Monday, August 28, 2017

ଲାବଣ୍ୟବତୀ ର ଚିତ୍ରପଟ

ସିଂହଳଦେଶର ରାଜା ନିଜ ବିବାହଯୋଗ୍ୟା କନ୍ୟା ଲାବଣ୍ୟବତୀ ର ଚିତ୍ରପଟଟିଏ ପ୍ରସ୍ତୁତ କରାଇ ଜ୍ଞାନାନନ୍ଦ ନାମକ ସନ୍ୟାସୀ ହସ୍ତରେ
ଦେଶରୁ ଦେଶ ବୁଲାଇ ପ୍ରଦର୍ଶିତ କରାଇଲେ ।

ତାପରେ କଣ୍ ହେଲା କବି ତାହା ଏହିପରି ବର୍ଣ୍ଣନା କରିଛନ୍ତି.........
××××××××××××××××××××××××××××

“କୁନ୍ତଳ କୁନ୍ତଳବର୍ଣ୍ଣେ ସାରିଲେ ଦିନ ।
ମତ୍ସ୍ୟଜନ ମତ୍ସ୍ୟପୁରି ନିମିଷ ହୀନ ।।
ନିଷେଧେ ନିଷେଧି ଆନ ଲୋକନ କଲେ ।
ମାଳବରେ ମାଳା କରି ତାହା ଜପିଲେ ।।
ମଘରେ ମଘବାପଦ ପାଇଲା ପରି  ।
ବିଦେହ ବିଦେହଶରେ ହୋଇଲେ ଘାରି ।।
କନାଉଜ କନ୍ୟା ଉଜ ଶୁଭିଲା ବାଣୀ ।
ମରୁ ଦେଶ ମରୁ ରମ୍ଭା ଏମନ୍ତେ ଭଣି ।।
ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।
ଏହି ରମ୍ଭା ବୋଲି କଳି କଳିଙ୍ଗେ ହେଲେ ।।
ଧାତା ହଟ ଏହି ମରହଟ୍ଟ ବିଚାର ।
ସଉରାଷ୍ଟ୍ରେ ଭାଷି ସଉଦାମିନୀ ସ୍ଥିର ।।
ଚୋଳେ ନିଚୋଳ ଘୋଡାଇ ରଖିବା ଚିନ୍ତା ।
ଦ୍ରାବିଡେ଼ ନିବିଡେ଼ ଆଲିଙ୍ଗନେ ମମତା ।।
ଗୁଜୁରାତି ରାତିଦିନେ ଦେଖିବା ଇଛା ।
ବିଦର୍ଭରେ ଦଭହାସୀ ଦର୍ଶନ ବାଞ୍ଚା ।।
ଉତ୍କଳେ ଉତ୍କଳ ହୋଇ ବିରହ ଭାରୀ ।
ଗଉରିଏ ଗଉରବ ଗଉଡ଼େ କରି ।।
ନେପାଳେ କପାଳେ ଥିଲେ ପାଇବା ଭାବି ।
ମାଗଧେ ମାଗଧମୁଖେ ବର୍ଣ୍ଣାଇ ଛବି ।।
କୁଞ୍ଜ ଗଳେ ଗଳେ ବାନ୍ଧି ବୁଲିକା ସ୍ନେହୀ ।
ବଙ୍ଗାଳୀ ଗାଳି ଉପମାବଳୀକି ଦେଇ ।।
ଲୋମଶ ଲୋମହର୍ଷିତ ଦେଖି ତ୍ଵରିତ ।
କଳେବରେ କଳେବରେ ଆନନ୍ଦ ଜାତ ।।
କେରଳେ କେରଳମାୟା ହୋଇବ ,
ଯମନ ମନରୁ ଭିନ୍ନ ନୋହେ ଏ ଭାବ ।।
ସିନ୍ଧୁ ରେ ଭାଷିଲେ ସିନ୍ଧୁରେ ଯେ ଝାସିବ,
ସିନ୍ଧୁରଗମନା ପ୍ରତି ଅଙ୍ଗେ  ମିଶିବ ।।
××××××××××××××××××××××××××××
ଶବ୍ଦାର୍ଥ:-
କୁନ୍ତଳବର୍ଣ୍ଣ-କେଶ ର ରଙ୍ଗ ପରି କଳା
ନିଷେଧେ-ନୈଷେଧ ଦେଶରେ
ନିଷେଧି-ମନା କରି
ମାଘବାପଦ-ଇନ୍ଦ୍ରପଦ
ବିଦେହଶର-କନ୍ଦର୍ପ ବାଣ
ଉଜ-ଶ୍ରେଷ୍ଠ
ଅଙ୍ଗନା ଅଙ୍ଗ- (ଲାବଣ୍ୟବତୀ ର) ଶରୀର
ହଟ-କୌତୁକ
ନିଚୋଳେ-କାଞ୍ଚଲାରେ
ମମତା-(ଏଠାରେ)ଇଛା
ଦରହାସୀ-ମୃଦୁହାସୀ
ଉତ୍କଳ-ଉତ୍କଣ୍ଠିତ
ଗଉରୀ-ଗୌରବର୍ଣ୍ଣର ସ୍ତ୍ରୀ
ମାଗଧମୁଖେ-ଭାଟମାନଙ୍କର ମୁଖରେ
କେରଳମାୟା-କେଳାର କୁହୁକ
ଯମନ-ଯବନ

((କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ
#ଲାବଣ୍ୟବତୀ ମଧ୍ୟେ
ପ୍ରଥମ ଭାଗ ଅଷ୍ଟମ ଛାନ୍ଦରୁ ସଂଗୃହିତ))



No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...