ଗୋଦବରୀ ତଟସ୍ଥ ରାମଚନ୍ଦ୍ରପୁର ତାଲୁକ୍ ରେ ଭୀମେଶ୍ବର ମନ୍ଦିର ଅବସ୍ଥିତ ।
ଭୀମେଶ୍ବରଙ୍କ ପ୍ରସାଦ ଲାଭକରି ତେଲୁଗୁ କବି ଭୀମ
ଖୁବ ପ୍ରସିଦ୍ଧି ଲାଭ କରିଥିଲେ ।
ଏକଦା ସେ କଳିଙ୍ଗରାଜ ଚୋଡ଼ଗଙ୍ଗଙ୍କ ଦର୍ଶନାର୍ଥେ
ତ୍ରୀକଳିଙ୍ଗ ଦେଶ ଆସିଥାନ୍ତି ।
କିନ୍ତୁ ଚୋଡ଼ଗଙ୍ଗ ତାଙ୍କୁ ସାଧାରଣ ବ୍ଯକ୍ତି ମନେ କରି ଦେଖାକରିବାକୁ ମନା କରିଦେଲେ ......
କବି ମହାଶୟ କ୍ରୋଧାନ୍ଧ ହୋଇ ରାଜାଙ୍କୁ ଅଭିଷାପ ଦେଲେ
****ହେ ଗଙ୍ଗରାଜ୍ ଯେଉଁ ଧନ ଯୋଗୁଁ ତୁମ୍ଭେ ନିଜକୁ ଶ୍ରେଷ୍ଠ ଭାବୁଅଛ ତାହା ମାତ୍ର 32 ଦିନ ମଧ୍ଯରେ ତୁମ ଶତୃହାତକୁ ଚାଲିଯିବ.....****
ଅଭିଶାପ ଦେବାପରେ
ଭୀମକବି ବେଲମଵାଡ଼ ଚଳିଗଲେ ।
ଯୋଗାନୁଯୋଗ ଚୋଡ଼ଗଙ୍ଗଙ୍କ ପରମ ଶତୃ ସଜ୍ଜନଗଡ଼ର ରାଜା କଳିଙ୍ଗନଗରଉପରେ ଆକ୍ରମଣ କରିଦେଲେ ।
ଏଭଳି ଆତର୍କିତ ଆକ୍ରମଣ ର ସାମ୍ନା ନକରିପାରି ଚୋଡ଼ଗଙ୍ଗ ରାଜଧାନୀ ଛାଡି଼ଦେଇ ପଳାୟନ କଲେ ।
ଚୋଡ଼ଗଙ୍ଗଙ୍କ ଜଣେ ପ୍ରତିପକ୍ଷକୁ ସିଂହାସନରେ ବସାଇ ଦିଆଗଲା ।
ଏଣେ ଚୋଡ଼ଗଙ୍ଗ ଶୋଚନୀୟ ପରାଜୟପରେ ରାଜଧାନୀରୁ ଦୂରକୁ ଅନ୍ଯ ଏକ ସ୍ଥାନକୁ ଚାଲି ଆସିଲେ ।
ଅନ୍ଧକାର ରାତି ଜଙ୍ଗଲରେ ବ୍ଯାଘ୍ର ଶ୍ବାନ ଶୃଗାଳଙ୍କ ରଡି଼ ମଧ୍ୟରେ
ଚୋଡ଼ଗଙ୍ଗ ଏକାକୀ ଚାଲିଯାଉଥିଲାବେଳେ ହଟାତ୍ ତାଙ୍କ ପାଦ ଖସିଗଲା ।
ଭାରସାମ୍ଯ ହରାଇ ଗଙ୍ଗରାଜ ଏକ ପଙ୍କ କର୍ଦ୍ଦମାକ୍ତ ନାଳରେ ପଡି଼ଗଲେ ।
ଆଉ କାଦୁଅରୁ ବାହାରି ପାରୁନଥାନ୍ତି ଚୋଡ଼ଗଙ୍ଗ ....
କେତେକାଳ ପରେ ସେଇ ବାଟ ଦେଇଏକ ସବାରୀ ଯାଉଥିବାର ଦେଖି ଚୋଡ଼ଗଙ୍ଗ ଯୋର ଯୋର ରେ ଚିତ୍କାର କଲେ ।
ସବାରୀ ବାହକ-କାନ୍ଧିଆ ମାନେ ଦୌଡି଼ ଆସି ଚୋଡ଼ଗଙ୍ଗଙ୍କୁ ପଙ୍କୁଆ ଦଲଦଲିଆରୁ ଉଦ୍ଧାର କଲେ ।
ଚୋଡ଼ଗଙ୍ଗ ଟିକେ ସୁସ୍ଥ ହେଲାରୁ ସବାରୀ ମଧ୍ୟେ ବସିଥିବା ବ୍ଯକ୍ତିଜଣକ ତାଙ୍କୁ ତାଙ୍କ ଗାଁ ଘର ଠିକଣା ପୁଚ୍ଛିଲେ ।
ରାଜା ବିଶେଷ କଥା ଲୁଚାଇ କେବଳ ଏତିକି କହିଲେମୁଁ କଳିଙ୍ଗନଗରରେ ରୁହେସେଠାରେ ଦିନେ ଭୀମକବି ମୋତେ ଦେଖା କରିବାକୁ ଆସିଥିଲେ ।
କିନ୍ତୁ କାର୍ଯ୍ଯରେ ବ୍ଯସ୍ତ ରହି ମୁଁ ତାଙ୍କ ସହ ଦେଖାକରିବାକୁ ପ୍ରତ୍ଯାଖ୍ଯାନ କରିଦେଇଥିଲି ।କବି ମୋତେ ଅଭିଷାପ ଦେଲାରୁ ମୁଁ ଶ୍ରୀହୀନ ହୋଇଗଲି ।
ସବାରୀରେ ବସିଥିବା ଲୋକ ଜଣକ ହସିଲେ ।
ସେ ହିଁ ଭୀମକବି ଜାଣି
ଚୋଡ଼ଗଙ୍ଗ ତାଙ୍କୁ କ୍ଷମା ପ୍ରାଥନା କରନ୍ତେ
ଦୟାର୍ତ୍ତ ହୃଦୟ କବି ତାଙ୍କୁ
ମୀନ ମାସ ଷଷ୍ଠୀ ତିଥୀରେ ରାଜ୍ଯ ପୁନଃ ପ୍ରାପ୍ତି ହେତୁ ଆଶିର୍ବାଦ ଦେଲେ ।
ତା ପରେ ତାଙ୍କ ସହ ଆସିଥିବା ଏକ ହଜାର ହସ୍ତୀ ଶତ ସହସ୍ରାଧିକ ଘୋଟକଯୁକ୍ତ ଦକ୍ଷିଣୀ ସେନାକୁ ଭୀମକବି ଚୋଡ଼ଗଙ୍ଗ ଙ୍କୁ ପ୍ରଦାନ କଲେ ।
ଏଣେ କଳିଙ୍ଗ ନଗରରେ ନୂଆ ରାଜାଙ୍କ ପଟ୍ଟାଭିଷେକ ଉତ୍ସବର ଆୟୋଜନ ମହା ସମାରୋହରେ ପାଳିତ ହେଉଥିଲା ।
ଏହି ଉତ୍ସବରେ ଭାଗନେବା ପାଇଁ ଦକ୍ଷିଣ ଦେଶରୁ ଏକ କୁଚିପୁଡି଼ ଭାଗବତ ନାଟ୍ଯଦଳ କଳିଙ୍ଗ ନଗର ଯାଉଥିଲା ।
ବାଟରେ ସେହି ଯାତ୍ରାଦଳର ସମସ୍ତ ବାଦ୍ଯଯନ୍ତ୍ର ଧରିଥିବା ବ୍ଯକ୍ତିଟି ସ୍ବାସ୍ଥ୍ୟହାନୀ କାରଣରୁ ମରିଗଲା ।
ଯାତ୍ରାଦଳ ସେଇଭଳି ଏକ ଲୋକ ଦରକାର କରୁଥିଲେ ।
ଏମିତିରେ ଯାତ୍ରାଦଳର ଲୋକେ ପରିତ୍ଯକ୍ତ ରାଜା ଚୋଡ଼ଗଙ୍ଗଙ୍କୁ ଏକ ସ୍ଥାନରେ ଦେଖିବାକୁ ପାଇଲେ ।
ସେମାନେ ଫଟା ମଇଳା କପଡା଼ ପରିହିତ ଚୋଡ଼ଗଙ୍ଗଙ୍କୁ ଜଣେ ଅତି ସାଧାରଣ ଗ୍ରାମବାସୀ ମନେ କଲେ ।
ତେଣୁ ଯାତ୍ରାଦଳର ଲୋକେ
ଖାଦ୍ଯ ବସ୍ତ୍ର ଏବଂ କିଛି ଅର୍ଥ ବଦଳରେ ସମସ୍ତ ବାଦ୍ଯଯନ୍ତ୍ର ଧରି କଳିଙ୍ଗ ଦେଶ ଯାଏଁ ସେମାନଙ୍କ ସହଯିବା ପାଇଁ ଚୋଡ଼ଗଙ୍ଗଙ୍କୁ ଅନୁରୋଧ କଲେ । ଚୋଡ଼ଗଙ୍ଗ ଏଇଭଳି ଏକ ସୁଯୋଗରେ ଥିଲେ ।
ନିଜ ଦକ୍ଷିଣୀ ସେନାକୁ ତାଙ୍କ ପଛରେ କଳିଙ୍ଗ ଦେଶ ଆସିବାକୁ ନିର୍ଦ୍ଦେଶ ଦେଇ ସ୍ବୟଂ ବେଶ ବଦଳାଇ ଯାତ୍ରା ଦଳ ସହ କଳିଙ୍ଗ ଦେଶ ଗଲେ ।
ନୂତନ ରାଜା ସେମାନଙ୍କ ରହିବା ବ୍ଯବସ୍ଥା କଲେ ।
ସ୍ଥିରହେଲା ଯେ ଭାଗବତ ଦଳ ଯେପରି ଭାବରେ ନୂତନ ରାଜା ଚୋଡ଼ଗଙ୍ଗଙ୍କ
ପରାଜୟ ପରେ ସିଂହାସନ ଅଧିକାର କଲେ ତାହାର ନାଟ୍ଯ ରୂପ ମଞ୍ଚାରେ ପଦର୍ଶନ କରିବେ ।
ଏହା ରାଜାଙ୍କ ନିର୍ଦ୍ଦଶରେ ଅଭିନୀତ ହେବ ।ସେଥିପାଇଁ ଯାତ୍ରାଦଳ କିଛିଦିନ ସମୟ ନେଲେ ।ସେହି ସମୟ ମଧ୍ୟରେ ନାଟ୍ଯାଭ୍ଯାସ କଲା ପରେ ଯାତ୍ରାଦଳ ଅଭିନୟ ପାଇଁ ପ୍ରସ୍ତୁତ ବୋଲି ନୂଆରାଜାଙ୍କୁ ଜଣାଇ ଜଣାଇଦେଲା ।
ନାଟ୍ଯକୁ ଜୀବନ୍ତ କରିବା ପାଇଁ ପୂର୍ବ କଳିଙ୍ଗରାଜ ଚୋଡ଼ଗଙ୍ଗଙ୍କ ଖଡ୍ଗ ଅସ୍ତ୍ର ବସ୍ତ୍ର ସବୁ ନୂଆରାଜାଙ୍କ ପାଖରୁ ଅଣାହେଲା । ବହୁ ବିବେଚନା ପରେ
ଛଦ୍ମରୂପେ ଯାତ୍ରାଦଳ ମଧ୍ୟେ ଥିବା ଚୋଡ଼ଗଙ୍ଗଙ୍କୁ ପୁରୁଣା ରାଜାଙ୍କ ଭୂମିକାରେ ଅଭିନୟ କରିବା ହେତୁ ଚ଼ୟନ କରାଗଲା ।
ଏହାର କାରଣ ସେ ଜଣେ ସାହାସୀ ବୀର ଭଳି ଜଣା ପଡୁ଼ଥିଲେ ଏବଂ ତାଙ୍କୁ ଗୀତ ଗାଇବା ଜଣାଥିଲା ।
ନିର୍ଦ୍ଧିଷ୍ଟ ଦିନ ନାଟ୍ଯାଭିନୟର ଆୟୋଜନ ହେଲା ।
ନୂଆ ରାଜା ତାଙ୍କ ପରିଜନ ଏବଂ ପାତ୍ର ମନ୍ତ୍ରୀ
ତଥା ରାଜ୍ଯର ଅଗ୍ରଗଣ୍ଯ ବ୍ଯକ୍ତି ଦର୍ଶକ ଗୃହର ଆଗରେ ବସି ନାଟକ ଦେଖିବାକୁ ଅପେକ୍ଷା କରିଥାନ୍ତି ।
ତାଙ୍କ ପଛକୁ ଜନସାଧାରଣ ବସିଥାନ୍ତି ।
ଲୋକଙ୍କ ମନରେ ତାଙ୍କ ପୁରୁଣା ରାଜାଙ୍କ ଚରିତ ଅଭିନୟ ଦ୍ବାରା ପରିବେଷଣ କରିବାକୁ ଯାଉଥିବା ବ୍ଯକ୍ତି କୁ ଦେଖିବାକୁ ଉତ୍କଣ୍ଠା କ୍ଷଣାକ୍ଷଣେ ବଢି଼ବାରେ ଲାଗିଥାଏ ।
ମଞ୍ଚରୁ ପରଦା ହଟିଲା ,ନାଟକାରମ୍ଭ ହୋଇଗଲା ।
କେତେକ ସାଂସ୍କୃତିକ ନୃତ୍ଯ ଆଦିର ପରିବେଷଣ ପରେ ଚୋଡ଼ଗଙ୍ଗ ଙ୍କ ଚିରିତ୍ର ଅଭିନୟ ପାଳି ପଡିଲା....
ମଞ୍ଚରେ ଚୋଡଗଙ୍ଗ ନିଜର ରାଜସିକ ବସ୍ତ୍ରାଭୂଷଣ ତଥା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ
ହଟାତ୍ ଆସି ଉଭା ହେଲେ ।
ଲୋକେ ଭାବିଲେ ସେମାନେ ପ୍ରକୃତ ରାଜାଙ୍କୁ ଦେଖିବାକୁ ପାଇଲେ ।
ନୂଆ ରାଜା ଏବଂ ତାଙ୍କ ମନ୍ତ୍ରୀ ମାନେ ଚିନ୍ତିତ ହୋଇଗଲେ ।
ମଞ୍ଚରେ ଚୋଡ଼ଗଙ୍ଗ ଅଦଭୂତ ଖଡ୍ଗ ଚାଳନା ପୂର୍ବକ ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।
ତତ୍ ପରେ ସେ ଦର୍ଶକ କକ୍ଷକୁ ଡେଇଁ ପଡି଼ ନୂଆ ରାଜାଙ୍କ ସମ୍ମୁଖରେ ଅସ୍ତ୍ର ଚାଳନା କରୁ କରୁ ହଟାତ୍
ରାଜାଙ୍କ ମୁଣ୍ଡ଼ରୁ ଗଣ୍ଡି ଅଲଗା କରିଦେଲେ ।
ଦର୍ଶକ ଗୃହ ସ୍ତବ୍ଧ !!!!
ନୂଆରାଜାଙ୍କ ରକ୍ଷକ ଧାଇଁ ଆସିଲେ
ଚୋଡ଼ଗଙ୍ଗ ସେମାନଙ୍କୁ ନିହତ କରି ଯାଇ ରାଜସିଂହାସନ ଅକ୍ତିଆର କଲେ ।
କିଛିଦିନ ପରେ ଚୋଡ଼ଗଙ୍ଗଙ୍କ ମୂଳ ଶତୃ
ସଜ୍ଜନଗଡ଼ ରାଜା କଳିଙ୍ଗ ଆକ୍ରମଣ କଲେ ।
ଭୀଷଣ ଯୁଦ୍ଧ ହେଲା । ଶେଷରେ ସଜ୍ଜନଗଡ଼ ପରାଜିତ ହୋଇ କଳିଙ୍ଗର କରଦ ରାଜ୍ଯରେ ପରିଣତ ହେଲା ।
●●●●●●●●●●●●●●●●
【(ଚୋଡ଼ଗଙ୍ଗଙ୍କୁ ନେଇ ତେଲୁଗୁ ଅଞ୍ଚଳରେ ପ୍ରଚଳିତ କିମ୍ବଦନ୍ତୀ......)
ମାଦଳାପାଞ୍ଜୀ ଏବଂ ଗଙ୍ଗବଂଶାବଳୀ ଚରିତ ଆଦି ରେ ଚୋଡ଼ଗଙ୍ଗ ନଟ ବେଶରେ ଅପ୍ରତ୍ଯାଶିତ ଭାବେ ଉତ୍କଳ ଅଧିକାର କରିଥିବା କଥା କୁହାଯାଏ )】●●●●●●●●●●●●●●●●
No comments:
Post a Comment