ଭିକାରୀଟିଏ ସଡକ କଡ଼ରେ ଭୋକରେ ଆଉଟୁପାଉଟୁ ହେଉଥାଏ ।
ଜଣେ ଦୟାଳୁ ଗୋରକ୍ଷକ ରାସ୍ତାରେ ବୃଷଭକୁ ରୁଟି ଖୁଆଉଥାଏ । ଗୋରକ୍ଷକ ମନରେ ଭିକାରୀ କୁ ଦେଖି ଦୟା ଜାତହେଲା ।
ସେ ବଳକା କିଛି ରୁଟି ନେଇ ରାସ୍ତା ପାର ହୋଇ ଭିକାରୀ କୁ ଦେବାକୁ ଯାଉଥିଲା କି ଆଉ ଜଣେ ବ୍ୟକ୍ତି ଆସି ତା ହାତ ଘିଞ୍ଚିନେଲା ।
ସେ ଲୋକ ବଡ଼ ରଙ୍ଗୀନ୍ ମିଜାଜର ଥିଲା ।
ଗୋରକ୍ଷକ ଜଣକ ସାମାନ୍ୟ ବିରକ୍ତିରେ ତାକୁ ପଚାରିଲା,
"ଭାଇ ଜଣେ ଭୋକିଲା ଲୋକକୁ ଖାଦ୍ୟ ଦେଉଥିଲାବେଳେ ମୋତେ କାହିଁକି ବାଧା ଦେଲେ ?"
ରଙ୍ଗୀନ୍ ଲୋକ ଟି କହିଲା, "ରୁହ ତୁମେ ତା'ର ହିତ କରିପାରିବନି । ତୁମେ କେବଳ ତାହାର ପେଟର ଭୋକ ଦେଖାପାରିଛ କିନ୍ତୁ ମୁଁ ତା ଆତ୍ମାର ଭୋକକୁ ଅନୁଭବ କରିପାରୁଛି । ଦେଖୁନା ମାନବ ଶରୀରରେ ପେଟ ଟା ତଳେ ହୃଦୟଟା ଉଚ୍ଚରେ ଅଛି ତେଣୁ ନିଶ୍ଚେ ହୃଦୟ ର ମହତ୍ବ ଅଧିକ ।"
ଗୋରକ୍ଷକ ବି ଛାଡ଼ିବା ଲୋକ ନୁହେଁ କହିଲା,
"ତୁମେ ଭୋକ କଣ୍ ଜାଣିନାହଁ ଏଣୁ ଧନୀକ ଭଳି କଥା କହୁଛ କିନ୍ତୁ ଏହି ଗରୀବ ଲୋକଟିର ହୃଦୟ ଟା ତା' ପେଟ ଉପରେ ହିଁ ନିର୍ଭର କରେ । ନଖାଇଲେ ତା ହୃଦୟର ଟିକ୍ ଟିକ୍ ବନ୍ଦ ହୋଇଯିବନି କି ?"
ରଙ୍ଗୀନ୍ ମିଜାଜୀ ଲୋକଟି ହସିଲା,
ଏବଂ କହିଲା -ଦେଖ ମୁଁ କହୁଛି ତା'ର ଭୋକ କେମିତି ମେଣ୍ଟିବ !!!
ଏତିକି କହି ସେ ଭୋକିଲା ଲୋକଟି ଆଗରେ
ବଂଶୀ ବଜେଇବା ଆରମ୍ଭ କରିଦେଲା.....
ଗୋରକ୍ଷକ ଚିଡ଼ିଯାଇ ରୁକ୍ଷ୍ୟ ଗଳାରେ
ତାକୁ କହିଲା
"ଏ କି ମର୍କଟାମୀ ? ଏଥିରୁ ସେ ଭୋକିଲାକୁ କଣ୍ ବା ଲାଭ ହେବ ?"
ରଙ୍ଗୀନ୍ ଲୋକ ଟି କହିଲା,
"ମୁଁ ତାକୁ ସଂସ୍କୃତି ର ରାଗ ଶୁଣାଉଛି । ତୁମ ରୁଟିରେ ତାହାର କ୍ଷୁଧାତୃଷା ଦିନକ ପାଇଁ ଚାଲିଯିବ କିନ୍ତୁ ଏହି ସଂସ୍କୃତି ର ରାଗ ଶ୍ରବଣ ଦ୍ଵାରା ସେ ଜନ୍ମଜନ୍ମାନ୍ତର ଭୋକ ଶୋଷରୁ ମଧ୍ଯ ମୁକ୍ତ ହୋଇଯିବ"
ଏତିକି କହି ରଙ୍ଗୀନ୍ ମିଜାଜୀ ଲୋକଟି ପୁଣି ବଂଶୀ ବାଦନ ଆରମ୍ଭ କରିଦେଲା.....
ଆଉ ସେଇଠୁ ଭିକାରୀ ଉଠିଲା ଏବଂ ବଇଁଶୀଟିକୁ ଛଡ଼େଇ ନେଇ ନିକଟସ୍ଥ ନାଳକୁ ଫୋପାଡ଼ି ଦେଲା ।
(ସ୍ବର୍ଗତ ଶ୍ରୀ ହରିଶଙ୍କର ପରସାଇଙ୍କର ଏକ ବ୍ୟଙ୍ଗ
"संस्कृति" ର ଓଡ଼ିଆ ଭାବାନୁବାଦ ।)
No comments:
Post a Comment