ଭାରତୀୟ ଇତିହାସର ସବୁଠାରୁ ଚର୍ଚ୍ଚିତ ଓ ଵିଵାଦୀୟ ଵିଷୟଗୁଡ଼ିକ ମଧ୍ୟରୁ ଆର୍ଯ୍ୟମାନଙ୍କର ଉତ୍ପତ୍ତି ଏଵଂ ସେମାନଙ୍କର ମୂଳ ଵାସସ୍ଥାନର ସନ୍ଧାନ ଅନ୍ୟତମ। ପ୍ରାଚୀନ ଭାରତର ସବୁଠାରୁ ପ୍ରାମାଣିକ ଓ ପୁରାତନ ଗ୍ରନ୍ଥ ଋଗ୍ଵେଦକୁ ଭିତ୍ତି କରି ଇତିହାସକାର, ଭାଷାଵିତ୍ ଓ ପ୍ରତ୍ନତତ୍ତ୍ୱଵିତ୍ମାନେ ଦଶନ୍ଧି ଦଶନ୍ଧି ଧରି ଅନେକ ତତ୍ତ୍ୱ ଉପସ୍ଥାପନ କରିଛନ୍ତି। ଏହି ତତ୍ତ୍ୱଗୁଡ଼ିକ ମୁଖ୍ୟତଃ ଦୁଇ ଭାଗରେ ଵିଭକ୍ତ। ପ୍ରଥମଟି ହେଉଛି ଆର୍ଯ୍ୟ ଆକ୍ରମଣ ଵା ଆଗମନ ତତ୍ତ୍ୱ, ଯାହା ଵିଶ୍ୱାସ କରେ ଯେ ଆର୍ଯ୍ୟମାନେ କୌଣସି ଵାହ୍ୟ ଅଞ୍ଚଳ, ଵିଶେଷତଃ ମଧ୍ୟ-ଏସିଆ କିମ୍ଵା ୟୁରେସିଆରୁ ଭାରତକୁ ଆସିଥିଲେ। ଦ୍ୱିତୀୟଟି ହେଉଛି ସ୍ୱଦେଶୀ ଆର୍ଯ୍ୟ ତତ୍ତ୍ୱ, ଯାହା ଦୃଢ଼ତାର ସହ ଦାବି କରେ ଯେ ଵୈଦିକ ସଭ୍ୟତାର ନିର୍ମାତାମାନେ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଉପମହାଦେଶର ମୂଳ ବାସିନ୍ଦା ଥିଲେ। ଏହି ଵିଵାଦକୁ ସମାଧାନ କରିଵା ପାଇଁ କେଵଳ ଭାଷା କିମ୍ଵା ମାଟିତଳରୁ ମିଳୁଥିଵା ହାଣ୍ଡି ମାଠିଆର ପ୍ରମାଣ ଯଥେଷ୍ଟ ନୁହେଁ। ଏଥିପାଇଁ ଵେଦରେ ଵର୍ଣ୍ଣିତ ପ୍ରାକୃତିକ ପରିଵେଶ, ଉଦ୍ଭିଦ ଓ ଜୀଵଜନ୍ତୁମାନଙ୍କର ସୂକ୍ଷ୍ମ ଅଧ୍ୟୟନ ମଧ୍ୟ ଅତ୍ୟନ୍ତ ଆଵଶ୍ୟକ। କାରଣ ଏକ ଜନଗୋଷ୍ଠୀର ସାହିତ୍ୟ ଓ ଧର୍ମଗ୍ରନ୍ଥରେ ସେମାନେ ରହୁଥିଵା ଭୌଗୋଳିକ ପରିଵେଶର ଚିତ୍ର ସ୍ୱତଃପ୍ରଵୃତ୍ତ ଭାବରେ ପ୍ରତିଫଳିତ ହୋଇଥାଏ।
ଋଗ୍ଵେଦର ରଚନା କାଳକୁ ପ୍ରାଚ୍ୟଵିଦ୍ ତଥା "ଆର୍ଯ୍ୟ ଆଗମନ ତତ୍ତ୍ଵ" ଅଥଵା "ଆର୍ଯ୍ୟ ଆକ୍ରମଣ ତତ୍ତ୍ଵ"କୁ ମାନୁଥିଵା ଲୋକେ ସାଧାରଣତଃ ୧୫୦୦ରୁ ୧୨୦୦ ଖ୍ରୀଷ୍ଟପୂର୍ଵ ମଧ୍ୟରେ ଗ୍ରହଣ କରନ୍ତି ।
ଆର୍ଯ୍ୟ ଆଗମନ ତତ୍ତ୍ୱର ସମର୍ଥକଙ୍କ ମଧ୍ୟରେ ସାଧାରଣତଃ ଅଧିକାଂଶ ଊନଵିଂଶ ଶତାବ୍ଦୀର ପାଶ୍ଚାତ୍ୟ ପ୍ରାଚ୍ୟଵିତ୍ ଏଵଂ କିଛି ଆଧୁନିକ ଇତିହାସକାର ଅଛନ୍ତି । ଏହି ସମର୍ଥକମାନେ ଉଦ୍ଭିଦ ଓ ଜୀଵଜନ୍ତୁମାନଙ୍କର ଉପସ୍ଥିତି ତଥା ଅନୁପସ୍ଥିତିକୁ ନିଜ ମତର ସବୁଠାରୁ ବଡ଼ ପ୍ରମାଣ ଭାବରେ ଉପସ୍ଥାପନ କରନ୍ତି। ସେମାନେ ସବୁଠାରୁ ପ୍ରମୁଖ ଯୁକ୍ତି ଭାବରେ ଵେଦରେ ସିଂହ ଓ ବାଘର ଵର୍ଣ୍ଣନା ସମ୍ବନ୍ଧୀୟ ଯୁକ୍ତି ଉପସ୍ଥାପନ କରନ୍ତି । ଋଗ୍ଵେଦରେ ସିଂହର ଵର୍ଣ୍ଣନା ଅନେକ ଥର ଦେଖିଵାକୁ ମିଳେ। ସିଂହର ଗର୍ଜନ, ତାହାର ଶକ୍ତି ଓ ପରାକ୍ରମକୁ ଦେଵତାମାନଙ୍କର ଶୌର୍ଯ୍ୟ ସହ ତୁଳନା କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ, ସମଗ୍ର ଋଗ୍ଵେଦରେ ଵାଘର କୌଣସି ଉଲ୍ଲେଖ ନାହିଁ। ଵାଘର ଵର୍ଣ୍ଣନା ପ୍ରଥମ ଥର ପାଇଁ ପରଵର୍ତ୍ତୀ କାଳର ରଚନା ଭାବରେ ଗ୍ରହଣ କରାଯାଉଥିଵା ଅଥର୍ଵ ଵେଦରେ ଦେଖିଵାକୁ ମିଳେ। ପ୍ରାଚ୍ୟଵିତ୍ମାନେ ଏହି କଥାକୁ ଆଧାର କରି ଯୁକ୍ତି କରନ୍ତି ଯେ, ଵୈଦିକ ଜନଗୋଷ୍ଠୀ ପ୍ରଥମେ ଭାରତୀୟ ଉପମହାଦେଶର ବାସିନ୍ଦା ନଥିଲେ। ସେମାନଙ୍କ ମତରେ ଆର୍ଯ୍ୟମାନେ ମଧ୍ୟ-ଏସିଆରୁ ବାହାରି ଇରାନ ଓ ଆଫଗାନିସ୍ତାନ ଦେଇ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ପ୍ରଵେଶ କରିଥିଲେ। ସେହି ସମୟରେ ଇରାନ, ଆଫଗାନିସ୍ତାନ ଓ ଭାରତର ପଞ୍ଜାଵ ତଥା ଗୁଜରାଟ ଅଞ୍ଚଳରେ ଏସୀୟ ସିଂହମାନଙ୍କର ବହୁଳ ଵସଵାସ ଥିଲା। ତେଣୁ ସେମାନେ ପ୍ରଥମେ ସିଂହ ସହିତ ପରିଚିତ ହେଲେ ଏଵଂ ନିଜର ପ୍ରାରମ୍ଭିକ ଗ୍ରନ୍ଥ ଋଗ୍ଵେଦରେ ସିଂହର ଗୁଣଗାନ କଲେ। ପରଵର୍ତ୍ତୀ କାଳରେ, ଯେତେଵେଳେ ସେମାନେ ପଞ୍ଜାଵ ଅଞ୍ଚଳ ଅତିକ୍ରମ କରି ଭାରତର ପୂର୍ଵ ଦିଗକୁ ଅର୍ଥାତ୍ ଗଙ୍ଗା-ଯମୁନା ଉପତ୍ୟକାର ଘଞ୍ଚ ଜଙ୍ଗଲ ଆଡ଼କୁ ଅଗ୍ରସର ହେଲେ, ସେତେଵେଳେ ସେମାନେ ପ୍ରଥମ ଥର ପାଇଁ ବାଘ ସହିତ ପରିଚିତ ହେଲେ। ଗଙ୍ଗା ଉପତ୍ୟକାର ସନ୍ତସନ୍ତିଆ ଓ ଗହଳ ଜଙ୍ଗଲରେ ଵାଘମାନଙ୍କର ପ୍ରାଧାନ୍ୟ ଥିଲା। ଏହି ନୂତନ ପରିଵେଶ ସହିତ ଖାପ ଖୁଆଇଵା ପ୍ରକ୍ରିୟାରେ ହିଁ ଅଥର୍ଵ ଵେଦରେ ଵାଘ ଏକ ପ୍ରମୁଖ ହିଂସ୍ର ଜନ୍ତୁ ଭାଵରେ ସ୍ଥାନ ପାଇଲା। ଏହି କ୍ରମିକ ପରିଵର୍ତ୍ତନ ହିଁ ସେମାନଙ୍କର ପଶ୍ଚିମରୁ ପୂର୍ଵ ଦିଗକୁ ହୋଇଥିଵା ଯାତ୍ରାର ଏକ ଅକାଟ୍ୟ ପ୍ରମାଣ ବୋଲି ଆଗମନ ତତ୍ତ୍ୱର ସମର୍ଥକମାନେ ଦୃଢ଼ତାର ସହ କହିଥାନ୍ତି।
କେଵଳ ଵାଘ ଏଵଂ ସିଂହ ନୁହେଁ, ଆଗମନ ତତ୍ତ୍ୱକୁ ସମର୍ଥନ କରିଵା ପାଇଁ ଅନ୍ୟାନ୍ୟ ଜୀଵଜନ୍ତୁ ଓ ଉଦ୍ଭିଦର ମଧ୍ୟ ଉଦାହରଣ ଦିଆଯାଏ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଶ୍ୱ ଵା ଘୋଡ଼ା। ଋଗ୍ଵେଦରେ ଅଶ୍ୱର ସ୍ଥାନ ଅତ୍ୟନ୍ତ ଉଚ୍ଚରେ ରହିଛି। ଆର୍ଯ୍ୟମାନଙ୍କର ଯୁଦ୍ଧ କୌଶଳ, ରଥ ଚାଳନା ଏଵଂ ସାମାଜିକ ପ୍ରତିପତ୍ତି ସମ୍ପୂର୍ଣ୍ଣ ରୂପେ ଅଶ୍ୱ ଉପରେ ନିର୍ଭରଶୀଳ ଥିଲା। ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତରେ ଘୋଡ଼ା ଭାରତୀୟ ଉପମହାଦେଶର ମୂଳ ଜୀଵ ନୁହେଁ। ଏହାର ଉତ୍ପତ୍ତି ଏଵଂ ଗୃହପାଳିତ ହେଵା ପ୍ରକ୍ରିୟା ୟୁରେସିଆର ଷ୍ଟେପ୍ସ ଅଞ୍ଚଳରେ ହୋଇଥିଲା। ସେହି ଥଣ୍ଡା ଓ ଖୋଲା ତୃଣଭୂମିରୁ ଆସିଥିଵା ଆର୍ଯ୍ୟମାନେ ନିଜ ସହିତ ଉନ୍ନତ ପ୍ରଜାତିର ଘୋଡ଼ା ଆଣିଥିଲେ, ଯାହା ବଳରେ ସେମାନେ ଭାରତର ମୂଳ ଵାସିନ୍ଦାମାନଙ୍କୁ ପରାସ୍ତ କରିପାରିଥିଲେ। ତେଣୁ ଋଗ୍ଵେଦରେ ଅଶ୍ୱର ଏତେ ଵ୍ୟାପକ ଵର୍ଣ୍ଣନା ଏକ ଵିଦେଶୀ ଆକ୍ରମଣ ଵା ପ୍ରଵ୍ରଜନର ସୂଚନା ଦିଏ। ସେହିପରି ଉଦ୍ଭିଦ କ୍ଷେତ୍ରରେ ସୋମ ଲତାର ଉଦାହରଣ ଦିଆଯାଏ। ଋଗ୍ଵେଦର ନଵମ ମଣ୍ଡଳ ସମ୍ପୂର୍ଣ୍ଣ ରୂପେ ସୋମ ଦେଵତା ଏଵଂ ସୋମ ରସ ଉଦ୍ଦେଶ୍ୟରେ ସମର୍ପିତ। ପ୍ରାଚ୍ୟଵିତ୍ମାନେ ଯୁକ୍ତି କରନ୍ତି ଯେ ଏହି ସୋମ ଲତା ମୂଳତଃ ଏକ ପାର୍ଵତ୍ୟ ଉଦ୍ଭିଦ, ଯାହାକି ହିନ୍ଦୁକୁଶ ଓ ଆଫଗାନିସ୍ତାନର ଉଚ୍ଚ ପର୍ଵତମାଳାରେ ଦେଖାଯାଉଥିଲା। ଯେତେବେଳେ ଆର୍ଯ୍ୟମାନେ ଭାରତର ସମତଳ ଅଞ୍ଚଳକୁ ଆସିଲେ, ସେମାନେ ଏହି ମୂଳ ଗଛକୁ ହରାଇ ବସିଲେ ଏଵଂ ପରଵର୍ତ୍ତୀ ସମୟରେ ଅନ୍ୟ ସ୍ଥାନୀୟ ଗଛକୁ ସୋମର ଵିକଳ୍ପ ଭାବରେ ଵ୍ୟଵହାର କଲେ। ଏହା ଛଡ଼ା, ମଧ୍ୟ-ଏସିଆର ଥଣ୍ଡା ଜଳଵାୟୁରେ ଦେଖାଯାଉଥିଵା ଭୂର୍ଜପତ୍ର ଗଛର ଵ୍ୟଵହାରକୁ ମଧ୍ୟ ସେମାନେ ଆର୍ଯ୍ୟମାନଙ୍କର ଉତ୍ତରୀୟ ଉତ୍ପତ୍ତିର ପ୍ରମାଣ ଭାଵରେ ଦର୍ଶାନ୍ତି।
କିନ୍ତୁ ଏହି ଆଗମନ ତତ୍ତ୍ୱର ଯୁକ୍ତିଗୁଡ଼ିକ ଉପରେ ଵିସ୍ତୃତ ଗଵେଷଣା କରିଵା ପରେ ଭାରତୀୟ ସ୍ୱଦେଶୀ ତତ୍ତ୍ୱର ସମର୍ଥକ, ଐତିହାସିକ ଓ ପରିଵେଶଵିତ୍ମାନେ ଏହାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସ୍ୱଦେଶୀ ତତ୍ତ୍ୱ ଅନୁଯାୟୀ, ଋଗ୍ଵେଦର ରଚୟିତାମାନେ ବାହାରୁ ଆସିନଥିଲେ, ଵରଂ ସେମାନଙ୍କର ସାଂସ୍କୃତିକ ଵିକାଶ ଭାରତୀୟ ଉପମହାଦେଶରେ, ଵିଶେଷ କରି ସିନ୍ଧୁ ଏଵଂ ସରସ୍ୱତୀ ନଦୀର ଅଵଵାହିକାରେ ହିଁ ହୋଇଥିଲା। ଆଗମନ ତତ୍ତ୍ୱର ସବୁଠାରୁ ବଡ଼ ଯୁକ୍ତି ଅର୍ଥାତ୍ ସିଂହ ଓ ଵାଘର ଵିଵାଦକୁ ଖଣ୍ଡନ କରି ସ୍ୱଦେଶୀ ତତ୍ତ୍ୱଵାଦୀମାନେ ଅନେକ ଵଳିଷ୍ଠ ପ୍ରମାଣ ଉପସ୍ଥାପନ କରିଛନ୍ତି।
ପ୍ରଥମତଃ, ଏକ ନିର୍ଦ୍ଦିଷ୍ଟ ପୁସ୍ତକରେ କୌଣସି ଜୀଵର ନାମ ନଥିଵାର ଅର୍ଥ ନୁହେଁ ଯେ ସେହି ଜୀଵଟି ସେହି ସମୟରେ କିମ୍ଵା ସେହି ଅଞ୍ଚଳରେ ନଥିଲା। ଯୁକ୍ତିଵିଦ୍ୟାରେ ଏହାକୁ "ଅନୁପସ୍ଥିତିର ପ୍ରମାଣ - ଅଭାଵର ପ୍ରମାଣ ନୁହେଁ" ବୋଲି କୁହାଯାଏ। ଋଗ୍ଵେଦ କୌଣସି ପ୍ରାଣୀଵିଜ୍ଞାନର ସଂକଳନ ନୁହେଁ, ଏହା ହେଉଛି ଦେଵତାମାନଙ୍କୁ ସନ୍ତୁଷ୍ଟ କରିଵା ପାଇଁ ରଚିତ ପ୍ରାର୍ଥନା ଏଵଂ ସ୍ତୁତିଗାନର ଏକ ସମାହାର। ସିଂହ ସର୍ଵଦା ଖୋଲା ସ୍ଥାନରେ ରହେ, ଦିନରେ ଶିକାର କରେ ଏଵଂ ଏହାର ଚେହେରା ତଥା ଗର୍ଜନରେ ଏକ ରାଜକୀୟ ଗାମ୍ଭୀର୍ଯ୍ୟ ଥାଏ। ତେଣୁ କଵି ଵା ଋଷିମାନେ ଇନ୍ଦ୍ର ଵା ଅଗ୍ନିଙ୍କ ପରାକ୍ରମକୁ ଵର୍ଣ୍ଣନା କରିଵା ପାଇଁ ସିଂହକୁ ଏକ ଉପଯୁକ୍ତ ରୂପକ ଭାବରେ ଗ୍ରହଣ କରିଥିଵା ଅଧିକ ସମ୍ଭଵ।
ଅନ୍ୟପକ୍ଷରେ, ଵାଘ ଘଞ୍ଚ ଜଙ୍ଗଲରେ ଲୁଚି ରହେ ଏଵଂ ରାତିରେ ଶିକାର କରେ, ଯାହାକି ଛଳନା ଓ ଭୟର ପ୍ରତୀକ ଭାଵରେ ଗ୍ରହଣ କରାଯାଇପାରେ, ଯେଉଁଥିପାଇଁ ହୁଏତ ଦେଵତାମାନଙ୍କ ସ୍ତୁତିରେ ତାହାର ଵ୍ୟଵହାରକୁ ଉଚିତ୍ ମନେ କରାଯାଇନଥିଲା।
ଦ୍ୱିତୀୟତଃ, ପ୍ରାଚୀନ କାଳର ଭୌଗୋଳିକ ସ୍ଥିତିକୁ ଦେଖିଲେ ଜଣାଯାଏ ଯେ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳ, ଅର୍ଥାତ୍ ସପ୍ତସିନ୍ଧୁ ଅଞ୍ଚଳରେ ଉଭୟ ସିଂହ ଏଵଂ ଵାଘ ଏକାସାଙ୍ଗରେ ଵାସ କରୁଥିଲେ। ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତାର ଖନନରୁ (ଯାହାର ସମୟକାଳ ୩୩୦୦ ରୁ ୧୩୦୦ ଖ୍ରୀଷ୍ଟପୂର୍ଵ ମଧ୍ୟରେ ବୋଲି ଧରାଯାଏ) ଅନେକ ମୋହର ମିଳିଛି, ଯେଉଁଥିରେ ବାଘର ଚିତ୍ର ଅତ୍ୟନ୍ତ ସ୍ପଷ୍ଟ ଭାବରେ ଖୋଦିତ ହୋଇଛି, କିନ୍ତୁ ସେହି ସ୍ଥାନରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ସିଂହର ଚିତ୍ର ଥିଵା ମୋହର ମିଳିନାହିଁ। ଯଦି ଆଗମନ ତତ୍ତ୍ୱର ଯୁକ୍ତିକୁ ସତ ବୋଲି ଧରିନିଆଯାଏ, ତେବେ ଏହା ଏକ ଅଦ୍ଭୁତ ଵିରୋଧାଭାସ ସୃଷ୍ଟି କରେ। ସିନ୍ଧୁ ସଭ୍ୟତାର ଲୋକେ ଯେଉଁ ଅଞ୍ଚଳରେ ରହୁଥିଲେ ସେମାନେ ବାଘକୁ ଜାଣିଥିଲେ କିନ୍ତୁ ସିଂହକୁ ଚିତ୍ରଣ କରୁନଥିଲେ, ଆଉ ସେହି ସମାନ ଅଞ୍ଚଳରେ ରଚିତ ଋଗ୍ଵେଦ ସିଂହକୁ ଜାଣିଥିଲା କିନ୍ତୁ ବାଘକୁ ନୁହେଁ। ଏହାର ସବୁଠାରୁ ସରଳ ଏଵଂ ଉପଯୁକ୍ତ ଵ୍ୟାଖ୍ୟା ହେଉଛି ଯେ, ଉଭୟ ଜୀଵ ସେହି ଅଞ୍ଚଳରେ ଥିଲେ। ହରପ୍ପାଵାସୀ ବାଘକୁ ନିଜର ପ୍ରତୀକ ଭାବରେ ଵ୍ୟଵହାର କରିଵାକୁ ପସନ୍ଦ କରୁଥିଵା ଵେଳେ ଵୈଦିକ ଋଷିମାନେ ସିଂହକୁ ନିଜର ଆଦର୍ଶ ରୂପକ ଭାବରେ ବାଛିଥିଲେ। ପରଵର୍ତ୍ତୀ କାଳରେ ଅଥର୍ଵ ଵେଦର ସମୟ ଵେଳକୁ ଵାଘର ପ୍ରଭାଵ ଵୃଦ୍ଧି ପାଇଲା ଏଵଂ ତାହା ଵେଦରେ ସ୍ଥାନ ପାଇଲା। ତେଣୁ କେଵଳ ଗୋଟିଏ ଶବ୍ଦର ଅନୁପସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ଜନଗୋଷ୍ଠୀର ସ୍ଥାନାନ୍ତରଣର କାହାଣୀ ଗଢ଼ିଵା ସମ୍ପୂର୍ଣ୍ଣ ଭିତ୍ତିହୀନ। ମଜାକଥା ହେଲା ଋଗ୍ବେଦ ୯.୯୭ର ଋଷି-ନିର୍ଦ୍ଦେଶରେ ୧୬–୧୮ ନମ୍ବର ଋଚାର ଋଷି ଵାସିଷ୍ଠ ଵ୍ୟାଘ୍ରପାଦ୍ ବୋଲି ଦିଆଯାଇଛନ୍ତି। ସାୟଣଭାଷ୍ୟ ସହିତ ଉପଲବ୍ଧ ପାଠରେ ମଧ୍ୟ ଏହି ନାମ ସ୍ପଷ୍ଟ ଅଛି । ଵ୍ୟାଘ୍ର ଏକ ଜୀଵ ରୂପେ ଉଲ୍ଲେଖ ନଥିଲେ ବି ଵ୍ୟକ୍ତିର ନାମ ରୂପେ ଏହାର ଉପସ୍ଥିତି ଦର୍ଶାଏ ଯେ ଵୈଦିକ ଋଷିମାନେ ବାଘ ସହିତ ପରିଚିତ ଥିଲେ ।
ତେବେ ସ୍ୱଦେଶୀ ତତ୍ତ୍ୱର ସମର୍ଥକମାନଙ୍କ ପାଖରେ ବ୍ରହ୍ମାସ୍ତ୍ର ସଦୃଶ ଏମିତି ଏକ ଯୁକ୍ତି ଅଛି ଯାହାର ଉତ୍ତର ଋକଵେଦକୁ ଢାଲ କରି ଆର୍ଯ୍ୟମାନଙ୍କୁ ଵିଦେଶୀ ପ୍ରମାଣ କରିଵାକୁ ଚେଷ୍ଟା କରୁଥିଵା ଲୋକଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦିଏ ।
ଋକଵେଦରେ ଏମିତି ଅନେକ ଉଦ୍ଭିଦ ଓ ପ୍ରାଣୀମାନଙ୍କର ନାଆଁ ଅଛି ଯାହା ସମ୍ପୂର୍ଣ୍ଣ ଭାଵରେ ଭାରତୀୟ ଏଵଂ ଯାହାର ସ୍ମୃତି କିମ୍ଵା ଅସ୍ତିତ୍ୱ ମଧ୍ୟ-ଏସିଆର ଥଣ୍ଡା ଅଞ୍ଚଳରେ ଆଦୌ ସମ୍ଭଵ ନୁହେଁ। ଏଥିମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି ହାତୀ। ଋଗ୍ଵେଦରେ ହାତୀକୁ ଏକାଧିକ ଥର ଵର୍ଣ୍ଣନା କରାଯାଇଛି। ତାହାକୁ ଇଭ, ହସ୍ତୀ କିମ୍ଵା ଵାରଣ ବୋଲି ସମ୍ବୋଧନ କରାଯାଇଛି। ହସ୍ତୀ ଅର୍ଥାତ୍ ଯାହାର ହାତ ଅଛି, ଏହି ନାମଟି ହାତୀର ଶୁଣ୍ଢକୁ ଦେଖି ତତ୍କାଳୀନ ଭାରତୀୟମାନେ ଦେଇଥିଲେ। ଗୋଟିଏ ମନ୍ତ୍ରରେ ଵର୍ଣ୍ଣନା କରାଯାଇଛି ଯେ ରାଜାମାନେ ଅତ୍ୟନ୍ତ ସୁସଜ୍ଜିତ ହୋଇ ହାତୀ ପିଠିରେ ବସି ଯାତ୍ରା କରୁଛନ୍ତି। ଆଉ ଏକ ସ୍ଥାନରେ ମୃଗ ହସ୍ତୀ ବୋଲି କୁହାଯାଇଛି, ଅର୍ଥାତ୍ ଏକ ଵିଶାଳ ପଶୁ ଯାହାର ଏକ ହାତ ଵା ଶୁଣ୍ଢ ରହିଛି। ଯଦି ଆର୍ଯ୍ୟମାନେ ସତରେ ମଧ୍ୟ-ଏସିଆର ସେହି ବରଫ ଆଵୃତ ଏଵଂ ରୁକ୍ଷ ଷ୍ଟେପ୍ସ ଅଞ୍ଚଳରୁ ଆସିଥାନ୍ତେ, ତେବେ ହାତୀ ଭଳି ଏକ ସମ୍ପୂର୍ଣ୍ଣ କ୍ରାନ୍ତୀୟ ଜଳଵାୟୁର ପ୍ରାଣୀ ସହ ସେମାନଙ୍କର ପରିଚୟ କିପରି ହେଲା? ସେମାନେ ଆସିଵାର ଅତି କମ୍ ସମୟ ମଧ୍ୟରେ କିପରି ହାତୀକୁ ପୋଷା ମନେଇଲେ, ତାହା ପିଠିରେ ବସିଵା ଶିଖିଲେ ଏଵଂ ନିଜର ସବୁଠାରୁ ପଵିତ୍ର ଗ୍ରନ୍ଥରେ ତାହାକୁ ସମ୍ମାନର ସହିତ ସ୍ଥାନ ଦେଲେ? ଏହା କେଵଳ ସେତେବେଳେ ସମ୍ଭଵ ଯେତେବେଳେ ଏକ ସଭ୍ୟତା ହଜାର ହଜାର ଵର୍ଷ ଧରି ସେହି ପରିଵେଶରେ ବଢ଼ିଥାଏ। ତା’ଛଡ଼ା, ମଧ୍ୟ-ଏସିଆର ପ୍ରମୁଖ ପଶୁ ଦ୍ୱି-କୁଜ ଵିଶିଷ୍ଟ ଓଟ ଵା Bactrian camelର କୌଣସି ଵର୍ଣ୍ଣନା ଋଗ୍ଵେଦରେ ନାହିଁ। ଯଦି ସେମାନେ ସେଠାରୁ ଆସିଥିଲେ, ତେବେ ନିଜର ମାତୃଭୂମିର ପ୍ରମୁଖ ଜୀଵମାନଙ୍କୁ ଭୁଲିଯାଇ ନୂଆ ଜାଗାର ଜୀଵମାନଙ୍କୁ ଏତେ ଶୀଘ୍ର ଆପଣେଇ ନେଵା ଆଦୌ ସ୍ୱାଭାଵିକ ନୁହେଁ।
ଠିକ୍ ସେହିପରି ମୟୂର ହେଉଛି ଆଉ ଏକ ଜୀଵନ୍ତ ପ୍ରମାଣ। ମୟୂର ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଉପମହାଦେଶର ଏକ ସ୍ଥାନୀୟ ପକ୍ଷୀ। ମଧ୍ୟ-ଏସିଆ କିମ୍ଵା ୟୁରୋପରେ ମୟୂରର କୌଣସି ଅସ୍ତିତ୍ୱ ନଥିଲା। କିନ୍ତୁ ଋଗ୍ଵେଦରେ ମୟୂରର ଵର୍ଣ୍ଣନା ଅତ୍ୟନ୍ତ ସୁନ୍ଦର ଭାବରେ କରାଯାଇଛି। ଇନ୍ଦ୍ରଙ୍କ ରଥ ଟାଣୁଥିଵା ଘୋଡ଼ାମାନଙ୍କର ଲୋମ ଏଵଂ ଲାଞ୍ଜର ରଙ୍ଗ ମୟୂର ପୁଚ୍ଛ ପରି ଚିକ୍ ଚିକ୍ କରୁଥିଲା ବୋଲି ଵର୍ଣ୍ଣନା କରାଯାଇ ସେମାନଙ୍କୁ ମୟୂରରୋମା ବୋଲି ଆଖ୍ୟା ଦିଆଯାଇଛି। ଏକ ନୂଆ ଜାଗାକୁ ଆସିଥିଵା ଆକ୍ରମଣକାରୀ ଵା ପ୍ରଵାସୀ ଗୋଷ୍ଠୀ ହଠାତ୍ ଏକ ନୂଆ ପକ୍ଷୀକୁ ଦେଖି ତାହାକୁ ନିଜର ସର୍ଵଶ୍ରେଷ୍ଠ ଦେଵତାଙ୍କ ଘୋଡ଼ାର ରଙ୍ଗ ସହିତ ତୁଳନା କରିଵା କଳ୍ପନାତୀତ। ଏହା ପ୍ରମାଣ କରେ ଯେ ଋଗ୍ଵେଦର ରଚୟିତାମାନେ ମୟୂର ସହିତ ବହୁ ପୁରାତନ କାଳରୁ ପରିଚିତ ଥିଲେ ଏଵଂ ଏହି ପକ୍ଷୀ ସେମାନଙ୍କ ସାଂସ୍କୃତିକ ଜୀଵନ ସହିତ ଓତପ୍ରୋତ ଭାଵେ ଜଡ଼ିତ ଥିଲା।
ଉଦ୍ଭିଦଜଗତ ଵା ଗଛଲତାମାନଙ୍କର ଵିଶ୍ଳେଷଣ କଲେ ସ୍ୱଦେଶୀ ତତ୍ତ୍ୱର ପ୍ରମାଣ ଆହୁରି ସଶକ୍ତ ହୁଏ। ଋଗ୍ଵେଦରେ ଅଶ୍ୱତ୍ଥ ଗଛ, ନ୍ୟଗ୍ରୋଧ ଅର୍ଥାତ୍ ଵରଗଛ, ଖଦିର ଏଵଂ ଶାଳ୍ମଳୀ ଵା ଶିମିଳି ଗଛର ବହୁଳ ଵର୍ଣ୍ଣନା ରହିଛି। ଅଶ୍ୱତ୍ଥ ଗଛକୁ ଦେଵତାମାନଙ୍କର ଵାସସ୍ଥାନ ବୋଲି କୁହାଯାଇଛି ଏଵଂ ଵୈଦିକ ଯଜ୍ଞରେ ଏହାର କାଠର ଵ୍ୟଵହାର ଅପରିହାର୍ଯ୍ୟ ଥିଲା। ଏହି ସମସ୍ତ ଗଛ କେଵଳ ଏଵଂ କେଵଳ କ୍ରାନ୍ତୀୟ ମୌସୁମୀ ଜଳଵାୟୁ ଥିଵା ଅଞ୍ଚଳରେ ହିଁ ବଢ଼ିଥାନ୍ତି। ମଧ୍ୟ-ଏସିଆର ବରଫ ଆଵୃତ ପ୍ରଦେଶ କିମ୍ଵା ୟୁରୋପରେ ଏହି ଗଛମାନେ ଵଞ୍ଚି ପାରନ୍ତି ନାହିଁ କି ସେଠାକାର ସ୍ଥାନୀୟ ଉଦ୍ଭିଦ ମଧ୍ୟ ନୁହେଁ । ଯଦି ଆର୍ଯ୍ୟମାନେ ସେହି ଥଣ୍ଡା ଅଞ୍ଚଳରୁ ଆସିଥିଲେ, ତେବେ ସେମାନଙ୍କ ସାହିତ୍ୟରେ ପାଇନ୍ ଵା ସ୍ପ୍ରୁସ୍ ଭଳି ଶୀତଳ ଅଞ୍ଚଳର ଗଛମାନଙ୍କର ସ୍ମୃତି ରହିଵା କଥା। ସେମାନେ ଯଜ୍ଞ କରିଵା ପାଇଁ ନିଜ ମୂଳ ସ୍ଥାନର ପଵିତ୍ର ଗଛକୁ ଛାଡ଼ି ହଠାତ୍ ଭାରତୀୟ ଜଙ୍ଗଲର ଅଶ୍ୱତ୍ଥ ଗଛକୁ ଏତେ ମହତ୍ତ୍ୱ କିପରି ଦେଲେ? କୌଣସି ଵି ପ୍ରଵାସୀ ଜନଗୋଷ୍ଠୀ ନିଜ ସହିତ ନିଜ ମୂଳ ଭୂମିର ସ୍ମୃତି ବୋହି ନେଇ ଯାଇଥାଏ। କିନ୍ତୁ ଋଗ୍ଵେଦରେ ନିଜର କୌଣସି ପୁରୁଣା ମାତୃଭୂମିକୁ ଫେରିଯିଵାର ଆକାଂକ୍ଷା ଵା ତାହାର ସ୍ମୃତିରେ ଗୋଟିଏ ବି ମନ୍ତ୍ର ନାହିଁ। ଯାହା ଅଛି, ତାହା କେଵଳ ସପ୍ତସିନ୍ଧୁ ଅଞ୍ଚଳର ନଦୀ, ପାହାଡ଼ ଓ ଜଙ୍ଗଲର ଵନ୍ଦନା ଅଟେ । ସେହିପରି ପଦ୍ମ ଫୁଲ ଯାହାକୁ ପୁଷ୍କର ବୋଲି କୁହାଯାଇଛି, ତାହା ଭାରତୀୟ ସଭ୍ୟତାର ପଵିତ୍ରତାର ସବୁଠାରୁ ବଡ଼ ପ୍ରତୀକ। ଋଗ୍ଵେଦରେ ଏହି କାଦୁଅରୁ ଜନ୍ମ ନେଉଥିଵା ଜଳଜ ପୁଷ୍ପକୁ ସ୍ୱର୍ଗୀୟ ସୁନ୍ଦରତା ସହିତ ଯୋଡ଼ା ଯାଇଛି। ଅଶ୍ୱିନୀ କୁମାରଙ୍କୁ ପଦ୍ମ ଫୁଲର ମାଳା ପିନ୍ଧିଥିଵାର ଵର୍ଣ୍ଣନା କରାଯାଇଛି। ପଦ୍ମ ଫୁଲ ଭଳି ଏକ ସମ୍ପୂର୍ଣ୍ଣ ଭାରତୀୟ ଏଵଂ ଉଷ୍ଣ ଜଳଵାୟୁର ଉଦ୍ଭିଦକୁ ଦେଵତାମାନଙ୍କର ଶୃଙ୍ଗାର ଭାବରେ ଵ୍ୟଵହାର କରିଵା ସ୍ପଷ୍ଟ କରେ ଯେ ସେମାନେ ଏହି ମାଟିର ସନ୍ତାନ ଥିଲେ।
ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଗାଈ ଵା ଗୋରୁମାନଙ୍କର ସ୍ଥାନ ଋଗ୍ଵେଦରେ ସର୍ଵୋପରି। ଆର୍ଯ୍ୟମାନଙ୍କର ସମ୍ପତ୍ତିର ମାପକାଠି ଥିଲା ଗୋଧନ। ତେବେ ଧ୍ୟାନ ଦେଵାର କଥା ହେଉଛି, ଭାରତୀୟ ଉପମହାଦେଶରେ ଦେଖାଯାଉଥିଵା କୁଜ ଥିଵା ଗୋରୁ ଵା ବୋସ୍ ଇଣ୍ଡିକସ୍ ଜାତି, ୟୁରୋପ କିମ୍ଵା ମଧ୍ୟ-ଏସିଆର କୁଜଵିହୀନ ଟରାଇନ୍ ଜାତିଠାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ଷଣ୍ଢ ଵା ଵୃଷଭର ସେହି ଉଚ୍ଚା କୁଜକୁ ଋଗ୍ଵେଦରେ ଇନ୍ଦ୍ରଙ୍କ ଶକ୍ତି ସହିତ ତୁଳନା କରାଯାଇଛି। ଭାରତୀୟ ଗୋରୁମାନେ ଉଷ୍ଣ ଜଳଵାୟୁରେ ବଞ୍ଚିଵା ପାଇଁ ପ୍ରାକୃତିକ ଭାବରେ ସକ୍ଷମ ଏଵଂ ସିନ୍ଧୁ ସରସ୍ବତୀ ସଭ୍ୟତାର ମୋହର ଗୁଡ଼ିକରେ ଏହି ଵିଶାଳକାୟ କୁଜ ଵିଶିଷ୍ଟ ଵୃଷଭମାନଙ୍କର ଚିତ୍ର ବହୁଳ ମାତ୍ରାରେ ମିଳିଛି। ଯଦି ଆର୍ଯ୍ୟମାନେ ବାହାରୁ ଆସିଥିଲେ, ତେବେ ସେମାନଙ୍କର ନିଜସ୍ୱ ଗୋରୁ ଜାତି କୁଆଡ଼େ ଗଲା? ସେମାନେ କିପରି ସମ୍ପୂର୍ଣ୍ଣ ରୂପେ ଏହି ଭାରତୀୟ ଗୋରୁଜାତି ଉପରେ ନିର୍ଭରଶୀଳ ହୋଇଗଲେ ଏଵଂ ତାକୁ ହିଁ ଦେଵତା ତୁଲ୍ୟ ପୂଜା କଲେ?
ଅଶ୍ୱ ଵା ଘୋଡ଼ାର ପ୍ରସଙ୍ଗରେ ମଧ୍ୟ ଆଗମନ ତତ୍ତ୍ୱର ଯୁକ୍ତି ଅତ୍ୟନ୍ତ ଦୁର୍ଵଳ ମନେହୁଏ। ସତ କଥା ଯେ ଘୋଡ଼ା ମଧ୍ୟ-ଏସିଆର ମୁଖ୍ୟ ପ୍ରାଣୀ, କିନ୍ତୁ ନୂତନ ପ୍ରତ୍ନତାତ୍ତ୍ୱିକ ଗଵେଷଣାରୁ ଜଣାପଡ଼ିଛି ଯେ ଭାରତୀୟ ଉପମହାଦେଶରେ ମଧ୍ୟ ଅତି ପ୍ରାଚୀନ କାଳରୁ ଘୋଡ଼ାର ଉପସ୍ଥିତି ଥିଲା। ସିନ୍ଧୁ ସରସ୍ବତୀ ସଭ୍ୟତାର ସୁରକୋଟଡା ଭଳି ଅଞ୍ଚଳରୁ ଘୋଡ଼ାର ହାଡ଼ ମିଳିଛି, ଯାହାର ସମୟକାଳ ୨୦୦୦ ଖ୍ରୀଷ୍ଟପୂର୍ଵରୁ ଵି ପୁରୁଣା। ତା'ଛଡ଼ା ଋଗ୍ଵେଦରେ ଘୋଡ଼ାକୁ ହାତୀ, ମୟୂର ଓ ଓଟ ସହିତ ଏକତ୍ର ଵର୍ଣ୍ଣନା କରାଯାଇଛି, ଯାହାକି ଏକ ସମନ୍ୱିତ ଏଵଂ ସମ୍ପୂର୍ଣ୍ଣ ଭାରତୀୟ ଇକୋସିଷ୍ଟମ୍ କିମ୍ଵା ପରିଵେଶର ଚିତ୍ର ପ୍ରଦାନ କରେ। ଯଦି କେଵଳ ଗୋଟିଏ ପ୍ରାଣୀ ଅଶ୍ୱକୁ ନେଇ କୁହାଯିଵ ଯେ ସେମାନେ ବାହାରୁ ଆସିଛନ୍ତି, ତେବେ ଅନ୍ୟ ୯୯ ପ୍ରତିଶତ ପ୍ରାଣୀ ଓ ଉଦ୍ଭିଦ ଯାହାକି ସମ୍ପୂର୍ଣ୍ଣ ଭାରତୀୟ, ତାହାକୁ ଆଧାର କରି ଆର୍ଯ୍ୟମାନଙ୍କୁ ଭାରତର ମୂଳ ବାସିନ୍ଦା ବୋଲି କାହିଁକି କୁହାଯାଇପାରିଵ ନାହିଁ? ଆଉ ସୋମଲତାର ଯେଉଁ କଥା ଉଠାଯାଏ, ସୋମ ପ୍ରକୃତରେ କେଉଁ ଗଛ ଥିଲା ତାହା ଆଜି ପର୍ଯ୍ୟନ୍ତ କୌଣସି ଵୈଜ୍ଞାନିକ ଠିକ୍ ଭାବରେ ପ୍ରମାଣ କରିପାରି ନାହାନ୍ତି। ହିମାଳୟ ଓ କାଶ୍ମୀରର ଉଚ୍ଚ ପାର୍ଵତ୍ୟ ଅଞ୍ଚଳ ଭାରତର ହିଁ ଅଂଶ, ଯେଉଁଠାରେ ଅନେକ ଔଷଧୀୟ ଗୁଳ୍ମ ରହିଛି। ତେଣୁ ସୋମକୁ କେଵଳ ହିନ୍ଦୁକୁଶ ପର୍ଵତରୁ ଆଣିଵାର ଯୁକ୍ତିର କୌଣସି ସଶକ୍ତ ଆଧାର ନାହିଁ।
ଏହି ସବୁ ତଥ୍ୟକୁ ସମୀକ୍ଷା କଲେ ଆମ ଆଗରେ ଏକ ସ୍ପଷ୍ଟ ଚିତ୍ର ଉଭା ହୁଏ ଯେ, ଋଗ୍ଵେଦ କୌଣସି ଯାଯାବର ଵିଦେଶୀ ଗୋଷ୍ଠୀର ସ୍ମୃତିଲିପି ନୁହେଁ। ଏଥିରେ ଵର୍ଣ୍ଣିତ ନଦୀ, ପର୍ଵତ, ଗଛଲତା, ପଶୁପକ୍ଷୀ ଓ ଋତୁଚକ୍ର ସବୁକିଛି ଭାରତୀୟ ଜଳଵାୟୁର ଏକ ନିଖୁଣ ଚିତ୍ର ପ୍ରଦାନ କରେ। କୌଣସି ବି ସଭ୍ୟତା ଯେତେବେଳେ ନିଜର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚିନ୍ତାଧାରା ଵିକଶିତ କରେ, ସେତେବେଳେ ତାହାର ଚାରିପାଖରେ ଥିଵା ପରିଵେଶ ହିଁ ତାହାର ପ୍ରେରଣା ପାଲଟିଥାଏ। ଯଦି ଆର୍ଯ୍ୟମାନେ ବାହାରୁ ଆସିଥାନ୍ତେ, ତେବେ ସେମାନଙ୍କର ପ୍ରାର୍ଥନାରେ ବରଫ ପଡ଼ୁଥିଵା ଅଞ୍ଚଳର ଵର୍ଣ୍ଣନା ଥାନ୍ତା, ସେମାନଙ୍କ ଦେଵତାମାନେ ହାତୀ ବଦଳରେ ଓଟ ପିଠିରେ ବସିଥାନ୍ତେ ଏଵଂ ସେମାନଙ୍କର ଫୁଲ ପଦ୍ମ ନହୋଇ ଅନ୍ୟ କୌଣସି ଶୀତଳ ଅଞ୍ଚଳର ଫୁଲ ହୋଇଥାନ୍ତା। କିନ୍ତୁ ଵେଦର ପ୍ରତିଟି ଛତ୍ରରେ ଭାରତୀୟ ମାଟିର ମହକ ରହିଛି। ବାଘର ନାମ ନଥିଵା କଥାକୁ ଧରି ଆଗମନ ତତ୍ତ୍ୱର ସମର୍ଥକମାନେ ଯେଉଁ ଵୃହତ୍ ଆକ୍ରମଣର କାହାଣୀ ଗଢ଼ିଥିଲେ, ତାହା ହାତୀ, ମୟୂର, ଅଶ୍ୱତ୍ଥ ଓ ପଦ୍ମ ଫୁଲର ଓଜନଦାର ଉପସ୍ଥିତି ଆଗରେ ତିଷ୍ଠି ପାରେ ନାହିଁ। ପରିଶେଷରେ, ପରିଵେଶ ଏଵଂ ଉଦ୍ଭିଦ ଓ ପ୍ରାଣୀଜଗତର ଏହି ଅକାଟ୍ୟ ପ୍ରମାଣଗୁଡ଼ିକ ଏହି ସିଦ୍ଧାନ୍ତରେ ପହଞ୍ଚାଏ ଯେ, ଵୈଦିକ ଜନଗୋଷ୍ଠୀ ବାହାରୁ ଆସିନଥିଲେ, ଵରଂ ସେମାନେ ସହସ୍ରାଧିକ ଵର୍ଷ ଧରି ଏହି ସପ୍ତସିନ୍ଧୁ ଏଵଂ ସରସ୍ୱତୀ ନଦୀ କୂଳରେ ରହି ନିଜର ଏକ ମହାନ୍ ସଭ୍ୟତା ଗଢ଼ି ତୋଳିଥିଲେ। ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଵୈଵିଧ୍ୟ ହିଁ ସେମାନଙ୍କର ସାହିତ୍ୟ ତଥା ଦର୍ଶନର ମୂଳ ଉତ୍ସ ଥିଲା।
••••••••••••••••••••••••••••••••••••••••
ତଥ୍ୟ ଉତ୍ସ:
(1.) Lal, B. B., The Sarasvati Flows On: The Continuity of Indian Culture, Aryan Books International.
ଏହି ପୁସ୍ତକଟି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ନତାତ୍ତ୍ୱିକ (archaeological) ପ୍ରମାଣ ଉପରେ ଆଧାରିତ। ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱଵିତ୍ ଵି. ଵି. ଲାଲ୍ ଦର୍ଶାଇଛନ୍ତି ଯେ ସିନ୍ଧୁ ସରସ୍ୱତୀ ସଭ୍ୟତା ଏଵଂ ଵୈଦିକ ସଂସ୍କୃତି ଭିନ୍ନ ନୁହେଁ, ଵରଂ ଉଭୟ ମଧ୍ୟରେ ଏକ ନିରଵଚ୍ଛିନ୍ନ ଧାରା ରହିଛି। ସରସ୍ୱତୀ ନଦୀ ଶୁଖିଯିଵା ଏଵଂ ସିନ୍ଧୁ ସଭ୍ୟତାର ଵିକାଶ ତଥା ପତନକୁ ଆଧାର କରି ସେ ଆର୍ଯ୍ୟମାନେ ବାହାରୁ ଆସିଥିଵା କଥାକୁ ଭ୍ରମାତ୍ମକ ବୋଲି ପ୍ରମାଣିତ କରିଛନ୍ତି।
(2.) Talageri, Shrikant G., The Rigvedic Aryans: A Consideration of Some Debates.
ଏହି ବହିରେ ଋଗ୍ଵେଦର ଶବ୍ଦ, ସୂକ୍ତ ଏଵଂ ଵିଭିନ୍ନ ମଣ୍ଡଳର ଵ୍ୟାପକ ଵିଶ୍ଳେଷଣ କରାଯାଇଛି। ତାଲାଗେରି ଭୌଗୋଳିକ ସ୍ଥାନ, ନଦୀ, ଜୀଵଜନ୍ତୁ ଓ ଵଂଶାଵଳୀର ତଥ୍ୟ ସଂଗ୍ରହ କରି ପ୍ରମାଣ କରିଛନ୍ତି ଯେ ଆର୍ଯ୍ୟମାନେ ଭାରତର ମୂଳ ଅଧିଵାସୀ ଥିଲେ। ଏଥିରେ ସେ ଯୁକ୍ତି ବାଢ଼ିଛନ୍ତି ଯେ ଵୈଦିକ ଲୋକମାନେ ବାହାରୁ ଆସିନଥିଲେ, ଵରଂ ସେମାନେ ଭାରତରୁ ପଶ୍ଚିମ (ମଧ୍ୟ ଏସିଆ ଓ ଇଉରୋପ) ଆଡ଼କୁ ସ୍ଥାନାନ୍ତରଣ କରିଥିଲେ, ଯାହାକୁ 'Out of India Theory' କୁହାଯାଏ।
(3.) Elst, Koenraad, Update on the Aryan Invasion Debate, Aditya Prakashan.
ଏହା 'ଆର୍ଯ୍ୟ ଆକ୍ରମଣ ଵିଵାଦ' ଉପରେ ଏକ ସଵିଶେଷ ସମୀକ୍ଷା। ଏଲଷ୍ଟ ଏଥିରେ ଭାଷାଵିଜ୍ଞାନ, ପ୍ରତ୍ନତତ୍ତ୍ୱ, ଜ୍ୟୋତିର୍ଵିଜ୍ଞାନ ଓ ସାହିତ୍ୟିକ ପ୍ରମାଣଗୁଡ଼ିକୁ ଏକାଠି କରି ଆର୍ଯ୍ୟ ଆକ୍ରମଣ ତତ୍ତ୍ୱର ତ୍ରୁଟିଗୁଡ଼ିକୁ ଦର୍ଶାଇଛନ୍ତି। ଉନଵିଂଶ ଶତାବ୍ଦୀରେ ୟୁରୋପୀୟମାନେ କିପରି ଏହି ତତ୍ତ୍ୱକୁ ପ୍ରତିଷ୍ଠା କରିଥିଲେ ଏଵଂ ଆଧୁନିକ ଗଵେଷଣା କିପରି ଏହାକୁ ଭୁଲ୍ ପ୍ରମାଣିତ କରୁଛି, ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା ଏଥିରେ ଅଛି।
(4.) Bhargava, P. L., India in the Vedic Age, D. K. Printworld.
ଏହି ପୁସ୍ତକରେ ଵୈଦିକ ଯୁଗର ଭାରତୀୟ ସମାଜ, ରାଜନୀତି, ଧର୍ମ, ସଂସ୍କୃତି ଏଵଂ ଦୈନନ୍ଦିନ ଜୀଵନଶୈଳୀର ଏକ ଐତିହାସିକ ରୂପରେଖ ଅଙ୍କନ କରାଯାଇଛି। ଵେଦ ଓ ପୁରାଣରେ ଵର୍ଣ୍ଣିତ ତଥ୍ୟଗୁଡ଼ିକୁ ଆଧାର କରି ଲେଖକ ଆର୍ଯ୍ୟମାନଙ୍କର ଇତିହାସ, ସେମାନଙ୍କର ଵିଭିନ୍ନ ଗୋଷ୍ଠୀ ଏଵଂ ପ୍ରାଚୀନ ଭାରତର ଭୌଗୋଳିକ ସୀମା ଵିଷୟରେ ଵର୍ଣ୍ଣନା କରିଛନ୍ତି।
(5.) Rajaram, Navaratna S., The Politics of History, Voice of India.
ଏହି ଵହିଟି ଇତିହାସ ଲେଖା ପଛରେ ଥିଵା 'ରାଜନୀତି' ଉପରେ ଗୁରୁତ୍ୱ ଦିଏ। ଲେଖକ ଦର୍ଶାଇଛନ୍ତି ଯେ 'ଆର୍ଯ୍ୟ-ଦ୍ରାଵିଡ଼' ଵିଭାଜନ ଏଵଂ 'ଆର୍ଯ୍ୟ ଆକ୍ରମଣ ତତ୍ତ୍ୱ' ଉପନିଵେଶଵାଦୀ ଇଂରେଜ ଓ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ଭାରତୀୟମାନଙ୍କୁ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଵିଭାଜିତ କରିଵା ପାଇଁ ତିଆରି କରାଯାଇଥିଲା। ଭାରତୀୟ ଇତିହାସକୁ ଭାଷାଵିଜ୍ଞାନ ପରିଵର୍ତ୍ତେ ଵିଜ୍ଞାନ (hard science) ଏଵଂ ପ୍ରତ୍ନତତ୍ତ୍ୱ ଆଧାରରେ ଲେଖିଵାକୁ ଏହି ପୁସ୍ତକ ଆହ୍ୱାନ ଦିଏ।
••••••••••••••••••••••••••••••••••••••••