Sunday, September 10, 2017

●ଦୁଇ ହାତ●

ସନ୍ ୧୯୭୮.....
ଲକ୍ଷଣପୁରର ରାମିଆ ଆର୍ମୀରେ
ଜଣେ ପାଚକ ବା ରୋଷେୟା ହିସାବରେ କାମ ପାଇ ୩ ବର୍ଷ ହେଲା ଘରକୁ ଆସିନଥିଲା ।

ଏବେ ଏତେ ଦିନ ରହିଲା ପରେ ସେ ଗାଆଁକୁ ଫେରୁଛି ବୋଲି ଚିଠି ଖଣ୍ଡିଏ ପଠେଇଛି ।

ଗାଆଁରେ ବଡ଼ ବଡ଼ ଲୋକେ ତା ଆସିବା ବାଟକୁ ଅନେଇ ରହିଛନ୍ତି
ରାମିଆ ଆଇଲେ
କି ଡ୍ରାମା ଲାଗିବ ତାକୁ ଦେଖିବା ସକାଶେ
ତାଙ୍କ ମାନଙ୍କ ମନରେ ପ୍ରବଳ କୌତୁହଳ ବସା ବାନ୍ଧି ଅଛି ।

ତିନି ବର୍ଷ ତଳେ ରାମିଆ ସାନ୍ତରାସାହି
ମାଗୁଣି ପ୍ରଧାନ ଝିଅ ସୁଲାକୁ ବାହା ହୋଇ ଘରକୁ ଆଣିଥିଲା ଯେ
ବାହାଘରର ମାସେ ନ ପୁରୁଣୁ ଆର୍ମିରେ
କାମ ପାଇ ସେଇ ଦିନଠୁ ଯାଇଛି ଯେ ଯାଇଛି
ଆଉ ଫେରିବା ନାଆଁ ଧରିନି....

ସୁଲା କେତେ ଦିନ ନୂଆବୋହୂ ଭଳି ସକେଇ ସକେଇ କାନ୍ଦିଲା
ନୂଆ ଭୂଆସୁଣି ପରି ସବୁ ରୀତିନୀତି ପାଳିଣ
ରହିଲା....
କିଛି ଦିନ ଉତ୍ତାରୁ ତା ଚାଲିଚଳଣ  ବଦଳିବା ସହ କପଡ଼ା ର ଆକାର ବି ଛୋଟ ହୋଇ ହୋଇଗଲା....

ସେ ଯୁଆଡେ ଯାଏ
ଲୋକେ ତାଟକା ହେଇ ଅନେଇ ଥାଅନ୍ତି....
ଗାଆଁରେ ସୁଲା ନାଆଁରେ
ନାନାପ୍ରକାର କଥା ଶୁଣାଗଲା....
କିନ୍ତୁ
ତା ଶାଶୁକୁ ଏସବୁ ଭଲ ଲାଗୁନଥିଲା
ସେ ତ ତା ବୋହୂ କୁ ଦିନ ରାତି ଗଧଭଳି ଖଟୁଥିବାର ଦେଖେ
ସେ କାହିଁକି ଏସବୁ କଥାକୁ ପରତେ ଯିବ....

କେତେ ଲୋକ ଆସି ବୁଢିକୁ ବୁଝାଇ ଗଲେ
ବୋହୂ କୁ ତାଗିଦ କର ନହେଲେ କାଲିକୁ ନାକ କାଟିଦେଲା ଭଳିଆ କାମ କରିଦେବ....

ହେଲେ ବୁଢୀ ସେମାନଙ୍କ କଥାକୁ ଗୁରୁତ୍ୱ ଦିଏନି....

ଚାହୁଁ ଚାହୁଁ ଦି ବର୍ଷ ବିତିଗଲା
ସୁଲାର ଚାଲିଚଲଣ ବି କେତେ ବଦଳିଗଲାଣି...
ସେ ଆଉ ନିଜକୁ ନୂଆବୋହୂ ଭଳି ଘରକଣରେ
ବସିଯିବାର ବସ୍ତୁ ଭାବୁନାହିଁ....

ସକାଳ ହେଲେ ତାକୁ
ବିଲକୁ ଯିବାକୁ ହୁଏ
ଗାଈଗୋରୁ ଙ୍କ ପାଇଁ ଘାସ କାଟିଆଣି
ସେମାନଙ୍କ ଗୁହାଳ ପୋଛି
ତାଙ୍କୁ
ଖାଇବାକୁ ଦେଇ
ଆପେ ଗାଧୋଇ ଚା ଖାଇ ପୁଣି ବିଲ ଆଡେ଼ ଚାଲିଯାଏ ଯେ ସୂର୍ଯ୍ୟ ମୁଣ୍ଡ ଉପରେ ହେଲେ   ଘରକୁ ଫେରେ.....

ଘରକୁ ଆସି ରୋଷେଇ କରି
ଶାଶୁକୁ ଖାଇବାକୁ ଦେଇ ପୁଣି ବିଲ ଆଡେ଼ ଚାଲିଯାଏ ଯେ
ସଂଧ୍ୟାରେ ଫେରେ....

ଗାଆଁରେ ମହିଳା ମାନଙ୍କ ସହ ତାର ଦେଖା ସାକ୍ଷାତ ବହୁତ କମ୍ କିନ୍ତୁ ବିଲ ବାଡିରେ ପୁରୁଷ ଙ୍କ ସହ କେତେ ପ୍ରକାର ର ରଙ୍ଗ ରହସ୍ୟ ହୁଏ
ସମସ୍ତେ ଦେଖନ୍ତି ଜାଣନ୍ତି
ତା ଶାଶୁକୁ କୁହନ୍ତି .....

ବୁଢି ସବୁଜାଣେ ଜାଣି ମଧ୍ୟ ଚୁପ୍ ରୂହେ
କଣ୍ ବା କରିବ....
ଆପଣା ସୁନା ଯେବେ ଭେଣ୍ଡି
କାହିବାକୁ ହେବ ମୁଷାନେଣ୍ଡି

ଶେଷକୁ ବୁଢୀ ଏକ ଉପାୟ ପାଞ୍ଚକରି 
ତା ଦିଅର ପୁଅକୁ କିଛି ଦିନ
ନିଜ ଘରେ ରହିବାକୁ ଡକେଇପଠେଇଲା ।

ଖବର ପାଇ ନବଘନପୁରରୁ
ନରହରି ପ୍ରଧାନ  ପୁଅ ନୀଳ
ଲକ୍ଷଣପୁର ଆସିଲା.....

ତା ଆସିବା ପରେ ପରେ
ସୁଲାର ଚାଲି ଚଳଣି ପୁଣି ନୂଆବୋହୂ ପରିକା ହୋଇଗଲା

ଦେଖିଲା ଲୋକ ତାଟକା
ଶୁଣିଲା ଲୋକ ଆଶ୍ଚର୍ଯ୍ୟ.......

ନୀଳ ଲକ୍ଷଣପୁରରେ ରହି ତା
ବଡ଼ପା ଶଶୁର ଘର ବିଲବାଡି଼ କାମ ଦେଖିଲା....

ଏଣେ ସୁଲାର ଶାରୀରିକ ପରିବର୍ତ୍ତନ ଦେଖି ସଭିଏଁ ସଂଦେହ କରୁଥାନ୍ତି.....
ଗାଆଁର ବହୁତ ଲୋକ ବୁଢୀକୁ ବୁଝାଇଲେ
ବେଳ ଥାଉଁ ଥାଉଁ ପାପକୁ ଧୋଇ ଦେ
ନହଲେ ଜୀବନଯାକ ଅପମାନିତ ହେବାକୁ ହେଲେ
କାହିଁକି କେଜାଣି ବୁଢୀକୁ ଏସବୁ କଥା
ଭଲ ଲାଗିଲା ନାହିଁ....
କିନ୍ତୁ ଏସବୁ କଥା ଜଣାପଡିଗଲାରୁ ନୀଳକୁ
ନବଘନପୁର ଯିବାକୁ ହେଲା.....

ସମୟ ପାଣି ଭଳି ବହିଯାଏ
ଚାହୁଁ ଚାହୁଁ ସୁଲାର ପୁଅଟିଏ ବି ହୋଇଗଲା
ଗାଆଁରେ ସମସ୍ତେ ଛି ଛାକର କଲେ
ତାଙ୍କ ଘର ସହ ପାଣି ଅଚଳ କରିଦେଲେ
ହେଲେ ତଥାପି ରାମିଆ ମାଆ ବୁଢୀର
ବୋହୂ ସରଧା କମି ନଥିଲା .....

ପୁଅ ରାମିଆ କୁ ତା ମାଆ ତୁରନ୍ତ ଏକ ଚିଠି ଲେଖିଲା
"ବାପ ରାମିଆ ତୋର ଏଇ ହଫ୍ତାକୁ ପୁଅଟିଏ ହୋଇଲା ଶିଘ୍ର ଆସି ଘରେ ହାଜର ହୁଅ"

ଚିଠି ପାଇ ତାହାର ପ୍ରତ୍ୟତ୍ତରରେ
ଆଉ ଏକ ଚିଠିରେ ସେ ସପ୍ତାହ ପରେ ଆସୁଛି ବୋଲି ଜଣାଇଥିଲା......

ସେଇଥିପାଇଁ ଗାଆଁରେ ସମସ୍ତେ ଆଜି ତା ବାଟକୁ ଚାହିଁ ବସିଛନ୍ତି.....

କହିଥିବା ଦିନର ଏକ ଦିନ ପରେ ରାମିଆ
ଲକ୍ଷଣ ପୁରରେ ଆସି ପହଞ୍ଚିଲା.....

ଲୋକେ ତାକୁ ପୁଅକଥା କହିଲେ .....
ସେ କଥା କାଟିବାକୁ ଚେଷ୍ଟା କଲା
ଲୋକେ କହିଲେ ସେ ପିଲାଟା ପାପ ସମ୍ପର୍କ ଯୋଗୁଁ ଜନ୍ମ ହୋଇଛି
ତୋ ସ୍ତ୍ରୀ ଅନୈତିକ କାର୍ଯ୍ୟ କରିଛି
ତାକୁ ଶିଘ୍ର ଘରୁ ବାହାର କରିଦେ
ଏଇଥିରେ ତୋ ମଙ୍ଗଳ......

କିନ୍ତୁ ରାମିଆ ର ସେହି ଏକାକଥା ତା କେମନ୍ତ ହେବ
ଯା ହେଲେ ସୁଲାକୁ ସେ ଅଗ୍ନି ଆଗରେ ସାଖିରଖି ବାହା ହୋଇଛି....
ତେବେ ମୁଁ ଏକଥା ଜାଣିଲା ପରେ ତାକୁ ବହେ ବାଡେଇଛି ଗାଳୀ ମନ୍ଦ କରିଛି
ରାମିଆ କହିଲା ......

ସେଇଠୁ
ଲୋକ ତାକୁ ପୁଣ ବୁଝେଇବା ଆରମ୍ଭ କରିଦେଲେ......

ପର ଟା ପର ନିଜଟା ନିଜର
ପର ପିଲାକୁ କାଖେଇ ବୁଲିଲେ କି ଲାଭ କାଲିକୁ କେ ଜାଣେ ଗୋଇଠା ମାରିବ.....

ରାମିଆ ଗାଆଁ ଲୋକଙ୍କୁ ହାତ ଯୋଡ଼ି କହିଲା-
ଆପଣ ମାନେ ବଡ଼
ତେଣୁ ସମସ୍ତ ଙ୍କର ସମ୍ମାନ କରେ
ଏ ପିଲାଟି ଯେତେ ଯାହା ହେଲେ ବି ଆମ
ଘରର ,ଏକା ରକ୍ତ ର ପର ନୁହେଁ
ସେ ବଡ଼ ହେଲେ ମୋ ଆଶାବାଡି ହେବ ।
ମୋ କାମରେ ହାତ ଦେଇ ମୋତେ ସାହାଯ୍ୟ କରିବ .....

ତା ଏଇ ଦୁଇ କୁନି କୁନି ହାତରେ ସେ ମୋ ବୃଦ୍ଧାବସ୍ଥାର ସାହାରା ହୋଇବ.....

ସେଦିନ
କାହିଁକି କେଜାଣି ରାମିଆ କଥାରେ
ସେଠି ଉପସ୍ଥିତ
ଲକ୍ଷଣପୁରର ଲୋକେ କାନ୍ଦି ପକେଇଲେ ....
ରାମିଆ ର ଉଦାରତା ତାଙ୍କ ପଥର ମନକୁ ବି ତରଳେଇ ଦେଇଥିଲା ।
ଗାଆଁ ଲୋକେ ବାଃ ରାମିଆ ବାଃ କହି କହି ଘରକୁ ଫେରିଲେ......

(ଉର୍ଦ୍ଦୁ ଲେଖକ ଇସ୍ମତ ଚୁଙ୍ଗତାଇଙ୍କର ଗଳ୍ପ
“दो हाथ” ରୁ ପ୍ରେରିତ)

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...