Sunday, June 30, 2019

ଛାମୁ ଓ ଶ୍ରୀଜଗନ୍ନାଥ


ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ଆମେ ‘ମଣିମା’ ଓ ‘ଛାମୁ’ କହିଥାନ୍ତି । କଳିଙ୍ଗରେ ଆଗେ ରାଜାଙ୍କୁ ମଧ୍ୟ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରାଯାଉଥିଲା ।




 ଯଥାର୍ଥରେ ଶ୍ରୀଜଗନ୍ନାଥ ସବୁ ସନାତନୀ କ୍ଷେତ୍ର ମଧ୍ୟରେ ରାଜା ଅଟନ୍ତି କାରଣ ତାଙ୍କର ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି ରାଜୋଚ୍ଚିତ ହୋଇଥାଏ । ସେ ଜଣେ ରାଜାଙ୍କ ପରି ଷାଠିଏ ପଉଠି ଭୋଗ ଗ୍ରହଣ କରନ୍ତି ଓ ତାଙ୍କ ଭୋଗ ଵିଶ୍ଵଯାକର ଜୀଵ ଜାତି ଭେଦ ପାତରଅନ୍ତର ଭୁଲି ଗ୍ରହଣ କରନ୍ତି ।







ତେଵେ ଆଗେ ଏକ ଵିଶେଷଣ ଶବ୍ଦ ଭାଵେ ଛାମୁ ଶବ୍ଦଟି ଶିଷ୍ଯ ଗୁରୁଙ୍କୁ କିମ୍ବା ପ୍ରଜା ରାଜଙ୍କୁ ଉତ୍ତର କରିବାରେ ପ୍ରୟୋଜ୍ଯ ଅତ୍ଯୟ ହୋଇ ମଧ୍ୟ ଵ୍ଯଵହୃତ ହେଉଥିଲା ଏଵଂ ତାହା ଆଜ୍ଞା; ଅବଧାନ; ହୁଁ ଆଦି ଭଳି ଵ୍ଯଵହାର ହେଉଥିଲା ।






ଏହି ଶବ୍ଦ ଵ୍ଯଵହାର କରି ସମ୍ମାନ ପ୍ରଦର୍ଶନ କରାଯାଉଥିଵାରୁ ଓଡ଼ିଆରେ ନମସ୍କାର କରିଵା ଅର୍ଥରେ “ଛାମୁ କରିଵା” ଓଡ଼ିଆ କ୍ରିୟା ଵ୍ଯଵହୃତ ହେଉଥିଲା ।






ଓଡ଼ିଆ ଭାଷାରେ ଵ୍ଯଵହୃତ ଏହି
ଛାମୁ ଶବ୍ଦଟି ଶାସ୍ତ୍ରୀୟ  ସମ୍ମୁଖ ଓ ଦେଶଜ ସମୁଖ ତଥା ସାମନା ସହିତ ସମଦ୍ଧୃତ ।
ଦେଶଜ ଛାମୁ ଶବ୍ଦଟି ଏକ ଵିଶେଷ୍ଯ ଭାଵେ ନିମ୍ନଲିଖିତ ଅର୍ଥରେ ଵ୍ଯଵହୃତ ହୋଇଥାଏ

🚩ସମ୍ମୁଖ
ଏହି ଅର୍ଥକୁ ଆଧାର କରି ଅନେକ ଵିଶେଷଣ ଶବ୍ଦ ସୃଷ୍ଟି ହୋଇଛି ଯଥା:-
💠ଛାମୁଦାନ୍ତ—ସମ୍ମୁଖସ୍ଥ ଦନ୍ତ
💠ଛାମୁ ଖୁଣ୍ଟିଆ ଇତ୍ୟାଦି—ଯେଉଁ ସେଵକ ରାଜା ଵା ଦେଵତାଙ୍କ ସମ୍ମୁଖରେ ସେଵାକରେ
💠ଛୁନ୍ଦାର୍— ଶବ୍ଦଟି ଛାମୁ ସହିତ ଦ୍ବାର ଶବ୍ଦ ମିଶି ପୁଣି ତାହା ଅପଭ୍ରଂଶ ହୋଇ ଏ ଶବ୍ଦ ସୃଷ୍ଟି ହୋଇଅଛି । ଏହାର ସମଦ୍ଧୃତ ପ୍ରତିଶବ୍ଦ ଛାମୁଦୁଆର ଓ ଛୋଁଦାର ଇତ୍ୟାଦି ।

🚩ନୈକଟ୍ଯ
ଏହି ଅର୍ଥକୁ ଆଧାର କରି ‘ରାଜାଙ୍କ ଛାମୁ’
ପଦ ଵ୍ଯଵହୃତ ହେଉଥିଲା । (ଉଦା—ରଜାଙ୍କ ଛାମୁରେ ମୁଁ ଗୁହାରି କରିବି)

🚩(୩ୟ ପୁରୁଷ) ରାଜା ବା ସମ୍ମାନାର୍ହ ଵ୍ଯକ୍ତିଙ୍କ ସମୀପ, ସାନ୍ନିଧ୍ଯ; ହଜୁର
(ଉଦା—ମୁଁ ଆଜି ରଜାଙ୍କ ଛାମୁକୁ ଯାଇଥିଲି)

🚩ଦେବତାଙ୍କ ସାନ୍ନିଧ୍ଯ ଵା ସାମ୍ମୁଖ୍ଯ
(ଉଦା—କୋଠ ଭୋଗ ଦେଵତାଙ୍କ ଛାମୁରେ ବଢ଼ା ହୁଏ।)





ଭାରତରେ ଅନେକ ତୀର୍ଥ,ପୀଠ ଦେଵାଦେଵୀ ଅଛନ୍ତି କିନ୍ତୁ ତନ୍ମଧ୍ୟରେ ଶ୍ରୀଜଗନ୍ନାଥ ହିଁ କେଵଳ ରାଜା ଅଟନ୍ତି ‌। କଳିଙ୍ଗରେ ଅନେକ ଶାସକ ଵିଭିନ୍ନ ସମୟରେ ଶାସନ କରିସାରିଛନ୍ତି କିନ୍ତୁ ଏ ଦେଶର ପ୍ରକୃତ ଶାସକ ଓ ପ୍ରଥମ ଖଣ୍ଡାୟତ ଶ୍ରୀଜଗନ୍ନାଥ ଅଟନ୍ତି ।






 କେଵଳ ଭାରତ କାହିଁକି ସାରା ଵିଶ୍ଵରେ ସେ ଏକମାତ୍ର ଦେଵତା ଯାହାଙ୍କର ଆଚାର ଵିଚାର ସବୁ ରାଜାଙ୍କ ଭଳି ହୋଇଥାଏ । ଛାମୁ ଶବ୍ଦଟି ସେହି ରାଜୋଚ୍ଚିତ ରୀତିନୀତିର ଅନ୍ଯତମ ଉପାଦାନ ଏଵଂ ଆମ ମହାନ ସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ ।




Friday, June 28, 2019

ମୁନିଆଁ ପକ୍ଷୀ

ଭାରତରେ ମୁନିଆଁ ଜାତୀୟ ପକ୍ଷୀ ପ୍ରଜାତି ବୋଧହୁଏ ସବୁଠାରୁ ସୁନ୍ଦର ପକ୍ଷୀ ପ୍ରଜାତି। 

ରାଧାନାଥ ରାୟ ତାଙ୍କ ‘ଯଯାତି କେଶରୀ’ କାଵ୍ଯରେ ମୁନିଆଁ ଶବ୍ଦଟି ଵ୍ଯଵହାର କରି ଲେଖିଛନ୍ତି 

“ସାରୀ, ଶୁଆ, ଶ୍ଯାମା, ତୁତି, ଚଷାପୁଅ, ଦୟାଳୁ ପୁଣି ମନିଆ।”


ମୁନିଆଁ ଜାତୀୟ ପକ୍ଷୀମାନେ ଦେଖିଵାକୁ ବାୟା ଚଢ଼େଇ ପରି ଏଵଂ ଏମାନଙ୍କ ଲାଙ୍ଗୁଡ଼ର ଅଗ ଗୋଲ । ଏମାନେ ନାନା ଜାତିର ଓ ନାନା ରଙ୍ଗର ହୁଅନ୍ତି,ବେଗରେ ଉଡ଼ି ପାରନ୍ତି ଓ ଦଳବଦ୍ଧ ହୋଇ ଉଡ଼ନ୍ତି ।






ଏମାନେ ଦେଖିବାକୁ ସୁନ୍ଦର ଥିଵାରୁ ଆଗେ ଲୋକେ ସଉକିରେ ଏହାଙ୍କୁ ପାଳୁଥିଲେ ।  ଏମାନେ ସୁମଧୁର ସିଟ ମାରନ୍ତି। ମୁନିଆ ଚଢେ଼ଇ ନାନା ପ୍ରକାରର ଅଛନ୍ତି ଏଵଂ ଓଡ଼ିଶାରେ ଏମାନଙ୍କ ଭିନ୍ନ ଭିନ୍ନ ନାମକରଣ ବି ହୋଇଛି 

ଯଥା

✓ଶରମୁନିଆ—ଏମାନେ ପାଞ୍ଚରୁ ଛଅ ଆଙ୍ଗୁଳି ଦୀର୍ଘ

✓ତିଲିଆ ମୁନିଆ—ଶରମୁନିଆଠାରୁ ବଡ଼ ଓ ଧୂମ୍ରଵର୍ଣ୍ଣ ଵିଶିଷ୍ଟ

✓ନାଲି ଵା ଲାଲମୁନିଆ—ଦେହ ରକ୍ତ ଵର୍ଣ୍ଣ; କିନ୍ତୁ ଉଦର କୃଷ୍ଣ ଵର୍ଣ୍ଣ


ତେଵେ ଏହି ପକ୍ଷୀ ନାନା ଜାତୀୟ ମିଳିଯାନ୍ତି । ନିମ୍ନରେ ମୁନିଆଁ ପ୍ରଜାତିର କେତେକ ମୁଖ୍ୟ ପକ୍ଷୀଜାତିମାନଙ୍କ ଵୈଜ୍ଞାନିକ ନାମୋଲ୍ଲେଖ କରାଗଲା ...


✓ପିତ୍ତଳଵର୍ଣ୍ଣା ମୁନିଆଁ(Lonchura cucullata)


✓କୃଷ୍ଣ ଧଵଳ ମୁନିଆଁ(Lonchura bicolor)


✓ରକ୍ତ ପୃଚ୍ଛ ମୁନିଆଁ(Lonchura nigriceps)


✓ମାଗ୍’ପି ମୁନିଆଁ(Lonchura fringilloides)a


✓ଧଵଳ ଵର୍ଣ୍ଣ ମୁନିଆଁ(Lonchura striata)


✓ଜାଭାନିଜ୍ ମୁନିଆଁ (Lonchura leucogastroides)


✓କଳା ମୁନିଆଁ ଵା Dusky munia(Lonchura fuscans)


✓କୃଷ୍ଣମୁଖ ମୁନିଆଁ(Lonchura molucca)


✓ଜୀତ ମୁନିଆଁ(Lonchura punctulata)


✓କୃଷ୍ଣଗଳା ମୁନିଆଁ (Lonchura kelaarti)


✓ଶୁଭ୍ର ଉଦର ମୁନିଆଁ (Lonchura leucogastra)


✓ରେଖା ମସ୍ତକ ମୁନିଆଁ(Lonchura tristissima)


✓ଶୁଭ୍ର ପଟ୍ଟକ ମୁନିଆଁ(Lonchura leucosticta)


✓ପାଞ୍ଚ ରଙ୍ଗିଆ ମୁନିଆଁ(Lonchura quinticolor)


✓ତିନି ରଙ୍ଗିଆ ମୁନିଆଁ(Lonchura malacca)


✓ଶୁଭ୍ରାଚ୍ଛାଦକ ମୁନିଆଁ(Lonchura ferruginosa)


✓ଅକ୍ଷୋଟକ ମୁନିଆଁ( Lonchura atricapilla)


✓ଧଳାମୁଣ୍ଡିଆ ମୁନିଆଁ( Lonchura maja)


✓ଫିକାମୁଣ୍ଡିଆ ମୁନିଆଁ (Lonchura pallida)


✓ବଡ଼ ଥଣ୍ଟୁଆ ମୁନିଆଁ(Lonchura grandis)


✓ଧୂସର ପଟ୍ଟକ ମୁନିଆଁ(Lonchura vana)


✓ଧୂସର ମସ୍ତକ ମୁନିଆଁ(Lonchura caniceps)


✓ଧୂସର ଶିଖର ମୁନିଆଁ(Lonchura nevermanni)


✓ଶିରୋଵେଷ୍ଟକ ମୁନିଆଁ(Lonchura spectabilis)


✓ଫୋର୍ଵସଙ୍କ ମୁନିଆଁ (Lonchura forbesi)


✓ହନଷ୍ଟୈନଙ୍କ ମୁନିଆଁ(Lonchura hunsteini)


✓ହଳଦୀ ରଙ୍ଗିଆ ମୁନିଆଁ (Lonchura flaviprymna)


✓ଜୀତଛାତି ମୁନିଆଁ (Lonchura castaneothorax)


✓କୃଷ୍ଣଵର୍ଣ୍ଣା ମୁନିଆଁ(Lonchura stygia)


✓କଳାଛାତିଆ ମୁନିଆଁ(Lonchura teerinki)


✓Eastern alpine mannikin, Lonchura monticola


✓ପୂର୍ଵୀ ଉଚ୍ଚ ପାହାଡି଼ଆ ମୁନିଆଁ(Lonchura montana)


✓ବାଦାମୀ ପେଟ ମୁନିଆଁ(Lonchura melaena)


✓ଟିମୋର ଶୁକ(Lonchura fuscata)


✓ଜାଭା ଶୁକ(Lonchura oryzivora)




ସଂସ୍କୃତ ମୋଣ ଶବ୍ଦ ସହିତ ମୁନିଆଁ ଶବ୍ଦଟି ସମଦ୍ଧୃତ ଅଟେ । ମୋଣ ଶବ୍ଦର ଅର୍ଥ ସାପର ପେଡ଼ା । ଆଗେ ଏ ପକ୍ଷୀମାନଙ୍କୁ ଲୋକେ ପେଡ଼ାରେ ବା ପଞ୍ଜୁରିରେ ପାଳୁଥିଲେ ବୋଲି ଏଭଳି ନାମକରଣ ହୋଇଅଛି । ଇଂରାଜୀ ଭାଷାରେ ମଧ୍ୟ ମୁନିଆଁ ଶବ୍ଦଟି ଯାଇ “Munia” ହୋଇ ଚଳୁଅଛି । ଏହି ପ୍ରଜାତିର ଵୈଜ୍ଞାନିକ ନାମ ରଖା ହୋଇଛି ‘Lonchura’ ଏଵଂ ଏହା  estrildid finch ପକ୍ଷୀ ପରିଵାର ଅନ୍ତର୍ଗତ ଏକ ପକ୍ଷୀ ପ୍ରଜାତି ଅଟେ । ମୁନିଆଁ ଛଡ଼ା ଇଂରାଜୀରେ ଏ ପକ୍ଷୀକୁ mannikins ଓ silverbills ମଧ୍ୟ କୁହାଯାଏ । ଏହି ପକ୍ଷୀ ପ୍ରଜାତିର ପକ୍ଷୀଜାତିମାନେସଆଫ୍ରିକା,ଏସିଆ ଓ ଅଷ୍ଟ୍ରେଲିଆରେ ଵିଶେଷ ଭାଵେ ମିଳିଥାନ୍ତି । 

Thursday, June 27, 2019

ଶ୍ରୀମନ୍ଦିରରେ ଵ୍ଯଵହୃତ କେତେକ ନିଆରା ଓଡ଼ିଆ ଶବ୍ଦ


✓ଅଖଣ୍ଡ(ଦୀପ)—ଦିନରାତି ନିରଵଚ୍ଛିନ୍ନ ଭାଵରେ ଜଳୁଥିଵା ପ୍ରଦୀପ; କାର୍ତ୍ତିକ ମାସରେ ଏହା ଜଳାଯାଏ ।

✓ଅଙ୍ଗିଲା—ନିଜସ୍ୱ(ତୁଳନା—ଗୁଜରାଟୀରେ ଵ୍ଯକ୍ତିଗତ ଅର୍ଥରେ ଵ୍ଯଵହୃତ ହୁଏ “ଅଙ୍ଗତ୍” ଶବ୍ଦ),ଅଙ୍ଗଲଗା

✓ଅଣସର ପିଣ୍ଡି— ଭିତରକାଠ ଠାରୁ କଳାହାଟ ଦ୍ୱାରକୁ ଲାଗି ପଥରର ପିଣ୍ଡି

✓ଅଧିଵାସ- ଶୁଭ କାର୍ଯ୍ୟରେ ପୂର୍ଵ ଦିନ ହେଉଥିଵା କର୍ମ

✓ଅପସର- ପିଠି ମୁଚୁଳା ତକିଆ ଵା ମାଣ୍ଡି

✓ଅମୋଣିଆ- ମଣୋହି ହୋଇ ନଥିଵା ଭୋଗଦ୍ରଵ୍ଯ

✓ଆଲଟ- ଏକ ପ୍ରକାର ବଡ଼ପଙ୍ଖା। (ସହଚର ଶବ୍ଦ:-ଆଲଟ ଚାମର)

✓ଉତୁରୀ- ଉତ୍ତରୀୟ

✓ଉପଚାର ସେଵକ- ଅନୁମତିପ୍ରାପ୍ତ (ଛତିଶା ନିଯୋଗ ଅନ୍ତର୍ଭୁକ୍ତ ନୁହେଁ) ଚାମର ସେଵକ

✓ଉଲାଗି- ଵେଶ ପୋଷାକ, ମାଳଚୂଳ ଆଦି ବାହାର କରାଯିଵା

✓ଉଲ୍ଲାଖ- କନା

✓ଏକା ଏକ ସେଵକ- ଏକା ଏକା ସେଵା କରୁଥିଵା ସେଵକ

✓ଉଡ଼ିଅାଣି- କଟି ମେଖଳା

✓ଓଲାର- ଏକ ପ୍ରକାରର ଛତ୍ର ଵା ଛତା

✓ଓଷୁଅ—ଝୁଣା, ରାଶିତେଲ ଓ ପାଣିରେ ପ୍ରସ୍ତୁତ ଏକ ପ୍ରକାର ଲେପ ଵା ମଲମ(ସଂ—ଔଷଧ ?)

✓କର ପଇଠ / ହାତ ପଇଠ—କେତେକ ନୀତିରେ ତଳିଚ୍ଛ ଓ ପ୍ରଧାନୀ ସେବକଦ୍ୱୟ ହାତରେ ହାତ ଥୋଇ ଅାଗେ ଅାଗେ ଯିଵା କର୍ମ

✓କରାଳ—ଠାକୁରଙ୍କ ଶ୍ରୀଅଙ୍ଗରୁ କଢ଼ାଯାଇଥିଵା ଓଷୁଅ

✓କଳାକନାଟି—ଛତାର ସେଵକ

✓କାଣ୍ଡ ହେଙ୍ଗୁଡ଼—ବେଣ୍ଟନୀତିରେ ଵ୍ଯଵହୃତ ଶର(କାଣ୍ଡ ଶବ୍ଦ କେତେକ ଅଞ୍ଚଳରେ ଶର ଅର୍ଥରେ ଵ୍ଯଵହୃତ ହୋଇଥାଏ ।)

✓କାଣ୍ଡ ହେଙ୍ଗୁଳ—ଶାରଦୀୟ ପୂଜାରେ ଵିମଳା ଠାକୁରାଣୀଙ୍କୁ ଅର୍ପିତ ନାଲି ଶାଢି

✓ଖଟୁଆ ନିତିଆନି—ମାଛ

✓ଖଡ଼ି ପ୍ରସାଦ—ଅଣସରରେ ଶ୍ରୀମୁଖ ଚିିତ୍ରଣରେ ଵ୍ଯଵହୃତ ଖଡ଼ି ଆଦି ସାମଗ୍ରୀର ଅଵଶେଷ

✓ଖଦି ଚାମର—ଠାକୁରଙ୍କୁ ଵିଞ୍ଚିବାପାଇଁ ଵ୍ଯଵହୃତ ଚଉଡ଼ା ଖଣ୍ଡୁଆ

✓ଖଳି ପ୍ରସାଦ—ଶ୍ରୀଅଙ୍ଗରେ ଲେପନ ନିମନ୍ତେ ଗହମରେ ପ୍ରସ୍ତୁତ ଖଳି

✓ଖଲର—ତ୍ରୁଟି

✓ଖେଇ / କ୍ଷେଇ- ସେଵାର ପ୍ରାପ୍ୟ ଭାଵରେ ମିଳୁଥିଵା ଭୋଗର ଅଂଶ

✓ଗଦିଫେଟା—ଚଉଡ଼ା ନୂଆ କନା

✓ଘଣ୍ଟଛତା ଭୋଗ—ଘଣ୍ଟ, ଛତି, କାହାଳୀ ସହିତ ଆଗରେ ତଳିଚ୍ଛ ଓ ପ୍ରଧାନୀ ସେଵକଙ୍କ ହାତପଇଠରେ ନିଅାଯାଉଥିଵା ନୈଵେଦ୍ୟ

✓ଚଉପଟ—ଦାରୁ ନିମନ୍ତେ ଵୃକ୍ଷ କଟାଯାଇ ଗଡ଼ ଗଡ଼ କରାଯିଵା ପରେ ଅଵଶିଷ୍ଟ ମଞ୍ଜ ଅଂଶ

✓ଚଉସରା—ଚାରିସରିଅା ମାଳ

✓ପ୍ରସାଦଲାଗି—କେତେକ ନୀତିରେ ପୂଜା ବସିଵା ପୂର୍ଵରୁ ଠାକୁରଙ୍କ ଵକ୍ଷ ଦେଶରେ ଟିକିଏ ଚନ୍ଦନ ଲାଗି କରାଯାଏ । ତା'ପରେ ଧୂପ ଵନ୍ଦାପନା ଶେଷ ହୋଇ ସେହି ଚନ୍ଦନ ମଇଲମ କରାଯାଏ ।

✓ସର୍ଵାଙ୍ଗ—କେତେକ ଵିଶେଷ ନୀତିରେ ଚନ୍ଦନରେ କର୍ପୂର, କେଶର, ଚୁଅା, କସ୍ତୁରୀ ପଡ଼ି ଦିଅଁଙ୍କ ସର୍ବାଙ୍ଗରେ ଲେପନ କରାଯାଉିବାରୁ ତାହାକୁ ସର୍ବାଙ୍ଗ କୁହାଯାଏ

✓ଘଣ୍ଟ ଛତା ସର୍ବାଙ୍ଗ—ଘଣ୍ଟ, ଛତା, କାହାଳୀ ସହ ଚନ୍ଦନ ଘରୁ ପିଙ୍ଗଣରେ ଚନ୍ଦନ ବିଜେ କରାଗଲେ ତାହାକୁ "ଘଣ୍ଟ ଛତା ସର୍ବାଙ୍ଗ"
କୁହାଯାଏ ।

✓ଚନ୍ଦନ ଅର୍ଗଳି—ଭିତର କାଠ

✓ଚାର / ଚାରମାଳ—ତାଳଗଡ଼ରେ ତିଅାରି ଘୋଷରା ପାହାଚ । ଘୋଷରା ତଳେ ବନ୍ଧାଯାଇଥିଵା କାଠଗଡ଼କୁ ମାଲ (ମାଳ) କୁହାଯାଏ ।

✓ଜଉଡାବ—ଜଉରେ ତିଅାରି ବେଲୁନ୍‍ ଭଳି ପଦାର୍ଥ । ଏଥିରେ ଫଗୁ ରଖାଯାଇ ଫଗୁଖେଳ ହୁଏ ।

✓ଜନକପୁରୀ—ଗୁଣ୍ଡିଚା ଘର

✓ଟେରା—ଅାଢ଼ୁଅାଳ ପାଇଁ କନାର ପରଦା

✓ଠାଅା ସଜ—ଭୋଜନ ନିମନ୍ତେ ଆଵଶ୍ୟକ ପାତ୍ରସମୂହ

✓ଡମ୍ୱରୁ—ଡମ୍ୱରୁ ଅାକୃତିର ଆସନ

✓ଡାଳିମ୍ୱା ଅନ୍ନ—ବଗଡ଼ା ଅନ୍ନ

✓ତଡ଼କୀ—କର୍ଣ୍ଣ ଅଳଙ୍କାର ବିଶେଷ

✓ତଡ଼ପ—ବସ୍ତ୍ର ଵିଶେଷ

✓ତାଟ—ବାଉଁଶ ଵା ତାଳପତ୍ରରେ ନିର୍ମିତ ବଡ଼ ଡାଲା, ଯେଉଁଥିରେ ବିଭିନ୍ନ ସାମଗ୍ରୀ ପଠାଯାଏ ।

✓ତାଡ଼—ଏକ ବଡ଼ ମାଟିପାତ୍ର

✓ତ୍ରିମୁଣ୍ଡି—ଦିଅଁଙ୍କ ମସ୍ତକ ଉପରି ଭାଗ; ଏକ ପୁୁଷ୍ପ ଭୂଷା

✓ଦଣ୍ଡଛତ୍ର—ଲମ୍ୱ ଦଣ୍ଡି ଵା ଛତ୍ର

✓ଦରଶୁଆ କରାଇଵା—ଦର୍ଶାଇଵା

✓ଦରଶୁଆ ଝିଲି—ପହିଲି ଭୋଗରେ ଲାଗୁଥିବା ବଡ଼ଝିଲି

✓ଧଣ୍ଡା ମାଳ—ଲମ୍ୱମାଳ, ବାରହାତିଆ ମାଳ

✓ଧୁକୁଡ଼ି ଦ୍ୱାର—ଶ୍ରୀମନ୍ଦିର ଭିତର କାଠ କଡ଼ରେ ଭିତରକୁ ଯିଵାପାଇଁ ଏକ କଡ଼ ରାସ୍ତା

✓ଧୋପଖାଳ—ଧୁଆଧୋଇ, ସଫାସଫି

✓ନାକୁଆସି—ଶ୍ରୀମୁଖରେ ଚିତାତଳରୁ ନାସାଗ୍ର ପର୍ଯ୍ୟନ୍ତ ସ୍ଥାନରେ ଲାଗୁଥିଵା ଏକ ଅଳଙ୍କାର ଵିଶେଷ

✓ନାଟପା ମଣ୍ଡପ—ନାଟମଣ୍ଡପ

✓ନିଉଛାଳି—ସାଷ୍ଟାଙ୍ଗ ପ୍ରଣାମ

✓ପଛ ଭଅଣ୍ଡ—ଆଵଶ୍ୟକତା ଅନୁଯାୟୀ ଭୋଗମଣ୍ଡପରେ ଅତିରିକ୍ତ ଭୋଗ

✓ପଟୁଆର—ଶୋଭାଯାତ୍ରା, ସମାବେଶ

✓ପଟୋଇ—ଓଳି

✓ପାଗପଟି—ପଗଡ଼ି

✓ପୋଛା—ସିଂହାସନରେ ପଡ଼ିିଵା ଟଙ୍କା ପଇସା, ସଂପୃକ୍ତ ସେଵକ ତଳେ ଠିଅାହୋଇ ହାତପାଇଵା ପର୍ଯ୍ୟନ୍ତ ପୋଛି ଆଣିଵା (ଅର୍ଥ)

✓ଫୁଲୁରି—ବାସ୍ନାତେଲ, ପୁଷ୍ପଵାସିତ ତେଲ

✓ଵଲ୍ଲଭ ବଡ଼ସିଂହାର—କେତେକ ଦିନରେ ବଡ଼ସିଂହାର ଧୂପ ପରେ ଅତିରିକ୍ତ ଭୋଗ

✓ବାଇହାଣ୍ଡି—ଶ୍ରୀମନ୍ଦିରରେ ଵ୍ଯଵହୃତ ସବୁଠାରୁ ବଡ଼ ହାଣ୍ଡି

✓ବାଘମୁହାଁ—ତୁଣ୍ଡି

✓ଵାହୁଟ—ଵାହୁର ରକ୍ଷାକବଚ

✓ଵିଜେ ପ୍ରତିମା- ଉତ୍ସବ ମୂର୍ତ୍ତିି

✓ଵିଭୀଷଣ ବନ୍ଦାପନା- ଦକ୍ଷିଣାଭିମୁଖ ବନ୍ଦାପନା

✓ଭୋଗ ଡାକିଯିଵା—ପନ୍ତିରେ ଭୋଗ ବାଢ଼ିଵାକୁ ଡାକିଵାକୁ ଯିଵା

✓ମଇଲମ—ବେଶ, ଅଳଙ୍କାର ଇତ୍ୟାଦି କଢ଼ାଯିଵା ଵା ଉଲାଗି ହେଵା

✓ମଝାଲ—ମଧ୍ୟମ ଧରଣର;ମଝି ମଝିଆ

✓ମଙ୍ଗଳାରୋପଣ—ମଙ୍ଗଳ କାମନା କରି କରାଯାଉଥିଵା ଵିଧି

✓ଅମୃତମଣୋହି- ଦେଵାଦେଵୀଙ୍କ ନିମନ୍ତେ ଉତ୍ସର୍ଗିତ ଭୂସମ୍ପତ୍ତି

✓ଚକ୍ରମଣୋହି- ନୀଳଚକ୍ର ଅାଡ଼କୁ ଟେକି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପିତ ନୈଵେଦ୍ୟ

✓ସର୍ପାମଣୋହି—ଦିଅଁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି କରାଯାଉଥିଵା ଭୋଗ

✓ମହାଖଳା—ବଡ଼ଦାଣ୍ଡରେ ରଥନିର୍ମାଣ କରାଯାଉଥିଵା ଅଞ୍ଚଳ

✓ମହାସ୍ନାନ—ବିଶେଷ ସ୍ନାନ ଵିଧି

✓ଯାତ୍ରାଙ୍ଗୀ ମହାସ୍ନାନ—ଯାତ୍ରା ଦିନମାନଙ୍କରେ ହେଉଥିଵା ଅତିିରିକ୍ତ ଶୁଦ୍ଧି ଵା ସ୍ନାନନୀତି

✓ମାଲ ବାହାରିଵା— ଧୂପ ଶେଷ ପରେ ଭିତରୁ କିଂଵା ଭୋଗମଣ୍ଡପରୁ ଭୋଗଦ୍ରବ୍ୟ ବାହାରିଵା

✓ମୁଦଲ—ରାଜାଦେଶ

✓ମୁର୍ତ୍ତୁମୂଳ— ନୈଵେଦ୍ୟକୁ ଅର୍ପଣଯୋଗ୍ୟ କରିଵା, ଅଦା, ହେଙ୍ଗୁ ଓ ଘିଅର ଫୁଟଣା ଦେଵା

✓ମେଣ୍ଢାପୋଡ଼ି—ଦୋଳ ପୂର୍ଣ୍ଣିିମା ପୂର୍ବଦିନ ଦୋଳବେଦୀ ପରିସରରେ ଅନୁଷ୍ଠିତ ଅଗ୍ନି ଉତ୍ସବ

✓ମେଣ୍ଢାମୁଣ୍ଡିଆ ଖେଚୁଡ଼ି—ଏକପ୍ରକାରର ଖେଚୁଡ଼ି ଭୋଗ

✓ରାଜପ୍ରସାଦ—ରାଜାଙ୍କ ନିକଟକୁ ଯାଉଥିଵା ଦେବ ଵିସର୍ଜିତ ପଦାର୍ଥ
ଯଥା :- ଶ୍ରୀଅଙ୍ଗର ଚନ୍ଦନ ଓପାଟଡେ଼ାର ଇତ୍ୟାଦି

✓ଶିରକପଡ଼ା—ଠାକୁରଙ୍କ ମସ୍ତକରେ ଲାଗି ହେଉଥିଵା ଵସ୍ତ୍ର ଵିଶେଷ

✓ସଦାଵର୍ତ୍ତ— ଗରିବ, ସାଧୁ, ସନ୍ନ୍ୟାସୀ, ଅତିିଥିଙ୍କୁ ନିୟମିତ ଅନ୍ନ ଦାନ

✓ସୋମନା ମଣ୍ଡପ— ମାଜଣା ମଣ୍ଡପ

✓ହଣା— ଭୋଗ, ଵିଶେଷତଃ ପିଠାଭୋଗର ଏକ ଅଂଶ ଵା ଭାଗ

✓ହଳଦୀପାଣି—ବାହାର ଚନ୍ଦନ ଯାତ୍ରାର ଶେଷ ଦିନ

✓ହାତୁଆଣି— ହାତଧୋଇଵା ପାଇଁ ପାଣି

Wednesday, June 26, 2019

ଵିଶ୍ଵକୁ ଆଲୋକିତ କରିଵାର ଦୁଇଟି ପନ୍ଥା

“There are two ways of spreading light: to be the candle, or the mirror that reflects it.”

Edith Wharton ଙ୍କ ଅନୁସାରେ ସମସ୍ତ ବିଶ୍ବକୁ ଆଲୋକରେ ଆଲୋକିତ କରିବାକୁ ଚାହୁଁଥିଲେ ତୁମ ପାଖରେ ଦୁଇଟି ରାସ୍ଥା ଅଛି ।

୧.ନିଜେ ମହମବତୀ ହୋଇଯାଅ


କିମ୍ବା


୨.ସେଇ ଦର୍ପଣ ହୁଅ ଯିଏ ମହମବତୀର ଆଲୋକକୁ ଅନ୍ୟତ୍ର ପ୍ରତିଫଳିତ କରିପାରେ ।



ଏଇକଥାକୁ ସିଧାସଳଖ କହିବାକୁ ହେଲେ
ଆମେ କହିପାରିବା ....


ତୁମେ ନିଜେ ଭଗବାନ ହୋଇଯାଅ


କିମ୍ବା 


ଭଗବାନଙ୍କ ଭକ୍ତ ହୋଇ ତାଙ୍କ ନାମ ସଂକୀର୍ତ୍ତନ କର ...

Tuesday, June 25, 2019

ଜାୟାଜୀଵ

ଗୋଟାଏ ଶବ୍ଦ ଅଛି ‘ଜାୟାଜୀଵ’ ଏହାର ପର୍ଯ୍ୟାୟଵାଚକ ‘ଜାୟାନୁଜୀଵୀ’ ଓ  ‘ଜାୟାଜୀଵୀ’ ଅଟେ ।
ବହୁଵ୍ରୀହି ସମାସ ଦ୍ଵାରା ‘ଜାୟା’ ଓ ‘ଆଜୀଵ’ ଶବ୍ଦକୁ ଯୋଡ଼ି ଶବ୍ଦଟି ସୃଷ୍ଟି ହୋଇଛି ।
ଜାୟା ଶବ୍ଦର ଅର୍ଥ ସ୍ତ୍ରୀ ଵା ପତ୍ନୀ ଅଟେ ।
ଜାୟାଜୀଵ ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ରହିଛି






✓ଯେଉଁ ଲୋକ ସ୍ତ୍ରୀଦ୍ବାରା ଜୀବିକାନିର୍ଵାହ କରେ( A househusband)
✓ଭଡ଼ୁଆ(भडवा; a cockold)

✓ନଟ ଵା ନାୟକ(An Actor)
ଦୀନକୃଷ୍ଣ ତାଙ୍କ ରସକଲ୍ଲୋଳରେ ଏହି ଅର୍ଥରେ ଜାୟାଜୀଵ ଶବ୍ଦ ଵ୍ଯଵହାର କରି ଲେଖିଛନ୍ତି—

“କି ତୋ ସାହସ ଜାୟାଜୀଵ ପ୍ରାୟେ କିବା ଏହାଠାରେ ଏଡ଼େ ନିର୍ଦ୍ଦୟେ ।”

✓ଵକପକ୍ଷୀ(The heron)

ଵକ ଵା ଵଗକୁ ‘ଜାୟାଜୀଵ’ ଏହାର ଏକ ଵିଶିଷ୍ଟ କାର୍ଯ୍ୟ ଯୋଗୁଁ କୁହାଯାଏ । ଦେଖାଯାଇଛି ଯେ ଵଗୁଲୀ ଡିମ୍ବ ପ୍ରସଵ କଲାପରେ ବଗ ଉକ୍ତ ଡିମ୍ବକୁ ଉଷୁମାଏ ।  ଵଗୁଲୀ ପଦାକୁ ଚରିଵାକୁ ଯାଏ ଓ ଵଗକୁ ଆଣି ଅଧାର ଯୋଗାଏ। ଏଥିପାଇଁ ଵଗର ଏଭଳି ନାମ ରହିଛି ।

ଘୋଡ଼ା ଡିମ୍ଵ

ଜଣେ ଲୋକକୁ ଆଉ ଜଣେ ଲୋକ ପକ୍ଷୀରାଜ ଘୋଡ଼ାର ଅଣ୍ଡାର ନାଆଁରେ ଠକିଦେଇଥିଲା ।  ସେ ଜଙ୍ଗଲ ବାଟେ ଗଲାବେଳେ ତା ହାତରୁ ସେଇ ଅଣ୍ଡାଟା ବୁଦା ଭିତରେ ପଡ଼ିଯାଇଥିଲା । ବୁଦା ଭିତରେ ଗୋଟାଏ ସିଂହ ମଣିଷ ଶିକାରୀ ଭୟରେ ଲୁଚି ଥିଲା କିନ୍ତୁ ଏକଥା ଲୋକଟା ଜାଣିନଥିଲା ।

ଯେତେବେଳେ ଅଣ୍ଡାଟା ବୁଦା ଭିତରେ ପଡି଼ଲା ସିଂହଟି ଡରିକି ଏକ ଦୁଇ କରିପକେଇଲା  । ଏବେ ମଣିଷ ମୂଲ୍ଯଵାନ ଅଣ୍ଡାଟି ଅଣ୍ଡାଳିଵାକୁ ଯାଇ ବୁଦା ଭିତରୁ ସିଂହକୁ ପାଇ ତାକୁ ପକ୍ଷୀରାଜ ଘୋଡ଼ା ମନେ କରି ତା’ ଉପରେ ସବାର ହେଇଗଲା ।

ସିଂହର ସେତେବେଳକୁ ପିଳେହିପାଣି, ସେ ଭୟରେ ଦୌଡିବାକୁ ଲାଗିଲା ଆଉ ଏକ ସ୍ଥାନରେ ଲୋକଟାକୁ ପକେଇ ଦେଇ ଜଙ୍ଗଲ ଭିତରେ କୁଆଡେ଼ ଅଦୃଶ୍ୟ ହୋଇଗଲା ‌।

Monday, June 24, 2019

ଢେଙ୍କାନାଳର ଶବ୍ଦ ୨

✓କଇଁଚ/କଞ୍ଛିଅ—କଇଁଛ
✓କାବୁତ—କପୋତ
✓କର—କଡ଼, ପାର୍ଶ୍ଵ (ଏକରେ,ସେକରେ)
✓କକଇ/ଅକଇ—ତୋରାଣୀ
✓କକଉ—ମୁଣ୍ଡ,
✓କକରାଏ—ଭଉଣୀ
✓କଙ୍କ—ବେକ
✓କଙ୍ଗି—ପାନିଆ(ତୁ—କଙ୍ଗା;ସୁ,କଙ୍ଗେଇ—ଅ)
✓କଚୁରି—କଚୁଡି଼,ମଇଦା
✓କଟୁକ—ଲାଭ
✓କଢି଼—କଢ଼,କୋଠା ଛାତତଳେ ଵ୍ଯଵହୃତ କାଠ,ହିଡ଼କାନ୍ଥରେ ଲାଗିରହିଥିବା ମାଟି
✓କଣ୍ଡୁଆ—ଦୁଷ୍ଟ
✓କତୁରୀ—କାଟିଵା ଯନ୍ତ୍ର;କଇଁଚି
✓କଦମା—ଚୁଡା଼ଘଷା; ଚୁଡ଼ାରେ ତିଆରି ଖାଦ୍ଯ ଵିଶେଷ
✓କବାଟକଣିଆ—ଅସରପା
(ଢେଙ୍କାନାଳର କାମାକ୍ଷାନଗର ଅଞ୍ଚଳରେ ଏକ ଧଳାରଙ୍ଗର ବହୁ ଲମ୍ଵ ପଦ ଵିଶିଷ୍ଟ ବିଷାକ୍ତ ଜୀଵ ଯିଏ ଚାଲିଗଲେ ଘାଆ ହେଇଯାଏ ତାକୁ ଅସରପା ବୋଲାଯାଏ ସେଥିପାଇଁ cockroachକୁ ଏଠାକାର ଲୋକେ ପେରପେରିଆ ଓ କବାଟକଣିଆ କହିଥାନ୍ତି !)
✓କରକ—ଡାଳିମ୍ଵ
✓କରକଚା—ବାଲିଗରଡା଼
✓କରଚୁଲ୍ଲି—ଅଣକ;ଷଢେ଼ଇ ଡଙ୍କି
✓କରଣି—ରାଜମିସ୍ତ୍ରୀଙ୍କ ସିମେଣ୍ଟ ଚୁନ ଲଗେଇଵା ପାନପତ୍ରାକାର ଯନ୍ତ୍ର ଵିଶେଷ
✓କରତ—କାଠ କାଟିଵା ଯନ୍ତ୍ର ଵିଶେଷ(ମୟୁରଭଞ୍ଜରେ କରାତ୍ କୁହନ୍ତି)
✓କଳେଇଙ୍ଗ—ମୂଷା
✓କଲେଇ ପୋକ—ଝଡି଼ପୋକ
                    (ବା—କାଲେଇ)
✓କାଏ—ଆମ୍ଵ(କୁଇରେ ଏହାର ଅର୍ଥ ଫଳ)
✓କାଣ୍ଟି—ମଇଳା ତେଲ(ଢେଙ୍କାନାଳରେ ଶଗଡ଼ ଚକାରେ ଦିଆଯିଵା ତେଲକୁ କାଣ୍ଟି କୁହନ୍ତି ଏଵଂ ଏହି କାଣ୍ଟି ତେଲର ମଇଳା ଅଂଶକୁ କୁହାଯାଉଥିଲା । ଦେଓଗଡ଼ରେ ମଇଳା ତେଲକୁ କାଟି ଓ ଗଡ଼ଜାତରେ କାଏଟ୍ କୁହାଯାଏ ।)
✓କାଡା଼ଏ—ବୁଢୀ଼
✓କାଢି଼ଆ—ଦୋକାନରୁ ବାକିରେ ସଉଦା ନେଵା
✓କାନ୍ତାରି—ଏକ ଜାତୀୟ ଆଖୁ
✓କାନ୍ଧିଆ—ଜମ୍ଭୁରା,କାଫେର୍ ଲେମନ୍
✓କାବୁତ—କାପ୍ତା(କ),କାବ୍’ତା(ନଵ,କୋ)
            —କପୋତ
✓କାମଙ୍ଗା—କରମଙ୍ଗା(‘ର’ ଅଵର୍ଗ୍ଯ ଵର୍ଣ୍ଣ ଲୋପ)
✓କାଲୁଆ—ବରଫ କିମ୍ଵା ଇଂଜେକସନ ଦ୍ଵାରା  ଶରୀର ସମ୍ବେଦନଶୂନ୍ୟ ହୋଇଯିଵା ।

✓କାଳଏ—ପାଣିକଖାରୁ
✓କାଳାଏ—କଙ୍କଡା଼
✓କାଳେସିଂ—ବାଡ଼
✓କିଁତି—କିନ୍ତି,କିମିତି,କେମିତି
✓କିରା—କ’ଣ
✓କିଲିବିଲି—କଲବଲ
✓କିଲୁଙ୍ଗ
✓କୀକୀ—ଜେଜେ ବାପା(ଜେଈ,ଜେଜୀ—ଜେଜେ ମାଆ)
✓କୁଞ୍ଚି—ସ୍ତ୍ରୀମାନେ ଲୁଗା ପିନ୍ଧାସମୟରେ କୁଞ୍ଚି ମାରନ୍ତି । ଶାଢ଼ୀର ଶେଷ ଅଂଶକୁ ପରସ୍ତ ପରସ୍ତ କୁଞ୍ଚ କରି ନାଭି ନିକଟରେ ଖୋସାଯାଏ ଏହାକୁ କୁଞ୍ଚି କୁହାଯାଏ ।
✓କୁଟ୍’କୁଟା—ଟିକିଟିକି(କଟକରେ କୁଟୁକୁଟା)
✓କୁଢ଼—କାନ୍ଥ
✓କୁର୍ହିଆ—(କୁଡି଼ଆ)ଛୋଟ ପିଲାଙ୍କ ଦ୍ଵାରା ଵୃକ୍ଷ ଶାଖା ଓ ତାଳବରଡା଼ ପତ୍ରାଦିରେ ପ୍ରସ୍ତୁତ ଛୋଟ ଛୋଟ ଘର । କିଶୋର ବୟସ୍କ ପିଲାଏ ଏଭଳି ଘର କରି ଖେଳନ୍ତି । 
✓କୁଥୁଲା—ମୋଟା(ଦେଓଗଡ଼ରେ କୁଥଲ୍ ର ଅର୍ଥ ବସିଖିଆ)
✓କୁନ୍’ମୁନିଆ—କୌତୁକିଆ
                         (କଟକ—କୁନୁମୁନିଆ)
✓କୁମ୍ପା—ଟଙ୍କା ସାଇତି ରଖିଵା କ୍ଷୁଦ୍ର କଣା ବିଶିଷ୍ଟ ମାଟି କିମ୍ଵା କାଷ୍ଠ ନିର୍ମିତ ପାତ୍ର

(କ୍ରମଶଃ...)

Saturday, June 22, 2019

ଗରୁଡ଼ ଓ ଚକୁଆ

ଏକ ଉଚ୍ଚ ପର୍ଵତରେ ଦୈଵାତ୍ ଚକୁଆ ଓ ଗରୁଡ଼ ଦିହେଁ ଭେଟାଭେଟି ହେଇଗଲେ ।
ଗରୁଡ଼କୁ ଚକୁଆ ଦେଖିଲା କ୍ଷଣି
ଆଦରରେ କହିଲା
“ପ୍ରଣାମ ଆଜ୍ଞା ! ଜୟ ଜଗନ୍ନାଥ !

ଗରୁଡ଼ ଟି ଚକୁଆ ଆଡ଼କୁ ଥରେ ଚାହିଁଦେଇ ଵିରସ ମନରେ କହିଲା

“ହଉ ହେଲା ହେଲା !”

ଚକୁଆ ପୁଣି କହି ପକେଇଲା—

“ସବୁ ଭଲ ତ ! ଆଶା କରୁଛି,ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ଭଲରେ ଥିଵେ ।”

ସେଇଠୁ ଗରୁଡ଼ କହିଲା—
“ହଁ ଆମ୍ଭେ ଭଲରେ ଅଛୁ କିନ୍ତୁ ତୁମେ ବୋଧହୁଏ ଭୁଲିଯାଉଛ ଏଠି କାହା ସହିତ କଥା ହେଉଛ । ଆମ୍ଭେ ସକଳ ପକ୍ଷୀମାନଙ୍କର ରାଜା ! ଯେତେବେଳ ଯାଏଁ ଆମ୍ଭେ କଥାଭାଷା ହେଵା ଆରମ୍ଭ କରିନାହୁଁ ସେତେବେଳ ଯାଏଁ ତୁମକୁ ଆମ ସହିତ କଥା ହେଵାର ସାହସ  କରିଵା କଥା ନୁହେଁ ।”

ଏହା ଶୁଣି ଚକୁଆ ପୁଣି କହିଲା—
“ମୋ ଜାଣିଵାରେ ଆମ୍ଭେ ଦିହେଁ ଏକ କୁଟୁମ୍ବର !  ଭାଇ — ଭାଇ !

ଗରୁଡ଼ ଆଖି ଦେଖେଇ ଘୃଣାରେ ଚକୁଆକୁ ଉତ୍ତର ଦେଲା—

“ଆମେ ଏକ କୁଟୁମ୍ବର ବୋଲି ତୁମକୁ କେଉଁ ମୂର୍ଖ କହିଦେଲା ?”

ଗରୁଡ଼ କଥାରେ ଦବି ନ ଯାଇ ଚକୁଆ ପୁଣି କହିଲା
“ଆପଣଙ୍କ ଓ ମୋ ଭିତରେ ଵେଶି ପ୍ରଭେଦ ନାହିଁ । ଆପଣ ଏକ ପକ୍ଷୀ ମୁଁ ବି ପକ୍ଷୀ, ଆପଣଙ୍କ ଭଳି ମୁଁ ମଧ୍ୟ ବହୁ ଉଚ୍ଚକୁ ଉଡ଼ି ଯାଇପାରେ ଏଵଂ ନିଜର ସୁମଧୁର କଣ୍ଠରେ ଗୀତ ଗାଇ ଅନେକ ଲୋକଙ୍କର ମନୋରଞ୍ଜନ ବି କରିପାରେ କିନ୍ତୁ ଆପଣ ନିଶ୍ଚୟ କାହାକୁ ହେଲେ ସେଭଳି ସୁଖ ଦେଇ ପରିବେନି ”

ଏତିକି ଶୁଣିଵା କ୍ଷଣି ଗରୁଡ଼ ରାଗରେ କମ୍ପମାନ ହେଇ କହିଲା—

“ସୁଖ ଓ ଖୁସୀ !!! ଆରେ ଗାଲୁଆ ମେଞ୍ଚଡ଼ ଚଢ଼େଇ ! ମୋ ଥଣ୍ଟର ଏକା ଚୋଟକେ ତୋର ପ୍ରାଣଵାୟୁ ଉଡି଼ଯିଵ ଜାଣିଛୁ ? ତୁ ତ ମୋ  ପାଦଟାକୁ ସରିନୁହେଁ କିଆଁ କରି ବଡ଼ ବଡ଼ କଥା କହୁଛୁ କିରେ ?”

ଚକୁଆ ଉଡ଼ିଯାଇ ଗରୁଡ଼ ପିଠିରେ ବସିପଡ଼ିଲା ଓ ତା’ ଡେଣାରେ ଥଣ୍ଡ ମାରି ମାରି ପର ଛିଡ଼େଇଵାକୁ ଲାଗିଲା । ଗରୁଡ଼ ବି ପ୍ରଚଣ୍ଡ ରାଗିଯାଇଥିଲା । ଚକୁଆକୁ ପାନେ ଦେଵାକୁ ସେ ଆକାଶରେ ବହୁ ଉଚ୍ଚକୁ ଉଡି଼ଗଲା,ଆଗ ପଛ ତଳ ଉପର ହେଇ ଅନେକ ପ୍ରକାରେ ଉଡି଼ଲା ହେଲେ ଚକୁଆ କୋଉ ଛାଡୁ଼ଛି ? ସେ ଆହୁରି ଵେଗରେ ଥଣ୍ଟ ମାରିଲା ।

ବହୁ ସମୟ ଆକାଶରେ ଉଡ଼ି ହାରିଯାଇ ଶେଷକୁ ଗରୁଡ଼ଟା ପୋଖରୀ ହୁଡ଼ାରେ ବସି ପଡ଼ିଲା । ଚକୁଆ ଏଵେ ବି ତା ଉପରେ ବସିରହିଥାଏ ।

“ଗରୁଡ଼ ମନେ ମନେ ନିଜକୁ ବହେ ସୋଦୁଥିଲା, କାହିଁକି ଏ ତୁଚ୍ଛ ଚଢ଼େଇଟା ସହିତ ଲାଗିଲି, ବଡ଼ ହୀନସ୍ଥା ହେଲାଣି !”

କଇଁଛଟେ ସେଇପଟ ଦେଇ ଯାଉଥିଲା ଯେମିତି ଚକୁଆ ଓ ଗରୁଡ଼କୁ ଦେଖି ଦେଇଛି ଆଉକି ସମ୍ଭାଳି ପାରୁଛି , ହସି ହସି ଗଡ଼ିଗଲା । ଗରୁଡ଼ଟା କଇଁଛକୁ ଦେଖି କହିଲା

“ହେଇରେ ! ମାଟିରେ ଘୋଷୁରୁଥିଵା ପୋକ,ଏତେ ହସୁଛୁ କାହିଁକି ଵେ”

ହସି ହସି କଇଁଛ ଉତ୍ତର ଦେଲା—
"କି ସୁନ୍ଦର ଦୃଶ୍ୟ ସତେ ! ଗୋଟେ ଵିଶାଳ ପକ୍ଷୀ ଉପରେ ଏ ଛୋଟିଆ ପକ୍ଷୀଟା ଏମିତି ବଇଛି ଯେମିତି ସେ ଗୋଟାଏ ଘୋଡ଼ା !!”

ଗରୁଡ଼ ଚିଡ଼ିଯାଇ କହିଲା—
“ଆରେ ଯା ଯା ତୁ ତୋ କାମ କର ! ଇଏ ମୋ ଭାଇ ଚକୁଆ ଓ ମୋର ଵ୍ଯକ୍ତିଗତ କଥା ,ଆମ ଘରର ସମସ୍ଯା ! ତୁଟା ଏଥିରେ ତୁଚ୍ଛାକୁ  ମୁଣ୍ଡ କାହିଁକି ଖେଳଉଚୁରେ ?”

(ଲେଵାନୀୟ ଲେଖକ ଖଲୀଲ ଜୀବ୍ରାନଙ୍କର ଏକ କ୍ଷୁଦ୍ରଗଳ୍ପର ଓଡ଼ିଆ ଭାଵାନୁଵାଦ)

ଢେଙ୍କାନାଳର ଶବ୍ଦ

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ କଥିତ ଓଡ଼ିଆ ଶବ୍ଦକୋଷରେ ନିମ୍ନଲିଖିତ ଢେଙ୍କାନାନିଆ ଶବ୍ଦଗୁଡ଼ିକୁ ସଂଗ୍ରହ କରିଛନ୍ତି ଶ୍ରୀ ମନୋରଞ୍ଜନ ନନ୍ଦ । ଢେଙ୍କାନାଳରେ ଅନେକ ଜନଜାତୀୟ ଲୋକ ବି ବସଵାସ କରନ୍ତି ଵିଶେଷତଃ ଶବରମାନଙ୍କର ଏହା ହେଉଛି ପ୍ରାଚୀନ ରାଜ୍ୟ । କୁହାଯାଏ ଏକଦା ଢେଙ୍କୁ ନାମକ ଶବର ଥିଲେ ଏହି ରାଜ୍ୟର ଶାସକ ଯାହାଙ୍କ ନାମାନୁସାରେ ଏହି ରାଜ୍ୟର ନାମ ଢେଙ୍କାନାଳ ହୋଇଅଛି । ଢେଙ୍କାନାଳକୁ ମଲ୍ହାର ଦେଶ ବି କୁହାଯାଏ । ଏକଦା ଏହା ମଲ୍ହାରମାନଙ୍କ ଶାସନାଧୀନ ଥିଲା । ଢେଙ୍କାନାଳକୁ ଏକସମୟରେ ଭୀମନଗରୀ ଦଣ୍ଡପାଟ ବି କୁହାଯାଉଥିଲା । ଏଠାକାର କଳତୁଆ ଚଷା ଓ ନୁହୁରା ଆଦି ଜନଜାତିମାନଙ୍କ କଥିତ ଓଡ଼ିଆ ଶୈଳୀରେ ଅନେକ ନିଆରା ଦେଶଜ ଶବ୍ଦ ଆଜି ବି ଚଳୁଅଛି । ନିମ୍ନରେ ସେଇଭଳି କିଛି ଢେଙ୍କାନାଳିଆ ଶବ୍ଦର ଉଲ୍ଲେଖ କରାଗଲା ।







✓ଅକଇ—ତୋରାଣୀ
✓ଅକାୟ—ଶରୀରହୀନ,ପତଳା ଶରୀର
✓ଅକାର—ବାନ୍ତି
✓ଅଗିର—ଅଗ୍ନି(ଅଗିର—ଘାଣ୍ଟିହେଵା; ରାୟଗଡ଼ା)
✓ଅଝିଟ—ଏକଜିଦିଆ
✓ଅଟକଳ—ଅନୁମାନ
✓ଅଠାଳ—ମାଂସ
✓ଅଡ଼ି—ଯିଦ୍ କରିଵା
✓ଅଣ୍ଡିରୀ—ଅଣ୍ଡିରାଚଣ୍ଡୀ;ଉଗ୍ରସ୍ଵଭଵା ସ୍ତ୍ରୀ
✓ଅତଥ୍ଯ—ମିଛ
✓ଅଥୟ—ଅସ୍ଥିର, ଚଞ୍ଚଳ
✓ଅଦମ୍ଭ—ଦୁର୍ଵଳ
✓ଅଦରଛିଆ—ଅମଙ୍ଗୁଳିଆ
✓ଅନିଷା—ଦେଖିଵା, ଅପେକ୍ଷା
✓ଅବଦ—ପଦ୍ମ
✓ଅବାଢୁଆ—ଅଭିଆଡି଼
✓ଅଭିଯାତନା—ପ୍ରାଥନା(ଅଭିଯାଚନା)
✓ଅମ—ଆଖି
✓ଅମୁଦା—ଖୋଲା
✓ଅୟଜିନା—ଦେଖିଵା
✓ଅରେକ—ନଡି଼ଆ ଷଢେ଼ଇ
✓ଅଲା—ପତ୍ର(ରାୟଗଡ଼ାରେ ମଧ୍ୟ ଚଳେ)
✓ଅଲୋଉ—ପତ୍ର
✓ଅଳେଇ—ବଳଦ,ଵିଵାଦ(ଭଦ୍ରକରେ ଅଳେଇ କାଟିଵା=ବଳପୂର୍ଵକ କାଟିନେଵା)
✓ଅଷ୍ଟି—ଆମ୍ଵ ଟାକୁଆ
✓ଅସନ—ସାହାଜ ଗଛ
✓ଅସର—ଵିଶ୍ରାମ(ଅଵସର>ଅସର;ଅଵର୍ଗ୍ଯ ‘ଵ’ ଲୋପ)
✓ଅହେତୁକ—ଅକାରଣ
✓ଅହ୍ନୁଣିଆ—ଦେଵତାଙ୍କ ଭୋଗ ହେତୁ ଥିଵା ଖାଦ୍ଯଵସ୍ତୁ(ପୁରୀରେ ମଧ୍ୟ ଚଳେ)
✓ଆଆଁଳା/ଆଁଳା—ମାଂସ
✓ଆଇଁଜା—ନିଜର
✓ଆଉତା/ଆଭତା—ଆରପଟ
✓ଆଉଁ—ତୁ,ଅଟୁ
✓ଆକଉ—ପାଉଁଶ
✓ଆକାୟ—ଚିତା
✓ଆଜିକା—ଦେଢ଼ଶାଶୁ( ଆର୍ଯ୍ୟି+ଇକା ?)
✓ଆଞ୍ଚେଇଵା—ଧୋଇଵା,ଆଚମନ
✓ଆଡ଼ଵାୟା—ପାଗଳ
✓ଆଣୁ—ମାଙ୍କଡ଼
✓ଆବାଦୀ—ଚାଷୋପଯୋଗୀ ଭୂମି
✓ଅମିଖା(କ୍ଷା)—ଛେନା
✓ଆରସି—ଦର୍ପଣ
✓ଆଲୁଠୁ—ଘର
✓ଆଁଶ—ଦାଢ଼,ଧାର
✓ଇଚଡ଼—କସି ପଣସ
✓ଇଜି/ଇଜିଙ୍ଗ—ଗୋଡ଼
✓ଇଟ—ଚିଙ୍ଗୁଡି଼ ଓ କଙ୍କଡ଼ାର ନାଲିଆ ମାଂସ
✓ଇଡି଼ଵା—ଢାଳି ଦେଵା
✓ଇଣିବୁ—ଶଳା
✓ଇତ—ପାପୁଲି
✓ଇତାଉଁ—ଗୋଵର
✓ଇତୁଜ(ଯ)—ପେଟ
✓ଇର—ପ୍ରସଵକାଳରେ ପଡୁଥିଵା ଗାଈ      ମଇଁଷୀଙ୍କ ଫୁଲ
✓ଈକା—ପ୍ରଭୂ
✓ଈରଣ—ଵାୟୁ
✓ଉଗୁଡା଼ଇଵା—ମୁହଁ ତଳକୁ କରି ରଖିଵା
✓ଉଘାଡ଼—ସଙ୍ଘା(ଢେ-ସଂଗା),ମଞ୍ଚା,ଭାଡି଼
✓ଉଠାଣ—ଦୋକାନ ସଉଦା କରିଵା
✓ଉଠିଆ—ମାଗଣା ଭୋଜନ
✓ଉଡୁ଼ମ୍ଵର—(ଉଦୁମ୍ଵର) ଡିମ୍ବିରି ଫଳ
✓ଉତାଉଁ/ଉତାନ—କୁଲା
✓ଉତିଆଣୀ—କ୍ଷୀର ଖିଆ ଛୁଆ
✓ଉଦ୍ଖଳ/ଉଦୁଖଳ—ଖଳ,ହେମଦସ୍ତା
✓ଏଗେ—ଶିଳ
✓ଏଜଙ୍—ତେଲ
✓ଏଢ଼ଣଷଷ୍ଠୀ—କୁମ୍ଭାର ମାନଙ୍କର ଏକପର୍ଵ
✓ଏତୋ—ପଥର
✓ଏଲାଙ୍ଗ/ଏଲାଂ—ଜିଭ
✓ଓକଟା—ବସିଵା
✓ଓକର—ଦୋଷ
✓ଓଡ଼ଶି—ହଳଦୀ(ଏକ ଜାତୀୟ ଫିକା ହଳଦୀ ଗଛ)
✓ଓରଦା—ଚାଷ ହୋଇଥିଵା କାଦୁଅ ଜମି
✓ଓରିଆ—ସରୁ ଅରୁଆ ଚାଉଳ
✓ଓଲ ଭୋଗ—ହଇଜା(ଓଲାଉଠା—ପୁରୀ)
✓ଓଲମା—ଓଲୁ

(କ୍ରମଶଃ ପରଵର୍ତ୍ତୀ ପର୍ଯ୍ୟାୟରେ ଧାରାଵାହିକ ଭାଵେ ପ୍ରକାଶିତ ହେଵ । ଆପଣଙ୍କ ଅଞ୍ଚଳରେ ପ୍ରୋକ୍ତ ଶବ୍ଦଗୁଡ଼ିକ ଚଳୁଥିଲେ ଜଣାଇଵାକୁ ଅନୁରୋଧ ରହିଲା)

Friday, June 21, 2019

ହାସ୍ଯ କଲ୍ଲୋଳ—କଵିସୂର୍ଯ୍ୟ ବଳଦେଵ ରଥ


ଭୂୟୋ ନମଃ କୌତୁକଲମ୍ପଟାୟ ଭାନୂଦ୍ଭବାରମ୍ୟତଟୀନଟାୟ
ଘଟସ୍ତନୀନାଂ ପଟଳୀବିଟାୟ କୃଷ୍ଣାୟ ବଦ୍ୟୁଦ୍‌ବିଲସତ୍‌ପଟାୟ ॥
ମନ୍ଦାର ବୃନ୍ଦାରକବନ୍ଦିତାଂଘ୍ରଂ ନନ୍ଦାଳୟେନ୍ଦ୍ରୋତ୍ପଳନୀଳ ଲକ୍ଷ୍ମୀମ୍‌
ବୃନ୍ଦାବନବ୍ୟୋମବିହାରଚନ୍ଦ୍ରଂ କୁନ୍ଦାବଦାତାସିତମୀଶମୀଡ଼େ ॥

ଏ ହେଲା ହୋ, ସେ ହେଲା ହୋ,
ଏକ ଯେ ମହାରାଜ୍ୟ ଥିଲା ।
ସେ ରାଜ୍ୟର ନାମ ରହସ୍ୟ ଘୋଷ ।
ଦେଶ ପାଞ୍ଚଶ ଉଣା ପଞ୍ଚାଶ କୋଶ ।
ଅତ୍ର ଗୁଣବନ୍ତ ସମସ୍ତ ଦୋଷ ।
ଗୁଣଜ୍ଞ ଦେଖିଲେ ହୁଅନ୍ତି ରୋଷ ।
ଗୋସାଇଁମାନଙ୍କ ରୋଷାୟା ଘୋଷ ।
ଚଣା ଚୋବାଇଲେ ନିବର୍ତ୍ତେ ଶୋଷ ।
ସାଧୁଙ୍କୁ ନିନ୍ଦିଲେ ମନରେ ତୋଷ ।
ଘୁଷିରି ଦେଖିଲେ ବୋଲନ୍ତି ହାତୀ ।
ଜାଣି ନ ପାରନ୍ତି କେ କେଉଁ ଜାତି ।
ବ୍ରାହ୍ମଣମାନଙ୍କ ହାତରେ କାତି ।
ଭକ୍ତିରେ ଗୁରୁବୈଷ୍ଣବ-ଘାତି ।
କଉଡ଼ିମାଳିଆ ସବୁଙ୍କ ଛାତି ।
ହାଣ୍ଡି ନ କରନ୍ତି ମଲେ ହେଁ ଜ୍ଞାତି ।
ଦାଣ୍ଡେ ନ ଜାଣନ୍ତି ଖରାର ତାତି ।
ସମସ୍ତଙ୍କ ଇଷ୍ଟଦେବତା ଖ୍ୟାତି ।
କୋତରା ଅଖା ପଲଙ୍କସୁପାତି ।
ଏକାନ୍ତ କଥାକୁ ବଜାରେ ଖ୍ୟାତି ।
ଥୁଆଥୋଇ ହୋନ୍ତି ଆଈକି ନାତି ।
ମହାଶର ଯହିଁ ବାଉଁଶ ପାତି ।
ରଜନୀ ଦିବସ, ଦିବସ ରାତି ।

ସ୍ୱପତ୍ନୀ-ସ୍ନେହରେ ନ ଥାନ୍ତି ମାତି ।
କୁଳ କୁଟୁମ୍ୱରେ ଳମ୍ପଟ ଥାନ୍ତି ।
କୋଟିଏ ଉଣା ଅୟୁତେ ପାଦାନ୍ତି ।

ସେ ରାଜ୍ୟ ମହାଜନ ମହାସାମନ୍ତ ।
ଦୋକାନେ ବସି ଖାଇ ବିଶା ବିଶା ଅନ୍ତ ।
ବଡ଼ଲୋକେ ସଂପାଦନ୍ତି ମେଣ୍ଢା ଛେଳି ଦନ୍ତ ।
କୋଦୁଅ ପେଜ ହାଣ୍ଡିରେ ହାପୁରୁଥାନ୍ତି ମାଣ୍ଡିରେ ।
ମନ ଥାଇ ଭାଣ୍ଡରେ ।
ଅଠର ଗଣ୍ଠିଆ କମ୍ୱଳ କନା ପିନ୍ଧି ବୁଲନ୍ତି ଦାଣ୍ଡରେ ।
ହାଡ଼ି ବାଉରି ଗୋର୍ଜି ଠି ।
ଫାଳିଆ ସଢ଼ାଇ ଖୋଜି ଟି ।
ଭେଣ୍ଡିଆମାନଙ୍କ ଭୋଜିଟି ।
କରନ୍ତି କୋଳଥ ଗଜା ।
କରଞ୍ଜ ତେଲରେ ଭଜା ।
ସେ ରାଜ୍ୟ ଠାକୁରଙ୍କ ପୂଜା ।

ଗୁଡ଼ିଆଣୀଟି କୁଜୀ ଟି ।
ଗୋଟିଏ ନୟନ ବୁଜିଟି ।
ସେହି ରୂପେ ଗୋଲା ଗୋଲୁଣୀ,
ପାଲିଆ ପାଲିଆଣୀ, ସାଲିଆ ସାଲିଆଣୀ,
କାମ୍ପ କାମ୍ପୁଣୀ, କୁଡ଼ୁମ କୁଡ଼ୁମଣୀ,
ବଳାସୀ ବଳାସୁଣୀ, ଆଳିଆ ଆଳିଆଣୀ,
ଆରୁଆ ଆରୁଆଣୀ, କାରୁଆ କାରୁଆଣୀ,
କେଉଟ କେଉଟୁଣୀ, କୁମୁଟି କୁମୁଟିଆଣୀ ।

ସେ ଦେଶରେ ଅଛନ୍ତି ପୁଣି ।
ବହୁତ ରାଣୀ ଓ ବହୁତ କାଣୀ । ରାଣି
କେଉଁମାନେ ଏବଂ କାଣୀ କେଉଁମାନେ ?
ପାଇକାଣୀ, ବାରିକାଣୀ, ନାୟକାଣୀ,
ରେଡ଼ିକାଣୀ; କାଣୀ ଏମାନେ ।
ରାଣୀ କେଉଁମାନେ ତାହା କହିବା ।
ବେହେରାଣୀ, ମାଗୁରାଣୀ, କନ୍ଦରାଣୀ,
କୁନ୍ଦୁରାଣୀ, ଖଡ଼ୁରାଣୀ, ବାଉରାଣୀ,
ପାଟରାଣୀ; ଏମାନେ ରାଣୀ ଅଟନ୍ତି ।

ପୁନରପି ସେ ରାଜ୍ୟରେ ଚମତ୍କାର ଅଛି ।
କି କି ଅଛି କି ? ଗୁଣ୍ଡିଆ ଭିତରେ ମରମ ଅଛି ।
କପାଳ ଭିତରେ କରମ ଅଛି ।
ବାଟ ଚାଲିବାରେ ଶରମ ଅଛି ।
ଜୀବର ଭିତରେ ପରମ ଅଛି ।
ସୂର୍ଯ୍ୟମଣ୍ଡଳରେ ଧରମ ଅଛି ।
ଗ୍ରୀଷ୍ମ ସମୟରେ ଘରମ ଅଛି ।
ତପତ ପାଣିରେ ଗରମ ଅଛି ।
ଜନ୍ତୁଙ୍କ ଦେହରେ ଚରମ ଅଛି ।
ନାରୀ ସଙ୍ଗମରେ ନରମ ଅଛି ।
ମୁହଁ ବୁଲାଇଲେ ଭରମ ଅଛି ।

        ନ ଥିବାର କି କି ନାହିଁ, ତାହା କହିବା ।
ଯୋଗୀର ଥାଳ ନାହିଁ । ଶୋଇବାକୁ ସାଳ ନାହିଁ ।
ବସିବାକୁ ପାଳ ନାହିଁ । ଘରରେ ଚାଳ ନାହିଁ ।
ମୁଣ୍ଡରେ ବାଳ ନାହିଁ । ଧାତୁରେ ଝାଳ ନାହିଁ ।
ପୁଣ୍ୟକୁ କାଳ ନାହିଁ । ଦେହରେ ବଳ ନାହିଁ ।
ରଇତର ହଳ ନାହିଁ । ନିନ୍ଦିଲେ ଛଳ ନାହିଁ ।
ଚାଲିବାକୁ ଥଳ ନାହିଁ । ସମ୍ୱନ୍ଧକୁ କୁଳ ନାହିଁ ।
ଫରିର ଠୁଳ ନାହିଁ । ନଡ଼ିଆର ଚୂଳ ନାହିଁ ।

ଏପରିରେ ସେ ରାଜ୍ୟରେ ଗୋଟିଏ ଊଣା ଦଶ ହଜାର ଫଉଜକୁ ମହାବାହାଦୂର ଦଶ ଦଶ ସରଦାର । କେଉଁ କେଉଁମାନେ ? କାଞ୍ଜି ବୈରିଗଞ୍ଜନ, ତୋଡ଼ି ଭାରୋଇମଲ୍ଲ, କୁଣ୍ଡା ଶତ୍ରୁଶଲ, ଗନ୍ଧସାର ରଣହାନ୍ଦୋଳା, ମଦରଙ୍ଗା ମେଦିନୀରାୟ, କଳମ୍ୱ ବଳିଆର ସିଂହ, କଳିଆର ବଳିଆରାଜ, ନାଲିଆଟାରେ ଭାଳିଆରାଜ । ଯୁଦ୍ଧ ଦେଖିଲେ ପଛଘୁଞ୍ଚା ଦିଅନ୍ତି । ଛୁରି ଦେଖିଲେ ହୁରି କରନ୍ତି । କାତି ଦେଖିଲେ ଛାତି କମ୍ପାନ୍ତି । ଖଣ୍ଡା ଦେଖିଲେ ଦଣ୍ଡା ହୋଇ ଶୁଅନ୍ତି । ଫରି ଦେଖିଲେ ସରି ଯାଆନ୍ତି । ଛାଟ ଦେଖିଲେ କୀଟରୁ ବଳନ୍ତି । ନଳି ଦେଖିଲେ ଗଳି ଯାଆନ୍ତି । ପଟା ଦେଖିଲେ ଛଟା ଗାଳନ୍ତି । ଗଦା ଦେଖିଲେ ପଦାରୁ ପଳାନ୍ତି । କୁନ୍ତ ଦେଖିଲେ ଅନ୍ତରେ ସଢ଼ନ୍ତି । ପ୍ରାସ ଦେଖିଲେ ତ୍ରାସରେ ଥରନ୍ତି । ସାପ ଦେଖିଲେ ବାପ ବୋଲନ୍ତି । ଏତେ କଥାରେ କି ଅଛି, ଲୁହାଧରାକୁ ଦେଖିଲେ ଜୁହାର ବୋଲି ପଳାନ୍ତି ।
ସେ ଦେଶର ବେଶ୍ୟା କିପରି କି ? ଲେଭିଡ଼ୀ ଲୀଳାବତୀ, ଥୋବଡ଼ୀ ଜଗାନ୍ନୋହିନୀ, ଲେସଡ଼ୀ କଳାବତୀ, ଭେଷଡ଼ୀ ଇନ୍ଦୁବଦନା, ଦାନ୍ତୁଡ଼ୀ କୁନ୍ଦରଦନା । ଏପରି ତାଙ୍କ ନାମ । ଅନୁକୂଳକୁ ସେ ବାମ । ଦେଖିଲେ ନିବର୍ତ୍ତଇ କାମ । ନେତ୍ରରେ ନରକ ୫୩ ଧାମ । କଣ୍ଠରେ କଉଡ଼ି-ଦାମ । ପହଣ୍ଡେ ଚାଲିକି ଝାମ । କେନ୍ଦୁକାଠ ପରି ଶ୍ୟାମ ।

ଆକୁଆ ଟାକୁଆ ଗାଲ । ଭାତୁଡ଼ି ଭରତି ଭାଲ । ଭୁଲୁତା ମଧ୍ୟରେ ଖାଲ । ଆଖିରେ ପରଳ ଜାଲ । ଶ୍ରବଣ ଅଳପ କାଲ । କୋତରା ଅଖା ସାଲ । ଖଟ ଶେଯ ଛେଳିଛାଲ । ଏପରି ଅର୍ଜନ୍ତି ମାଲ; - କପା ହେଲେ ପଳେ । ମୁଢ଼ି ହେଲେ କଳେ । କଉଡ଼ି ହେଲେ କଡ଼ାଏ । କୋଳଥ ହେଲେ ଅଡ଼ାଏ । କୋତ ହେଲେ ଯୋଡ଼ାଏ । କୟାଁ ହେଲେ ଫଡ଼ାଏ । ନାଗରମାନେ ଦେବାର ଏହା ।
ସଂସାରୀମାନଙ୍କ ବଡ଼ ମରଜି । କେତେ କହିବା ଗରଜି ଗରଜି । ସ୍ତ୍ରୀ-ପୁରୁଷ ଯୋଡ଼ିଏ ଜାତି । ବାଟେ ଘାଟେ ଯେବେ ଭେଟାଭେଟି ହୋନ୍ତି । ପୂର୍ବ ପରିଚୟ ନୋହେ କାହାର କେହି । ମୁଲାକାତ ହେବା କ୍ଷଣେ ସମ୍ଭାଷଣା ଏହି; - ତୁମ୍ଭେ କିଏ ସେ ? ନା, ତୁମେ କିଏ ସେ ? ଆମ୍ଭେ ପୁରୁଷ । ନା, ଆମ୍ଭେ ସ୍ତ୍ରୀ; ତୁମ୍ଭେ ତ ପୁରୁଷ ଆମ୍ଭେ ତ ସ୍ତ୍ରୀ, ତୁମ୍ଭେ ଆମ୍ଭେ ସଙ୍ଗ ହେବା କି ? ଭଇଁଚ ଲଟାକୁ ଯିବା କି ? ରତିକି ସଭା, ସୌନ୍ଦର୍ଯ୍ୟକୁ ଗଭା ।
ଏ ରୂପେ ପ୍ରଭୁତାରୁ ସେ ରାଜ୍ୟ ରାଜାଙ୍କର ଶୌର୍ଯ୍ୟ, ସୌନ୍ଦର୍ଯ୍ୟ, ବୀର୍ଯ୍ୟ, ଧୈର୍ଯ୍ୟ, ଚାତୁର୍ଯ୍ୟାଦି ଗୁଣମାନଙ୍କୁ କହିବା । ଉଳ୍ଲାତକର୍ଣ୍ଣ ବୋଲି ସେ ରାଜ୍ୟର ମହାରାଜା । ଯାହାର ସିଂହଦୁଆରେ ଘୁମୁରା ବୀରରାଜା । ସେ ମହାରାଜା ମହାଦୀପ୍ତିମାନ । ତାଙ୍କର ନୀତି କିପରି ? ଜନକ ରାଜାଙ୍କର ନ ଥିଲା । ଯୁଧିଷ୍ଠିରଙ୍କର ନ ଥିଲା । ଭୋଜ ରାଜାଙ୍କର ନ ଥିଲା । ମାନଧାତା ଚକ୍ରବର୍ତ୍ତୀଙ୍କର ନ ଥିଲା । ବୀର ବିକ୍ରମାଦତ୍ୟ ମହାରାଜାଙ୍କର ନ ଥିଲା । ତେଣୁ କରି ମାଗଧମାନଙ୍କ ସଙ୍ଗେ ଧୂଳି ସୁପାତିରେ ପହୁଡ଼ ହୁଏ । ସୂର୍ଯ୍ୟୋଦୟକୁ ଘେନି ବେଳ ଦୁଇ ଘଡ଼ି ପର୍ଯ୍ୟନ୍ତେ ଅନ୍ତଃପୁରେ ବିଜେ ହୁଅନ୍ତି । ଏହି ସମୟରେ ଖନ୍ଦା ଫରମାସି ହୁଅଇ;--ଚୁଚୁନ୍ଦ୍ରା ମାଂସ ପଲାଉକୁ ପେଚାପକ୍ଷୀ ଝୋଳ । ନ ଅଣ୍ଟିଲା ପରି ମହାସୁଆରକୁ ଖନ୍ଦାଫରମାସି ହୁଅଇ । କଳିକତୀ ଗଞ୍ଜାଇ ପତ୍ରର ସେରେ ଚୂର୍ଣ୍ଣ ପ୍ରସାଦ ସେବା ହୁଅଇ । ଲିଆ ପରାୟେ ଲଘୁ ଆହାର ହୁଅଇ ।

ସୁକୁମାର ମଣୋହି ବଢ଼ିଲା ଶେଯରେ ଅନାଚାର ଆଚମନ ବଢ଼ଇ । ଶୁଦ୍ଧ ଖତକୁଡ଼ରୁ ଆସିଥିବା ଚଣ୍ଡାଳଚର୍ବିତ ଗୁଣ୍ଡି ଗୁଆ ବିଡ଼ିଆ ଲାଗି ସମୟରେ ପୁରୋହିତ ଅକଲ୍ୟାଣ ମହାପାତ୍ର ଗୋସାଇଁ ଆସି ଅମଙ୍ଗଳାରୋପଣ ସାରି ଏପରି ଆଶୀର୍ବାଦ ଦିଅନ୍ତି । କି ରୂପେ କି;--
ରାସଭସ୍କନ୍ଧମାରୂଢ଼ୌ ଗୁଧ୍ରଗୋମାୟୁ ଭକ୍ଷତାମ୍‌ ।
କୁଟୁମ୍ୱଃ କ୍ଷୀଣତାଂ ଯାତୁ ଯୋଷିତ୍‌ ଭ୍ରଷ୍ଟା ତବାସ୍ତୁ ହି ।
ଆଶୀର୍ବାଦଃ ଶିରଶ୍ଛେଦଃ ପତ୍ନୀଭ୍ରଷ୍ଟଃ ତଥୈବ ଚ ।
ପୁତ୍ରପୌତ୍ରାଃ କ୍ଷୟଂ ଯାନ୍ତୁ ନିଷ୍କଟୁମ୍ୱାସୁଖୀ ଭବ ।

ଏପରି ଦୀର୍ଘାୟୁ ପ୍ରତିପତ୍ତିକୁ ଆଶୀର୍ବାଦ ଗ୍ରହଣାନ୍ତରେ ରାଜାଙ୍କର ଥିବା ପ୍ରତିକୂଳ ଜୌତିଷରତ୍ନେ ଦିନାଦି ପାଞ୍ଜିପଞ୍ଚାଙ୍ଗ ଜଣାନ୍ତି । କିପରି କି ;---
ତୈଳାଙ୍ଗା ଯବନୀ ପୁଳିନ୍ଦଗୃହିଣୀ ପୋଟା ବହିର୍ଦାସିକା
ଲାଜା ସର୍ପ ବିଲୋଚନା ଚ ଶବରୀ ହୀନମ୍ୱର ଯୋଷିତା ।
ଏତେ ନାଶପ୍ରଦାଶ୍ଚତେ ନରପତେ ଦତ୍ୱାଶିଷଂ ସର୍ବଦା
ଗୋଧାଗୃଧ୍ରପକ୍ଷୀ ଚ ପେଚକପକ୍ଷୀ କୁର୍ବନ୍ତୁ ଚାମଙ୍ଗଳମ୍ ।

ମହାରାଜ ! ମଙ୍ଗଳବାର ପନ୍ଦର ଦଣ୍ଡ ପାଇଁ ଶୁକ୍ରବାର ପ୍ରବେଶ ହେବ । ତିଥି ପୂର୍ବାଷାଢ଼ା ଅଣଚାଶ ଦଣ୍ଡ । ଆୟୁଷ୍ମାନ ନକ୍ଷତ୍ର ବୟାଳିଶ ଦଣ୍ଡ । ଦୁଇପାଦ ଚନ୍ଦ୍ର ପନ୍ଦର ଦଣ୍ଡ । ବୃଷ କରଣ ଷାଠିଏ ଦଣ୍ଡ । ରବି ଚଉଦ ଅଂଶ ପଞ୍ଚତ୍ରିଂଶ କଳାକୁ ମାସର ସାତଦିନ ଭୋଗ ହେଲା । ତାର ସପ୍ତମ, ଚନ୍ଦ୍ର ଅଷ୍ଟମ । ଦିନଯାକ ବିଷ୍ଟି କରଣ । ମହାରାଜ, ସମସ୍ତ ଶୁଭ ହୋଇ ଅଛନ୍ତି । ବାମ ପାଖ ଶ୍ରୀଅଙ୍ଗ ମଧ୍ୟ ସ୍ଫୁରୁଥିବ । ଦକ୍ଷିଣ ଦିଗକୁ ଯାତ୍ରା । ଆଜ ଅର୍ଦ୍ଧରାତ୍ର ସମୟରେ ପନିଅର ଲାଗିକି ଉତ୍ତମ ଯୋଗାଉଛି । ଯେ ଦିବ୍ୟ ଅବଧାନକୁ ଆସିବ ।

ଏପରି ପଞ୍ଚାଙ୍ଗ ଶ୍ରବଣ ବଢ଼ିଲା ଉତ୍ତାରୁ ଦନ୍ତଧାବନ ସୁଳେଇ ଏକାବେଳେକେ ବଢ଼ିଲା । ଦ୍ୱାଦଶାଙ୍ଗୁଳ ସ୍ଥୂଳ ଅଷ୍ଟାଦଶଙ୍ଗୁଳ ଦୀର୍ଘ ଚିତ୍ରକିଳାସନ ଉପରେ ଦେବାର୍ଚ୍ଚନ ବଢ଼ିଲା । ନିରକ୍ଷର ବାହିନୀପତି ପୁରାଣପଣ୍ଡା ଗୋସାଇଁ ଶୁଣାଇବାର ପୁରାଣ କିପରି ବୋଲନ୍ତେ;--
(ପୁରାଣ)
ଗୁଡ଼ସେଠୀ ପୁରୁଷାୟ ଛୋକରାଣି ଚ ଶେଖରମ୍‌ ।
ଖରଂ ଚ ମନସି ଧ୍ୟାତ୍ୱା ତତୋ ଜୟମୁଦୀରୟେତ୍‌ ।।
କୁଳଟାନାଂ ନିସର୍ଗୀୟ ନମସ୍ତସ୍ମୈ ଦୟାଳବେ ।
ଯେନ ତାଃ ସ୍ୱପତିଂ ହତ୍ୱା ପାଳୟନ୍ତି ପରାପରମ୍‌ ।।

ଶ୍ରୀ କୁଳଟାୟୈ ନମଃ
କଦାଚ ବ୍ରହ୍ମହତ୍ୟୟାଂ କଳିଂ ପପ୍ରଚ୍ଛ ଦୁର୍ଣ୍ଣୟଃ ।
କେନୋପାୟେନ ସଂସାରାତ୍‌ ତରିଷ୍ୟନ୍ତୀତି ଦେହିନଃ ।।
ସର୍ବୋଚ୍ଛାଦନ-ଚାତୁର୍ଯ୍ୟଂ ଧୂରୀଣାସି ମହାମତେ ।
ବପ୍ରବେଶା ମହାଶିକ୍ଷା ଯତ୍ତୋକ୍ଷା ମଟିସ୍ୱତିଃ ।

ଓଁ କଳିରୁବାଚ
କଥୟାମି ପରଂତତ୍ତ୍ୱଂ ଶୃଣୁ ବହେ ସମାହିତଃ ।
ଅନୁଗ୍ରହ ସମେ ପାତଂ ଯତୋଽସି ମୟି ଭକ୍ତିମାନ୍‌ ।।
ପାପାତ୍ସଂବର୍ଦ୍ଧତେ ଲକ୍ଷ୍ମୀଃ ପାପାତ୍ସଂବର୍ଦ୍ଧତେ ଯଶଃ ।
ପାପାଦ୍ଦୀର୍ଘଂ ଭବେଦାୟୁଃ ପାପାତ୍‌ ନାସ୍ତ୍ୟଧିକଂ ବ୍ରତମ୍‌ ।
ସେବ୍ୟତାଂ ପାପକର୍ମାଣି ତ୍ୟଜ୍ୟତାଂ କୃତିନୋ ଜନାଃ ।
ସର୍ବପାତକ କର୍ତ୍ତୃଣାଂ ସ୍ଥାନକ୍ଷେତ୍ରମୁଦାହୃତମ୍‌ ।।
ଏକସ୍ତେ ବଧ ସଂବ୍ରାତ ବ୍ରାହ୍ମଣଂ ଚ ବିଶେଷତଃ ।
ତିରସ୍କାରଂ ଚ ସତ୍ସ୍ୱିଦଂ ନାନା ଜାତି ସମୁଦ୍ଭବମ୍‌ ।
ନ ପିବେସ୍ୱପଚେବସ୍ୟ (?) ନାପିତାନ୍‌ ବ୍ରାହ୍ମାଣାନ୍‌ ଭଜେତ୍‌ ।
ବିବିଧା ଚିନ୍ତୟା ଶାନ୍ତି ଯାବନ୍ନ ଚରଣ ଦ୍ୱୟମ୍‌ ।
ଗଙ୍ଗାୟାଂ ଶ୍ଳାଘ୍ୟମାଲୋକ୍ୟ ବିନା ସ୍ନାନଂ ଗୃହଂ ବ୍ରଜେତ୍‌ ।
ଦୁଷ୍ଟ୍ୱା ଗୋବ୍ରହ୍ମହନ୍ତାରଂ କର୍ତ୍ତାନୃଣ୍ୟଂ ବିମୁଚ୍ୟତାମ୍‌ ।
ଲବ୍‌ଧ ବିତ୍ତଂ ନ ଭୁଞ୍ଜିତୋ ବିତଯୁତଃ ଦିବୋତ୍ତମଃ ।
ଚୌର୍ଯ୍ୟୈଃ ସୌର୍ବର୍ଜିତୈର୍ବିର୍ତ୍ତୈଃ ଶରୀରଂ ପାଳୟ ସ୍ୱକମ୍‌ ।
ସଂପର୍କଂ ପଣ୍ଡିତୈଃ କୃତ୍ୱା ତାତ କ୍ଷୋଭଃ ଭବିଷ୍ୟତି ।
ଅକ୍ଷରାଙ୍କେନ ସଂଗ୍ରନ୍ଥା ଶକାରୈଃ ତତ୍ର ଯୈଃ ନିତ୍ୟମ୍‌
ଇଦଂ ରହସ୍ୟମାୟୁଷଂ ମୁକ୍ତିସ୍ନେହାତ୍ତବାଗ୍ରତଃ ।
ଅନେକ କର୍ମଣାଂ ନାଶଃ ପରତ୍ରେହ ଚ ଯାସ୍ୟତି ।

ଓଁ ହରି ତତ୍‌ସତ୍‌ । ଇତି ଶ୍ରୀ ବିଧୁତ ନାନା ପାପାତନୋର୍ହିତଃ ମୃଳସ୍ୱତାମିପତ୍ରାବନ ତତ୍ପତି କଂସାହାତି ନରକଚୟ ପରିଚୟୋ ଚାତୁର୍ଯ୍ୟ ପ୍ରତିପାଦକେ କୌତୁକାର୍ଣ୍ଣବେ ମହାପୁରାଣେ କଳି ଦୁର୍ଣ୍ଣୀତି ସମ୍ୱାଦେ ତ୍ରୟୋଦଶୋଽଧ୍ୟାୟଃ ।
ଅମଙ୍ଗଳଂ ମହାପୂର୍ବ ଜଗତୁ ପ୍ରଳୟଂ ଯାତୁ
ଶିଶିରେ ବର୍ଷତୁ ମେଘୋଽଶୁଭ ବିପ୍ରା କୃଷିକ୍ଷୀଣା ।
ପୁରାଣପଣ୍ଡା ଗୋସାଇଁ ଏପରି ପାରାୟଣ ସାରି, ପୋଥି ବାନ୍ଧି, ପୋଥି ଶ୍ରୀ ମହାରାଜାଙ୍କ ନାକରେ ଛୁଆଁଇ ପ୍ରସାଦ ବିଛୁଆତି-ଦଳ ଚକ୍ଷୁରେ ଘଷି ଦେଇ ଶ୍ରୀ ମହାରାଜାଙ୍କଠାରୁ ଆଶୀର୍ବାଦ ଘେନି ବିଦା ହୋଇଗଲା ଉତ୍ତାରୁ ଦିବାନ ଆଦିଦୁର୍ବୋଧ ଧୁରନ୍ଧର ବେହିଆ ମହାପାତ୍ରେ ଆସି ଶ୍ରୀଛାମୁରେ ପଞ୍ଛାଶ ଜଣ ବାଉରି ଭଲଲୋକ ଥିବାରେ ଅତି ଏକାନ୍ତରେ ଅତି ଧୀର କରି ମେଘ-ଗର୍ଜିତ ସାମାନ୍ୟ ସ୍ୱରରେ ପିଠିଆଡ଼ ଛାମୁରେ ଯାଇ ରହି କହନ୍ତି । କି ରୂପେ କି; --‘‘ହେ ମହାରାଜ, ସଦାନନ୍ଦ ବ୍ରହ୍ମଚାରୀ ଗୋସାଇଁଙ୍କର ଝିଅ ଗୋଟିଏ, ସନ୍ନ୍ୟାସୀ ଅଶମ୍ଭୁ ତୀର୍ଥସ୍ୱାମୀମାନଙ୍କର ଝିଅ ଗୋଟିଏ, ରାଜଗୁରୁ ଗୋସାଇଁଙ୍କର ଝିଅ ଗୋଟିଏ, ପୁରୋହିତ ଗୋସାଇଁଙ୍କର ଝିଅ ଗୋଟିଏ ଏପରି ଚାରି କନ୍ୟାଙ୍କର ନାକନା ଭଳି ସମୟରେ ଉଚିତ ହେବାର ଦୁର୍ବାକ୍ଷତ ବିଧି ବିଚାରି ନ ପାରିବାରୁ ଏହି ନଜିକରେ ଚାରି କନ୍ୟାଯାକ ପିତୃତର୍ପଣ ତୀର୍ଥରେ ପୁଷ୍ପବତୀ ହେଲେ ।

ଦେଉ ତ ଗଧପତି, ସାକ୍ଷାତ୍‌ ଅଧର୍ମ ଅବତାର, ଭୂମି-ଶବର ପରି ମହାରାଜତ୍ୱ କରି ଆଜ୍ଞା ଦେଉ ଅଛନ୍ତି; ମହାପ୍ରଭୁ ପାରଂପର୍ଯ୍ୟ ପ୍ରକ୍ରମରେ ମହାରାଜାଙ୍କ ଦରବାରରେ ଚଳି ଆସୁଥିବା ନ୍ୟାୟକୁ ବିଚାରିଲେ ସେ ଚାରି କନ୍ୟାଙ୍କୁ ସରକାରକୁ ଆଣିବାକୁ ହେବ । ନୋହିଲେ, ରାତି ସହରରେ ରୋଜ ବୁଲିବାର କଟୁଆଳ ଅବା ପଠାଣ ପାଇକେ ନେବାର ମର୍ଯ୍ୟାଦା । ଭାଇ ନ ଥିବା ପକ୍ଷକୁ ମାମୁଁ ଭୋଗ କରିବାର ପସନ୍ଦ । ଏବେ ମହାରାଜାଙ୍କ ପରା ପରମାବିବେକ ଶ୍ରୀ ଖାମିନ୍ଦ ବିଜେ ଅବସ୍ଥାନ କରୁ କରୁ ରାଜ୍ୟ ଅରାଜକ ହେଲା ପରିରେ । ସେ କନ୍ୟାମାନଙ୍କୁ ପୂର୍ବରୁ ବିବାହ ହୋଇଥିବା ଅଣ୍ଡିରାମାନେ ଆସି ଘେନିଯିବାକୁ ନାନା ହେଙ୍ଗମା କରୁଛନ୍ତି । ଏଥକୁ ରାଜ ଆଜ୍ଞା ହେଲେ ସେ କନ୍ୟାମାନଙ୍କର ମାଆମାନଙ୍କୁ  ବଦଳି ଦିଆଯାଇ ସମୁଜାଇ ଦେବାକୁ ପଡ଼ିବ । ମହାରାଜ ! ଲୋକେ କହିବାରେ ବିବାହ ପୁଣି ଠିକଣା ନାହିଁ । ଛାମୁଣ୍ଡିଆ ଉପରେ ବେଦୀ ତଳରେ, ପୁରୋହିତ ପୁଣି କର୍ମ କରି ହସ୍ତଗ୍ରନ୍ଥି ପକାଇ ଦେଇ ବାହାରିଗଲେ । ମହାରାଜ ! ଯଥାବିଧିରେ ଯେ ଟି । ନଦୀ ତଟରେ ହେଲେ ହୁଅଇ, ତୋଟା ମାଳରେ ହେଲେ ହୁଅଇ, ଭଗ୍ନ ଦେବାଳୟରେ ହେଲେ ହୁଅଇ, ଏପରି ସିନା ବଡ଼ଲୋକମାନଙ୍କର ମର୍ଯ୍ୟାଦା । ପୁରୋହିତ ବାକ୍ୟ ପଢ଼ି ପଢ଼ି ହସ୍ତଗ୍ରନ୍ଥି ପକାଇ ଦେଇଯିବାର କିପରିରେ ହେଲା ? ଏ ସକାଶରୁ ମୁଁ ପ୍ରାନ୍ତରୁ ଜଣାଇଲା ପରି ହୁକୁମ ହେବାର ଅଛି । ନୋହିଲେ ରାଜଧର୍ମକୁ ବହୁତ ଅସୁନ୍ଦର ଦିଶିବ । ଦିବ୍ୟ ଅବଧାନକୁ ଆସିବ । ମହାପ୍ରଭୁ ! ଏ ସଂଶୟ ତ ଏପରି, ଆଉ ଗୋଟିଏ ବିଷୟ ଏହିପରି;- ଗୋଟିଏ ଅବିଦ୍ୟା ଭଲଲୋକ ଜଣଙ୍କ ଘରେ ଜାତ ହେଲାବୋଲି ଶୁଣାଯାଉଅଛି । ଏମନ୍ତ ଅନ୍ୟାୟ ପ୍ରବର୍ତ୍ତିଥିଲେ ମୁଲକକୁ ଅମଙ୍ଗଳ ହେବ । ଆଜ୍ଞା ! ପୁରୋହିତେ ଲକ୍ଷ ଲକ୍ଷ ଭରଣ ଲୁଣ, ଅନେକ ମାଛ, ସହସ୍ର ସହସ୍ର ବୋଝ ସାରୁ ଅମଳ କରିଥିବାରୁ ଉତ୍କୃଷ୍ଟ କୁଳରେ ସମୁତ୍ପନ୍ନ ଅଟନ୍ତି ।
ବାପେ ଯେବେ ଦଶବିଂଶ ବର୍ଷ ଭେଣ୍ଡିଆ ଥାନ୍ତେ, ମାଏ ଗ୍ରନ୍ଥ ପର୍ଯ୍ୟନ୍ତ ବ୍ୟାପିବାର ଅଖଣ୍ଡ ପାଣ୍ଡିତ୍ୟ ସଂପାଦିଥାନ୍ତେ ତେବେ କହନ୍ତେ । ଏବେ ହେଲେ ପଦେ ପଦେ ମନୁଷ୍ୟ ଭାଷା ପରି ପ୍ରତୀତ ହୋଇ ଯାଉଥିବାର କଥା କହିବା ପରି ପରା ଶକ୍ତ ଅଛନ୍ତି । ଏପରି ଜ୍ଞାତସାରରେ ଅଛନ୍ତି, ବୃଦ୍ଧି ଅଛନ୍ତି । ଆପଣ ପୁଣି ଠିଆ ନୋହି ବସି ପ୍ରସା କରି ପାଣି ଘେନି ପକାଇଲେ ! ମହାରାଜା ତ ବ୍ରାହ୍ମଣ ଭକ୍ତ; ପ୍ରଭୁ, ସେ ତ ବ୍ରାହ୍ମଣ । ତାଙ୍କଠାରୁ କଉଡ଼ି ଜରିମାନା ଚାଙ୍ଗଡ଼ା ଘରକୁ ଆସିବ ନାହିଁ । ଆଜ୍ଞା ହେଲେ, ଶହେ ବିସା ସାବଳା ଶୁଖୁଆ ଜରିମାନା ଘେନାଇ ଠାକୁରଘରମାନଙ୍କୁ ଦିଆଇବାକୁ ପଡ଼ିବ । ଏଥି ଉତ୍ତାରୁ, ମହାରାଜ, ସମସ୍ତ ଗଡ଼ିଆ ଧାଙ୍ଗଡ଼ାମାନେ, ସମସ୍ତ ଚାଷର ରଇତମାନେ, ସିପାଇ ଭଲ ଭଲ ଲୋକେ, ଭାଇ ଦାଦିମାନେ ମଧ୍ୟ ଅନ୍ନବସ୍ତ୍ର ନ ମିଳିବାରୁ ଏବେ ରହି ନ ପାରନ୍ତି । ପାପଡ଼ା,ଚାକୁଣ୍ଡା,ସଲପ ଏପରି ମିଳୁଥିବା ସୁଭିକ୍ଷ ଜାଗାମାନଙ୍କୁ ଯାଇ ଜୀଇ ଘେନିବୁ ବୋଲି ଦୁଃଖ ଗୋଚର କରିବାରୁ ସମସ୍ତଙ୍କୁ ବାହା ଟେକି ଆଜ୍ଞା ହେଲେ, ରାଜ୍ୟ ବାହାର କରାଇ ଦେଲେ । ପ୍ରଭାତରୁ ଦେଶନ୍ୟାୟ ନିମିତ୍ତରେ ଯିବାକୁ ତୁଚ୍ଛା ମାଠିଆ, ଭାଲିଆ ପଲମ, ତଷୁ ଛେଲୁଆ, ତୈଳ କଳସୀ, ବାଳବିଧବା ସ୍ତ୍ରୀ,ନାଗସାପ,କପାମଞ୍ଜି,କଳାବିରାଡ଼ି ଏପରି ସମସ୍ତ ଅନୁକୂଳ-ସମ୍ଭାର ରଖି ଓଟକୁ ଜିନିସ ଦିଆଇବା ସମୟରେ ଆମ୍ଭ ତାଳୁକା କଳମ୍ୱମୁଠା ସମ୍ୱନ୍ଧ ଜନଶୂନ୍ୟପଡ଼ା ଗ୍ରାମରେ ଧାନୁଟା ଭିତରେ ଚାଉଳଟାଏ ବାହାରିବାର ମହାଉତ୍ପାତ ଖବର ଶୁଣି ପ୍ରୟାଣୋଦ୍ୟମ ମକୁବ କରାଇ ଫେରି ଶ୍ରୀଛାମୁକୁ ବାହାରି ଆସିଲି ।
ଏପରି ନିତ୍ୟନିତ୍ୟ ହକିକତ ଗୋଚର କରି ଦିବାନାଦି ମେଲାଣି ହୋଇ ବଣକୁ ଯିବା ଉତ୍ତାରୁ ଚାରିପାଖରେ ଚାରିଜଣ ଲମତା ରହି ବିପରୀତ ‘ରାମ’ ନାମ ଶୁଣାଉଥିବା ସମୟରେ ବହିର୍ବାସୀ ହେବା ପୁଳିନ୍ଦୀ ଦାସୀମାନେ ଆଣି ହାଜର କରିବାର ଦିବ୍ୟ ଶୁଦ୍ଧୋଦକରେ ଦେହପାଣି ବଢ଼ାଯାଏ ।
ଏମନ୍ତ ସମୟରେ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର ଆସି ଶ୍ରୀହସ୍ତ ଦେଖି ଜଣାଇବାର କିପରିରେ ବୋଲନ୍ତେ—ମହାପ୍ରଭୁ, ବାତ କଫ ବିକାର ହୋଇ ଆଜ ଶ୍ରୀଅଙ୍ଗ ଉତ୍ତମ ସୁଖ ଅଛି । ଲେମ୍ୱୁରସ, କର୍ପୂର, ପଇଡ଼ପାଣି ମଣୋହି ହେବ । ସାୟଂକାଳ ସରିକି ମହାଦେଈଙ୍କ ଛାମୁରେ ଭେଟଆଜ୍ଞା ହେବ । ଏପରି ଜଣାଇ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର ଭେଟି ଘେନି ମେଲାଣି ଦେଇକରି ଗଲା ଉତ୍ତାରୁ ଘୁମୁରା, ଚାଙ୍ଗୁ, ଢୋଲ, ଢୁମ୍ପା, ଢାମ୍ପ ଇତ୍ୟାଦି ମହାରାଜସଭା ସଞ୍ଚିତ ହେବାର ବାଦ୍ୟମାନ ବାଜିଲା । ଗାନ୍ଧର୍ବ ରାଜସଭା ପରି ସଙ୍ଗୀତ ପ୍ରବର୍ତ୍ତିଲା । ସେ ମହାରାଜା ତ ସଙ୍ଗୀତ ବିଦ୍ୟାରେ ପ୍ରବୀଣ; ସିତାର ଧରି ରାଜ୍ୟାନ୍ତରରୁ ଆସି ଛାମୁରେ ମୁଲାକାତ ହେବା ଶୁଣି କି ଆଜ୍ଞା କଲେ—ସିତାର ତ ଆଣିଛୁ ଚାମର ଆଣିନାହୁଁ କି ? ବୋଲି ପଚାରି ଆଜ୍ଞା କଲେ । ଏପରିରେ ସେ ରାଜଧାନୀରେ ସମସ୍ତ ଗୁଣ ସମ୍ପତ୍ତି ପୂରି ଅଛନ୍ତି । ଆହୁରି ଗୋଟିଏ ଗୁଣ ମାତ୍ରକ ଅଳ୍ପ ଅଛି; କେଉଁ ଗୁଣ କି ସେ—ରାଜା, ଦିବାନ, ରାଜଗୁରୁ, ପୁରୋହିତ, ଦଶ ସରଦାର, ପଟ୍ଟନାୟକମାନେ, ସହର କଟୁଆଳ, ଖନ୍ଦାବ୍ରାହ୍ମଣମାନେ, ଲମତାମାନେ, ଦତ୍ତପରୀଛା ଏମାନେ ଅଳ୍ପ କାଲା ।
ଏକ ଦିନକରେ ଏକା ପୁରୋହିତଙ୍କୁ ଛାଡ଼ି ସମସ୍ତେ ଥିବାରେ ଶ୍ରୀ ମହାରାଜଙ୍କ ଖରଶେଖର ବୋଲାଇବାର ଆଣ୍ଠୁଏ ଉଚ୍ଚ ଘୋଡ଼ା ଆଗପିଛା ଦଉଡ଼ି ଛିଣ୍ଡାଇ ବୋଡ଼ାସାପ ପରି ଜଲଦି ସେ ଘୋଡ଼ା ଫିଟି ପଶି ଖନ୍ଦା ମାରା କରିବାରୁ ଦଉଡ଼ି ପରୀଛା ପହଞ୍ଚି ପୁରୋହିତଙ୍କୁ ଧରି ପକାଇ ଖୁବୁ କରି ଟାଙ୍କେ ଛେଚି ଦେଲା । ପୁରୋହିତେ ଆସି ମହାରାଜାଙ୍କୁ ଆଜ୍ଞା କଲେ । ‘‘ମୋତେ ମନୁଷ୍ୟ ମାଇଲା’’ ବୋଲି ଫିରାଦ କରିବାରୁ, ରାଜଗୁରୁଙ୍କୁ ଚାହିଁ ପଚାରି ଆଜ୍ଞା କଲେ ‘‘ଗୋସାଇଁ ! ପୁରୋହିତେ କି କହୁ ଅଛନ୍ତି?’’

ରାଜଗୁରୁ ଜଣାଇଲେ, ‘‘ମହାରାଜ, ସ୍ମାର୍ତ୍ତ ବୈଷ୍ଣବ ଦୁଇ ପକ୍ଷରେ ନିଶାମଙ୍ଗଳବାର ରବିବାର ପରଦିନ ଶୁକ୍ରବାର ପୂର୍ବଦିନ ଦ୍ୱିବିଧ ହେଉଅଛି । ରବିବାର ବୈଷ୍ଣବମାନେ ପାଳିବେ, ଶୁକ୍ରବାର ସ୍ମାର୍ତ୍ତମାନେ ପାଳିବେ । ପୁରୋହିତେ ଜାଣନ୍ତି, ସ୍ମୃତି ଭଲ କରି ନ ବିଚାରି ଜଣାଇ ଅଛନ୍ତି । ମହାରାଜ ! ଅମୁକ ନାମା ସ୍ମୃତି ଉଚ୍ୟତେ—ମାରିଷ ବିଭିନ୍ନ ପାଳଙ୍ଗ ଭିନ୍ନତ୍ୱେ ସନ୍ତି କୋଶଳାର୍ଥା ନ ତିରନିର୍ଷା ତୋତଡ଼୍‌ତା ସମ୍ୱନ୍ଧାବଚ୍ଛିନ୍ନ ଗନ୍ଧାବଚ୍ଛିନ୍ନ ଗନ୍ଧସା ଜଳକତାଦଛେଦକତ୍ୱଂ ଶ୍ରୁତିତ୍ୱଂ । ଶ୍ରୁତିବଦର୍ଥ ସଜ୍ଞାନସ୍ୟ ଶ୍ରୁତିବତ୍ସଳ ଜ୍ଞାନସ୍ୟ ଚ । ଚମତ୍କୃତି ଜନକତୟା ଲେଉଟିଆ ବିଷ୍ଣୁ, ଚମତ୍କୃତି ଜନକତୟା କୋଶଳା ମାରିଷୟୋ ବିଷିୟତା ସମ୍ୱନ୍ଧେନାବଛେଦକତ୍ୱାତ୍‌ । ପାଳଙ୍ଗ ଗନ୍ଧଣା ଧାନ୍ୟଂ ତରକିଷ୍ଣାବଚ୍ଛେଦ ଜିତାୟୁ ସ୍ମୃତେ । ତପ୍ୟଦଳତ୍ୱା ଲକ୍ଷଣଂ ସମଂପନ୍ୟାୟଃ । ପାଳଙ୍ଗ ଭିନ୍ନତ୍ୱାନିବେଶଃ ପାଳଙ୍ଗବଦର୍ଥ । ଜ୍ଞାନସ୍ୟ ଚମତ୍କୃତି କନକ-ଜାବଚ୍ଛେଦକତ୍ୱାତ୍ତସ୍ୟା । ସୃତତ୍ୱା ନ ଭୂପଗମେନ ତତ୍ରତ୍ୟ ବ୍ୟାପ୍ତିଃ କାରଣାୟା ପାଳଙ୍ଗ ଭିନ୍ନତ୍ୱାନିବେଶଃ ମାରିଷ ବସୁତେରପି କୋଶଳା ପ୍ରଭେଦୟୋ କୋଶଳାବଲ୍ଲେଭଟିଆଃ । ଅବ୍ୟାନ୍ତି କାରଣାୟ ମାରିଷଃ ଭିନ୍ନତ୍ୱାନିବେଶଃ ମାରିଷ ବସ୍ତୁତେରପି କୋଶଳା ପ୍ରଭେଦୟୋ କୋଶଳାବଲ୍ଲେଭଟିଆଃ।’’
ଏପରି ମୁଖହସ୍ତାଭିନୟରୁ ରାଜଗୁରୁ କି କହୁ ଅଛନ୍ତି ବୋଲି ମହାରାଜା ଦେବାନଙ୍କୁ ପଚାରିବାରୁ ସେ ଜଣାଇଲେ ‘‘ମଣିମା ! ରାଜଗୁରୁ ଗୋସାଇଁଙ୍କର ସାତଶ ଊଣା ଅଢ଼ାଇଶ ଭରଣ ପର୍ବତ ଶିଖରେ ଦିବ୍ୟ ନଦୀତଟ ଭୂମି ଅଛି । ସାହାଡ଼ା, ବାହାଡ଼ା, ଭଇଁଚ, ରାହାଢ଼ି କୁରାଢ଼ିଭଙ୍ଗା, ବାବଲ, କରଞ୍ଜ, କୋଚିଲା ଇତ୍ୟାଦି ନାନା ପ୍ରକାର ଖନ୍ଦ ହୋଇଅଛି ।
ଖୁଲାସ ପନ୍ଦର ବଖରା ଡିହରୁ ପାଞ୍ଚ ବଖରା ଅଧକେ କୁଟୁମ୍ୱ ରଖି ବାକି ତେର ବଖରା ଦୁଇପା’ରେ ଦିବ୍ୟ ଦୁଦୁରା, ଓଡ଼ଶମାରି ବୁଣାଇ ଅଛନ୍ତି । ଏପରି ପନ୍ଦର ବଖରାକୁ ଏଥି ଉତ୍ତାରୁ  ଯେବେ କାର୍ଯ୍ୟ ନ ଚଳିଲା ବୋଲି ଜଣାଉ ଅଛନ୍ତି, ମହାରାଜା କଳ୍ପଦ୍ରୁମ ସାକ୍ଷାତ୍‌ ଆଖୁପର୍ବ ତ, ଆଉ ଦଶ ଗଛ ଦୁଦୁରାକୁ ମହାରାଜା ଆଜ୍ଞା କଲେ କିଏ ସେ ନାହିଁ କରିବ, ଏଥିକି ଯେ ରାଇ ।
ପ୍ରଧାନ ସରଦାର କାଞ୍ଜି ବୈରିଗଞ୍ଜନ । ସେ ଗୋଡ଼ ଯୋଡ଼ି ପିଠି ଆଡ଼ କରି ଜଣାଇଲେ । ‘‘ଦେଉ ! ଗଧପତି ! ଶ୍ରୀଛାମୁରେ ଯେ ପୁରୋହିତ ଜଣାଇ ଅବଧାନ କଲେ । କଟୁଆଳର ଟିଣା କଥା ସରଦାରମାନଙ୍କର ନ ଗଲା ବୋଲି, ମହାପ୍ରଭୁ, ଆମେ ବୋଲିବାର କଥା ଏତିକି – ହଇହୋ କଟୁଆଳ ! ଚଟିଆଟିଏ ମାରି ସରକାରଙ୍କୁ ଫଡ଼ିଆ ଦିଅ । ପାତ୍ରମାନଙ୍କର ପୁଡ଼ା ନ ପହୁଞ୍ଚିଲା । ଦଶ ଘରଯାକ ତିନିଦିନ ପର୍ଯ୍ୟନ୍ତ ମାଂସ ଖାଇ ପ୍ରିୟାପ୍ରୀତି ଘରମାନଙ୍କୁ ପଠିଆଇଲେ ବୋଲି ଧୋକା ହେବାକୁ ପାଇଲୁ । ଚାଳିଶ ତିରିଶ ବର୍ଷର ନିପଟ ପିଲାମାନେ ପ୍ରାଣ ମୂର୍ଚ୍ଛି କରି ବଡ଼ ଖରାରେ ତେଡ଼େ ଚଟିଆ ଲାଛି ଶଗଡ଼ରେ ପକାଇ ଆଣି ଛାମୁରେ ଦୃଶ୍ୟ କରାଇଲେ । କଟୁଆଳ ଖାମିନ୍ଦ ହୋଇ କରି ଯେ ଥିଲା, ଭଲା କିଛି ନୋହିଲେ ହେଲେ, ଲୁଗାପଟା ନ ମିଳିଲା ବୋଲି ଦିଗପଟା ଯେହେଲେ ଦିଆଇ ପାରିଲା ନାହିଁ ? ମହାପ୍ରଭୁ, ଏତିକି ବୋଲିବାରୁ ପାଏ ପଡ଼ି ଶୋଇ ଯେତେ ଫଜିତ କଲା ପୁରୋହିତ ଗୋସାଇଁ ଆସି ଆଦ୍ୟରୁ ଗୋଚର କରିଅଛନ୍ତି । ଆମେ ଆଉ ପାଦୁକାରେ କିସ ଗୋଚର କରିବୁ ?’’

ତହିଁରୁ ଲମତାମାନେ କି ଠଉରାଇଲେ କି, ଛାମୁ ଦିଗକୁ ଗୋଡ଼ ଯୋଡ଼ି ଓ ସାଷ୍ଟାଙ୍ଗ ହୋଇ ପାଏ ପଡ଼ି ଜଣାଇଲେ, ‘‘ମହାପ୍ରଭୁ ! ଏ କଥା ଯେବେ ସତ ତେବେ ନିୟମଟାଏ କରି ଆଜ୍ଞା ହୁଅନ୍ତୁ । ହାରି ଦେବା ଦିନ ଆମ୍ଭଙ୍କୁ ସଭା ବେହରଣରେ ଏକା ଜଗାଇ ଆଜ୍ଞା ହୁଅନ୍ତୁ । ପୁରାଣପଣ୍ଡା ଗୋସାଇଁ ତ ନିତି ବସୁ ଅଛନ୍ତି, ଆମର ଦିନେ । ହେଲେ ହେଲା, ତହିଁକି କି ହେଲା ? ସରଦାରମାନେ ବଡ଼ଲୋକଗୁଡ଼ାକ ହୋଇ ସେବା କଲା ଚାକର ଗୁଡ଼ାକ ନାମରେ ଉଡ଼ାଇ କରି ଏଡ଼େ କଥାଟାଏ କହିଲେ ! ଆଉ କାହିଁକି ପୃଥିବୀରେ ଅଗ୍ନି ବରଷିବ ? ମହାରାଜା ! ଲେଖାରେ ବଡ଼ ପରୀଛା ଆମ୍ଭର ଦାଦା ହେବେ ତାଙ୍କର ଆଈ ଆମ୍ଭର ଦଇବରେ ଶାଳୀ ହୁଅନ୍ତି । ତାଙ୍କୁ ଆମ୍ଭର ଟାପରା କି ରୁପରେ ହେଲେ । ମହାପ୍ରଭୁ ! ରତ୍ନକଠାଉ ତଳେ କହିଲେ କିପରି ? ଏକଦିନେ ଦଉଡ଼ି ପରୀଛାର ଝିଅଟା ପରା, ଆମ୍ଭର ବଡ଼ ବହୂ ହେବେ, ତାଙ୍କୁ ମାତ୍ର ଧରି ପାଞ୍ଚ କି ଏଗାର କ୍ଲୀବ ଜଳି ଆରପାଖକୁ ଚାକୁଣ୍ଡାବଣ ଭିତରକୁ ଯାଇଥିଲୁ ।’’
ଏଥିରୁ କି ଜାଣି ଖନ୍ଦା – ବ୍ରାହ୍ମଣ ଜଣାଇଲେ କି, ‘‘ଆଜ୍ଞା ! ଏ କଥା ସତ । ମୁଠା – ଚାମର, ଝରୀଚାଦର, ପାନଭାଙ୍ଗି ତବକ ଇତ୍ୟାଦି ସେବା ତ ଆମ୍ଭର ନିଯୋଗ । ଶ୍ରୀଦଦା ଦେଉ ମହାରାଜା ତ ମହା ବ୍ରାହ୍ମଣ୍ୟ ସାକ୍ଷାତ ହତଶ୍ରୀ ଥିଲେ । ପଇତା ଦେଖି ବିସୁଖ ପାଇବାରୁ ଏ ପାଞ୍ଚ ସେବା ଆମ୍ଭଙ୍କୁ ଅନୁଗ୍ରହ କରି – ଆଜ୍ଞା ହେଲେ ।’’
ଏଥିରୁ କି ଘେନି ଚିଆଉ-ପଟ୍ଟନାୟକ ଚଳି ଉଠି ଜଣାଇଲେ, ‘‘ମହାପ୍ରଭୁ ! ଚାଙ୍ଗଡ଼ାଘରେ କେହି ନ ଥିବା ସମୟରେ ମୁଁ ରଖିଥିବା ଲେଭଡ଼ୀ ଲୀଳାବତୀ ନିମନ୍ତେ ମାଗି ନେବାର ସାତ ହଜାର ବାହାରେ ଯେବେ ଦାଢ଼େ କଉଡ଼ି ଖାଇଥିବୁ ତେବେ ପଚାଶ ଲୋକରେ ଏକା ମୁଦୁଦି ବୋଲି ଫଜିତ କରି ଆଜ୍ଞା ହେବେ । ଚିତ୍ରଗୁପ୍ତ ପରି ସମର୍ଥ ଚାରୋଟି ପଟ୍ଟନାୟକ ଯାକ ରାତ୍ରଦିବସରେ ମିଶାଇବାରେ ପାଞ୍ଚତିରିକି ପଞ୍ଚାଣୋଇ ହେଲା ଯେ, ମହାରାଜ, ଆଉ ହୁଡ଼ କି ରୂପେ ହେଲା ? ’’

ଏମନ୍ତ ସମୟରେ ତଡ଼ାଉ ଦେଶରୁ ସାରଙ୍ଗ ଯନ୍ତ୍ରଟିଏ ଘେନି ଶ୍ରୀବୈଷ୍ଣବ ଷଷ୍ଠଦୈତ୍ୟ ଚ୍ୟାପଲ ଗନ୍ଧର୍ବରାଇଲୁ ବୋଲି ଏକ ସଙ୍ଗୀତ ପ୍ରବୀଣ ଆସି ମାର୍ଗଜ୍ଞାନ ଭାବରୁ ବଣା ହୋଇ ସେ ସ୍ଥଳେ ପ୍ରବେଶ ହୋଇ ରାଜାଙ୍କ ଛାମୁରେ ମୁଲାକାତ କରି ଯନ୍ତ୍ର ତାରରେ ଧନୁରାକାର କରଦଣ୍ଡ ଚଳାଇବାକୁ ଆରମ୍ଭିବାର ଦେଖି ରାଜା ହୁରିଆକୁ ଆଜ୍ଞା କଲେ,
‘‘ପରିବା ବଡ଼ ପାକଳ ହୋଇଅଛି ଏଥିରେ କଟାଯିବ ନାହିଁ । ସରକାରରୁ ପନିକି ଆଣି ଦିଅ’’ ବୋଲିବାରୁ, ଏହା କିପରି ସେ ଗୁଣୀ ଜାଣି ଜଣାଇଲା, ‘‘ମହାପ୍ରଭୁ, ସଙ୍ଗୀତାନିକି ବହୁତ ପରିସ୍ତୁନ୍ଦି । ସାରଙ୍ଗ ଯନ୍ତ୍ର ଅନେକ ଲିବିକାୟା ଗାତୁଣ୍ଡ।’’ ତହିଁକି ରାଜା ଆଜ୍ଞା କଲେ ‘‘ଆମ୍ଭର ଖନ୍ଦାରେ ଆମ୍ୱିଳ ପଡ଼ୁନାହିଁ । ଭଜା, ସନ୍ତୋଳା, ରାଇ, ମହୁର, ଏପରି ତିଅଣ । ଏହା ପରିବା ହୋଇଥିଲେ ଆମ୍ଭର ଘୋଡ଼ାଦାନା ଖନ୍ଦା କରିବାର ସୁଆରଶେଖରକୁ ବଢ଼ାଇ ଦିଅ।’’
ଏମନ୍ତ ସମୟରେ ବର୍ଣ୍ଣବୈରି କପିରାଜ ଗୋସାଇଁ ଆସି ଆଶିର୍ବାଦ କରି ଶ୍ରୀ ମହାରାଜା କୀର୍ତ୍ତିପ୍ରତାପ ପ୍ରଶଂସାରେ କଳ୍ପନା କରିଥିବାର କବିତା ଶୁଣାଇଲେ । କିପରିରେ କି;--
କୀର୍ତ୍ତି ଧନାସିଝା-ହାଣ୍ଡି ମଣ୍ଡଳା ଭୂମି ମଣ୍ଡନ
ପ୍ରତାପ ଅସ୍ତଚନ୍ଦୁ ପରି ଚୋବାଉଛି ଚିମୁଟି ଚିମୁଟି
ଏପରି ଶ୍ରୀଛାମୁରେ ଅନ୍ନ ନିମନ୍ତେ ପେଟ ଦେଖାଇ କହି,
ଆନ୍ନଂ ତାନେକୁ ଲେଦୁ
ଖରଚକୁ ନ ମିଳିଲେ ୱହି ବାମା କ୍ୟା କରୁଙ୍ଗା । ଏ ଶ୍ଲୋକାର୍ଥ କହିବା ସମୟରେ ସନ୍ତୋଷ ହୋଇ ପଚାରି-ଆଜ୍ଞା କଲେ, ‘‘ଗୋସାଇଁ, ଆଉ ପ୍ରାକୃତରେ ଚଉପଦୀ ହେରିକା ବୋଲା ଯାଇଅଛି କି ?’’

କପିରାଜ ଜଣାଇଲେ, ‘‘ମଣିମା ! ଲଙ୍କାମରିଚ ରାଗ, କଳାହାଣ୍ଡିଆ ତାଳ, ପିଲାମାନଙ୍କର ମାଆ ନ ଥାଇ ଲୟେ, କଳ୍ପ-ପ୍ରେମାଳଙ୍କାରରେ ଦତ୍ତ ସରସ ଚଉପଦୀ ବୋଲା ଯାଉଅଛି । ଦିବ୍ୟ ଚିତ୍ତକୁ ଆସୁ । ନାକରେ ସାବଧାନ ହୋଇ ଶୁଣିବାକୁ ଆଜ୍ଞା ହୁଅନ୍ତୁ ।’’
ଗୀତ;--
ଚ ଚ ଚ  ଉ ଉ ଉ ପ ପ ପ ଦୀ ଦୀ ଦୀ ଗୀ ଗୀ ଗୀ ତ ତ ତ
ହେଲାରେ, ଛ ଲାତ ଯୋଗ୍ୟ ହେଲା ରେ,
ନରପାଳ ଭଲ୍ଲାତକର୍ଣ୍ଣ ଭଣିଲେ ରେ ॥
ଏପରି ଗନ୍ଧର୍ବ ଯଶକାରୀ ପ୍ରତୀତ କରାଇବାର ସଙ୍ଗୀତ ସମାପ୍ତ ହେଲା । ତଡ଼ାଉ ଦେଶର ଗୁଣୀକି, କପିରାଜକୁ ମଧ୍ୟ, ମୂନ ଥିବାର ସହସ୍ରେ ଷୋଳ ଲେଖାରେ ସୁନିଆ ଲଛା; ମୂନ ଥିବାର ମୁକୁତା ବହୁମାନ ଦିଆଗଲା । ଚୁପ୍‌ ଚୁପ୍‌ କରି ଚୋପଦାର ଡାକିଲା, ଧାଙ୍ଗଡ଼ୀ ପଟୁଆର ହେଲା । ବେହରଣ ବରଖାସ୍ତ ହେଲା ମଥାରେ ମହାରାଜା ଉଭା ହେଲେ । ରାଜଗୁର୍ବାଦି ସମସ୍ତେ ମେଲାଣି ଦେଲେ । ମଥାରେ ତେଲ ଲଗାଇ ଶ୍ରୀ ମହାରାଜା ଅନ୍ତଃପୁରାଭିମୁଖ ହୋଇ ବିଜେ କଲା ସମୟରେ ପ୍ରଥମ ଦ୍ୱାରୁ ଦିବାନାଦି, ଦ୍ୱିତୀୟ ଦ୍ୱାରୁ ଭାଇଦାଦିମାନେ, ତୃତୀୟ ଦ୍ୱାରୁ ସିପାଇ ଭଲଲୋକେ ଚତୁର୍ଥ ଦ୍ୱାରୁ ନିଯୋଗ ଭଲଲୋକେ, ଭିତର ଦ୍ୱାରୁ ତୁଡ଼ୁକ ସିପାଇମାନେ ଜୂହାର ହୋଇଗଲେ । ଅନ୍ତଃପୁରରେ ବିଜେ ହେଲେ । ପୂର୍ବାହ୍‌ଣ ପ୍ରକାରରେ ମଣୋହି ବଢ଼ାଇ ପଟ୍ଟଦେବୀ ସାମନ୍ତାଣୀଙ୍କ ଅନ୍ତଃପୁରରେ ପହୁଡ଼ ହେଲା ।
ଶ୍ରୀ ଦ୍ୱୈତ ବିଦ୍ୟାବତାର ତୀର୍ଥଭୂତ ଧ୍ୱଜାତ୍ୱପୁତ
କୃତ ଚାର୍ବାକ ଗର୍ବ-ପର୍ବତ ଧ୍ୱଂସ ଦମ୍ଭୋଳି
ପାଷାଣ୍ଡମଣ୍ଡଳ ମଣ୍ଡଳାନ୍ଧକାର ପର୍ବ-ଶର୍ବରୀଶ
ବୀର ଶ୍ରୀ କୃଷ୍ଣ ଚୈତନ୍ୟଚନ୍ଦ୍ର ଗୁରୁ ଚରଣାରବିନ୍ଦ
ନିଃସ୍ୟନ୍ଦମାନାମନ୍ଦ ମକରନ୍ଦ ବିନ୍ଦୁ ସନ୍ଦୋହ
ଚତୁରକ୍ତେ ଚୂଡ଼ାଳିକାରଣଂ ବାବହବହଳ ।
ବହ୍ୱନାଶ ସୁଧା ଧବଳିତ ବର୍ଗ ପ୍ରସାଦ
ସଙ୍ଗୀତ-ସାହିତ୍ୟ-ରତ୍ନାକର କରୁଣାନିଧାନ
ଧାରଣବିହୀନ ବଦାନ୍ୟ ଗୁଣ ସମ୍ୱର୍ଦ୍ଧି ମୂର୍ଦ୍ଧନ୍ୟ ।
ଚଣ୍ଡୀମଣ୍ଡିତରାତି ରାଜବ୍ରଜାଷ୍ଟ ପୂର୍ବରାଷ୍ଟାଧିନାଥ
ଶରଣପଞ୍ଜର ମାନଉଦ୍ଧାରଣ ରମଣୀ ରଣରଣରଣ ରଣରଙ୍କ
ପତ୍ରାମରମ ପୁରୁଷା ପୁରଃସର ଶ୍ରୀ ବାଲୁଙ୍କେଶ୍ୱର ଶରଣ
ହରିଚନ୍ଦନ ଶ୍ରୀ ଜଗଦ୍ଦେବ ମହୀମହେନ୍ଦ୍ର ଦେବକେଶ୍ୱରାବଶର
କଲ୍ୟତୋ ହାସ୍ୟକଲ୍ଲୋଳମ୍‌ । ୯ ।

© କବିସୂର୍ଯ୍ୟ ବଳଦେବ ରଥ

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...