Friday, August 4, 2017

ସେଇ ଘରଟିର କଥା

ସେଇ ଘରଖଣ୍ଡକୁ ଗାଆଁର ଲୋକେ  କ୍ଲବଘର ପରି ବ୍ୟବହାର କରନ୍ତି...
ତାହା କେବେ ଗୁଡିଆଘର ଦୋକାନ ଥିଲା ଏବେ ସର୍ବସାଧାରଣଙ୍କ ମିଳନ ସ୍ଥଳୀ ପାଲଟିଛି । ସେ ଘର ବୃଦ୍ଧ ଲୋକଙ୍କ ପାଇଁ  ସକାଳୁ ସକାଳୁ ଏକ ପୂଜାଗୃହ ପାଲଟିଯାଏ । ବିଭିନ୍ନ ଦେବାଦେବୀଙ୍କ କାଳ୍ପନିକ ତୈଳ ଚିତ୍ରରେ ଧୂପ ଦୀପ ମନ୍ତ୍ରାଦିରେ ପୂଜାର୍ଚ୍ଚନା କରି ବୟସ୍କ ମାନେ ବାହୁଡନ୍ତି.....
ସକାଳ ଆଠଟା ପରେ ପରେ ସେ ଘରଟିରେ ଯୁବଗୋଷ୍ଠୀଙ୍କ ଆଗମନ ହୁଏ ।
ସେଇଠୁ ଦ୍ବିପହର ଯାଏଁ ଗୀତ,ନାଚ,ତାସଖେଳ,ଗୁଲିଗପରେ
ଘରଟି ଚଳଚଞ୍ଚଳ ରହେ.....
ଦିପହର ପରେ କେତକ ଲୋକ ସେହି ଘରକୁ ଶୟନକକ୍ଷ ସମ ବ୍ୟବହାର କରନ୍ତି ।
ଚାରିଟା ରୁ ପାଞ୍ଚଟା ଯାଏଁ ସେ ଘରେ ଚା ପାନର ସମୟ....
ନୂତନ ବ୍ୟକ୍ତି ବିଶେଷ ଜୁଟିଲେ ତାଙ୍କ ପାଇଁ ବିସ୍କୁଟ,ମିକ୍ସଚର୍ ର ମଧ୍ଯ ବ୍ୟବସ୍ଥା କରିଦିଆଯାଏ ।
ସଂଧ୍ୟାରେ  ସେ ଘର ଭଜନ ସଂଧ୍ୟାର ଆୟୋଜନରେ ଲାଗିପଡେ଼.....
ଧୂପ ଦୀପ ସହ ସାଂଧ୍ଯକାଳୀନ ଶଂଖଧ୍ବନୀ ଗଗନ ପବନକୁ ପବିତ୍ରମୟ କରିଦିଏ ।
ରାତ୍ରୀ ସାତଟା ପରେ ପରେ ଗାଆଁର ଅନେକ ବ୍ୟକ୍ତି ଆସି ସେଠାରେ ଏକତ୍ରିତ ହୁଅନ୍ତି ।
ଦିନଯାକର ଘଟଣା ଦୂର୍ଘଟଣା ବିଷୟରେ ଟିକା ଟିପ୍ପଣୀ ତର୍କ ବିତର୍କ ଚର୍ଚ୍ଚା ଆଦି ଅଧିକାଂଶ କରି କରି ଶେଷକୁ ଲୋକେ ନିଜ ସ୍ବ ସ୍ବ ଗୃହକୁ ଲେଉଟି ଯାଆନ୍ତି ।
ରାତ୍ରୀରେ ଅବିବାହିତ ଯୁବକମାନେ ସେଇ ଘରେ ହିଁ ଶୋଇଯାଅନ୍ତି ଏବଂ ଏହିଭଳି ଗୋଟିଏ ଦିନ ବିତିଯାଏ.....
ସେ ଘରେ ଟିଭି, ରେଡ଼ିଓ ଆଦି ଥିବାରୁ ଲୋକେ ପ୍ରାୟ ସେଠାରେ ସବୁବେଳେ ଜଣେ ଅଧେ ଥାଅନ୍ତି.....
କ୍ରିକେଟ ଖେଳ ପ୍ରସାରଣ ସମୟରେ ଘରଟି କ୍ରୀଡ଼ାପ୍ରେମୀଙ୍କ ହୋହାଲ୍ଲା କରତାଳି ରେ  ପ୍ରକମ୍ପିତ ହେଉଥାଏ ।
ସକାଳୁ ସକାଳୁ ଆଜି ବି ସେଇଠି କଟକ ରେଡ଼ିଓ ଷ୍ଟେସନ ରୁ ସୁମଧୁର ଗୀତ ସଂଗୀତ ବାଜେ....

ବ୍ୟବହାର ଦୃଷ୍ଟିରୁ ଦେଖିଲେ ଯେ କେହି କହିବ ଯେ ତାହା ଏକ ଅନାଧିକାରୀକ କ୍ଳବ୍ । ତେବେ ଯେହେତୁ ଖୁବ୍ ଛୋଟ ତେଣୁ ତାକୁ କ୍ଳବ କହିବା ସମୀଚିନ ଲାଗୁନାହିଁ ।
ଏଇ ଘରେ ଜାତି ଗୋତ୍ର ମନ ଆତ୍ମା ସବୁର ମିଳନ ହୋଇଥାଏ । ମୁଁ ଦେଖିଛି ସେଇ ଘରେ ପ୍ରେମର ପୁଲକ ଭରା ସ୍ପର୍ଶ । ଏଇଠି ଦେଖିଛି କେତେ
ପ୍ରେମପତ୍ର ର ଆଦାନପ୍ରଦାନ ପୁଣି ବିରହ ପୂର୍ବର ଶେଷ ଦେଖା....
ବିବାହ ପୂର୍ବରୁ ସାହିର ଅଧିକାଂଶ କନ୍ୟାଙ୍କୁ ଏଇଠି ସଜାଅନ୍ତି ତାଙ୍କ ସଖୀମାନେ.....
ଗ୍ରୀଷ୍ମଋତୁର ରାତ୍ରୀରେ ଏହି ଘରର ପିଣ୍ଡାରେ କେତେ ଯେ ମୁଣ୍ଡ ଗଡିଯାନ୍ତି ଆଉ କଟାଇ ଦିଅନ୍ତି ଉଷ୍ମ ଗ୍ରୀଷ୍ମକାଳୀନ ତନ୍ଦ୍ରାକୁ...

ଖରାଦିନିଆ ଦୁଇପହରିଆ
ବାଦାମ ତୋଳା ହୁଏ ପୁଣି ସେଇ ଘରର ପିଣ୍ଡାରେ....
ଦଣ୍ଡକୁ ଦଣ୍ଡୁଆ ଏହି ଘର ସାମ୍ନାରେ ଦିନଟିଏ ଧୂଳିଦଣ୍ଡ ତଥା ରାତିକୁ ଦଣ୍ଡନାଟ ପରିବେଷଣ କରନ୍ତି ।
ରଜପରବକୁ ସେ ଘର ସାମ୍ନା ବାରଣ୍ଡା ଭାତିଆରେ କେତେ ଯେ ଦୋଳି ବନ୍ଧା ହୁଏ.....

ଏ ଘର ର ସମ୍ମୁଖସ୍ଥ ପିଣ୍ଡାରେ ଶୀତଦିନିଆ ରବିକିରଣ ର ଆନନ୍ଦ ନିଅନ୍ତି ପୁଣି ବୃଦ୍ଧ ବାଳୁତ ସଭିଏଁ...

କୁମାରୀ କନ୍ୟାମାନଙ୍କ ଖୁଦୁରୁକୁଣୀ ଆଉ ଜହ୍ନି ଓଷା ଏଇଠି ହୁଏ
ବୁଧେଇ ଓଷା, ବଡ ଓଷା ଭଳି ବ୍ରତଦିର ଆୟୋଜନ ମାଆ ମାନେ ଏଇ ଗୃହର ପଶ୍ଚାତଭାଗରେ କରିଥାନ୍ତି ।
ମୋ ପାଇଁ ତଥାପି ସେ ଘର ଖଣ୍ଡିକ ଅନେକ ଦିନରୁ ଅପେକ୍ଷା କରି ରହିଛି ....
କାଳେ ମୁଁ କେବେ ସେଠାକୁ ଯିବି କିନ୍ତୁ ମୁଁ ପ୍ରାୟ ଯାଇନି,ଯାଏନିି....
ଛୋଟ ଥିଲାବେଳେ ବି ବହୁତ କମ୍ ଥର ଯାଇଛି ସେଠାକୁ.....
ଯେତେବେଳେ ତାହା ଦୋକାନ ଥିଲା ମୁଁ ବହୁତ ଛୋଟ ଥିଲି
ସେତେବେଳେ ମୋର ସବୁ ପିଲାଙ୍କ ଭଳି ପ୍ରିୟ ଥିଲା ଚକୋଲେଟ
ତହିଁରେ ପୁଣି ମର୍ଡନ୍ ଚକୋଲେଟ୍ କିଣି କି ଖାଉଥିଲି ବେଶି ...
ଥରେ ଗୁଡିଆ ଘର ସହ ଆମର ଛୋଟ କଥାକୁ ନେଇ ଝଗଡ଼ା ହୋଇଗଲା....
କିଛି ବର୍ଷ ପାଇଁ ଦୁଇ ପରିବାର ମଧ୍ୟରେ କଥାଭାଷା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା.....
ଏଇ କିଛି ବର୍ଷ ହେଲା କଥାବାର୍ତ୍ତା ସାମାନ୍ୟ ହୋଇଛି ତେବେ ପରସ୍ପରର ଘରକୁ ଯିବା ଆସିବା ଟା ତଥାପି ସାମାନ୍ୟ ହୋଇନାହିଁ ।
ସେ ଘରଟି ତେଣୁ ମୋ ପାଇଁ ତଥାପି ଅନେକ ଦୂରରେ ମୁଁ ଚାହିଁଲେ ମଧ୍ଯ ଯାଇପାରେ ନାହିଁ ତା'ର ଆମୋଦପ୍ରମୋଦର ଦୁନିଆକୁ.....

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...