ହସ୍ତୀର ଉପରେ ବସିଥିଲେ ନରବର
ଚିତ୍ରମୟ ପରିଚ୍ଛଦେ ମଣ୍ଡି କଳେବର ।
ଶିଖରୀ ଶିଖରେ ରହି ଶିଖୀ ତାହା ଚାହିଁ ।
ସହି ନ ପାରିଲା ତାଙ୍କ କୃତ୍ରିମ ବଡା଼ଇ ।
କେକାରବେ ଡାକ ଦେଲା ବିସ୍ତାରୀ ସ୍ବପୁଚ୍ଛ ।
ନୁହ ନୃପ ମୋ ସମାନ ରମ୍ଯ ଅବା ଉଚ୍ଚ ।
ଦେଖ ମୋତେ,ମୋହଠାରୁ ଅଟକେଡେ ଖର୍ବ,
କି ଘେନି ନିଜକୁ ଉଚ୍ଚ ମଣି କର ଗର୍ବ ?
ମୋର ପୁଚ୍ଛ ସଙ୍ଗେ ଯଦି କରିବି ତୁଳନା,
ନିଶ୍ଚୟ ମଣିବ ନିଜ ବେଶକୁ ଅଲଣା ,
ତୁମ୍ଭେ ବା ବୋଲିବ ଅଛି ମାନବର ଜ୍ଞାନ,
ପକ୍ଷୀଜାତି ହେବ କାହିଁ ମାନବ ସମାନ ?
ଭେକର ବିକଟ ରବେ ନଥାଏ ମୋ କର୍ଣ୍ଣ
ନାଚୁଥାଏ ଊର୍ଦ୍ଧ୍ଵେ ଶୁଣି ଜଳଦ ଗର୍ଜନ,
ନୀଚର କୁବାଣୀ ଶୁଣି ସହି ଉଚ୍ଚର ଭର୍ତ୍ସନା
ହିତ ମଣି କର କି ହେ ଉଚ୍ଚର ଅର୍ଚ୍ଚନା ?
ଭୟଙ୍କର ବିଷଧର କରେଁ ଗର୍ଭସାତ
ନାଶ କି ଜିଘାଂସା ହେଲେ ତୁମ୍ଭ ହୃଦେ ଜାତ ?
ଇନ୍ଦ୍ରଧନୁ ଦରଶନେ ବଢେ ମୋ ଆନନ୍ଦ,
ପରଶିରୀ ହୁଅଇ କି ତୁମ୍ଭ ପ୍ରୀତିପଦ ?
ପର୍ବତେ ମୋ ଯେଉଁ ସୁଖ ସେ ସୁଖଭୂମିର
ସମ ସୁଖୀ ଥାଅ କି ହେ ପ୍ରାସାଦେ କୁଟୀରେ ?
@ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କଲମ ନିଃସୃତ କବିତା(ଅର୍ଘ୍ୟଥାଳୀରୁ ଗୃହୀତ)
No comments:
Post a Comment