍ ମଲ୍ଲିକ ବୋଲି ଗୋଟିଏ ବଙ୍ଗାଳୀ ଟୋକାର ଫୋନ୍ ରାୟଗଡ଼ ଜିଲ୍ଲା(ଓଡ଼ିଶା) ଆଡେ଼ ଲାଗିଯାଇଥିଲା ।

ଫୋନଟା ଜଣେ ଝିଅ ଉଠେଇଲା  ଆଉ ଏ ଅଭଦ୍ରକୁ ଓଡ଼ିଆ ଭାଷାରେ ଗାଳି ବସେଇ ଦେଲା 😜😜😜
ଯଥା― ଯୋଗଣିଖିଆ,ବଡ଼ରୋଗିଆ,କୁଷ୍ଟରୋଗିଆ,ବାଡି଼ପଡା଼,ସଵାଖିଆ ଇତ୍ୟାଦି ଇତ୍ୟାଦି 😛😛😛

ଫୋନ୍ ଆରପଟୁ ମେଘଗର୍ଜନ ସମ ଗାଳିଵର୍ଷଣ ଶୁଣି
ସେ ଟୋକାର ପିହ୍ଳେଇପାଣି 🤣
ଅତର୍ଛିଆ ଫୋନ କାଟିଦେଇଛି...

ଗୋଟିଏ ଦିନ ପରେ ସେ ସେହି ନମ୍ବରଟିକୁ ତାହାର ଜଣେ ସାଙ୍ଗ ପ୍ରହ୍ଲାଦ ରାୟକୁ ଦେଲା ।

ପ୍ରହ୍ଲାଦ ରାୟ ୨୭ଵର୍ଷର ସୁନ୍ଦର ସୌମ୍ୟ ବୁଦ୍ଧିମାନ ଯୁଵକ । ସେ ଉକ୍ତ ଓଡ଼ିଆ ଝିଅକୁ ଫୋନ୍ କରି ତାକୁ କ୍ଷମା ମାଗିଲା ଓ ତା ସାଙ୍ଗକୁ ମଧ୍ୟ କ୍ଷମା ମାଗିଵାକୁ କହିଲା ।

କିଛି ଦିନ ମଧ୍ୟରେରେ ଦେଖାଗଲା ତାଙ୍କ ଭିତରେ ତିନିକୋଣିଆ ପ୍ରେମସମ୍ପର୍କ ସୃଷ୍ଟି ହେଲାଣି ।

ଝିଅଟେ ପାଇଁ ଦୁଇଜଣ ବନ୍ଧୁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଵାକୁ ଲାଗିଲା । ତେଵେ ସେମାନେ ମୋତେ ଆସି ବାରମ୍ବାର ପଚାରନ୍ତି, ଓଡ଼ିଆରେ i love you କେମିତି କୁହନ୍ତି ଇତ୍ୟାଦି...

କୁଶ୍ ମଲ୍ଲିକ ଉକ୍ତ ଝିଅ ସହିତ ଘଣ୍ଟା ଘଣ୍ଟା ଧରି କଥା ହୁଏ । ସେ ତାକୁ ଅନେକ ପ୍ରେମମୟ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣାଏ ମାତ୍ର ପ୍ରହ୍ଲାଦ ରାୟ କଥା ସମ୍ପୂର୍ଣ୍ଣ ଅଲଗା ! ସେ ଫୋନରେ ପଚାରେ ଘର ପରିଵାରର କଥା, ସୁଖ ଦୁଃଖର କଥା !

ପ୍ରାୟ ଚାରିମାସ ଧରି ଏମନ୍ତ ଵାର୍ତ୍ତାଳାପ ପରେ ଝିଅଟି ଦୁଇ ବଙ୍ଗାଳୀ ଟୋକାଙ୍କୁ ତାଙ୍କ ଫେସବୁକ ଆଇଡି ଲିଂକ୍ ମାଗିଲା ଆଉ ଉଭୟ ଟୋକାଙ୍କୁ ଦେଖି ସାରିଵା ପରେ ସେ ପ୍ରହ୍ଲାଦ ରାୟକୁ ହିଁ ବାହା ହେଵ ବୋଲି ଜଣାଇ ଦେଲା ।

କୁଶ୍ ମଲ୍ଲିକର ହୃଦୟ ଭାଙ୍ଗିଗଲା ତେଵେ ସେ ଧୈର୍ଯ୍ୟହରା ନହୋଇ ପ୍ରହ୍ଲାଦ ରାୟକୁ ସେହି ଝିଅର ଫେସବୁକ ଆଇଡି ଲିଂକ୍ ମାଗିଵାକୁ ପ୍ରଵର୍ତ୍ତାଇଲା । ଦୁଇଦିନ ପରେ ଝିଅଟି ତାହାର ଆଇଡି ଲିଂକ୍ ଦେଲା ଓ ସେମାନେ ତାକୁ ଖୋଲି ଦେଖିଲେ ।

ଝିଅର ଗୋରା ଅଙ୍ଗ ମାତ୍ର ମୁଖମଣ୍ଡଳର ମଉଡା଼ଟା ସାମାନ୍ୟ ଜନଜାତୀୟ ଲୋକଙ୍କ ପରି ହୋଇଥାଏ । ମୋତେ ସେମାନେ ଉକ୍ତ ଫୋଟୋ ଦେଖାଇଲେ । ଓଡ଼ିଶାର ଲୋକଙ୍କ ମୁଖମଣ୍ଡଳ ମଧ୍ୟରେ ଅଞ୍ଚଳଗତ ଵିଭିନ୍ନତା ରହିଛି ତେଵେ ଅଧିକାଂଶ ଜନଜାତୀୟ ମଉଡା଼ର କନ୍ଯାମାନେ ସାବନା ହେଉଥିଵାରୁ ମୋତେ  ସେ ଫୋଟୋଟି ଏଡିଟିଙ୍ଗି ହେଵା ଭଳି ଲାଗିଲା ।

ମୁଁ ପ୍ରହ୍ଲାଦ ରାୟକୁ ମୋ ମନର କଥା କହିଲି କିନ୍ତୁ ସେ ତାହାର ଗୋରା ଚମଡା଼ର ମାୟାରେ ଭୋଳ ହୋଇ ସାରିଥାଏ...

ତାକୁ ସମସ୍ତେ ବୁଝେଇଲେ କିନ୍ତୁ ସେ ସେହି ଝିଅକୁ ଦେଖିଵାକୁ ରାୟଗଡ଼ ଯିଵ ବୋଲି ନିଶ୍ଚୟ କରିନେଇଥାଏ ।

ପ୍ରହ୍ଲାଦ ରାୟ ଓଡ଼ିଶାର ରାୟଗଡ଼ ଜିଲ୍ଲାକୁ ଗଲା ସତ ମାତ୍ର ସେ ଓଡ଼ିଶାରେ ପହଞ୍ଚିଵା ପରେ ପରେ ତାକୁ ଆମେ ଯେତେଥର ଫୋନ୍ ଲଗାଇଲୁ ତା ଫୋନ୍ ଲାଗିଲା ନାହିଁ ।

ପ୍ରାୟ ପନ୍ଦର ଦିନ ପରେ ସେ ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାର ତା ଗାଆଁରେ ଥାଇ ଆମକୁ ଫୋନ୍ କରି ଜଣାଇଲା ଯେ ସେ ସେହି ଓଡ଼ିଆ ଝିଅକୁ ବାହା ହୋଇଯାଇଛି...

ଵର୍ଷଟିଏ ଵିତିଗଲା ପରେ ସେ ତା ସ୍ତ୍ରୀକୁ ଧରି
ନଗରକୁ କାମ କରିଵାକୁ ଆସିଲା ଓ ସେମାନେ ଭଡ଼ାଘର ନେଇ ରହିଲେ । ଦିନେ ପ୍ରହ୍ଲାଦ ରାୟ ତା ସ୍ତ୍ରୀକୁ ଧରି ଆମ ବସାଆଡେ଼ ବୁଲି ଆସିଥାଏ...

ଆମେମାନେ ପ୍ରହ୍ଲାଦ ରାୟକୁ ଏକନ୍ତରେ କହିଲୁ
କିହୋ ! ତେମେ ତ ସୁନ୍ଦରୀ ଅପସରୀ ଅନ୍ଵେଷଣରେ ଉତ୍କଳ ଭୂଖଣ୍ଡ ଗମନ କରିଥିଲ ଏ ଶୃପନଖାଙ୍କୁ କେଉଁଠୁ ପାଇଗଲ 😂😂😂

ପ୍ରହ୍ଲାଦ ରାୟ ଜଣେ ସଖ୍ଯ ସକାରାତ୍ମକ ଭାରତୀୟ ଭଳି କହୁଛି...

ଵାହ୍ଯ ସୌନ୍ଦର୍ଯ୍ୟ କଣ୍ ପ୍ରକୃତ ସୌନ୍ଦର୍ଯ୍ୟ ? ମନ ଓ ଚରିତ୍ରର ସୌନ୍ଦର୍ଯ୍ୟ ଦେଖିଵା କଥା ନା ଆଉ !!! 🤗

କିଛି ଦିନ ପରେ ଦିନେ କୁଶ୍ ମଲ୍ଲିକ ମୋତେ ପ୍ରକୃତ ଘଟଣା କହୁଥାଏ...

ପ୍ରହ୍ଲାଦ ରାୟ ଓଡ଼ିଶା ଗଲା କିନ୍ତୁ ଝିଅକୁ କୌଣସି ସ୍ଥାନକୁ ଡାକି ତାକୁ ଦୂରରୁ ଦେଖିଵା ପରିଵର୍ତ୍ତେ ସିଏ ସିଧା ଝିଅର ଘରକୁ ଚାଲିଗଲା । ସେହି ଝିଅର ଦଦା ଓ ବଡ଼ଭାଇ ପୋଲିସ ଵିଭାଗରେ କାର୍ଯ୍ୟ କରନ୍ତି ବୋଲି ସିଏ ଜାଣିନଥାଏ । ଝିଅର ଯୌଥ ପରିଵାର ,ସମସ୍ତେ ଏକାଠି ରୁହନ୍ତି ।  ସେମାନେ ସୁନ୍ଦର ଭେଣ୍ଡିଆକୁ ଦେଖି ଶିଘ୍ରାତି ଶିଘ୍ର ଉଭୟଙ୍କର ବାହାଘର କରିଦେଲେ ଆଉ ପ୍ରହ୍ଲାଦ ରାୟ କାନମୁଣ୍ଡା ଆଉଁସି ରହିଗଲା 😂😂😂

Sunday, March 8, 2020

ମନ୍ତ୍ରୀ ଶୁକଦେବ ଦାସ ବେବର୍ତ୍ତା ଓ ନବାବ

ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦ ଦେଵଙ୍କର ଜନୈକ ମନ୍ତ୍ରୀ ଥିଲେ ତାଙ୍କ ନାମ ଶୁକଦେବ ଦାସ ବେବର୍ତ୍ତା ଅଟେ । ମନ୍ତ୍ରୀଶୁକଦେଵ ଯାଜପୁର ଅନ୍ତର୍ଗତ ଶିଵଦାସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓ  ବିରଜା ଦେଵୀଙ୍କର ପରିଛା ନିଯୁକ୍ତ ହୋଇଥିଲେ ।

ତତ୍କାଳୀନ ଓଡ଼ିଶା ମୁସଲମାନଙ୍କ ଅଧିକାରରେ ଆସିଵାରୁ ତାଙ୍କୁ ମୁସଲମାନ ସରକାରଙ୍କ ଅଧୀନ ହୋଇ କାର୍ଯ୍ୟ କରିଵାକୁ ପଡି଼ଲା ।

ଏହାଙ୍କ ଵିଷୟରେ ଗୋଟିଏ ଜନସୃତି ରହିଛି । କୁହାଯାଏ  ଦିନେ ହଠାତ୍ ନବାବ ରାଜସ୍ବ ସଂକ୍ରାନ୍ତ କାଗଜପତ୍ର ଆଣିଵାକୁ ଏହାଙ୍କୁ ଆଦେଶ କଲାରୁ ସେ ତତକ୍ଷଣାତ୍ ଇଷ୍ଟଦେଵୀ ବିରଜାଙ୍କୁ ସ୍ମରଣ କରି ନବାବଙ୍କ ଦରବାରକୁ ଗଲେ ।

ବାଟରେ ଯିଵାଵେଳେ ଖଣ୍ଡେ କଳାମେଘୀ ଶାଢ଼ୀ କେଉଁ ଆଡ଼ୁ ଉଡ଼ିଆସି ତାଙ୍କ ଦେହରେ ପଡ଼ିଲା। ଏହାକୁ ସେ ଭକ୍ତିରୂପେ ସବାରିରେ ରଖି ଦେଇ ଦରବାରକୁ ଗଲେ ।

ତତ୍କାଳୀନ ନବାବ ବଡ଼ କ୍ରୁର ଓ ହିନ୍ଦୁ ଵିଦ୍ଵେଷୀ ଥିଲେ । ସେ ସାମାନ୍ୟ କଥାରେ ହିନ୍ଦୁ କର୍ମଚାରୀମାନଙ୍କୁ ଦଣ୍ଡିତ କରିଦେଉଥାଆନ୍ତି । କିନ୍ତୁ ଶୁକଦେବ ଦାସ ବେବର୍ତ୍ତା ସେଠାରେ ନବାବଙ୍କୁ ସମସ୍ତ କାଗଜ ପତ୍ର ବୁଝାଇ ଦେଇ ସୁରୁଖୁରୁରେ ଫେରିଆସିଲେ ।

ଉକ୍ତ କଳା ଶାଢ଼ୀ ଖଣ୍ଡିକ ବିରଜା ଦେବୀଙ୍କର ବୋଲି ପରେ ଅନୁସନ୍ଧାନରୁ ଜଣାଯାଇଥିଲା...

Thursday, March 5, 2020

କୃତଘ୍ନ ମନୁଷ୍ଯ ଵିଷୟରେ ମହାଭାରତରେ କ’ଣ କୁହାଯାଇଛି ?

କୁତଃ କୃତଘ୍ନସ୍ଯ ଯଶଃ କୁତଃ ସ୍ଥାନଂ କୁତଃ ସୁଖମ୍ | ଅଶ୍ରଦ୍ଧେୟଃ କୃତଘ୍ନୋ ହି କୃତଘ୍ନେ ନାସ୍ତି ନିଷ୍କୃତିଃ ||


ମହାଭାରତର ଉଦ୍ଯୋଗପର୍ଵ ଅନ୍ତର୍ଗତ  ଭଗଵଧ୍ଯାନପର୍ଵର ଗାଲଵ ଚରିତରୁ ଏହି ଶ୍ଲୋକଟି ଉଦ୍ଧାର କରାଯାଇଛି ।

ଶ୍ଲୋକର ସଂକ୍ଷିପ୍ତ ଭାଵାର୍ଥ―
  "କୃତଘ୍ନ ମନୁଷ୍ଯକୁ ଯଶ କାହିଁ ? ସ୍ଥାନ ଵା ପ୍ରତିଷ୍ଠା କାହିଁ ? ଘୃତଘ୍ନ ମନୁଷ୍ଯ ଅଵିଶ୍ବାସନୀୟ ହୋଇଥାଏ,ତାହାର କେଵେ ଉଦ୍ଧାର ହୋଇନପାରେ !!"

ଋଷି ବିଶ୍ବାମିତ୍ରଙ୍କ କଷ୍ଟସାଧ୍ଯ ଦକ୍ଷିଣା ପୂର୍ଣ୍ଣ ସକାଶେ ଚିନ୍ତିତ ଥିଲାଵେଳେ ତାଙ୍କ ନିକଟକୁ ପକ୍ଷୀରାଜ ଗରୁଡ଼ ଆସିଛନ୍ତି ! ପ୍ରୋକ୍ତ ଶ୍ଲୋକ ତଥା ଏଇଭଳି ଆଉ କେତୋଟି ଶ୍ଲୋକରେ ଗାଲଵ ନିଜକୁ ନିଜେ କହି ଵିଚାରୁଥିଵା ସମୟରେ ଗରୁଡ଼ ଆସି ତାଙ୍କୁ ଆଶ୍ବାସନା ଦେଉଛନ୍ତି !

ପରଵର୍ତ୍ତୀ ଅଧ୍ଯାୟଗୁଡ଼ିକରେ ଗରୁଡ଼ ଚାରିଦିଗର ଵର୍ଣ୍ଣନା ଗାଲବଙ୍କ ଆଗରେ କରିଛନ୍ତି ! ପରେ ଉଭୟ ତପସ୍ବିନୀ ଶାଣ୍ଡିଳୀଙ୍କୁ ଭେଟି ଗାଲଵଙ୍କ ଗୁରୁଦକ୍ଷିଣା ଵିଷୟରେ ଵିଚାର ବିମର୍ଷ କରିଛନ୍ତି !

ତାପରେ ଉଭୟ ଯଯାତିଙ୍କ ପାଖକୁ ଯାଇ ଗୁରୁଙ୍କ ଦକ୍ଷିଣା ଭାଵରେ ଶ୍ଯାମକର୍ଣ୍ଣ ଅଶ୍ବ ଯାଚନା କଲେ ! ଯଯାତି ଗାଲଵଙ୍କୁ ଧରି ଅଯୋଧ୍ଯା ନରେଶଙ୍କ ପାଖକୁ ଗଲେ  ଏବଂ ହର୍ଯ୍ଯଶ୍ବଙ୍କ ଠାରୁ ଗାଲଙ୍କୁ ଦୁଇ ଶତ ଶ୍ଯାମକର୍ଣ୍ଣ ଅଶ୍ବ ପ୍ରାପ୍ତ ହେଲା ।

Monday, March 2, 2020

ଲୁ ଧାତୁରୁ ଲାଵଣ୍ୟଵତୀ ଯାଏଁ...

ଉପେନ୍ଦ୍ର ଭଞ୍ଜ ପଦ୍ଯରେ ଗୋଟିଏ କାଳ୍ପନିକ କାହାଣୀ ଲେଖିଛନ୍ତି ଲାଵଣ୍ଯଵତୀ ଯାହାର ନାମ ସାରା ଓଡ଼ିଶାରେ ଲୋକପ୍ରିୟ । ଏକଦା କନ୍ୟାମାନଙ୍କର ଲାଵଣ୍ଯବତୀ  ନାମ ରଖାଯାଉଥିଲା । ସାଧାରଣତଃ ଲାଵଣ୍ଯଵତୀ ଶବ୍ଦର ଅର୍ଥ “ଅତିସୁନ୍ଦରୀ ନାରୀ” ।

ଲାଵଣ୍ୟବତୀ କାଵ୍ଯର ନାୟିକା ବାଞ୍ଛାଵତୀ ମଧ୍ୟ ପରମା ସୁନ୍ଦରୀ ଥିଵା  ଏହି କାଵ୍ଯର ଅନେକ ପଦରୁ ସ୍ପଷ୍ଟ ହୁଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଲାଵଣ୍ଯଵତୀ ଶବ୍ଦର ନିରୁକ୍ତୀ ଵ୍ଯାଖ୍ଯା ଦିଆଯାଇଛି
=> ଲାଵଣ୍ଯ +ଅଛି ଅର୍ଥେ ଵତ୍ +ଈ = ଲାଵଣ୍ଯଵତୀ

ଅର୍ଥାତ୍

ଅତି ସୁନ୍ଦରୀ
ଠିକ୍ ଏହାଙ୍କ ପରି 👉 🧖🏻‍♀
😀😀😀

ଭାଷାକୋଷରେ ଲାଵଣ୍ଯର ଦୁଇଗୋଟି ଅନ୍ଯତମ ଅର୍ଥ “ଅତି ସୁନ୍ଦର” ଓ “କାନ୍ତି” ରହିଛି । ଏହାର ମୂଳ ଲଵଣ ଯାହାକୁ ଆମେ ଲୁଣ ଅର୍ଥରେ ଵ୍ଯଵହାର କରନ୍ତି କିନ୍ତୁ ଏ ଶବ୍ଦର ଏକ ଅର୍ଥ ଲାଵଣ୍ଯଯୁକ୍ତ ଵା lovely, graceful ,charming ମଧ୍ୟ ଅଟଇ । ଲୁଣ ଦେଖିଵାକୁ ଶୁଭ୍ର ପୁଣି ଏହାକୁ ପୃଥିଵୀରେ ଵିଭିନ୍ନ ସ୍ଥାନରୁ ଵିଶେଷତଃ ସମୁଦ୍ର ଜଳରୁ ସଂଗ୍ରହ କରାଯାଉଥିଵାରୁ ଏହାର ଏକ ନାମ ଲଵଣ ହୋଇଛି ।   ଏ ସବୁ ଶବ୍ଦର ମୂଳ ଧାତୁ “ଲୁ/ଲୂ ଧାତୁ” ଅଟେ ଏଵଂ “ଲାଵି ଧାତୁ”ର ମୂଳ ମଧ୍ୟ ଲୂ ଧାତୁ ଅଟଇ ।

ଏହି ଲୁ ଵା ଲୂ ଧାତୁର ଵିଭିନ୍ନ ଅର୍ଥରେ ପ୍ରୟୋଗ ହୁଏ

ଯଥା
★to cut(କାଟିଵା)
★to sever (ଭାଙ୍ଗିଵା)
★to divide(ବାଣ୍ଟିଵା)
★to reap(ଏକତ୍ର କରିଵା)
★to gather(ସଂଗ୍ରହ କରିଵା,ଚୟନ କରିଵା,ପ୍ରାପ୍ତ କରିଵା)
★to destroy―(ଧ୍ଵଂସ କରିଵା)
ଇତ୍ୟାଦି

ଏହି ଲୁ/ଲୂ ଧାତୁରୁ ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି
ଯଥା—

୧) ଲଵାଣକ—ଲୁ/ଲୂ ଧାତୁରୁ ଛେଦନ କରିଵା କରଣ  ଆଣକ ଯୁକ୍ତ ହୋଇ ଏ ଶବ୍ଦ ନିଷ୍ପନ୍ନ  ହୋଇଛି । ଏ ଶବ୍ଦର ଅର୍ଥ
→ଖଡ୍ଗାଦି ଛେଦନାସ୍ତ୍ର
→ଦାତ୍ର ଵା ଦାଆ
→କଟୁରୀ

୨)ଲାଵିକ—ଲୁ/ଲୂ ଧାତୁରୁ ଛେଦନ କରିଵା ଅର୍ଥରେ
ଏ ଶବ୍ଦକୁ ନିଷ୍ପନ୍ନ କରାଯାଇଛି ଯାହ ମହିଷ ଵା ମଇଁଷି ଅର୍ଥରେ ଵ୍ଯଵହୃତ ହୋଇଥାଏ ।

୩)ଲାଵୁ—ଛେଦନ କରିବା/ବାଣ୍ଟିଵା +କର୍ମାର୍ଥେ ଉ
ଓଡ଼ିଆ ଭାଷାରେ ଆମେ ଯେଉଁ ଫଳକୁ କହୁ ଲାଉ ଵା ଅଲାବୁ ତାକୁ ସଂସ୍କୃତରେ କୁହନ୍ତି ଲାଵୁ, ହିନ୍ଦୀରେ ଲାଉକୁ କଦ୍ଦୁ ବି କୁହନ୍ତି । ଲାଉ କଟାଯାଏ ଏଵଂ ସମସ୍ତଙ୍କୁ ବଣ୍ଟାଯାଏ ତେଣୁ ହିନ୍ଦୀରେ କୁହନ୍ତି
“କଦ୍ଦୁ କଟେଗା ତୋ ସଵ୍ ମେଁ ବଣ୍ଟେଗା"
ତେଵେ ଲାଵୁ ଶବ୍ଦର ଅନ୍ଯ ଅର୍ଥ ତୁମ୍ବୀ; ସେଇ ପାତ୍ର ଯାହା ଲାଉର ଖୋଳପାରେ ତିଆରି ହୋଇଥାଏ ।

୪)ଲୂତା
ଏ ଶବ୍ଦର ମୁଖ୍ଯତଃ ତିନୋଟି ଅର୍ଥ ରହିଛି
କ)ବୁଢ଼ିଆଣି ଵା  ମାକଡ଼ସା
ଖ) ପିମ୍ପୁଡ଼ି
ଗ)ଲୂତାରୋଗ(ବୁଢି଼ଆଣିଠାରୁ ନିର୍ଗତ ରସ ମନୁଷ୍ୟ ଅଙ୍ଗରେ ଲାଗିଲେ ଯେଉଁ ରୋଗ ହୁଏ)
ଲୂତା ଶବ୍ଦ ଓଡ଼ିଆ ସାହିତ୍ୟରେ ମଧ୍ୟ ଵ୍ଯଵହୃତ । ଦୀନକୃଷ୍ଣ ଦାସ ତାଙ୍କ ରସକଲ୍ଲୋଳରେ ଏ ଶବ୍ଦର ଵ୍ଯଵହାର

“କହି ବସିଲେ ହେବ ଏ ଳୂତା ସୂତା ପ୍ରାୟେ”

୫)ଲୋତ,ଲୋତ୍ର
ଏ ଶବ୍ଦ ବି ଲୁ ଧାତୁରୁ ଛେଦନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଛି ଏଵଂ ଏହା ନିମ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ ...
କ)ଲୋପ୍ତ ଚୋରା ମାଲ
ଖ)ଲୋତକ,ଅଶ୍ରୁ ଵା ଲୁହ
ଗ)ଚିହ୍ନ
ଘ)ରଣ

୬)ଲୋମ
ଆମର ବହୁପରିଚିତ ଲୋମ ଶବ୍ଦ ମଧ୍ୟ ଲୁ ଧାତୁରୁ ଛେଦନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି ଯାହାର ଅନ୍ୟତମ ତଦ୍ଭଵ ରୂପ ରୋମ ଓ ରୁମ ।

୭)ସୁଲୁ
ସୁ ଉପସର୍ଗରେ ଲୁ ଧାତୁକୁ ଛେଦନକରିଵା ଅର୍ଥରେ ନିଷ୍ପନ୍ନ କରାଯାଇ ସୁଲୁ ଶବ୍ଦକୁ ସୃଷ୍ଟି କରାଯାଇଛି ଏହାର “ଉତ୍କୃଷ୍ଟ ରୂପେ ଛେଦନକାରୀ” ଅଟେ ।

ପ୍ରୋକ୍ତ ସମସ୍ତ ଶବ୍ଦଗୁଡି଼କରେ ଲୁ ଧାତୁର ମିଶିଵା,ଏକତ୍ର ହେଵା ଓ ଛେଦନ କରିଵାର ଭାଵ ସନ୍ନିହିତ ରହିଛି । ତେଣୁ ଯଦି ମୂଳ ଧାତୁଠାରୁ ଲାଵଣ୍ଯଵତୀ ଯାଏଁ ଏ  ଶବ୍ଦର ଵ୍ଯାଖ୍ଯା କରାଯାଏ ତେଵେ ତାହା ଏମନ୍ତ ହେଵ ...

ସୁନ୍ଦରୀମାନେ ଯେତେଵେଳେ କୌଣସି ଯୁଵକ ସହିତ ମନ ଓ କାୟାର ମିଳନ ଘଟାନ୍ତି ଉକ୍ତ ଯୁଵକର ଵାକି ସମସ୍ତ ଭାଇବନ୍ଧୁଙ୍କ ଠାରୁ ଦୂରତା ବଢି଼ଯାଏ ।  ଏମାନେ କ୍ଷୀରନୀର ଭଳି ସମ୍ପର୍କ ଥିଵା ଦୁଇ ଜଣବନ୍ଧୁଙ୍କ ବନ୍ଧୁତା ସହଜରେ ଭାଙ୍ଗିପାରନ୍ତି ପୁଣ ସୁନ୍ଦର ରୂପ କେତେ ଘର ଭାଙ୍ଗେ ତା ବି ସମସ୍ତେ ଜାଣିଥିଵେ । ସୁନ୍ଦରୀ କନ୍ଯା ସହ ମିଶିଵାକୁ ସବୁ ପୁରୁଷଙ୍କ ଇଛା ଆଉ କଳେ ବଳେ କୌଶଳେ କେମିତି ତାକୁ ପାଇଵେ ସେଇ ଯୋଜନା ସବୁଵେଳେ କରୁଥାନ୍ତି । ଦଶଜଣ କନ୍ଯା ଭିତରେ ସବୁଠାରୁ ସୁନ୍ଦର ଯିଏ ତାକୁ ହିଁ ପୁରୁଷମାନେ ଚୟନ କରନ୍ତି ଆଉ ଯଦି ସେ ଝିଅ ନମିଳେ ସେମାନେ ତାଙ୍କ ଜୀଵନ ନଷ୍ଟ ହେଇଗଲା ବୋଲି ଵିଚାର କରନ୍ତି ।
😀😀😀

Sunday, March 1, 2020

ଉପଦେଶ


ଗୋଟିଏ ଛୋଟ ଦେଶର ଏକ ଅଖ୍ଯାତ ପଲ୍ଲୀରେ  ଜଣେ ଲୋକପ୍ରିୟ ସିଦ୍ଧ ଥିଲେ |  ସେ ମହାତ୍ମା ମାସରେ ତିନିଥର ମହାନଗର ପରିଦର୍ଶନ କରୁଥିଲେ |

ସେଠାର ବଡ଼ହାଟକୁ ଯାଇ ସେ ପରସ୍ପରକୁ ଟଙ୍କା ଦ୍ଵାରା ସାହାଯ୍ୟ କରିଵାକୁ ଉପଦେଶ ଦେଉଥିଲେ ।  ସମସ୍ତେ ତାଙ୍କୁ ଜଣେ ଶାନ୍ତ ଶିଷ୍ଟ ଲୋକ ଭାଵେ ଜାଣିଥିଲେ ଏଵଂ ନିଜର ନିଆରା ଉପଦେଶ ପାଇଁ ସେ ଜଣାଶୁଣା ଥିଲେ |

ଦିନେ ସନ୍ଧ୍ୟାରେ ଉକ୍ତ ନଗରସ୍ଥ ହାଟକୁ ତିନି ଜଣ ଲୋକ ଆସିଥିଲେ ।  ସେତେଵେଳକୁ ସିଦ୍ଧ ଵ୍ଯକ୍ତି ଜଣକ ଭଗଵାନଙ୍କ ଵନ୍ଦନା ଶେଷ କରି ବସିଥାଆନ୍ତି । ଆଗନ୍ତୁକମାନଙ୍କୁ ଦେଖି ସିଦ୍ଧଵ୍ଯକ୍ତି ତାଙ୍କୁ ସ୍ୱାଗତ କଲେ ।

ତହୁଁ ଆଗନ୍ତୁକମାନେ ସିଦ୍ଧଙ୍କୁ ପଚାରିଲେ,

"ଆମେ ଶୁଣିଅଛୁ ତୁମ୍ଭେ ଟଙ୍କା ଦ୍ଵାରା ପରସ୍ପରକୁ ସାହାଯ୍ୟ କର ବୋଲି ଉପଦେଶ ଦେଉଛ । ପୁଣି ତୁମେ ଏହି ଉପଦେଶ କେଵଳ ଧନୀମାନଙ୍କୁ ହିଁ  ଦେଇଥାଅ,ଦରିଦ୍ର ଜନତାଙ୍କୁ ତୁମେ କେଵେ ବି ଏମନ୍ତ ଉପଦେଶ ଦିଅନାହିଁ । ତୁମର ଖ୍ୟାତି ଯୋଗୁଁ ତୁମେ ନିଶ୍ଚିତ ଭାଵରେ ଜଣେ ବଡ଼ ଧନୀ ହୋଇସାରିଛ ତେଣୁ, ଵର୍ତ୍ତମାନ ତୁମ ପାଖରେ ଥିଵା ସମସ୍ତ ଟଙ୍କା ଆମକୁ ଦିଅ । ଆମେମାନେ ବହୁତ ଦରିଦ୍ର, ଆମକୁ ଅର୍ଥର ବଡ଼ ଅଭାଵ ପଡି଼ଛି  । "

ସିଦ୍ଧ କହିଲେ,
ମୋ ପାଖରେ ଏହି ଶଯ୍ୟା, ସେଇ ଖଟ ଆଉ ପାଣିଗରାଟିଏ  ଛଡା଼ ଅନ୍ୟ କିଛି ବି ନାହିଁ। ଯଦି ଆପଣମାନେ ଆଵଶ୍ୟକ ମନେକରନ୍ତି ତେଵେ ଏସବୁ ନେଇପାରନ୍ତି । ମୋ ପାଖରେ ସୁନା କି ରୂପା ନାହିଁ ନା ଟଙ୍କା ପଇସା ଅଛି ଯେ ଆପଣମାନଙ୍କୁ ଦେଇପାରିବି ।"

ଏହା ଶୁଣି ଦୁଇଜଣ ଆଗନ୍ତୁକ ସିଦ୍ଧଙ୍କୁ  ହୀନଦୃଷ୍ଟିରେ ଅନାଇ ଅନାଇ ଫେରିଗଲେ |  କିନ୍ତୁ ଜଣେ ଆଗନ୍ତୁକ ଵ୍ଯକ୍ତି, ସିଦ୍ଧଙ୍କ ନିକଟରେ ତଥାପି ଠିଆ ହୋଇଥାଏ ।

କିଛି କ୍ଷଣ ପରେ ସେ ସିଦ୍ଧଙ୍କୁ କହିଲା,
"ଠକ ! ଖଣ୍ଟ !! ତୁ ଲୋକମାନଙ୍କୁ ସେହି କଥା ସବୁ ଉପଦେଶ କରୁ, ଯାହାକୁ ତୁ ନିଜେ ନିଜ ଜୀଵନରେ କେଵେ କାର୍ଯ୍ୟକାରୀ କରିନାହୁଁ କି କେଵେ କରିପାରିବୁନାହିଁ।"

(ଲେଵାନନ୍ ଦେଶର ଗାଳ୍ପିକ ଖଲୀଲ ଜିବ୍ରାନ୍'ଙ୍କର ଏକ ଗଳ୍ପର ଓଡ଼ିଆ ଭାଵାନୁଵାଦ)

Saturday, February 29, 2020

ଓଡ଼ିଶାରେ ରହୁଥିଵା ଉଚ୍ଚଶିକ୍ଷିତ କଳିଙ୍ଗୀମାନଙ୍କ ଭ୍ରମଧାରଣା ଓ ପ୍ରକୃତ ସତ୍ଯ




ଆମ ରାଜ୍ୟରେ ବହୁତ ପଢା଼ଶିକ୍ଷିତ ଲୋକ ଅଛନ୍ତି ଯେଉଁମାନେ ଓଡ଼ିଶା ବାହାରେ ରହୁଥିଵା ଓଡ଼ିଶାର ଲୋକଙ୍କୁ ହୀନ,ନୀଚ, ଅଧମ ଓ ମୂର୍ଖ ମନେ କରନ୍ତି । କିଛି ମୂଳ ଓଡ଼ିଶାଵାସୀ କୁହନ୍ତି ଏ ଲୋକଯାକ ନିତାନ୍ତ ହୀନ ବୋଲି ବାହାର ଅଞ୍ଚଳକୁ ଖଟିଵାକୁ ଯାଉଅଛନ୍ତି ତ କାହା କାହା ମନରେ ଵିଚାର ଆସେ ଯେ ବାହାରେ ରହୁଥିଵା ଓଡି଼ଶାଵାସୀ ଓଡ଼ିଶାର କିଛି ମାତ୍ର ଲାଭ କରୁନାହାନ୍ତି । ଚାଲନ୍ତୁ ସେଇଭଳି କିଛି ଭ୍ରମଧାରଣା ଵିଷୟରେ ଆଲୋଚନା କରି ଦେଖିଵା ଯେ ଏସବୁ ଧାରଣା ପଛରେ ପ୍ରକୃତ ସତ୍ଯ କ'ଣ ଅଟେ !






୧)■ଭ୍ରମ ଧାରଣା ―
ସବୁ #କଳିଙ୍ଗୀମାନେ ଓଡ଼ିଶା ବାହାରକୁ ଗଲେ ନିଜ ଭାଇମାନଙ୍କ ସହ ନିଜ ମାତୃଭାଷାରେ କଥା ହେଵାକୁ ଲାଜ କରନ୍ତି ।

●ପ୍ରକୃତ ସତ୍ଯ―
#ଶୀତତାପନିୟନ୍ତ୍ରିତଗୃହଵାସୀ ଲୋକମାନେ #ଓଡ଼ିଶା ବାହାରେ ରହୁଥିଵା ଯେଉଁ କେତେଜଣ #କଳିଙ୍ଗଦେଶୀୟ ଲୋକଙ୍କୁ ଭେଟନ୍ତି ସେମାନେ #ଧନୀକ ତଥା #ଉଚ୍ଚଶିକ୍ଷିତ ଲୋକ ହୋଇଥାଆନ୍ତି । ଫକୀରମୋହନଙ୍କ “ଡାକମୁନ୍'ସୀ” ଓ “ସଭ୍ୟ ଜମିଦାର” ଗଳ୍ପରେ ଆମେ ଏଭଳି ଲୋକମାନଙ୍କୁ ଚିତ୍ରଣ କରାଯାଇଥିଵା ଦେଖିଥାଉ । ଆମ ରାଜ୍ୟର ବୁଦ୍ଧିଜୀଵୀମାନେ କେଵେ ଓଡ଼ିଶା ବାହାରେ #ଖଟିଖିଆ_କଳିଙ୍ଗୀ ଲୋକଙ୍କ ମଧ୍ୟରେ ଆସି ରୁହନ୍ତୁ ଜାଣିପାରିଵେ ଯେ ପ୍ରତ୍ୟେକ ଖଟିଖିଆ କଳିଙ୍ଗୀ କେତେ ପରିମାଣରେ ନିଜ ନିଜର ମାତୃଭାଷା କୁହନ୍ତି...






୨)■ଭ୍ରମଧାରଣା
ବାହାରେ ରହୁଥିଵା ସବୁ କଳିଙ୍ଗୀ ଲୋକେ ଜଣେ ଜଣେ ଦାଦନ...

●ପ୍ରକୃତ ସତ୍ଯ―
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଯିଏ ମୁଣ୍ଡ ଵିକି ଚୁକ୍ତିପତ୍ର ସ୍ଵାକ୍ଷର କରି ଆଗତୁରା ଟଙ୍କା ନିଏ ଓ ଵର୍ଷ ଵର୍ଷ ଧରି ଖଟେ ସିଏ ହିଁ କେଵଳ ଦାଦନ ପଦଵାଚ୍ଯ । ଓଡ଼ିଶା ବାହାରେ ରହୁଥିଵା ଅଧିକାଂଶ ଶ୍ରମିକ ଦାଦନ ନୁହନ୍ତି । ସେମାନେ ଵିଭିନ୍ନ ଅପ୍ରଶାସନିକ କର୍ମସଂସ୍ଥାନରେ ଯୋଗ ଦେଇ ମାସ ଶେଷରେ କିଂଵା ମଧ୍ୟ ଭାଗରେ ଵେତନ ପାଇଥାଆନ୍ତି ।

୩)■ଭ୍ରମଧାରଣା―
ଓଡ଼ିଶା ଓ ଭାରତ ବାହାରେ ରହୁଥିଵା ଲୋକଙ୍କ ପାଖରେ ଜାତୀୟତାବୋଧ ନଥାଏ !

●ପ୍ରକୃତ ସତ୍ଯ―
ଓଡ଼ିଶା ତଥା ଭାରତ ବାହାରେ ରହୁଥିଵା ଲୋକ ନିଜ ସଂସ୍କୃତି,ଜାତି ଓ ଭାଷାର ମହତ୍ତ୍ଵ ସ୍ପଷ୍ଟ ଉପଲବ୍ଧି କରିପାରେ ଯେଵେକି ମୂଳ ଭୂଖଣ୍ଡରେ ରହୁଥିଵା ଲୋକମାନେ ପରସ୍ପରକୁ କଟକିଆ - ସମ୍ବଲପୁରିଆ - ବାଲେଶ୍ଵରିଆ - ବରହମପୁରିଆ ଇତ୍ୟାଦି ଡକାଡକି ହୋଇ ପ୍ରାୟତଃ ଝଗଡା଼ କରୁଥିଵାର ଦେଖାଯାଏ । ଵିଦେଶରେ ରହୁଥିଵା ପ୍ରତ୍ୟେକ ଭାରତୀୟ ନିଜକୁ ଭାରତୀୟ ଭାଵେ ଓ ପ୍ରତ୍ୟେକ ଓଡ଼ିଶାଵାସୀ ନିଜକୁ କଳିଙ୍ଗୀ ବୋଲି ଵିଚାର କରୁଥିଲାଵେଳେ ଓଡ଼ିଶା ଭିତରେ ରହୁଥିଵା ଲୋକେ ରାଜ୍ୟ ଵିଭାଜନ କରିଵାକୁ କୁଚେଷ୍ଟା ଚଳେଇ ଥାଆନ୍ତି ।

୪)■ଭ୍ରମଧାରଣା― ଓଡ଼ିଶା ବାହାରେ ରହୁଥିଵା ଓଡ଼ିଶାର ଲୋକେ ଅଯୋଗ୍ୟ ତେଣୁ ବାହାରକୁ ଚାଲିଯାଆନ୍ତି...





●ପ୍ରକୃତ ସତ୍ୟ―
ଅନେକ ପ୍ରଵାସୀ କଳିଙ୍ଗୀ ପୁତ୍ର ପୁତ୍ରୀ ନିଜ ନିଜର ପ୍ରତିଭା ବଳରେ ପ୍ରମାଣ କରୁଛନ୍ତି ଓ କରିଛନ୍ତି ଯେ ସେମାନେ ଆଦୌ ଅଯୋଗ୍ୟ ନୁହନ୍ତି ଵରଂ ଶୀତତାପନିୟନ୍ତ୍ରିତଗୃହଵାସୀ ଧନୀକ ଓଡି଼ଶାଵାସୀ ଅଯୋଗ୍ୟ ଯେଉଁମାନେ ଓଡ଼ିଶା ଭିତରେ କର୍ମସଂସ୍ଥାନଟିଏ ଖୋଲି ଲୋକଙ୍କୁ ତାଙ୍କ ଘର ପାଖରେ କାମଟିଏ ଦେଇପାରୁନାହାନ୍ତି । ଓଡ଼ିଶାର ପଙ୍ଗୁ ପ୍ରଶାସନ ହେଉ କି ଵିପକ୍ଷୀ ଦଳ ଵରଂ ଅନେକାଂଶରେ ଅଯୋଗ୍ୟ ଯେଉଁମାନେ ନିଜର ସ୍ଵାର୍ଥ ସାଧନ କରିଵାରେ ଵ୍ଯସ୍ତ କିନ୍ତୁ ବାହାରେ ଖଟୁଥିଵା ଓଡ଼ିଶାଵାସୀଙ୍କ ପାଇଁ କର୍ମକ୍ଷେତ୍ରଟିଏ ଯୋଗାଇ ପାରନ୍ତି ନାହିଁ ।

୫)■ଭ୍ରମଧାରଣା―
ଓଡ଼ିଶା ବାହାରେ ରହୁଥିଵା କଳିଙ୍ଗଦେଶୀୟ ଲୋକେ ନିତାନ୍ତ ଅଳସୁଆ ,କର୍ମକୋଢି଼ଆ ।

●ପ୍ରକୃତ ସତ୍ଯ―
ଯେଉଁମାନଙ୍କ ମନରେ ଏଭଳି ଭ୍ରମ ଧାରଣା ଉତ୍ପନ୍ନ ହୁଏ ସେମାନେ ସମୟ ପାଇଲେ ବାହାରେ ଖଟୁଥିଵା ନିଜ ଖଟିଖିଆ ଭାଇମାନଙ୍କୁ ଆସି ଦେଖି ଯାଆନ୍ତୁ । ସାରା ଵିଶ୍ଵରେ କଳିଙ୍ଗୀମାନେ ସବୁଠାରୁ ଅଧିକ ସଚ୍ଚୋଟ ଓ ପରିଶ୍ରମୀ ଵିଦିତ ହୋଇ ଆସିଛନ୍ତି । ପରିଶ୍ରମ ଏ ଜାତିର ଜିନ୍'ସ୍'ରେ ଅଛି ଓ ରହିଥିଵ କିନ୍ତୁ ଆମେ ଜାଣୁ ଯେ ଏଭଳି ଭ୍ରାନ୍ତ ଧାରଣାରଖିଥିଵା ଲୋକ ହିଁ ପ୍ରକୃତରେ ଅଳସୁଆ କାରଣ ଅଳସୁଆ ନହୋଇଥିଲେ ସେମାନେ କର୍ମଠ କଳିଙ୍ଗୀଵୀରମାନଙ୍କୁ ଭେଟି ସତ୍ଯ ସହିତ ପରିଚିତ ହୋଇପାରିଥାଆନ୍ତେ ।





୬)■ଭ୍ରମଧାରଣା―
ଓଡ଼ିଶା ବାହାରକୁ ଯାଇ ଖଟୁଥିଵା କଳିଙ୍ଗଦେଶୀୟ ଲୋକେ ନିଜ ରାଜ୍ୟର କୌଣସି ଲାଭ କରୁନାହାନ୍ତି !

●ପ୍ରକୃତ ସତ୍ଯ―
ଓଡ଼ିଶା ବାହାରେ ଖଟୁଥିଵା କଳିଙ୍ଗଦେଶୀୟ ଖଟିଖିଆମାନେ ନିଜ ବେତନ ଟଙ୍କା ଓଡ଼ିଶାକୁ ପଠାଇଲେ ଯାଇ ତାଙ୍କ ଘର ଚଳେ । ଓଡ଼ିଶାକୁ ବେତନ ଟଙ୍କା ଆସିଲେ ଓଡ଼ିଶାର ଵିଭିନ୍ନ ବେପାରୀମାନଙ୍କ ଘର ଚଳେ । ବେପାରୀମାନଙ୍କ ବେପାର ଚଳେ ବୋଲି ଓଡ଼ିଶାଟା କଷ୍ଟେମଷ୍ଟେ ଚଳିଯାଏ । ବାହାରେ ରହୁଥିଵା ଓଡ଼ିଶାର ଖଟିଖିଆଙ୍କ ମଧ୍ୟରେ ଅନେକ ବୁଦ୍ଧିଜୀଵୀ ମଧ୍ୟ ଅଛନ୍ତି ଯେଉଁମାନେ ସାହିତ୍ୟ ସୃଷ୍ଟି କରି ନିଜ ମାତୃଭାଷାର ହିତ ସାଧନ କରୁଅଛନ୍ତି । ଅନ୍ଯାନ୍ଯ କ୍ଷେତ୍ରରେ ମଧ୍ୟ ପ୍ରଵାସୀ ଓଡି଼ଶାଵାସୀ ଖଟିଖିଆଙ୍କର ଅଵଦାନ ମଧ୍ୟ ଅଳ୍ପ ନୁହେଁ ।

ଚିତ୍ର ସୌଜନ୍ଯ―(ruralindiaonline . Org)

Wednesday, February 5, 2020

ଲଵଣକର ଵିପକ୍ଷରେ ଓଡ଼ିଶାରେ ହୋଇଥିଲା ପ୍ରଥମ ଶଙ୍ଖନାଦ

ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା ।
କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ରଦେଶକୁ ମିଳିଵା ଵିପକ୍ଷରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଏହି ସଭାର କେତେକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ―

୧)ଲଵଣ ସତ୍ୟାଗ୍ରହ ର ବହୁପୂର୍ଵରୁ ଓଡ଼ିଆ ଲୋକେ ସର୍ଵପ୍ରଥମେ ଲଵଣକର ଵିରୋଧରେ ଆନ୍ଦୋଳନ କରିଥିଲେ । ଆଉ ସେହି ପ୍ରଥମ ଶଙ୍ଖନାଦ କଟକନଗରରୁ ସାରା ଵିଶ୍ଵକୁ ପ୍ରତିଧ୍ବନିତ ହୋଇଥିଲା ।

୨)କଟକନଗରର ଓଡ଼ିଆ ସ୍ଵାଭିମାନୀ ବୁଦ୍ଧିଜୀଵୀମାନେ ପ୍ରାୟତଃ କଟକ ପ୍ରିଣ୍ଟିଙ୍ଗ କମ୍ପାନୀଠାରେ କୌଣସି ସଭାର ଆୟୋଜନ କରୁଥିଲେ । କିନ୍ତୁ ଲଵଣକର ସମ୍ଵନ୍ଧୀୟ ସଭାର ଆୟୋଜନ କଟକ ମ୍ଯୁନିସିପାଲିଟି ପଡି଼ଆରେ ହୋଇଥିଲା ।

୨୩)୧୮୮୧ରୁ ବଙ୍ଗରୁ ଓଡ଼ିଶା ଲେଉଟିଵା ପରଠୁଁ ୧୮୮୮ ଯାଏଁ ଉତ୍କଳ ଗୌରଵ ମଧୁସୂଦନ ଦାସ ଓଡ଼ିଶାର ସମସ୍ୟା ଵିଷୟରେ ଯେଉଁସବୁ ଭାଷଣ ଦେଇଥିଲେ ତାହା ଇଂରାଜୀ ଭାଷାରେ ହେଉଥିଲା । ତେଵେ ଏହି ସଭାରେ ପ୍ରଥମକରି ମଧୁବାବୁ ଓଡ଼ିଆ ଭାଷାରେ ଭାଷଣ ଦେଇଥିଲେ ।

ସେଦିନ ମଧୁବାବୁ ଯେଉଁ ଭାଷଣ ଦେଇଥିଲେ ତାହା ଏଠାରେ ପ୍ରଦାନ କରାଗଲା...

  ●●●●●●●●●●●●●●●●●●●●●●●●●●●●
ଭାରତଵାସୀ ସମସ୍ତ ଏକ ଦେଶୀୟ ହେଵାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାଵ ରହିଵା ଉଚିତ । ଧନୀ ଓ ଗରିଵ ମଧ୍ୟରେ କିଛି ପ୍ରଭେଦ ନାହିଁ ।

ବାସ୍ତଵରେ ଗରିଵମାନେ ଦେଶର  ଖୁଣ୍ଟ ଅଟନ୍ତି ଏବଂ ଯେ ସ୍ଥଳେ ସେ ଦିଏ ‌ଯେ ଧନୀ ଓ ଯେ ନିଏ ସେ ନିର୍ଦ୍ଧନ ; ​ସେ ସ୍ଥଳେ ଗରିଵମାନେ କର ଦେଉଥିଵା ଓ ଜମିଦାର ଓ ରାଜା ପ୍ରଭୃତି ତାହା ନେଇ ବଡ଼ଲୋକ  ହେଉଥିଵାରୁ ପ୍ରକୃତରେ ସେହିମାନେ ଧନୀ ଅଟନ୍ତି ଓ ତାହାଙ୍କର ​‌ଯେଉଁ ଶକ୍ତି ଅଛି ତାହା ସେମାନେ ଜାଣୁ ନ ଥିଵାରୁ ଆପଣାକୁ ଗରିଵ ଓ ଅସହାୟ ଭାଳୁ ଅଛନ୍ତି ।

ଇଂ​‌ରେଜ ରାଜ ଗରିଵଙ୍କର ବନ୍ଧୁ, ପ୍ରଜାଙ୍କୁ କଷ୍ଟ ଦେବା ତାହାଙ୍କର ଅଭିପ୍ରାୟ ନୁହେଁ । ପ୍ରଜାମାନେ ସମଵେତ ହୋଇ ଆପଣା ଦୁଃଖ ଜଣାଇଲେ ​‌ସେ ଅଵଶ୍ୟ ତହିଁର ପ୍ରତିକାର କରିବେ । ଏକତ୍ର ହୋଇ ଦୁଃଖ ଜଣାଇଵା ଓ ରାଜନୈତିକ ଵିଷୟରେ ମତାମତ ପ୍ରକାଶ କରିଵା ପ୍ରଜାମାନଙ୍କର ଗୋଟିଏ ଭାରି ଅଧିକାର । ଏହି ଅଧିକାର ରାଜଭକ୍ତି ଅଥଚ ଦମ୍ଭ ଭାଵରେ ପ୍ରକାଶ କଲେ କଦାଚ ଵ୍ଯର୍ଥ  ​‌ହେବ ନାହିଁ । ରୋଗୀ ଆପଣାର ପୀଡ଼ାର ବୃତ୍ତାନ୍ତ ନ ଜଣାଇଲେ ଯେମନ୍ତ ବୈଦ୍ୟ ତହିଁର ପ୍ରତିକାର କରି ନ ପାରେ ପ୍ରଜାମାନେ ଆପଣା ଦୁଃଖ ନ ଜଣାଇଲେ ରାଜାଙ୍କ ଦ୍ୱାରା ତହିଁର ପ୍ରତିକାର ହୋଇ ନ ପାରେ । ଇଂରାଜ ଗଵର୍ଣ୍ଣମେଣ୍ଟ କେତେବେଳେ ପ୍ରଜାପୀଡ଼କ ନୁହନ୍ତି ।…

ଭାରତଵାସୀମାନେ ବିଲାତ ତୁଳନାରେ ବିଲାତର ଵାର୍ଷିକ ଆୟ ହାରାହାରିରେ ଜଣ ପ୍ରତି ଟ୩୦୦ଙ୍କା ମାତ୍ର ଭାରତଵର୍ଷରେ ଟ୨୦ଙ୍କା ଅଟଇ ଅଥଚ ବିଲାତରେ କରର ସମଷ୍ଟି ଶତକଡ଼ା ଟ୮ଙ୍କା ସ୍ଥଳେ ଭାରତଵର୍ଷରେ ଟ୧୬ଙ୍କା  ଲେଖାଏଁ ପଡ଼ିଅଛି । ଭାରତଵାସୀମାନେ ଗରିଵ ହୋଇ ଏତେ ଅଧିକ କର ଦେଉଥିଵା ସ୍ଥଳେ ସେମାନଙ୍କ ଉପରେ ଆଉ ଗୋଟିଏ କର ଭିଡ଼ିଵା ନିତାନ୍ତ ଅନ୍ୟାୟ ।

ଲୁଣକର ନୂତନ କର ନ ହେଲେ ହେଁ ଯେତେଵେଳେ ପୁରୁଣା ଘା ଉପ‌ରେ ଆଉ ଚୋଟେ ବସିଲା ସେତେଵେଳେ ଅନାୟାସ ନୂତନ ପୀଡ଼ା ବୋଲାଯାଇପାରେ ।

ଲଵଣ ସମସ୍ତ ଲୋକଙ୍କର ନିତ୍ୟ ପ୍ରୟୋଜନୀୟ ପଦାର୍ଥ ପୁଣି ଓଡ଼ିଶାରେ ପଖାଳଖିଆଟି ଅଧିକ ଥିଵାରୁ ବହୁତ ଲୁଣ ଲୋଡ଼ା ହୁଅଇ ।

ଏପରି ଦେଶପ୍ରତି ଲଵଣକର ଅଳପ ବଢ଼ିଲେ ସୁଧା ଅଧିକ ବାଧିଵାର କଥା ।

ଏଥର ଓଡ଼ିଶାର ନିମକ ମାହାଲ ବଙ୍ଗଳାରୁ ମାନ୍ଦ୍ରାଜକୁ ବଦଳି ହେବାରୁ ଏଠା ଲୁଣ ପ୍ରୋକ୍ତାନ ବନ୍ଦ ହୋଇ ଅନେକ ଲୋକଙ୍କର ରୋଜଗାର ବନ୍ଦ ହୋଇଅଛି ।
©ଉତ୍କଳ ଗୌରଵ ମଧୁସୂଦନ ଦାସ
  ●●●●●●●●●●●●●●●●●●●●●●●●●●●●●

   ◆◆◆◆ଭାଷଣ ସମ୍ବନ୍ଧରେ ଵିଶେଷ ଦ୍ରଷ୍ଟଵ୍ୟ◆◆◆◆

୧୮୮୮ରେ ପୂର୍ଵ ଭାରତରୁ ନିମକ ମାହାଲ ଉଠିଯାଇ ତାହା ମାନ୍ଦ୍ରାଜକୁ ମିଳିଥିଲା । ଏହାର ପ୍ରତିଵାଦରେ ସର୍ଵପ୍ରଥମେ ଓଡ଼ିଶାରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଲଵଣ ସତ୍ଯାଗ୍ରହର ବହୁପୂର୍ଵରୁ, ଗାନ୍ଧୀଙ୍କ ବହୁ ପୂର୍ଵରୁ ଓଡ଼ିଶାର ଜନସାଧାରଣ ପ୍ରଥମେ ଇଂରେଜ ସରକାରଙ୍କ ଵିପକ୍ଷରେ ଦ୍ଵେଷ ରହିତ ଶାନ୍ତିପୂର୍ଣ୍ଣ ପ୍ରତିଵାଦ ସଭା କରିଥିଲେ । ଏହି ସଭାରେ ଜନ ଅସନ୍ତୋଷ ନହେଉ ସେଥିପାଇଁ ଚତୁରତାର ସହ ଉତ୍କଳ ଗୌରଵ  ଇଂରେଜ ସରକାରଙ୍କ ପ୍ରଥମେ ପ୍ରଶଂସା କରୁଥିଲେ
ଯଥା—
“ଇଂ‌ରେଜ ରାଜ ଗରିଵଙ୍କର ବନ୍ଧୁ, ପ୍ରଜାଙ୍କୁ କଷ୍ଟ ଦେବା ତାହାଙ୍କର ଅଭିପ୍ରାୟ ନୁହେଁ”

“ଇଂରାଜ ଗଵର୍ଣ୍ଣମେଣ୍ଟ କେତେବେଳେ ପ୍ରଜାପୀଡ଼କ ନୁହନ୍ତି !”

କିନ୍ତୁ ତାପରେ ସେ ତଥ୍ୟ ସହ ଇଂରେଜ ସରକାର ଭାରତୀୟଙ୍କ ଉପରେ କେମିତି ଅଧିକ କର ବସେଇ ଶୋଷଣ କରୁଛି ତାହା ପ୍ରକାଶ କରିଛନ୍ତି ।
ଯଥା—
“ବିଲାତରେ ଵାର୍ଷିକ ହାରାହାରି ଆୟ
ଟ୩୦୦.୦୦ଙ୍କା ହୋଇଥିଵାଵେଳେ ଭାରତରେ ହାରାହାରି ଆୟ ଟ୨୦.୦୦ଙ୍କା କିନ୍ତୁ ଭାରତୀୟମାନେ ଟ୧୬.୦୦ଙ୍କା କର ଦେଉଥିଲାଵେଳେ ଇଂଲଣ୍ଡଵାସୀ ମାତ୍ର ଟ୮.୦୦ଙ୍କା ଦିଅନ୍ତି ।”

ଏଇ ତଥ୍ୟ ଦେଇ ଉତ୍କଳ ଗୌରଵ ପରୋକ୍ଷରେ ଇଂରେଜ ସରକାରଙ୍କୁ ପ୍ରଜାପୀଡ଼କ ପ୍ରମାଣିତ କରିଛନ୍ତି ।

ଉତ୍କଳ ଗୌରଵ ପ୍ରକୃତରେ ଭାରତ ଗୌରଵ ଅଟନ୍ତି । କିଛି ଉତ୍ତର ଭାରତୀୟ ମଧୁବାବୁଙ୍କୁ ଆଞ୍ଚଳିକ ନେତା ମନେ କରନ୍ତି । ଓଡ଼ିଶାର କେତେକ ଶିକ୍ଷିତ ସୀମାନ୍ତଵାସୀ ଅଞ୍ଚଳ—ଅଞ୍ଚଳ ମଧ୍ୟରେ ମିଛକଥା ପ୍ରେରଣକରି ଘୃଣା ଵୃଦ୍ଧି କରୁଛନ୍ତି କିନ୍ତୁ ତତ୍କାଳୀନ ଭାରତରେ ସବୁଠାରୁ ନିମ୍ନସ୍ତରରେ ଥିଵା, ବଙ୍ଗାଳୀ-ମରାଠୀ-ହିନ୍ଦିଆ-ତେଲେଙ୍ଗାଙ୍କ ଦ୍ଵାରା ୩୦୦ ଵର୍ଷ ଧରି ଶୋଷଣର ଶିକାର ହୋଇଥିଵା ଓଡ଼ିଆ ଜାତୀୟ ଲୋକଙ୍କ ଅଗ୍ରନେତା ମଧୁବାବୁ ମହାଭାରତୀୟ ଏକ ଜାତି ଓ ଭାଇ ବୋଲି ଭାଷଣ ଆରମ୍ଭରେ ଘୋଷଣା କରିଛନ୍ତି ।

■★★★★★★★★★★★★★★★★★■
(ଲଵଣକର ସମ୍ବନ୍ଧୀୟ ସଭା ଵିଷୟରେ ଵିଶଦ ଭାଵେ ଜାଣିଵାପାଇଁ ସୁରେନ୍ଦ୍ର ମହାନ୍ତିଙ୍କ ପୁସ୍ତକ “ଶତାବ୍ଦୀର ସୂର୍ଯ୍ୟ” ପାଠକରନ୍ତୁ)

Saturday, February 1, 2020

ରାଜଧାନିଆ ଷଣ୍ଢ

ଷଣ୍ଢ ଏକ ସ୍ଵାଭିମାନୀ ଜୀଵ । ତା ସମ୍ପୂର୍ଣ୍ଣ ଜୀଵନ ନାଚି ଖେଳି ଶିଙ୍ଘ ମରାମରିରେ କଟେ । ରାଜଧାନୀ ଭୂଵନେଶ୍ଵର ଅନାଦିକାଳରୁ ଷଣ୍ଢମାନଙ୍କର ଚରାଭୂଇଁ, ଲୀଳାଭୂଇଁ ରହିଆସିଛି । ଭାରତରେ ଭୂଵନେଶ୍ୱର ଵ୍ଯତୀତ ଅନ୍ୟ କୌଣସି ରାଜଧାନୀ ନାହିଁ ଯେଉଁଠି ଷଣ୍ଢମାନେ ସ୍ଵାଧୀନ ଵିଚରଣ କରିଥାଆନ୍ତି । ନିଶ୍ଚିତ ଭାଵେ ଏହା ସମଗ୍ର ଓଡ଼ିଶା ପାଇଁ ଗର୍ଵ ଓ ଗୌରଵର ଵିଷୟ ।

ତେଵେ ଓଡ଼ିଆ ଲୋକେ ନିଜର ସ୍ଵାଭିମାନକୁ ସର୍ଵଦା ହେୟ ଦୃଷ୍ଟିରେ ଦେଖନ୍ତି । ସେଇଥିପାଇଁ ତ ଏଠାକାର ନୃସଂଶ ପ୍ରଶାସନ ଷଣ୍ଢ ଭଳି ଏକ ସ୍ବାଭିମାନୀ ପ୍ରାଚୀନ ପ୍ରାଣୀକୁ ରାଜଧାନୀରୁ ତଡି଼ପାର କରିବାଦେଵାକୁ ଯୋଜନା କରିଛନ୍ତି । ତାହେଲେ ଏ ଵିଚରା ଷଣ୍ଢମାନେ କୁଆଡ଼େ ଯିଵେ ? କ'ଣ କଂସେଇ ହାତକୁ ଟେକିଦେବେନି ତ ସରକାର ?

ସରକାରଙ୍କୁ ଏ ସଂକ୍ରାନ୍ତରେ ପଚାରିଲେ କହୁଛନ୍ତି ଏ ଜୀଵଗୁଡା଼ ଆମର ଅନେକ କ୍ଷତି କଲେଣି । ବାଟରେ ଘାଟରେ ଗୁଣ୍ଡା ଭଳି ବୁଲୁଛନ୍ତି,ଯାହାକୁ ମନ ତାକୁ ଶିଙ୍ଘେଇ ଦେଉଛନ୍ତି ।  ଆଇନ୍ କାନୁନ୍ କ'ଣ ସେମାନେ କିଛି ବୁଝୁନାହାନ୍ତି  । ଗାଈମାନଙ୍କୁ ଲାଇନ୍ ମାରିଵା ହେଉ କି ଅଯଥା ବାଟ ଓଗାଳି ଯାନଵାହନ ଚଳାଚଳରେ ଵ୍ଯାଘାତ ଉତ୍ପନ୍ନ କରିଵା ହେଉ ସବୁଥିରେ ଏଇ ଷଣ୍ଢମାନଙ୍କୁ ଦୋଷ ଦିଅନ୍ତି ଗଡି଼ଆଲୋକେ । ଏଣେ ଷଣ୍ଢମାନଙ୍କର ଏଭଳି ପ୍ରକୃତିର ଅନୁକରଣ କରୁଛନ୍ତି ଆଜିର ରାଜଧାନିଆ ଯୁଵଗୋଷ୍ଠୀ ।

ଆଗେ ଆମ ରାଜଧାନୀର ଲୋକେ ବହୁତ ସରଳ ସୁନ୍ଦର ଥିଲେ ତାଙ୍କର କୋଉଠେ ବି ଗୋଟାଏ ‛କେଁ’ ନଥିଲା କିନ୍ତୁ ଯୋଉଦିନଠୁ ଏ ଗଡି଼ଆ ଷଣ୍ଢମାନେ ଉଦୁରୁମତା ହେଲେଣି ସେବେଠାରୁ ତାଙ୍କ ଦେଖାଦେଖି ଏଠାକାର ସ୍ଥାନୀୟ ଅଧିଵାସୀ ବି ସରକାରଙ୍କୁ ଶିଙ୍ଘେଇଵା ଶିଖିଗଲେଣି ।

ସେମାନେ ଶିଙ୍ଘେଇଵା ଦିନଠୁ ସରକାର ଆଉ ଅଣ୍ଟା ସଳଖି ଚାଲିପାରୁନାହାନ୍ତି । ତେଣୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।

ତେଵେ ଗାଈଙ୍କର ପ୍ରିୟତମମାନେ  କେଉଁ ଦେଶକୁ ଯିଵେ ?

ସରକାର କୁହନ୍ତି ଏଥିପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ହେଲା ଢେଙ୍କାନାଳ । ଢେଙ୍କାନାଳଟା ଏମିତି ଯାଗା ଯେ ସେଠାକୁ ଷଣ୍ଢମାନଙ୍କୁ ଛଡା଼ଗଲେ ସରକାରଙ୍କର କେହି ଵିରୋଧ କରିଵେ ନାହିଁ । ଢେଙ୍କାନାଳରେ ହାତୀ, ପାତିମାଙ୍କଡ଼ ଓ ହନୁମାଙ୍କଡ଼ ବହେ ଅଛନ୍ତି ଏଵଂ ସ୍ଥାନୀୟ ଲୋକେ ତାଙ୍କୁ ଆପଣେଇଲେଣି  ତେଣୁ ଆନ ଜୀଵ ଭଳି ଷଣ୍ଢମାନେ ବି ଏଠାରେ କଷ୍ଟେମଷ୍ଟେ ଚଳିଯିଵେ ।

ଢେଙ୍କାନାଳ ହିଁ କାହିଁକି ଓଡ଼ିଶାରେ ଆହୁରି କେତେ ଜିଲ୍ଲା ଅଛି , ଯେଉଁଠି ଇଛା ସେଇଠି ଛାଡି଼ପାରନ୍ତେ ?

ଢେଙ୍କାନାଳ ଭଳି ଅନ୍ୟ କୌଣସି ଜିଲ୍ଲା ଷଣ୍ଢମାନଙ୍କ ପାଇଁ ଉପଯୁକ୍ତ ନୁହେଁ । ଉତ୍ତର ଓଡ଼ିଶାରେ ଷଣ୍ଢମାନଙ୍କୁ ଛାଡି଼ଵା ନିରାପଦ ନୁହେଁ ।  ଯଦି ସେଠାକୁ ସେମାନେ ଯାଆନ୍ତି ତେଵେ ତାଙ୍କର ମାଉଁସମୁଢି଼ ଖାଇଵା ବଦଭ୍ଯାସ ହୋଇଯିଵ । ଗୋଟିଏ ନିରାମିଷାସି ଜୀଵକୁ ଆମେ କାହିଁକି ଆମିଷାସି କରିଵାକୁ ଯିଵା ? ପୁଣି ଉତ୍ତର ଓଡ଼ିଶା ଗଲେ କଦାଚ ସେମାନେ ସାହିତ୍ଯିକ କି ବୁଦ୍ଧିଜୀଵୀ ହୋଇଗଲେ ତ ରାଜଧାନୀକୁ ଆସି ଉଠେଇ ପକେଇ ଦେଵେ । ଏମିତି ଏମିତି ସାହିତ୍ୟ ଲେଖିଵେ ଯେ ସବୁ ଗାଈ ଗୋରୁ ଶିକ୍ଷିତ ହୋଇ ସରକାରଙ୍କର ଦୁର୍ଦ୍ଦଶା କରିପକେଇଵେ ।

ପଶ୍ଚିମ ଓଡ଼ିଶାରେ ନିର୍ଵାସିତ ଷଣ୍ଢମାନଙ୍କୁ ଛାଡି଼ଵା ପରମ ମୂର୍ଖତା ହେଵ । ପୂର୍ଵରୁ ଏ ଅଞ୍ଚଳରେ ଅନେକ ଵିଚ୍ଛିନ୍ନତାଵାଦୀ ଅଛନ୍ତି । ନିର୍ଵାସିତ ଷଣ୍ଢମାନେ ସେଠାକୁ ଗଲେ ତାଙ୍କ ସହିତ ମିଶି ସରକାରଙ୍କୁ ନଚେଇ ନଚେଇ ପ୍ରାଣ ନେଵେ । ନା ନା ଷଣ୍ଢମାନଙ୍କୁ ସେଭଳି କୌଣସି ମଉକା ଦେଵା ଅର୍ଥ ଆପଣା ହସ୍ତେ ଜିହ୍ଵା ଛେଦି କା ସଙ୍ଗେ ହେଵା ପ୍ରତିଵାଦୀ ଭଳି କଥା ହୋଇଯିଵ । 

ଆଉ ଦକ୍ଷିଣ ଓଡ଼ିଶାରେ ଷଣ୍ଢମାନଙ୍କୁ ଛାଡି଼ଦେଲେ କିୟଣ ଅସୁଵିଧା ହଵ କି ?

ଏହାର ଉତ୍ତରରେ ସରକାର କହିଲେ
ଆମେ ସେମିତି ଭୁଲ୍ କସ୍ମିନକାଳେ କରିବୁ ନାହିଁ । ଏ ନିର୍ଵାସିତ ଷଣ୍ଢମାନେ ଯଦି ଦକ୍ଷିଣ ଓଡ଼ିଶା ଚାଲିଯାଆନ୍ତି ତେଵେ ରାଜ୍ଯରେ ଗୋଟାଏ ଭୀଷଣ “ଷଣ୍ଢ ମହାଭାରତ” ସଂଘଟିତ ହୋଇଯିଵାର ସମ୍ଭାଵନା ରହିଛି । ଦକ୍ଷିଣ ଓଡ଼ିଶାର ଷଣ୍ଢମାନେ ଏଇ ରାଜଧାନିଆ ଷଣ୍ଢମାନଙ୍କଠାରୁ ଯହଗୁଣ ହୁରୁମା । ସେମାନେ ଏମାନଙ୍କ ସହ ମଲାଯାଏଁ ଶିଙ୍ଘ ଲଢେ଼ଇ କରିଵେ । ସେତେଵେଳେ ସରକାରଙ୍କୁ ସେମାନଙ୍କ ଝଗଡା଼ ରୋକିଵା ହେତୁ କର୍ଫ୍ୟୁ ଲଗେଇଵାକୁ ପଡି଼ପାରେ ।

ଢେଙ୍କାନାଳରେ ଏମନ୍ତ କିଛି ଅସଵିଧା ହେଲା ଭଳି ଅନୁଭୂତ ହେଉନାହିଁ । ଵିଗତ ଦୁଇ କି ତିନିଶତ ଵର୍ଷ ହେଵ ଢେଙ୍କାନାଳିଆମାନେ “ଢେଙ୍କାନାଳ ନିଜ କୀଳା ନିଜେ ସମ୍ଭାଳ” ନ୍ଯାୟରେ ସବୁ ସହିପାରିଵାର ଅପୂର୍ଵ କଳା ଵିକଶିତ କରିନେଇଛନ୍ତି ।

ଆମେ ଆଶାକରୁଛୁ ଯେ ସେଠାକାର ସରଳିଆ ଜନତାଙ୍କ ଭଳି ସ୍ଥାନୀୟ ଷଣ୍ଢମାନେ ବି ନୀରିହ ହୋଇଥିଵେ । ସେମାନେ ନିଶ୍ଚୟ ନିର୍ଵାସିତ ଷଣ୍ଢମାନଙ୍କୁ ଭାଇ ବନ୍ଧୁ ଭାଵି କୋଳେଇ ନେଵେ ଆଉ ନିଜ ଶିଙ୍ଘ ବଜେଇ ସେମାନଙ୍କର ଭଵ୍ଯ ସ୍ଵାଗତ କରିଵେ । 

ଦେଖନ୍ତୁ ଆମ ସରକାର ସାରା ଭାରତରେ ଏକମାତ୍ର ଏଵଂ କେଵଳ ଜନ ନୁହେଁ ଵରଂ ସର୍ଵଜୀଵ ହିତକାରୀ ସରକାରଟିଏ ।  ରାଜଧାନିଆ ଷଣ୍ଢମାନଙ୍କର ଓ ରାଜ୍ୟ ଜନତାଙ୍କ ମଙ୍ଗଳ ଚିନ୍ତାକରି ହିଁ ସେମାନଙ୍କୁ ଢେଙ୍କାନାଳରେ ଛଡା଼ଯାଉଛି ।

ତେଵେ ଆମ ୧ ନଂ ସରକାର ଯାହା କରନ୍ତୁ ନକରନ୍ତୁ ପଛେ କିନ୍ତୁ ଷଣ୍ଢମାନଙ୍କ ପାଇଁ ଏକଦା ଲୋକପ୍ରିୟ ଥିଵା ରାଜଧାନୀ ଭୂଵନେଶ୍ଵର ଵୃଷଭ ଵିହୀନ ହେଲେ ପୂର୍ଵେ ମୁକ୍ତିଲାଭ କରିଥିଵା ଗୋଟିଏ ଓଡ଼ିଆ ଡହରା ଗୀତ
“ଏଠି ଗାଈ ମାଳ ମାଳ ଷଣ୍ଢ ଦୁର୍ଵଳ” ମାଳିକା ଵଚନ ଭଳି ପ୍ରାମାଣିକ ଵାକ୍ଯ ହୋଇଯିଵ ନିଃସନ୍ଦେହ !!!