My Blog List

Sunday, September 26, 2021

ହାତୀମାଂସ

ସିଂହଟିଏ ଓ ତା'ର ଭଣଜା ବିଲୁଆଟିଏ ଗୋଟିଏ ଗୁମ୍ଫାରେ ରହୁଥିଲେ । ସିଂହ ବଡ଼ ଚତୁର ସେ ନିଜର ପ୍ରଶଂସା ଅନ୍ୟଦ୍ଵାରା କରେଇଵାରେ ବଡ଼ ସୁଖପାଏ । ପ୍ରାଣୀ ମାତ୍ରକେ ଡରିମରି ତାହାର ପଦ ବନ୍ଦନା କରିଵାକୁ ବାଧ୍ୟ ହୁଅନ୍ତି  । ସିଂହଟି ତା ଭଣଜା ବିଲୁଆକୁ
ସବୁଵେଳେ ହାତୀ ମାଂସ ଖୁଆଇଵାର ସ୍ଵପ୍ନ ଦେଖାଏ କିନ୍ତୁ ସେ କେଵେ ବି ତା ଜୀଵନକାଳରେ ହାତୀଟିଏ ଶିକାର କରିପାରିନାହିଁ କି ସେଭଳି ସୁଯୋଗ କେଵେ ତାକୁ ମିଳିନାହିଁ । ଛୋଟବେଳେ ଯେତେବେଳେ ସେ ବଡ଼ ପରିଵାରରେ ରହୁଥିଲା ତାକୁ ହାତୀ ମାଂସ ଖାଇଵାକୁ ମିଳିଯାଇଥିଲା ।

ତେବେ ବିଲୁଆ ଆଶା ଛାଡି଼ନଥାଏ କି ସିଂହଟି ବିଲୁଆକୁ ହାତୀ ମାଂସର ସ୍ଵପ୍ନ ଦେଖାଇଵା ବନ୍ଦ କରିନଥାଏ ।

କିନ୍ତୁ ସମୟ ସହ ସିଂହ ବୁଢ଼ା ହେଵାକୁ ଲାଗିଲା ଏଣେ ତା ଶରୀରରେ ମଧ୍ୟ ପୂର୍ଵ ପରି ଆଉ ସେତେ ବଳ ଓ ମନରେ ଉତ୍ସାହ ନଥାଏ । ସେ ଵା କିପରି ଆଉ ହାତୀ ମାରିପାରିଵ ?

କିନ୍ତୁ ତା'ର ଯେତେବେଳେ ମନେପଡ଼େ ସେ ବିଲୁଆକୁ ହାତୀ ମାଂସର କଥା ଶୁଣେଇ ଦିଏ ।

ଦିନେ ସତକୁ ସତ ସେ ଜଙ୍ଗଲକୁ ଗୋଟାଏ ହାତୀ ଦଳ
ଆସିଲା । ସିଂହ ତା ଜୀଵନରେ କେବେବି ହାତୀ ଦେଖିନଥିଲା କେଵଳ ତା ଵିଷୟରେ ତା ମାଆଠାରୁ ଶୁଣିଥିଲା ଓ ଛୋଟବେଳେ ଥରେ ଅଧେ ହାତୀ ମାଂସ ଚାଖିଥିଲା ।

ଏଇ ବୁଢ଼ା ଵୟସରେ ଵିଶାଳକାୟ ହାତୀମାନଙ୍କୁ ଦେଖି ତା ଅଵସ୍ଥା କ'ଣ ଯେ ହୋଇଥିଵ ତାହା କଳ୍ପନାତୀତ । ଏବେ ସିଂହ କ'ଣ କରିଵ ? ହାତୀର ସେ ଯୋଉ ରୂପ ରଙ୍ଗ ଆକାର ପ୍ରକାର ସବୁ ତା ଭଣଜା ବିଲୁଆ ଆଗରେ ଗପିଥିଲା ତାକୁ ଦେଖି ସେ ତ ହାତୀକୁ ଚିହ୍ନି ସାରିଵଣି !

ତା ଆଶଙ୍କା ସତ ହେଲା,ସିଂହର ଭଣଜା ବିଲୁଆ ବାଟରେ ହାତୀ ପଲ୍ଲକୁ ଦେଖି ଵୃଦ୍ଧ ସିଂହକୁ ଜଣାଇଵାକୁ ଧାଇଁଆସିଲା । ସିଂହ ନଜାଣିଲାପରି ଅଭିନୟ କରି ତାକୁ ଏଭଳି ଧଇଁସଇଁ ହୋଇ ଛୁଟିଆସିଵାର କାରଣ ପଚାରନ୍ତେ ବିଲୁଆ ତାକୁ ବାଟରେ ହାତୀପଲ୍ଲ ଦେଖିଥିଵା କଥା କହିଲା ।

ସିଂହ ମିଛଟାରେ ଉତ୍ସାହିତ ହେଵାର ଅଭିନୟ କରି ଭଣଜ ବିଲୁଆକୁ କହିଲା— ଵାଃ ଵାଃ ବହୁତ ବଢି଼ଆ ! ଆମେ ତାହେଲେ କାଲି ହାତୀ ଶିକାର କରିଵାକୁ ଯିଵା !
ବିଲୁଆ ଏହା ଶୁଣି ଆନନ୍ଦରେ ନାଚି ଉଠିଲା । ଏତେ ଦିନ ଧରି ସେ ଯେଉଁ ହାତୀ ମାଂସ କଥା ଶୁଣିଥିଲା କାଲି ସେ ତାହାର ସ୍ଵାଦ ଲାଭ କରି ଆମୋଦିତ ହେଵ । ଏହା କଳ୍ପନା ମାତ୍ରକେ ତାହାର ହୃଦୟ ଖୁସିରେ ଭରିଯାଉଥିଲା ।

ସିଂହ ସିନା କହୁ କହୁ ହାତୀ ଶିକାର କଥା କହିଦେଲା କିନ୍ତୁ ସେ କାମ ଯେ କେଡ଼େ କଠିନ ତାହା ତାକୁ ଭଲ ଭାବରେ ଜଣାଥିଲା । ତେଣୁ ସେ ଗୋଟିଏ ଯୋଜନା କଲା । ରାତିରେ ବିଲୁଆ ଲୁଚି ଲୁଚି ହାତୀମାନଙ୍କ ପାଖକୁ ଯାଇ ସେମାନଙ୍କ ଗୋଡ଼ତଳେ ପଡ଼ି ସେ ଜଙ୍ଗଲରୁ ଚାଲିଯିଵାକୁ ଅନେକ ଅନୁନୟ ଵିନୟ ହେଲା । ହାତୀମାନେ ଦେଖିଲେ ସ୍ବୟଂ ଜଙ୍ଗଲର ରାଜା ଆସି ତାଙ୍କୁ  ଅନୁରୋଧ କରୁଛି ତେଣୁ ସେମାନେ ସିଂହ କଥା ମାନି ରାତାରାତି ସେ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଗଲେ ।

ସେଇଠୁ ସିଂହ କ'ଣ କଲା ନା ଗୋଟିଏ ଛୋଟ ବିଲୁଆକୁ ମାରି କିଛି ମାଂସ ନେଇ ଗୁମ୍ଫାକୁ ଚାଲିଆସିଲା

ବିଲୁଆକୁ ଏସବୁ ଜଣାନଥାଏ ସେ ଆନନ୍ଦ ମନରେ ଶୋଇଯାଇଥିଲା । ସକାଳ ହେଲାରୁ ବିଲୁଆ ଉଠି ଦେଖିଲା ଗୁମ୍ଫାରେ ସିଂହର ଦେହହାତ ରକ୍ତାକ୍ତ କିନ୍ତୁ ତା' ପାଖରେ ମାଂସ ପଡି଼ଥିଲା ।

ସିଂହ ପାଖକୁ ଯାଇ ବିଲୁଆ ଘଟଣା କ'ଣ ପଚାରନ୍ତେ ସିଂହ କହିଲା— ବାବୁରେ ତୋତେ ସକାଳୁ ଶିକାର କରିଵାକୁ ଉଠାଇଵାରୁ ତୁ ଉଠିଲୁ ନାହିଁ ସେଇଠୁ ମୁଁ ଏକାକୀ ଶିକାର କରିଵାକୁ ବାହାରି ଗଲି । ପ୍ରାଣପଣେ ହାତୀ ପଛରେ ଦୌଡି଼ଲି କିନ୍ତୁ ସେମାନେ ଦୌଡ଼ି ପଳାଇଗଲେ । ତଥାପି ଗୋଟାଏ ହାତୀର ପିଚାକୁ କାମୁଡ଼ି ଧରିଥାଏ । ସେ ମୋତେ ତା ବଡ଼ ବଡ଼ ଗୋଡ଼ ତଳେ ଚାପିଦେଵାକୁ ଚେଷ୍ଟା କରିଵାରୁ ମୁଁ ଖଣ୍ଡିଆ ଖାବରା ହୋଇଗଲି । କିନ୍ତୁ ମୋ ମନରେ କେଵଳ ତୋ କଥା ଥିଲା ତେଣୁ କୌଣସି ମତେ ତା ଦେହରୁ ପୁଳାଏ ମାଂସ ତୋପାଇଁ ନେଇ ଆସିଛି  ।

ବିଲୁଆ ତା ସିଂହମାମୁର କଥା ଶୁଣି ଗଦଗଦ ହୋଇଗଲା । ସେ ଦୌଡ଼ି ଯାଇ ହାତୀ ମାଂସ ଚାଖନ୍ତେ ବାନ୍ତି କରି ପକେଇଲା ।

ଛି ଛି ଛି !!! ହାତୀ ମାଂସ ଏତେ ବାଜେ ? ମାମୁଁ ତମେ ତ କହୁଥିଲ ହାତୀ ମାଂସ ଭାରି ସୁଆଦିଆ କିନ୍ତୁ...!
  ଵିରକ୍ତ ହୋଇ ବିଲୁଆ କହିଲା ...

ସେଇଠୁ ସିଂହ ତାକୁ କହିଲା— ହଁରେ ଭଣଜା ମୁଁ ବି ଭାବୁଥିଲି ହାତୀ ମାଉଁସ ସୁଆଦିଆ କିନ୍ତୁ ଏବେ ବୁଝୁଛି ଛୋଟବେଳେ ପରିଵାର ସହିତ ମିଳିମିଶି ଖାଉଥିଵାରୁ ସେ ମାଂସ ସହ ମାଆର ସ୍ନେହ ମିଶି ସ୍ଵାଦିଷ୍ଟ ଲାଗୁଥିଲା ...



Saturday, September 18, 2021

ମଧୁଵାଣୀ(ଉତ୍କଳ ଗୌରଵ ମଧୁସୂଦନ ଦାସ)


ମଧୁସୂଦନ ଦାସ ତାଙ୍କର ଵିଭିନ୍ନ ଭାଷଣ ମଧ୍ୟରେ କହିଥିଵା କେତେକ ଵିଶିଷ୍ଟ ଵାଣୀ ମଧୁଵାଣୀ...

🔵ଆମ୍ଭେମାନେ ସମସ୍ତେ କାର୍ଯ୍ୟ କଲାବେଳେ ଥରେ ଆମ୍ଭମାନଙ୍କର ଭାବିଵା ଉଚିତ୍ ଯେ, ମୋ କାର୍ଯ୍ୟଦ୍ବାରା ମୋ ଜାତିର ମାନ ବଢ଼ୁଛି କି ନାହିଁ ।


🔵ଭଗବାନଙ୍କଠାରେ ଵିଶ୍ଵାସ ରଖି ସତ୍ୟପଥରେ ଏକନିଷ୍ଠ ଭାବରେ ନାନା କାର୍ଯ୍ୟରେ ଲାଗିପଡ଼ । ପଡ଼ୋଶୀ ଜାତିଙ୍କ ଚିତ୍ତକୁ ତୁମେ ନିଶ୍ଚୟ ଆକର୍ଷଣ କରିପାରିଵ ।

🔵ମୋ ଜାତିର ପୀଠରେ ତୁମର ଜୀଵନକୁ ଵଳିଦାନ କର । ପୂର୍ଵେ ଏ ଜାତି ଯେଉଁ ଗୌରବର ଅଧିକାରୀ ହୋଇଥିଲା, ସେ ଗୌରବ ଲାଭ କର ।

🔵ଅନ୍ୟକୁ ସାହାଯ୍ୟ କରିଵାପାଇଁ ସର୍ଵଦା ପ୍ରସ୍ତୁତ ରୁହ। ଶେଷ ସମୟରେ ଭଗଵାନଙ୍କ ଦ୍ଵାରରେ ତୁମ କାର୍ଯ୍ୟର ମୂଲ୍ୟାୟନ ହେଵ : ତୁମେ ଯଦି ଭଲ କରିଥିଵ, ତେବେ ତୁମ ଆଗକୁ ଭଗଵାନ ଆସି କହିଵେ—ଆସ, ମୋର ପ୍ରିୟ ଶିଶୁ ! ତୁମକୁ ମୁଁ ଜୀଵନର ମୁକୁଟ ଦେବି ।

🔵ନିଜ ସକାଶେ ଜୀବନ ଧାରଣ କରିଵା ମନୁଷ୍ୟ ଜୀଵନର କଦାପି ଉଦ୍ଦେଶ୍ୟ ନୁହେଁ । ଈଶ୍ବର ଏ ଉଦ୍ଦେଶ୍ୟରେ କାହାକୁ ସୃଷ୍ଟି କରିନାହାନ୍ତି ।

🔵ମୁଁ ଵିଶ୍ବାସ କରେ ନାହିଁ ସେ ଈଶ୍ବରଙ୍କ ଜଗତର କେହି ମନୁଷ୍ୟ ସ୍ୱାର୍ଥପର ହୋଇପାରେ । ଯେ ସ୍ବାର୍ଥପର, ସେ ଈଶ୍ବରଙ୍କ ଆଜ୍ଞା ଲଙ୍ଘନ କରିଅଛି । ଈଶ୍ବର କାହାରିକୁ ସ୍ଵାର୍ଥପର ହେଵାକୁ ଦିଅନ୍ତି ନାହିଁ ।

🔵ଆଜି ତୁମ୍ଭେ ଓ ଆମ୍ଭେ ଅଛୁ, କାଲି ତୁମ୍ଭେ ଓ ଆମ୍ଭେ ଚାଲଯିଵା । ତଥାପି ମନୁଷ୍ୟ ଶରୀର ପରି ଆମ୍ଭର ଜାତି ଦିନକୁ ଦିନ ବଢୁ଼ ଥିଵ । ଜନନୀ ସେଵାରେ ଆତ୍ମଗର୍ଵ, ସ୍ବାର୍ଥପରତା ତ୍ୟାଗ କରିଵାକୁ ହେଵ । ମୁଁ ଵା ତୁମ୍ଭେମାନେ କାଲି ଏହି ସଂସାରରୁ ଚାଲଯିଵା, କିନ୍ତୁ ଜାତି ଅମର ଓ ଚିରଜୀବୀ ।

🔵ଯଦି ଉନ୍ନତି ଲଭିଵାକୁ ଇଚ୍ଛାକର, ଵୀଜ ଯେପରି ନୀଚକୁ ଯାଇ ଵୃକ୍ଷକୁ ଉଚ୍ଚକୁ ଉଠାଏ, ସେହିପରି ନିଜେ ନୀଚକୁ ଯାଅ ଓ ଜାତିରୁ ଉଚ୍ଚକୁ ଉଠାଅ ।

🔵ଦୋଷ ଗୁଣ ଦେଖିବା ସମ୍ବନ୍ଧରେ ମୋର ଵକ୍ତଵ୍ୟ ଏହି ଯେ ଯୋଡ଼ିଏ ଆଖିରୁ ଗୋଟିଏ ଆଖି ବନ୍ଦ କର ଓ ଗୋଟିଏ ଆଖି ଖୋଲି ରଖ । ବନ୍ଦ ଆଖିରେ ଜାତିର ଦୋଷଗୁଡ଼ିକ ଦେଖ । ଖୋଲା ଆଖିରେ ସେମାନଙ୍କର ଗୁଣଗୁଡ଼ିକ ନିରୀକ୍ଷଣ କର ।

Wednesday, September 15, 2021

ଯାହାର ଆମ୍ଭେ ମାମୁ (ଶରଦ ଯୋଶୀ)


ଜନୈକ ସଜ୍ଜନ ବନାରସରେ ପହଞ୍ଚିଲେ। ଷ୍ଟେସନରେ ଉହ୍ଲାଉଥାଆନ୍ତି ଏତିକିବେଳେ ଜଣେ ଯୁଵକ ତାଙ୍କ ଆଡ଼କୁ ଦୌଡ଼ି ଅଇଲା । 

'ମାମୁ ! ମାମୁ !' - ଟୋକାଟା ତାଙ୍କର ପାଦ ଛୁଇଁ ଯୁହାର ହେଲା ।  

ସଜ୍ଜନ ଜଣକ ତାକୁ ଚିହ୍ନି ନଥିଲେ । 
କହିଲେ - “ତୁମ୍ଭେ କିଏ ?”

“ମୁଁ ମୁନ୍ନା। ଆପଣ ମୋତେ ଚିହ୍ନିପାରୁନାହାନ୍ତି କି ?” 

'ମୁନ୍ନା?' ସେ ଭାଵିଵାକୁ ଲାଗିଲେ ।

'ହଁ , ମୁନ୍ନା। ମାମୁ ଆପଣ ମୋତେ ପୁରା ଭୂଲିଗଲେଣି ! , ହଁ ଵା , ଏତେ ଵର୍ଷ ହେଇଗଲାଣି ନା ଆଉ କ'ଣ ମୋ କଥା ମନେ ଥିଵ ।'

'ଆଉ ବାବୁ ତୁମ୍ଭର ସବୁ କୁଶଳ ମଙ୍ଗଳ ତ ?'

'ଆଜ୍ଞା ଭଲ ! ମୁଁ ଆଜିକାଲି ଏଇଠି ରହୁଛି।'

'ଆଚ୍ଛା।'

'ହଁ ଆଜ୍ଞା।'

ମାମୁ ନିଜ ଭଣଜା ସହିତ ବନାରସ ବୁଲିଵାକୁ ଲାଗିଲେ । ଯାହା ହେଉ, କେହି ତ ଜଣେ ସାଥିରେ ଅଛି ।‌ କେବେ ଏ ମନ୍ଦିର, କେବେ ସେ ମନ୍ଦିର ଏମିତି କେତେ ଆଡ଼େ ବୁଲି ଅଇଲେ । 

ତହୁଁ ଆସି ପହଁଚିଲେ ଗଙ୍ଗାଘାଟ ପାଖରେ । 

“ଭାବୁଛି , ସ୍ନାହାନ କରିନେଵା ଉଚିତ୍ ହେଵ ।

'ମୁନ୍ନା’, ଗାଧୋଇ ପଡି଼ଵା ?”

'ନିଶ୍ଚୟ ମାମୁ ! ବନାରସ ଆସିଛନ୍ତି ଯେତେବେଳେ ସ୍ନାନ କରିଵେନି , ଏହା କେମିତି ସମ୍ଭଵ ?'

ମାମୁ ଗଙ୍ଗାନଦୀରେ ବୁଡି଼ “ହର ହର ଗଙ୍ଗେ ହର ହର ଗଙ୍ଗେ” ଉଚ୍ଚାରୁ ଥାଆନ୍ତି । 

ନଦୀରୁ ବାହରକୁ ବାହାରି ଦେଖନ୍ତି ତ ତାଙ୍କର ସବୁ ଦରଵ 
କୁଆଡ଼େ ଚାଲିଯାଇଛି । କପଡ଼ା ନାହିଁ ! ସେ ଟୋକା... ମୁନ୍ନା ବି ନାହିଁ !

'ମୁନ୍ନା... ଏ ମୁନ୍ନା!'

କିନ୍ତୁ ମୁନ୍ନା ସେଠାରେ ଥିଲେ ତ ଶୁଣିଵ । ସେ ତ ତଉଲିଆ ଖଣ୍ଡେ ଗୁଡେ଼ଇ ଘାଟ ଉପରଟାରେ ଠିଆ ହୋଇଛନ୍ତି । 

' ଭାଈ , ଆପଣ ମୁନ୍ନାକୁ ଦେଖିଛନ୍ତି ?'

'କିଏ ମୁନ୍ନା?'

'ସେହି ମ ଯାହାର ଆମ୍ଭେ ମାମୁଁ ।'

' ବୁଝିପାରିଲିନି ଆଜ୍ଞା।'

'ଆରେ, ଯାହାର ଆମ୍ଭେ ମାମୁଁ ସେହି ମୁନ୍ନା।'

ସେ ତଉଲିଆଟି ପିନ୍ଧି ଥାଆନ୍ତି ଆଉ ଇଆଡ଼େ ସିଆଡେ଼ ଦୌଡୁ଼ଥାନ୍ତି । ମୁନ୍ନା ମିଳିଲାନି ।

ଭାରତୀୟ ନାଗରିକ ଓ ଭାରତୀୟ ଵୋଟର ଭାବେ ଆମର ବି ଏଇ ପରିସ୍ଥିତି ହେ ବୁନ୍ଧୁଗଣ ! ନିର୍ଵାଚନ ଋତୁରେ କିଏ କେତେ ଆସନ୍ତି ଆଉ ଆମ ଚରଣ ଧରିଵାକୁ ସୁଦ୍ଧା କୁଣ୍ଠାବୋଧ କରିନଥାଆନ୍ତି । ମୋତେ ଚିହ୍ନିନା ମୁଁ ପା ଏଥର ନିର୍ଵାଚନରେ ଛିଡ଼ା ହେଇଛି । ତୁମର ଭାବୀ ଏମ୍.ପି. । ମୋତେ ଚିହ୍ନିନା ? 

 ଆପଣ ପ୍ରଜାତନ୍ତ୍ରର ଗଙ୍ଗାରେ ବୁଡି଼ପଡ଼ନ୍ତି । ବାହରକୁ ବାହାରିଵାରୁ ଆପଣ ଦେଖନ୍ତି ଯେ ସେହି ଲୋକ ଯିଏ କାଲି ଆପଣଙ୍କ ଚରଣ ଛୁଇଁ ଵୋଟ୍ ଭିକ୍ଷା ମାଗିଵାକୁ ଆସିଥିଲା , ଆପଣଙ୍କ ଵୋଟ୍ ନେଇ ଉଭାନ ହୋଇ ସାରିଛି । ଵୋଟ୍‌ର ସମ୍ପୂର୍ଣ୍ଣ ପେଟିଟିକୁ ନେଇକରି ପଳାଇଯାଇଛି । 

ସମସ୍ଯାର ଘାଟ ଉପରେ ଆମ୍ଭେମାନେ ତଉଲିଆ ଗୁଡେ଼ଇ ଠିଆ ହୋଇଛନ୍ତି । ସମସ୍ତଙ୍କୁ ପଚାରୁଛନ୍ତି - ଆଜ୍ଞା ! ସେ ଲୋକଟିକୁ ଆପଣ ଦେଖିଛନ୍ତି କି ? ଆରେ ସେହି ମ ଯାହାର ଆମେ ଵୋଟର ,ଯାହାର ଆମ୍ଭେ ମାମୁ । ଆରେ ସେହି, ଯିଏ ଏଇଥର ନିର୍ଵାଚନ ସମୟରେ ମାମୁ ମଉସା ଡାକି ଵୋଟ ମାଗିଵାକୁ ଆସିଥିଲା ! ପାଞ୍ଚଵର୍ଷ ଏହିପରି ତଉଲିଆ ପିନ୍ଧି ଘାଟ ଉପରେ ଠିଆ ହୋଇ ହୋଇ ଵିତିଯାଇଥାଏ ।  

(ମୂଳ ରଚନା — ହିନ୍ଦୀ ଵ୍ୟଙ୍ଗକାର “शरद जोशी”ଙ୍କର “जिसके हम मामा हें”ର ଓଡ଼ିଆ ଭାଵାନୁଵାଦ ! )

Tuesday, September 14, 2021

ଉପଯୁକ୍ତ ବେଶ ପକାଇ ଆସ(ମନୋଜ ଦାସ)




ଗୋଟିଏ ରାଜ୍ୟ ଜୟ କଲେ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହୀରା ଲଗାନ୍ତି । ରାଜ୍ୟ ପରେ ରାଜ୍ୟ, ଚାରି ଛଅ ରାଜ୍ୟ ଜୟ କରି, ପଗଡ଼ି ଓ ପରିଧେୟରେ ଚାରି ଛଅ ଚେକା ହୀରା ଝଲସାଇ ରାଜା ନିଜ ନଅରକୁ ପ୍ରତ୍ୟାଵର୍ତ୍ତନ କରୁଥିଲେ । ଡେରା ପଡ଼ିଥିଲା ଗୋଟିଏ ପର୍ଵତର ପାଦଦେଶରେ । ଦୁଇ-ରାଜ୍ୟ ମଝିରେ ଏଇଟା ଗୋଟାଏ ଜନହୀନ ପ୍ରାୟ ବଣ ମୁଲକ । ସୈନ୍ୟଵାହିନୀ ଶୋଇ ପଡ଼ିଥିଲେ । ରାଜା ତାଙ୍କ ଶିଵିର ବାହାରେ ନିଶାର୍ଦ୍ଧରେ ପଦଚାରଣା କରୁଥିଲେ । ହଠାତ୍ ସମ୍ମୁଖଵର୍ତ୍ତୀ ପର୍ଵତ ଉପରେ ଏକ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କର ଦୃଷ୍ଟିଗୋଚର ହେଲା । ତାଙ୍କ ହୃଦୟ ଵିସ୍ମୟ, ଚମକ ଏବଂ ଆନନ୍ଦରେ ଭରିଗଲା । ସେ ଆଲୋକ ଯେ ଅସାଧାରଣ, ସେଥିରେ ସନ୍ଦେହର ଅଵକାଶ ନ ଥିଲା । ଵିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ ଓ ସେ ଆଲୋକ ଦେଖାଇଲେ । ମନ୍ତ୍ରୀ ଅତି ସ୍ବାଭାଵିକ ଭାବରେ କହିଲେ, “ମହାରାଜ, ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁଁ ଶୁଣିଥିଲି କି ସେ ପର୍ଵତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି । ଶୀତ ରାତି । ସେ ନିଆଁ ଜାଳିଛନ୍ତି ।” 

—ମନ୍ତ୍ରୀ । ତୁମକୁ ସେ ଆଲୋକ କିପରି ଲାଗୁଛି ? "ରାଜାଙ୍କ ପ୍ରଶ୍ନରେ ଵିସ୍ମିତ ହୋଇ ମନ୍ତ୍ରୀ କହିଲେ, "ମଣିମା। ଶୁଖିଲା କାଠପତ୍ର ଜାଳିଲେ ନିଆଁ ଯେପରି ହେଵା କଥା, ଏହା ସେହିପରି ।” 
“ଆଚ୍ଛା, ଶୋଇଵ ଯାଅ ।" କହିଲେ ରାଜା । ସେ ବୁଝିଲେ ଯେ ଆଲୋକର ଯେଉଁ ଵିଶେଷତ୍ଵ ସେ ଦେଖୁଛନ୍ତି, ମନ୍ତ୍ରୀ ତାହା ଦେଖିପାରୁ ନାହାନ୍ତି । ପ୍ରଭାତ ହେଲା । ରାଜା ସନ୍ନ୍ୟାସୀଙ୍କୁ ଭେଟିଵାର ଅନୁମତି ପ୍ରାର୍ଥନା କରି ଦୂତ ପଠାଇଲେ । ଦୂତ ଫେରିଆସି କହିଲେ, “ ସନ୍ନ୍ୟାସୀ କହୁଛନ୍ତି କି, ତାଙ୍କୁ ଭେଟିଵାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିଵା ଦରକାର ।” “ ଅଵଶ୍ୟ ।” କହି ରାଜା ତାଙ୍କର ରତ୍ନଖଚିତ ପୋଷାକ ଓ ପଗଡ଼ି ଲଗାଇ ବାହାରି ପଡ଼ିଲେ । ସେ ପର୍ଵତ ଅଧା ଚଢ଼ିଵା ବେଳକୁ ସନ୍ନ୍ୟାସୀଙ୍କର ଜଣେ ଚେଲା ଆସି କହିଲେ,
 “ ଗୁରୁଦେଵ ମଣିମାଙ୍କୁ ଦୂରରୁ ଦେଖିଛନ୍ତି । ସେ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସିଵା ଦରକାର ।” 

ରାଜା ନୀରଵରେ ଶିଵିରକୁ ଆସି ରତ୍ନପୋଷାକ ଉତାରି, ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧିଲେ ଓ ନିଜକୁ ନିଜେ କହିଲେ, “ଵାସ୍ତଵିକ୍ ରାଜ-ପୋଷାକରେ ସନ୍ନ୍ୟାସୀଙ୍କ ପାଖକୁ ଯିଵାକୁ ଵାହାରିଵାଟା ବୋକାମି ଛଡ଼ା ଆଉ କ'ଣ । ” ସେ ପର୍ଵତ ଚଢ଼ିଵାକୁ ଆରମ୍ଭ କରନ୍ତେ ପୁଣି ଜଣେ ଚେଲା ଆସି କହିଲା, 

“ ମହାରାଜ । ଗୁରୁଦେଵ କହୁଛନ୍ତି କି, ଆପଣ ଉପଯୁକ୍ତ ବେଶରେ ଆସନ୍ତୁ । ରାଜା ଅଗତ୍ୟା ତମ୍ବୁକୁ ଫେରିଲେ ଓ ଏଥର ଗେରୁଆ ଲୁଗାପଟା ଯୋଗାଡ଼ କରି ପିନ୍ଧି, ପୁଣି ପର୍ଵତ ଚଢ଼ିଵାକୁ ଆରମ୍ଭ କଲେ । 

“ ମହାରାଜ ! ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ । ” ତୃତୀୟ ଚେଲାଟାଏ ତାଙ୍କୁ ଆସି କହିଲା ।

 ରାଜା କାନ୍ଦ କାନ୍ଦ ଦେଖାଗଲେ । ମନ୍ତ୍ରୀ ତାଙ୍କ କାନରେ କହିଲେ, “ମହାରାଜ ! ସେ ଉଦ୍ଧତ ସାଧୁକୁ ଏହିକ୍ଷଣି ଧରି ଆଣି ଆପଣଙ୍କ ଆଗରେ ହାଜର କରିଦେବି ।”
 ରାଜା ଧୀର କଣ୍ଠରେ କହିଲେ, “ ମନ୍ତ୍ରୀ। କେତେ ରାଜା ମହାରାଜାଙ୍କୁ ବନ୍ଦୀ କରି ତ ମୋ ଆଗରେ ତମେ ଓ ସେନାପତି ହାଜର କରିଛ । ଜଣେ ନିରସ୍ତ, ନିର୍ଵାକ୍ ସାଧୁଙ୍କୁ ଧରି ଆଣିଵାରେ ବାହାଦୁରି କ'ଣ ?”ଶିଵିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲେ ନାହିଁ । ଵାସ୍ତଵିକ, ଆଜିଯାଏଁ ସେ ନିଜକୁ କେଡ଼େ ପ୍ରଭାଵଶାଳୀ, କ୍ଷମତାଶାଳୀ ମନେ କରି ଆସିଥିଲେ । ଇଏ ହେଲା କ’ଣ ? ବେଶ ବୋଇଲେ ସାଧୁ କ’ଣ ବୁଝାଉଛନ୍ତି ? ଯୋଗ୍ୟତା ? ଵାସ୍ତଵିକ, ସେ କ'ଣ ଜଣେ ସାଧୁଙ୍କୁ ଭେଟିଵାକୁ ଯୋଗ୍ୟ ? ସେ ଏ ପ୍ରଶ୍ନ ଉପରେ ଯେତିକି ଚିନ୍ତା କଲେ, ସେତିକି ଵିମର୍ଷ ବୋଧ କଲେ । ଅର୍ଥାତ୍ ଜୀଵନରେ ସେ ଯେତେ ଵିଜୟ ପ୍ରାପ୍ତି କରିଛନ୍ତି, ଯେତେ ମୁଣ୍ଡ କାଟ କରି ତଳେ ଲୋଟାଇ ଦେଇଛନ୍ତି, ସେ ସବୁ ତାଙ୍କୁ ଅନ୍ୟମାନଙ୍କ ଆଖରେ ଵିରାଟ କରି ଥାଇପାରେ, କିନ୍ତୁ ସାଧୁଙ୍କ ଆଖିରେ ସେ ଅଯୋଗ୍ୟ ! 

 
“ ପୁଅ ! ଏ ବେଶରେ ତମେ କେତେ ସୁନ୍ଦର ଦିଶୁଛ ।”

ଏ ଅପୂର୍ଵ କଣ୍ଠସ୍ଵର ରାଜାଙ୍କୁ ଚମକାଇ ଦେଲା । ସେ ଅନାଇଵା ବେଳକୁ ତାଙ୍କ ଆଗରେ ଉଭା ସ୍ଵୟଂ ସନ୍ନ୍ୟାସୀ । ରାଜା ତାଙ୍କ ପାଦରେ ଲୋଟିଗଲେ । ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢାଇ ପକାଇ କହିଲେ

 “ହୃଦୟରେ ଏହିଭଳି ନମ୍ରତା ବୋଧଠୁଁ ବଳି
  ସୁନ୍ଦର ସାଜ ଆଉ କିଛି ନାହିଁ” । 

“ମହାଭାଗ ! ମୁଁ କେଡ଼େ ମୂର୍ଖ ଥିଲି । ରାଜ୍ୟ ପରେ ରାଜ୍ୟ ଜୟ କରି ନିଜକୁ ଗୌରଵାନ୍ବିତ ବୋଧ କରୁଥିଲି ।” ରାଜା ମୃଦୁକଣ୍ଠରେ କହିଲେ ।

 “ହଁ ଵତ୍ସ । ସେ ଗୌରଵବୋଧ ଅଜ୍ଞାନପ୍ରସୂତ । ଆଜି ତମେ ଜ୍ଞାନର ଉଷାଲୋକରେ ଉପନୀତ ।" ସନ୍ନ୍ୟାସୀ ରାଜାଙ୍କୁ ଆଶୀର୍ଵାଦକରି ବୁଲିପଡ଼ି ଚାଲିଗଲେ । 
------------------------------------------------------
© ଗଳ୍ପସମ୍ରାଟ ଶ୍ରୀମନୋଜ ଦାସ
------------------------------------------------------
------------------------------------------------------
-------------------------------------------------------
ପ୍ରଥମଠାରୁ ଦ୍ଵାଦଶ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିଗୁଡି଼କ ମଧ୍ୟରେ କେଵଳ ପଞ୍ଚମ ଓ ଦ୍ଵାଦଶ ଶ୍ରେଣୀର ସାହିତ୍ୟ ବହିରେ ମନୋଜ ଦାସଙ୍କ ଦୁଇଗୋଟି ଗଳ୍ପ ସ୍ଥାନ ପାଇଛି । ମୁଁ ଉଚ୍ଚ ଵିଦ୍ୟାଳୟରେ ପଢୁ଼ଥିଵା ସମୟରେ ତାଙ୍କର ଏକ ପ୍ରବନ୍ଧ ସାହିତ୍ୟ ବହିରେ ଥିଲା ଯାହା ଏବେ ଆଉ ନାହିଁ । ପ୍ରୋକ୍ତ କାହାଣୀଟି ପଞ୍ଚମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିରୁ ସଂଗୃହୀତ । 
------------------------------------------------------
------------------------------------------------------
-------------------------------------------------------

Saturday, September 11, 2021

ସାରା ଓଡ଼ିଶାର ପର୍ଵ ନୂଆଖାଇ

ପୂର୍ଵ କି ପଶ୍ଚିମ ଓଡ଼ିଶାର ନୁହେଁ ନୂଆଖାଇ ସମସ୍ତଙ୍କର ପର୍ଵ ସବୁ ଓଡ଼ିଆମାନଙ୍କର ପର୍ବ । ରଥଯାତ୍ରା ସମ୍ବନ୍ଧରେ ମଧ୍ୟ ଏହିକଥା କୁହାଯାଇପାରେ । ରଥଯାତ୍ରା କଳିଙ୍ଗୀମାନେ ପ୍ରଥମେ ପାଳିଵା ଆରମ୍ଭ କଲେ ବି ତାହା ଆଜି ସାରା ଵିଶ୍ଵରେ ପାଳିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସାରା ଵିଶ୍ଵରେ ପାଳିତ ହୁଏ ତାକୁ ଏବେ ଜଣେ ଓଡ଼ିଆ ଓଡ଼ିଶାର ପର୍ଵ କହିଵ ନା ଵୈଶ୍ଵିକ ପର୍ଵ କହିଲେ ଉଚିତ୍ ହେଵ ? 

  ପୂର୍ଵେ ଓଡ଼ିଶାରେ ନୂଆଖାଇ ସବୁଠି ଥିଲା ତାକୁ ବଞ୍ଚେଇ ରଖିଲେ ଗଡ଼ଜାତର ଲୋକ କିନ୍ତୁ ଅନ୍ୟ ଅଞ୍ଚଳର ଲୋକେ ଛାଡ଼ି ଦେଲେ ଏଵଂ କେଉଁଠି କେଉଁଠି ଭିନ୍ନ ଦିନରେ ଯଥା ଦଶହରା ସମୟରେ ଧାନ ଅମଳ ହେଵାରୁ ନୂଆଖିଆ ଓ ନଵାନ୍ନ ଆଦି ନାମରେ ପାଳନ କଲେ । 
  
ଉପକୂଳିଆ ଅନ୍ୟ ଅଞ୍ଚଳର ଲୋକଙ୍କ ସଂସ୍ପର୍ଶରେ ଆସି ନିଜ ସଂସ୍କୃତି ପରମ୍ପରା, ଶବ୍ଦ ଛାଡ଼ିଦେଲାବେଳେ ଗଡ଼ଜାତରେ ସେସବୁରୁ କିଛି କିଛି ବଞ୍ଚିରହିଛି କିନ୍ତୁ ତାହା ପଶ୍ଚିମ ଓଡ଼ିଶାର ଭିନ୍ନତା ନୁହେଁ ମହାନତା । ସେମାନେ ଓଡ଼ିଆ ସଂସ୍କୃତି ସହ ସମ୍ବନ୍ଧିତ ଦରଵ ପରଵ ବଞ୍ଚାଇ ରଖିଛନ୍ତି ଏହା ହିଁ ସେମାନଙ୍କର ମହାନତା । ସେଇମିତି ପ୍ରାଚୀନ ସନାତନ ସଂସ୍କୃତିର ଅନେକ ପର୍ଵ ଯଥା ରଜ,ଦୋଳ ଆଦି ଓଡ଼ିଶାର ସଂସ୍କୃତିରେ ତଥା ଲକ୍ଷ ଲକ୍ଷ ସଂସ୍କୃତ ଶବ୍ଦ ଓ ମୂଳ ଆର୍ଯ୍ୟ ଭାଷାର ଅକାରାନ୍ତ ଉଚ୍ଚାରଣ ଓଡ଼ିଆ ଭାଷାରେ ଆଜି ବି ବଞ୍ଚି ରହିଛି । ଏହି ସବୁ ନିଆରାପଣ ଯୋଗୁଁ ଭାରତଠାରୁ କଳିଙ୍ଗୋତ୍କଳ କି ମୋଗଲବନ୍ଦୀ ଓଡ଼ିଶାଠାରୁ ଗଡ଼ଜାତ ଓଡ଼ିଶା ଵିଭିନ୍ନ ନୁହେଁ ଵରଂ ଅଭିନ୍ନ ବୋଲି ହିଁ ହୃଦବୋଧ ହୋଇଥାଏ । 

“ଵସୁଧୈଵ କୁଟୁମ୍ବକମ୍”ର ଭାଵ ସମସ୍ତ ପର୍ଵ ମଧ୍ୟରେ ଥାଏ ଓ ରହିଵା ଉଚିତ୍ । ଇଂରାଜୀ ନଵଵର୍ଷ ଆଜି ଵୈଶ୍ଵିକ ପର୍ଵ । ଭାରତର ରଥଯାତ୍ରା ଓ ହୋଲୀ ମଧ୍ୟ ସମାନ ଭାଵେ ଵୈଶ୍ଵିକ ପର୍ଵ ହୋଇପାରିଛି । କିନ୍ତୁ ଯେକୌଣସି ପର୍ଵରୁ ଏହି ଵିଶ୍ଵଭାତୃତ୍ଵର ଭାଵ ନଷ୍ଟକରେ ଆଞ୍ଚଳିକତା । ଆଞ୍ଚଳିକ ବନ୍ଧନ ଦ୍ଵାରା ଗୋଟାଏ ପର୍ଵ ଅନ୍ଯତ୍ର ଲୋକପ୍ରିୟ ହୋଇନପାରି ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ରହିଯାଏ । ଆଜି ରଥଯାତ୍ରା ଲୋକପ୍ରିୟ ହୋଇ ପାରିଛି ତ କେଵଳ ଓଡ଼ିଆ ଲୋକଙ୍କ ଵିଶ୍ଵଭାତୃତ୍ଵ ଯୋଗୁଁ । ଓଡ଼ିଆ ପର୍ଵ କହି ଓଡ଼ିଶା ଭିତରେ ବାନ୍ଧି ରଖିଥିଲେ ତାହା ଅନ୍ଯତ୍ର ଅନୁକରଣୀୟ ହୋଇନଥାନ୍ତା । 

ନୂଆଖାଇ କେଵଳ ପଶ୍ଚିମ ଓଡ଼ିଶାର ପର୍ଵ ନୁହେଁ ସାରା ଓଡ଼ିଶାର ଲୋକ ନୂଆଖାଇ ପାଳୁଥିଲେ ଏବେ ବି ଉତ୍ତର, ଦକ୍ଷିଣ ଓ ପୂର୍ଵ ଓଡ଼ିଶାରେ ଭିନ୍ନ ତିଥିରେ ଊଣା ଅଧିକେ ହେଉ ପଛେ ଏ ପର୍ଵ ପାଳିତ ହୋଇଥାଏ । ଆଗକାଳରେ ଦେଶୀୟ ରାଜାମାନେ ନିଜ ନିଜର ଇଷ୍ଟଦେଵତାଙ୍କ ନାମ ଅନୁସାରେ ନୂଆଖାଇଵାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆଖିଆ ପର୍ଵର ତିଥି ନିର୍ଣ୍ଣୟ କରାଉଥିଲେ । ରାଜଶାସନ ଉଠିଗଲାପରେ ମଧ୍ୟ ରାଜାଙ୍କ ଇଷ୍ଟଦେଵତାଙ୍କ ନାମ ଅନୁସାରେ ପଣ୍ଡିତମାନେ ଅନେକ ଵର୍ଷ ଯାଏଁ ନଵାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ । 

 ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ଵ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ପଶ୍ଚିମ ଓଡ଼ିଶାରେ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ସେହିପରି ପୂର୍ଵାଞ୍ଚଳରେ ନୂଆଖିଆ ପର୍ଵ ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେଉଥିଲା । ପୂର୍ଵାଞ୍ଚଳରେ ଏହି ନଵାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ଵ୍ୟଵହୃତ ହୋଇଥାଏ । ଦକ୍ଷିଣ ଓଡ଼ିଶାରେ 
 କୃଷକମାନେ ନୂଆଖିଆ ପର୍ଵ ମାସ ମଧ୍ୟରେ ଶ୍ରେଷ୍ଠ ମାର୍ଗଶିର ମାସର ଶେଷ ଓ ପୌଷର ଆରମ୍ଭ ସମୟରେ ପାଳନ କରିଥାନ୍ତି । କେତେକ ଅଞ୍ଚଳରେ ମକର ସଂକ୍ରାନ୍ତି ଵା ମାଘ ସଂକ୍ରାନ୍ତି ଦିନ ଶାଲ୍ଯୋଦନ ପର୍ଵ ପାଳନ ଅଵସରରେ ନୂଆଖିଆ ଯାଏ ଏହାକୁ ମକର ଚାଉଳ ଖିଆ ମଧ୍ୟ କୁହାଯାଏ । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ତିଥିରେ ମଧ୍ୟ ପୂର୍ଵେ ନଵାନ୍ନ ଭକ୍ଷଣ କରାଯାଉଥିଲା । ଵିଭିନ୍ନ ଅଞ୍ଚଳରେ ଶସ୍ୟଅମଳକୁ ନେଇ ଭିନ୍ନ ଭିନ୍ନ ସମୟରେ ନୂଆଖିଆ ଯାଉଥିଲା । 
 
 ଓଡ଼ିଶାର ପୂର୍ଵତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗୋଟିଏ ଦିନରେ ନୂଆଖାଇ ପର୍ଵ ପାଳନ କରାଯିଵା ପାଇଁ ୧୯୯୧ରେ ଆହ୍ଵାନ ଦେଲେ ତଥା ସାରା ଓଡ଼ିଶାରେ ନୂଆଖାଇ ଦିନକୁ ସରକାରୀ ଛୁଟି କରିଵା ପାଇଁ ମଧ୍ୟ ଘୋଷଣା କରିଥିଲେ । ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ଏ ଵିଷୟରେ ଅନେକ ଆଲୋଚନା ହେଲାପରେ ସର୍ଵସମ୍ମତି କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନଟି ନୂଆଖାଇ ପାଇଁ ସ୍ଥିର କରାଗଲା । ସେହି ଵର୍ଷ ଅର୍ଥାତ୍ ୧୯୯୧ ପରଵର୍ଷଠାରୁ ପ୍ରତ୍ୟେକ ଵର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ଵ ତିଥି ଅନୁସାରେ ପାଳିତ ହୋଇ ଆସୁଛି । ତେବେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଭାଦ୍ରଵ ଶୁକ୍ଳ ଦଶମୀ ତିଥିରେ ନୂଆଖାଇ ପାଳନ କରାଯାଇଥାଏ । 
ଏହି ଭାଦ୍ରଵ ମାସର ଏକାଦଶୀ ତିଥିରେ ଆଉ ଏକ ପର୍ଵ ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଆଦି ଅଞ୍ଚଳରେ ପାଳିତ ହୋଇଥାଏ ତାକୁ କରମା ପର୍ଵ କହିଥାନ୍ତି । କରମା ପର୍ଵ ସହ ନୂଆଖାଇର କେତେକ ସାମଞ୍ଜସ୍ୟ ରହିଛି । ଏ ଉଭୟ ପର୍ଵ ଭାଦ୍ରଵମାସ ଶୁକ୍ଳପକ୍ଷରେ ଆୟୋଜିତ ହୁଏ । ଉଭୟ ପର୍ଵ ପଶ୍ଚିମାଞ୍ଚଳ ତଥା ଵିଚ୍ଛିନ୍ନାଞ୍ଚଳ ଓଡ଼ିଶାରେ ପାଳିତ ହୁଏ । ଏ ଉଭୟ ପର୍ଵରେ ଭଗଵାନଙ୍କୁ ନଵାନ୍ନ ଲାଗି ଦିଆଯାଏ । କେଵଳ କରମା ପରଵ ହିଁ ନୁହେଁ ଛାଡ଼ଖାଇ ସହିତ ମଧ୍ୟ ନୂଆଖାଇର ଗୋଟିଏ ସମାନତା ରହିଛି । ପୂର୍ଵକାଳରେ ସକାଳେ ନୂଆଖାଇ ପାଳନପରେ ସନ୍ଧ୍ଯାବେଳେ ସମସ୍ତେ ଆମିଷ ଭୋଜନ କରି ଶୋଇଵାର ଵିଧାନ ଥିଲା । ସେତେବେଳେ ଗଡ଼ଜାତରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଏହିଦିନ ଆମିଷ ଖାଇ ନ ଥିଵା ବ୍ୟକ୍ତି ପର ଜନ୍ମରେ ବକ ଯୋନିରେ ଜନ୍ମ ହୁଏ । ଶହେ ଵର୍ଷ ତଳେ ସଂକଳିତ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହିକଥା ଉଲ୍ଲେଖ ରହିଛି କିନ୍ତୁ ଶହେ ଵର୍ଷ ମଧ୍ୟରେ ଅନେକ ରୀତିନୀତି ବଦଳି ସାରିଛି ଆଜି ନୂଆଖାଇ ବାସିରେ ଆମିଷ ଭକ୍ଷଣର ପରମ୍ପରା ପ୍ରଚଳିତ । 

ନୂଆଖାଇ ପରି ଆହୁରି ଅନେକ ପର୍ଵ ଓଡ଼ିଶାରେ ପ୍ରଚଳିତ ଥିଲା କିନ୍ତୁ ଲୋକପ୍ରିୟ ନହେଵା ଯୋଗୁଁ ସେଗୁଡ଼ିକ ଜନାଦୃତ ଓ ପ୍ରସିଦ୍ଧ ହୋଇପାରିନାହିଁ । ସେହିପରି ଗୋଟିଏ ପର୍ଵ ହେଉଛି ଗୁଣ୍ଡିଖିଆ । ଦୋଳପୂର୍ଣ୍ଣିମା ଦିନ ଗଡ଼ଜାତର କେତେକ ଜାତିଙ୍କ ମଧ୍ୟରେ ଏହି ନୂଆଖିଆ ନଵାନ୍ନ ପରି ଉତ୍ସବ ଵିଶେଷର ପ୍ରଚଳନ ଥିଲା । ଏ ଦିନ ଲୋକେ ଵର୍ଷର ପ୍ରଥମ ମହୁଲଫୁଲ ନୂଆ କରି ଖାଉଥିଲେ ‌ । ସିମଖାଇ ଵା ଝଣ୍ଟାନୂଆଁ ପର୍ଵ ଏହିଧରଣର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ପର୍ଵ । ଏ ପର୍ଵରେ ଗ୍ରାମର ଉପକଣ୍ଠରେ ଥିଵା ଗ୍ରାମଦେବତାଙ୍କ ଆସ୍ଥାନରେ ନୂଆ ଧାନର ଅନ୍ନ ଖେଚୁଡ଼ି ଖିରି ଚୂଡ଼ା ସହ ଝୁଣ୍ଟା ଵା ସିମ୍ବ ଆଦି ଭୋଗ ଦିଆଯାଉଥିଲା । ଗ୍ରାମଵାସୀଙ୍କ ଘରେ ନୈବେଦ୍ଯ ଓ ନୂଆଖିଆ ଉତ୍ସଵ କରୁଥିଲେ ଵିଶେଷତଃ ଏହି ଦିନଠାରୁ ନୂଆ ଝଣ୍ଟା ଵା ସିମ୍ବ ଖାଇଵାର ଵିଧି ରହିଥିଲା । ଓଡ଼ିଶାର ପରଜା ଓ ଦୁରଵା ଜନଜାତିଙ୍କ ମଧ୍ୟରେ ଏହିପରି ଆଉ ଗୋଟିଏ ପର୍ଵ ପାଳିତ ହୋଇଥାଏ ଆମାଖାୟୀ । ଏହି ପର୍ଵ ଆମ୍ବ ଫଳିଵା ସମୟରେ ପାଳିତ ହୋଇଥାଏ । ସାଧାରଣତଃ ଓଡ଼ିଶାରେ ମହା ଵିଷୁଵ ପଣା ସଂକ୍ରାନ୍ତିରେ ଦେଵତାଙ୍କୁ ନୂଆ ଆମ୍ଵ ମିଶା ପଣା ଦେଲାପରେ ହିଁ ଆମ୍ବ ଖାଇଵାର ରୀତି ରହିଛି । ଏହା ସେହି ଧରଣର ପର୍ଵ । ମୁଣ୍ଡା ଜନଜାତିର ଜମଲମା ପରଵ ମଧ୍ୟ ନୂଆଖାଇ ପର୍ଵ ପରି ଏକ ପର୍ଵ । ଏହିପର୍ଵ ଅଵସରରେ ମୁଣ୍ଡା ଜନଜାତିର ଲୋକେ ନଵାନ୍ନ ଭକ୍ଷଣ କରିଥାନ୍ତି । 

 ପୂର୍ଵାଞ୍ଚଳରେ ଏକ ସମୟରେ ନୂଆଖାଇ ହୋଇପାରେନି । ପଶ୍ଚିମ ଓଡିଶାର ଭୌଗଳିକ ପରିସ୍ଥିତି ଯୋଗୁଁ ଏଠାରେ ସ୍ୱଳ୍ପ ସମୟରେ ଫଳ ଧରୁଥିବା ଧାନ ଚାଷ ହୁଏ ପୁଣି ଖରିଫ୍ ଓ ରଵି ଭେଦରେ ଵାର୍ଷିକ ଦୁଇଥର ଧାନ ଚାଷ ହୋଇଥାଏ । ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଚାଷକ୍ଷେତ୍ର ପାହାଡି଼ଆ ଏଠିକା ଭୂଇଁ ପାଇଁ ଅଳ୍ପ ଜଳରେ ଶିଘ୍ର ଅମଳ ହୋଇପାରୁଥିଵା ଧନ୍ୟ ଜାତିକୁ ଵିକଶିତ କରାଯାଇଥିଲା ।‌ ଅର୍ଥାତ୍ ପାହାଡ଼ିଆ ଅଞ୍ଚଳରେ ବଞ୍ଚିପାରୁଥିଵା ଭଳି ଧାନଗଛକୁ ହିଁ ଗଡ଼ଜାତରେ ଚାଷ କରିଵାକୁ ପ୍ରାଚୀନ କଳିଙ୍ଗୀମାନେ ଚୟନ କରିଥିଲେ । 
 ଓଡ଼ିଶାର‌ ଅନ୍ୟାନ୍ୟ ଅଞ୍ଚଳରେ ମାତ୍ର ଥରେ ସମତଳ ବିଲରେ ଧାନଚାଷ ହୋଇଥାଏ । ଫଳତଃ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଭାଦ୍ରଵ ଶୁକ୍ଳପକ୍ଷରେ ମୁଖ୍ୟ ଖାଦ୍ୟଶସ୍ୟ ଧାନ ଅମଳ ହେଉନଥିଵାରୁ ଏହି ସମୟରେ ନୂଆଖାଇ ପାଳିତ ନହୋଇ ଭିନ୍ନ ସମୟରେ ହେଉଥିଲା ‌ । 

କିଛି ଵର୍ଷ ହେଲା ପଶ୍ଚିମ ଓଡ଼ିଶାର କେତେକ ଅସାମାଜିକ ଲୋକ ନୂଆଖାଇ ପର୍ଵକୁ ଧରି ପଶ୍ଚିମାଞ୍ଚଳ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ ପୂର୍ଵାଞ୍ଚଳ,ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳର ଲୋକଙ୍କ ପ୍ରତି ଘୃଣା ରୂପ ଵିଷ ଜନ୍ମାଇଵାକୁ ଚେଷ୍ଟା କରୁଅଛନ୍ତି । 

ଏଭଳି ଲୋକେ କୁହନ୍ତି “ଆମ ନୂଆଖାଇ ପର୍ଵ ଉପକୂଳିଏ ପାଳନ୍ତି ନାହିଁ ଆମର ହତାଦର କରନ୍ତି ସେମାନେ ଆମ ଭାଇ ନୁହନ୍ତି” ଇତ୍ୟାଦି ।

ତେବେ ପୂର୍ଵୋକ୍ତ ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାର ସବୁ ଲୋକେ ଭିନ୍ନ ଭିନ୍ନ ସମୟରେ ନୂଆଖାଇ ପାଳନ୍ତି ଏଵଂ ନଵାନ୍ନ ଭକ୍ଷଣ ପର୍ଵ ସମସ୍ତ କୃଷକ ଘରେ ପାଳନ କରାଯାଏ । ତେବେ ସରକାରୀ ଛୁଟି ଘୋଷଣା ହୋଇଥିବା ଭାଦ୍ରଵ ଶୁକ୍ଳ ପଞ୍ଚମୀ ସୁଦ୍ଧା ଓଡ଼ିଶାର ପୂର୍ଵାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଅନେକ ଅଞ୍ଚଳରେ ଧାନ କେଣ୍ଡା ଧରିନଥାଏ । ଯେବେ ନୂଆ ଧାନ ହିଁ ହୋଇନଥାଏ ତେବେ ଏହି ଅଞ୍ଚଳର କୃଷକମାନେ ଏହିଦିନ ନୂଆଖାଇ କେମିତି ପାଳନ୍ତେ ?

ଉପକୂଳ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ର ଭୌଗଳିକ ପରିସ୍ଥିତି ଭିନ୍ନ ଭିନ୍ନ । ଉପକୂଳ ଓଡ଼ିଶାରେ ଅଖି ତୃତୀୟା ଦିନ ଧାନ ମଞ୍ଜି ବୁଣାଯାଏ,ଗେଣ୍ଡା ନୂଆ ଧାନଗଛ କାଟି ନିଅନ୍ତୁ ସେଥିପାଇଁ ଚିତଉ ଉଆଁସ ଦିନ ନୁଆଁ ପାଣି ରେ ଗେଣ୍ଡା ଦି ପ୍ରାଣୀ ଙ୍କୁ ପିଠା ଦେଇ ସନ୍ତୁଷ୍ଟ କରାଯାଏ । ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛ ଗର୍ଭରେ ଧାନ ରହେ । 
ବିଜୟା ଦଶମୀ ଏଵଂ କୁମାର ଉତ୍ସଵ ସମୟରେ ଉପକୂଳରେ ଉଭା କେଣ୍ଡା ପୂଜା ହୋଇଥାଏ । ମାଣବସା ଶେଷ ପାଳି ଦିନ ନୂଆଧାନରେ ଲକ୍ଷ୍ମୀ ଆଵାହନ ଏଵଂ ନୂଆ ଚାଉଳ ଲକ୍ଷ୍ମୀ ପ୍ରସାଦ ଭକ୍ଷଣ ହୁଏ କିନ୍ତୁ ଏହାରଭାତ ହୁଏନାହିଁ । ପୌଷ ପ୍ରଥମ ଦିନରୁ କେଉଁଠି କେଉଁଠି ମାଘ ମାସରେ ପହିଲି ଭୋଗ ଦେଵସ୍ଥାନରେ ଲାଗି ହେଵାପରେ ସେହି ଦିନୁ ନୂଆ ଚାଉଳ ଭାତ ଖିଆଯାଏ । ଏହାପରେ ଧନୁ ସଂକ୍ରାନ୍ତି ଦିନ ନୂଆଧାନରେ ଲିଆ ହୁଏ ଏଵଂ ଦେଵୀଘରକୁ ଝିଅଘରକୁ ନୂଆମୁଆଁ ଦିଆଯାଏ । ପୂର୍ଵ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଧାନ ଅମଳ ହେଵାପରେ ହିଁ ନୂଆଖାଇ ପର୍ଵ ପାଳିତ ହୋଇଥାଏ । ଏହା ନୂଆଖାଇ ପରି ଏକ କୃଷି ପର୍ଵକୁ ହତାଦର ନୁହେଁ ଯେତେବେଳେ ଯେଉଁଠି ଶସ୍ୟ ଅମଳ ହୁଏ ଉତ୍ପାଦିତ ହୁଏ ପ୍ରଥମେ ଇଷ୍ଟଙ୍କୁ ଦିଆଗଲାପରେ ଲୋକେ ନଵାନ୍ନ ଭକ୍ଷଣ କରିଥାନ୍ତି । ସେଇ ପରମ୍ପରା ସବୁ ଚଷା ଘରେ ଭିନ୍ନ ଭିନ୍ନ ତିଥିରେ ପାଳିତ ହେଉଥିଲେ ହେଁ ବଞ୍ଚିଛି ଏଵଂ ଚାଷ ଓ ଚାଷୀ ଥିଲା ଯାଏଁ ରହିଥିଵ । ତେବେ ଉପକୂଳ ଓଡ଼ିଶାରେ ପାରମ୍ପରିକ ଭାବରେ କୃଷକପରିଵାରମାନେ ଋଷି ପଞ୍ଚମୀ ତିଥିରେ ନୂଆଖାଇ ପାଳୁନଥିଲେ ବି ଏହି ଗଣପର୍ଵର ଆୟୋଜନ ଏଠାକାର କେତେକ ଓଡ଼ିଆ ସଂଗଠନ ଆୟୋଜିତ କରିଥାନ୍ତି । ନୂଆଖାଇ ସାରା ଓଡ଼ିଶାର ପର୍ଵ ସବୁ ଓଡ଼ିଆମାନଙ୍କର ପର୍ଵ ଓଡ଼ିଆ ଜାତିର ପର୍ଵ ସେଇଥିପାଇଁ ତ ଏହି ପର୍ଵର ନାଆଁ ଓଡ଼ିଆ,ତାକୁ ପାଳନ୍ତି ମଧ୍ୟ ଓଡ଼ିଆ ଜାତିର ଲୋକ ।। 
🌾🌾🌾🌾🌾🌾🌾🌾🌾🌾🌾🌾🌾
🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾
   

Friday, September 10, 2021

ଭଗଵାନ ଶ୍ରୀଗଣେଶ ଓ ତାଙ୍କର ଵିଭିନ୍ନ ନାମ


ସାରା ଭାରତରେ ଭଗଵାନ ଗଣେଶଙ୍କର ପୂଜାର୍ଚ୍ଚନା ହେଉଥିଲେ ହେଁ ପଶ୍ଚିମ ଭାରତରେ ତାଙ୍କର ଆଗମନ ଉତ୍ସଵ ଧୁମ୍‌ଧାମରେ ପାଳିତ ହୋଇଥାଏ । 

ପୂର୍ଵେ ଓଡ଼ିଶାର ଵିଦ୍ୟାଳୟଗୁଡି଼କରେ କେବଳ ମାତ୍ର ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କର ପୂଜା ହେଉଥିଲା ଏଵଂ ଦୁଇ ତିନି ଦିନ ପରେ ଶୁଭଦିନ ଦେଖି ମୂର୍ତ୍ତି ଵିସର୍ଜନ କରାଯାଉଥିଲା ।  କ୍ରମେ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା ହେତୁକ ପୂଜା ମଣ୍ଡପମାନ କରାଯିଵା ଆରମ୍ଭ ହୋଇଛି । 




ପଶ୍ଚିମ ଭାରତର ପ୍ରଭାଵ ଯୋଗୁଁ ଆଜି ଓଡ଼ିଶାରେ ଗଣେଶ ପୂଜା ସମୟରେ ଵଣପତି ଗଜଵନ୍ଦନରେ “ମୋରୟା ମୋରୟା” ର  ନାଦ ଶୁଣିଵାକୁ ମିଳିଥାଏ । 

ଲୋକେ ଭକ୍ତିପୂତ ଭାବେ ଗାଆନ୍ତି...
“ମୋରୟା ମୋରୟା,ଗଣପତି ବପ୍ପା ମୋରୟା”

ଅଧୁନା ଦେଶରେ  ଗଣେଶ ଚତୁର୍ଥୀ ଠାରୁ ଗଣେଶ ବିସର୍ଜନ ଯାଏଁ ଏହି “ମୋରୟା” “ମୋରୟା” ଗୁଞ୍ଜରଣରେ ଗଗନ ପବନ ପ୍ରତିଧ୍ୱନିତ ହେଉଅଛି !

ତେବେ ଏହା ମୂଳତଃ ମରାଠୀ ଭାଷାର ଶବ୍ଦ ଏଵଂ ମରାଠୀମାନେ ଗୀତ ମାଧ୍ୟମରେ ଗାଇକରି ଶ୍ରୀଗଣେଶଙ୍କୁ 
ଜଣାନ୍ତି...

“ଗଣପତି ବପ୍ପା ମୋରୟା,ମଙ୍ଗଳମୂର୍ତ୍ତି ମୋରୟା,ପୁଢ଼ଚ୍ୟାଵର୍ଷୀ ଲବକରୟା"

ଅର୍ଥାତ୍ “ହେ ମଙ୍ଗଳକାରୀ ପିତା,ଆର ଥର କୁ ଆହୁରି ଶିଘ୍ର ଆସିଵ !”



କୁହାଯାଏ ଗଣପତି ବପ୍ପା ସହ ଯୋଡ଼ା ଯାଉଥିଵା ଏହି ମୋରୟା ନାମ ପଛରେ ଅଛି ଜନୈକ ଗଣେଶ ଭକ୍ତଙ୍କ କାହାଣୀ । 

କୁହନ୍ତି,୧୪ଶହ ଶତାବ୍ଦୀରେ ପୁଣେ ସହର ସମୀପସ୍ଥ
ଚିଞ୍ଚଵଡ଼୍ ଅଞ୍ଚଳରେ  “ମୋରୟା ଗୋସାଵୀ” ନାମଧେୟ ଜଣେ ଗଣେଶ ଭକ୍ତ ରହୁଥିଲେ । ଚିଞ୍ଚଵଡ଼୍‌ରେ ସେ କଠୋର ଗଣେଶସାଧନା କରି ଶେଷରେ ଜୀଵନ୍ତ ସମାଧୀ ନେଇ ଯାଇଥିଵା ଜଣାଯାଏ । ସେହିଦିନଠାରୁ ଚିଞ୍ଚଵଡ଼୍‌ର ଗଣେଶ ମନ୍ଦିର ପଶ୍ଚିମ ଭାରତରେ ଵିଖ୍ୟାତ ହେଲା ଏବଂ ଗଣପତିଙ୍କର ନାମ ସହ ମୋରୟା ନାମ ଯୋଡା଼ଯାଇ ଭକ୍ତ ଏଵଂ ଭଗଵାନଙ୍କର ଜୟଘୋଷ ପ୍ରଚଳିତ ହେଲା !

ମତାନ୍ତରେ 'ମୋରୟା' ଶବ୍ଦ  ମୋରଗାଁଵ୍‌ର ଗଣେଶଙ୍କର ଯୋଗୁଁ ପ୍ରସିଦ୍ଧ ହୋଇଅଛି ! ମୋରୟା ଗୋସାଵୀଙ୍କର ପିତା ବାମନଭଟ ଏବଂ ମାତା ପାର୍ଵତୀବାଈ ୧୪ଶହ ଶତାବ୍ଦୀରେ (କେହି କେହି ମୋରୟା ଗୋସାଵୀ ୧୬ଶହ ଶତାବ୍ଦୀର ଲୋକ ବୋଲି ମତ ଦିଅନ୍ତି) କର୍ଣ୍ଣାଟକରୁ ଚାଲି ଆସି ପୁଣେ ନିକଟସ୍ଥ ମୋରଗାଁଵ ଅଞ୍ଚଳରେ ରହିଵାକୁ ଲାଗିଲେ ।

ମୋରଗାଁଵ୍ ପ୍ରାଚୀନ କାଳରୁ ଗାଣପତ୍ୟ ସମ୍ପ୍ରଦାୟର ପ୍ରମୁଖ କେନ୍ଦ୍ର ଭାବରେ ଜଣାଶୁଣା ଥିଲା ।  ବାମନଭଟ ମଧ୍ଯ ଗାଣପତ୍ଯ ସମ୍ପ୍ରଦାୟର ଲୋକ ଥିଲେ ତେଣୁ ଏ ଅଞ୍ଚଳରେ ତାଙ୍କ ପରିଵାରକୁ ଅଧିକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡ଼ିନଥିଲା  । ଆଗେ ମୋରଗାଁଵ୍‌ରେ ବହୁତ ମୟୁର ଥିଲେ ତେଣୁ ଏ ଅଞ୍ଚଳର ଏଭଳି ନାମକରଣ ହୋଇଅଛି ।  ଏଠାରେ ଗଣେଶଙ୍କର ସିଦ୍ଧ ପ୍ରତିମା ମଧ୍ଯ ଅଛି ଏଵଂ ସେ ପ୍ରଭୁ ମୟୁରେଶ୍ବର ନାମରେ ଖ୍ୟାତ । 

ମୋରଗାଁଵ୍‌ର ମୟୁରେଶ୍ବରଙ୍କ ଭଳି ଥେରୁର, ସିଦ୍ଧଟେକ,ରାଂଜଣଗାଂଵ,ଓଝର,ଲେଣ୍ୟାଦ୍ରି,ମହଡ଼ ଏବଂ ପାଲୀ ଆଦି ଆଠଟି ମୁଖ୍ୟ ଗାଣପତ୍ୟ ପୀଠଗୁଡ଼ିକୁ ଅଷ୍ଟଵିନାୟକ ପୀଠ କୁହାଯାଏ । 

ଗଣେଶ ପୁରାଣ ଅନୁଯାୟୀ ଦାନଵ ସିନ୍ଧୁର ଅତ୍ୟାଚାରରୁ  ରକ୍ଷାହେତୁ ଦେଵତାମାନେ ଶ୍ରୀଗଣେଶଙ୍କର ଆହ୍ୱାନ କଲେ । ଶ୍ରୀଗଣେଶ ମୟୂରକୁ ନିଜ ଵାହନ କରି ଷଡଭୂଜଯୁକ୍ତ ଅଵତାର ନେଇ ଦୁଷ୍ଟ ସିନ୍ଧୁକୁ ନିପାତ କରିଥିଲେ । ମୋରଗାଁଵ୍‌ରେ ସେହି ମୟୁରେଶ୍ବରଙ୍କର ପ୍ରତିକାତ୍ମକ ପ୍ରତିମାକୁ ପୂଜା କରାଯାଇଥାଏ । 
ସେହି ମୟୁରେଶ୍ବରଙ୍କୁ ଆଜି ସ୍ଥାନୀୟ ଲୋକେ ମୋରେଶ୍ବର କହୁଛନ୍ତି । କୁହାଯାଏ ବାମନଭଟ ଏବଂ ପାର୍ଵତୀ ଦେଈଙ୍କୁ ଏହି ମୋରେଶ୍ବରଙ୍କ କୃପାରୁ ପୁତ୍ରଲାଭ ହୋଇଥିଲା । ପରମ୍ପରା ଅନୁସାରେ​ ନିଜ ଆରାଧ୍ୟ ଦେଵତାଙ୍କ ନାମନୁଯାୟୀ ବାମନଭଟ ନିଜ ପୁତ୍ରର​ ନାମ ମୋରୟା ରଖିଲେ । ମୋରୟା ମଧ୍ଯ ଵାଲ୍ୟକାଳରୁ ଗଣପତି ଭକ୍ତ ହେଲେ ! ସେ ଥେରୁର ଅଞ୍ଚଳକୁ ଯାଇ ସେଠାରେ କଠୋର​ ତପ କରି ଶେଷରେ ସିଦ୍ଧାଵସ୍ଥା ଲାଭକଲାରୁ ତାଙ୍କୁ ଶ୍ରୀଗଣେଶଙ୍କର ପ୍ରତ୍ୟକ୍ଷ ଅନୁଭୂତି ହେଲା । ସେଇଦିନଠାରୁ ତାଙ୍କର ମୋରୟା ଵା ମୋରୋବା ଗୋସାଵୀ ନାମରେ ଖ୍ୟାତି ହୋଇଗଲା ।

ମୋରୟା ଗୋସାଵୀ ଵେଦ-ଵେଦାଙ୍ଗ,
ପୁରାଣୋପନିଷଦର ଗହନ ଶିକ୍ଷାପ୍ରାପ୍ତ କରି ଯୁଵାଵସ୍ଥାରେ ହିଁ ଗୃହସ୍ଥ-ସନ୍ଥ ହୋଇଗଲେ ।
ମାତା-ପିତାଙ୍କ ସ୍ଵର୍ଗଵାସ ପରେ ସେ ପୁଣେ ସନ୍ନିକଟ ପଵନା ନଦୀ କୂଳେ ଚିଞ୍ଚଵଡ୍‌ରେ ଆଶ୍ରମ ସ୍ଥାପନ କରି ଶ୍ରୀଗଣେଶଙ୍କର ଆରାଧନା ଆରମ୍ଭ କଲେ ।

ଦେଶରେ ତାଙ୍କର ଖ୍ୟାତି ଆହୁରି ବଢି଼ଲା ।
ସମର୍ଥ ରାମଦାସ ଏଵଂ ସନ୍ଥ ତୁକାରାମ ବହୁତ ଥର ଚିଞ୍ଚଵଡ୍ ଆସି ମୋରୟା ଗୋସାଵୀଙ୍କ ସହ ସମ୍ମିଳିତ ଧର୍ମଚର୍ଚ୍ଚା କରୁଥିଵା ପ୍ରଵାଦ ରହିଛି ।

ପ୍ରଶିଦ୍ଧ ଗଣପତି ଭଜନ
“ସୂଖକର୍ତ୍ତା-ଦୁଃଖହର୍ତ୍ତା ଵାର୍ତ୍ତା ଵିଘ୍ନାଚୀ”ର ରଚନା କଵି ସମର୍ଥ ରାମଦାସ ଚିଞ୍ଚଵଡ୍‌ର ଏହି ସିଦ୍ଧକ୍ଷେତ୍ରରେ ମୋରୟା ଗୋସାଵୀଙ୍କ ସାନ୍ନିଧ୍ୟରେ ହିଁ କରିଥିଲେ !!!

ମୋରୟା ଗୋସାଵୀ ହିଁ ଅଷ୍ଟଵିନାୟକ ଯାତ୍ରାର ପ୍ରଵର୍ତ୍ତକ ବୋଲି ଲୋକବିଶ୍ବାସ ରହିଛି । ସେ ଅଷ୍ଟଵିନାୟକ ଯାତ୍ରା ମୋରଗାଁଵର ମୟୁରେଶ୍ବର ମନ୍ଦିରରୁ ଆରମ୍ଭ କରିଥିଲେ,ଆଜି  ମଧ୍ଯ ସେହି ଧାରା ଅଵଲମ୍ବନ ପୂର୍ଵକ ସେହିଠାରୁ ଅଷ୍ଟଵିନାୟକ ଯାତ୍ରା ହୋଇଥାଏ ।

ଆଉ ଏକ ମତ ଅନୁଯାୟୀ ମୋରୟା ଶବ୍ଦଟି ମୋରୟା ଗୋସାଵୀଙ୍କ ନାମରୁ ନୁହେଁ ଵରଂ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟ ବୋଲି କୁହାଯାଏ  । ମୋର୍ ଏଵଂ ୟା 
ଶବ୍ଦ ଯୁକ୍ତ ହୋଇ ମୋରୟା ହୋଇଛି ବୋଲି କିଛି ଲୋକ ମତ ଦିଅନ୍ତି ।

ସେମାନଙ୍କ ଅନୁସାରେ ମରାଠୀ ଭାଷାରେ 
 ମୋରୟା ଅର୍ଥ ହେଉଛି come ahead(And bless us) ଆଉ କିଛି ଭାଷାବିଦ ମରାଠୀ ଶବ୍ଦ “ମ୍ହୋର୍ ୟା” ଅପଭ୍ରଂଶ ହୋଇ ମୋରୟା ହୋଇଥିଵା ଅନୁମାନ କରନ୍ତି ! ମ୍ହୋର ୟା ର ଶବ୍ଦିକ ଅର୍ଥ ହେଉଛି Go ahead  ( ଯାଉଛ ଯଦି ଯା ....ଆର ବରଷକୁ ଜଲଦୀ ଆ)

ସେ ଯାହା ହେଉ ଆଜି ଗଣପତିଙ୍କ ସହ ମୋରୟା ଶବ୍ଦ ଟି ଯୋଡ଼ି ହୋଇସାରିଛି ଏଵଂ ବୋଧହୁଏ ଆଗକୁ ମଧ୍ଯ ରହିବ । 


ଏଣେ ଓଡ଼ିଶାରେ ଆମର ଅନେକ ଲୋକେ ଗଣେଶଙ୍କ ନାମକୁ କେମିତି ଲେଖିଵେ ତାହା ଠିକ୍‌ରେ ଜାଣିନାହାନ୍ତି । 
କିଏ ଗଣେସ ଲେଖୁଛି ତ କିଏ ଗଣେଷ କିନ୍ତୁ ପ୍ରକୃତରେ 
ଗଣେଶ,ଗଣେଷ ଓ ଗଣେସ କେଉଁ ଶବ୍ଦଟି ଠିକ୍ ?

ଲୋକଙ୍କ ମନରେ ବଡ଼ ଶଙ୍କା ଯେ ଗଣପତିଙ୍କର ନିମ୍ନଲିଖିତ ନାମ ମଧ୍ୟରେ କେଉଁଟି
ଠିକ୍ ...

🔵ଗଣେଶ
🟡ଗଣେସ
🟤ଗଣେଷ

ପ୍ରାୟ ସମସ୍ତ ଶବ୍ଦକୋଷରେ ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ “ଗଣ+ଈଶ=ଗଣେଶ”
ହୋଇଥିବା ଉଲ୍ଲେଖ ରହିଛି
କିନ୍ତୁ ଏହି ଉତ୍ତର ଶୁଣିଲାପରେ କିଛି ଲୋକ ପ୍ରଶ୍ନ କରିପାରନ୍ତି 

ଗଣ ଶବ୍ଦରେ ଈଶ ହିଁ କାହିଁକି ଲାଗିପାରିବ ?
ଯେହେତୁ ଆମ ଭାଷାରେ ତଥାକଥିତ ତିନୋଟି “ଶଷସ” ଵର୍ଣ୍ଣ ହୋଇଯାଇଛି ତେବେ ‘ଗଣ’ ଶବ୍ଦ ସହ ଇସ,ଈସ୍,ଇଷ,ଈଷ,ଇଶ ଓ ଇଶ୍
ଆଦି ଶବ୍ଦ ଯୋଡାଯାଇ ଗଣେଷ କି ଗଣେସ
ଶବ୍ଦ ନିଷ୍ପନ୍ନ ହୋଇପାରିଵ ନାହିଁ କି ?

ପ୍ରୋକ୍ତ ସମସ୍ତ ଇସ,ଈସ୍,ଇଷ,ଈଷ,ଇଶ,ଇଶ୍
ଓ ଈଶ ଆଦି ଶବ୍ଦ ଗୁଡିକର ଅର୍ଥ ତର୍ଜମା କରି ଦେଖାଯାଉ ଯେ ପ୍ରକୃତରେ ତନ୍ମଧ୍ୟରୁ କେଉଁଟି
ଗଣେଶ ଶବ୍ଦ ମଧ୍ୟରେ ଲୁକ୍କାୟିତ ରହିଛି ...

⚫ଇଶ୍
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ
ଏକ କ୍ରିୟାଶବ୍ଦ “ଇଶ୍ ଇଶ୍ କରିଵା” ର ଅର୍ଥ ଘୃଣାକରିଵା,ଦେହ ଅସୁସ୍ଥ ଜନିତ କଷ୍ଟବୋଧ ପ୍ରକାଶକ ଧ୍ଵନି,ସିଟି ମାରିଵା ଇତ୍ୟାଦି

⚫ଇଶ→
ଇଶ ବୋଲି ଏକ ପ୍ରାଦେଶିକ ଶବ୍ଦର ଭାଷାକୋଷରେ ଉଲ୍ଲେଖ ରହିଛି ଯାହାର ଅର୍ଥ ପରିହାସ, ଇଙ୍ଗିତ ଓ ଥଟ୍ଟା ଅଟେ ।

⚫ଈଶ୍
ତତ୍ସମ ଈଶ୍ ମୂଳଶବ୍ଦର ଅର୍ଥ ଈଶ୍ଵର ଏଵଂ ଏହା 
ଈଶ୍ ଧାତୁରୁ  ଆଧିପତ୍ୟ କରିଵା ଅର୍ଥରେ ନିଷ୍ପନ୍ନ ହୋଇଛି । 

⚫ଈଶ
“ଈଶ”  ଵିଶେଷ୍ୟ ଶବ୍ଦର ଅର୍ଥ
ପତି;ସ୍ଵାମୀ,ପ୍ରଭୁ,ଈଶ୍ଵର,ଶିଵ,ରାଜା,ନିୟନ୍ତା,ରକ୍ଷକ
ସେହିପରି “ଈଶ” ଶବ୍ଦର ଵିଶେଷଣ ଅର୍ଥ ଶ୍ରେଷ୍ଠ ଓ ସମର୍ଥ

⚫ଇଷ୍
 ଓଡ଼ିଆ ଭାଷାରେ ଇଷ୍ ବୋଲି କୌଣସି ଶବ୍ଦ ନଥିଵା ଜଣାଯାଏ ତେବେ ଏକ ସଂସ୍କୃତ ଧାତୁଶବ୍ଦ “ଇଷ୍ ଧାତୁ” ରହିଛି ଯହିଁରୁ ଗମନ କରିଵା, ବାଞ୍ଛା କରିଵା, ଇଛା କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଅଛି । 

⚫ଇଷ
ଆଶ୍ଵିନ ମାସକୁ ଇଷ କୁହାଯାଏ ଏହା ଇଷ୍ ଧାତୁରୁ ନିଷ୍ପନ୍ନ ହୋଇଅଛି ।  ଏ ସମୟରେ ଜିଗୀଷୁମାନେ ଯୁଦ୍ଧ ଵିରୋଧ ରେ ଯୁଦ୍ଧଯାତ୍ରା କରୁଥିଲେ ତେଣୁ ମାସର  ଏଭଳି ନାମକରଣ  । ଲଙ୍ଗଳ କୁ ଜୁଆଳି ସଙ୍ଗେ ଲଗାଇଵାର ଲମ୍ଵ କାଠକୁ ମଧ୍ୟ ଇଷ କୁହାଯାଏ । 

⚫ଈଷ୍ ଧାତୁ
ସଂସ୍କୃତ ଧାତୁ ଶବ୍ଦ ଈଷ୍ ଧାତୁକୁ ଆଘାତ କରିଵା, ଗତି କରିଵା, ଯିଵା ଆଦି ଅର୍ଥ ଘେନି ଶବ୍ଦ ନିଷ୍ପନ୍ନ ହୋଇଥାଏ । 

⚫ଈଷ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଈଷ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ(ପୃଷ୍ଠା ୮୮୮ ଦେଖ) 
କିନ୍ତୁ କଳ୍ପଦ୍ରୁମ ଓ ହିନ୍ଦୀ ଶବ୍ଦ ସାଗରରେ
ଏହି ଶବ୍ଦର ତିନି ଗୋଟିଏ ଅର୍ଥର ଉଲ୍ଲେଖ ରହିଛି
ଆଶ୍ଵିନ ମାସ,ମନୁଙ୍କର ଦଶପୁତ୍ରଙ୍କ ମଧ୍ୟରେ ଜଣେ,ଶିଵଙ୍କର ଏକ ଗଣର ନାମ । 

⚫ଇସ୍
୧.କଷ୍ଟ,ଘୃଣା ଓ କ୍ଳାନ୍ତି ସୂଚକ ଅଵ୍ୟୟ
୨.ରୋଗ ଵା ପରିଶ୍ରମ ଜନିତ କ୍ଲେଶ ସୂଚକ ଧ୍ଵନି
୩.ଵିଦୃପ ଵା ଵ୍ୟଙ୍ଗ ସୂଚକ ଧ୍ଵନି

⚫ଇସ
ଭାଷାକୋଷରେ ଇସ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ(ପୃଷ୍ଠା ୮୮୨ ଦେଖ)

⚫ଈସ
ଭାଷାକୋଷ କିମ୍ବା କଳ୍ପଦ୍ରୁମ ଆଦି ଶବ୍ଦକୋଷରେ ଈସ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ

ଉପରୋକ୍ତ ସମସ୍ତ  ଇସ,ଈସ୍,ଇଷ,ଈଷ,ଇଶ,ଇଶ୍
ଓ ଈଶ ଆଦିର ଅର୍ଥ ଗୁଡି଼କୁ ଅନୁଧ୍ୟାନ କରି ଦେଖିଲାପରେ
ଆମକୁ ତନ୍ମଧ୍ୟରୁ କେଵଳ ଗୋଟିଏ “ଈଶ”
ହିଁ “ଗଣ” ଶବ୍ଦ ସହିତ ଜଡି଼ତ ରହିଥିଵାର ସ୍ପଷ୍ଟ ଵିଶ୍ଵାସ ହେଉଅଛି ।

ଚାଲନ୍ତୁ ଏବେ ଗଣେଶ ଶବ୍ଦକୁ ଆମେ ସୂକ୍ଷ୍ମଭାବେ ଵ୍ୟାଖ୍ୟା କରି ଦେଖିଵା ଯେ ପ୍ରକୃତରେ ଭଗଵାନଙ୍କର ଏକନାମ ଗଣେଶ କାହିଁକି ରଖାଗଲା ।  ଆମ୍ଭମାନେ ଜାଣନ୍ତି ଯେ ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ ‘ଗଣ’ ଶବ୍ଦ ସହ ‘ଈଶ’ ଯୋଡି଼ହୋଇ ଗଣେଶ ଶବ୍ଦ ହେଲା ।

ଗଣ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୁପ ଗଣ୍ ଧାତୁ ଯାହାର―ଗଣିବଳଵା,ଵିଵେଚନା କରିଵା,ସୁମାରି କରିଵା,ମିଶାଇଵା ଇତ୍ୟାଦି ଅର୍ଥରେ ଵ୍ୟଵହାର କରଯାଇ ଅନ୍ୟ ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଣ ଶବ୍ଦର ଅନେକ ଅର୍ଥ ଉଲ୍ଲେଖ କରାଯାଇଛି ଯଥା— 

🔵ସମୂହ,ପଞ୍ଝା;ଦଳ;ପଲ
🔵ପାଟକ;ଜାତି
🔵ଏକଜାତୀୟ ବହୁସଂଖ୍ୟକ ଜୀଵ(Flock)
🔵ଶ୍ରେଣୀ
🔵ଚତୁରଙ୍ଗ ସେନାଵିଶେଷ(୨୭ ହସ୍ତୀ,୨୭–ରଥ, ୮୧-ଅଶ୍ୱ,୧୩୫-ପଦାଦିକ[ସୈନିକ] ସମ୍ୱଳିତ ସେନା)
🔵ସ୍ୱପକ୍ଷ; ସ୍ୱଜାତୀୟ ବହୁଲୋକ
🔵ଅନୁଚରଙ୍କ ଦଳ
🔵ଗଣନା
🔵(ଗଣିତ) ସଂଖ୍ୟା
🔵ଦେଵତା ଓ ରାଜାଦିଙ୍କ ଅନୁଚରବର୍ଗ,
🔵ପ୍ରମଥଗଣ; ଶିଵଙ୍କ ଅନୁଚର ସେନାଦଳ(ଏମାନଙ୍କ ସେନାପତି ଗଣେଶ)
🔵ସଂସ୍କୃତ ଧାତୁମାନଙ୍କର ଭିନ୍ନ ଭିନ୍ନ ଶ୍ରେଣୀ ଵା ପୁଞ୍ଜ(ଯଥା—ଭ୍ୱାଦିଗଣ, ଅଦାଦି ଓ ତାନାଦି/ସଂସ୍କୃତ ଧାତୁମାନଙ୍କର ଆଦର୍ଶ ଧାତୁ ନାମରେ ଗଣମାନଙ୍କର ନାମକରଣ ହୁଏ)
🔵ଏକ ଉଦ୍ଦେଶ୍ୟରେ ଗଠିତ ଦଳ, ସମାଜ ଵା ସଭା,କମ୍ପାନୀ; ସଂଘ,ପ୍ରଥମ ସମ ଵା ତାଳଠାରୁ କୌଣସି ରାଗର ମିଶ୍ରଣକୁ ପୃଥକ୍ କରିଵା ତିନୋଟି ସ୍ୱରର ସମଷ୍ଟି(ସଙ୍ଗୀତ)
🔵ଦେଵ, ମନୁଷ୍ୟ ଓ ଅସୁର ଏହିପରି ତିନି ଶ୍ରେଣୀରେ ଵିଭକ୍ତ ହୋଇଥିଵା ନକ୍ଷତ୍ରମାନଙ୍କର ଏକ ଶ୍ରେଣୀ,
🔵ଗଣେଶଙ୍କର ନାମ ଵିଶେଷ
🔵ଶ୍ଳୋକର ପାଦ ଇତ୍ୟାଦି

ସେହିପରି “ଈଶ”[ଈଶ୍ ଧାତୁ(ଆଧିପତ୍ୟ କରିବା)] ଵିଶେଷ୍ୟ ଶବ୍ଦର ଅର୍ଥ

⚫ପତି;ସ୍ଵାମୀ
⚫ପ୍ରଭୁ
⚫ଈଶ୍ଵର
⚫ଶିବ
⚫ରାଜା
⚫ନିୟନ୍ତା
⚫ରକ୍ଷକ
⚫ଶ୍ରେଷ୍ଠ
⚫ସମର୍ଥ

ତାହେଲେ ଗଣେଶ ଶବ୍ଦଟିକୁ ଉପର ଵର୍ଣ୍ଣିତ ଅର୍ଥ ଆଧାରରେ ଵ୍ୟାଖ୍ୟା କଲେ କେମିତି କେମିତି ଅର୍ଥ ମିଳିଵ...

🟠ମାନବ ଜାତି,ସମୂହ,ଦଳଙ୍କର ଯେ ରକ୍ଷକ, ସେ ପ୍ରଭୂ ଇଶ୍ଵର ଶ୍ରୀଗଣେଶ
🟠ଶିଵଙ୍କର ଅନୁଚର ସେନାଦଳ ପ୍ରମଥଗଣଙ୍କର ଯେ ପ୍ରଭୂ ପ୍ରଭୂ,ସ୍ଵାମୀ,ରାଜା ଓ ନିୟନ୍ତା
🟠ଯେ ଶିଵଙ୍କ ପରି, ଶିଵଙ୍କର ଉତ୍ତରାଧିକାରୀ ଶକ୍ତି ପ୍ରାପ୍ତ ଦେଵ ସେ ହିଁ ଗଣନାଥ ଗଣେଶ ଅଟନ୍ତି

ହେଲେ ଶ୍ରୀଗଣେଶଙ୍କର ଗଣପତି ,ଗଣେଶ ଭଳି ଆହୁରି ସହସ୍ରାଧିକ ନାମ ରହିଛି । ନିମ୍ନରେ ଭଗଵାନ ଶ୍ରୀଗଣେଶଙ୍କର କେତେକ ଜଣାଶୁଣା ନାମ ଉଲ୍ଲେଖ କରାଗଲା । 

🔴ଗଣାଧ୍ଯକ୍ଷ – ସବୁ ଗଣଙ୍କ ଅଧକ୍ଷ
🔴ଗଣପତି – ସବୁ  ଗଣଙ୍କ ପତି
🔴ଗୌରୀସୁତ – ମାତା ଗୌରୀଙ୍କ ପୁତ୍ର
🔴ଲମ୍ବକର୍ଣ୍ଣ – ବଡ଼ କାନ ଥିଵା ଦେଵ
🔴ଲମ୍ବୋଦର – ବଡ଼ ପେଟ ଯାହାଙ୍କର
🔴ମହାବଳ – ଅତ୍ଯଧିକ ବଳଶାଳୀ
🔴ମହାଗଣପତି – ଦେଵାଦିଦେଵ
🔴ମଙ୍ଗଳମୂର୍ତ୍ତି – ସବୁ ଶୁଭ କାର୍ଯ୍ୟର ଦେଵ
🔴ମୂଷକଵାହନ – ଯାହାଙ୍କର ଵାହନ ମୂଷା
🔴ବୁଦ୍ଧିନାଥ – ବୁଦ୍ଧିର  ଭଗଵାନ
🔴ଧୂମ୍ରଵର୍ଣ୍ଣ – ଯାହାଙ୍କର ଵର୍ଣ୍ଣ ଧୂମ୍ରର‌ ରଙ୍ଗ ଭଳି
🔴ଏକାକ୍ଷର – ଏକ ଅକ୍ଷର
🔴ଏକଦନ୍ତ – ଏକ ଦନ୍ତ ଯୁକ୍ତ ଦେଵ
🔴ଗଜକର୍ଣ୍ଣ –ଗଜ ଵା  ହାତୀ ପରି କର୍ଣ୍ଣ ଯାହାଙ୍କର
🔴ଗଜାନନ – ହାତୀ ପରି ମୁଖ ଯାହାଙ୍କର
🔴ଗଜଵକ୍ତ୍ର – ହାତୀଙ୍କ ପରି ମୁଖ ଯୁକ୍ତ ଦେଵ
🔴ଦେଵାଦେଵ – ସବୁ ଭଗଵାନଙ୍କ ମଧ୍ୟରେ ସର୍ଵୋପରି
🔴ଦେଵାନ୍ତକନାଶକାରୀ – ଦେଵତାଙ୍କୁ ରାକ୍ଷସଠାରୁ ରକ୍ଷା କରିଥିଵାରୁ
🔴ଦେଵଵ୍ରତ – ସମସ୍ତଙ୍କର ତପସ୍ଯା ସ୍ଵୀକାର କରୁଥିଵା ଦେଵ
🔴ଦେଵେନ୍ଦ୍ରାଶିକ – ସବୁ ଦେଵତାଙ୍କ ରକ୍ଷାକର୍ତ୍ତା
🔴ଏକଦଂଷ୍ଟ୍ର – ଏକ ଦନ୍ତଧାରୀ ଦେଵ
🔴ଈଶାନପୁତ୍ର – ଭଗଵାନ ଶିଵଙ୍କ ପୁତ୍ର
🔴ଅମିତ – ଅତୁଳନୀୟ ପ୍ରଭୁ
🔴ଅନନ୍ତଚିଦରୁପମ – ଅନ୍ତତ ଚିଦ୍ ଵା ଚେତନା ରୂପ ଯାହାଙ୍କର
🔴ଅଵନୀଶ – ସାରା ଅଵନୀ ଵିଶ୍ଵର ପ୍ରଭୁ
🔴ଅଵିଘ୍ନ – ବାଧା ହରଣକାରୀ ଈଶ୍ଵର
🔴ବୁଦ୍ଧିପ୍ରିୟ – ବୁଦ୍ଧି ଦାତା ଭଗଵାନ
🔴ବୁଦ୍ଧିଵିଧାତା – ବୁଦ୍ଧିର ଵିଧାତା ଦେଵ
🔴ନିଦୀଶ୍ଵରମ – ଧନ ଓ ନିଧିର ଦାତା
🔴ପ୍ରଥମେଶ୍ଵର – ସବୁ ଦେଵଙ୍କ ମଧ୍ୟରେ ପ୍ରଥମ
🔴ଶୂପକର୍ଣ୍ଣ – ବଡ଼ କାନ ଯେଉଁ ଦେଵଙ୍କର
🔴ସିଦ୍ଧିଦାତା – ଇଚ୍ଛା ପୂରଣକାରୀ ଓ ଅଵସର ପ୍ରଦାତା ଦେଵ
🔴ସିଦ୍ଧିଵିନାୟକ – ସଫଳତାଦାତା ଦେଵ 
🔴ସୁରେଶ୍ଵରମ – ଦେଵଙ୍କର ଦେଵ
🔴ଵକ୍ରତୁଣ୍ଡ – ତୁଣ୍ଡ ଯେଉଁ ଦେଵଙ୍କର ଵକ୍ର
🔴ଅଖୂରଥ – ଯାହାଙ୍କର ସାରଥୀ ମୂଷା
🔴ଗଣାଧ୍ଯକ୍ଷିଣ – ସବୁ ଗଣଙ୍କ ନେତା
🔴କଵୀଶ – କବିମାନଙ୍କର  ସ୍ଵାମୀ
🔴ଵରଦଵିନାଯକ – ସଫଳତାର  ସ୍ଵାମୀ
🔴ଵୀରଗଣପତି – ଵୀର ପ୍ରଭୁ
🔴ଵିଦ୍ଯାଵାରିଧି – ବୁଦ୍ଧିର ଦେଵ
🔴ଵିଘ୍ନହର – ବାଧାଗୁଡି଼କୁ ଦୂର କରୁଥିଵା ଦେଵ
🔴ଵିଘ୍ନହର୍ତ୍ତା – ଵିଘ୍ନ ହରଣକାରୀ ଈଶ୍ଵର 
🔴ଵିଘ୍ନଵିନାଶନ – ବାଧାଗୁଡି଼କର ନାଶ କରିପାରୁଥିଵା ଦେଵ
🔴ଵିଘ୍ନରାଜ – ସବୁ ବାଧାଵିଘ୍ନର ସ୍ଵାମୀ
🔴ଵିଘ୍ନରାଜେନ୍ଦ୍ର – ସବୁ ବାଧାଗୁଡି଼କର  ଭଗଵାନ
🔴ଵିଘ୍ନଵିନାଶାୟ – ବାଧା ନାଶକ ଠାକୁର
🔴ଵିଘ୍ନେଶ୍ଵର – ଵିଘ୍ନଗୁଡି଼କର ଭଗଵାନ
🔴ସିଦ୍ଧିପ୍ରିୟ – ଇଚ୍ଛାପୂର୍ତି କରୁଥିଵା ଭଗଵାନ
🔴ଉମାପୁତ୍ର – ପାର୍ବତୀଙ୍କ ପ୍ରିୟ ପୁତ୍ର
🔴ଵରଗଣପତି – ଅଵସରପ୍ରଦାତା ସ୍ଵାମୀ
🔴ରୁଦ୍ରପ୍ରିଯ – ଭଗଵାନ ଶିଵଙ୍କ ପ୍ରିୟପୁତ୍ର
🔴ଵିନାୟକ – ସମସ୍ତଙ୍କ ନାୟକ, ଭଗଵାନ
🔴ଵିଶ୍ଵମୁଖ – ବ୍ରହ୍ମାଣ୍ଡର ଗୁରୁ

ଭଗଵାନ ଶ୍ରୀଗଣେଶଙ୍କର ଏହିପରି ଆହୁରି ସହସ୍ରାଧିକ ନାମ ରହିଛି । ସେହି କଵୀଶ - ଶ୍ରୀଗଣେଶ ଯିଏ କବିମାନଙ୍କର  ସ୍ଵାମୀ ତାଙ୍କର ବନ୍ଦନା ହଜାର ହଜାର କଵି କରିଯାଇଛନ୍ତି । ଓଡ଼ିଆ ଭାଷାର ଆଦିକଵି ସାରଳା ଦାସ ମଧ୍ୟ ସାରଳା ମହାଭାରତର ଉଦଯୋଗ ପର୍ଵରେ ଭଗଵାନଙ୍କର ଏମନ୍ତ ବନ୍ଦନା କରିଅଛନ୍ତି ...

                  ●ଗଣେଶ ବନ୍ଦନା●
ଜୟତୁ ଦଧିବାମନ ପ୍ରସନ୍ନେ ରୁଦ୍ର ଦେଵତା
ମଙ୍ଗଳ ଵିଘ୍ନରାଜ ଭୂତ ଭଵିଷ୍ୟ ଜ୍ଞାତା ।୧।

ମଙ୍ଗଳ ସଦାନନ୍ଦ ଦେଵ ଲମ୍ଵୋଦର
ସପତ ସିନ୍ଧୁ ଗୋପ୍ୟଗଲା ଯାହାର ଉଦର ।୨।

ମଙ୍ଗଳ ପରମବ୍ରହ୍ମ ସରୂପ ଵୀଣାୟେକ
ପାଶ ଅଂକୁଶ ଗଜଵଦନ ଅଟ ତ୍ରିୟମ୍ଵକ ।୩।

ମେରୁ ତତ୍ତୁଲ୍ୟ ଯାହାର କିଞ୍ଚିତ ଵେନି ଆଖି
ଅଵନିକେ ଚାହିଁଲେ ତୁ ଯେ କୋଟି ବ୍ରହ୍ମାଣ୍ଡ ଦେଖି ।୪।

ଡିବି ଡିବି ବଜାଇ ଯାହାର ଡାକି ଡମ୍ବୁରୁ
ହୃଦେ ପଇତା ଯାହାର ଅନନ୍ତ ନାଗ ଫେରୁ ।୫।

ସ୍ଵାମୀ ତ୍ରିପୁର ଵଧଗଲା ଯାହାର ବୁଦ୍ଧିବଳେ
ଵିନୟେ ଅନୁଵ୍ରତେ ନାଥ ମୁଁ ତୁମ୍ଭର ପାଦତଳେ ।୬।

ଲଙ୍ଗଟ ଭ୍ରୁଙ୍ଗଟ ଯେ ଵିକଟ ଵକ୍ରନାଟେ
ମହାଭରହ ତାଣ୍ଡଵ ଆରୋପଣ ସଙ୍କଟେ ।୭।

ଶ୍ରୀ ବିଘ୍ନରାଜ ଶ୍ରୀ ଚରଣ କମଳେ
ମମ ଚିତ୍ତ ଭଜି ହୋ ତହିଁ ରହୁ ଭ୍ରସଳେ ।୮।

ଵ୍ୟାସଙ୍କର ସ୍ରିଜନେ ଦେଵ ପ୍ରସନ୍ନ ଵିଘ୍ନରାଜ
କରଣ ହୋଇ ଲେଖନ କଲୁଟି ଅଇଶୁର୍ଯ୍ୟ ।୯।

ୟେ ସଂସାର ମଧ୍ୟେ ମୁହିଁ ଦେଖିଲି ସେ ସରୂପ
ତୁହି ସେ ହରନ୍ତା ଦେଵ କଳିକାଳ ଦର୍ପ ।୧୦।

କଳିଯୁଗ ବଞ୍ଚନ୍ତା ନାଥ ପ୍ରସନ୍ନେ ପରମଯୋଗୀ
ଦିନକର ଵିଵାଦେଣ ତୁ କାଳସର୍ପ ଭାଞ୍ଜି ।୧୧।

ସଦୟେ ନାରାୟଣ ତୁ ପ୍ରସନ୍ନେ ରୁଦ୍ରକାଶୀ
ଶୁଦ୍ରମୁନି ସାରଳା ଦାସ ତଲୟେ ଅଭ୍ୟାସି ।୧୨।

                        -----×-----

ଅଫିସର କଵି(ହରିଶଙ୍କର ପରସାଈ)


ଜଣେ କଵି ଥିଲେ । ସେ ରାଜ୍ଯ ପ୍ରଶାସନରେ ଜଣେ ଭାରପ୍ରାପ୍ତ ରାଜକର୍ମଚାରୀ ଵା ଅଫିସର ବି ଥିଲେ । ଅଫିସର ଯେବେ ଛୁଟିରେ ଚାଲି ଯାଏ, ସେବେ ୟେ କଵି ହୋଇ ଯାଆନ୍ତି ଆଉ ଯେତେବେଳେ କଵି କୁଆଡେ଼ ଛୁଟିରେ ଚାଲିଯାଏ ତେତେବେଳେ ସିଏ ଅଫିସର ହୋଇ ଯାଆନ୍ତି । 

ଥରେ ଜନୈକ ଆରକ୍ଷୀ ଅଧିକାରୀଙ୍କ ଗୋଳି ଚାଳନା ଯୋଗୁଁ ଦଶ-ବାର ଜଣ ଲୋକ ମରିଗଲେ । ତାଙ୍କ ଭିତରର ଅଫିସରଟା ସେତେବେଳେ ଛୁଟିରେ ଚାଲିଗଲା ଏଵଂ କଵି ଏହି କାଣ୍ଡ ଦେଖି ଅତ୍ୟନ୍ତ କ୍ଷୁବ୍ଧ ହେଲା। ସେ ଏକ କଵିତା ଲେଖିଲେ ଓ ତାକୁ ଗୋଟାଏ ଜଣାଶୁଣା ସାହିତ୍ୟ ପତ୍ରିକାରେ ଛପାଇଲେ । କଵିତାରେ ଏହି ଗୁଳିକାଣ୍ଡର ଓ ମୁଖ୍ୟମନ୍ତ୍ରୀଙ୍କର ନିନ୍ଦା କରାଯାଇଥିଲା।

କୌଣସି ପ୍ରକାରେ ମୁଖ୍ଯମନ୍ତ୍ରୀ ସେ କଵିତାଟି ପଢ଼ିଵାକୁ ପାଇଲେ । ସେତେବେଳକୁ ଅଫିସର କିନ୍ତୁ ଛୁଟିରୁ ଲେଉଟି ଆସିଥାଏ । ସେ ଯେତେବେଳେ ଜାଣିଲା ବହୁତ ଭୟକଲା ଓ ତା ଭିତରର କଵିଟାକୁ ତତ୍କ୍ଷଣାତ୍ ଛୁଟିରେ ପଠାଇ ଦେଲା । 

ସେହି "ଅଫିସରର-କଵି" ଜଣକ ଏକ ପ୍ରଭାଵଶାଳୀ ନେତାକୁ ହାତ କଲେ । ନେତାଙ୍କୁ ଅନୁନୟ ଵିନୟ କରି କହିଲେ - “ମୋତେ ମୁଖ୍ଯମନ୍ତ୍ରୀଙ୍କ ସହିତ ଭେଟେଇ ଦିଅନ୍ତୁ । ତାଙ୍କଠାରୁ କ୍ଷମା ମିଳିଗଲେ ଚାକିରୀ ଖଣ୍ଡିକ ବଞ୍ଚିଯାଆନ୍ତା।” 

ନେତାଜଣକ କଵିଙ୍କୁ ମୁଖ୍ଯମନ୍ତ୍ରୀଙ୍କ ସହ ଭେଟ କରାଇ ଦେଲେ । ନେତା ମହାଶୟ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରଙ୍କ ସହିତ ପରିଚିତ କରିଵା ଆରମ୍ଭ କରିଥାନ୍ତି ଏତିକିବେଳେ ସେ ମୁଖ୍ଯମନ୍ତ୍ରୀଙ୍କ ପାଦ ଧରି ବସି ପଡି଼ଲେ । 



ମୁଖ୍ଯମନ୍ତ୍ରୀ କହିଲେ- ୟେ ସେ କଵି ହୋଇନଥିବେ ଯିଏ ଉକ୍ତ କଵିତାଟି ଲେଖିଥିଲେ...

🔵⚫🔵⚫🔵⚫🔵⚫🔵⚫🔵⚫
ଦ୍ରଷ୍ଟଵ୍ୟ—   ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କ "अफसर कवि" ରଚନାର ଓଡ଼ିଆ ଭାଵାନୁଵାଦ ! ମୂଳ ରଚନାଟି ନିମ୍ନରେ ପ୍ରଦତ୍ତ ହେଲା...


अफ़सर कवि

एक कवि थे। वे राज्य सरकार के अफसर भी थे। अफसर जब छुट्‌टी पर चला जाता, तब वे कवि हो जाते और जब कवि छुट्‌टी पर चला जाता, तब वे अफसर हो जाते।

एक बार पुलिस की गोली चली और दस-बारह लोग मारे गए। उनके भीतर का अफसर तब छुट्‌टी पर चला गया और कवि इस कांड से क्षुब्ध हुआ। उन्होंने एक कविता लिखी और छपवाई। कविता में इस कांड की और मुख्यमंत्री की निंदा की।

किसी ने मुख्यमंत्री को यह कविता पढ़ा दी। अफसर तब तक छुट्‌टी से लौटकर आ गया। उसे मालूम हुआ तो वह घबड़ाया और उसने कवि को छुट्‌टी पर भेज दिया।

अफसर कवि ने एक प्रभावशाली नेता को पकड़ा। कहा- मुझे मुख्यमंत्री जी के पास ले चलिए। उनसे क्षमा दिला दीजिए। नेता उन्हें मुख्यमंत्री के पास ले गए। उन्होंने परिचय दिया ही था कि कवि ने मुख्यमंत्री के चरणों पर सिर रख दिया।

मुख्यमंत्री ने कहा- यह वह कवि नहीं हो सकते जिन्होंने वह कविता लिखी है।

🔵⚫🔵⚫🔵⚫🔵⚫🔵⚫🔵

Tuesday, September 7, 2021

ଓଡ଼ିଶାର ନିଆରା ବାଡି଼ଡିଆଁ, ବାଡି଼ ଡେଗେନ୍ ,ଦହିବାଡି଼ ଵା ବାଡି଼ ଡେଙ୍ଗାନୀ ଖେଳ

ବାଡି଼ଡିଆଁ ଖେଳ ଓଡ଼ିଶାର ଏକ ପାରମ୍ପରିକ ମୁକ୍ତପ୍ରାଙ୍ଗଣର କ୍ରୀଡ଼ା। ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ବାଡି଼ଡିଆଁ ଖେଳକୁ ବାଡ଼ିଡେଗେନ୍ କୁହାଯାଉଥିଵା ବେଳେ ନୂଆପଡ଼ା ଜିଲ୍ଲାରେ ଏ ଖେଳକୁ ବାଡି଼ ଡେଙ୍ଗାନୀ କୁହାଯାଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।‌ ପୂର୍ଵାଞ୍ଚଳରେ
 ଏ ଖେଳକୁ ଦହିବାଡି଼ କୁହାଯାଉଥିଵା ଜଣାଯାଏ ।  ତେବେ ଢେଙ୍କାନାଳରେ ଏହି ଖେଳକୁ ବାଡି଼ଡିଆଁ କୁହାଯାଏ । 

ସାଧାରଣତଃ ଏହି ଖେଳଟି ପିଲାମାନଙ୍କର ଖେଳ ଏଵଂ ପାଞ୍ଚ ଵର୍ଷରୁ ଆରମ୍ଭ କରି ତେର ଚଉଦ ଵର୍ଷ ଵୟସ ପର୍ଯ୍ୟନ୍ତ ଉଭୟ ପୁଅପିଲା ଓ ଝିଅପିଲା ବାଡି଼ଡିଆଁ , ବାଡି଼ଡେଗେନ୍ ଵା ବାଡି଼ ଡେଙ୍ଗାନୀ ଖେଳରେ ଅଂଶଗ୍ରହଣ କରିଥାନ୍ତି । ଏହି ଖେଳ ଗାଁ ଦାଣ୍ଡ ଓ ପଡି଼ଆ ଆଦିରେ ଖେଳାଯାଏ । 

 ଏହି ଖେଳରେ ଖେଳାଳୀ ସଂଖ୍ୟାରେ କୌଣସି ନିର୍ଦ୍ଧିଷ୍ଟତା ନଥାଏ ଏଵଂ ଅତିକମରେ ପାଞ୍ଚ ଛଜଣ ଖେଳାଳି ନେହେଲେ ଖେଳରେ ମଜା ଆସେନାହିଁ । ଏହି ଖେଳରେ ଖେଳାଳୀମାନେ କ୍ରୀଡ଼ା ଉପକରଣ ଭାବରେ ପ୍ରତ୍ୟେକେ ଗୋଟିଏ ଗୋଟିଏ ବାଡ଼ି ଵ୍ୟଵହାର କରିଥାନ୍ତି। ଫଳତଃ ଏହାର ନାମ ବାଡ଼ି ଡିଆଁ ,ବାଡ଼ି ଡେଗେନ୍ ଵା ବାଡି଼ ଡେଙ୍ଗାନୀ ହୋଇଅଛି ।

 ବାଡ଼ି ଶବ୍ଦ ସହ ଡିଆଁ , ଡେଗେନ୍ ତଥା ଡେଙ୍ଗାନୀ ଶବ୍ଦ ଯୁକ୍ତ କରାଯାଇ ଏହି ଖେଳର ନାମ ବାଡି଼ଡିଆଁ , ବାଡି଼ଡେଗେନ୍ ଓ ବାଡି଼ଡେଙ୍ଗାନୀ ରଖାଯାଇଛି । 
 
ବାଡ଼ି ଶବ୍ଦଟି ଓଡ଼ିଆ ଭାଷାରେ ଵିଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଛୋଟ ବଗିଚା, କ୍ଷେତ,କିଆରି,ଗୃହସଂଲଗ୍ନ ଭୂମି,ଗୃହର ପଛପଟରେ ଥିଵା ଗୃହସଂଲଗ୍ନ ଭୂମି ଆଦି ଅର୍ଥରେ ଵ୍ୟଵହୃତ ବାଡି଼ ଵା ବାରି ଶବ୍ଦଟି ତତ୍ସମ ଵାଟିକା ସହିତ ସମୋଦ୍ଧୃତ । ହଇଜା ଵା ଓଲାଉଠାକୁ ଆମ ଭାଷାରେ ବାଡ଼ି କୁହାଯାଉଥିଲା ବୋଧହୁଏ ପୂର୍ଵକାଳରେ 
ଲୋକେ ବାରିଆଡୁ଼ ଝାଡା଼ ଫେରିଵାପରେ ଏ ରୋଗ ଧରୁଥିଵାରୁ ଏଭଳି ନାମକରଣ ହୋଇଥିଲା । ଏହିପରି ବାଡ଼ି ଶବ୍ଦ ଆହୁରି ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । 
ମାତ୍ର ଯଷ୍ଟି ଅର୍ଥରେ ଵ୍ୟଵହୃତ ବାଡ଼ି 
ଶବ୍ଦଟି ତତ୍ସମ “ବାଟ” ଶବ୍ଦ ସହ ସମ୍ବନ୍ଧିତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ତତ୍ସମ ବାଟ ଶବ୍ଦର ଏକ ଅର୍ଥ ବାଡ଼,ଵେଷ୍ଟନ । ଓଡ଼ିଆ ଭାଷାରେ ମଧ୍ୟ ବାଡ଼ ଶବ୍ଦଟି ଵିଶେଷ ଭାବେ ଏହି ଅର୍ଥରେ ଵ୍ୟଵହୃତ ହୋଇଥାଏ । ଯାହା ବାଡ଼ରେ ଵ୍ୟଵହାର କରାଯାଇ ପାରେ ତାକୁ ବାଡ଼ି କୁହାଯାଇଥିଵା ସମ୍ଭଵ । 

ସେହିପରି ଓଡ଼ିଆ ଭାଷାର ଡେଗିଵା,ଡେଙ୍ଗିଵା,ଡେଇଁଵା ଆଦି ଦେଶଜ କ୍ରିୟା ସାଧାରଣତଃ ଲମ୍ଫପ୍ରଦାନ କରିଵା,କୁଦିଵା ଅର୍ଥରେ ଵ୍ୟଵହାର ହୋଇଥାଏ ।

ଖେଳାଳିମାନେ ନିଜ ନିଜର ବାଡ଼ିକୁ କିଛି ଦୂର ଏକ ସିଧାରେ ରଖି ଦୂରରୁ ଦୌଡ଼ି ଆସି ନିଜ ବାଡ଼ି ଉପରେ ପାଦ ପକାଇ ଡେଉଁଥିଵାରୁ ଏହି ଖେଳର ନାମ ବାଡି଼ଡିଆଁ,ବାଡି଼ଡେଗେନ୍ ଓ ବାଡି଼ ଡେଙ୍ଗାନୀ ଆଦି ହୋଇଅଛି ।

 ଏ ଖେଳର ନିୟମ ସହଜ ହେଲେହେଁ ସ୍ଥଳଵିଶେଷରେ ସାମାନ୍ୟ ଭିନ୍ନ ଭିନ୍ନ ହୋଇଥାଏ । 
 
ପ୍ରଥମେ ସରିଗାରଟିଏ ଟାଣି ତାହାଠୁ ପଚାଶ ଷାଠିଏ ଫୁଟ ଦୂରତାରେ ଆଉ ଗୋଟିଏ ଗାର ‘‘ପାଟ୍ ଗାର’’ ଵା ମୁଖ୍ୟ ଗାର ଟାଣିଥାନ୍ତି, ତେବେ, ଏହି ଦୂରତା ଖେଳାଳୀଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ । ଜଣେ ଖେଳାଳୀ ସରିଗାର ଉପରେ ଠିଆ ହୋଇ ପାଟ୍ ଗାର ଅଡକୁ ପଛ କରି ସମସ୍ତଙ୍କ ବାଡ଼ିକୁ ଫିଙ୍ଗିଥାଏ । ବାଡ଼ି ଗୁଡ଼ିକ ଯେଉଁ କ୍ରମାନ୍ଵୟରେ ପଡ଼େ ସେହି କ୍ରମାନ୍ଵୟରେ ସରିଗାରକୁ ଲାଗି ଗୋଟିଏ ପରେ ଗୋଟିଏ ବାଡ଼ି ସଜେଇ ରଖାଯାଏ। ଯାହାର ବାଡ଼ି ସବା ଆଗରେ ଥାଏ ସିଏ ପ୍ରଥମେ ଡେଇଁଥାଏ । ଖେଳାଳୀଙ୍କୁ ନିଜ ବାଡ଼ିକୁ ପାଦ ସ୍ପର୍ଶ କରି ଡେଇଁଵାକୁ ହୁଏ, ଯିଏ ଯେତେଦୂର ଡେଇଁଥାନ୍ତି ତାଙ୍କ ବାଡ଼ି ସେଇଠି ରଖାଯାଏ । ଖେଳାଳୀ ଯଦି ଡେଇଁଲା ବେଳେ ନିଜ ବାଡ଼ିକୁ ପାଦରେ ମାଡ଼ିପାରନ୍ତି ନାହିଁ ତେବେ ତାଙ୍କ ବାଡ଼ି ସବା ପଛକୁ ଚାଲିଯାଏ । ଏହିପରି ସମସ୍ତ ଖେଳାଳୀ ଡେଇଁ ଡେଇଁ ନିଜ ବାଡ଼ିକୁ ‘ପାଟଗାର’ ପାରି କରାଇଥାନ୍ତି । ଶେଷରେ କେଉଁ ଖେଳାଳୀଙ୍କ ବାଡ଼ି ରହିଯାଏ ସେହି ଖେଳାଳୀ ‘ମାଇ’ ହୁଏ । ‘ମାଇ’ ଖେଳାଳୀର ବାଡ଼ିକୁ ଅନ୍ୟ ଖେଳାଳୀମାନେ ସରିଗାରଠାରୁ ନିଜ ନିଜ ବାଡ଼ିରେ ଖସେଇ ଖସେଇ ଦୂରକୁ ନେଇଥାନ୍ତି। ଏହି ସମୟରେ ‘ମାଇ’ ଯଦି ବାଡ଼ି ଖସେଇ ନେଉଥିଵା କୌଣସି ଖେଳାଳୀଙ୍କୁ ଛୁଇଁଦିଏ ତେବେ ସେ ମରିଯାଏ । ସେହି ଖେଳାଳୀଜଣକ ଆଉ ଗତି ଅନାଇ ପାରେ ନାହିଁ ।
  ଶେଷରେ ‘ମାଇ’ର ବାଡ଼ି ଯେତେଦୂର ଯାଏ ସେଇଠୁ ଗୋଟିଏ ଗୋଡ଼ରେ ପାଟଗାର ଯାଏଁ ଦୌଡ଼ି ଦୌଡ଼ି ବାଡ଼ି ଆଣିଥାଏ । ଏହିପରି ଏହି ଖେଳ ଘଣ୍ଟାଏରୁ ଦୁଇଘଣ୍ଟା ଯାଏଁ ଖେଳାଯାଇଥାଏ । 
  
ଏ ଖେଳରେ ଵ୍ୟଵହୃତ ବାଡ଼ି ସିଧା ହେଵା ଆଵଶ୍ୟକ ବୋଲି କେତେକ ଅଞ୍ଚଳରେ ପିଲାଏ ଵୈଦୈଶିକ ଅମରି ଗଛର ଶାଖା ଵ୍ୟଵହାର କରିଥାନ୍ତି । ଜଙ୍ଗଲିଆ ଅଞ୍ଚଳରେ ଅଵଶ୍ୟ ସଳଖ ବାଡ଼ି ମିଳିଵାରେ କୌଣସି ଅସୁଵିଧା ହୋଇନଥାଏ । 

ନବେ ଦଶକ ଯାଏଁ ଏ ଖେଳ ଓଡ଼ିଶାରେ ଵିଶେଷତଃ ଗଡ଼ଜାତ ଅଞ୍ଚଳରେ ଵିଶେଷ ଭାବରେ ଖେଳାଯାଉଥିଲା । ଆଧୁନିକ ଯୁଗରେ ଓଡ଼ିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ଓ ଵିଡି଼ଓ ଗେମ୍ସ ଆଦିର ପ୍ରଚଳନ ବଢି଼ଵା ଯୋଗୁଁ ଅଧୁନା ଏ ଖେଳକୁ ପିଲାଏ ଆଉ ସେତେ ଖେଳୁନାହାନ୍ତି । 

🔵🔵🔵🔵🔵🔵🔵🔵🔵🔵🔵🔵🔵
ତଥ୍ୟ ଆଧାର—
୧) ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ଗୋପାଳ ଚନ୍ଦ୍ର ପ୍ରହରାଜ)
୨) କଥିତ ଓଡ଼ିଆ ଶବ୍ଦକୋଷ(ଓଡ଼ିଆ ଭାଷା ପ୍ରତିଷ୍ଠାନ)
ଚିତ୍ର ଓ ଖେଳର ନିୟମ ସମ୍ବନ୍ଧୀୟ ତଥ୍ୟ 
୩)ପଶ୍ଚିମ ଓଡ଼ିଶାର ପାରମ୍ପରିକ କ୍ରୀଡ଼ା(ସଞ୍ଜୟ କୁମାର ବାଗ)
🔵🔵🔵🔵🔵🔵🔵🔵🔵🔵🔵🔵🔵

Sunday, September 5, 2021

ମଧୁବାବୁ ସଙ୍ଗେ ଲଢି଼ବି (କାଳନ୍ଦୀ ଚରଣ ପାଣିଗ୍ରାହୀ)

 

ଆମ ଗାଁ ଉପ୍ରା ସ୍କୁଲର ହେଡ଼ମାଷ୍ଟର ରାମ କକେଇ ଥିଲେ ଭୟ ଓ ଆତଙ୍କର ଏକ ପ୍ରତିମୂର୍ତ୍ତି । ସ୍କୁଲଘରେ ସେ ଚିତ୍କାର କଲାବେଳେ ଗାଁଆଟା ଯାକ ଦୁଲୁକି ଉଠେ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କର ମାତାପିତା ଅଭିଭାଵକ ପର୍ଯ୍ୟନ୍ତ କାହାକୁ ସେ ଚିତ୍କାର ଥରାଇ ନ ଦିଏ ! କାରଣ ଠିକ୍ ତାହା ପରେ ପରେ ସମଗ୍ର ସ୍କୁଲର ସବୁ ଛାତ୍ରଛାତ୍ରୀ ସମସ୍ବରରେ ଚିତ୍କାର କରିଉଠନ୍ତି—ଏକାବେଳେ ଏକ ହୃଦୟଵିଦାରକ ଚିତ୍କାର ! 

ସତେ ଯେମିତି ସେ ଚିତ୍କାରରେ ଗାଁର ବୁଲାକୁତୀଗୁଡ଼ା ସୁଦ୍ଧା ବୋବାଳି ଛାଡ଼ନ୍ତି; ଆଉ କୁଆ କୁମ୍ଭାଟୁଆଙ୍କ ମୁହଁରୁ ଶବ୍ଦ ବାହାରିଆସେ । ଵୋହୂ ଭୁଆଷୁଣୀମାନେ ତରବର ହୋଇ କୂଅରୁ ପାଣି ଓଟାରି ହାଣ୍ଡି ଶାଳରେ ପଶନ୍ତି । ବିଲମଝିରେ ହଳିଆର ହଳ ମଧ୍ଯ ବେଗି ବେଗି ଚାଲେ ।

 ରାମ କକେଇଙ୍କ ଜାଉଁଳିବେତ କାରଣ ଅକାରଣରେ ସାନବଡ଼ ନର୍ଵିଶେଷରେ ସ୍କୁଲଘର ଭିତରେ ଗୋଟିଏ ପାଖରୁ ଅନ୍ୟ ପାଖ ପର୍ଯ୍ୟନ୍ତ ସବୁ ପିଲାଙ୍କ ପିଠିରେ ନିଆଁ ଲଗିଲାଭଳି ଚାଲିଗଲାପରେ ଯେଉଁ ସ୍ଵରଲହରୀ ଉଠେ, ଗାଁଟାଯାକର ପଶୁପକ୍ଷୀ ମନୁଷ୍ୟ କାହାର ଯେମିତି ସେଥିରୁ ନିସ୍ତାର ନାହଁ !
 
 ତା’ ବୋଲି ପଦେହେଲେ ରାମ କକେଇଙ୍କ ଆଗରେ ପ୍ରତିଵାଦ କରି ପାଟି ଫିଟାଇଵା ସାହସ ଥିଲା କାହାର ! ସେ ଯେମିତି ଗାଁଯାକର ଧନୀ ଗରିବ, ପିଲା ବୁଢ଼ା, ସ୍ତ୍ରୀ ପୁରୁଷ ସମସ୍ତଙ୍କର ମାଷ୍ଟର । ସ୍କୁଲଘରପାଇଁ ଦ୍ଵାରଦ୍ବାର ବୁଲି ନଡ଼ା ବାଉଁଶ ସଂଗ୍ରହ କରିଵାଠାରୁ ଆରମ୍ଭ କରି ପିଲାଙ୍କୁ ଡାକି ପାଠ ପଢ଼ାଇଵା ପର୍ଯ୍ୟନ୍ତ ସବୁ କାମକୁ ସେ ତିଆର !
 
 ସେଇ ରାମ କକେଇ ଯେଉଁ ଦିନ ସ୍କୁଲ ଛାଡ଼ି କ'ଣ ସବୁ ପ୍ରଚାର କାମ କରିଵାକୁ ବାହାରିଗଲେ, ସେଦିନ କିନ୍ତୁ ସ୍କୁଲପିଲାଙ୍କ ମନ ଟିକିଏ ଉଶ୍ବାସ ହୋଇପଡ଼ିଥିଲା । ଆଉ ଯେ କେହି ମାଷ୍ଟର ଆସନ୍ତୁ ପଛେ, ତାଙ୍କଠାରୁ ସେ କଦାପି ବେଶି ଭୟାନକ ଓ କଡ଼ା ହେଵେ ନାହିଁ, ଏ ଵିଶ୍ଵାସ ଛାତ୍ରମାନଙ୍କର ଥିଲା । 
 

ଅସଲ କାରଣ ହେଲା, ସେ ନିଜ ଗାଁର ହୋଇଥିଵାରୁ ତାଙ୍କ ଆଗରୁ ଲୁଚିଵା ଅଥଵା ଲୁଚାଇଵା ଲାଗି କୌଣସି ସ୍ଥାନ ଵା ଵିଷୟ ପିଲାମାନଙ୍କର ନ ଥିଲା । 

ତେବେ ସେ ପୁଣି କ’ଣ ପ୍ରଚାର କାମ କରିଵେ ? ଏଡ଼େ ରାଗି ମଣିଷ, ତାଙ୍କ କଥା ଶୁଣିଵ କିଏ ? କିନ୍ତୁ ରାମ କକେଇ ସ୍କୁଲ ଛାଡ଼ି ଗାଁ-ଗାଁ ବୁଲି ପ୍ରଚାର କଲେ । ଚାଷୀମାନେ ଖାଲି ଧାନ ମୁଗ ଚାଷ ନ କରି ବେଶୀ ଲାଭଜନକ ଫସଲ ଆଖୁ କପା ଜନ୍ମାଇଵେ; ଅରଟ ଚଳାଇ ସୂତା କାଟିଵେ । ଏଇ ପ୍ରଚାର କାମ ପାଇଁ ରାମ କକେଇଙ୍କୁ ମାସିକ ଦରମା ମିଳିଲା ୧୫ ଟଙ୍କା । ଘଟଣାଟି ପ୍ରାୟ ଅର୍ଦ୍ଧ-ଶତାବ୍ଦୀର । ସେଇକାଳୁ ମଧୁବାବୁଙ୍କ ନାଁ’ ମୁଁ  ଆଜି ପର୍ଯ୍ୟନ୍ତ ଶୁଣିଆସୁଛି । 

କୁଶଭଦ୍ରା ନଈର ଅଠାନ୍ତର ବନ୍ଧ ଭାଙ୍ଗି ଅନେକ ଜମି ବାଲିଚର ହୋଇଯାଇଥାଏ । ମଧୁବାବୁ ନିଜେ ଆସି ଦେଖିଗଲେଣି...


ଓଡ଼ିଶାର ମଧୁବାବୁ ! 

ଲେକଙ୍କ ଅଵସ୍ଥା ନିଶ୍ଚେ ଏଣିକି ସୁଧୁରିଵ ବୋଲି ଟିକିଏ ଦମ୍ଭ ଆସିଛି । ରାମ କକେଇଙ୍କ ପ୍ରଚାର ଫଳରେ କେତେ ଗାଁଆରେ ଆଖୁ କପା ଚାଷ ସଙ୍ଗେ ଅରଟ ମଧ୍ୟ ଚାଲିଲାଣି । ସେତେବେଳକୁ ଗାନ୍ଧୀଙ୍କ ନାଁ ବେଶି ଶୁଣାଯାଇ ନ ଥାଏ । ଓଡ଼ିଶା କହିଲେ ମଧୁବାବୁଙ୍କୁ ଓ ମଧୁବାବୁ ଅର୍ଥ ଓଡ଼ିଶାକୁ ବୁଝାଉ ଥିଲା । ପୁଣି ପାଠ ପଢ଼ିଵାର ଲକ୍ଷ୍ୟସ୍ଥଳ ଥିଲା, “ମଧୁବାବୁ ସଙ୍ଗେ ଲଢ଼ିଵା” । ମଧୁବାବୁ ସଙ୍ଗେ ଵିଦ୍ୟାରେ ବୁଦ୍ଧିରେ ଲଢ଼ିଵାଠାରୁ ଆଉ ବେଶୀ କିଛି ମହତ୍ତ୍ବ ଓ ଵୀରତ୍ଵର କାମ ନ ଥିଲା । ମଧୁବାବୁ କିମିତି ଲୋକ, କାହିଁକି ଏସବୁ କାମ ସେ ହାତକୁ ନେଇଛନ୍ତି, ପିଲାଦିନୁଁ ତାଙ୍କପ୍ରତି ଏହିରୂପେ ଏକ କୌତୂହଳ, ଆଗ୍ରହ ଓ ସମ୍ଭ୍ରମ ମନ ଭିତରେ ବସା ବାନ୍ଧିଥିଲା । ଯେଉଁ ଲେକ ଯେତେ ଵିଖ୍ୟାତ, ତାଙ୍କର ନିନ୍ଦା ଓ ପ୍ରଶଂସାର ମାତ୍ରା ଯେ ଏକାବେଳେ ନିକ୍ତି-ଓଜନ ପରି ଦୁଇପାଖଯାକ ସମାନ; ଅଥଵା ତହିଁରେ କୌଣସି ପାଖର ଓଜନରେ ଅଳ୍ପ ବହୁତ କିଛି ଫରକ୍ ଅଛି, ତାହା ସ୍ଥିର କରିଵା କଠିଣ ।

ସେହିପରି ମଧୁବାବୁଙ୍କ ନାଆଁରେ ଅନେକ କଥା ଶୁଣାଯାଉଥାଏ । ମୋଟାମୋଟି ତାଙ୍କ ପ୍ରଶଂସାର ଦିଗଟି ହେଲା, ଓଡ଼ିଶାରେ ସେ ସବୁଠାରୁ ବେଶୀ ବୁଦ୍ଧିମାନ୍, ବଡ ବାରିଷ୍ଟର (ବାରିଷ୍ଟର ନ ହୋଇ ମଧ୍ୟ),ବଡ଼ ଵକ୍ତା, ବଡ଼ ନେତା, ଏକମାତ୍ର ମନ୍ତ୍ରୀ; ପୁଣି ମନ୍ତ୍ରୀପଦକୁ ତ୍ୟାଗ କରିଵାରେ ସାରା ଭାରତଵର୍ଷରେ ଏକମାତ୍ର ଵ୍ୟକ୍ତି । ତାଙ୍କ ନିନ୍ଦାର ଦିଗ ହେଲା, ପାରିଵାରିକ ଓ ସାମାଜିକ ଜୀଵନରେ ସେ ନୀତିଶୂନ୍ୟ, ଵିଧର୍ମୀ, ପୁଣି ଵ୍ୟକ୍ତିଗତ ଜୀଵନରେ କ୍ରୋଧୀ, ଲୋଭୀ, ଅହଂକାରୀ ଇତ୍ୟାଦି । କିନ୍ତୁ ଅନ୍ଧାର ରାତିରେ ହାବେଳି ବାଣପରି ତାଙ୍କର ସବୁ ଦୋଷକୁ ଆଲୁଅ କରି ଭଲ ଗୁଣଗୁଡ଼ିକ ଆକାଶଗାମୀ ହୋଇଥିଲା । 

ଯେଉଁସବୁ ଦୋଷାଵହ ଆଚରଣକୁ ପରିହାର କଲେ ମଣିଷ ମହାନ ହୁଏ ବୋଲି ଛାତ୍ର ଅଵସ୍ଥାରେ ପାଠ୍ୟ ପୁସ୍ତକରୁ ଶିକ୍ଷା କରାଯାଏ, ସେଗୁଡ଼ିକୁ ପୂରାପୂରି ଗ୍ରହଣ କରି ମଧ୍ୟ ମଣିଷ କିପରି ମଧୁବାବୁ ହୋଇପାରେ, ତାହା ଜାଣିଵା ପାଇଁ ଅଳ୍ପ ଵୟସରେ କୌତୂହଳ ଜନ୍ମିଵା ସ୍ଵାଭାଵିକ । ସେ କୌତୂହଳର କିଛି ପରିମାଣରେ ନିଵୃତ୍ତି ହେଲା ପୁରୀ ରାମଚଣ୍ଡୀ ସାହିରେ ଥିଵା ଆମ ଘରପାଖେ ଯେଉଁ ଵର୍ଷ ‘ଉତ୍କଳ ସମ୍ମିଳନୀ’ର ଅଧିଵେଶନ ହୁଏ ।

 ଗୋପବନ୍ଧୁ ପ୍ରମୁଖ ଓଡ଼ିଶାର ଵିଭିନ୍ନ ଅଞ୍ଚଳରୁ ଆସିଥିଵା ଏକାଧିକ ନେତା ଓ ପ୍ରତିନିଧିଙ୍କ ଗହଣରେ ଶୁକ୍ଳକେଶ ଶୁକ୍ଳଶୁଶ୍ରୁ ଘେନି ବସିଥାନ୍ତି ଶୀର୍ଣ୍ଣ ମଧୁସୂଦନ । ଵିପୁଳ କରତାଳି ଧ୍ଵନୀ ମଧ୍ୟରେ ସେ ତାଙ୍କର ଭାଷଣ ଆରମ୍ଭ କଲେ, “ଓରେ ସଖି, ଆପଣା ମହତ ଅପେ ରଖି !”
 
 ନିଜର ପୁଣି ଦେଶର ମର୍ଯ୍ୟାଦା ରଖିଵା ଯେ ପ୍ରତ୍ୟେକ ଦେଶଵାସୀର ପ୍ରଥମ ଓ ଶେଷ କର୍ତ୍ତଵ୍ୟ, ଏହାହିଁ ଯେପରି ତାଙ୍କ ଜୀଵନର ଲକ୍ଷ୍ୟ ଥିଲା । ସେ ଲକ୍ଷ୍ୟକୁ ସାଧନ କରିଵାରେ ସେ କେତେଦୂର ସଫଳ କିଂଵା ଵିଫଳ ହୋଇଥିଲେ, ତାହାର ଵିଚାର ତାଙ୍କୁ ଅମର କରିନାହିଁ—ଅମର କରିରଖିଛି କେଵଳ ସେହି ଲକ୍ଷ୍ୟ, ସେହି ଅମ୍ଳାନ ଅଚ୍ୟୁତ ଅଵିଚଳିତ ଲକ୍ଷ୍ୟ । ସେ ଲକ୍ଷ୍ୟରୁ କେବେହେଲେ ସେ ଯେ ସ୍ଖଳିତ ହୋଇନାହାନ୍ତି, ଏହାହିଁ ତାଙ୍କ ଜୀଵନରୁ ଶିକ୍ଷଣୀୟ । 

ସ୍ଵଦେଶକୁ “ମାତୃଭୂମି” କହିଲେ ସେ ଵ୍ୟାଖ୍ୟା କରୁଥିଲେ, ତାହା ମା’ଠାରୁ ସୁଦ୍ଧା ଅଧିକ । କାରଣ ମା’ସିନା କେଵଳ ଜନ୍ମ ଦେଇ ସ୍ତନ୍ୟପାନ କରାଏ; ମାତ୍ର ତା’ପରେ ଆମର ସବୁ ଅଳିଝଳି ଲାଳନପାଳନର ଭାର ପଡ଼େ ମାତୃଭୂମି ଉପରେ । କେଵଳ ତ ସେତିକି ନୁହେଁ—ମୃତ୍ୟୁ ହେଲେ ମା କଦାପି ନିଜ କୋଳରେ ସ୍ଥାନ ଦେଇପାରନ୍ତି ନାହିଁ, ଅଥଚ ସ୍ଥାନ ଦିଅନ୍ତି ମାତୃଭୂମି । ପ୍ରତ୍ୟେକ କଥା ଓଜନଦାର, ଅର୍ଥପୂର୍ଣ୍ଣ । ପ୍ରତ୍ୟେକ ଵ୍ୟକ୍ତି କି ବାଳକ, କି ଯୁଵକ, ପ୍ରୌଢ଼, ଵୃଦ୍ଧ ତାଙ୍କ ପାଖରେ ଯେମିତି ଗୋଟିଏ ଗୋଟିଏ ସାଧାରଣ ସଭା । ତାଙ୍କ ସଙ୍ଗରେ କଥାଵାର୍ତ୍ତାବେଳେ ସୁଦ୍ଧା ଯେମିତି ସେ ସାଧାରଣ ସଭାରେ ଭାଷଣ ଦେଉଛନ୍ତି । ଏଇଭଳି ତାଙ୍କର ଵିରାଟ ଵ୍ୟକ୍ତିତ୍ଵ ଓ ସବୁ ସତ୍ବ ହିଁ ଵ୍ୟଷ୍ଟି ଭିତରେ ମିଳେଇଯାଇଥିଲା ।

 ନିଜର ସମୁଦାୟ ସତ୍ଵକୁ ସେ ଲିଭାଇ ଦେଇପାରିଥିଲେ ଦେଶମାତୃକାର ସବୁ ମନୁଷ୍ୟ, ପଶୁପକ୍ଷୀ, କୀଟପତଙ୍ଗ ଜଡ଼ ଉଦ୍ଭିଦ ଭିତରେ । ତାଙ୍କର ସବୁ ଚାରିତ୍ରିକ ତ୍ରୁଟିଵିଚ୍ୟୁତି ଦୋଷ ଦୁର୍ଗୁଣ କାଠିକୁଟା ଅଳିଆଅସ୍କରା ପରି ଭାସିଯାଇ ଥିଲା ଦେଶପ୍ରେମର ଓ ମାନଵପ୍ରେମର ମହାଵେଗଵାନ୍ ପ୍ରଵଳ ସ୍ରୋତରେ ଜଳିପୋଡ଼ି ଭସ୍ମସାତ୍ ହୋଇଥିଲା, ଦେଶପ୍ରେମର ଅନିର୍ଵାଣ ସ୍ବାର୍ଥମେଧ ଯଜ୍ଞର ବହ୍ନି ଦାହରେ ।।
 

 ମଧୁସୂଦନ ନିଜକୁ ଖୋଜି ପାଇନାହାନ୍ତି ନିଜର ଵିଦ୍ୟା ଵୁଦ୍ଧି ଵିଚକ୍ଷଣତାରେ, ଆଇନ-ଵ୍ୟଵସାୟଦ୍ଵାରା ଅର୍ଥୋପାର୍ଜନର ପ୍ରାଚୁର୍ଯ୍ୟରେ, ଅସାଧାରଣ ଓଡ଼ିଆ କିମ୍ବା ଇଂରାଜୀ ଭାଷାର ବାଗ୍ମିତାରେ, ନାରୀଶିକ୍ଷାର ଅଗ୍ରଣୀ ହୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ଅଥଵା ଉତ୍କଳୀୟ ଶିଳ୍ପକଳାର ପ୍ରତିନିଧିତ୍ବ କରି ଶିଳ୍ପାନୁଷ୍ଠାନ ଗଠନରେ, ସମ୍ବାଦପତ୍ରର ସାର୍ଥକ ସମ୍ପାଦନାରେ କିଂଵା ମନ୍ତ୍ରୀଦପ୍ତରର ଵିଚକ୍ଷଣ ସୁପରିଚାଳନାରେ । ସେ ଆପଣାକୁ ପାଇଛନ୍ତି
  ‘‘ମାଆ ମାଆ ଭାଇ ଭାଇ ଡାକିଵାରେ ପୁଣି ଖୋଜିଵାରେ’’—
  
 “ମାଆ ମାଆ ବୋଲି କେତେ ମୁଁ ଡାକିଲି
  ମାଆକୁ ପାଇଲି ନାହିଁ, 
  ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି 
  ନ ଦେଲେ ଉତ୍ତର କେହି !”

ମାଆ ତାଙ୍କର ଗଲେ କୁଆଡ଼େ ? ଭାଇ ତାଙ୍କର କାହାନ୍ତି ? ଵନ ପର୍ଵତ, ନଦୀ ସାଗର ସର୍ଵତ୍ର ସେ ଖୋଜି ବୁଲିଛନ୍ତି । ମାଆଙ୍କର ପଦଚିହ୍ନ ଦେଖିଛନ୍ତି ଭୁବନେଶ୍ବରରେ । ସେ ଚିହ୍ନ ଉପରେ ଲେଖାଅଛି ‘ରାଜରାଣୀ’ ! ଭାଇଙ୍କର ପଦଚିହ୍ନ ଅଙ୍କାରହିଛି ସମୁଦ୍ର କୂଳ ମରୁ ଵାଲୁକାମୟ ପ୍ରାନ୍ତରରେ I ନାମ ତାହାର ‘କୋଣାର୍କ’ ! ମାତ୍ର କୁଆଡ଼େ ଗଲେ ସେମାନେ ? ଵିକଳ ଵିଭ୍ରାନ୍ତ କଵି ଶେଷରେ ସେମାନଙ୍କୁ ପାଇଛନ୍ତି ସେଇ ଏକ ଅନିର୍ଵାଣ “ସ୍ଵାର୍ଥମେଧ ଯଜ୍ଞ’ରେ । ଡାକିଛନ୍ତି ସମସ୍ତଙ୍କୁ ସେଇ ଯଜ୍ଞକୁଣ୍ଡରେ ସ୍ବାର୍ଥକୁ ଆହୁତି ଦେଇ ଚାରିଆଡ଼େ ଛାତିକୁ ଛାତି ମିଶାଇ ନାଚିଵା ପାଇଁ ।

 ପୃଥିଵୀ-ସାହିତ୍ୟରେ ଯେଉଁ ଅଳ୍ପ କେତେ ଜଣ କଵି ଗୋଟିଏ ଦିଓଟି ମାତ୍ର କଵିତା ଲେଖି ଅମର ହୋଇଛନ୍ତି, ମଧୁସୂଦନ ତାଙ୍କରି ଭିତରୁ ଜଣେ | କାରଣ ସେ କଵିତା ସ୍ବୟଂ ସେ ନିଜେ ! ତାହାର ପ୍ରତି ଅକ୍ଷରରେ ତାଙ୍କର ରକ୍ତମାଂସ ଅସ୍ଥିମଜ୍ଜା ଶିରା-ପ୍ରଶିରା ଯେପରି ନିଗିଡ଼ି ପଡ଼ିଛି । 
 
ମନେ ପଡ଼େ—ସ୍କୁଲଛାତ୍ର ଥିଵା ସମୟରେ ତାଙ୍କ ସହିତ ସାକ୍ଷାତକାରର ଏକ ଅଵିସ୍ମରଣୀୟ ଘଟଣା । ପୁରୀ ଜିଲ୍ଲା ସ୍କୁଲର କେତେ ଜଣ ସହିତ୍ୟବନ୍ଧୁ ମିଳତ ହୋଇ ଏକ ସାହିତ୍ୟ ଅଲୋଚନା ସଭା ଗଢ଼ିଥାଉଁ । ଗୋଟିଏ ହାତଲେଖା ପତ୍ରିକା ମଧ୍ୟ ପ୍ରକାଶ କରୁଥାଉଁ । ଶେଷରେ ଏହି ହାତଲେଖା ପତ୍ରିକା'ଟି ଵିପୁଳ ଆନନ୍ଦ ଉତ୍ସାହ ଭିତରେ ଛପା ଅକ୍ଷରରେ ପ୍ରକାଶ ପାଏ । ପ୍ରଥମ ପୁଣି ବୋଧହୁଏ ଶେଷ ଥର ପାଇଁ ! ମଧୁବାବୁଙ୍କୁ ଭେଟିଵାଲାଗି ଏହାହିଁ ହେଲା ପ୍ରଧାନ ଉପାୟନ । ପତ୍ରିକାର ନାମ “ଛାତ୍ର-ଦର୍ପଣ’ । ସ୍କୁଲ ନିକଟରେ ମଧୁବାବୁଙ୍କର ଘର ‘ଶୈଳ-ନିଵାସ’; ମଝିରେ ମଝିରେ କଟକରୁ ଆସି ସେଇଠି ତାଙ୍କର ରହଣି । “ଛାତ୍ର-ଦର୍ପଣ”’ ଧରି ମଧୁବାବୁଙ୍କୁ ଭେଟିଵା ପାଇଁ ବାହାରିଲୁଁ । ଝରକାପାଖେ ବସି ସେ ଖିଅର ହେଉଥାନ୍ତି । ନିଃସଙ୍କୋଚରେ ସେଇଠି ଯାଇ ଠିଆହେଲୁଁ । ‘କିଏ ତୁମେମାନେ ?” ପ୍ରଶ୍ନ କଲେ ମଧୁବାବୁ ।

“ପୁରୀ ଜିଲ୍ଲା ସ୍କୁଲର ଛାତ୍ର ।” “ଆଚ୍ଛା, ମତେ ଟିକିଏ ମାଫ୍ କରିଵ ! ସେପାଖ ଵୈଠକଖାନାରେ ଅଳ୍ପ ସମୟ ଅପେକ୍ଷା କରିଵ କି ?” 

ଚାରି ପାଞ୍ଚମିନଟ୍ ଭିତରେ ସେ ଵୈଠକଖାନାରେ ପ୍ରଵେଶ କଲେ । ତାଙ୍କର ଭଦ୍ରୋଚିତ “ମାଫ୍ କରିଵ’’ କଥା ସେହି କାଳରୁ ଆଜି ସୁଦ୍ଧା ମନେ ରହିଗଲା । ହାତକୁ ତାଙ୍କର ବଢ଼ାଇଦେଲୁଁ ଆମର ଗର୍ଵ, ଆମର କୃତିତ୍ଵର “ଛାତ୍ର-ଦର୍ପଣ’ ପତ୍ରିକା ଖଣ୍ଡି । ଓଲଟପାଲଟ କରି ତାକୁ ସେ ଦେଖିଲେ । ଆଶା କରିଥିଲୁ; ଭିତରେ ତା’ର ଛପା ଅକ୍ଷରରେ ଲେଖକମାନଙ୍କ ନାମ ପଢ଼ି, ଅନ୍ତତଃ ଆମର ପରିଚୟ ସେ ପଚାରିଵେ । ମାତ୍ର ହତାଶ ହେଲୁ, ଯେତେବେଳେ ସେ କହିଲେ— ରୋଜ କେତେ ଏମିତି ପତ୍ରପତ୍ରିକା ମୋ ପାଖକୁ ଅସେ । ସେସବୁ ପଢି଼ ଦେଖିଵାକୁ ବି ବେଳ ମିଳେ ନାହିଁ । ତେଣୁ ତାକୁ ଏଇ ଓ୍ଵେଷ୍ଟ୍ ପେପର୍ ବାସ୍କେଟରେ ପକାଇଦିଏ ।” ଏତକ କହି ତାଙ୍କ ପାଦ ପାଖରେ ଥିଵା ବାସ୍କେଟଟାକୁ ସେ ମୁଣ୍ଡ ନୁଆଇଁ ଚାହିଁଲେ !

 ଧଡ଼ଧଡ଼ ହୋଇ ଛାତି ଭିତର ଆମର ପଡ଼ିଲା । ସତେ ଯେମିତି ଆମେସବୁ ପ୍ରତ୍ୟେକେ ଜଣେ ଜଣେ ଗୋଟିଏ ଲେଖାଁ ୱେଷ୍ଟ୍ ପେପର ବାସ୍କେଟ୍ ; ଆଉ ତା’ରି ଭିତରକୁ ସେ ଆମର ଅତି ଆଦରର ବଡ଼ ଆୟାସର ସ୍ବପ୍ନ ‘ଛାତ୍ର-ଦର୍ପଣ’କୁ ଟିକି ଟିକି କରି ଚରି ଫିଙ୍ଗିଦେଵାକୁ ଯାଉଛନ୍ତି ! କିନ୍ତୁ ସେ ତାହା କଲେ ନାହିଁ । ପତ୍ରିକାର ଭିତରକୁ ନ ଚାହିଁ ଲାଲ ମଲାଟ ଲଲାଟରେ ଲିଖିତ ଖାଲି ନାମକୁ ସେ ଉଚ୍ଚାରଣ କଲେ—‘ଛାତ୍ରଦର୍ପଣ” । ତା’ପରେ ଟିକିଏ ରହିଯାଇ କହିଲେ, “ଆଚ୍ଛା ଭଲ ନାଁଟିଏ ଦେଇଛ ତୁମ ପତ୍ରିକାର; କିନ୍ତୁ ଜାଣିଛ କି ତୁମେ, ଭାରତଵର୍ଷକୁ ଯେତେବେଳେ ଦର୍ପଣ ଆସି ନ ଥାଏ, ସେତେବେଳେ ପ୍ରତ୍ୟେକ ସ୍ତ୍ରୀ ପ୍ରତ୍ୟେକ ପୁରୁଷ ଵିଚାରୁଥିଲେ ତାଙ୍କ ମୁହଁ ସବୁଠାରୁ ବେଶି ସୁନ୍ଦର ! ତା’ ପରେ ସେତେବେଳେ ଦର୍ପଣ ଅସିଗଲା, ସେତେବେଳେ ସମସ୍ତେ ନିଜ ନିଜ ମୁହଁକୁ ସେଥିରେ ଚାହିଁ ବୁଝିପାରିଲେ । ତାଙ୍କ ମୁହଁଠାରୁ ଆହୁରି ସୁନ୍ଦର ମୁହଁ ବି ପୃଥିଵୀରେ ଅଛି ।
 
 ତୁମେମାନେ ସେମିତି ଏହା ଭିତରେ ନିଜ ମୁହଁକୁ ଦେଖିଲଣି ?”
 
 ଅଦ୍ଭୁତ ଅପ୍ରତ୍ୟାଶିତ ପ୍ରଶ୍ନ ! 
 ସ୍ତବ୍‌ଧ ଅଵାକ୍ ହୋଇ ଚାହିଁରହିଲୁଁ ମଧୁସୂଦନଙ୍କ ମୁହଁକୁ ଆମେ ସମସ୍ତେ ! ମନେ ହେଲା, ଯେମିତି ତାଙ୍କର ସେଇ ପତଳାମୁହଁ ଵାର୍ଦ୍ଧକ୍ୟରେ ଲୋଳଚର୍ମ ହୋଇ ସବୁଠୁ ସୁନ୍ଦର ଦିଶୁଛି । ତା’ପରେ ସେ ପୁଣି ଆରମ୍ଭ କଲେ— 
 
 “ତୁମେ ସବୁ ପାଠ ପଢ଼ିସାରି କଣ କରିଵ ଭବିଛ କି ?
  ମୋ ଭାଇ ଗୋପାଳ (୰ ଗୋପାଳଵଲ୍ଲଭ ଦାସ, ‘ଭୀମଭୂୟାଁ’ ଉପନ୍ୟାସର ଲେଖକ) ଯେତେବେଳେ ପାଠ ଶେଷ କରି ଚାକିରି କରିଵାକୁ ଗଲା, ତାକୁ କହିଲି, ‘ତତେ ମୁଁ ଗୁଳି କରି ମାରିଦେବି । ପାଠ ପଢ଼ି ତୁ ଗୋଲାମ ହେଲୁ ? ଏଇ କଣ ପାଠର ଅର୍ଥ ? ଜାଣୁ କି, ସରସ୍ଵତୀ ଵେଶ୍ୟା ନୁହେଁ । ମନେ ରଖ ତୁମେ, ସରସ୍ଵତୀ ଵେଶ୍ୟା ନୁହେଁ !”
 
 ଗୁଳି ବାଜିଲାଭଳି ଆମ କାନଭିତରେ ବି ତାଙ୍କ କଥା ଲାଖିରହିଲା । ପ୍ରାୟ ପଚାଶ ଵର୍ଷ ପରେ ସୁଦ୍ଧା ସେ ଗୁଳି କାଢ଼ିହେଲା ନାହିଁ । ଆଜିସରିକି ବୁଝାପଡ଼ୁଛି, ପାଠ ପଢ଼ି ଚାକିରୀ କରିଵା ଅର୍ଥ କ’ଣ ।
 
 ପୁଣି “ଛାତ୍ର-ଦର୍ପଣ”ର ଵ୍ୟାଖ୍ୟା କଲାବେଳେ Literature is the mirror of society କଥାଟିକୁ କିପରି ତିଵ୍ରଭାବରେ ସେ ଅନୁଭଵ କରୁଥିଲେ । ଲେଖକ ଆଗରେ, ପାଠକ ଆଗରେ, ସମାଜ ଆଗରେ ସାହିତ୍ୟ ଯେ ଏକ ଦର୍ପଣ, ମଧୁସୂଦନ ସେ ଦର୍ପଣକୁ ଆମ ସାମନାରେ ଧରି ଯେମିତି ସେଦିନ ତହିଁରେ ଆମ ମୁହଁକୁ ଦେଖାଇ ଦେଲେ । ଏ ତ ହେଲା ତାଙ୍କର ଶିକ୍ଷା-ସାହିତ୍ୟ ଵିଷୟକ ଧାରଣା ।
 
 ରାଜନୀତିକ୍ଷେତ୍ରରେ ମଧୁସୂଦନଙ୍କ ସ୍ୱପ୍ନର ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲାଣି; ପୁଣି ତାଙ୍କର ସ୍ଵପ୍ନାତୀତ ଭାରତ ଆଜି ସ୍ବାଧୀନ । କେଵଳ ସେତିକି ନୁହେଁ, ସମଗ୍ର ଵିଶ୍ଵଦରବାରରେ ଭାରତୀୟ ଜୀଵନାଦର୍ଶ—ସୁଵିରାଟ କୃଷି ଶିଳ୍ପର ଦେଶଵ୍ୟାପୀ ଯୋଜନା, ଧର୍ମ, ଅର୍ଥ କିଂଵା ରାଜନୀତି କ୍ଷେତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ,ସମ୍ପ୍ରଦାୟ ଵା ମେଣ୍ଟର ଅନ୍ତର୍ଭୁକ୍ତ ନହୋଇ ସକଳ ଦେଶ ସହିତ ସମାନ ସମ୍ପର୍କ ସ୍ଥାପନ; ପୁଣି ନିଜ ଦେଶ ଭିତରେ ତଥା ବାହାରେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ସୁଚିନ୍ତିତ ଓ ସୁନିର୍ଦ୍ଦିଷ୍ଟ ପଦକ୍ଷେପ ଆଜି ମହାଵେଗରେ ମଧୁସୂଦନଙ୍କ ସମୟକୁ ଅତିକ୍ରମ କରି ଅଗ୍ରସର ।
 
 ଓଡ଼ିଶାର ଵନ୍ୟା-ନିୟନ୍ତ୍ରଣ ପରେ ଜଳାଭାଵ ସମସ୍ୟା ଉପୁଜିଛି ଏଵଂ ତା’ର ସମାଧାନ ପାଇଁ ସୁଵିସ୍ତୃତ ପୟଃ ପ୍ରଣାଳୀ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଲାଣି । ଜୀଵନଧାରଣର ସର୍ଵପ୍ରଥମ ମୌଳିକ ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ ସମାଧାନ ପାଇଁ ଦେଶ ଆଜି ସଚେତନ ଓ ସକ୍ରିୟ ! ସେଥିସଙ୍ଗେ ଦେଶରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନହେଲେ ସ୍ଵାଧୀନତାର କୌଣସି ଅର୍ଥ ହୁଏ ନାହିଁ । ଅଥଚ ମନୁଷ୍ୟର ନ୍ୟୁନତମ ଅଧିକାର ଖାଦ୍ୟର ଅଭାଵ ସୁଦ୍ଧା ଯେଉଁ ଦେଶରୁ ଅଠର ଵର୍ଷର ସ୍ଵାଧୀନତା ଲାଭପରେ ମଧ୍ୟ ଘୁଞ୍ଚିପାରିଲା ନାହିଁ, ଆଉ ସେଥିପାଇଁ ଅନ୍ୟ ଦେଶ ଉପରେ ହିଁ ନିର୍ଭର କରିଵାକୁ ପଡ଼ିଲା, ଏହା ଆଜି ସବୁଠାରୁ ବଡ଼ ପ୍ରଶ୍ନଵାଚୀ ହୋଇ ଦଣ୍ଡାୟମାନ । 
 
ଅଵଶ୍ୟ ଯେଉଁ ଦେଶ ଦୀର୍ଘ ଦୁଇଶହ ଵର୍ଷ ହେଲା ଏକ ମଧ୍ୟଯୁଗୀୟ ଔପନିଵେଶିକ ଶାସନାଧୀନରେ ଶୋଷିତ ଓ ଅତ୍ୟାଚାରିତ ହୋଇ ରହିଆସିଲା, ପୁଣି ତତ୍'ପୂର୍ଵରୁ ଅନିର୍ଦ୍ଦିଷ୍ଟ କାଳଯାଵତ୍ ଖଣ୍ଡଵିଖଣ୍ଡ ହୋଇ କିଭଳି ଶାସନ ଵା ଅରାଜକତାର ଶିକାର ହୋଇପଡ଼ିଥିଲା, ତାହା ତ ଆଜି ଐତିହାସିକ ମତଭେଦର ସାମଗ୍ରୀ। 

ତାହା ତୁଳନାରେ ୧୮ ଵର୍ଷର ସ୍ଵାଧୀନତାପ୍ରାପ୍ତି ଦେଶ ଭିତରେ ଯେଉଁ ପ୍ରଵଳ ପରିଵର୍ତ୍ତନର ଵାତ୍ୟା ବୁହାଇଛି, ପୁଣି ଯେଉଁ ନୂତନ ଵାର୍ତ୍ତା ବହନ କରି ଆଣିଛି, ସେଥିପ୍ରତି ଅନଵହିତ ହେଵାର ଉପାୟ ନାହିଁ । ଏହି ଅଠର ଵର୍ଷରେ ପୁଣି ଦେଶକୁ ଯେତେ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେଵାକୁ ପଡ଼ିଛି, ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ପୁନରାଵୃତ୍ତି ନିଷ୍ପପ୍ରୟୋଜନ  । 

ସ୍ଵାଧୀନତା ଆସିଵା ସଙ୍ଗେ ସଙ୍ଗେ ଵିପୁଳ ସଂଖ୍ୟାରେ ଅଶ୍ରୟପ୍ରାର୍ଥୀମାନଙ୍କର ସମସ୍ୟା, ପଞ୍ଚଵାର୍ଷିକ ଯୋଜନା ଓ ପୁନର୍ଗଠନ କାର୍ଯ୍ୟକ୍ରମରେ ନୂତନ ପଥ, ସେତୁ, ଜଳଭଣ୍ଡାର, ଶିଳ୍ପନଗରୀ ଓ ରାଜଧାନୀ ଆଦି ନିର୍ମାଣ; ପୁଣି ଭାଷାଭିତ୍ତିରେ ଆନ୍ଧ୍ର, ମହାରାଷ୍ଟ୍ରଠାରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ନୂତନ ରାଜ୍ୟମାନ ସଂଗଠନ ହେଵା ହଠାତ୍ ମନେ ପଡ଼ୁଥିଵା କେତେ ଗୋଟି ଵ୍ୟଵସ୍ଥା । 

ତାହାଛଡ଼ା ଵୈଦେଶିକ ମତକୁ ସୁପ୍ରତିଷ୍ଠିତ କରି ପୃଥିଵୀର ଵିଭିନ୍ନ ଦେଶ ସହ ସୁସମ୍ପର୍କ ସ୍ଥାପନ ସଙ୍ଗେ ଚୀନ ଓ ପାକିସ୍ତାନ ପକ୍ଷରୁ ହୋଇଥିଵା ଆକ୍ରମଣର ପ୍ରତିରୋଧ ଲାଗି ପ୍ରତିରକ୍ଷାର ସାର୍ଥକ ଓ ସୁଵିସ୍ତୃତ ଵଳିଷ୍ଠ ଅୟୋଜନ ସଙ୍ଗେ ଦେଶ ଭିତରେ ନାଗା ଓ ମିଜୋ ଵିଦ୍ରୋହ କିଂଵା ରାଜନୈତିକ ଵା ଯେ କୌଣସି କାରଣରୁ ଆଭ୍ୟନ୍ତରୀଣ ଵିଦ୍ରୋହର ସମ୍ମୁଖୀନ ହେଵା ଏକପ୍ରକାର ସ୍ଥାୟୀ ଵ୍ୟାପାର ହୋଇପଡ଼ିଛି । ଏଇଭଳି ସାମନ୍ତଯୁଗୀୟ ଅଵସ୍ଥା ଓ ପରସ୍ଥିତିର ଶେଷାଂଶରେ ପହଞ୍ଚି ସୁଦ୍ଧା ଏକ ସର୍ଵାଧୁନିକ ଓ ପୃଥିଵୀପୃଷ୍ଠରେ ସର୍ଵଵୃହତ୍  ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିଵା ଭାରତ ପକ୍ଷରେ ସମ୍ଭଵପର ହେଲାଣି । 

ପୁଣି ଖାଦ୍ୟ ଅନାଟନ ସମସ୍ୟା ଯେ କେଵଳ ଭାରତରେ ସୀମାବଦ୍ଧ ନ ରହି ପୃଥିଵୀଵ୍ୟାପୀ ହେଵାର ଦୁର୍ଲକ୍ଷଣମାନ ଦେଖାଦେଇଛି, ସେଥିଲାଗି ପୃଥିଵୀର ଜଣେ ଶ୍ରେଷ୍ଠ ଖାଦ୍ୟଵିଶାରଦ ସବୁ ଦେଶର ସରକାରମାନଙ୍କୁ ସାଵଧାନ କରି ଦେଇଛନ୍ତି । ଵିଶ୍ଵଖାଦ୍ୟ ଯୋଜନାର ( World Food Programme) ଏକ୍ସକ୍ୟୁଟିଭ ଡାଇରେକ୍ଟର ଶ୍ରୀ ଏ. ଏଇଚ୍. ବୋୟେର୍ମା (A. H. Boerma) ଏ ଦିଗରେ ଯୁକ୍ତରାଷ୍ଟ୍ର-ଆମେରିକାର ସାହସିକ ପଦକ୍ଷେପର ଦୃଷ୍ଟାନ୍ତ ଦେଇ ଏହି ଆସନ୍ନ ସଙ୍କଟର ସମ୍ମୁଖୀନ ହେଵାଲାଗି ଅଧିକ ଖାଦ୍ୟ ଉତ୍ପନ୍ନ ନିମନ୍ତେ ଅହ୍ୱାନ ଜଣାଇଛନ୍ତି । 

ଚବିଶଗୋଟି ରାଷ୍ଟ୍ରର ପ୍ରତିନିଧି ଉକ୍ତ ସମ୍ମିଳନୀରେ ରୋମ୍'ଠାରେ ମିଳିତ ହୋଇଥିଲେ । ରୋମ୍ ପ୍ରକାଶିତ ଏପ୍ରିଲ୍ ୧୮, ୧୯୬୭ର ଏହି ସମ୍ବାଦ ସଙ୍ଗେ ଇଟାଲିରୁ ମଧ୍ୟ ୩,୭୬୨ ୪ନ୍ ଚାଉଳ ବୋଝେଇ ଏକ ମାଲଜାହାଜ କଲିକତା ଖିଦରପୁର ଡକ୍'ରେ ଆସି ପହଞ୍ଚିଥିଲା । ଭାରତର ଖାଦ୍ୟ-ସମସ୍ୟା ଏହିରୂପେ ଆଜି ପୃଥିଵୀ-ସମସ୍ୟାରେ ପରିଣତ ହେଲାଣି । 

ଯଥାର୍ଥରେ ଵିଚାର କଲେ ରାଜନୀତି, ଅର୍ଥନୀତି, ସମରନୀତି କମ୍ବା ଶାନ୍ତିନୀତି ପ୍ରଭୃତି କୌଣସି ଵିଷୟରେ ଗୋଟିଏ ଦେଶ ଆଜି ଅନ୍ୟଠାରୁ ଵିଚ୍ଛିନ୍ନ ନୁହେଁ । ଯେ କୌଣସି ଦେଶର ସମସ୍ୟା ଆଜି ସମଗ୍ର ପୃଥିଵୀର ସମସ୍ୟାରେ ରୂପାନ୍ତରିତ। ଵିଜ୍ଞାନର ଵିଶ୍ବଗ୍ରାସୀ ପ୍ରଗତି ସଙ୍ଗେ ମାତ୍ର ତିନିଚାରିଟି ଦଶନ୍ଧି ମଧ୍ୟରେ ପୃଥିଵୀ ପରିସ୍ଥିତି ସେ ଆଶାତୀତ ଭାବରେ ଦ୍ରୁତ ବଦଳିଗଲାଣି, ଏହା ଅସ୍ବୀକାର କରାଯାଇ ନ ପାରେ ।

ଭାରତୀୟ ରାଜନୀତି କିଂଵା ଅର୍ଥନୀତିର ଯେପରି ଏହି ଜାଗତିକ ପରିଵର୍ତ୍ତନରୁ ନିସ୍ତାର ନାହିଁ । ଓଡ଼ିଶାକୁ ସେଇପରି ଭାରତରୁ ସମ୍ପୂର୍ଣ୍ଣ ଵିଚ୍ଛିନ୍ନ କିଂଵା ସ୍ଵତନ୍ତ୍ର ଵିଚାରି ତାହାର କୃଷି ଶିଳ୍ପ, ଶିକ୍ଷା ଵାଣିଜ୍ୟର ଉନ୍ନତିଵିଧାନଦ୍ଵାରା ଭାରତର ଅନ୍ୟାନ୍ୟ ଅଞ୍ଚଳ ସଙ୍ଗେ ସେସବୁ ଦିଗରେ ତାକୁ ସମକକ୍ଷ କରିଵାର ପ୍ରୟାସ ଆଜି ଆଉ ସ୍ବାଧୀନତାପରେ ମଧୁସୂଦନଙ୍କ ସମୟ ପରି ହୁଏତ ସୁତୀଵ୍ର ନୁହେଁ—କାରଣ ହାରିଗୁହାରିର ଯୁଗ ଗଡ଼ିଯାଇ ହକ୍ ପ୍ରାପ୍ୟର ଯୁଗ ଆସିଛି । 

ମଧୁସୂଦନଙ୍କ ସମୟରେ ଯାହାପାଇଁ କଟୁରୀ ଲୋଡ଼ା ହୋଇଥିଲା, ଆଜି ହୁଏତ ତାହା ନଖରେ ଛିଣ୍ଡିଗଲାଣି । ଆଜି ହୁଏତ ଉତ୍କଳ ଟାନେରୀ ଥିଲେ ଏକ ଵିରାଟ ଜାତୀୟ ଶିଳ୍ପରୂପେ ଦେଖାଦିଅନ୍ତା । ସେଥିଲାଗି ମଧୁସୂଦନଙ୍କୁ ଦେଉଳିଆ ହୋଇ ଶେଷ ଜୀଵନ ମନସ୍ତାପରେ କଟାଇଵାକୁ ହୁଅନ୍ତା ନାହିଁ । 

ଶେଷ ପର୍ଯ୍ୟାୟରେ ତାଙ୍କ ସହିତ ପୁଣି ଥରେ ସାକ୍ଷାତର ସୁଯୋଗ ଘଟେ। ଅମେସବୁ କଲେଜ ଛାତ୍ରଥିଲାବେଳେ ‘ସବୁଜ ସଂସ୍ଥା’ ଗଠିତ ହୋଇ ନ ଥିଲେ ହେଁ ଆମେ ତାହାର କେତେ ଜଣ ଉଦ୍ୟୋକ୍ତା ଏକ ସନ୍ଧ୍ୟାରେ ଯାଇ ମଧୁସୂଦନଙ୍କ କଟକ ଵାସଭଵନରେ ପହଞ୍ଚିଲୁ । ଚାରି ପାଞ୍ଚଵର୍ଷ ପୂର୍ଵେ ସ୍କୁଲଛାତ୍ର ଥିଵାବେଳେ ‘‘ଛାତ୍ର-ଦର୍ପଣ” ପତ୍ରିକା ଘେନି ଯେଉଁ ଅଵସ୍ଥାରେ ତାଙ୍କୁ ଦେଖିଥିଲି, ଆଜି ଯେମିତି ସେ ଅନେକ ବୁଢ଼ା ହୋଇଗଲେଣି; ତଥାପି ରୂପର ସେ ଦୀପ୍ତି କାହିଁ ମଉଁଳି ନାହିଁ । ଜଣ ଜଣ କରି ଆମ ପରିଚୟ ପଚାରି ସେ ବୁଝିଲେ । ତା' ପରେ ଜାଣିଵାକୁ ଇଚ୍ଛା କଲେ ଆମ ଅସିଵାର ଉଦ୍ଦେଶ୍ୟ । ଶୁଣିଲେ, ଅମେ ଚାହୁଁ ଲେଖିଵାକୁ ତାଙ୍କ Reminiscences ( ସ୍ମୃତିକଥା ) । ସେ କେଵଳ ସ୍ବୀକୃତ ହେଲେ ପ୍ରତ୍ୟହ ଆମ ଭିତରୁ କେହି ଜଣେ ଆସି ତାଙ୍କ ପାଖରେ ବସି ଲେଖିନେଵେ । ଆମ ପ୍ରସ୍ତାଵଟି ଶୁଣିସାରି ଵୈଠକଖାନା ସୋଫା ଉପରେ ସିଧା ହୋଇ ବସି ମଧୁସୂଦନ ଚମକି ପଡ଼ିଲା ଭଳି କହିଉଠିଲେ— “Reminiscences ! ମଧୁସୂଦନ ଦାସର Reminiscences !"

ତା’ପରେ ଚାଲିଲା ଅନର୍ଗଳ ଭାଷଣ—

 “ତୁମେ ଚାହୁଁଚ ମଧୁସୂଦନ ଦାସର Reminiscences !
  ସେ ଆଜି ନିଃସ୍ଵ, ଦେଉଳିଆ, Insolvent ! ‘ଉତ୍କଳ ଟେନେରି’ ତା’ର ଵିକ୍ରୀ ହୋଇ ଯାଇଛି, The Oriya’ ଖବରକାଗଜ ଆଜି ନାହିଁ, ନେତୃତ୍ଵ ତା’ର ନିଃଶେଷ । କ'ଣ Reminiscences ଲେଖିଵ ତା’ର ? Reminiscences ଲେଖିଵାକୁ ଚାହଁ ତ ଯାଅ କୋଣାର୍କକୁ । ସେଇଠି ମିଳଵ ପ୍ରକୃତ Reminiscences, ଓଡ଼ିଶାର Reminiscences !'' 

ନିର୍ମମ ସତ ପରି କଥାଗୁଡ଼ିକ ସେଇ ଶୀର୍ଣ୍ଣ ପାଣ୍ଡୁର ମୁଖରୁ ବାହାରି ଆସି ମୁଖରେ ଆମର ବାଜୁଥାଏ । ମନେ ହେଉଥାଏ, ଯେମିତି ଅଵା ଆମ ଆଗରେ କଥା କହୁଛି ସ୍ବୟଂ କୋଣାର୍କ ହଠାତ୍ ଜୀଵନ୍ୟାସ ପାଇ ଓ ଏଇ ସନ୍ଧ୍ୟାରେ ଆମ ସପକ୍ଷରେ ତା’ର ପୂର୍ଣ୍ଣ ଐଶ୍ଚର୍ଯ୍ୟରେ ଆଵିର୍ଭୂତ ହୋଇ ! 

“ଭାରତବର୍ଷ ଭିତରେ ଓଡ଼ିଶାକୁ ସ୍ବତନ୍ତ୍ର କରି ରଖିଛି ଏହି କୋଣାର୍କ, ରଖିଵ ଏଇ କୋଣାର୍କ। ଭରତର ଲାଙ୍ଗୁଡ଼ ହୋଇ ପଛରେ ଘୁଷୁରି ରହଵନି ଓଡ଼ିଶା । ସେ ଭାରତର ହେଵ ଅଗ୍ରଣୀ । ଏଇ କୋଣାର୍କର ଵଂଶଧର ଦୁଇକୋଟି ଓଡ଼ିଆ ହେଵେ ଭାରତର ଅଗ୍ରଣୀ !”

 ଦେହସାରା ଆମର ଶୀତେଇ ଉଠିଲା, ରୋମ ଉଠିଲା ଟାଙ୍କୁରି । ଅଜାଣତରେ ଆଖି ଆମର ଲୁହ ଛଳଛଳ ହୋଇପଡ଼ଲା । ନିର୍ଵେଦ ନିଷ୍ପନ୍ଦ ଅପଲକ ଆଖିରେ ଚାହିଁରହଲୁଁ ଆମ ସମକ୍ଷରେ ଆସୀନ ସେଇ ଜୀଵନ୍ତ କୋଣାର୍କର ଵିଗ୍ରହକୁ । ସେଇ ଵିଗ୍ରହର 'ମୁଖରୁ ହିଁ ଶୁଣିପାରିଲୁଁ ଦୁଇ କୋଟି ଓଡିଶାଵାସୀଙ୍କ ମୁଖର ଭାଷା ! ପ୍ରାଣର ଵାଣୀ !

© ଶ୍ରୀ କାଳନ୍ଦୀ ଚରଣ ପାଣିଗ୍ରାହୀ
               🔴———×———🔴

Friday, September 3, 2021

ତିଗିରିଆ ଗଡ଼ (କୁମ୍ଭାରଚକ)




ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ । ଏଇ ଦ୍ବାଦଶୀ ବେଳକୁ ସଙ୍ଗୀତ #ପିଲାଦଳ (ଆଖଡ଼ାପିଲା) ତିଗିରିଆ ଆସନ୍ତି। ଦଦାଙ୍କ ଦାଣ୍ଡ ଚଉପାଢ଼ୀରେ କେତେଦିନ ଧରି ନିତି ସଞ୍ଜରେ ନାଚ ହୁଏ । ତିଗିରିଆଗଡ଼ର #ଭାଇପୁଅ_ସାଆନ୍ତଙ୍କ ଭିତରୁ ଜଣେ (ତାଙ୍କୁ ନଣ୍ଡା ସାଆନ୍ତେ ବୋଲି ଡାକନ୍ତି) ବେହେଲା ବଜାଇ ଜାଣିଥିଲେ । ତିଗିରିଆରେ ତାଙ୍କର ବଡ଼ ଆଦର । ମୁଁ ଟିକିଏ ଟିକିଏ ଗୀତ ଗାଏଁ ବୋଲି ସେ ମୋତେ #ସୁଖ_ପାଉଥିଲେ । ତିଗିରିଆକୁ ଗଲାବେଳେ ତାଙ୍କ ଘରକୁ ଯିଵା ଓ ତାଙ୍କ ବେହେଲା ବଜା ସାଙ୍ଗରେ ଗୀତ ଗାଇଵାଟା ମୋର ଥିଲା ଗୋଟାଏ ବଡ଼ ଆକର୍ଷଣ । ଥରେ ଦଦାଙ୍କ ଚଉପାଢ଼ୀରେ ସଙ୍ଗୀତ ପିଲାଏ ଗାଉଥିଲେ...

“କେହୁ ଜାଣିବରେ ଯୁବତୀ ମନ ?
ମାର ଶରେ ପିଣ୍ଡ ହୁଏ ଖଣ୍ଡ ଖଣ୍ଡ
ନିତି ଦକଦକ ହୁଏ ମୋ ଛାତି । ”

ଗୀତଟି ମୋତେ ସୁଖ ଲାଗିଲା । ଶୁଣି ଶୁଣି ଏଇ ଦି ଧାଡ଼ି ଓ ତାର ସ୍ଵର ମନେ ରଖୁଛି । ମାତ୍ର ତାଙ୍କ ଗାଇବାରୁ ‘‘ନିତି ଦକଦକ ହୁଏ ମୋ ଛାତି’ - ଏଇ ପଦକ ମୋତେ ଶୁଣାଗଲା ‘‘ନିତି #ଜକଜକ ହୁଏ ମୋ ଛାତି ।’’ ଶୁଣିକରି ଗୀତ ମନେ ରଖିଛି- ଏଇ ଗର୍ଵରେ ଛାତି ଫୁଲି  ଉଠୁଥାଏ । ଦେଖାଇ ହେଵାପାଇଁ ଚରତର ହୋଇ ନଣ୍ଡା ସାଆନ୍ତଙ୍କ ଘରକୁ ଧାଇଁଲି । ତାଙ୍କୁ ଗୀତଟି ଶୁଣାଇଵାରେ ସେ ଠୋ ଠୋ ହୋଇ ହସିଲେ । ସେ କହିଲେ ‘ଜକଜକ’ କଅଣ ? ସେଇଟା ‘ଦକଦକ’ । ଛାତି #ଦକଦକ ହୁଏ ସିନା, ଜକ ଜକ କେମିତି ହେଵ ?

ମୋ ଗର୍ଵ ଚୂନା ହୋଇଗଲା ଏକାଥରେ । ସାହିତ୍ୟଜ୍ଞାନ ଓ ଲେଖାଲେଖି-ସବୁ ଟାଣ ଦମ୍ଭ ଆଖି ପିଛୁଳାକେ ଉଭାଇଗଲା । ସତରେ ଦଇବ କାହାରି ଗରଵ ସହେ ନାହିଁ । ଗୀତ ଅର୍ଥ ଭିତରକୁ ଟିକିଏ ପଶିଥିଲେ ତ ହୋଇ ଥାଆନ୍ତା ! ସେଦିନ ଆଉ ମନରେ #ସରାଗ ନ ଥାଏ ।

ଶୁଖିଲା ମୁହଁରେ ଦଦାଙ୍କ ଘରକୁ ଆସିଲି । ସଞ୍ଜବେଳେ ପୁଣି ନାଚ ହେଲା । ନଣ୍ଡା ସାଆନ୍ତେ ଆସି ଥାଆନ୍ତି । ସଙ୍ଗୀତ ପିଲା ଗାଇଲା...

“ଶ୍ରୀମତୀ, ସରାଗ ତୋ ମୁଖେ ନାହିଁ
ପରାଗ ମୁଞ୍ଚିଲା ପଙ୍କଜ ପରାଏ
ଦିଶୁଅଛୁ ନାହିଁ ପାଇଁ । ”

ଆଗରୁ ତ ମନ ମଉଳି ଯାଇଥିଲା । ମନେହେଲା ଏ ଗୀତ ପଦକ, ଯେମିତି ମୋରି ପାଇଁ କିଏ ଗାଇଲା । କାରଣ, ସତରେ ସେଦିନ ‘ସରାଗ ମୋ ମୁଖେ ନାହିଁ।’
“ଚୋର ମାଆ ଲାଜେ ନ କାନ୍ଦେ, ଯେବେ କାନ୍ଦେ, ତେବେ ଦୁଆର ଦେଇ” - ସତ ଏ କଥା । ସେଇଭଳି ହେଲା ମୋ ଦଶା । ନଣ୍ଡା ସାଆନ୍ତଙ୍କ ମୁହଁକୁ ଆଉ #ତକାଇ ପାରିଲି ନାହିଁ । ସେଦିନ ରାତିଟା ବଡ଼ #ବିତାପର ହୋଇ କଟିଲା । ସେତେବେଳେ ତିଗିରିଆ ଗଡ଼ ଦାଣ୍ଡ ଗୋଟାଏ #ଗୋହିରୀ ଭଳି ହୋଇଥାଏ । ଖାଲ ଢ଼ିପ ରାସ୍ତା । ବଡ଼ ଅପରିଷ୍କାର ମଧ୍ୟ । ଗଡ଼ଟି ସେମିତି ବଡ଼ ନୁହେଁ । ଗଡ଼ ମୁଣ୍ଡରେ ଜେଲଖାନା । ଜେଲଖାନା ବୋଇଲେ ଝାଟିମାଟି ବାଡ଼ ଘେରା ବଡ଼ ବାଡ଼ିଟିଏ । ଗୋଟିଏ କଡ଼ରେ #କେଇ ବଖରା #ନାଆଚାଳିଆ ଘର । କାଠ ରେଲିଂ ଦିଅଆ ସଦର ଫାଟକ ବାଟେ ଭିତରୁ ସବୁ ଦିଶୁଥାଏ । ଶୁଣିଲି, ଜାତି ମାରା ହେଵ ବୋଲି କଇଦିଆଳମାନେ ତାଙ୍କ ହାତରେ ରାନ୍ଧିବାଢ଼ି ଖାଆନ୍ତି | ଘରୁ ତାଙ୍କର ଡାଲି, ଚାଉଳ ବି ଯାଏ । ଘରେ ପିଲାଙ୍କ ବାହା ଵ୍ରତ ପଡ଼ିଲେ କିଛିଦିନ ଜେଲରୁ ଛୁଟି ନେଇ #ଯାଆସ କରିପାରନ୍ତି । ଜେଲଖାନା ସେପଟେ ବୁଦୁବୁଦୁକିଆ #ନଟା। ଗଡ଼ୁଆଙ୍କର #ବାଡ଼ିତାଟି (ପାଇଖାନା) ସେଇଟା । ସଞ୍ଜ ଆଗରୁ ଦିନେ ଦିନେ ମୁଁ ଦଦାଙ୍କ ଘର ପଡ଼ିଶା ତାଙ୍କ କୁଟୁମ୍ବ ନାଥ ଦଦାଙ୍କ ସାଙ୍ଗରେ ସେଇ ନଟାକୁ ଯାଇ ବଡ଼ ପାଟିରେ ଗୀତ ଗାଏଁ, ତା ସାଙ୍ଗରେ କଣ୍ଟାଇ କୋଳି ତୋଳାଟା ଗୋଟାଏ ବଡ଼ ମଉଜ ।



ତିଗିରିଆ ରଜାଙ୍କ ପାଖ ଲୋକ ଜଣେ ଅଧେ କେହି ମୋ ଗୀତ ଶୁଣି ରଜାଙ୍କୁ ଜଣାଇଲେ । ସେ ଦଦାଙ୍କ ହାତରେ ମୋତେ ଡକାଇଲେ, ଦେଖିଵାକୁ । ବାହାର ଲୋକଙ୍କ ଆଗେ ମୋର ଫୁର୍ତ୍ତି, ଫାଜିଲାମି ଢ଼େର, ମାତ୍ର ନିଜର ବନ୍ଧୁ-ବାନ୍ଧଵ ମୁରବୀଙ୍କ ଆଗରେ ସଳଖି ଠିଆହେଵା ବେଳକୁ ଦେହରୁ ଅଧେ ରକ୍ତ ଶୁଖିଯାଏ । ଦଦାଙ୍କ ଡାକରା ଶୁଣି ନ ଯିଵାକୁ ତ ଚାରା ନ ଥିଲା । ଗଲି #ଚନ୍ଦନଯାତ_ଚୋର ଭଳି ଗୋଟାଏ କଣରେ ଠିଆ ହେଲି । ଦଦା କହିଲେ- ରଜା ତୋତେ ଡାକିଛନ୍ତି ।

ରାତିକି ପୁରାଣ ପଢ଼ାବେଳେ ଵୈଠକକୁ ଯିବୁ । ଯିବୁ ଯେ ବନମାଳି ଚମ୍ପତି ସିଂହେ, ତମ ବଡ଼ାମ୍ବା ରାଜା ଵିଶ୍ବମ୍ବର ମଙ୍ଗରାଜଙ୍କ ପରି ନୁହନ୍ତି । ନିହାତି ମରହଟିଆ, ବଡ଼ #ଖୁଣୁଖୁଣିଆ_ଲୋକ । #କୁଞ୍ଚ_ଘୋଷାରି_ଲୁଗା_ପିନ୍ଧିଲେ ନାକ ଟେକନ୍ତି ସେ । ଜଗିରଖି ବସ ଉଠ କରିବୁ । ମୋ ସାଙ୍ଗରେ ଯିବୁ । ମୁଣ୍ଡ ନୁଆଁଇ ଜୁହାର କରିବୁ ରଜାଙ୍କୁ । ତୁନି ହୋଇ ଶୁଣିଗଲି ସବୁ । ବଡ଼ମ୍ବା ରାଜାଙ୍କ ପାଖରେ ତ ମୁଁ ଘର ପରି ଚଳି ଆସିଛି । ମୁଁ ଜାଣେ ରାଜା କହିଲେ ସେହିଭଳି ମଣିଷ । ଏତେ କାଇଦା କଟକଣା ଥିଵାର ମୁଁ ଜାଣେ ନାହିଁ । ମନ ହେଉ ନ ଥାଏ ତିଗିରିଆ ରାଜାଙ୍କ ପାଖକୁ ଯିଵାପାଇଁ- ଏଇସବୁ ଗୁଣ ତାଙ୍କର ଶୁଣି । ଦଦାଙ୍କୁ ପଚାରିଲି ମୋତେ କାହିଁକି ଡାକିଛନ୍ତି ? ମୁଁ କାହିଁକି ଯିବି ? ଦାଦା କହିଲେ- କିଏ ପାଖଲୋକ ତାଙ୍କୁ କହିଛି, ତୁ ପରା କୁଆଡ଼େ ଭଲ ଗୀତ ଗାଇ ଜାଣିଛୁ । ରାଜା ତୋ ଗୀତ ଶୁଣିଵା ପାଇଁ ତୋତେ ଡାକିଛନ୍ତି ।

କାଇଁ ମୁଁ ତ କୋଉଦିନ ତୁ ଗୀତ ଗାଇଵାର ଶୁଣିନାଇଁ । ଚାଲ, ଯାହା ମନ ହେଵ ଗୋଟାଏ ଗୀତ ଗାଇଦେବୁ । ସେ ତ ଟିକିଏ #ଭକ୍ତିଆଂଶିଆ_ଲୋକ । ନିତି ତାଙ୍କର ହବିଷ । ଅଗାଧୁଆରେ ଉଷୁନା କୂଅ ଦଉଡ଼ି, ଗାଧୁଆରେ #ଉଆ କୂଅ ଦଉଡି଼ । ଗାଧୋଇସାରି ଜଗନ୍ନାଥଙ୍କ ଦେଉଳରେ ଗରୁଡ଼ ପଛରେ ହାତଯୋଡ଼ି ଦୁଇ ଘଣ୍ଟା ଚାରିଘଣ୍ଟା ଠିଆ ହୁଅନ୍ତି । ଛାନ୍ଦ, ଜଣାଣରେ ଲାଗି ସରାଗ ତାଙ୍କର । ତୁ ଏଇ ସବୁ ଜାଣିଥିଲେ ଗୋଟାଏ ଗାଇଦେବୁ । ବୁଢ଼ା ଖୁସି ହେଇଯିଵେ।

ସଞ୍ଜବେଳେ ଗଲି, କୁଞ୍ଚକୁ ଖୋସି, କାନ୍ଧରେ ଚାଦର ପକାଇ, ମୁଣ୍ଡକୁ ଆଣ୍ଠୁଯାଏ ନୁଆଁଇ ଜୁହାରଟାଏ କଲି । ଛାମୁଙ୍କ କଜଳମଖା ଆଖି ଦିଇଟା ମୋ ଉପରେ ଘଡ଼ିଏ ନିଶ୍ଚଳ ହୋଇ ରହି, ଦଦାଙ୍କ ଆଡ଼େ ଫେରିଲା । ହସ ହସ ମୁହଁରେ #ଆଜ୍ଞା_ହେଲେ-  #ପନ୍ନାହାକେ, ଏଇ ତମ ପୁତୁରା ? ବଡ଼ାତ୍ମା ନିମାଇଁ #ପନ୍ନହାକଙ୍କ ନାତି ପରା ? ଦଦା - ‘ମଣିମା ।’
  ରାଜା- ‘ହଁ ଚାଟ ଘର ପୁଅ ଚାଟ । ଦେଖ ତାଙ୍କ ଭଦ୍ରପଣିଆଁ । ଲୁଗାପିନ୍ଧା ଦେଖ, ଜୁହାରିଵା ଦେଖ । ରାଜଦ୍ବାରରେ ଚଳି ଆସିଛନ୍ତି ତ ପୁରୁଷାନୁକ୍ରମେ । ପିଲା ହେଲେ କଅଣ ହେଵ ?’
 
ସେଇଠୁ ମତେ କହିଲେ ହଉ, ବସ ବସ ଟିକି ପନ୍ନାହାକେ । ମୁଁ ନ ବସି ଠିଆ ହୋଇ ରହିଲାରୁ ଜଣେ ଅଧେ କିଏ #ଛାମୁଆଁ କହିଲେ- ‘ବସ ବାପା ! ଛାମୁରୁ ତ #ଶ୍ରୀମୁଖ_ଆଜ୍ଞା_ହେଲାଣି, ଆଉ କଅଣ ? ବସ ।'

ଦଦା କହିଲେ ବସିଵାକୁ । ଏଥର #ଚକାମାଲି ପକାଇ ବସିଲି । ପାଦ ନ ଦିଶିଵାକୁ ସାବଧାନ ଥିଲି ମଧ୍ୟ । ରାଜା ଚମ୍ପତ୍ତି ସିଂହଙ୍କୁ ମୁଁ ଖାଲି କଣେଇ କଣେଇ ଚାହୁଁଥାଏ- ସେ ହଳଦୀ ଲଗାଇଛନ୍ତି, କଜଳ ଘେନିଛନ୍ତି, ବାହୁରେ ବାହୁଟି, ସୁନାଖଡ଼ୁ ପିନ୍ଧିଛନ୍ତି । କଳାମନ୍ଦାର ଧଡ଼ିଆ ନୂଆ #ପାଟଣିଆ କି #ମାଣିଆବନ୍ଧୀ ଧୋତି । ଗଳାରେ ସୁନାହାର ଗୋଟି କେତେ ଝୁଲୁଛି ! ପୁରାଣପାଠ ପାଇଁ ଵ୍ୟାସାସନରେ ପୋଥି, #ପିଲିସଜ, ପାଣିଝରି ଓ ଅଁଳାଇ ଫୁଲ ସଜଡ଼ା ହୋଇ ରହିଛି । #ଦରହସି ରଜା ଆଜ୍ଞା ହେଲେ- ‘ଆଗ ଟିକି ପନ୍ନାହକ ଙ୍କଠଉଁ ଜଣାଣଟିଏ ଶୁଣିଵା । ଆମେ ଶୁଣିଛୁ ସେ କୁଆଡ଼େ ଭଲ ଗାଇ ଜାଣୁଛନ୍ତି ।’ ମୁଁ କୁନ୍ଥୁ କୁନ୍ଥୁ ହୋଇ କହିଲି ‘ମଣିମା, ମୋତେ କି ଗୀତ ଆସେ ? ଛାମୁଙ୍କୁ ପୁଣି ମୁଁ ଗୀତ ଶୁଣାଇବି ?’ ରାଜା କହିଲେ - ଜଣାଣଟିଏ ତ ଶୁଣିଵା; ବାଳୁତ କଣ୍ଠ ମଧୁର ହୋଇଥଵ । ଭଲମନ୍ଦ ଵିଚାର ସେଠେଇ କଅଣ ? ଭଜନ, ଜଣାଣ ସବୁ ତ ସେଇ ଜଗନ୍ନାଥଙ୍କ କଥା । ତୁଳସୀ ପତ୍ରରେ ସାନ ବଡ଼ ଵିଚାର କି ଥାଏ ? ଯାହା ଗାଇଵ ସେ ଅମୃତ । ସବୁ ତ ମୁଣ୍ଡ ଉପରର ଦରଵ ।” ଏହା କହି ମଥା ଉପରକୁ ହାତ ତୋଳିଲେ । ଛାମୁଆଁ ଦି ଚାରିଟା ସତେ ଯେମିତି #ଟାକି ବସିଥିଲେ । ଆଖି ପିଛୁଳାକର #ଉଛୁର ସହିଲା ନାହିଁ । ସଙ୍ଗେ ସଙ୍ଗେ ଆପଣା ହାତ ଉପରକୁ ଟେକି କହିଲେ - ‘ଆହା ହା । ନାହିଁ ନ ଥିଲା ଭଗତ । ଗାଆ, ଗାଆ, ବୋଲ ବାବୁ । କାନରେ କୃଷ୍ଣନାମ ଅମୃତ ବରଷୁ ।’ ଏଥିପୂର୍ଵେ
ଏଭଳି ଅପୂର୍ଵ ଅଭିନୟ କେବେ ଦେଖି ନ ଥୁଲି । କଅଣ ଏବେ ପାଇବି ? ମାଆ ଚର୍ଚ୍ଚିକାକୁ ମନେ ମନେ ସୁମରି ହେଲି । ଯୋଗକୁ ସେତେବେଳକୁ ବଡ଼ମ୍ବା ଉଆସ କଥା ହେତୁ ହୋଇଗଲା ।

ଵାସୁଦେଵ ମହାପାତ୍ରେ ଗ୍ରାମଫୋନ୍ ରେକଡ଼ରେ ଗାଇଥାନ୍ତି -

“ରାଧାକାନ୍ତ ରାଧାମୋହନ ଗୋଵିନ୍ଦ !
ଲବେ ଦୟା ନାହିଁକି ?”

ଗାଇଲି ସେ ଗୀତଟି । ପହିଲି ଧାଡ଼ି ଵା ଘୋଷା ପଦକ ବୋଲିଵା ପରେ ରାଜା ଚମ୍ପତି ସିଂହେ ଆଉ ଆଖି ମେଲାଇ ନାହାନ୍ତି । ଥରକୁ ଥର ମୁଣ୍ଡରେ #ଯୋଡ଼ହାତ ଲଗାଇ ଆହା ହା କହିଵାରେ ଲାଗିଲେ । ଏଣେ ଆଖି ପାଣିରେ କଜଳ ଧୋଇ ହୋଇଗଲା । ଗାଲରେ #ଗିରା ପଡ଼ିଗଲା ପରି ଦିଶିଲା । ଗୀତ ସରିଲା, ହେଲେ ତାଙ୍କର ଆଖି ଫିଟି ନ ଥାଏ । ଜଣେ ଶ୍ରୀଅଙ୍ଗ-ଲଗା ପାଖ ଲୋକ ତରବର ହୋଇ #ପୋଛା ଖଣ୍ଡିଏ ଧରି ତାଙ୍କ କଡ଼ପଟେ ଠିଆ ହୋଇଗଲା । ଛାମୁଙ୍କ ଆଖି ଫିଟିଲା ବେଳକୁ ନାଲି ଦିଶୁଥାଏ । ପାଖଲୋକ ଯାଇ ପୋଛିଦେଲା ପୋଛାରେ ।

ଛାମୁରୁ କହି ଆଜ୍ଞା କଲେ କି - ଆଜି ଆମର କି ଯୋଗରେ ରାତି ପାହିଁଥିଲା ! କାନରେ ଅମୃତ ଵର୍ଷା ହେଲା । ଯୋଉ ଗୀତରେ କୃଷ୍ଣରସ ନାଇଁ, ସେ କଅଣ ଗୀତ ? ସେ ଗୁଡ଼ାକ ପୀତ । ବାବୁତ କଣ୍ଠରେ କୃଷ୍ଣରସ - ରସାଵଳୀପରି ଲାଗିଲା, ଦିଆନବାବୁ ! ଏ ଟିକି ପନ୍ନାହକେ କେତେଦିନ ହେଲା ଆଇଲେଣି ତମ ଘରକୁ ? ଆମକୁ ଟିକିଏ ଖବର ଦେଇନାହଁ ଏଯାଏଁ ? କେବେ ଯିବେ ?”

ଦଦା କହିଲେ – “ସେ ତ ଚର୍ଚ୍ଚିକା ସ୍କୁଲରେ ପଢୁଛି । ଛୁଟିରେ ଆସିଛି, ତାଙ୍କ ସ୍କୁଲ ଫିଟିଵ, ସେ କାଲି ଯିଵ । ”

ରାଜା ଟିକିଏ ଦୁଃଖ କଲେ, କହିଲେ - ‘ତେବେ ଆମ ଜଗନ୍ନାଥଙ୍କ ଧୂପ ଉଠିଲେ ଉପରଓଳିଆ ହୋଇ ଯିଵେ । ହାତୀ ଯିଵ ଛାଡ଼ିଦେଇ ଆସିଵ । ବାଟ କେତେ କି ? ତିନି ଚାରିକୋଶ ହେଵ । ମଝିରେ ମହାନଦୀଟା ସିନା । ସକାଳେ ଆମ ଦେଵାର୍ଚ୍ଚନ ବେଳକୁ ଦେଉଳକୁ ଆସିଵେ, ଜଗନ୍ନାଥଙ୍କ ଶ୍ରୀଛାମୁରେ ଭଜନଟିଏ ଶୁଣାଇ ଦେଇଯିଵେ ।' ଛାମୁଆଁମାନେ ହଁ ମାରିଲେ, ପୁଣି ପୂର୍ଵପରି ଅଣ୍ଟା ନୁଆଁଇ ଜୁହାର କରି ଵିଦାୟ ନେଲି । ଦଦା ଭାରି ଖୁସି, ଘରକୁ ଆସି ଖୁଡ଼ୀମାନଙ୍କ ଆଗରେ ପ୍ରଶଂସା ଶଗଡ଼ ଅଜାଡ଼ି ପକାଇଲେ । ଗଡ଼ ବୋଇଲେ ତ ଚାଖଣ୍ଡେ । ସେଥିରେ ପୁଣି ରାଜାଘର ଖବର ! ସକାଳୁ ଘରେ ଘରେ ରାଷ୍ଟ୍ର ହୋଇଗଲା । ଦଦାଙ୍କ ଘରେ ସେମାନେ ଚାରି ପାଞ୍ଚ ଭାଇ କୁଟୁମ୍ବ । ବଡ଼ ଦଦାଙ୍କ #ତଳିଭାଇ ଜୟକୃଷ୍ଣ ପଟ୍ଟନାୟକେ । ତାଙ୍କ ଝିଅ ଆସନ (ଅସଲ ନାଆଁ ଆଶାମାଳୀ) ସବୁଠାରୁ ମୋତେ ବେଶୀ ସୁଖ ପାଏ । ମୁଁ ବି ତାକୁ ଭାରି ଆଦର କରେ । ଵୟସରେ ମୋଠୁଁ ତିନିବର୍ଷ ସାନ ସେ । ଆମ ଭାଇଭଉଣୀଙ୍କର ମନ ଭାରି ମିଳେ । ସେ ରଜାଘର ଖବର ଶୁଣି ଆଗ ଦଉଡି଼ ଆସି ନନା, ରଜା କଅଣ କହିଲେ ତୁମକୁ ? ତମେ କି ଗୀତ ଗାଇଲ, ଗାଆ ମୁଁ ଶୁଣିବି ଇତ୍ୟାଦି ନାନା ଅଳି ଧରି ବସିଲା । ଲାଜ ଲାଗୁଥାଏ । ସେଠି ସିନା ଗାଇ ଦେଲି, ଏବେ ଘରେ ସମସ୍ତେ ଅଛନ୍ତି - ଭଲା ଏଠି ଗାଇବି କେମିତି ?

ଯୋଗକୁ ଦଦା ଡାକି କହିଲେ, “ବେଗେ ଗାଧୋଇ ପଡ଼, ଦେଉଳକୁ ଯିବୁ। ଛାମୁ ଯେ ଵିଜେ ହୋଇ ପଡ଼ିଵେ, ତୁ ତାଙ୍କ ଆଗରୁ ଦେଉଳରେ ପହଞ୍ଚିବୁ ।’’

ଓ ! ରକ୍ଷା ମିଳିଗଲା ।

ଗାଧୋଇ ପଡ଼ି ଦେଉଳକୁ ବାହାରିଲି ଦଦାଙ୍କ ସଙ୍ଗେ । ସେ ନଅରକୁ ଯିଵେ, ମୁଁ ଦେଉଳକୁ ଯିବି । ନଅର ପାଖଟାରେ ଦେଉଳ । ଆମେ ସିଂହଦ୍ଵାରେ ପହଞ୍ଚିଲା ବେଳକୁ ନଅର ଭିତରୁ କାହାଳି ଶୁଭିଲା । ରାଜା ଦେଉଳକୁ ଵିଜେ ହେଉଛନ୍ତି । ନଅର #ବୋଲନ୍ତେ- ମାଟିଘର । ଭିତରେ କେଜାଣି ଅଵା କୋଠାଘର ଥିଲେ ଥିଵ, ବାହାରଟା #ମଉଡ଼ମରା ଚାଳ । #ଘୋଷରା_ପାହାଚ, ପାହାଚକୁ ଟିକିଏ ଦୂରଛଡ଼ା ହୋଇ କେତେକ ଲୋକ ଧାଡ଼ି ହୋଇ ଠିଆ ହୋଇଥିଲେ । ସମସ୍ତେ ସାଵଧାନ ହୋଇଗଲେ ।  ଏମାନେ କିଏ ବୋଲି ପଚାରି ବୁଝିଲି । ଶୁଣିଲି, ଏମାନେ ଗୁହାରିଆ, କାହାର କଅଣ #ଓଜର ଆପତ୍ତି ରାଜାଙ୍କ ଛାମୁରେ ଜଣା କରିଵାକୁ ଆସିଛନ୍ତି । ଦେଉଳକୁ ଯାଉ ଯାଉ ଏଇଟା ହେଲା କଚେରୀ ଵା ଵିଚାରାଳୟ । ଗୁହାରି ତୁଣ୍ଡେ ତୁଣ୍ଡେ- କୋଟଫିସ ଲାଗୁନାହିଁ, କଚେରୀକୁ ଦଉଡ଼ ପଡୁନାହିଁ, ଫଏସଲା ବି ତୁରନ୍ତ । ଜରିମାନା ଚାରିଅଣାଠାରୁ #ପାଞ୍ଚସିଉକା ପର୍ଯ୍ୟନ୍ତ । ଜଣେ କେହି ରାଜକର୍ମଚାରୀ ଟିପିନେଲେ । ଏହି ଅର୍ଥ ରାଜକୋଷକୁ ଯିଵନାହିଁ, ସବୁ ଜଗନ୍ନାଥଙ୍କ ଅମୃତ ମଣୋହିଁ ସେଵାରେ ଲାଗୁହେଵ । ପ୍ରଜା ସନ୍ତୋଷ-ରଜା ସନ୍ତୋଷ। ଭାବୁଛି, କାହିଁ ସେ ରଜା - କାହିଁ ସେ ପ୍ରଜା ! କାହିଁ ସେ ଵିଚାର ! କାହିଁ ସେ ଫଏସଲା ।

ଛାମୁଙ୍କୁ ଜୁହାର କରି ପଛେ ପଛେ ଦେଉଳକୁ ଛାମୁ ଗହଣରେ ଗଲି । ଦେଉଳବେଢ଼ା କୂଅର ଉଆ ଦଉଡିରେ ପାଣି କଢ଼ା ହୋଇ ଛାମୁଙ୍କ ପାଦ ଧୋ- ପୋଛ ହେଲା । ମୁଁ ମଧ୍ୟ ହାତଗୋଡ଼ ଧୋଇଲି । ରାଜାଙ୍କ ଦେଖାଦେଖି ଗରୁଡ଼ସ୍ତମ୍ଭ ପଛରେ ହାତଯୋଡ଼ି ଆଖି ମୁଦିଲି । ରାଜା ସ୍ତୋତ୍ର ପାଠକଲେ- ‘‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁଂ’’ ଇତ୍ୟାଦି । ବାକି ଶ୍ଲୋକ ମୋର ମନେ ରହିଲା ନାହିଁ । ମୁଁ ହାତଯୋଡ଼ି ଠିଆ ହୋଇଥାଏ । ବଡ଼ #ବିଜାର ଲାଗୁଥାଏ ମୋତେ, ହେଲେ ନିରୁପାୟ । କେତେବେଳେକେ ମୋ ପାଳି ପଡ଼ିଲା - ଆଦେଶ ପାଇ ଗାଇଲି

“କୃପାସିନ୍ଧୁ ଵଦନ
କରି ଅଵଲୋକନ
କେଉଁ କରମହୀନ ଜନ”
...

ମୋ ଗୁରୁଦେଵଙ୍କ ଠାରୁ ଶିକ୍ଷା ପାଇଥିଵା ଜଣାଣରୁ ଯେତିକି ମନେଥିଲା ମୋର, ତାକୁ ଗାଇ ମନେ ମନେ ପୂଜ୍ୟ ରଘୁବାବୁଙ୍କୁ କୃତଜ୍ଞତାର ପ୍ରଣାମ ଜଣାଇଲି । ଗତ ରାତ୍ରିର ରାଜ ଅଭିନୟର ପୁନରାଵୃତ୍ତି ହେଲା । ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆମାରି ଘରକୁ ଫେରିଵାର ମୁଣ୍ଡହଲା ନିର୍ଦ୍ଦେଶ ପାଇ ନିସ୍ତାର ପାଇଲି । ମନଟା କିନ୍ତୁ ଭାବିହେଲା ରଜାଙ୍କ ଆଖୁଝରା ଲୁହ କଥା । ମୁଁ ମନେ ମନେ ତାଙ୍କୁ ଯାହା ନାପସନ୍ଦ କରୁଥିଲି, ସେଇ କଥାଟା କେମିତି ବାଧିଲା ମୋତେ ଵିଵେକ ଆଘାତ ପାଇ । କେଡ଼େ ସରଳ ସେ ! କି ନିଷ୍ଠା ତାଙ୍କର ! ରାଜ ଅଭିମାନ ସେଠି କାହିଁ ? ଦଦାଙ୍କ ଘରକୁ ଆସି ଦେଖିଲି ଗୋଟିଏ ରୂପା ଥାଳିରେ ରଙ୍ଗପାଟ ଯୋଡ଼ଟିଏ ଆଉ ନଗଦ ଦଶଟଙ୍କା ଥୁଆ ହୋଇଛି ।





ସବା ଆଗେ ଆସନ ଦଉଡି଼ ଆସି ମୋତେ ଖବର ଦେଲା - ରଜାଘରୁ ତମପାଇଁ #ଵିଦାକି ଆସିଛି ନନା । ମୋଠୁ ତାର ଖୁସି ବେଶି । ଦଦା ଓ ଖୁଡ଼ିମାନେ ଭାରି ଆନନ୍ଦ ହେଲେ । ଦିନ ବାରଟା ଗୋଟାକ ବେଳକୁ ଦିଅଁଙ୍କ ଭୋଗ ଖିରୀ-ଖେଚେଡ଼ୀ ଦଶ ପନ୍ଦର ଜଣ ଖାଇଲା ଭଳି ଆସି ପହଞ୍ଚିଲା I କ୍ରମେ ଦିନ ପ୍ରାୟ ଢଳି ଆସିଲା । ଅମାରି କଶି #ହାତୀଆଲ ହାତୀରେ ଆସି ଦଦାଙ୍କ ଦୁଆରେ ହାଜର । ଯିବାବେଳ ହେଲା ।

ଆସନର ଛଳ ଛଳ ଆଖି ଦିଓଟି ସଙ୍ଗରେ ଅଧାଭଙ୍ଗା ଗଳାରୁ- ‘ନନା ! ଆଉ କେବେ ଆସିଵ ?”

ପ୍ରଶ୍ନର ଉତ୍ତରରେ ଆଖିପତା ତିନ୍ତାଇ କୋହ ଚିପି କୌଣସି ମତେ କହିଲି, ‘ଦଶହରା ଛୁଟିରେ ।’ ‘ନନା ! ମୋ ରାଣଟି - ନିଶ୍ଚେ ଆସିଵ', ଅମାନିଆଁ ଲୁହଧାର ଆଖି ପୂରାଇ ତଳକୁ ଝରି ପଡୁପଡ଼ୁ  ହାତୀରେ ବସି ଗାଆଁକୁ ଲେଉଟିଲି ମୁଁ ।

ଜୀବନରେ ଛୋଟ ବଡ଼ କେତେ ଘଟଣା ଘଟେ, ହେଲେ ସଭିଏଁ ଛାତିରେ ଅଲିଭା-ଗିରା ମାରିଦେଇ ପାରନ୍ତି ନାହିଁ । ଏ ଘଟଣାଟି କିନ୍ତୁ ଅଭୁଲା ହୋଇ ରହିଯାଇଛି ଆଜି ଯାକେ-କେମିତି ଆଉ କାହିଁକି କେଜାଣି ? ଆସୁ-ଆସୁ ବାଟରେ କେତେ ଆମ୍ବତୋଟା, ଗାଆଁଗଣ୍ଡା, କ୍ଷେତ କିଆରୀ, କୋଉଠି #କଜଳପାତି, କୋଉଠି #ଚଷାପୁଅ, #ହଳଦିଵସନ୍ତ, ଗାଆଁ ପିଲାଙ୍କ ଧୂଳିଖେଳ, ନାଳ କୂଳରେ ଗାଆଁ ଝିଅଵୋହୂଙ୍କ #ସଞ୍ଜଗାଧୁଆ, ପାଣିବୁହା- କେତେ କେତେ କଥା ଦେଖି ଯାଉଥାଏ । ସବୁ ଭିତରେ ଗୋଟିଏ ଭଙ୍ଗାଗଳା କେତେ ଆପଣାର କରି କହୁଥିଵାର ଶୁଣା ଯାଉଥାଏ  ମୋତେ- ନାନା, ମୋ ରାଣଟି ନିଶ୍ଚେ ଆସିଵ ।

କଥାରେ କହନ୍ତି- “ଏକା ମହାନଦୀ ସହସ୍ର କୋଶ” I ତାକୁ ପାରି ହେଲି ହାତୀରେ ବସି । ଗାଆଁ ମୁଣ୍ଡ ଧରିଲା ବେଳକୁ #ଫୁଲ_ସଞ୍ଜ । ମାଆଙ୍କ ଦେଉଳର ସଞ୍ଜ ଆଳତୀ ବେଳର ଯୋଡ଼ି ମହୁରୀ ଶୁଭୁଥାଏ । ତିନିକୋଶ ବାଟ ଆସିଲି, ହେଲେ ମୋ ଆଖି କାନ ପାଖରେ ଭଉଣୀଟିର ଲୁହଭରା ସେ କଳା ଭଅଁର ପରି ସରଳ ସୁଢ଼ଳ ଆଖି ଦିଓଟି ଆଉ ତାର ଭଙ୍ଗାଗଳାର ରାଣ-ନିୟମଦିଆ ଅନୁରୋଧ ବରାବର ଖେଳିଵାରେ ଲାଗିଥାଏ- ଠିକ୍ ଯେମିତି ବାଟଟା ତିନିକୋଶ ଦୂର ନୁହେଁ, ତିନିହାତ ବି ନୁହେଁ- ମାତ୍ର ତିନି ଆଙ୍ଗୁଳି ଛଡ଼ାରେ ।

ମୋ କଥା ମୁଁ ରଖିପାରି ନାହିଁ । ଏହି ଘଟଣାର ପ୍ରାୟ କୋଡ଼ିଏ ଵର୍ଷ ପରେ ଯେତେବେଳେ ଥରେ କାର୍ଯ୍ୟ ଉପଲକ୍ଷରେ ପୁଣି ଥରେ ତିଗିରିଆ ଗଲି, ସେତେବେଳକୁ ଦେଖିଲି ସବୁ ବଦଳି ଯାଇଛି । ଦଦା ମରିଗଲେଣି, ଇତି ମଧ୍ୟରେ ଭଉଣୀର ଵାହାଘର ସରି ହତଭାଗିନୀ ଵିଧଵା ହୋଇ ଯାଇଛି । ମୁଁ ବି କମ୍ ବଦଳି ନାହିଁ । “ବେଙ୍ଗ ବୋଲେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ” କଥା ପଦକ ସେଇଠି ମନେ ପଡ଼ି ଦୀର୍ଘ ନିଃଶ୍ବାସଟାଏ ଛାଏଁ ଛାଏଁ ବାହାରି ପଡ଼ିଲା, ଅମାନିଆ ଲୁହ ଆଖି କୋଣରେ ରାଜୁତି କଲା । କେତେ ଦଶହରା ଛୁଟି ଵିତିଗଲା । ମାତ୍ର ମୋର ବଚନଦିଆ ଦଶହରା ଛୁଟି ଜୀଵନରେ ଆଉ ଥରେ ଆସିଲା ନାହିଁ । ଗାଆଁରେ ଥିଲେ ଅଵା ସେଥର ନ ହୋଇ ଆଉ ଥରେ ସେ ଦଶହରା ଛୁଟି ଆସନ୍ତା । ମାତ୍ର ଚର୍ଚ୍ଚିକାସ୍କୁଲରେ ପାଠ ଶେଷକରି ମୁଁ ଗଲି ଖୋରଧା ହାଇସ୍କୁଲରେ ପଢ଼ିଵାକୁ । ତେଣୁ ମନକଥା ମନରେ ମଲା । “ଦାନ୍ତଗଲେ ଲୋକ ଦାନ୍ତର ମହତ ବୁଝେ” ।

                🔴———×———🔴
କାଳିଚରଣ ପଟ୍ଟନାୟକଙ୍କର ୧୯୭୫ରେ ପ୍ରକାଶିତ ଆତ୍ମଜୀଵନୀ #କୁମ୍ଭାରଚକ'ରୁ ପ୍ରୋକ୍ତ #ତିଗିରିଆ_ଗଡ଼ ଲେଖା ସଂଗୃହୀତ ‌ହୋଇଅଛି ।

            🔵—ଲେଖକ ପରିଚୟ —🔵
ନାଟ୍ୟାଚାର୍ଯ୍ୟ, କଵିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କୁ ଓଡ଼ିଶାରେ କିଏ ନ ଜାଣେ ?  ଓଡ଼ିଆ ଭାଷା ସାହିତ୍ୟର ଅସାଧାରଣ ସାଧକ ତଥା ଓଡ଼ିଆ ନାଟକର କିମ୍ବଦନ୍ତୀ ପୁରୁଷ କଵିଚନ୍ଦ୍ରଙ୍କ କୃତିତ୍ଵ ପ୍ରତ୍ୟେକ ଓଡ଼ିଆଙ୍କର ଗର୍ଵ ଗୌରଵ-ଗାଥା ।

ସେ ଥିଲେ– ଉତ୍କଳ ଦୀପିକା (୧୯୨୧) ଓ ମୁକୁର (୧୯୨୨)ର ସମ୍ପାଦକ, ୧୯୨୬ରେ ପ୍ରକାଶ ପାଉଥିଵା ଏକମାତ୍ର ସଙ୍ଗୀତ ସମ୍ବନ୍ଧୀୟ ମାସିକ ପତ୍ରିକାର ସମ୍ପାଦକ, ଅସାମାନ୍ୟ ନାଟ୍ୟକାର, କଵି, ସଙ୍ଗୀତଜ୍ଞ, ନୃତ୍ୟଵିଦ୍, ପ୍ରାବନ୍ଧିକ ତଥା ଅଭିନେତା, ଚଳଚ୍ଚିତ୍ର ଓ ମଞ୍ଚ ନିର୍ଦ୍ଦେଶକ, ଗାୟକ, ରଙ୍ଗମଞ୍ଚରେ ମହିଳାମାନଙ୍କୁ ଅଭିନୟ କରିଵାର ସର୍ଵପ୍ରଥମ ଉଦ୍ୟୋକ୍ତା ଓ ସୁଯୋଗଦାତା, କଲିକତା ରେଡିଓ ଷ୍ଟେସନର ସର୍ଵପ୍ରଥମ ଓଡିଆ କଣ୍ଠଶିଳ୍ପୀ, କଟକ ଆକାଶଵାଣୀ, ପ୍ରଥମ ରେକର୍ଡ କମ୍ପାନୀର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତା, ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ୍ଚିତ୍ର ଲଳିତା ଓ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ, କେନ୍ଦ୍ର ନାଟକ ଏକାଡ଼େମୀର ପ୍ରଥମ ଓଡ଼ିଆ ଫେଲୋ, ଓଡିଶା ଗବେଷଣା କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ତଥା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ।

୧୯୪୭ରେ ପଦ୍ମଶ୍ରୀ ଉପାଧି ପ୍ରତ୍ୟାଖାନ କରିଥିଵା ପ୍ରଥମ ଓଡି଼ଆ ଥିଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ(ଅଵଶ୍ୟ  ତାଙ୍କର କୁମ୍ଭାରଚକ ଆତ୍ମଜୀଵନୀରେ ଏହାର କାରଣ କେଉଁଠି ଲେଖାଥିଵା ମିଳେନାହିଁ) । ‘କୁମ୍ଭାରଚକ’ ଏହି ଯୋଗଜନ୍ମାଙ୍କ ପୁରସ୍କାର ପ୍ରାପ୍ତ ଆତ୍ମଜୀଵନୀ ପୁସ୍ତକ ।  ଏହା ଵ୍ୟତୀତ ସେ ପାଇଥିଲେ କବିଚନ୍ଦ୍ର ଉପାଧି (୧୯୨୭), ଉତ୍କଳ ସାହିତ୍ୟ ସମାଜର ନାଟ୍ୟାଚାର୍ଯ୍ୟ ଉପାଧି, ଓ ସମ୍ବଲପୁର ଵିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ଡକ୍ଟରେଟ୍ ଉପାଧି ।  ସଂକ୍ଷେପରେ କହିଵାକୁ ଗଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୀଵନୀ ଏକ ଗୀତ—କଵିତା—ସଂଗୀତ—ନୃତ୍ୟ—ଅଭିନୟ ଆଦି ସମସ୍ତ ପ୍ରକାରର କଳାର ମହାଯାତ୍ରା  ।
⚫⚫⚫⚫⚫⚫⚫⚫⚫⚫⚫⚫⚫
⚫⚫⚫⚫⚫⚫⚫⚫⚫⚫⚫⚫⚫