Saturday, May 12, 2018

ନାରୀ Vs ଔରତ

ଆଜିକାଲି କେତେକ ନୂଆ ବର୍ଣ୍ଣବୋଧ ବହିରେ
ଔରତ ଭଳି ଏକ ଅଲୋଡ଼ା ଶବ୍ଦ ଯୋଡ଼ା ଯାଇ କୋମଳମତି ବାଳକ ବାଳିକାଙ୍କୁ ପଢାଯାଉଥିବା ଦେଖିବାକୁ ମିଳୁଅଛି ।

ନାରୀ ପାଇଁ ଭାରତୀୟ ତଥା ଅନ୍ୟ ଇଣ୍ଡୋ ୟୁରୋପୀୟ  ଉପଶାଖା ଗୁଡ଼ିକରେ ଅନେକ PIE ଭାଷାତାତ୍ତ୍ଵିକ ସମାନତା ଯୁକ୍ତ ଅନେକ ଶବ୍ଦ  ଅଛି । ଆମ ଭାରତୀୟ ଭାଷାଗୁଡି଼କରେ ଵ୍ୟଵହୃତ ଶବ୍ଦ ଯଥା:- ମହିଳା,ମହତୀ,ଯୋଷିତ୍,ସ୍ତ୍ରୀ,ଅଙ୍ଗନା,ଵାମା,ଵନିତା,ସୀମନ୍ତିନୀ,ଵଧୂ,ପ୍ରତୀପଦର୍ଶିନୀ,ପ୍ରିୟା,ରାମା,ଜନି/ଜନୀ,ଵନିକା,ମହେଳିକା,ଶର୍ଵରୀ,ସିନ୍ଦୂରତିଳକା,ସ୍ମଭ୍ରୂ,ସୁନୟନା,ଵାମଦୃକ୍,ଲଳନା,କାନ୍ତା,ପୁରନ୍ଧ୍ରୀ,ଵରଵର୍ଣ୍ଣନୀ,ସୁତନୁ,ତନ୍ଵୀ,ତନୁ,କାମିନୀ,ତନ୍ଵଙ୍ଗୀ,ରମଣୀ,କୁରଙ୍ଗନୟନା,ଭାଵିନୀ,ଵିଳାସିନୀ,ନିତମ୍ଵିନୀ,ମତ୍ତକାସିନୀ,ସୁନେତ୍ରା,ପ୍ରମଦା,ଲଳିତା,ଵାସିତା,ଭାମିନୀ,ଵରାରୋହା,ନତାଙ୍ଗୀ,ତ୍ରୀନତା,ଵରା,ଶ୍ୟାମା ଓ ଗୁରୁଵର୍ଦ୍ଧନା ଆଦି ଅନେକ ଶବ୍ଦ ଅଛି ।

ସୌରସେନୀ ପ୍ରାକୃତରେ ନାରୀ ପାଇଁ ଗୋଟିଏ ଶବ୍ଦ ଚଳୁଥିଲା इत्थी(itthī) । ବୋଧହୁଏ ପାଲି ପ୍ରାକୃତରେ ମାଈ ଶବ୍ଦ ଚଳୁଥିଲା ଯେହେତୁ
ଓଡ଼ିଆ ଭାଷାରେ ଏକ ନିପଟ ଗାଉଁଲି ଶବ୍ଦ କେଵେ କେଵେ ମଧ୍ୟ ଵ୍ୟଵହୃତ ହୁଏ ମାଇକିନା ଏଵଂ ଏ ଶବ୍ଦ ସହ ସାମଞ୍ଜସ୍ୟ ଥିବା ଗୋଟିଏ ଶବ୍ଦ ଆସାମୀ ଭାଷାରେ ଚଳୁଅଛି ତାହା ହେଉଛି-মাইকী মানুহ(maiki manuh) ।
ବ୍ରହ୍ମଦେଶର ଵର୍ମୀୟ ଭାଷାରେ ଏହି ଶବ୍ଦ ସହ ସାମଞ୍ଜସ୍ୟ ଥିବା ଶବ୍ଦ ଚଳେ  မိန်းမ(méɪɴma̰) ।
ମରାଠୀ ଭାଷାରେ ସ୍ତ୍ରୀ ପାଇଁ ନିଆରା ଶବ୍ଦ ଟେ ଅଛି बाइको(bāiko-ଏ ଶବ୍ଦ ର ମୂଳ ଵାଇ ବା ନାରୀ ?) !
ନେପାଳୀ ଭାଷାରେ ସ୍ତ୍ରୀ ପାଇଁ आइमाई(āimāī) ଶବ୍ଦ କୁ ଦେଖିଲେ ଲାଗେ ସତେ ଯେମିତି ଏ ଶବ୍ଦରେ ଆଈ(ମରାଠୀ କିମ୍ଵା ଆସାମୀ) ଓ ମାଈ(ଓଡ଼ିଆ କିମ୍ଵା ଆସାମୀ)  ଶବ୍ଦ କୁ କେହି ଯୋଡ଼ି ଦେଇଛି ।

ଓଡ଼ିଶା ର ଗୋଟେ ଆଷ୍ଟ୍ରୋ ଏସିଆଟିକ୍ ଭାଷା ମୁଣ୍ଡାରୀ ରେ ସ୍ତ୍ରୀ କୁ  କୁଡି଼ ଵା କୁରି଼ କୁହାଯାଏ ।

ସେଇଭଳି ଇରୋପୀୟ ଭାଷା ଗୁଡ଼ିକରେ
English:-woman ଏହାର ମୂଳ ପ୍ରାଚୀନ ଇଂରାଜୀ ରୂପ wifmann(wīf+‎mann) ।
wīf ଶବ୍ଦ ଟି ମୂଳ ପ୍ରୋଟ ଜର୍ମାନ୍ ଶବ୍ଦ wībą ରୁ ଆସିଥିବା ଅନୁମାନ କରାଯାଏ ଏଵଂ ଏହି wībą ଶବ୍ଦ ର ମୂଳ ଏକ Proto-Indo-European root ଵା ଵୈଜ୍ଞାନିକ କ୍ଷୁଦ୍ର ଧାତୁରୂପ *gʰʷíh₂bʰ-(“shame, pudenda”) ।
ଇଂରାଜୀ ର female ର ମୂଳ ଏକ ଲାଟିନ ଶବ୍ଦ femella(fēmina(“woman”)+‎-lus.) ।
ସେହି femella ର ମୂଳ ରେ ଥିବା ଲାଟିନ ଶବ୍ଦ ହେଉଛି fēmina । ଏହି ଫେମିନା ଶବ୍ଦ ର ପୁଣି ମୂଳ ହେଉଛି Proto-Italic ଶବ୍ଦ fēmanā ଏଵଂ ଏ ଶବ୍ଦ ମୂଳ  Proto-Indo-European ଶବ୍ଦ *dʰeh₁-m̥h₁n-éh₂(“(the one) nursing, breastfeeding”) ସହ ସମ୍ବନ୍ଧିତ ଥିବା PIE ଭାଷାତାତ୍ତ୍ଵିକ  ଭାଷାଵିଦଙ୍କ ଦ୍ଵାରା ନିର୍ଣ୍ଣିତ ହୋଇଅଛି ।

କିନ୍ତୁ ଔରତ ଶବ୍ଦ ଟି ମୂଳତଃ ଏକ ପାର୍ସୀ ଶବ୍ଦ عورت ର ଭାରତୀୟ ଧାରକରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହି عورت ଶବ୍ଦର ପାର୍ସୀ ଭାଷାରେ ନାରୀ ଭିନ୍ନ ଆହୁରି ଦୁଇଟି ଅର୍ଥ ଯଥା-genitals(ଜନନାଙ୍ଗ) ଓ nudity(ନଗ୍ନତା) ଏଵଂ ଏ ଶବ୍ଦ ର ମୂଳ ଆଫ୍ରୋ ଏସିଆଟିକ୍ ଭାଷା ପରିଵାରର ଅନ୍ୟତମ ଉପଶାଖା ସେମେଟିକ୍ ଅନ୍ତର୍ଗତ ଏକ ଵିଶିଷ୍ଟ ପ୍ରାଚୀନ ଲୋକପ୍ରିୟ ଭାଷା ଆରଵୀ ର ଏକ ଶବ୍ଦ عَوْرَة‎(ʿawra’,“genitals-ଗୁପ୍ତାଙ୍ଗ; nudity ଅଶ୍ଳୀଳତା”).ରୁ ଆସିଅଛି ।


ଆଧୁନିକ ଯୁଗରେ ଔରତ ଭଳି ଵୈଦେଶିକ ଶବ୍ଦ କୁ ଓଡ଼ିଆ ଭାଷାରେ ଆଣି ପ୍ରଚଳନ କରିବାକୁ ନେଇ 

ଭାଷାଵିଦ ଉଡ୍ରବନ୍ଧୁ ଡ଼ ଦେବାଶୀଷ ଜ୍ୟେଷ୍ଠୀମହାଶୟ 

କୁହନ୍ତି 

“ଅକ୍ଷର ଶିକ୍ଷା ପାଇଁ କିଏ ଏ ଔରତ ପରି ଶବ୍ଦ ଚୟନ କଲା ?

ଔ = ଅ + ଉ

ଏହା ଏକ ଦ୍ଵିସ୍ଵର ଵା diphthong ଅଟେ । ଏଥିରେ ଅ ସହ ଉ ମିଶିଛି । 

୧ମ ଆପତ୍ତି :

 ଔରତ ଶବ୍ଦ ଆରବିକ ଉତ୍ସରୁ ଆସିଥିବା ଉର୍ଦ୍ଦୁ ଶବ୍ଦ ଯାହାକୁ ଲେଖିବା ପାଇଁ ଆରବିକରେ ଔ ଅକ୍ଷର ହିଁ ନାହିଁ । ତେଣୁ ସେମାନେ    ع (Ain) ସହ و (waw) ସଂଯୁକ୍ତ କରି ଔରତର ପ୍ରଥମ ଅକ୍ଷର ଲେଖନ୍ତି । ଆମ ଵର୍ଣ୍ଣମାଳାରେ କିନ୍ତୁ ଔ = ଅ + ଉ ହୋଇଥାଏ ଯାହା ଆରବିକରେ ଅଲିଫ୍ + ୱାଓ ସହ ସମଧୃତ ଏଇନ୍ + ୱାଓ କଦାପି ନୁହେଁ । 

୨ୟ ଆପତ୍ତି :

ଓଡ଼ିଆରେ ଓ ଵୈଦିକ ସଂସ୍କୃତରେ ଔ ଅକ୍ଷରର ଦୁଇ ଉପାଦାନ ସ୍ଵରସ୍ଵନିମ (ଅ, ଉ) କୁ ପୃଥକ୍ ଉଚ୍ଚାରଣ କରାଯାଏ ; ଏହା ଓଡ଼ିଆର ଅତି ପ୍ରାଚୀନତାର ପରିଚାୟକ । ଅଥଚ ହିନ୍ଦୀ, ଉର୍ଦ୍ଦୁ ଓ ପାଣିନୀକୃତ ସଂସ୍କୃତରେ ଏହି ଅ, ଉ ପ୍ରାୟ ମିଶିଯାଇଥାଏ । 

ସୁତରାଂ, ହିନ୍ଦୀ ଉର୍ଦ୍ଦୁରେ ଵ୍ୟଵହୃତ ଔ ଆମର ଓଡ଼ିଆ ଔ ଠାରୁ ଭିନ୍ନ ତେଣୁ ଵିକଳ୍ପ ନୁହେଁ ।”

ତେଣୁ ଭାରତୀୟ ଭାଷାଗୁଡି଼କରେ ପ୍ରଚଳିତ ମାନକ ଵ୍ୟାକରଣ ଅନୁସାରେ ପୁଣି

ଇଣ୍ଡୋ ଇଉରୋପୀୟ ଭାଷା ଗୁଡି଼କରେ ଵିଶେଷତଃ ଭାରତୀୟ ଭାଷାଗୁଡି଼କରେ ନାରୀ ପାଇଁଏତେ ଶବ୍ଦ ଥାଉ ଥାଉ ଯଦି ଔରତ ଭଳି ଏକ ଅଲୋଡ଼ା ଶବ୍ଦ ଲୋକେ ଵ୍ୟଵହାର କଲେଣି ତାହାକୁ ଭାଷା ସମୃଦ୍ଧି କୁହାଯିବ ନା ଉତ୍ତର ଭାରତୀୟ ଭାଷାର ହନୁକରଣ ତାହା ଵିଜ୍ଞଜନ ଵିଚାର କରିବେ । 



No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...